କାଳୀକା ପୁରାଣ

 

 

 

 

 

 

 

 

 

 

କାଳିକା ପୁରାଣ

ପଣ୍ତିତ ପ୍ରଭାକର ମିଶ୍ର

ସ୍ମୃତିରତ୍ନ, ସ୍ମୃତି ବ୍ୟାକରଣ ତୀର୍ଥ

 

ମୁଖବନ୍ଧ

 

ଏ ବିଶ୍ଵବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛନ୍ତି ମାତୃରୂପା ଶକ୍ତି । ଭାରତୀୟ ଧର୍ମଧାରାରେ ଶକ୍ତି ଉପାସନା ବହୁ ପ୍ରାଚୀନ । ଆମର ପଞ୍ଚଦେବତାଙ୍କ ଉପାସନା ମଧ୍ୟରେ ଶକ୍ତିପୂଜା ଅନ୍ତର୍ଭୁକ୍ତ । ଶକ୍ତି ଉପାସନାର ବିଶଦ ବର୍ଣ୍ଣନା ଆମର ପୁରାଣମାନଙ୍କରେ ମଧ୍ୟ ଦେଖିବାକୁ ମିଳେ । ଯେଉଁସବୁ ପୁରାଣମାନଙ୍କରେ ଶକ୍ତି ଉପାସନା ସମ୍ବନ୍ଧରେ ବିଶଦ ତଥ୍ୟ ମିଳିଥାଏ ସେଗୁଡ଼ିକ ମଧ୍ୟରେ ମାର୍କଣ୍ଡେୟ ପୁରାଣ, ମତ୍ସ୍ୟ ପୁରାଣ, ଦେବୀ ପୁରାଣ, ବରାହ ପୁରାଣ, କାଳିକା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ ।

 

ତେବେ ଏ ସମସ୍ତ ପୁରାଣ ମଧ୍ୟରେ ମହର୍ଷି ବ୍ୟାସଦେବକୃତ କାଳିକା ପୁରାଣର ସ୍ଥାନ ସ୍ଵତନ୍ତ୍ର । ‘କାଳିକା ପୁରାଣ’ ଶକ୍ତି ଉପାସନା ଉପରେ ପର୍ଯ୍ୟବସିତ ଦୁର୍ଲ୍ଲଭ ଗ୍ରନ୍ଥଟିଏ । ଏହି ଗ୍ରନ୍ଥଟିର ମୂଳ ସଂସ୍କୃତରୁ ଆକ୍ଷରିକ ଅନୁବାଦ କରିଥିଲେ ମୋର ପରମ ଆରାଧ୍ୟ ପିତାମହ ସ୍ଵର୍ଗୀୟ ପଣ୍ଡିତ ପ୍ରଭାକର ମିଶ୍ର । ମୋର ପୂଜ୍ୟ ପିତୃବ୍ୟ ନାରାୟଣ ମିଶ୍ର ଏହାକୁ ପ୍ରଥମକରି ପ୍ରକାଶ କରିଥିଲେ ଏବଂ ଏହା ସେ ସମୟରେ ପାଠକ, ଶକ୍ତି ଉପାସକମାନଙ୍କ ମଧ୍ୟରେ ବହୁ ଆଦୃତ ହୋଇଥିଲା । ତେବେ ଏହି ଅମୂଲ୍ୟ ଗ୍ରନ୍ଥଟି ଏବେ ଆଉ ଉପଲବ୍ଧ ନଥିବାରୁ ଏହାର ପୁନଃ ପ୍ରକାଶନ ଜରୁରୀ ହୋଇପଡ଼ିଛି । ସୌଭାଗ୍ୟକ୍ରମେ ମୋର ପିତୃବ୍ୟଙ୍କ ଦ୍ଵାରା ପ୍ରକାଶିତ ‘କାଳିକା ପୁରାଣ’ର ଏକ ଅତି ପୁରାତନ କୀଟଦ୍ରଂଷ୍ଟ ଗ୍ରନ୍ଥ ମୋର ହସ୍ତଗତ ହେଲା । ଏହାକୁ ପୁଣିଥରେ ପ୍ରକାଶ କରିବାର ଇଚ୍ଛାକୁ ସାକାର ଦେଇଛନ୍ତି କଟକସ୍ଥିତ ଓମ୍‍ ପ୍ରକାଶନ ।

 

କାଳିକା ପୁରାଣ ଓଡ଼ିଆ ପୁରାଣ ସାହିତ୍ୟ ଭଣ୍ଡାରର ଏକ ଦୁର୍ଲ୍ଲଭ ଗ୍ରନ୍ଥ ହୋଇଥିବାରୁ ଏହାର ପୁନରୁଦ୍ଧାର ଆବଶ୍ୟକତା ଥିଲା । ଏହି ଗ୍ରନ୍ଥ ଓଡ଼ିଶାର ଶକ୍ତି ଉପାସକ, ପୁରାଣସାହିତ୍ୟପ୍ରେମୀ ପାଠକ ତଥା ଅନୁସନ୍ଧିତ୍ସୁମାନଙ୍କ ଦ୍ଵାରା ଆଦୃତ ହେଲେ ଏହାକୁ ପୁନଃପ୍ରକାଶ କରିବାର ପ୍ରୟାସ ସଫଳ ହେଲା ବୋଲି ଭାବିବୁ ।

 

ପ୍ରସନ୍ନ କୁମାର ମିଶ୍ର

ଗଙ୍ଗୋତ୍ରୀ, ବିଜେବି ନଗର, ଭୁବନେଶ୍ୱର

ନୂତନ ସଂସ୍କରଣ : କାଳୀପୁଜା, ୨୦୧୪

✽✽✽

 

ସୂଚୀପତ୍ର

 

ଅଧ୍ୟାୟ

ବିବରଣ

୧.

ମଙ୍ଗଳାଚରଣ ଓ ସତୀରୂପା କାଳୀଙ୍କର ଶିବ ଚିତ୍ତାକର୍ଷଣ କିପରି କଲେ, ଦକ୍ଷକୋପ ହେତୁ ସତୀ ଦେହତ୍ୟାଗ କିପରି କଲେ, ହିମାଳୟ କନ୍ୟା ରୂପରେ ଶିବଙ୍କର ଅର୍ଦ୍ଧାଙ୍ଗିନୀ ହେଲେ ଏସବୁ ପ୍ରଶ୍ନ କମଠାଦି ଋଷିଗଣ ମାର୍କଣ୍ଡେୟଙ୍କୁ ପଚାରିବାରୁ ମାର୍କଣ୍ଡେୟ କାଳିକା ପୁରାଣ ଆରମ୍ଭ କଲେ, ବ୍ରହ୍ମାଙ୍କ ମନରୁ ସନ୍ଧ୍ୟାକନ୍ୟା ଓ କାମଦେବଙ୍କ ଉତ୍ପତ୍ତି ।

୨.

ସନ୍ଧ୍ୟାଙ୍କଠାରେ ଅନୁରକ୍ତ ବ୍ରହ୍ମାଦିଙ୍କର ଚେଷ୍ଟାକୁ ଦେଖି ଶିବଙ୍କର ପ୍ରବୋଧନ ଓ ବ୍ରହ୍ମାଙ୍କର କାମଦେବଠାରେ କ୍ରୋଧ ।

୩.

ବ୍ରହ୍ମାଙ୍କର ମଦନଙ୍କୁ ଶାପଦାନ ଓ ସ୍ଵଦେହ ସ୍ଵେଦସମ୍ଭୂତା ରତିଙ୍କୁ ମଦନଙ୍କୁ ଦେଇ ଦକ୍ଷ ପ୍ରଜାପତିଙ୍କର ସ୍ଵସ୍ଥାନ ଗମନ ।

୪.

ଶିବଙ୍କୁ ମୋହ କରିବା ପାଇଁ ମଦନଙ୍କୁ ବ୍ରହ୍ମାଙ୍କର ଆଦେଶ, ବ୍ରହ୍ମାଙ୍କ ନିଃଶ୍ଵାସରୁ ବସନ୍ତର ଜନ୍ମ, ଶିବ ଚିତ୍ତ ଆକର୍ଷଣ କରିବା ସ୍ତ୍ରୀର ପ୍ରାପ୍ତି କିପରି ହେବ ଏ ରୂପ ବ୍ରହ୍ମାଙ୍କ ବିଚାର କରଣ ।

୫.

ବିଷ୍ଣୁ ମାୟାମୋହର କନ୍ୟା ହୋଇ ହରଙ୍କୁ ମୋହିତ କରୁ, ଏଥିପାଇଁ ବ୍ରହ୍ମା ଆଦେଶରେ ଦକ୍ଷଙ୍କର ତପସ୍ୟାକରଣ ଓ ମନ୍ଦର ପର୍ବତରେ ବ୍ରହ୍ମସ୍ତୁତି ଦ୍ଵାରା ପ୍ରସନ୍ନପୂର୍ବକ ଦର୍ଶନ ଦେବା, ବିଷ୍ଣୁ ମାୟାଙ୍କୁ ହରମୋହନ ନିମିତ ପ୍ରାର୍ଥନା ।

୬.

ଦକ୍ଷପତ୍ନୀଙ୍କ ଗର୍ଭରେ ଜନ୍ମହୋଇ ହରଙ୍କ ଅନୁଗାମିନୀ ହେବି ଏହା କହି ଯୋଗମାୟାଙ୍କ ଅନ୍ତର୍ଦ୍ଧାନ ଓ ହରଙ୍କୁ ମୋହିବା ପାଇଁ ବ୍ରହ୍ମାଙ୍କର ମଦନକୁ ଆଦେଶ, ମଦନଗଣଙ୍କର ଉତ୍ପତ୍ତି, ମଦନଙ୍କୁ ଯୋଗମାୟା ସ୍ଵରୂପ କଥନ ।

୭.

ଯେ ଯେ ସ୍ଥାନରେ ହରଙ୍କର ବିଚରଣ ସେ ସେ ସ୍ଥାନକୁ ସଗଣରେ ଯାଇ ହର ମନ ମୋହି ନପାରି ବର୍ତ୍ତମାନ ଯୋଗନିଦ୍ରାଙ୍କ ବାକ୍ୟକୁ ମାନି ପୁନରପି ଯତ୍ନ କରିବାକୁ ମଦନଙ୍କ ବିଚାର ।

୮.

ଯୋଗମାୟାଙ୍କୁ ଦକ୍ଷଙ୍କ ସ୍ତୁତି, ଦକ୍ଷକୁ ତୁମ୍ଭର କନ୍ୟା ହେବି ବୋଲି ଦେବୀଙ୍କ ଭକ୍ତିରୂପ ବରଦାନ, ଦକ୍ଷପତ୍ନୀ ବିରିଣୀଙ୍କଠାରେ ଦେବୀଙ୍କ ଉତ୍ପତ୍ତି, ସତୀନାମ୍ନୀ ଦକ୍ଷକନ୍ୟାଙ୍କ ବାଲ୍ୟାବସ୍ଥା ବର୍ଣ୍ଣନା ।

୯.

ଶିବପ୍ରାପ୍ତି ନିମିତ୍ତ ସତୀଙ୍କର ବ୍ରତାଚରଣ, ଦାରପରିଗ୍ରହ ପାଇଁ ଶିବଙ୍କୁ ବିଷ୍ଣୁ ଓ ବ୍ରହ୍ମାଙ୍କର ପ୍ରାର୍ଥନା ।

୧୦.

ବ୍ରତସନ୍ତୁଷ୍ଟ ଶିବଙ୍କର ସତୀଙ୍କ ସହ ସମ୍ବାଦ, ସତୀଙ୍କୁ ବରଦାନ ଓ ସତୀ ବିବାହ ପାଇଁ ଶିବ ବ୍ରହ୍ମାଙ୍କୁ ଦକ୍ଷ ନିକଟକୁ ପ୍ରେରଣ ଏବଂ ବିବାହ ନିଶ୍ଚୟପୂର୍ବକ ବ୍ରହ୍ମାଙ୍କର ଶିବ ନିକଟକୁ ଆଗମନ ।

୧୧.

ସତୀ ଶିବଙ୍କର ବିବାହ ବର୍ଣ୍ଣନ, ସତୀଙ୍କୁ ଦେଖୁ ବ୍ରହ୍ମାଙ୍କର କାମଚେଷ୍ଟା ଦେଖି ଶିବ ବ୍ରହ୍ମାଙ୍କୁ ମାରିବା ପାଇଁ ଉଦ୍ୟତ ହେବାରୁ ବିଷ୍ଣୁ ଶିବଙ୍କୁ ଏକରୂପତ୍ଵ ବୁଝାଇବା

୧୨.

ଶିବଙ୍କ ନିକଟରେ ବିଷ୍ଣୁ ପ୍ରତିପାଦିତ ଅନନ୍ୟତ୍ଵ ବର୍ଣ୍ଣନ ଓ ସମାଧି ଯୋଗରେ ଶିବଙ୍କ ହୃଦୟରେ ପ୍ରକୃତି ପୁରୁଷାଦି ଦର୍ଶନ ।

୧୩.

ଶିବଙ୍କ ହୃଦୟରେ ବିଷ୍ଣୁଶକ୍ତିଦ୍ଵାରା ନାନାବିଧ ବ୍ରହ୍ମାଣ୍ଡ ଦର୍ଶନ ହେତୁ ମାୟାଙ୍କ ସାମର୍ଥ୍ୟ ପରିଜ୍ଞାନ କଥନ ।

୧୪.

ବିବାହ ପରେ ହିମାଳୟ ଗିରିରେ ଶିବଙ୍କର ନାନାବିଧ କାମ ବିଳାଶଭୋଗ ବର୍ଣ୍ଣନ ।

୧୫.

ବର୍ଷାକାଳ ବର୍ଣ୍ଣନ ପୂର୍ବକ ହିମାଚଳ ଶୃଙ୍ଗରେ ରହିବା ପାଇଁ ହରଙ୍କୁ ସତୀଙ୍କର ପ୍ରାର୍ଥନା-

୧୬.

ସ୍ଵପିତା ଦକ୍ଷଙ୍କ ଯଜ୍ଞରେ ଅନିମନ୍ତ୍ରଣ ହେତୁ ପତିଙ୍କ ଅପମାନ ଦୁଃସହ ଜାଣି ସତୀଙ୍କ ପ୍ରାଣତ୍ୟାଗ ।

୧୭.

ଅତ୍ୟନ୍ତ କୁପିତ ହରଙ୍କର ବୀରଭଦ୍ରାଦିଗଣ ସହିତ ଦକ୍ଷଯଜ୍ଞ ବାଟରେ ପ୍ରବେଶ କରି ସେଠାରେ ବିଶେଷତଃ ଯଜ୍ଞ ଧ୍ଵଂସକରି ଶିବଙ୍କର ସତୀ ଶବ ନିକଟକୁ ଗମନ ।

୧୮.

ସତୀ ଶବକୁ କାନ୍ଧରେ ବହି ମହାବ୍ୟାକୁଳରେ ଶିବ ବିଚରଣ କରନ୍ତେ ସତୀ ଶବ ଖଣ୍ଡ ଖଣ୍ଡ ହୋଇ ପଡ଼ିବା ଓ ଶିବଙ୍କ ଶୋକ ବିନାଶାର୍ଥେ ବ୍ରହ୍ମକୃତ ଉପଦେଶ ।

୧୯.

ବାରମ୍ବାର ସତୀ ସ୍ମରଣରେ ଶୋକାକୁଳ ଶିବଙ୍କ ଶୋକନାଶ ପାଇଁ ବ୍ରହ୍ମା ସାନ୍ତ୍ଵନା ଦେବା ଓ ଦେବଗଣ ସହିତ ବ୍ରହ୍ମା ଶିବଙ୍କର ସିପ୍ରାହ୍ରଦ ପାଖୁ ଗମନ, ସିପ୍ରା ସରୋବର ବର୍ଣ୍ଣନ ପୂର୍ବକ ବ୍ରହ୍ମାଙ୍କର ମାନସୋଦ୍ଭବା ସନ୍ଧ୍ୟା ସୌନ୍ଦର୍ଯ୍ୟ ଦେଖି ପୁତ୍ର ସହିତ ଧାତାଙ୍କର ମୋହପ୍ରାପ୍ତି ଏବଂ ମଦନ ଶାପାନ୍ତର ସନ୍ଧ୍ୟା ତାଙ୍କ ପାପ ନିବୃତ୍ତି ପାଇଁ ତପସ୍ୟା ସକାଶେ ଚନ୍ଦ୍ରଭାଗା ପର୍ବତକୁ ଗମନ ।

୨୦.

ସପୁତ୍ର ବ୍ରହ୍ମା ଓ ନିଜେ ସନ୍ଧ୍ୟା ସକାମ ହେବା ଜାଣି ଅତ୍ୟନ୍ତ ଲଜ୍ଜିତା, ସନ୍ଧ୍ୟା ତପୋଭାବ ନଜାଣିଥିବାରୁ ବ୍ରହ୍ମା ବଶିଷ୍ଠଙ୍କୁ ତପଃଶିକ୍ଷା ଦେବାପାଇଁ ଚନ୍ଦ୍ରଭାଗାକୁ ପ୍ରେରଣ, ଚନ୍ଦ୍ରଭାଗା ଗିରିର ଇତିହାସ ପ୍ରଶ୍ନରେ ତତ୍କଥନ ପ୍ରସଙ୍ଗରୁ ରୋହିଣୀ ବ୍ୟତୀତ ଅନ୍ୟ ସ୍ତ୍ରୀଙ୍କୁ ନଦେଖିବାରୁ ଦକ୍ଷଙ୍କ ଶାପରୁ ଚନ୍ଦ୍ରଙ୍କର କ୍ଷୟରୋଗ ପ୍ରବେଶ ହେତୁ ଲୋକକ୍ଷୟ ଦେଖି ଦେବଗଣ ବ୍ରହ୍ମାଙ୍କୁ ଜଣାଇବା ।

୨୧.

ଚନ୍ଦ୍ରଙ୍କ କ୍ଷୟରୋଗ ନାଶ ପାଇଁ ବ୍ରହ୍ମାଦେଶରେ ଦେବଗଣ ଦକ୍ଷଙ୍କ ନିକଟ ଯିବାରୁ ଦକ୍ଷ କହିଲେ ଯଦି ଚନ୍ଦ୍ର ସବୁ ଭାର୍ଯ୍ୟାଙ୍କଠାରେ ସମାନ ବ୍ୟବହାର କରିବେ ତେବେ ପକ୍ଷେ କ୍ଷୟ ପକ୍ଷେ ବୃଦ୍ଧି ହେବେ । ଏହା ଶୁଣି ଦେବେ ଚନ୍ଦ୍ରଙ୍କ କ୍ଷୟରୋଗ ନାଶାର୍ଥେ ଅଭିଷେକ କରି ସେ ଜଳରେ ଚନ୍ଦ୍ରଭାଗ ହ୍ରଦୋତ୍ପତ୍ତି ଓ ସେ ସଂସର୍ଗରୁ ପର୍ବତର ନାମ ଚନ୍ଦ୍ରଭାଗା ନାମ କଥନ ।

୨୨.

ଚନ୍ଦ୍ରଭାଗ ବର୍ଣ୍ଣନ ସମାପ୍ତି କରି ପୂର୍ବକଥା ପ୍ରସଙ୍ଗ କଥନ, ବଶିଷ୍ଠଙ୍କ ସନ୍ଧ୍ୟା ସାକ୍ଷାତରେ ସନ୍ଧ୍ୟାଙ୍କୁ ତପଶ୍ଚର୍ଯ୍ୟାବିଧି କଥନ ଓ ତପଃ ସନ୍ତୁଷ୍ଟ ବିଷ୍ଣୁଙ୍କଠାରୁ ସନ୍ଧ୍ୟାଙ୍କ ବରପ୍ରାପ୍ତି, ମେଧାତିଥି ଯଜ୍ଞରେ ବଶିଷ୍ଠଙ୍କୁ ମନେକରି ଅଗ୍ନିକୁଣ୍ଡରେ ଦେହତ୍ୟାଗ ପୂର୍ବକ ଅଗ୍ନିକୁଣ୍ଡରୁ ଉତ୍ପତ୍ତି ।

୨୩.

ଅଗ୍ନିରୁ ଉତ୍ପନ୍ନା କନ୍ୟାର ନାମ ଅରୁନ୍ଧତୀକରଣ ତାହାଙ୍କୁ ସ୍ତ୍ରୀ ଧର୍ମଶିକ୍ଷା ନିମିତ୍ତ ସାବିତ୍ରୀଙ୍କ ନିକଟେ ସ୍ଥାପନ, ବଶିଷ୍ଠ ଅରୁନ୍ଧତୀ ବିବାହ ବର୍ଣ୍ଣନ ଓ ସେ ଦୁହିଁଙ୍କ ଅଭିଷେକ ଜଳରୁ ସିପ୍ରସରର ଉତ୍ପରି, ସେ ହ୍ରଦର ମାହାତ୍ମ୍ୟ କଥନ ।

୨୪.

ସିପ୍ରହ୍ରଦ ତୀରରେ ହରଙ୍କ ଶୋକଶାନ୍ଥ୍ୟାର୍ଥ ବ୍ରହ୍ମାଦିକୃତ ମାୟାସ୍ତୁତି, ହରଶୋକ ଶାନ୍ତି ପରେ ହରି ବ୍ରହ୍ମାଦିଙ୍କର ସ୍ଵସ୍ଥାନ ଗମନ ।

୨୫.

ପ୍ରତିକଳ୍ପରେ କିପରି ସୃଷ୍ଟି ହୁଏ ଏ ପ୍ରଶ୍ନ ସ୍ଵୀକାର କରି ପ୍ରକୃତି ସଞ୍ଚାର ବର୍ଣ୍ଣନ ।

୨୬.

ଆଦିସ୍ପୃଷ୍ଟି ବର୍ଣ୍ଣନ ।

୨୭.

ପ୍ରତିସର୍ଗ କଥନ ।

୨୮.

ସୃଷ୍ଟି ସଂହାର ବର୍ଣ୍ଣନ ।

୨୯.

ଉତ୍ପନ୍ନ ସର୍ବଦ୍ରବ୍ୟର ଅସାରତାବର୍ଣ୍ଣି ସାରବସ୍ତ୍ର ନିରୂପଣ ।

୩୦.

ଶମ୍ଭୁଗଣଙ୍କର ଅନେକରୂପତା କଥନ ପ୍ରସଙ୍ଗରେ ଶିବ ଯଜ୍ଞବରାହଙ୍କୁ ବରାହ ଦେହତ୍ୟାଗ ପାଇଁ କହିବା ଓ ବାରାହୀଧରା ସହବାସରେ ତିନି ପୁତ୍ରୋତ୍ପତ୍ତି ଓ ବରାହ ପୁତ୍ରମାନେ ଜଗତକୁ ପୀଡ଼ାଦେବା ବର୍ଣ୍ଣନ ।

୩୧.

ବ୍ରହ୍ମାବିଷ୍ଣୁ ଆଦି ଦେବତେଜଯୁକ୍ତ ଶିବଙ୍କର ଶରଭରୂପ ଗ୍ରହଣ ପୂର୍ବକ ବରାହ ସହିତ ଯୁଦ୍ଧକରଣ, ଯୁଦ୍ଧରତ ଶିବଙ୍କ ଦେହରୁ ନାନାରୂପ ଶିବଗଣଙ୍କ ଉତ୍ପତ୍ତି, ପୁତ୍ର ସହିତ ବରାହଙ୍କର ବଧ ବର୍ଣ୍ଣନ ।

 

 

୩୨.

ଯଜ୍ଞବରାହଙ୍କ ଦେହରୁ ଯଜ୍ଞୋତ୍ପତ୍ତି ଓ ବରାହସୁତତ୍ରୟଙ୍କ ଦେହରୁ ଦକ୍ଷିଣାଗ୍ନି ଆହବନୀୟ ଗାର୍ହପତ୍ୟ ଅଗ୍ନିର ଉତ୍ପତ୍ତି ।

୩୩.

କପିଳ ଶାପରୁ ଅତିକ୍ଷିଣ ସ୍ଵାୟମ୍ବୁବମନୁ ତପସ୍ୟା କରିବା ବେଳେ ତାଙ୍କ ହସ୍ତରେ ଶ୍ରୀହରିଙ୍କର ମତ୍ସ୍ୟାବତାର ଗ୍ରହଣ ।

୩୪.

ପ୍ରଳୟ ସମୟରେ ସ୍ଵାୟମ୍ବୁବମନୁ ସହିତ ବେଦମାନଙ୍କୁ ମତ୍ସ୍ୟରୂପୀ ହରି ରକ୍ଷା କଥା ବର୍ଣ୍ଣନ ।

୩୫.

ପ୍ରଳୟରେ ରସାତଳଗତା ପୃଥିବୀକୁ ଉଦ୍ଧାର କରି କମo ରୂପରେ ନରନାରାୟଣ ସେ ପୃଥିବୀ ଉପରେ ପୂର୍ବବତ୍‍ ସୃଷ୍ଟି ନିର୍ମାଣ ।

୩୬.

ବ୍ରହ୍ମାଙ୍କ ବାକ୍ୟରେ ଶିବଙ୍କର ଶରଭରୂପ ତ୍ୟାଗ ଓ ଶରଭର ଅଷ୍ଟପାଦ ଅଷ୍ଟମୂର୍ତ୍ତିରେ ଲୀନ ଏବଂ ଦେହ ମଧ୍ୟରୁ କପାଳି ଭୈରବୋତ୍ପତ୍ତି ଏବଂ କପାଳିବତ ନିରୂପଣ ।

୩୭.

ବରାହପୁତ୍ର ନରକାସୁରର ଚରିତ କଥନ ପ୍ରସଙ୍ଗରେ ଗର୍ଭଭାର ପୀଡ଼ିତା ପୃଥ୍ଵୀଙ୍କ ସ୍ତବ ସନ୍ତୁଷ୍ଟ ବିଷ୍ଣୁଙ୍କ ଶଙ୍ଖସ୍ପର୍ଶ ଦ୍ଵାରା ଗର୍ଭପୀଡ଼ା ନିବୃତ୍ତି ଓ ପୃଥ୍ଵୀଙ୍କୁ ଆଶ୍ଵାସନା ଦାନ ।

୩୮.

ଜନକରାଜା ଯଜ୍ଞ ନିମିତ୍ତ ପୃଥ୍ଵୀକର୍ଷଣ ସମୟରେ ପୃଥ୍ଵୀ ମଧ୍ୟରୁ ସୀତାଙ୍କ ଉତ୍ପତ୍ତି, ରାଜା ସହିତ ଧରାଙ୍କ କଥୋପକଥନ, ଯେଉଁଠି ସୀତା ଉତ୍ପତ୍ତି ହେଲେ ସେସ୍ଥାନରେ ଗୋଟିଏ ପୁତ୍ର ମିଳିବାର କଥା କହି ଧରାଦେବୀ ସେ ପୁତ୍ରର ବାଲ୍ୟାବସ୍ଥାରେ ଜନକ ପାଳି ଯୌବନାବସ୍ଥାରେ ପୃଥ୍ଵୀନେବା କଥାରେ ନରକାସୁରର ଉତ୍ପତ୍ତି ଏବଂ ଜନକ ଗୃହରେ ନରକର ବୃଦ୍ଧି କଥନ ।

୩୯.

ନରକର ବାଲ୍ୟରେ ଜନକଗୃହରେ ରହିବା ପୃଥ୍ଵୀ ଗଙ୍ଗାଙ୍କ ଆଗରେ ନରକ ପୃଥବୀରୁ ଉତ୍ପତ୍ତି ନେବା କହି ବିଷ୍ଣୁଙ୍କ କଥାକ୍ରମେ ପ୍ରାଗ୍‌ଜ୍ୟୋତିଷପୁରରେ ନରକ ରାଜାହୋଇ କାମାକ୍ଷାଦେବୀଙ୍କୁ ଛାଡ଼ି ଅନ୍ୟ ଦେବଦେବୀ ପୂଜାରେ ଅକାଳ ମୃତ୍ୟୁକଥା କହି ବିଷ୍ଣୁଙ୍କ ଆଦେଶରେ ନରକର ରାଜ୍ୟ ପାଳନ ।

୪୦.

ନରକର ବାଣାସୁର ସଙ୍ଗେ ମିତ୍ରତା, ବିଷ୍ଣୁଙ୍କ ହସ୍ତେ ନରକ ମରିବା ଜାଣି ବାଣାସୁର ଆଦେଶରେ ନରକର ତପସ୍ୟା ଓ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତି ।

୪୧.

ଅସୁର ଭାବାପନ୍ନ ନରକ ବ୍ରାହ୍ମଣାଦିଙ୍କୁ ପୀଡ଼ାଦେବାରୁ କୃଷ୍ଣଙ୍କ ହସ୍ତେ ନରକର ବଧ ବର୍ଣ୍ଣନ ।

୪୨.

ହିମାଳୟଠାରୁ ମେନକାଙ୍କଠାରେ ଭଗବତୀଙ୍କ ଜନ୍ମବର୍ଣ୍ଣନ ଓ ତାଙ୍କର କାଳୀ ନାମକରଣ ।

୪୩.

ଶିବଙ୍କର ତପସ୍ୟା ପାଇଁ ହିମାଳୟ ଗମନ, ନାରଦଙ୍କ କଥାରେ କାଳୀ ଶିବସେବା ପାଇଁ ଗମନ ।

୪୪.

ତାରକାସୁର ପୀଡ଼ାରେ ସର୍ବଦେବେ ବ୍ରହ୍ମାଙ୍କ ନିକଟଯିବା, ଶିବବୀର୍ଯ୍ୟରୁ କାଳୀ ଗର୍ଭୋତ୍ପନ୍ନ ପୁତ୍ରଦ୍ଵାରା ତାରକର ବଧ କଥା ବ୍ରହ୍ମା କହିବା ହରଙ୍କୁ ମୋହିବା ପାଇଁ କାମର ଉଦ୍‌ଯୋଗ ଓ ଶିବଙ୍କ ତୃତୀୟ ନେତ୍ରୋଦ୍ଭବ ଅଗ୍ନିଦ୍ଵାରା କାମର ଦାହ ଏବଂ କାଳୀଙ୍କର ହର ବିଷୟରେ ଚିନ୍ତା ।

୪୫.

ହର ପ୍ରାପ୍ତ୍ୟର୍ଥେ କାଳୀଙ୍କର ତପସ୍ୟା ବର୍ଣ୍ଣନ, ଶିବ ବ୍ରହ୍ମଚାରୀ ବେଶରେ କାଳୀଙ୍କ ସହିତ ସମ୍ବାଦ, ` କାଳୀଙ୍କର ଶିବଙ୍କଠାରେ ଦୃଢ଼ଭାବ ଦେଖି ଶିବଙ୍କ ପ୍ରତ୍ୟକ୍ଷ ଦର୍ଶନ ।

୪୬.

ହରଙ୍କ କାଳୀସହିତ ମହାସମ୍ଭାରରେ ବିବାହ ବର୍ଣ୍ଣନ ।

୪୭.

ସଗର ଔର୍ବସମ୍ବାଦ ପ୍ରସଙ୍ଗରେ କାଳୀବୋଲି ଶିବ କହନ୍ତେ କ୍ରୁଦ୍ଧା କାଳୀଙ୍କର ତପସ୍ୟା ବର୍ଣ୍ଣନ, କାଳିକୃତ ଶିବସ୍ତୁତି, ଶିବ କଥାକ୍ରମେ ଆକାଶଗଙ୍ଗାରେ ସ୍ନାନକରି କାଳୀଙ୍କର ଗୌରୀ ରୂପପ୍ରାପ୍ତି, ହର ଅର୍ଵାଙ୍ଗରେ ଗୌରୀଙ୍କର ପ୍ରବେଶ କଥନ ।

୪୮.

କୁମାର କାର୍ତ୍ତିକେୟଙ୍କ ଜନ୍ମବୃତ୍ତାନ୍ତ ।

୪୯.

ଶିବଗଣ ଭୃଙ୍ଗି ମହାକାଳଙ୍କୁ ଗୌରୀଙ୍କର ଶାପଦାନ, ସେ ଦୁହିଁଙ୍କ କଥାରେ ଗୌରୀ ହର ଦୁହିଁଙ୍କର ମନୁଷ୍ୟତ୍ଵ ଅଙ୍ଗୀକାର ଏବଂ ପୁଷ୍ପପୁତ୍ର ପୌଷ୍ୟରାଜା ସ୍ତ୍ରୀଠାରେ ଶିବଙ୍କର ଚନ୍ଦ୍ରଶେଖର ନାମରେ ଉତ୍ପତ୍ତି ବର୍ଣ୍ଣନ ।

୫୦.

ଆର୍ଯ୍ୟାବର୍ତ୍ତାନ୍ତର୍ଗତ ଭୋଗବତୀ ପୁରରେ ଇକ୍ଷ୍ୱାକୁବଂଶୀୟ କକୁସ୍ଥରାଜା ଭାର୍ଯ୍ୟାଗର୍ଭରେ ତାହାଙ୍କୁ ଅନୁଗ୍ରହପୂର୍ବକ ଗୌରୀଙ୍କର ଜନ୍ମ, ତାରାବତୀଙ୍କର ବାଲ୍ୟବର୍ଣ୍ଣନ, ସ୍ଵୟମ୍ବରରେ ତାରାବତୀ ଚନ୍ଦ୍ରଶେଖରଙ୍କୁ ବରରେ ବରଣ, ବିବାହ ବର୍ଣ୍ଣନ ।

୫୧.

ବୃକ୍ଷଦ୍ଦତୀ ନଦୀରେ ସ୍ନାନ ପାଇଁ ଯିବା ତାରାବତୀଙ୍କୁ ଦେଖି କପୋତ ମୁନିଙ୍କର କାମପୀଡ଼ା ଦେଖି ଋଷି ଅଭିପ୍ରାୟ ଜାଣି ନିଜ ବେଶଭୂଷିତା ଚିତ୍ରାଙ୍ଗଦା ସଖୀକୁ ଋଷିଙ୍କ ପାଖୁ ପ୍ରେକ୍ଷଣ/ କପୋତମୁନିଙ୍କର ଚିତ୍ରାଙ୍ଗଦାଠାରେ ପୁତ୍ରୋଦୟତ୍ପତ୍ତି, ଚିତ୍ରାଙ୍ଗଦାର ଉର୍ବଶୀ ଗର୍ତରେ କାଙ୍କୁସ୍ଥରାଜା ବୀର୍ଯ୍ୟରୁ ଉତ୍ପତ୍ତି ଚିତ୍ରାଙ୍ଗଦା ପୁତ୍ରଦ୍ଵୟର କପୋତ ମୁନିକୃତ ସଂସ୍କାର ।

୫୨.

ପୁନରପି ସ୍ନାନାର୍ଥେ ଆଗତା ତାରାବତୀକୁ ଜାଣି ବଞ୍ଚନା ହେତୁ କପୋତମୁନି ତାରାବତୀଙ୍କୁ ଶାପଦେବା ଓ ଚନ୍ଦ୍ରଶେଖର ତାରାବତୀ ସୌଧାରୁଢ଼ ହୋଇଥିବା ଦେଖି ଭୃଙ୍ଗୀ ମହାକାଳଙ୍କ ଜନ୍ମ ପାଇଁ ରାଣୀ ଦେହରେ ଗୌରୀଙ୍କ ପ୍ରବେଶ ନିମିତ୍ତ ଶିବଙ୍କର ଆଦେଶ, ତାରାବତୀଠାରେ କପୋତ ଶାପାନୁସାରେ କପାଳୀବେଶଧାରୀ ହରଙ୍କ ସମ୍ଭୋଗରୁ ବାନରମୁଖ ପୁତ୍ରଦ୍ଵୟ ଜନ୍ମବର୍ଣ୍ଣନ, ଶୋକଯୁକ୍ତା ତାରାବତୀ ଶିବଙ୍କ ବାକ୍ୟରେ ଚନ୍ଦ୍ରଶେଖର ରାଜା ଓ ହରଙ୍କର ଅଭେଦ ଥିବାରୁ ଶୋକତ୍ୟାଗ କରିବା ଏବଂ ପୁତ୍ରଦ୍ଵୟଙ୍କ ନାମ ବେତାଳ ଭୈରବ ହେବା ବର୍ଣ୍ଣନ ।

୫୩.

ମାତାପିତାଙ୍କ ଅନାଦର ଦେଖି ବେତାଳ ଭୈରବ ତପସ୍ୟାକୁ ଯିବା, ଚିତ୍ରାଙ୍ଗଦା ଓ ତାଙ୍କ ପୁତ୍ରଦ୍ଵୟଙ୍କୁ ରାଜା ରାଣୀଙ୍କୁ ଦେଇ କପୋତମୁନି ତପସ୍ୟାକୁ ଯିବା ଓ ତାଙ୍କ ପୁତ୍ରଦ୍ୱୟଙ୍କୁ ରାଜା ଅର୍ଦ୍ଧରାଜ୍ୟ ଦେବା ଏବଂ ବେତାଳ ଭୈରବ ତପସ୍ୟାରେ ଶିବଙ୍କର ଆବିର୍ଭାବ ବର୍ଣ୍ଣନ ।

୫୪.

ବେତାଳ ଭୈରବଙ୍କୁ ଶିବୋକ୍ତ ମହାମାୟା ମନ୍ତ୍ରବିଧି ନିରୂପଣ

୫୫.

ମହାମାୟା ଉପାସନା ଅଙ୍ଗତ୍ଵରେ ଦେହଶୁଦ୍ଧି ବିଧାନ

୫୬.

ଦେବୀ ତୋଷପ୍ରଦ ଦ୍ରବ୍ୟର ବିସ୍ତାର ବର୍ଣ୍ଣନ

୫୭.

ଦେବୀ ସନ୍ତୋଷାର୍ଥେ ବଳିଦାନ କଥନ ଓ ବଳି ନିରୂପଣ

୫୮.

ମହାମାୟାମନ୍ତ୍ର କଳ୍ପକବଚ ନିରୂପଣ ।

୫୯.

ଶିବ ଉମା ବିଷ୍ଣୁ ସୂର୍ଯ୍ୟାଦିପୂଜା ପ୍ରତିପତ୍ତି ବୀଜମନ୍ତ୍ରାଦି ନିରୂପଣ ।

୬୦.

ଦେବୀଙ୍କ ପାଖରୁ ବରପ୍ରାପ୍ତିଯୋଗ୍ୟ ତନ୍ତ୍ରବିଧି କଥନ ।

୬୧.

ମହାଦେବୀଙ୍କର ଅଙ୍ଗମନ୍ତ୍ର ନିରୂପଣ ।

୬୨.

ଶରତକାଳୀନ ମହାମାୟା ଉତ୍ସବ କଥନ, ପ୍ରତିଯୁଗରେ ଦେବୀ ଅବତାର ବର୍ଣ୍ଣନ, ମହିଷାମର୍ଦ୍ଦିନୀ ଦେବୀଙ୍କ ଚରିତ୍ର ବିସ୍ତାରଭାବେ ବର୍ଣ୍ଣନ ।

୬୩.

ଦକ୍ଷଯଜ୍ଞ ବିନାଶ ପାଇଁ ଦେବୀଙ୍କର ଉଗ୍ରଚଣ୍ଡୀ ଅବତାର ଓ ତାହାଙ୍କ ଉପାସନା ବିଧି ନିରୂପଣ, ବ୍ରହ୍ମ୍ୟାଦି ନାନାବିଧ ଶକ୍ତି ଧ୍ୟାନାଦି ନିରୂପଣ ।

୬୪.

କାଳକୂଟ ଗିରିରେ କାମାକ୍ଷାଙ୍କ ମହିମା କଥନ ଓ ଭୁବନେଶ୍ଵର୍ଯ୍ୟାଦି ଦେବୀପୀଠ ବର୍ଣ୍ଣନ ।

୬୫.

କାମାକ୍ଷା ପଞ୍ଚମୂର୍ତ୍ତିଙ୍କ ରୂପ ମନ୍ତ୍ରତନ୍ତ୍ର ନିରୂପଣ ।

୬୬.

ଦେବୀପୀଠ ମଣ୍ଡଳସ୍ଥିତ ଦେବତାନାମ କଥନପୂର୍ବକ ପୂଜାପ୍ରକାର ବର୍ଣ୍ଣନା ।

୬୭.

ତ୍ରିପୁରାଦେବୀ ମହାପୂଜା ଫଳାଦିର କଥନ ।

୬୮.

କାମେଶ୍ଵରଙ୍କ ତନ୍ତ୍ରଧ୍ୟାନ ପୂଜାକ୍ରମ ବର୍ଣ୍ଣନ ।

୬୯.

ପଞ୍ଚମୂର୍ତ୍ତିରୂପା ଦେବୀଙ୍କର ପଞ୍ଚମନ୍ତ୍ର କଥନପୂର୍ବକ ପୂଜାଫଳ ନିରୂପଣ ।

୭୦.

ଦେବୀ ସନ୍ତୋଷକର ମୁଦ୍ରାଦି ନିରୂପଣ ।

୭୧.

ଦେବତୁଷ୍ଟିକର ବଳିଦାନ କ୍ରମାଦି ବିଧି କଥନ ।

୭୨.

ଷୋଡ଼ଶୋପଚାର ମଧ୍ୟେ ଦେବୀ ପ୍ରତୀକର ଷଡ଼ୋପଚାର ବର୍ଣ୍ଣନ ।

୭୩.

ବସ୍ତ୍ରଠାରୁ ଆରମ୍ଭି ଧୂପାନ୍ତ ଉପଚାର ।

୭୪.

ଦେବୀଙ୍କ ନୀବେଦନୀୟ ଦ୍ରବ୍ୟ କଥନ ।

୭୫.

ଦେବୀଙ୍କ ପ୍ରଦକ୍ଷିଣ ନମସ୍କାର ବିଧି କଥନ

୭୬.

କାମାକ୍ଷା ମହିମା ପ୍ରସଙ୍ଗରେ ତାଙ୍କ କବଚ କଥନ

୭୭.

ମାତୃକାନ୍ୟାସ କଥନ

୭୮.

ଯୋନିମୁଦ୍ରା ଅଷ୍ଟଭେଦ, ନାନାବିଧି ସହିତ ଦେବୀଯନ୍ତ୍ର ଧାରଣ ଓ ତାହାର ଫଳ ନିରୂପଣ ।

୭୯.

ତ୍ରିପୁରାକବଚ କଥନ, ମନ୍ତ୍ର ପୁରଶ୍ଚରଣବିଧି କଥନ ।

୮୦.

ମନ୍ତ୍ରଶୁଦ୍ଧି କଥନ, ଶିବ ଆଦେଶରେ କାମରୂପ ପୀଠ ନୀଳାଚଳକୁ ବେତାଳ ଭୈରବଙ୍କର ଗମନ ଓ ସେଠାରେ ଦେବୀ ଆରାଧନ, ସେ ଦୁହିଁଙ୍କୁ ଦେବୀଙ୍କର ବରପ୍ରଦାନ, ଅଜରାମରବ ଲାଭରେ ସନ୍ତୁଷ୍ଟକ ସେ ଦୁହିଁଙ୍କୁ ନେଇ ନୀଳଗିରିସ୍ଥ ବହୁବିଧ ସ୍ଥାନ ଶିବ ଦେଖାଇବା ।

୮୧.

ନୀଳଗିରି ମଧ୍ୟବାୟୁ ପୂର୍ବଭାଗସ୍ଥ ଉମାସ୍ଥାନ ଦର୍ଶନ ।

୮୨.

ତା’ ପୂର୍ବରେ ଦର୍ପଣଶୈଳସ୍ଥ ଦର୍ପଣ ସରସ୍ନାନ ଫଳ ବର୍ଣ୍ଣନ ।

୮୩.

ଶରାବତ୍ୟାଦି ନାନାବିଧ ମହାତୀର୍ଥ ସ୍ନାନଫଳ କଥନ ଓ କାମରୂପପୀଠସ୍ଥ ଦେବାର୍ଚନ ନିରୂପଣ, ଆବରଣ ଦେବତା ପୂଜାବିଧ ।

୮୪.

କାମେଶ୍ଵରୀ ପୀଠ ଯାତ୍ରା ବର୍ଣ୍ଣନ ।

୮୫.

କାମରୂପପୀଠ ନିକଟସ୍ଥ ବ୍ରହ୍ମପୁତ୍ର ଲୋହିତାଖ୍ୟ ନଦ୍ୟୋତ୍ପତ୍ତି କଥନ, ମାତୃହତ୍ୟା ଦୋଷ ନାଶପାଇଁ ପରଶୁରାମଙ୍କ ଲୋହିତ୍ୟ ସରରେ ସ୍ନାନପୂର୍ବକ ପାପ ବିନାଶ ।

୮୬.

ପରଶୁରାମଙ୍କର କ୍ରୁରକର୍ମ ବିଷୟରେ ପୂର୍ବ ଇତିହାସ ବର୍ଣ୍ଣନ, ଲୋହିତ୍ୟ ତୀର୍ଥ ସ୍ନାନଫଳ କଥନ ।

୮୭.

ସଗର ଔର୍ବ ସମ୍ବାଦରେ ରାଜପୁତ୍ର ସ୍ତ୍ରୀ ପ୍ରଭୃତିଙ୍କ ସଦାଚାର ବର୍ଣ୍ଣନ ।

୮୮.

ସଦାଚାର କଥନ ପ୍ରସଙ୍ଗରେ ବିଶେଷତଃ ରାଜଧର୍ମ ନିରୂପଣ, ନୀରାଜନା ବିଧିକଥନ-

୮୯.

ପୌଷମାସେ ରାଜାର ପୁଷ୍ୟ ନକ୍ଷତ୍ର ପରେ ସ୍ନାନବିଧି, ପୁଷ୍ୟନକ୍ଷତ୍ରଯୁତା ପୌଷତୃତୀୟାରେ ଶିବଚଣ୍ଡୀ ପୂଜାବିଧି କଥନ ।

୯୦.

ରାଜାର ଯୁଦ୍ଧରେ ଜୟଲାଭାର୍ଥ ଶତ୍ରୋତ୍ଥାନ ଧ୍ଵଜ ଉତ୍ସବ ବର୍ଣ୍ଣନ ।

୯୧.

ଜ୍ୟେଷ୍ଠ ଦଶମୀରେ ବିଷ୍ଣୁ ଇଷ୍ଟିବିଧି, ରାଜାର ନିତ୍ୟତ୍ୟାଜ୍ୟ ରାଜ୍ୟନାଶକ ଦ୍ରବ୍ୟ ନିରୂପଣ ।

୯୨.

ଭୈରବ ବଂଶ ବର୍ଣ୍ଣନ, ଖାଣ୍ଡବ ବନ ଇତିହାସ କଥନ ।

୯୩.

ବେତାଳ କଥନ, କାଳିକା ପୁରାଣ ଶ୍ରବଣ, ପଠନ ଫଳ ନିରୂପଣ ।

✽✽✽

 

କାଳିକା ପୁରାଣ

॥ ୧ ॥

 

ଶ୍ରୀ କାଳିକାଦେବୈ ନମଃ

ଶ୍ରୀହରିଙ୍କ ପାଦପଦ୍ମ ଯୁଗଳକୁ ଭାବି ।

ଯୋଗୀଗଣ ଭବଭୟ ନାଶନ୍ତି ସମ୍ଭବି ॥

ଯେଉଁପାଦ ପଦ୍ମରୁ ଭୂଆଦି ସର୍ବଲୋକ ।

ଉତ୍ପନ୍ନ ହୋଇ ଶୋଭା ପାଉଛି ଅତିରେକ ॥

ମାୟାରୂପା ଭଗବତୀ ଭବ ନିସ୍ତାରିଣୀ ।

ପ୍ରାଣୀବର୍ଗ ସମ୍ମୋହିନୀ ସୁବୁଦ୍ଧି ଦାୟିନୀ ॥

ପୁରୁଷ ପ୍ରକୃତି ରୂପେ ଏ ଦୁହିଁଙ୍କୁ ନମି ।

କାଳିକା ପୁରାଣ କ୍ଷୁଦ୍ର ବୁଦ୍ଧିରେ ଆରମ୍ଭି ॥

ଜଗତର ଆଦ୍ୟରୂପ ଶ୍ରୀପୁରୁଷୋତ୍ତମ ।

ଭକ୍ତିରେ ପ୍ରଣମି ଲେଖୁଅଛି ଏ ପୁରାଣ ॥

ପୂର୍ବକାଳେ ହିମାଳୟ ଆଶ୍ରମରେ ରହି ।

ମାର୍କଣ୍ଡେୟଙ୍କୁ କମଠାଦି ମୁନିଏ କହି ॥

ହେମୁନେ ସକଳ ଶାସ୍ତ୍ର ବେଦାଙ୍ଗ ବେଦକୁ ।

ବିସ୍ତାରି କହିଛି ନିଃସଂଶୟରେ ଆମ୍ଭଙ୍କୁ ॥

ତୁମ୍ଭ ଅନୁଗ୍ରହେ ସର୍ବ ଶୁଣି ଆମ୍ଭେ ସୁଖୀ ।

ଏବେ ପଚାରୁ କହହେ ଆମ୍ଭ ସ୍ନେହ ରଖି ॥

ଯୋଗୀନ୍ଦ୍ର ସଂସାରତ୍ୟାଗୀ ସଂଯମୀ ହରଙ୍କୁ ।

କାଳୀସତୀରୂପେ ମୋହେ ପକାଇଲେ ତାଙ୍କୁ ॥

ଦକ୍ଷନାରୀ ଗର୍ଭେ ସତୀ କାହିଁକି ଜନ୍ମିଲେ ।

ଶଙ୍କର କିମ୍ପାଇ ତାକୁ ବିବାହ କରିଲେ ॥

ସତୀଦେବୀ ଦକ୍ଷକୋପେ ଦେହ ତ୍ୟାଗକଲେ ।

ପୁଣି ହିମାଳୟ କନ୍ୟାରୂପେ ଜନମିଲେ ॥

କିପରି ସେ ହରଙ୍କର ଅର୍ଦ୍ଧାଙ୍ଗ ହାରିଣୀ ।

ଏ ସର୍ବ ବିଷୟ କହ ବିସ୍ତାରିଣ ମୁନି ॥

ତୁମ୍ଭସମ ଜ୍ଞାନୀ ନାହିଁ ନଥିବେ ନଥିଲେ ।

ଏଣୁ ପଚାରୁଛୁ କହ ଆମ୍ଭ ଆଗେ ଭଲେ ॥

ମାର୍କଣ୍ଡେୟ ଉବାଚ

ଆହେ ମୁନିଗଣେ ଅତି ଗୋପନୀୟ ଏହି ।

ପୁଣ୍ୟ ଶୁଭ କାମ ଜ୍ଞାନପ୍ରଦ କଥା ହୋଇ ॥

ଏ କଥାକୁ ବ୍ରହ୍ମା ନାରଦ ଆଗେ କହିଲେ ।

ନାରଦ ବାଳଖିଲ୍ୟ ଋଷିଙ୍କୁ ବୁଝାଇଲେ ॥

ସେମାନେ ଯବକୀତଙ୍କୁ କହନ୍ତେ ସେ ପୁଣି ।

ଅସିତଙ୍କୁ କହିଲେ ସେ ମୋ ଆଗେ ବଖାଣି ॥

ଅତି ପୁରାତନୀ କଥା ତୁମ୍ଭଙ୍କୁ ମୁଁ କହି ।

ସନ୍ତୋଷ ଲଭିବି ଯଦି ପାରିବି ଘେନାଇ ॥

ଚକ୍ରପାଣି ଜଗନ୍ନାଥ ବ୍ୟକ୍ତାବ୍ୟକ୍ତ ରୂପୀ ।

ସ୍ତୂଳସୂକ୍ଷ୍ମ ନିତ୍ୟାନିତ୍ୟ ଚରାଚର ବ୍ୟାପୀ ॥

ବିଦ୍ୟା ଅବିଦ୍ୟା ସ୍ଵରୂପ କାଳରୂପୀ ହରି ।

ନିର୍ମଳ ଷଟ୍‌ରିପୁ ଯେ ତା ବିରାଗୀ ଦୈତ୍ୟାରୀ ॥

ସୃଷ୍ଟି ସ୍ଥିତି ପ୍ରଳୟ କାରଣ ଗଦାଧର ।

ଯୋଗୀଜନ ଚିନ୍ତାମଣି ବ୍ରହ୍ମାଣ୍ଡ ଈଶ୍ୱର ॥

ପରଂବ୍ରୁହ୍ମ ଜ୍ୟୋତିରୂପେ ସେ ଦେବଙ୍କୁ ନମି ।

ତୁମ୍ଭ ପ୍ରଶ୍ନ ସମାଧାନ କରିବାକୁ କ୍ଷମୀ ॥

ବିଶ୍ଵସ୍ରଷ୍ଟା ବ୍ରହ୍ମା ସେହି ହରିନାମ ଜପି ।

ସୁରାସୁର ନରାଦିଙ୍କୁ ସର୍ଜିଲେ ସଂକଳ୍ପି ॥

ଦକ୍ଷାଦି ପ୍ରଜାପତିଙ୍କୁ ସର୍ଜିଲେ ବିଧାତା ।

ମନରୁ ଜନ୍ମାଇଲେ ସେ ମୁନି ଊର୍ଦ୍ଧ୍ୱରେତା ॥

ମରୀଚି ଅତ୍ରି ପୁଲହ ଅଙ୍ଗିରା ଯେ କ୍ରତୁ ।

ପୁଲସ୍ତ୍ୟ ବଶିଷ୍ଠ ନାରଦ ପ୍ରଚେତା ଭ୍ରୁଗୁ ॥

ସେକାଳେ ତାଙ୍କ ମନରୁ ବରାଙ୍ଗୀ ସୁନ୍ଦରୀ ।

ସନ୍ଧ୍ୟାନାମେ କନ୍ୟାଜନ୍ମି ମୋହିଲା ତ୍ରିପୁରୀ ॥

ସମ୍ପୂର୍ଣ୍ଣ ଗୁଣ ଶାଳିନୀ ତ୍ରିକାଳ ଦୁର୍ଲଭା ।

ସ୍ଵାଭାବିକ ନୀଳକେଶ ଗୁଚ୍ଛଦିଶେ ଶୋଭା ॥

ବର୍ଷାକାଳ ମୟୂରୀ ସଦୃଶା ବିଚିତ୍ରାଙ୍ଗୀ ।

ସଦା ସୁଭୂଷିତା ହୋଇ କରେ ନାନାଭଙ୍ଗୀ ॥

ଆରକ୍ତ ଗୌର କର୍ଣ୍ଣାନ୍ତ ଅଳକା ଶୋଭଇ ।

ଇନ୍ଦ୍ରଧନୁ ତୁଲ୍ୟ ବହୁ ବର୍ଣ୍ଣ ବିରାଜଇ ॥

ପ୍ରଫୁଲ୍ଲ ନୀଳପଦ୍ମ ସଦୃଶ ନେତ୍ର ଯୁଗ ।

ଚକିତା ହରିଣୀ ତୁଲ୍ୟ ଚଞ୍ଚଳ ଅପାଙ୍ଗ ॥

ଶ୍ରବଣ ବ୍ୟାପି ଭ୍ରୂଲତା ଚଞ୍ଚଲେ ସୁନ୍ଦର ।

ମଦନ ଧନୁ ସମାନ ନୀଳବର୍ଣ୍ଣ ତାର ॥

ଭୂମଧ୍ୟ ଅଧୋଭାଗରୁ ବିସ୍ତୃତ ଉନ୍ନତ ।

ତିଳପୁଷ୍ପ ସମ ନାସା ଲାବଣ୍ୟ ପ୍ରସୂତ ॥

ସ୍ୱର୍ଣ୍ଣପଦ୍ମ ପୂର୍ଣ୍ଣଚନ୍ଦ୍ର ସଦୃଶ ଆନନ ।

ରକ୍ତିମାରେ ବିମ୍ବାଧର ଶୋଭା ଅନୁପମ ॥

ସୌନ୍ଦର୍ଯ୍ୟ ଲାବଣ୍ୟ ଗୁଣେ ପୂରିତ ସେ ମୁଖ ।

ଓଷ୍ଠ ଚୁମ୍ବିକୁଚଦ୍ଵୟ ଉନ୍ନତାତି ରେକ ॥

ପୀନସାନ୍ଦ୍ର ପଦ୍ମକଢ଼ ପ୍ରାୟ ପୁଣି ସେହି ।

କୃଷ୍ଣମୁଖେ ମୁନିମନ ପାରଇ ସେ ଦହି ॥

ତ୍ରିବଳି ଶୋଭି ଉଦର କ୍ଷୀଣ ମଧ୍ୟ କଟି ।

କନ୍ଦର୍ପ ଡିମ୍ବରୁ ସମ ଦିଶଇ ପ୍ରକଟି ॥

ରମ୍ଭାବୃକ୍ଷ ସମତରୁ ନମ୍ର କରି କର ।

ପରାୟେ କୋମଳ ପୁଣି ଗମନେ ମନ୍ଥର ॥

ସ୍ଥଳପଦ୍ମ ପରି ପାଦଦ୍ଵୟ ବିରାଜଇ ।

କାମବାଣ ସମସାନ୍ଦ୍ର ଅଙ୍ଗୁଳି ଶୋଭଇ ॥

ତନୁ ରୋମାବଳି ବୃତା ତ୍ରୈଲୋକ୍ୟ ସୁନ୍ଦରୀ ।

ଦୀର୍ଘନେତ୍ରା ହାସ୍ୟ ମୁଖେ ଝରେ ସ୍ଵେଦବାରି ॥

ଫାଶତୁଲ୍ୟ କର୍ଣ୍ଣଦ୍ଵୟ ଶୋଭା ଦେଖି ତାର ।

ତ୍ରିଗମ୍ଭିରା ଷଡ଼ୁନ୍ନତା ନାରୀ ମଧ୍ୟେ ସାର ॥

ଆଗେ ଉଭା ହେବା ଦେଖି ବିଧାତା ମନରେ ।

ଉପସ୍ଥିତ ଦକ୍ଷାଦି ମାନସ ପୁତ୍ରଠାରେ ॥

ମାନସିକ ଚିନ୍ତାସହ ଉତ୍ସାହ ବଢ଼ିଲା ।

ଅପୂର୍ବ ସୁନ୍ଦରୀ ରୂପା ଦେଖି ହେଲେ ଭୋଳା ॥

ଭାବିଲେ ଏ ନାରୀ କିପରି କାର୍ଯ୍ୟ କରିବ ।

କେଉଁ ପୁଣ୍ୟାତ୍ମାର ନାରୀ ହୋଇ ସନ୍ତୋଷିବ ॥

ଏ ରୂପ ଭାବନା ମଧ୍ୟେ ବ୍ରହ୍ମାଙ୍କ ମନରୁ ।

ଜାତ ହେଲା ସୁନ୍ଦର ପୁରୁଷ ଏକ ଚାରୁ ॥

ସୁବର୍ଣ୍ଣ ଚୂର୍ଣ୍ଣ ସଦୃଶ ବର୍ଣ୍ଣ ଆଭା ତାର ।

ବିଶାଳ ବକ୍ଷା ସୁନ୍ଦର ନାସା ମନୋହର ॥

ସୁବିଶାଳ କଟି ଜଙ୍ଘ ନୀଳ ରୋମେ ଶୋଭା ।

ଲଗ୍ନ ଭ୍ରୂଲତା ଦ୍ୱୟରେ ଶୋଭା ମୁଖ ଆଭା ॥

ପୂର୍ଣ୍ଣଚନ୍ଦ୍ର ସ୍ମିଗ୍‌ଧ ଉଜ୍ଜ୍ୱଳ ଆନନ ।

କବାଟ ହୃଦେ ସୁଲୋମରାଜି ବିଦ୍ୟମାନ ॥

ଶ୍ଵେତହସ୍ତି କର ତୁଲ୍ୟ ବାହୁଦ୍ୱୟ ପୀନ ।

ହସ୍ତଚକ୍ଷୁ ମୁଖ ପାଦ ସବୁ ନଖ ମାନ ॥

ରକ୍ତବର୍ଣ୍ଣେ ଶୋଭା ଦିଶେ ଅତି ସୁଲକ୍ଷଣ ।

ମଧ୍ୟ କ୍ଷୀଣ ଚାରୁଦନ୍ତ ମତ୍ତହସ୍ତ ସମ ॥

କେଶଗୁଚ୍ଛର ସୁଗନ୍ଧି ନାସା ତୃପ୍ତି କରେ ।

ଶଙ୍ଖ ତୁଲ୍ୟ କଣ୍ଠ ମୀନ ପତାକା ଯେ ଉଡ଼େ ॥

ମକର ବାହାନ, ପଞ୍ଚ ପୁଷ୍ପ ଶର ଧାରୀ ।

ଫୁଲ ଧନୁକୁ ଧରିଣ ଶୋଭା ଦିଶେ ଭାରୀ ॥

କଟାକ୍ଷପାତ ଯେ ଚକ୍ଷୁଦ୍ଵୟ ବୁଲୁଥାଇ ।

ସୁଗନ୍ଧି ବାୟୁରେ ଆଦି ରସ ପ୍ରକଟଇ ॥

ସେ ପୁରୁଷକୁ ଦେଖିଣ ବ୍ରହ୍ମାଦି ସକଳେ ।

ବିସ୍ମିତ ହେଲେ ତାହାଙ୍କ ରୂପ ମନୋହରେ ॥

ଅତି ଉତ୍କଣ୍ଠିତ ହେଲେ ଅପୂର୍ବ ଦର୍ଶନେ ।

ଜଗତ ସ୍ରଷ୍ଟା ବ୍ରହ୍ମାକୁ ଦେଖି ସେ ପ୍ରଣମେ ॥

ବିନୀତ ଭାବେ ବୋଲଇ ମଧୁର ବଚନ ।

କିକରିବି ଆଜ୍ଞା ଦିଅ ପ୍ରଭୁ ଭଗବାନ ॥

ମୋ ଯେଗ୍ୟ କର୍ମରେ ମୋତେ ବିନିଯୋଗକର ।

ନାମ ବାସସ୍ଥାନ ପତ୍ନୀ କି କି ହେବ ମୋର ॥

ଏ ସର୍ବ ବିଷୟ ମୋତେ ପ୍ରଦାନ କରିଣ ।

ସୃଷ୍ଟିକର୍ତ୍ତା ନାମ ସାର୍ଥ କରନ୍ତୁ ଆପଣ ॥

ମାର୍କଣ୍ଡେୟ ଉବାଚ

ସେ ପୁରୁଷର ପ୍ରାର୍ଥନା ବାକ୍ୟ ମାନ ଶୁଣି ।

ନିଜ ସୃଷ୍ଟିରେ ବିସ୍ମିତ ହେଲେ କୁଶପାଣି ॥

କ୍ଷଣେ ମୌନ ରହି ମନକୁ ସଂଯତ କରି ।

ସେନର ଉଦ୍ଦେଶ୍ୟ କର୍ମ କହନ୍ତି ବିଚାରି ॥

ବ୍ରହ୍ମୌବାଚ

ଏ ସୁନ୍ଦର ରୂପ ପଞ୍ଚ ପୁଷ୍ପ ବାଣ ଦ୍ଵାରା ।

ପୁରୁଷଙ୍କୁ ନାରୀଙ୍କୁ ମୋହିତ କର ତ୍ଵରା ॥

ଦେବ ଗନ୍ଧର୍ବ କିନ୍ନର ମହୋରଗ ଗଣ ।

ଅସୁର ବିଦ୍ୟାଧର ଯକ୍ଷ ପିଶାଚ ପୁଣ ॥

ଭୂତ ବିନାୟକ ଗୁହ୍ୟକ ସିଦ୍ଧ ମାନବ ।

ପକ୍ଷୀପଶୁ କୀଟ ପତଙ୍ଗ ଜଳଜ ସର୍ବ ॥

ଏମାନେ ତୁମ୍ଭ ଶରରେ ହୋଇବେ ମୋହିତ ।

ହରି ହର ସହିତ ମୁଁ ହେବି ବଶୀଭୂତ ॥

ଗୁପ୍ତବେଶ ପ୍ରାଣୀଙ୍କର ମନରେ ପ୍ରବେଶି ।

ସୁଖହେତୁ ହୁଅ ସୃଷ୍ଟି କରାଅ ବିଶେଷି ॥

ତୁମ୍ଭ ପୁଷ୍ପ ବାଣ ଲକ୍ଷ୍ୟ ମନ ଯେ ହୋଇବ ।

ସବୁ ପ୍ରାଣୀଙ୍କ ମତ୍ତତା ଆନନ୍ଦକୁ ଦେବ ॥

ସୃଷ୍ଟି ପ୍ରବର୍ତ୍ତନେ ଏହି କାର୍ଯ୍ୟ ତୋତେ ଦେଲି ।

ତୋ ଯୋଗ୍ୟ ନାମ କହିବି ପଛରେ ମୁଁ ଭାଳି ॥

ମାର୍କଣ୍ଡେୟ ଉବାଚ

ଏତେ କହି ଧାତା ଦକ୍ଷାଦିଙ୍କୁ ଚାହିଁ ଦେଲେ ।

ନିଜ ପଦ୍ମାସନେ ବସି ସୁସ୍ଥିର ହୋଇଲେ ॥

ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପାଦପଦ୍ମେ ମନ ।

ଦେଇ ପ୍ରଭାକର ବିପ୍ର କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ କାମ ପ୍ରାଦୁର୍ଭାବୋ

ନାମ ପ୍ରଥମୋଽଧ୍ୟାୟଃ ।

✽✽✽

 

॥ ୨ ॥

 

ମାର୍କଣ୍ଡେୟ ଉବାଚ

ତହୁଁ ମରୀଚି ଆଦି ମୁନିଏ ସେହି ସ୍ଥାନେ ।

ସେ ପୁରୁଷର ଉଦ୍ଦେଶ୍ୟ ଜାଣି ମନେ ମନେ ॥

ତାହାଙ୍କ ରୂପୋଚିତ ନାମ ସ୍ଥିର କରିଣ ।

ବାସସ୍ଥାନ ପୁଣି ପତ୍ନୀ କଥା ବିଚାରିଣ ॥

ସେ ପୁରୁଷକୁ କହିଲେ ଯେହେତୁରୁ ତୁମ୍ଭେ ।

ଜାତ ମାତ୍ରେ ଆମ୍ଭ ମନ ମନ୍ଥିଲ ହେ ଦମ୍ଭେ ॥

ତେଣୁ ତୁମ୍ଭ ନାମ ମନ୍ମଥ ହେବ ଜଗତେ ।

ସୌନ୍ଦର୍ଯ୍ୟ ହେତୁ କାମ ନାମ ହେବ ସନ୍ତତେ ॥

ମନୋଭାବ ମଦନ କନ୍ଦର୍ପ ଯେ ଦର୍ପକ ।

ଏହି ନାମରେ ବିଖ୍ୟାତ ହେବ ତିନିଲୋକ ॥

ତୁମ୍ଭ ବାଣର ତେଜକୁ ସମ କେ ନୋହିବେ ।

ବ୍ରାହ୍ମ ରୌଦ୍ର ବୈଷ୍ଣବାସ୍ତ୍ର ପରାଜିତ ହେବେ ॥

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଯେ ବ୍ରହ୍ମ ଲୋକାଦିରେ ।

ତୁମ୍ଭ ସ୍ଥାନ ହେବ ସର୍ବବ୍ୟାପୀ ସବୁ ଠାରେ ॥

ସର୍ବପ୍ରାଣୀ ମନ ମଧ୍ୟେ ପ୍ରବେଶ କରିବ ।

ଦକ୍ଷ ପ୍ରଜାପତି ତୁମ୍ଭ ପତ୍ନୀ ସମ୍ପାଦିତ ॥

ବ୍ରହ୍ମାଙ୍କ ମନରୁ ଜାତ ଏହି ଦିବ୍ୟ ନାରୀ ।

ସନ୍ଧ୍ୟା ନାମେ ଖ୍ୟାତ ହେବ ଚତୁର୍ଦ୍ଦଶ ପୁରୀ ॥

ମାର୍କଣ୍ଡେୟ ଉବାଚ

ଏତେ କହି ମୁନିମାନେ ତୁନି ହୋଇଗଲେ ।

ବ୍ରହ୍ମାଙ୍କ ମୁଖକୁ ଚାହିଁ ବିନୟେ ବସିଲେ ॥

ତହୁଁ କାମ ଉନ୍ମାଦନ ନାମ ଫୁଲ ଧନୁ ।

ନାରୀ ଭ୍ରୂଲତା ସମାନ ଚଞ୍ଚଳତା ତନୁ ॥

ତାହାକୁ ଧରି ପଞ୍ଚକୁସୁମ ଶର ଗଣ ।

ହର୍ଷଣ ରୋଚନ ମୋହି ରୋଷଣ ମାରଣ ॥

ଧନୁରେ ସଂଯୋଗୀ ଗୁପ୍ତ ରୂପେ ବିଚାରଇ ।

ଯେ କାର୍ଯ୍ୟ କରିବାକୁ ବ୍ରହ୍ମା ଆଦିଷ୍ଠ ମୁହିଁ ॥

ଧାତା ସହ ମୁନିଗଣ ଆଗରେ ଏ କ୍ଷଣି ।

ଦେଖାଇବି ନିଜ କାର୍ଯ୍ୟ ପରୀକ୍ଷାକୁ ଜାଣି ॥

ଏ ସୁନ୍ଦରୀ ସନ୍ଧ୍ୟାନାରୀ ଦକ୍ଷାଦି ସକଳେ ।

ମୋହିତ ହେବେ ମୋହର ଶର ପ୍ରୟୋଗରେ ॥

ହରିହର ବ୍ରହ୍ମା ମଧ୍ୟ ମୋ ବାଣେ ମୋହିତ ।

ହେବେବୋଲି କହିଛନ୍ତି ସ୍ଵୟଂ ଅଷ୍ଟ ହସ୍ତ ॥

ତାଙ୍କ ବାକ୍ୟ ଏହିସ୍ଥାନେ ପରୀକ୍ଷା କରିବି ।

ଏମାନଙ୍କ ମନକୁ ମୋ ବାଣ ନିକ୍ଷେପିବି ॥

ମାର୍କଣ୍ଡେୟ ଉବାଚ

ଏତେ ବିଚାରି ମଦନ ଫୁଲ ଧନୁଶର ।

ସଂଯୋଜୀ ବୀର ବେଶରେ ଉଠିଲା ସତର ॥

ବଳୟ ସମ କରିଣ ଧନୁ ଓଟାରିଲା ।

ସେକାଳେ ସୁଗନ୍ଧ ବାୟୁ ତହିଁ ପ୍ରସରିଲା ॥

ତହୁଁ କାମ ବିଧାତାଦି ସକଳ ମୁନିଙ୍କୁ ।

ଏକ ଏକ କରି ବାଣ ବିନ୍ଧେ ସମସ୍ତଙ୍କୁ ॥

ତହୁଁ ବ୍ରହ୍ମାଦି ସକଳେ ହୋଇଲେ ମୋହିତ ।

ମାନସିକ ବିକାର ଜନ୍ମିଲାକ ତୁରିତ ॥

ନିକଟେ ସନ୍ଧ୍ୟାକୁ ଦେଖି ବିମୋହିତ ହେଲେ ।

କାମଭାବ ବଢ଼ିଗଲା ସାଦରେ ଚାହିଁଲେ ॥

ଇନ୍ଦ୍ରିୟ ବିକାର ଜାତ ହେଲା ଧାତାଙ୍କର ।

ଆଦରେ ସୁକନ୍ୟା ସନ୍ଧ୍ୟା ମୁଖ ଚାହିଁବାର ॥

ତହୁଁ ବ୍ରହ୍ମ ଶରୀରରୁ ଅଣଚାଶ ଭାବ ।

ଚତୁଃ ଷଷ୍ଠୀକଳା ସହ ବିବ୍ୟୋକାଦି ହାବ ॥

ଜନ୍ମିଲା, ସନ୍ଧ୍ୟା ନାରୀର ସେହି ଦଶା ହେଲା ।

ମୋହିତ ପୁରୁଷଙ୍କୁ କଟାକ୍ଷ ପାତ କଲା ॥

ନିସର୍ଗ ସୁନ୍ଦରୀ ସନ୍ଧ୍ୟା କାମ ଭାବ ଯୋଗେ ।

ସ୍ୱର୍ଗ ଗଙ୍ଗାସମ ତନୁ ରୋମାଞ୍ଚିଲା ବେଗେ ॥

ବ୍ରହ୍ମା କାମ ଭାବ ଯୁତା ସନ୍ଧ୍ୟାକୁ ଦେଖିଣ ।

ଅଭିଳାଷେ ଦେହ ହେଲା ସ୍ୱେଦ ଜଳପୂର୍ଣ୍ଣ ॥

ତହୁଁ ମରୀଚି ପ୍ରଭୃତି ମୁନି ମାନଙ୍କର ।

ସେହିକ୍ଷଣି ଜାତ ହେଲା ଇନ୍ଦ୍ରିୟ ବିକାର ॥

ବ୍ରହ୍ମାଦିଙ୍କର ଭାବକୁ ଦେଖିଣ ମଦନ ।

ସର୍ବକାର୍ଯ୍ୟ ସାଧନ ଜାଣି ହେଲା ହର୍ଷ ମନ ॥

ଭାବିଲା ବ୍ରହ୍ମାଙ୍କ ଆଜ୍ଞା ସଫଳ ହୋଇଲା ।

ସର୍ବତ୍ର ମୋ କାର୍ଯ୍ୟ ସିଦ୍ଧି ହେବା ସ୍ଥିର କଲା ॥

ସେକାଳେ ଶଙ୍କର ସ୍ୱର୍ଗେ ଥାଇ ଦେଖାଦେଲେ ।

ଧାତା ପ୍ରଭୃତିଙ୍କ କାମ ଭାବକୁ ଜାଣିଲେ ॥

ଈଶ୍ୱର ଉବାଚ

ହେ ଧାତଃ କାହିଁକି କାମ ଭାବ ତୁମ୍ଭ ମନେ ।

ନିଜ କନ୍ୟାକୁ ଦେଖିଣ ହେଲା ଅତି ଛନ୍ନେ ॥

ପୂର୍ବେ ତୁମ୍ଭେ କହିଛ, ମାତା ଭଗିନୀ ସୁତା ।

ପୁତ୍ର ଭ୍ରାତା ପିତାଙ୍କର କାମ ବିବର୍ଜିତା ॥

ସୁତାଠାରେ ତୁମ୍ଭ ମନ ହେଲା ଯେ ବିକୃତ ।

ଏହା ଦେଖି ଉପହାସ କରିବ ଜଗତ ॥

କ୍ଷୁଦ୍ର କାମ ବଶେ ତୁମ୍ଭ ମନ ସୁଚଞ୍ଚଳ ।

ସେପରି ମଧ୍ୟ ହେଲା ମରିଚ୍ୟାଦି ମୁନିର ॥

ମନ୍ଦମତି କନ୍ଦର୍ପ ତୁମ୍ଭଙ୍କୁ ଏହା କଲା ।

ତାହାର ଏ କୁକାର୍ଯ୍ୟକୁ ଧିକ୍‍ କର ଭଲା ॥

ତୁମ୍ଭମାନଙ୍କ ଧୈର୍ଯ୍ୟକୁ ଆକର୍ଷଣ କରି ।

କାମଭାବେ ମଜ୍ଜାଇଲା ମନକୁ ସବୁରି ॥

ମାର୍କଣ୍ଡେୟ ଉବାଚ

ମହାଦେବଙ୍କ ବଚନ ଶୁଣି ପିତାମହ ।

ଲଜ୍ଜାରେ ଜନ୍ମିଲା ଦେହୁଁ ସେ ସ୍ଵେଦ ପ୍ରବାହ ॥

ତହୁଁ ଇନ୍ଦ୍ରିୟ ବିକାର ସଂଯତ କରିଣ ।

କାମରୂପା ସନ୍ଧ୍ୟାକୁ ତ୍ୟାଗ କଲେ ତତ୍‍କ୍ଷଣ ॥

ଧାତା ଦେହୁଁ ଯେଉଁ ସ୍ଵେଦଜଳ ପାତହେଲା ।

ଅଗ୍ନିନଷ୍ଵାତ୍ତା ବହିର୍ଷଦଗଣ ସେ ହୋଇଲା ॥

ସେମାନେ ବର୍ଣ୍ଣରେ କୃଷ୍ଣ କମଳ ଲୋଚନ ।

ପୁଣ୍ୟାତ୍ମା ସଂସାର ତ୍ୟାଗୀ ଯତିଶ୍ରେଷ୍ଠ ପୁଣ ॥

ଚୌଷଠି ସହସ୍ର ଅଗ୍ନିଷ୍ଵାତା ଗଣ ମାନେ ।

ଛୟାସି ସହସ୍ର ହେଲେ ବହିର୍ଷଦ ଗଣେ ॥

ଦକ୍ଷଙ୍କ ଶରୀରୁ ଯେଉଁ ସ୍ଵେଦ ଜାତ ହେଲା ।

ତହୁଁ ସର୍ବାଙ୍ଗ ସୁନ୍ଦରୀ କନ୍ୟା ଜନମିଲା ॥

ସର୍ବଗୁଣ ସମ୍ପନ୍ନା କୃଷାଙ୍ଗୀ ତନୁ ମଧ୍ୟା ।

ତପ୍ତସ୍ଵର୍ଣ୍ଣ ବର୍ଣ୍ଣା ଚାରୁଦଶନା ସୁମେଧା ॥

ମରିଚ୍ୟାଦି ଷଟ୍‌ ମୁନି ଇନ୍ଦ୍ରିୟ ନିଗ୍ରହ ।

କରିବାରୁ ନହୋଇଲା ସ୍ଵେଦର ପ୍ରବାହ ॥

କ୍ରତୁଙ୍କ ସ୍ଵେଦରୁ ଜାତ ସୋମପାଙ୍କ ଗଣ ।

ବଶିଷ୍ଠଙ୍କ ସ୍ଵେଦେ ଜନମିଲେ ସ୍ଵକାଳିନ ॥

ପୁଲସ୍ତ୍ୟଙ୍କ ସ୍ଵେଦୁଁ ଆଜ୍ୟପାଗଣ ହୋଇଲେ ।

ଅଙ୍ଗିରାଙ୍କ ସ୍ଵେଦେ ହବିଷ୍ମନ୍ତ ଜନମିଲେ ॥

ଏମାନେ ସର୍ବଲୋକଙ୍କ ପିତୃଗଣ ହେଲେ ।

କାବ୍ୟବାହ ହୋଇ ସର୍ବଲୋକେ ପୂଜାକଲେ ॥

ସର୍ବପ୍ରାଣୀଙ୍କର ବ୍ରହ୍ମା ହେଲେ ପିତାମହ ।

ପିତୃପ୍ରସୂ ହେଲେ ସନ୍ଧ୍ୟା ସେ ସ୍ୱେଦ ପ୍ରବାହ ॥

ତାହାଙ୍କ ଉଦ୍ଦେଶ୍ୟେ ଜନ୍ମିବାରୁ ଏହି ନାମ ।

ଜଗତରେ ଖ୍ୟାତ ହେଲା ଶୁଣ ମୁନିଗଣ ॥

ଶିବବାକ୍ୟେ ଲଜ୍ଜିତ ହେବାରୁ ପିତାମହ ।

ମନ୍ମଥକୁ କୋପ କଲେ ହୋଇଣ ନିର୍ଦ୍ଦୟ ॥

ଆଗରୁ ବ୍ରହ୍ମାଙ୍କ ଅଭିପ୍ରାୟ ଜାଣି କରି ।

ଭୟେ ବାଣ ସହ ଧନୁ ରଖେ ଶମ୍ବରାରୀ ॥

କ୍ରୋଧଯୁକ୍ତ ଧାତ୍ରା ଯାହାକଲେ ତାହା ଶୁଣ ।

ଭାଷାବନ୍ଧେ ପ୍ରଭାକର କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣ ଦ୍ୱିତୀୟଽଧ୍ୟାୟଃ ।

 

॥ ୩ ॥

 

ତହୁଁ ଧାତା ସୁପ୍ରଦୀପ୍ତ ହୁତାଶନ ସମ ।

କ୍ରୁଦ୍ଧାହୋଇ ଶଙ୍କରଙ୍କୁ କହିଲେକ ପୁଣ ॥

ତୁମ୍ଭଆଗେ ଏହି କାମ ଆମ୍ଭ ସକଳଙ୍କୁ ।

ନିର୍ଲଜ୍ଜେ ବାଣ ପେଷିଣ ଦେଲା ହେ ନିନ୍ଦାକୁ ॥

ତାହାଫଳେ ତୁମ୍ଭ ନେତ୍ରାନଳେ ଦଗ୍‌ଧ ହେବ ।

ଦୁଷ୍କର୍ମର କୁଫଳକୁ ନିଶ୍ଚୟ ଭୋଗିବ ॥

କନ୍ଦର୍ପକୁ ଏହି ଶାପ ଦେଲେ ଚତୁର୍ମ୍ମୁଖ ।

ଶିବଙ୍କ ସହିତ ମୁନିମାନଙ୍କ ସମକ୍ଷ ॥

ତହୁଁ ଭୟେ ରତିପତି ଧନୁବାଣ ଛାଡ଼ି ।

ଦାରୁଣ ଶାପକୁ ଶୁଣି ବିଧିପାଦେ ପଡ଼ି ॥

ଦକ୍ଷ ମରୀଚି ଆଦିଙ୍କ ଆଗେ ଭୀତ ହୋଇ ।

ଗଦ ଗଦ କଣ୍ଠେ ଅତି ନମ୍ରରେ କହଇ ॥

ମନ୍ମଥ ଉବାଚ

ହେ ପ୍ରଭୁ କି ଦୋଷେ ମୋତେ ଅଭିଶାପ ଦେଲେ ।

ନ୍ୟାୟବାନ ହୋଇ ନିର୍ଦ୍ଦୋଷେ ଦଣ୍ଡ ବିହିଲେ ॥

ତୁମ୍ଭ ଆଜ୍ଞା ପାଳନାର୍ଥେ ଏକର୍ମ ମୁଁ କଲି ।

ତହିଁରେ ନିର୍ଦ୍ଦୋଷ ଭାବେ ଅଭିଶପ୍ତ ହେଲି ॥

ହରିହର ବ୍ରହ୍ମା ଆଦି ସକଳେ ମୋ ବାଣେ ।

ମୋହିତ ହେବେ ବୋଲିଲା ତାହା ପରୀକ୍ଷଣେ ॥

କଲି ଏ ଦୁଷ୍କର୍ମ ମୋର ହେଲା କେଉଁ ଦୋଷ ।

କ୍ଷମାକର ପ୍ରଭୋ ଶାପ ହେଉ ମୋର ଶେଷ ॥

ମାର୍କଣ୍ଡେୟ ଉବାଚ

ମଦନର ନମ୍ର ବାକ୍ୟ ଶୁଣି ବିଶ୍ଵପତି ।

ସଦୟରେ ମଦନକୁ ମଧୁରେ କହନ୍ତି ॥

ବ୍ରହ୍ମୋବାଚ

ମୋ କନ୍ୟା ସନ୍ଧ୍ୟା ସମକ୍ଷେ ମୋତେ ମୁଗ୍‌ଧ କଲ ।

ତେଣୁ ଶାପ ଦେଲି ଏବେ ଶୁଣ ମୋର ବୋଲ ॥

ତୁମ୍ଭ ଶାପ ଶାନ୍ତି ହେବ ଯେପରି ତା ଶୁଣ ।

ହର କୋପାନଳେ ଦଗ୍‍ଧ ହେବ ଯେଉଁକ୍ଷଣ ॥

ତତ୍ପରେ ତାହାଙ୍କ ଅନୁଗ୍ରହ ବଳେ ତୁମ୍ଭେ ।

ହର ବିବାହ ହୋଇବେ ପାର୍ବତୀଙ୍କୁ ଯେବେ ॥

ସେକାଳେ ପୁନର୍ଜୀବନ ପାଇବ ନିଶ୍ଚୟ ।

ଅନୁଗ୍ରହ କରି ଏବେ ହୁଅ ହେ ନିର୍ଭୟ ॥

ମାର୍କଣ୍ଡେୟ ଉବାଚ

ଏତେ କହି ବ୍ରହ୍ମା ତହୁଁ ହେଲେ ଅନ୍ତର୍ହିତ ।

ମାନସ ମୁନିଗଣଙ୍କ ଦୃଷ୍ଟିର ଅଗ୍ରତ ॥

ତାହାଦେଖି ଶମ୍ଭୁ ମଧ୍ୟ ବାୟୁ ବେଗେ ଗଲେ ।

ତାହା ଦେଖିଣ ଦକ୍ଷ କନ୍ଦର୍ପଙ୍କୁ ବୋଇଲେ ॥

ଦକ୍ଷ ଉବାଚ

ମୋ ରୂପ ଗୁଣସମ୍ପନ୍ନା ମୋ ଦେହ ସମ୍ଭବା ।

ଭାର୍ଯ୍ୟାରୂପେ ଘେନ ଏହି ଅତ୍ୟନ୍ତ ଦୁର୍ଲଭା ॥

ସର୍ବଦା ସହଚାରିଣୀ ହୋଇବ ତୁମ୍ଭର ।

ଧର୍ମତଃ ବଶବର୍ତ୍ତିନୀ ହେବ ହେ ସୁନ୍ଦର ॥

ମାର୍କଣ୍ଡେୟ ଉବାଚ

କହି ଦକ୍ଷ ସ୍ଵଦେହଜ ସ୍ଵେଦୋଦ୍ଭବା କନ୍ୟା ।

ରତି ନାମଦେଇ କନ୍ଦର୍ପଙ୍କୁ ଦେଲେ ଧନ୍ୟା ॥

ରତି କନ୍ୟାକୁ ଦେଖିଣ କନ୍ଦର୍ପ ସେକ୍ଷଣେ ।

ମୋହିତ ହେଲେ ବିଦ୍ଧ ହୋଇଣ ନିଜବାଣେ ॥

ବିଜୁଳିବର୍ଣ୍ଣା ମୃଗନେତ୍ରୀ ସେ ରତି ଦେବୀ ।

ଚଞ୍ଚଳାଙ୍ଗୀ କନ୍ଦର୍ପଙ୍କ ପତ୍ନୀହେଲେ ଭାବି ॥

ମଦନ ରତିଭ୍ରୂଲତା ଦ୍ଵୟକୁ ଦେଖିଣ ।

ମୋ ଧନୁକୁ ଧାତାଏଠି କଲା କି ନିର୍ମାଣ ॥

ରତିକଟାକ୍ଷକୁ ଚାହିଁ ମନେ ବିଚାରଇ ।

ମୋ ବାଣର ଶୀଘ୍ରଗତି ଏଥିରେ ଅଛଇ ॥

ରତିଙ୍କ ସୁଗନ୍ଧ ନିଃଶ୍ଵାସକୁ ଆଘ୍ରାଣିଣ ।

ମଳୟାନିଳେ ଶ୍ରଦ୍ଧାକୁ ତେଜିଲେ ତକ୍ଷିଣ ॥

ପୂର୍ଣ୍ଣେନ୍ଦୁ ସଦୃଶ ରତି ମୁଖକୁ ଦେଖିଣ ।

ପୂର୍ଣ୍ଣଚନ୍ଦ୍ର ଏଠାରେ କି ହେଲା ଉଦ୍ଦୀପନ ॥

ସୁବର୍ଣ୍ଣ ପଦ୍ମକଢ଼ ସଦୃଶ କୁଚ ଦେଖୁ ।

ଭ୍ରମରଯୁତ କୁଚାଗ୍ର କୃଷ୍ଣବର୍ଣ୍ଣ ଏକି ॥

ଦୃଢ଼ ପୃଥୁଳ ଉନ୍ନତ ଘନ ସ୍ତନ ଭାରେ ।

ଆନମିତା ନାଭିଠାରୁ ରୋମରାଜି ସ୍ଫୁରେ ॥

ନିଜ ପୁଷ୍ପଧନୁ ଗୁଣ ଆନମିତ ପରି ।

ଶୋଭାପାଏ ରତିଙ୍କର ଉଦରେ ତ୍ରିବଳି ॥

ଗଭୀର ନାଭି ତାଙ୍କର ଅତ୍ୟନ୍ତ ଶୋଭିତ ।

ମୁଖପଦ୍ମେ ନେତ୍ରଦ୍ୱୟ ରକ୍ତପଦ୍ମବତ ॥

କ୍ଷୀଣକଟି ଶରଭା ସଦୃଶ ଦେହ ଶୋଭା ।

ରତ୍ନନିର୍ମିତ ବେଦିକା ତୁଲ୍ୟ ତାର ଆଭା ॥

ଊରୁଦ୍ଵୟ ରମ୍ଭାବୃକ୍ଷ୍ୟ ତୁଲ୍ୟ ଯେ କୋମଳ ।

ମଦନର ନିଜଶକ୍ତିସମ ସେ ବହଳ ॥

ପାର୍ଷ୍ଣିପାଦାଗ୍ର ଅତ୍ୟନ୍ତ ଆରକ୍ତ ଦିଶଇ ।

କନ୍ଦର୍ପର ଅନୁରାଗ ଭାବଳୁ ବଢ଼ାଇ ॥

ରତିଙ୍କର ବାହୁଦ୍ଵୟ ମୃଣାଳ ସଦୃଶ l

ରକ୍ତ ନଖ ସୁବୃତ୍ତ ଅଙ୍ଗୁଳି ଦେଖି ତୋଷ ॥

ଏ ସୁନ୍ଦର ରୂପ ଦେଖି କାମ ବିଚାରଇ ।

ମୋ ଅସ୍ତ୍ରର ଅନୁରୂପ ରତି ଅଙ୍ଗ ହୋଇ ॥

ମୋତେ ମୋହ କରିବାକୁ କିଅବା ମୋହିନୀ ।

ନୀଳମେଘ ତୁଲ୍ୟ କେଶଯୁତ ବରାଙ୍ଗିନୀ ॥

ରତିର ସୁନ୍ଦର ରୂପ ଦେଖିଣ ମଦନ ।

ବ୍ରହ୍ମଦତ୍ତ ଶାପକୁ ସେ କଲେ ବିସ୍ମରଣ ॥

ଦକ୍ଷଙ୍କୁ କହନ୍ତି ଏ ସୁନ୍ଦରୀ ନାରୀ ପାଇ ।

ଶିବଙ୍କୁ ଅକ୍ଳେଶେ ମୋହ କରିବଇଁ ମୁହିଁ ॥

ଯେ ସ୍ଥାନରେ ମୋ ଧନୁର ଲକ୍ଷ୍ୟ ଯେହୁହେବ ।

ତହିଁ ଏ ରତି ରୂପରେ କାର୍ଯ୍ୟକୁ ସାଧିବ ॥

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଯହିଁ ଯେବେ ଯିବି ।

ଏ ସୁନ୍ଦରୀକୁ ସଙ୍ଗରୁ କେବେ ନଛାଡ଼ିବି ॥

ଯେପରି ବିଷ୍ଣୁଙ୍କ ଲକ୍ଷ୍ମୀ ମେଘର ତଡ଼ିତ ।

ସେପରି ଏ ରତି ନୋହିବ ସଙ୍ଗ ବିଚ୍ୟୁତ ॥

ମାର୍କଣ୍ଡେୟ ଉବାଚ

କନ୍ଦର୍ପ ଏହା କହି ରତିଙ୍କୁ ସଙ୍ଗେ ନେଲେ ।

ଯେପରି ବିଷ୍ଣୁ ଲକ୍ଷ୍ମୀଙ୍କୁ ସାଗରୁ ଲଭିଲେ ॥

ରତି କାମ ସଂଯୋଗ ମେଘ ବିଦ୍ୟୁତ ସମ ।

ଦର୍ଶକ ଆହ୍ଲାଦ କର ଅତି ଅନୁପମ ॥

କନ୍ଦର୍ପର ରତିଠାରେ ରତିର ମଦନେ ।

ସ୍ନେହ ସନ୍ତୋଷ ବଢ଼ିଲା, କ୍ରମେ ଦିନେ ଦିନେ ॥

ସେପରି ସ୍ନେହ ଭକତି ରହୁ ହରିପଦେ ।

ବିପ୍ର ପ୍ରଭାକର କହଇ ଭାଷା ପ୍ରବନ୍ଧେ ॥

 

ଇତି ଶ୍ରୀ କାଳିକାପୁରାଣେ ତୃତୀୟୋଽଧ୍ୟାୟଃ ।

✽✽✽

 

॥ ୪ ॥

 

ମାର୍କଣ୍ଡେୟ ଉବାଚ

ଯେ ଦିନରୁ ବ୍ରହ୍ମା ହର ବାକ୍ୟରେ ଲଜ୍ଜିତ ।

ସେହିଦିନୁ ମନେ ଚିନ୍ତା କଲେ ଅବିରତ ॥

ସ୍ତ୍ରୀ ଅଭିଳାଷ ମାତ୍ରକେ ଶିବ ଧକ୍‌କାରିଲେ ।

ମୁନିମାନଙ୍କ ଆଗରେ ମୋତେ ନିନ୍ଦା କଲେ ॥

କିପରି ହରଙ୍କୁ ମୁହିଁ ବିଭା କରାଇଣ ।

ସ୍ତ୍ରୀବଶେ ସଦା ରଖିବି ମୋର ଏହି ଧ୍ୟାନ ॥

କେଉଁ ନାରୀ ଶିବଙ୍କର ହେବ ଅର୍ଦ୍ଧାଙ୍ଗିନୀ ।

ଶିବଙ୍କ ମନୋହାରିଣୀ ହେବ ଯେ କାମିନୀ ॥

କାମ ମଧ୍ୟ ଶିବ ମନ ମୋହି ନପାରିବ ।

ଯେ ଶିବ ସ୍ତ୍ରୀ ନାମ ମାତ୍ରେ ଦେଲେ ପରାଭବ ॥

ଶିବ ବିବାହ ନୋହିଲେ ସୃଷ୍ଟି ବା କିପରି ।

ହୋଇବ, ମୋ ବିନା କେବା ଏହା କରିପାରି ॥

ଦୁଷ୍ଟଗଣ ହରିହର ମୋହାତେ ମରିବେ ।

ଯୋଗୀଶ୍ରେଷ୍ଠ ଶିବ କେଉଁଭାବେ ବିଭାହେବେ ॥

ଏତେ ବିଚାରି ବିଧାତା ତଳକୁ ଚାହିଁଲେ ।

ଦକ୍ଷ ମରିଚ ଆଦି ଯେ ସ୍ଥାନେ ରହିଥିଲେ ॥

କନ୍ଦର୍ପ ରତି ସହିତ ଥିବା ଦେଖି ତହିଁ ।

ସେ ସ୍ଥାନଳୁ ଆସି କାମକୁ କୋମଳେ କହି ॥

ବ୍ରହ୍ମୋବାଚ

ଏ କାମିନୀ ସହ ତୁମ୍ଭେ ବିହର ସୁଖରେ ।

ଯେପରି ହରି ଶୋଭନ୍ତି ଲକ୍ଷ୍ମୀଙ୍କ ସଙ୍ଗରେ ॥

ଦାମ୍ପତ୍ୟ ସ୍ନେହ ତୁମ୍ଭର ହେଉ ଚିରସ୍ଥାୟୀ ।

ଶିବଙ୍କୁ ମୋହିତ କର ବିଶ୍ଵ ସୁଖ ପାଇଁ ॥

ଯେପରି ସୁଖ ମନରେ ସେହି ସଦାଶିବ ।

ପତ୍ନୀଗ୍ରହଣ କରିବେ ତାହା କର ଜବ ॥

ନିର୍ଜ୍ଜନେ ନିର୍ମଳସ୍ଥାନେ ପର୍ବତେ ନଦୀରେ ।

ଯେ ସ୍ଥାନକୁ ଶିବ ଯିବେ ତହିଁ ଚଳ ଧୀରେ ॥

ସ୍ତ୍ରୀବିମୁଖ ଯୋଗୀ ଶିବ ଯେପରି ସ୍ତ୍ରୀ ସୁଖ ।

ଅନୁଭବ କରିବେ ତା କରହେ ପ୍ରତ୍ୟକ୍ଷ ॥

ତୁମ୍ଭବିନା କେହିତାଙ୍କୁ ନକରିବେ ମୁଗ୍‌ଧ ।

ନାରୀରେ ସ୍ନେହକଲେ ସେ ହେବ ତୁମ୍ଭେ ଦଗ୍‍ଧ ॥

ପୁନର୍ଜୀବନ ପାଇଣ ଶାପମୁକ୍ତ ହେବ ।

ନିଜ ହିତ ସାଧନରେ ନକର ବିଳମ୍ବ ॥

ମାର୍କଣ୍ଡେୟ ଉବାଚ

ଧାତାଙ୍କ ବଚନ ଶୁଣି ମଦନ ଭାଷନ୍ତି ।

ତୁମ୍ଭ ବାକ୍ୟେ ହର ମୋହି ଲଭିବି ମୁଁ ଶାନ୍ତି ॥

ମୋର ସ୍ତ୍ରୀ, ପ୍ରଧାନ ଅସ୍ତ୍ର ପୁରୁଷ ମୋହନେ ।

ଶିବଙ୍କ ପାଇଁ ନାରୀଏ ନିର୍ମାଣ ଯତନେ ॥

ହରଙ୍କ ମନମୋହିନୀ ପରମା ସୁନ୍ଦରୀ ।

ନାରୀ ଦେଖୁନାହିଁ ମୁହିଁ ଚତୁର୍ଦ୍ଦଶ ମୁରୀ ॥

ମାର୍କଣ୍ଡେୟ ଉବାଚ

କନ୍ଦର୍ପ ବାକ୍ୟକୁ ଶୁଣି କହନ୍ତି ବିଧାତା ।

ହରଙ୍କ ମୋହନ ପାଇଁ ଭିଆଇବି କାନ୍ତା ॥

ତହୁଁ ମନରେ ଚିନ୍ତନ୍ତେ ନିଃଶ୍ଵାସ ବାୟୁରୁ ।

ସୁଗନ୍ଧ ବାୟୁ ସହିତ ବସନ୍ତ ପ୍ରସରୁ ॥

ଭ୍ରମର ଭୂଷିତ ଆମ୍ବ ବକୁଳ ସମୂହ ।

ପଲାଶ କୁସୁମ ରାଜି କମଳ ନିବହ ॥

ବସନ୍ତର ବର୍ଣ୍ଣ ସ୍ୱର୍ଣ୍ଣପଦ୍ମ ପରି ଦିଶେ ।

ଫୁଟିଲାପଦ୍ମ ସଦୃଶ ଚକ୍ଷୁଦ୍ୱୟ କି ସେ ॥

ସନ୍ଧ୍ୟାକାଳ ପୂର୍ଣ୍ଣଚନ୍ଦ୍ର ପରି ମୁଖ ବର୍ଣ୍ଣ ।

ସୁ ନାଶିକାଯୁତ ଶଙ୍ଖାପର୍ତ୍ତପରି କର୍ଣ୍ଣ ॥

ଶ୍ୟାମଳ କୁଞ୍ଚିତ କେଶ, କୁଣ୍ଡଳ ଭୂଷିତ ।

ମତ୍ତହସ୍ତୀସମ ଗତି ହୃଦୟ ବିସ୍ତୃତ ॥

ପୃଥୁଳ ଆୟତ ଭୁଜ ହସ୍ତ ସୁକଠିନ ।

ଊରୁ କଟି ଗୋଲାକୃତି କଣ୍ଠ ଶଙ୍ଖ ସମ ॥

ଉଚ୍ଚସ୍କନ୍ଧ, ସର୍ବାଙ୍ଗ ସର୍ବ ଲକ୍ଷଣ ଯୁତ ।

ବ୍ରହ୍ମା ନିଃଶ୍ଵାସ ବାୟୁରୁ ବସନ୍ତ ସମ୍ଭୂତ ॥

ବସନ୍ତର ଆବିର୍ଭାବେ ମଳୟ ପବନ ।

ବୃକ୍ଷଗଣ ପଲ୍ଲବିଣ ଦିଶଇ ଶୋଭନ ॥

ପିକଗଣ ରାବ କଲେ ପଞ୍ଚମ ସ୍ଵରରେ ।

ଜଳାଶୟ ଶୋଭାଦିଶେ ପଦ୍ମ ସମୂହରେ ॥

ବସନ୍ତ ଜନ୍ମିବା ଦେଖି ଦେବ ପିତାମହ ।

ମଦନକୁ ସୁମଧୁର ବାକ୍ୟେ କଲେ ମୋହ ॥

ବ୍ରହ୍ମୋବାଚ

ହେ ମଦନ ଏ ବସନ୍ତ ତୁମ୍ଭ ସହଚର ।

ତୁମ୍ଭହିତେ ସଦାବେଳେ ହେବ ପରିଚାର ॥

ଅଗ୍ନି ମିତ୍ର ବାୟୁ ଯେପରି ତା ହିତକାରୀ ।

ଏ ବସନ୍ତ ତୁମ୍ଭର ମିତ୍ର ହେବ ସେପରି ॥

ପ୍ରାଣୀଙ୍କ ବିରହ ଜାତ କରାଇବ ଏହି ।

ତେଣୁ ବସନ୍ତ ନାମରେ ଖ୍ୟାତ ଲଭିବଇ ॥

ଏହା କାର୍ଯ୍ୟ ତୁମ୍ଭ ଅନୁଗାମୀ ହେବ ସଦା ।

ଲୋକମାନଙ୍କୁ ରଞ୍ଜନ କରିବ ସର୍ଚଦା ॥

ଶୃଙ୍ଗାର ରସର ଉଦ୍ଦିପକ ହେବ ଏହି ।

ମଳୟ ପଦନ ପ୍ରସରିବ ଯହିଁ ତହିଁ ॥

ବିବ୍ୟୋକାଦି ହାବଗଣ ଚଉଷଠି କଳା ।

ରତିର ସୌହାର୍ଦ୍ଦ ଭାବ ଦେଖାଇବ ତ୍ଵରା ॥

ବସନ୍ତ ସହିତ ଏହିମାନେ ତୁମ୍ଭ ସହ ।

ବିହରିବେ ପ୍ରାଣୀଗଣ କରାଇବ ମୋହ ॥

ଏ ଭାବରେ ଶିବଙ୍କୁ ତୁମ୍ଭେ ମୋହ କରିବ ।

ଇଚ୍ଛାମତେ ଯାଅ ଏବେ ସୁଖେ ବିହରିବ ॥

ଯେ ନାରୀ ହରଙ୍କ ମନ ମୋହିବ ରୂପରେ ।

ତାହାଭାବି ସ୍ଥିର କରିବି ମୁଁ ମାନସରେ ॥

ବ୍ରହ୍ମାଙ୍କ ବଚନେ କାମ ଆନନ୍ଦ ଲଭିଣ ।

ରତି ବସନ୍ତାଦି ସଙ୍ଗେ କଲେ ସେ ଗମନ ॥

ଯିବାବେଳେ କାମ ଦକ୍ଷ ମରୀଚି ଆଦିଙ୍କୁ ।

ନମସ୍କାର କରି ଗଲେ ହର ଖୋଜିବାକୁ ॥

ଶୃଙ୍ଗାର ଭାବାଦି ଯୁକ୍ତ ହୋଇ ସେ ଗମିଲେ ।

ତହୁଁ ବ୍ରହ୍ମା ଦକ୍ଷାଦିଙ୍ଗୁ ସାଦରେ କହିଲେ ॥

ସେ ବ୍ରହ୍ମା ଦକ୍ଷ ମରୀଚି ଆଦିଙ୍କୁ ନମିଣ ।

ବିପ୍ର ପ୍ରଭାକର ଗୀତେ କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ ଚତୁର୍ଥୋଽଧ୍ୟାୟଃ ।

✽✽✽

 

॥ ୫ ॥

 

ମାର୍କଣ୍ଡେୟ ଉବାଚ

ଅନନ୍ତର ବ୍ରହ୍ମା ଦକ୍ଷ ମରୀଚି ଆଦିଙ୍କୁ ।

କହନ୍ତି ମଧୁର ବାକ୍ୟ ଶୁଣ ମୋ ବାକ୍ୟକୁ ॥

ବ୍ରହ୍ମୋବାଚ

କିଏ ଶମ୍ଭୁପତ୍ନୀ ହୋଇ ତାହାଙ୍କର ମନ ।

ମୋହିତ କରିବା ଭାବୁଅଛି ଅନୁକ୍ଷଣ ॥

ବିଷ୍ଣୁମାୟା ଜଗନ୍ମୟୀ ବିନା ଅନ୍ୟ ନାରୀ ।

ଯୋଗୀଶ୍ରେଷ୍ଠ ଶିବ ମନ ନପାରିବେ ହରି ॥

ତେଣୁ ସେ ବିଷ୍ଣୁମାୟାଙ୍କୁ ସ୍ତୁତି କରୁଅଛି ।

ସେହି ଏକା ଶିବଙ୍କୁ ମୋହିବେ ମୁଁ ଭାବୁଅଛି ॥

ହେ ଦକ୍ଷ ତୁମ୍ଭେ ତାହାଙ୍କୁ ଯଜ୍ଞେ ପୂଜା କର ।

ଯେପରି ସେ ତୁମ୍ଭ କନ୍ୟା ହେବେକ ସତ୍ଵର ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମା ବାକ୍ୟ ଶୁଣି ଦକ୍ଷ କହନ୍ତି ସଧୀରେ ।

ମରୀଚି ଆଦିଙ୍କ ମତ ଘେନିଣ ସତ୍ଵରେ ॥

ଦକ୍ଷ ଉବାଚ

ହେ ଲୋକେଶ ଆପଣ ଯାହା ଆଦେଶ ଦେଲେ ।

ସଂସାର ହିତେ ଅବଶ୍ୟ କରିବି ମୁଁ ହେଳେ ॥

ମୋ କନ୍ୟା ରୂପେ ଜନ୍ମିଣ ହରପତ୍ନୀ ହେବେ ।

ସେ ଯତ୍ନ କରିବି କାୟମନୋବାକ୍ୟ ଭାବେ ॥

ମାର୍କଣ୍ଡେୟ ଉବାଚ

ମରୀଚି ଆଦିଙ୍କ ସହ ଦକ୍ଷ ପ୍ରଜାପତି ।

ଜଗନ୍ମୟୀଙ୍କ ତୋଷାର୍ଥେ ଯଜ୍ଞ ଆରମ୍ଭନ୍ତି ॥

ସେ ମାୟାଙ୍କୁ ହୃଦୟରେ ଚିନ୍ତି ଅନୁକ୍ଷଣ ।

କ୍ଷୀର ସମୁଦ୍ର ଉତ୍ତର ତୀରକୁ ଯାଇଣ ॥

ଅମ୍ବିକା ଦର୍ଶନ ପାଇଁ ତପ ଆରମ୍ଭିଲେ ।

ସଂଯତାତ୍ମା ଦୃଢ଼ବ୍ରତ ହୋଇ ତପ କଲେ ॥

ତ୍ରିସହସ୍ର ବର୍ଷ ପର୍ଯ୍ୟନ୍ତ ଏକ ସ୍ଥାନରେ ।

ବସି ତପ ଆରମ୍ଭିଲେ ମାନସ ପଟ୍ଟରେ ॥

ପବନ ଜଳ ପତ୍ରମାନ କରି ଆହାର ।

କେବେ କେବେ ଉପବାସେ କରି ନିରାହାର ॥

ଜଗତଜନନୀଙ୍କୁ ସେ ଚିନ୍ତାକଲେ ହୃଦେ ।

ଘୋରତପ ଆଚରିଲେ ଅତ୍ୟନ୍ତ ବିଷାଦେ ॥

ତେଣେ ବ୍ରହ୍ମା ମନ୍ଦର ପର୍ବତ ପରେ ଉଠି ।

ପୁଣ୍ୟସ୍ଥାନ ଦେଖୁ ଅମ୍ବିକାଙ୍କୁ କଲେ ସ୍ତୁତି ॥

ବ୍ରହ୍ମୋବାଚ

ବିଦ୍ୟା ଅବିଦ୍ୟାସ୍ଵରୂପା ନିରାଲମ୍ବା ଶୁଦ୍ଧା ।

ନିରାକୁଳା ଜଗଦ୍ଧାତ୍ରୀ ତ୍ରିଲୋକର ବନ୍ଦ୍ୟା ॥

ସ୍ଥୂଳ ସୂକ୍ଷ୍ମରୂପା ତୁମ୍ଭେ ଜଗତର ଆଦି ।

ତୁମ୍ଭ ଅଂଶଭୂତ ସର୍ବ ନିଦ୍ରାରୂପା ସିଦ୍ଧି ॥

ଚିସ୍ୱଭୂପା ପରଂବ୍ରହ୍ମ ସ୍ଵରୂପା ଭବାନୀ ।

ସର୍ବ ପ୍ରାଣୀମାନଙ୍କର ଶକ୍ତି ସ୍ଵରୂପିଣୀ ॥

ଜଗତପାବନୀ ମାତା ଜଗତ ସାବିତ୍ରୀ ।

ସନ୍ଧ୍ୟା ଜ୍ୟୋତିଃସ୍ଵରୂପା ଗୋ ରତି ଧୃତି କର୍ତ୍ତୀ ॥

ସଂସାର ପ୍ରକାଶ ହୁଏ ଉଦୟେ ତୁମ୍ଭର ।

ତମ ସ୍ଵରୂପରେ କର ସଂସାର ଅନ୍ଧାର ॥

ସୃଷ୍ଟିରୂପେ ଜଗତକୁ ଜୀବ ପୂର୍ଣ୍ଣ କର ।

ସ୍ଥିତିରୂପେ ସର୍ବପ୍ରାଣୀ ପାଳ ନିରନ୍ତର ॥

ସଂହାର ରୂପରେ ସର୍ବ ବିନାଶ କାରିଣୀ ।

ମେଧା ମହାମାୟା ସ୍ଵଧା ପିତୃ ସ୍ଵରୂପିଣୀ ॥

ନମସ୍କାର ବଷଟ୍‌କର ସୃତି ସ୍ଵରୂପିଣୀ ।

ପୁଷ୍ଟି ଧୃତି ମୈତ୍ରୀ ଦୟା ଆନନ୍ଦ ରୂପିଣୀ ॥

ତୁମ୍ଭେ ଲଜ୍ଜା ଶାନ୍ତି କାନ୍ତି ଜଗତ ଈଶ୍ଵରୀ ।

ମହାମାୟା ବ୍ରହ୍ମା ବିଷ୍ଣୁ ହର ଶକ୍ତିଧାରୀ ॥

ମୋକ୍ଷବନ୍ଧକାରୀ ଏକା ଦ୍ୱିତୀୟା ସ୍ଵରୂପା ।

ବିଦ୍ୟା ଅବିଦ୍ୟା ରୂପରେ ସୁପ୍ରକାଶ କଳ୍ପା ॥

ସର୍ବ ପ୍ରାଣୀଙ୍କର ଲକ୍ଷ୍ମୀ ସ୍ଵରୂପା ଗୋ ତୁମ୍ଭେ ।

ଛାୟାରୂପା ସରସ୍ଵତୀ ଦେବୀ ଜଗଦମ୍ବେ ॥

ତ୍ରୟୀ ମୟୀ ତ୍ରିମାତା ଗୋ ଚତୁଃସ୍ଵରୂପିଣୀ ।

ସାମବେଦର ଉଦ୍‌ଗୀତି ପିତୃଙ୍କ ରଞ୍ଜନୀ ॥

ସର୍ବଯଜ୍ଞେ ବେଦିରୂପା ସାମିଧେନୀ ହବି ।

ପରମାତ୍ମାଙ୍କ ନିଷ୍କଳ ଅନିର୍ଦ୍ଦେଶ୍ୟ ଛବି ॥

ସକଳ ଜଗତରୂପେ ମାତ୍ରାରୂପା ଦେବୀ ।

ବିସ୍ତୃତ ମୂର୍ତ୍ତି ସ୍ଵରୂପା ପ୍ରକାଶେ କି ରବି ॥

ବିଶ୍ଵମ୍ଭରା ଲକ୍ଷ୍ମୀରୂପା ଚେତନ ସ୍ଵରୂପା ।

ସନାତନୀ କାଳରାତ୍ରି ସିଦ୍ଧି ବୁଦ୍ଧି କଳ୍ପା ॥

ସଂସାର ସାଗର ତାରଣକୁ ନୌକା ତୁମ୍ଭେ ।

ଅନୁଗ୍ରହ କର ସଦା ଅଧୀନକୁ ଏବେ ॥

ନିତ୍ୟା ଅନିତ୍ୟା ଟି ତୁମ୍ଭେ ବିଶ୍ଵବିମୋହିନୀ ।

ତୁମ୍ଭେ ସାଙ୍ଗୋ ପାଙ୍ଗ ସର୍ବଯୋଗ ସ୍ଵରୂପିଣୀ ॥

ଅତୀତର ଚିନ୍ତା କରି ଅଷ୍ଟାଙ୍ଗ ସଂଯୁତା ।

ଖଡ୍‌ଗ ଶୂଳ ଚକ୍ର ଧନୁ ସ୍ଵଭୁଜେ ଶୋଭିତା ॥

ଜନମାନଙ୍କ ଈଶ୍ଵରୀ ଅନୁଗ୍ରହ ରୂପା ।

ବିଶ୍ଵଆଦି ଅନାଦି ଗୋ ବିଶ୍ଵଯୋନି କଳ୍ପା ॥

ଅଯୋନିକା ଅନନ୍ତା ଯେ ଏକାନ୍ତ ବାସିନୀ ।

ନିତାନ୍ତ ନିର୍ମଳା ତୁମ୍ଭେ ତାମସୀ ଭବାନୀ ॥

ହିଂସାରୂପା ଅହିଂସା ଗୋ କାଳିକା ରୂପିଣୀ ।

ଚତୁରାନନା ଦମନୀ ଦାମିନୀ ଜନନୀ ॥

ତୁମ୍ଭଠାରେ ଲୀନହୁଏ ଏ ବିଶ୍ଵ ସଂସାର ।

ବିଶ୍ଵକୁ ଧାରଣ କର ତୁମ୍ଭେ ପରାତ୍ପର ॥

ସୃଷ୍ଟିହୀନା ହୋଇ ସୃଷ୍ଟିରୂପେ ବିରାଜିତା ।

କର୍ଣ୍ଣହୀନା ହୋଇସର୍ବ ଶୁଣ ବିଶ୍ଵକଥା ॥

ପାଣି ପାଦହୀନା ହୋଇ ସର୍ବକାର୍ଯ୍ୟ କର ।

ସବ୍ରତ୍ର ଗମନେ ନାହିଁ ବିରୋଧ ତୁମ୍ଭର ॥

ପୃଥିବ୍ୟାଦି ପଞ୍ଚ ମହାଭୂତ ରୂପା ତୁମ୍ଭେ ।

ଅଷ୍ଟପ୍ରକୃତି ରୂପରେ ବିରାଜୁଛ ଦମ୍ଭେ ॥

ଜଗତର ନାଭି ମେରୁରୂପେ ବିରାଜିତା ।

ପରା ପରାତ୍ମିକା ଶୁଦ୍ଧା ମାୟା ମୋହାତୀତା ॥

କାର୍ଯ୍ୟକାରଣ ସ୍ଵରୂପା ସତ୍ୟ ଶାନ୍ତରୂପା ।

ବିଶ୍ଵହିତ ହେବାପାଇଁ ଧର ବହୁରୂପା ॥

ଅତି ସୂକ୍ଷ୍ମ ଅତି ସ୍ଥୂଳ ଅଣୁ ବୃହତ୍ତନୁ ।

ସୂକ୍ଷ୍ମ ହୋଇ ଜଗତ ବ୍ୟାପିଛ ଯଥା ଭାନୁ ॥

ପ୍ରମାଣଶୂନ୍ୟା ହୋଇଣ ବୃହତ୍ପରିମାଣା ।

ବ୍ୟଷ୍ଟି ସମଷ୍ଟି ରୂପରେ ସର୍ବତ୍ର ସମାନା ॥

ତୁମ୍ଭ ମହିମାରେ ତୁମ୍ଭ ରୂପ ଶୋଭାପାଏ ।

ଇଷ୍ଟ ଅନିଷ୍ଟ ବିପାକ ଜାଣ ତୁମ୍ଭେ ମାଏ ॥

ସୃଷ୍ଟିର ଆଦି ମଧ୍ୟାନ୍ତ ସ୍ଵରୂପା ଜନନୀ ।

ବିଚାରରେ ସାର ରୂପା ବିଶ୍ଵ ବିମୋହିନୀ ॥

ଅଷ୍ଟାଙ୍ଗ ଯୋଗର ସିଦ୍ଧି ସ୍ଵରୂପା ଭବାନୀ ।

ତୁମ୍ଭ ସନାତନ ରୂପ ଜଗତ ବନ୍ଦିନୀ ॥

ବାହ୍ୟ ଅଭ୍ୟନ୍ତର ସୁଖ ଦୁଃଖ ଜ୍ଞାନାଜ୍ଞାନ ।

ଲୟ ବିଲୟ ଉପତାପ ଶାନ୍ତି ବିଧାନ ॥

ଯେ ବ୍ରହ୍ମର ପ୍ରଭାବକୁ ତ୍ରିଲୋକରେ କେହି ।

କହିବାକୁ ଅଶକ୍ତ ତାହାଙ୍କୁ ଅଛ ମୋହି ॥

ଏଣୁ ମୁଁ ଛାର ତୁମ୍ଭଙ୍କୁ କି ସ୍ତବ କରିବି ।

ଯୋଗନିଦ୍ରା ମହାନିଦ୍ରା ମୋହନିଦ୍ରା ଦେବି ॥

ବିଷ୍ଣୁମାୟା ଆଦ୍ୟାପ୍ରକୃତିସ୍ଵରୂପା ମାତା ।

ହରିହର ସହିତ ମୋହର ସୃଷ୍ଟିକର୍ତ୍ତା ॥

ଏଣୁ ତୁମ୍ଭ ମହିମାକୁ ସୁଗୁଣମାନଙ୍କୁ ।

ବର୍ଣ୍ଣିବାକୁ କେ ସମର୍ଥ ହେବ ଲେଖିବାକୁ ॥

ପ୍ରକାଶାର୍ଥ ଜ୍ୟୋତିରୂପେ ଅନ୍ତରଗୋଚରା ।

ସ୍ଥାବର ଜଙ୍ଗମରୂପେ ବ୍ୟାପିଅଛ ଧରା ॥

ସର୍ବଜଗତ ଜନନୀ କାମିନୀ ରୂପିଣୀ ।

ମୋତେ ଅନୁଗ୍ରନ କର ଜଗତ ରକ୍ଷଣୀ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମାଙ୍କ ସ୍ତୁତିରେ ପ୍ରସନ୍ନା ହୋଇ ଭବାନୀ ।

ଧାତା ସମକ୍ଷରେ ପ୍ରବେଶିଲେ ସନାତନୀ ॥

ଚିକ୍‍କଣ ସୁ କୃଷ୍ଣବର୍ଣ୍ଣା ଚାରୁ ରୂପା ନ୍ୱିତା ।

ଚତୁର୍ଭୁଜା ସିଂହସ୍ଥିତା ଖଡ୍‌ଗ ପଦ୍ମହସ୍ତା ॥

ମୁକୁଳିତ କେଶା ଦେବୀ ସେ ସ୍ଥାନେ ଦେଖିଣ ।

ଭକ୍ତି ନମ୍ରହୋଇ ବ୍ରହ୍ମା ନମିଲେ ଚରଣ ॥

ବ୍ରହ୍ମୋବାଚ

ଜଗତ ପ୍ରବୃତ୍ତି ନିବୃତ୍ତି ରୂପାଙ୍କୁ ନମେ ।

ଚରାଚର ସ୍ଥିତି ସୃଷ୍ଟି ଶକ୍ତିରୂପା ତୁମ୍ବେ ॥

ସନାତନୀ ସର୍ବବିମୋହିନୀ ଲକ୍ଷ୍ମୀରୂପା ।

ବିଶ୍ଵମ୍ବରା ବ୍ରହ୍ମାଣ୍ଡବ୍ୟାପିନୀ ଆଦିକଳ୍ପା ॥

ଲଜ୍ଜା ଯୋଗରୂପା ମନୋହାରିଣୀ ଈଶ୍ୱରୀ ।

ତୁମ୍ଭପାଦେ ବାରମ୍ବାର ନମସ୍କାର କରି ॥

ପବିତ୍ର ମନରେ ଯୋଗୀଗଣ ଯାଙ୍କୁ ଭାବି ।

ସିଦ୍ଧି ଲଭନ୍ତି ସେ ଜ୍ଞାନମୟୀ ତୁମ୍ଭେ ଦେବୀ ॥

କୂଟସ୍ଥ ଅବ୍ୟକ୍ତ ଅଚିନ୍ତ୍ୟରୂପିଣୀ ତୁମ୍ଭେ ।

କାଳଭୟ ନିବାରଣ କର ଅତି ଦମ୍ଭେ ॥

ପୁରାତନ ନୂତନ ମଧ୍ୟମ ଦ୍ରବ୍ୟ ସର୍ବ ।

ବିକୃତ କରଇ ତୁମ୍ଭ ମହିଁମା ଅର୍ଣ୍ଣବ ॥

ସତ୍ୱ ରଜ ତମଗୁଣ ତ୍ରୟରୁ ସମାନ ।

ବାହ୍ୟାନ୍ତର ଜଗତର ପ୍ରଧାନ କାରଣ ॥

ଜ୍ଞେୟ ଜ୍ଞାନା ସ୍ଵରୂପିଣୀ ଜଗତର ହିତେ ।

ବିଷ୍ଣୁମାୟା ଜଗଦ୍ଧାତ୍ରୀ ତୁମ୍ଭଙ୍କୁ ନମସ୍ତେ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମସ୍ତୁତି ଶୁଣି ଲୋକବିମୋହିନୀ କାଳୀ ।

ମେଘଗଭୀର ସ୍ଵନରେ କହନ୍ତି ନିରୋଳି ॥

ଦେବ୍ୟୁବାଚ

ହେ ବିଧେ କିମ୍ପାଇ ମୋତେ ସ୍ତୁତି କରୁଅଛ ।

ଶୀଘ୍ର ମୋ ଆଗରେ କହ ଅଧୈର୍ଯ୍ୟ ହେଉଛ ।

ମୋ ପ୍ରତ୍ୟକ୍ଷ ଦର୍ଶନରେ କାର୍ଯ୍ୟସିଦ୍ଧି ଜାଣ ।

ତୁମ୍ଭ ବାଞ୍ଚା ପୂରାଇବି ପ୍ରାର୍ଥନା ଶୁଣିଣ ॥

ବ୍ରହ୍ମୋବାଚ

ଶିବ ଏକାକୀ ହୋଇଣ ତ୍ରିଲୋକେ ଭ୍ରମନ୍ତି ।

ଯେପରି ସେ ସ୍ତ୍ରୀବଶ ହେବେ ଅତି ଝଟତି ॥

ତୁମ୍ଭବିନା ଅନ୍ୟନାରୀ ଶିବ ମୋହିବାକୁ ।

ସମର୍ଥ ନହେବ ଜାଣି ଜଣାଏ ତୁମ୍ଭଙ୍କୁ ॥

ଯେପରି ତୁମ୍ଭେ ଲକ୍ଷ୍ମୀରୂପରେ କେଶବଙ୍କୁ ।

ମୋହିତ କରି କରିଛ ସଂସାର ହିତକୁ ॥

ସ୍ତ୍ରୀ ଅଭିଳାଷ ମାତ୍ରକେ ମୋତେ ନିନ୍ଦା କଲେ ।

ସେ ଶିବ କି ସ୍ଵଇଚ୍ଛାରେ ନାରୀ ଲଭିପାରେ ॥

ଶିବ ବିବାହ ନୋହିଲେ ସୃଷ୍ଟି ନାଶ ହେବ ।

ଆଦ୍ୟନ୍ତ କାରଣ ଶିବ ବିରାଗୀ କି ହେବ ॥

ଏହି ଚିନ୍ତାରେ ବ୍ୟଥିତ ହୋଇ ମୁଁ ତୁମ୍ଭଙ୍କୁ ।

ପ୍ରାର୍ଥନା କରୁଛି ଶିବପତ୍ନୀ ହୋଇବାକୁ ॥

ଶିବମୋହେ ବିଷ୍ଣୁ ଲକ୍ଷ୍ମୀ କନ୍ଦର୍ପାଦିମାନେ ।

ସମର୍ଥ ନହେବେ ଜାଣି ଜଣାଏଁ ଚରଣେ ॥

ସର୍ବପ୍ରାଣୀ କୀର୍ତ୍ତିରୂପା ଯୋଗୀଙ୍କ ସିଦ୍ଧିଦା ।

ବିଷ୍ଣୁପ୍ରିୟା ପରି ଶିବେ କର ତୁମ୍ଭେ ଶ୍ରଦ୍ଧା ॥

ମାର୍କଣ୍ଡେୟ ଉବାଚ

ଯୋଗମୟୀ କାଳୀ ବ୍ରହ୍ମବାକ୍ୟ ଶୁଣି କରି ।

ଯାହା କହିଲେ ଶୁଣନ୍ତୁ ଆହେ ତପଚାରୀ ॥

ବ୍ରହ୍ମା କାଳୀ ଶିବପଦେ ରଖିଣ ମାନସ ।

ବିପ୍ର ପ୍ରଭାକର ଭାଷେ ଗୀତବନ୍ଧେ ରସ ॥

 

ଇତି ଶ୍ରୀ କାଳିକାପୁରାଣେ ପଞ୍ଚମୋଽଧ୍ୟାୟଃ ।

✽✽✽

 

॥ ୬ ॥

 

ଦେବ୍ୟୁବାଚ

ହେ ବିଧାତଃ ଯାହା ତୁମ୍ଭେ କହିଲ ସେ ସତ୍ୟ ।

ମୋ ବିନା ଶିବମୋହନେ କେହେବ ସମର୍ଥ ॥

ଶିବ ବିବାହ ନହେଲେ ସୃଷ୍ଟି ନ ହୋଇବ ।

ତାହା ମଧ୍ୟ ସତ୍ୟ କଥା ସର୍ବନାଶ ହେବ ॥

ଏ ବିଷୟେ ମୋର ଯତ୍ନ ଅବଶ୍ୟ କର୍ତ୍ତବ୍ୟ ।

ତୁମ୍ଭ ବାକ୍ୟେ ଦ୍ଵିଗୁଣରେ ଯତ୍ନ କରାଯିବ ॥

ଯେଉଁପରି ହର ସ୍ଵୟଂ ବିବାହ ହୋଇବେ ।

ସେପରି ଚେଷ୍ଟା କରିବି ସ୍ଥିର ହୁଅ ଏବେ ॥

ମନୋହର ରୂପ ଧରି ଶିବଙ୍କୁ ମୋହିବି ।

ଯେପରି ବିଷ୍ଣୁଙ୍କ ଲକ୍ଷ୍ମୀ ସେପରି ହୋଇବି ॥

ମୋହର ବଶବର୍ତ୍ତୀ ହୋଇବେ ଯଥା ହର ।

ସେପରି କରିଣ ସଙ୍ଗେ ରଖିବି ଶଙ୍କର ॥

ପ୍ରତି ଅବତାରେ ଶିବ ରମଣୀ ମୁଁ ହେବି ।

ଏଣିକି ଦକ୍ଷ ଔରସେ ମୁଁ ଜାତ ହୋଇବି ॥

ତହୁଁ ବିଷ୍ଣୁମାୟା ଜଗନ୍ମୟୀ ଯୋଗନିଦ୍ରା ।

ମୋତେ ଶଙ୍କରୀ ବୋଲିବେ ଜଗତେ ସର୍ବଦା ॥

ଜନ୍ମମାତ୍ରେ ସର୍ବପ୍ରାଣୀ ମୁଁ ମୋହି ପାରିବି ।

ନିଶ୍ଚୟ ଶିବଙ୍କୁ ମୁହିଁ ମୋହେ ପକାଇବି ॥

ପୃଥିବୀରେ ସର୍ବଜନ୍ତୁ ସ୍ତ୍ରୀ ବଶ ଯେପରି ।

ମୋହ ବଶବର୍ତ୍ତୀ ହେବେ ଶଙ୍କର ସେପରି ॥

ଶିବହୃଦୟେ ଲୀନା ମୁଁ ମୋତେ ଉଦ୍ଧାରିଣ ।

ମୋହେପଡ଼ି ପତ୍ନୀରୂପେ କରିବେ ଗ୍ରହଣ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମାଙ୍କୁ ଏପରି କହି ତାଙ୍କ ସମକ୍ଷରେ ।

ଅନ୍ତର୍ହିତା ହେଲେ ମେଘେ ବିଜୁଳି ପ୍ରକାରେ ॥

ତହୁଁ ବ୍ରହ୍ମା ଯାଇ ମିଳିଲେ ମଦନ ପାଶେ ।

ମନରେ ଆନନ୍ଦ କାଳୀ କଥାକୁ ସ୍ମରି ସେ ॥

ହଂସ ବାହନେ ଆଗତ ବ୍ରହ୍ମାଙ୍କୁ ଦେଖି ।

ସତ୍ଵର ଉଠିଲେ କାମ ଆସନ ଉପେକ୍ଷି ॥

ବିନୟେ ପ୍ରଣାମ କରି କୃତ କୃତ୍ୟ ହେଲେ ।

ଆନନ୍ଦରେ ବ୍ରହ୍ମା ଚାହିଁ କାମଙ୍କୁ କହିଲେ ॥

ବ୍ରହ୍ମୋ ଉବାଚ

ଶିବ ମୋହ ପାଇଁ ମୋତେ କହିଥଲ ପୂର୍ବେ ।

ତେଣୁ ମୁଁ ଜଗନ୍ନାଥଙ୍କୁ ସ୍ତୁତି କରି ଏବେ ॥

ମନ୍ଦର ପର୍ବତେ ବସି ଦୃଢ଼ ମନେ ଭାବି ।

ଦେଖିଲି ପ୍ରସନ୍ନବଦନା କାଳିଙ୍କ ଛବି ॥

ପ୍ରାର୍ଥନା କରନ୍ତେ ଦେବୀ ଅତି ଆନନ୍ଦରେ ।

ଶିବଙ୍କୁ ମୋହିବେ ବୋଲି କହିଲେ ସତ୍ଵରେ ॥

ଦକ୍ଷଗୃହେ ଜନ୍ମ ଲଭି ହରଙ୍କୁ ମୋହିବେ ।

ଏଥିରେ ସନ୍ଦେହ ନାହିଁ ଅଚିରେ ଜନ୍ମିବେ ॥

ମଦନ ଉବାଚ

ଜଗନ୍ମୟୀ ନାମେ ଖ୍ୟାତାଦେବୀ କେବେ ଜନ୍ମି ।

ତପୋରତ ଶିବଙ୍କୁ ପାଇବେ ହୋଇ ଭ୍ରମି ॥

ସେ ଦେବୀ କିଏ କେଉଁ ସ୍ଥାନେ ସେ ରହନ୍ତି ।

ଶୁଣିବାକୁ ଇଚ୍ଛା କରେ କହ ବିଶ୍ଵପତି ॥

ଯେ ଶିବଙ୍କ ଯୋଗଭଙ୍ଗେ କେହି ତାଙ୍କ ଆଗେ ।

ସ୍ଥିତ ହେବାକୁ ସମର୍ଥ ନୋହିବ କେ ବେଗେ ॥

ତାହାଙ୍କୁ କିପରି ମୋହ କରିବେ ସେ କାଳୀ ।

ପ୍ରଦୀପ୍ତାଗ୍ନି ସମ ଚକ୍ଷୁ ଯାହା ଜଟା ବଳି ॥

ଭୟଙ୍କର ଦେଖି କେହି ଆଗେ ନରହିବେ ।

କିପରି ତାହାଙ୍କୁ ଦେବୀ ମୋହେ ପକାଇବେ ॥

ମାର୍କଣ୍ଡେୟ ଉବାଚ

କନ୍ଦର୍ପ ବଚନ ଶୁଣି ଲୋକ ପିତାମହ ।

କହିବା ଇଚ୍ଛାରେ ତେଜି ନିଃଶ୍ଵାସ ପ୍ରବାହ ॥

ମନେ ସ୍ଥିରକଲେ କାଳୀ ଶିବଙ୍କୁ ମୋହିବେ ।

ଏଥିରେ ସଂଶୟ ନାହିଁ ଶିବ ମୋହହେବେ ॥

ବ୍ରହ୍ମାଙ୍କ ନିଃଶ୍ଵାସ ବାୟୁ ମଧ୍ୟରୁ ତକ୍ଷଣେ ।

ଜାତହେଲେ ମହାବଳ ନାନାରୂପ ଗଣେ ॥

ତାଙ୍କର ଜିହ୍ଵା ଚଞ୍ଚଳ ଲହ ଲହ ହୁଏ ।

କେହି ଅଶ୍ଵମୁଖ କେହି ଗଜମୁଖ ବହେ ॥

ସିଂହ ବ୍ୟାଘ୍ରମୁଖ କେହି ସ୍ୱ ବରାହ ମୁଖ ।

ଗଧ ଭାଲୁ ମାର୍ଜାର ମଦନ କେତେ ଦେଖ ॥

ଶରଭ ଶୁକ ମର୍କଟ ବକ ଶୃଗାଳସ୍ୟ ।

ସରୀସୃପ ସ୍ଵରୂପ ଗୋ ମୁଖ କେତେ ଦୃଶ୍ୟ ॥

ପକ୍ଷୀ ମୁଖ ଅତି ହ୍ରସ୍ଵ ଅତି ଦୀର୍ଘ କେହି ।

ପିଙ୍ଗଳ ବିରଳ ତିନି ଏକ ଆଖି ହୋଇ ॥

ମହୋଦର ଏକବର୍ଣ୍ଣ ତିନି ଚାରି କାନ ।

ସ୍ଥୂଳ ବଡ଼ ବହୁକାନ କେହି କାନ ହୀନ ॥

ଦୀର୍ଘ ଆଖି ମୋଟା ଆଖି ସୂକ୍ଷ୍ମନେତ୍ର କେହି ।

ଚାରିପାଦ ପାଞ୍ଚପାଦ ତ୍ରିପାଦ କେ ହୋଇ ॥

ଏକ ପାଦ ଛୋଟ ପାଦ ଦୀର୍ଘ ପାଦ କେତେ ।

ଏକ ଦୁଇ ତିନି ଚାରି ପାଞ୍ଚ ଛଅ ହାତେ ॥

ହସ୍ତହୀନ ବିରୂପାକ୍ଷ ଗୋଧାକୃତି କେତେ ।

ମନୁଷ୍ୟପରି କେତେତ ଶିଶୁ ମୋର ବକ୍ରେ ॥

କୌଞ୍ଚ ବକହଂସ ସାରସ ରୂପରେ କେତେ ।

ମଦ୍‌ଗୁକୁକୁର କଙ୍କ କାକମୁଖ ଦେଖନ୍ତେ ॥

ଅଧାନୀଳ ଅଧାରକ୍ତ ପିଙ୍ଗଳ କପିଳ ।

ଶୁକ୍ଳ ପୀତ ହରିତ ଚିତ୍ରିତ ପୁଣି ନୀଳ ॥

ଶଙ୍ଖ ପଟହ ମୃଦଙ୍ଗ ଡିଣ୍ଡିମ ବଜାନ୍ତି ।

ଗୋମୁଖ ପଣବ ଆଦି ବାଦ୍ୟ ପ୍ରହାରନ୍ତି ॥

ପିଙ୍ଗଳ ଜଟାଧାରୀ କେ ଭୟଙ୍କର ରୂପ ।

ଶୂଳପାଶ ଖଡ୍‌ଗ ଧନୁଧରି କରେ ଦର୍ପ ॥

ରଥଗାମୀ ହୋଇ ଶକ୍ତି ଅଙ୍କୁଶ ଧରନ୍ତି ।

ଗଦାବାଣ ପଟ୍ଟିଶ ପ୍ରାଶକୁ ଧରିଥାନ୍ତି ॥

ମହାବଳୀ ମହାଶବ୍ଦ କରନ୍ତି ଉଚ୍ଚରେ ।

ମାରକାଟ ବୋଲି କହି ବ୍ରହ୍ମାଙ୍କ ଆଗରେ ॥

ତାଙ୍କୁ ବ୍ରହ୍ମା ଦେବୀମାୟା ପ୍ରଭାବ କହନ୍ତି ।

ବ୍ରହ୍ମାଙ୍କୁ କହିଣ ତାଙ୍କ ଆଗେ ନାଚୁଥାନ୍ତି ॥

ସେ ଗଣଙ୍କ ଉଚ୍ଚଶବ୍ଦ ନିବାରଣ କରି ।

ବ୍ରହ୍ମାଙ୍କ ଆଗେ ଜଣାନ୍ତି ସେହି ଶମ୍ବରାରି ॥

ମଦନ ଉବାଚ

ହେ ପ୍ରଭୋ ଏମାନେ କି କି କାର୍ଯ୍ୟକୁ କରିବେ ।

କାହିଁ ରହି କି ନାମରେ ନାମିତ ହୋଇବେ ॥

ଏମାନଙ୍କ ନାମ ସ୍ଥାନ କାର୍ଯ୍ୟ ସମ୍ପାଦିଣ ।

ମୋ ଆଗେ ମହାମାୟାଙ୍କ ଗୁଣକୁ ବଖାଣ ॥

ମାର୍କଣ୍ଡେୟ ଉବାଚ

ତହୁଁ ଧାତା କାମବାକ୍ୟେ କହନ୍ତି ହେ ଶୁଣ ।

ଏ ଗଣଙ୍କ ନାମ ସ୍ଥାନ କାର୍ଯ୍ୟ ବିବରଣ ॥

ବ୍ରହ୍ମୋବାଚ

ଉତ୍ପନ୍ନ ମାତ୍ରକେ ମାର ଶବ୍ଦ କରିବାରୁ ।

ମାରଗଣ ବୋଲି ନାମ ଧରିବେ ଆଦ୍ୟରୁ ॥

ପ୍ରାଣୀଙ୍କ ବିଘ୍ନ କରିବେ ବିନା ପୂଜନରେ ।

ତୁମ୍ଭର ଅନୁଗାମୀ ହୋଇବେ ସଦାବେଳେ ॥

ଯେ ସ୍ଥାନକୁ ତୁମ୍ଭେ ଯିବ ଯେବେ କାର୍ଯ୍ୟପାଇଁ ।

ତୁମ୍ଭ ସଙ୍ଗେ ଥିବେ ସାହାଯ୍ୟ କରିବେ ରହି ॥

ତୁମ୍ଭବାଣେ ବଶ ହେବା ଜନଙ୍କ ମନରେ ।

ଭ୍ରାନ୍ତି ଜନ୍ମାଇ ଉନ୍ମାଦ କରାଇବେ ତାରେ ॥

ଯେତେ ସର୍ବେ ସାଂସାରିକ କର୍ମକୁ କରିବେ ।

ଏମାନେ ସେଠାରେ ନାନା ବିଘ୍ନ ଆଚରିବେ ॥

ସର୍ବତ୍ର ରହି ଏମାନେ ବେଗଗାମି ହେବେ ।

ଇଚ୍ଛାମତେ ରୂପମାନ ବଦଳାଇ ଦେବେ ॥

ପଞ୍ଚଯଜ୍ଞ ଅଂଶଭୋଗ କରିବେ ଏମାନେ ।

ଏମାନଙ୍କ ଅଧିପତି ହେବ ତୁମ୍ଭେ ଜଣେ ॥

ନିତ୍ୟକର୍ମ ରତଙ୍କର ଜଳକୁ ପିଇବେ ।

ଏ ଭାବରେ ରହି ତୁମ୍ଭ ସାହାଯ୍ୟ କରିବେ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମାଙ୍କ ମୁଖରୁ ନିଜ ନାମ କର୍ମ ସ୍ଥାନ ।

ଶୁଣି ସନ୍ତୋଷ ହେଲେ ସେ କ୍ଷଣେ ମାରଗଣ ॥

ସେମାନେ ତପସ୍ୱୀ ଊର୍ଦ୍ଧ୍ୱରେତା ଯେ ସନ୍ନ୍ୟାସୀ ।

ଭାର୍ଯ୍ୟା ପୁତ୍ର ନାହିଁ ତାଙ୍କ ନିର୍ଲୋଭୀ ସାହସୀ ॥

ସେମାନଙ୍କ ପ୍ରଭାବ ବର୍ଣ୍ଣିବା ଅସମ୍ଭବ ।

ତହୁଁ କାମକୁ କହନ୍ତି ସେ ପଦ୍ମ ସମ୍ଭବ ॥

ଯୋଗନିଦ୍ରାଙ୍କ ମହିଁମା ଅତି ଅଦ୍ଭୁତ ।

ରଜ ସତ୍ୱ ତମଗୁଣେ ଅଟନ୍ତି ଅବ୍ୟକ୍ତ ॥

ଯେ ବ୍ରହ୍ମଅଣ୍ଡକୁ ଦ୍ୱିଧା ବିଭାଗ କରନ୍ତି ।

ସେ ଯୋଗନିଦ୍ରା ବୋଲିଣ ସଂସାରେ କହନ୍ତି ॥

ମନ୍ତ୍ରଦ୍ଵାରା ଚିନ୍ତାକରି ପରମ ଆନନ୍ଦ ।

ଲଭନ୍ତି ଯୋଗୀମାନେ ସେ ଜଗନ୍ମୟୀ ଶୁଦ୍ଧ ॥

ଗର୍ଭସ୍ଥିତ ଜୀବଜ୍ଞାନ ସମ୍ପନ୍ନ ହୋଇଣ ।

ପ୍ରସୂତି ପବନଯୋଗେ ହୋଇଣ ଉତ୍ପନ୍ନ ॥

ଭୂମିଗତ ହୋଇ ଜ୍ଞାନ ରହିତ ହୁଅଇ ।

ସଂସାରଯୋଗେ ପୂର୍ବଜନ୍ମକୁ ବିସ୍ମରଇ ॥

ଆହାରାଦିରେ ମୋହିତ ଅଜ୍ଞାନ ହୁଅଇ ।

କ୍ରୋଧ ସ୍ନେହ ଲୋଭାଦିରେ ସଦା ବଶ ଥାଇ ॥

ପୁଣି ସ୍ତ୍ରୀ କାମରେ ବଶ ହୁଅଇ ଯୌବନେ ।

ନାନାବିପଦେ ପଡ଼ଇ ଯାହାଙ୍କ କାରଣେ ॥

ଆନନ୍ଦ ବିପଦଯୁକ୍ତ ପ୍ରାଣୀଙ୍କୁ କରନ୍ତି ।

ମହାମାୟା ଜଗଦୀଶ୍ଵରୀ ସେହି ଅଟନ୍ତି ॥

ଅହଂକାରାଦି ଅଶାନ୍ତ ସୃଷ୍ଟି ପ୍ରଦର୍ତ୍ତିକା ।

ଉତ୍ପନ୍ନା ସେ ନିତ୍ୟାଦେବୀ ପ୍ରଥମରେ ଏକା ॥

ବୀଜରୁ ଅଙ୍କୁର ପରି ମେଘୁଁ ଯଥା ଜଳ ।

ସେପରି ପ୍ରାଣୀଙ୍କୁ ଜାତ କରାନ୍ତି ସକଳ ॥

ସ୍ପଷ୍ଠିରୂପା ଶକ୍ତି ସେହି ସମସ୍ତଙ୍କ ଖ୍ୟାତି ।

କ୍ଷମାଶୀଳଙ୍କ କ୍ଷମା ପୁଣି ଦୟାବତୀ ॥

ସେ ନିତ୍ୟାନିତ୍ୟ ରୂପରେ ସଂସାର ଗର୍ଭରେ ।

ଜ୍ୟୋତିସ୍ଵରୂପେ ପ୍ରକାଶ ହୁଅନ୍ତି ତ୍ରିପୁରେ ॥

ଯୋଗୀଙ୍କର ମୁକ୍ତି ହେତୁ ବିଦ୍ୟାରୂପା ସେହି ।

ସଂସାରୀଙ୍କ ବନ୍ଧ ମୋକ୍ଷ ଫଳକୁ ସେ ଦେଇ ॥

କୃଷ୍ଣଙ୍କର ଲକ୍ଷ୍ମୀ ସେହି ମନୋହର ବେଶା ।

ବେଦତ୍ରୟରୂପେ ମୋର କଣ୍ଠେ କରେ ବସା ॥

ସର୍ବତ୍ର ଅଛନ୍ତି ସର୍ବଗାମିନୀ ସେ ନିତ୍ୟ ।

ସର୍ବରୂପା ପରାଶକ୍ତି ଅତୀବ ବିଚିତ୍ରା ॥

କୃଷ୍ଣାଦିଙ୍କ ମୋହକର୍ତ୍ତ୍ରୀ ସ୍ତ୍ରୀ ରୂପେ ଜନଙ୍କୁ ।

ମୋହନ୍ତି ପ୍ରଭାକର ଚିନ୍ତଇ ସେ ପଦକୁ ॥

 

ଇତି ଶ୍ରୀ କାଳିକାପୁରାଣେ ଷଷ୍ଠୋଽଧ୍ୟାୟଃ ।

✽✽✽

 

॥ ୭ ॥

 

ମାର୍କଣ୍ଡେୟ ଉବାଚ

ଅନନ୍ତର ବ୍ରହ୍ମା ମହାମାୟା ସ୍ଵରୂପକୁ ।

କହିଣ ମଦନ ଆଗେ ହର ମୋହିବାକୁ ॥

ବିଷ୍ଣୁମାୟା ଏକା ଶକ୍ତା ସେ ପୁଣି ହରଙ୍କ ।

ବିବାହ ଉଦଯୋଗ କରିବାକୁ ସେ ଉତ୍ସୁକ ॥

ଦକ୍ଷକୁଳେ ଜନ୍ମ ଲଭି ଶମ୍ଭୁଙ୍କର ପତ୍ନୀ ।

ହେବେ ସଂଶୟ ନକର ସେନିତ୍ୟା ଭବାନୀ ॥

ତୁମ୍ଭ ନିଜଗଣ ରତି ବସନ୍ତ ସହିତ ।

ହର ବିବାହରେ ଯତ୍ନ କର ଅବିରତ ॥

ଶିବ ବିବାହରେ ଆମ୍ଭେ କୃତକୃତ୍ୟ ହେବୁ ।

ଏ ସୃଷ୍ଟି ଅବିଚ୍ଛିନ୍ନ ହୋଇବ ଏହା ଭାବୁ ॥

ମାର୍କଣ୍ଡେୟ ଉବାଚ

ସେପରି ହେଉ ବୋଲିଣ କହି ମନୋଭବ ।

ଶିବ ମୋହେ ଯତ୍ନକଥା ଶୁଣ ଏବେ ଦେବ ॥

ମଦନ ଉବାଚ

ପ୍ରତ୍ୟକ୍ଷରେ ପରୋକ୍ଷରେ ଯତ୍ନ ମୁଁ କରିବି ।

ଜିତେନ୍ଦ୍ରିୟ ଶିବ ଯେତେ ଯୋଗେଥିବେ ଭାବି ॥

ସେ ବେଳେ ଶୀତଳ ସୁଗନ୍ଧିବାୟୁ ବହିବ ।

ଶିବଙ୍କ ମନ ତହିଁରେ ଚଞ୍ଚଳ ହୋଇବ ॥

ମୁଁ ପୁଷ୍ପଧନୁଶରକୁ ଯୋଖି ସେହିକାଳେ ।

ତାଙ୍କ ନିକଟେ ଭ୍ରମଣ କରିବି ସତ୍ଵରେ ॥

ଶିବଗଣଙ୍କୁ ମୋହିତ କରିବି ପ୍ରଥମେ ।

ଭାବ ହାବରେ ତାହାଙ୍କ ମନ ନେବି ଭ୍ରମେ ॥

ମୁଁ ନିକଟେ ଥିଲେ ଶିବଗଣ ଭ୍ରମିଯିବେ ।

ମିଥୁନ ଭାବକୁ ସର୍ବେ କାମନା କରିବେ ॥

ଶିବ ମଧ୍ୟ ବୃକ୍ଷସହ ବିକୃତି ଭଜିବେ ।

ଯୋଗତେଜି ବ୍ରହ୍ମପ୍ରସ୍ଥ ସ୍ଥାନକୁ ଲଭିବେ ॥

ମୁଁ ମଧ୍ୟ ରତି ବସନ୍ତ ସହିତରେ ଯିବି ।

ଯହିଁଯିବେ ଶିବ ତହିଁ ମୁହିଁ ପ୍ରବେଶିବି ॥

ତାଙ୍କ ଆଗେ ଚକ୍ରବାକ ମିଥୁନ ଦେଖାଇ ।

ହାବଭାବେ ଶିବ ମନ ଦେବି ମୁଁ ଖେଳାଇ ॥

ହାବଭାବେ ଦାମ୍ପତ୍ୟ ସ୍ନେହକୁ ଦେଖାଇବି ।

ଆଗେ ମୟୂର ମୟୂରୀଗଣ ନଚାଇବି ॥

ମୃଗ ପକ୍ଷୀମାନଙ୍କୁ ସ୍ତ୍ରୀ ସଂଯୋଗ କରାଇ ।

ଦେଖାଇଲେ ଶିବ ମନ ବିକୃତ ହେବଇଁ ॥

ସେ ବେଳେ ମୋ ଫୁଲଶର ନିକ୍ଷେପିବି ଶିବେ ।

କିନ୍ତୁ ନାରୀ ଅଭାବରୁ ବିକଳ ସେ ହେବେ ॥

ସେକାଳେ ବସନ୍ତ ନିଜ କାର୍ଯ୍ୟ ଦେଖାଇବ ।

ଚମ୍ପା ନାଗେଶ୍ଵର ଆମ୍ବପୁଷ୍ପ ଫୁଟାଇବ ॥

ପୁନ୍ନାଗ କିଂଶୁକ କେତକୀ ମାଧବୀ ମଲ୍ଲୀ ।

କୁରୁବକ ଆଦି ପୁଷ୍ପ ଫୁଟିବ ଦୋହଲି ॥

ପ୍ରସ୍ଫୁଟିତ ପଦ୍ମେ ଶୋଭା ଦିଶିବ ସରସୀ ।

ମଳୟବନେ ଚହଲିବ ହସି ହସି ॥

ଶିବ ତପୋବନ ଅତି ମନୋରମ ହେବ ।

ଲତାଗଣେ ଫୁଲ ଫୁଟି ବୃକ୍ଷରେ ବେଢ଼ିବ ॥

ବୃକ୍ଷଲତା ପୁଷ୍ପଯୁତ ସୁଗନ୍ଧୀ ସମୀର ।

ଜିତେନ୍ଦ୍ରିୟ ମୁନି ମନ କରିବ ବିକାର ॥

ଶିବଗଣେ ମୋହ ହେବେ ସିଦ୍ଧ ଯୋଗୀସହ ।

ସ୍ତ୍ରୀ ଅଭାବେ ଶିବ ମନ ନହୋଇବ ମୋହ ॥

ଏଣୁ ହତୋତ୍ସାହ ମୁହିଁ ହରଙ୍କ ମୋହନେ ।

ଦେବୀମାହାତ୍ମ୍ୟ ଶୁଣି ମୁଁ କୃତକାର୍ଯ୍ୟ ମଣେ ॥

ତୁମ୍ଭେ ଯତ୍ନକର ଦେବୀ ଜନ୍ମ ବିଷୟରେ ।

ତେବେ କାର୍ଯ୍ୟ ସିଦ୍ଧ ହେବ ହରମୋହନରେ ॥

ଯମ ନିୟମ ପ୍ରାଣାୟାମ ଧାରଣା ଧ୍ୟାନ ।

ଆସନ୍ନ ପ୍ରତ୍ୟାହାର ସର୍ବଟି ଅକାରଣ ॥

ଏହି ମାରଗଣେ ନାରୀ ବିନା କି କରିବେ ।

ତେବେ ହର ତପୋ ବିଘ୍ନେ ସହାୟକ ହେବେ ॥

 

କେବଳ ନାରୀ ଶିବ ନିକଟବର୍ତ୍ତୀ ହେଲେ ।

କାର୍ଯ୍ୟସିଦ୍ଧି ହେବ ଗୀତେ ପ୍ରଭାକର ବୋଲେ ॥

 

ଇତି ଶ୍ରୀ କାଳିକାପୁରାଣେ ସପ୍ତମୋଽଧ୍ୟାୟଃ ।

✽✽✽

 

॥ ୮ ॥

 

ମାର୍କଣ୍ଡେୟ ଉବାଚ

ପୁଣି ବ୍ରହ୍ମା ମଦନଙ୍କୁ କହନ୍ତି ସଧୀରେ ।

ଯୋଗମାୟାଙ୍କ ଆଦେଶ ସ୍ଥିର ଜାଣିବାରେ ॥

ବ୍ରହ୍ମୋବାଚ

ଯୋଗମାୟା ଶମ୍ଭୁପତ୍ନୀ ହୋଇବେ ନିଶ୍ଚୟ ।

ଶକ୍ତିକ୍ରମେ ତୁମ୍ଭେ ତାଙ୍କର ହୁଅ ସହାୟ ॥

ଯେ ସ୍ଥାନେ ଶିବ ଅଛନ୍ତି ସେ ସ୍ଥାନକୁ ଯାଅ ।

ନିଜଗଣ ସହ ବସନ୍ତଙ୍କୁ ସଙ୍ଗେ ନିଅ ॥

ଅହୋରାତ୍ର ମଧ୍ୟ ଏକ ଭାଗ ଜଗତରେ ।

ବାକି ତିନିଭାଗ କାଟ ଶିବ ନିକଟରେ ॥

ମାର୍କଣ୍ଡେୟ ଉବାଚ

ଏତେ କହି ପିତାମହ ଅନ୍ତର୍ହିତ ହେଲେ ।

ମଦନ ସ୍ଵଗଣ ସହ ହରପାଶେ ଗଲେ ॥

ଏଣେ ଦକ୍ଷ ଚିରଳାଳ ତପେ ରତ ହୋଇ ।

କଠୋର ନିୟମେ ଦେବୀ ଆରାଧନ୍ତି ତହିଁ ॥

ତପୋରତ ଦକ୍ଷଙ୍କର ନିକଟରେ ଶିବା ।

ଆବିର୍ଭାବ ହୋଇ ଦକ୍ଷଆଗେ ହେଲେ ଉଭା ॥

ତାଙ୍କୁ ଦେଖି କୃତକୃତ୍ୟ ହେଲେ ଦକ୍ଷଦେବ ।

ମଣିଲେ ତପସ୍ୟା ଫଳ ପାଇଲି ମୁଁ ସର୍ବ ॥

ସିଂହସ୍ଥିତା କୃଷ୍ଣବର୍ଣ୍ଣା ପୀନୋତ୍ତୁଙ୍ଗ ସ୍ତନୀ ।

ଚତୁର୍ଭୁଜା ନୀଳୋତ୍ପଳ ଧରା ସୁବଦନୀ ॥

ଅଭୟବର ଦାୟିନୀ କରେ ଖଡ୍‍ଗ ଶୋହେ ।

ଆରକ୍ତ ନୟନା ମୁକୁଳିତ କେଶ ଦେହେ ॥

ମହାମାୟାଙ୍କୁ ଦେଖିଣ ଦକ୍ଷ ପ୍ରଜାପତି ।

ଆନନ୍ଦେ ନମ୍ରହୋଇଣ କଲେ ତାଙ୍କୁ ସ୍ତୁତି ॥

ଦକ୍ଷ ଉବାଚ

ଆନନ୍ଦମୟୀ ଜଗତ ଆନନ୍ଦ ଦାୟିନୀ ।

ସୃଷ୍ଟି ସ୍ଥିତି ଅନ୍ତରୂପା ଲକ୍ଷ୍ମୀ ସନାତନୀ ॥

ସତ୍ଵଗୁଣେ ବିଷ୍ଣୁଗୁଣ ପ୍ରକାଶ କାରିଣୀ ।

ରଜୋଗୁଣେ ବ୍ରହ୍ମଗୁଣ ସୃଷ୍ଟି ବିଧାୟିନୀ ॥

ତମୋଗୁଣେ ମୋହ ପ୍ରକାଶ କର ଜଗତେ ।

ମୋହେ ଆଚ୍ଛାଦିଛ ସର୍ବ ଅନ୍ଧକାର ମତେ ॥

ପରା ପରାତ୍ମିକା ଶୁଦ୍ଧା ଲୋକ ବିମୋହିନୀ ।

ତ୍ରିରୂପା ବେଦତ୍ରୟର କର୍ତ୍ତ୍ରୀମା ଭବାନୀ ॥

ବିଷ୍ଣୁ ଯେଉଁ ଲକ୍ଷ୍ମୀରୂପେ ମୋହିତ ହୁଅନ୍ତି ।

ସେ ତୁମ୍ଭରି ରୂପ ସଂସାରହିତେ ରହନ୍ତି ॥

ମହାନୁଭାବା ବିଶ୍ଵଶନ୍ତି ଅପରାଜିତା ।

ଊର୍ଦ୍ଧ୍ୱଅଧ ନିରୋଧରେ ବାୟୁରେ ବ୍ୟଜିତା ॥

ସାତ୍ତ୍ଵିକ ଭାବର ଜ୍ୟୋତିଃସ୍ଵରୂପା ଗୋ ତୁମ୍ଭେ ।

ଯୋଗୀଙ୍କର ନିର୍ମଳ ନିଷ୍କଳଜ୍ଞାନ ଆମ୍ଭେ ॥

ଯୋଗତତ୍ତ୍ଵକୁ ଜାଣ ଗୋ କୂଟସ୍ଥାନବାସୀ ।

ନିସ୍ପୃପଞ୍ଚା ପ୍ରପଞ୍ଚା ତୁମ୍ଭେ ଗୋ ସର୍ବଗ୍ରାସୀ ॥

ବିଦ୍ୟା ଅବିଦ୍ୟା ସ୍ଵରୂପା ଆଶ୍ରୟା ସର୍ବର ।

ନିରାଶ୍ରୟା ପୁଣି ତୁମ୍ଭେ ଜଗତ ମଧ୍ୟର ॥

ଆଦିଶକ୍ତି ଈଶ୍ଵରୀ ଗୋ ବ୍ରହ୍ମକଣ୍ଠାଳୟା ।

ଶୁଦ୍ଧା ବଚନରୂପା ଗୋ ଗୀତି ବେଦମୟା ॥

ବେଦ ପ୍ରକାଶିକା ତୁମ୍ଭେ ବିଶ୍ଵ ପ୍ରକାଶିନୀ ।

ତୁମ୍ଭେ ଅଗ୍ନିସ୍ଵାହା ସ୍ଵଧା ପିତୃଙ୍କ ତୋଷିଣୀ ॥

ଆକାଶରୂପିଣୀ ଦିଗ ସ୍ଵରୂପା ଗୋ ତୁମ୍ଭେ ।

କାଳରୂପା ଅଚିନ୍ତ୍ୟା ଅବକ୍ତ୍ୟା ଜାଣୁ ଆମ୍ଭେ ॥

କାଳରାତ୍ରି ଶାନ୍ତା ତୁମ୍ଭେ ପରାମ ପ୍ରକୃତି ।

ସଂସାର ଲୋକଙ୍କ ହିତ ପାଇଁ ତୁମ୍ଭ ମୂର୍ତ୍ତି ॥

ଧାତା ଆଦି ନଜାଣନ୍ତି ତୁମ୍ଭର ତତ୍ତ୍ୱକୁ ।

ଅନ୍ୟ କେ ବର୍ଣ୍ଣିବ ତୁମ୍ଭ ମହିମାର୍ଣ୍ଣବକୁ ॥

ହେ ଅମ୍ବ ଯୋଗସ୍ଵରୂପିଣୀ ପ୍ରସନ୍ନା ହୁଅ ।

ଘୋରରୂପା ଜଗନ୍ମୟୀ ନମସ୍କାର ନିଅ ॥

 

 

ମାର୍କଣ୍ଡେୟ ଉବାଚ

ପ୍ରଯତାତ୍ମା ଦକ୍ଷ ଏହିପରି ସ୍ତୁତି କଲେ ।

ତାହାଙ୍କ ଇପ୍ସିତ ଜାଣି ଭବାନୀ କହିଲେ ॥

ଭଗବତ୍ୟୁବାଚ

ତୁମ୍ଭ ଭକ୍ତିବଳେ ମୁହିଁ ସନ୍ତୋଷ ଲଭିଲି ।

ଅଭିଷ୍ଟ ବରକୁ ମାଗ ଦେବି ସତ୍ୟ କଲି ॥

ତୁମ୍ଭ ନିୟମ ତପସ୍ୟା ସ୍ତୁତି ଭକ୍ତି ବଳେ ।

ଅତି ପ୍ରସନ୍ନା ହେଲି ମୁଁ ବର ମାଗ ହେଳେ ॥

ଦକ୍ଷ ଉବାଚ

ଜଗନ୍ମୟୀ ମହାମାୟେ ଯଦି ବର ଦେବ ।

ମୋ କନ୍ୟାରୂପେ ଜନ୍ମିଣ ହର ଜାୟା ହେବ ॥

ମୋହର ଏ ଅଭିଳାଷ ନୁହେଁ ଏକା ଜାଣ ।

ହର ବିଷ୍ଣୁ ଦ୍ରହ୍ମାଙ୍କର କାମନା ଏ ପୁଣ ॥

ଦେବ୍ୟୁବାଚ

ତୁମ୍ଭ ଜାୟା ଗର୍ଭେ ସୁତା ରୂପେ ଜାତ ହେବି ।

ହରଙ୍କର ଭାର୍ଯ୍ୟା ହୋଇ ତାହାଙ୍କୁ ମୋହିବି ॥

ଯେବେ ତୁମ୍ଭେ ମୋହଠାରେ ଅଶ୍ରଦ୍ଧା କରିବ ।

ସେକାଳେ ମୁଁ ଦେହତ୍ୟାଗ କରିବି ଜାଣିବ ॥

ଏହି ବର ଦେଲି ତୁମ୍ଭଙ୍କୁ ଆନନ୍ଦ ଲାଭ ।

ତପସ୍ୟାରୁ ବିରତ ହୁଅ ହେ ଦକ୍ଷ ଦେବ ॥

ପ୍ରତି ଅବତାରେ ମୁହିଁ ହର ଜାୟା ହେବି ।

ନାନାରୂପ ଧରି ଶିବ ମନକୁ ମୋହିବି ॥

ମାର୍କଣ୍ଡେୟ ଉବାଚ

ଦକ୍ଷଙ୍କୁ ଏତେକ କହି ଦେବୀ ଭଗବତୀ ।

ଅନ୍ତର୍ଦ୍ଧାନେ ଗଲେ ଦକ୍ଷ ଚଳିଲେ ବସତି ॥

ମନ ଆନନ୍ଦରେ ବିନା ସ୍ତ୍ରୀ ସଙ୍ଗରେ ଦକ୍ଷ ।

ମାନସିକ ସଂକଳ୍ପରେ ହେଲେ ପ୍ରଜାଧ୍ୟକ୍ଷ ॥

ମାନସରୁ ଯେଉଁ ପୁତ୍ରଗଣ ଜାତ ହେଲେ ।

ନାରଦ ଉପଦେଶରେ ପୃଥ୍ୱୀରେ ଭ୍ରମିଲେ ॥

ବାରମ୍ବାର ବହୁପୁତ୍ର ଦକ୍ଷଙ୍କ ମନରୁ ।

ଜନମି ପୃଥ୍ୱୀରେ ଭ୍ରମିଲେ ସେ ଅତି ଚାରୁ ॥

ପୃଥିବୀରେ ସ୍ପୃଷ୍ଟିକର୍ତ୍ତା ବୋଲି ଖ୍ୟାତ ହେଲେ ।

ନାରଦ ବାକ୍ୟରେ ପୃଥ୍ୱୀ ଭ୍ରମିଣ ଦେଖିଲେ ॥

ଅଦ୍ୟାପି ଭ୍ରମନ୍ତି ପୃଥିବୀରେ ଦକ୍ଷସୁତେ ।

ତହୁଁ ଦକ୍ଷ ମୈଥୁନ ସମ୍ଭବ ସୁତ ଅର୍ଥେ ॥

ବୀରଣ ତନୟା ବୀରଣୀଙ୍କୁ ବିଭାହେଲେ ।

ଅସଂନ୍ନୀ ନାମରେ ସେହି ଖ୍ୟାତିକୁ ଲଭିଲେ ॥

ତାହାଙ୍କ ପ୍ରଥମଗର୍ଭେ କନ୍ୟାଏ ଜନ୍ମିଲେ ।

ସେହି ଯୋଗମାୟାରୂପେ ଦକ୍ଷକନ୍ୟା ହେଲେ ॥

କନ୍ୟାଜାତ ମାତ୍ରେ ଦକ୍ଷ ହୋଇଲେ ଆନନ୍ଦ ।

ତେଜୀୟସୀ ଦେଖି ମଣିଲେ ଏ ଦେବୀ ସଦ୍ୟ ॥

ଆକାଶୁ କୁସୁମ ବୃଷ୍ଟି ମେଘ ଜଳ ବୃଷ୍ଟି ।

ଦିଗ ନିର୍ମଳ ଦିଶିଲା ବାଜେ ବାଦ୍ୟ ତତି ॥

ଅଗ୍ନି ଶାନ୍ତିରେ ଜଳିଲେ ସୁଶୀତଳ ବାତ ।

ବହି କଲା ସମସ୍ତଙ୍କ ମନକୁ ଉଷତ ॥

ବୀରଣୀ ନିକଟେ ଦକ୍ଷ କନ୍ୟାକୁ ଦେଖିଣ ।

ବିଷ୍ଣୁମାୟା ବୋଲି ତୋଷ ଲଭିଲେ ତକ୍ଷଣ ॥

ଦକ୍ଷ ଉବାଚ

ଶିବା ଶାନ୍ତ ମହାମାୟା ଯୋଗନିଦ୍ରା ଦେବୀ ।

ବିଷ୍ଣୁମାୟା ସନାତନୀ ନମଇଁ ମୁଁ ଭୁବି ॥

ଯେ ଧାତାଙ୍କୁ ସୃଷ୍ଟିକାର୍ଯ୍ୟେ ନିଯୁକ୍ତ କରିଛ ।

ବିଷ୍ଣୁଙ୍କୁ ପାଳନ କର୍ମେ ତୁମ୍ଭେ ନିଯୋଗିଛ ॥

ଶିବଙ୍କୁ ସଂହାର କର୍ମେ ନିଯୋଗିଛ ମାତଃ ।

ନମସ୍କାର କରୁଅଛି ତୁମ୍ଭ ପାଦଗତ ॥

ଅବିକୃତା ଶୁଦ୍ଧା ଅପ୍ରମେୟା ପ୍ରଭାବତୀ ।

ପ୍ରମାଣ ପ୍ରମେୟରୂପା ନମେ ପାଦ କତି ॥

ବିଦ୍ୟା ଅବିଦ୍ୟାରୂପା ତୁମ୍ଭଙ୍କୁ ଯେ ସ୍ମରେ ।

ଭୋଗସ୍ଵର୍ଗ ମୁକ୍ତି ତା’ର ମିଳେ କରତଳେ ।

ଯେ ଜନ ତୁମ୍ଭଙ୍କୁ ବାରେ କରଇ ଦର୍ଶନ ।

ତାର ମୁକ୍ତି ସୁନିଶ୍ଚିତ ନାହିଁ ଏଥେଁ ଭିନ୍ନ ॥

ଯୋଗନିଦ୍ରା ମହାବିଷ୍ଣୁମାୟା ଜଗନ୍ମୟୀ ।

ପ୍ରମାଣରୂପା ଚେତନା ସକଳର ତୁହି ॥

ଭବାନୀ ଅମ୍ବିକା ନାମ ଯେଜନ ଜପନ୍ତି ।

ଶୋକ ଦୁଃଖନାଶି ସର୍ବ ସମ୍ପତ୍ତି ଲଭନ୍ତି ॥

ମାର୍କଣ୍ଡେୟ ଉବାଚ

ଦକ୍ଷସ୍ତୁତି ଶୁଣି ଦେବୀ କହିଲେ ସଧୀରେ ।

ନିକଟରେ ଥାଇ ମାତା ଶୁଣି ନପାରିଲେ ॥

ସମସ୍ତଙ୍କୁ ମୋହକରି ଦକ୍ଷଙ୍କୁ ଶୁଣାନ୍ତି ।

ମାୟାବଳେ କେହି ନଶୁଣିଲେ ତାଙ୍କ ଉକ୍ତି ॥

ଦେବ୍ୟୁବାଚ

ପୂର୍ବେ ତୁମ୍ଭେ ବହୁକଷ୍ଟେ ଆରାଧିଛ ମୋତେ ।

ତେଣୁ ସନ୍ତୋଷେ ଜନ୍ମିଲି ତୁମ୍ଭ ଭାଗ୍ୟମତେ ॥

ମାର୍କଣ୍ଡେୟ ଉବାଚ

ଏହା କହି ମାୟାବଳେ ଶିଶୁଭାବ ଧରି ।

ମାତା କୋଳେ ରହି କାନ୍ଦିଲେ ସେ ପାଟିକରି ॥

ତହୁଁ ବୀରଣୀମାତା ତାଙ୍କୁ ସଂସ୍କାରି କରି ।

ଶିଶୁପାଳନ ବିଧିରେ କ୍ଷୀର ଦେଲେ ଭରି ॥

ଦକ୍ଷ ବୀରଣୀ ଦୁହିଙ୍କ ବିଶେଷ ଯତ୍ନରେ ।

ଶୁକ୍ଳପକ୍ଷ ଶଶିପରି ବଢ଼ିଲେ ସେ ଖରେ ॥

ସର୍ବଶ୍ରେଷ୍ଠ ଗୁଣମାନ ତାଙ୍କୁ ଆବୋରିଲେ ।

ଶିଶୁଚନ୍ଦ୍ରେ କଳା ପରି ପ୍ରବେଶିଲେ ବଳେ ॥

ସେ ଦେବୀ ନିଜ ଇଚ୍ଛାରେ ସଖୀଙ୍କ ସଙ୍ଗରେ ।

ବିହରିଶିବଙ୍କ ରୂପ ଲେଖନ୍ତି ମହୀରେ ॥

ବାଳୋଚିତ ଗୀତ ଗାନ କରନ୍ତି ଯେ କାଳେ ।

ଉଗ୍ରସ୍ଥାଣୁ ହର ରୁଦ୍ର ସ୍ମରନ୍ତି ମନରେ ॥

ଦକ୍ଷ ତାଙ୍କ ନାମ ସତୀବୋଲି ଉଚ୍ଚାରିଲେ ।

ସର୍ବଗୁଣ ସତ୍ୱ ହେଦୁ ସତୀ ନାମ ଦେଲେ ॥

ଦକ୍ଷ ବୀରିଣୀ ଦୁହିଙ୍କ ମୂର୍ତ୍ତିମତୀ ଦୟା ।

ବାଲ୍ୟକାଳୁଁ ଶିବେଭକ୍ତି ଜନ୍ମେ ତାଙ୍କ କାୟା ॥

ସର୍ବ ମନୋହର ଗୁଣ ଶୋଭେ ତାଙ୍କଠାରେ ।

ନ୍ୟାୟପରାୟଣା ବୋଲି ଖ୍ୟାତିକୁ ଲଭିଲେ ॥

ମାତାପିତା ତୋଷ ହେଲେ ତାଙ୍କ ରୂପ ଦେଖି ।

ପିତାପାଶେ ଥିଲେ ଦିନେ ମିଳି ଅଷ୍ଟ ଆଖି ॥

ନାରଦ ସହିତ ଆସି ପ୍ରବେଶ ହୋଇଲେ ।

ପୃଥିବୀରେ ରତ୍ନ ସମ ସତୀଙ୍କୁ ଦେଖିଲେ ॥

ସତୀ ସେ ଦୁହିଁଙ୍କୁ ଦେଖି ହେଲେ ଆନନ୍ଦିତା ।

ବିନୟେ ପ୍ରମାଣ କଲେ ହୋଇ ଯୋଡ଼ହସ୍ତା ॥

ବ୍ରହ୍ମା ନାରଦଙ୍କ ସହ ଆଶୀର୍ବାଦ କଲେ ।

ହରଙ୍କୁ ପତିରୂପରେ ପାଅ ଗୋ ବୋରଲେ ॥

ଯେ ଶିବ ଅନ୍ୟନାରୀ ଗ୍ରହଣ କରନ୍ତି ।

ଅନନ୍ୟ ପତ୍ନୀକା ହୁଅ ଆଗୋ ମାତା ସତୀ ॥

ଏତେ କହି କିଛିକାଳ ରହି ଦକ୍ଷାଶ୍ରମେ ।

ବିଦାୟ ହୋଇ ଗମିଲେ ପ୍ରଭାକର ଭଣେ ॥

 

ଇତି ଶ୍ରୀ କାଳିକାପୁରାଣେ ଅଷ୍ଟମୋଽଧ୍ୟାୟଃ ।

✽✽✽

 

॥ ୯ ॥

 

ମାର୍କଣ୍ଡେୟ ଉବାଚ

ସେ ସତୀ ଶୈଶବକାଳ ଅତିକ୍ରମ କରି ।

ରୁଚିର ଯୌବନେ ପ୍ରବେଶିଲେ ଶାକମ୍ବରୀ ॥

ଦକ୍ଷ ପ୍ରଜାପତି ଦେଖି କନ୍ୟାର ଅବସ୍ଥା ।

କିପରି ଶିବଙ୍କୁ ଦେବି ମନେକଲେ ଚିନ୍ତା ॥

ସେ ସତୀ ସ୍ଵଇଚ୍ଛାରେ ଶିବଙ୍କୁ ଲଭିବାକୁ ।

ମାତା ଆଦେଶରେ ଘରେ ପୂଜିଲେ ଶିବଙ୍କୁ ॥

ଆଶ୍ୱିନେ ନନ୍ଦା ତିଥିରେ ଗୁଡ଼ାନ୍ନ ଲବଣେ ।

ଶିବଙ୍କୁ ପୂଜି ନମିଲେ ବହୁବାର ମନେ ॥

କାର୍ତ୍ତିକ ଚତୁର୍ଦ୍ଦଶୀରେ ପିଷ୍ଟକ ପାୟସେ ।

ଶିବପୂଜି ଆରାଧନା କଲେ ସର୍ବ ଶେଷେ ॥

ମାର୍ଗଶୀର କୃଷ୍ଣାଷ୍ଟମୀ ଦିନ ଯବାନ୍ନରେ ।

ହରଙ୍କୁ ପୂଜିଣ ଦିନ କାଟିଲେ ସୁଖରେ ॥

ପୌଷ କୃଷ୍ଣ ସପ୍ତମୀରେ ନିଶି ଜାଗରଣ ।

କରି ପ୍ରାତଃକାଳେ ପୂଜାକଲେ ସେ ଈଶାନ ॥

ମାଘପୁର୍ଣ୍ଣମୀରେ ନିଶି ଉଜାଗର ରହି ।

ଆର୍ଦ୍ରବସ୍ତ୍ରେ ନଦୀତୀରେ ଶିବ ପୂଜେ ଯାଇ ॥

ନାନାବିଧ କାଳୋଚିତ ଫଳ ପୁଷ୍ପ ଦ୍ଵାରା ।

ଫାଲ୍‌ଗୁନ ମାସରେ ଶିବ ପୂଜିଲେ ସେ ତ୍ଵରା ॥

କୃଷ୍ଣ ଚତୁର୍ଦ୍ଦଶୀ ରାତି ଜାଗରଣ କରି ।

ବିଲ୍ଵପତ୍ରେ ଶିବଙ୍କୁ ପୂଜିଲେ ମନେ ସ୍ମରି ॥

ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ପଳାଶ ପୁଷ୍ପେ ।

ଅହୋରାତ୍ର ଶିବପୂଜା କଲେ ମନତୋଷେ ॥

ବୈଶାଖ ଶୁକ୍ଳ ତୃତୀୟା ଦିନ ଯବାନ୍ନରେ ।

ଗବ୍ୟଦୁଗ୍‌ଧ ଦଦ୍ଧାଦିରେ ପୂଜିଲେ ଶଙ୍କରେ ॥

ଉପବାସେ ରହି ଶିବଙ୍କୁ ସେ ଧ୍ୟାନକଲେ ।

ଜ୍ୟେଷ୍ଠପୂର୍ଣ୍ଣିମା ରାତିରେ ଶଙ୍କର ପୂଜିଲେ ॥

ଦିବ୍ୟବସ୍ତ୍ରେ ବୃହତୀପୁଷ୍ପରେ ପୂଜାକଲେ ।

ନିରାହାରା ହୋଇ ଜ୍ୟେଷ୍ଠମାସ କଟାଇଲେ ॥

ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀରେ ଶିବ ପୂଜା ।

ବୃହତୀ ପୁଷ୍ପରେ କରି ତ୍ୟାଗ କଲେ ଲଜ୍ଜା ॥

ଶ୍ରାବଣ ଶୁକ୍ଳ ଅଷ୍ଟମା ଚତୁର୍ଦ୍ଦଶୀ ଦିନ ।

ଯଜ୍ଞୋପବୀତ ବସ୍ତ୍ରରେ ପୂଜିଲେ ଈଶାନ ॥

ଭାଦ୍ର କୃଷ୍ଣ ତ୍ରୟୋଦଶୀ ଦିନ ପୁଷ୍ପ ଫଳେ ।

ଶିବପୂଜି ପରଦିନ ଫଳକୁ ଭୁଞ୍ଚଲେ ॥

ଏ ଭାବରେ ଏକ ବର୍ଷ ଶିବଙ୍କୁ ପୂଜନ୍ତି ।

ସାବିତ୍ରୀ ସହିତ ବ୍ରହ୍ମା ଶିବପାଶେ ଯାନ୍ତି ॥

ଲକ୍ଷ୍ମୀସହ ହରି ଗଲେ ଶିବଙ୍କ ନିକଟେ ।

ସେ ସମୟେ ହର ଥିଲେ ହିମାଳୟ ତଟେ ॥

ଦ୍ରହ୍ମା ହରି ସ୍ତ୍ରୀ ସହିତ ଦେଖି ମହାଦେବ ।

ଉଚିତ ସତ୍କାର କରି କହନ୍ତି ସେ ଶିବ ॥

ଆସିବା କାରଣ ପଚାରନ୍ତି ଶ୍ରଦ୍ଧା କରି ।

ସସ୍ତ୍ରୀକ ତାଙ୍କୁ ଦେଖି ବିବାହେ ଶ୍ରଦ୍ଧା ଭାରି ॥

ବିଷ୍ଣୁ ଆଦେଶରେ ବ୍ରହ୍ମା ଶିବଙ୍କୁ କହନ୍ତି ।

ଯହିଁପାଇଁ ଆସିଅଛୁଁ ଶୁଣ ସେ ବଦତି ॥

ବ୍ରହ୍ମୋବାଚ

ଆସିବା କାରଣ ଶୁଣ ଦେବଙ୍କ ହିତରେ ।

ବିଶେଷତଃ ଜଗତର ମଙ୍ଗଳ କାମରେ ॥

ଜଗତର ସୃଷ୍ଟିସ୍ଥିତି ସଂହାର କର୍ମରେ ।

ଆମ୍ଭେ ତିନିଜଣ କର୍ତ୍ତା ଜାଣ ତୁମ୍ଭେ ଧୀରେ ॥

ଆମ୍ଭ ତିନିଙ୍କର ପରସ୍ପର ସହାୟତା ।

ସୃଷ୍ଟି ସ୍ଥିତି ସଂହାର କର୍ମରେ ଯେ ଦକ୍ଷତା ॥

କେତେଦୁଷ୍ଟ ମୋ ହାତରେ କେତେ ତୁମ୍ଭ ହାତେ ।

କେତେ ବିଷ୍ଣୁ ହସ୍ତେ ବଧ ହେବେ ଯେ ନିୟତେ ॥

ତୁମ୍ଭେ ସଦା ଯଦି ଯୋଗସାଧନ କରିବ ।

ତୁମ୍ଭ ବିନା ଦୁଷ୍ଟଙ୍କୁ କେ ପ୍ରାଣେ ସଂହାରିବ ॥

ତୁମ୍ଭର ସଂହାର କର୍ମ ନୋହିବ ସଫଳ ।

ଦୁଷ୍ଟଲୋକେ ଜଗତରେ ହୋଇବେ ପ୍ରବଳ ॥

ଆମ୍ଭେ ତିନିହେଁ ଯେ ଏକ ରୂପ ଜାଣ ସଦା ।

କାର୍ଯ୍ୟଭେଦ ଭିନ୍ନ ଭିନ୍ନ ରୂପର ମର୍ଯ୍ୟାଦା ॥

ନିଜ କାର୍ଯ୍ୟ ନିଜେ କରିବା ଅଟେ ଉଚିତ ।

ନହେଲେ ବିଷମ ହୋଇ ବୁଡ଼ିବ ଜଗତ ॥

ମାୟାରୂପା ନାରୀ ମୋର ସାବିତ୍ରୀଙ୍କୁ ଜାଣ ।

ବିଷ୍ଣୁଙ୍କର ଲକ୍ଷ୍ମୀ ନାରୀ ବୋଲି ପରିମାଣ ॥

ସ୍ନେହ ପ୍ରବୃତ୍ତିର ମୂଳ ନାରୀ ଜାଣି ରଖ ।

ନାରୀସଙ୍ଗେ କାମ କ୍ରୋଧ ଲୋଭ ମୋହ ଦେଖ ॥

ନାରୀ ସଙ୍ଗରୁ ପ୍ରଥମେ ସ୍ନେହ ବୃକ୍ଷ ଜନ୍ମେ ।

ତହୁଁ କାମ ଜନ୍ମି କାମୁଁ କ୍ରୋଧ ଜାତ ମନେ ॥

ଶୋକରୁ ବୈରାଗ୍ୟ ଜନ୍ମେ ସ୍ଵଭାବୁ ନିବୃତ୍ତି ।

ଅସଙ୍ଗଟି ସଂସାର ବିମୁଖେ ହେତୁ ଅତି ॥

ତହୁଁ ଦୟା ଶାନ୍ତି ଅହିଂସା ହୁଏ ଭଦ୍ଭବ ।

ଜ୍ଞାନମାର୍ଗ ଦେଖାଯାଏ ଏ ଅସଙ୍ଗ ଭାବ ॥

ଅସଙ୍ଗରେ ତପୋନିଷ୍ଟ ତୁମ୍ଭେ ସଦାବେଳେ ।

ଦୟାଶାନ୍ତି ଅହିଂସା ତୁମ୍ଭର କଳେବରେ ॥

ତେଣୁ ସୁଖ ବିଧିରେ ତୁମ୍ଭର ଯତ୍ନ ନାହିଁ ।

ସଙ୍ଗବିନା ଦୋଷ ମାନ କହିଲଇଁ ମୁହିଁ ॥

ତେଣୁ ବିଶ୍ୱହିତେ ଦେବଗଣଙ୍କ ନିମିତ୍ତ ।

ଏକ ନାରୀ ପରିଗ୍ରହ କର ହେ ନିୟତ ॥

ଯେପରି ବିଷ୍ଣୁଙ୍କ ଲକ୍ଷ୍ମୀ ମୋହର ସାବିତ୍ରୀ ।

ସେହିପରି ଏକ ନାରୀ ଘେନ ବିଶ୍ଵପତି ॥

ମାର୍କଣ୍ଡେୟ ଉବାଚ

ହରିଙ୍କ ନିକଟେ ବ୍ରହ୍ମାବାକ୍ୟ ଶୁଣି ହର ।

ମନ୍ଦେହସି ସଦାଶିବ କହନ୍ତି ମଧୁର ॥

ଈଶ୍ଵର ଉବାଚ

ହେ ଧାତଃ ଯାହା କହିଲ ତାହା ଅଟେ ସତ୍ୟ ।

ବ୍ରହ୍ମଚିନ୍ତା ହେତୁ ସ୍ଵାର୍ଥେ ନାହିଁ ମୋର ମତ ॥

ତେବେ ତୁମ୍ଭବାକ୍ୟ ମୁହିଁ କରିବି ପାଳନ ।

ଜଗତର ହିତ ପାଇଁ ସଦା ମୋର ଯତ୍ନ ॥

ତେବେ ମୋର ତେଜ ଯେହୁ ରମଣୀ ସହିବ ।

ତାକୁ ବିବାହ ହୋଇବି ନାହିଁ ଦ୍ୱିଧାଭାବ ॥

କାମରୂପା ଯୋଗିନୀ ନାରୀଏ ସ୍ଥିର କର ।

ଯୋଗକାଳେ ଯୋଗିନୀ ସେ ହେବ ମୋ ଆଗର ।

କାମାଶକ୍ତ ବେଳେ କାମଦାୟିନୀ ହୋଇବ ।

ଏପରି ନାରୀଏ ସ୍ଥିର କରିଣ କହିବ ॥

ଅକ୍ଷର ପରମବ୍ରହ୍ମ ଯୋଗୀଏ କହନ୍ତି ।

ପରମଜ୍ୟୋତି ସ୍ଵରୂପ ଚିନ୍ତିବି ମୁଁ ନୀତି ॥

ବ୍ରହ୍ମ ଚିନ୍ତାଯୁକ୍ତ ହୋଇ ଭାବନା ଲଭିବି ।

ସେ ବିଘ୍ନକାରିଣୀ ନାରୀ ବିବାହ ନୋହିବି ॥

ତୁମ୍ଭେ ହରି ମୁଁ ତିନିହେଁ ବ୍ରହ୍ମାର ସ୍ଵରୂପ ।

ଏଣୁ ବ୍ରହ୍ମ ଚିନ୍ତା ଆମ୍ଭମାନଙ୍କର ଜପ ॥

ବ୍ରହ୍ମଚିନ୍ତା ବିନା ମୁହିଁ ରହି ନ ପାରଇ ।

ତେଣୁ ମୋ କର୍ମାନୁଗତା ନାରୀ ଦିଅ କହି ॥

ମାର୍କଣ୍ଡେୟ ଉବାଚ

ହରବାକ୍ୟେ ବ୍ରହ୍ମା ମନ ଆନନ୍ଦେ କହନ୍ତି ।

ଯେପରି କହିଲ ସେପରି ନାରୀ ଅଛନ୍ତି ॥

ଦକ୍ଷକନ୍ୟା ସତୀ ନାମେ ପରମା ସୁନ୍ଦରୀ ।

ତୁମ୍ଭ ମନମତ ହେବେ କହୁଛି ବିଚାରି ॥

ତୁମ୍ଭପାଇଁ ସେ ତପସ୍ୟା କରୁଛନ୍ତି ନିତ୍ୟ ।

ତାହାଙ୍କୁ ବିବାହ ହୁଅ ମୋ ବଚନ ସତ୍ୟ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମା ବାକ୍ୟ ସମର୍ଥନ କଲେ ଦେବ ହରି ।

ଶିବ ଅଙ୍ଗୀକାର କଲେ ମନ୍ଦେ ହସି କରି ॥

ତହୁଁ ହରି ବ୍ରହ୍ମା ଲକ୍ଷ୍ମୀ ସାବିତ୍ରୀ ସହିତ ।

ନିଜ ନିଜ ସ୍ଥାନେ ଗଲେ ହୋଇ ଆନନ୍ଦିତ ॥

ସେ ସ୍ଥାନରେ ଛଦ୍ମବେଶେ କାମ ରହିଥିଲେ ।

ଶିବଙ୍କ ବାକ୍ୟ ଶୁଣିଣ ଆନନ୍ଦ ହୋଇଲେ ॥

ରତି ବସନ୍ତଙ୍କ ସହ ଗୁପ୍ତରେ ରହିଲେ ।

ବସନ୍ତଙ୍କୁ ନିଜ କାର୍ଯ୍ୟ କରଯା ବୋଇଲେ ॥

ହରିହର ବ୍ରହ୍ମାଙ୍କର ପାଦପଦ୍ମ ଚିନ୍ତି ।

ବିପ୍ର ପ୍ରଭାକର ଗୀତେ ଛନ୍ଦିଣ ଭଣନ୍ତି ॥

 

ଇତି ଶ୍ରୀ କାଳିକାପୁରାଣେ ନବମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୧୦ ॥

 

ମାର୍କଣ୍ଡେୟ ଉବାଚ

ଅନନ୍ତର ସତୀଦେବୀ ଆଶ୍ଵିନ ମାସରେ ।

ଶୁକ୍ଳାଷ୍ଟମୀ ଦିନ ଉପବାସେ ସଭକ୍ତିରେ ॥

ଫଳମୂଳ ପୁଷ୍ପ ଆଦି ନାନା ଉପହାରେ ।

ହରଙ୍କୁ ପୂଜିଲେ ପୁଣି ନବମୀ ଦିନରେ ॥

ନନ୍ଦାବ୍ରତ ପୂର୍ଣ୍ଣକଲେ ସଭକ୍ତିରେ ସତୀ ।

ସେବେଳେ ଶଙ୍କର ଆସିହେଲେ ଉପସ୍ଥିତି ॥

ହରଙ୍କୁ ଦେଖିଣ ଅତି ଆନନ୍ଦ ମନରେ ।

ପାଦେ ନମି ଲଜ୍ଜାନମ୍ରା ହେଲେ ଧାତିକାରେ ॥

ବ୍ରତଧାରିଣୀ ଦେବୀଙ୍କୁ କହନ୍ତି ତ୍ର୍ୟମ୍ବକ ।

ଭାର୍ଯ୍ୟାପାଇଁ ଇଚ୍ଛାକରି ପୂଜାଫଳ ସୁଖ ॥

ଈଶ୍ୱର ଉବାଚ

ହେ ଦକ୍ଷ ନନ୍ଦିନୀ ତୁମ୍ଭ ଏ କଠୋର ବ୍ରତେ ।

ଅତି ପ୍ରୀତହେଲି ବର ମାଗ ଇଚ୍ଛାମତେ ॥

ତୁମ୍ଭ ଇପ୍ସିତ ବରକୁ ଦେବି ଅକାତରେ ।

ବ୍ରତକ୍ଳେଶ ପରିତ୍ୟାଗ କର ଧାତିକାରେ ॥

 

ମାର୍କଣ୍ଡେୟ ଉବାଚ

ସତୀ ମନୋଭାବ ଜାଣିକରି ସଦାଶିବ ।

ପଚାରନ୍ତି ତାଙ୍କୁ ମୁଖୁଁ ଶୁଣିବାକୁ ଭାବ ॥

ସତୀ ମନଗତଭାବ ଲଜ୍ଜାବଶେ ରହି ।

ହର ଆଗେ କହିବାକୁ ଇଚ୍ଛାକଲେ ନାହିଁ ॥

ଏ ସମୟେ କାମ ସ୍ତ୍ରୀ ଅଭିଳାଷୀ ହରଙ୍କୁ ।

ନେତ୍ର ଇଙ୍ଗିତରୁ ଜାଣି ସ୍ଵପୁଷ୍ପ ବାଣକୁ ॥

ସନ୍ଧାନ କରି ହର୍ଷଣଭାବେ ପ୍ରହାରିଲେ ।

ତହୁଁ ହର୍ଷଯୁତହର ସତୀଙ୍କୁ ଚାହିଁଲେ ॥

ବ୍ରହ୍ମଚିନ୍ତା ବିସ୍ମରିଲେ ତକ୍ଷିଣେ ଶଙ୍କର ।

ପୁଣି ମୋହନୀ ବାଣରେ ପ୍ରହାରଇ ସ୍ମର ॥

ହର୍ଷପରେ ମୋହିତ ହୋଇଲେ ବାଣଘାତେ ।

ସ୍ତ୍ରୀ ମାୟାରେ ଅତି ମୁଗ୍‌ଧ ହେଲେ ଶଶବ୍ୟସ୍ତେ ॥

ତାଦେଖି ସତୀ ଲଜ୍ଜାକୁ ପରିତ୍ୟାଗ କଲେ ।

ମୋର ସ୍ଵାମୀ ହେବା ବର ଦିଅହେ ମାଗିଲେ ॥

ସତୀବାକ୍ୟ ନସରୁଣୁ ଶଙ୍କର ଉତ୍ସୁକେ ।

ମୋ ପତ୍ନୀ ହୁଅ ବୋଇଲେ ଦେବୀଙ୍କ ସମ୍ମୁଖେ ॥

ନିଜ ଅଭିଳାଷ ବର ପାଇ ଦକ୍ଷ ସୁତା ।

ତୁନି ହୋଇ ରହିଲେ ସେ ଅତି ଆନନ୍ଦିତା ॥

କାମ ସହିତ ହରଙ୍କ ଆଗେ ମନ୍ଦହାସୀ ।

ନିଜ ଭାବ ହାବମାନ ଦେଖାନ୍ତି ସୁକେଶୀ ॥

ଶୃଙ୍ଗାର ରସ ହେ ହାବଭାବ ମାନ ଘେନି ।

ସତୀହର ହୃଦୟରେ ପ୍ରବେଶ ସେ କ୍ଷଣି ॥

ହରଙ୍କ ଆଗେ ଚିକ୍‌କଣ ଅଞ୍ଜନ ସଦୃଶୀ ।

ଚନ୍ଦ୍ରପାଖେ ମେଘରେଖା ପରି ସତୀ ଦିଶି ॥

ସତୀ ହରଙ୍କୁ କହିଲେ ପିତାଙ୍କୁ ଜଣାଇ ।

ଭାର୍ଯ୍ୟାରୂପେ ଗ୍ରହଣ କରହେ ବିଶ୍ଵସାଇଁ ॥

ସତୀବାକ୍ୟ ଶୁଣି କାମେ ମୋହିତ ସେ ହର ।

ମୋ ଭାର୍ଯ୍ୟା ହୁଅବୋଲି କହନ୍ତି ବାରମ୍ବାର ॥

ରତି ବସନ୍ତ ସହିତ କାମ ଏହା ଦେଖି ।

ନିଜକୁ ପ୍ରଶଂସାକରେ ମନେ ମହାସୁଖୀ ॥

ତହୁଁ ସତୀ ହରଙ୍କ ଠାରୁ ବିଦାୟ ମାଗି ।

ଆନନ୍ଦମନେ ମାତାଙ୍କ ପାଶେଗଲେ ବେଗି ॥

ହରମଧ୍ୟ ହିମାଳୟ ସାନୁ ନିଜାଶ୍ରମେ ।

ଯାଇ ସତୀ ବିରହରେ ଦୁଃଖେ ଏକ ଭ୍ରମେ ॥

ମନେକଲେ ବ୍ରହ୍ମବାକ୍ୟ ବିବାହ ବିଷୟ ।

ଏକାନ୍ତେ ସ୍ମରିଲେ ଧାତାଙ୍କୁ ସେ ମହୋଦୟ ॥

ହରଙ୍କ ସ୍ମରଣମାତ୍ରେ ଲୋକ ପିତାମହ ।

ପ୍ରବେଶିଲେ ଶିବଆଗେ ସାବିତ୍ରୀଙ୍କ ସହ ॥

ତାଙ୍କୁ ଦେଖି ବିଦଗ୍‌ଧ ଶଙ୍କର ସୁଖୀ ହେଲେ ।

ସତୀ ବିବାହ ବିଷୟେ ତାଙ୍କୁ ପଚାରିଲେ ॥

ଈଶ୍ଵର ଉବାଚ

ହେ ଧାତଃ ବିଶ୍ଵହିତାର୍ଥେ ମୋହର ବିବାହ ।

ଯାହା ପ୍ରସ୍ତାବି ଥିଲ ତାହା ହେବ ନିଶ୍ଚୟ ॥

ଦକ୍ଷସୁତା ମୋର ପୂଜାବ୍ରତ କରୁଥିଲେ ।

ପ୍ରସନ୍ନ ହୋଇ ମୁଁ ତାଙ୍କୁ ବରଦେଲି ହେଳେ ॥

ତାହାଙ୍କ ସମୀପେ କାମ ମୋତେ ଶରବିନ୍ଧି ।

ତେଣୁ ମୁହିଁ ମୋହିତ ହୋଇଛି କାମଧନ୍ଦି ॥

ତାର ପ୍ରତିକାରେ କରିବାକୁ ଅସମର୍ଥ ।

ତେଣୁ ତୁମ୍ଭଙ୍କୁ କହୁଛି ତୁମ୍ଭର ଏ ସ୍ଵାର୍ଥ ॥

ଦକ୍ଷଙ୍କ ନିକଟେ ଯାଇ ତାଙ୍କ କନ୍ୟା ସହ ।

ବିବାହ ପାଇଁ ଡକାନ୍ତି ବିଶ୍ୱହିତେ ଚାହଁ ॥

ମାର୍କଣ୍ଡେୟ ଉବାଚ

ଏତେକହି ମହାଦେବ ବ୍ରହ୍ମାଙ୍କର ଆଗେ ।

ସାବିତ୍ରୀଙ୍କୁ ଦେଖି ସତୀକଥା ମନେ ଲାଗେ ॥

ଶିବବାକ୍ୟେ ବ୍ରହ୍ମା ଅତି ଆନନ୍ଦ ମନରେ ।

ଶିବଙ୍କୁ କହିଲେ ବିଶ୍ଵହିତେ ଧାତିକାରେ ॥

 

ବ୍ରହ୍ମୋବାଚ

ଯାହା କହିଲ ତାହା ସଂସାର ହିତ ପାଇଁ ।

ଆମ୍ଭର ତୁମ୍ଭର ଏଥି କିଛି ସ୍ଵାର୍ଥନାହିଁ ॥

ମୋଠାରୁ ଶୁଣିଣ ଦକ୍ଷକନ୍ୟା ପ୍ରଦାନିବେ ।

ସନ୍ଦେହ ନକରି ଧୈର୍ଯ୍ୟଧର ଅତିଦମ୍ଭେ ॥

ମାର୍କଣ୍ଡେୟ ଉବାଚ

ଏତେ କହି ବ୍ରହ୍ମା ବେଗଗାମି ସ୍ୟନ୍ଦନରେ ।

ଦକ୍ଷପାଶେ ପ୍ରବେଶିଲେ ଆନନ୍ଦ ମନରେ ॥

ଦକ୍ଷମଧ୍ୟ କନ୍ୟାଠାରୁ ସକଳ ବୃତ୍ତାନ୍ତ ।

ଶୁଣମନେ ଭାବୁଥିଲେ କରିବି ଏମନ୍ତ ॥

ଦୂତଦ୍ଵାରା ଶିବଙ୍କୁ ଡକାଇ କନ୍ୟାଦେବି ।

ଯଦି ସ୍ଵୀକୃତ ନୋହିବେ ଏମନ୍ତ କରିବି ॥

ମୋର କନ୍ୟା ଆରାଧନା କରିବ ଶିବଙ୍କୁ ।

ତେଣୁ ତୁଷ୍ଟ ହୋଇ ଶିବ ଘେନିବେ କନ୍ୟାକୁ ॥

ଏହିକାଳେ ସାବିତ୍ରୀଙ୍କ ସହ ପିତାମହ ।

ଦକ୍ଷପାଶେ ପ୍ରବେଶିଲେ ବଢ଼ିଲା ଉତ୍ସାହ ॥

ଆସନେ ବସାଇ ତାଙ୍କୁ ନମସ୍କାର କଲେ ।

କୁଶଳାଦିପୁଛି ବ୍ରହ୍ମା ନିକଟେ ବସିଲେ ॥

ଆସିବା କାରଣ ପଚାରନ୍ତି ଆନନ୍ଦରେ ।

କନ୍ୟାପାଇଁ ଚିନ୍ତିତ ହୋଇଣ ପ୍ରଶ୍ନ କଲେ ॥

ଦକ୍ଷ ଉବାଚ

କିମ୍ପାଇ ଆସିଲ ପିତଃ ପୁତ୍ର ସ୍ନେହେ ଅବା ।

କାର୍ଯ୍ୟବଶେ ଆସିଅଛ କହମୋତେ ବାବା ॥

ବ୍ରହ୍ମୋବାଚ

ହେ ଦକ୍ଷ ଯେ ପାଇଁ ମୁହିଁ ଆସିଛି ତା ଶୁଣ ।

ଲୋକହିତେ ତୁମ୍ଭ ଇଚ୍ଛା କରିବି ପୂରଣ ॥

ତୁମ୍ଭ କନ୍ୟା ଶିବପୂଜା ଯେ ପାଇଁ କରିଛି ।

ସେବର ଦେଇଛନ୍ତି ସେ ପତିହେବେ ଇଚ୍ଛି ॥

ସେଥିପାଇଁ ଶିବ ମୋତେ ତୁମ୍ଭ ନିକଟକୁ ।

ଏବେ ପେଷିଛନ୍ତି କନ୍ୟା ବିବାହ ହେବାକୁ ॥

ସତୀଙ୍କୁ ବରଦେଇଣ ତାଙ୍କ ବିରହରେ ।

ବଡ଼ କଷ୍ଟ ଲଭୁଛନ୍ତି ନିଜ ଆଶ୍ରମରେ ॥

ଛିଦ୍ର ପାଇ କାମ ପଞ୍ଚ ପୁଷ୍ପ ବାଣମାନ ।

ଶିବଙ୍କୁ ପେଶି ସତ୍ୱରେ କରିଛି ଭ୍ରମଣ ॥

କାମବାଣେ ବିଦ୍ଧହୋଇ ଯୋଗୀ ସଦାଶିବ ।

ବ୍ରହ୍ମଚିନ୍ତା ଛାଡ଼ି ସ୍ତ୍ରୀ ବିରହେ ପ୍ରାଣ ଯିବ ॥

ବିଚ୍ଛେଦରୁ ରୁଦ୍ରଗଣଙ୍କ ସମକ୍ଷେ ହର ।

କାହିଁ ସତୀବୋଲି କାମେ ହୁଅନ୍ତି ଅଧୀର ॥

ପୂର୍ବେ ମୁଁ ଯାହା ଇଚ୍ଛା କରିଥିଲି ମନରେ ।

ତୁମ୍ଭେ ମଧ୍ୟକାମ ସଙ୍ଗେ ଭାବିଥିଲ ଥରେ ॥

ମରୀଚ୍ୟାଦି ମୁନିଗଣେ ଇଚ୍ଛିଥିଲେ ଯାହା ।

ଏକ୍ଷଣି କାର୍ଯ୍ୟରେ ଫଳ ଲାଭହେଲା ତାହା ॥

ତୁମ୍ଭକନ୍ୟା ଶିବ ଆରାଧିଲେ ଯହିଁ ପାଇଁ ।

ସେ ଯୋଗୁଁ ହିମାଳୟରେ ଶିବ ଅପେକ୍ଷଇ ॥

ନାନାବିଧ ଭାବେ ନନ୍ଦାବ୍ରତ କରି ସତୀ ।

ଶମ୍ଭୁପୂଜା କରିଥିଲେ କରିବାକୁ ପତି ॥

ତେଣୁ ତୁମ୍ଭେ ତନୟାଙ୍କୁ ଶିବଙ୍କ ନିମତ୍ତେ ।

ଅବିଳମ୍ବେ ପ୍ରଦାନି ସୁଖୀହୁଅ ସମସ୍ତେ ॥

ମୁଁ ଯାଇ ନାରଦ ସହ ଶିବଙ୍କୁ ଆଣିବି ।

ଶିବେକନ୍ୟା ଦେଇ ସୁଖୀ ହୁଅ ମନୋଭାବି ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମବାକ୍ୟେ ଦକ୍ଷ ଅଙ୍ଗୀକାର କଲାକ୍ଷଣି ।

ଧାତାଗଲେ ଶୀଘ୍ର ଯହିଁଥିଲେ ଶୂଳପାଣି ॥

ବ୍ରହ୍ମାଯାନ୍ତେ ଦକ୍ଷ ପତ୍ନୀପୁତ୍ରଙ୍କ ସହିତ ।

ଆନନ୍ଦ ଲଭିଲେ ପ୍ରାଣୀଯଥା ପୀତାମୃତ ॥

ବ୍ରହ୍ମା ଆନନ୍ଦରେ ମହାଦେବଙ୍କ ସମୀପେ ।

ହିମାଳୟ ଗିରିତଟେ ଭେଟିଲେ ସ୍ଵରୂପେ ॥

ବ୍ରହ୍ମାଙ୍କୁ ଦେଖିଣ ଶିବ ମନରେ ଭାବିଲେ ।

ସତୀପ୍ରାପ୍ତିରେ ସନ୍ଦେହ ହେଲାକି ଏକାଳେ ॥

 

ତହୁଁ କାମବାଣେ ବ୍ୟସ୍ତ ହୋଇ ସଦାଶିବ ।

ବ୍ରହ୍ମାଙ୍କୁ କହିଲେ ମନେରଖି ସତୀଭାବ ॥

ଈଶ୍ୱର ଉବାଚ

ସତୀ ବିବାହ ବିଷୟେ କି କହିଲେ ଦକ୍ଷ ।

କହି ମୋ ମନକୁ ଶାନ୍ତ କର ପ୍ରଜାଧ୍ୟକ୍ଷ ॥

କାମଦାଉ ସାଧୁଅଛି ସତୀ ବିରହରେ ।

ଯେପରି ଶୀଘ୍ର ସତୀଙ୍କୁ ପାଇବି ସୁଖରେ ॥

ବ୍ରହ୍ମୋବାଚ

ସତୀ ପ୍ରଦାନେ ଦକ୍ଷଙ୍କ ଇଚ୍ଛା ବଳୀୟସୀ ।

ତୁମ୍ଭକାର୍ଯ୍ୟ ସିଦ୍ଧପ୍ରାୟ ଜାଣ ଦେବ କାଶୀ ॥

ଦକ୍ଷଙ୍କ ଏକାନ୍ତ ଇଚ୍ଛା ମୋ ବାକ୍ୟେ ଅଧିକ ।

ଆନନ୍ଦ ଲଭିଲେ ଶୁଣି ତୁମ୍ଭର ଉତ୍ସୁକ ॥

ଶିବଙ୍କୁ ପତି ରୂପରେ ପାଇବା ଭଦ୍ଦେଶେ ।

ଦକ୍ଷସୁତା ଶିବ ପୂଜାକଲେ ସବିଶେଷେ ॥

ଏବେ ଶୁଭଲଗ୍ନେ ଯାଇଁ ଦକ୍ଷଙ୍କ ଆଳୟ ।

ସବିଧିରେ କର ଦକ୍ଷ କନ୍ୟା ପରିଣୟ ॥

ତୁମ୍ଭ ସଙ୍ଗେ ଯିବି ନାରଦଙ୍କୁ ମନେସ୍ମର ।

ମରୀଚ୍ୟାଦି ମୁନିଙ୍କୁ ନେବା ଆମ୍ଭ ସଙ୍ଗର ॥

ମୋ ଗୁରୁ ସହିତ ଦକ୍ଷ ନିଳୟକୁ ଯିବା ।

ତହିଁ ଦକ୍ଷସୁତା ପାଣି ଗ୍ରହଣ କରିବା ॥

ତହୁଁ ବ୍ରହ୍ମାମନେ ନାରଦ ମରୀଚ୍ୟାଦିଙ୍କୁ ।

ସ୍ମରନ୍ତେ ଭେଟିଲେ ଆସି ଶିବ ବିଧାତାଙ୍କୁ ॥

ବ୍ରହ୍ମାଶିବ ନାରଦାଦି ମୁନିଙ୍କୁ ସ୍ମରଣ ।

ବିପ୍ର ପ୍ରଭାକର ଗୀତେ କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ ଦଶମୋଽଧ୍ୟାୟଃ ।

✽✽✽

 

॥ ୧୧ ॥

 

ମାର୍କଣ୍ଡେୟ ଉବାଚ

ତହୁଁ ନାରଦ ସହିତ ମରୀଚ୍ୟାଦି ମୁନି ।

ବ୍ରହ୍ମାଶିବଙ୍କ ନିକଟେ ପ୍ରବେଶ ସେ କ୍ଷଣି ॥

ସେମାନଙ୍କ ସହ ବ୍ରହ୍ମା ଶିବ ଗଣସହ ।

ଦକ୍ଷପୁରକୁ ଗଲେ ଆନନ୍ଦେ ହୋଇ ମୋହ ॥

ଶିବଗଣେ ଶଙ୍ଖପଟହ ଡିଣ୍ଡିମ ବଂଶୀ ।

ଆନନ୍ଦେ ବଜାଇଯାନ୍ତି ହୋଇ ଧସାଧସି ॥

କେତେ କରତାଳି ପାଦତାଳି ମାରିଯାନ୍ତି ।

ଅତି ବେଗଗାମି ରଥେ ଶିବଙ୍କୁ ଗୋଡ଼ାନ୍ତି ॥

କୋଳାହଳ ମୁଖରାବେ ପୂରଇ ଜଗତ ।

ଅନେକ ପ୍ରକାର ରୂପ ଧରିଛନ୍ତି ସେତ ॥

ତେଣେ ଦେବେ ଗନ୍ଧର୍ବ ଅପସରାଗଣ ସଙ୍ଗେ ।

ବାଦ୍ୟ ନୃତ୍ୟକରି ଶିବଙ୍କୁ ଭେଟିଲେ ରଙ୍ଗେ ॥

ସେମାନଙ୍କ ବାଦ୍ୟଶବ୍ଦ କୋଳାହଳ ରବେ ।

ପୃଥିବୀ ପୂରିଲା ପରି ଜାଣିଲେ ସରବେ ॥

କାମମଧ୍ୟ ସ୍ଵଗଣ ସହିତ ଆଦି ରସେ ।

ମୋହିତ କରି ସର୍ବଙ୍କୁ ଚଳିଲେ ହରଷେ ॥

ହରବିବାହ ଉତ୍ସବେ ବ୍ରହ୍ମାଦି ସକଳେ ।

ଆନନ୍ଦେ ବାଦ୍ୟବଜାନ୍ତି ଅତି କୁତୂହଳେ ॥

ଦିଗ ନିର୍ମଳ ଦିଶନ୍ତି ଅଗ୍ନିଶାନ୍ତେ ଜଳେ ।

ଆକାଶରୁ ପୁଷ୍ପବୃଷ୍ଟି ହୁଏ ଅନ୍ତରାଳେ ॥

ସୁଗନ୍ଧି ପବନବହେ ବୃକ୍ଷେ ସୁପୁଷ୍ପିତ ।

ରୋଗଶୋକ ହୀନ ପ୍ରାଣୀ ସର୍ବେ ଆନନ୍ଦିତ ॥

ହଂସ ସାରସ ମୟୂର ଚାତକାଦି ପକ୍ଷୀ ।

ମଧୁର ଶବ୍ଦେ ଶିବଙ୍କୁ ପଠାନ୍ତି କି ଦେଖି ॥

ସର୍ପ ବ୍ୟାଘ୍ର ଚର୍ମଜଟା ଚନ୍ଦ୍ରକଳା ମାନ ।

ଶିବଙ୍କ ଭୂଷଣ ରୂପେ ଅତି ସୁଶୋଭନ ॥

କ୍ଷଣମଧ୍ୟେ ବଳବାନ ବୃଷଭ ବାହନେ ।

ବରଯାତ୍ରୀ ସହ ଶିବମିଳେ ଦକ୍ଷସ୍ଥାନେ ॥

ତହୁଁ ଦକ୍ଷ ପ୍ରଜାପତି ଶୀଘ୍ର ଉଠିଆସି ।

ଶିବସହ ସର୍ବଙ୍କୁ ପାଛୋଟି ନେଲେ ଆସି ॥

ଆସନାଦି ଯୋଗାଇ ପାଦ୍ୟାଦି ପ୍ରଦାନରେ ।

ଯଥାବିଧି ପୂଜାକଲେ ସମସ୍ତଙ୍କୁ ଖରେ ॥

ତହୁଁ ଶୁଭମୁହୂର୍ତ୍ତ ସୁଲଗ୍ନ ବେଳ ଦେଖି ।

ଶିବଙ୍କୁ ସ୍ଵକନ୍ୟାଦାନ କଲେ ହୋଇ ସୁଖୀ ॥

ବିବାହ ବିଧିରେ ଶିବକନ୍ୟା ଦାନନେଲେ ।

ବ୍ରହ୍ମାଦିଦେବେ ସେ ସ୍ଥାନେ ସାମଗାନ କଲେ ॥

ଋକଯଜୁ ବେଦପଠେ କଲେ ଆନନ୍ଦିତ ।

ଶିବଗଣେ ବାଦ୍ୟ ବଜାଇଲେ ହୋଇ ମତ୍ତ ॥

ଅପ୍‌ସରାଗଣ ନାଚିଲେ ମେଘେ ପୁଷ୍ପବୃଷ୍ଟି ।

କଲେ ସର୍ବେ ଆନନ୍ଦିତ ଲଭିଲେ ସୁତୃଷ୍ଟି ॥

ତହୁଁ ଶ୍ରୀକୃଷ୍ଣ ଲକ୍ଷ୍ମୀଙ୍କ ସହ ଗରୁଡ଼ରେ ।

ବସି ପ୍ରବେଶିଲେ ବିବାହ ସ୍ଥଳରେ ॥

ଶିବଙ୍କୁ ଦେଖି କହିଲେ ସତୀସହ ତୁମ୍ଭେ ।

ଲକ୍ଷ୍ମୀସହ ମୋ ସଦୃଶ ଦିଶୁଅଛ ଏବେ ॥

ସତୀଙ୍କ ସହିତ ଦେବ ମନୁଷ୍ୟଙ୍କୁ ରଖ ।

ସଂସାର ମଙ୍ଗଳକର ଦେଇ ମହାସୁଖ ॥

ଦୁଷ୍ଟଙ୍କୁ ସଂହାରି ସାଧୁଜନଙ୍କୁ ପାଳନ ।

କରି ସୁଖୀହୁଅ ଆମ୍ଭେ କରୁଛୁଁ କଲ୍ୟାଣ ॥

ତୁମ୍ଭବାକ୍ୟ ସିଦ୍ଧି ହେଉ ଏହା ମୋ କାମନା ।

କହି ଶିବ ତୁନିହେଲେ ସର୍ବେ ତୋଷମନା ॥

ତହୁଁ ବ୍ରହ୍ମା ମନ୍ଦହାସୀ ସତୀଙ୍କୁ ଦେଖିଣ ।

ବାରମ୍ବାର ସତୀ ମୁଖ କଲେ ନିରୀକ୍ଷଣ ॥

ଚାରୁମୁଖ ଦେଖି ଇନ୍ଦ୍ରିୟ ବିକୃତ ହେଲା ।

ବ୍ରହ୍ମାବୀର୍ଯ୍ୟ ଭୂମିତଳେ ଖସିଣ ପଡ଼ିଲା ॥

ପ୍ରଜ୍ଜ୍ୱଳିତ ଅଗ୍ନୀ ସମଦିଶିଲା ସେ ପାତ ।

ତହିଁରୁ ମେଘାବଳି ସଶବ୍ଦେ ହେଲା ଜାତ ॥

ସଂବର୍ତ୍ତ ଆବର୍ତ୍ତ ପୁଷ୍କର ଦ୍ରୋଣ ଭେଦରେ ।

ଗର୍ଜିଜଳ ବରଷିଲେ ମୂଷଳ ଧାରରେ ॥

ତା ଦେଖି ଶଙ୍କର କାମମୁଗ୍‌ଧ ହୋଇ କୋପୋ ।

ବ୍ରହ୍ମାଙ୍କୁ ମାରିବା ପାଇଁ ତ୍ରିଶୂଳକୁ କ୍ଷେପେ ॥

ତାହାଦେଖି ନାରଦାଦି ମୁନିଗଣେ ତହିଁ ।

ହାହାକାର କରି ଶିବଙ୍କୁ ବୋଧନ୍ତି ଯାଇ ॥

ଦକ୍ଷମଧ୍ୟ ହସ୍ତଟେକି କଲେ ନିବାରଣ ।

ତହୁଁ ଶିବ ସେମାନଙ୍କୁ କହନ୍ତି ବଚନ ॥

ଈଶ୍ଵର ଉବାଚ

ମୋ ପତ୍ନୀଠାରେ ଅଭିଳାଷକୁ କଲେ ଧାତା ।

ତେଣୁ ତାଙ୍କୁ ମାରିବାକୁ ହେଲି ମୁଁ ଉଗ୍ରତା ॥

ମାର୍କଣ୍ଡେୟ ଉବାଚ

ଶିବବାକ୍ୟ ଶୁଣି ବିଷ୍ଣୁ ହୋଇ ଅଗ୍ରସର ।

ବ୍ରହ୍ମାବଧକୁ ନିବାରି କହନ୍ତି ସତ୍ୱର ॥

ଶ୍ରୀଭଗବାନୁବାଚ

ବ୍ରହ୍ମା ତୁମ୍ଭ ଭାର୍ଯ୍ୟା ପାଇଁ ସତୀ ନିର୍ମାଣିଲେ ।

ତାଙ୍କୁ ବଧକରା ଅନୁଚିତ ଜାଣ ଭଲେ ॥

ଜଗତର ସୃଷ୍ଟିକର୍ତ୍ତା ବ୍ରହ୍ମା ଏକ ଜାଣ ।

ତାଙ୍କୁ ମାଇଲେ କେ କରିବ ସୃଷ୍ଟି ଭିଆଣ ॥

 

 

ଈଶ୍ଵର ଉବାଚ

ବ୍ରହ୍ମବଧ କରି ପ୍ରତିଜ୍ଞା ରକ୍ଷା କରିବି ।

ଜଗତର ପ୍ରଜାକୁଳ ମୁଁ ଏକା ସର୍ଜିବି ॥

ଅଥବା ଅନ୍ୟ ଏକ ବ୍ରହ୍ମା କରିବି ଜାତ ।

ସେ ସୃଷ୍ଟିକର୍ତ୍ତା ହୋଇବ ଜାଣ ଜଗନ୍ନାଥ ॥

ତୁମ୍ଭେ ବାରଣ ନକର ପାପୀବ୍ରହ୍ମା ବଧେ ।

ପ୍ରତିଜ୍ଞା ରଖିବି ମାରି ବ୍ରହ୍ମାଙ୍କୁ ମୁଁ କ୍ରୋଧେ ॥

ମାର୍କଣ୍ଡେୟ ଉବାଚ

ଶିବବାକ୍ୟ ଶୁଣି ମନ୍ଦେ ହସି ଜନାର୍ଦ୍ଦନ ।

କହନ୍ତି ନିଜଠାରେ କି ପ୍ରତିଜ୍ଞା ପୂରଣ ॥

ଏହା ଶୁଣି ହର କହନ୍ତି ଯେ ବିଧି ପୁଣି ।

ନିଜ ଆତ୍ମା ବୋଲି କହି କିପରି ତା ଶୁଣି ॥

ବ୍ରହ୍ମାରୂପେ ଅନ୍ୟ ଦେହ ଧରିଛନ୍ତି ବିଧି ।

ମୋ ଆତ୍ମା କିପରି ହେଲେ କହ ଦୟାନିଧି ॥

ଶ୍ରୀ ଭଗବାନ ଉବାଚ

ବ୍ରହ୍ମଠାରୁ ଭିନ୍ନ ମୁହିଁ ତୁମ୍ଭେ ବ୍ରହ୍ମା ମୁହିଁ ।

ଆମ୍ଭେ ତିନିଜଣ ଏକ ଆତ୍ମା ଜାଣ ସେହି ॥

ପ୍ରଧାନ ଅପ୍ରଧାନିରେ ଭାଗ ଅଭାଗରେ ।

ପରଂବ୍ରହ୍ମ ରୂପେ ଆମ୍ଭେ ତ୍ରିମୂର୍ତ୍ତି ରୂପରେ ॥

ସୃଷ୍ଟିସ୍ଥିତ ଅନ୍ତପାଇଁ ତିନିମୂର୍ତ୍ତି ଆମ୍ଭେ ।

ପ୍ରକୃତରେ ଏକ କାର୍ଯ୍ୟଭେଦ ଭିନ୍ନ ଏବେ ॥

ମନେଚିନ୍ତା କରି ଏକ ଭାବକୁ ବିଚାର ।

ଅଙ୍ଗୀର ଅଙ୍ଗ ଯେପରି ଭିନ୍ନ ଭିନ୍ନ ଧର ॥

ସେପରି ଆମ୍ଭେ ତିନିହେ ବ୍ରହ୍ମ ଅଙ୍ଗୀକର ।

ଅଙ୍ଗରୂପେ ତିନିଜଣ ହେଲେ ଅବତାର ॥

କୂଟସ୍ଥ ଅବ୍ୟକ୍ତ ଅଚିନ୍ତ୍ୟ ଅନନ୍ତ ରୂପ ।

ଯେପରି ଏକ ତଥା ଆମ୍ଭର ତିନିକଳ୍ପ ॥

ମାର୍କଣ୍ଡେୟ ଉବାଚ

ଶ୍ରୀକୃଷ୍ଣଙ୍କ ବାକ୍ୟ ଶୁଣି ହର ମୁଗ୍‍ଧ ହେଲେ ।

ତିନିଙ୍କୁ ଏକ ଜାଣି ବଧରୁ ନିବର୍ତ୍ତିଲେ ॥

ପୁଣି କୃଷ୍ଣଙ୍କୁ ପୁଛନ୍ତି ତିନିଙ୍କ ଏକତ୍ୱ ।

କୃଷ୍ଣ ବୁଝାଇଲେ ବହୁ ଯୁକ୍ତିରେ ସମସ୍ତ ॥

କୃଷ୍ଣମୁଖ ପଦ୍ମ ହରିହର ବ୍ରହ୍ମାଙ୍କର ।

ଏକତା ଶୁଣି ମନରେ କରିଣ ବିଚାର ॥

ଆତ୍ମବଧେ ଆତ୍ମହତ୍ୟା ଦୋଷ ଜାଣି ହର ।

ମୃତ୍ୟୁରୁ ରଖିଲେ ତାଙ୍କୁ କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ ଏକାଦଶୋଽଧ୍ୟାୟଃ ।

✽✽✽

 

॥ ୧୨ ॥

 

ଋଷୟ ଉବାଚ

ହରିହର ବ୍ରହ୍ମାଙ୍କର ଏକତ୍ଵ ବିଷୟ ।

ଯାହା କହିଲେ ଶିବଙ୍କୁ ଦେବ କୃପାମୟ ॥

ତାହା ଶୁଣିବାକୁ ଇଚ୍ଛା ଆମ୍ଭମାନଙ୍କର ।

କୌତୂହଳ କଥା କହି ମନତୋଷ କର ॥

ମାର୍କଣ୍ଡେୟ ଉବାଚ

ଶୁଣ ମୁନିଗଣେ ବଡ଼ ଗୁପ୍ତ ଏହି କଥା ।

ତ୍ରିଦେବଙ୍କ ଏକତାସେ ଅଭିନ୍ନତ୍ତ୍ୱ ଯଥା ॥

ଏ ବ୍ରହ୍ମାଣ୍ତ ତମୋମୟ ଭୁବନ ବର୍ଜିତ ।

ପ୍ରସୁପ୍ତ ପରି ଅଲକ୍ଷ୍ୟ ଥିଲା ଅପ୍ରଜ୍ଞାତ ॥

ନଥିଲା ଦିବସ ରାତ୍ରି ଆକାଶ ପୃଥିବୀ ।

ଜ୍ୟୋତି ବାୟୁଜଳଙ୍କର ନଥିଲା ସଂସ୍ଥିତି ॥

ସୂକ୍ଷ୍ମନିତ୍ୟ ଅତୀନ୍ଦ୍ରିୟ ପରଂବ୍ରହ୍ମ ଏକ ।

ଜ୍ଞାନରୂପେ ଅବ୍ୟକ୍ତ ସେହି ଅବିଶେଷକ ॥

ପ୍ରକୃତି ପୁରୁଷ ଦୁହେଁ ନିତ୍ୟ ଭାବେ ଥିଲେ ।

ଜଗତ କାରଣ କାଳ ତହିଁରୁ ଜନ୍ମିଲେ ॥

ପୁରୁଷ ପ୍ରକୃତି କାଳ ତିନିହେଲେ ଆଦ୍ୟ ।

ଅନାଦି ଅନନ୍ତଳାଳ ଅଖଣ୍ଡ ସଂବେଦ୍ୟ ॥

କାଳ ପ୍ରକାଶରୁ ତେଜରୂପ ପ୍ରକଟିଲା ।

ସୃଷ୍ଟିପାଇଁ ପ୍ରକୃତିକୁ କ୍ଷୋଭିତ ସେ କଲା ॥

ଆଲୋଡ଼ିତ ପ୍ରକୃତିରୁ ମହତତ୍ତ୍ଵ ଜାତ ।

ମହତତ୍ତ୍ୱରୁ ପୁଣି ଅହଙ୍କାର ସମ୍ଭୂତ ॥

ଅହଙ୍କାର ମଧ୍ୟୁ ଶବ୍ଦଗୁଣ ଯେ ଆକାଶ ।

ଅରୂପ ଅନ୍ତରୂପେ ହେଲା ସେ ପ୍ରକାଶ ॥

ତହୁଁ ରସଗୁଣ ଜଳ ସମ୍ଭୂତ ହୋଇଲା ।

ନିରାଧାର ହୋଇ ଢଳ ଢଳ ସେ ଦିଶିଲା ॥

ସତ୍ୟ ରଜ ତମ ତିନିଗୁଣ ସମତାରୁ ।

ପ୍ରକୃତିକୁ କ୍ଷୁବ୍‌ଧ କଲେ ସୃଷ୍ଟିର ହେତୁରୁ ॥

ସେ ପ୍ରକୃତି ଜଳମଧ୍ୟୁ ତ୍ରିଗୁଣର ବୀଜ ।

ବ୍ରହ୍ମାଣ୍ଡକୁ ଜାତ କଲେ ନିରାକୁଳଓଜ ॥

କ୍ରମେ ସେ ବଢ଼ିଣ ହେମ ଅଣ୍ଡ ରୂପେ ଜାତ ।

ତହିଁରୁ ସର୍ବବ୍ରହ୍ମାଣ୍ଡ ହୋଇଲା ସମ୍ଭୂତ ॥

ଜଳ ଅଗ୍ନି ପବନ ଆକାଶ ଗୁପ୍ତରହି ।

ପ୍ରକାଶ ହେଲା ବ୍ରହ୍ମାଣ୍ଡ ଧରି ନାନା ଦେହୀ ॥

ସପ୍ତସାଗର ନଦ୍ୟାଦି ପରିମାଣ କ୍ରମେ ।

ବ୍ରହ୍ମାଣ୍ଡ ମଧ୍ୟରେ ଜଳ ଭିନ୍ନ ଭାବେ ଭ୍ରମେ ॥

ଜଳମଧ୍ୟେ ସ୍ଵୟଂ ବିଣ୍ଣୁ ବ୍ରହ୍ମରୂପେ ଧରି ।

ଦିବ୍ୟ ସହସ୍ର ବର୍ଷରେଚ୍ଛ ଅଣ୍ଡ ଭେଦ କରି ॥

ସେ ଅଣ୍ଡରୁ ମେରୁ ହେଲା ତହିଁରେ ଈଶାନ ।

ଜରାୟୁ ରୂପେ ପର୍ବତେ ହେଲେ ଉତପନ ॥

ଜଳରୁ ସପ୍ତସାଗର ହୋଇଲା ବିସ୍ତୃତ ।

ତାହା ମଧ୍ୟେ ଗନ୍ଧଗୁଣ ପୃଥିବୀ ସମ୍ଭୂତ ॥

ତ୍ରିଗୁଣାତ୍ମିକା ପ୍ରକୃତି ପୁରୁଷ ଯୋଗରେ ।

ପର୍ବତାଦିଙ୍କ ଆଗରୁ ଭୂଲୋକ ବାହାରେ ॥

ବ୍ରହ୍ମାଣ୍ଡଖଣ୍ଡ ସଂଯୋଗେ ସ୍ଥିର ହେଲା କ୍ଷିତି ।

ସର୍ବଲୋକ ଗୁରୁ ବ୍ରହ୍ମା ତହିଁ କଲେ ସ୍ଥିତି ॥

ଅପ୍ରକାଶରୂପେ ବ୍ରହ୍ମା ରହିବା ସମୟେ ।

ରୂପଗୁଣାତ୍ମକ ତେଜ ପ୍ରକାଶିଲା ଦେହେ ॥

ସ୍ପର୍ଶଗୁଣ ବାୟୁ ତହୁଁ ପ୍ରକୃତି ସଂଯୋଗେ ।

ପ୍ରାଣୀଙ୍କ ପ୍ରାଣ ସ୍ଵରୂପେ ପ୍ରସରିଲା ବେଗେ ॥

ଜଳ ଅଗ୍ନି ବାୟୁ ଆକାଶ ଏ ଚାରିଦ୍ରବ୍ୟ ।

ଅଣ୍ଡର ବାହ୍ୟାଭ୍ୟନ୍ତରେ ବ୍ୟାପିଲେ ଜାଣିବ ॥

ବ୍ରହ୍ମଶରୀର ତିନିଭାଗେ ହେଲା ବିଭକ୍ତ ।

ତିନିଗୁଣ ଧରି ତିନି ଦେବ ହେଲେ ଜାତ ॥

ଊର୍ଦ୍ଧ୍ୱଭାଗ ଚତୁର୍ମୁଖ ଚତୁର୍ଭୁଜ ହୋଇ ।

ପଦ୍ମକେଶର ତୁଲ୍ୟ ଗୌରବର୍ଣ୍ଣକୁ ପାଇ ॥

ମଧ୍ୟଭାଗ ନୀଳବର୍ଣ୍ଣ ଏକମୁଖ ହୁଏ ।

ଚତୁର୍ଭୁଜେ ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ॥

ନିମ୍ନଭାଗ ପଞ୍ଚମୁଖ ଚତୁର୍ଭୁଜ ଧରି ।

ସ୍ପଟିକ ସମାନ ବର୍ଣ୍ଣ ହେଲେ ତ୍ରିପୁରାରି ॥

ବ୍ରହ୍ମ ରୂପରେ ସର୍ଜନ ଶକ୍ତି ସମ୍ଭବିଲା ।

ବିଷ୍ଣୁରୂପେ ସ୍ଥିତି ଶକ୍ତି ପ୍ରକାଶ ପାଇଲା ॥

ସଂହାର ଶକ୍ତି ରହିଲା ଶିବମୂର୍ତ୍ତି ଠାରେ ।

ଏକ ବ୍ରହ୍ମରୁ ତିନିହେଁ ତିନିଶକ୍ତି ଧରେ ॥

ତ୍ରିମୂର୍ତ୍ତିରେ ଜ୍ଞାନରୂପ ସେ ଅନାଦି ଜ୍ୟୋତି ।

ରହି ସୃଷ୍ଟି ସ୍ଥିତି ସଂହାରକୁ ସେ କରନ୍ତି ॥

ନାମଭେଦେ ହରିହର ବ୍ରହ୍ମା ତିନିଜଣ ।

ଏକ ବ୍ରହ୍ମସ୍ଵରୂପ ସେ ନାହିଁ ତାଙ୍କ ଭିନ୍ନ ॥

ରୂପ ଦେହ କର୍ମଭେଦେ ଭିନ୍ନ ଭିନ୍ନ ସେହି ।

ପ୍ରକୃତରେ ପରଂବ୍ରହ୍ମ ଏକ ଭିନ୍ନ ନୋହି ॥

ମାର୍କଣ୍ଡେୟ ଉବାଚ

ବିଷ୍ଣୁଙ୍କ ମୁଖରୁ ଏହା ଶୁଣି ମହାଦେବ ।

ଆନନ୍ଦ ଗଦ୍‌ଗଦେ ପୁଣି ପଚାରନ୍ତେ ସର୍ବ ॥

ଈଶ୍ଵର ଉବାଚ

ଏକରୂପ ପରଂବ୍ରହ୍ମ ଜ୍ୟୋତି ନିରଞ୍ଜନ ।

ମାୟା କିଏ କାଳ କିଏ ପ୍ରକୃତି ବା କଣ ॥

କେଉଁ ପୁରୁଷ ତଦ୍ଭିନ୍ନ ଭିନ୍ନେ ପୁଣି ଏକ ।

ତାହା ବୁଝାଇ କହିଣ ନାଶ ଅବିବେକ ॥

ଶ୍ରୀଭଗବାନୁବାଚ

ତୁମ୍ଭେ ଧ୍ୟାନବଳେ ସଦା ଦେଖ ପରଂଜ୍ୟୋତି ।

ସେ ଆତ୍ମସ୍ଵରୂପ ନିଜାତ୍ମାରେ ପ୍ରକାଶନ୍ତି ॥

ପ୍ରକୃତି ଅଟଇ ମାୟା ପୁରୁଷ ଯେ କାଳ ।

ଧ୍ୟାନବଳେ ଜାଣି ତାହା ମନେକର ଠୁଳ ॥

ଏକ୍ଷଣି ତୁମ୍ଭେ ସେ ମାୟା କୁହୁକେ ମୋହିତ ।

ପରଂଜ୍ୟୋତିକୁ ଭୁଲି ସ୍ତ୍ରୀ ମୋହରେ ଜଡ଼ିତ ॥

ଏକ୍ଷଣି କ୍ରୋଧବଶରୁ ଆତ୍ମାକୁ ଭୁଲିଛ ।

ପ୍ରକୃତ୍ୟାଦି ସ୍ୱରୂପକୁ ମୋତେ ପଚାରୁଛ ॥

ମାର୍କଣ୍ଡେୟ ଉବାଚ

ଶିବଶୁଣି ବିଷ୍ଣୁବାକ୍ୟ ନିଶ୍ଚୟକୁ କଲେ ।

ମୁନିମାନଙ୍କ ସମକ୍ଷେ ଧ୍ୟାନରେ ବସିଲେ ॥

ପର୍ଯ୍ୟଙ୍କ ଆସନେ ବସି ଚକ୍ଷୁ ମୁଦି କରି ।

ନିଜାତ୍ମାରେ ପରଂବ୍ରହ୍ମ ରୂପ ଚିନ୍ତା ସ୍ମରି ॥

ତହୁଁ ଶିବଙ୍କ ଶରୀର ତେଜୋମୟ ହେଲା ।

ମଧ୍ୟାହ୍ନ ସୂର୍ଯ୍ୟ ସଦୃଶ ଚାହିଁ ନ ହୋଇଲା ॥

ସେକ୍ଷଣି ବିଷ୍ଣୁ ମାୟାରେ ଶିବ ଧ୍ୟାନ ନଷ୍ଟ ।

ତପସ୍ୟା ତେଜରେ ଚାହିଁବାଳୁ ହେଲା କଷ୍ଟ ॥

ଶିବଙ୍କ ସେବାରେ ଯେଉଁଗଣେ ତହିଁ ଥିଲେ ।

ସେମାନେ ମଧ୍ୟ ଶିବଙ୍କୁ ଚାହିଁ ନପାରିଲେ ॥

ସମାଧିନିଷ୍ଠ ଶିବଙ୍କ ଶରୀର ମଧ୍ୟରେ ।

ନିଜେ ବିଷ୍ଣୁ ଜ୍ୟୋତିରୂପେ ପ୍ରବେଶ ହୋଇଲେ ॥

ପୂର୍ବ ସୃଷ୍ଟିକ୍ରମଳୁ ଦେଖାନ୍ତି ଦେହେ ରହି ।

ସ୍ଥୂଳ ସୂକ୍ଷ୍ମନୁହେଁ ବିଶେଷ ଗୋଚର ନୋହି ॥

ନିତ୍ୟାନନ୍ଦ ନିରାତଙ୍କ ଶୁଦ୍ଧ ଅତୀନ୍ଦ୍ରିୟ ।

ଅଦୃଶ୍ୟ ସେ ସର୍ବଦ୍ରଷ୍ଟା ନିର୍ଗୁଣା ପ୍ରମେୟ ॥

ଆନନ୍ଦ ପରମଆତ୍ମା ଜଗତ କାରଣ ।

ପରମାତ୍ମା ସ୍ଵରୂପକୁ ଦେଖିଲେ ଈଶାନ ॥

ବାହ୍ୟଜ୍ଞାନ ଶୂନ୍ୟ ହୋଇ ମନେ ପ୍ରବେଶଇ ।

ଆତ୍ମାରୂପ ପ୍ରକୃତି ଦେଖିଲେ ସୃଷ୍ଟି ପାଇଁ ॥

ଗୁଣଭେଦେ ତ୍ରିମୂର୍ତ୍ତି ପୁରୁଷଙ୍କୁ ଦେଖିଲେ ।

ଅଗ୍ନିକଣା ପରି ଅଜସ୍ରରୂପ ସେ ହେଲେ ॥

ସେ କାଳ ରୂପରେ ଦେଖାଗଲା ବାରମ୍ବାର l

ସୃଷ୍ଟି ସ୍ଥିତି ଅନ୍ତ ଅବଚ୍ଛେଦେ ହେତୁଦ୍ଵାର ॥

ପ୍ରକୃତି ପୁରୁଷ କାଳ ଅଭିନ୍ନ ପ୍ରକାରେ ।

ସ୍ରଷ୍ଟ୍ୟାଦି କାର୍ଯ୍ୟ ନିମିତ୍ତ ଭିନ୍ନ ରୂପ ଧରେ ॥

ଏକ ଅଦ୍ୱିତୀୟ ବ୍ରହ୍ମ ଭିନ୍ନ କିଛି ନାହିଁ ।

ସେ ପ୍ରକୃତି ସେହିକାଳ ରୂପେ ଦେଖାଯାଇ ॥

ପୁଣି ପୁରୁଷ ରୂପରେ ସଂସାର ନିମିତ୍ତ ।

ଭୋଗପାଇଁ ପ୍ରାଣୀ ଦେହେ ହୁଏ ଆତ ଯାତ ॥

ସେ ମାୟା ରୂପରେ ଶଙ୍କରଙ୍କୁ ମୋହି ଥିଲେ ।

ହରି ବ୍ରହ୍ମାଆଦି ସର୍ବେ ମୋହିତ ସେ ବଳେ ॥

ସେ ସ୍ତ୍ରୀରୂପା ଲକ୍ଷ୍ମୀକଳ୍ପା ହରିଙ୍କ ମୋହିନୀ ।

ସେ ସାବିତ୍ରୀ ରତି ସନ୍ଧ୍ୟା ସତୀ ସେ ବିରିଣୀ ॥

ସମସ୍ତଙ୍କ ବୁଦ୍ଧିରୂପା ଚଣ୍ଡିକା ସେ କାଳୀ ।

ଧ୍ୟାନମାର୍ଗେ ଦେଖି ଶିବ ମନେହେଲେ ଭାଳି ॥

ମହଦାଦି ଭେଦେ ସୃଷ୍ଟି କ୍ରମକୁ ଦେଖିଲେ ।

କାଳ ପ୍ରକୃତି ପୁରୁଷ ବିଷ୍ଣୁ ଦେଖାଇଲେ ॥

ଅନ୍ୟସବୁ ନିଜ ଦେହେ ଦେଖିଲେ ଶଙ୍କର ।

ହରିହର ପଦ ଚିନ୍ତି କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ ଦ୍ୱାଦଶୋଽଧ୍ୟାୟଃ ।

✽✽✽

 

॥ ୧୩ ॥

 

ମାର୍କଣ୍ଡେୟ ଉବାଚ

ତତ୍ପରେ ବ୍ରହ୍ମାଣ୍ଡ ସଂସ୍ଥା ଶିବଙ୍କୁ ଦେଖାନ୍ତି ।

ଜଳମଧ୍ୟେ ବ୍ରହ୍ମାଣ୍ଡ ବଢ଼ିଲା ସେ ଯେମିତି ॥

ତାହା ମଧ୍ୟେ ପଦ୍ମଗର୍ଭ ସଦୃଶ ବିଧାତା ।

ଜ୍ୟୋତିରୂପେ ପ୍ରକାଶିତ ହେଲେ ସୃଷ୍ଟିକର୍ତ୍ତା ।

ତହିଁ ମଧ୍ୟେ ତିନିମୂର୍ତ୍ତି ପୁଣି ଦେଖାଗଲେ ।

ଏକଦେହେ ତିନି ଦେହ ପୁନଶ୍ଚ ଦେଖିଲେ ॥

ଶଙ୍କର ସ୍ଵଗର୍ଭେ ସର୍ବ ଜଗତ ଦେଖନ୍ତି ।

କେତେବେଳେ ବିଷ୍ଣୁ ବ୍ରହ୍ମାଦେହେ ଲୀନହ୍ୱନ୍ତି ॥

ବ୍ରହ୍ମଦେହ ବିଷ୍ଣୁକାୟେ କେବେ ହୁଏ ଲୀନ ।

ଶମ୍ଭୁ ଦେହ ବିଷ୍ଣୁ ଦେହେ କେବେ ହୁଏ ମ୍ଳାନ ॥

ବ୍ରହ୍ମାଦେହ ଶମ୍ଭୁଠାରେ ଲୀନ ପୁଣି ହୁଏ ।

ପୁଣି ସର୍ବେ ମିଳିଯାଇ ଏକମୂର୍ତ୍ତି ରହେ ॥

ଭିନ୍ନ ଅଭିନ୍ନ ମୂର୍ତ୍ତି ଦେଖନ୍ତି ମହେଶ୍ଵର ।

ସର୍ବେ ପରଂବ୍ରହ୍ମରୂପେ ଲୟ ଏକବାର ॥

ଜଳେ ବିସ୍ତୃତ ପୃଥିବୀ ଦେଖନ୍ତି ମହେଶ ।

ମହାପର୍ବତ ସମୂହେ ଗୁନ୍ଥା ହେବା ଦୃଶ୍ୟ ॥

ପୁନଶ୍ଚ ଦେଖନ୍ତି ଶିବ ବ୍ରହ୍ମାଙ୍କୁ ସେଠାରେ ।

ସୃଷ୍ଟି କାର୍ଯ୍ୟେ ବ୍ୟସ୍ତଥାଇ ଚଞ୍ଚଳ ମନରେ ॥

ନିଜକୁ ଦେଖନ୍ତି ହର ହରିଙ୍କୁ ଭେଟନ୍ତି ।

ଗରୁଡ଼ାରୁଢ଼ ହୋଇଣ ବିଶେଷ ଶୋଭନ୍ତି ॥

ଦକ୍ଷ ପ୍ରଜାପତିଙ୍କୁ ଦେଖନ୍ତି ନିଜଗଣ ।

ମରୀଚ୍ୟାଦି ଦଶଙ୍କୁ କରନ୍ତି ନିରୀକ୍ଷଣ ॥

ଦକ୍ଷ ନାରୀ ବିରିଣୀକୁ ତାଙ୍କ କନ୍ୟା ସତୀ ।

ସତୃଷ୍ଣେ ଦେଖନ୍ତି ଯେଣୁ ନିଜ ପ୍ରିୟବତୀ ॥

ସନ୍ଧ୍ୟା ରତି କନ୍ଦର୍ପ ଯେ ଶୃଙ୍ଗାର ବସନ୍ତ ।

ହାବଭାବ ମାରଗଣ ମଳୟ ମରୁତ ॥

ଦେବଋଷିଗଣ ମେଘ ଚନ୍ଦ୍ର ଦିବାକର ।

ସିଦ୍ଧ ବିଦ୍ୟାଧର ଯକ୍ଷ ରାକ୍ଷସ କିନ୍ନର ॥

ମନୁଷ୍ୟ ସର୍ପ କଚ୍ଛପ କୁମ୍ଭୀର ଯେ ମୀନ ।

ଉଲ୍‌କା ନିର୍ଘାତ ଧୂମକେତୁ ପତଙ୍ଗଗଣ ॥

ଏମାନଙ୍କୁ ଦେଖି ପୁଣି ଚାହାନ୍ତି ଶଙ୍କର ।

କେତେନାରୀ ମିଥୁନରତା ହୋଇଥିବାର ॥

ଉତ୍ପନ୍ନ ଉତ୍ପନ୍ନୋନ୍ମୁଖ ମୃତ ପ୍ରାଣୀ କେତେ ।

ହସିବା ଖେଳିବା ପୁଣି କାନ୍ଦିବାର ଯେତେ ॥

ଧାଇଁବା ଡେଇଁବା ପ୍ରାଣୀ ଦେଖନ୍ତି ଈଶାନ ।

ଏ ସମସ୍ତ ଦେଖି ଆନନ୍ଦିତ ତାଙ୍କ ମନ ॥

ଦିବ୍ୟ ଅଳଙ୍କାର ପୁଷ୍ପମାନ ଚନ୍ଦନରେ ।

ଭୂଷିତ ହୋଇ ଦେଖନ୍ତି ହରଙ୍କୁ ନୃତ୍ୟରେ ॥

ହରିହର ବ୍ରହ୍ମାଙ୍କୁ ସ୍ତୁତି କରନ୍ତି ଥୋକେ ।

ମୁନିଗଣ ନଦୀତୀରେ ତପୋରତ ଦେଖେ ॥

ବେଦପାଠେ ନିରତ କେତେ ମୁନିକୁମାର ।

ପଢ଼ାନ୍ତି ବୃଦ୍ଧ ମୁନିଏ ପୁଣି କେତେଠାର ॥

ସପ୍ତସମୁଦ୍ର ସରିତ ଦେବ ସରୋବର ।

ପର୍ବତେ ରହି ଦେଖନ୍ତି ଦେବ ମହେଶ୍ଵର ॥

ଲକ୍ଷ୍ମୀସହ ନାରାୟଣ ସତୀ ସହ ନିଜେ ।

କ୍ରୀଡ଼ାରତ ହୋଇଥିବା ଦେଖନ୍ତି ସହଜେ ॥

କୈଳାସ ମେରୁମନ୍ଦର ଶୈଳେ ଉପବନେ ।

ଶୃଙ୍ଗାରରତ ସତୀଙ୍କୁ ନିଜେ ସ୍ଵନୟନେ ॥

ପୁଣି ସତୀ ଦକ୍ଷଯଜ୍ଞେ ନିଜ ଦେହ ତେଜି ।

ହିମଗିରିସୁତା ରୂପେ ଶଙ୍କରଙ୍କୁ ଭଜି ॥

କାର୍ତ୍ତିକଙ୍କ ଜନ୍ମ ଦୃଶ୍ୟ ତାରକାର ବଧ ।

ବିସ୍ତୃତ ଭାବେ ଦେଖନ୍ତି ସଦାଶିବ ମଧ୍ୟ ॥

ନୃସିଂହରୂପେ ଶ୍ରୀହରି ହିରଣ୍ୟ ବିଦାରି ।

କାଳନମି ହିରଣ୍ୟାକ୍ଷ ମାରନ୍ତି ଶ୍ରୀହରି ॥

ଦୈତ୍ୟଙ୍କ ସଙ୍ଗରେ ରଣ କରିଥିଲେ ହରି ।

ପୃଥ୍ଵୀଭାର ଉଶ୍ଵାସିଥିଲେ ପୂର୍ବେ ଯେପରି ॥

ପ୍ରପଞ୍ଚଜଗତ ଗ୍ରହ ନକ୍ଷତ୍ର ମାନଙ୍କୁ ।

ଦେଖନ୍ତି ସିଦ୍ଧ ବିଦ୍ୟାଧନ ନରଗଣଙ୍କୁ ॥

ନିଜେ ସର୍ବ ସଂହାରିବା ଦେଖନ୍ତି ଚକ୍ଷୁରେ ।

ସଂହାର ଶେଷେ ଦେଖନ୍ତି ହରି ବିଧି ହରେ ॥

ଚରାଚର ବିଶ୍ଵଶୂନ୍ୟ ହେବାର ଦେଖନ୍ତି ।

ତା’ପରେ ହରି ବିଧିରେ ନିଜେ ଲୀନହ୍ୱନ୍ତି ।

ଶେଷରେ କେବଳ ବିଷ୍ଣୁ ଏକା ଦେଖାଯାନ୍ତି ।

ହରିବିନା ଅନ୍ୟକିଛି ନଥିବା ଦେଖନ୍ତି ॥

ବିଷ୍ଣୁ ପରଂବ୍ରହ୍ମେ ଲୀନ ହେବା ଦେଖି ହର ।

ନିର୍ମଳ ପରମ ବ୍ରହ୍ମ ଦେଖନ୍ତି ଶଙ୍କର ॥

ସେ ବିଜ୍ଞାନମୟ ସଚ୍ଚିଦାନନ୍ଦ ସ୍ଵରୂପ ।

ଧ୍ୟାନଗମ୍ୟ ସଦା ନିଜେ ଚିନ୍ତନ୍ତି ଯେ ରୂପ ॥

ଜଗତରୁ ପରଂବ୍ରହ୍ମ ଭିନ୍ନ ପୁଣି ଏକ ।

ସ୍ଵଦେହେ ସର୍ପାଦିଙ୍କୁ ଦେଖନ୍ତି ତ୍ରିଅମ୍ବକ ॥

ପ୍ରକାଶନ୍ତି ପରମାତ୍ମା ଶାନ୍ତ ଅତୀନ୍ଦ୍ରିୟ ।

ଏକ ଅଦ୍ୱିତୀୟ ବ୍ରହ୍ମନାହିଁ ଅନ୍ୟାଶ୍ରୟ ॥

ହରିହର ବ୍ରହ୍ମାବିଶ୍ୱ ଏସବୁକୁ ଏକ ।

ସ୍ଵରୂପେ ଦେଖନ୍ତି ରହିଦେବ ତ୍ରିଅମ୍ବକ ॥

ହେଦମଧ୍ୟେ ବାହାରେ ଏପରି ଦେଖି ହରି ।

ପୁଣି ଦେଖନ୍ତି ମାୟା ପ୍ରବେଶେ ସ୍ୱଶରୀରେ ॥

ଏକ ପୃଥକ ଭାବରେ ଦେଖାନ୍ତି ଶ୍ରୀହରି l

ଶିବଙ୍କ ଦେହୁଁ ପ୍ରକାଶ ହେଲେ ନରହରି ॥

ତହୁଁ ଯୋଗ ତେଜିହର ଚଞ୍ଚଳ ମନରେ ।

କାମ ମୋହିତ ହୋଇ ସତୀଙ୍କୁ ଆଲିଙ୍ଗିଲେ ॥

ସତୀଙ୍କ ସୁନ୍ଦରମୁଖ ଦେଖନ୍ତି ସାଦରେ ।

ଫୁଟିଲା ପଦ୍ମର ତୁଲ୍ୟ ରୋମାଞ୍ଚରେ ॥

ତହୁଁ ଦକ୍ଷ ମରୀଚ୍ୟାଦି ନିଜଗଣ ଧାତା ।

ବିଷ୍ଣୁ ଦେଖାହେବାରୁ ବିସ୍ମିତ ପଞ୍ଚମଥା ॥

ବିସ୍ମୟେ ମନ୍ଦେସିବା ଦେଖି ଜନାର୍ଦ୍ଦନ ।

ମଧୁର ସ୍ଵରରେ ଶିବଙ୍କୁ କହନ୍ତି ବଚନ ॥

ଶ୍ରୀଭଗବାନୁବାଚ

ହେ ଶିବ ଯାହା ପୁଛିଲ ଆମ୍ଭେମାନେ ତିନି ।

ଏକ ପୁଣି ଭିନ୍ନତା କହିଲି ପରିମାଣି ॥

ପ୍ରକୃତି ପୁରୁଷକାଳ ମାୟାର ସ୍ଵରୂପ ।

ନିଜଦେହେ ଦେଖିଲ ସେ ଭିନ୍ନ ଭିନ୍ନ ରୂପ ॥

ବ୍ରହ୍ମ ଏକ ସଦାଶାନ୍ତ ନିତ୍ୟ ସେ ପରମ ।

ସେ ପୁଣି ଭିନ୍ନ ହୁଏ ଦେଖିଲ କାହା ସମ ॥

ମାର୍କଣ୍ଡେୟ ଉବାଚ

ଶ୍ରୀହରିଙ୍କ ପ୍ରଶ୍ନ ଶୁଣି ବୃଷଭ ବାହାନ ।

କହନ୍ତି ତାହାଙ୍କୁ ତଥ୍ୟ ସ୍ଵରୂପ ବଚନ ॥

 

ଈଶ୍ଵର ଉବାଚ

ଶିବ ଶାନ୍ତ ଅନନ୍ତ ଅଚ୍ୟୁତ ବ୍ରହ୍ମଏକ ।

ତେଣୁ ତାଙ୍କ ସମ କେହି ନାହିଁ ତିନିଲୋକ ॥

ସକଳ ବ୍ରହ୍ମାଣ୍ତ ହରି ଭିନ୍ନ ନୁହେଁ ଜାଣ ।

କାଳାଦିରୂପ କେବଳ ସୃଷ୍ଟିର କାରଣ ॥

ନିରଞ୍ଜନ ବ୍ରହ୍ମ ସର୍ବଚରା ଚରହେତୁ ।

ଆମ୍ଭେ ତିନିଦେହେ ସେହି ବ୍ରହ୍ମଅଂଶ ବସ୍ତୁ ॥

ସୃଷ୍ଟି ସ୍ଥିତି ଅନ୍ତକାର୍ଯ୍ୟ କରିବା ନିମିତ୍ତ ।

ତ୍ରିମୂର୍ତ୍ତି ରୂପରେ ଆମ୍ଭେ ହୋଇଲେ ସମ୍ଭୂତ ॥

ଆମ୍ଭ ତିନିଙ୍କ ସହକାଳ ଆଉ ପ୍ରକୃତି ।

ବ୍ରହ୍ମ ଆଦେଶ ପାଳନେ କରୁଥାଏଁ ଗତି ॥

ଶ୍ରୀଭଗବାନୁବାଚ

ହେଶିବ ଏ ତତ୍ତ୍ଵଜ୍ଞାନ ତୁମ୍ଭେ ଯା କହିଲ ।

ବ୍ରହ୍ମ ଅଂଶ ଭୂତ ଆମ୍ଭେ ଜାଣିଲି ନିକର ॥

ତେଣୁ ବ୍ରହ୍ମା ତୁମ୍ଭ ଆତ୍ମା ତୁମ୍ଭର ଅବଧ୍ୟ ।

ଆମ୍ଭ ତିନିଙ୍କ ଏକାହେ ସର୍ବଦା ସମ୍ବନ୍ଧ ॥

ମାର୍କଣ୍ଡେୟ ଉବାଚ

ବିଷ୍ଣୁ ବାକ୍ୟ ଶୁଣି ହର ବ୍ରହ୍ମାଙ୍କୁ ନମାରି ।

ଏକ ଆତ୍ମା ସ୍ଥିରକରି ଗଲେ ଅପସରି ॥

 

ହରିହର ବିଧିଙ୍କର ଏକତ୍ଵ ବିଷୟ ।

ପ୍ରଭାକର କହେ ଏହା ଅତି ରସମୟ ॥

 

ଇତି ଶ୍ରୀ କାଳିକାପୁରାଣେ ତ୍ରୟୋଦଶୋଽଧ୍ୟାୟଃ ।

✽✽✽

 

॥ ୧୪ ॥

 

ମାର୍କଣ୍ଡେୟ ଉବାଚ

ମେଘଙ୍କ ଗର୍ଜନ ଶୁଣି ଦେବଶୂଳ ପାଣି ।

ବିଷ୍ଣୁ ପ୍ରଭୃତିଙ୍କୁ ଛାଡ଼ି ଗମନ୍ତି ସେ ପୁଣି ॥

ସତୀଙ୍କ ସହ ବୃଷଭେ ଆରୋହଣ କରି ।

ପ୍ରବେଶିଲେ ରମ୍ୟକୁଞ୍ଜ ଯୁତ ହିମଗିରି ॥

ସୁଦତୀ ଚାରୁହାସିନୀ ସେ ସତୀ ସୁନ୍ଦରୀ ।

ବୃଷୋପରି ଶିବପାଶେ ଚନ୍ଦ୍ର କଳାପରି ॥

ବ୍ରହ୍ମା ଦକ୍ଷ ମରୀଚ୍ୟାଦି ଯେତେ ତହିଁଥିଲେ ।

ସତୀ ଶିବ ସଂଯୋଗ ଦେଖି ଆନନ୍ଦ ହେଲେ ॥

ଶିବଗଣେ ତାଳ ଖୋଳଶଙ୍ଖ ବଜାଇଣ ।

ସତୀ ଶିବଙ୍କ ପଛରେ କଲେକ ଗମନ ॥

ବ୍ରହ୍ମା ଆଦି ଶିବ ପୁରେ ଗମିବା ଦେଖିଣ ।

ଶିବ ମିଷ୍ଟବାକ୍ୟେ ବିଦାୟ ନେଲେ ହସିଣ ॥

ତହୁଁ ବ୍ରହ୍ମାଦି ସକଳେ ମେଲାଣି ମାଗିଣ ।

ଆନନ୍ଦରେ ସ୍ଵସ୍ଵସ୍ଥାନକୁ କଲେ ଗମନ ॥

ଦେବସିଦ୍ଧ ଗନ୍ଧର୍ବ ଅପ୍‍ସରା ଯେତେଥିଲେ ।

ଶିବଙ୍କୁ ବିଦାୟ ମାଗି ସ୍ଵସ୍ଵସ୍ଥାନେ ଗଲେ ॥

ତହୁଁ ହର ନିଜଗଣ ସହିତ ଯାଇଣ ।

ନିଜସ୍ଥାନେ କୈଳାସେ କଲେ ଅବତରଣ ॥

ବୃଷସ୍କନ୍ଧୁ ସ୍ଵପ୍ରିୟାଙ୍କୁ ଓହ୍ଲାନ୍ତି ଧରିଣ ।

ନନ୍ଦୀଆଦି ଶିବଗଣେ ଛାଡ଼ିଲେ ଈଶାନ ॥

ଗଣଙ୍କୁ କହନ୍ତି ହର ଆନନ୍ଦ ମନରେ ।

ସ୍ମରିବା ବେଳେ ଆସିବ ଯାଅ ସ୍ଥାନାନ୍ତରେ ॥

ତହୁଁ ଗଣେ ମହାକୋଷୀ ପ୍ରପାତ ସ୍ଥାନକୁ ।

ଆନନ୍ଦେ ଗମିଲେ ତେଜୀ ସତୀ ମହେଶଙ୍କୁ ॥

ସୁନ୍ଦର କୈଳାସ ଶୈଳେରମ୍ୟ ଉପବନ ।

ସତୀଙ୍କ ସଙ୍ଗରେ ଶିବ କ୍ରୀଡ଼ାମତ୍ତ ଜାଣ ॥

କେବେ ହର ବନ୍ୟପୁଷ୍ପ ମାଳାଗୁନ୍ଥି କରେ ।

ସତୀ ମସ୍ତକେ ପିନ୍ଧାନ୍ତି କୌତୁକ ମନରେ ॥

କେବେ ସତୀଙ୍କ ମୁଖରେ ଦେଖାନ୍ତି ଦର୍ପଣ ।

ନିଜମୁଖ ଦେଖି ସମ୍ଭାଷନ୍ତି ଅନ୍ୟୋଅନ୍ୟ ॥

କେବେ ପୁଣି ପ୍ରିୟାଙ୍କ କେଶରେ ବାନ୍ଧିବେଣୀ ।

ବହୁବେଳ ସଜାନ୍ତି ଚିରୁଣୀ ଯୋଗେ ପୁଣି ॥

ସୁଗନ୍ଧ ଅଳତାରେ ରଞ୍ଜନ୍ତି ରକ୍ତପଦ ।

ସତୀନାମ ଉଚ୍ଚେ ଡାକି କରନ୍ତି ଆମୋଦ ॥

ପ୍ରିୟାକର୍ଣ୍ଣେ କହନ୍ତି ମୋ ମୁଖ ଦେଖ ସଖୀ ।

କିଛିଦୂର ଯାଇ ପଛୁଁ ବୁଜନ୍ତି ସ୍ତ୍ରୀ ଆଖି ॥

କର ଧରିବା ମାତ୍ରକେ ଅନ୍ତର୍ହିତହ୍ଵନ୍ତି ।

ପୁଣି ଆସି ଦୃଢ଼େ କାମିନୀକୁ ଆଲିଙ୍ଗନ୍ତି ॥

ଭୟରେ ଚକିତା ପୁନଃବ୍ୟସ୍ତ ମନାହୋଇ ।

ପତିକୋଳୁ ଖସି ବସନ୍ତି ଅନ୍ୟତ୍ର ଯାଇ ॥

ସୁବର୍ଣ୍ଣ ପଦ୍ମ କଳିକା ଦ୍ୱୟ ପ୍ରାୟ କୁଚ ।

କସ୍ତୁରୀ ଚିତ୍ରେ ଭ୍ରମର ସଂଯୋଗ ସେ ଉଚ୍ଚ ॥

ସ୍ଵର୍ଣ୍ଣାବିହାରକୁ କାଢ଼ି ନିର୍ଦ୍ଦେୟେ ମର୍ଦ୍ଧନ୍ତି ।

ଅଧରେ ଚୁମ୍ବନ ଦେଇ ବାକ୍ୟେ ଆଶ୍ଵାସନ୍ତି ॥

ଅଙ୍ଗଦ ବଳୟ ସବୁ କାଢ଼ି ପକାଇଣ ।

ପୁଣି ଯଥାସ୍ଥାନେ ପିନ୍ଧାନ୍ତି ହସି ହସିଣ ॥

ମିଛେ ତୁମ୍ଭ ସଖୀକାଳୀ ଆସୁଛନ୍ତି ଦେଖ ।

କହି କୁଚକୁ ମର୍ଦ୍ଧନ୍ତି ହୋଇ ହର୍ଷମୁଖ ॥

କେତେବେଳେ କାମମତ୍ତ ହୋଇ ଦିଗମ୍ବର ।

ହୃଦୟା ପ୍ରିୟା ସହିତ କରନ୍ତି ସମର ॥

ପଦ୍ମପୁଷ୍ପ ବନ୍ୟପୁଷ୍ପେ ନାନା ଆଭରଣ ।

ପ୍ରିୟାସର୍ବାଙ୍ଗେ ମଣ୍ଡନ୍ତି ଭରଗାଭରଣ ॥

ରମ୍ୟ ଶୈଳକୁଞ୍ଜ ମାନଙ୍କରେ ଚାଲୁଥାନ୍ତି ।

ସୁରତେ କ୍ରୀଡ଼ନ୍ତି କି ମତ୍ତ ହାତୁଣୀ ହାତୀ ॥

ଯିବାବସି ବାତିଷ୍ଠ ବାକାର୍ଯ୍ୟ ମାନଙ୍କରେ ।

କ୍ଷଣେ ନଛାଡ଼ନ୍ତି ଛାୟାସମ ସ୍ତ୍ରୀ ସଙ୍ଗରେ ॥

କୈଳାସକନ୍ଦରେ ବହୁକାଳ ବାସକରି ।

ଯହିଗଣେ ଥିଲେ ମହାକୋଷୀ ଗଲେଚଳି ॥

ପ୍ରପାତେ ପ୍ରବେଶ ମାତ୍ରେ କାମରତି ସଙ୍ଗେ ।

ବସନ୍ତମିତ୍ରକୁ ଘେନି ପ୍ରବେଶ ସେ ରଙ୍ଗେ ॥

ବୃକ୍ଷଜଳ ପୃଥିବୀରେ ବସନ୍ତଭାବ ।

ପ୍ରକାଶିଲା ଶିବପାଶେ ସୁଗନ୍ଧ ସୁଲଭ ॥

ସବୁଗଛେ ଲତାରେ ଫୁଟଇ ନାନାଫୁଲ ।

ଭ୍ରମରେ ଚୁମ୍ବନ୍ତି ରସ ଗୁଣୁ ଗୁଣୁ ସ୍ଵର ॥

ନିର୍ଝର ପୁଷ୍କରିଣୀରେ ପଦ୍ମକୁ ମୁଦାଦି ।

ଫୁଟି ସୁଗନ୍ଧ ସମୀରେ ଦୋହଲୁଣଥାନ୍ତି ॥

ସୁଗନ୍ଧି ପୁଷ୍ପବାୟୁରେ ପୁର ନାରୀଗଣ ।

ମୁନିମାନଙ୍କ ମନକୁ କରନ୍ତି ହରଣ ॥

କାମଦେବ ଆଦିରସ କରନ୍ତି ଗ୍ରହଣ ।

ଦଧିଭାଣ୍ଡ ନବନୀତ ପରି ତାହାଜାଣ ॥

ସନ୍ଧ୍ୟାରେ ଅର୍ଦ୍ଧଚନ୍ଦ୍ରାଭ ପଲାଶ କୁସୁମ ।

କାମ ବସ୍ତ୍ରତୁଲ୍ୟ ଆଚ୍ଛାଦନ୍ତି ସର୍ବବନ ॥

ସରୋବରେ ପଦ୍ମ ପୁଷ୍ପ ସକଳ ଜନଙ୍କୁ ।

ଜଳ ଦେବତା ମୁଖରେ ମୋହେ ତ୍ରିଲୋକକୁ ॥

ନାଗେଶ୍ଵର ବୃକ୍ଷ ସ୍ୱର୍ଣ୍ଣବର୍ଣ୍ଣ ପୁଷ୍ପଗୁଚ୍ଛେ ।

ନାମଧ୍ୱଜ ସମମନ ହରେହର ପଛେ ॥

ହେମବର୍ଣ୍ଣ ଚମ୍ପାପୁଷ୍ପ ବହୁଳ ଫୁଟିଣ ।

ସେ ସ୍ଥାନ କୁଜନ ମନୋହର କରେ ପୁଣ ॥

ପାଟଳି ପୁଷ୍ପେ ଦିଗଦିଶେ ପାଟଳ ବର୍ଣ୍ଣ ।

ଲବଙ୍ଗଲତା ସୁଗନ୍ଧି ହରଇ ପବନ ॥

କାମକୁ ମନହରଣ କରିବା ନିମିତ୍ତ ।

ବାସନ୍ତିଲତା ପୁଷ୍ପରେ ମୋହେ ପୁଣି ଚିତ୍ତ ॥

ପୁଷ୍ପଗନ୍ଧେ ଲୋଭିହୋନ୍ତି ଭ୍ରମର ସମୂହ ।

ଅଗ୍ନିଶିଖା ସମ ଆମ୍ବ ବକୁଳଙ୍କ ଦ୍ୟୁହ ॥

କାମବାଣ ଶ୍ରେଣୀ ସଜହେଲା ପରି ଦିଶେ ।

ସୁଗନ୍ଧି ନିର୍ମଳ ସବୁ ସଲିଳ ପ୍ରକାଶେ ॥

ପୁଷ୍ପତେଜ ମୁନି ମନପରି ଆଲୋକିତ ।

ସୂର୍ଯ୍ୟରଶ୍ମି ତୁଷାରକୁ କରେ ନିବାରିତ ॥

ବିଜ୍ଞାନିଙ୍କ ମମତା ସଦୃଶ ହୃଦୟକୁ ।

ନିର୍ଭୟରେ ପିକଗଣ ଭାବନ୍ତି କୁହୁକୁ ॥

ବନପୁଷ୍ପପରେ ବସି ଭ୍ରମର ମାଳିକା ।

କାମଧନୁ ଗୁଣଟଙ୍କାର ପରି ସେ ଏକା ॥

ସ୍ତ୍ରୀ ଲୀଳାବୁଭୁକ୍ଷୁ ସ୍ମରବ୍ୟାଘ୍ର ଶବ୍ଦପରି ।

ଦୂରରୁ ଶୁଭଇ ମଳୟାନିଳ ଲହରୀ ॥

ତୁଷାର ଆବୃତସୂର୍ଯ୍ୟ ଚନ୍ଦ୍ର ପରି ଦିଶେ ।

ଜନମୋହନେ କ୍ଷତିରେ କୁଶଳ ପ୍ରକାଶେ ॥

ଚନ୍ଦ୍ର କିରଣେ ନିର୍ମଳ ରାତ୍ରି ଦିନ ପରି ।

କାମିନୀ ଏ ପ୍ରିୟସହ ରତି କ୍ରୀଡ଼ାକରି ॥

ସେକାଳେ ଶଙ୍କର ସତୀସହ ଧରାପରେ ।

ସୁଚିରକାଳ କ୍ରୀଡ଼ନ୍ତି ସରିତ କୁଞ୍ଜରେ ॥

ସତୀଦେବୀ ଶଙ୍କରଙ୍କୁ କ୍ଷଣେ ନ ଛାଡ଼ନ୍ତି ।

କ୍ଷଣ ବିଚ୍ଛେଦରେ ଦୁହେଁ ଦୁହିଁଙ୍କୁ ଝୁରନ୍ତି ॥

ସମ୍ଭୋଗକାଳେ ସେ ସତୀହରଙ୍କ ମନରେ ।

ପ୍ରବେଶିଲା ପରି ରସ ପିଆନ୍ତି ମୁଖରେ ॥

ସତୀଅଙ୍ଗ ନାନା ପୁଷ୍ପେ ଭୂଷିତ କରାଇ ।

ନର୍ମକ୍ରୀଡ଼ା କରନ୍ତି ଶଙ୍କର ଯହିଁ ତହିଁ ॥

ଆଳାପ କଟାକ୍ଷ ହାସ ପ୍ରିୟ ସମ୍ଭାଷଣେ ।

ସତୀ ମନକୁ ହରନ୍ତି ଗିରିଶ ସେ କ୍ଷଣେ ॥

ସତୀମୁଖ ଚନ୍ଦ୍ର ସୁଧାପାନେ ହୋଇ ମତ୍ତ ।

ଅନ୍ୟ ବିଷୟରେ ମନନୁହେଁ ପ୍ରଧାବିତ ॥

ପ୍ରିୟାମୁଖ ପଦ୍ମଗନ୍ଧେ ହୋଇଣ ବିହ୍ଵଳ ।

ସୌନ୍ଦର୍ଯ୍ୟ ନର୍ମକ୍ରୀଡ଼ାରେ ବନ୍ଧଦନ୍ତା ମଳ ॥

ଏପରି ସେ ହିମଗିରି ପ୍ରସ୍ଥକୁଞ୍ଜ ଭାଗେ ।

ଦରୀରେ ପ୍ରତ୍ୟହ ସଦାଶିବ ସତୀସଙ୍ଗେ ॥

ଚବିଶବର୍ଷ କ୍ରୀଡ଼ିଲେ ଅତି ଆନନ୍ଦରେ ।

ସତୀଶିବ ପଦଧ୍ୟାୟି ପ୍ରଭାକର ବୋଲେ ॥

 

ଇତି ଶ୍ରୀ କାଳିକାପୁରାଣେ ଚତୁର୍ଦ୍ଦଶୋଽଧ୍ୟାୟଃ ।

✽✽✽

 

॥ ୧୫ ॥

 

ମାର୍କଣ୍ଡେୟ ଉବାଚ

ବର୍ଷାକାଳେ ଦିନେ ସତୀ ପର୍ବତ ପ୍ରସ୍ଥରେ ।

ରହି ଶିବଙ୍କୁ କହନ୍ତି ମନ ଆନନ୍ଦରେ ॥

ସତ୍ୟୁବାଚ

ଏହି ବର୍ଷାକାଳ ଅଟେ ପରମ ଦୁଃସହ ।

ମେଘାବଳି ଘୋଟେ ଦିଶି ଆକାଶ ସମୂହ ॥

ଜଳକଣା ସଙ୍ଗେ ବାୟୁ ହୃଦୟ ବିଦାରେ ।

କଦମ୍ବ ପୁଷ୍ପ ଧୂଳିରେ ପଥସୁଧୂସରେ ॥

ମେଘଙ୍କ ଉଚ୍ଚରଡ଼ିରେ ଜଳଧାରାପାତେ ।

ତୀବ୍ର ବିଜୁଳି ଚମକେ ହୃଦକମ୍ପେ ସତେ ॥

ସୂର୍ଯ୍ୟଚନ୍ଦ୍ର କିରଣ ନଦିଶେ ଦିନମାନ ।

ରାତିପରି ଦିଶନ୍ତି ବିରହୀଙ୍କ ବଦନ ॥

ମେଘେ ଚାଲନ୍ତି ଗର୍ଜନ୍ତି ବାୟୁରେ ଉଡ଼ନ୍ତି ।

ଲୋକଙ୍କ ମସ୍ତକପରେ କି ଖସି ପଡ଼ନ୍ତି ॥

ବାୟୁଯୋଗେ ବୃକ୍ଷଗଣ ଦୋହଲାନ୍ତି ସଦା ।

ପ୍ରାଣିଗଣେ ଭୟପାନ୍ତି କାମିଙ୍କ ସୁଖଦା ॥

ନୀଳମେଘ ସମୂହ ପଛରେ ବକଶ୍ରେଣୀ ।

ନୀଳାର୍ଣ୍ଣବ ଜଳ ପଛେ ଫେନାବଳି ଜାଣି ॥

ପ୍ରତିକ୍ଷଣେ ଚଞ୍ଚଳ ମେଘାବଳି ଚଳଇ ।

ବଡ଼ବାନଳ ସମ ବିଜୁଳି ପ୍ରକାଶଇ ॥

ପୃଥିବୀ ଶ୍ୟାମଳ ଦିଶେ ତୃଣଶସ୍ୟାଙ୍କୁରରେ ।

ଶ୍ୟାମ ହିମଗିରି ଶୋଭେ ରଜତ ନିର୍ଝରେ ॥

ମନ୍ଦରାଚଳ ବୃକ୍ଷଙ୍କ ଶୁକ୍ଳ ପତ୍ରାବଳି ।

ଦୁଗ୍‌ଧବାରିଧି ସଦୃଶ ହୁଏ ମନୋହାରି ॥

କୁଟଜ କୁସୁମେଶୁକ୍କ ସର୍ବବନ ରାଜି ।

ଯଥାଲକ୍ଷ୍ମୀ ଶୁକ୍ଳପଦ୍ମେ ବସନ୍ତି ବିରାଜି ॥

ମୟୂରଗଣେ ମେଘଗର୍ଜନେ ଆନନ୍ଦିତ ।

କେକାରବେ କାନନକୁ ପୂରାନ୍ତି ରଚେତ ॥

ମେଘକୁଚାହିଁ ଚାତକେ ମଧୁରେ ରାବନ୍ତି ।

ନିକଟେ ବୃଷ୍ଟି ହେବାର ସୂଚନା ଦେଖାନ୍ତି ॥

ଆକାଶରେ ଇନ୍ଦ୍ରଧନୁ ମେଘଧାରା ଶରେ ।

ବିରହୀଙ୍କୁ ପ୍ରହାରନ୍ତି ସହିନୋହେ ବାରେ ॥

ନିର୍ଦ୍ଦୟ ମେଘ କରକା ପାତରେ ଆହୁରି ।

ମୟୂର ଚାତକ କୁଳପକାଏ ବିଦାରି ॥

ମେଘର ମିତ୍ରଙ୍କ ପ୍ରତିଦୁବ୍ୟାପାର ଦେଖି ।

ଦୂରମାନସକୁଯାନ୍ତି ମାନେ ହଂସପଷୀ ॥

ଏହି ବିଷମକାଳେ କାକଚକୋର ବିହଗେ ।

ବସାରେ ରହନ୍ତି ତୁମ୍ଭେ ଗୃହଶୂନ୍ୟ ଯୋଗେ ॥

ପଦାରେ ମୁଁ ଡରୁଅଛି ମେଘ ରୀତି ଦେଖି ।

ଶୀଘ୍ରବାସ ଖଣ୍ଡେକର ରହିବା ତହିଁକି ॥

କୈଳାସେ ବା ହିମାଳୟେ ମହାକୋଷୀଠାରେ ।

ଇଚ୍ଛାମତେ ଘରକର ରହିବା ସୁଖରେ ॥

ସତୀ ବାକ୍ୟ ଶୁଣି ଶିବ ମନ୍ଦ ହାସକଲେ ।

ମସ୍ତକ ଚନ୍ଦ୍ର କଳାଦି ହସିଲା ଧଳାରେ ॥

ହାସେ ଓଷ୍ଠ ବିସ୍ତରିଲା ମହାଦେବଙ୍କର ।

କୋମଳ ବାକ୍ୟେ ପ୍ରିୟାଙ୍କୁ ବୁଝନ୍ତି ଶଙ୍କର ॥

ଈଶ୍ଵର ଉବାଚ

ଯେ ସ୍ଥାନେ ତୁମ୍ଭର ଖୁସି କରିପାରେ ଘର ।

ମୋଘର କୈଳାସେପରି ଦେଖି ବହେଚାଲ ॥

ମୋ ଘରକୁ ମେଘ କେବେ ନ ବରଷେ ଜଳ ।

ଯେଣୁ କୈଳାସ କଟିରେ ଖେଳେ ନିରନ୍ତର ॥

ଶୈଳ ଉପରକୁ ଉଠି ନପାରେ ଜଳଦ ।

ତେଣୁ ଆମ୍ଭ ଘରେ ନାହିଁ ବଳାହକ ଖେଦ ॥

ସୁମେରୁ ଶୈଳଶିଖରେ ନାହିଁ ମେଘଗତି ।

ଜମ୍ବୁ ମୂଳଯାଏ ଯାଇ ମେଘ ଖସେ ତତି ॥

ଏହି ଶୈଳମଧ୍ୟୁ ଯେଠାରେ ତୁମ୍ଭର ଇଚ୍ଛା ।

ସେଠାରେ କରିବା ଘରକହ ମନୋବାଞ୍ଛା ॥

ଏ ହିମଗିରିରେ ସ୍ଵେଚ୍ଛା ବିହାର କ୍ରମରେ ।

ସୁବର୍ଣ୍ଣ ପକ୍ଷପକ୍ଷୀଙ୍କ ପକ୍ଷାଘାତାନିଳେ ॥

ତାଙ୍କ ମଧୁର କୂଜନ ଶୁଣି ଏହିଠାରେ ।

ମନସୁଖେ ବିହରିବା କାର୍ଯ୍ୟ ନାହିଁ ଘରେ ॥

ସିଦ୍ଧାଙ୍ଗନାଗଣ ଫଳପୁଷ୍ପ ଉପହାରେ ।

ତୁମ୍ଭସଙ୍ଗେ ସହଚରୀ ହୋଇବା ଆଶାରେ ॥

ମଣି ନିର୍ମିତ ଏସ୍ଥାନେ ଭେଟିବାକୁ ଆସି ।

ଦେଖି ମନୋରଥ ସାଧିହେବ ବଡ଼ ଖୁସି ॥

ଦେବକନ୍ୟା ନାଗକନ୍ୟା ଗିରିକନ୍ୟା ଗଣ ।

ସବୁବେଳେ ସହାୟତା ତୁମ୍ଭର କରିଣ ॥

ତୁମ୍ଭ ସଙ୍ଗେ ଗିରିବନେ ଖେଳି ନାନାମତେ ।

ସୁଖ ଜନ୍ମାଇବେ ସଖୀ କହିବି ମୁଁ କେତେ ॥

ତୁମ୍ଭର ଅତୁଳରୂପ ସୁନ୍ଦର ବଦନ ।

ଦେଖି କନ୍ୟାଗଣ ନିଜରୂପ ଅନୁମାନ ॥

କରି ଲଜ୍ଜାରେ ନିନ୍ଦନ୍ତି ନିଜ ରୂପକାନ୍ତି ।

ତୁମ୍ଭ ଚାରୁରୂପ ନିର୍ନିମିଷେ ଚାହୁଁଥାନ୍ତି ॥

ମଣି ନିର୍ମିତ ଏ ସ୍ଥାନେ ଭେଟିବାକୁ ଆସି ।

ଦେଖି ମନୋରଥ ସାଧିହେବେ ବଡ଼ ଖୁସି ॥

ଦେବକନ୍ୟା ନାଗକନ୍ୟା ଗିରି କନ୍ୟାଗଣ ।

ସବୁବେଳେ ସହାୟତା ତୁମ୍ଭର କରିଣ ॥

ତୁମ୍ଭ ସଙ୍ଗେ ଗିରିବନେ ଖେଳି ନାନାମତେ ।

ସୁଖ ଜନ୍ମାଇବେ ସଖୀ କହିବି ମୁଁ କେତେ ॥

ତୁମ୍ଭର ଅତୁଳରୂପ ସୁନ୍ଦର ବଦନ ।

ଦେଖି କନ୍ୟାଗଣ ନିଜ ରୂପ ଅନୁମାନ ॥

କରି ଲଜ୍ଜାରେ ନିନ୍ଦନ୍ତି ନିଜ ରୂପ କାନ୍ତି ।

ତୁମ୍ଭ ଚାରୁରୂପ ନିର୍ନିମିଷେ ଚାହୁଁଥାନ୍ତି ॥

ହିମାଳୟ ପତ୍ନୀ ମେନା ତ୍ରୈଲୋକ୍ୟ ସୁନ୍ଦରୀ ।

ମାତାସମ ତୁମ୍ଭର ହୋଇବେ ସହଚରୀ ॥

ସେ ମଧ୍ୟ ତୁମ୍ଭଙ୍କୁ ଅତି ସ୍ନେହରେ ଦେଖିବେ ।

ନାନାହିତ ବାକ୍ୟ କହି ମନକୁ ତୋଷିବେ ॥

ଗିରିରାଜବନ୍ଦ୍ୟା ପୁର ସ୍ତ୍ରୀଗଣଙ୍କ ସଙ୍ଗେ ।

ତୁମ୍ଭେ ଏ ସ୍ଥାନରେ କ୍ରୀଡ଼ାକର ନାନାରଙ୍ଗେ ॥

ନିଜ କୁଳୋଚିତ ଶିକ୍ଷା ବଳରେ ଯେ ତୁମ୍ଭେ ।

ସେମାନଙ୍କ ସମାଦର ପାଇବ ଯେ ଦମ୍ଭେ ॥

ବିଚିତ୍ର କୋକିଳ ରାବ ଲତିକୁଞ୍ଜ ରମ୍ୟ ।

ବସନ୍ତ ଶୋଭା ସର୍ବତ୍ର ଅତି ମନୋରମ ॥

ଏ ସ୍ଥାନେ ତେଜି ଅନ୍ୟତ୍ର ଯିବାକୁ ଇଚ୍ଛ ।

ଜଳପୂର୍ଣ୍ଣ ସରୋବର ଦିଶେ ଅତି ସ୍ଵଚ୍ଛ ॥

ପଦ୍ମପୁଷ୍ପ ପରିପୂର୍ଣ୍ଣ ସନିଝର ଗିରି ।

କାମପ୍ରଦ ବୃକ୍ଷେତୃଣେ ରହିଅଛି ପୂରି ॥

ଆଭରଣ ପାଇଁ ନାନାକୁସୁମ ସୁଲଭ ।

ଶ୍ଵାପଦେହିଂ ସାରହିତ ତପସ୍ଵୀଙ୍କ ଭାବ୍ୟ ॥

ବିବିଧ ଦେବ ମନ୍ଦିରେ ପରିପୂର୍ଣ୍ଣ ଶୈଳ ।

ସ୍ପଟିକସ୍ଵର୍ଣ୍ଣ ରଜତ ଶୃଙ୍ଗେ ପରିମଳ ॥

ମାନସାଦି ସରୋବର ମାନଙ୍କେ ଭୂଷିତ ।

ରତ୍ନନାଡ଼ ସ୍ୱର୍ଣ୍ଣପଦ୍ମକଢ଼େ ପରିବୃତ ॥

ଶିଶୁମାର ଶଙ୍ଖମତ୍ସ୍ୟ କଚ୍ଛପରେ ପୂର୍ଣ୍ଣ ।

ମନୋରମ ନୀଳୋତ୍ପଳ ପୁଷ୍ପେ ସୁବିସ୍ତୀର୍ଣ୍ଣ ॥

ଦେବସ୍ତ୍ରୀଙ୍କ ସ୍ନାନଯୋଗେ ସୁଗନ୍ଧ ସଲିଳ ।

କୁଙ୍କୁମାଦି ଅଙ୍ଗରାଗେ ଅତି ପରିମଳ ॥

ତୀରେ ନାନା ବୃକ୍ଷଗଣ ପକ୍ଷୀଙ୍କ ସ୍ଵନରେ ।

ମୁଖରିତ ଜଳାଣୟ ଜନମନହରେ ॥

କାଦମ୍ବ ସାରସ ଚକ୍ରବାକ ଭ୍ରମରରେ l

ପରିପୂର୍ଣ୍ଣ ଲତାବୃକ୍ଷ ଅମଙ୍ଗଳ ହରେ ॥

ଇନ୍ଦ୍ର କୁବେର ଯମ ବରୁଣ ଅଗ୍ନିଙ୍କର ।

ରାକ୍ଷସରାଜା ପବନ ଦେବତାଙ୍କ ଘର ॥

ଶଚୀରମ୍ଭା ମେନକାଦି ସ୍ତ୍ରୀଗଣେ ବେଷ୍ଠିତ । ।

ଅତି ଦୁର୍ଲଭ ସ୍ଥାନ ଏ ନାହି ତ୍ରିଜଗତ ॥

ଅନେକ ଅପ୍‌ସରାଗଣ ତୁମ୍ଭଙ୍କୁ ସେବିବେ ।

ଶଚୀସ୍ଵୟଂ ତୁମ୍ଭ ଆରାଧନାରେ ରହିବେ ॥

ଅଥବା ମୋ ପୁର କୈଳାସକୁ ଇଚ୍ଛାକର ।

କୁବେର ପୁର ଉପରେ ଅଟେ ମୋର ପୁର ॥

ପୂର୍ଣ୍ଣଚନ୍ଦ୍ର ତୁଲ୍ୟଗଙ୍ଗା ଜଳେ ସେ ପ୍ଳାବିତ ।

ସାନୁ କନ୍ଦରାରେ ଯକ୍ଷକନ୍ୟା ପରିବୃତ ॥

ନାନାବିଧ ମୃଗଗଣେ ଶାବ୍ଦଳେ ଚରନ୍ତି ।

ପଦ୍ମପୁଷ୍ପେପୂର୍ଣ୍ଣ ଜଳାଶୟ ତହି ଥାନ୍ତି ॥

ଏ ସ୍ଥାନ ମଧ୍ୟରୁ ଯହିଁ ତୁମ୍ଭ ଇଚ୍ଛାହୁଏ ।

କହିଲେ ଗୃହ କରିବି ନାହିଁ ମୋର ଭୟେ ॥

ମାର୍କଣ୍ଡେୟ ଉବାଚ

ଶିବଙ୍କ ବଚନ ଶୁଣି ଦାକ୍ଷାୟାଣୀ ସତୀ ।

ସୁମଧୁର ସ୍ଵରେ ପତି ସମ୍ବୋଧି କହନ୍ତି ॥

ସତ୍ୟୁବାଚ

ହିମାଳୟେ ବାସ କରିବାକୁ ଇଚ୍ଛାମୋର ।

ସେ ସ୍ଥାନରେ ଅତି ଶୀଘ୍ରକର ତୁମ୍ଭେ ଘର ॥

ମାର୍କଣ୍ଡେୟ ଉବାଚ

ପ୍ରିୟାବାକ୍ୟେ ମହାନନ୍ଦ ଲଭି ମହେଶ୍ଵର ।

ହିମଗିରି ଶିଖରକୁ ଚଳିଲେ ସତ୍ୱର ॥

ସିଦ୍ଧାଙ୍ଗନା ଗଣେ ବୃତ ମେଘ ଭୟ ନାହିଁ ।

ପକ୍ଷୀଗଣ ସେ ଉଚ୍ଚକୁ ନପାରନ୍ତି ଯାଇ ॥

 

 

ମରୀଚ ବନରେ ପୂର୍ଣ୍ଣ ସେହି ରମ୍ୟ ସ୍ଥାନ ।

ବିପ୍ର ପ୍ରଭାକର ଗୀତେ କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ ପଞ୍ଚମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୧୬ ॥

 

ମାର୍କଣ୍ଡେୟ ଉବାଚ

ସ୍ଵର୍ଣ୍ଣରୋପ୍ୟ ନାନାରତ୍ନେ ବିତିତ୍ର ଈଶ୍ଵର ।

ବାଳସୂର୍ଯ୍ୟ ସମଶୈଳ ଆରୋହି ଈଶ୍ଵର ॥

ସ୍ପଟିକବର୍ଣ୍ଣ ମେଘରେ ଆବୃତ ସେ ସ୍ଥାନ ।

ତୃଣ ବୃକ୍ଷଲତା ମାନଙ୍କରେ ପରିପୂର୍ଣ୍ଣ ॥

ନାନାବିଧ ପୁଷ୍ପଲତା ବେଷ୍ଟିତ ସରସୀ ।

ପୁଷ୍ପଯୁତ ବୃକ୍ଷଡାଳେ ଭ୍ରମରେ ଯେ ବସି ॥

ପଦ୍ମ କୁମୁଦରେ ପୂର୍ଣ୍ଣ ସରୋବରଗଣ ।

ହଂସମଦ୍‌ଗୁ ଚକ୍ରବାକେ କରନ୍ତି ସୁସ୍ଵନ ॥

ପ୍ରମତ୍ତ ସାରସକୌଞ୍ଚ ମୟୂରଙ୍କ ରବ ।

ଫୁସ୍କୋକିଳ କଳସ୍ଵନେ ସୁରମ୍ୟ ଅତୀବ ॥

କିନ୍ନର ସିଦ୍ଧଗୃହ୍ୟକ ଅପ୍‌ସରାଙ୍କ ଗଣ ।

କିନ୍ନରୀ ବିଦ୍ୟାଧାରୀ ଦେବନାରୀ ଭ୍ରମଣ ॥

ପୁରନାରୀ ଗିରିକନ୍ୟାଗଣ ନୃତ୍ୟଗୀତେ ।

ବୀଣା ମୃଦଙ୍ଗ ପଟହ ବଜାନ୍ତି ସନ୍ତତେ ॥

ଅପ୍‌ସରାଗଣଙ୍କ ନୃତ୍ୟ ମନକୁ ମୋହଇ ।

ସୁଗନ୍ଧ ଦେବଲତାରେ କୁଞ୍ଜ ହୋଇଥାଇ ॥

କୁଞ୍ଜେପରି ନାନାପୁଷ୍ପ ଫୁଟି ବାସୁଥାନ୍ତି ।

ହିମାଳୟ ପୁରପାର୍ଶେ ହରଙ୍କ ବସତି ॥

ସତୀସହ କ୍ରୀଡ଼ାରତ ରମ୍ୟ ହିମାଳୟେ ।

ସ୍ଵର୍ଗତୁଲ୍ୟ ସେହିସ୍ଥାନ ସତୀ ମନ ମୋହେ ॥

ଦିବ୍ୟଦଶ ସହସ୍ର ବରଷ ସତୀସଙ୍ଗେ ।

କ୍ରୀଡ଼ାରତ ହେଲେ ଶିବ ରହି ନାନାରଙ୍ଗେ ॥

କେବେ କୈଳାସ ଶୈଳକୁ ବୁଲିବାକୁ ଯାନ୍ତି ।

କେବେ ମେରୁଶିଖରରେ ଭ୍ରମଣ କରନ୍ତି ॥

ଦେବଦେବୀଗଣ ଦେଖା କରନ୍ତି ସନ୍ତତ ।

ଦିକ୍‌ପାଳଙ୍କ ଉପବନେ ଭ୍ରମନ୍ତି କେବେ ତ ॥

ଗିରିବନେ ପୃଥ୍ୱୀତଳେ ବିଚରନ୍ତି କେବେ ।

ଦିନ ରାତି ନଜାଣନ୍ତି ନାରୀସଙ୍ଗ ଲଭେ ॥

ସତୀଦେବୀ ପତିମୁଖ ଦେଖନ୍ତି ସର୍ବଦା ।

ଶିବ ମଧ୍ୟ ସତୀ ମୁଖ ଦେଖୁଥାନ୍ତି ସଦା ॥

ଏହିପରି ପରସ୍ପର ସଂଯୋଗ ବସରୁ ।

ସ୍ନେହଜଳ ସେଚନେ ବଢ଼ିଲା ପ୍ରେମତରୁ ॥

ଏ ମଧ୍ୟରେ ବିଶ୍ଵହିତେ ଦକ୍ଷ ପ୍ରଜାପତି ।

ମହାଯଜ୍ଞ ଆରମ୍ଭିଲେ ରଖି ଧର୍ମମତି ॥

ଅଠାଶୀ ସହସ୍ରରୁ ଦ୍ଵିଜ ବରଣ ହେଲେ ।

ଚୌଷଠି ସହସ୍ର ଉଦ୍‌ଗାତ ତହିଁ ରହିଲେ ॥

ଅଧ୍ୱର୍ଯୁ ହୋତାଙ୍କ ସଂଖ୍ୟା ସେହି ପରିମାଣେ ।

ନାରଦାଦି ଋଷିଗଣ ରହିଲେ ସେ ସ୍ଥାନେ ॥

ମରୁତଗଣଙ୍କ ସଙ୍ଗେ ବିଷ୍ଣୁ ଅଧିଷ୍ଠାତା ।

ବିଧି ପ୍ରଦର୍ଶକ ହେଲେ ସେ ଯଜ୍ଞେ ବିଧାତା ॥

ଦିଗପାଳଗଣ ଯଜ୍ଞେ ହେଲେ ଦ୍ୱାରପାଳ ।

ସ୍ୱୟଂ ପୃଥ୍ୱୀଦେବୀ ବେଦୀହେଲେ ସେ ଯାଗର ॥

ସହସ୍ର ପ୍ରକାର ରୂପ ଧରି ଅଗ୍ନି ଦେବ ।

ସେ ଯଜ୍ଞେ ହବି ଭୁଞ୍ଜିଲେ ସନ୍ତୋଷ ସ୍ଵଭାବ ।

ମରୀଚ୍ୟାଦି ମୁନିଏ ପବିତ୍ରହସ୍ତ ହୋଇ ।

ଅଗ୍ନିଙ୍କୁ ଆମନ୍ତ୍ରୀ ହବି ପ୍ରଦାନନ୍ତି ନେଇ ॥

ସାମିଧେନୀଗଣ ଅଗ୍ନିଶିଖା ପ୍ରଜ୍ଵାଳନ୍ତି ।

ସପ୍ତଋଷିମାନେ ସାମଗାନକୁ କରନ୍ତି ॥

ବେଦପାଠେ ଦିଗବିଦିଗ ଧରା ଆକାଶ ।

ସର୍ବଦା କମ୍ପିତ ହେଲା ସେହି ବେଦଘୋଷ ॥

ଋଷିଦେବ ମନୁଷ୍ୟ ପକ୍ଷୀ ଉଦ୍ଭିଦମାନେ ।

ତୃଣ ପଶୁ ମୃଗ ଗନ୍ଧର୍ବ କିନ୍ନରଗଣେ ॥

ବିଦ୍ୟାଧର ସିଦ୍ଧ ସାଧ୍ୟ ଆଦିତ ଯେ ଯକ୍ଷ ।

ସ୍ଥାବର ନାଗରଣଙ୍କୁ ବରିଲେ ସେ ଦକ୍ଷ ॥

କଳ୍ପ ମନ୍ଵନ୍ତର ଯୁଗ ବର୍ଷ ମାସ ଦିନ ।

କଳାକାଷ୍ଠା ନିମେଷାଦି କରିଲେ ଚରଣ ॥

ମହର୍ଷି ଦେବର୍ଷି ରାଜଋଶି ରାଜାମାନେ ।

ରାଜପୁତ୍ର ମନ୍ତ୍ରୀସୈନ୍ୟ ଆସିଲେ ସେ ସ୍ଥାନେ ॥

ଗଣଦେବତା ଯେ ଅଷ୍ଟବସୁ ନବଗ୍ରହ ।

ଆମନ୍ତ୍ରଣେ ଆସି ଯଜ୍ଞେ ପ୍ରବେଶ ସମୂହ ॥

କୀଟ ପତଙ୍ଗ ବାନର ଜଳଜ ଶ୍ଵାପଦ ।

ବିଘ୍ନଗଣ ମେଘଗଣ ଶୈଳ ନଦୀ ନଦ ॥

ସମୁଦ୍ର ସରସୀ ବାପୀ ହୋଇ ନିମନ୍ତ୍ରିତ ।

ଯଜ୍ଞେ ହବିର୍ଭାଗ ଭୋଗକଲେ ହୋଇ ତୃପ୍ତ ॥

ପାତାଳବାସୀ ଅସୁରେ ନାଗ ନାଗନାରୀ ।

ଚତୁର୍ଦ୍ଦଶ ଲୋକେ ଯେତେ ଥିଲେ ଜୀବଧାରୀ ॥

ସମସ୍ତଙ୍କୁ ବରି ସର୍ବ ସ୍ଵଦକ୍ଷିଣ ଯାଗେ ।

କେବଳ ଶିବଙ୍କୁ ନବରିଲେ ଦକ୍ଷ ରାଗେ ॥

କପାଳଧାରୀ ହେତୁ ଯଜ୍ଞେ ଅଯୋଗ୍ୟ ବୋଲି ।

ତାଙ୍କ ଭାର୍ଯ୍ୟାଯୋଗେ ସତୀକନ୍ୟାଙ୍କୁ ନଭାଳି ॥

ସତୀ ଶୁଣିଲେ ପିତାଙ୍କ ଯଜ୍ଞ ମହୋତ୍ସବ ।

ଆମ୍ଭଙ୍କୁ ଖୋଜିଲେ ନାହିଁ ବଡ଼ ଅସମ୍ଭବ ॥

କ୍ରୋଧେ ମୁଖ ନେତ୍ର ଆରକ୍ତବର୍ଣ୍ଣ ହୋଇଲା ।

ଶାପବଳେ ଦକ୍ଷଙ୍କୁ ନାଶିବେ ମନହେଲା ॥

ପୂର୍ବେ ସତ୍ୟ କରିଥଲେ ପିତୃ ଅପମାନେ ।

ଦେହ ତେଜିବି ଶାପ ନଦେବି ଅକାରଣେ ॥

କନ୍ୟାର୍ଥୀ ହୋଇଣ ଦକ୍ଷ ଯେବେ କଲେ ତପ ।

ସେକାଳେ ଭାବିଲେ କେବେ ଦେବିନାହିଁ ଶାପ ॥

ପିତୃ ଅନାଦରେ ପ୍ରାଣ ତେଜିବି ନିଶ୍ଚୟ ।

ତାହା ମନେକରି ନିଜରୂପ କଲେ ଲୟ ॥

ଯେଉଁରୂପ ହରିଙ୍କର ଯୋଗନିଦ୍ରାତ୍ମକ ।

ସେ ରୂପକୁ ଚିନ୍ତାକଲେ କରି ମନେ ଦୁଃଖ ॥

ବ୍ରହ୍ମବାକ୍ୟେ ଦକ୍ଷ ତପେ ମୁଁ ହୋଇଲି ଜାତ ।

ଏ ମଧ୍ୟରେ ଶିବବୀର୍ଯ୍ୟେ ନୋହିଲା ମୋ ସୁତ ॥

କେବଳ ମୋପରି ନାରୀଠାରେ ଶିବରତ ।

ଏହି ମାତ୍ର ଦେବକାର୍ଯ୍ୟ ହେଲା ସମ୍ପାଦିତ ॥

ମୋ ବିନା ଅନ୍ୟରମଣୀ ଶିବଭୋଗ୍ୟ ନୁହେଁ ।

ତଥାପି ମୁଁ ଦେହତ୍ୟାଗ କରିବି ଯେ କୋହେ ॥

ଶିବଙ୍କ ନିମିତ୍ତ ହିମାଳୟ ପତ୍ନୀଠାରେ ।

ଜନ୍ମହୋଇ ଶିବଙ୍କୁ ଲଭିବି ପତିତ୍ୱରେ ॥

ଶିବ ସଙ୍ଗେ ହିମାଳୟେ କ୍ରୀଡ଼ାରତ କାଳେ ।

ମେନକା ମୋ ପ୍ରତି ସ୍ନେହଭାବ ବଢ଼ାଇଲେ ॥

ତେଣୁ ସେ ମୋ ମାତାହେବେ ମୁଁ ତାଙ୍କର ସୁତା ।

ହୋଇ ଯଥାକାଳେ ହେବି ଶିବଙ୍କ ବନିତା ॥

ଏପରି ମନେଚିନ୍ତିଣ କ୍ରୋଧେ ଅଗ୍ନିସମା ।

ହୋଇ ତନୁ ଦଗ୍‌ଧଳଲେ ସତୀ ମନୋରମା ॥

ତନୁ ଯଷ୍ଟିର ହାରକୁ ବାୟୁପୂର୍ଣ୍ଣ କରି ।

ଯୋଗେ ଦେହ ତ୍ୟାଗକଲେ ତ୍ରୈଲୋକ୍ୟସୁନ୍ଦରୀ ॥

ସତୀ ପ୍ରାଣତ୍ୟାଗ ଦେଖି ଦେବେ ଆକାଶରେ ।

ହାହାକାର କରି ଶୋକକଲେ ସେ ଅଧୀରେ ॥

ତହୁଁ ସତୀ ଭଗିନୀ ସୁତା ବିଜୟା ଦେବୀ ।

ସତୀମୃତ୍ୟୁସ୍ଥାନେ ଆସି ପ୍ରବେଶିଲେ ଭାବି ॥

ସତୀଙ୍କୁ ମରିବା ଦେଖି କାତରେ କାନ୍ଦିଲେ ।

ହେସତୀ କୁଆଡ଼େଗଲ କି ଥିଲା କପାଳେ ॥

ଅତି ଦୁଃଖେ ମାଉସୀ ବୋଲିଣ ଉଚ୍ଚେ କାନ୍ଦେ ।

ପିତୃ ଅପମାନେ ପ୍ରାଣତେଜିଲା ହେ ବନ୍ଦ୍ୟେ ॥

ଏପରି ଅପ୍ରିୟ ଦେଖି କିରୂପେ ବଞ୍ଚିବି ।

ସତୀମୁଖ ହସ୍ତଦ୍ୱାରା ଆଉଁସନ୍ତି ଦେବୀ ॥

ବିକଳେ କାନ୍ଦନ୍ତି ସତୀ ମୁଖକୁ ସୁଙ୍ଘନ୍ତି ।

ଲୋତକ ଜଳେ ସତୀ ହୃଦୟକୁ ବୁଡ଼ାନ୍ତି ॥

କେଶଗୁଛ ହସ୍ତେ ତୋଳି ମୁଖକୁ ଦେଖନ୍ତି ।

ନିଜଶିର ଊର୍ଦ୍ଧ୍ୱ ଅଧେ କମ୍ପାଇ କାନ୍ଦନ୍ତି ॥

ହୃଦଶିର ନିଜକରେ ବାଡ଼ାନ୍ତି ନିର୍ଦ୍ଦୟା ।

ସାଶ୍ରୁକଣ୍ଠେ ଏହିକଥା କହନ୍ତି ବିଜୟା ॥

ତୁମ୍ଭ ମୃତ୍ୟୁ ଶୁଣି ମାତା ବିରିଣୀ ସୁନ୍ଦରୀ ।

ଅଚିରେ ପ୍ରାଣ ତେଜିବେ ତୁମ୍ଭ ଗୁଣ ସ୍ମରି ॥

ନିର୍ଦ୍ଦୟ ପିତାଙ୍କ ମନ ହେବ ଛଟପଟ ।

ପ୍ରାଣ ତେଜିବେ ଶୁଣିଣ ତୁମ୍ଭ ମୃତ୍ୟୁ ଘଟ ॥

ନିଜ ନୃଶଂସ କର୍ମରେ ଅନୁତପ୍ତ ହେବେ ।

ଶୋକାକୁଳେ ପ୍ରାଣତେଜି ତୁମ୍ଭଙ୍କୁ ଭେଟିବେ ॥

ଯାଜ୍ଞିକ ଜ୍ଞାନୀ ହୋଇ ସେ ଯଜ୍ଞ କରୁଛନ୍ତି ।

ତୁମ୍ଭ ମୃତ୍ୟୁ ଶୁଣି ସେ ଯାଗ ତେଜିପାରନ୍ତି ॥

ହେ ମାଉସୀ କଥା କହି ମୋତେ ଶାନ୍ତି କର ।

ନହେଲେ ତେଜିବି ପ୍ରାଣ ତୁମ୍ଭରି ଉପର ॥

ଶିବଙ୍କ ସହ ମୋହର ସଦ୍ଭାବକୁ ଜାଣି ।

ସେହିରାଗେ ମୋତେ ଅବା ନକହୁଚ ବାଣୀ ॥

ସେହିମୁଖ ନାସା କର୍ଣ୍ଣ ଚକ୍ଷୁ ପୂର୍ବପରି ।

କିନ୍ତୁ ବିଳାସରେ ଶୂନ୍ୟ ଇନ୍ଦ୍ରିୟ ତୁମ୍ଭରି ॥

ହର୍ଷରହିତ ମୁଖକୁ ଦେଖି ଶୂଳପାଣି ।

ତୁମ୍ଭର ଅମୃତ ସମ ବଚନ ନ ଶୁଣି ॥

ବାରମ୍ବାର ସତ୍ୟବାକ୍ୟ କହି ତୁମ୍ଭ ଆଗେ ।

ତୁମ୍ଭକଥା ନଶୁଣି ସେ ତାତିଯିବେ ରାଗେ ॥

ତୁମ୍ଭପରି ଏକ ନାରୀ କରିବେ ବିବାହ ।

ତୁମ୍ଭବିନା ଦୁଃଖଶୋକ ହୋଇବେ ସେ ମୋହ ॥

ନିରୁତ୍ସାହ ନିଶ୍ଚେଷ୍ଟ ହୋଇବେ ଦିଗମ୍ବର ।

ଏହାଭାବି ପଦେ କଥା କହ ମୋ ଆଗର ॥

ସତୀଗୁଣ ଗୁଣି ସେହି ବିଜୟା ନନ୍ଦିନୀ ।

ଅତିଶୋକାକୁଳା ହୋଇ ଭୂମିରେ ଲୋଟଣି ॥

ଭଚ୍ଚସ୍ୱରେ କାନ୍ଦି ଉପରକୁ ବାହୁ ଟେକି ।

ଅସ୍ଥିରେ କମ୍ପନ୍ତି ଗୀତେ ପ୍ରଭାକର ଲେଖି ॥

 

ଇତି ଶ୍ରୀ କାଳିକାପୁରାଣେ ସତୀ

ଦେହତ୍ୟାଗୋ ନାମ ଷୋଡ଼ଶୋଽଧ୍ୟାୟଃ ।

✽✽✽

 

॥ ୧୭ ॥

 

ମାର୍କଣ୍ଡେୟ ଉବାଚ

ଏଥୁଅନ୍ତେ ସଦାଶିବ ମାନସ ହ୍ରଦରେ ।

ସନ୍ଧ୍ୟା ବନ୍ଧନାଦି ସାରି ଆସିବାର ବେଳେ ॥

ବିଜୟା କ୍ରନ୍ଦନ ଶୁଣି ସତୀ ବିୟୋଗରେ ।

ବେଗଗାମି ବୃଷଭ ଆରୋହି ତରତରେ ॥

ନିଜ ଆଶ୍ରମେ ପ୍ରବେଶି ପ୍ରିୟା ମୃତ୍ୟୁ ଜାଣି ।

ନିକଟେ ପ୍ରବେଶି ମରିବା ସ୍ନେହେ ନ ଗଣି ॥

ତହୁଁ. ବଦନକୁ ଚାହିଁ ବାରମ୍ବାର ପୋଛି ।

କହନ୍ତି କିମ୍ପା ଶୋଇଛ ନକହୁଛ କିଛି ॥

ତହୁଁ ଶିବ ବାକ୍ୟ ଶୁଣି ବିଜୟା କନ୍ୟକା ।

ଯେପରି ମୃତ୍ୟୁ ଲଭିଲେ କହନ୍ତି ତା ଏକା ॥

ବିଜୟୋବାଚ

ଯଜ୍ଞପାଇଁ ଦକ୍ଷଦେବ ଦାନବ ରାକ୍ଷସ ।

ଗୃହ୍ୟକ ସିଦ୍ଧ ଗନ୍ଧର୍ବ ଉରଗ ମନୁଷ୍ୟ ॥

ବ୍ରହ୍ମା ହରିଙ୍କୁ ନିମନ୍ତ୍ରୀ ଯଜ୍ଞ ଆରମ୍ଭିଲେ ।

ତୁମ୍ଭ ଦୁହିଙ୍କୁ ନ ଡାକି ଅପମାନ ଦେଲେ ॥

ଏକଥା ମୋ ଠାରୁ ଶୁଣି ଦେବୀ ଦାକ୍ଷାୟଣୀ ।

ପଚାରିଲେ କିମ୍ବା ଆମ୍ଭଙ୍କୁ କଲେ ବିମାନୀ ॥

ମୁଁ କହିଲି କପାଳ ଧାରୀ ଶଙ୍କର ଦେବ ।

ଯାଗରେ ଅଯୋଗ୍ୟ ତାଙ୍କ ନାରୀ ନ ଆସିବ ॥

ଏକଥା ବିରିଣୀ ଆଗେ ଦକ୍ଷ କହୁଥିଲେ ।

ଏକାନ୍ତରେ ଅନ୍ତଃପୁରେ କେହି ଯେ ନଥିଲେ ॥

ମୁଁ ଥାଇ ଶୁଣିଲି ତା କହିଲି ସତୀ ଆଗେ ।

ତହୁଁ ସତୀ କ୍ରୋଧଯୁତା ହେଲେ ଅତିବେଗେ ॥

ଏହାଶୁଣି ସତୀ ରୋଷେ ତଳକୁ ଚାହିଁଲେ ।

କ୍ରୋଧପରାୟଣା ମୋତେ କିଛି ନକହିଲେ ॥

ମୁଖ ନେତ୍ର ଆରକ୍ତ ହୋଇଲା ସେହିକ୍ଷଣି ।

ଭ୍ରୂକୁଟି ବକ୍ର ମଳିନ ହୋଇଗଲା ପୁଣି ॥

ଇନ୍ଦ୍ରିୟ କୁହରେ ବାୟୁ ପୂରାଇ ତକ୍ଷଣେ ।

ଶିରଦ୍ଵିଧା କରି ପ୍ରାଣ ତେଜିଲେ ବହନେ ॥

ମାର୍କଣ୍ଡେୟ ଉବାଚ

ବିଜୟା ବଚନେ ହର କ୍ରୋଧେ ଥର ଥର ।

ପ୍ରଦୀପ୍ତ ଅଗ୍ନି ସଦୃଶ ଉଠିଲେ ପ୍ରଖର ॥

ଶିବଙ୍କ କର୍ଣ୍ଣ ନାସିକା ଚକ୍ଷୁ ବଦନରୁ ।

ଅଗ୍ନିକଣା ବାହାରି ରଡ଼ି କରେ ଦୂରରୁ ॥

ପ୍ରଳୟ ସୂର୍ଯ୍ୟ ସମାନ ବହୁ ଉଲ୍‌କା ପାତ ।

ହେବାପରେ ଗଲେ ହର ଦକ୍ଷଯଜ୍ଞ କ୍ଷେତ୍ର ॥

କୁଣ୍ଡପାଶେ ଦକ୍ଷ ବସି ଯାଗ କରୁଥିଲେ ।

ଶିବଙ୍କୁ ଦେଖି ଭୟରେ ଅନ୍ୟସ୍ଥାନେ ଗଲେ ॥

ଶିବ ଦକ୍ଷଙ୍କୁ ଦେଖି ବଢ଼ିଲା ତାଙ୍କ କୋପ ।

ଦେଖିଲେ ଯଜ୍ଞପାତ୍ରରେ ପୂର୍ଣ୍ଣ ନାନାରୂପ ॥

ଆହୁତି ଗ୍ରହଣେ ଅତି ଦୀପ୍ତ ହୁତାଶନ ।

ଦିଗପାଳେ ସାୟୁ ଧରେ ଛନ୍ତି ଯଥାସ୍ଥାନ ॥

ହରି ବ୍ରହ୍ମା ଯାଗ ବେଦୀମଧ୍ୟେ ଛନ୍ତି ବସି ।

ତାଙ୍କୁ ଦେଖି ବେଶି କୋପାନ୍ଵିତ ହେଲେ କାଶୀ ॥

ଚନ୍ଦ୍ର ସୂର୍ଯ୍ୟ ସସ୍ତ୍ରୀକ ହୋଇଣ ତହିଁଛନ୍ତି ।

ଇନ୍ଦ୍ର ଗୌତମଙ୍କ ସହ ପୂର୍ବରେ ଅଛନ୍ତି ॥

ସନତ କୁମାର ଆତ୍ରେୟ ଭାର୍ଗବ ଗରୁଡ଼ ।

ମରୁଦ୍‌ଗଣ ସାଧ୍ୟଗଣ ତେଜେ ଅଗ୍ନି ବଡ଼ ॥

ଚିତ୍ରଗୁପ୍ତ ସହ ଯମ ଅଗସ୍ତି ଗାଲବ ।

ବିଶ୍ଵେଦେବା କାବ୍ୟବାହାଦି ପିତର ସର୍ବ ॥

ଚତୁର୍ବିଧ ପ୍ରାଣୀବର୍ଗ ଭୌମ ପ୍ରେତଗଣ ।

ସିଦ୍ଧଙ୍କ ସହ ଦକ୍ଷିଣ ଦିଗେ ଅବସ୍ଥାନ ॥

ରାକ୍ଷସ ପିଶାଚ ଭୂତ ମୃଗ ପକ୍ଷୀମାନେ ।

ମାଂସଭୋଜୀ କ୍ଷୁଦ୍ରଜନ୍ତୁ ଯେତେ ପୁଣ୍ୟଜନେ ॥

ମୌଦ୍‌ଗୁଲ ରାହୁ ନୈଋତ କିନ୍ନର ସକଳେ ।

ମହାସର୍ପ ନକ୍ର ମତ୍ସ୍ୟଗ୍ରହ କର୍ମକୁଳେ ॥

ସପ୍ତସମୁଦ୍ର ନଦୀନଦ ତୀର୍ଥ ସମସ୍ତେ ।

ମାନସାଦି ହ୍ରଦ ଗଙ୍ଗାଦି ସଗିତ ଯେତେ ॥

ମଦନ ବସନ୍ତ ବରୁଣ ସଗଣେ ଆସି ।

ଶନିଗ୍ରହ ସର୍ବଶୈଳେ ପଶ୍ଚିମରେ ବସି ॥

ପ୍ରାଣ ଆଦି ପଞ୍ଚବାୟୁ ସଗଣେ ସମୀର ।

କଳ୍ପବୃକ୍ଷ ହିମାଦ୍ରି କଶ୍ୟପ ମୁନିବର ॥

ବାୟୁକୋଣେ ଲକ୍ଷ୍ମୀ ଦିବ୍ୟ ଫଳସଙ୍ଗେ ସୋମ ।

ନାନାବିଧ ରତ୍ନ ସ୍ଵର୍ଣ୍ଣଆଦି ଧାତୁଗଣ ॥

ନଳ କୁବେରଙ୍କ ସଙ୍ଗେ ଅଷ୍ଟବସୁମାନେ ।

ଉତ୍ତର ଦିଗରେ ବସି ଅଛନ୍ତି ଆସନେ ॥

ମହାଦେବଙ୍କ ବ୍ୟତୀତ ଅନ୍ୟ ରୁଦ୍ରଗଣେ ।

କ୍ଷତ୍ରିୟ ବୈଶ୍ୟ ଶୁଦ୍ରାଦି ଯେତେ ବର୍ଣ୍ଣଗଣେ ॥

ଐଶାନ୍ୟ ଦିଗରେ ନାନାବିଧ ଅନ୍ନ ଦ୍ରବ୍ୟ ।

ସର୍ବଶସ୍ୟ ଲତାଗଣ ରହିଛନ୍ତି ସର୍ବ ॥

ଈଶାନ ପୂର୍ବ ମଧ୍ୟରେ ବ୍ରହ୍ମଋଷିଗଣ ।

ଚାରିବେଦ ଛ ବେଦାଙ୍ଗ ରଚିଛନ୍ତି ପୁଣ ॥

ନୈଋତ ପଣ୍ଚିମ ମଧ୍ୟେ ଅନନ୍ତ ନାଗେଶ ।

ଶ୍ଵେତପର୍ବତସହ ସହସ୍ର ଯେ ନାଗେଶ ॥

କେତୁଗ୍ରହ କୁଷ୍ମାଣ୍ଡ ଡାକିନୀ ଗଣମାନେ ।

ବିଦ୍ୟୁତ ସହ ନାନାବର୍ଣ୍ଣର ମେଘଗଣେ ॥

ଐରାବତ ଆଦି ଦିଗ ହସ୍ତିମାନେ ଛନ୍ତି ।

ତାଙ୍କ ସଙ୍ଗେ ହସ୍ତିନୀମାନେ ମଧ୍ୟ ଅଛନ୍ତି ॥

ଦୂରରୁ ଦକ୍ଷଙ୍କୁ ଦେଖି କୋପିତ ଈଶାନ ।

ବୀରଭଦ୍ରଙ୍କୁ ଡାକିଣ ଆଦେଶିଲେ ପୁଣ ॥

ହେ ବୀର ଶୀଘ୍ର ସଗଣେ ଦକ୍ଷଯଜ୍ଞ ନାଶ ।

ଆଜ୍ଞାମାତ୍ରେ ବୀରଭଦ୍ର କଲେ ଯାଗ ଧ୍ୱଂସ ॥

ଯଜ୍ଞଧ୍ୱଂସ ହେବା ଦେଖି ଦେବ ଚକ୍ରପାଣି ।

ନିବାରିଲେ ଶିବଗଣଙ୍କୁ କରି ଦୟିନୀ ॥

ତାହାଶୁଣି ଅତିକୋପେ ଦେବ ଶୂଳପାଣି ।

ନିଜେ ପ୍ରବେଶି ଯାଗରେ ନାଶିଲେ ତା ପୁଣି ॥

ସେକାଳେ ଭଗ ଆସିଣ ହାତଦ୍ଵୟ ଟେକି ।

ଯଜ୍ଞ ରକ୍ଷା କରିବାକୁ ନିଷେଧି ପିନାକୀ ॥

ଭଗ ଆସିବା ଦେଖିଣ କ୍ରୋଧେ ମହେଶ୍ଵର ।

ଅଙ୍ଗୁଳିରେ ଭଗ ଚକ୍ଷୁ ଫୁଟାଇଲେ ଖର ॥

ନେତ୍ରହୀନ ଦେଖି ସୂର୍ଯ୍ୟ ଓଗାଳନ୍ତି ଆସି ।

ହସ୍ତେ ସୂର୍ଯ୍ୟଙ୍କୁ ଧରି ଫୋପାଡ଼ିଲେ କାଶୀ ॥

ରବି ହସି ବେଗେ ବାହୁ ବିସ୍ତାରୀ କହନ୍ତି ।

ମୋ ସଙ୍ଗରେ ଯୁଦ୍ଧକର କହିଣ ଘେରନ୍ତି ॥

ରବି ହସିବାର ଦେଖି କ୍ରୋଧେ ରମାଧବ ।

କର ପ୍ରହାରେ ସୂର୍ଯ୍ୟଙ୍କ ଦାନ୍ତ ଭାଙ୍ଗି ସର୍ବ ॥

ଦନ୍ତହୀନ ରବି ନେତ୍ର ହୀନ ଭଗ ଦେଖି ।

ସର୍ବଦେବେ ଏକାବେଳେ ଘେରନ୍ତି ପିନାକୀ ॥

ସେକାଳେ ମୃଗସ୍ଵରୂପ ଧରି ଯଜ୍ଞ ନିଜେ ।

ପଳାନ୍ତେ ଯାଇଁ ଧରନ୍ତି ହର ନିଜ ଭୁଜେ ॥

ତହୁଁ ଖସି ବ୍ରହ୍ମଲୋକେ ପଳାଏ ସେ ଯାଗ ।

ଗୋଡ଼ାଇଣ ଗଲେ ତହିଁ ଶିବ ହୋଇ ରାଗ ॥

ବ୍ରହ୍ମଲୋଙ୍କୁଁ ଆସି ଯଜ୍ଞ ଭୟେ ପଳାଇଣ ।

ସତୀଙ୍କ ମୃତଶରୀରେ ପ୍ରବେଶିଲେ ଜାଣ ॥

ଯଜ୍ଞପରେ ଯାଇ ହର ପ୍ରିୟାଙ୍କୁ ଭେଟିଲେ ।

ଯଜ୍ଞକଥା ଭୁଲି ପ୍ରିୟା ବିରହେ କାନ୍ଦିଲେ ॥

ପ୍ରିୟାଙ୍କ ବିବିଧଗୁଣ ବାହୁନି କାନ୍ଦନ୍ତି ।

ଚାରୁଦନ୍ତାବଳି ଚନ୍ଦ୍ର ମୁଖକୁ ଦେଖନ୍ତି ॥

ଭ୍ରୂଯୁଗ ବସ୍ତ୍ର ରକ୍ତିମା ଦେଖି ପ୍ରିୟାଙ୍କର ।

ବ୍ୟାକୁଳେ ରୋଦନ୍ତି ଗୀତେ କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ ସପ୍ତଦଶୋଽଧ୍ୟାୟଃ ।

✽✽✽

 

॥ ୧୮ ॥

 

ମାର୍କଣ୍ଡେୟ ଉବାଚ

ସତୀଙ୍କର ଗୁଣଗଣ ସୁମରି ମହେଶ ।

ଅତିଦୁଃଖେ କାନ୍ଦିଲେ ଯଥା ମୂଢ଼ ପୁରୁଷ ॥

ଶିବ କାନ୍ଦିବାର ଦେଖି କାମ ରତି ସହ ।

ବସନ୍ତ ସହ ପ୍ରବେଶିଲେ ଶିବ ଦେହ ॥

ଶୋକଯୁକ୍ତ ଦେଖି ତାଙ୍କୁ କାମ ପଞ୍ଚବାଣ ।

ନିର୍ଦ୍ଦୟେ ପ୍ରହାର କଲା ଶିବ ଶରୀରେଣ ॥

ଶୋକଯୁକ୍ତ ହୋଇ ସୁରବାଣ ଆଘାତରେ ।

ସଂକୀର୍ଣ୍ଣତାକୁ ଭଜିଣ ମୋହିତ ହୋଇଲେ ॥

କ୍ଷଣେ ଭୂମିରେ ଲୋଟନ୍ତି କ୍ଷଣେ ଉଠିଥାନ୍ତି ।

କ୍ଷଣେ ବୁଲି ବୁଲି ଆଖିବୁଜି ପଡ଼ିଯାନ୍ତି ॥

ସତୀଙ୍କୁ ଭାବିଣ ପୁଣି ହସନ୍ତି କ୍ଷଣକେ ।

ଭୂମିଷ୍ଠ ଶବକୁ ଆଲିଙ୍ଗନ୍ତି ସୁଖ ଦୁଃଖେ ॥

ସତୀ ସତୀ ବୋଲି ଉଚ୍ଚେ ଡାକନ୍ତି ବିକଳେ ।

ବୃଥାମାନ ତେଜେ କହି ଆଶ୍ୱାସନ୍ତି କରେ ॥

ହସ୍ତେ ତାଙ୍କ ଦେହ ଝାଡ଼ି ଅଳଙ୍କାର କାଢ଼ି ।

ପୁଣି ଯଥାସ୍ଥାନେ ତାଙ୍କୁ ପିନ୍ଧାନ୍ତି ସଜାଡ଼ି ॥

ଏପରି କରନ୍ତେ ସତୀ କିଛି ନକହନ୍ତି ।

ତହୁଁ ମୃତ ହେବା ଭାବି ବିକଳେ କାନ୍ଦନ୍ତି ॥

ଲୋତକ ଭୂମିରେ ପଡ଼ିବା ଦେଖିଣ ଦେବେ ।

ମହା ଚିନ୍ତିତ ହୋଇଲେ ବ୍ରହ୍ମ ଆଦି ସର୍ବେ ॥

ଶିବ ନେତ୍ରଜଳେ ପୃଥ୍ଵୀ ଦଗ୍‌ଧ ହେବା ଜାଣି ।

କି ଉପାୟ କରିବା ବୋଲି କଲେ ଭାଳେଣି ॥

ତହୁଁ ବ୍ରହ୍ମାଦି ସକଳେ ବିଚାରି ମନରେ ।

ଶନିଗ୍ରହଙ୍କୁ ସ୍ମରିଲେ ଧରା ମଙ୍ଗଳରେ ॥

ଦେବାଉବାଚ

ଶନୈଶ୍ଚର ମହାଭୋଗ ଲୋକ ହିତକାରୀ ।

ମୂଳ ଶକ୍ତିରୁ ଉଦ୍ଭୁତ ସୂର୍ଯ୍ୟସୁତ ଶୌରି ॥

ଶୂଳପାଶ ଧନୁର୍ଦ୍ଧାରୀ ତୁମ୍ଭଙ୍କୁ ନମୁଛୁଁ ।

ବରଦାତା ଛାୟାସୁତ ନମୁଁ ତୁମ୍ଭ ପଛୁଁ ॥

ନୀଳମେଘ ନିଭ ଭିନ୍ନାଞ୍ଜନ ଚୟୋପମ ।

ସର୍ବଲୋକ ପ୍ରାଣ ରକ୍ଷା କରିବାକୁ କ୍ଷମ ॥

ହେ ଦେବ ଗୁଧ୍ର ବାହନ ହୁଅ ସୂପ୍ରସନ୍ନ ।

ଶିବ ଶୋକଜାତ ଜଳୁ ରଖ ଏ ଭୁବନ ॥

ପୂର୍ବେ ବହୁଳ ଜଳବୃଷ୍ଟିକୁ ହରିଅଛୁ ।

ଏକ୍ଷଣି ଶିବ ନେତ୍ରଜଳ ମୂଳରୁ ପୋଛ ॥

ତୁମ୍ଭର ଜଳାବ ଗ୍ରହ ଦେଖି ଇନ୍ଦ୍ର ଦେବ ।

ବହୁ ବର୍ଷା ପାଇଁ ମେଘଙ୍କୁ ପେଶିଲେ ସର୍ବ ॥

ସ୍ଵର୍ଗପର୍ଯ୍ୟନ୍ତ ଉଠିଲା ମେଘମୁକ୍ତ ଜଳ ।

କ୍ଷଣକେ ସଂହାରି ଶୁଷ୍କ କଲ ଭୂମିସ୍ଥଳ ॥

ସେପରି ହରଙ୍କ ନେତ୍ର ଜଳରାଶି ହର ।

ତୁମ୍ଭବିନା ଜଳହାରି ନାହିଁ ତ୍ରିଲୋକର ॥

ହର ନେତ୍ରବାରି ବଡ଼ ପ୍ରଚଣ୍ଡ ଅଟଇ ।

ସସାଗରା ବସୁନ୍ଧରା କ୍ଷଣକେ ନାଶଇ ॥

ତେଣୁତାହା ବିନାଶିଣ ରଖ ତ୍ରିଭୁବନ ।

ପ୍ରାର୍ଥନା କରୁଛୁ ଦେବେ ହୋଇ ବଡ଼ ଦୀନ ॥

ମାର୍କଣ୍ଡେୟ ଉବାଚ

ଦେବଙ୍କ ପ୍ରାର୍ଥନା ଶୁଣି ଦେବ ଶନିଶ୍ଚର ।

ଦେବଙ୍କୁ ଆଶ୍ଵାସି କହିଲେ ସୁନୃତ ଗିର ॥

ଶନୈଶ୍ଚର ଉବାଚ

ତୁମ୍ଭବାକ୍ୟ କରିବି ମୁଁ ବିଶ୍ଵହିତ ପାଇଁ ।

କିନ୍ତୁ ମୁଁ କଲି ତା ନଜାଣିବେ ସତୀ ସାଇଁ ॥

ଏକ୍ଷଣି ସେ କୋପାନଳ ଜାଣିଲେ ଏକଥା ।

କ୍ଷଣକେ ଜୀବନ ସହ କାଟିବେ ମୋ ମଥା ॥

ମାର୍କଣ୍ଡେୟ ଉବାଚ

ତହୁଁ ବ୍ରହ୍ମାଦି ଅମରେ ଶିବପାଶେ ଯାଇ ।

ସଂସାରି ମାୟାରେ ତାଙ୍କୁ ପକାଇଲେ ମୋହି ॥

ସେକାଳେ ଶନି ଗୁପ୍ତରେ ଶିବନେତ୍ର ଜଳ ।

ହରିନେଇ ନପାରିଲେ ଧରି ସ୍ଵଶରୀର ॥

ତହୁଁ ଲୋକାଲୋକ ଗିରି ପାଖରେ ଲୋତକ ।

ଧାରାକୁ ତେଜନ୍ତେ ଜଳଧାରା ନାମ ତାଙ୍କ ॥

ପୁଷ୍କର ଦ୍ଵୀପ ଉପରେ ସେହି ଜଳଧାରା ।

ନଦୀରୂପେ ପଶ୍ଚିମ ସାଗରେ କରେ ଖେଳା ॥

ହର ନେତ୍ର ଜଳ ଶୈଳ ପ୍ରମାଣେ ବହୁତ ।

ଶନି ତ୍ୟାଗ କରିଗଲେ ହୋଇଣ ଆଶ୍ୱସ୍ତ ॥

ଲୋକାଲୋକ ଶୈଳ ତାଙ୍କୁ ଧରି ନପାରିଲା ।

ମଧ୍ୟରୁ ଭାଙ୍ଗିଣ ଦୁଇଫାଳ ହୋଇଗଲା ॥

ସେ ଜଳ ପର୍ବତ ଭେଦି ସାଗରେ ପଡ଼ିଲା ।

ସମୁଦ୍ର ମଧ୍ୟ ତାହାକୁ ସହି ନପାରିଲା ॥

ପୂର୍ବଦିଗ ତୀରେ ତାକୁ ଆଉଜାଇ ଦେଲା ।

ତହୁଁ ପୁଷ୍କରଦ୍ଵୀପ ମଧ୍ୟକୁ ଧାଇଁଗଲା ॥

ତହିଁ ବୈତରଣି ନାମେ ନଦୀରୂପେ ବହେ ।

ଜଳଧାର ଶେଳଭେଦି ସିନ୍ଧୁ ଅବଗାହେ ॥

ଶୀତଳକୁ ଭାଜିଶାନ୍ତେ ସେ ଜଳ ପ୍ରବାହ ।

ଧରା ନଭେଦି କରିଛୁ ଲୋକଙ୍କ ନିର୍ବାହ ॥

ଯମପୁର ହାରେ ଦ୍ୱିଯୋଜନ ପରିମାଣ ।

ଅଦ୍ୟାପି ସେ ବୈତରଣି ନାମେ ବିଦ୍ୟମାନ ॥

ତହୁଁ ଶୋକାକୁଳ ହୋଇ ଦେବ ମହେଶ୍ଵର ।

ସତୀଶବ ସ୍କନ୍ଧେ ଧରି ପୂର୍ବ ଦେଶାନ୍ତର ॥

ଗମନ୍ତେ ଉନ୍ମତ୍ତ ହୋଇ ଦେବତା ସକଳେ ।

ଶବ ନଷ୍ଟ ହେବା ଚିନ୍ତା କଲେ ସେ ମନରେ ॥

ହରଙ୍କ ଦେହ ସ୍ପର୍ଶରୁ ଏହି ସତୀଶବ ।

ମଳିନ ନହୁଏ କିପରି ସେ ନଷ୍ଟ ହେବ ॥

ଏହା ଭାବି ହରି ବ୍ରହ୍ମା ଶନିଶ୍ଚର ଗ୍ରହ ।

ଯୋଗମାୟାରେ ସେ ଶବେ ପ୍ରବେଶାଇ ଦେହ ॥

ଖଣ୍ଡଖଣ୍ଡ କରି ଶବ ତଳେ ପଳାଇଲେ ।

ଦେବୀକୂଟେ ପାଦଯୁଗ୍ମ ତଳକୁ ଖସିଲେ ॥

ଉତ୍କଳରେ ଉରୁଦ୍ୱୟ ପଡ଼ିଲେ ଖସିଣ ।

କାମରୂପରେ ଯୋନି ମଣ୍ଡଳ ପଡ଼େ ପୁଣ ॥

କାମଗିରିରେ ନାଭିମଣ୍ଡଳ ପଡ଼ିଗଲା ।

କାଳନ୍ଧରେ ସ୍ତନଯୁଗ୍ମ ହାର ସଙ୍ଗେ ଥିଲା ॥

ପୂର୍ଣ୍ଣ ପର୍ବତେ ସ୍କନ୍ଧଗ୍ରୀବା ଖସି ପଡ଼ିଲା ।

ସେ ପୂର୍ବଦେଶରେ ଯହିଁ ଶିବ ସ୍ପର୍ଶ ହେଲା ॥

ସେ ଯାଜ୍ଞିକ ଦେଶ ବୋଲି ଖ୍ୟାତିଲାଭ କଲେ ।

ପୁଣି ଦେବେ ସେ ଶବକୁ ଗୁପତେ କାଟିଲେ ॥

ଆକାଶ ଗଙ୍ଗାରେ ସ୍ନାନସାରି ଶୁଦ୍ଧ ହୋଇ ।

ବ୍ରହ୍ମା ହରି ଶନିଗ୍ରହ ଗଲେ ନିଜଠାଇଁ ॥

ଯେ ଯେ ସ୍ଥାନେ ସତୀଅଙ୍ଗ ପତନ ହୋଇଲେ ।

ସେ ସ୍ଥାନେ ଶଙ୍କର ଲିଙ୍ଗରୂପେ ପ୍ରକାଶିଲେ ॥

ସତୀସ୍ନେହେ ମୋହାବିଷ୍ଟ ହୋଇ ମହେଶ୍ଵର ।

ଲିଙ୍ଗରୂପ ହେବା ଦେଖି ବ୍ରହ୍ମାଦି ଅମର ॥

ହରଙ୍କ ସନ୍ତୋଷପାଇଁ ସତୀ ପାଦାଦିକୁ ।

ପୂଜାକରି ପୂଣ୍ୟସ୍ଥଳ କଲେ ସେ ସ୍ଥାନକୁ ॥

ଦେବୀକୂଟେ ମହାଭାଗା ନାମରେ ବିଖ୍ୟାତ ।

ସତୀପାଦେ ଯୋଗନିଦ୍ରା ଲୀନ ହୋଇଲେତ ॥

ଉତ୍କଳରେ କାତ୍ୟାୟନୀ ନାମକୁ ଧଇଲେ ।

କାମରୂପେ କାମଚଣ୍ଡୀ ନାମକୁ ଲଭିଲେ ॥

ପୂର୍ଣ୍ଣ ପର୍ବତରେ ପୂର୍ଣ୍ଣେଶ୍ଵରୀ ତାଙ୍କ ନାମ ।

ଜଳନ୍ଧର ପର୍ବତରେ ଚଣ୍ଡୀ ହେଲେ ପଣ ॥

କାମରୂପ ପର୍ବଦେଶେ ଦିକ୍‌କର ବାସିନୀ ।

ଲଳିତାକାନ୍ତା ନାମରେ ଖ୍ୟାତି ଲଭି ପୁଣି ॥

ଯେ ସ୍ଥାନରେ ସତୀଶିର ପତିତ ହୋଇଲେ ।

ତହିଁ ଶିବ ଶିରକୁ ଚାହିଁ ମୌନ ଭଜିଲେ ॥

ଶିବ ରହିବା ଦେଖିଣ ବ୍ରହ୍ମାଦି ଅମର ।

ତହିଁ ଯାଇ ଶିବଙ୍କୁ ତୋଷିଲେ ଯୋଡ଼ିକର ॥

ଦେବଙ୍କୁ ଦେଖିଣ ଶିବ ଶୋକେ ଲଜ୍ଜାଭରେ ।

ଶିଳାରୂପେ ଲିଙ୍ଗହେଲେ ସେହି ମୁହୂର୍ତ୍ତରେ ॥

 

ଶଙ୍କରଙ୍କ ଲିଙ୍ଗରୂପ ଦେଖି ଦେବଗଣ ।

ଲିଙ୍ଗରୂପି ଶଙ୍କରଙ୍କୁ ସ୍ତୁତି କଲେ ପଣ ॥

ଦେବା ଉବାଚ

ମହାଦେବ ଶିବସ୍ଥାଣୁ ଉଗ୍ରବୃକ୍ଷ ଧ୍ଵଜ ।

ଶ୍ମଶାନବାସୀ ଉର୍ଗ ସର୍ବାନ୍ତର୍ଯ୍ୟାମି ତେଜ ॥

ଶଙ୍କର ନୀଳଲୋହିତ ତୁମ୍ଭଙ୍କୁ ନମୁଛୁଁ ।

ଗିରିଶ ଭୂତଭାବନ ନମଃ କରୁଅଛୁଁ ॥

ଅନାଦି ମଧ୍ୟ ସଂସାର ଯୋଗବିଦ ତୁମ୍ଭେ ।

ଶିବଶାନ୍ତ ଲିଙ୍ଗମୂର୍ତ୍ତି ନମୁଅଛୁଁ ଆମ୍ଭେ ॥

ଜ୍ଞାନାମୃତ ସ୍ଵରୂପ ଶୁଦ୍ଧ ବିଗ୍ରହ ଧାରୀ ।

ସ୍ଵଭାବେ ଅନଳଦୀପ୍ତ ପ୍ରଭୁ ତ୍ରିପୁରାରି ॥

ଜଟିଳ ଗିରିଶ ବିଦ୍ୟାଶକ୍ତି ଧରହର ।

ପ୍ରଳୟ ସମୁଦେସ୍ଥିତ ପ୍ରଳୟକୁ କର ॥

ପ୍ରଧାନ ମଧ୍ୟେ ପ୍ରଧାନ ପରାତ୍ପର ଆତ୍ମା ।

ଜ୍ଵଳାମାଳା ବୃତାଙ୍ଗ ବିଶ୍ଵରୂପି ସୁତ୍ରାମା ॥

ପରମାର୍ଥ ଜ୍ଞାନଦୀପ ବେଧାଙ୍କୁ ନମିଣ ।

ସତୀକାନ୍ତ ମୂଡ଼ଭର୍ଗ ପିନାକ ଧାରଣ ॥

ସର୍ବଭୂତେଶ ତୁମ୍ଭଙ୍କୁ ନମୁଁ ବାରମ୍ବାର ।

ହେ ଶିବ ପ୍ରସନ୍ନ ହୁଅ ଆମ୍ଭେ ତୋ କିଙ୍କର ॥

 

ତୁମ୍ଭେ ଶୋକକଲେ ରହିବକି ଏ ସଂସାର ।

ଦେବଗଣେ ନାଶଯିବୁ ଶୋକ ପରିହର ॥

ମାର୍କଣ୍ଡେୟ ଉବାଚ

ଦେବଙ୍କ ସ୍ତୁତି ଶୁଣିଣ ଦେବ ଉମାପତି ।

ନିଜରୂପେ ଉଗ୍ରହେଲେ ଶୋକାକୁଳମତି ॥

ଶୋକାବିଷ୍ଟ ଦେଖି ବ୍ରହ୍ମା ଶୋକନାଶ ପାଇଁ ।

କରଯୋଡ଼ି ସ୍ତୁତିକଲେ ଶଙ୍କରଙ୍କୁ ଚାହିଁ ॥

ବ୍ରହ୍ମୋବାଚ

ହିରଣ୍ୟବାହୁ ବ୍ରହ୍ମା ତୁମ୍ଭେ ବିଷ୍ଣୁ ଅବ୍ୟୟ ।

ସୃଷ୍ଟି ସ୍ଥିତି ବିନାଶକୁ କର ସଦାଶୟ ॥

ଅଷ୍ଟମୂର୍ତ୍ତି ରୂପେ ଜଗତକୁ ବ୍ୟାପିଅଛ ।

ଉତ୍ପାଦନ ସ୍ଥାପନ ନାଶକ ତୁମ୍ଭ ସ୍ଵଚ୍ଛ ॥

ମୁମୁକ୍ଷୁ ତୁମ୍ଭଙ୍କୁ ଚିନ୍ତି ମୋକ୍ଷଭାଗୀ ହୁଏ ।

ରାଗ ଦ୍ଵେଷ ତେଜି ସଂସାର ବିମୁଖେ ରହେ ॥

ବିଭିନ୍ନ ବାୟୁ ଅଗ୍ନି ଜଳରେ ବିବର୍ଜିତ ।

ଦୂରସ୍ଥିତ ଚନ୍ଦ୍ର ଦିବାକରରେ ସଂଯୁତ ॥

ତ୍ରିମାର୍ଗ ମଧ୍ୟସ୍ଥ‌ ପୁଣି ସର୍ବ ପ୍ରକାଶକ ।

ପରଂତତ୍ତ୍ଵ ଶୁଦ୍ଧମୟ ତୁମ୍ଭେ ତ୍ରିଅମ୍ବକ ॥

ଅଷ୍ଟଶାଖା ବିଶିଷ୍ଟ ବୃକ୍ଷର ପୁଷ୍ପ ସମ ।

ଜ୍ଞାନରୂପ ଜଳବୃଦ୍ଧି କରଣେ ସକ୍ଷମ ॥

ବେଦପାଠ ତପସ୍ୟାରେ ସ୍ଥିତ ସର୍ବକାଳ ।

ସ୍ଥୁଳ ସୂକ୍ଷ୍ମ ରୂପ ତୁମ୍ଭ ଅଧୀନ ସକଳ ॥

ପବନ ଶବ୍ଦକୁ ତଳେ ଧାରଣ କରିଣ ।

ଉପରେ ନିରୋଧ ହଂସ ମଧ୍ୟସ୍ଥଳେ ପୁଣ ॥

ହୃଦୟ ପଦ୍ମ ମଧ୍ୟରେ ସମ୍ମୁଖ କରିଣ ।

ପରୋରଜ ତୁମ୍ଭ ତେଜ କରିବା ଧାରଣ ॥

ପୁର କୁମ୍ଭକରେ ଗଜ ଯୋଗେ ପ୍ରାଣାୟାମ ।

ଶୂନ୍ୟେ ବିଚିତ୍ର ଭାବରେ ଓଦନ ପରମ ॥

ଯୋଗୀମାନଙ୍କର ଦୃଶ୍ୟ ଅଦୃଶ୍ୟ ସ୍ଵରୂପ ।

ଶୁଦ୍ଧ ବୃଦ୍ଧ ତତ୍ତ୍ଵ ତୁମ୍ଭଠାରେ ଲବ୍‌ଧରୂପ ॥

ଜଗବ୍ଦ୍ୟାପି ସୂକ୍ଷ୍ମ ଗୁଣ ସମୂହରେ ସ୍ଥୂଳ ।

ବୁଦ୍ଧଜନ ଭାବ୍ୟ ସାଧ୍ୟ ସାଧନ ସମ୍ବଳ ॥

ଚୋର ରାକ୍ଷସ ଗଣରେ ନୁହେଁ ଅପହୃତ ।

ଅର୍ଥହୀନ ବିତ୍ତ ତୁମ୍ଭ ଆତ୍ମାରେ ନିହିତ ॥

କୋପ ଶୋକ ମାନ ଦମ୍ଭଦ୍ୱାରା ନୁହେଁ ପ୍ରାପ୍ତ ।

ଅନ୍ୟଭାବେ ମିଳେ ସେହି ଅବିନାଶି ବିତ୍ତ ॥

ହୃଦିସ୍ଥିତ ପରଂବ୍ରହ୍ମ ମାୟା ମୋହ ବଳେ ।

ବିସ୍ମରିଛି ମାୟାଛାଡ଼ି ଭାଜ ସ୍ୱଆତ୍ମାରେ ॥

ପୂର୍ବେ ଆମ୍ଭେ ମାୟାସ୍ତବ କରିଛୁ ଅନେକ ।

ଧ୍ୟାନରତ ମନ ବହୁ ଯତ୍ନେ କରି ଏକ ॥

ଶୋକ କୋପ ଲୋଭ କାମ ମୋହ ପରାତ୍ମତା ।

ହିଂସା ମାନ ବିଚିକିତ୍ସା କପା ଜୁଗୁପ୍ପତା ॥

ଅସୂୟା ଏବାରଟି ବୁଦ୍ଧି ବିନାଶେ ହେତୁ ।

ମନ ମଳିନ କରନ୍ତି ତେଜ ଶୋକବସ୍ତୁ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମାଙ୍କ ସ୍ତବରେ ଶମ୍ଭୁ ଶୋକଶାନ୍ତି କଲେ ।

ସୁବାଞ୍ଛିତ ବ୍ରହ୍ମଚିନ୍ତା କରି ନପାରିଲେ ॥

ଅଧୋମୁଖେ ବ୍ରହ୍ମାଙ୍କୁ କହିଲେ ମହେଶ୍ଵର ।

କି କରିବି କହ ଧାତା ମୁଁ ବଡ଼ ଅସ୍ଥିର ॥

ମାର୍କଣ୍ଡେୟ ଉବାଚ

ଶମ୍ଭୁ ବାକ୍ୟ ଶୁଣି ଧାତା ଦେବଙ୍କ ସହିତ ।

ଶମ୍ଭୁଶୋକ ବିନାଶାର୍ଥେ କହିଲେ ଏମନ୍ତ ॥

ବ୍ରହ୍ମୋବାଚ

ଆତ୍ମାରେ ଆତ୍ମାକୁ ସ୍ମରି ଶୋକ ତ୍ୟାଗକର ।

ଶୋକସ୍ଥାନ ନୁହଁ ତୁମ୍ଭେ ଶୋକରୁ ଅନ୍ତର ॥

ତୁମ୍ଭେ ଶୋକକଲେ ଦେବେ ହେବେ ଭୟାକୁଳ ।

ତୁମ୍ଭ ଶୋକେ ଶୁଷ୍କ ହେବ ବ୍ରହ୍ମାଣ୍ଡ ସକଳ ॥

ତୁମ୍ଭ ନେତ୍ର ଜଳେ ଧରା ବିଦିର୍ଣ୍ଣ ହୁଅନ୍ତେ ।

ତାହା ହରି ଶନି କୃଷ୍ଣ ହୋଇଲେ ହଠାତେ ॥

ଯେ ସ୍ଥାନେ ଦେବ ଗନ୍ଧର୍ବ ସର୍ବଦା କ୍ରୀଡ଼ନ୍ତି ।

ସୁମେରୁ ସମାନ ସେହି ଶୈଳରୂପେ ସ୍ଥିତି ॥

ପଦ୍ମନାଳ ସମମେଘେ ସଂବର୍ତ୍ତକ ଆଦି ।

ଜଳପାନ କରି ଧରା ଶସ୍ୟରେ ସମ୍ପାଦି ॥

ମନ୍ଦର ଶୈଳରୁ ଯାଇ ଅଗସ୍ତି ମହର୍ଷି ।

ଜଗତ ହିତରେ ତପୋରତ ହ୍ୱନ୍ତି ବସି ॥

ପର୍ବେ ଯେ ପର୍ବତେ ରହି ସେହି କୁମ୍ଭ ଯୋନି ।

ଚଳୁକେ ପିଇଲେ ସପ୍ତ ସାଗରର ପାଣି ॥

ତୁମ୍ଭ ନେତ୍ରଜଳ ଶନି ସହି ନପାରିଲେ ।

ଜଳଧାରା ନାମେ ଏକ ପର୍ବତ ରଚିଲେ ॥

ପର୍ବତ ଭେଦି ଲୋତକ ସାଗରକୁ ଗଲା ।

ସାଗର ଜଳଜନ୍ତୁଙ୍କୁ ମନ୍ଦି ପକାଇଲା ॥

ପର୍ବତୀର ଭେଦି ପୃଥ୍ୱୀ ଭେଦିଲା ଲୋତକ ।

ବୈତରଣି ନଦୀ ନାମେ ବହେହୋଇ ଏକ ॥

ନୌକାରଥ ଭେଳାରେ ପାର ନୁହେଁ ସେ ନଦୀ ।

ତପ୍ତତୋୟା ଅତି ଭୟାବହା ନହେ ଭେଦି ॥

ଅତିକଷ୍ଟେ ପୃଥ୍ୱୀ ତାକୁ ଧରିଅଛି ଜାଣ ।

ନଭଶ୍ଚରମାନେ ଗଲେ ପଡ଼ନ୍ତି ଖସିଣ ॥

ଦେବେ ଭୟପାଇଁ ତାରପରେ ନ ଗମନ୍ତି ।

ସମଦ୍ୱାରେ ଦ୍ୱିଯୋଜନେ ସେ ବେଢ଼ି ଅଛନ୍ତି ॥

ଜଳଭାଗ ଖୋଳି ଜଗତକୁ ଭୟ ଦିଏ ।

ତୁମ୍ଭ କୋପ ନିଶ୍ଵାସରେ ତ୍ରିଜଗତ ବହେ ॥

ବ୍ୟାଘ୍ର ସର୍ପାଦି ପ୍ରାଣୀଏ ତୁମ୍ଭ ନିଶ୍ୱାସରେ ।

ଦଗ୍‌ଧ ହୁଅନ୍ତି ଅଦ୍ୟାପି ନାହିଁ ଶାନ୍ତି ତାରେ ॥

ତୁମ୍ଭ ନିଶ୍ଵାସ ପବନେ ଜଗତ ବ୍ୟାକୁଳ ।

ଏବେ ଶୋକ ତ୍ୟାଗକରି ଜଗତକୁ ପାଳ ॥

ସତୀଶବ ନେଲାବେଳେ ପୃଥ୍ୱୀ ପିଡ଼ାପାଇ ।

ବ୍ୟାକୁଳେ କ୍ରନ୍ଦନ କରେ ନପାରଇ ସହି ॥

ସ୍ଵର୍ଗ ପାତାଳ ମର୍ତ୍ତ୍ୟରେ ସର୍ବ ଜୀବଗଣ ।

ବ୍ୟାକୁଳ କରଇ ତୁମ୍ଭ ନିଶ୍ଵାସ ପବନ ॥

ତେଣୁ ଶୋକ କୋପ ତେଜି ଶାନ୍ତି ଦାନ କର ।

ଆତ୍ମାକୁ ଆତ୍ମାରେ ଚିନ୍ତି ହୁଅ ଆତ୍ମାପର ॥

ସତୀ ଦିବ୍ୟଶତ ବର୍ଷଅନ୍ତେ ଜନ୍ମ ହୋଇ ।

ତ୍ରେତାଯୁଗାଦ୍ୟରେ ତୁମ୍ଭ ଭାର୍ଯ୍ୟା ହେବେଯାଇ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମବାକ୍ୟେ ଶୋକ ଶାନ୍ତିକରି ପଞ୍ଚାନନ ।

ଧ୍ୟାନରତ ଅଧୋମୁଖେ କହନ୍ତି ବଚନ ॥

ଈଶ୍ୱର ଉବାଚ

ସତୀକୃତ ଶୋକରୁ ନିବୃତ୍ତ ହେବାଯାଏ ।

ମୋ ସଙ୍ଗେ ରହି ଶୋକକୁ ନାଶ ମହାଶୟେ ॥

 

ସେବେଳେ ମୁଁ ଯହିଁ ଯିବି ମୋ ସାଙ୍ଗରେ ଯିବ ।

ମିଷ୍ଟ ବାକ୍ୟ କହି ମୋର ଶୋକକୁ ନାଶିବ ॥

ମାର୍କଣ୍ଡେୟ ଉବାଚ

ହରବାକ୍ୟେ ସୁସମ୍ମତ ହୋଇ ବେଦପତି ।

କୈଳାସକୁ ଯିବାପାଇଁ ଶିବ କଲେ ମତି ॥

ବ୍ରହ୍ମାଙ୍କୁ ସଙ୍ଗରେ ଘେନି କୈଳାସେ ଚଳିଲେ ।

ନନ୍ଦିଭୃଙ୍ଗୀ ଆଦି ଗଣେ ସେଠାରେ ରହିଲେ ॥

ପର୍ବତ ସମାନ ବୃକ୍ଷ ଶଶିପରି ଶୁକ୍ଳ ।

ଶିବଙ୍କ ପାଖେ ପ୍ରବେଶି ଚଢ଼ାଏ ଉପର ॥

ବାସୁକ୍ୟାଦି ନାଗଗଣେ ସେକାଳରେ ଆସି ।

ଶିବଙ୍କ ଶିରବାହୁରେ ବଳେହେଲେ ଭୁଷି ॥

ବ୍ରହ୍ମାଦି ସକଳ ଦେବେ ଶିବଙ୍କୁ ଘେନିଣ ।

କୈଳାସ ଶୈଳକୁ ବେଗେ କଲେ ଆରୋହଣ ॥

ଔଷଧି ପ୍ରସ୍ଥନଗରୁ ହିମାଳୟ ଆସି ।

ପାତ୍ରମନ୍ତ୍ରୀ ସହ ଭେଟକଲେ ଦେବ କାଶୀ ॥

ଶିବଙ୍କ ସହିତେ ସର୍ବ ଦେବଙ୍କୁ ପୂଜିଲେ ।

ପାତ୍ରମନ୍ତ୍ରୀ ସହିତରେ ଆନନ୍ଦ ଲଭିଲେ ॥

ସେ ସ୍ଥାନେ ଶିବ ଦେଖିଲେ ବିଜୟା ସୁନ୍ଦରୀ l

ଗୌତମଙ୍କ କନ୍ୟା ସେହି ସ୍ଵଭାବେ ଝିଆରି ॥

ସର୍ବଦେବଙ୍କୁ ଶିବଙ୍କ ସହ ପ୍ରଣମିଲେ ।

ଶିବଙ୍କ ଆଗେ ସତୀଙ୍କ ପାଇଁ ସେ କାନ୍ଦିଲେ ॥

କାହିଁଗଲେ ସତୀ ତୁମ୍ଭଙ୍କୁ ଛାଡ଼ି ଏକାଳେ ।

ତୁମ୍ଭେ ପାଶୋରିଲ ମୁଁ ତ ପାଶୋରି ନପାରେ ॥

ମୋ ଆଗରେ କୋପେ ପ୍ରାଣ ତେଜିଲେ ସେ ସତୀ ।

ବେଳରୁ ଶୋକଦଗ୍‍ଧା ହେଉଛି ମୁଁ ନିତି ॥

ଏହା କହି ବସ୍ତ୍ରାଞ୍ଚଳେ ମୁଖକୁ ପୋଛିଲେ ।

କାନ୍ଦି କାନ୍ଦି ଭୂମିତଳେ ଲୋଟି ଯେ ପଡ଼ିଲେ ॥

ସର୍ବଦେବଙ୍କ ଚରଣେ ମୋର ନମସ୍କାର ।

ଭାଷା ପ୍ରବନ୍ଧେ ରଚନା କରେ ପ୍ରଭାକର ॥

 

ଇତି ଶ୍ରୀକାଳିକା ପୁରାଣେ ଅଷ୍ଟାଦଶୋଽଧ୍ୟାୟ ।

✽✽✽

 

॥ ୧୯ ॥

 

ମାର୍କଣ୍ଡେୟ ଉବାଚ

ବିଜୟା ପଡ଼ିବା ଦେଖି ଦେବ ଗଙ୍ଗାଧର ।

ଶୋକ ସମ୍ଭାଳି ନପାରି ହେଲେ ସେ ଅଧୀର ॥

ଧୈର୍ଯ୍ୟଭ୍ରଷ୍ଟ ହେବା ଦେଖି ଦେବତା ସକଳେ ।

ହରଙ୍କୁ ଚାହିଁଣ ସର୍ବେ ଚିନ୍ତାକୁଳ ହେଲେ ॥

ତହୁଁ ଧାତା ବିଜୟାଙ୍କୁ ଶାନ୍ତ ବଚନରେ ।

ଆଶ୍ଵାସିଣ ଶଙ୍କରଙ୍କୁ କହନ୍ତି ମଧୁରେ ॥

ବ୍ରହ୍ମୋବାଚ

ଯୋଗୀଶ୍ରେଷ୍ଠ ଭଗବାନ ଶୋକକର ନାହିଁ ।

ପରମାତ୍ମା ଚିନ୍ତି ପୁଣି ସ୍ତ୍ରୀରେ ମନ ଦେଇ ॥

ପ୍ରଭବିଷ୍ଣୁ ଶାନ୍ତ ତୁମ୍ଭେ ସୂକ୍ଷ୍ମ ସ୍ଥୂଳତର ।

ସାମାନ୍ୟ ଶୋକେ ସ୍ଵଭାବ ବିକୃତ ତୁମ୍ଭର ॥

ପତିଙ୍କ ଧ୍ୟାନ ବିଷୟ ତୁମ୍ଭେ ନିରଞ୍ଜନ ।

ପରାପର ନିର୍ମଳ ସର୍ବତ୍ର ରମ୍ୟମାନ ॥

ରାଗ ଲୋଭାଦି ଦୋଷରହିତ ତୁମ୍ଭେ ସଦା ।

ବୁଦ୍ଧିରେ ଗ୍ରହଣ କର ବ୍ରହ୍ମର ମର୍ଯ୍ୟାଦା ॥

ଶୋକ ଲୋଭ କ୍ରୋଧ ମୋହ ହିଂସା ଦମ୍ଭମାନ ।

ଦମ୍ଭମଦ ପ୍ରମୋଦ ହିଂସା ଅସୂୟା ଗୁଣ ॥

ଅକ୍ଷମା ଅସତ୍ୟ ଏହି ଚତୁର୍ଦ୍ଦଶ ଦୋଷ ।

ଜ୍ଞାନ ନାଶକରି ପ୍ରାଣୀକୁ କରେ ବିନାଶ ॥

ଧ୍ୟାନବଳେ ଯୋଗୀଗଣ ତୁମ୍ଭଙ୍କୁ ଚିନ୍ତନ୍ତି ।

ବିଷ୍ଣୁରୂପୀ ବିଶ୍ଵସ୍ରଷ୍ଟା ତୁମ୍ଭଙ୍କୁ ବୋଲାନ୍ତି ॥

ଯେଉଁ ସତୀପାଇଁ ମୋହବଶ ହୁଅ ତୁମ୍ଭେ ।

ସେ ଲୋକମୋହିନୀ ମାୟା ଜାଣିରଖ ଏବେ ॥

ଯେ ସର୍ବପ୍ରାଣୀ ଜନନେ ଗର୍ଭର ଧାରିଣୀ ।

ପୂର୍ବଜନ୍ମ ବୁଦ୍ଧିକୁ ଯେ ପାଶୋରାଏ ଜାଣି ॥

ବାଲ୍ୟାବସ୍ଥାରେ ବିକାଶି ଦୁଃଖଦିଏ ମନେ ।

ସେ ତୁମ୍ଭଙ୍କୁ ଶୋକେ ମୋହ କରୁଛି ଏ ସ୍ଥାନେ ॥

ତୁମ୍ଭେ ପ୍ରତି ଅବତାରେ ସହସ୍ର ସତୀଙ୍କୁ ।

ବିବାହ କରି ଛାଡ଼ିଛ ଜଗତ ହିତକୁ ॥

ପୁଣି ଗ୍ରହଣ କରିବ ଅବତାର ଭେଦେ ।

ସେଥିପାଇଁ ଶୋକ କିମ୍ପା କର ମନ ଖେଦେ ॥

ଧ୍ୟାନବଳେ ଦେଖ ସେହି ସତୀଙ୍କ ସହସ୍ର ।

ପୁଣି ପାଇବ ତାହାଙ୍କୁ ସେ ପୁଣି ଅଜସ୍ର ॥

ଯେଉଁଠାରେ ଜନ୍ମିଯେବେ ତୁମ୍ଭ ପତ୍ନୀ ହେବେ ।

ତାହାସବୁ ଧ୍ୟାନବଳେ ଜାଣିବ ଯେ ଏବେ ॥

 

 

ମାର୍କଣ୍ଡେୟ ଉବାଚ

ଏ ଭାବେ ବହୁ ସାନ୍ତ୍ଵନାବାକ୍ୟେ ତୋଷି ହର ।

ହିମାଳୟପୁରୁ ସର୍ବେ ହୋଇଲେ ବାହାର ॥

ହିମାଳୟ ପୁର ପଶ୍ଚିମରେ ଏକ ପ୍ରସ୍ଥେ ।

ଜଳପୂର୍ଣ୍ଣ ସିପ୍ରାହ୍ରଦେ ପ୍ରବେଶିଲେ ସାଥେ ॥

ଏକାନ୍ତ ସ୍ଥାନ ଦେଖି ବ୍ରହ୍ମାଦି ଦେବଗଣେ ।

ଶିବଙ୍କ ଆଗେ ବସାଇ ବସିଲେ ସେ ସ୍ଥାନେ ।

ସିପ୍ରାନାମେ ସେ କାସାର ଅତି ମନୋହର ।

ଶୀତଳ ନିର୍ମଳ ଜଳ ମାନସ ପ୍ରକାର ॥

ହ୍ରଦ ଦେଖି ସଦାଶିବ ଆନନ୍ଦିତ ହେଲେ ।

ତହୁଁ ସିପ୍ରାନଦୀ ବହେ ଦକ୍ଷିଣ ସାଗରେ ॥

ଜଗତଜନଙ୍କୁ ପୂତ କରଇ ସେ ନଦୀ ।

ଚକ୍ରବାକ ମିଥୁନ ନାଚନ୍ତି ହୋଇ ବନ୍ଦି ॥

ମଦ୍‌ଗୁ ଚଞ୍ଚୁରେ ଖେଳେ ନଦୀ ତରଙ୍ଗାବଳି ।

ଜଳରୁ ପକ୍ଷୀ ସମୂହ ବାହାରିବା ଭାଳି ॥

କାଦମ୍ବ ସାରସହଂସ ଶ୍ରେଣୀତୀରେ ବସି ।

ଶଙ୍ଖେ ସାଗର ସଦୃଶ ଭଙ୍ଗୀରେ ପ୍ରକାଶି ॥

ମହାମୀନଙ୍କ ଆଘାତେ କ୍ଷୁବ୍‌ଧ ତୋୟରାଶି ।

ପକ୍ଷୀଙ୍କ ମଧୁର ଶବ୍ଦେ ମନୋହର ଦିଶି ॥

ପ୍ରସ୍ଫୁଟିତ ପଦ୍ମେ କୁମୁହରେ ଶୋଭେ ସର ।

ଛୋଟ ବଡ଼ ନକ୍ଷତ୍ରେ ଯେପରି ସେ ଅମ୍ବର ॥

ମହୋତ୍ପଳ ମଧ୍ୟେ ନୀଳୋତ୍ପଳ ମାନ ଶୋହେ ।

ନକ୍ଷତ୍ରଙ୍କ ମଧ୍ୟେ ନୀଳମେଘ ଥିଲା ପ୍ରାୟେ ॥

ପଦ୍ମପୁଷ୍ପ ମଧ୍ୟେ ହଂସ ଲୁଚି ରହିଥାନ୍ତି ।

ଫୁଲଭ୍ରମେ ହଂସଗଣ ତହିଁ ଧରାଯାନ୍ତି ॥

ସ୍ଵର୍ଣ୍ଣଶୁକ୍ଳ ପଦ୍ମ ଦେଖି ବିଧାତା ମନରେ ।

ନିଜାସନ ପଦ୍ମକୁ ନିନ୍ଦନ୍ତି ମାନସରେ ॥

ପ୍ରସ୍ଫୁଟିତ ମହୋତ୍ପଳ ଦେଖିଣ ଶଙ୍କର ।

ନିଜ ଶିର ଚନ୍ଦ୍ରକଳା ନିନ୍ଦନ୍ତି ମନର ॥

ହରି ମଧ୍ୟ ହସ୍ତସ୍ଥିତ ପଦ୍ମକୁ ନିନ୍ଦନ୍ତି ।

ନାନାପକ୍ଷୀ ସମାକୁଳ ସରକୁ ଦେଖନ୍ତି ॥

ପଦ୍ମ ନୀଳୋତ୍ପଳ ପୁଷ୍ପେ ମଣ୍ଡିତ ସେ ସର ।

ଦେବଦାରୁ ବୃକ୍ଷ ଛାୟା ହାରା ସୁଶୀତଳ ॥

ପୁଷ୍ପ ପରାଗରେ ସୁଗନ୍ଧିଯୁତ ସେ ଜଳ ।

ଦର୍ଶକ ମନକୁ କରେ ଅତି ସୁଶୀତଳ ॥

ପତିତୀର ମହାବୃକ୍ଷ ତୃଣେ ପରିବୃତ ।

ଶିବ ଦେଖି ଶୋକ ତେଜି ହେଲେ ଆନନ୍ଦିତ ॥

ସେ ହ୍ରଦର ସିପ୍ରାନଦୀ ବୋହିବା ଦେଖିଣ ।

ଚନ୍ଦ୍ରଲୋକୁ ଗଙ୍ଗା ଯଥା ହେଲେ ନିଃସରଣ ॥

 

ମେରୁ ମଧ୍ୟ ଜାମ୍ବୂନଦୀ ଯଥା ବାହାରିଛି ।

ସେପରି ସିପ୍ରା ହ୍ରଦରୁ ସିପ୍ରା ବହୁଅଛି ॥

ଋଷୟ ଉବାଚ

ସିପ୍ରାନାମେ କେଉଁ ହ୍ରଦ କିପରି ସେ ସିପ୍ରା ।

ନଦୀରୂପେ ହେଲା କହି ମନ କର ତୋରା ॥

ମାର୍କଣ୍ଡେୟ ଉବାଚ

ଶୁଣ ମୁନିଗଣେ ସିପ୍ରା ଯେପରି ହୋଇଲା ।

ସିପ୍ରାହ୍ରଦ ପ୍ରଭାବକୁ ଶୁଣ ତୁମ୍ଭେ ଭଲା ॥

ଯେକାଳେ ବଶିଷ୍ଠ ଅରୁନ୍ଧତୀ ବିଭାକଲେ ।

ସେବେଳେ ବିବାହ ଜଳେ ସିପ୍ରା ନଦୀ ହେଲେ ॥

ସେ ନଦୀ ସିପ୍ରାହ୍ରଦରେ ଆସିଣ ପଡ଼ିଲା ।

ଯଥା ଗଙ୍ଗା ବିଷ୍ଣୁ ପାଦୁଁ ନିର୍ଗତ ହୋଇଲା ॥

ବ୍ରହ୍ମା ହରିହର ଜଳ ଛିଞ୍ଚିଲେ ବିବାହେ ।

ଗାୟତ୍ରୀ ଦ୍ରୁପଦାଦି ଶାନ୍ତି କଲେକ ସ୍ନେହେ ॥

ସେ ଜଳ ଏକତ୍ର ହୋଇ ମାନସ ଗୁହାରୁ ।

ବାହାରି ପତିତ ହେଲା ସିପ୍ରା ହ୍ରଦଠାରୁ ॥

ଦେବଙ୍କ ଉପଭୋଗାର୍ଥେ ଧାତା ନିର୍ମାଣିଲେ ।

ସିପ୍ରାହ୍ରଦ ହିମଗିରି ସ୍ଥାନରେ ରହିଲେ ॥

ଅଦ୍ୟାପି ଇନ୍ଦ୍ର ସେ ହ୍ରୁଦେ ଅପସରାଙ୍କ ସହ ।

ଶଚିଙ୍କୁ ଘେନି କ୍ରୀଡ଼ନ୍ତି ସ୍ଵଚ୍ଛଜଳେ ଦେହ ॥

ଦେବଗଣେ ରତ୍ନ ପରି ତାହାକୁ ଦେଖନ୍ତି ।

ସେ ହ୍ରଦକୁ କେହି ନର ଯାଇ ନପାରନ୍ତି ॥

ତପୋବଳେ ମୁନିଗଣେ ଯାନ୍ତି ସେହି ହ୍ରଦେ ।

ସ୍ନାନ ପାନ କରି ଶାନ୍ତି ଲଭନ୍ତି ଆନନ୍ଦେ ॥

ସେମାନେ ସେ ହ୍ରଦଜଳେ ସ୍ନାନାଦି କରନ୍ତି ।

ଅମର ହୋଇଣ ସ୍ୱର୍ଗେ ବାସ ସେ କରନ୍ତି ॥

ସେ ହ୍ରଦର ଜଳ ବର୍ଷାକାଳେ ନ ବଢ଼ଇ ।

ଗ୍ରୀଷ୍ମରେ ମଧ୍ୟ ସେ ଜଳ ଶୁଷ୍କ ନ ହୁଅଇ ॥

ବଶିଷ୍ଠ ବିବାହେ ବ୍ରହ୍ମା ହରିହର ହସ୍ତେ ।

ଯେଉଁ ଜଳ ଧରିଥିଲେ ସେ ଦ୍ରଦେ ପଡ଼ନ୍ତେ ॥

ବୃଦ୍ଧିହୋଇ ସିପ୍ରାନାମେ ବହିଣ ସେ ଗଲା ।

ବିଷ୍ଣୁଚକ୍ରେ ଗିରିଭେଦି ପୃଥ୍ଵୀରେ ବହିଲା ॥

ପୁଣ୍ୟତୋୟା ହୋଇ ପାପିଗଣଙ୍କୁ ନିସ୍ତାରେ ।

ଦକ୍ଷିଣ ସାଗରେ ଯାଇଁ ମିଳେ ଖରତରେ ॥

କାର୍ତ୍ତିକ ପୂର୍ଣ୍ଣମୀଦିନ ସେ ସ୍ନାନ କରଇ ।

ସର୍ବପାପୁ ମୁକ୍ତ ହୋଇ ବୈକୁଣ୍ଠେ ଗମଇ ॥

ଋଷୟ ଉବାଚ

କାହା କନ୍ୟା ଅରୁନ୍ଧତୀ ବଶିଷ୍ଠ କିପରି ।

ବିବାହକଲେ ଆମ୍ଭଙ୍କୁ କହନ୍ତୁ ବିସ୍ତାରି ॥

ପତିବ୍ରତା ଶିରୋମଣି ସେହି ଅରୁନ୍ଧତୀ ।

ସ୍ଵାମୀ ପାଦବିନା ଅନ୍ୟତ୍ର ସେ ନ ଚାହାନ୍ତି ॥

ଯାହାଙ୍କ ନାମ ସ୍ମରଣେ ମାହାତ୍ମ୍ୟ ଶ୍ରବଣେ ।

ନାରୀମାନେ ପତିବ୍ରତା ହୁଅନ୍ତି ସେ କ୍ଷଣେ ॥

ଅଶୁଚି ପାପୀପୁରୁଷ ଯାଙ୍କୁ ନ ଦେଖନ୍ତି ।

ଅରୁନ୍ଧତୀ ଉପାଖ୍ୟାନ କହନ୍ତୁ ଝଟତି ॥

ମାର୍କଣ୍ଡେୟ ଉବାଚ

ଶୁଣନ୍ତୁ ସେ ଅରୁନ୍ଧତୀ ଯାହାଙ୍କ ତନୟା ।

ବଶିଷ୍ଠଙ୍କୁ ପତିକଲେ ଯେଉଁ ଭାବେ ତାହା ॥

ପତିବ୍ରତା ମଧ୍ୟେ ଶ୍ରେଷ୍ଠ ହେଲେ ଯେଉଁପରି ।

ସେସବୁ କହିବା ଶୁଣ ମନକର୍ଣ୍ଣ ଡେରି ।

ବ୍ରହ୍ମାଙ୍କ ମାନସୁ ଯେଉଁ ସନ୍ଧ୍ୟା ଜନ୍ମିଥିଲେ ।

ତପେ ଦେହତ୍ୟାଗ କରି ଅରୁନ୍ଧତୀ ହେଲେ ॥

ମେଧାତିଥି ମୁନିଙ୍କର କନ୍ୟାରୂପେ ଜନ୍ମି ।

ବ୍ରହ୍ମା ହରିହର ବାକ୍ୟେ ପତିବ୍ରତା ପୁଣି ॥

ବଶିଷ୍ଠ ମହର୍ଷିଙ୍କୁ ସେ ନିଜ ଇଚ୍ଛାମତେ ।

ବିବାହ କରି ରହିଲେ ମୁନିଙ୍କ ସଙ୍ଗତେ ॥

ଋଷୟ ଉବାଚ

କିପରି ସେ ତପକଲେ କେଉଁ ସ୍ଥାନେ ରହି ।

ପ୍ରାଣତେଜି ମେଧାତିଥି ବୀର୍ଯ୍ୟେ ଜନ୍ମହୋଇ ॥

କିପରି ସେ ହରିହର ବ୍ରହ୍ମା ତିନିଜଣ ।

ବଶିଷ୍ଠଙ୍କୁ ବରବୋଲି କହିଦେଲେ ପୁଣ ॥

ସେ ସମସ୍ତ କଥା ବିସ୍ତାରିଣ କହ ମୁନି ।

ଅରୁନ୍ଧତୀ କଥା ଶୁଣି ହେବୁଁ ତୋଷ ପୁଣି ॥

ମାର୍କଣ୍ଡେୟ ଉବାଚ

ସନ୍ଧ୍ୟା ତନୟାକୁ ଦେଖି ଲୋକ ପିତାମହ ।

କାମବାଣେ ପୀଡ଼ିତ ହୋଇଣ ହେଲେ ମୋହ ॥

ମାନସ ପୁତ୍ର ମରିଚି ଆଦିଙ୍କର ଆଗେ ।

ଶିବ ଉପହାସ କଲେ ବ୍ରହ୍ମାଙ୍କୁ ସରାଗେ ॥

ଲଜ୍ଜାରେ ବିଧାତା ଅଧୋମୁଖେ ଚିନ୍ତାକଲେ ।

କ୍ରୋଧଭରେ କନ୍ଦର୍ପକୁ ଅଭିଶାପ ଦେଲେ ॥

ସନ୍ଧ୍ୟାନାରୀ ମନେ ମନେ ଲଜ୍ଜିତ ହୋଇଣ ।

ସ୍ଵଯୌବନ ନିନ୍ଦାକଲେ କ୍ରୋଧବଶେ ପୁଣ ॥

ସେକାଳେ ଭାବିଲେ ସନ୍ଧ୍ୟା ମୋ ମନକୁ କାମ ।

ବିଚଳିତ କରି ଲଜ୍ଜା ଦେଲା ସେ ଅଧମ ॥

ସେ ଦୋଷରୁ ଶାପଗ୍ରସ୍ତ ହେଲା ସେ ମଦନ ।

ମୋ ମାନସ ପାପ କିପରି ହେବ କ୍ଷାଳନ ॥

ଏ ପାପର ଯଥୋଚିତ ପ୍ରାୟଶ୍ଚିତ ଏହି ।

ପାପୁଁ ମୁକ୍ତି ହେବି ଅଗ୍ନିରେ ଶରୀର ଦହି ॥

ଆଜିଠାରୁ ବ୍ରହ୍ମାଣ୍ଡରେ ଏକଥା ଚଳିବ ।

ଜାତମାତ୍ରେ କେହି ପ୍ରାଣୀ ସକାମ ନୋହିବ ॥

ଏଥିପାଇଁ ଘୋର ତପ କରିବି ମୁଁ ଆଗେ ।

କଥାରଖି ଅଗ୍ନିଝାସ ଦେବିପରେ ଯୋଗେ ॥

ଯେଉଁ ମୋ ଦେହକୁ ଦେଖି ପିତା ଭ୍ରାତାଗଣ ।

କାମଦଗ୍‌ଧ ହେଲେ ସେ ଦେହେକି ପ୍ରୟୋଜନ ॥

ଏତେ ବିଚାରି ସେ ସନ୍ଧ୍ୟା ଚନ୍ଦ୍ରଭାଗ ଶୈଳେ ।

ପ୍ରବେଶ ହେଲେ ତପସ୍ୟା କରିବେ ସେ ସ୍ଥଳେ ॥

ସେ ଶୈଳରୁ ଚନ୍ଦ୍ରଭାଗା ନଦୀର ଉତ୍ପତ୍ତି ।

ତେଣୁ ଶୈଳବର ଚନ୍ଦ୍ରଭାଗ ନାମେ ସ୍ଥିତି ॥

ସୁବର୍ଣ୍ଣଗୋରୀ ସେ ସନ୍ଧ୍ୟା ପର୍ବତ ସଙ୍ଗତେ ।

ଚନ୍ଦ୍ରୋଦୟ ଉଦୟ ପର୍ବତ ଶୋଭା ମତେ ॥

ଶୋଭିତା ହୋଇ ତପରେ ବଳାଇଲେ ମତି ।

ବିପ୍ର ପ୍ରଭାକରର ଭାଷାରେ ଏ ବଦତି ॥

 

ଇତି ଶ୍ରୀ କାଳିକାପୁରାଣେ

ଊନବିଂଶତିତମୋଽଧ୍ୟାୟଃ ।

✽✽✽

 

॥ ୨୦ ॥

 

ମାର୍କଣ୍ଡେୟ ଉବାଚ

ଚନ୍ଦ୍ରଭାନୁ ପର୍ବତକୁ ସନ୍ଧ୍ୟା ଯିବା ଦେଖି ।

ନିଜପୁତ୍ର ବିଶିଷ୍ଠଙ୍କୁ କହନ୍ତି ଅଷ୍ଟାଖି ॥

ତପସ୍ଵୀ ବଶିଷ୍ଠ ମୁନି ନୀୟତାତ୍ମା ଜ୍ଞାନୀ ।

ବେଦ ବେଦାଙ୍ଗ ପାରଗ ବସିଛନ୍ତି ତୁନି ॥

ବ୍ରହ୍ମୋବାଚ

ହେ ବଶିଷ୍ଠ ଯାଅ ସନ୍ଧ୍ୟା ଯେସ୍ଥାନକୁ ଯିବ ।

ତପସ୍ୟାର ବିଧିମାନ ତାକୁ ଶିଖାଇବ ॥

ଯେଣୁ ଲଜ୍ଜାରେ ସେ ପ୍ରାଣ ତେଜି ଇଚ୍ଛାକରେ ।

ତୁମ୍ଭ ଆମ୍ଭ ସମକ୍ଷେତ୍ରେ କାମୁକୀ ହେବାରେ ॥

ଅତି ଅସୁନ୍ଦର କଥା ପିତାଭ୍ରାତା ଆମ୍ଭେ ।

କାମଯୋଗେ କାମେଇଚ୍ଛା କଲେ ହୀନଦମ୍ଭେ ।

ତପୋବଳେ ଏ ପାପରୁ ମୁକ୍ତ ହେବା ଆଶେ ।

ଗମନ କଲା ସେ ସନ୍ଧ୍ୟା ଚନ୍ଦ୍ରଭାଗ ପାଶେ ॥

ଭିନ୍ନ ବେଶ ଧରି ତୁମ୍ଭେ ଉପଦେଷ୍ଟା ରୂପେ ।

ସନ୍ଧ୍ୟାକୁ ତପସ୍ୟା ବିଧି ଶିଖାଅ ସ୍ଵରୂପେ ॥

ତୁମ୍ଭର ଏ ରୂପ ଦେଖି ସନ୍ଧ୍ୟା ଲଜ୍ଜାଭରେ ।

କିଛି ନକହି ଅନ୍ୟତ୍ର ପଳାଇଣ ପାରେ ॥

ତେଣୁ ଅନ୍ୟ ଋଷିବେଶେ ତା ନିକଟେ ଯାଅ ।

ତପସ୍ୟା ବିଧି ଶିଖାଇ ଉପକାରୀ ହୁଅ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମାଙ୍କ ବାକ୍ୟେ ବଶିଷ୍ଠ ବ୍ରହ୍ମଚାରୀ ବେଶେ ।

ଜଟାଧାରୀ ଯୁବକ ହୋଇଣ ସନ୍ଧ୍ୟା ପାଶେ ॥

ପ୍ରବେଶି ଦେଖିଲେ ସନ୍ଧ୍ୟା ଶୈଳସ୍ଥ ହ୍ରଦର ।

ତୀରେ ଏକା ବସି ଭାବୁ ଅଛନ୍ତି ମନର ॥

ପଦ୍ମବିଭୂଷିତ ସ୍ୱଚ୍ଛ ଶୀତଳ ସେ ଜଳ ।

ତୀରେ ବନଦେବୀ ପ୍ରାୟ ସନ୍ଧ୍ୟା ଢଳଢଳ ॥

ସ୍ଵନକ୍ଷତ୍ର ଚନ୍ଦ୍ର ପ୍ରଦୋଷରେ ପ୍ରକାଶିତ ।

ହେବାପରି ସନ୍ଧ୍ୟାତନୁ ଜଳରେ ବିମ୍ବିତ ॥

ସନ୍ଧ୍ୟାକୁ ଦେଖି ବଶିଷ୍ଠ ପୁଛିଲେ କାରଣ ।

ବୃହଲୋହିତ ହ୍ରଦକୁ ଦେଖନ୍ତି ସତୃଷ୍ଣ ॥

ସେ ହ୍ରଦରୁ ଚନ୍ଦ୍ରଭାଗା ନଦୀ ବହିଯାଏ ।

ଦକ୍ଷିଣ ସାଗରେ ପତି ସଙ୍ଗକରେ ଛାଏଁ ॥

ପର୍ବତ ପଶ୍ଚିମସାନୁ ଭେଦି ବହେ ପୁଣ ।

ହିମାଦ୍ରିରୁ ଗଙ୍ଗା ଯଥା ହେଲେ ଅବତୀର୍ଣ୍ଣ ॥

ଋଷୟ ଉବାଚ

ସେ ହ୍ରଦରୁ ଚନ୍ଦ୍ରଭାଗା ନଦୀର ଉତ୍ପତ୍ତି ।

ବୃହଲୋହିତ ହ୍ରଦ ସେ ଚନ୍ଦ୍ରଭାଗେ ସ୍ଥିତି ॥

ସେ ବିବରଣ କହିଣ ମନ ତୃପ୍ତି କର ।

ଶୁଣିବାକୁ ବଡ଼ ଇଚ୍ଛା ହେଉଛି ଆମ୍ଭର ॥

ମାର୍କଣ୍ଡେୟ ଉବାଚ

ଶୁଣ ମୁନିଗଣେ ଚନ୍ଦ୍ରଭାଗା ବିବରଣ ।

ଚନ୍ଦ୍ରଭାଗା ମାହାତ୍ମ୍ୟ ତା ନାମର କାରଣ ॥

ହିମାଦ୍ରି ସଂଯୋଗେ ଶତଯୋଜନ ବିସ୍ତୃତ ।

ଦୀର୍ଘେ ତିରିଶି ଯୋଜନ ଚନ୍ଦ୍ରକୁନ୍ଦ ଶୀତ ॥

ସେ ଶୈଳରେ ପୂର୍ବେ ବ୍ରହ୍ମା ଅମୃତ ଭଣ୍ଡାର ।

ପୂର୍ଣ୍ଣଚନ୍ଦ୍ରକୁ ଷୋଡ଼ଶ ଭାଗେ କଲେ ହାର ॥

ଦେବତା ପିତୃଙ୍କ ଅନ୍ନ ସ୍ଵରୂପ ସେ ଇନ୍ଦୁ ।

ବୃଦ୍ଧି କ୍ଷୟରୂପେ ଶୁକ୍ଳ କୃଷ୍ଣ କଲେ ବିନ୍ଦୁ ॥

ସେ ଶୈଳରେ ଚନ୍ଦ୍ରଭାଗ ହୋଇଥିବା ଜାଣି ।

ଦେବାସୁରେ ଚନ୍ଦ୍ରଭାଗ ନାମ ଦେଲେ ପୁଣି ॥

ଋଷୟ ଉବାଚ

ଯଜ୍ଞଭାଗ ଥାଉଁ ଥାଉଁ କ୍ଷୀରୋଦ ଯଶଶୀ ।

ଦେବ ପିତୃ ଅନ୍ନରୂପେ କଳ୍ପିଲେ କି ଭାଷି ॥

ବୃଦ୍ଧି କ୍ଷୟରୂପେ ଶୁକ୍ଳ କୃଷ୍ଣପକ୍ଷ ଦ୍ଵୟେ ।

ଏ ସଂଶୟ ଛେଦ ଗୁରୋ ଜଣାଉଁ ବିନୟେ ॥

 

 

ମାର୍କଣ୍ଡେୟ ଉବାଚ

ପୂର୍ବେ ଦକ୍ଷ ନିଜ କନ୍ୟା ଅଶ୍ଵିନୀ ଆଦିଙ୍କୁ ।

ସତାଇଶ କନ୍ୟାଦେଲେ ବିବାହେ ଚନ୍ଦ୍ରଙ୍କୁ ॥

ଭାର୍ଯ୍ୟାମାନଙ୍କ ମଧ୍ୟରେ ରୋହିଣୀଙ୍କୁ ଏକା ।

ସ୍ନେହେ ରଖି ତାଙ୍କ ବଶେ ରହିଲେ ସେ ଏକା ॥

ଅନ୍ୟ ନାରୀମାନେ ବହୁ ଉପହାର ଘେନି ।

ଚନ୍ଦ୍ରଙ୍କୁ ପ୍ରାର୍ଥନା କଲେ ତାହା ସେ ନଶୁଣି ॥

ତହୁଁ କ୍ରୋଧାବିଷ୍ଟା ହେଲେ ଅନ୍ୟ ନାରୀମାନେ ।

ଉତ୍ତରା ଫାଲଗୁନି ଦ୍ୱିଜା କୃତ୍ତିକା ସମାନେ ॥

ଆର୍ଦ୍ରା ମଘା ବିଶାଖା ଉତ୍ତରଭାଦ୍ର ପଦ ।

ଜ୍ୟେଷ୍ଠା ଉତ୍ତରାଷାଢ଼ା ଏ ନବନାରୀ ମଧ୍ୟ ॥

କୋପ ନକରି ସରାଗେ ଚନ୍ଦ୍ରଙ୍କୁ ଭେଟିଲେ ।

ନମସ୍କାର କରି ଚନ୍ଦ୍ର ପାଖରେ ବସିଲେ ॥

ଚନ୍ଦ୍ର ଚାରିପାଖେ ଘେରି ଦେଖିଲେ ରୋହିଣୀ ।

ଚନ୍ଦ୍ରବାମାଙ୍କରେ ବସି ହସେ ମହାଧନୀ ॥

ଚନ୍ଦ୍ର ସଦା କ୍ରୀଡ଼ାରତ ରୋହିଣୀ ସଙ୍ଗରେ ।

ଅନ୍ୟ ନାରୀମାନଙ୍କୁ ନ ଚାହାନ୍ତି ସେ ବାରେ ॥

ତହୁଁ କ୍ରୋଧେ ତିନି ପୂର୍ବଭଉଣୀ କୃତ୍ତିକା ।

ଚନ୍ଦ୍ରକୋଳାସ୍ଥା ରୋହିଣୀଙ୍କୁ ଟାଣିଲେ ଏକା ॥

ଭର୍ତ୍ସନା କରନ୍ତି ରୋହିଣୀଙ୍କ ମୁହଁ ଚାହିଁ ।

ତୁ ଥିବାରୁ ଚନ୍ଦ୍ର ଆମ୍ଭଙ୍କୁ ଚାହାନ୍ତି ନାହିଁ ॥

କୌଣସି ସମୟେ ଆମ୍ଭ ସଙ୍ଗେ ସହବାସ ।

ନକରନ୍ତି ତୋ ଯୋଗରୁ ଏଡ଼େ ତୋମୁହାଁସ ॥

ତୋତେ ମାରି ଆମ୍ଭ ସର୍ବେ ପ୍ରିୟବତୀ ହେବୁଁ ।

ଆମ୍ଭ ଆଶାଭଙ୍ଗ ମାରି ଦୋଷି ନ ହୋଇବୁ ॥

ବହୁ ନାରୀଙ୍କର ଭ୍ରୂଣହତ୍ୟା ଦୋଷୀ ତୁହି ।

ଋତୁକାଳ ଭିନ୍ନ ପତି ସଙ୍ଗ କରୁ ରହି ॥

ପୂର୍ବେ ବ୍ରହ୍ମା ନିଜପୁତ୍ରେ ଦେଲେ ଉପଦେଶ ।

ସେ ନୀତିଶାସ୍ତ୍ରକୁ ଶୁଣି ନାହୁଁ ମାତ୍ର ଲେଶ ॥

ଦୁଷ୍ଟମତି ଏକଜଣ ବଧ କରି ଯଦି ।

ବହୁତଙ୍କ ଉପକାର ଯେଉଁ ଜନ ସାଧି ॥

ବଧେ ଦୋଷ ନାହିଁ ତାର ଏ ସତ୍ୟ ବଚନ ।

ଯେଣୁ ବହୁ ଉପକାର ହେତୁ ସେହି ଧନ୍ୟ ॥

ମାର୍କଣ୍ଡେୟ ଉବାଚ

ସେମାନଙ୍କ ଅଭିପ୍ରାୟ କାର୍ଯ୍ୟ ଦେଖି କରି ।

ଭୀତା ଚକିତା ପ୍ରିୟାକୁ ଚାହିଁ ଦୁଃଖ କରି ॥

ନିଜର ଅପରାଧକୁ ଜାଣି ମନ ମଧ୍ୟେ ।

ତାଙ୍କ ହସ୍ତୁଁ ରୋହିଣୀଙ୍କୁ ଛଡ଼ାନ୍ତି ସକ୍ରୋଧେ ॥

ଘେନିଆସି ରୋହିଣୀଙ୍କୁ ସ୍ନେହ କୋଳ କରି ।

କୃତ୍ତିକାଦି ସ୍ତ୍ରୀମାନଙ୍କୁ ଦୂରରୁ ନିବାରି ॥

କୃତ୍ତିକାଦି ଚନ୍ଦ୍ରଙ୍କୁ କହନ୍ତି କ୍ରୋଧଭରେ ।

ରୋହଣୀଙ୍କୁ ଦେଖି ଶାନ୍ତି ଭଜନ୍ତି ସେ ଖରେ ॥

ହେ ଚନ୍ଦ୍ର ତୁମ୍ଭର ଲଜ୍ଜା ଭୟ ପାପ ଡର ।

କିଛି ନାହିଁ ବଡ଼ ହୋଇ ଅଧମ ପ୍ରକାର ॥

ବ୍ରତ ଚରିତ୍ରରେ ଶୁଦ୍ଧା ଆମ୍ଭଙ୍କୁ ତେଜିଣ ।

ଏକା ରୋହିଣୀ ସଙ୍ଗରେ କର କାମ ରଣ ॥

ବେଦମୂଳ ଧର୍ମ ଶୁଣି ନାହିଁ ଦେଖି ନାହଁ ।

ବିଗର୍ହିତ କର୍ମ କରି ଦେଖାଉଛ ମୁହଁ ॥

ଧର୍ମଶାସ୍ତ୍ର ଅନୁସାରେ ଚଳୁ ଆମ୍ଭେମାନେ ।

ବିବାହ କରି ଆମ୍ଭଙ୍କୁ ଛାଡ଼ କେଉଁମାନେ ॥

ନାରଦ ବ୍ରହ୍ମାଙ୍କଠାରୁ ଶୁଣି ଦକ୍ଷ ଆଗେ ।

ଯାହା କହିଥିଲେ ଆମ୍ଭେ ଶୁଣିଛ ସରାଗେ ॥

ଯେ ବହୁବାର ପୁରୁଷ ଏକ ସ୍ତ୍ରୀକୁ ଭଜେ ।

ପାପଭାଗୀ ସେ ସ୍ତ୍ରୀଜିତ ଅଶୁଭରେ ମଜ୍ଜେ ॥

ନାରୀଙ୍କର ପତିଭୋଗ ନହେଲେ ଯେ ଦୁଃଖ l

ତା ସମାନ କଷ୍ଟ ନାହିଁ ତ୍ରିଲୋକରେ ଦେଖ ॥

ଯେଉଁ ଅଧମ ପୁରୁଷ ଋତୁମତୀ ନାରୀ ।

ସମ୍ଭୋଗ ନକରେ ଗର୍ଭହତ୍ୟା ଦୋଷେ ଘାରି ॥

ଋତୁମତୀ ସ୍ନାନ ଦିନ ସଙ୍ଗମ ବିଧେୟ ।

ଏଥୁରୁ ଅନ୍ୟଥା କଲେ ବିପଦ ନିଶ୍ଚୟ ॥

ବହୁବାର ନରର ସ୍ତ୍ରୀ ଋତୁକାଳ ମାନ ।

ମୈଥୁନ ଅଭାବେ ବ୍ରତ ପାଳନ ସମାନ ॥

ବିବାହିତା ନାରୀଙ୍କୁ ତୋଷିବ ସର୍ବମତେ ।

ତା ସନ୍ତୋଷେ ସର୍ବଶୁଭ ମରଣ ଅତୃପ୍ତେ ॥

ପତି ପତ୍ନୀରେ ସନ୍ତୋଷ ପତ୍ନୀ ପତି ଯୋଗେ ।

ଯହିଁ ଏହା ଥାଏ ତହିଁ ମଙ୍ଗଳ ବିଶେଷେ ॥

ସୌଭାଗ୍ୟମତ ପୁରୁଷ ଯେ ସ୍ତ୍ରୀ ବୋଲେ ପଡ଼ି ।

ଅନ୍ୟ ସ୍ତ୍ରୀ ବିଚ୍ଛେଦ କରେ ଜନ୍ମାନ୍ତେ ସେ ନାରୀ ॥

ବେଶ୍ୟା ହୋଇକରି ସଦା ପାପ ଆଚରଣ ।

ଇହଲୋକେ ନିନ୍ଦା ଅଧର୍ମ ଲଭଇ ପୁଣ ॥

ପିତୃ ସ୍ଵାମୀକୂଳେ କଳଙ୍କିନୀ ସେହି ନାରୀ ।

ସପତ୍ନୀଙ୍କୁ ହିଂସାକରି ପତିକୁ ବିଗାଡ଼ି ॥

ବିରହିତା ନାରୀ ଦୁଃଖ ନିଶ୍ଵାସ ପବନେ ।

ପତି ସପତ୍ନୀ ଦୁଃଖ ଭୋଗନ୍ତି ଅନୁକ୍ଷଣେ ॥

ମାର୍କଣ୍ଡେୟ ଉବାଚ

କୃତ୍ତିକାଦି ନାରୀଗଣ ଏପରି କହନ୍ତେ ।

ରୋହିଣୀ ମୁଖ ମଳିନ ଚନ୍ଦ୍ରମା ଦେଖନ୍ତେ ॥

କୋପଯୁକ୍ତ ହୋଇ ଚନ୍ଦ୍ର ମର୍ମାହତ ହେଲେ ।

ରୋହିଣୀ ଲଜ୍ଜା ଭୟରେ କିଛି ନକହିଲେ ॥

କୃତ୍ତିକାଦି ନାରୀଙ୍କୁ କ୍ରୋଧରେ ଅଭିଶାପ ।

ଦେଇ କହିଲେ ଶଶାଙ୍କ ହୋଇ ବଡ଼ କୋପ ॥

ଯେଣୁ ମୋ ସମକ୍ଷେ ତୁମ୍ଭେ କଟୁ ବାକ୍ୟ କହ ।

ତେଣୁ ଉଗ୍ରା ବୋଲି ଲୋକେ ପାଇବ ସନ୍ଦେହ ॥

ତେଣୁ ତୁମ୍ଭ ଭୋଗକାଳ କାର୍ଯ୍ୟରେ ଅଶୁଭ ।

ତୁମ୍ଭଙ୍କୁ ନିନ୍ଦିବେ ସର୍ବେ ନଲଭିବେ ଶୁଭ ॥

ଦେବ ନରେ ଯାତ୍ରାକାଳେ ତୁମ୍ଭଙ୍କୁ ଦେଖିଲେ ।

ଅଶୁଭ ହୋଇବ ଯାତ୍ରା ନିନ୍ଦିବେ ସକଳେ ॥

ଚନ୍ଦ୍ରଙ୍କ ନିଷ୍ଠୁର ଶାପ ଶୁଣି ନାରୀମାନେ ।

ଚନ୍ଦ୍ରମନ ଜାଣି ନିରାଶେ ଗଲେ ତତ୍‌କ୍ଷଣେ ॥

ପିତା ଦକ୍ଷଙ୍କ ନିକଟେ ମିଳିଲେ ସେ ଯାଇ ।

ଅଶ୍ଵିନ୍ୟାଦି କନ୍ୟାମାନେ ପିତା ଆଗେ କହି ॥

ଚନ୍ଦ୍ର ଆମ୍ଭଙ୍କୁ ସର୍ବଦା ନିରାଶ କରନ୍ତି ।

ରୋହିଣୀ ସଙ୍ଗେ ସର୍ବଦା ସୁରତେ ମାତନ୍ତି ॥

ବହୁ ଅନୁନୟେ ମଧ୍ୟ ନୋହିଲେ ସେ ବଶ ।

ପରନାରୀ ପରି ଭାବି କଲେ ସେ ନିରାଶ ॥

ଆସନ ଯାନ ଶୟନ ଭୋଜନ କଥନେ ।

ରୋହିଣୀ ସଙ୍ଗ ଶଶାଙ୍କ ନଛାଡ଼ନ୍ତି କ୍ଷଣେ ॥

ଆମ୍ଭେମାନେ ତାଙ୍କୁ ଦେଖି ଆଳାପ କରନ୍ତେ ।

ବିରକ୍ତରେ ନଚାହିଁ ପଳାନ୍ତି ସେ ଗୁପତେ ॥

ସ୍ଵାମିଭାବ ଦୂରେ ଥାଉ ଆମ୍ଭ ସୁଖ ଲେଶ ।

ଦେଖିବା ମାତ୍ରକେ ତାଙ୍କ ମନେ ହୁଏ କ୍ଳେଶ ॥

ଆମ୍ଭେ ଚନ୍ଦ୍ରଙ୍କୁ ବେଢ଼ିଣ ଦୁଃଖ ଜଣାଇଲୁ ।

କ୍ରୋଧେ ତାଙ୍କଠାରୁ ପୁଣି ଶାପକୁ ପାଇଲୁ ॥

ଦାରୁଣ ତୀକ୍ଷ୍‍ଣ ହୋଇବୁ ଯାତ୍ରାଦି ସମୟେ ।

ତେଣୁ ସକଳେ ନିନ୍ଦିବେ ଆମ୍ଭଙ୍କୁ ନିଶ୍ଚୟେ ॥

ମାର୍କଣ୍ଡେୟ ଉବାଚ

କନ୍ୟାମାନଙ୍କ ଦୁଃଖ କାହାଣୀ ଶୁଣି ଦକ୍ଷ ।

ତାଙ୍କ ସଙ୍ଗେ ଗଲେ ଚନ୍ଦ୍ରପାଖୁ ହୋଇ ଋଷ ॥

ଚନ୍ଦ୍ର ଦକ୍ଷଙ୍କୁ ଦେଖି ଦୂରରୁ ଠିଆହେଲେ ।

ପ୍ରଣମି ଆସନ ଦେଇ ତାଙ୍କୁ ବସାଇଲେ ॥

ଦକ୍ଷ କହିଲେ ଚନ୍ଦ୍ରଙ୍କୁ ପ୍ରଶାନ୍ତ ବଚନେ ।

କୃତ୍ତିକାଦି କନ୍ୟାଗଣ ଥିଲେ ସେହି ସ୍ଥାନେ ॥

ଦକ୍ଷ ଉବାଚ

ସକଳ ଭାର୍ଯ୍ୟାଙ୍କ ସଙ୍ଗେ ସମଭାବ କର l

ବିଷମେ ଅନିଷ୍ଟ କହିଛନ୍ତି ବେଦବର ॥

ରତିପୁତ୍ର ଫଳ ନାରୀ ବୃକ୍ଷରୁ ଜନ୍ମଇ ।

କାମାନୁବନ୍ଧରୁ ରତି ପୁତ୍ର ଜାତ ହୋଇ ॥

ସଂସର୍ଗରୁ କାମଭାବ ସାଙ୍ଗକୁ ସଂସର୍ଗ ।

ସ୍ମରଣ ଦର୍ଶନ ଯୋଗେ ହୁଅଇ ସଂଯୋଗ ॥

ତେଣୁ ନାରୀମାନଙ୍କୁ ଧ୍ୟାନ ଦର୍ଶନ କର ।

ଯଦ୍ୟପି ମୋ ବାକ୍ୟ ନମାନିବ ନିଶାକର ॥

ତେବେ ଲୋକେ ନିନ୍ଦାପାଇ ପାପଭାଗୀ ହେବ ।

ନାରୀଙ୍କ ଦୁଃଖହେତୁର ସମୂଳରେ ଯିବ ॥

ମାର୍କଣ୍ଡେୟ ଉବାଚ

ଶ୍ଵଶୁର ଦକ୍ଷଙ୍କ କଥା ଶୁଣି ନିଶାକର ।

ଏପରି କରିବି ଏବେ କଲେ ସେ ସ୍ଵୀକାର ॥

ତହୁଁ କନ୍ୟାଙ୍କୁ ସମର୍ପି ଚନ୍ଦ୍ରଙ୍କ ସମୀପେ ।

ଆନନ୍ଦେ ଚଳିଲେ ଦକ୍ଷ ସ୍ଵପୁରେ ସ୍ଵରୂପେ ॥

ମାତ୍ର ଚନ୍ଦ୍ର ରୋହିଣୀଙ୍କୁ ପୂର୍ବପରି ସ୍ନେହେ ।

କୋଳକରି ଅନ୍ୟନାରୀ ନଚାହିଁଲେ କୋହେ ॥

ତହୁଁ କୃତ୍ତିକାଦି ପିତା ପାଶେ ପ୍ରବେଶିଲେ ।

ଚନ୍ଦ୍ର ଅନାଦର କଥା କହିଲେ ସେ ପୁଣ ॥

କନ୍ୟାଙ୍କ ବଚନେ ଦକ୍ଷ ପୁଣି ଚନ୍ଦ୍ରପାଶେ ।

ପ୍ରବେଶି ସମଭାବଳୁ ବୁଝାନ୍ତି ବିଶେଷେ ॥

ଚନ୍ଦ୍ର ଦକ୍ଷଭୟେ ତାଙ୍କ କଥା ମାନିବାକୁ ।

ସ୍ଵୀକାର କରାନ୍ତେ ଦକ୍ଷ ଚଳିଲେ ପୁରକୁ ॥

କିନ୍ତୁ ଚନ୍ଦ୍ର ଦକ୍ଷପାନ୍ତେ ପୂର୍ବପରି ହେଲେ ।

ରୋହିଣୀଙ୍କ ସଙ୍ଗେ ମାତି ଅନ୍ୟଙ୍କୁ ତଡ଼ିଲେ ॥

ତହୁଁ କୃତ୍ତିକାଦି କ୍ରୋଧେ ପିତୃପାଶେ ଯାଇ ।

ସବୁକଥା ଦକ୍ଷଆଗେ କହିଲେ ବୁଝାଇ ॥

କହିଲେ ଆମ୍ଭର ପତିଠାରେ ନାହିଁ କାର୍ଯ୍ୟ ।

ତପସ୍ୟା କରିବୁ ଅନୁମତି ଦିଅ ଆଜ ॥

ତହୁଁ ଦକ୍ଷ କ୍ରୋଧେ ଚନ୍ଦ୍ର ନିକଟେ ମିଳିଣ ।

କହିଲେ ମୋ କଥା ନମାନୁଛ ଏବେ ପୁଣ ॥

ଅଭିଶାପ ଦେବି ବଡ଼ ଅନ୍ୟାୟ କରୁନ ।

ମୋ ଦୋଷ ନଧରିବ ହେ ଜାଣିଥାଅ ବତ୍ସ ॥

ଏହାକହି କୋପାବିଷ୍ଟ ହେଲେ ଦକ୍ଷ ମୁନି ।

କ୍ରୋଧେ ତାଙ୍କ ନାସାରୁ ଯକ୍ଷ୍ମା ବାହାରେ ପୁଣି ॥

ଦ୍ରଂଷ୍ଟା କରାଳ ନଦନ କୃଷ୍ଣାଙ୍ଗାର ସମ ।

ଅତି ଦୀର୍ଘ ସ୍ଵଳ୍ପକେଶ କ୍ଷୀଣ ଅପଘନ ॥

ଅଧୋମୁଖ ଦଣ୍ଡ ହସ୍ତ କାଶ କରୁଥାଏ ।

ତଳକୁ ଚାହିଁ ସ୍ତ୍ରୀ ସଙ୍ଗେ ମନକୁ ବଳାଏ ॥

ସେ ଯକ୍ଷ୍ମା କହେ ଦକ୍ଷଙ୍କୁ, କେଉଁଠାକୁ ଯିବି ।

କହ ମୋତେ ମହାମୁନେ କିକାର୍ଯ୍ୟ କରିବି ॥

ତହୁଁ ଦକ୍ଷ ଆଦେଶିଲେ ଯାଅ ଚନ୍ଦ୍ର ପାଶେ ।

ତାକୁ ଗ୍ରାସି ତାହାପାଖେ ରହ ତୁ ବିଶେଷେ ॥

ଦକ୍ଷବାକ୍ୟେ ଯଷ୍ମାରୋଗ ବେଗେ ଚଳିଗଲା ।

ଚନ୍ଦ୍ରଙ୍କୁ ପ୍ରବେଶ କରି ସେଠାରେ ରହିଲା ॥

ସର୍ପ ଉଇକୁ ଧଇଲା ପରି ସେ ଗ୍ରାସିଲା ॥

ସେ ଦାରୁଣ ରାଜଯକ୍ଷ୍ମା କବଳିତ କଲା ॥

ରୋଗ ପ୍ରବେଶ ମାତ୍ରକେ ଚନ୍ଦ୍ର ମ୍ଳାନ ହେଲେ ।

ସଙ୍ଗେ ସଙ୍ଗେ ତନ୍ଦ୍ରାପାଇ ମୋହିତ ହୋଇଲେ ॥

ଉତ୍ପନ୍ନ ମାତ୍ରେ ରାଜା ଚନ୍ଦ୍ରଙ୍କୁ ଗ୍ରାସିବାରୁ ।

ରାଜଯକ୍ଷ୍ମା ନାମ ହେଲା ତାର ଏ ଦୋଷରୁ ॥

ଯକ୍ଷ୍ମାଗ୍ରସ୍ତ ହୋଇ ଶରୀର କ୍ରମେ କ୍ଷୀଣହେଲେ ।

ଗ୍ରୀଷ୍ମେ ନଦୀ ଦେହକୃଶ ହୁଏ ଯଥା ଭଲେ ॥

ଚନ୍ଦ୍ରଙ୍କ କ୍ଷୟ ଦେଖୁ ସର୍ବଔଷଧ ଲତା ।

କ୍ରମେ କ୍ଷୀଣତର ହୋଇ ଭଜିଲେ କୃଶତା ॥

ଔଷଧ କ୍ଷୀଣହେତୁ ଯଜ୍ଞରେ କ୍ଷତି ହେଲା ।

ଦେବଙ୍କ ଅନ୍ନକ୍ରମଶଃ ଦୁର୍ଲଭ ହୋଇଲା ॥

ଯଜ୍ଞଭାବେ ବୃଷ୍ଟି ନହେଲା ଏ ପୃଥିବୀରେ ।

ବର୍ଷା ଅଭାବେ ଶସ୍ୟ ନୋହିଲା ବ୍ରହ୍ମାଣ୍ତରେ ॥

ଦୁର୍ଭିକ୍ଷ ପୀଡ଼ିତ ହେଲେ ସର୍ବ ଜନ୍ତୁଗଣ ।

ଦାନ ଧର୍ମାଦି ନହେଲା ଶସ୍ୟାଭାବେ ଜାଣ ॥

ବଳହୀନ ଲୋଭଗ୍ରସ୍ତ ହେଲେ ପ୍ରଜାକୁଳ ।

କୁକର୍ମ କରି ପାପରେ ବୁଡ଼ିଲେ ସକଳ ॥

ଏହାଦେଖି ଇନ୍ଦ୍ରାଦି ଦେବତା ଗ୍ରହଗଣ ।

ଅତି ବ୍ୟସ୍ତ ହୋଇଗଲେ ବ୍ରହ୍ମା ନିକଟେଣ ॥

ପ୍ରଣାମ କରି ସକଳ କଥା ଜଣାଇଲେ ।

ତାଙ୍କୁ ଆଶ୍ଵାସିଣ ବ୍ରହ୍ମା ଦେବେ ବୁଝାଇଲେ ॥

ବ୍ରହ୍ମୋବାଚ

ଶୁଣ ଦେବେ ଯହିଁ ପାଇଁ ଏ ରାଷ୍ଟ୍ର ବିପ୍ଳବ ।

ତାହା ଶାନ୍ତ କରିବାକୁ ଯତ୍ନବାଦ ହେବ ॥

ଚନ୍ଦ୍ର ଦକ୍ଷ କନ୍ୟା ସପ୍ତବିଂଶ ବିଭାହେଲେ ।

କେବଳ ରୋହିଣୀ ସଙ୍ଗେ ସଦା ବିହରିଲେ ॥

ତହୁଁ ସେ ଛବିଶ ନାରୀ ଦକ୍ଷଙ୍କୁ କହିଲେ ।

ଦକ୍ଷ ଆସି ଚନ୍ଦ୍ରଙ୍କୁ ବୁଝାଇ କହିଗଲେ ॥

କିନ୍ତୁ ରୋହିଣୀ ସ୍ନେହକୁ ନଛାଡ଼ି ଶଶାଙ୍କ ।

ଅନ୍ୟ ନାରୀଙ୍କ ନଚାହିଁ କଲେ ଅବିବେକ ॥

କନ୍ୟାଙ୍କଠାରୁ ଶୁଣିଣ ଦକ୍ଷ ମହାକୋପେ ।

ସୂକ୍ଷ୍ମାକାଶ ଉଦ୍‌ଗାରିଲେ ଚନ୍ଦ୍ରଙ୍କ ସମୀପେ ॥

ଚନ୍ଦ୍ର ଯକ୍ଷ୍ମାଗ୍ରସ୍ତ ହୋଇ କ୍ଷୀଣ ହୋଇବାରୁ ।

ଔଷଧ କ୍ଷୀଣ ହୁଅନ୍ତେ ଯାଗ ନହେବାରୁ ॥

ବୃଷ୍ଟିନୋହି ପ୍ରଜାକୁଳ ଅନ୍ନାଭାବେ ମଲେ ।

ତେଣୁ ଏ ରାଷ୍ଟ୍ର ବିପ୍ଳବ ହୋଇ ଏକାଳେ ॥

ତାହାର ଶାନ୍ତି ବିଧାନ କରିବି ହେ ଶୁଣ ।

ଭାଷାବନ୍ଧେ ପ୍ରଭାକର କରଇ ରଚନ ॥

 

ଇତି ଶ୍ରୀ କାଳିକା ପୁରାଣେ ବିଂଶୋଽଧ୍ୟାୟ ।

✽✽✽

 

॥ ୨୧ ॥

 

ବ୍ରହ୍ମାବାଚ

ହେ ଦେବଗଣେ ଦକ୍ଷଙ୍କ ନିକଟକୁ ଯାଅ ।

ତାଙ୍କୁ ତୋଷକରି ଚନ୍ଦ୍ର କ୍ଷୟକୁ କମାଅ ॥

ଚନ୍ଦ୍ର ପୂର୍ଣ୍ଣହେଲେ ବିଶ୍ଵ ଶାନ୍ତିକୁ ଭଜିବ ।

ଔଷଧିଙ୍କ ବୃଦ୍ଧି ହୋଇ ତୁମ୍ଭ ଶୁଭ ହେବ ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମବାକ୍ୟେ ଇନ୍ଦ୍ର ଆଦି ଦେବଗଣେ ଯାଇ ।

ଦକ୍ଷଙ୍କ ନିକଟେ ପ୍ରବେଶିଲେ ବେଗ ହୋଇ ॥

ଦକ୍ଷଙ୍କୁ ପ୍ରଣମି ସୁଶାସନରେ ବସିଲେ ।

ବ୍ରହ୍ମାଙ୍କ ଉପଦେଶକୁ ସାଦରେ କହିଲେ ॥

ଦେବ ଉବାଚ

ମହାଦୁଃଖେ ଅଛୁ ଆମ୍ଭେ ଆମ୍ଭଙ୍କୁ ଉଦ୍ଧାର ।

ଅନୁଗ୍ରହେ ଶୋକ ସାଗରରୁ ପାରି କର ॥

ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ତୁମ୍ଭେ ସ୍ଵସ୍ଵରୂପ ।

ବ୍ରାହ୍ମଣ ରୂପେ ରହିଛ ନମୁଁ ତୁମ୍ଭ ରୂପ ॥

ସର୍ବ ଲୋକରକ୍ଷା ହେତୁ ପ୍ରଜା ପାଳନରୁ ।

ଦକ୍ଷ ପ୍ରଜାପତି ରୂପେ ନମୁଁ ଆମ୍ଭେ ଭୀରୁ ॥

ସର୍ବ ସୃଷ୍ଟିରକ୍ଷା ସମର୍ଥତା ତୁମ୍ଭଠାରେ ।

ଏଣୁ ସ୍ଵହିତ ନିମିତ୍ତ ନମୁଛୁ ପୟରେ ॥

ନିୟତାତ୍ମା ଯୋଗୀଏ ସନ୍ତତ ଚିନ୍ତୁଛନ୍ତି ।

ସର୍ବସାର ଭୂତ ତୁମ୍ଭେ ନାହିଁ ଆମ୍ଭ ଭୀତି ॥

ଯୋଗୀବୃତ୍ତି ପାରଗ ସୁଶାସ୍ତ୍ର ପାରାୟଣ ।

ଆଦ୍ୟନ୍ତ ମୁକ୍ତ ତୁମ୍ଭଙ୍କୁ ମାଗୁଛି ଶରଣ ॥

ଦେବଙ୍କ ବଚନ ଶୁଣି ଦକ୍ଷ ପ୍ରଜାପତି ।

ଇନ୍ଦ୍ରାଦି ଦେବଗଣଙ୍କୁ ସାଦରେ କହନ୍ତି ॥

ଦକ୍ଷ ଉବାଚ

କି ଦୁଃଖ ତୁମ୍ଭର କହ ଶୁଣି ଇଚ୍ଛାକରେ ।

ମୋ ଦ୍ଵାରା ଦୁଃଖର ଶାନ୍ତି ଯଦି ହୋଇପାରେ ॥

ନିଶ୍ଚୟ କରିବି ତୁମ୍ଭ ଦୁଃଖନାଶେ ଯତ୍ନ ।

ଗୋପନ ନକରି କହି ଦୁଃଖର କାରଣ ॥

ମାର୍କଣ୍ଡେୟ ଉବାଚ

ଦକ୍ଷଙ୍କ ବଚନ ଶୁଣି ଇନ୍ଦ୍ର ବୃହସ୍ପତି ।

ଅଗ୍ନିଦେବ ଜଣାନ୍ତି ଦୁଃଖ କାରଣ ତତି ॥

ଚନ୍ଦ୍ର କ୍ଷୀଣ ହେବାରୁ ଔଷଧି କ୍ଷୟ ହେଲେ ।

ତେଣୁ ଯଜ୍ଞ ନହୋଇଲା ଦୁଃଖେ ପ୍ରଜା ମଲେ ॥

ତୁମ୍ଭ କ୍ରୋଧରୁ ଚନ୍ଦ୍ରଙ୍କ କ୍ଷୀଣତା ହୋଇଛି ।

ସର୍ବବିଶ୍ଵେ ଅନ୍ନାଭାବ ସେ ଯୋଗୁଁ ଘଟିଛି ॥

ଯଜ୍ଞଭାବେ ଆମ୍ଭେ ଦୁର୍ବଳ ହୋଇଛୁ ସର୍ବେ ।

ଏବେଳେ ପାତାଳୁ ଆସି ଅସୁରେ ମିଳିବେ ॥

ତପୋବଳେ ଚନ୍ଦ୍ରଙ୍କ କ୍ଷୀଣତା ନାଶ କର ।

ଚନ୍ଦ୍ର ପୂର୍ଣ୍ଣହେଲେ ସର୍ବଶାନ୍ତ ହେବ ପୁର ॥

ମାର୍କଣ୍ଡେୟ ଉବାଚ

ଦେବଙ୍କ ବଚନ ଶୁଣି ଦକ୍ଷ ପ୍ରଜାପତି ।

ଦେବଙ୍କ ଦୁଃଖ ବିନାଶେ ଉପାୟ କହନ୍ତି ॥

ଚନ୍ଦ୍ରଙ୍କୁ ମୁଁ ଯେଉଁ ଶାପ ଦେଇଛି କୋପରେ ।

ତାହାର ଶାନ୍ତି ମୋଦ୍ଵାରା ନୋହିବ ଏଠାରେ ।

ମୋ ଶାପ ମିଥ୍ୟା ନୋହିବ ଚନ୍ଦ୍ର ବୃଦ୍ଧି ହେବେ ।

ସେ ଉପାୟ ସ୍ଥିରକରି କହିବା ଯେ ଏବେ ॥

ପକ୍ଷେ କ୍ଷୟ ପକ୍ଷେ ବୃଦ୍ଧି ହେବେ ନିଶାକର । ।

ସବୁ ନାରୀଠାରେ ସମଭାବରେ ବିହାର ॥

ଦକ୍ଷବାକ୍ୟ ଶୁଣି ଦେବେ ଚନ୍ଦ୍ର ପାଶେ ଗଲେ ।

ଚନ୍ଦ୍ରଙ୍କୁ ଦକ୍ଷଙ୍କ କଥା ବୁଝାଇ କହିଲେ ॥

ସର୍ବନାରୀ ସଙ୍ଗେ ଘେନି ଚନ୍ଦ୍ର ସହଦେବେ ।

ବ୍ରହ୍ମାଙ୍କ ସମୀପେ ଯାଇ ମିଳିଲେ ସରବେ ॥

ଦକ୍ଷଙ୍କ ବଚନ ବ୍ରହ୍ମା ଆଗରେ ଜଣାନ୍ତି ।

ବ୍ରହ୍ମା ଶୁଣି ଚନ୍ଦ୍ରଭାଗ ଶୈଳକୁ ଗମନ୍ତି ॥

ସେ ସ୍ଥାନେ ଯାଇ ଚନ୍ଦ୍ରଙ୍କୁ ବୃହଲୋହିତରେ ।

ସାନ କରାଇ ଚନ୍ଦ୍ରଙ୍କ କ୍ଷୟ ନାଶକଲେ ॥

ସେ ହ୍ରଦେ ଯେ ସ୍ନାନକରେ ନୀରୋଗ ହୁଅଇ ।

ଚନ୍ଦ୍ର ଯକ୍ଷ୍ମା ନାଶିଲେ ସେ ହ୍ରଦେ ସ୍ନାନ ପାଇଁ ॥

ଚନ୍ଦ୍ରଦେହୁଁ ରାଜଯକ୍ଷ୍ମା ନିର୍ଗତ ହୋଇଣ ।

ବ୍ରହ୍ମାଙ୍କୁ ପ୍ରଣମି କହେ କାହିଁ ଯିବି ପୁଣ ॥

ବାସସ୍ଥାନ କାର୍ଯ୍ୟ ଭାର୍ଯ୍ୟା ମୋର ସ୍ଥିର କର ।

ଯେଣୁ ଜଗତର ସ୍ରଷ୍ଟା ତୁମ୍ଭେ ବେଦବର ॥

ମାର୍କଣ୍ଡେୟ ଉବାଚ

ତହୁଁ ବ୍ରହ୍ମା ଦେଖିଲେ ଚନ୍ଦ୍ରଙ୍କୁ ପୂର୍ଣ୍ଣ ଦେହେ ।

କିଛି ସୁଧା ରହିଛି ରାଜଯକ୍ଷ୍ମାର କାୟେ ॥

ତହୁଁ ସେ ରୋଗକୁ ପର୍ବତରେ ଘସିକରି ।

ତା ଦେହୁ ସୁଧା ଗାଳିଲେ ଯାହା ଥିଲା ଧରି ॥

ସେ ଅମୃତ କ୍ଷୀରୋଦରେ ପକାଇଲେ ନେଇ ।

କାଳେ ତାହା ଚନ୍ଦ୍ର ଦେହେ ପ୍ରବେଶିଲା ଯାଇ ॥

ରାଜଯକ୍ଷ୍ମାକୁ ବିଧାତା କହିଲେ ଏମନ୍ତ ॥

ଯେଉଁ ନରନାରୀ ଦିବାରାତ୍ର କାମେ ରତ ॥

ତାହାଠାରେ ପ୍ରବେଶିବ ରାଜଯକ୍ଷ୍ମା ତୁମ୍ଭେ ।

ତାକୁ କ୍ଷୀଣକରି ପ୍ରାଣ ବିନାଶିବ ଦମ୍ଭେ ॥

ମୃତକନ୍ୟା କୃଷ୍ଣାନାରୀ ତୁମ୍ଭ ପତ୍ନୀ ହେବ ।

ତୋ ସଂଯୋଗେ ପ୍ରାଣୀ କୃଷ୍ଣବର୍ଣ୍ଣ ହୋଇଯିବ ॥

ବ୍ରହ୍ମାଙ୍କଠାରୁ ବିଦାୟ ଘେନି ରାଜଯକ୍ଷ୍ମା ।

ଯିବାରୁ ଚନ୍ଦ୍ରଙ୍କୁ ପୂର୍ଣ୍ଣ ଦେଖିଲେ ସେ ବ୍ରହ୍ମା ॥

ତହୁଁ ଦେବଗଣେ ମନୋରଥ ସିଦ୍ଧି କରି ।

ଯେଝାବାସେ ଗଲେ ହେବେ ଆନନ୍ଦେ ବିହରି ॥

ଚନ୍ଦ୍ର ବ୍ରହ୍ମାଙ୍କୁ ପ୍ରଣମି କହନ୍ତି ବଚନ ।

ପୂର୍ବପରି ବଳ ତେଜ ନାହିଁ ମୋ ଦେହେଣ ॥

ଉତ୍ସାହ ରହିତ ମୁହିଁ ଅଙ୍ଗସନ୍ଧି ପୀଡ଼େ ।

କାହିଁକି ଏପରି ହେଲା କହନ୍ତୁ ସଧୀରେ ॥

ବହ୍ମୋବାଚ

ଯକ୍ଷ୍ମା ଗ୍ରାସିବାରୁ ସୁଧାଅଂଶ ତାହାଠାରେ ।

ରହିଥିବା ହେତୁ ମୁହିଁ ଧୋଇଲି ସାଗରେ ॥

ସେ ସୁଧାଂଶୁ ରହି ତୁମ୍ଭ ଉତ୍ସାହ କମାଏ ।

କାଳେ ତା ପାଇବ ଅପେକ୍ଷା କର ସେ ଯାଏ ।

ଶିବ ଅଂଶେ ଜାତ ହେବ ଦୁର୍ବାଶା ମହର୍ଷି ।

ଇନ୍ଦ୍ରଦୋଷେ ଶ୍ରୀହୀନ ହୋଇବ ସର୍ବଦିଶି ॥

ତହୁଁ ଆମ୍ଭେ ଅସୁରଙ୍କ ସଙ୍ଗତରେ ମିଶି ।

ମନ୍ଦରକୁ ଖୁଆକରି ମନ୍ଥିବୁ ଯେ ପଶି ॥

ସେ ସମୁଦ୍ର ପୁଣି ଜାତ ହୋଇବ ଯେ ତୁମ୍ଭେ ।

ସେକାଳେ ଅଙ୍ଗ ବିଷାଦ ତୁଟାଇବ ଦମ୍ଭେ ॥

 

 

ମାର୍କଣ୍ଡେୟ ଉବାଚ

ଚନ୍ଦ୍ରଙ୍କୁ ପ୍ରବୋଧି ବ୍ରହ୍ମା ତାଙ୍କ ବୃଦ୍ଧି କ୍ଷୟ ।

ପକ୍ଷଭେଦେ କରାଇଲେ ହୋଇଣ ସଦୟ ॥

ଷୋଡ଼ଶ କଳାରେ ଭାଗକଲେ ଚନ୍ଦ୍ରମାଙ୍କୁ ।

ଏକକଳା ଶିବ ଶିରେ ରହେ ଶୋଭିବାକୁ ॥

ବାକି ପଞ୍ଚଦଶ କଳା ପନ୍ଦର ତିଥିରେ ।

କୃଷ୍ଣେ କ୍ଷୟହୋଇ ବୃଦ୍ଧିପାଏ ସେ ଶୁକ୍ଳରେ ॥

ସୂର୍ଯ୍ୟମଣ୍ଡଳେ ପ୍ରବେଶି ଚନ୍ଦ୍ର କ୍ଷୀଣ ହୁଏ ।

ପୁଣି ସୂର୍ଯ୍ୟଠାରୁ ଜ୍ୟୋତ୍ସ୍ନା ଆଣି ବୃଦ୍ଧିପାଏ ॥

ହବ୍ୟକବ୍ୟ ଚନ୍ଦ୍ରଯୋଗେ ହୁଏ ଏ ଜଗତେ ।

ଦେବ ପିତୃ ଉପଭୋଗ୍ୟ ହୁଏ ଏହି ମତେ ॥

ତେଣୁ ଚନ୍ଦ୍ରଙ୍କୁ ସର୍ବଦା ସର୍ବଦେବେ ଧର ।

ତାଙ୍କଯୋଗେ ଅନ୍ନସଂସ୍ଥା ତୁମ୍ଭମାନଙ୍କର ॥

ମାର୍କଣ୍ଡେୟ ଉବାଚ

ତହୁଁ ସର୍ବଦେବେ ଯଥୋକ୍ତ ବିଧିରେ ଶଶି ।

ଲୋକହିତ ପାଇଁ କ୍ଷୟ ବୃଦ୍ଧି କଲେ ବସି ॥

ଶିବ ମଧ୍ୟ ଏକ କଳା ଚନ୍ଦ୍ରଙ୍କର ଶିରେ ।

ଧାରଣ କରି କ୍ଷୁଧାକୁ ନିବାରିଲେ ହେଳେ ॥

ଅନଅବ୍ୟୟ ଅକ୍ଷୟ ଯେ ତେଜ ପରମ ।

ଚନ୍ଦ୍ରକଳା ସେ ସ୍ଵରୂପ ଶାପେ କ୍ଷୟ ପୁଣ ॥

ସଚ୍ଚିଦାନନ୍ଦରେ ଯେଉଁ ଜ୍ୟୋତି ପ୍ରକାଶଇ ।

ଯୋଗୀଜନେ ତାହା ଚିନ୍ତି ଲୀନହ୍ଵନ୍ତି ତହିଁ ॥

ଶିବଶିରେ ଚନ୍ଦ୍ରକଳା ଲୀନହୋଇ ରହେ l

ତଦ୍ଵାରା ମୁକ୍ତି ଲଭଇ ବେଦବାକ୍ୟ କହେ ॥

ଏହା ଜାଣି ଶିବ କ୍ଷୟ ବୃଦ୍ଧି ନକରିଣ ।

ସର୍ବଦା ମସ୍ତକେ ତାହା କରନ୍ତି ଧାରଣ ॥

ଚନ୍ଦ୍ର କିରଣ ଯୋଗରୁ ଔଷଧ ଲତାଏ ।

ବଢ଼ିଯଜ୍ଞ ସମ୍ପାଦନ୍ତି ରସ ଦେଇ ଛାଏଁ ॥

ଯଜ୍ଞରୁ ଭାଗ ପାଇଣ ଦେବ ପିତୃଗଣେ ।

ସନ୍ତୋଷ ଲଭିଣ ହିତ ସାଧନ୍ତି ଭୁବନେ ॥

ଏଣୁ ଯଜ୍ଞ ଅମୃତର କାରଣ ସେ ଶରୀ ।

ଦକ୍ଷ ଶାପୁଁ ରକ୍ଷାକଲେ ସର୍ବ ଦେବେ ମିଶି ॥

ଅଦ୍ୟାପି କୃଷ୍ଣପକ୍ଷରେ ଦେବେ ମିଳିକରି ।

ଚନ୍ଦ୍ରଠାରୁ ଅମୃତ ପିଅନ୍ତି ପେଟ ଭରି ॥

ଚନ୍ଦ୍ରତେଜ ସୂର୍ଯ୍ୟ ଶିବଠାରେ ଲୀନ ହୁଏ ।

ପୁଣି ଶୁକ୍ଳପକ୍ଷେ ଚନ୍ଦ୍ରଙ୍କୁ ବୃଦ୍ଧି କରାଏ ॥

ଏ ଭାବେ ଚନ୍ଦ୍ରଙ୍କ ଭାଗ ବିଷୟ କହିଲି ।

ତେଣୁ ଚନ୍ଦ୍ରଭାଗ ଶୈଳ ନାମ ହେଲା ଭଳି ॥

ଏ ଅତି ପୁଣ୍ୟ ଫଳଦ ଯେ ଏହା ଶୁଣନ୍ତି ।

ରାଜଯକ୍ଷ୍ମା ରୋଗ ସେ ବଂଶରେ ନୁହେଁ ସ୍ଥିତି ॥

ଯଷ୍ମାଗ୍ରସ୍ତ ହୋଇ ଯେଉଁ ଜନ ଏହା ଶୁଣେ ।

ରୋଗମୁକ୍ତ ହୋଇ ସୁଖଭୋଗେ ଏ ଭୁବନେ ॥

ଏହି ସ୍ଵସ୍ତ୍ୟୟନ ପୁଣ୍ୟ ଅତି ଗୁହ୍ୟତମ ।

ଏକମନେ ଶୁଣି ଲଭେ ଧର୍ମ ଅର୍ଥ କାମ ॥

ଚନ୍ଦ୍ରମାଙ୍କ ବିବରଣ ଅତି ପୁଣ୍ୟତମ ।

ଭାଷାବନ୍ଧେ ପ୍ରଭାକର କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ

ଏକବିଂଶୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୨୨ ॥

 

ମାର୍କଣ୍ଡେୟ ଉବାଚ

ସେ ପର୍ବତର ସାନୁରେ ଦେବସଭା ଯହିଁ ।

ସେ ସ୍ଥାନେ ସୀତା ନାମରେ ନଦୀଏ ବହଇ ॥

ତହିଁରେ ଶଶାଙ୍କ ସ୍ନାନ କରି ରୋଗମୁକ୍ତ ।

ବ୍ରହ୍ମାଦେଶେ ଦେବେ ପାନକରି ହେଲେ ଶକ୍ତ ॥

ଚନ୍ଦ୍ରସ୍ନାନ କରିବାରୁ ଅମୃତ ସମାନ ।

ସେ ଜଳ ହୋଇ ବୃହଲୋହିତ କଲା ସ୍ଥାନ ॥

ସେ ହ୍ରଦରୁ ଉଛୁଳି ବହିଲା ନଦୀରୂପେ ।

ବ୍ରହ୍ମା ଦେଖିଲେ ଅମୃତ ଜଳ ବହେ କଳ୍ପେ ॥

ସେ ଜଳମଧ୍ୟରୁ କନ୍ୟା ଏକ ଜାତ ହେଲା ।

ଚନ୍ଦ୍ରଭାଗା ନାମ ତାର ପ୍ରସିଦ୍ଧି ଲଭିଲା ॥

ସମୁଦ୍ର ପତ୍ନୀ ହୋଇଣ ସାଗରେ ମିଶିଲା ।

ଚନ୍ଦ୍ରଗଦା ଯୋଗେ ଶୈଳ ଭେଦୀ ବହିଗଲା ॥

ସେ ଗଙ୍ଗା ସମ ପବିତ୍ରା ସ୍ୱାନ ପାନେ ହୋଇ ।

ଚନ୍ଦ୍ରଭାଗା ନଦୀ ନାମେ ସମୁଦ୍ରେ ମିଳଇ ॥

ନଦୀଜଳ ନଦୀରୂପ ଶରୀର ନଦୀର ।

ବୃକ୍ଷମାନେ ପର୍ବତର ଅଟନ୍ତି ଶରୀର ॥

ଶଙ୍ଖ ଶାମୁକାଗଣ ନଦୀର ଅସ୍ଥି ଜାଣ ।

ସମୁଦ୍ରରୁ ଏହିମାନେ ହୁଅନ୍ତି ଉତ୍ପନ୍ନ ॥

ଶୈଳ ଶରୀର ସ୍ଥାବର ରୂପେ ଗ୍ରାହ୍ୟ ହୁଏ ।

ନଦୀଙ୍କ ଦେହ ଜଳ ରୂପରେ ବହିଯାଏ ।

ନଦୀ ପର୍ବତଙ୍କ ଦେହ କମନୀୟ ଅତି ।

ଜଗତ ହିତାର୍ଥେ ବିଷ୍ଣୁ କରିଛନ୍ତି ସ୍ଥିତି ॥

ଜଳହୀନା ନଦୀକୁ କେହି ସ୍ନେହ ନକରେ ।

ବୃକ୍ଷଶୂନ୍ୟ ପର୍ବତ ଅଟେ ସେ ପ୍ରକାରେ ॥

ସେ ଚନ୍ଦ୍ରଭାଗ ଶୈଳର ବୃହ ଲୋହିତରେ ।

ତୀରେ ସନ୍ଧ୍ୟାକୁ ଦେଖିଣ ବଶିଷ୍ଠ ପୁଛିଲେ ॥

ବଶିଷ୍ଠ ଉବାଚ

ତୁମ୍ଭେ କାହା କନ୍ୟା କିମ୍ପା ଏ ନିର୍ଜନ ସ୍ଥାନେ ।

ଆସିଲ କି ଉଦ୍ଦେଶରେ କହ ମୁହିଁ ଜାଣେ ॥

ତୁମ୍ଭ ମୁଖେ ହର୍ଷ ନାହିଁ କି ଭାବୁଛ ବସି ।

ଯଦି ଗୁପ୍ତନୁହେଁ କହ ମୋ ଆଗେ ରୂପସୀ ॥

ମାର୍କଣ୍ଡେୟ ଉବାଚ

ବଶିଷ୍ଠ ମହର୍ଷିଙ୍କର ବଚନକୁ ଶୁଣି ।

ସନ୍ଧ୍ୟାଦେବୀ ପ୍ରଣମି କହନ୍ତି ମଞ୍ଜୁବାଣୀ ॥

ଜଳିଲା ଅଗ୍ନି ସମାନ ବଶିଷ୍ଠଙ୍କ ଦେହ ।

ଜଟାଧାରୀ ବ୍ରହ୍ମଚାରୀ ନାହିଁ ଲୋଭ ମୋହ ॥

ଯେ ନିମିତ୍ତ ଆସିଅଛି ଏ ଶୈଳକୁ ମୁହିଁ ।

ତାହା ମୋର ସିଦ୍ଧଦେବ ତୁମ୍ଭଙ୍କୁ ଦେଖଇଁ ॥

ତପସ୍ୟା କରିବା ପାଇଁ ଏ ସ୍ଥାନକୁ ଆସି ॥

ବ୍ରହ୍ମାଙ୍କ ମାନସୀ କନ୍ୟା ସନ୍ଧ୍ୟା ନାମଘୋଷି ॥

ତପସ୍ୟାର ବିଧି କିଛି ମୋତେ ଜଣା ନାହିଁ ।

ଅନୁଗ୍ରହ କରି ଶିକ୍ଷାଦିଅ କହି ଲଇଁ ॥

ନଜାଣି ତପସ୍ୟା ବିଧି ଏ ସ୍ଥାନେ ଆସିଲି ।

ତାହାଭାବି ମୋ ମାନସେ ଚିନ୍ତା ହୁଏ ଭାରି ॥

ମାର୍କଣ୍ଡେୟ ଉବାଚ

ସନ୍ଧ୍ୟା ବାକ୍ୟ ଶୁଣି ସେହି ବଶିଷ୍ଠ ତପସ୍ଵୀ

ସବୁ ଜାଣି କିଛି ନକହିଲେ ସେ ମହର୍ଷି ॥

ନିୟତାତ୍ମା ସେହି ସନ୍ଧ୍ୟା ତତ୍ପରେ ଉଦ୍‌ଯୋଗୀ ।

ବଶିଷ୍ଠ ସୁଶିକ୍ଷାଦେଲେ ଗୁରୁହୋଇ ବେଗି ॥

ବଶିଷ୍ଠ ଉବାଚ

ଯେ ତେଜ ପରମବ୍ରହ୍ମ ଯେ ପରମ ତପ ।

ଯେ ଶ୍ରେଷ୍ଠ ଆରାଧ୍ୟ ବିଷ୍ଣୁ ତାଙ୍କୁ କର ଜପ ॥

ଧର୍ମାର୍ଥ କାମ ମୋକ୍ଷର ଯେ ଆଦି କାରଣ ।

ଜଗତର ଆଦ୍ୟ ତାଙ୍କୁ ଭଜ ଅନୁକ୍ଷଣ ॥

ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ପଦ୍ମକ୍ଷେତ୍ର ।

ଶୁଦ୍ଧ ସ୍ପଟିକ କାନ୍ତି ସେ କେବେ ନୀଳଗାତ୍ର ॥

ଗରୁଡ଼ ଉପରେ ଶୁକ୍ଳ ପଦ୍ମାସନେ ବିଜେ ।

ଶ୍ରୀବତ୍ସ ଚିହ୍ନ ବକ୍ଷରେ ବନମାଳା ସାଜେ ॥

କେୟୁର କୁଣ୍ଡଳ କିରୀଟ ମୁକୁଟଧାରୀ ।

ନିରାକାର ଜ୍ଞାନଗମ୍ୟ ସାକାରେ ଶରୀରୀ ॥

ନିରାଲମ୍ବ ନିତ୍ୟାନନ୍ଦ ସୂର୍ଯ୍ୟ ମଣ୍ଡଳଗ ।

ଏହି ଧ୍ୟାନେ ବିଷ୍ଣୁ ଭଜ କରି ଧ୍ୟାଯୋଗ ॥

ଓଁ ନମୋ ବାସୁଦେବାୟ ଏ ମନ୍ତ୍ର ସତତ ।

ଜପ କରି ସଦାକାଳେ ତପେ ହୁଅ ରତ ॥

ତପସ୍ୟା ନିୟମ ଶୁଣ କହୁଛି ଆଗରେ ।

ମୌନେ ସ୍ନାନକରି ପୂଜା କରିବା ମୌନରେ ॥

ପତ୍ରଜଳ ଖାଇବ ତିନି ଦିନରେ ଥରେ ॥

ପୁଣି ତ୍ରିଦିନ କାଟିଟ ସେ ଉପବାସରେ ।

ତପସ୍ୟା ଶେଷ ପର୍ଯ୍ୟନ୍ତ ଏପରି କରିବ ।

ବୃକ୍ଷ ବକଳ ପିନ୍ଧିଣ ଭୂମିରେ ଶୋଇବ ॥

ମୌନରେ ଏ ବ୍ରତଚର୍ଯ୍ୟା ହୁଏ ଫଳପ୍ରଦା ।

ଏ ନିୟମେ ରହି ବିଷ୍ଣୁ ଭଜିବ ସର୍ବଦା ॥

ତେବେ ସେ ପ୍ରସନ୍ନ ହୋଇ ବର ପ୍ରଦାନିବେ ।

ବିଶ୍ଵାସକୁ ଦୃଢ଼ କରି ତପ କର ଏବେ ॥

ମାର୍କଣ୍ଡେୟ ଉବାଚ

ଏ ଭାବେ ଶିକ୍ଷା ଦେଇଣ ବଶିଷ୍ଠ ମହର୍ଷି ।

ଇଚ୍ଛାମତେ ସ୍ଥାନେ ଗଲେ ହୋଇ ବଡ଼ ଖୁସି ॥

ସନ୍ଧ୍ୟା ମଧ୍ୟ ତପସ୍ୟାର ବିଧି ଜାଣି ତହିଁ ।

ତପେ ରତ ହେଲେ ସେହି ହ୍ରଦତୀରେ ରହି ॥

ବଶିଷ୍ଠ ଆଦେଶମତେ ଗୋବିନ୍ଦ ଭଜିଲେ ।

ସ୍ନାନାଦି ବିଧି ସକଳ ବିଧିମତେ କଲେ ॥

ଏକାନ୍ତ ମାନସେ ଦୃଢ଼ ତପସ୍ୟା କରିଣ ।

ବିଷ୍ଣୁଙ୍କଠାରେ ସକଳ କରିଣ ଅର୍ପଣ ॥

ଚାରିଯୁଗ କଟିଗଲା ତପ କରିବାରେ ।

ତଥାପି ତପରୁ ବିରତ ନୋହି ସେଠାରେ ॥

ଅନ୍ତରେ ବାହାରେ ଆକାଶରେ ନିଜରୂପ ।

ଦେଖି ପ୍ରସନ୍ନା ହେଲେ ସେ ଚିନ୍ତନ୍ତି ଯେରୂପ ॥

ସେ ରୂପେ ଆଗରେ ଦେଖାଦେଲେ ଭଗବାନ ।

ଶଙ୍ଖ ଚକ୍ର ଗଦା ପଦ୍ମ କରନ୍ତି ଧାରଣ ॥

କେୟୁର କୁଣ୍ଡଳ କିରୀଟ ମୁକୁଟଧାରୀ ।

ଗରୁଡ଼ି ଆରୋହୀ ନୀଳୋତ୍ପଳ ବର୍ଣ୍ଣପରି ॥

ସଭୟରେ ସନ୍ଧ୍ୟାଦେବୀ ଭାବନ୍ତି ମନରେ ।

କି ସ୍ତୁତି କରିବି ହରିଙ୍କୁ ଦେଖି ଆଗରେ ॥

ଏତେ ଭାବି ଚକ୍ଷୁଦ୍ୱୟ ବୁଜି ପକାଇଲେ ।

ସେକାଳେ ହରି ତାହୃଦେ ପ୍ରବେଶିଲେ ଖରେ ॥

ପ୍ରତ୍ୟକ୍ଷରେ ହରିଙ୍କୁ ଦେଖିଣ ସ୍ତୁତିକଲେ ।

ଅନ୍ତଃକରଣରେ ବହୁ ଆନନ୍ଦ ଲଭିଲେ ॥

ସନ୍ଧ୍ୟୋବାଚ

ନିରାକାର ଜ୍ଞାନଗମ୍ୟ ପରମ ପୁରୁଷ l

ସ୍ଥୂଳ ସୂକ୍ଷ୍ମ ନୁହଁ ଯୋଗୀ ହୃଦେ କର ବାସ ॥

ସେ ହରିଙ୍କୁ ବାରମ୍ବାର ନମୁଅଛି ମୁହିଁ ।

ଶିବଶାନ୍ତ ନିର୍ମଳ ଯେ ନିର୍ବିକାର ତୁହିଁ ॥

ସୁପ୍ରକାଶ ରବି ପ୍ରଭୁ ପାପତମ ନାଶୀ ।

ତୁମ୍ଭଙ୍କୁ ନମୁଛି ମୂଢ଼ମତି ଧ୍ୟାନେ ବସି ॥

ଏକ ଶୁଦ୍ଧ ଦୀପ୍ୟମାନ ଚିତ୍ତ ବିନୋଦକ ।

ପ୍ରାଣୀଗଣ ପାପହାରି ତ୍ରିଲୋକ ନାୟକ ॥

ନିତ୍ୟାନନ୍ଦ ସତ୍ୟପୁତ ପ୍ରସନ୍ନ ବଦନ ।

ତୁମ୍ଭପାଦେ ନମୁଅଛି ମୁଁ ବଡ଼ ଅଜ୍ଞାନ l ।

ବିଦ୍ୟାଧାରୀମାନଙ୍କର ଧ୍ୟେୟ ତୁମ୍ଭେ ହରି ।

ପାବନର ପବିତ୍ର ଯେ ନମସ୍କାର କରି ॥

ଗୁଣ ସମୂହରେ ନିତ୍ୟ ସରଳ ସ୍ଵଭାବ ।

ଅଷ୍ଟାଙ୍ଗ ଯୋଗରେ ଯୋଗୀ ଚିନ୍ତନ୍ତି ତୋ ଭାବ ॥

ଜ୍ଞାନବଳେ ତୁମ୍ଭ ତତ୍ତ୍ଵ ଜାଣି ନପାରନ୍ତି ।

ମୁଁ ଅଜ୍ଞାନ କି ଜାଣିବି କେବଳ ମୋ ଭକ୍ତି ॥

ତୁମ୍ଭର ସାକାରରୂପ ଅତି ମନୋହର ।

ଗରୁଡ଼ସ୍ଥ ନୀଳମେଘ ଶ୍ୟାମଳ ସୁନ୍ଦର ॥

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେ ।

ଯୋଗଯୁକ୍ତ ତୁମ୍ଭଙ୍କୁ ମୁଁ ନମୁଅଛି ସ୍ନେହେ l

ଆକାଶ ଭୂମି ସଲୀଳ ଦିଗ ଜ୍ୟୋତିବାୟୁ ।

କାଳରୂପ ଧାରୀ ତୁମ୍ଭେ ନମୁଅଛି ଆଉ ॥

କାର୍ଯ୍ୟପାଇଁ ପ୍ରକୃତି ପୁରୁଷ ରୂପଧର ।

ଅବ୍ୟକ୍ତ ରୂପ ଗୋବିନ୍ଦ ପାଦେ ନମସ୍କାର ॥

ତୁମ୍ଭେ ଚରାଚର ପ୍ରାଣୀ ସଗୁଣ ନିର୍ଗୁଣ ।

ଜଗତ ଆଧାର ତୁମ୍ଭେ ନମେ ପୁନଃପୁନଃ ॥

ପୁରାଣ ପୁରୁଷ ପରମାତ୍ମା ଜଗନ୍ମୟ ।

ଅକ୍ଷୟ ଅବ୍ୟୟ ଦେବ ହୁଅହେ ସଦୟ ॥

ତୁମେ ହରିହର ଧାତାରୂପେ ତିନିରୂପ ।

ସୃଷ୍ଟି ସ୍ଥିତି ଅନ୍ତ କାର୍ଯ୍ୟେ ପ୍ରକାଶ ସ୍ଵରୂପ ॥

କାରଣ କାରଣ ତୁମ୍ଭେ ଦିବ୍ୟଜ୍ଞାନ ପ୍ରଦ ।

ସର୍ବଲୋକ ମୋହଦାତା ସର୍ବଲୋକ ବନ୍ଦ୍ୟ ॥

ଯାହାଙ୍କ ପ୍ରପଞ୍ଚ ଏହି ସକଳ ଜଗତ ।

କ୍ଷିତି ଦିନ ସୂର୍ଯ୍ୟ ଚନ୍ଦ୍ର ଯାହାଠାରୁ ଜାତ ॥

ମୁଖରୁ ଅଗ୍ନି ନାଭିରୁ ଆକାଶ ଉତ୍ପନ୍ନ ।

ସେ ପରମାତ୍ମାଙ୍କୁ ନମୁଅଛି ପୁଣ ପୁଣ ॥

ତୁମ୍ଭେ ପରମାତ୍ମା ପର ବିବିଧ ଜ୍ଞାନଦ ।

ଶବ୍ଦବ୍ରହ୍ମ ପରଂବ୍ରହ୍ମ ଚତୁବର୍ଗ ପ୍ରଦ ॥

ଆଦି ମଧ୍ୟେ ଅନ୍ତ ନାହିଁ ଯାହାଙ୍କ ଶରୀରେ ।

ଅବାଙ୍‍ନ ସଗୋଚର କି ବର୍ଣ୍ଣିବି ତାରେ ॥

ବ୍ରହ୍ମାଦି ଦେବେ ମୁନିଏ ଯାରୂପ ନଜାଣି ।

ତାଙ୍କ ରୂପ କି ବର୍ଣ୍ଣିବି ମୁଁ ନାରୀ ଅଜ୍ଞାନୀ ॥

ନିର୍ଗୁଣର କେଉଁ ଗୁଣ ବର୍ଣ୍ଣିବି କିପରି ।

ଇନ୍ଦ୍ରାଦି ଦେବେ ଯାରୂପ ନ ଦେଖନ୍ତି ସ୍ମରି ॥

ତପୋମୟ ଜଗନ୍ନାଥ ତୁମ୍ଭଙ୍କୁ ନମସ୍ତେ ।

ପ୍ରସନ୍ନ ହୁଅ ମୋଠାରେ ମୁକ୍ତି ଦିଅ ମୋତେ ॥

ମାର୍କଣ୍ଡେୟ ଉବାଚ

ତହୁଁ ସନ୍ଧ୍ୟା ଦେହକୁ ବଳ୍‌କଳାବୃତ କୃଶ ।

ଜଟାଧାରୀ ମୁଖ ମ୍ଳାନ ଦେଖି ହୃଷିକେଶ ॥

ଦୟାପରବଶ ହୋଇ ସନ୍ଧ୍ୟାକୁ କହିଲେ ।

ଜଳଦ ଗମ୍ଭୀର ସ୍ଵରେ ମନକୁ ମୋହିଲେ ॥

ଶ୍ରୀ ଭଗବାନୁବାଚ

ହେ ଭଦ୍ରେ ତୁମ୍ଭ କଠିନ ତପସ୍ୟାରେ ମୁହିଁ ।

ସ୍ତୁତିପାଠ ଶ୍ରବଣରେ ପ୍ରୀତ ହୋଇଲଇଁ ॥

ଯେଉଁବର ମାଗିବ ମୁଁ ଦେବି ଅକାତରେ ।

ପ୍ରସନ୍ନ ହେଲି ତୁମ୍ଭଙ୍କୁ ଦେବି ମୁଁ ସତ୍ଵରେ ॥

ସନ୍ଧ୍ୟୋବାଚ

ହେ ପ୍ରଭୋ ଯେବେ ପ୍ରସନ୍ନ ହେଲ ମୋ ଉପରେ ।

ଇଚ୍ଛାମତେ ବରଦାନ କର ଅଧମାରେ ॥

ଜନ୍ମମାତ୍ରେ ପ୍ରାଣୀମାନେ ସକାମ ନହୋଇ ।

କିଛିକାଳ ପରେ କାମେ ମୋହ ହେବେ ରହି ॥

ତିନିଲୋକ ପ୍ରସିଦ୍ଧା ପତିବ୍ରତା ହୋଇବି ।

ସକାମ ଭାବରେ କାହାକୁ ମୁଁ ନ ଚାହିଁବି ॥

କେବଳ ପତି ମୋହର ହେବେ ଅତି ପ୍ରିୟ ।

ଅନାପୁରୁଷ ସକାମେ ଦେଖିଲେ ମୋ ଦେହ I ।

ପୌରୁଷ ହୀନ ହୋଇ ସେ ହେବ ନପୁଂସକ ।

ଏହି ବରମାନ ଦେଇ ବିନାଶ ମୋ ଦୁଃଖ ॥

ଶ୍ରୀ ଭଗବାନୁବାଚ

ପ୍ରଥମେ ଶୈଶବାବସ୍ଥା ଦ୍ୱିତୀୟେ କୌମାର ।

ତୃତୀୟେ ଯୌବନାଚସ୍ଥା ବୃଦ୍ଧ ଚତୁର୍ଥର ॥

କୌମର ଶେଷେ ଯୌବନେ ସକାମି ହୋଇବେ ।

ଆଜିଠାରୁ ତୁମ୍ଭଯୋଗେ ପ୍ରାଣୀଏ ଭୋଗିବେ ॥

ତ୍ରିଲୋକରେ ଶ୍ରେଷ୍ଠ ପତିବ୍ରତା ତୁମ୍ଭେ ହେବ ।

ଅନ୍ୟନାରୀ ତୁମ୍ଭ ସମ ହୋଇ ନପାରିବ ॥

ପତିବିନା ଅନ୍ୟ ନର ଯେ ତୁମ୍ଭଙ୍କୁ ଦେଖି ।

ଦୁର୍ବଳ କ୍ଳୀବ ସେ ହେବ କହିଲି ମୃଗାକ୍ଷୀ ॥

ତୁମ୍ଭ ପତି ତପସ୍ୱୀ ସୁନ୍ଦର ରୂପ ହେବ ।

ସପ୍ତକଳ୍ପାନ୍ତ ପର୍ଯ୍ୟନ୍ତ ସେ ବଞ୍ଚି ରହିବ ॥

ତୁମ୍ଭର ଇପ୍‌ସିତ ବରମାନ ଦାନ କଲି ।

ଅନ୍ୟ ମନୋଗତ ଭାବ କହୁଛି ମୁଁ ଖୋଲି ।

ଅଗ୍ନୀରେ ଶରୀର ଦାହ କରିବା ଇଚ୍ଛିଛ ।

ମୋଧାତିଥିଙ୍କ ଯଜ୍ଞକୁ ଯାଅ ହୋଇ ସ୍ଵଚ୍ଛ ॥

ଏ ଚନ୍ଦ୍ରଭାଗ ଶୈଳର ଉପତ୍ୟକା ସ୍ଥଳେ ।

ମୋଧାତିଥି ଯଜ୍ଞ କରୁଅଛନ୍ତି ସମ୍ଭାରେ ।

ସେ ଯଜ୍ଞକୁ ଗୁପ୍ତେ ଯାଇ ମୁନିଙ୍କ ଅଜ୍ଞାତେ ।

ମୋ ଅନୁଗ୍ରହରୁ ଅଗ୍ନିମଧ୍ୟୁ ହେବ ଜାତେ ॥

ଯେ ନରକୁ ସ୍ଵାମୀ ବୋଲି ମନେ କରିଅଛ ।

ତାହାରୂପ ସ୍ମରି ଅଗ୍ନୀ ଦଗ୍‌ଧ ହେବ ସ୍ଵଚ୍ଛ ॥

ତୁମ୍ଭେ ତପସ୍ୟାରେ ରତ ଥିଲ ଯେତେବେଳେ ।

ସେ ମଧ୍ୟରେ ଦକ୍ଷକନ୍ୟା ସତାଇଶ ହେଲେ ॥

ତାହାଙ୍କୁ ଚନ୍ଦ୍ର ବିବାହ ହୋଇ ତ୍ୟାଗକଲେ ।

ସେ କୋପରେ ଦକ୍ଷ ଚନ୍ଦ୍ରଙ୍କୁ ଯେ ଶାପ ଦେଲେ ॥

ସେ ବେଳେ ବ୍ରହ୍ମାଦି ସର୍ବ ଦେବେ ତୁମ୍ଭ ପାଶେ ।

ଥିଲେ ନଦେଖିଲ ତୁମ୍ଭେ ମୋ ଭାବ ମାନସେ ॥

ଚନ୍ଦ୍ର ଶାପ ନାଶପାଇଁ ଚନ୍ଦ୍ରଭାଗା ନଦୀ ।

ବ୍ରହ୍ମା ସର୍ଜିଲେ ଏ ସ୍ଥାନେ ମେଧାତିଥି ବନ୍ଦି ॥

ତପସ୍ୟାରେ ତାଙ୍କ ସମ ନାହିଁ କେହି ମୁନି ।

ଜ୍ୟୋତିଷ୍ଟାମ ଯଜ୍ଞ ଆରମ୍ଭିଲେ ସେ ତକ୍ଷଣି ।

ତାହାଙ୍କ ଯଜ୍ଞକୁଣ୍ତରେ ତେଜ କଳେବର ।

ତୁମ୍ଭ କାର୍ଯ୍ୟପାଇଁ ମୁଁ ସ୍ଥାପିଛି ବୈଶ୍ଵାନର ॥

ସେ ମେଧାତିଥିଙ୍କ ଯୋଗ ସମୀପକୁ ଯାଅ ।

ମନୋରଥ ସାଧି ସୁଖ ସ୍ଵଛନ୍ଦରେ ରହ ॥

ମାର୍କଣ୍ଡେୟ ଉବାଚ

ଦେବହରି ସ୍ଵହସ୍ତରେ ସନ୍ଧ୍ୟାକୁ ଛୁଇଁଲେ ।

ତହୁଁ ସନ୍ଧ୍ୟା ଦେହ ପୁରୋଡ଼ାଶ ରୂପ ହେଲେ ॥

ମୁନିକର ବିଶ୍ଵହିତ ମହାଯଜ୍ଞ ଅଗ୍ନୀ ।

କ୍ରବ୍ୟାଦ ନହେଉ ପୁରୋଡ଼ାଶ କଲେ ଜାଣି ॥

ଏତେ କହି ନାରାୟଣ ହେଲେ ଅନ୍ତର୍ଦ୍ଧାନ ।

ସନ୍ଧ୍ୟାଗଲେ ମୋଧାତିଥି ମୁନି ଯଜ୍ଞସ୍ଥାନ ॥

ବ୍ରହ୍ମାଦେଶେ ବଶିଷ୍ଠ ବ୍ରହ୍ମଚାରୀ ବେଶରେ ।

ସନ୍ଧ୍ୟାକୁ ତପସ୍ୟା ବିଧି ଶିଖାଇଣ ଥିଲେ ।

ସେକଥା ମନରେ ଭାବି ସେହି ବଶିଷ୍ଠକୁ ।

ପତିପାଇଁ ସ୍ଥିରକଲି ତେଜିଲି ଦେହକୁ ॥

ପ୍ରଦୀପ୍ତ ଅଗ୍ନୀରେ ମୁନିମାନଙ୍କ ଅଦୃଶ୍ୟେ ।

ପୁରୋଡ଼ାଶ ରୁପେ ଦେହ ଦଗ୍‌ଧ ହେଲା ଶେଷେ ॥

ପୁରୋଡ଼ାଶ ଗନ୍ଧ ହେଲା ସେହି ଯଜ୍ଞ ସ୍ଥଳେ ।

ଅଗ୍ନୀ ସେ ଦେହ ଦହିନେଲେ ସୂର୍ଯ୍ୟ ମଣ୍ଡଳେ ॥

ସେ ଦେହକୁ ଦ୍ୱିଭାଗ କରିଣ ଦିବାକର ।

ଦେବ ପିତୃଙ୍କ ନିମନ୍ତେ ରଖିଲେ ରଥର ॥

ଉର୍ଦ୍ଧ୍ୱଭାଗ ଦେହ ପ୍ରାତଃ ସନ୍ଧ୍ୟାରୂପ ହେଲା ।

ଅଧୋଭାବ ଦେହାର୍ଦ୍ଧ ସାୟଂ ସନ୍ଧ୍ୟା ହୋଇଲା ।

ଅରୁଣୋଦୟରୁ ସୂର୍ଯ୍ୟୋଦୟ ପରିଯନ୍ତ ।

ପ୍ରାତଃ ସନ୍ଧ୍ୟାକାଳ ଦେବ ତୃପ୍ତି ବିଧାନାର୍ଥ ॥

ସୂର୍ଯ୍ୟାସ୍ତ ପରେ ସ୍ୱର୍ଣ୍ଣ ପଦ୍ମବର୍ଣ୍ଣ ଯେ କାଳ ।

ସ୍ଵାୟଂ ସନ୍ଧ୍ୟା ସେ ପିତୃଙ୍କ ତୃପ୍ତିର ସମ୍ବଳ ॥

ସନ୍ଧ୍ୟାଙ୍କର ପ୍ରାଣକୁ ବିଷ୍ଣୁ କଲେ ଶରୀରୀ ।

ମେଧାତିଥି ଯଜ୍ଞାନ୍ତେ ପାଇଲେ ତାହାହେରି ॥

ତପ୍ତ ସ୍ଵର୍ଣ୍ଣକାନ୍ତି କନ୍ୟା ଦେଖି ମେଧାତିଥି ॥

ଯାଗଜଳେ ଧୋଇ ନାମ ଦେଲେ ଅରୁନ୍ଧତୀ ॥

ଶିଷ୍ୟଙ୍କ ସହିତ ମହା ଆନନ୍ଦ ଲଭିଲେ ।

କର୍ମରୋଧ ନକରନ୍ତେ ଅରୁନ୍ଧତୀ ହେଲେ ॥

ଯଜ୍ଞ ସମାପ୍ତ କରିଣ ମେଧାତିଥି ମୁନି ।

ଶିଷ୍ୟଙ୍କ ସଙ୍ଗରେ ସେହି କନ୍ୟାରତ୍ଵ ଘେନି ॥

ଆନନ୍ଦରେ ପାଳନ ଲାଳନ କଲେ ସୁତା ।

ପ୍ରଭାକର ଗୀତେ କହେ କରିଣ କବିତା ॥

 

ଇତି ଶ୍ରୀ କାଳିକାପୁରାଣେ

ଦ୍ୱାବିଂଶତିତମୋଽଧ୍ୟାୟଃ ।

✽✽✽

 

॥ ୨୩ ॥

 

ମାର୍କଣ୍ଡେୟ ଉବାଚ

ସେ ମୁନିଙ୍କ ଆଶ୍ରମ ତାପସାରଣ୍ୟ ମଧ୍ୟେ ।

ଚନ୍ଦ୍ରଭାଗା ତୀରେ ରହି କନ୍ୟା ବଢ଼େ ମୋଦ ॥

ଶୁକ୍ଳପକ୍ଷେ ଚନ୍ଦ୍ରଳାଳ ବଢ଼ଇ ଯେପରି ।

ପିତାଙ୍କ ଯତ୍ନରୁ କନ୍ୟା ବଢ଼େ ସେହିପରି ॥

ପାଞ୍ଚବର୍ଷ ହେଲା ଖେଳାବୁଲା କରି ତହିଁ ।

ମୁନି ଆଶ୍ରମ ପବିତ୍ର କଲେ ଆସି ଯାଇ ॥

ସେ ସ୍ଥାନରେ ମେଧାତିଥି ତାଙ୍କ ଖେଳଘର ।

ସମ୍ପାଦି ତାହାଙ୍କୁ ଖେଳାଇଲେ ନିରନ୍ତର ॥

ଅରୁନ୍ଧତୀ ତୀର୍ଥ ସେ ନଦୀ ମଧ୍ୟରେ ହେଲା ।

ତହିଁ ସ୍ନାନକଲେ ସ୍ଵର୍ଗଗାମୀ ହେବେ ପରା ॥

କାର୍ତ୍ତିକ ମାସକ ଯେ ତହିଁରେ ସ୍ନାନକରେ ।

ଦେହାନ୍ତେ ବୈକୁଣ୍ଠଗାମୀ ହୁଏ ସେ ସତ୍ତ୍ୱରେ ॥

ମାଘପୂର୍ଣ୍ଣିମା ଅମାବାସ୍ୟା ଦିନରେ ଯେହୁ ।

ତହିଁ ସ୍ନାନକରେ ବୈକୁଣ୍ଠକୁ ଯାଏ ସେହୁ ॥

ପୁଣି ତା ବଂଶରେ ରାଜଯକ୍ଷ୍ମା ରୋଗ ନୁହେଁ ।

ବୈକୁଣ୍ଠଗାମୀ ହୋଇ ବ୍ରାହ୍ମଣକୂଳେ ରହେ ॥

ଥରେ ସ୍ନାନକଲେ ଚନ୍ଦ୍ରଭାଗା ନଦୀ ଜଳେ ।

ଅୟୁତେ ଅଶ୍ଵମେଧର ଫଳ ଲଭେ ହେଳେ ॥

ସେ ଜଳରେ ସ୍ନାନକରି କନ୍ୟା ଅରୁନ୍ଧତୀ ।

ବାଲ୍ୟଭାବେ ଥାନ୍ତି କ୍ରୀଡ଼ା କୌତୁକରେ ମାତି ॥

ଦିନେ ବ୍ରହ୍ମା ଆକାଶମାର୍ଗରେ ଗଲାବେଳେ ।

ଅରୁନ୍ଧତୀଙ୍କୁ ଦେଖି ତାଙ୍କ ପାଖ ଆସିଲେ ॥

ମେଧାତିଥି ଆଦି ମୁନିଗଣେ ପ୍ରଣମିଲେ ।

ଆସନେ ବସାଇ ଆସିବା ହେତୁ ପୁଛିଲେ ॥

ତହୁଁ ବ୍ରହ୍ମା କହିଲେ ଏ କନ୍ୟା ଅରୁନ୍ଧତୀ ।

ଏ ସମୟେ ଶିକ୍ଷା ପାଇବାକୁ କରୁ ମତି ॥

ସତୀନାରୀମାନଙ୍କର ନିକଟରେ ରହି ।

ଉତ୍ତମ ଶିକ୍ଷା ଲଭିଣ ଖ୍ୟାତି ଲଭୁ ଯାଇ ॥

ବହୁଳା ସାବିତ୍ରୀ ଛନ୍ତି ସୂର୍ଯ୍ୟ ମଣ୍ଡଳରେ ।

ତାଙ୍କଠାରୁ ଶିକ୍ଷାଲାଭ କରୁ ଏ ସତ୍ତ୍ୱରେ ॥

ବ୍ରହ୍ମାଙ୍କ ବଚନେ ମେଧାତିଥି ମତ ଦେଲେ ।

ବ୍ରହ୍ମାଙ୍କୁ ବିଦାୟ ଦେଇ ସୂର୍ଯ୍ୟଲୋକେ ଗଲେ ॥

ସୂର୍ଯ୍ୟମଣ୍ଡଳ ମଧ୍ୟରେ ସାମିତ୍ରୀ ଅଛନ୍ତି ।

ପଦ୍ମାସନେ ବସି ଅକ୍ଷମାଳା ଜପୁଛନ୍ତି ॥

ମୁନିଙ୍କୁ ଦେଖି ସୂର୍ଯ୍ୟମଣ୍ଡଳୁ ବାହାରିଲେ ।

ମାନସ ଶୈଳରୁ ବହୁଳା ଦେବୀ ଆସିଲେ ॥

ଗାୟତ୍ରୀ ସରସ୍ଵତୀ ଦ୍ରୁପଦୀ ଦେବୀମାନେ ।

ମାନସ ପର୍ବତେ ନିତ୍ୟ ମିଳନ୍ତି ଯତନେ ॥

ଧର୍ମଚର୍ଚ୍ଚା ସତୀକଥା ଆଲୋଚନା କରି ।

ନିଜ ନିଜ ସ୍ଥାନକୁ ସେମାନେ ଯାନ୍ତି ଫେରି ॥

ଏକତ୍ର ସେ ପଞ୍ଚଦେବୀ ଦେଖି ମେଧାତିଥି ।

ନମସ୍କାର କରି କନ୍ୟାପାଇଁ ହେଲେ ପ୍ରାର୍ଥୀ ॥

ଏ ମୋ କନ୍ୟା ଶିକ୍ଷାପାଇଁ ଆସିଛି ଏ ସ୍ଥାନେ ।

ୟାକୁ ଶିକ୍ଷାକରି ଶିକ୍ଷା ଦିଅ ତୁମ୍ଭେମାନେ ॥

ଯେପରି ସେ ସୁଚରିତ୍ରା ପତିବ୍ରତା ହେବ ।

ସେପରି ଶିଖାଇ ଏହା ଚରିତ୍ର ଗଢ଼ିବ ॥

ସାବିତ୍ରୀ ବହୁଳା ଦୁହେଁ କହିଲେ ଏମନ୍ତ ।

ବ୍ରହ୍ମା ବିଷ୍ଣୁଙ୍କ ପ୍ରସାଦେ ସୁଚରିତ୍ରା ଏତ ॥

ପୂର୍ବେ ଏ ବ୍ରହ୍ମାଙ୍କ କନ୍ୟା ତୁମ୍ଭ ତପୋବଳେ ।

କନ୍ୟାରୂପେ ଜନ୍ମିଅଛି ଏବେ ତୁମ୍ଭ କୂଳେ ॥

ଲୋକ ଦେବଙ୍କ କଲ୍ୟାଣ କରିବ ଏ ସ୍ପତୀ ।

ତୁମ୍ଭ ବଂଶ ବଢ଼ାଇବ ଲଭି ମହା ଖ୍ୟାତି ॥

ମାର୍କଣ୍ଡେୟ ଉବାଚ

ତାଙ୍କ ପାଶେ କନ୍ୟାରଖି ମେଧାତିଥି ଗଲେ ।

ସାବିତ୍ରୀ ବହୁଳା ସେ କନ୍ୟାକୁ ଶିକ୍ଷାଦେଲେ ॥

କେଦେ ସାବିତ୍ରୀଙ୍କ ସଙ୍ଗେ ସୂର୍ଯ୍ୟପୁରେ ଯାତି ।

କେବେ ବହୁଳା ସହିତ ଇନ୍ଦ୍ରିୟରେ ଗତି ॥

ଏଭାବେ ସେ ଦୁହିଁଙ୍କ ସଙ୍ଗରେ ଅରୁନ୍ଧତୀ ।

ଦେବପୁରେ ଭ୍ରମି ବହୁ ଆନନ୍ଦେ ରହନ୍ତି ॥

ଏଭାବେ ସାତବତ୍ସର କଟିଲା ସେ ସ୍ଥାନେ ।

ସକଳ ସ୍ତ୍ରୀ ଧର୍ମଶିକ୍ଷା ଲଭିଲେ ଯତନେ ॥

ତହୁଁ ଯୌବନ ଅବସ୍ଥା ଆସି ପ୍ରବେଶିଲା ।

ଦିନେ ମାନସ ଶୈଳେ ବଶିଷ୍କଙ୍କୁ ଭେଟିଲା ॥

ଅତି ତେଜସ୍ଵୀ ସେ ମୁନି ତରୁଣ ବୟସ ।

ଦେଖି କାମୋଦ୍ରେକ ହେଲା ତାହାଙ୍କ ମାନସ ।

ବଶିଷ୍ଠ ମଧ୍ୟ ଯୁବତୀ ନାରୀକୁ ଦେଖିଣ ।

କାମ ପିଡ଼ିତ ମାନସେ ଚାହିଁଲେ ବଦନ ॥

ଦୁହିଙ୍କର ମନରେ ମଦନ ଚେଷ୍ଟା ବଢ଼େ ।

ଅମର୍ଯ୍ୟାଦା କଥା ଭାବି ମନ ଉଠେ ପଡ଼େ ॥

ଅରୁନ୍ଧତୀ ମୁନି ପାର୍ଶ୍ଵ ତେଜିଣ ସତ୍ଵରେ ।

ସାବିତ୍ରୀ ନିକଟେ ପ୍ରବେଶିଲେ ମନସ୍ଥିରେ ॥

କନ୍ଦର୍ପ ବାଧାରୁ ମୁଖ ମଳିନ ଦିଶଲ ।

ଦେହକ୍ଳାନ୍ତି ଯୁତ ହେତୁ ଚଳି ନ ପାରଇ ॥

ନିଜ ମନକୁ ନିନ୍ଦିଣ ସାବିତ୍ରୀଙ୍କ ପାଶେ ।

ପଦ୍ମସୂତ୍ର ସମସୂକ୍ଷ୍ମ ମନ ଛିଣ୍ଡାଇ ସେ ।

ଭାବିଲେ ସାବିତ୍ରୀଦେବୀ ଯାହା ଶିକ୍ଷା ଦେଲେ ।

ସେ ସାରକଥା ତେଜିଲି ପୁରୁଷ ଦୃଷ୍ଟିରେ ॥

ଏମନ ବିକାର ଯଦି ବଢ଼ିବ ମୋହର ।

ଶିକ୍ଷାଦୀକ୍ଷା ଭ୍ରଷ୍ଟ ହେବ ହେବି ମୁଁ ନାଚାର ॥

ଏତେଭାବି ଅରୁନ୍ଧତୀ ଦୁଃଖିତ ମାନସେ l

ମିଳିଲେ ଯାଇ ସାବିତ୍ରୀ ବହୁଳାଙ୍କ ପାଶେ ॥

ତାହାଙ୍କ ମଳିନ ମୁଖୀ ଦେଖି ସେ ସାବିତ୍ରୀ

ଧ୍ୟାନେ ସବୁକଥା ଜାଣି ଦୁଃଖିତା ସେ ଅତି ॥

ଅରୁନ୍ଧତୀ ଶିରେ ହସ୍ତ ବୁଲାଇ ସ୍ନେହରେ ।

ମୁଖ ମଳିନ କିମ୍ପାଇ କହ ମୋ ଆଗରେ ॥

ସୂର୍ଯ୍ୟରଶ୍ମୀ ତପ୍ତଛିନ୍ନ ନୀଳ ପଦ୍ମପରି ।

କୃଷ୍ଣମେଘେ ଚନ୍ଦ୍ରବିମ୍ବ ମଳନ ଯେପରି ॥

ମନ ସଚିନ୍ତିତ ପରି ହୋଇଛି କିମ୍ପାଇ ।

ମୋ ଆଗେ କହିଣ ଦୁଃଖ ନାଶ ବୋଧ ଦେଇ ॥

ମାର୍କଣ୍ଡେୟ ଉବାଚ

ତହୁଁ ଅରୁନ୍ଧତୀ ତଳକୁ ମୁଖ କରିଣ ।

ଲଜ୍ଜାରେ କିଛି ନକହି ତୁନି ହେଲେ ପୁଣ ॥

ତହୁଁ ସାବିତ୍ରୀ କହିଲେ ଶୁଣ ଅରୁନ୍ଧତୀ ।

ଯେ ମୁନି ଦେଖି ତୁମ୍ଭର ହେଲା ଏ ଦୁର୍ଗତି ॥

ସେ ବଶିଷ୍ଠ ଋଷି ବ୍ରହ୍ମସୂତ ମହାଜ୍ଞାନୀ ।

ତୁମ୍ଭପତି ସେ ହୋଇବେ ଆମ୍ଭେ ଅଛୁ ଜାଣି ॥

ତୁମ୍ଭ ଦୁହିଁଙ୍କ ଦାମ୍ପତ୍ୟ ପୂର୍ବରୁ ନିଶ୍ଚିତ ।

ତାଙ୍କ ଦର୍ଶନେ ବିନାଶ ନୋହିବ ସତୀତ୍ଵ ॥

ତାଙ୍କୁ ଦେଖି ତୁମ୍ଭମନ ବିକୃତ ଯା ହେଲା ।

ତହିଁ ଦୋଷନାହିଁ ବତ୍ସେ ତୁ ତାଙ୍କ ଅବଳା ॥

ତୁମ୍ଭେ ତପସ୍ୟା ବଳରେ ତାଙ୍କୁ ପତିରୂପେ ।

ବରଣ କରିଛ ମନେ ଦୁଃଖ ତେଜ ସ୍ଵଳ୍ପେ ॥

ମାର୍କଣ୍ଡେୟ ଉବାଚ

ଅରୁନ୍ଧତୀ ଆଗେ ପୂର୍ବ ବୃତ୍ତାନ୍ତ ସକଳ ।

ବିସ୍ତାରିଣ କହି ତାଙ୍କ ମନ କଲେ ସ୍ଥିର ॥

ପୂର୍ବଜନ୍ମ ବୃତ୍ତାନ୍ତ ଶୁଣିଣ ଅରୁନ୍ଧତୀ ।

ମାନସିକ ବ୍ୟଥା ତେଜି ହେଲେ ହର୍ଷମତି ॥

ତହୁଁ ସାବିତ୍ରୀ ତାହାଙ୍କୁ ଘେନି ସଙ୍ଗତରେ ।

ସୂର୍ଯ୍ୟଲୋକଳୁ ଗମିଲେ ମନ ଆନନ୍ଦରେ ॥

ସୂର୍ଯ୍ୟପୁରେ ଅରୁନ୍ଧତୀଙ୍କୁ ଛାଡ଼ି ସାବିତ୍ରୀ ।

ବ୍ରହ୍ମାଙ୍କ ନିକଟେ ଗଲେ ହୋଇ ଦୁଷ୍ଟମତି ॥

ବ୍ରହ୍ମାଙ୍କୁ ଦେଖି ପ୍ରଣମି ଜଣାନ୍ତି ସ୍ନେହରେ ।

ତୁମ୍ଭ ପୁତ୍ର ବଶିଷ୍ଠ ଛନ୍ତି ମାନସାଚଳେ ॥

ମେଧାତିଥି କନ୍ୟା ଅରୁନ୍ଧତି ତାଙ୍କୁ ଦେଖି ।

କାମପୀଡ଼ିତା ହେଲା ସେ ଯୁଚବତୀ ମୃଗାକ୍ଷୀ ॥

ବଶିଷ୍ଠ ମଧ୍ୟ କନ୍ୟାକୁ ଦେଖି ମାନସରେ ।

କାମଦଗ୍‍ଧ ହୋଇ ରହିଲେ ଦୁଃଖ ମନରେ ॥

ଦୁହେଁ ଧୈର୍ଯ୍ୟ ସମ୍ଭାଳିଣ ଅଛନ୍ତି ଦୁଃଖରେ ।

ଦେଖି ଆସିଅଛି କହିବାକୁ ମୁଁ ସତ୍ତ୍ୱରେ ॥

ସେ ତାଙ୍କର କାମପତି ସେ ମଧ୍ୟ ତା ପତ୍ନୀ ।

ଦୁହିଁଙ୍କ ସଂଯୋଗକର୍ମ କର ବିଶ୍ଵପତି ॥

ସାବିତ୍ରୀ ବାକ୍ୟେ ବିଧାତା ଧ୍ୟାନେ ସବୁ ଜାଣି ।

ସାବିତ୍ରୀଙ୍କୁ କହିଲେ ସେ ଦୁହିଁଙ୍କ କାହାଣୀ ॥

ସେ ଦୁହିଙ୍କର ଦାମ୍ପତ୍ୟ କାଳ ଅଟେ ଏହି ।

ଏକ୍ଷଣି ଯାଇ ସେ କାର୍ଯ୍ୟ କରିବଇଁ ମୁହିଁ 11

ଏତେ ବିଚାରି ଗମିଲେ ମାନସ ପର୍ବତେ ।

ଯେଠାରେ ବଶିଷ୍ଠ ଦେଖା ଅରୁନ୍ଧତୀ ସାଥେ ॥

ବ୍ରହ୍ମାଯିବା ଦେଖି ଶିବ ସ୍ମରଣ ସହିତ ।

ବ୍ରହ୍ନାଙ୍କ ଚିନ୍ତିବା ମାତ୍ରେ ସ୍ଵୟଂ ଜଗନ୍ନାଥ ॥

ଏ ସମସ୍ତେ ମିଳି ନାରଦଙ୍କୁ ଦୂତ ରୂପେ ।

ମେଧାତିଥିଙ୍କ ପାଖକୁ ପଠାଇ ସ୍ଵରୂପେ ॥

କହିଲେ ଚନ୍ଦ୍ରଭାଗ ପର୍ବତ ମଧ୍ୟେ ମୁନି ।

ଅଛନ୍ତି ତାହାଙ୍କୁ ସଙ୍ଗତରେ ଆସ ଘେନି ॥

ବ୍ରହ୍ମାଦିଙ୍କ ବାକ୍ୟେ ନାରଦ ଚଳିଣ ଗଲେ ।

ମେଧାତିଥିଙ୍କୁ ସଙ୍ଗରେ ଘେନି ପ୍ରବେଶିଲେ ॥

ଇନ୍ଦ୍ରାଦିଦେବେ ସାଧ୍ୟ ଯକ୍ଷ ଯେ ବିଦ୍ୟାଧରେ

ଦେବୀମାନେ ପ୍ରବେଶିଲେ ମାନସ ଶୈଳରେ ॥

ସମସ୍ତଙ୍କ ସମକ୍ଷରେ ବ୍ରହ୍ମା ଯେ କହନ୍ତି ।

ମେଧାତିଥି ଶୁଣ ତୁମ୍ଭେ ଆମ୍ଭର ବଦତି ॥

ତୁମ୍ଭ କନ୍ୟା ଅରୁନ୍ଧତୀକୁ ବ୍ରାହ୍ମ ବିଧିରେ ।

ବଶିଷ୍ଠେ ପ୍ରଦାନ କର ଦେବ ସମାଜରେ ॥

ଏ ଦୁହିଙ୍କ ଦାମ୍ପତ୍ୟ ମୁଁ ପୂର୍ବେ ସର୍ଜିଅଛି ।

ହରିହରାଦିଙ୍କର ଏଥିରେ ମତ ଅଛି ॥

କିଛି ନବିଚାରି ଶୀଘ୍ର କନ୍ୟାଦାନ କର ।

ବିଶ୍ଵହିତ ସହ ତୁମ୍ଭର ମଙ୍ଗଳ କର ॥

ବ୍ରହ୍ମବାକ୍ୟେ ମେଧାତିଥି ଆନନ୍ଦିତ ହେଲେ ।

କନ୍ୟାକୁ ଆଣି ବଶିଷ୍ଠ ପାଖେ ପ୍ରବେଶିଲେ ॥

ମହାତେଜା ବାଳସୂର୍ଯ୍ୟ ପରି ସେ ବଶିଷ୍ଠ ।

ମେଧାତିଥି କହିଲେ ତାହାଙ୍କୁ ହୋଇ ତୁଷ୍ଟ ॥

ହେ ମୁନେ ମୋ କନ୍ୟା ଅରୁନ୍ଧତୀ ସୁଚରିତ୍ରା ।

ବ୍ରାହ୍ମ ବିଧିରେ ତୁମ୍ଭଙ୍କୁ ଦେବି ଶୁଦ୍ଧପୂତା ॥

ଯେ ସ୍ଥାନେ ତୁମ୍ଭେ ରହିବ ତୁମ୍ଭ ସଙ୍ଗତରେ ।

ଛାୟାପରି ଅନୁଗତା ହେବ ଏ ବିଧିରେ ॥

ପତିବ୍ରତା ଭାବେ ତୁମ୍ଭ ସେବକୀ ହୋଇବ ।

ଏହାକୁ ଗ୍ରହଣ କରି କୃତାର୍ଥ କରିବ ॥

 

 

ମାର୍କଣ୍ଡେୟ ଉବାଚ

ମେଧାତିଥି ବାକ୍ୟ ଶୁଣି ବ୍ରହ୍ମାଦି ଦେଖି ।

ବଶିଷ୍ଠ ସ୍ଵୀକୃତ ହେଲେ କନ୍ୟା ମନେରଖି ॥

କନ୍ୟା ହସ୍ତଳୁ ଧରନ୍ତେ ଦେବୀ ଅରୁନ୍ଧତୀ ।

ବଶିଷ୍ଠ ପାଦରେ ଚକ୍ଷୁ ନିକ୍ଷେପିଲେ ସତୀ ॥

ତହୁଁ ବ୍ରହ୍ମାଦି ସକଳେ ବିବାହ ବିଧିରେ ।

ବିବିଧ ଉତ୍ସବ କରି ଦାମ୍ପତ୍ୟ ସ୍ଥାପିଲେ ॥

ସାବିତ୍ରୀ ଆଦି ଦେବୀ ଇନ୍ଦ୍ରାଦି ଅମରେ ।

ଦକ୍ଷ କଶ୍ୟପାଦି ମୁନି ମିଳି ସେ ସ୍ଥାନରେ ॥

ବଳକଳ ଚର୍ମ ଜଟାଦି ମୁନିବେଶ ସର୍ବ ।

କାଢ଼ିନେଇ ସୁବର୍ଣ୍ଣାବିଭୂଷା ହେଲେ ଜବ ॥

ଗଙ୍ଗାଜଳେ ସ୍ନାନ କରାଇଣ କନ୍ୟାବର ।

ମଙ୍ଗଳ ସ୍ନାନ କରାନ୍ତି ବ୍ରହ୍ନା ହରିହର ॥

ସ୍ୱର୍ଣ୍ଣଘଟେ ସର୍ବତୀର୍ଥ ଜଳ ପୂରାଇଣ ।

ବେଦ ପଢ଼ି ଅଭିଷେକ କଲେ ତାଙ୍କୁ ପୁଣ ॥

ତ୍ରିଭୂବନଗାମୀ ସୂର୍ଯ୍ୟସମ ଏକ ରଥ ।

ସକଳ କମଣ୍ଡଳକୁ କଲେ ବ୍ରହ୍ମା ଦତ୍ତ ॥

ଦେବଲୋକ ପରି ବାସସ୍ଥାନ ହରି ଦେଲେ ।

ସପ୍ତକଳ୍ପାନ୍ତ ଜୀବିତା ଈଶ୍ୱର ବିହିଲେ ॥

ଅଦିତି ନିଜ କର୍ଣ୍ଣ କୁଣ୍ଡଳ ଆଣିକରି ।

ଅରୁନ୍ଧତୀ କାନରେ ଦେଲେ ସ୍ନେହ ଭରି ॥

ସାବିତ୍ରୀ ପତିବ୍ରତା ବହୁଳା ବହୁପୁତ୍ରା ।

ହୁଅ ବୋଲି ଆଶୀର୍ବାଦ କଲେ ହୋଇ ପୂଜା ॥

ଇନ୍ଦ୍ର କୁବେର ବହୁତ ଧନରତ୍ନ ଦେଲେ ।

ଅନ୍ୟମାନେ ଏହିପରି ବହୁଦ୍ରବ୍ୟ ଦେଲେ ॥

ଏଭାବେ ସେ ଦୁହିଁଙ୍କର ବିବାହ ହୋଇଲା ।

ସର୍ବ ଦେବଦେବୀଙ୍କର ମନ ହର୍ଷ ହେଲା ॥

ବିବାହ ମଙ୍ଗଳସ୍ନାନେ ଯେ ଜଳ ପଡ଼ିଲେ ।

ସପ୍ତଭାଗ ହୋଇ ମାନସରୁ ବହିଗଲେ ॥

ସିପ୍ରହ୍ରଦେ ପଡ଼ି ସିପ୍ରା ନାମେ ନଦୀ ହେଲା ।

ମହାକୋଷୀରେ ପଡ଼ି ସେ କୌଶିକୀ ହୋଇଲା ॥

ଉମାକ୍ଷେତ୍ରେ ସେଜଳରୁ କାବେରୀ ଯେ ହେଲା ।

ମହାକାଳ କ୍ଷେତ୍ରେ ପଡ଼ି ଗୋମତୀ ହୋଇଲା ॥

ମୈନକା ପର୍ବତେ ପଡ଼ି ସେ ଦେବିକା ନଦୀ ।

ହଂସାବତାର ପାଖେ ସେ ସରଯୁ ପ୍ରସିଦ୍ଧି ॥

ଖାଣ୍ଡବବନ ପାଖରେ ସେ ଜଳ ପଡ଼ିଣ ।

ଇରାବତୀ ନଦୀ ହେଲା ଅତି ପୁଣ୍ୟତମ ॥

ଏ ସାତ ନଦୀରେ ସ୍ନାନ ପାନ ଯେ କରନ୍ତି ।

ସର୍ବପାପ ନାଶି ଅନ୍ତେ ବୈକୁଣ୍ଡେ ବସତି ॥

ବଶିଷ୍ଠ ଅରୁନ୍ଧତୀଙ୍କ ବିବାହ ମଙ୍ଗଳେ ।

ଜଳପଡ଼ି ପୁଣ୍ୟତମା ସପ୍ତନଦୀ ହେଲେ ॥

ତହୁଁ ବିଶିଷ୍ଠ ଅରୁନ୍ଧତୀଙ୍କୁ ସଙ୍ଗେ ଘେନି ।

ବିଷ୍ଣୁଦତ୍ତ ସ୍ଥାନେ ସୁଖେ ରହିଲେ ସେ ମୁନି ॥

ସେମାନେ ଏ ପୁଣ୍ୟତମ ଚରିତ ଶୁଣାନ୍ତି ।

ସର୍ବଶୁଭେ ଚିରଜୀବି ଧନୀ ପୁତ୍ରୀ ହ୍ୱନ୍ତି ॥

ଅରୁନ୍ଧତୀ ଚରିତ ଯେଉଁ ନାରୀ ଶୁଣନ୍ତି ।

ଧନ ପୁତ୍ରବତୀ ପତିବ୍ରତା ସେ ହୁଅନ୍ତି ॥

ଏ ଚରିତ ଯା ଧର୍ମ ପୁଣ୍ୟପ୍ରଦ ଜାଣ ।

ବିବାହ ଯାତ୍ରା ଶ୍ରାଦ୍ଧରେ ଯେ କରେ ଶ୍ରବଣ ॥

ପୁତ୍ରଜୟ ପିତୃ ପ୍ରୀତି ଲଭେ ସେହି ଜନ ।

ଅନ୍ତେ ବୈକୁଣ୍ଠ ଭୂବନେ ପାଏ ଦିବ୍ୟସ୍ଥାନ ॥

ଏ ଆଖ୍ୟାନ ତୁମ୍ଭ ପ୍ରଶ୍ନମତେ କୁହାଗଲା ।

ଆଉକି ଶୁଣିବ କହି କହିବା ତା ଭଲା ॥

ଅତି ପ୍ରାଚୀନ ଇତିହାସ ଏହି ଆଖ୍ୟାନ ।

ଭାଷାବନ୍ଧେ ପ୍ରଭାକର କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ

ତ୍ରୟୋବିଂଶୋଽଧ୍ୟାୟଃ ।

✽✽✽

 

॥ ୨୪ ॥

 

ମାର୍କଣ୍ଡେୟ ଉବାଚ

ତହୁଁ ଇନ୍ଦ୍ରପ୍ରସ୍ଥ ସିପ୍ରହ୍ରଦର ନିକଟେ ।

ଶିବ ପ୍ରବେଶି ସିପ୍ରଙ୍କୁ ଦେଖନ୍ତି ସେ ତଟେ ॥

ହରି ବ୍ରହ୍ମାଙ୍କ ସଙ୍ଗରେ ଶଙ୍କର ଦେଖନ୍ତି ।

ସେ ସ୍ଥାନେ ଧ୍ୟାନ କରିବାକୁ ସ୍ଥିର କରନ୍ତି ॥

ଆତ୍ମାରେ ଆତ୍ମାକୁ ଦେଖିବା ଉଦ୍ଦେଶ୍ୟ ରଖି ।

ଧ୍ୟାନପାଇଁ ବହୁଯତ୍ନ କରନ୍ତି ନିରେଖି ॥

ହରଙ୍କ ମନଧ୍ୟାନ ନିଷ୍ଠ ହେବା ଦେଖିଣ ।

ବ୍ରହ୍ମାହରି ଯୋଗମାୟାଙ୍କୁ କଲେ ସ୍ତବନ ॥

ମାୟାମୋହେ ପଡ଼ି ଶିବ ସତୀ ଶୋକାକୁଳ ।

ସେ ମାୟାକୁ ହରଦେହୁଁ ଆଣିବେ ବାହାର ॥

ମାୟାହୀନ ହେଲେ ଶମ୍ଭୁ ଧ୍ୟାନ ନିଷ୍ଠ ହେବ ।

ଏହା ଭାବି ମାୟାକୁ ସ୍ତବ କଲେ ସେଠାବେ ॥

ଯେ ପର୍ଯ୍ୟନ୍ତ ସତୀ ପୁନର୍ଜନ୍ମ ଲାଭ କରି ।

ହରଙ୍କୁ ବିଭାହେବେ ସେ ପର୍ଯ୍ୟନ୍ତ କାମାରି ॥

ଧ୍ୟାନରତ ହୋଇ ସତୀଙ୍କୁ ଭୁଲିଣ ଯିବେ ।

ଆମ୍ଭ ସ୍ତୁତି ଫଳେ ମାୟା ହରଙ୍କୁ ତେଜିବେ ॥

 

ଏହାଭାବି ବ୍ରହ୍ମାହରି ଆଦି ଦେବଗଣେ ।

ଯୋଗନିଦ୍ରା ସ୍ତବ ଆରମ୍ଭିଲେ ଏକମନେ ॥

ଦେବା ଉବାଚ

ଶ୍ରୀଶକ୍ତି ପାର୍ବତୀ ପୁଷ୍ଟି ପରମ ନିଷ୍କଳା ।

ମହତ ଅବ୍ୟକ୍ତରୂପା ତୁମ୍ଭେ ଗୋ ବଗଳା ॥

ଶିବା ଶିବକରୀ ଶୁଦ୍ଧା ସ୍ଥୂଳ ସୂକ୍ଷ୍ମରୂପା l

ଅନ୍ତର୍ବିଦ୍ୟା ଅବିଦ୍ୟା ଗୋ ଏକ ଯୋଗକଳ୍ପା ॥

ମେଧାଧୃତି ଏକା ସର୍ବ ଗୋଚରା ଭବାନୀ ।

ସୂର୍ଯ୍ୟରଶ୍ମୀରୂପା ସୁପ୍ରପଞ୍ଚ ପ୍ରକାଶିନୀ ॥

ବ୍ରହ୍ମାଣ୍ତ ସଂସ୍ଥାନ ତୁମ୍ଭେ ଜଗତର ବୀଜ ।

ବ୍ରହ୍ମାଦିଙ୍କୁ ତୃପ୍ତିକର ଚରାଚର ଓଜ ॥

ସର୍ବପ୍ରାଣୀ ପ୍ରାଣରୂପ ପବନ ରୂପିଣି ।

ଦେବଙ୍କ ଆଧାରଭୂତା ଶୂନ୍ୟରୂପା ପୁଣି ॥

ଯେତେକ ସର୍ବ ପ୍ରକାଶେ ସର୍ବତ୍ର ପ୍ରଦୀପ୍ତ ।

ସେ ଜଗତ ବୀଜରୂପେ ତୁମ୍ଭଠାରେ ସୁପ୍ତ ॥

ବ୍ରହ୍ମଲୋକରୁ ପାତାଳ ପର୍ଯ୍ୟନ୍ତ ବ୍ୟାପିଛ ।

ଆକାଶ ବ୍ରହ୍ମାଣ୍ଡ ସର୍ବସ୍ଥାନେ ରହିଅଛ ॥

ଅଚଳାଚଳ ଚିତ୍ରରେ ଯନ୍ତ୍ରିତ ଯେ ଭୂମି ।

ଜଗଦ୍ଧାତ୍ରୀ ଲୋକମାତା ମାଧବଙ୍କୁ ନମି ॥

ବୁଦ୍ଧିରୂପା ବେଦମାତା ବିଷୟ ତୋଷିଣି ।

ଗାୟତ୍ରୀ ସାବିତ୍ରୀ ସରସ୍ଵତୀ ତୁମ୍ଭେ ପୁଣି ॥

ଜଗତର ବାର୍ତ୍ତା ତୁମ୍ଭେ କାମ ସ୍ଵରୂପିଣୀ ।

ନିଦ୍ରାରୂପେ ପ୍ରାଣୀଙ୍କର ମୋହନ କାରିଣି ॥

ସ୍ଵର୍ଗବାସୀଙ୍କର ମୋହ କରଣେ ସମର୍ଥା ।

ପୁଣ୍ୟାତ୍ମାଙ୍କ ଲକ୍ଷ୍ମୀ ପାପିଙ୍କର ହୀନାବସ୍ଥା ॥

ନୀତି ଶାସ୍ତ୍ରଜ୍ଞଙ୍କ ଶୋଭା ନୈଶିକୀ ସୁଖଦା ।

ସର୍ବ ଜଗତର ଶାନ୍ତି ଚନ୍ଦ୍ରକାନ୍ତି ପ୍ରଦା ॥

ସର୍ବପ୍ରାଣୀ ଧାତ୍ରୀରୂପା ବିଷ୍ଣୁଙ୍କର ଲକ୍ଷ୍ମୀ ।

ପଞ୍ଚ ମହାଭୂତଙ୍କର ସାରଭୂତା ରଶ୍ମୀ ॥

ତ୍ରିଲୋକରେ ମହାମାୟା ନୀତିଶାସ୍ତ୍ର ରୂପା ।

ମହେଶ୍ଵରୀ ଜ୍ଞାନକଳ୍ପା ଚରାଚର ବ୍ୟାପ୍ୟା ॥

ମହେଶ୍ଵର ସଂସାର ଚକ୍ରରେ ପ୍ରାଣୀଗଣ ।

ଆରୋପି ଭ୍ରମାନ୍ତି ତୁମ୍ଭେ ତାହାର କାରଣ ॥

ଜୟଯୁକ୍ତଙ୍କ ଜୟନ୍ତୀ ଲଜ୍ଜା ବିଦ୍ୟାନୀତି ।

ସାମବେଦ ଗୀତି ତୁମ୍ଭେ ଯଜୁଙ୍କ ଆହୁତି ॥

ସର୍ବଦେବଙ୍କର ଶକ୍ତି ତୁମ୍ଭେ ତମୋ ମୟୀ ।

ସତ୍ତ୍ୱଗୁଣା ବଳମ୍ବିନୀ ରଜୋଗୁଣେ ରହି ॥

ଆମ୍ଭମାନଙ୍କ ମଙ୍ଗଳ ବିଧାନକୁ କର ।

କାୟ ମନୋବାକ୍ୟେ ଆମ୍ଭେ କରୁ ନମସ୍କାର I

ସଂସାର ସାଗର ଭୟଙ୍କର ତରଙ୍ଗରୁ ।

ଉଦ୍ଧାରକର୍ତ୍ତୀ ନୌକା ସ୍ଵରୂପା ମହାଦାରୁ ॥

ଅଷ୍ଟାଙ୍ଗରୂପ ପରାପାବନରେ ପକାଇ ।

ହେ ମାତ ଉଦ୍ଧାର କର ନମୁଁ ତୁମ୍ଭ ଠାଇଁ ॥

ପ୍ରାଣୀଙ୍କର ନାସା ଚକ୍ଷୁ ମୁଖ ବକ୍ଷଭୂଜେ ।

ସୁଖକୁ ବିଧାନକର ନମୁ ତୋ ପଦାବଜେ ॥

ଧୃତିସ୍ଵତି ବୃତ୍ତିରୂପେ ସଦା ବିହରଣ ।

ସୃଷ୍ଟି ସ୍ଥିତି ଅନ୍ତରୂପା ତୁମ୍ଭେ ଏକା ପୁଣ ॥

ମାର୍କଣ୍ଡେୟ ଉବାଚ

ଦେବଙ୍କ ସ୍ତୁତିରେ ତୁଷ୍ଟା ହୋଇ ମହାମାୟା ।

ହରଙ୍କ ହୃଦୟ ମଧ୍ୟୁ ବାହାରି ସେ ଛାୟା ॥

ମାୟା ନିର୍ଗତ ହେବାର ଦେଖି ଚକ୍ରଧର ।

ହରଙ୍କ ହୃଦେ ପ୍ରବେଶ କଲେ ଦାମୋଦର ॥

ଯୁଗେ ଯୁଗେ ସୃଷ୍ଟି ସ୍ଥିତି ଅନ୍ତ ଯଥା ହୁଏ ।

ତାହା ଦେଖାଇଲେ ହରଙ୍ଗୁ ରହି ସେ ଦେହେ ॥

ଯେପରି ସତୀ ଶିବଙ୍କ ଭାର୍ଯ୍ୟା ହୋଇଥିଲେ ।

ଦେହତ୍ୟାଗ କରି ପୁଣି ଶୋକାକୁଳ ହେଲେ ॥

ସେ ସର୍ବ ଦେଖାନ୍ତି ହରି ଶିବହୃଦେ ବସି ।

ନିଃସାର ଜଗତକୁ ଦେଖାନ୍ତି ହସି ହସି ॥

ପରମ ଜ୍ୟୋତି ଦେଖାଇ ତଦ୍‌ଗତ ମାନସ ।

ଶିବଙ୍କୁ କରାଇଦେଲେ ପ୍ରଭୁ ପୀତବାସ ॥

ବ୍ରହ୍ମାଦି ଦେବଙ୍କ ମାୟା ସ୍ତୁତି ଦେଖାଇଣ ।

କର୍ତ୍ତବ୍ୟ ପାଳି ଅନ୍ତର ହେଲେ ଭଗବାନ ॥

ଶମ୍ଭୁଙ୍କ ମନକୁ ସଂଯମ ନକର ହରି ।

ସୂର୍ଯ୍ୟାସ୍ତେ ରକ୍ତିମା ତୁଲ୍ୟ ଗଲେ ଅପସରି ॥

ବ୍ରହ୍ମାଦିଦେବେ ସେକାଳେ କୃତକୃତ୍ୟ ହେଲେ ।

ହରଙ୍କୁ ସେ ସ୍ଥାନେ ଛାଡ଼ି ସ୍ୱସ୍ଥାନେ ଚଳିଲେ ॥

ଧ୍ୟାନାଶକ୍ତ ହରଙ୍କୁ ପ୍ରଣମି ଦେବଗଣେ ।

ମୌନୀହେବା ଦେଖିଗଲେ ନିଜ ନିଜ ସ୍ଥାନେ ॥

ତହୁଁ ମହେଶ୍ଵର ସହସ୍ର ଦିବ୍ୟ ବତ୍ସର ।

ତପୋରତ ହୋଇ ବହୁଧ୍ୟାନ କଲେ ହର ॥

ଋଷୟ ଉବାଚ

କିପରି ଶ୍ରୀ ହରିହର ହୃଦୟେ ପ୍ରବେଶି ।

ପ୍ରତିଯୁଗେ ସୃଷ୍ଟିସ୍ଥିତି ସଂଯମ ପ୍ରକାଶି ॥

ଜଗତ ପ୍ରପଞ୍ଚ ପାଇଁ ଯେ ରାଜସ ଗୁଣ l

ନିଃସାରରୂପେ ତାହାକୁ ଦେଖାଇଲେ ପୁଣ ॥

ସାରଭୂତ ପରଂଜ୍ୟୋତି ବ୍ରହ୍ମ ସନାତନ ।

ଦେଖାଇଲେ ତାହା ବିସ୍ତାରି କହନ୍ତୁ ପୁଣ ॥

ଶୁଣିବାକୁ ଇଚ୍ଛା ଏହି ଅଭୁତ ଚରିତ ।

ପ୍ରଭାକର କହେ ଭାଷା ବନ୍ଦେ କରି ଗୀତ ॥

 

ଇତି ଶ୍ରୀ କାଳିକାପୁରାଣେ

ଚତୁର୍ବିଂଶତମୋଽଧ୍ୟାୟଃ ।

✽✽✽

 

॥ ୨୫ ॥

 

ମାର୍କଣ୍ଡେୟ ଉବାଚ

ବରାହ ସମ୍ବନ୍ଧ ଆଦ୍ୟ ସ୍ପଷ୍ଟି କହେ ଶୁଣ ।

ପ୍ରତିକଳ୍ପେ ସେ ସୃଷ୍ଟିର ଯେପରି ଭିଆଣ ॥

ପ୍ରତି ସର୍ଗେ ଆଦି ସୃଷ୍ଟି ଦେଖାନ୍ତି ଶ୍ରୀହରି ।

ପ୍ରଳୟାଦି କ୍ରମ ଶମ୍ଭୁ ଦେଖିଲେ ଯେପରି ॥

ପ୍ରଥମେ ପ୍ରଳୟ କହି ତାପରେ ସୃଷ୍ଟିକୁ ।

କହିବା ବରାହ କଳ୍ପେ ଶୁଣ ସେ କ୍ରମକୁ ॥

ଚକ୍ଷୁ ନିମିଳନ କାଳ ନିମେଷ ଅଟଇ ।

ଅଠର ନିମେଷେ ଏକ କାଷ୍ଠା ହୁଏ ତହିଁ ॥

ତିରିଶ କାଷ୍ଠାରେ ଏକ କଳା ହୁଏ ଜାଣ ।

ତିରିଶ କଳାରେ ହୁଏ ଏକମାତ୍ର କ୍ଷଣ ॥

ଦ୍ଵାଦଶ କ୍ଷଣରେ ଏକ ମୁହୂର୍ତ୍ତ ହୁଅଇ ।

ତିରିଶ ମୁହୂର୍ତ୍ତେ ଏକ ଅହୋରାତ୍ର ହୋଇ ॥

ପନ୍ଦର ଅହୋରାତ୍ରରେ ଏକ ପକ୍ଷ ହୁଏ ।

ଶୁକ୍ଳ କୃଷ୍ଣ ଦୁଇପକ୍ଷେ ଏକମାସ ଯାଏ ॥

ପିତ୍ସଙ୍କର ଅହୋରାତ୍ର ମନୁଷ୍ୟ ମାସକେ ।

ବାରମାସେ ଏକବର୍ଷ ଦେବ ଦିନ ଏକେ ॥

କୃଷ୍ଣପକ୍ଷ ପିତୃଙ୍କର ଦିବସ ହୁଅଇ ।

ଶୁକ୍ଳପକ୍ଷ ରାତ୍ରି ପିତୃଗଣ ଶୋଇରହି ॥

ଦେବଙ୍କ ଦିବସ ଜାଣ ଉତ୍ତର ଅୟନ ।

ଦକ୍ଷିଣାୟନଟି ରାତ୍ରି ଦେବଙ୍କ ଶୟନ ॥

ଦୁଇ ଦୁଇ ମାସେ ଏକଋତୁ ଗଣାହୁଏ ।

ତିନିଋତୁ ଯୋଗେ ଏକ ଅୟନଟି ହୁଏ ॥

ଚୈତ୍ର ବୈଶାଖ ଦ୍ୱିମାସ ବସନ୍ତାଖ୍ୟ ଋତୁ ।

ଜ୍ୟେଷ୍ଠ ଆଷାଢ଼ ଦ୍ୱିମାସ ଗ୍ରୀଷ୍ମଋତୁ ହେତୁ ॥

ଶ୍ରାବଣ ଭାଦ୍ରବ ବର୍ଷା ଋତୁରେ ଗଣନ ।

ଆଶ୍ଵିନ କାର୍ତ୍ତିକ ଶରତ ରତୁ ପ୍ରମାଣ ॥

ମାର୍ଗଶିର ପୌଷମାସେ ହେମନ୍ତ ହୁଅଇ ।

ମାଘ ଫାଲ୍‌ଗୁନରେ ଶୀତଋତୁ ହୋଇଥାଇ ॥

ସତରଲକ୍ଷ ଅଠାଇଶ ସହସ୍ର ବର୍ଷେ ।

ସତ୍ୟଯୁଗ ହୁଏ ଜାଣ ଭୋଗନ୍ତି ମନୁଷ୍ୟ ॥

ଚାରିଶତ ବର୍ଷେ ସନ୍ଧ୍ୟା ସନ୍ଧ୍ୟା ଶଚାରିଶ ।

ଯୁଗ ଅନ୍ତର୍ଗତେ ରହେ ଭୋଗନ୍ତି ମନୁଷ୍ୟ ।

ବାରଲକ୍ଷ ଛୟାଲବେ ହଜାର ବରଷେ ।

ତ୍ରେତାଯୁଗ ଭୋଗହୁଏ ସତ୍ୟଯୁଗ ଶେଷେ ॥

ସନ୍ଧ୍ୟା ତିନିଶତ ବର୍ଷେ ସନ୍ଧ୍ୟାଂଶ ତ୍ରିଶତେ ।

ତ୍ରେତାଯୁଗ ଅନ୍ତର୍ଗତ ଭୋଗନ୍ତି ଜଗତେ ॥

ଆଠଲକ୍ଷ ଚଉଷଠି ହଜାର ବରଷେ ।

ଦ୍ଵାପରଯୁଗ ହୁଅର ଜାଣ ସବିଶେଷେ ॥

ଦ୍ୱିଶତ ବର୍ଷ ସେ ସନ୍ଧ୍ୟା ଦ୍ୱିଶତ ସନ୍ଧ୍ୟାଂଶ ।

ଦ୍ଵାପରଯୁଗ ମଧ୍ୟରେ ଭୋଗନ୍ତି ମନୁଷ୍ୟ ॥

ଚାରିଲକ୍ଷ ବତିଶ ସହସ୍ର ବର୍ଷେ ପୁଣି l

ଏକ କଳିଯୁଗ ହୁଏ ଜାଣ ତା ପ୍ରମାଣ ॥

ଏକଶତ ବର୍ଷ ସନ୍ଧ୍ୟା ସନ୍ଧ୍ୟାଂଶ ଏକଶ ।

ବର୍ଷ କଳିଯୁଗ ମଧ୍ୟେ ଭୋଗହୁଏ ଶେଷ ॥

ମାନୁଷ ଏକ ବର୍ଷରେ ଦୈବଦିନ ଏକ ।

ଵାରହଜାର ଦୈବ ବର୍ଷରେ ଯୁଗ ଲେଖ ॥

ଏକସ୍ତରି ଦୈବଯୁଗେ ଏକ ମନ୍ୱନ୍ତର ।

ଦୈବଯୁଗ ସହସ୍ରକେ ବ୍ରାହ୍ମୈକ ବାସର ॥

ବ୍ରହ୍ମାଙ୍କ ଏକାହୋରାତ୍ରେ ଚତୁର୍ଦ୍ଦଶ ମନୁ ॥

ଭୋଗହୁଏ ଜାଣ ଅତି ଗୁପ୍ତ ଏ ବଚନୁ ॥

ତିନିଶ ଷାଠିଏ ଦିନେ ଏକ ବର୍ଷ ହୁଏ ।

ତିନିଶ ପଞ୍ଚଷଠି ଯେ ସୌର ବର୍ଷ କହେ ॥

ପଚାଶ ବ୍ରାହ୍ମ ବତ୍ସରେ ପରାର୍ଦ୍ଧ ଯେ ଏକ ।

ଏକଦିନ ହୁଏ ଈଶ୍ଵରଙ୍କର ସେ ଲେଖ ।

ପୁଣି ବ୍ରାହ୍ନ ପଚାଶ ବର୍ଷରେ ଏକ ରାତ୍ରି ।

ବ୍ରାହ୍ମଣତ ବର୍ଷେ ଦ୍ୱିପରାର୍ଦ୍ଧ ଏକ ଯୋଖି ॥

ଶତବର୍ଷ ଭୋଗେ ବ୍ରାହ୍ମ ପ୍ରଳୟ ଘଟଇ ।

ବ୍ରହ୍ମଲୟେ ସର୍ବ ବିଶ୍ଵ ଲୀନହୁଏ ତହିଁ ॥

ସମସ୍ତ ଜଗଦାଧାର ପରଂବ୍ରହ୍ମ ଠାରେ ।

ସର୍ବଲୀନ ହୋଇ ମହାପ୍ରଳୟ ସଞ୍ଚରେ ॥

ଜଗତ ସ୍ଵରୂପୀ ପରମାତ୍ମା ସେ ଅବ୍ୟୟ ।

ସ୍ଥୂଳରୁ ସ୍ଥୂଳ ତମସେ ସୂକ୍ଷ୍ମେ ସୂକ୍ଷ୍ମମୟ ॥

ତାର ଦିନ ରାତ୍ରି ବର୍ଷ କିଛିମାତ୍ର ନାହିଁ ।

ପୁରାଣେ ବର୍ଣ୍ଣିତ ସୃଷ୍ଟି ପ୍ରଳୟର ପାଇଁ ॥

ସେ ବ୍ରହ୍ମଦିବସ ରାତ୍ରି ବର୍ଷ ସୃଷ୍ଟି କର ।

ବିଷ୍ଣୁରୂପୀ ପୁରାଣ ପୁରୁଷ ଦେବ ହର I ।

ବ୍ରହ୍ମାଙ୍କ ପ୍ରଳୟେ ସର୍ବ ବ୍ରହ୍ମେ ଲୀନ ହୁଏ ।

ସର୍ବଦ୍ରବ୍ୟ ବ୍ରହ୍ମରୂପେ ପରିଣତି ପାଏ ॥

ବ୍ରହ୍ମାଙ୍କ ଶତବର୍ଷାନ୍ତେ ରୁଦ୍ରରୂପେ ହରି ।

ପରମେ ଲୀନ ହୁଅନ୍ତି ବିଶ୍ଵ ଧ୍ଵଂସ କରି ॥

ପ୍ରଥମରେ ସୂର୍ଯ୍ୟ ସର୍ବ ସ୍ଥାବର ଜଙ୍ଗମ ॥

କିରଣରେ ସର୍ବଜଳ ଶୋଷନ୍ତି ତକ୍ଷଣ ॥

ପ୍ରାଣୀବୃକ୍ଷ ତୃଣ ଶୈଳ ସର୍ବେ ଶୁଷ୍କ ହୋଇ ।

ଚୂର୍ଣ୍ଣଭାବେ ମିଶିଯାନ୍ତି ଶତେବର୍ଷ ତହିଁ ॥

ତହୁଁ ଦ୍ଵାଦଶ ସୂର୍ଯ୍ୟଙ୍କ ପ୍ରବଳ କିରଣ ।

ଆକାଶ ପୃଥ୍ୱୀ ସହିତ ସର୍ବ ଦହେ ପୁଣ ॥

ସ୍ଥାବର ଜଙ୍ଗମ ସର୍ବେ ନଷ୍ଟ ହୋଇଯାନ୍ତି ।

ଆଦିତ୍ୟ କିରଣୁ ରୁଦ୍ର ମୂର୍ତ୍ତି ପ୍ରକାଶନ୍ତି ॥

ପାତାଳ ତଳେ ପ୍ରେବେଶ କରନ୍ତି ସେ ମୂର୍ତ୍ତି ।

ସପ୍ତାତାଳସ୍ଥ ପ୍ରାଣୀ ଗଣ ନାଶ ଯାନ୍ତି ॥

ପ୍ରଧାନ ତ୍ରିଶୂଳଧାରୀ ସବୁ ଧ୍ଵଂସ କରି ।

ସ୍ଵର୍ଗ ପୃଥିବୀ ସମୁଦ୍ର ପ୍ରାଣୀଙ୍କୁ ସଂହାରି ॥

ତହୁଁ ସେ ରୁଦ୍ର ମୂର୍ତ୍ତିଙ୍କ ମୁଖରୁ ପବନ ।

ଅବାରିତ ଗତି ହୋଇ ବହେ ତ୍ରିଭୁବନ ॥

ଭୁବନ ଗର୍ଭରେ ଶତବର୍ଷ ସେହି ବହେ ।

ସମସ୍ତ ଉଡ଼ାଇନିଏ ତୁଳାରାଶି ପ୍ରାୟେ ॥

ଅତିବେଗେ ସୂର୍ଯ୍ୟ ମଣ୍ଡଳରେ ପ୍ରବେଶଇ ।

ସୂର୍ଯ୍ୟରଶ୍ମୀ ସଙ୍ଗେ ମିଶି ମେଘକୁ ଜନ୍ମାଇ ॥

ସେ ବାୟୁ ପ୍ରେରିତ ହୋଇ ମହା ମେଘଗଣ ।

ଆକାଶ ସହିତ ସବୁ ବ୍ୟାପନ୍ତି ଭୀଷଣ ॥

କେତେ କୃଷ୍ଣ କେତେ ଧୂମ୍ର ରକ୍ତଶୁକ୍ଳ ବର୍ଣ୍ଣେ ।

ପର୍ବତ ସମାନେ ହୋଇ ଗର୍ଜନ୍ତି ଭୀଷଣ ॥

ଶତେବର୍ଷ ମୂଷଳ ଧାରାରେ ସେ ବର୍ଷନ୍ତି ।

ତ୍ରିଲୋକକୁ ଜଳମଧ୍ୟେ ବୁଡ଼ାଇ ଦିଅନ୍ତି ॥

ଧ୍ରୂବସ୍ଥାନ ପର୍ଯ୍ୟନ୍ତ ସେ ଜଳ ବଢ଼ିଉଠେ ।

ରୁଦ୍ରମୁଖୁ ପବନ ବାହାରି ସବୁ ଘୋଟେ ॥

ମେଘକୁ ବିନାଶି ବାୟୁ ବହେ ଖରତର ।

ବ୍ରହ୍ମଲୋକ ସହ ସର୍ବ ନଷ୍ଟ ହୁଏ ଖର ॥

ତହୁଁ ଦ୍ଵାଦଶ ସୂର୍ଯ୍ୟରେ ପ୍ରବେଶି ସେ ରୁଦ୍ର ।

କାଳାନଳ ତୁଲ୍ୟ ହୋଇ ଦହେ ସବୁ ସାନ୍ଦ୍ର ॥

ସବୁଜଳ ଏକତ୍ର ହୋଇ ପ୍ରଳୟ କରେ ।

ପୃଥିବୀର ସାରଗନ୍ଧ ମାତ୍ରାକୁ ସଂହାରେ ॥

ପୁଣି ସେ ରୁଦ୍ର ଗର୍ଭସ୍ଥ ସର୍ବ ତେଜରାଶି ।

ଏକକରି ଗ୍ରହଣ କରନ୍ତି ବେଗେ ଆସି ॥ `

ସେ ତେଜକୁ ଜଳେ ନାଶି ଜଳ ସାରରସ ।

ମାତ୍ରାକୁ ଗ୍ରହଣ କରି କରନ୍ତି ତା ଗ୍ରାସ ॥

ତହୁଁ ପବନର ସାର ସ୍ପର୍ଶ ମାତ୍ରା ଧରି ।

ଗ୍ରାସ କରନ୍ତି ଆକାଶେ ସେ ମୂର୍ତ୍ତି ସଞ୍ଚରି ॥

ବାୟୁନାଶ ହେବାରୁ ଆକାଶ ସାରଶବ୍ଦ ।

ମାତ୍ରାଙ୍କୁ ଧ୍ୱଂସ କରାନ୍ତି ରୁଦ୍ର ହୋଇ କୃଦ୍ଧ ॥

ତହୁଁ ବ୍ରହ୍ମେ ଲୀନହୋଇ ଧ୍ୱଂସକୁ ଭଜନ୍ତି ।

ସେବେଳେ ସେ ବ୍ରହ୍ମଦେହ ନିରାଧାର ହ୍ଵନ୍ତି ॥

ସ୍ଵଶକ୍ତିରେ ସର୍ବସାର ଗ୍ରହଣ କରିଣ ।

ନିରାଧାର ନିଃଶବ୍ଦ ଭାବେ ରହେ ସେ ପୁଣ ॥

ଅଦ୍ୱୈତ ଆନନ୍ଦମୟ ହୋଇ ଏକା ରହେ ।

ଅନ୍ୟକିଛି ନଥାଏ ସେ କାଳେ ଶୂନ୍ୟ ପ୍ରାୟେ ॥

ଯେତେକାଳ ସୃଷ୍ଟି ସ୍ଥିତି ସେତେକାଳ ପୁଣି ।

ବିନା ସୃଷ୍ଟିରେ ପ୍ରଳୟ ବିରାଜଇ ଜାଣି ॥

ସର୍ବ ତନ୍ମାତ୍ର ସମୂହ ପ୍ରକୃତିରେ ରହେ ।

ଏହି ପ୍ରାକୃତ ପ୍ରଳୟ ପୁରାଣରେ କହେ ॥

ଆଦି ସୃଷ୍ଟିକଥା ଏବେ କହିବା ତୁମ୍ଭଙ୍କୁ ।

ପ୍ରଭାକର ଗୀତେ କହେ କାଳୀ ପୁରାଣକୁ ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଚବିଂଶତିତମୋଽଧ୍ୟାୟଃ ।

✽✽✽

 

॥ ୨୬ ॥

 

ସୃଷ୍ଟିସ୍ଥିତି ଅନ୍ତକାରୀ ସେକାଳ ପୁରୁଷ ।

ପ୍ରଳୟରେ ଅବିଛିନ୍ନେ ନୁହେଁ ସେହି ନାଶ ॥

ପ୍ରଳୟ ଶେଷରେ ସୃଷ୍ଟି ଇଛା ଜାତ ହୁଏ ।

ଜ୍ଞାନରୂପ ପରଂବ୍ରହ୍ମ ମୂର୍ତ୍ତିଙ୍କର କାୟେ ॥

ତହୁଁ ପ୍ରକୃତି ଭୟରେ ହୁଏ ସଂଚାଳିତ ।

ସର୍ବକାର୍ଯ୍ୟ ବୀଜରୂପେ ତ୍ରିଗୁଣେ ଜଡ଼ିତ ॥

ପାର୍ଶ୍ଵସ୍ଥ ଗନ୍ଧ ମନକୁ କ୍ଷୋଭ କଲାପରି ।

ପରଂବ୍ରହ୍ମ ପ୍ରକୃତିକୁ ଚଳାନ୍ତି ସେପରି ॥

ସଂକୋଚ ବିକାଶଦ୍ଵାରା ପ୍ରଧାନ ରୂପରେ ।

ସୃଷ୍ଟିପାଇଁ ପ୍ରକୃତିକୁ ପ୍ରେରନ୍ତି ଇଚ୍ଛାରେ ।

ଗୁଣସାମ୍ୟେ କ୍ଷେତ୍ରଜ୍ଞାଧିଷ୍ଠିତା ସେ ପ୍ରକୃତି ।

ସୃଷ୍ଟିକାଳେ ତ୍ରିଗୁଣକୁ ସେ ବ୍ୟକ୍ତ କରନ୍ତି ॥

ପ୍ରଧାନ ତତ୍ତ୍ୱକୁ ଜନ୍ମ ଈଶ୍ଵରେଚ୍ଛା ବଳେ ।

ପ୍ରଥମେ ମହତ୍ତତ୍ୱକୁ ଆବରଣ କରେ ॥

ସେ ମହତ୍ତତ୍ୱରୁ ଅହଙ୍କାର ଜାତ ହୁଏ ।

ତ୍ରିଗୁଣରୁ ତ୍ରିପ୍ରକାର ବିଳାର ଯୋଗାଏ ॥

ପଞ୍ଚଭୂତ ଇନ୍ଦ୍ରିୟଙ୍କ ସେ ଆଦିକାରଣ ।

ଜନ୍ମମାତ୍ରେ ସେ ଅହଂକୁ କରେ ଆବରଣ ॥

ଜନ୍ମାତ୍ର ପାଞ୍ଚଟି ତହୁଁ ଉତ୍ପନ୍ନ ହୁଅନ୍ତି ।

ଅହଙ୍କାର ସେମାନଙ୍କୁ ଆବେରି ରହନ୍ତି ॥

ଶବ୍ଦଗୁଣ ଆକାଶ ଶବ୍ଦ ତନ୍ମାତ୍ରୁ ଜନ୍ମେ ।

ସ୍ପର୍ଶ ଗୁଣବାୟୁ ସ୍ପର୍ଶ ମାତ୍ରାରୁ ଉତ୍ପନ୍ନେ ॥

ରୂପ ତନ୍ମାତ୍ରୁ ବାୟୁ ଜନ୍ମି ତେଜ ବଢ଼େ ।

ରସ ତନ୍ମାତ୍ରରୁ ଜଳ ଜନ୍ମି ସର୍ବ ବୁଡ଼େ ॥

ସେ ଜଳରେ ଅଣ୍ଡ ବୀଜ ନିକ୍ଷିପ୍ତ ହୋଇଣ ।

ବ୍ରହ୍ମାଣ୍ଡ ସୃଷ୍ଟି କରାଇ ସେ କ୍ରମେ ବଢ଼ିଣ ॥

ସେ ଅଣ୍ଡ ମଧ୍ୟରେ ବିଷ୍ଣୁ ବ୍ରହ୍ମ ସ୍ଵରୂପରେ ।

ଦିବ୍ୟ ସହସ୍ର ବର୍ଷ ରହିଣ ବୀଜ ଧରେ ॥

ଧ୍ୟାନବଳେ ସେ ଅଣ୍ଡକୁ ଦ୍ୱିଭାଗ କରିଣ ।

ପୃଥିବ୍ୟାପି ପଞ୍ଚଭୂତ କରାନ୍ତି ନିର୍ମାଣ ॥

ଆଧାରଭୂତା କ୍ଷିତିରୁ ସୁମେରୁ ଜନ୍ମଇ ।

ଜରାୟୁ ପ୍ରାଣୀ ବର୍ଗରେ ବେଷ୍ଟିତ ହୁଅଇ ॥

ଅଣ୍ଡଗର୍ଭୁ ସପ୍ତସିନ୍ଧୁ ସ୍ପନ୍ଧରୁ ସ୍ୱଲୋକ ।

ପୃଷ୍ଠରୁ ସପ୍ତପାତାଳ ଜନ୍ମଇ ପ୍ରତ୍ୟକ୍ଷ ॥

ତେଜରାଶିରୁ ମହଲୋକ ଜାତ ହୋଇଲା ।

ବାୟୁରୁ ଜନଲୋକର ଜନ୍ମ ସମ୍ଭବିଲା ॥

ଧ୍ୟାନହେତୁ ତପଲୋକ ହୋଇଲା ଉଦ୍ଭବ ।

ଅଣ୍ଡ ଉର୍ଦ୍ଧ୍ୱଗତିରେ ସତ୍ୟଲୋକ ସମ୍ଭବ ॥

ବ୍ରହ୍ମାଣ୍ଡ ଖଣ୍ଡ ଉପରେ ଅଚ୍ୟୁତ ଶ୍ରୀହରି ।

ପରଂପଦ ବୋଲି ଯାକୁକହନ୍ତି ଉଚାରି ॥

ଏଭାବେ ପ୍ରଥମେ ବିଷ୍ଣୁରୂପେ ସ୍ଥିତ ହେଲେ ।

ସ୍ଵୟମ୍ଭ ନାମରେ ଲୋକେ ଖ୍ୟାତିକୁ ଲଭିଲେ ।

ତହୁଁ ଯଜ୍ଞ ବରାହ ରୂପରେ ଅବତାର ।

କ୍ଷିତି ଉଦ୍ଧାର ପାଇଁ ଧରି ସ୍ଥୂଳ ଶରୀର ॥

ଜଳମଗ୍ନା ପୃଥିବୀକୁ ଉଦ୍ଧାରିଲେ ଦନ୍ତେ ।

ସେ ପୁଣି ଅନନ୍ତରୂପେ କ୍ଷତି ଧରେ ମାଥେ ॥

ସପ୍ତଫଣାରେ ଧରି ନପାରି କୂର୍ମ ହେଲେ ।

ନିଜପୃଷ୍ଠ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ରଖିଲେ ॥

ନିମ୍ନ ବ୍ରହ୍ମାଣ୍ଡ ଖଣ୍ଡକୁ ପାଦେ ଆକ୍ରମିଣ ।

ଗ୍ରୀବା ବିସ୍ତାରି ପୃଷ୍ଠରେ ଶେଷଙ୍କୁ ଧରିଣ ॥

ନବପ୍ରସ୍ଥେ ଅନନ୍ତ କୂର୍ମ ପୃଷ୍ଠକୁ ଧରି ।

ପୃଥ୍ୱୀକୁ ମୁଖେ ଧଇଲେ କୂର୍ମରୂପେ ହରି ॥

ଅନନ୍ତ ଫଣାରେ କ୍ଷିତି ରହି ଚହଲିଲା ।

ବରାହ ନିଶ୍ଚଳ କଲେ ଶୈଳ କରି କିଳା ॥

ଖୁର ପ୍ରହାରେ ମେରୁକୁ ତଳେ ପୁରାଇଲେ ।

ଷୋଳ ସହସ୍ର ଯୋଜନ ତଳକୁ କ୍ଷେପିଲେ ॥

ବତିଶ ସହସ୍ର ଜୁଣ ମେରୁ ଶିର ହେଲା ।

ମର୍ଯ୍ୟାଦା ପର୍ବତ ମେରୁ ପାଖରେ ରହିଲା ॥

ହିମାଦ୍ରି ପ୍ରଭୃତି ଶୈଳ ପଞ୍ଚମାଂଶେ ପୋତି ।

ପୃଥିବୀକୁ ବାନ୍ଧି ସ୍ଥିର କଲେ ବିଶ୍ଵପତି ॥

ତହୁଁ ବ୍ରହ୍ମା ବରାହଙ୍କୁ କଲେ ନମସ୍କାର ।

ସ୍ଵଦେହରୁ ଜନ୍ମ ନେଲେ ଅର୍ଦ୍ଧନାରୀଶ୍ଵର ॥

ଜନ୍ମମାତ୍ରେ ଉଚ୍ଚ ସ୍ଵରେ କଲେ ସେ ରୋଦନ ।

କିମ୍ପା କାନ୍ଦ ବୋଲି ବ୍ରହ୍ମା ପଚାରିଲେ ପୁଣ ॥

ନାମଧରି ଡାକବୋଲି ବ୍ରହ୍ମାଙ୍କୁ କହିଲେ ।

ରୋଦନରୁ ରୁଦ୍ର ନାମ ତାଙ୍କର ରଖିଲେ ॥

ଏହାଶୁଣି ପୁଣି ସାତବରଷେ କାନ୍ଦିଲେ ।

ସାତଗୋଟି ନାମଧରି ତାଙ୍କୁ ହକାରିଲେ ॥

ଶର୍ବ ଭବ ଭୀମ ମହାଦେବ ଉଗ୍ରନାମ ।

ଈଶାନ ପଶୁପତି ଏ ସାର ନାମ ଜାଣ ॥

ମୁଁ ଯଥା ବିଭାଗ କଲି ତୁମ୍ଭେ ସେହିପରି ।

ଦେହ ଭାଗକରି ସୃଷ୍ଟି କର ବେଗକରି ॥

ତହୁଁ ରୁଦ୍ର ସ୍ଵଶରୀର ଦୁଇଭାଗ କଲେ ।

ଅର୍ଦ୍ଧପୁରୁଷ ସ୍ୱରୂପ ଅର୍ଦ୍ଧନାରୀ ହେଲ ॥

ସ୍ତ୍ରୀ ପୁରୁଷ ସଂଯୋଗରୁ ବିରାଟ ପୁରୁଷ ।

ତପୋବଳେ ସ୍ଵାୟମ୍ଭୁବ ମନୁଙ୍କ ପ୍ରକାଶ ॥

ତହୁଁ ଦକ୍ଷ ପ୍ରଜାପତି ହୋଇଲେ ଉଦ୍ଭବ ।

ପୁଣି ଦଶପୁତ୍ର ମନ ମଧ୍ୟରୁ ସମ୍ଭବ ॥

ମରୀଚି ଅତ୍ରି ଅଙ୍ଗିରା ପୁଲସ୍ତ୍ୟ ପୁଲହ ।

କ୍ରତୁ ପ୍ରଚେତା ବଶିଷ୍ଠ ଭୃଗୁ ନାରଦହ ॥

ଏମାନଙ୍କୁ ଜାତକରି ମନୁଙ୍କୁ କହିଲେ ।

ଏବେ ତୁମ୍ଭେ ସ୍ପଷ୍ଟିକର ମୁଁ ଯାଉଛି ଘରେ ॥

ତାପରେ ବରାହ ଖୁରାରେ କ୍ଷିତି ଖୋଲିଣ ।

ସପ୍ତସମୁଦ୍ର କଲେ ପୃଥ୍ଵୀ କଙ୍କଣ ସମ ॥

ସାତବାର ବୁଲି ସାତ ସମୁଦ୍ର ଖୋଳିଲେ ।

ସପ୍ତଦ୍ୱୀପେ ପୃଥିବୀକୁ ବିରାଗ ସେ କଲେ ॥

ପୃଥିବୀ ବେଷ୍ଟନ ରୂପେ ଲୋକାଲୋକ ଗିରି ।

ଦ୍ୱିଲକ୍ଷ ଯୋଜନ ଉଚ୍ଚକଲେ ସର୍ବୋପରି ॥

କାନ୍ଥେ ଘର ଥିଲା ପରି ପ୍ରୃଥ୍ଵୀ କାନ୍ଥ ସେହି ॥

ଆଦି ସୃଷ୍ଟି ଚରିତ କହିଲି ମୁଁ ବୁଝାଇ l

ପ୍ରତିସର୍ଗ କଥା ଏବେ କହିବା ତୁମ୍ଭଙ୍କୁ ।

ପ୍ରଭାକର ଗୀତେ ରଚେ କାଳିପୁରାଣକୁ ॥

 

ଇତି ଶ୍ରୀ କାଳିକାପୁରାଣେ

ଷଡ଼ବିଂଶୋଽଧ୍ୟାୟଃ ।

✽✽✽

 

॥ ୨୭ ॥

 

ମାର୍କଣ୍ଡେୟ ଉବାଚ

ବରାହଙ୍କ ଅଧିଷ୍ଠାନ ଯୋଗେ ଏ ବରାହ ।

ପ୍ରତିସର୍ଗ ବୋଲି ନାମ ହେଲା ପାଇ ଦେହ ॥

ରୁଦ୍ର ବିରାଟ ମନୁ ଦକ୍ଷ ମରୀଚି ଆଦି ।

ଯେଉଁ ସୃଷ୍ଟିକଲେ ପ୍ରତିସର୍ଗ ସେ ଅବଧି ॥

ବିରାଟଙ୍କ ସୁତ ମନୁ ଯେଉଁ ସୃଷ୍ଟି କଲେ ।

ତହିଁରେ ସର୍ବଜଗତ ପୂରିଗଲା ହେଳେ ॥

ସପ୍ତମନୁଙ୍କ ସୃଷ୍ଟିରେ ବହୁପ୍ରଜା ହେଲେ ।

ଆଦ୍ୟମନୁ ସ୍ଵାୟମ୍ଭୁବ ନାମକୁ ଲଭିଲେ ॥

ତାହାଙ୍କର ଛଅପୁତ୍ର ଛଅ ମନୁ ଜାଣ ।

ସ୍ଵାରୋଚିଷ ଔତ୍ତମି ତାମସ ନାମ ଗଣ ॥

ରୈବତ ଚାକ୍ଷୁଷ ବିବସ୍ଵାନ ଏହି ଷଟ ।

ପିତାଙ୍କ ସହିତ ବହୁ ପ୍ରଜା କଲେ ସୃଷ୍ଟ ॥

ଯକ୍ଷ ରକ୍ଷ ପିଶାଚ ନାଗ ଗନ୍ଧର୍ବଗଣ ।

କିନ୍ନର ବିଦ୍ୟାଧର ଅପସରା ସିଦ୍ଧ ପୁଣ ॥

ବହୁ ପ୍ରାଣୀଗଣ ମେଘ ବିଦ୍ୟୁତ ବୃକ୍ଷଙ୍କୁ ।

ଲତାଗୁଳ୍ମ ତୃଣ ମତ୍ସ୍ୟ ପଶୁ କୀଟାଦିଙ୍କୁ ॥

କଳଜ ସ୍ଥଳଜ ପ୍ରାଣୀ ବହୁ ଭିଆଇଲେ ।

ପୁତ୍ରଙ୍କ ସଙ୍ଗରେ ସ୍ୱୟଂମ୍ଭୁବ ମନୁ କଲେ ॥

ଅନ୍ୟ ଛଅ ମନୁମାନେ ନିଜ ଭୋଗ କାଳେ ।

ବିବିଧ ପ୍ରାଣୀଙ୍କ ସୃଷ୍ଟି କଲେ ଯୋଗବଳେ ॥

ଯଜ୍ଞର ସମ୍ଭାର ଯଜ୍ଞ ଯୂପ ସେ ପ୍ରାଗ୍‌ବଂଶ ।

ଧର୍ମାଧର୍ମ ସବୁଗୁଣ ସର୍ଜିଲେ ବିଶେଷ ॥

ଦକ୍ଷ ସୃଷ୍ଟିକଲେ ବହୁ ପୁତ୍ର ଜନ୍ମାଇଣ ।

ଦେବର୍ଷି ମହର୍ଷି ସୋମପାଦି ପିତୃଗଣ ॥

ଏ ଦକ୍ଷଙ୍କ ପ୍ରତିସର୍ଗ ବ୍ରାହ୍ମସର୍ଗ ଶୁଣ ।

ମୁଖରୁ ବ୍ରାହ୍ମଣ ବାହାରୁ କ୍ଷତ୍ରିୟ ଜାଣ ॥

ଉରୁରୁ ବୈଶ୍ୟ ପାଦରୁ ଶୂଦ୍ର ଜାତ ହେଲେ ।

ଚାରିମୁଖ ଚାରିବେଦ ପ୍ରସବ ହୋଇଲେ ।

ମରୀଚିଙ୍କ ସୁତ ଯେ କଶ୍ୟପ ମହାମୁନି ।

ତାଙ୍କ ସୁତେ ଦେବ ଦୈତ ନାଗପକ୍ଷୀ ପୁଣି ॥

ଅତ୍ରିଙ୍କ ନେତ୍ରରୁ ଚନ୍ଦ୍ର ଜନ୍ମି ତାଙ୍କ ବଂଶ ।

ପୃଥିବୀରେ ବଢ଼ାଇଲେ କରିଣ ବିଶେଷ ॥

ଅଥର୍ବାଙ୍ଗି ରସୀକୃତ୍ୟା ବହୁପୁତ୍ର ହେଲେ ।

ମନ୍ତଯନ୍ତ୍ରାଦି ଅଙ୍ଗିରା ସୃଷ୍ଟିରେ ଜନ୍ମିଲେ ॥

ପୁଲସ୍ତ୍ୟଙ୍କ ପୁତ୍ର ଆଜ୍ୟାପା ପୁଣି ରାକ୍ଷସେ l

ବଳ ବୀର୍ଯ୍ୟଶାଳୀ ପୁଲସ୍ତ୍ୟଙ୍କ ଜାତ ବଂଶେ ॥

ପୁଲସ୍ତ୍ୟଙ୍କ ସୃଷ୍ଟିରେ କାଦ୍ରବ ଗତ ଅଶ୍ୱ ।

ବହୁପ୍ରଜା ଜାତ କରି ବଢ଼ାଇଲେ ବଂଶ ॥

କ୍ରତୁଙ୍କର ପତ୍ର ବାଳଖିଲ୍ୟ ଋଷିଗଣ ।

ଅଠାଶି ସହସ୍ର ସର୍ବଜ୍ଞ ତେଜସ୍ଵୀ ପୁଣ ॥

ପ୍ରଚେତାଙ୍କ ପୁତ୍ର ପ୍ରାଚେତସ ଗଣ ହେଲେ ।

ଛୟାଶି ପୁତ୍ରେ ସ୍ଵକାଳିନ ଯୋଗୀଗଣ ।

ଅରୁନ୍ଧତୀ ନନ୍ଦନ ପଚାଶ ସଂଖ୍ୟା ପୁଣ ॥

ଭୃଗୁବଂଶେ ଭାର୍ଗବ ଦୈତ୍ୟଙ୍କ ପୁରୋହିତ ।

କବି ମହାପ୍ରାଜ୍ଞ ହୋଇ ପୂରାନ୍ତି ଜଗତ ॥

ନାରଦଙ୍କଠାରୁ ତାର କବିମାନ ଗଣ ।

ପ୍ରଶ୍ନୋତ୍ତର ନୃତ୍ୟଗୀତ କୌତୁକଙ୍କ ଜନ୍ମ ॥

ଏ ଦକ୍ଷ ମରୀଚି ଆଦିଙ୍କ ସନ୍ତାନଗଣେ ।

କୃତଦାର ହୋଇକଲେ ବହୁତ ସନ୍ତାନେ ॥

ସେମାନଙ୍କ ପୁତ୍ର ପୌତ୍ର ପ୍ରପୌତ୍ର କ୍ରମରେ ।

ଅଦ୍ୟାପି ବଢ଼ନ୍ତି ପ୍ରଜାକୁଳ ଜଗତରେ ॥

ବିଷ୍ଣୁଙ୍କ ଚକ୍ଷୁରୁ ସୂର୍ଯ୍ୟ ମନରୁ ଚନ୍ଦ୍ରମା ।

କର୍ଣ୍ଣରୁ ବାୟୁ ମୁଖରୁ ହେଲେ କୃଷ୍ଣବର୍ମା ॥

ବିଷ୍ଣୁ ପ୍ରତିସର୍ଗ ଏହି ଦଶଦିଗ ପୁଣ ।

ସୃଷ୍ଟିପାଇଁ ଅତ୍ରି ନେତୃ ଚନ୍ଦ୍ରଙ୍କର ଜନ୍ମ ॥

କଶ୍ୟପଙ୍କଠାରୁ ସୂର୍ଯ୍ୟପତ୍ନୀ ସହ ଜନ୍ମି ।

ସୃଷ୍ଟିକଲେ ପୁତ୍ର ପୌତ୍ର କ୍ରମେ ଏ ଅବନି ।

ରୁଦ୍ରଙ୍କଠାରୁ ଜନ୍ମିଲେ କୁକୁର ବରାହ ।

ଉଷ୍ଟ୍ର ବାନର ଶୃଗାଳ ଗୋମୁଖ ଯେ ସିଂହ ॥

ଭାଲୁ ମାର୍ଜାର ବ୍ୟାଘ୍ରାଦି ଶ୍ଵାପଦ ସକଳେ ।

ଚତୁର୍ବିଧ ଭୂତଗାମ ଏ ମହୀମଣ୍ଡଳେ ॥

ନାନା ଶସ୍ତ୍ରଧାରୀ ନାନାରୂପେ ମହାବଳୀ ।

ଶିବ ପ୍ରତିସର୍ଗ ଏହି ତୁମ୍ଭଙ୍କୁ କହିଲି ॥

କଳ୍ପଶେଷେ ଦୈନନ୍ଦିନ ପ୍ରଳୟକୁ ଶୁଣ ।

ଗୀତବନ୍ଧେ ପ୍ରଭାକର କରଇ ରଚନ ॥

 

ଇତି ଶ୍ରୀ କାଳିକା ପୁରାଣେ

ସପ୍ତବିଶୋଽଧ୍ୟାୟଃ ।

✽✽✽

 

॥ ୨୮ ॥

 

ମାର୍କଣ୍ଡେୟ ଉବାଚ

ଏକ ମନୁଙ୍କ ଭୋଗ କାଳକୁ ମନ୍ଵନ୍ତର ।

କହନ୍ତି ତହିଁରେ ପ୍ରଜା ପାଳନ୍ତି ସେ ବୀର ॥

ଦେବଙ୍କ ଏକସ୍ତରୀ ଯୁଗରେ ଏକ ମନୁ ।

ଚତୁର୍ଦ୍ଦଶ ମନୁ ଭୋଗେ ବ୍ରାହ୍ମ ଏକ ଦିନୁ ॥

ଦିନଶେଷେ ବ୍ରହ୍ମାଙ୍କର ଶୟନେଚ୍ଛା ହୁଏ ।

ଯୋଗନିଦ୍ରା ମହାମାୟା ପ୍ରବେଶନ୍ତି ଦେହେ ॥

ବିଷ୍ଣୁଙ୍କ ନାଭି ପଦ୍ମରେ ପ୍ରବେଶି ବିଧାତା ।

ସୁଖେ ଶୟନ କରନ୍ତି ହୋଇଣ ଅଚେତା ॥

ସ୍ୱୟମ୍ଭୁ ଶ୍ରୀହରି ରୁଦ୍ର ରୂପେ ଅବତରି ।

ତ୍ରିଭୁବନକୁ ବିନାଶ କରନ୍ତି ସେ ହରି ॥

ବାୟୁବହ୍ନି ସଂଯୋଗରେ ସକଳ ଦହନ୍ତି ।

ଯେପରି ମହାପ୍ରଳୟେ ସର୍ବେ ନାଶଯାନ୍ତି ॥

ରୁଦ୍ରପ୍ରତାପେ ତାପିତ ହୋଇ ସର୍ବଲୋକ ।

ତ୍ରିଲୋକ ଦଗ୍‍ଧ ସମୟେ ପାନ୍ତି ବହୁଦୁଃଖ ॥

ତହୁଁ ନାନାବର୍ଣ୍ଣ ମେଘେ ଗର୍ଜନ ସହିତ ।

ଜଳବର୍ଷି ତ୍ରିଲୋକକୁ ବୁଡ଼ାନ୍ତି ଜଳେ ତ ॥

ଧ୍ରୁବସ୍ଥାନ ପର୍ଯ୍ୟନ୍ତ ସେ ଜଳ ବଢ଼ିଯାଏ ।

ତ୍ରିଲୋକ ଗର୍ଭରେ ଧରି ସୁଖେ ନିଦ୍ରାପାଏ ॥

ନାଗଶଯ୍ୟାରେ ଶୟନ କରନ୍ତି ମାଧବ ।

ସେକାଳେ ନାଭିପଦ୍ମରେ ଥାନ୍ତି ବ୍ରହ୍ମଦେବ ॥

ତ୍ରିଲୋକ ବିନାଶି ଯୋଗନିଦ୍ରା ବଶହ୍ଵନ୍ତି ।

ପୃଥିବୀକୁ ଛାଡ଼ି ଅନନ୍ତ ବିଷ୍ଣୁ ପାଖେ ଯାନ୍ତି ॥

ସେକ୍ଷଣେ ପୃଥିବୀ ତଳଗାମୀ ହୋଇଯାଏ ।

କୂର୍ମପୃଷ୍ଠେ ପଡ଼ି ଶୀର୍ଣ୍ଣା ହୋଇ ହଲୁଥାଏ ॥

ବହୁଯତ୍ନେ କୂର୍ମ ପୃଥିବୀକୁ ଜଳେ ରଖି ।

ପାଦେ ବ୍ରହ୍ମାଣ୍ଡକୁ ଧରି ପିଠିପରେ ଯୋଖି ॥

କୂର୍ମପୃଷ୍ଠ ସଂଯୋଗରେ ବିଶ୍ଵ ଚୂର୍ଣ୍ଣ ହୁଏ ।

ଜଳ ସଂଯୋଗରେ ହଲି ଏଣେତେଣେ ଯାଏ ॥

କୂର୍ମପୃଷ୍ଠକୁ ବିସ୍ତାରି ଧରନ୍ତି ସେ ଚୂର୍ଣ୍ଣ ।

ଅନନ୍ତ ଯାନ୍ତି ଯେଠାରେ ହରିଙ୍କ ଶୟନ ।

ଲକ୍ଷ୍ମୀ ସହିତରେ ହରି ନିଦ୍ରିତ ଦେଖିଣ ।

ମଧ୍ୟ ଫଣାରେ ଧରନ୍ତି ଶେଷଦେବ ଜାଣ ॥

ପୂର୍ବଫେଣା ବିସ୍ତାରିଣ ପଦ୍ମାକାର କରି ।

ବିଷ୍ଣୁ ଦେହ ଆଚ୍ଛାଦନ୍ତି ସୂକ୍ଷ୍ମବସ୍ତ୍ର ପରି ॥

ଦକ୍ଷିଣ ଫଣା ବିଷ୍ଣୁ ଉପଧାନ ହୁଏ ।

ଭତ୍ତର ଫଣା ପାଦମୁଚୁଳା କାର୍ଯ୍ୟ ରହେ ॥

ପଶ୍ଚିମ ଫଣା ଵ୍ୟଜନ କାର୍ଯ୍ୟକୁ କରାଇ ।

ସେ ଯୋଗେ ପବନ ସଦାଗତ କରୁଥାଇ ॥

ଶଙ୍ଖ ଚକ୍ର ଗଦା ପଦ୍ମ ଗରୁଡ଼ ସହିତ ।

ଐଶାନ୍ୟ ଫଣାରେ ଶେଷ ଧରନ୍ତି ସମସ୍ତ ॥

ଆଗ୍ନେୟ ଫଣାରେ ଅନ୍ୟ ଭୁଷଣାଦି ଧରି ।

ଶୟନକାଳେ ରଖନ୍ତି ବିଷ୍ଣୁଙ୍କୁ ସେ ଘେରି ॥

ଜଳମଗ୍ନା ଧରିତ୍ରୀକୁ ଦେହ ଅଧୋଭାଗେ ।

ଆକ୍ରମି ଧରନ୍ତି ଶେଷଦେବ ବଳଯୋଗେ ॥

ଅନନ୍ତରୂପ ଶ୍ରୀହରି ନିଜମୂର୍ତ୍ତି ରୂପ ।

ଶୟନକାଳେ ଧରନ୍ତି ହୋଇ ବିଶ୍ଵରୂପ ॥

ବ୍ରହ୍ମଦିନ ପ୍ରମାଣେ ସେ ବ୍ରହ୍ମରାତ୍ରି ଏକ ।

ଶୟନ କରନ୍ତି ପ୍ରଭୁ ତ୍ରିଲୋକ ନାୟକ ॥

ଯେଣୁ ବ୍ରହ୍ମାଙ୍କର ଏ ପ୍ରଳୟ ପ୍ରତିଦିନେ ।

ହୁଏ ତେଣୁ ଦୈନନ୍ଦିନ ପ୍ରଳୟ ବଖାଣେ ॥

ରାତ୍ରିଶେଷେ ବ୍ରହ୍ମା ଉଠି ସୃଷ୍ଟି ଇଚ୍ଛାକରେ ।

ତ୍ରିଲୋକ ଜଳରେ ମଗ୍ନ ହରି ଶୟନରେ ॥

ଏ ସମସ୍ତ ଦେଖି ବିଷ୍ଣୁ ମାୟାଙ୍କୁ ସ୍ମରିଣ ।

ବିଷ୍ଣୁଙ୍କ ଜାଗ୍ରତ ପାଇଁ ସ୍ତୁତିକଲେ ପୁଣ ॥

ବ୍ରହ୍ମୋବାଚ

ନିର୍ବିକାରା ଚେତନା ଶକ୍ତି ବ୍ରହ୍ମରୂପିଣୀ ।

ଯୋଗନିଦ୍ରା ମହାମାୟାଙ୍କୁ ନମଇ ଜାଣି ॥

ଯୋଗୀଙ୍କର ବିଦ୍ୟାମତି ଗତି ସ୍ତୁତି ତୁମ୍ଭେ ।

ଯୋଗୀଙ୍କର ସ୍ଵାହା ସ୍ଵଧା ଗିତିରୂପା ଅମ୍ବେ ॥

ଲକ୍ଷ୍ମୀ ଲଜ୍ଜା ସରସ୍ଵତୀ ସାମଗୀତି ମାତା ।

ମୋହନିଦ୍ରା ଈଶ୍ଵରୀ କାନ୍ତି କାମନା ଦାତା ॥

ବୈଷ୍ଣବୀ ଶିବାଧାତ୍ରୀ ଯେ ଲୋକଙ୍କ ଅବିଦ୍ୟା ।

ଆଧାର ଶକ୍ତି ବ୍ରହ୍ମାଣ୍ଡ ଧାରିଣୀ ଜ୍ଞାନଦା ॥

ସର୍ବବିଶ୍ଵର ପ୍ରକୃତି ତ୍ରିଗୁଣ ଜଡ଼ିତ ।

ଗାୟତ୍ରୀ ସାବିତ୍ରୀ ସୌମ୍ୟା ଅତି ସୌମ୍ୟେରତ ॥

ହରିଙ୍କର ସୃଷ୍ଟି ଇଛାରୂପା ତୁମ୍ଭେ ଆଦ୍ୟା ।

ପୁଷ୍ଟି କ୍ଷମା ଶାନ୍ତି ଧୃତି ଜଗତର ବନ୍ଦ୍ୟା ॥

ତୁମ୍ଭେ କ୍ଷିତିରୂପେ ସଚରାଚର ଧରିଛ ।

ଜଳମୟୀ ସର୍ବ ଅନ୍ତର୍ଗତରେ ରହିଛ ॥

ସ୍ତୁତି ସ୍ତୋତ୍ରରୂପା ତୁମ୍ଭେ କି ସ୍ତୁତି କରିବି ।

ପ୍ରସନ୍ନା ହୁଅ ମୋଠାରେ ଦୁଃଖ ଜଣାଇବି ॥

ବିଷ୍ଣୁଙ୍କୁ ଜାଗ୍ରତ କର ଅସହାୟ ମୁହିଁ ।

ଏପରି ସ୍ତୁତିକଲେ ସେ ବ୍ରହ୍ମା ରହି ତହିଁ ॥

ନେତ୍ର ମୁଖ ନାସା ବାହୁ ହୃଦରୁ ନିଃସରି ।

ବ୍ରହ୍ମାଙ୍କ ଆଗରେ ଦେଖାଦେଲେ ଶାକମ୍ଭରୀ ॥

ତହୁଁ ଅନନ୍ତ ଶଯ୍ୟାରୁ ଉଠି ଜନାର୍ଦ୍ଦନ ।

ସୃଷ୍ଟି ନିର୍ମାଣ କାର୍ଯ୍ୟରେ ବଳାଇଲେ ମନ ॥

ବରାହ ରୂପକୁ ଧରି ଜଳମଗ୍ନା କ୍ଷିତି ।

ଦନ୍ତାଗ୍ରେ ଉଠାଇ ଜଳେ ରଖିଲେ ଝଟିତି ॥

ଜଳ ଉପରେ ପୃଥିବୀ ନୌକାପରି ଭାଷେ । ।

ବେହବିସ୍ତାର ହେତୁ ସେ ନବୁଡ଼େ ଜଳେ ସେ ॥

ଶ୍ରୀହରି ମାୟାରେ ଜଳ ଶୁଷ୍କ କରିଦେଲେ ।

ଅନନ୍ତ ତଳେ ପ୍ରବେଶି କ୍ଷିତିକୁ ଧଇଲେ ॥

କୂର୍ମପୃଷ୍ଠେ ବସି ଶେଷ ଫଣାମାନଙ୍କରେ ।

ପୃଥିବୀକୁ ଧରି ସ୍ଥିର କଲେ ନିଜ ବଳେ ॥

ତହୁଁ ବ୍ରହ୍ମା ସର୍ବ ପ୍ରଜାତିଙ୍କୁ ଜନ୍ମାଇ ।

ଜଗତ ସୃଷ୍ଟି କରିଲେ ତାଙ୍କୁ ପ୍ରବର୍ତ୍ତାଇ ॥

ଦକ୍ଷାଦି ପ୍ରଜାପତିମାନେ ବ୍ରହ୍ମା ଆଦେଶେ ।

ସୃଷ୍ଟିକଲେ ପରଂବ୍ରହ୍ମ ଅନୁଗ୍ରହ ବଶେ ॥

ପ୍ରକୃତି ଅନୁଗ୍ରହରୁ ପଞ୍ଚ ମହାଭୂତ ।

ମହଦାଦି ସୃଷ୍ଟି ହେଲା ନଥାଇ ବିଶେଷ ॥

ଈଶ୍ଵରେଛାବଳେ ପୁରୁଷ ପ୍ରକୃତି ଯୋଗେ ।

ପୂର୍ବପରି ସୃଷ୍ଟି ହେଲା କାଳର ସଂଯୋଗେ ॥ ।

ପ୍ରଧାନ ଅଧିଷ୍ଠାନରୁ ସ୍ଥାବର ଜଙ୍ଗମ ।

ସ୍ଥିର ଚଞ୍ଚଳ ଭାବରେ ହେଲା ସର୍ବ କ୍ରମ ॥

ଯଥା ହରି ଦେଖାଇଲେ ହରଙ୍କୁ ପୂର୍ବରେ ।

ସୃଷ୍ଟି ସଂହାର କହିଲି ତୁମ୍ଭରି ଆଗରେ ॥

ପ୍ରପଞ୍ଚ ବିଶ୍ଵର ଅସାରତା ଯା ଦେଖିଲ I

ସାର ଯାହା କହିବା ଶୁଣହେ ମୁନିକୂଳ ॥

ମୁନିମାନଙ୍କ ଚରଣେ ଶରଣ ପଶିଣ ।

ବିପ୍ର ପ୍ରଭାକର ଭଣେ ଗୀତବନ୍ଧେ ପୁଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଅଷ୍ଟାବିଂଶୋଽଧ୍ୟାୟଃ ।

✽✽✽

 

॥ ୨୯ ॥

 

ମାର୍କଣ୍ଡେୟ ଉବାଚ

ଏହି ବିଶ୍ଵ ସନିତ୍ୟ ଅସାର ଦୁଃଖପ୍ରଦ ।

କ୍ଷଣକେ ଜନ୍ମି କ୍ଷଣକେ ଲଭଇ ବିପଦ ॥

ସାରରୁ ଅସାର ବିଶ୍ଵ ଉତ୍ପତ୍ତି ହୁଅଇ ।

ମହାପ୍ରଳୟେ ସାରରେ ବିଲୀନ ଭଜଇ ॥

ଉତ୍ପତ୍ତି ପ୍ରଳୟ ଦ୍ଵାର ବିଶ୍ଵ ଅନିତ୍ୟତା ।

ହରଙ୍କୁ ଦେଖାଇ ଦେଲେ ହରି ବିଶ୍ୱକର୍ତ୍ତା ॥

ଶିବଶାନ୍ତ ଅନନ୍ତ ଅଚ୍ୟୁତ ପରାପର ।

ଜ୍ଞାନମୟ ଅବ୍ୟୟ ଅବ୍ୟକ୍ତ ସର୍ବ ସାର ॥

ଏକବ୍ରହ୍ମ ନିତ୍ୟ ଅବିନାଶି ସେ ଅଟନ୍ତି ।

ତାଙ୍କ ଭିନ୍ନ ସର୍ବ ମିଥ୍ୟାରୂପେ ବର୍ତ୍ତିଥାନ୍ତି ॥

ଯାହାଠାରୁ ଏହି ବିଶ୍ଵ ଜାତ ହୋଇଅଛି ।

ପୁଣି ଯାହାଠାରେ ଯାଇ ବିନାଶ ଲଭୁଛି ॥

ଆକାଶରେ ମେଘ ବୃତ୍ତିପରି ଏ ସଂସାର ।

ଅସାର ଅଟଇ ଏହା ବହ୍ମବସ୍ତୁ ସାର ॥

ଯୋଗୀ ଅଷ୍ଟାଙ୍ଗ ଯୋଗରେ ଯାହାଙ୍କୁ ଚିନ୍ତନ୍ତି ।

ଯାଯୋଗେ ନିଜରୂପକୁ ପବିତ୍ର ମଣନ୍ତି ॥

ଯାହାଲଭି ଏ ଲୋକରୁ ନିବୃତ୍ତ ହୁଅନ୍ତି ।

ସେହି ପରଂବ୍ରହ୍ମ ନିତ୍ୟସାର ସୁସମ୍ପତ୍ତି ॥

ଦ୍ୱିତୀୟ ସାରପଦାର୍ଥ ଧର୍ମ ଅଟେ ଜାଣ ।

ଜନ୍ମମୃତ୍ୟୁ ନିବର୍ତ୍ତାଏ ଅସାର ତା ଭିନ୍ନ ॥

ଆସ୍ତେ ଆସ୍ତେ ଧର୍ମଭାବ ସଞ୍ଚୟ କରିବ ।

ଉଇ ମାଟିକୁ ଯେପରି କରେ ଏକଠାବ ॥

ପରଲୋକେ ଯାହା ଧର୍ମ ପାପକୁ ନାଶଇ ।

ସଂସାର କର୍ମରେ ଧର୍ମ ଶ୍ରେୟକୁ ଦିଅଇ ॥

ଅର୍ଥ କାମ ମୋକ୍ଷ ମିଳେ ଧର୍ମ ଆଶ୍ରୟରେ ।

ଧର୍ମବିନା କିଛି ଶୁଭ ନାହିଁ ଏ ସଂସାରେ ॥

ପ୍ରାଣତ୍ୟାଗେ ଶିରଚ୍ଛେଦେ ଧର୍ମ ନ ଛାଡ଼ିବ ।

ଧର୍ମକୁ ଛାଡ଼ିଲେ ଲୋକେ ନିନ୍ଦିତ ହୋଇବ ॥

ଧର୍ମଲୋକଳୁ ଧରିଛି ଧର୍ମେ ଦେବଗଣ ।

ଏ ବିଶ୍ଵକୁ ପାଳନ୍ତି ସେ ଧର୍ମେ ରଖି ମନ ॥

ଚତୁଷ୍ପାଦ ଭଗବାନ ଧର୍ମରୂପେ ପାଳେ ।

ଆଦ୍ୟ ପୁରୁଷ ସେ ଧର୍ମ ସକଳ କର୍ମରେ ॥

ସର୍ବ ନଷ୍ଟ ହୋଇ ଧର୍ମ ରହେ ଏକା ନିତ୍ୟେ ।

ଧର୍ମଯୁତ ପ୍ରାଣୀ ନଷ୍ଟ ନହୁଏ ସନ୍ତତେ ॥

ଏହିସାରକଥା ମୁଁ କହିଲି ତୁମ୍ଭ ଆଗେ ।

ଅନ୍ୟସବୁ ଅସାର ଜାଣିବ ମନଯୋଗେ ॥

ଯଥା ଶିବଜ୍ଞାନବଳେ ନିଜ ଦେହେ ସର୍ବ ।

ଦେଖିଲେ ହରି ତାହାଙ୍କୁ ଦେଖାଇଲେ ପୂର୍ବ ॥

ନିଜ ଆତ୍ମାରେ ସେ ସର୍ବ ଘେନିଲେ ଶଙ୍କର ।

ପରମ ନିଷ୍କଳ ମୂର୍ତ୍ତିମନ୍ତ ତତ୍ତ୍ଵ ସାର ॥

ଅନ୍ୟ ସାରଧର୍ମ ତା ଭିନ୍ନ ସର୍ବ ଅସାର ।

କାଳିକାପୁରାଣ ଭାବି କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ

ଊନୋତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୦ ॥

 

ଋଷୟ ଉବାଚ

ଶିବଙ୍କ ସୃଷ୍ଟିରେ ଚତୁର୍ବିଧ ଭୂତଗ୍ରାମ ।

କିମ୍ପାଇ ଜନ୍ମି ଅନେକ ରୂପ ହେଲେ ପୁଣ ॥

ଅଧା ଦେହ ବରାହ ଅର୍ଦ୍ଧଦେହ ସେ କରି ।

ସିଂହ ବ୍ୟାଘ୍ର ରୂପ କେତେ କେତେ ଗଣେ ଭରି ॥

ସେଗଣେ ଅତ୍ୟନ୍ତ କ୍ରୁତ କି ଭୋଗିଲେ ବଳି l

ଏକଥା ଶୁଣିବୁ ଆମ୍ଭେ ଇଚ୍ଛା ହୁଏ ଭାରି ॥

ମାର୍କଣ୍ଡେୟ ଉବାଚ

ଶୁଣ ସର୍ବ ମୁନିଗଣେ ଯଥା ଶିବଗଣ ।

ଯେପାଇଁ ଅନେକ ରୂପେ ହେଲେ ସେ ଉତ୍ପନ୍ନ ।

ଏ ଅତି ଗୋପନ କଥା ଧର୍ମାର୍ଥ କାମଦ ।

ପରମ ତପସ୍ୟା ରୂପ ଅତ୍ୟନ୍ତ ତେଜଦ ॥

ଏ ମହା ଆଖ୍ୟାନ ଶୁଣି ପର ଇହଲୋକ ।

ଯଶସ୍ଵୀ ହୁଅନ୍ତି ଧର୍ମ ଆୟୁ ବଢ଼େ ସୁଖେ ॥

ବରାହଙ୍କ ଆଦିସର୍ଗ ପୂର୍ଣ୍ଣ ହୋଇଯାନ୍ତେ ।

ଶିବ ହରିଙ୍କୁ କହିଲେ ଜଗତର ହିତେ ॥

 

 

ଈଶ୍ୱର ଉବାଚ

ହେ ପ୍ରଭୋ ତୁମ୍ଭେ ଯେ ପାଇଁ ବରାହ ରୂପକୁ ।

ଧରି ପୃଥ୍ୱୀ ଉଦ୍ଧାରି ସ୍ଥାପିଲ ତାହାକୁ ॥

ସପ୍ତ ସମୁଦ୍ର ନଦୀମାନଙ୍କୁ ସୃଷ୍ଟିକଲେ ।

ବ୍ରହ୍ମସୃଷ୍ଟି ସମ୍ପୂର୍ଣ୍ଣ ଭାବରେ ସମ୍ପାଦିଲ ॥

ତୁମ୍ଭେ ସର୍ବ ଯଜ୍ଞମୟ ତେଜ ସ୍ଵରୂପକ ।

ସର୍ବ ଗୁରୁଙ୍କର ଗୁରୁ ପରାପର ଏକ ॥

ତୁମ୍ଭଙ୍କୁ ବହିବା ପାଇଁ ଧରା ଅସମର୍ଥ ।

ଶୈଳରେ ବନ୍ଧାହେବାରୁ କ୍ଷିତିହେଲା ସ୍ଥିତ ॥

ଏବେ ବରାହ ରୂପକୁ ତେଜ ଜଗନ୍ନାଥ ।

ଜଗଦ୍‌ରୂପ ଜଗତ କାରଣ ତୁମ୍ଭେ ସ୍ଵୟଂ ॥

ତୁମ୍ଭ ଦେହ ବହିବାକୁ କେ ହେବ ସମର୍ଥ ।

ବିଶେଷରେ ପୃଥ୍ଵୀକୁ ଧରିଛ ତୁମ୍ଭେ ଦନ୍ତ ॥

ସ୍ତ୍ରୀରୂପା ପୃଥିବୀ ତୁମ୍ଭ ବୀର୍ଯ୍ୟେ ଗର୍ଭ ଧରି ।

ପୁତ୍ରଜାତ କଲେ ଅନିଷ୍ଟ ହୋଇବ ଭାରି ॥

ଆସୁର ଭାବରେ ଦେବ ଗନ୍ଧର୍ବ ନାଶିବ ।

ପୃଥ୍ଵୀ ସଙ୍ଗେ କ୍ରୀଡ଼ାକୂ ଶୁଣିଛି ମୁହିଁ ପୂର୍ବ ॥

କାମୁକ ବରାହରୂପ ତେଜ ଦୟାନିଧି‌ ।

ସୃଷ୍ଟିସ୍ଥିତି ଅନ୍ତକର୍ତ୍ତା ତୁମ୍ଭେ ଜାଣ ବିଧି ॥

 

ତେଣୁ ଲୋକହିତ କାମ ଚେଷ୍ଟା ତ୍ୟାଗକର ।

କାଳେ ପୁଣି ବିଶ୍ଵହିତେ ହୋଇବ ଶୁକର ॥

ମାର୍କଣ୍ଡେୟ ଉବାଚ

ଶିବଙ୍କ ବଚନ ଶୁଣି ସେ ବରାହ ମୂର୍ତ୍ତି ।

କହିଲେ ଏ ସତ୍ୟକଥା ଶୁଣ ପଶୁପତି ॥

ଏ ବରାହ ରୂପ କାମଚେଷ୍ଟା ମୁଁ ତେଜିବି ।

ଆବଶ୍ୟକ ବେଳେ ବରାହ ରୂପ ଧରିବି ॥

ଏତେ କହି ଅନ୍ତର୍ଦ୍ଧାନ ହେଲେ ଚକ୍ରପାଣି ।

ତହୁଁ ଶିବ ଦେବଙ୍କ ସଙ୍ଗରେ ଗଲେ ପୁଣି ॥

ସେ ବରାହ ଲୋକାଲୋକ ପର୍ବତକୁ ଗଲେ ।

ବରାହ ରୂପିଣୀ କ୍ଷିତିସଙ୍ଗେ କ୍ରୀଡ଼ା କଲେ ॥

ବହୁକାଳ କ୍ରୀଡ଼ାରତ ହୋଇ ତୋଷନୋହି ।

ତିନିପୁତ୍ର ଜାତକଲେ କ୍ଷିତି ଶୈଳେ ଥାଇଁ ॥

ସବୃତ୍ତ କନକ ଘୋର ପୁତ୍ରଙ୍କର ନାମ ।

ମହା ବଳଶାଳୀ ହେଲେ ଅତ୍ୟନ୍ତ ବିକ୍ରମ ॥

ଶିଶୁମାନେ ମେରୁପୃଷ୍ଠେ ସୁବର୍ଣ୍ଣ ସାନୁରେ ।

ବାଲ୍ୟଖେଳେ ରତ ହେଲେ ସରସୀ ଗୁହାରେ ॥

ସେ ବରାହ ପୁତ୍ର ଭାର୍ଯ୍ୟା ସ୍ଵର୍ଗରେ ମାତିଣ ।

ବରାହ ରୂପକୁ ତ୍ୟାଗ ନକଲେ ସେ ପୁଣ ॥

କେବେ ଶିଶୁଙ୍କ ସଙ୍ଗରେ ଭାର୍ଯ୍ୟାସହ ଯାଇ ।

କର୍ଦ୍ଦମକ୍ରୀଡ଼ା କରନ୍ତି ଅତି ତୋଷ ହୋଇ ॥

ପଙ୍କଲିପ୍ତ ଶରୀର ଦିଶଇ ମନୋହର ।

ସନ୍ଧ୍ୟାମେଘୁ ଯଥା ଜଳ ବର୍ଷେ ନିରନ୍ତର ॥

ପୁତ୍ର ଭାର୍ଯ୍ୟାଙ୍କ ସହିତ କ୍ରୀଡ଼ା କରିବାରୁ ।

ମେରୁଶୈଳ ଖାଲ ହେଲା ଖୁରା ଆଘାତରୁ ॥

ପୃଥ୍ଵୀତଳେ ଅନନ୍ତ କୂର୍ମ ପୃଷ୍ଠରେ ରହି ॥

ବରାହଙ୍କ ପଦାଘାତ ନପାରିଲେ ସହି ॥

ମେରୁର ସୁବର୍ଣ୍ଣ ଶୃଙ୍ଗ ଶିଶୁଙ୍କ କ୍ରୀଡ଼ାରେ ।

ଭାଙ୍ଗି ଚୂର୍ଣ୍ଣ ହେଲା ଶୈଳ ସମତଳ ଧରେ ॥

ମେରୁ ଶିଖେ ଯେତେ ସ୍ୱର୍ଣ୍ଣ ଦେବେ ରଖିଥିଲେ ।

ବରାହପୁତ୍ରେ ସେ ସବୁ ଚୂର୍ଣ୍ଣ କରିଦେଲେ ॥

ମାନସାଦି ହ୍ରଦଜଳକୁ ଆବିଳ କଲେ ।

ସାଗରେ ପଶି ରତ୍ନାଦି ସବୁ ବିକ୍ଷେପିଲେ ॥

ଶିଶୁଙ୍କ ଖୁରାଘାତରେ ନଦୀ ବୃକ୍ଷ ଶୈଳ ।

ସବୁ ନଷ୍ଟ ଭ୍ରଷ୍ଟ ହେଲା ବହୁ ଅମଙ୍ଗଳ ॥

ଶୁକରରୂପୀ ଶ୍ରୀହରି ସଂସାରର କ୍ଷତି ।

ଜାଣି ପୁତ୍ର ସ୍ନେହରୁ ତାହା ନ ନିବାରନ୍ତି ॥

ସେ ପୁତ୍ରମାନେ ଯେବେଳେ ସ୍ୱର୍ଗକୁ ଗମନ୍ତି ।

ଭୟେ ଦେବଗଣେ ଇତସ୍ତତ ପଳାବନ୍ତି ॥

ଏଭାବେ ଶୁକରରୂପେ ହରି କ୍ରୀଡ଼ାକରି ।

ବାରାହୀ କ୍ଷିତି ସଙ୍ଗରେ କାମରେ ବିହରି ॥

ନତେଜି ଶୁକର ରୂପ ପୁତ୍ରଙ୍କ ସହିତ ।

ରହିଲେ ପ୍ରଭାକର ଭଣଇ କରି ଗୀତ ॥

 

ଇତି ଶ୍ରୀ କାଳିକାପୁରାଣେ

ତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୧ ॥

 

ମାର୍କଣ୍ଡେୟ ଉବାଚ

ତହୁଁ ସର୍ବ ଦେବଗଣେ ଏକତ୍ର ହୋଇଣ ।

ଆପଦର ଉଦ୍ଧାର ହେବାକୁ କଲେ ମନ ॥

ମୁନିଙ୍କୁ ସଙ୍ଗରେ ଘେନି ଶରଣ ବତ୍ସଳ ।

ଗୋବିନ୍ଦଙ୍କୁ ସ୍ତୁତିଳଲେ ଯୋଡ଼ି ବେନିକର ॥

ଦେବା ଉବାଚ

ଦେବ ଦେବେଶ ଜଗତ କାରଣ କାରଣ ।

କାଳରୂପୀ ଭଗବାନ ପୁରୁଷ ପ୍ରଧାନ ॥

ସ୍ଥୂଳସୂକ୍ଷ୍ମ ରୂପେ ବିଶ୍ଵବ୍ୟାପୀ ପରମେଶ ।

ସର୍ବପ୍ରାଣୀଙ୍କର କର୍ତ୍ତା ପାପ ବିନାଶକ ॥

ତୁମ୍ଭମାୟା ଜଗତକୁ ମୋହିତ କରିଛି ।

ଭୂତ ଭବିଷ୍ୟ ବର୍ତ୍ତମାନରେ ରହିଅଛି ॥

ସ୍ଥାବରଜଙ୍ଗମେ ବ୍ୟାପିଅଛି ତୁମ୍ଭସତ୍ତା ।

ଅର୍ଥାର୍ଥୀଙ୍କ ଅର୍ଥ ତୁମ୍ଭେ କାମୀଙ୍କ କାମତା ॥

କାମାର୍ଥୀଙ୍କ କାମଦାତା ମୁମୂର୍ଷଙ୍କ ମୁକ୍ତି ।

କାମୁକ ଧାର୍ମିକ ତୁମ୍ଭେ ପୁଣି ସଦାଗତି ॥

ତୁମ୍ଭମୁଖୁ ବିପ୍ରଗଣେ ବାହୁରୁ କ୍ଷତ୍ରିୟ ।

ଉରୁରୁ ବୈଶ୍ୟ ପାଦରୁ ଶୂଦ୍ରଙ୍କୁ ଜନ୍ଜାଅ ॥

ନେତ୍ରରୁ ସୂର୍ଯ୍ୟଙ୍କ ଜନ୍ମ ମନରୁ ଚନ୍ଦ୍ରମା ।

ଶ୍ରବଣର ଦଶବିଧ ପବନଙ୍କ ସୀମା ॥

ସ୍ଵର୍ଗାଦି ଭୂବନ ତୁମ୍ଭ ମସ୍ତକରୁ ଜାତ ।

ନାଭିରୁ ଆକାଶ ପାଦରୁ କ୍ଷିତି ସମ୍ଭୂତ ॥

କର୍ଣ୍ଣରୁ ଦିଗ ବିଦିଗ ଜଠରୁ ଏ ବିଶ୍ଵ ।

ମାୟାରୂପେ ସମସ୍ତଙ୍କୁ ମୋହିଛ ବିଶେଷ ॥

ନିର୍ଗୁଣ ସଗୁଣ ତୁମ୍ଭେ ଶୁଦ୍ଧ ଏକ ନିତ୍ୟ ।

ଆଦିଅନ୍ତ ହୀନ ଗୁଣାଧିକ ଯେ ଅଚ୍ୟୁତ ॥

ଆଦିତ୍ୟ ବସୁଦେବତା ସାଧ୍ୟ ଯକ୍ଷମାନେ ।

ମରୁଦ୍‍ଗଣ ମୁନିଗଣ ଚିନ୍ତୁଛନ୍ତି ଧ୍ୟାନେ ॥

ଚିଦାନନ୍ଦମୟ ବୋଲି ତୁମ୍ଭଙ୍କୁ ଭାବନ୍ତି ।

ବିଶେଷଙ୍କ ମୁନିଗଣେ ଭୋଗକୁ ତେଜନ୍ତି ॥

ସଂସାର ବୃକ୍ଷର ବୀଜ ଜଳଫଳ ସ୍ଥାନ ।

ଲକ୍ଷ୍ମୀ ସଙ୍ଗେ ପଦ୍ମହସ୍ତେ କର ଅଧିଷ୍ଠାନ ॥

ଶଙ୍ଖଚକ୍ର ଗଦାପଦ୍ମ ସାଙ୍ଗ ଧନୁର୍ଦ୍ଧର ।

ଗରୁଡ଼ପରେ ଆରୋହୀ ଦିଶ ମନୋହର ॥

ପୀତାମ୍ବର ବନମାଳା ଶୋଭେ କଳେବରେ ।

ସକଳ ମେଘ ଯେପରି ସୁବର୍ଣ୍ଣ ଶଇଳେ ॥

ବିଧିହର ତୁମ୍ଭଗୁଣ ଚିନ୍ତି ନପାରନ୍ତି ।

ଭୟେ ଶରଣ ପଶିଲୁଁ ରଖ ବିଶ୍ୱପତି ॥

ମାର୍କଣ୍ଡେୟ ଉବାଚ

ଦେବଙ୍କ ସ୍ତୁତିରେ ପ୍ରୀତ ହୋଇ ଜନାର୍ଦ୍ଦନ ।

ମେଘ ଗମ୍ଭୀର ସ୍ଵନରେ କହିଲେ ବଚନ ॥

ଶ୍ରୀ ଭଗବାନ ଉବାଚ

କେଉଁପାଇଁ ଆସିଛ କି ଭୟ ତୁମ୍ଭ ମନେ ।

ତହିଁରେ ମୁଁ କି କରିବି କହ ବିଦ୍ୟମାନେ ॥

ଦେବା ଉବାଚ

ବରାହପୁତ୍ରଙ୍କ କ୍ରୀଡ଼ା ହେତୁ ଏ ଧରିତ୍ରୀ ।

ଅତି ଶୀର୍ଣ୍ଣା ହୋଇ ଖଣ୍ଡଖଣ୍ଡ ହେଲା କ୍ଷିତି ॥

ସର୍ବଲୋକେ ଭୀତତ୍ରସ୍ତ ଅଶାନ୍ତ ଭୋଗନ୍ତି ।

ଶୁଷ୍କ ତୁମ୍ଭୀଫଳ ପାଦଘାତେ ଯଥା ହ୍ୱନ୍ତି ॥

ସେପରି କ୍ଷିତି ପୁତ୍ରଙ୍କ ଖୁରାଘାତ ଯୋଗେ ।

ପୃଥିବୀ ଖଣ୍ଡ ବିଖଣ୍ଡ ହେଉଛି ସେ ବେଗେ ॥

ସେ ତିନିପୁତ୍ରେ କାଳାଗ୍ନି ସଦୃଶ ତେଜସ୍ଵୀ ।

ତାଙ୍କ ଉପଦ୍ରବେ ମିଳେ ସର୍ବ ଦୁଃଖରାଶି ॥

ସେମାନଙ୍କ କର୍ଦମ ଲୀଳାରେ ହ୍ରଦମାନେ ।

ଗୋଳିଆ ଜଳରେ ଅତି କଦର୍ଯ୍ୟ ସେ ସ୍ଥାନେ ॥

ମନ୍ଦାରାଦି ଦେବବୃକ୍ଷ ସବୁ ଭଗ୍ନ ପ୍ରାୟ ।

ଫଳ ପୁଷ୍ପ ପତ୍ର ସବୁ ଛିନ୍ନ ଭିନ୍ନ ମୟ ॥

ତ୍ରିକୂଟ ଶୈଳରୁ ଡେଇଁ ପଡ଼ନ୍ତି ସାଗରେ ।

ଜଳ ଉଚ୍ଛ୍ୱାସରେ ମହୀ ହଲେ ଟଳଟଳେ ॥

ପ୍ରାଣୀଗଣେ ଭୟେ ଇତସ୍ତତ ପଳାଇଣ ।

ଅତି କଷ୍ଟରେ ଜୀବନ କରନ୍ତି ଧାରଣ ॥

ସ୍ୱର୍ଗକୁ ଗମନ୍ତେ ଆମ୍ଭେ ଭୟେ ପଳାଇଣ ।

ଗିରି କନ୍ଦରା ବନରେ ଲୁଟିରହୁ ପୁଣ ॥

ସର୍ବଶୈଳଗଣ ତାଙ୍କ ଖୁରାଘାତ ପାଇ ।

ରସାତଳକୁ ପଶନ୍ତି ଚୂର୍ଣ୍ଣୀଭୂତ ହୋଇ ॥

ଏଭାବେ ସକଳ ଧ୍ୱଂସ ତାଙ୍କ କ୍ରୀଡ଼ା ଫଳେ ।

ରକ୍ଷାକର ପ୍ରଭୋ ଜଣାଉଛୁଁ ପାଦେ ତଳେ ॥

ମାର୍କଣ୍ଡେୟ ଉବାଚ

ଦେବଙ୍କ ବଚନ ଶୁଣି ପ୍ରଭୁ ଜନାର୍ଦ୍ଦନ ।

ବ୍ରହ୍ମା ଶଙ୍କରଙ୍କ ଆଗେ କହନ୍ତି ବଚନ ॥

ଯେ ପାଇଁ ସକଳ ଲୋକେ ଅତ୍ୟନ୍ତ ପୀଡ଼ିତ ।

ଖଣ୍ଡ ବିଖଣ୍ଡ ହେଲାଣି ସକଳ ଜଗତ ॥

ସେ ବରାହ ଦେହକୁ ମୁଁ ତ୍ୟାଗ କରିଦେବି ।

କିନ୍ତୁ ନିଜ ଇଚ୍ଛାରେ ମୁଁ ତେଜି ନପାରିବି ॥

ହେ ଶିବ ତୁମ୍ଭେ ମୋ ବରାହ ରୂପକୁ ନାଶ ।

ରଜସ୍ୱଳା ସଙ୍ଗମ ବିପ୍ରଙ୍କ ବଧ ଦୋଷ ॥

ମୁଁ ଲଭିଛି ତେଣୁ ମୋ ମୃତ୍ୟୁରେ ଦୋଷନାହିଁ ।

ପଛପଟେ ଚାରିପାଦ ଆଗେ ଟାରିପାଦ ।

ଏଣୁ ମୋ ବରାହରୂପ ନାଚି ଉମାସାଇଁ ॥

ଦେହତ୍ୟାଗେ ପ୍ରାୟଶ୍ଚିତ ହୋଇବ ମୋହର ।

ପ୍ରଜାପାଳନ ପ୍ରଥମ କାର୍ଯ୍ୟଟି ଆମ୍ଭର ॥

ସେ ପ୍ରଜାଙ୍କ ହିତପାଇଁ ତେଜିବି ଶରୀର ।

ତୁମ୍ଭେ ତାହା ବିନାଶିବି ସୃଷ୍ଟି ରକ୍ଷାକର ॥

ମାର୍କଣ୍ଡେୟ ଉବାଚ

ବାସୁଦେବଙ୍କ ବଚନେ ବ୍ରହ୍ମା ମହେଶ୍ଵର ।

ତୁମ୍ଭବାକ୍ୟେ ସ୍ଵୀକୃତ ହେଲୁଁ ଦେଲେ ଉତ୍ତର ॥

ଶ୍ରୀହରି ସର୍ବଦେବଙ୍କୁ ତେଜି ଏକାନ୍ତରେ ।

ବରାହ ଶରୀର ତେଜିବାକୁ ଇଚ୍ଛାକଲେ ॥

କ୍ରମେ କ୍ରମେ ସେ ତେଜକୁ ଛାଡ଼ିବା ସମୟେ ।

ବରାହ ଦେହ ଦୁର୍ବଳ ହେଲା ସେହିଠାଏ ॥

ତେଜହୀନ ହେବା ଜାଣି ସକଳ ତ୍ରିଦଶେ ।

ଶିବଙ୍କୁ ଆକ୍ରମିବାକୁ କହିଲେ ହରଷେ ॥

ଆକ୍ରମଣ ପାଇଁ ଶିବ ଗମନ୍ତେ ସେଠାକୁ ।

ସର୍ବଦେବେ ତାଙ୍କ ପଛେ ଗଲେ ଦେଖିବାକୁ ॥

ସର୍ବଦେବେ ସ୍ଵ ସ୍ଵ ତେଜ ଶିବେ ସମର୍ପିଲେ ।

ଦେବ ତେଜପାଇ ଶିବ ମହାବଳୀ ହେଲେ ॥

ତହୁଷଁ ଶରଭ ରୂପକୁ ଧଇଲେ ଗିରୀଶ ।

ଊର୍ଦ୍ଧ୍ୱ ଅଧଭାଗେ ଆଠପାଦ ହେଲା ଦୃଶ୍ୟ ॥

ଦ୍ୱିଲକ୍ଷ ଯୋଜନ ଉଚ୍ଚ ଦେଢ଼ଲକ୍ଷ ଜୁଣ ।

ବିସ୍ତୃତ ହେଲା ଶିବଙ୍କ ଶରୀର ପ୍ରମାଣ ॥

ବରାହ ଦେହ ଉଚ୍ଚରେ ଲକ୍ଷଜୁଣ ହେଲା ।

ଅର୍ଦ୍ଧଲକ୍ଷ ଜୁଣ ବିସ୍ତାରରେ ସେ ବଢ଼ିଲା ॥

ଶରଭରୂପୀ ଶିବଙ୍କୁ ଦେଖନ୍ତି ବରାହ ।

ନଖ ନାଶା ଅତିଦୀର୍ଘ କୃଷ୍ଣବର୍ଣ୍ଣ ଦେହ ॥

ଲମ୍ବମୁଖ ଅଷ୍ଟଦନ୍ତ ତହିଁ ବିରାଜଇ ।

ଜଟାପୁଛ ଭୟଙ୍କର ଦୀର୍ଘକର୍ଣ୍ଣ ଦୁଇ ॥

ପଛପଟେ ଚାରିପାଦ ଆଗେ ଚାରିପାଦ ।

ଭୟାନକ ଶବ୍ଦେ ଡେଇଁ ପଡ଼ନ୍ତି ସେ ମଧ୍ୟ ॥

କ୍ରୋଧେ ଧାଇଁ ଆସିବାର ଦେଖି ଶରଭକୁ ।

ସ୍ୱବୃତ୍ତ କନକ ଘୋର ଭେଟିଲେ ତାହାଙ୍କୁ ॥

ଖୁରାଘାତେ ସେ ତିନିହେଁ ଶରଭକୁ ମାରି ।

ଶରଭ ସମାନ କାୟ ସେ ତିନିହେଁ ଧରି ॥

ମାୟାରେ ଶରଭୋପରି ଖର ପ୍ରହାରିଲେ ।

ଶରଭ ପଳାଇଯାଇ ସମୁଦ୍ରେ ପଡ଼ିଲେ ॥

ତା ଉପରେ ଏ ତିନିହେଁ ଡେଇଁଣ ପଡ଼ିଲେ ।

ପୁତ୍ରେସ୍ନେହେ ବରାହ ଯାଇ ସମୁଦ୍ରେ ହେଲେ ॥

ସେମାନଙ୍କ ପତନରେ ମହାଭୟ ପାଇଁ ।

ଦେବଗଣେ ସ୍ଵର୍ଗଛାଡ଼ି ପଳାଇଲେ ଧାଇଁ ॥

କେତେଦେବେ ମୃତହେଲେ କେତେ ଭୂମି ରତ ।

ଜ୍ଞାନିଦେବ କେତେ ମହଲୋକେ ଉପସ୍ଥିତ ॥

ନକ୍ଷତ୍ରଗଣ ଖସିଣ ଭୂମିରେ ପଡ଼ିଲେ ।

ପ୍ରଦୀପ୍ତ ଅଗ୍ନି ଜାଳି ଉଠିଲା ଭୟଙ୍କରେ ॥

ସେମାନଙ୍କ ଉତ୍ପତନ ବେଗବଳ ଯୋଗେ ।

ପତନ ମହାବେଗରେ ବୋହିଲା ଭୂଭାଗେ ॥

ବାୟୁ ବେଗରେ ପର୍ବତଗଣ ଉଡ଼ିଗଲେ ।

ଦେଶ ଗ୍ରାମ ଭାଙ୍ଗି ବହୁ ପ୍ରାଣୀ ବିନାଶିଲେ ॥

ସେମାନଙ୍କ ସମୁଦ୍ର ପତନ କାଳେ ତହିଁ ।

ଜଳରାଶି ଶୁଷ୍କହେଲା ପ୍ରାୟ ଦେଖାଯାଇ ॥

ଉତ୍‌କ୍ଷିପ୍ତ ତୋୟ ରାଶିରେ ଭାଷି ପ୍ରଜାକୁଳ

ନଷ୍ଟ ଭ୍ରଷ୍ଟ ହୋଇ କେତେ ଗଲେ ରସାତଳ ॥

କେତେ ପିତା ମାତା ଭ୍ରାତାବୋଲି ଡାକି ଉଚ୍ଚେ ।

ପ୍ରାଣ ତେଜିଲେ ଅକାଳେ ଅତିଶୟ ଘଞ୍ଚେ ॥

ବରାହଙ୍କ ସଙ୍ଗେ ଶରଭ ଯେ ସ୍ଥାନେ ପଡ଼ି ।

ସେ ସ୍ଥାନ ପାତାଳଗାମୀ ହେଲା ତଡ଼ବଡ଼ି ॥

ଅନ୍ୟସ୍ଥଳେ ପୃଥିବୀ ଉଚ୍ଚତା ହୋଇଗଲା ।

ପବନ ବେଗରେ ଉଚ୍ଚସ୍ଥାନ ଚହଲିଲା ॥

ନିଶୁଣି ସମାନ ହେଲା ପୃଥ୍ଵୀ କେଉଁଠାରେ ।

ବିସ୍ମୟେ ଦେଖି ଶରଭ ଚିନ୍ତିତ ହୋଇଲେ ॥

ତହୁଁ ସେ ଚାରି ବରାହ ଶରଭ ସହିତ ।

ଖର ଦନ୍ତ ପ୍ରହାରେ ଯୁଝିଲେ ଅପ୍ରମିତ ॥

ସହସ୍ର ବର୍ଷ ପର୍ଯ୍ୟନ୍ତ କଲେ ସେ ସମର ।

ପାତାଳରେ ନାଗକୁଳ ହୋଇଲେ ସଂହାର ॥

ଶେଷଦେବ ବହୁଯତ୍ନେ କଚ୍ଛପକୁ ଧରି ।

ପୃଥିବୀ ଧରନ୍ତେ ଶିର ଭାଙ୍କିଲା ତାଙ୍କରି ॥

ଅନନ୍ତ ବାମନ ପରି ଛୋଟ ମୂର୍ତ୍ତି ହେଲେ ।

ପୃଥିବୀ ସମତଳ ହୋଇଲା ସେ ଯୁଦ୍ଧରେ ॥

ଏହା ଦେଖି ବ୍ରହ୍ମା ଭୟେ ହରିଙ୍କୁ ଜଣାନ୍ତି ।

ସର୍ବପୃଥ୍ୱୀ ନଷ୍ଟ ହେଲା ପ୍ରାଣୀ ନାଶଯାନ୍ତି ॥

ଦେବ ଦାନବ ଗନ୍ଧର୍ବ କୀଟ ସରିସୃପ ।

ମୁନିକୁଳ ନଷ୍ଟହେଲେ ଏକ ଅପରୂପ ॥

ଜଗତ ପାଳନ ତୁମ୍ଭେ ଜଗତର ପ୍ରଭୁ ।

ବ୍ରହ୍ମାଣ୍ତକୁ ରକ୍ଷାକର ଯୁଦ୍ଧ ଛାଡ଼ି ବିଭୁ ॥

ବରାହ ରୂପକୁ ତେଜି ସୃଷ୍ଟି ରକ୍ଷାକର ।

ତୁମ୍ଭେ ନରଖିଲେ ସବୁ ହେବା ଛାରଖାର ॥

ମାର୍କଣ୍ଡେୟ ଉବାଚ

ବ୍ରହ୍ମାବାକ୍ୟେ ଶ୍ରୀହରି ସୃଷ୍ଟି ରକ୍ଷା ପ୍ରସଙ୍ଗେ ।

ଯତ୍ନକରି ମହାସତ୍ସ୍ୟ ରୂପ ଧରି ରଙ୍ଗେ ॥

ସପ୍ତମୁନି ସର୍ବଦେବ ଶ୍ରୀଅଙ୍ଗରେ ଧରି ।

ଅଦ୍ଭୁତ ନୌକା ଉପରେ ରଖିଲେ ଶ୍ରୀହରି ॥

ତହୁଁ ଯୁଦ୍ଧସ୍ଥଳକୁ ଗମିଲେ ଗଦାଧର ।

ଦେଖିଲେ ଶରଭ ସଙ୍ଗେ ଯୁଦ୍ଧ କୋଳଙ୍କର ॥

ସେ ବରାହ ପୂର୍ବ ମୂର୍ତ୍ତି ନୃସିଂହକୁ ଭାବି ।

ସେକ୍ଷଣେ ନୃସିଂହ ଆସି ମିଳେ ଯଥା ରବି ॥

ଶରଭ ଦେହରୁ ଦେବ ତେଜ ହରିନେଲେ ।

ବରାହେ ଘୋର ଶବ୍ଦରେ ଗର୍ଜିଣ ଉଠିଲେ ॥

ତାଙ୍କ ନିଶ୍ଵାସରୁ ବହୁ ବରାହ ଜନ୍ମିଲେ ।

ସର୍ବେମିଳି ଶରଭକୁ ବଳେ ଆକ୍ରମିଲେ ॥

ତାଙ୍କ ସଙ୍ଗେ ନରସିଂହ ଶରଭକୁ ମାରି ।

କେବେ ପକ୍ଷୀରୂପେ କେବେ ନରରୂପ ଧରି ।

ଗୋରୁ ଅଶ୍ଵାଦି ବିବିଧରୂପେ କୋଳଗଣ ।

ଏକା ଶରଭଙ୍କ ସଙ୍ଗେ କଲେ ଘୋର ରଣ ॥

ଶରଭ ବ୍ୟାକୁଳ ଦେଖି ହରି ଦୟାମୟ ।

ନିଜକରେ ଶରଭକୁ ଛୁଇଁ କଲେ ଥୟ ॥

ନିଜ ତେଜ ଶରଭକୁ ପ୍ରଦାନିଲେ ହରି ।

ତହୁଁ ମହାବଳେ ସେ ଶରଭ ଯୁଦ୍ଧ କରି ॥

ଶରଭ ଘୋର ରଡ଼ିରେ ତ୍ରିଭୁବନ କମ୍ପେ ।

ଶରଭ ମୁଖରୁ ନାଳ ବାହାରିଲା ଦର୍ପେ ॥

ସେ ନାଳରୁ ମହାକାୟ ମହାବଳୀ ଶୂରେ ।

ବରାହ ଶ୍ଵାନ ବାନର ଶୃଗାଳ ରୂପରେ ॥

ଭାଲୁ ମାର୍ଜାର ମାତଙ୍ଗ ଶିଶୁମାର ରୂପେ ।

ସିଂହ ବ୍ୟାଘ୍ରମୁଖ କେହି ସର୍ପ ମୂଷା କଳ୍ପେ ॥

ହୟଗ୍ରୀବ ମହର୍ଷି ମନୁଷ୍ୟ ମୁଖରୂପ ।

କବନ୍ଧ ପାଦହୀନ ବହୁପାଦ ସ୍ଵରୂପ ॥

ଶରଭ ସଦୃଶ କେହି କୃକଲାସ ପରି ।

ମତ୍ସ୍ୟ ଗ୍ରାହମୂଖ କେତେ ଲୀଳାରୁ ବାହାରି ॥

ତ୍ରିଲୋକରେ ଯେତେପ୍ରାଣୀ ସୃଷ୍ଟି ହୋଇଛନ୍ତି ।

ସବୁରୂପେ ଶଙ୍କର ନାଳରୁ ବାହାରନ୍ତି ॥

ସେଗଣେ ଖଡ୍‌ଗ ପରଶୁ ଭିନ୍ଧପାଳ ଗଦା ।

ଧନୁବାଣ କୁନ୍ତ ଶୂଳ ଛୁରିଖଣ୍ଡା ଶୁଦ୍ଧା ॥

ବିବିଧ ଆୟୁଧ ଧରି ଅତି ବଳବନ୍ତ ।

ଜଟା ଚନ୍ଦ୍ରକଳା ସର୍ପେ ହୋଇ ବିଭୂଷିତ ॥

କେତେ ଶିବଙ୍କ ସ୍ଵରୂପ କେତେ ବୃକ୍ଷରୂପେ ।

କେତେ ଅର୍ଦ୍ଧ ନାରୀଶ୍ଵର ବେଶଧରି କମ୍ପେ ॥

ସର୍ବେ ଆକାଶଗାମୀ ସ୍ଵଚ୍ଛନ୍ଦଗାମୀ ସର୍ବେ ।

ନୀଳରକ୍ତ ଶ୍ରାମ ଶୁକ୍ଳବର୍ଣ୍ଣ ଧରି ଗର୍ବେ ॥

ଭେରି ପଟହ ମୃଦଙ୍ଗ କାହାଳୀ ବଜାନ୍ତି ।

ହସକାନ୍ଦ ଉଚ୍ଚରଡ଼ି କେତେକ କରନ୍ତି ॥

ଶରଭରୂପୀ ଶଙ୍କର ଗଣଙ୍କୁ କହିଲେ ।

ବରାହଗଣଙ୍କୁ ମାର କାଟ ହାଣ ଭଲେ ॥

ତହୁଁ ଗଣେ ବରାହଗଣଙ୍କ ସଙ୍ଗେ ରଣ ।

ଅତି ଭୟଙ୍କର ଭାବେ କଲେ ଆୟୋଧନ ॥

ପ୍ରଥମ ଗଣେ ବରାହ ଗଣଙ୍କୁ ନାଶିଲେ ।

ତା ଦେଖି ଯଜ୍ଞବରାହ ଅଗ୍ରସର ହେଲେ ॥

ସେକାଳେ ମନରେ ହରି ଭାବିଲେ ଏମନ୍ତ ।

ବରାହ ଦେହ ତେଜିବ ଜଗତ ହିତାର୍ଥ ॥

ଏ ସମୟେ ଶରଭ ନୃସିଂହଙ୍କୁ ଦନ୍ତରେ ।

ଦୁଇଖଣ୍ଡ କରି ତଳେ ପକାଇଣ ଦେଲେ ॥

ନରଅଂଶେ ନରମୁନି ହେଲେ ନରସିଂହ ।

ସିଂହଅଂଶେ ନାରାୟଣ ମୁନିହେଲେ ରଂହ ॥

ସେ ଦୁଇ ମୁନିଙ୍କ ନୌକାପରେ ବସାଇଲେ ।

କାଳେ ନର ନାରାୟଣ ତପସ୍ୟାକୁ ଗଲେ ॥

ତହୁଁ ଯଜ୍ଞବରାହ ଶରଭଙ୍କୁ କହିଲେ ।

ବିଶ୍ୱହିତେ ଦେହତ୍ୟାଗ କରିବି ମୁଁ ଭଲେ ॥

ସେ ପାଇଁ ଏହି ଉଦ୍ୟମ ସବୁ ଭିଆଇଛି ।

ବ୍ରହ୍ମା ଶିବଙ୍କ ନିକଟେ ପ୍ରତିଜ୍ଞା କରିଛି ॥

ସର୍ବଦେବ ବିଶ୍ଵହିତେ ମୋ ବରାହରୂପ ।

ତ୍ୟାଗକରି ରଖିବି ମୁଁ ଏ ବ୍ରହ୍ମାଣ୍ଡକଳ୍ପ ॥

ମୋ ଦେହସ୍ଥ ଅସ୍ଥିନେଇ ଯଜ୍ଞପାତ୍ର କରି ।

ଯଜ୍ଞକଲେ ସର୍ବଶୁଭ ହେବ ଏ ତ୍ରିପୁରୀ ॥

ସୁବୃତ୍ତ କନକ ଘୋର ଏ ବରାହ ସୁତେ ।

ବିଧି ଯଜ୍ଞପାତ୍ର କର ଯଜ୍ଞେ ଲୋଡ଼ା ଯେତେ I ।

ମଳିନୀ ପୃଥିବୀ ଯେଉଁ ଗର୍ଭ ଧରିଅଛି ।

ତାହାକୁ ଗୋପନ କରି ରଖିବ ସେ ବାଛି ॥

ସମୟରେ ଭାରାକ୍ରାନ୍ତ ହୋଇ ସେ ଧରଣୀ ।

ତୁମ୍ଭଙ୍କୁ କହିବ ତେବେ ବଧିବ ତାଜାଣି ॥

ଭାରାକ୍ରାନ୍ତା ହୋଇ ରସାତଳକୁ ସେ ଗଲେ ।

ମୁଁ ବରାହ ରୂପଧରି ଉଦ୍ଧାରିବି ହେଳେ ॥

ତୁମ୍ଭପୁତ୍ର କୃତାର୍ଥରେ ଦେହତ୍ୟାଗ କଲେ ।

ରୁଦ୍ରପୁତ୍ର ଷାଣ୍ମାତ୍‌ର ହୋଇବେ ସେ ଭଲେ । ॥

ଯଜ୍ଞ ବରାହ ଏପରି ଶିବଙ୍କୁ କହିଲେ ।

ତାଙ୍କ ଦେହୁ ଅତିଦୀପ୍ତ ତେଜ ନିଃସରିଲେ ॥

ଶ୍ରୀହରିଙ୍କ ଦେହେ ସେ ତେଜଲୀନ ହୋଇଲା ।

ସୁବୃତ୍ତ କନକ ଘୋରଠାରୁ ତେଜଗଲା ॥

ଅତି ପ୍ରଚଣ୍ଡ ବେଗରେ ସେ ତେଜ ଆସିଣ ।

ହରିଙ୍କ ଶରୀରେ ପ୍ରବେଶିଲା ତତ୍‌କ୍ଷଣ ॥

ତହୁଁ ହରିହର ବ୍ରହ୍ମା ବରାହ ବଚନେ ।

ସ୍ଵୀକୃତ ହେଲେ ତାହାଙ୍କୁ ବଧିବା କାରଣେ ॥

ତହୁଁ ଶରଭ କୁଣ୍ଡ ପ୍ରହାରି କୋଳକଣ୍ଠେ ।

ବରାହ ଦେହ ବିଦାରି କଲେ ଖଣ୍ଡେ ଖଣ୍ଡେ ॥

ତାପରେ ସୁବୃତ୍ତ କନକ ଘୋରଙ୍କୁ ମାରି ।

ଜଳ ଉପରେ ପକାଇ ଦେଲେ ତ୍ରିପୁରାରି ॥

ସେ ଶବ ଜଳେ ପଡ଼ିଣ ମହାଶବ୍ଦ କଲା ।

ଚାରି ବରାହଙ୍କ ପ୍ରାଣ ଶରଭ ନାଶିଲା ॥

ତହୁଁ ବ୍ରାହ୍ମ ହରିହର ଏକତ୍ର ହୋଇଣ ।

ସୃଷ୍ଟି କରିବା ପାଇଁ ଚିନ୍ତିଲେ ପୁନଃ ପୁନଃ ॥

ଶିବଗଣେ ହରପାଶେ ପ୍ରବେଶିଲେ ଆସି ।

ଚାରିଭାଗେ ବିଭକ୍ତ ହୋଇଲେ ତହିଁ ବସି ॥

ଛତିଶ ସହସ୍ର ସେହି ପ୍ରଥମଙ୍କ ଗଣ ।

ପ୍ରତିଭାଗେ ନବସହସ୍ର ରହିଲେ ଜାଣ ॥

ନାନାରୂପ ଧରଜଟା ଚନ୍ଦ୍ରକଳା ଶିରେ ।

ସମସ୍ତେ ଐଶ୍ଵର୍ଯ୍ୟଶାଳୀ ଧ୍ୟାନପର ହେଲେ ॥

ମଦ ମତ୍ସର୍ଯ୍ୟ ଦମ୍ଭା ହଂକାର ବିବର୍ଜିତ ।

ପୁଣ୍ୟାତ୍ମା ଯୋଗୀ ଶିବଙ୍କୁ କରନ୍ତି ସୁପ୍ରୀତ ॥

ସର୍ବେ ସଂସାର ବିମୁଖ ଗୁଣ ବିବର୍ଜିତ ।

ଧ୍ୟାନନିଷ୍ଠ ଶିବଙ୍କୁ ବେଢ଼ନ୍ତି ହୋଇ ପ୍ରୀତ ॥

ସେ ମଧ୍ୟରୁ କେତେ ସିଂହ ବ୍ୟାଘ୍ର ରୂପଧାରି ।

ଅନ୍ୟ କେତେ ଶିବଙ୍କ ନର୍ମ ସଚିବ ପରି ॥

ବିଚିତ୍ର ରୂପ ଭୂଷଣ ଜଟା ଚନ୍ଦ୍ରମୌଳି ।

ହରତୁଲ୍ୟ ରୂପ କେତେ ବୃଷଭରେ ଚଢ଼ି ॥

ଉମା ସଦୃଶ ନାରୀଙ୍କ ସହିତରେ କେତେ ।

ବିଚିତ୍ରମାଲ୍ୟା ଭରଣେ ମଣ୍ଡିତ ସମସ୍ତେ ॥

ଅର୍ଦ୍ଧନାରୀଶ୍ଵର ରୂପ ଶିବଙ୍କୁ ସେବନ୍ତି ।

ଧ୍ୟାନସ୍ଥ ହରଙ୍କୁ ସଲୀଳାଦି ନେଇଦ୍ୟନ୍ତି ॥

ନାନା ଶସ୍ତଧାରି ଶିବଙ୍କ ପ୍ରମଥ ଗଣ ।

ଯୁଦ୍ଧେ ଶତ୍ରୁ ମନ୍ଥିବାରୁ ସେ ପ୍ରମଥ ନାମ ॥

ଅନ୍ୟ କେତେ ବାଦ୍ୟନୃତ୍ୟ ଗାୟନ କରନ୍ତି ।

ନାନା ରୂପଧରି ହରମନକୁ ତୋଷନ୍ତି ॥

ସର୍ବେ ମାୟାବୀ ବିବିଧ ଶାସ୍ତ୍ର ଅବଗାହୀ ।

ସର୍ବଜ୍ଞ ସର୍ବଗାମୀ ସେ ବିଚରନ୍ତି ମହୀ ॥

ଅଶିମାଦି ଅଷ୍ଟୈ ଶ୍ଵର୍ଯ୍ୟେଭୂଷିତ ସକଳେ ।

ଦେବେନ୍ଦ୍ର ଆଦେଶେ ସ୍ଵର୍ଗେ ବିହରନ୍ତି ବଳେ ॥

ପାପୀଙ୍କୁ ସଂହାରି ଧାର୍ମିକଙ୍କୁ ସେ ପାଳନ୍ତି ।

ପାଶ୍ୱପତ ବ୍ରତୀଙ୍କୁ ଅନୁଗ୍ରହ କରନ୍ତି ॥

ଯୋଗୀଙ୍କ ବିଘ୍ନବିନାଶି ସୁଖେ ବିହରନ୍ତି ।

ସର୍ବଦାହର ସେବାରେ ରତ ହୋଇଥାନ୍ତି ॥

ବରାହଗଣ ବିନାଶେ ଜଗତର ହିତ ।

କରିବାକୁ ଶିବଠାରୁ ହେଲେ ସେ ସମ୍ଭୂତ ॥

ବରାହଗଣ ନୃସିଂହ ହରିଙ୍କୁ ଦେଖିଣ ।

ଶରଭଭୂପୀ ଶଙ୍କର ଶବ୍ଦକଲେ ପୁଣ ॥

ସେ ଶବ୍ଦ ସହିତ ନାଳ ମୁଖରୁ ବାହାରି ।

ନାଳରୁ ପ୍ରଥମ ଗଣେ ଜନ୍ମିଲେ ଉତୁରି ॥

କ୍ରୂରଯୁଦ୍ଧ କରି ବରାହଗଣ ନାଶିଲେ ।

ସର୍ବଦାକୂର ନୁହନ୍ତି ଶାନ୍ତିରେ ରହିଲେ ॥

ନିବେଦିତ ଫଳମୂଳ ପତ୍ରପୁଷ୍ପ ଜଳ ।

ଗ୍ରହଣ କରନ୍ତି ବନ ପର୍ବତ ସ୍ଥାନର ॥

ଶିବଙ୍କ ଭୋଗ୍ୟ ପଦାର୍ଥ ସେ ଭୋଗ କରନ୍ତି ।

ଆମିଷ ନଭୁଞ୍ଜି ନିରାମିଷକୁ ଭୁଞ୍ଜନ୍ତି ॥

ଚୈତ୍ର ଚତୁର୍ଦ୍ଦଶୀରେ ଶିବ ଭୁଞ୍ଜେ ଆମିଷ ।

ସେଦିନ ଗଣେ ଭୁଞ୍ଜନ୍ତି ମତ୍ସ୍ୟ ପୁଣି ମାଂସ ॥

ବରାହଗଣ ବିନାଶି ହରିଙ୍କୁ ଭଜିଲେ ।

ଭୂତଗ୍ରାମ ଚତୁର୍ବିଧ ସେ ଗଣେ ହୋଇଲେ ॥

ଶମ୍ଭୁଗଣେ ଭୂତନାମ ଶୁଣିଲା ଯେ ଏବେ ।

ତାଙ୍କ ଆଚରଣ ଧର୍ମ ଜାଣିଲ ସରବେ ॥

ଯେ ଶଉଣେ ଏହି ଆଖ୍ୟାନ ପରମ ଅଦ୍ଭୁତ ।

ଚିରାୟୁ ଉତ୍ସାହୀଯୋଗୀ ହୁଏ ସେ ନିୟତ ॥

ସେ ପ୍ରମଥଗଣ ଧ୍ୟାୟି ମାନସ ପଟରେ ।

ବିପ୍ର ପ୍ରଭାକର ଭାସେ କାଳି ପୁରାଣରେ ॥

 

ଇତି ଶ୍ରୀ କାଳିକା ପୁରାଣେ

ଏକତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୨ ॥

 

ଋଷୟ ଉବାଚ

କିପରି ଯଜ୍ଞ ବରାହଙ୍କ ଦେହ ଯଜ୍ଞରେ ।

ପରିଣତ ହେଲା ତାଙ୍କ ପୁତ୍ରେଅଗ୍ନି ହେଲେ ॥

ଭଗବାନ ବରାହ ଅକାଳେ ଏ ପ୍ରଳୟ ।

କାହିଁକି ଭିଆଇ କଲେ ଦେଶ ଜନକ୍ଷୟ ॥

କିପରି ମତ୍ସ୍ୟରୂପରେ ବେଦରକ୍ଷା କଲେ ।

କିପରି ସୃଷ୍ଟି ଭିଆଇ ପୃଥ୍ଵୀ ଉଦ୍ଧାରିଲେ ॥

ଈଶ୍ୱର ଶରଭ ରୂପ କିପରି ତେଜିଲେ ।

ତାଙ୍କ ଦେହ କାହିଁ ରହିଲା କହନ୍ତୁ ଭଲେ ॥

ଆମ୍ଭ ମଧ୍ୟରେ ପ୍ରତ୍ୟକ୍ଷଦର୍ଶୀ ତୁମ୍ଭେ ଏକା ।

ଆମ୍ଭଙ୍କୁ କହି ଏକଥା ପ୍ରଦାନନ୍ତୁ ଶିକ୍ଷା ॥

ମାର୍କଣ୍ଡେୟ ଉବାଚ

ଯାହା ପଚାରିଲ ତାହା କହିବା ତୁମ୍ଭଙ୍କୁ ।

ସର୍ବଦେବ ଫଳପ୍ରାପ୍ତି ହେବ ଶୁଣିୟାକୁ ॥

ଯଜ୍ଞେ ସର୍ବଦେବେ ତୋଷ ଯଜ୍ଞେ ପ୍ରତିଷ୍ଠିତ

ଯଜ୍ଞେ ପୃଥ୍ୱୀ ସ୍ଥିର ହୁଏ ଯଜ୍ଞେ ପ୍ରଜାହିତ ॥

ଅନ୍ନରେ ପ୍ରାଣୀ ବଞ୍ଚନ୍ତି ମେଘୁଜନ୍ମେ ଅନ୍ନ ।

ଯଜ୍ଞରୁ ମେଘର ଜନ୍ମ ଯଜ୍ଞଟି କାରଣ ॥

ହର ବିଦାରିତ ବରାହ ଦେହରୁ ଯଜ୍ଞ ।

ଯେପରି ଜଚ୍ଜିଲା ତାହାଶୁଣ ଦ୍ୱିଜଗଣ ॥

ବରାହ ଶବକୁ ଜଳୁ ଉଠାଇଣ ନେଲେ ।

ବ୍ରହ୍ମା ହରିହର ଶିବଗଣଙ୍କର ତୁଲେ ॥

ବିଷ୍ଣୁ ଚକ୍ରେ ଖଣ୍ଡଖଣ୍ଡ କାଟିଲେ ସେ ଶବ ।

ତାଙ୍କ ଅଙ୍ଗ ସନ୍ଧିରୁ ହେଲା ଯଜ୍ଞ ସମ୍ଭବ ।

ଯେ ଅଙ୍ଗରୁ ଯାହା ଜାତ ଶୁଣ ମନଦେଇ ।

ଭୂ ନାସା ସନ୍ଧିରୁ ଜ୍ୟୋତି ଷ୍ଟୋମଯାଗ ହୋଇ ॥

ହନ୍ତୁ ଶ୍ରବଣ ସନ୍ଧିରୁ ବହ୍ନି ଷ୍ଟୋମ ହେଲା ।

ଚକ୍ଷୁ ଭ୍ରୂଲତା ସନ୍ଧିରୁ ବ୍ରାତ୍ୟଷ୍ଟୋମ ଲୀଳା ॥

ଓଷ୍ଠ ସନ୍ଧିରୁ ପୌନର୍ଭବ ଷ୍ଟୋମ ହେଲା ।

ଜିଭତଳୁ ଅତିରାତ୍ର ବୈରାଜଙ୍କ ଜନ୍ମ ।

ବେଦିପାତ ବ୍ରହ୍ମଯୋଗ ପିତୃଯଜ୍ଞ ପୁଣ ॥

ତର୍ପଣକୁ କହି ହୋମ ଦେବଯଜ୍ଞ ଜାଣ ।

ଭୂତଯଜ୍ଞ ବଳିଅଟେ ଅତିଥି ପୂଜନ ॥

ନରଯଜ୍ଞ ନାମେ ଖ୍ୟାତ ସ୍ନାନ ଯେ ତର୍ପଣ ।

ନିତ୍ୟଯଜ୍ଞ କଣ୍ଠ ସନ୍ଧିରୁ ଏହାଙ୍କ ଜନ୍ମ ॥

ଜିହ୍ଵାରୁ ଯଜ୍ଞର ବିଧି ଗଣିଜାତ ହେଲେ ।

ହିଂସାତ୍ମକ ଯାଗପାଦ ସନ୍ଧିରୁ ଜନ୍ମିଲେ ॥

ଅଶ୍ଵମେଧ ମହାମେଧ ନରମେଧ ଆଦି ।

ଏସବୁ ଯଜ୍ଞରେ ହିଂସାଅଟେ ମହାବିଧି ॥

ରାଜସ୍ଵୟ ଅର୍ଥକାରୀ ବାଜପେୟ ଆଦି ।

ଗ୍ରହଯଜ୍ଞ ଜନ୍ମସ୍ଥାନ ତାଙ୍କ ପୃଷ୍ଠ ସନ୍ଧି ॥

ପ୍ରତିଷ୍ଠା ଉତ୍ସର୍ଗଦାନ ଶ୍ରାଦ୍ଧାଦି ଯେତେକ ।

ସାବିତ୍ରୀ ଯଜ୍ଞସହ ଜନ୍ମିଲେ ହୃଦୁଁ ଏକ ॥

ସଂସ୍କାର ଜନିତ ପ୍ରାୟଶ୍ଚିତ ଯଜ୍ଞ ଯେତେ ।

ମେଢ଼ ସନ୍ଧିରୁ ଜନ୍ମିଲେ ବରାହ ହୃଦ୍‌ଗତେ ॥

ରକ୍ଷସର୍ପ ଯଜ୍ଞ ଆଭିଚାରି କରେ ଯାଗ ।

ଗୋମେଧ ବୃକ୍ଷ ବୃକ୍ଷଯାଗ ଖୁରରୁ ହେଲେ ତ୍ୟାଗ ॥

ସଂକ୍ରାନ୍ତ୍ୟାଦି ପୁଣ୍ୟକାଳେ ନୈମିତ୍ତିକ ଯାଗ ।

ଦ୍ଵାଦଶ ବାର୍ଷଇକ ଜାତ ହେଲେ ଗର୍ଭଭାଗ ॥

ତୀର୍ଥଯାଗ ସଂକର୍ଷଣ ଯାଗ ଗଣ ପୁଣି ।

ଅର୍କଆଥର୍ବଣ ନାଡ଼ିସନ୍ଧିରୁ ଯେ ଜନ୍ମି ॥

ରୁଚୋକର୍ଷ କ୍ଷେତ୍ରଯଜ୍ଞ ପଞ୍ଚମାର୍ଗ ଯାଗ ।

ଲିଙ୍ଗସଂସ୍ଥା ରେମ୍ବ ଜନ୍ମିଲେ ଜାନୁଭାଗ ॥

ଅଷ୍ଟାଧିକ ସହସ୍ର ପ୍ରକାର ଯଜ୍ଞଗଣ ।

ବରାହ ଶରୀରୁ ସର୍ବେ ଲଭିଲେ ସଂସ୍ଥାନ ॥

ବରାହ ଥୋମଣିଠାରୁ ସ୍ରୂଚଜାତ ହେଲା ।

ନାସିକାରୁ ସ୍ରୂଚଜନ୍ମ ଯଜ୍ଞକାର୍ଯ୍ୟେ ଲୋଡ଼ା ॥

ତାହାଙ୍କର ଗ୍ରୀବାଭାଗ ପ୍ରାଗବଶ ହୋଇଲା ।

ଶ୍ରବଣରୁ ଇଷ୍ଟାପୂର୍ତ୍ତି ଯଜୁଧର୍ମ ହେଲା ॥

ଦନ୍ତରୁ ଯୁପ ହୋଇଲା ରୋମକୃଶ ହେଲେ ।

ଉଦ୍‌ଗାତା ଅଧ୍ଵର୍ଯୁ ହୋତାଶମିତ୍ରଙ୍କ ତୁଲେ ॥

ଏ ଚାରିହେଁ ଚାରିପାଦୁଁ ହୋଇଲେ ଉତ୍ପନ୍ନ ।

ପୁରୋଡ଼ାଶ ଚରୁ ସବୁ ମମ୍ତିଷ୍କରୁ ଜନ୍ମ ॥

ନେତ୍ରଦ୍ୱୟରୁ ଯଜ୍ଞକେତୁ ଉତ୍ପନ୍ନ ହେଲା ।

ମଧ୍ୟଭାଗ ଯଜ୍ଞବେଦି ରୂପକୁ ଧଇଲା ॥

ମେତ୍ରରୁ ଯଜ୍ଞକୁଣ୍ଡର ହୋଇଲା ସମ୍ଭବ ।

ବୀର୍ଯ୍ୟସବୁ ଆଜ୍ୟହେଲା ସ୍ଵଧାମନ୍ତ୍ର ସର୍ବ ॥

ପୃଷ୍ଠଭାଗ ଯାଗଶାଳା ହୃତ୍ପଦ୍ମରୁ ଯଜ୍ଞ ।

ଆତ୍ମଯଜ୍ଞ ପୁରୁଷ ଯେ ମୁଞ୍ଜାକକ୍ଷ୍ମ ଜନ୍ମ ॥

ଯଜ୍ଞଭାଣ୍ଡ ଯେତେ ହବି ବରାହ ଦେହରୁ ।

ଉତ୍ପନ୍ନ ହୋଇ ଦିଶିଲେ ଅତ୍ୟନ୍ତ ସୁଚାରୁ ॥

ଯଜ୍ଞ ବରାହ ଶରୀର ଯଜ୍ଞତାକୁ ପାଇ ।

ଯଜ୍ଞରୂପେ ସକଳ ଜଗତକୁ ବ୍ୟାପଇ ॥

ବ୍ରହ୍ମା ହରିହର ଏହିମତେ ଯଜ୍ଞ ଭେଇ ।

ସୁବୃତ୍ତ କନକ ଘୋରଙ୍କୁ ଧଇଲେ ଯାଇଁ ॥

ସେମାନଙ୍କ ଦେହକୁପିଣ୍ଡ ଆକାରେ ଥୋଇ ।

ତିନିଦେବ ତିନିଦେହ ଫୁଙ୍କିଲେ ନିଠାଇ ॥

ବ୍ରହ୍ମା ସୁବୃତ୍ତ ଦେହକୁ ଫଙ୍କିବା ମାତ୍ରକେ ।

ଦକ୍ଷିଣାଗ୍ନି ଜାତ ହେଲା ମୁଖବାୟୁ ସେକେ ॥

କନକ ଦେହକୁ ହରି ଫୁଙ୍କିଲେ ସଜୋରେ ।

ସେ ଦେହର ଗାର୍ହପତ୍ୟ ଅଗ୍ନି ବାହାରିଲେ ॥

ଈଶ୍ୱର ଫୁଙ୍କିଲେ ଘୋର ଦେହକୁ ଯେ ବଳେ ।

ଆହବମୀୟ ଅନଳ ଜନ୍ମିଲେ ସେ କାଳେ ॥

ଏତିନି ଅଗ୍ନିରେ ଜଗତ ବ୍ୟାପ୍ତ ହୋଇଲା ।

ଯେଠାରେ ଏତିନି ଅଗ୍ନି କରନ୍ତି ଯେ ମେଳା ॥

ସର୍ବଦେବ ସେହିଠାରେ ନିଶ୍ଚଳେ ବସନ୍ତି ।

ପ୍ରାଣୀଙ୍କର ମଙ୍ଗଳକୁ ବିଧାନ କରନ୍ତି ॥

ତ୍ରୟାତ୍ମକ ତ୍ରୟୀ ବିଧିସ୍ଥାନ ଏହି ଜାଣ ।

ପୁଣ୍ୟପ୍ରଦ ଜଗତର ମଙ୍ଗଳ ନିଦାନ ॥

ଯେଦେଶେ ଏ ଅଗ୍ନିତ୍ରୟ ପୂଜିତ ହୁଅନ୍ତି ।

ସେ ଦେଶପ୍ରାଣୀ ଏ ଚତୁବର୍ଗଙ୍କୁ ଲଭନ୍ତି ॥

ଯାହା ପଚାରିଲ ତାହା କହିଲୁଁ ବିସ୍ତାରି ।

ଯଞ୍ଚ ବରାହଙ୍କ ଦେହ ଯଜ୍ଞେ ଗଲା ପୂରି ॥

ତାଙ୍କ ପୁତ୍ରଙ୍କ ଦେହର ଅଗ୍ନିତ୍ରୟ ହେଲେ ।

ଗୀତେକାଳିକା ପୁରାଣ ପ୍ରଭାକର ବୋଲେ ॥

 

ଇତି ଶ୍ରୀ କାଳିକାପୁରାଣେ

ଦ୍ୱାତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୩ ॥

 

ମାର୍କଣ୍ଡେୟ ଉବାଚ

ଅକାଳେ ପ୍ରଳୟ କଲେ ବରାହ ମୂରତି ।

ସର୍ବଲୋକେ କ୍ଷୟ ଗଲେ ଶୁଣ ସେହି ରୀତି ॥

ମତ୍ସ୍ୟରୂପେ ବେଦ ଉଦ୍ଧାରିଲେ ଯଥା ହରି ।

ପାପ ନାଶଇ ସେ କଥା ଶୁଣ କାନ ଡେରି ॥

ପୂର୍ବକାଳେ ମହାମୁନି କପିଳ ଯେ ସିଦ୍ଧ ।

ସାକ୍ଷାତରେ ଶ୍ରୀହରି ସେ ଯୋଗୀଙ୍କ ପ୍ରସିଦ୍ଧ ॥

ସ୍ଵାୟମ୍ଭୁବ ମନ୍ୱନ୍ତର ଦିନେ ସେହି ମୁନି ।

ସ୍ଵାୟମ୍ଭୁବ ମନୁଙ୍କୁ କହିଲେ ଦିବ୍ୟବାଣୀ ॥

କପିଳ ଉବାଚ

ହେମନୋ ମୋ ପ୍ରାର୍ଥନାକୁ ପୁରାଅ ଅଚିରେ ।

ତ୍ରିଲୋକରେ ରାଜା ତୁମ୍ଭେ ସବୁ ତୁମ୍ଭ କରେ ॥

ତୁମ୍ଭେ ପ୍ରଭୁ ବରଦାତା ରକ୍ଷକ ସବୁର ।

ତୁମ୍ଭେ ବିଧାତା ପୁରୁଷ ତୁମ୍ଭେ ସର୍ବେଶ୍ଵର ॥

ଏ ତିନିଭୁବନ ତୁମ୍ଭ ଅଧୀନ ଅଟଇ ।

ତପସ୍ୟା ନିମିତ୍ତ ସ୍ଥାନ ଦେବ ମୋହପାଇଁ ॥

କାର୍ଯ୍ୟକାରଣ ସ୍ଵରୂପ ଏହି ତ୍ରୀଜଗତ ।

ତ୍ରିଲୋକ ଦୁର୍ଲଭସ୍ଥାନ ଦେବ ମୋ ନିମିତ୍ତ ॥

ଯେସ୍ଥାନରେ ପୁଣ୍ୟବଢ଼ି ପାପ ନାଶ ଯିବ ।

ଧ୍ୟାନବଳେ ସର୍ବପ୍ରାଣୀ ପ୍ରତ୍ୟକ୍ଷ ହୋଇବ ॥

ଜ୍ଞାନଦୀପ ଜାଳି ଉଦ୍ଧାରିବି ତ୍ରିଭୁବନ ।

ଏହିକ୍ଷଣି ଅଜ୍ଞାନ ସାଗରେ ଅଛି ମଗ୍ନ ॥

ଏ ପ୍ରାର୍ଥନା ପୂରଣ କରହେ ନରପତି ।

ସ୍ଵାମ୍ଭୁବ ମନୁଙ୍କୁ କପିଳ ଯେ କହନ୍ତି ॥

ତହୁଁ ମନୁ କପିଳଙ୍କୁ କହିଲେ ହେ ଶୁଣ ।

ତପସ୍ୟା ପାଇଁ ସ୍ଫ୍ରାନକୁ ମାଗ କିକାରଣ ॥

ପୂର୍ବେ ବ୍ରହ୍ମା ତପକଲେ ଜଗତ ହିତରେ ।

ଶିବ ସହସ୍ରେ ବରଷ ତପ କରିଥିଲେ ॥

ଇନ୍ଦ୍ର ବୀତିହ୍ରୋତ ଯମ ରାବଣ ବରୁଣ ।

ପବନ କୁବେର ତପ କରିଥିଲେ ପୁଣ ॥

କେହି ସ୍ଥାନ ନମାଗିଲେ ତୁମ୍ଭେ କିମ୍ପା ମାଗ ।

ଦେବାଳୟ ତୀର୍ଥ କ୍ଷେତ୍ର ପୁଣ୍ୟ ଭୂମିଭାଗ ॥

ବହୁତ ଅଛି ତ୍ରିଲୋକେ ଯେ କୌଣସି ସ୍ଥଳେ I

ତପସ୍ୟା ସାଧନ କର ରହିଣ ନିଶ୍ଚଳେ ॥

ବୃଥା ମୋତେ ମାଗୁଅଛ ମନା କରୁନାହିଁ ।

ବୃଥାଳାପ ମୁନିଙ୍କର ଉଚିତ ନୁହଁଇ ॥

ମନୁବାକ୍ୟେ କୋପଯୁକ୍ତ ହେଲେ ସେ କପିଳ ।

କହିଲେ ତୁମ୍ଭ ଅଧୀନ ଜଗତ ସକଳ ॥

ତେଣୁ ମୁଁ ମାଗିଲି ମୋତେ ଉପହାସ କଲ ।

ତ୍ରିଭୁବନ ରାଜାବୋଲି ଗର୍ବକୁ ବହିଲ ॥

ଯେ ଏ ଜଗତର କର୍ତ୍ତା ପାଳନ ନିୟନ୍ତା ।

ସେହି ସଂହାରିବେ ଏ ବ୍ରହ୍ମାଣ୍ଡ ଦେଖିବ ତା ॥

ତ୍ରିଭୁବନ ଜଳମଗ୍ନ ଅଚିରେ ଦେଖିବ ।

ଏହାବୋଲି ଅନ୍ତର୍ଦ୍ଧାନେ ଗଲେ ସେହିଦେବ ॥

କପିଳଙ୍କ ବାକ୍ୟେ ମନୁ ବିଷର୍ଣ୍ଣ ବଦନ ।

କିଛି ନକହି ରହିଲେ ହୋଇଣ ସେ ମୌନ ॥

ତହୁଁ ମନୁ ତପସ୍ୟାରେ ମନ ବଳାଇଲେ ।

ତପୋବଳେ ଶ୍ରୀହରିଙ୍କୁ ଦେଖିବି ଭାବିଲେ ॥

ପୁଣ୍ୟ ଦଦରିକାଶ୍ରମେ ଗଲେ ସ୍ଵାୟମ୍ଭୁବ ।

ଗଙ୍ଗାତୀରେ ପ୍ରବେଣିଣ ଦେଖିବେ ମାଧବ ॥

ଦେଖିଲେ ବଦରୀବନ ଫଳପୁଷ୍ପେ ଭରା ।

କୋମଳ ତୃଣ ମଞ୍ଜରୀ ଅତି ମନୋହରା ॥

ଶୁଷ୍କ ପତ୍ରହୀନ ବୃକ୍ଷଛାୟାରେ ଶୀତଳ ।

ଗଙ୍ଗାଜଳେ ପ୍ଳାବିତ ହେତୁ ସେ ସୁବିଶାଳ ॥

ନାନାମୁନି ତପୋରତ ହିଂସାଭାବ ନାହିଁ

ଭ୍ରମର ପକ୍ଷୀଙ୍କ ରାବେ ସେ ସ୍ଥାନ କମ୍ପଇ ॥

ପ୍ରସ୍ଫୁଟିତ ପଦ୍ମଗନ୍ଧେ ଅତି ସୁବାସିତ ।

ସେମାନେ ତପସ୍ୟା ପାଇଁ ହେଲେ ଉପସ୍ଥିତ ॥

ନିୟତାହାର ହୋଇ ସେ ସମାଧି ନିଷ୍ଠାରେ ।

ଜଗତ କାରଣ ହରିଙ୍କୁ ତପେ ସେବିଲେ ॥

ସର୍ବ ଜଗତର ନାଥ ମେଘ ଶ୍ୟାମବର୍ଣ୍ଣ ।

ଶଙ୍ଖ ଚକ୍ର ଗଦା ପଦ୍ମ କରେ ସୁଶୋଭନ ॥

ପଦ୍ମନେତ୍ର ପୀତାମ୍ବର ଗରୁଡ଼ ବାହନ ।

ଜଗନ୍ମୟ ଲୋକନାଥ ବ୍ୟକ୍ତ ସ୍ଵରୂପେଣ ॥

ଜଗବ୍ୟାପ୍ୟ ସହସ୍ରାକ୍ଷ ସହସ୍ର ମସ୍ତକ ।

ସର୍ବବ୍ୟାପୀ ନାରାୟଣ ଅତି ବିଭୁ ଏକ ॥

ଏ ରୂପକୁ ଭାବି ବିଷ୍ଣୁମନ୍ତ୍ର ଜପ କରି ।

ସ୍ୱାୟମ୍ଭୁବ ମନୁତହିଁ ଦେଖିଲେ ଶ୍ରୀହରି ॥

ଦୁର୍ବାଦଳ ସମପ୍ରଭ କ୍ଷୁଦ୍ର ମୀନ ରୂପେ ।

କର୍ପୂର କଳିକାସମ ନେତ୍ରଦ୍ଵୟ ସ୍ୱଳ୍ପେ ।

ମନୁଙ୍କୁ କହନ୍ତି ଭୟତ୍ରସ୍ତ ହେଲାପରି ।

ହେ ତପସ୍ଵୀ ରଖ ମୋତେ ମତ୍ସ୍ୟ ଭୟ ଭାରି ॥

ବଡ଼ସତ୍ସ୍ୟେ ଖାଇବାକୁ ମୋତେ ତ ଗୋଡ଼ାନ୍ତି ।

ତାଙ୍କ ଭୟରୁ ରଖହେ ମୋତେ ଧ୍ୟାନ ମତି ॥

ଆଜି ବଡ଼ ମାଛମାନେ ମୋତେ ଗୋଡ଼ାଇଲେ ।

ପଳାଇ ଆସି ତୁମ୍ଭଙ୍କୁ ଭେଟିଲି ଏ ସ୍ଥଳେ ॥

ମନେ ଭୟ ଥିବାରୁ ବୃକ୍ଷଛାୟା ହଲନ୍ତେ ।

ବଡ଼ମାଛ ବୋଲି ଭୟ କରେ ମୁଁ ସନ୍ତତେ ॥

ଶ୍ରୀ ମାର୍କଣ୍ଡେୟ ଉବାଚ

କ୍ଷୁଦ୍ରମୀନ କଥା ଶୁଣି ମନୁ ମହାବଳୀ । ।

ତୁମ୍ଭକୁ ରଖିଲି ବୋଲି କହିଲେ ନିରୋଳି ॥

ହସ୍ତେ ଜଳ ତଳୁଧରି ମୀନକୁ ଛାଡ଼ିଲେ । ।

ମୀନ ତହିଁରେ ଖେଳିବା ଦେଖି ସୁଖୀ ହେଲେ ॥

କିଛିକ୍ଷଣ ପରେ ମୀନଦେହ ବଢ଼ିଯାନ୍ତେ ।

କମଣ୍ଡଳୁ ଜଳେ ତାକୁ ରଖିଲେ ନିଶ୍ଚିନ୍ତେ ।

କିଛିଦିନ ପରେ ମତ୍ସ୍ୟ ଚଳି ନପାରିଲା ।

ତା ଶରୀର କ୍ରମେ ବଢ଼ି ବୃହତ ଦିଶିଲା ॥

ମସ୍ତ୍ୟରୂପୀ ଶ୍ରୀହରିଙ୍କ ପଦେରଖି ମନ ।

ପ୍ରଭାକର ଗୀତେ କହେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ତ୍ରୟତ୍ରିଂଶୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୩୪ ॥

 

ମାର୍କଣ୍ଡେୟ ଉବାଚ

ସ୍ଥୂଳଦେହୀ ମତ୍ସ୍ୟକୁ ଧରିଣ ମନୁ ରାଣ ।

ପଦ୍ମଗନ୍ଧ ସରୋବରେ ରଖିଲେ ନେଇଣ ॥

ପୂଣ୍ୟ ବଦରି ବନରେ ବିଶାଳ ସରସୀ । ।

ତହିଁରଖି ପୁତ୍ରସମ ପାଳିଲେ ରାଜର୍ଷି ॥

କିଛିକାଳ ପରେ ମୀନ ବଢ଼ିଣ ସେଠାରେ l

ଦେହ ସମ୍ଭାଇଲା ନାହିଁ ସେହି ସରୋବରେ ॥

ସରସୀ ଦୁଇ ତୀରରେ ମତ୍ସ୍ୟ ଦେହ ବାଜେ ।

ମନୁଙ୍କୁ ଉଚ୍ଚେ ଡାକି ରଖ ମୋତେ ସଜେ ॥

ମତ୍ସ୍ୟ ଡାକଶୁଣି ମନୁ ତା ପାଶକୁ ଯାଇ ।

ହସ୍ତେଧରି ମତ୍ସ୍ୟକୁ ଟେକିପାରନ୍ତି ନାହିଁ ॥

ଏହାଜାଣି ଜଗନ୍ନାଥ ନିଜଦେହ ଲଘୁ ।

କରାନ୍ତେ ମନୁ ମତ୍ସ୍ୟକୁ ଟେକିଲେ ଜଳୌଘୁ ॥

ଦୁଇକରେ ଟେକି ସ୍କନ୍ଧେ ରଖିଣ ସେ ମୀନ ।

ନେଇ ସମୁଦ୍ର ଜଳରେ ଛାଡ଼ିଲେ ତକ୍ଷଣ ॥

କହିଲେ ଏଠାରେ ତୁମ୍ଭେ ନିରାପଦେ ରହ ।

ଉୟନାହିଁ ଯେତେ ଇଚ୍ଛାବଢ଼ୁ ତୁମ୍ଭ ଦେହ ॥

ଏତେକହି ମନେ ଚିନ୍ତିଲେ ମନୁ ନୃପତି ।

ମତ୍ସ୍ୟଦେହ ଲଘୁହେଲା ଧରନ୍ତେ କିମିତି ॥

ଦେଖୁଁ ଦେଖୁଁ ସାଗରେ ବଡ଼ିଲା ମତ୍ସ୍ୟକାୟ ।

ସାଗର ପୂରିଲା ମତ୍ସ୍ୟଦେହେ ଅତିଶୟ I ।

ଜଳ ଉପରେ ପର୍ବତ ସମାନ ଉଚ୍ଚରେ ।

ଦେଖାଗଲା ମତ୍ସ୍ୟଦେହ ବିସ୍ମିତ ସେ ହେଲେ ॥

ଶାନ୍ତଭାବେ ମତ୍ସ୍ୟକୁ ପୁଛିଲେ ମନୁ ନୃପ ।

ଏତେବଡ଼ ଦେହହେଲା ଏକ ଅପରୂପ ॥

ତୁମ୍ଭେ କିଏ କହ ମୋତେ ଗୋପନ ନକର ।

ବଡ଼ ବିସ୍ମିତ ହେଲିଣି ଦେଖି ଏ ଶରୀର ॥

ବ୍ରହ୍ମା ବିଷ୍ଣୁ ହରଅବା ପରଂବ୍ରହ୍ମ ତୁମ୍ଭେ ।

ମୋତେ କହ କୃପାକରି ରହେ ମୁହିଁ ଦମ୍ଭେ ॥

ମତ୍ସ୍ୟ ଉବାଚ

ଯେ ହରିଙ୍କୁ ଆରାଧନା କରୁଅଛ ତୁମ୍ଭେ ।

ସେହି ହରି ତୁମ୍ଭ ହିତେ ମତ୍ସ୍ୟରୂପୀ ଆମ୍ଭେ ॥

ମୋଠାରୁ ଯା ଇଚ୍ଛାକର ପାଇବ ଅଚିରେ ।

ମତ୍ସ୍ୟରୂପେ ତୁମ୍ଭକାମ ପୂରାଇବି ଖରେ ॥

ମାର୍କଣ୍ଡେୟ ଉବାଚ

ମତ୍ସ୍ୟର ବଚନେ ତାଙ୍କୁ ଜାଣି ଦାମୋଦର ।

ମନୁରାଜା ସ୍ତୁତିକଲେ ଯୋଡ଼ି ବେନିକର ॥

 

ମନୁ ଉବାଚ

ଜଗତର ଅବ୍ୟକ୍ତ ପରାପର ଶ୍ରୀପତି ।

ତୁମ୍ଭଙ୍କୁ ସହସ୍ରବାର କରେ ମୁଁ ପ୍ରଣତି ॥

ଚନ୍ଦ୍ର ସୂର୍ଯ୍ୟବହ୍ନି ତିନି ନେତ୍ରଟି ତୁମ୍ଭର ।

ଜଗତ କାରଣ ହରି ସର୍ବଜ୍ଞ ଈଶ୍ଵର I

ପରାତ୍ମା ଭବସାଗର ଉଦ୍ଧାର କାରଣ ।

ଆତ୍ମାକୁ ଆତ୍ମାରେ ଧର ଧରାରୂପ ପୁଣ ॥

ଅଧାର ରୂପରେ ସର୍ବଲୋକକୁ ଧରିଛ ।

ସର୍ବବେଦମୟ ତୁମ୍ଭେ ତ୍ରିବିକ୍ରମ ସ୍ଵଛ ॥

ଶ୍ରେଷ୍ଠଧାମ ସୁରଶ୍ରେଷ୍ଠ ହରି ନାରାୟଣ ।

ଅଯୋନି ହୋଇ ନିଖିଳ ଜଗତ କାରଣ ॥

ପାଦହୀନ ହୋଇ ସର୍ବତ୍ର ଗମନ କର ।

ତେଜରୂପୀ ସ୍ପର୍ଶହୀନ ବ୍ରହ୍ମାଣ୍ଡ ଈଶ୍ଵର ॥

ଅନାଦି ସକଳ ଆଦି ଅନନ୍ତ ପରମ ।

ହୈମ ଅଣ୍ଡବୀଜ ତୁମ୍ଭେ ସର୍ବ ସୃଷ୍ଟି କର ॥

ତୁମ୍ଭ ତେଜ ସର୍ବବୀଜ ଜଳେ ଧରାଧର ।

ତୁମ୍ଭଠାରୁ ଜାତ ହୁଏ ଜଙ୍ଗମ ସ୍ଥାବର ॥

ସର୍ବାଧାର ନିରାଧାର ସର୍ବହେତୁ ତୁମ୍ଭେ ।

ଲୋକପ୍ରଭାବ ତୁମ୍ଭଙ୍କୁ ନମୁଅଛୁଁ ଆମ୍ଭେ ।

ସୃଷ୍ଟି ସ୍ଥିତି ଅନ୍ତପାଇଁ ବିଧି ହରିହର ।

ଷନ୍ତି ପୁରହିତ ଦଶମୂର୍ତ୍ତି ଯେ ତୁମ୍ଭର ॥

କୋଟିପତି ଜଳପତି ନମଇଁ ତୁମ୍ଭଙ୍କୁ ।

ତୁମ୍ଭ ତତ୍ତ୍ୱ କେଜାଣିବ ସ୍ଥୂଳ ଅଣିମାକୁ ॥

ତମନାଶେ ଆଦିତ୍ୟ ସ୍ଵରୂପ ତୁମ୍ଭେ ହରି ।

ବାରମ୍ବାର ତୁମ୍ଭପଦେ ନମଃସ୍କାର କରି ॥

ସହସ୍ର ଶୀର୍ଷ ପୁରୁଷ ସହସ୍ରାକ୍ଷ ପୁଣି ।

ସହସ୍ରପାଦ ତୁମ୍ଭର ନହୁଅଇ ଗଣି ॥

ଦଶାଙ୍ଗୁଳି ପରିମାଣେ ସ୍ଥିତ ହୁଅ କାଳେ ।

ତୁମ୍ଭଙ୍କୁ ନମୁଛି ମୁହିଁ ସଦା କାଳେ କାଳେ ॥

ମୀନମୂର୍ତ୍ତି ଧର ହରି ସ୍ଵୟଂ ଭଗବାନ ।

ଜଗଦାନନ୍ଦ କର ଭକ୍ତଙ୍କର ନିଧାନ ॥

ମାର୍କଣ୍ଡେୟ ଉବାଚ

ମନୁଙ୍କ ସ୍ତୁତିରେ ପ୍ରୀତ ହୋଇ ନାରାୟଣ ।

ମେଘ ଗମ୍ଭୀର ସ୍ଵରରେ କହିଲେ ବଚନ ॥

ଶ୍ରୀଭଗବାନ ଉବାଚ

ତୁମ୍ଭ ତପସ୍ୟା ଭକ୍ତି ସ୍ତୁତିରେ ମୁହିଁ ପ୍ରୀତ ।

ଇସ୍ପିତ ବରକୁ ମାଗ ଦେବି ମୁଁ ନିଶ୍ଚିତ ॥

ଲୋକହିତେ ଯା ମାଗିବ ଦେବି ଅକାତରେ ।

ମୀନରୂପୀ ମୋତେ ଉଦ୍ଧାରିଛ ବାରମ୍ବାରେ ॥

 

ମନୁରୁବାଚ

ଲୋକହିତ ପାଇଁ ମୁଁ ତପସ୍ୟା କରୁଅଛି ।

ସେ ଲୋକମଙ୍ଗଳ ଅର୍ଥେ ଦିଅ ବର କିଛି ॥

କପିଳ ମହର୍ଷି ଶାପ ଦେଲେ ମୋ ସକାଶେ ।

ତ୍ରିଭୁବନ ଧ୍ଵଂସ ହେବ ମୋଆଗେ ପ୍ରକାଶ୍ୟେ ॥

ଯେ ଧରା ଉଦ୍ଧାରିଛନ୍ତି ଯେ ପାଳନ୍ତି ପୁଣି ।

ସେହି ଏହାକୁ ନାଶିବେ ତୁମ୍ଭ ହେତୁ ଜାଣି ॥

ତେଣୁ ବିକଳ ହୃଦୟେ ଶରଣ ପଶିଲି ।

ତ୍ରିଭୁବନ ଜଳମଗ୍ନ ନୋହୁ ମୁଁ ମାଗିଲି ॥

କପିଳଙ୍କୁ ମୋତେ ଏକ କରି ତୁମ୍ଭେ ଜାଣ ।

ତାଙ୍କକଥା ଅବଶ୍ୟ ଘଟିବ ନୁହେଁ ଅନ୍ୟ ॥

ତ୍ରିଭୁବନ ଜଳମଗ୍ନ ହେବା ସୁନିଶ୍ଚିତ ।

ଅଳ୍ପକାଳ ମଧ୍ୟେ ଶୁଷ୍କ କରିବା ନିୟତ ॥

ତାହାର ଉପାୟ ଏବେ ଶୁଣ ମୋହଠାରୁ ।

ଯଜ୍ଞକାଷ୍ଠେ ଏକନୌକା ନିର୍ମାଣ ସୁଚାରୁ ॥

ଜଳେ ନଷ୍ଟ ନହେବାକୁ ଦୃଢ଼ ମୁଁ କରିବି ।

ତହିଁରେ ସକଳ ବୀଜ ସମ୍ପାଦି ରଖିବି ॥

ତିରିଶ ଯୋଜନ ଦୀର୍ଘ ଦଶଜୁଣ ପ୍ରସ୍ତ ।

ଅତି ଦୃଢ଼ଭାବେ ନୌକା ହୋଇବ ପ୍ରସ୍ତୁତ ॥

ଜଗଦ୍ଧାତ୍ରୀ ଦେବୀ ତାକୁ ଦୃଢ଼ କରିଦେବେ ।

ସର୍ବବୀଜ ବେଦ ସପ୍ତର୍ଷି ତହିଁ ରହିବେ ॥

ସେ ନାବେ ତୁମ୍ଭେ ଦକ୍ଷଙ୍କ ସଙ୍ଗରେ ବସିବ ।

ଆବଶ୍ୟକ ହେଲେ ମୋତେ ସ୍ମରଣ କରିବ ॥

ମୁଁ ଆସି ପ୍ରବେଶ ହେବି ତୁମ୍ଭ ନିକଟରେ ।

ଶ୍ୟାମଳଶୃଙ୍ଗ ଚିହ୍ନିଣ ଜାଣିବ ଯେ ମୋରେ ॥

ଯେ ବେଳେ ହତ ବିଧ୍ଵସ୍ତ ହେବ ଲୋକତ୍ରୟ ।

ସେ ବେଳେ ନାବକୁ ପୃଷ୍ଠେ ଧରିବି ନିଶ୍ଚୟ ॥

ତୁମ୍ଭେ ନାବକୁ ମୋ ଶୃଙ୍ଗେ ରଜ୍ଜୁରେ ବାନ୍ଧିବ ।

ମହା ଉତ୍ପାତରେ ମଧ୍ୟ ନାବ ସ୍ଥିର ହେବ ॥

ସହସ୍ର ଦିବ୍ୟବତ୍ସର ସେ ନାବ ଭାସିବ ।

ତା ମଧ୍ୟରେ ଜଳସବୁ ଶୁଷ୍କ ହୋଇଯିବ ॥

ଜଳ ଶୁଖନ୍ତେ ସେ ନାବ ହିମାଳୟ ଶୃଙ୍ଗେ ।

ବାନ୍ଧି ରଖିବ ଯତ୍ନରେ ଯେପରି ନଭାଙ୍ଗେ ॥

ସ୍ମରଣ ମାତ୍ରେ ତୁମ୍ଭର ପାଖେ ପହଞ୍ଚିବି ।

ଶ୍ୟାମଳ ଶୃଙ୍ଗରୁ ମୋତେ ଜାଣିବ ହେ ଭାବି ॥

ମୋ ଅନୁଗ୍ରହରୁ ପୁଣି ସୃଷ୍ଟି ଭିଆଇବ ।

ତ୍ରୈଲୋକ୍ୟ ଦୁର୍ଲଭ ସମ୍ପଦ ଲାଭ କରିବ ॥

ଯେଣୁ ତୁମ୍ଭେ ବହୁକଷ୍ଟେ ମୋତେ ଆରାଧିଛ ।

ତାହାଫଳେ ସୁଖୀହେବ ମନୁଚିନ୍ତା ପୋଛ ॥

 

ମାର୍କଣ୍ଡେୟ ଉବାଚ

ମତ୍ସ୍ୟରୂପୀ ପ୍ରଭୁ ଏହି ବରକୁ ଦେଇଣ ।

ଅନ୍ତର୍ଦ୍ଧାନେ ଗଲେ ମନୁରାଜା ସମକ୍ଷେଣ ॥

ତହୁଁ ମନୁଯଜ୍ଞ କାଷ୍ଠ ସଂଗ୍ରହ କରିଣ ।

ଶିଳ୍ପୀଙ୍କ ଦ୍ଵାରା ସୁଦୃଢ଼ ନାବ ତିଆରିଣ ॥

ବୃକ୍ଷବକ୍‍ଳ ତନ୍ତୁରେ ରଜ୍ଜୁ ନିର୍ମାଣିଲେ ।

ବଡ଼ ଆଣ୍ଟେ ସେ ରଜ୍ଜୁକୁ ଦୃଢ଼ରେ ଧଇଲେ ॥

ତହୁଁ ଯଥା ସମୟରେ ସେ ଯଜ୍ଞ ବରାହ ।

ଶରଭରୂପୀ ହରଙ୍କ ସଙ୍ଗରେ କଳହ ॥

କରି ଶରଭ ଯୋଗରେ ପ୍ରାଣତ୍ୟାଗ କଲେ ।

ସେ କାଳେ ନାବରେ ସର୍ବବୀଜ ରହିଥିଲେ ॥

ଦେବଗଣ ଋଷିଗଣ ଥିଲେ ସେ ନାବରେ ।

ସ୍ମରଣ ମାତ୍ରେ ଶ୍ୟାମଳ ଶୃଙ୍ଗାମତ୍ସ୍ୟ ଧୀରେ ॥

ପ୍ରବେଶନ୍ତେ ତାଙ୍କ ଶୃଙ୍ଗେ ନାବକୁ ବାନ୍ଧିଲେ ।

ହିମାଳୟ ଶୃଙ୍ଗେ ପୁଣିନାବ ରଖାଇଲେ ॥

ଜଳଶୁଷ୍କ ହେବାରୁ ପୁନଶ୍ଚ ସର୍ବ ବୀଜେ ।

ନୂତନ ସୃଷ୍ଟି ହୋଇଲା ବେଦଋଷି ବୀର୍ଯ୍ୟେ ॥

କପିଳଙ୍କ ଅଭିଶାପ ବଶରୁ ଅକାଳେ ।

ପ୍ରଳୟ ହୋଇ ତ୍ରିଲୋକ ବୁଡ଼ିଲା ଜଳରେ ॥

ସେ ପ୍ରଭୁ କରୁଣାମୟ କଲେ ସୃଷ୍ଟି ପୁଣି ।

ଅକାଳ ପ୍ରଳୟକଥା କହିଲି ପ୍ରମାଣି ॥

ଏ ଅତି ପବିତ୍ର କଥା ପାପରାଶି ନାଶେ ।

କାଳିକା ପୁରାଣ ଗୀତେ ପ୍ରଭାକର ଭାଷେ ॥

 

ଇତି ଶ୍ରୀ କାଳିକାପୁରାଣେ

ଚତୁତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୫ ॥

 

ମାର୍କଣ୍ଡେୟ ଉବାଚ

ଅକାଳ ପ୍ରଳୟ ଅନ୍ତେ ପୁନରପି ସୃଷ୍ଟି ।

ଯେପରି ହୋଇଲା ଶୁଣ କରି ମନ ତୁଷ୍ଠି ॥

ପ୍ରଳୟାନ୍ତେ କୂର୍ମରୂପେ ଶ୍ରୀହରି ଆସିଣ l

ପୃଷ୍ଠ ସଶୈଳ ପୃଥିବୀ ରଖିଲେ ଧରିଣ ॥

ଶରଭ ବରାହ ଖୁରାଘାତେ ଏ ବିଷମା ।

ପୃଥିବୀକୁ ସମାନ କଲେ ଅତି ମନୋରମା ॥

ଯେ ସ୍ଥାନେ ପାତାଳଗାମୀ ହୋଇଥିଲା ଧରା ।

ତାହାକୁ ଉଦ୍ଧାରି କୂର୍ମ ସମେ କଲେ ସାରା ॥

ଅନନ୍ତ ଦେବା ଫଣାରେ ଧରାକୁ ଧଇଲେ ।

ଅବିଶ୍ରାନ୍ତ ଭାବେ ସୃଷ୍ଟି ରହିଥିବା ବେଳେ ॥

ତହୁଁ ବ୍ରହ୍ମା ହରିହର ମିଳିତ ହୋଇଣ ।

ନୌକାସ୍ଥିତ ଋଷି ସ୍ଵାୟମ୍ଭୁବଙ୍କୁ ଦେଖିଣ ॥

ନରନାରାୟଣ ଋଷି ଦକ୍ଷଙ୍କୁ କହିଲେ ।

ନୂତନ ସୃଷ୍ଟି ହୋଇବ ଯତ୍ନକର ହେଳେ ॥

ବରାହ ଶରଭ ଯୁଦ୍ଧେ ପୃଥ୍ଵୀ ନଷ୍ଟ ହେଲା ।

ପୁନଃସୃଷ୍ଟି ଯଥା ହେବ ଶୁଣ ତାହାଭଲା ॥

ନର ନାରାୟଣ ଦୁହେଁ ତପସ୍ୟା କରନ୍ତୁ ।

ତାଙ୍କ ତପୋବଳେ ଦେବେ ଆସି ପ୍ରବେଶନ୍ତୁ ॥

ମର୍ତ୍ତ୍ୟ ଲୋକେ ଦେବଗଣେ ସୃଷ୍ଟିକୁ କରିବେ ।

ନକ୍ଷତ୍ର ଗ୍ରହ ଜନ୍ମିଣ ସ୍ଵସ୍ଥାନେ ରହିବେ ॥

ବିଷ୍ଣୁ ସ୍ଵୟଂ ଚନ୍ଦ୍ରସୂର୍ଯ୍ୟ ରଥଚଢ଼ି ତହିଁ ।

ଚନ୍ଦ୍ରସୂର୍ଯ୍ୟ ଚଳାଇବେ ତାଙ୍କୁ ମାର୍ଗ ଦେଇ ॥

ହେ ମନୋ ତୁମ୍ଭେ ସକଳ ବୀଜଆଣି କରି ।

ପୃଥ୍ୱୀରେ ବୁଣି ବୃକ୍ଷାଦି ସୃଷ୍ଟି କର ଭୂରି ॥

ଦକ୍ଷ ସପ୍ତମୁନି ସଙ୍ଗେ ଯଜ୍ଞ ଆରମ୍ଭନ୍ତୁ ।

ବରାହ ପୁତ୍ର ଦେହରୁ ତ୍ରିଅଗ୍ନି ଆଣନ୍ତୁ ॥

ତଦ୍ଦ୍ୱାରା ଯାଗ କରିଣ ସର୍ବେ ସୃଷ୍ଟି କର ।

ପୂର୍ବେ ଯଥା ତ୍ରିଲୋକରେ ଥିଲା ସୁସମ୍ଭାର ॥

ଆମ୍ଭେ ମଧ୍ୟ ସୃଷ୍ଟି କାର୍ଯ୍ୟ ସାହାଯ୍ୟ କରିବୁ ।

ତୁମ୍ଭେ ସୃଷ୍ଟି କାର୍ଯ୍ୟେରତ ହେବାର ଦେଖିବୁ ॥

ମାର୍କଣ୍ଡେୟ ଉବାଚ

ଏପରି ଆଦେଶ ଦେଇ ବ୍ରହ୍ମା ହରିହର ।

ଗଲେ ଯଥାସ୍ଥାନେ ରଖିବାକୁ ଶୈଳବର ॥

ମେରୁ ମନ୍ଦର କୈଳାସ ହିମାଳୟ ନଗେ ।

ଦେବପୁର ସବୁ ନିର୍ମାଣିଲେ ନାନାରଙ୍ଗେ ॥

ସ୍ୱାୟମ୍ଭୁବ ମନୁ ନାବରୁ ବୀଜ ଆଣିଣ ।

ପୃଥ୍ୱୀରେ ବୁଣି ବୃକ୍ଷାଦି ଭିଆଇଲେ ଜାଣ ॥

ପୃଥିବୀ ଶସ୍ୟ ସମ୍ପନ୍ନା ତୃଣଗୁଳ୍ମ ଯୁତା ।

ପୂର୍ବପରି ହୋଇ ହେଲା ଅତ୍ୟନ୍ତ ଶୋଭିତା ॥

ତହୁଁ ନର ନାରାୟଣ ତପ ଆରମ୍ଭିଲେ ।

ଜଳଗତ ଦେବତାଙ୍କୁ ସ୍ଥଳକୁ ଆଣିଲେ ॥

ସୂର୍ଯ୍ୟଚନ୍ଦ୍ର ସହ ଦଶଦିଗ ପାଳମାନେ ।

ପୂର୍ବପରି କାର୍ଯ୍ୟଳଲେ ଶ୍ରୀହରିଙ୍କ ଯତ୍ନେ ॥

ଦକ୍ଷ ଋଷିଙ୍କ ସହିତ ଯାଗ ଆରମ୍ଭିଲେ ।

ବାରବର୍ଷ ନିରନ୍ତର ଯଜ୍ଞକୁ ସେ କଲେ ॥

ସେ ଯଜ୍ଞରୁ ଚତୁବିଧ ପ୍ରଜାଜନ୍ମ ହେଲେ ।

ତହୁଁ ଦକ୍ଷଙ୍କର ତ୍ରୟୋଦଶ କନ୍ୟା ହେଲେ ॥

କଶ୍ୟପଙ୍କୁ ପ୍ରଦାନିଲେ ତେରକନ୍ୟା ନେଇ ।

ତାଙ୍କଠାରୁ ସର୍ବବିଧ ପ୍ରାଣୀ ଉପୁଜଇ ॥

କନ୍ୟାଙ୍କର ନାମ ତାଙ୍କ ପୁତ୍ର ପୁତ୍ରୀନାମ ।

କହିବା ଶୁଣହେ ତୁମ୍ଭେ ଦେଇ ମନକର୍ଣ୍ଣ ॥

ଅଦିତିଦିତି ଦନୁକାଳା ଦନାୟ ମୁନି ।

ସିଂହିକା କ୍ରୋଧା ପ୍ରଧାବରିଷ୍ଠା ବିନତାଣି ॥

କପିଳକଦ୍ରୁ ନାମରେ ତ୍ରୟୋଦଶ ହେଲେ ।

ସେମାନଙ୍କୁ କଶ୍ୟପମୁନି ବିବାହ ହେଲେ ॥

ବ୍ରହ୍ମାଙ୍କ ଦକ୍ଷ ଅଙ୍ଗୁଷ୍ଠ ଦକ୍ଷକର ଜନ୍ମ ।

ବ୍ରହ୍ମାଙ୍କ ମନରୁ ଦଶ ମୁନିହେଲେ ପୁଣ ॥

ସେ ମଧ୍ୟରୁ ଷଟ୍‌ ମୁନି ସୃଷ୍ଟି ଭିଆଇଲେ ।

ଅନ୍ୟ ଷଟ୍‌ଜଣ ତପେ ମନ ବଳାଇଲେ ॥

ମରିଚୀଙ୍କ ପୁତ୍ର କଶ୍ୟପ ଏ ତେର କନ୍ୟା ।

ବିବାହ କରି ବିବିଧ ପ୍ରଜାକଲେ ଜନ୍ୟା ॥

ଅଦିତିଙ୍କ ବାରପୁତ୍ର ତାଙ୍କ ନାମ ଶୁଣ ।

ଧାତାମିତ୍ର ଅର୍ପମା ଯେ ଶତ୍ରଯେ ବରୁଣ ॥

ସୋମଭାଗ ବିବସ୍ଵାନ ପୁଷା ଯେ ସବିତା ।

ବୁଷ୍ଟାବିଷ୍ଣୁ ଏହି ଦ୍ଵାଦଶାଦିତ୍ୟେ ଗଣିତା । ॥

ଏମାନଙ୍କ କନିଷ୍ଠ ଯେ ପୁତ୍ର ଜନ୍ମାଇଲେ ।

ସୂର୍ଯ୍ୟରୂପେ ପ୍ରଜାକୁଳ ପାଳନ ସେ କଲେ ॥

ଦିତିଙ୍କର ଏକପୁତ୍ର ହିରିଣ୍ୟ କଶିପୁ ।

ତାର ଚାରିପୁତ୍ର ହେଲେ ପାଇ ମହାବପୁ ॥

ପ୍ରହ୍ଲାଦ ସଂହାଦ ବାସ୍କଳ ଶିବି ନାମରେ ।

ପ୍ରହ୍ଲାଦର ତ୍ରିପୁତ୍ର ଟିରୋଚନ ଆଦ୍ୟରେ ॥

ବିରୋଚନ ସୁତ ଦାତାଶ୍ରେଷ୍ଠ ବଳିବୀର ।

ବଳିପୁତ୍ର ବାଣ ଶିବଙ୍କର ଅନୁଚର ॥

ବାଣର ଶତେ ପୁତ୍ର କୁସୁମ୍ଭ ମକରାଦି ।

ଦନୁର ଚାଳିଶ ପୁତ୍ର ବିପ୍ର ଚିତ୍ତି ଆଦି ॥

ଏମାନଙ୍କ ପୁତ୍ର ପୌତ୍ରେ ପୃଥିବୀ ପୂରିଲା ।

ଦନାୟୁ କନ୍ୟାଙ୍କଠାରୁ ଚାରିପୁତ୍ର ହେଲା ॥

ବୀରଭଦ୍ର ବିକ୍ଷର ବତ୍ସବୃତ୍ତ ନାମରେ ।

ପୃଥିବୀ ପୂରିଲା ତାଙ୍କ ପୁତ୍ର ପ୍ରପୌତ୍ରରେ ॥

କାଳାଙ୍କର ପୁତ୍ରଗଣେ କାଳେୟ ନାମରେ ।

ତାଙ୍କ ମଧ୍ୟେ ଚାରିପୁତ୍ର ପ୍ରଧାନ ହୋଇଲେ ॥

ବିନାଶନ କ୍ରୋଧଶତ୍ରୁ କ୍ରୋଧ କ୍ରୋଧହନ୍ତା ।

ଦାନବଙ୍କ ଶ୍ରେଷ୍ଠ ହୋଇ ହେଲେ ବଳବନ୍ତା ॥

ସିଂହିକାର ସୁତ ରାହୁ ସୁଚନ୍ଦ୍ର ଯେ ପୁଣି ।

ଚନ୍ଦ୍ରହନ୍ତା ଚନ୍ଦ୍ର ବିମର୍ଦ୍ଦନ ନାମେ ଗଣି ॥

କ୍ରୋଧାଙ୍କ ତନୟେ କ୍ରୂରକର୍ମା ହୋଇ ହେଲେ ।

ସିଂହିକା କ୍ରୋଧାଙ୍କ ସୁତେ କ୍ରୂରକର୍ମ କଲେ ॥

ମୁନିଙ୍କର ଏକପୁତ୍ର ଶୁକ୍ରାଚାର୍ଯ୍ୟ ହେଲେ ।

ଦୈତ୍ୟ ଦାନବ କାଳେୟଙ୍କର ଗୁରୁ ଭଲେ ॥

ଶୁକ୍ରଙ୍କର ଚାରିପୁତ୍ର ଅସୁର ଯାଜକ ।

ତ୍ଵଷ୍ଟାବର ଅତ୍ରି ସୌକଳ ନାମରେ ଲେଖ ॥

ସୂର୍ଯ୍ୟସମ ତେଜସ୍ଵୀ ସେ ବ୍ରହ୍ମଲୋକେ ଗତି ।

ଏମାନଙ୍କ ପୁତ୍ର ପୌତ୍ରେ ଜଗତର ପୂର୍ତ୍ତି ॥

ବିନତା ତନୟ ତାର୍ଯ୍ୟ ଯେ ଅରିଷ୍ଟନେମି ।

ଅନୁରୁ ଗରୁଡ଼ ପୁଣି ଆରୁଣି ବାରୁଣି ॥

କଦ୍ରୁସୁତେ ଶେଷ ବାସୁକି ତକ୍ଷକ ପୁଣି ।

କୁଳିକ କୂର୍ମ ସୁମନା ଏମାନଙ୍କୁ ଜାଣି ॥

ଭୀମସେନ ଉଗ୍ରେସନ ସ୍ଵପର୍ଣ୍ଣ ଗରୁଡ଼ ।

ଗୋପତି ସୂର୍ଯବର୍ଚ୍ଚା ବୀର୍ଯ୍ୟେଶି ଧୃତରାଷ୍ଟ୍ର ॥

ଅର୍କପୃଷ୍ଠ ପ୍ରଯୁକ୍ତ ବିଶ୍ରୁତ ସୁଶ୍ରୁତ ଯେ ।

ଭୀମ ଟିତ୍ରରଥ ସର୍ବ ବିଦବଶୀ ତେଜେ ॥

ଶାଳିଶୀର୍ଷ ପର୍ଜନ୍ୟ କଳି ନାରଦ ପୁଣି ।

ଏ ଦେବ ଗନ୍ଧର୍ବଗଣ ମୁନିପୁତ୍ରେ ଗଣି ॥

ଅନଦଦ୍ୟା ସନୁରାଗା ସବରା ମାର୍ଗଣା ।

ପ୍ରିୟା ଅସୁୟା ସୁଭଗା ଅଭାଂସି ଏ କନ୍ୟା ॥

ପ୍ରାଧାପୁତ୍ରେ ବିଶ୍ଵାବସୁ ସୁଚନ୍ଦ୍ର ସୁପର୍ଣ୍ଣ ।

ସିଦ୍ଧ ପୂର୍ଣ୍ଣାଙ୍ଗ ବ୍ରହ୍ମଚାରୀ ଯେ ବର୍ହିଃପୂର୍ଣ୍ଣ ॥

ଭାନୁନାମେ ଦଶପୁତ୍ର ଏ ଦେବ ଗନ୍ଧର୍ବେ ।

ସଦା ପୁଣ୍ୟବନ୍ତ ସ୍ଵର୍ଗବାସୀ ଏ ସମ୍ଭବେ ॥

ପ୍ରାଧା କନ୍ୟାଗଣ ସ୍ଵର୍ଗ ଅପ୍‍ସରା ହୋଇଲେ ।

ଅଲମ୍ବୁଷା ମିଶ୍ରକେଶୀ ଗାମିନୀଙ୍କ ତୁଲେ ॥

ବିଦ୍ୟୁତ୍ପନ୍ନା ଅନଘା ରମ୍ଭା ଅରୁଣା ତୁଳା ।

ସୁବାହୁ ସୁରତା ସୁରଜା ସୁପ୍ରିୟା ବରା ॥

ବପୁ ତିଳୋତ୍ତମା ଏତେ ଅପ୍‌ସରା ପ୍ରଧାନ ।

ଅତିବାହୁ ତୁମ୍ଭରୁ ଯେ ହା ହା ହୁ ହୁ ଜାଣ ॥

ଅମୃତ ବ୍ରାହ୍ମଣ ଗାବ ମୁନି ଅପ୍‌ସରସ ।

କପିଳାଙ୍କ ସୂତ ଏହି ଅତି ମହୌଜସ ॥

ଦକ୍ଷକନ୍ୟାଙ୍କ ଔରସେ କଶ୍ୟପଙ୍କ ବୀର୍ଯ୍ୟେ ।

ଏମାନେ ଜନ୍ମ ତ୍ରିଲୋକ ପୂର୍ଣ୍ଣ କଲେ ଓଜେ ॥

ଯଜ୍ଞରୂପୀ ଯଜ୍ଞ ବରାରହଙ୍କ ଉଦ୍ୟମରୁ ।

ଅଗ୍ନିତ୍ରୟ ସ୍ଵୟମ୍ଭୁବ ମନୁଙ୍କ ଯୋଗରୁ ॥

ସପ୍ତମୁନି କଶ୍ୟପଙ୍କ ଜନନ ଚେଷ୍ଟାରେ ।

ନର ନାରାୟଣ ଋଷିଙ୍କ ତପୋ ବଳରେ ॥

ହରି ହର ବ୍ରହ୍ମାଙ୍କ ଯତ୍ନରେ ନତ ସୃଷ୍ଟି ।

ହେଲା ଏହାଶୁଣି ତୁମ୍ଭେ କର ମନ ତୁଷ୍ଟି ॥

ସର୍ବଦେବ ଦେବୀ ପଦେ ମନଧ୍ୟାନ ଦେଇ ।

ପ୍ରଭାକର କାଳିକା ପୁରାଣ ଗୀତେ କହି ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଚତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୬ ॥

 

ମାର୍କଣ୍ଡେୟ ଉବାଚ

ଶିବ ଶରଭ କାୟକୁ ଯେପରି ତେଜିଲେ ।

ସେକଥା କହୁଛି ଶୁଣ ହେତୁ କରି ଭଲେ ॥

ଯଜ୍ଞବରାହଙ୍କ ମୃତ୍ୟୁ ପରେ ପିତାମହ ।

ଶରଭଙ୍କ ପାଖୁ ଯାଇ କହନ୍ତି ସସ୍ନେହ ॥

ତୁମ୍ଭ ଦେହରେ ପୂରିଛି ବହୁତ ଯୋଜନ ।

ତେଣୁ ଏ ଦେହକୁ ତ୍ୟାଗକରି ଏହିକ୍ଷଣ ॥

ତୁମ୍ଭ ଯୁଦ୍ଧରେ ତ୍ରିଲୋକ ନଷ୍ଟ ହୋଇଅଛି ।

ତୁମ୍ଭପାଖୁ ଯିବାପାଇଁ ଭୟ ହେଉଅଛି ॥

ସ୍ଵର୍ଗାଦି ଲୋକରହିତ ପାଇଁ ଏବେ ତୁମ୍ଭେ ।

ଶରଭ ଦେହକୁ ତ୍ୟାଗକରି ଅତି ଦମ୍ଭେ ॥

ବ୍ରହ୍ମାଙ୍କ ବଚନ ଶୁଣଇ ତତ୍‌କ୍ଷଣେ ଶଙ୍କର ।

ଶରଭ ଦେହକୁ ତ୍ୟାଗକଲେ ଦିଗମ୍ବର ॥

ଶରଭର ଅଷ୍ଟପାଦ ଅଷ୍ଟମୂର୍ତ୍ତି ଠାରେ ।

ଲୀନହେବା ଦେଖିଲେ ମାନବ ସୁରାସୁରେ ॥

ପ୍ରଥମ ଦକ୍ଷିଣ ପାଦେ ଆକାଶକୁ ଗଲା ।

ବାମପାଦ ସୂର୍ଯ୍ୟମୂର୍ତ୍ତିଠାରେ ଲୀନ ହେଲା ।

ପଛ ବାମପାଦ ଅଗ୍ନି ମୂର୍ତ୍ତିରେ ମିଶଇ ।

ପୃଷ୍ଠ ଅଗ୍ରପାଦ କ୍ଷିତି ମୂର୍ତ୍ତିକୁ ସେ ଯାଇ ॥

ପୃଷ୍ଠ ଅଗ୍ର ବାମପାଦ ସଲିଳେ ମିଶିଲା ।

ତା ପଛ ଦକ୍ଷିଣପାଦ ବାୟୁରେ ମିଳିଲା ॥

ପଛ ବାମପାଦ ଯଜମାନ ମୂର୍ତ୍ତିଠାରେ ।

ସର୍ବ ଅଗ୍ରପାଦ ଚନ୍ଦ୍ର ମୂର୍ତ୍ତିରେ ମିଶିଲେ ॥

ଏଭାବେ ଅଷ୍ଟ ମୂର୍ତ୍ତିରେ ଅଷ୍ଟପାଦ ମିଶି ।

ଶରଭର ମଧ୍ୟଦେହ ଭୈରବ ପ୍ରକାଶି ॥

ମେଦସହ ମସ୍ତିଷ୍କକୁ ଯେ ଆହୁତି ଦ୍ୟନ୍ତି ।

ବ୍ରହ୍ମପାଳନ ପାତ୍ରରେ ସୁରାକୁ ପୁଜନ୍ତି ॥

ମନୁଷ୍ୟ ମାଂସକୁ ବଳି କରାନ୍ତି ଯେ ମାନେ ।

ରୁଧିର ପିଇ ସୁରାରେ କରନ୍ତି ପାରଣେ ॥

ବ୍ୟାଘ୍ରଚର୍ମ ପିନ୍ଧି ତ୍ରିବଳିକୁ ଧରିଥାନ୍ତି ।

କପାଳବ୍ରତୀ ବୋଲିଣ ତାହାଙ୍କୁ କହନ୍ତି ॥

କପାଳୀ ଭୈରବ ଦେବ ପୂଜ୍ୟ ତାହାଙ୍କର ।

ଶ୍ମଶାନ ଭୈରବ ମହାଭୈରବ ଆବର I ।

ବାଳସୂର୍ଯ୍ୟସମ କାନ୍ତି ଅଷ୍ଟାଦଶ ଭୂତ ।

ରକ୍ତାକ୍ଷ ସର୍ବଦା ସଙ୍ଗେ ହ୍ଵନ୍ତି ନାରୀବ୍ରଜ ॥

କାଳି ପ୍ରଚଣ୍ଡାଦି ଦେବୀ ସଙ୍ଗେ ତାଙ୍କ କ୍ରୀଡ଼ା ।

ସଦ୍ୟ ଦଗ୍‌ଧ ମାଂସଭୋଜୀ ଗଲେ ବାହୁଯୋଡ଼ା ॥

ରକ୍ତପାୟୀ ପ୍ରେତଭୋଜି ସ୍ଥୂଳମୁଖ ଧାରୀ ।

ଲମ୍ବଓଷ୍ଠ ଛୋଟ ମୋଟ ପାଦରେ ବିହରି ॥

ବାଦ୍ୟ ନୃତ୍ୟପ୍ରିୟ ଅଟ୍ଟହାସେ ଭୂମିକମ୍ପେ ।

ଶିବ ବିରାଜିଲେ ଏ ମହାଭୈରବ ରୂପେ ॥

ସେ ଭୈରବ ପ୍ରଥମ ଗଣରେ ଯୋଗଦେଲେ ।

ଜନେ ପୂଜନ୍ତି ତାହାଙ୍କୁ କାମନା ସିଦ୍ଧିରେ ॥

ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଦିନ ମଧୁମାଂସେ ।

ମତ୍ସ୍ୟ ଦୁଗ୍‌ଧ ଫଳମୂଳେ ପୂଜିଲେ ସନ୍ତୋଷେ ॥

ସର୍ବ କାମନା ଲଭିଣ ବହୁ ଭୋଗ ଭୁଞ୍ଜି ।

ବୃକ୍ଷାରୁଢ଼ ହୋଇ ଶିବପୁରେ ଯାନ୍ତି ହେଜି ॥

କହିଲି ତୁମ୍ଭଙ୍କୁ ଏହି ଅଦ୍ଭୁତ ଚରିତ ।

ପ୍ରଭାକର କାଳିକାପୁରାଣ କରେ ଗୀତ ॥

 

ଇତି ଶ୍ରୀ କାଳିକାପୁରାଣେ

ଷଟ୍‍ତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୭ ॥

 

ଋଷୟ ଉବାଚ

ଯଜ୍ଞ ବରାହଙ୍କ ବୀର୍ଯ୍ୟେ ବାରାହୀ କ୍ଷିତିରେ ।

ନରକାସୁର ଜାତ ହୋଇଲା କି ପ୍ରକାରେ ॥

କିପରି ସେ ଚିରଜୀବୀ ଗର୍ଭେ ଚିରକାଳ ।

ରହି କାହିଁ ଜନ୍ମହେଲା ସେହି ମହାବଳ ॥

ଅସୁରଙ୍କ ରାଜା ହେଲା କେଉଁ ପୁରେ ରହି ।

ମଳିନୀ ରତିରେ ପୃଥ୍ଵୀଠାରେ ଜାତ ହୋଇ ॥

ଏ ସର୍ବ ବିଷୟ କହି ମନ ତୋଷ କର ।

ତୁମ୍ଭେ ଗୁରୁ ଶାସକ ଯେ ମହା ଜ୍ଞାନିବର ॥

ବ୍ରହ୍ମାଙ୍କଠାରୁ କିପରି କିବର ପାଇଲା ।

ଏ ସର୍ବ ବିଷୟ କହି ମନତୋଷ ଭଲା ॥

ମାର୍କଣ୍ଡେୟ ଉବାଚ

ଶୁଣ ମୁନିଗଣେ ନରକର ଜନ୍ମ କଥା ।

ଅତି ଅଦ୍ଭୁତ ଅଟଇ ତାହାର ବ୍ୟବସ୍ଥା ॥

ବରାହଙ୍କ ବୀର୍ଯ୍ୟେ ରଜସ୍ଵଳା ପୃଥ୍ଵୀଗର୍ଭେ ।

ଦେଵପୁତ୍ର ହୋଇ ହେଲା ଅସୁର ସ୍ଵଭାବେ ॥

ମହାବଳୀ ବରାହଙ୍କ ପୁତ୍ର ବୋଲି ଜାଣି ।

ଅତିଦୁଷ୍ଟ ହେବା ଭାବି ବ୍ରହ୍ମାଦି ଯେ ଭଣି ॥

ଏ କ୍ରୂରଜନ୍ମ ହୋଇଲେ ସର୍ବନଷ୍ଟ ହେବ ।

ତେଣୁ ଏ ଗର୍ଭରେ ଚିରକାଳ ରହିଥିବ ॥

ଏ ମଧ୍ୟରେ ବରାହ ପୁତ୍ରଙ୍କ ସଙ୍ଗେ ମଲେ ।

ଅତି ବ୍ୟାକୁଳା ହୋଇଣ ଧରିତ୍ରୀ କାନ୍ଦିଲେ ॥

ଏଣେ ଗର୍ଭପୀଡ଼ା ବହୁକାଳ ନ ପ୍ରସବି ।

ବିଷ୍ଣୁଙ୍କୁ ଶରଣ ଗଲେ ସେହି ଧରାଦେବୀ ॥

ଶରଣ ରକ୍ଷକ ଜଗତ୍ପତି ମାଧବଙ୍କୁ ।

ଶିରରେ ପ୍ରଣମି ସ୍ତୁତିକଲେ ସେ ଦେବଙ୍କୁ ॥

ପୃଥିବ୍ୟୁବାଚ

ଜଗତର ଅବ୍ୟକ୍ତ କାରଣ ତୁମ୍ଭେ ହରି ।

ପ୍ରଧାନ ପୁରୁଷାତ୍ମକ ସୃଷ୍ଟି ଅଧିକାରୀ ॥

ଜଗତ ପାଳକ ସ୍ଵାହା ଭୋଗେ ପରିତୃପ୍ତ ।

ସଚ୍ଚିଦାନନ୍ଦମୟ ହେ ପାଳ ତ୍ରିଜଗତ ॥

ନିଯୋଜ୍ୟ ନିଯୋଜକ ଯେ ଅବ୍ୟୟ ଅଚ୍ୟୁତ ।

ତ୍ରିଲୋକ ଆଳୟ ପ୍ରଭୋ ନମଇଁ ମୁଁ ନିତ୍ୟ 11

ପାଳକ ସ୍ଥାପକ ତୁମ୍ଭେ ତତ୍ତ୍ୱଦର୍ଶୀ ପ୍ରଭୋ ।

ମାଧବ କାମନାଳୟ ସର୍ବବ୍ୟାପି ବିଭୋ ॥

ପ୍ରସୂତିବିଚ୍ୟୁତି ହେତୁ ତ୍ରାଣର କାରଣ ।

ଜଳନ ବୁଡ଼ାଏ ଅଗ୍ନି ନପୋଡ଼େ ଯେ ପୁଣ ॥

ଶୀତ ଗ୍ରୀଷ୍ମ ବାଧେନାହିଁ ତୁମ୍ଭଙ୍କୁ କେବେ ହେଁ ।

ନମୁଅଛି ତୁମ୍ଭପଦେ ଦୟାକର ଆହେ ॥

ସାଗର ଭସାଏ ନାହିଁ ଅଗ୍ନି ନଦହଇ ।

ଯମ ମୃତ୍ୟୁ ନଘଟାଏ ତୁମ୍ଭଙ୍କୁ ନମଇଁ ॥

ଶାନ୍ତ ଯୋଗୀଗଣେ ଚିତ୍ତେ ଯାନାଙ୍କୁ ଚିନ୍ତନ୍ତି ।

ଦୁଷ୍ଟଗଣ ଶତ୍ରୁରୂପେ ବିନାଶ ଲଭନ୍ତି ॥

ନିତ୍ୟାମାର୍ଗେ ସ୍ଥିତ ତୁମ୍ଭେ ସ୍ଵୟଂ ନିତ୍ୟରୂପ ।

ଏ ଧରାକୁ ତ୍ରାଣକର ଜନ୍ମ ଏହି ଗର୍ଭ ॥

ମାର୍କଣ୍ଡେୟ ଉବାଚ

ଧରାଦେବୀଙ୍କ ସ୍ତବରେ ପ୍ରୀତହୋଇ ହରି ।

ଦେଖାଦେଇ ଧରିତ୍ରୀଙ୍କୁ କହନ୍ତି ଉଚ୍ଚାରି ॥

ଶ୍ରୀ ଭଗବାନୁବାଚ

କାହିଁକି ଦୁଃଖିତା ତୁମ୍ଭେ କେ ଦେଲା କି ପୀଡ଼ା ।

ମୋ ଆଗେ ସକଳ କଥା କହ ଛାଡ଼ି ବ୍ରୀଡ଼ା ॥

ତୁମ୍ଭମୁଖ ମ୍ଳାନ ଦିଶେ ଦେହକାନ୍ତି ହୀନ ।

ଚକ୍ଷୁ ଲୋତକଯୁକ୍ତ ଭ୍ରୂବିଳାସରେ ଶୂନ୍ୟ ॥

ଏପରି ଅରୁଚରୂପ କେବେ ଦେଖାନାହିଁ ।

ମନ ଶାନ୍ତକର ଦୁଃଖ କାରଣକୁ କହି ॥

ମାଧବଙ୍କ ବଚନ ଶୁଣିଣ ଧରାଦେବୀ ।

ବିନୟାବନତା ହୋଇ କହନ୍ତି ସେ ଭାବି ॥

 

ପୃଥିବ୍ୟୁବାଚ

ଗର୍ଭଭାର ସହି ନପାରିଣ ଜଣାଉଛି ।

ଯେପରି ଗର୍ଭର ଜନ୍ମ ହୁଏ କର ପୁଛି ॥

ତୁମ୍ଭେ ବରାହ ରୂପରେ ମଳିନୀ ମୋ ସଙ୍ଗେ ।

ରତିକ୍ରୀଡ଼ା କରି ଗର୍ଭ ଭେଇଅଛ ରଙ୍ଗେ ॥

ସେ ଗର୍ଭ ପ୍ରସବ ନୋହି ବଢ଼ କଷ୍ଟ ଦିଏ ।

ପ୍ରସବ ନୋହିଲେ ମୁହିଁ ମରିବି ନିଶ୍ଚୟେ ॥ .

କେଉଁ ଗର୍ଭ ଏତେକାଳ ପ୍ରସବି ନରହେ ।

ଏ କଷ୍ଟୁ ଉଦ୍ଧର ପ୍ରଭୁ ହୋଇଣ ସଦୟେ ॥

ଅଚଳା ମୋତେ ଚଳାଏ ସେହି ଗର୍ଭ ଭାରି ।

ପୁଷ୍ପରିଣୀକୁ ଚଞ୍ଚଳ କରେ ଯଥା କରି ॥

ଧରା ବଚନେ କହନ୍ତି ଦେବ ଚକ୍ରଧର ।

ତାତିଲା ଲତାକୁ ଯଥା କରେ ବର୍ଷଜଳ ॥

ହେ ଧରେ ତୁମ୍ଭର ଗର୍ଭ ଦୁଃଖ ଅଳ୍ପକାଳେ ।

ନଷ୍ଟହେବ ସେଥିପାଇଁ ନଭାଳ ମନରେ ॥

ରଜସ୍ଵଳା କାଳେ ବରାହଙ୍କ ସଙ୍ଗ ଯୋଗେ ।

ଅସୁରଗର୍ଭ ହେବାରୁ ଦୁଃଖଦେଇ ଭୋଗେ ॥

ତୁମ୍ଭ ଗର୍ଭକଥା ଜାଣି ବ୍ରହ୍ମାଦି ଅମରେ ।

ଦୃଢ଼ ଶକ୍ତିରେ ବାନ୍ଧିଣ ଅଛନ୍ତି ସତ୍ୱରେ ॥

ସୃଷ୍ଟି ଆଦ୍ୟେ ଯଦି ତୁମ୍ଭ ଗର୍ଭଜାତ ହେବ ।

ସୁରାସୁର ତ୍ରିଲୋକକୁ ବିନାଶ କରିବ ॥

ଏଣୁ ଗର୍ଭବଳ ବୀର୍ଯ୍ୟ ଜାଣି ବ୍ରହ୍ମା ଆଦି ।

ଜଗତର ହିତେ ଗର୍ଭ କରିଛନ୍ତି ବନ୍ଦି ॥

ଆଦ୍ୟସୃଷ୍ଟି ସତ୍ୟଯୁଗ ଭୋଗ ହେବା ପରେ ।

ତୁମ୍ଭେ ଗର୍ଭ ପ୍ରସବିବ ତ୍ରେତା ଯୁଗାନ୍ତରେ ॥

ଏ ସମୟତକ ତୁମ୍ଭେ ଅପେକ୍ଷା କରିବ ।

ମୋ ଅନୁଗ୍ରହରୁ ଗର୍ଭ ଦୁଃଖ ନହୋଇବ ॥

ମାର୍କଣ୍ଡେୟ ଉବାଚ

ଏତେ କହି ଜଗନ୍ନାଥ ପାଞ୍ଚଜନ୍ୟ ଶଙ୍ଖେ ।

କ୍ଷିତି ନାଭିମଣ୍ଡଳକୁ ଛୁଇଁଲେ ପ୍ରତ୍ୟକ୍ଷେ ॥

ସ୍ପର୍ଶମାତ୍ରେ କ୍ଷିତି ଗର୍ଭ ଲଘୁତା ଭଜିଲା ।

ଗର୍ଭଭାର କମି ଧରା ଆନନ୍ଦିତା ହେଲା ॥

ଅଗର୍ଭା ରମଣୀ ତୁଲ୍ୟ ହେଲେ ଧରାଦେବୀ ।

ପୁଣି କହନ୍ତି ଆଶ୍ଵାସି ଜଗନ୍ନାଥ ଭାବି ॥

ତୁମ୍ଭେ ଜଗତର ଧାତ୍ରୀ ସର୍ବ ବସୁଧର ।

ତେଣୁ ବସୁନ୍ଧରା ନାମ ତ୍ରିଲୋକେ ତୁମ୍ଭର ॥

ଯେତେ ତୁମ୍ଭ ପୁତ୍ରଜନ୍ମ ହେବସେ ସମୟେ ।

ମୋତେ ସ୍ମରିଲେ ପୁତକୁ ପାଳିବି ନିଶ୍ଚୟେ ॥

ଏ ଗୁପ୍ତ କଥାକୁ କାହା ଆଗେ ନକହିବ ।

ମୋ କଥା ସ୍ମରଣ ରଖି ତୁନି ହୋଇଥିବ ॥

ତ୍ରେତାଯୁଗ ମଧ୍ୟଭାଗେ ପୁତ୍ର ଜନ୍ମ ହେବ ।

ରାମଙ୍କ ହସ୍ତରେ ଯେବେ ରାବଣ ମରିବ ॥

ପୃଥ୍ୱୀଙ୍କୁ ଏପରି ବୋଧି ଦେବ ଭଗବାନ ।

ଅନ୍ତର୍ଦ୍ଧାନ ହୋଇଗଲେ କମଳା ରମଣ ॥

ଧରାଦେବୀ ମଧ୍ୟ ଗର୍ଭ ଲଘୁତାକୁ ପାଇ ।

ଆନନ୍ଦେ ତହୁଁ ଚଳିଲେ ଗର୍ଭକଷ୍ଟ ନାହିଁ ॥

ଜଗନ୍ନାତା ଧରାଦେବୀ ଜଗତ୍ପିତା ହରି ।

ପ୍ରଭାକର ଗୀତେ କହେ ସେ ଦୁହିଁଙ୍କୁ ସ୍ମରି ॥

 

ଇତି ଶ୍ରୀ କାଳିକାପୁରାଣେ

ସପ୍ତତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୮ ॥

 

ମାର୍କଣ୍ଡେୟ ଉବାଚ

ବହୁକାଳ ଅନ୍ତେ ବିଦେହ ଦେଶର ରାଜା ।

ଜନକନାମେ ହୋଇ ପାଳନ୍ତି ସୁଖେ ପ୍ରଜା ॥

ସର୍ବ ରାଜଗୁଣଯୁକ୍ତ ରାଜନୀତି ବିଜ୍ଞ ।

ସତ୍ୟବାଦୀ କାର୍ଯ୍ୟଦକ୍ଷ ସର୍ବଶାସ୍ତ୍ରେ ପ୍ରାଜ୍ଞ ॥

ଦେବ ଦ୍ଵିଜ ଗୁରୁପୂଜା ତତ୍ପର ସେ ନୃପ ।

ମୁନିପ୍ରିୟ ସର୍ବଲୋକ ପାଳକ ସେ ଭୂପ ॥

ତାହାଙ୍କର ପୁତ୍ର କନ୍ୟା କିଛି ହେଲେ ନାହିଁ ।

ତେଣୁ ମନେ ବହୁଚିନ୍ତା ସର୍ବଦା ଖେଳଇ ॥

ଦିନେ ସେ ନାରଦ ମୁଖୁ ଶୁଣିଲେ ଏମନ୍ତ ।

ଅପୁତ୍ରିକ ଥିଲେ ରାଜା ନାମ ଦଶରଥ ॥

ପୁତ୍ରେଷ୍ଟି ଯାଗ କରିଣ ଲଭିଲେ ସେ ସୁତ ।

ଚାରିଟି ରାମ ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ॥

ମହାବଳୀ ମହାବୀର ସେମାନେ ହୋଇଲେ ।

ଏହାଶୁଣି ଜନକ ଅନ୍ତଃପୁରକୁ ଗଲେ ॥

ରାଣୀମାନଙ୍କୁ କହନ୍ତି ଯଜ୍ଞେ ପୁତ୍ରଲାଭ ।

ହୋଇପାରେ ତେଣୁ ଯାଗ କରିବା ସୁଲଭ ॥

ଚାରିଭାର୍ଯ୍ୟାଙ୍କ ସହିତ ଦୀକ୍ଷିତ ହୋଇଲେ ।

ଶତାନନ୍ଦ ମୁନିଙ୍କୁ ସେ ପୁରୋହିତ କଲେ ॥

ଯଜ୍ଞଭୂମି ଚଷିବା ସମୟେ ଲଙ୍ଗଳରେ ।

କନ୍ୟାଏକ ଲଭିଲେ ସେ ହଳ ସିଆରରେ ॥

କନ୍ୟାକୁ ପାଇଣ ରାଜା ଅତି ଆନନ୍ଦିତ ।

ସେକାଳେ ପୃଥିବୀ ଦେବୀ କହିଲେ ଏମନ୍ତ ॥

ପୃଥିବ୍ୟୁ ଉବାଚ

ହେ ରାଜା ତୁମ୍ଭଙ୍କୁ ଏହି କନ୍ୟା ପ୍ରଦାନିଲି ।

ପିତୃସ୍ୱାମୀ କୁଳକୁ ମଙ୍ଗଳ ଦେବ ବୋଲି ॥

ଏ କନ୍ୟା ଯୋଗରେ ପୃଥ୍ୱୀଭାର ନାଶଯିବ ।

ରାବଣାଦି ମହାବୀର ଏ ଯୋଗେ ମରିବ ॥

ଏ କନ୍ୟାଯୋଗେ ପିତୃ ଦେବତା ଋଷି ରଣ ।

ପରିଶୋଧ କରି ସ୍ଵର୍ଗବାସୀ ହେବ ଜାଣ ॥

କିନ୍ତୁ ମୋ ପାଶେ ଗୋଟିଏ ପ୍ରତିଜ୍ଞା କରିବ ।

ଗୌତମ ନାରଦ ଶୁଣୁଛନ୍ତି ନରଦେବ ॥

ରାବଣ ରାକ୍ଷସ ମଲେ ପୃଥ୍ୱୀଭାର ଯିବ ।

ସେକାଳେ ମୋ ଗର୍ଭୁ ଏକ ପୁତ୍ର ଜାତ ହେବ ॥

ତୁମ୍ଭ ଯଜ୍ଞଭୂମିରୁ ସେ ହୋଇବ ଉତ୍ପନ୍ନ ।

ତାକୁ ପୁତ୍ରତୁଲ୍ୟ କରି ପାଳିବ ରାଜନ ॥

ବାଲ୍ୟାବସ୍ଥା ପରେ ପୁତ୍ର ନେଇ ମୁଁ ପାଳିବି ।

ପାଖେ ରଖି ମନୁଷ୍ୟ କରିବ ପୁତ୍ର ଭାବି ॥

ମାର୍କଣ୍ଡେୟ ଉବାଚ

ପୃଥିବୀ ବଚନ ଶୁଣି ରାଜା ଆନନ୍ଦରେ ।

ପ୍ରଣମି ତାହାଙ୍କୁ ବଚନ କହନ୍ତି ଧୀରେ ॥

ତୁମ୍ଭେ ଯାହା ଆଦେଶିଲ ପାଳିବି ନିଶ୍ଚୟ ।

ମୋ ଇଚ୍ଛା ପୁରଣ ପାଇଁ ଦର୍ଶନକୁ ଦିଅ ॥

ତୁମ୍ଭେ ସର୍ବ ବିଶ୍ଵଧାତ୍ରୀ ସମସ୍ତଙ୍କୁ ପାଳ ।

ଦର୍ଶନ ଦେଇ ମୋ ପ୍ରାଣକୁ କର ଶୀତଳ ॥

ରାଜାଙ୍କ ବଚନେ ଧରା ହୋଇ ଆନନ୍ଦିତା ।

ମୁନିଙ୍କ ସମକ୍ଷେ ଦେଖାଦେଲେ ଆଦିମାତା ॥

ନୀଳତ୍ପୋଳ ଦଳ ଶ୍ୟାମା ଅକ୍ଷମାଳା ଧରି ।

ମୃଣାଳ ସଦୃଶ ବାହୁଯୁଗ୍ମ ଶୋଭା ଭାରି ॥

ସେ ସୁନ୍ଦରୀ ଲୋକ ଧାତ୍ରୀଙ୍କ ନୟନେ ଦେଖି ।

ଜନକ ପ୍ରଣାମ କଲେ ଭକ୍ତି ହୃଦେ ରଖି ॥

ତହୁଁ ଧରାଦେବୀ ସୀତା କନ୍ୟାଙ୍କୁ ଦେଖିଣ ।

ନିଜକରେ ସ୍ପର୍ଶ କରି କହନ୍ତି ବଚନ ॥

ଏକନ୍ୟା ସୁଲକ୍ଷଣା ତୁମ୍ଭର ହିତେ ରତା ।

ଏହାଙ୍କୁ ହରିଙ୍କୁ ଦେଇ କରିବ ଜାମାତା ॥

ଏତେକହି ନାରଦାଦିଙ୍କୁ ସମ୍ଭାଷି ସ୍ନେହେ ।

ଅନ୍ତର୍ହିତା ହେଲେ ଦେବୀ ସେହିକ୍ଷଣି ଦେହେ ॥

ଜନକ ସୁତାଙ୍କୁ ନେଇ ଆନନ୍ଦେ ସ୍ଵପୁରେ ।

ଗମିଲେ ସୁତାଙ୍କ ନାମ ସୀତାବୋଲି ଦେଲେ ॥

ଯଥାକାଳେ ରାମରୂପେ ପ୍ରଭୁ ଅବତରି ।

ରାବଣାଦି ଦୁଷ୍ଟଙ୍କୁ ଯୁଦ୍ଧରେ ହତ କରି ॥

ତହୁଁ ଧରାଦେବୀ ଜନକଙ୍କ ଯଜ୍ଞସ୍ଥାନେ ।

ପୁତ୍ର ଏକ ପ୍ରସବିଲେ ଆନନ୍ଦିତ ମନେ ॥

ପୁତ୍ରକୁ ଜନ୍ମାଇ ଧରା ବିଷ୍ଣୁଙ୍କୁ ସ୍ମରିଲେ ।

ସ୍ମରଣ ମାତ୍ରକେ ପ୍ରଭୁ ଆସି ପ୍ରବେଶିଲେ ॥

ପ୍ରଭୁଙ୍କୁ ଦେଖି ଧରିତ୍ରୀ ସାଷ୍ଟାଙ୍ଗେ ନମଇ ।

କହିଲେ ବିନୟଭାବେ ପ୍ରଭୁ ମୁଖ ଚାହିଁ ॥

ଏହି ତୁମ୍ଭ ପୁତ୍ରଜାତ ହେଲା ଏ ସ୍ଥାନରେ ।

ଏହାକୁ ପାଳି ମନୁଷ୍ୟ କର ଧାତିକାରେ ॥

ଏହାଶୁଣି ଶ୍ରୀହରି ପୃଥିବୀଙ୍କୁ କହିଲେ ।

ଏ ପୁତ୍ର ତୁମ୍ଭର ମହାବଳୀ ହେବ ଭଲେ ॥

ଯେକାଳେ ଏ ପୁତ୍ରମାନେ ମନୁଷ୍ୟ ଭାବକୁ ।

ଧରିଣ ରାଜା ହୋଇ ପାଳିବ ପୃଥିବୀକୁ ॥

ମନୁଷ୍ୟ ଭାବ ଛାଡ଼ିଲେ ମୃତ୍ୟୁକୁ ଲଭିବ ।

ଷୋଡ଼ଶ ବର୍ଷରେ ଏହି ରାଜପଣ ନେବ ॥

ଧନରତ୍ନ ଗତ ଅଶ୍ଵ ରଥ ବହୁ ଦେବ ।

ଅଚଳା ଲକ୍ଷ୍ମୀଙ୍କୁ ଲଭି ପୃଥିବୀ ଭୋଗିବ ॥

ମନୁଷ୍ୟଙ୍କ ଭାବ ଯେବେ ଯେପରି ହୋଇବ ।

ଏପୁତ୍ର ତୁମ୍ଭର ସେହିଭାବେ ଦିନ ନେବ ॥

ପ୍ରାଗ୍‌ଜ୍ୟୋତିଷପୁର ଏହା ରାଜଧାନୀ ହେବ ।

ସେ ରାଜ୍ୟରେ ରାଜାହୋଇ ପ୍ରଜାଙ୍କୁ ପାଳିବ ॥

ପୃଥିବୀଙ୍କୁ ଏତେକହି ପ୍ରଭୁ ଚକ୍ରପାଣି ।

ସେକ୍ଷଣି ଅନ୍ତର ହେଲେ ଲୋକ ଚିନ୍ତାମଣି ॥

ତହୁଁ ରାଜା ନିତ୍ୟକ୍ରିୟା ସାରି ଆନନ୍ଦରେ ।

ଯଜ୍ଞଭୂମିକୁ ଗମିଲେ ପୁତ୍ର ଦେଖିବାରେ ॥

ଯାଇଁ ଦେଖିଲେ ଚନ୍ଦ୍ରର୍କସମ ମହାଦ୍ୟୁତି ।

ହସ୍ତ ପଦଚାଳି କାନ୍ଦୁଅଛି ସେ ସନ୍ତତି ॥

ବପୁଷ୍ମାନ କାର୍ତ୍ତିକେୟ ପରି ମହାବଳ ।

ଜନ୍ମସ୍ଥାନ ଛାଡ଼ି କିଛିଦୂର ଗଲା ବାଳ ॥

ମୃତ ମନୁଷ୍ୟ ମସ୍ତକ ପାଇ ସେ ବାଳକ ।

ନିଜଶିରେ ଯୋଖି ତାକୁ କାନ୍ଧେ ଅତିରେକ ॥

ତହୁଁ ଜନକ ପୁତ୍ରକୁ ଖୋଜିଣ ଦେଖିଲେ ।

କିଛିଦୂରେ କାନ୍ଦୁଛି ସେ ରକ୍ଷା ଅଭାବରେ ॥

ଅଗ୍ନିସମ ତେଜସ୍ଵୀ ଚନ୍ଦ୍ରତୁଲ୍ୟ କାନ୍ତି ।

ପୁତ୍ରକୁ ପାଇ ରାଜା ପୃଥ୍ଵୀ କଥା ଭାବନ୍ତି ॥

ଧରି ଦେଖିଲେ ତା ଶିରେ ମନୁଷ୍ୟ ମସ୍ତକ ।

ପୁତ୍ରକୁ ନେଇ ଗୌତମଙ୍କୁ କହିଲେ ଦେଖ ॥

ତହୁଁ ଅନ୍ତଃପୁରେ ନେଇ ରାଣୀକୋଳେ ଦେଲେ ।

ଏ ଆମ୍ଭ ପୁତ୍ରକୁ ପାଳ ପାଇଲି ବାଟରେ ॥

ପୃଥ୍ୱୀଙ୍କ କଥାକୁ ନକହିଲେ ରାଣୀଆଗେ ।

ପୁତ୍ରର ସୌନ୍ଦର୍ଯ୍ୟ ଦେଖି ରାଣୀ ମନ ଲାଗେ ॥

ଦେବ ପୁତ୍ରତୁଲ୍ୟ ସେହି ତନୟ ଶେଖର ।

ରାଜାଙ୍କ ଆଦେଶେ ରାଣୀ ପାଳିଲେ ତତ୍ପର ॥

ଶୁକ୍ଳପକ୍ଷ ଶଶୀପରି ବଢ଼େ ଦିନେ ଦିନେ ।

ପ୍ରଭାକର କାଳିକାପୁରାଣ ଗୀତେ ଭଣେ ॥

 

ଇତି ଶ୍ରୀ କାଳିକାପୁରାଣେ

ଅଷ୍ଟତ୍ରିଂଶୋଽଧ୍ୟାୟଃ ।

✽✽✽

 

॥ ୩୯ ॥

 

ମାର୍କଣ୍ଡେୟ ଉବାଚ

ତହୁଁ ଜନକ ନୃପତି ଗୌତମଙ୍କ ଦ୍ଵାରା ।

ମାନୁଷ ସଂସ୍କାର କରାନ୍ତି ପୁତ୍ରର ତ୍ଵରା ॥

ଋକଯଯୁ ସାମବେଦ ମନ୍ତ୍ରମାନଙ୍କରେ l

ଦଶବିଧ ସଂସ୍କାର କଲେ ସେ ବିଧାନରେ ॥

ନରମୁଣ୍ଡ ପୁତ୍ରଶିରେ ସଂଯୋଗ ଦେଖିଣ ।

ଗୌତମ ରଖିଲେ ପୁତ୍ରର ନରକ ନାମ ॥

କ୍ଷତ୍ରିୟ ବିଧିରେ ସଂସ୍କାରାଦି କଲେ ରାଜା ।

ଜନକପୁରେ ବଢ଼ିଲା ସେ ଭୂମି ଆତ୍ମଜା ॥

ଶସ୍ତ୍ର ଶାସ୍ତ୍ର ବିଦ୍ୟାରେ ନିପୁଣ ହେଲା ବଳି ।

ପୃଥ୍ଵୀ ଧାତ୍ରୀରୂପ ଧରି ସେ ପୁତ୍ରକୁ ପାଳି ॥

ବଳେ କୌଶଳେ ଯୁଦ୍ଧରେ ଖେଳେ ବ୍ୟାୟାମରେ ।

ରାଜାପୁତ୍ରଙ୍କୁ ବଳିଲା ନରକ ଯେ ଖରେ ॥

ଷୋଳବର୍ଷ ବୟସ ହୋଇଲା ସେ ପୁତ୍ରର l

ମନୁଷ୍ୟ ବ୍ୟବହାରରେ ହେଲା ସେ ତତ୍ପର ॥

ସର୍ବଦା ମନୁଷ୍ୟଭାବ ପୃଥ୍ଵୀ ଧାତ୍ରୀରୂପେ ।

ପୁତ୍ରକୁ ଶିଖାଇଲେ ଶ୍ରୀହରି କଥା କଳ୍ପେ ॥

ଦେହ ବୀର୍ଯ୍ୟ ରୂପବଳ ଧନୁ ଗଦା ଖେଳେ ।

ସବୁ ପୁତ୍ରଙ୍କୁ ବଳିଲା ନରକ ସେଠାରେ ॥

ଜନକ ଦେଖି ମନରେ ଚିନ୍ତିତ ହୋଇଲେ ।

ମହା ବଳଶାଳୀ ହେଲା ଏ ନରକ ଖରେ ॥

ମୋ ଅନ୍ତେ ମୋ ସୂତଙ୍କୁ ଏ ପରାଜୟ କରି ।

ଗ୍ରହଣ କରିବ ବଳେ ରାକ୍ୟ ସୁଖଶିରୀ ॥

ଅନ୍ତଃପୁରେ ସବୁପୁତ୍ରଙ୍କ କ୍ରୀଡ଼ା ଦେଖିଣ ।

ସବୁଠାରୁ ବଳୀ ନରକକୁ ସେ ଜାଣିଣ ॥

ମନରେ ଚିନ୍ତିତ ହୋଇ କିଛି ନକହନ୍ତି ।

ଧାତ୍ରୀରୂପା ଧରାଦେବୀ ସେ ସବୁ ଜାଣନ୍ତି ॥

ରାଜାଙ୍କ ଭାବକୁ ଦେଖି ପାଟ ମହାରାଣୀ ।

ଦିନେ ଏକାନ୍ତେ ପୁଛିଲେ ଜନକଙ୍କୁ ପୁଣି ॥

ଗୋଟିଏ କଥା କହିବି ଯଦି ଗୁପ୍ତ ନୁହେଁ ।

ପ୍ରକାଶିବ ମୋ ଆଗରେ ଶୁଣ ନରରାୟେ ॥

ଯେବେ ପୁତ୍ରେ କ୍ରୀଡ଼ା କରନ୍ତି ତୁମ୍ଭ ସମକ୍ଷେ ।

ସେବେଳେ ନରକଙ୍କୁ ଦେଖିଣ ରହ ଦୁଃଖେ ॥

ତେଣୁ ମୋ ମନରେ ଚଡ଼ ବିସ୍ମୟ ଜନ୍ମଇ ।

ସନ୍ଦେହ ଓ ଭୟରେ ମୁଁ କାତର ହୁଅଇ ॥

ରୂପ ବୀର୍ଯ୍ୟଶାଳୀ ନ୍ୟାୟ ବିନୟେ ପ୍ରଧାନ ।

ସର୍ବକାର୍ଯ୍ୟ କୁଶଳ ଏ ନରକ ନନ୍ଦନ ॥

ଏହାଦେଖି ତୁମ୍ଭ ମନେ କଷ୍ଟ କିମ୍ପା ହୁଏ ।

ଏଥିରେ କି ହେତୁଅଛି ମୋ ଆଗେ କହହେ ॥

ରାଣୀଙ୍କ ବଚନେ ରାଜା କ୍ଷଣେ ତୁନି ହୋଇ ।

ପୁଣି ବିଚାରି କହିଲେ ରାଣୀମୁଖ ଚାହିଁ ॥

ଯାହା ପଚାରିଲ ତାହା କହୁଅଛି ଶୁଣ ।

ମାସତ୍ରୟ ଅନ୍ତେ ଜାଣିବ ଏ ସବୁ କାରଣ ॥

ଦୈବୀପ୍ରତିଜ୍ଞା କରିଛି କିଛି ନ କହିବି ।

ଅତିଗୁପ୍ତ ବିଷୟକୁ ପରେ ଜଣାଇବି ॥

ମାର୍କଣ୍ଡେୟ ଉବାଚ

ରାଜା ରାଣୀଙ୍କର ଏହି କଥାକୁ ଶୁଣିଣ ॥|

ଧାତ୍ରୀରୂପା ଧରାଦେବୀ ଚିନ୍ତିଲେ ମନେଣ ॥

ମାସତ୍ରୟ ଅନ୍ତେ ହେବ ଷୋଡ଼ଷ ବତ୍ସର ।

ମୋ ପୁତ୍ର ନରକ କଥା ଜାଣିବେ ସକଳ ॥

ଏତେ ବିଚାରି ଗୌତମ ସହିତ ରାଜାଙ୍କୁ ।

ଏକାନ୍ତେ ପୃଥିବୀ ଦେବୀ କହିଲେ ତାହାଙ୍କୁ ॥

ଯେଉଁ ସମୟ ମୁଁ ଚାହିଁଥିଲି ପୁତ୍ର ପାଇଁ ।

ତାହା ଏବେ ଶେଷ ପ୍ରାୟ ତେଣୁ ମୁଁ କହଇ ॥

ମୋ ପୁତ୍ରକୁ ପାଳି ମନୁଷ୍ୟ ଭାବ ଶିଖାଇ ।

ଶସ୍ତ୍ର ଶାସ୍ତ୍ର ନ୍ୟାୟ ବୁଦ୍ଧି ଶିଖାଇଛ ନେଇ ॥

ତୁମ୍ଭ ଅନୁଗ୍ରହେ ମୋର ପୁତ୍ର ସୁଖୀ ହେବ ।

ଏବେ ଏହାକୁ ନେଉଛି କିମ୍ପା ଏଥି ଥିବ ॥

ଅନୁଜ୍ଞା ଦେଇ ଆମ୍ଭଙ୍କୁ ସୁଖି କର ତୁମ୍ଭେ ।

ମୋ ପ୍ରତିଜ୍ଞାକୁ ରଖିବ ଜଣାଉଛି ଏବେ ॥

ଗୁପ୍ତଭାବେ ମୁଁ ପୁତ୍ରକୁ ନେବି ଏ ସ୍ଥାନରୁ ।

ମନରେ ଦୁଃଖ ନକର ଯାଉଛି ଏଠାରୁ ॥

ମାର୍କଣ୍ଡେୟ ଉବାଚ

ଜନକଙ୍କୁ ଧରାଦେବୀ ଏତକ କହିଣ ।

ସେ ସ୍ଥାନରୁ ଅନ୍ତର୍ଦ୍ଧାନ ହେଲେ ସେହିକ୍ଷଣ ॥

ଏକାନ୍ତରେ ନରକକୁ କହନ୍ତି ଧରିତ୍ରୀ ।

ତୁମ୍ଭ ସଙ୍ଗେ ଗଙ୍ଗାକୁ ଯିବାକୁ ଇଛା ଭାରି ॥

ରଥେ ଚଢ଼ୁ ତୁମ୍ଭ ସଙ୍ଗେ ଯିବି ଗଙ୍ଗା ପାଶେ ।

କି ଇଛା ତୁମ୍ଭର କହ ପୁତ୍ର ମୋତେ ତୋଷେ ।

ପିତାଙ୍କୁ ନକହି ତୁମ୍ଭ ସଙ୍ଗେ ଯିବିନାହିଁ ।

ପିତା କହିଲେ ନିଶ୍ଚୟ ଯିବା ସଙ୍ଗ ହୋଇ ॥

ଗୌତମଗୁରୁ ତାହାଙ୍କ ସୁତ ଶତାନନ୍ଦ ।

ତାହାଙ୍କୁ ଜଣାଇ ଯିବା ଗଙ୍ଗାକୁ ସ୍ଵଛନ୍ଦ ॥

ଏ ରାଜା ଜନକ ତୁମ୍ଭ ପିତା ନୁହେଁ ଜାଣ ।

ଜଗତର ପ୍ରଭୁ ହରି ତୋର ପିତା ପୁଣ ॥

ମୋ ସଙ୍ଗେ ଟଙ୍ଗାକୁ ଯାଇ ପିତାଙ୍କୁ ଦେଖିବ ।

ଏ ପାଳକ ରାଜା ତୋତେ ରାଜ୍ୟକୁ ନଦେବ ॥

ଯେ ରାଜ୍ୟ ଦେଇ କରିବେ ତୋତେ ରାଜେଶ୍ଵର ।

ତାଙ୍କ ପାଖୁ ଚାଲ ଯିବା ବିଳମ୍ବ ନକର ॥

ଅନ୍ୟ ଗୁପ୍ତକଥା ସବୁ କହିବି ସେଠାରେ ।

ପିତାଙ୍କୁ ଦେଖି ଜାଣିବ ସବୁକଥା ବଳେ ॥

ଧାତ୍ରୀମାତା କଥାରେ ବିଶ୍ଵାସ କରି ସେହି ।

ବିନା ଯାନେ ପଦବ୍ରଜେ ଗଲେ ସଙ୍ଗ ହୋଇ ॥

ଗଙ୍ଗାରେ ପୁତ୍ରକୁ ସ୍ନାନ କରାଇ ସେ ଧାତ୍ରୀ ।

ନିଜରୂପ ଧରି ପୁତ୍ରକୁ ଦେଖେ ଧରିତ୍ରୀ ॥

ମାୟା ମନୁଷ୍ୟ ରୂପକୁ ଛାଡ଼ି ବନମାଳୀ ।

ନିଳୋତ୍ପଳ ଦଳ ଶ୍ୟାମବର୍ଣ୍ଣ ମୂର୍ତ୍ତି ଧରି ॥

ସର୍ବାଙ୍ଗ ସୁନ୍ଦର ନାନା ଭୂଷଣେ ଭୂଷିତ ।

ପୁତ୍ରକୁ ଦେଖାନ୍ତି ଧରା ପ୍ରଭୁ ଜଗନ୍ନାଥ ॥

ପୂର୍ବକଥା ପୁତ୍ରଆଗେ କହି ବିସ୍ତାରି ।

ହେ ପୁତ୍ର ତୁମ୍ଭଙ୍କୁ ବନ୍ଧୁକାଳ ଗର୍ଭେ ଧରି ॥

ବ୍ରହ୍ମାଦି ଅମରେ ମିଳି ଆଲୋଚନା କଲେ ।

ମଳିନୀ କ୍ଷତିତି ଗର୍ଭରୁ ପୁତ୍ର ଜନ୍ମ ହେଲେ ॥

ଅସୁର ପ୍ରକୃତି ହୋଇ ଆମ୍ଭଙ୍କୁ ମାରିବ ।

ଏଣୁ ଗର୍ଭେଥାଇ ଜନ୍ମ ନୋହୁ ଏହି ଗର୍ଭ ॥

ଏହା ବିଚାରି କୁମନ୍ତ୍ରେ ଗର୍ଭକୁ ବାନ୍ଧିଲେ ।

ବହୁ କଷ୍ଟ ପାଇଲି ମୁଁ ଏ ଗର୍ଭର ଭାରେ ॥

ତହୁଁ ମୁଁ ଶରଣ ଗଲି ଶ୍ରୀହରିଙ୍କ ପାଶେ ।

ତାଙ୍କ ପ୍ରସାଦେ ତୁମ୍ଭେ ଜନ୍ମିଲ ବିନାକ୍ଳେଶେ ॥

ଏ ସତ୍ୟ ବଚନ ପୁତ୍ର ଜାଣ ନିଶ୍ଚୟରେ ।

ମୁଁ ଧରିତ୍ରୀ ତୁମ୍ଭ ମାତା ଜାଣ ଅକାତରେ ॥

ଜଗତ୍‌ପିତା ନାରାୟଣ ତୁମ୍ଭର ଜନକ ।

ଯେ ସୃଷ୍ଟି ସ୍ଥିତି ଅନ୍ତକୁ କରନ୍ତି ଅନେକ ॥

ବରାହ ରୂପରେ ବାରାହୀ ମୋହ ସହିତ ।

କ୍ରୀଡ଼ା କରି ଜନ୍ମାଇଲେ ତୁମ୍ଭକୁ ହେ ସୁତ ॥

ତାଙ୍କ ଆଦେଶେ ଜନକ ଯଜ୍ଞଭୂମି ଠାରେ ।

ଧରାଙ୍କ ବଚନେ ସେ ନରକ ମହାମନା ।

ଦୁଃଖିତ ହୋଇ କହିଲା ଧରାଆଗେ ସିନା ॥

ତୁମ୍ଭଙ୍କୁ ମୁଁ ମାତା ବୋଲି ଜାଣିପାରୁ ନାହିଁ ।

ଶ୍ରୀହରି ମୋର ଜନକ ଏହା ନଜାଣି ॥

ମୋ ପିତା ଜନକରାଜା ତାଙ୍କ ରାଣୀ ମାତା ।

ତାଙ୍କପୁତ୍ରେ ମୋର ଭାଇ ମୋ ଭଗିନୀ ସୀତା ॥

ତ୍ରିଲୋକେ ସୁମତୀ ରାଣୀ ପୁତ୍ର ମୁଁ ଜାଣନ୍ତି ।

କାତ୍ୟାୟନୀ ଧାତ୍ରୀ ତୁମ୍ଭେ ଏଥେ ନାହିଁ ଭ୍ରାନ୍ତି ॥

ତୁମ୍ଭେ ଯା କହିଲା ତାହା ମିଥ୍ୟା ବୋଲି ଜାଣି ।

ତୁମ୍ଭ ପୁତ୍ର ଯଦି ସତ୍ୟ କହ ପରିମାଣି ॥

 

 

ମାର୍କଣ୍ଡେୟ ଉବାଚ

ପୁତ୍ର ବଚନେ ଧରିତ୍ରୀ କହନ୍ତି ସଧୀରେ ।

ମଳିନୀସହ ସମ୍ଭୋଗ ବରାହ ରୂପରେ ॥

ଦେବଙ୍କ କୂମନ୍ତ୍ରେ ଗର୍ଭ ପ୍ରସବ ନୋହିଲା ।

ଶ୍ରୀହରିଙ୍କ ଅନୁଗ୍ରହେ ଗର୍ଭ ନଷ୍ଟ ଗଲା ॥

ଜନକ ଯଜ୍ଞଭୂମିରେ ଯେପରି ପ୍ରସବ ।

ଜନକ ସଙ୍ଗେ ପ୍ରତିଜ୍ଞା ହେଲା ଯଥାପୂର୍ବ ॥

ମନୁଷ୍ୟ ରୂପେ ଧାତ୍ରୀ ହୋଇଲେ ଧରାଦେବୀ ।

ସେ ସବୁକଥା କହିଲେ ନରକକୁ ଭାବି ॥

ରଷୟ ଉବାଚ

କିମ୍ପାଇ ସମୟ ଦେଲେ ପ୍ରଭୁ ଚକ୍ରଧର ।

ରାମହସ୍ତେ ରାବଣର ବଧ ହେବା ପର ॥

ନରକର ଜନ୍ମହେବ ଏ ବଡ଼ ସନ୍ଦେହ ।

ନିରାଶ ନକର କହ ତୁମ୍ଭେ ଦୟାମୟ ॥

ମାର୍କଣ୍ଡେୟ ଉବାଚ

ମାଂସଭୋଜୀ ରାବଣାଦି ଭାର ବସୁନ୍ଧରା ।

ପଞ୍ଚଯୋଜନ ତଳକୁ ଦବି ପଶିଗଲା ॥

ସେକାଳେ ଯଦି ନରକ ଜନ୍ମ ହୋଇଥାନ୍ତା ।

ତାହା ଭାରରେ ପୂଥବୀ ପାତାଳେ ପଶନ୍ତା ॥

ଏହାଜାଣି ଶ୍ରୀପତି ରାବଣ ବଧ ପରେ ।

ନରକର ଜନ୍ମ ହେବ ବୋଲି କହିଥିଲେ ॥

ତହୁଁ ନରକ ପୃଥ୍ୱୀକୁ କହିଲା ଏମନ୍ତ ।

ଧରାବାକ୍ୟେ ସଂଶୟ ନୁହଇ ପରାହତ ॥

ଯେବେ ମୋର ପିତା ବିଷ୍ଣୁ ମାତାଧରା ତୁମ୍ଭେ ।

ତେବେ ହରି ଆସନ୍ତୁ ମୋପାଖୁ ମନଦମ୍ଭେ ॥

ସର୍ବଲୋକେଶ ସେ ହରି କହିବେ ମୋ ଆଗେ ।

ମୋର ପିତା ତୁମ୍ଭେ ମାତା ତେବେ ମୁଁ ସରାଗେ ॥

ବିଶ୍ଵାସ କରିବି ତୁମ୍ଭେ ଯଦି ପୃଥ୍ଵୀଦେବୀ ।

ସ୍ଵରୂପ ଦେଖାଅ ମୋତେ ବିଶ୍ଵାସ ମୁଁ ଯିବି ॥

ବିଷ୍ଣୁ ବାକ୍ୟେ ତୁମ୍ଭ ରୂପ ଦର୍ଶନ କରିଣ ।

ତୁମ୍ଭ କଥାକୁ ସତ୍ୟ ମଣିବି ଏବେ ଜାଣ ॥

ପୁତ୍ରବାକ୍ୟେ ପୃଥିବୀ ନିଜ ରୂପକୁ ତେଜି ।

କାତ୍ୟାୟନୀ ଧାତ୍ରୀରୂପ ହେଲେ ମନେ ହେଜି ॥

ତହୁଁ ନରକ ଧାତ୍ରୀକୁ ପୂର୍ବ କଥାମାନ ।

ପଚାରି ବୁଝିଲା ଜନକଙ୍କ ବିବରଣ ॥

ତହୁଁ ନରକ ମନରେ ବିଶ୍ଵାସ ଜନ୍ମିଲା ।

ସେହିକ୍ଷଣି ଧରା ନିଜରୂପ ପ୍ରକାଶିଲ ॥

ପୃଥିବୀ ମନେ ସ୍ମରିଲେ ଦେବ ଚକ୍ରଧର ।

ତକ୍ଷଣେ ଗରୁଡ଼ ଚଢ଼ି ଆସିଲେ ଶ୍ରୀଧର ॥

ନୀଳୋତ୍ପଳ କାନ୍ତି ଦେହ ଶ୍ରୀବତ୍ସର ଚିହ୍ନ ।

ଶଙ୍ଖଚକ୍ର ଗଦା ପଦ୍ମ ଧାରୀ ଭଗବାନ ॥

ତାଙ୍କୁ ଦେଖି ଧରାଦେବୀ ନମସ୍କାର କଲେ ।

ପଦଧୂଳି ନେଇ ନିଜ ଶିରେ ଲଗାଇଲେ ॥

ନରକ ଦେଖି ହରିଙ୍କୁ ଚକ୍ଷୁ ବୁଜିଦେଲା ।

ତାଙ୍କ ତେଜ ନସହିଣ ଭୂମିରେ ବସିଲା ॥

ତହୁଁ ବସୁନ୍ଧରା ପୁତ୍ର ଦେଖାଇ କହିଲେ ।

ଏ ତୁମ୍ଭର ପୁତ୍ର ବୋଲି ପରଚୟ ଦେଲେ ॥

ଶ୍ରୀହରି ଶଙ୍ଖ ଅଗ୍ରରେ ନରକକୁ ଛୁଇଁ ।

ତକ୍ଷଣେ ନରକ ମହା ବଳଶାଳୀ ହୋଇ ॥

ଆନନ୍ଦ ଉତ୍ସାହଯୁକ୍ତ ହୋଇଲା ନରକ ।

ଉଠି ପ୍ରଣମିଲା ବିଷ୍ଣୁ ପାଦରେ ଅନେକ ॥

ପୃଥିବୀଙ୍କୁ ମାତା ବୋଲି ପ୍ରଣାମ ସେ କଲା ।

କରଯୋଡ଼ି ଭୟ ହେତୁ କିଛି ନକହିଲା ॥

ପୁତ୍ରପାଇଁ ଜଣାଇଲେ ବସୁନ୍ଧରା ଦେବୀ ।

ଯେପରି ପୁତ୍ରର ସୁଖ ହେବ ତାହା ଭାବି ।

ଧରାବାକ୍ୟେ ଶ୍ରୀହରି କହିଲେ ପୂର୍ବେ ମୁହି ।

ପୁତ୍ର ରାଜ୍ୟକଥା କହି ଅଛି ତୁମ୍ଭ ତହିଁ ॥

ଏହା କହି ହରି ମାତା ପୁତ୍ରଙ୍କୁ ନେଇଣ ।

ଗଙ୍ଗାଜଳେ ବୁଡ଼ିଗଲେ ସେହି ତିନିଜଣ ॥

ବୁଡ଼ିବା ମାତ୍ରକେ ପ୍ରାଗ୍‌ଜ୍ୟୋତିଷପୁରେ ଗଲେ ।

କାମରୂପ ଦେଶେ କାମାକ୍ଷାଦେବୀ ଯହିଁରେ ॥

ନିଜ ରାଜ୍ୟାର୍ଥେ ଶଙ୍କର ସେ ଦେଶକୁ ଗୁପ୍ତେ ।

ରଖି କିରାତ ଶବର ପ୍ରଜା କଲେ ତଥ୍ୟୋ ॥

ସ୍ୱର୍ଣ୍ଣସ୍ତମ୍ବ ତୁଲ୍ୟ ତହିଁ କିରାତ ଶବରେ ।

ଲଣ୍ଡିତ ମୁଣ୍ଡ ମଦ୍ୟମାଂସ ଆହାର କରେ ॥

ବିଷ୍ଣୁ ଦେଖି କ୍ରୋଧେ ନରକକୁ ଆଦେଶିଲେ ।

ଏମାନଙ୍କୁ ବଧି ରାଜା ହୁଅ ଏହିଠାରେ ॥

କିରାତଙ୍କ ଅଧୁପତି ଘାଟକିନାମରେ ।

ଅତିଉଚ୍ଚ ପ୍ରଦୀପ୍ତାଗ୍ନି ସମତେଜ ଧରେ ॥

ସେ କ୍ରୋଧରେ ଚତୁରଙ୍ଗ ବଳ ସଙ୍ଗେ ନେଗ ।

ଶ୍ରୀହରି ନରକ ସଙ୍ଗେ କଲାକ ଲଢ଼ାଇ ॥

ବାଣଘାତେ ଶ୍ରୀହରିଙ୍କୁ କଲା ସେ ଅସ୍ଥିର ।

କିରାତ ସୈନ୍ୟଙ୍କୁ ନେଇ କଲା ଯୁଦ୍ଧ ଘୋର ॥

ଶ୍ରୀହରି ସ୍ଵପୁତ୍ର ନରକକୁ ଆଦେଶିଲେ ।

ଯୁଦ୍ଧେମାରି କିରାତଙ୍କୁ ରାଜ୍ୟକର ଭଲେ ॥

ବିଷ୍ଣୁଙ୍କ ବଚନେ ସେ ନରକ ମହାବଳୀ ।

ଧନୁବାଣ ଅସ୍ତ୍ରଶସ୍ତ୍ରେ ବହୁ ଯୁଦ୍ଧ କରି ॥

ଭଲ୍ଲଅସ୍ତ୍ରେ ଘାଟକର ଶିରକୁ ଛେଦିଣ ।

ଅନ୍ୟ ସେନାପତିଙ୍କୁ ମାରଇ ନାନାବାଣ ॥

ଯେପରି ସିଂହ ଗଜକୁ ବଧଇ ନିର୍ଦ୍ଦୟେ ।

ସେପରି ନରକବୀର କିରାତଙ୍କୁ ଧାଏଁ ॥

ତାଙ୍କରାଜା ଘାଟକ ମରନ୍ତେ ସୈନ୍ୟମାନେ ।

ପଳାଇ ଲୁଚିଲେ ନରକର ବାଣ ତାନେ ॥

କେତେ କିରାତ ଆସିଣ ଶରଣ ପଶିଲେ ।

ତାଙ୍କୁ ରଖି ନରକ ବିଷ୍ଣୁଙ୍କୁ ଜଣାଇଲେ ॥

କିରାତ ରାଜା ଘାଟକ ଯୁଦ୍ଧେ ହତ ହେଲେ ।

ବହୁ ସେନାପତି ତାର ମୋ ହାତରେ ମଲେ ॥

ଏବେ କିକରିବି ଆଜ୍ଞା ଦିଅ ମୋତେ ପିତା ।

ତା ଶୁଣି କହିଲେ ପ୍ରଭୁ ମାର ସେ କିରାତା ॥

ଦିକ୍‌କର ବାସିନୀ ଦେବୀ ଯେ ସ୍ଥାନେ ଅଛନ୍ତି ।

ସେ ମଧ୍ୟରେ ନରଖିବ ଏ କିରାତ ଜାତି ॥

ପଳାଇବା ସୈନ୍ୟଙ୍କୁ ନ ଧରିବ କଦାପି ।

ଶରଣାଗତଙ୍କୁ ରଖ କହିଲି ସଂକ୍ଷପି ॥

ତହୁଁ, ସେ ନରକ ଶୁକ୍ଲହଞ୍ଜି ଆରୋହଣ ।

ଚତୁର୍ଦ୍ଦନ୍ତ କିରାତ ରାଜାର ସେ ବାହାନ ॥

ବଳେ ଏଁରାବତ ସମ ବେଗେ ତାକ୍ଷ୍ୟପୁରୀ ।

କିରାତଙ୍କୁ ଖେଦଇ ସେ ଯହିଁ ଦେବୀ ପୁରୀ ॥

ନରକ ଆସି ହରିଙ୍କୁ ଜଣାଏ ପାଶରେ ।

ସାଗର ପର୍ଯ୍ୟନ୍ତ ତଡ଼ିଲି ମୁଁ କିରାତରେ ॥

ଏବେ କି କରିବି କହ ଶୁଣି ପୁତ୍ରବାଣୀ ।

କହନ୍ତି ଏ ପୂର୍ବଭାଗେ କରତୋୟା ପୁଣି ॥

ଲଳିତ କାନ୍ତା ପର୍ଯ୍ୟନ୍ତ ତୁମ୍ଭପୁର ହେବ ।

ଏ ସ୍ଥାନେ କାମାକ୍ଷାଦେବୀ କହିଛନ୍ତି ଠାବ ॥

ଏ ସ୍ଥାନରେ ବ୍ରହ୍ମପୁତ୍ର ନଦୀ ବିଦ୍ୟମାନ ।

ଦଶଦିଗପାଳେ ଏଥୁ କରନ୍ତି ଆସ୍ଥାନ ॥

ଏ ସ୍ଥାନେ ହରିହର ବିଧିଙ୍କ ଅବସ୍ଥିତି ।

ଚନ୍ଦ୍ରସୂର୍ଯ୍ୟ ସଦାବେଳେ କରନ୍ତି ବସତି ॥

ସର୍ବଦେବେ କ୍ରୀଡ଼ା ପାଇଁ ଏ ସ୍ଥାନେ ଆସନ୍ତି ।

ମହାଲକ୍ଷ୍ମୀ ସଦା ରହି ଭୋଗ୍ୟଦ୍ରବ୍ୟ ପାନ୍ତି ॥

ବ୍ରହ୍ମା ପ୍ରଥମେ ଏସ୍ଥାନେ ନକ୍ଷତ୍ର ସର୍ଜିଲେ ।

ତେଣୁ ପ୍ରାଗ୍‌ଜ୍ୟୋତିଷପୁର ବୋଲି ନାମ ଦେଲେ ॥

ଏ ସ୍ଥାନରେ ରାଜା ହୋଇ ତୁମ୍ଭେ ବାସ କର ।

ମୁଁ ଅଭିଷେକ କରୁଛି ହୁଅ ରାଜ୍ୟେଶ୍ଵର ॥

ବିବାହ ହୋଇ ମନ୍ତ୍ରୀଙ୍କୁ ନେଇ ରାଜା ହୁଅ ।

ଏତେକହି ଶ୍ରୀହରି ପୁତ୍ରଙ୍କୁ କଲେ ମୋହ ॥

ଶିବଙ୍କୁ ଜଣାଇ କିରାତଙ୍କୁ ସାଗରାନ୍ତେ ।

ବାସଦେଇ ନରକକୁ ରାଜାକଲେ ସ୍ଵସ୍ତେ ॥

ଲଳିତକାନ୍ତାଠାରୁ ସାଗର ପର୍ଯ୍ୟନ୍ତରେ ।

କିରାତେ ରହି ଅନ୍ୟସବୁକୁ ଛାଡ଼ିଦେଲେ ॥

ସେ ସ୍ଥାନେ ବେଦଜ୍ଞବିପ୍ର ଆଦି ଶ୍ରେଷ୍ଠ ବର୍ଣ୍ଣ ।

ବାସକରି ରହିକଲେ ତାକୁ ପୁଣ୍ୟସ୍ଥାନ ॥

ବେଦପାଠ ଦାନ ଯାଗ ତହିଁ ପ୍ରସରିଲା ।

କାମାକ୍ଷାଦେଶ ସେ ପୁଣ୍ୟକ୍ଷେତ୍ର ବୋଲାଇଲା ॥

ବିଦର୍ଭ ରାଜଦୁହିତା ମାୟାବତୀ ଆଣି ।

ନରକକୁ ବିଭାକଲେ ଦେବ ଚକ୍ରପାଣି ॥

ଗିରି ଦୁର୍ଗଦ୍ଵାରା ପୂର ସ୍ଵଗୁଷ୍ତେ ରଖିଲେ ।

କିରାତ ରାଜାର ଧନରତ୍ନ ସବୁ ନେଲେ ॥

ଦିବ୍ୟ ଏକରଥ ଦେଲେ ଲୋହଚକ୍ର ଆଠ ।

ଅର୍ଦ୍ଧଯୋଜନ ବିସ୍ତୃତ ସୁଦୃଢ଼ ସେ ଆଣ୍ଟ ॥

ଅଷ୍ଟାଧିକ ସସ୍ରେ ଅଶ୍ୱ ତାହାକୁ ବହନ୍ତି ।

ନାନାବିଧ ରତ୍ନ ତହିଁ ମଣ୍ତି ହୋଇଥାନ୍ତି ॥

ସେ ରଥରେ ମହାଶକ୍ତି ଅସ୍ତ୍ର ହରି ଦେଲେ ।

ପ୍ରାଣ ସଂଶୟ ଏ ଶକ୍ତି ପ୍ରହାରିବ ପରେ ॥

ଅନ୍ୟବେଳେ ଏ ଶକ୍ତି ପ୍ରୟୋଗ ନକରିବ ।

ନରକକୁ ବୁଝାଇଣ କହିଲେ ମାଧବ ॥

ତ୍ରେତାଯୁଗେ ତୁମ୍ଭ ପୁତ୍ର କନ୍ୟା ନହୋଇବ ।

ଦ୍ଵାପରେ ପୁତ୍ର ହୋଇ ଜଗତେ ଖ୍ୟାତ ହେବ ॥

ଦୀର୍ଘଜୀବୀ ହେବାକୁ ଯେବେ ମନ ଅଛି ।

ମୁନିଋଷି ବ୍ରାହ୍ମଣଙ୍କୁ ନକହିବ କିଛି ॥

ଏ ଦୁର୍ଗେ ରହିଣ ରାଜା ଦେବଙ୍କ ସଙ୍ଗରେ ।

ବିରୋଧ ନକରି ସୁଖେ ରହି ଏହିଠାରେ ॥

ଦିବ୍ୟସ୍ତ୍ରୀଙ୍କୁ ଭୋଗକରି କାମରୂପ ଶୈଳେ ।

ବିହାର କରି ଅନ୍ୟତ୍ର ନଯିବ ବାହାରେ ॥

ଗଲେ ମୃତ୍ୟୁକୁ ଲଭିବ ମୋ କଥାକୁ ମାନ ।

ଜଗଦମ୍ବା କାମାକ୍ଷାଙ୍କୁ ପୂଜିବ ଯତ୍ନେଣ ॥

ତାଙ୍କ ବିନା ଅନ୍ୟ ଦେବଦେବୀ ନପୂଜିବ ।

ଏତେକହି ନରକକୁ ଗଲେ ସେ ମାଧବ ॥

ଏକାନ୍ତେ ଧରାଦେବୀଙ୍କୁ କହିଲେ ଶ୍ରୀହରି ।

ପୂର୍ବେ ଯାହା କହିଥିଲି ସେସବୁ ବିସ୍ତାରି ॥

ନରକକୁ ବୁଝାଇବ କହିଲି ତୁମ୍ଭଙ୍କୁ ।

ତୁମ୍ଭେ କହିଲେ ମୁଁ ମାରିଦେବି ନରକକୁ ॥

ପୁତ୍ରପାଇଁ ଏତେ ଯତ୍ନ ମୁହଁ କଲି ଜାଣ ।

ସେ ପୁତ୍ରକୁ ରକ୍ଷାକର ତୁମ୍ଭେ ନାରାୟଣ ॥

ଅସ୍ତୁବୋଲି କହି ଅନ୍ତର୍ହିତ ହେଲେ ହରି ।

ପୃଥିବୀ ହରିଙ୍କ କଥା ନରକେ ଉଚ୍ଚାରି ॥

ନରକ ମଧ୍ୟ ସୁବୁଦ୍ଧି ବେଦଶାସ୍ତ୍ର ଜାଣ ।

ସେ ପୁତ୍ରକୁ ରକ୍ଷାକର ତୁମ୍ଭେ ନାରାୟଣ ॥

ଅସ୍ତୁବୋଲି କହି ଅର୍ନ୍ତହିତ ହେଲେ ହରି ।

ପୃଥିବୀ ହରିଙ୍କ କଥା ନରକେ ଉଚ୍ଚାରି ॥

ନରକ ମଧ୍ୟ ସୁବୁଦ୍ଧି ବେଦଶାସ୍ତ୍ର ଜାଣ ।

ସେ ପୁତ୍ରକୁ ରକ୍ଷାକର ତୁମ୍ଭେ ନାରାୟଣ ॥

ଅସ୍ତୁବୋଲି କହି ଅର୍ନ୍ତହିତ ହେଲେ ହରି ।

ପୃଥିବୀ ହରିଙ୍କ କଥା ନରକେ ଉଚ୍ଚାରି ॥

ନରକ ମଧ୍ୟ ସୁବୁଦ୍ଧି ବେଦଶାସ୍ତ୍ର ଜାଣେ ।

ଦେବ ବ୍ରାହ୍ମଣରେ ଭକ୍ତି ଦାତା ଶ୍ରେଷ୍ଠ ଜଣେ ॥

କାମାକ୍ଷା ପ୍ରଜାରଞ୍ଜକ ନୀଳକୂଟ ଶୈଳେ ।

ମହାଭୋଗୀ ଧନୀହୋଇ ରହିଲା ନିଶ୍ଚଳେ ॥

ବହୁକାଳ ରାଜାହେଲା ସ୍ୱର୍ଗେ ଇନ୍ଦ୍ରପରି ।

ଜନକ ଦେଖିଆସିଲେ ପୁତ୍ରଭାର୍ଯ୍ୟା ଧରି ॥

ପ୍ରାଗ୍‍ଜ୍ୟୋତିଷ ପୁରେ ଦେଖି ନରକ ରାଜାଙ୍କୁ ।

ଅତି ଆନନ୍ଦ ମନରେ କହିଲେ ରାଣୀଙ୍କୁ ॥

ଅମରାବତୀ ସମାନ ସେ ପୁରର ଶୋଭା ।

ନରକ ତହିଁରେ ରାଜା ଯେସନେ ମଘବା ॥

ତୁମ୍ଭ ପାଳିତ ପୁତ୍ର ଏ ନରକ ନୃପତି ।

ଧରାଦେବୀ ସୁତ ଏହି ବରାହ ସନ୍ତତି ॥

ନରକର ପୂର୍ବ ବିବରଣ ସବୁ କଥା ।

ରାଣୀଙ୍କୁ କହନ୍ତି ରାଜା ଛାଡ଼ି ମନବ୍ୟଥା ॥

ବହୁକାଳ ନରକ ପୁରରେ ସୁଖେ ରହି ।

ସ୍ୱଦେଶକୁ ଗଲେ ରାଜା ପୁତ୍ର ଭାର୍ଯ୍ୟା ନେଇ ॥

 

ନରକାସୁର ଚରିତ ଅତି ପୁଣ୍ୟମୟ ।

ପ୍ରଭାକର ଗୀତେ ବୋଲେ କରି ମନ ଥୟ ॥

 

ଇତି ଶ୍ରୀ କାଳିକାପୁରାଣେ

ଊନଚତ୍ୱାରିଂଶତ୍ତମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୪୦ ॥

 

ମାର୍କଣ୍ଢେୟ ଉବାଚ

ଚିରଜୀବି ମହାବଳୀ ସେ ନରକ ରାଜା ।

ମନୁଷ୍ୟ ଭାବରେ ପାଳେ ବହୁକାଳ ପ୍ରଜା ॥

ତ୍ରେତା ଅନ୍ତେ ଦ୍ଵାପର ଯୁଗ ମଧ୍ୟରେ ପୁଣ ।

ବାଣ ମହାସୁର ଶୋଣିତତ୍ପର ରାଜନ ॥

ତାହା ଦୁର୍ଗ ଅଗ୍ନିମୟ ସେ ଶିବଙ୍କ ମିତ୍ର ।

ସହସ୍ର ବାହୁ ସେ ରାଜା ବଳି ପ୍ରିୟପୁତ୍ର ॥

ନରକ ସଙ୍ଗରେ ତାର ମିତ୍ରତା ହୋଇଲା ।

ଯାତାୟାତ ହାଳାପେ ସୌହାର୍ଦ୍ଧ ବଢ଼ିଲା ॥

ସେ ଦୁହିଙ୍କ ମିତ୍ରତା ଅଗ୍ନି ପବନ ପରି ।

ବାଣ ଶିବଙ୍କୁ ସର୍ବଦା ସେବେ ଭକ୍ତି କରି ॥

ଅସୁର ଭାବରେ ବାଣ କରେ ସର୍ବ କାର୍ଯ୍ୟ ।

ତା ଦେଖି ନରକ ତା ଭାବକୁ କଲା ଧାର୍ଯ୍ୟ ॥

ବ୍ରାହ୍ମଣଙ୍କ ପୂଜା ଛାଡ଼ି ଅନାଦର କରେ ।

ଦାନ ଯଜ୍ଞ ନକରିଣ ଅନ୍ୟାୟ ଆଚରେ ॥

ବିଷ୍ଣୁଙ୍କୁ ଭକ୍ତି ନକରେ ପୃଥ୍ଵୀକୁ ନପୂଜେ ।

କାମାକ୍ଷା ଦେବୀଙ୍କୁ ଏବେ ଭକ୍ତିରେ ନଭଜେ ॥

ଏ ମଧ୍ୟରେ ବ୍ରହ୍ନପୁତ୍ର ବଶିଷ୍ଠ ମହର୍ଷି ।

କାମାକ୍ଷା ଦର୍ଶନେ ପ୍ରାଗ୍‌ଜ୍ୟୋତିଷପୁରେ ଆସି ॥

ଦୁର୍ଗମଧ୍ୟେ ନୀଳକୂଟ ଶୈଳ ନିକଟରେ ।

କାମାକ୍ଷା ଦେବୀ ମନ୍ଦିର ବିରାଜେ ଋଚିରେ ॥

ତାଙ୍କ ଦର୍ଶନ ନିମନ୍ତେ ବଶିଷ୍ଠ ରମନ୍ତେ ।

ଦ୍ଵାର ବନ୍ଦ କରିଦେଲା ନରକ ଅଗ୍ରତେ ॥

ତହୁଁ ବଶିଷ୍ଠ କୋପରେ ନରକକୁ କହି ।

ବରାହଙ୍କଠାରୁ ପୂଥ୍ୱୀଗର୍ଭେ ଜନ୍ମ ହୋଇ ॥

ବ୍ରାହ୍ମଣଙ୍କୁ ଦେବୀ ଦର୍ଶନେ ବାଧା ଦେଉଛ ।

ଏହି କୁଳୋଚିତ କର୍ମ ଏପରି କରୁଛ ॥

ଦେବୀଙ୍କୁ ଦର୍ଶନ କରି ପୂଜିବି ଭକ୍ତିରେ ।

ଏଥୁପାଇଁ ଆସିଥିଲି ବହୁତ କଷ୍ଟରେ ॥

ଋଷିଙ୍କ ବାକ୍ୟେ ନରକ କୋପାନ୍ଵିତ ହୋଇ ।

ଭର୍ତ୍ସନା ବାକ୍ୟେ ମୁନିଙ୍କୁ ନିବାରିଲା ତହିଁ ॥

ତହୁଁ ମୁନି କୋପେ ନରକକୁ ଶାପ ଦେଲେ ।

ନରରୂପୀ ବିଷ୍ଣୁ ହାତେ ମରିବୁ ଅଚିରେ ॥

ତୁ ମରିଲେ କାମାକ୍ଷାଙ୍କୁ ପୂଜିବି ମୁଁ ଆସି ।

କେତେଦିନ ମୋତେ ବନ୍ଦି କରିବୁ ତୁ ବସି ॥

ତୁ ବଞ୍ଚୁଥୁବା ପର୍ଯ୍ୟନ୍ତ ଏ କାମାକ୍ଷା ଦେବୀ ।

ସର୍ବ ଅନୁଚର ଘେନି ଏଠୁ ଯିବେ ଦବୀ ॥

ଏତେ କହି ବଶିଷ୍ଠ ସ୍ଵସ୍ଥାନେ ଚଳିଗଲେ ।

ନରକ ବିସ୍ମୟେ ଯାଏ କାମାକ୍ଷା ମନ୍ଦିରେ ॥

ଯାଇଁ ଦେଖି ଦେବୀ କିମ୍ବା ସେଯୋନିମଣ୍ଡଳ ।

କିଛି ନାହିଁ ଶୂନ୍ୟ ପଡ଼ିଅଛି ସେ ମନ୍ଦିର ॥

ନିଜ ପିତା ଶ୍ରୀହରିଙ୍କୁ ସ୍ମରିଲା ଦୁହିଙ୍କୁ ॥

କିନ୍ତୁ ନରକର ଅନ୍ୟାୟ ଆଚାର ଜାଣି ।

ପିତାମାତା ଦୁହେଁ ଦେଖା ନଦେଲେ ସେ କ୍ଷଣି ॥

ବହୁକାଳ ଚାହିଁ ଦେଖା ନପାଇ ତାଙ୍କର ।

ଅତିଦୁଃଖେ ସ୍ଵପୁରକୁ ଗଲା ସେ ପ୍ରଖର ॥

ପୂର୍ବପରି ପୁର ଶୋଭା ନଦିଶଇ ତାକୁ ।

ମଳିନବେଶା ରମଣୀପରି ସେ ତାହାକୁ ॥

ଦେବୀଙ୍କ ଅନ୍ତର୍ଦ୍ଧାନରେ ପୂର ଶ୍ରୀ ବିହୀନ ।

ଦାନଧର୍ମ ରହିତ ହୋଇଲେ ପୂରଜନ ॥

ଦେବ ବିପ୍ର ଋଷିଗଣେ ନ ଆସନ୍ତି ତହିଁ ।

ଯଜ୍ଞକ୍ରିୟା ଉତ୍ସବାଦି ସେ ପୁରରେ ନାହିଁ ॥

ବହୁ ଇତି ଭୟ ହେଲା ମଲେ ବହୁଜନ ।

ବ୍ରହ୍ମପୁତ୍ର ନଦୀ ତହିଁ ହେଲା ଜଳଶୂନ୍ୟ ॥

ବହୁ ବିପରୀତ କଥା ଦେଖିଲା ନରକ ।

ମୁନିଶାପେ ନିଜ ମୃତ୍ୟୁ ଭାବିଲା ଅନେକ ॥

ଅତ୍ୟନ୍ତ ଶୋକଦୁଃଖରେ ସେ ନରକ ନୃପ ।

ମିତ୍ର ବାଣାସୁର ପାଖ ପେଶେ ଦୂତ ଏକ ॥

ସେ ଦୁହେଁ ଏକାନ୍ତ ମିତ୍ର ସ୍ଵର୍ଗ ବୈଦ୍ୟପରି ।

ଅବଶ୍ୟ ମୋ ଦୁଃଖନାଶେ ମନ୍ତ୍ରଣା ସେ କରି ॥

ସେ ମଧ୍ୟ ଶିବଙ୍କ ମିତ୍ର ମହାବଳଶାଳୀ ।

ଏ ବିପଦେ ସହାୟ ହୋଇବେ ଏହା ଭାବି ॥

ଦୂତ ଯାଇ ଶୋଣିତ ପୁରରେ ପ୍ରବେଶିଲା ।

ମୁନିଶାପ ଦେବୀ ତ୍ୟାଗ ସବୁ ଜଣାଇଲା ॥

ବାଣାସୁର ମିତ୍ର ଦୁଃଖ ଦୂତଠାରୁ ଶୁଣି ।

ଅତିବ୍ୟସ୍ତେ ନରକ ପାଖୁ ଗମିଲା ଜାଣି ॥

ସ୍ୱର୍ଣ୍ଣ ରତ୍ନ ଭୂଷିତ ତ୍ରିସହସ୍ର ଘୋଟକ ।

ଲୋହ ଚକ୍ରଯୁତ ରଥ ବହନ୍ତ ଉତ୍ସୁକ ॥

ବ୍ୟାଘ୍ର ମୟୁର ଧ୍ଵଜ ଭୂଷିତ ରଥେ ।

ସ୍ୱର୍ଣ୍ଣ ଦଣ୍ଡ ଶ୍ଵେତଛତ୍ର ଆଗେ ପଡ଼େ ହୁରି ॥

ଚତୁରଙ୍ଗ ସୈନ୍ୟନେଇ ଗମେ ବାଣାସୁର ।

ପ୍ରବେଶ ହୋଇଲା ଯାଇ ପ୍ରାଗ୍‌କ୍ୟୋତିଷପୁରେ ॥

ନରକ ମିତ୍ରକୁ ଦେଖେ ଦୁଃଖିତ ଅନ୍ତରେ ।

ପୁର ଶୋଭାହୀନ ହୋଇ ପଡ଼େ ଛାରଖାରେ ॥

ନରକ ବାଣକୁ ଦେଖି ବିହିତ ସତ୍କାରେ ।

ଆରାଧନା କରି ବସାଇଲା ନିକଟରେ ॥

ବାଣ ପଚାରେ ମିତ୍ରକୁ କିମ୍ପା ଏହା ହେଲା ।

ଏ ସୁନ୍ଦର ପୁର ଶ୍ରୀ ବିହୀନ ହୋଇଗଲା ॥

ତୁମ୍ଭ ଦେହ ଶୁଷ୍କପ୍ରାୟ ମନ ବ୍ୟାକୁଳିତ ।

ଏହାର କାରଣ କହ ମୁଁ ବଡ଼ ବିସ୍ମିତ ॥

ନରକ କହିଲା ବଶିଷ୍ଠଙ୍କ ଶାପଯୋଗେ ।

କାମାକ୍ଷା ଛାଡ଼ିଣ ଗଲେ ଏ ପୁରକୁ ବେଗେ ॥

ତହୁଁ ପୁର ଛାରଖାର ମଳିନ ଦିଶଇ ।

ତାହାଭାବି ମୋ ମନରେ ସୁଖ ଆଉ ନାହିଁ ॥

ବାଣ କହେ ଯାକହିଲ ତାହା ଦୂତଠାରୁ ।

ଶୁଣିଛି ଏବେ ତୁମ୍ଭଙ୍କୁ କହୁଛି ସ୍ନେହରୁ ॥

ସଂସାରୀଙ୍କ ସୁଖଦୁଃଖ ଚକ୍ରପରି ବୁଲେ ।

ସେ ଯୋଗେ ଦୁଃଖିତ ହେବା ଅଭିଧେୟ ଭାଳେଁ ॥

ସେ ଧୀର ସେ ବିପଦରୁ ଉଦ୍ଧାର ନିମନ୍ତେ ।

ପ୍ରତିକାର ଚିନ୍ତାକରେ ଧୈର୍ଯ୍ୟର ସହିତେ ॥

ତୁମ୍ଭେ ଏହି ଦୁଃଖରୁ ଉଦ୍ଧାର ହେବାପାଇଁ ।

ଉପାୟ ଚିନ୍ତିଣ ଅଗ୍ରସର ହୁଅ ତହିଁ ॥

ଯେଉଁ ନର ଅସାଧାରଣ ସମ୍ପତ୍ତି ବଳେ ।

ଦେବ ଅସୁରଙ୍କ ପରି ବଡ଼ ହୋଇ ଚଳେ ॥

ତାହାର ବିଘ୍ନ କରନ୍ତି ନସହି ଅମରେ ।

ତାହା ନଭାବି ଉପାୟ କରହେ ଅଚିରେ ॥

ଏବେ ବିଷ୍ଣୁ ହର ବ୍ରହ୍ମା ହ୍ରରଙ୍କ ମଧ୍ୟରୁ ।

ଜଣକୁ ଆରାଧନାରେ ପୂଜାକର ଭୀରୁ ॥

ତପସ୍ୟା କରି ଇଷ୍ଟଦେବଙ୍କୁ ତୋଷ କର ।

ଇସ୍‌ପିତ ବର ଲଭିଣ ସୁଖରେ ବିହର ॥

ଦେବଙ୍କ ବରବଳରେ ମୁନିଶାପ ନାଶ ।

ହୋଇ ତୁମ୍ଭେ ସଂସାରରେ ଲଭିବ ପୌରୁଷ ॥

ବାଣ ବାକ୍ୟେ ବିଶ୍ଵାସ କରିଣ ସେ ନରକ ।

ତପସ୍ୟା କରିବା ପାଇଁ ହୋଇଲା ଉତ୍ସୁକ ॥

କହେ ବ୍ରହ୍ମାଙ୍କୁ ବ୍ରହ୍ମପୁତ୍ର ନଦୀ କୂଳରେ ।

ପୂଜି ତପସ୍ୟା କରିବି ଅତି କଠୋରରେ ॥

ମିତ୍ରବାକ୍ୟେ ବାଣ ତୁଷ୍ଟି ଲଭି ଚଳିଗଲେ ।

ନରକ ତପସ୍ୟା ପାଇଁ ଉଦ୍ୟତ ହୋଇଲେ ॥

ଶତେବରଷ କଠୋର ତପସ୍ୟା ସେ କଲା ।

ଜଳ ପବନ ଖାଇଣ ଜୀବ ବଞ୍ଚାଇଲା ॥

ତାହା ତପେ ପିତାମହ ସନ୍ତୋଷ ଲଭିଣ ।

ନରକକୁ ଦେଖାଦେଲେ ସେ ହଂସବାହାନ ॥

ବ୍ରହ୍ମାଙ୍କୁ ପ୍ରଣାମ କରି ବିନୟେ କହଇ ।

ମୋ ଇସ୍‌ପିତ ବରଦାନ କର ହେ ଗୋସାଇଁ ॥

ଦେବ ଅସୁର ରାକ୍ଷସ ଦେବଯୋନି ଗଣ ।

ନମାରି ପାରିବେ ଏହି ବର କର ଦାନ ॥

ଚନ୍ଦ୍ରାର୍କ ଥିବା ପର୍ଯ୍ୟନ୍ତ ମୋହର ଏ ବଂଶ ।

ଅବିଚ୍ଛିନ୍ନ ହୋଇ ରହୁ ଏ ମୋର ବିଶେଷ ॥

ତିଳୋତ୍ତମା ଆଦି ଯେତେ ଅପ୍‌ସରା ସୁନ୍ଦରୀ ।

ସେମାନେ ମୋ ପ୍ରିୟବତୀ ହେବେ ପରିଚାରୀ ॥

ସର୍ବତ୍ର ଅଜେୟ ହେବି ଲକ୍ଷ୍ମୀ ନିଶ୍ଚଳରେ ।

ମୋ ଦେହେ ରହିବେ ଏହିବର ଦେବ ମୋରେ ॥

ମାୟା ମୋହିତ ହୋଇ ସେ ମୁନିଙ୍କର ଶାପ ।

ବିସ୍ମରିଣ ନମାଗିଲା ଶାପ ଭଗ୍ନ ନୃପ ॥

ତହୁଁ ବ୍ରହ୍ମା ଅସ୍ତୁ କହି ରାଜାକୁ ତୋଷିଲେ ।

ହେ ନରକ ନଭାଳ ତୁ ଭୋଗ ବିଷୟରେ ॥

ପୁଣି କହିଲେ ସେ ଧାତା ଦ୍ଵାପର ଶେଷରେ ।

ତିଳୋତ୍ତମା ଆଦି ଜାୟାହେବେ ସେହି କାଳେ ॥

ତୁମ୍ଭ ପୁରକୁ ନାରଦ ନ ଆସିବା ଯାଏ ।

ନାରୀସଙ୍ଗ ନକରି ରହିବ ଜିତେନ୍ଦ୍ରିୟ ॥

ଏହା କହି ବ୍ରହ୍ମା ଅନ୍ତର୍ଦ୍ଧାନ ହୋଇଗଲେ ।

ଆନନ୍ଦ ମନେ ନରକ ପୁରକୁ ଚଳିଲେ ॥

ତହୁଁ ସେ ନରକ ପୁର ଆନନ୍ଦେ ଉଛୁଳେ ।

ବିଘ୍ନ ବାଧା ନାହିଁ ସର୍ବେ ଉତ୍ସାହେ ମାତିଲେ ॥

ହସ୍ତି ଅଶ୍ଵ ଗବାଦି ପଶୁରେ ପରିପୂର୍ଣ୍ଣ ।

ସେପୁର ଅମରାବତୀ ସମ ହେଲା ଜାଣ ॥

ତପସ୍ୟାରୁ ମୁକୁଳି ଆସିବା ଶୁଣି ବାଣ ।

ନରକ ସଙ୍ଗରେ ଦେଖାକଲା ସେ ବହନ ॥

ନରକକୁ ପଚାରେ କେଉଁଠି ତପ କଲ ।

କି ଭାବରେ ବ୍ରହ୍ମାଙ୍କୁ ତପରେ ଆରାଧିଲ ॥

କିବର ପାଇଲ ତାହା କହରେ ବିସ୍ତାରି ।

ଏ କ୍ଷଣି ତୁମ୍ଭ ନଗର କୋଳାହଳେ ପୁରି ॥

ବାଣ ବାକ୍ୟେ ନରକ କହଇ ସବୁ କଥା ।

ଯେପରି ଯେ ଯେ ବର ପାଇଲା ସେ ବ୍ୟବସ୍ଥା ॥

ସବୁ ଶୁଣି ବାଣ କହେ ବଶିଷ୍ଠଙ୍କ ଶାପ ।

ଖଣ୍ଡନ ନକଲ ଏବେ ପାଇବ ସେ ପାପ ॥

ଏବେ କହୁଅଛି ଶୁଣ ତୁମ୍ଭ ହିତ ପାଇଁ ।

ମହାଯୋଦ୍ଧା ଦାନବଙ୍କୁ ମନ୍ତ୍ରୀ କର ନେଇ ॥

ମହାବଳୀ ବୀରଙ୍କୁ ଦ୍ୱାରପାଳ କରାଅ ।

ଦେବେନ୍ଦ୍ରଙ୍କୁ ଅତିକ୍ରମ କରି ସୁଖେ ରହ ॥

ବିଧିଦତ୍ତ ବରକୁ ପରୀକ୍ଷା କରି ଏବେ ।

ଅପୁତ୍ରୀ ହୋଇଛ ପୁତ୍ରଲାଭ କର ତେବେ ॥

ଏହା କହି ମିତ୍ରବାଣ ବିଦାୟ ହୋଇଲେ ।

ନରକ ମହା ଆନନ୍ଦେ ସ୍ଵପୁରେ ରହିଲେ ॥

କାଳିକା ପୁରାଣ ରଚେ ବିପ୍ର ପ୍ରଭାକର ।

ସ୍ଵଜନେ ଦୋଷ ନଧରି ଗୁଣ ଘେନା କର ॥

 

ଇତି ଶ୍ରୀ କାଳିକାପୁରାଣେ

ଚତ୍ୱାରିଂଶତ୍ତମୋଽଧ୍ୟାୟଃ ।

✽✽✽

 

॥ ୪୧ ॥

 

ମାର୍କଣ୍ଢେୟ ଉବାଚ

ନିଜଭାର୍ଯ୍ୟା ଗର୍ଭେ ନରକ ନରପତିର ।

ଚାରିପୁତ୍ର ଜାତ ହେଲେ ଶୁଣ ନାମ ତାର ॥

ଭଗଦତ୍ତ ମହାଶୀର୍ଷ ମଦବନ୍ତ ପୁଣି ।

ସୁମାଳି ନାମରେ ଚାରିପୁତ୍ର ତାର ଜନ୍ମି ॥

କ୍ଷଣକେ କରି ପାରନ୍ତି ଶତ୍ରୁଙ୍କ ଦମନ ।

ମହାବଳୀ ପୁତ୍ରଗଣ ଶତ୍ରୁଙ୍କର ଯମ ॥

ବାଣ ବାକ୍ୟେ ହୟଗ୍ରୀବ ମୁରୁକୁ ଡାକିଣ ।

ସେନାପତି ପଦେ ତାଙ୍କ କଲା ସେ ବରଣ ॥

ହୟଗ୍ରୀବ ମୁରୁ ଆସିବା ଶୁଣି ଅସୁରେ ।

ବଳେ ବଳେ ପ୍ରବେଶିଲେ ନରକ ପାଖରେ ॥

ନିସୁଦ ସୁନନ୍ଦ ନାମକ ଦୈତ୍ୟଶ୍ରେଷ୍ଠ ଦୁହେଁ ।

ଆସି ପ୍ରବେଶିଲେ ନରକର ଦ୍ଵାର ମୁହେଁ ॥

ବିରୂପାକ୍ଷ ଦୈତ୍ୟ ଆସି ପ୍ରବେଶ ହୋଇଲା ।

ପଞ୍ଚିମଦ୍ୱାରେ ମୁରୁକୁ ସେନାପତି କଲା ॥

ଉତ୍ତରେ ହୟଗ୍ରୀବ ହୋଇଲା ସେନାପତି ।

ପୂର୍ବଦ୍ଵାରେ ନିସୁନ୍ଦକୁ ରଖେ ନରପତି ॥

ଦକ୍ଷିଣେ ବିରୂପାକ୍ଷ ହେଲା ସେନା ନାୟକ ।

ମଧ୍ୟେ ସୁନ୍ଦକୁ ରଖିଲେ କରି ସୈନାଧ୍ୟକ୍ଷ ॥

ଛ ସହସ୍ର ଖୁରାଯୁକ୍ତ ପାଶ ସଜାଡ଼ିଣ ।

ମୁରୁଦୈତ୍ୟ ରଖିଲା ସେ ଦ୍ଵାରକୁ ଜଗିଣ ॥

ପୂର୍ବମନ୍ତ୍ରୀଙ୍କୁ ଆଦର ନକରେ ନରକ ।

ଅସୁର ମନ୍ତ୍ରୀଙ୍କୁ ରଖିପାଇଲା ସେ ସୁଖ ॥

ପୂର୍ବ ମନୁଷ୍ୟ ଭାବକୁ ପରିତ୍ୟାଗ କଲା ।

ଅସୁର ଭାବକୁ ଧରି ଦେବ ଶତ୍ରୁ ହେଲା ॥

ଦେବ ମୁନି ବିପ୍ରଙ୍କୁ ନଗଣେ ବଡ଼ ପଣେ ।

ହୟଗ୍ରୀବ ସହାୟରେ ଇନ୍ଦ୍ରାଦିଙ୍କୁ ଜିଣେ ॥

ବାଣାସୁର ଉପଦେଶେ ଅଦିତି କୁଣ୍ତଳ ।

ଚୋରକରି ଆଣିଲା ନିର୍ଭୟେ ମହୀପାଳ ॥

ସେ କୁଣ୍ଡଳ ଅମୃତ ସ୍ରବଇ ସବୁବେଳେ ।

ବିବିଧ ରତ୍ନରେ ସେ ନିର୍ମିତ ହୋଇ ଜଳେ ॥

ଏ ଭାବେ ପାଞ୍ଚ ସହସ୍ର ବର୍ଷ ରାଜା ହେଲା ।

ଅସୁରଙ୍କ ଦର୍ପେ କ୍ଷିତି ଭାରାକ୍ରାନ୍ତା ହେଲା ॥

ବିକଳେ ଦରିହର ବିଧ୍ଵଙ୍କ ପାଶେ ଯାଇ ।

ନମସ୍କାର କରି ନିଜ ଦୁଃଖକୁ ଜଣାଇ ॥

ଦୈତ୍ୟଗଣେ ରାଜବଂଶେ ଜନ୍ମ ହୋଇ ଏବେ ।

ମୋତେ ସର୍ବଦା ପୀଡ଼ନ୍ତି ବଳବୀର୍ଯ୍ୟ ଦମ୍ଭେ ॥

ତାଙ୍କ ଭାର ସହି ନପାରି ମୁଁ ଅତିକ୍ଷୀଣା ।

ତାଙ୍କ ମଧ୍ୟେ ଆଠଲକ୍ଷ ପ୍ରଧାନରେ ଗଣା ॥

ବାଣ କଂସ ଅରିଷ୍ଟ ଯେ ପ୍ରଲମ୍ବ ଧେନୁକ ।

ମୁର ଶଳ ଚାଣୁର ଜରାସନ୍ଧ ମୁଷ୍ଟିକ ॥

ନରକ ହୟଗ୍ରୀବ ନିସୁନ୍ଦ ସୁନ୍ଦ ବୀର ।

ବିରୁପାକ୍ଷ ପଞ୍ଚନନ୍ଦ ହିଡ଼ିମ୍ବ କମ୍ବଳ ॥

ଜଟାସୁର କିର୍ମୀର ମଳାୟୁଧା ଲମ୍ବୁଷ ।

ସୌର ଦ୍ଵିବିନ୍ନଦ ଯେ ଶତାୟୁଧ ବାନରେଶ ॥

ଅତିବାହୁ କାଳକଞ୍ଜ ଆଦି ଦୈତ୍ୟଗଣ ।

ପାଦଭରେ ମୋତେ ସଦା ଦିଅନ୍ତି କଷଣ ॥

ଏମାନଙ୍କୁ ବଧକରି ମୋତେ ରକ୍ଷା କର ।

ନହେଲେ ଦୈତ୍ୟଙ୍କ ଦର୍ପେ ନାଶିବ ତ୍ରିପୁର ॥

ଧରାବାକ୍ୟେ ହରିହର ବିଧି ଦେବଗଣ ।

କହିଲେ ତୁମ୍ଭର ଭାର ନାଶିବୁ ବହନ ॥

ପୃଥ୍ୱୀଙ୍କୁ ବିଦାୟ ଦେଇ ସର୍ବ ଦେବଗଣେ ।

ନାରାୟଣଙ୍କ ଶରଣ ନେଲେ ଦୁଃଖମନେ ॥

ତହୁଁ ଶ୍ରୀହରି ବୋଇଲେ ତୁମ୍ଭେ ସର୍ବଦେବେ ।

ମର୍ତ୍ତ୍ୟପୁରେ ଜନ୍ମହୋଇ ରହ ନରଭାବେ ॥

ମୁଁ ମଧ୍ୟ ଦେବକୀ ଗର୍ଭେ ଜନ୍ମକୁ ଲଭିବି ।

ଅସୁରଙ୍କୁ ମାରି ଧରାଭାର ଉଶ୍ଵାସିବି ॥

ତିଳୋତ୍ତମା ଆଦି ଦେବୀଗଣେ ଗୋପୀରୂପେ ।

ଜନ୍ମି ମୋ ସଙ୍ଗେ କ୍ରୀଡ଼ିବେ ବୃନ୍ଦାବନ କଳ୍ପେ ॥

ଦିନେ ରମ୍ଭା ତିଳୋତ୍ତମା ଆଦି ଦେବ ନାରୀ ।

ହିମାଳୟ ଶୃଙ୍ଗେ କ୍ରୀଡ଼ୁଥି‌ଲେ ସହଚରୀ ॥

ସେକାନେ ନରକ ତହିଁ ପ୍ରବେଶ ହୋଇଣ ।

ବଳେ ତାଙ୍କୁ ଧରିନେଲା ସ୍ଵପୁରକୁ ପୁଣ ॥

ତାଙ୍କ ସଙ୍ଗେ ମୈଥୁନ ପାଇଁ ଇସ୍‌ପିତ କଲା ।

ତହୁଁ ସେମାନେ କହିଲେ ରହ କିଛିବେଳା ॥

ନାରଦ ଆସିବେ ତୁମ୍ଭ ପୁରକୁ ଯେବେଳେ ।

ତାଙ୍କ ଆଦେଶ ନେଇଣ ରମିବୁ ଯେ ବଳେ ॥

ନାରୀଙ୍କ ବଚନ କ୍ରମେ ବ୍ରହ୍ମାଙ୍କ ଆଦେଶ ।

ମନେପଡ଼ିବାରୁ ମୈଥୁନରୁ ସେ ହତାଶ ॥

ଏ ମଧ୍ୟରେ ଶ୍ରୀହରି ଦେବକୀ ଗର୍ଭେ ଜନ୍ମି ।

ଗୋପେ ନନ୍ଦଘରେ ବଢ଼ି ଗୋରକ୍ଷଣେ ଭ୍ରମି ॥

କଂଶକେଶି ଆଦି ବହୁ ଦୈତୀଙ୍କୁ ବଧିଲେ ।

ବଳଦେବ ସହିତରେ ଦ୍ଵାରକାକୁ ଗଲେ ॥

ତହିଁ ରହି ରୁକ୍ମିଣ୍ୟାଦି ଅଷ୍ଟ ପାଟରାଣୀ ।

ବିବାହ ହେଲେ ଶ୍ରୀକୃଷ୍ଣ ବଳେ ତାଙ୍କୁ ଆଣି ॥

ତାଙ୍କଠାରେ ପ୍ରଦ୍ୟୁମ୍ନ ଶାମ୍ବାଦି ବହୁସୁତେ ।

ଜାତହେବେ ବିଷ୍ଣୁବୀର୍ଯ୍ୟେ ଅତି ବଳବନ୍ତେ ॥

ସେମାନଙ୍କ ସଙ୍ଗେ ବହୁ ଦୈତ୍ୟଗଣ ନାଶି ।

ପୃଥ୍ୱୀଭାର ନିବାରିଲେ ଦ୍ଵାରକାରେ ବସି ॥

ନରକ ପୀଡ଼ାରେ ଦୁଃଖ ଲଭି ପୁରନ୍ଦର ।

ଦେବଙ୍କ ସହ ମିଳିଲେ ଦ୍ଵାରକା ନଗର ॥

ଇନ୍ଦ୍ରଙ୍କୁ ଦେଖି ଶ୍ରୀହରି କୁଶଳ ପଚାରି ।

କିମ୍ପା ଆସିଲ କହନ୍ତି ଇନ୍ଦ୍ର ଆଗସରି ॥

ବରାହ ବୀର୍ଯ୍ୟରେ ଭୂମି ପୁତ୍ର ଯେ ନରକ ।

ବହୁପୀଡ଼ା ଦେଲା ଆମ୍ଭେ ହେଲୁ ଅରକ୍ଷକ ॥

ଏକ୍ଷଣି ସେ ବାଣାସୁର ଠାରୁ ଶିକ୍ଷା ପାଇ ।

ଧରାବିଷ୍ଣୁ ନମାନି ବଡ଼ ଗର୍ବୀ ହୋଇ ॥

ବ୍ରହ୍ମାଙ୍କୁ ତପେ ତୋଷିଣ ବହୁ ବରନେଲା ।

ଦେବଙ୍କୁ ସ୍ଵଗୁଁ ତଡ଼ୁଛି ରକ୍ଷାକର ଭଲା ॥

ପ୍ରଥମେ ଧାର୍ମିକ ଥୁଲା ଏବେ ବାଣ ମତେ ।

ଅତି ଅନ୍ୟାଚାରୀ ହୋଇ ପୀଡ଼େ ତ୍ରିଜଗତେ ॥

ତିଳୋତ୍ତମା ଆଦି ଷୋଳସହସ୍ର ରମଣୀ ।

ତୁମ୍ଭ ଦର୍ଶନାର୍ଥେ ହିମାଳୟେ ଥଲେ ପୁଣି ॥

ନରକ ଆସି ତାହାଙ୍କୁ ବଳେ ଧରିନେଇ ।

ସ୍ଵପୁରେ ରଖିଛିତାଙ୍କୁ ବହୁକଷ୍ଟ ଦେଇ ॥

ଅଦିତିଙ୍କ ଅମୃତସ୍ରାବି କୁଣ୍ଡଳ ଦ୍ୱୟ ।

ଅପହୃତ କରିନେଲା ସେହି ଦୁରାଶୟ ॥

ସୁରାସୁର ଜେତା ସେହି ଅବଧ୍ୟ ସବୁର ।

ହୟଗ୍ରୀବ ମନ୍ତ୍ରୀ ସଙ୍ଗେ କରଇ ବିହାର ॥

ସମୁଦ୍ରର ସବୁ ରତ୍ନ ତ୍ରିଲୋକର ଧନ ।

ବଳେ ନେଇ ରଖିଅଛି ସେ ଭୌମ ରାଜନ ॥

ଦ୍ରହ୍ମପୁତ୍ର ନଦୀକୂଳେ ନୀଳକୂଟ ଗିରି ।

ତହିଁ ନିର୍ମାଣ କରିଛି ବିଚିତ୍ର ନଗରୀ ॥

ନିର୍ଭୟେ ତହିଁ ରହିନି ପାତ୍ରମନ୍ତ୍ରୀ ଘେନି ।

ତାକୁ ନାଶି ଉଶ୍ୱାସ କରହେ ଏ ଅବନୀ ॥

ଧରା ମଧ୍ୟ ତା ବଧରେ ଦୁଃଖିତା ନୋହିବେ ।

ଯେଣୁ ତାର ବଦ୍ଧ ଆମ୍ଭଙ୍କୁ ମାଗିନି ପୂର୍ବେ ॥

ଇନ୍ଦ୍ରବାକ୍ୟେ ଯଦୁପତି ଗରୁଡ଼ ଆରୋହୀ ।

ସତ୍ୟଭାମା ସଙ୍ଗେ ବିଜେକଲେ ଯଦୁସାଇଁ ॥

ତାଙ୍କ ସଙ୍ଗେ ଇନ୍ଦ୍ର ଦେବଗଣଙ୍କୁ ଘେନିଣ ।

ସ୍ଵର୍ଗକୁ ସର୍ବେ ଚଳିଲେ ହୋଇ ହର୍ଷମନ ॥

ଦେବ ଗନ୍ଧର୍ବେ କୃଷ୍ଣ ଇନ୍ଦ୍ରଙ୍କୁ ଦେଖିଡୋଳେ ।

ତାହାଙ୍କୁ ସନ୍ତୋଷ କଲେ ବିବିଧ ସତ୍କାରେ ॥

ସେ ମଧ୍ୟରେ ନାରଦ ନରକ ପୁର ଯାଇ ।

ନରକ ପୂଜାରେ ବହୁ ସନ୍ତୋଷକୁ ପାର ॥

ମୁନିଙ୍କୁ ପ୍ରସନ୍ନ ଦେଖି ନରକ ପଚାରେ ।

ତିଳୋତ୍ତମା ଆଦି ନାରୀ କହିଛନ୍ତି ମୋରେ ॥

ନାରଦ ଆସିଲେ ଆମ୍ଭେ ଦେବୁ ରତିସୁଖ ।

ଏବେ ତୁମ୍ଭେ ଆସିଛ ନାଶହେ ଆମ୍ଭ ଦୁଃଖ ॥

ଭୌମ ବାକ୍ୟେ କହନ୍ତି ନାରଦ ମହାମୁନି ।

ଆଜି ଚୈତ୍ର ଶୁକ୍ଳ ପଞ୍ଚମୀ ଥାଅ ହେ ଜାଣି ॥

ଏହି ନବମୀରେ ତୁମ୍ଭେ ଆପଦେ ପଡ଼ିବ ।

ତହିଁରୁ ଉଧୁରି ଯେବେ ଚତୁର୍ଦ୍ଦଶୀ ହେବ ॥

ସେଦିନ ଏ ନାରୀ ସଙ୍ଗ ଲଭିବ ଆନନ୍ଦେ ।

କହିଲି ତୁମ୍ଭ ଅଶୁଭ ଶୁଭକୁ ମୁଁ ଖେଦେ ॥

ନାରଦଙ୍କ ବାକ୍ୟେ ଭୌମ ଭୟାକୁଳ ହୋଇ ।

ନଗରକୁ ସୁରକ୍ଷିତ କଲା ଯତ୍ନ ନେଇ ॥

ଭୟ ହର୍ଷଯୁତ ହୋଇ କାଳ ଅପେକ୍ଷିଲା ।

ସେବେଳେ ଶ୍ରାକୃଷ୍ଣଙ୍କର ପ୍ରବେଶ ଯେ ହେଲା ॥

ପ୍ରଥମେ ପଶ୍ଚିମଦ୍ଵାରେ ପ୍ରବେଶ ହୋଇଲେ ।

ଛ ସହସ୍ର ଖରଯୁକ୍ତ ପାଶ ଛିଣ୍ଡାଇଲେ ॥

ସୈନ୍ୟସହ ମୁରୁଦୈତ୍ୟକୁ ବଧ୍ଵଲେ ତହିଁ ।

ଛ ସହସ୍ର ସୈନ୍ୟ ଚକ୍ରେ ଛେଦିଲେ ଗୋସାଇଁ ॥

ତହୁଁ ବହୁଶିଳା ଅତିକ୍ରମ କରି ହରି ।

ନିସୁନ୍ଦକୁ ସୈନ୍ୟ ସହ ନାଶିଲେ ଦୈତ୍ୟାରି ॥

ଯେଉଁ ହୟଗ୍ରୀବ ସର୍ବଦେବଙ୍କୁ ଏକାକୀ ।

ବଧିପାରେ ତାକୁ ଏକା ମାଇଲେ ସେ ଦେଖି ॥

ଜନମଧ୍ୟେ ବିରୁପାକ୍ଷ ସୁନ୍ଦକୁ ମାଇଲେ ।

ତାପରେ ପଞ୍ଚଜନ୍ୟ ଦୈତ୍ୟକୁ ବଧ କଲେ ॥

ଏ ବୀରମାନଙ୍କୁ ହେଲେ ବଧ ଜନାର୍ଦ୍ଦନ ।

ପ୍ରାଗ୍‌ଜ୍ୟୋତିଷପୁର ପ୍ରବେଶିଲେ ପୁଣ ॥

ଆକାଶରେ ଦେବେ ନାରଦାଦି ଋଷିଗଣେ ।

ଜୟଶବ୍ଦ ପୁଷ୍ପବୃଷ୍ଠି କଲେ ଅନୁକ୍ଷଣେ ॥

ଅତି ସୁରୁଚିର ପ୍ରାକାର ଅଟ୍ଟାଳି ଶୋଭେ ।

ଅମରାବତୀକୁ ତୁଛ କରେ ଶୋଭା ଦମ୍ଭେ ॥

ତହିଁ ଦାନବଙ୍କ ସଙ୍ଗେ କଲେ ଘୋର ଋଣ ।

ଦେବାସୁର ଯୁଦ୍ଧପରି ଅତୀବ ଭୀଷଣ ॥

ଭୟାଳୁ ସନ୍ତ୍ରାସକାରୀ ବୀରଙ୍କ ଆନନ୍ଦ ।

ଦ୍ରାନବଙ୍କ ସଙ୍ଗେ ପ୍ରଭୁ କଲେ ମହାଯୁଦ୍ଧ ॥

ଶାଙ୍ଗର୍ଧନୁ ଯୋଗେ ବହୁ ଦିବ୍ୟବାଣ ମାରି ।

ଦାନବଙ୍କୁ ସଂହାରିଲେ କ୍ଷଣକେ ଶ୍ରୀହରି ॥

ଅଷ୍ଟଲକ୍ଷ ଅଷ୍ଟଅୟୁତ ଦାନବେ ମଲେ ।

ନରକ ନିକଟେ ପ୍ରଭୁ ପ୍ରବେଶ ହୋଇଲେ ॥

ଦାନବଙ୍କ ବଧ ଶୁଣି ନରକ ନୃପତି ।

ଗରୁଡ଼ାରୋହୀ ହରିଙ୍କୁ ଦେଖିଣ ଝଟତି ॥

ବଶିଷ୍ଠ ଋଷିଙ୍କ ଶାପ ମନରେ ପକାଏ ।

ଶ୍ରୀକୃଷ୍ଣ ନାରଦ କଥା ମନେ ପଡ଼ିଯାଏ ॥

ତହୁଁ ରାଜସ ଗୁଣରେ ହୋଇଣ ଉନ୍ମତ୍ତ ।

ଯୁଦ୍ଧକୁ ସଜ ହୋଇଲା ପୃଥବୀଙ୍କ ସୁତ ॥

ବକ୍ରଧ୍ଵଜ ସୁବର୍ଣ୍ଣ ରଥକୁ ଆରୋହିଣ ।

ଯୁଦ୍ଧକୁ ବାହାର ହେଲା ନରକ ରାଜନ ॥

ଆଠ ଲୁହାଚକ ରଥେ ବଜ୍ରତା ପତାକା ।

ତ୍ରିଦଳ ପୁଣି ସହସ୍ରେ ଅଶ୍ଵ ତହିଁ ଯୋଖା ॥

ବିବିଧ ଆୟୁଧେପୂର୍ଣ୍ଣ ବହୁତ ତୂଣୀର ।

ସେ ରଥେ ଚଢ଼ି ଯୁଦ୍ଧକୁ ହୋଇଲା ବାହାର ॥

ଯୁଦ୍ଧକୁ ଯିବା ସମୟେ ଭାବିଲା ଏମନ୍ତ ।

ମାନୁଷଭାବ ପ୍ରଶଂସ୍ୟ ଆସୁର ନିନ୍ଦିତ ॥

ପିତା ଶ୍ରୀହରିଙ୍କ ବାକ୍ୟ ପାଳନ ନକଲି ।

ଆସୁର ଭାବକୁ ଧରି ମରିବାକୁ ହେଲି ॥

ବିଷ୍ଣୁଙ୍କୁ ଦେଖଇ ଭୌମ ଗରୁଡ଼ ଆସନେ ।

ଶଙ୍ଖଚକ୍ର ଗଦାଶାର୍ଙ୍ଗ ଶଙ୍ଖ ଶୋଭେ ସ୍ଵନେ ॥

କିରୀଟ କୁଣ୍ଡଳଧାରୀ ଶ୍ରୀବତ୍ସ କୌସ୍ତୁଭ ।

ପୀତାମ୍ବର ବନମାଳୀ ଶୋଭା ବଡ଼ ଶୁଭ ॥

ତାଙ୍କ ସଙ୍ଗେ ଯୁଦ୍ଧକଲା ନରକ ନୃପତି ।

ପିତାପୁତ୍ରଙ୍କର ରଣେ ଲୋକରେ ଅକୀର୍ତ୍ତି ॥

ସେକାଳେ କାଳିକାଦେବୀ ରକ୍ତାସ୍ୟ ନୟନା ।

ଦୀର୍ଘଖଡ୍‌ଗ ଶକ୍ତିଧରା ଉଚ୍ଚ ପୀନସ୍ତନା ॥

କାମମୋହିନୀ କାମାକ୍ଷା ଜଗଦ୍ଧାତ୍ରୀ ଦେବୀ ।

ନରକକୁ ଦେଖା ଦେଲେ ଯୁଦ୍ଧସ୍ଥଳେ ଗୁର୍ବୀ ॥

ବିସ୍ମିତ ଭୀତ ହୋଇଲା ଦେବୀଙ୍କ ଦର୍ଶନେ ।

ଯୁଦ୍ଧକୁ ଉଦ୍ୟତ ହେଲା ଶ୍ରୀହରିଙ୍କ ସନେ ॥

ସେ ଦୁହିଁଙ୍କ ଯୁଦ୍ଧ ଅତି ଭୟଙ୍କର ହେଲା ।

ଦେବ ମାନବଲୋକେ ସେ ରଣ ନୋହିଥିଲା ॥

ବହୁକାଳ ଯୁଦ୍ଧରତ ହୋଇ ଦୁଇ ବୀର ।

ଶେଷେ ସୁଦର୍ଶନ ଚକ୍ର ପେଶି ଚକ୍ରଧର ॥

ନରକ ଦେହକୁ ଦୁଇଖଣ୍ଡ କରିଦେଲେ ।

ତଳେ ପଡ଼ି ପ୍ରାଣଗଲା ସେ ଭୌମର ଖରେ ॥

ବଜ୍ରରେ ଭଗ୍ନ ହୋଇବା ପର୍ବତ ସମାନ ।

ନରକ ଦେହ ଭୂମିରେ ସେପରି ଭୀଷଣ ॥

ପୁତ୍ର ମରିବାର ଦେଖି ଦେବୀ ବସୁନ୍ଧରା ।

ଶୋକ ବେଗ ଅତିକଷ୍ଟେ ସହିନେଲେ ଧରା ॥

ଅଦିତିଙ୍କ କୁଣ୍ଡଳକୁ ଆଣି ବସୁମତୀ ।

ଗୋବିନ୍ଦଙ୍କୁ ପ୍ରଦାନିଲେ ହୋଇ ହୃଷ୍ଟ ମତି ॥

ବିଷ୍ଣୁଙ୍କୁ କହିଲେ ତୁମ୍ଭେ ଦରାହ ରୂପରେ ।

ଜଳୁଁ ମୋତେ ଉଦ୍ଧାରିଲ ଦନ୍ତାଗ୍ର ଭାଗରେ ॥

ତେବେ ତୁମ୍ଭ ଦେହ ସ୍ପର୍ଶେ ଏପୁତ୍ର ସ୍ଥାପିଲ ।

ତାହାକୁ ପାଳିଣ ପୁଣି ଏବେ ବଧ କଲ ॥

ଅଦିତିଙ୍କ କୁଣ୍ଡଳଦ୍ୱୟ ଗ୍ରହଣ କର ।

ନରକ ବଳେ ଆଣି ରଖିଲା ନିଜପୁର ॥

ଏ ଭୌମର ସନ୍ତତିଙ୍କୁ ରକ୍ଷାକର ପ୍ରଭୋ ।

ଯେପରି ତା ବଂଶ ରହିଥିବେ ସଦା ବିଭୋ ॥

ଶ୍ରୀ ଭଗବାନୁବାଚ

ଭାର ଉଶ୍ଵାସ ନିମିତ୍ତ ନରକର ନାଶ ।

ତୁମ୍ଭେ ମାଗିଥୁବାରୁ ମୁଁ କଲି ତାକୁ ଶେଷ ॥

ଏବେ ତୁମ୍ଭବାକ୍ୟେ ତାର ପୁତ୍ର ଉଗବତ୍ତ ।

ଏପୁରେ ରହି ରାଜତ୍ଵ କରିବ ନିଶ୍ଚିତ ॥

ଏତେକହି ହରି ଅନ୍ତଃପୁରେ ପ୍ରବେଶିଲେ ।

ଭଣ୍ଡାର ଶସ୍ତ୍ର ଆଗରେ ରତ୍ନାଦି ଦେଖିଲେ ॥

ପର୍ବତ ସମାନେ କୁଢ଼ କୁଢ଼ ହୋଇଛନ୍ତି ।

ମଣିମୁକ୍ତ ପ୍ରବାଳ ବୈଦୁର୍ଯ୍ୟ ହୀରାପନ୍ତି ॥

ସ୍ଵର୍ଣ୍ଣ ରୋପ୍ୟଆଦି ସାର ପଦାର୍ଥ ଯେତେକ ।

ନରକପୁରେ ଦେଖିଲେ ଶ୍ରୀହରି ଅନେକ ॥

ଇନ୍ଦ୍ର କୁବେର ଯମ ବରୁଣପୁରେ ନାହିଁ ।

ନରକ ଭଣ୍ଡାରେ ଯେତେ ରତ୍ନ ଧନ ଥାଇ ॥

ନାରଦ ସଙ୍ଗେ ଦେଖି ସାର ସାର ରତ୍ନ ।

କେତେକ ଗ୍ରହଣ କଲେ ପ୍ରଭୁ ଭଗବାନ ॥

ଯେ ବୈଷ୍ଣବୀଶକ୍ତି ପୂର୍ବେ ଭୌମେ ଦେଇଥିଲେ ।

ନରକ ମରନ୍ତେ ତାହାକୁ ଗ୍ରହଣ କଲେ ॥

ପୃଥିବୀ ନାରଦ ସଙ୍ଗେ ଦେବ ଦୟାନିଧି ।

ଭଗଦତ୍ତକୁ ରାଜତ୍ଵେ ଅଭିଷେକେ ଛଦି ॥

ପୃଥିବୀ ନାତିସକାଶେ ପ୍ରଭୁଙ୍କୁ ମାଗିଲେ ।

ବୈଷ୍ଣବୀ ଶକ୍ତିକୁ ଦିଅ ଭଗଦତ୍ତ ତୁଲେ ॥

ଧରା ପ୍ରାର୍ଥନାନୁସାରେ ନାରଦଙ୍କ ମତେ ।

ସେ ଶକ୍ତି ଭଗଦତ୍ତକୁ ଦେଲେ ଆନନ୍ଦିତେ ॥

ବରୁଣକୁ ଜିଣି ସୁବର୍ଣ୍ଣ ସ୍ରାବି ଛତ୍ରକୁ ।

ଭୌମ ଆଣିଥଲା ପ୍ରଭୁ ନେଇଗଲେ ତାକୁ ॥

ପ୍ରତ୍ୟହ ସେ ଛତ୍ର ଅଷ୍ଟଭାର ସ୍ଵର୍ଣ୍ଣ ସୁବେ ।

କୋଶେ ବିସ୍ତୃତ ଦ୍ୱିକୋଶ ଉଚ୍ଚଛତ୍ର ଶୋଭେ ॥

ଚତୁର୍ଦ୍ଦନ୍ତ ଗଜଙ୍କୁ ଚଉଦସସ୍ର ନାରୀ ।

ନେଲେ ପ୍ରଭୁ ଦ୍ଵାରକାକୁ ଦୈତ୍ୟସ୍କନ୍ଧେ ଭରି ॥

ଦେବକନ୍ୟାଙ୍କୁ ନରକ ଆଣିଥିଲା ଯେତେ ।

ତାଙ୍କବେଣୀ ମୁକ୍ତକଲେ ଶ୍ରୀହରି ଏକାନ୍ତେ ॥

ବସ୍ତ୍ର ଭୂଷଣ ଗନ୍ଧ ମାଲ୍ୟରେ ବେଶ କରି ।

ରଥେ ବସାଇ ରକ୍ଷକ ଜଗାଇ ସେ ହରି ॥

ସେ ଦେବକନ୍ୟାଙ୍କୁ ନେଲେ ଦ୍ଵାରକା ଭୁବନ ।

ବସାଇଣ ରଖିଲେ ହରି କରାଇ ସମ୍ମାନ ॥

କ୍ରୀଡ଼ାପାଇଁ ଯେଉଁ ମଣିଶୈଳ କରିଥିଲା ।

ତାହାକୁ ଉପାଡ଼ି ଗରୁଡ଼ ଯେ ବହିନେଲା ॥

ନିଜେ ସତ୍ୟଭାମା ସଙ୍ଗେ ଗରୁଡ଼େ ବସିଲେ ।

ଭଗଦତ୍ତ ଧରାଠାରୁ ବିଦାୟ ହୋଇଲେ ॥

କ୍ଷଣ ମଧ୍ୟେ ଦ୍ଵାରକାରେ ପ୍ରବେଶିଲେ ହରି ।

ବନ୍ଧୁ ମିତ୍ରଙ୍କ ଦେଖିଣ ଆନନ୍ଦରେ ଭରି ॥

ଏଭାବେ କାଳିକାଦେବୀ ଶ୍ରୀହରିଙ୍କୁ ମୋହି ।

ଜଗତମୋହିନୀ ଅଟନ୍ତି ସେ ମହାମାଇ ॥

ମିତ୍ରଙ୍କୁ ପାଳିଣ ଶତ୍ରୁଙ୍କୁ ବଧ କରନ୍ତି ।

ନାରୀଙ୍କ ରମନ୍ତି ଦ୍ୱନ୍ଦ୍ୱଭାବେ ମୋହଯାନ୍ତି ॥

ନରକର ଚରିତ କହିଲି ବିସ୍ତାରିଣ ।

ଏବେବି ଶୁଣିବ ତାହା କହ ମୁନିଗଣ ॥

ସେକାଳୀ କୃଷ୍ଣଙ୍କ ପଦେ ମନ ରଖି ସଦା ।

ପ୍ରଭାକର ଗୀତେ କହେ ଏ ପୁରାଣ ବିଦ୍ୟା ॥

 

ଇତି ଶ୍ରୀ କାଳିକାପୁରାଣେ

ଏକଚତ୍ୱାରିଂଶତ୍ତମୋଽଧ୍ୟାୟଃ ।

✽✽✽

 

॥ ୪୨ ॥

 

ରଷୟ ଉବାଚ

ହିମାଳୟ ସୁତା କାଳୀରୂପେ ଜଗନ୍ମାତା ।

ଦାକ୍ଷାୟଣୀ ଦେହ ତେଜି ଶିବଙ୍କ ବନିତା ॥

ଶିବଙ୍କ ଅର୍ଦ୍ଧ ଶରୀର କିପରି ହରିଲେ ।

ଏସବୁ କହିଣ ମନ ତୋଷ ହେ ଅଚିରେ ॥

ମାର୍କଣ୍ଡେୟ ଉବାଚ

ଦକ୍ଷକନ୍ୟା ସତୀଦେବୀ ଦେହତ୍ୟାଗ କରି ।

ମେନକା ହିମାଳୟଙ୍କୁ ମନରେ ସୁମରି ॥

ତାଙ୍କ ଆତ୍ମା ସେ ଦୁହିଁଙ୍କ ଦେହେ ଲୀନ ହେଲେ ।

ଯେବେଳେ ଶିବଙ୍କ ସଙ୍ଗେ ସତୀ କ୍ରୀଡ଼ୁଥିଲେ ॥

ସେ ସମୟେ ମେନକା ତାଙ୍କର ଶୁଭ ଇଛି ।

ପରଜନ୍ମେ ମୋର କନ୍ୟା ହେବ ମନେ ବାଞ୍ଚି ॥

ପ୍ରାଣତ୍ୟାଗ ପରେ ହିମାଳୟ କନ୍ୟାରୂପେ ।

ମେନକା ଦେବୀଙ୍କ ଆରାଧନା ଫଳ କଳ୍ପେ ॥

ମହାମାୟା ଜଗଦ୍ଧାତ୍ରୀ ସେହି ସନାତନୀ ।

ଦେବଙ୍କ ଶରଣା ସର୍ବ ପ୍ରାଣୀଙ୍କ ମୋହିନୀ ॥

ତାହାଙ୍କୁ ପୂଜନ୍ତି ଅଷ୍ଟମୀରେ ନବମୀରେ ।

ଉପବାସ କରି ମୋଦକ ପିଷ୍ଟ ଲଡ଼ୁରେ ॥

ଚୈତ୍ରମାସେ ଆରମ୍ଭିଣ ସତାଇଶ ଦିନ ।

ପୁତ୍ରାର୍ଥିନୀ ହୋଇ ପୂଜା କରନ୍ତି ବହନ ॥

ମୃଣ୍ମୟରେ ଦେବୀମୂର୍ତ୍ତି ଗଢ଼ି ସେ ମେନକା ।

ଗଙ୍ଗାତୀରେ ଓଷଧିପ୍ରସ୍ଥେ ପୂଜନ୍ତି ଏକା ॥

କେବେ ଉପବାସେ ରହି ନିୟମକୁ ପାଳି ।

ସତାଇଶ ବର୍ଷ ପୂଜା ଶିବା ମନେ ଧରି ॥

ପରମ ଭୂତୀକୁ ଇଛି ମେନକା ସୁନ୍ଦରୀ ।

ପ୍ରତ୍ୟହ ପୂଜନ୍ତି ତହିଁ ଦେବୀ ଶାକମ୍ବରୀମ ॥

ସତାଇଷ ବର୍ଷ ଅନ୍ତେ ଦେବୀ ପ୍ରୀତା ହୋଇ ।

ମେନକାଙ୍କୁ ଦେଖାଦେଲେ ପ୍ରତ୍ୟକ୍ଷରେ ଯାଇ ॥

ମେନକାଙ୍କୁ କହିଲେ ତୁମ୍ଭ ପୂଜାରେ ମୁହିଁ ।

ପ୍ରସନ୍ନା ହେଲି ଇସ୍‌ପିତ ବର ମାଗ କହି ॥

ମେନକା ସମକ୍ଷେ କାଳିକାଙ୍କୁ ଦେଖି କରି ।

ନମସ୍କାର ପୂର୍ବକ କହନ୍ତି କର ଯୋଡ଼ି ॥

ପ୍ରତ୍ୟକ୍ଷେ ଦର୍ଶନ କରି କୃତାର୍ଥା ମୁଁ ହେଲି ।

ସ୍ତବ କରିବାକୁ ଇଛା ହେଉଛି ମୋହରି ॥

ତହୁଁ ଦେବୀ ମାତା ବୋଲି ଡାକି ମେନକାଙ୍କୁ ।

ସୁନ୍ଦର ବାହୁ ଯୁଗରେ କୁଣ୍ଡାଇଲେ ତାଙ୍କୁ ॥

ତହୁଁ ମେନକା ଭକ୍ତିରେ ବିନୀତା ହୋଇଣ ।

ଇଷ୍ଟବାକ୍ୟେ ଦେବୀସ୍ତବ ପଢ଼ିଲେ ତକ୍ଷଣ ॥

ମେନକା ଉବାଚ

ଜଗତର ପ୍ରେରଇତ୍ରୀ ତ୍ରିଲୋକ ଧାରଣୀ ।

ସର୍ବ କାମାର୍ଥ ସାଧିକା ତୁମ୍ଭଙ୍କୁ ମୁଁ ନମି ॥

ନିତ୍ୟାନନ୍ଦ ସ୍ଵରୂପରେ ଜଗନ୍ମୟୀ ଦେବୀ ।

ହରିହର ବିଧି ସ୍ଵରୂପିଣୀ ସର୍ବ ସର୍ବା ॥

ମହାମାୟା ଭକ୍ତ ଦୁଃଖ ନିବାରିଣୀ ତୁମ୍ଭେ ।

ବିଶ୍ଵରୂପା ଭଦ୍ରରୂପା ନମୁଅଛୁ ଆମ୍ଭେ ॥

ସତ୍ଵ ଗୁଣାଧିଷ୍ଠାତ୍ରୀ ଗୋ ନିତ୍ୟ ପ୍ରେମମୟୀ ।

ପ୍ରାଣିଙ୍କ ବୃଦ୍ଧି ସ୍ୱରୂପା ଯତି ବଦ୍ଧ ଫେଇ ॥

କିସ୍ତୁତି କରିବି ମୁହିଁ ଅଜ୍ଞାନ ଅବଳା ।

ବେଦତ୍ରୟେ ଯା ପ୍ରଭାବ ହୋଇଅଛି ବୋଲା ॥

ଅଥର୍ବ ବେଦର ହିଂସାରୂପା ତୁମ୍ଭେ ମାତା ।

ମୋ ମନୋରଥ ପୁରାଅ କହେ ଯୋଡ଼ହସ୍ଥା ॥

ନିତ୍ୟ ଅନିତ୍ୟର ଭାଗ ତୁମ୍ଭେଠାରେ ଅଛି ।

ମୁଁ ନାରୀ କି ବର୍ଣ୍ଣିବି ହେ ତୁମ୍ଭଗୁଣ ବାଛି ॥

କ୍ଷିତି ପ୍ରକୃତି ସ୍ଵରୂପା ବ୍ରହ୍ମାକୁ ମୋହିଛ ।

ପ୍ରସନ୍ନା ହୁଅ ମୋଠାରେ ହେଳା ଯେ କରୁଛ ॥

ଅଗ୍ନି ସୂର୍ଯ୍ୟଠାରେ ଦାହିକା ଶକ୍ତି ଗୋ ତୁମ୍ଭ ।

ଚନ୍ଦ୍ରରେ ଆହ୍ଲାଦ ଶକ୍ତି ହୋଇଅଛି ଶୁଭେ ॥

ନାରୀପ୍ରିୟଙ୍କ ସ୍ତ୍ରୀ ଉର୍ଦ୍ଧ୍ୱରେ ତାଙ୍କ ବିଜ୍ଞାନ ।

ସମସ୍ତଙ୍କ ଇଛା ତୁମ୍ଭେ ହରିଙ୍କ ମୋହନ ॥

ତ୍ରିମୂର୍ତ୍ତି ରୂପରେ ସୃଷ୍ଟି ସ୍ଥିତି ଅନ୍ତ କର ।

ପ୍ରସନ୍ନା ହୁଅ ମୋଠାରେ କରେ ନମସ୍କାର ॥

ମାର୍କଣ୍ଡେୟ ଉବାଚ

ତହୁଁ ସେ କାଳିକା ଦେବୀ ମେନକାଙ୍କୁ କହି ।

ବାଞ୍ଛିତ ବରକୁ ମାଗ ଦେବି ଆଗ ମୁହିଁ ॥

ତହୁଁ ମେନକା ପ୍ରଥମେ ପୁତ୍ର ଶତ ମାଗି ।

ବଳବୀର୍ଯ୍ୟ ଋଦ୍ଧି ସିଦ୍ଧିଯୁକ୍ତ ହେବା ଲାଗି ॥

ପଛେ ଏକ କନ୍ୟାକୁଳ ଦ୍ୱୟ ହତ କର୍ତ୍ତ୍ରୀ ।

ସ୍ଵରୂପା ସୁଗୁଣା ତ୍ରିଲୋକ ସୁନ୍ଦର ଗାତ୍ରୀ ॥

ହୋଇବ ମୋହର ବୋଲି ମେନକା ମାଗିଲେ ।

ତାହାଶୁଣି ଭଗବତୀ ମେନାଙ୍କୁ କହିଲେ ॥

ଶତପୁତ୍ର ହେବେ ତହିଁ ପ୍ରଥମ ତନୟ ।

ମହାବଳୀ ହୋଇ ଯଶସ୍ୱୀ ହେବ ନିଶ୍ଚୟ ॥

ଦେବ ମନୁଷ୍ୟ ରାକ୍ଷସ ହିତେ ଏକ ସୁତା ।

ମୁଁ ହୋଇ ଜନ୍ମିବି ଏବେ ନକର ଗୋ ଚିନ୍ତା ॥

ସୁଖ ପ୍ରସବା ହୋଇଣ ପତିବ୍ରତା ହେବ ।

ତୁମ୍ଭ ରୂପ ସଦାବେଳେ ଅମ୍ଳାନ ରହିବ ॥

ଏତେ କହି ଦେବୀ ଅନ୍ତର୍ଦ୍ଧାନ ହୋଇଗଲେ ।

ମେନକା ଆନନ୍ଦେ ନିଜ ଗୃହକୁ ଫେରିଲେ ॥

କିଛି କାଳ ଅନ୍ତେ ମେନା ପ୍ରଥମ ପୁତ୍ରକୁ ।

ପ୍ରସବିଲେ ସେ ମେନକା ଜିଣିଛି ଇନ୍ଦ୍ରକୁ ॥

ସମୁଦ୍ର ମଧ୍ୟରେ ପଷ ସହିତ ରହିଛି ।

ତହୁଁ ଅନେଶ୍ଵତ ପୁତ୍ର ହେଲେ ପଛା ପଛି ॥

ମହା ବଳଶାଳୀ ବହୁଗୁଣେ ଗୁଣବାନ ।

ତାହାପରେ କାଳିକା ଦେବୀଙ୍କ ହେବ ଜନ୍ମ ॥

ଯୋଗନିଦ୍ରା ଜଗନ୍ମୟୀ ଦେବୀ ଯେ କାଳିକା ।

ସତୀରୂପ ତେଜି ମାତା କଲେ ସେ ମେନକା ॥

ସମୟକ୍ରମେ ମେନକା ଗର୍ଭରେ ରହିଲେ ।

ସାଗରରୁ ଲକ୍ଷ୍ମୀପରି ତହିଁ ଜନ୍ମ ହେଲେ ॥

ବସନ୍ତକାଳେ ନବମୀତିଥି ଋକ୍ଷ ଯୋଗେ ।

ଅର୍ଦ୍ଧରାତ୍ରେ ଜନ୍ମିଲେ ଆକାଶ ଗଙ୍ଗା ମାର୍ଗେ ॥

ତାଙ୍କ ଜନ୍ନକାଳେ ଦିଗେ ନିର୍ମଳ ଦିଶିଲେ ।

ଅନୁକୂଳ ସୁଗନ୍ଧିବାୟୁ ମନ୍ଦେ ବହିଲେ ॥

ପୁଷ୍ପ ଜଳବୃଷ୍ଟି ହେଲା ଅଗ୍ନି ପ୍ରଦକ୍ଷିଣେ ।

ଶାନ୍ତ ଭାବେ ପ୍ରଜ୍ୱଳିଲା ଗର୍ଜିଲେ ଯେ ଘନେ ॥

ତାହାଙ୍କ ଜନ୍ମରେ ସର୍ବଶାନ୍ତ ସୁସ୍ଥ ହେଲା ।

ନୀଳୋତ୍ପଳ ଶ୍ୟାମବର୍ଣ୍ଣ ତାଙ୍କ ଦେହ ହେଲା ॥

ମାତା ପିତା ଆନନ୍ଦିତ ଦେବେ ହର୍ଷଯୁତ ।

ଗନ୍ଧର୍ବ ଅପ୍‌ସରାଗଣ କଲେ ନୃତ୍ୟ ଗୀତ ॥

ନାମକରଣ ଦିନେ ହିମାଳୟ ଶୈଳେଶ ।

କାଳୀନାମ ରଖିଲେ କନ୍ୟାର ହୋଇ ତୋଷ ॥

ବନ୍ଧୁପଣେ ପାର୍ବତୀ ନାମକୁ ଉଚ୍ଚାରିଲେ ।

ଅନ୍ୟେ ପର୍ବତ ନନ୍ଦିନୀ ବୋଲି ନାମ ଦେଲେ ॥

ତହୁଁ ହିମାଳୟ ଗୃହେ ବଢ଼ିଲେ ସେ କାଳୀ ।

ବର୍ଷାକାଳେ ଗଙ୍ଗା ଶରଦରେ ଚନ୍ଦ୍ର ପରି ॥

ସର୍ବାଙ୍ଗ ସୁନ୍ଦରୀ କାଳୀ ଚନ୍ଦ୍ରବିମ୍ବ ପରି ।

ସଖୀଙ୍କ ସଙ୍ଗେ ଖେଳିଲେ ଜଳେ ହସ୍ତୀସରି ॥

ପୂର୍ବଜନ୍ତେ ବଶୀଭୂତ ଷଡ୍‌ଗୁଣ ଆସିଣ ।

ବଳେ ତହିଁ ପ୍ରବେଶିଲେ ମେଘରେ କଳା ସମ ॥

ସେ କାଳୀ ଦେବକନ୍ୟାକୁ ଗୁଣେ ଜିଣିଗଲେ ।

ରୂପେ ଅପ୍‌ସରାଗଣଙ୍କୁ ଧିକାର ସେ କଲେ ॥

ଗାନେ ଗନ୍ଧର୍ବ କନ୍ୟାଙ୍କୁ ଜିଣିଲେ ସୁନ୍ଦରୀ ।

ବନ୍ଧୁଗଣ ମୁଗ୍‌ଧ ହେଲେ ତାଙ୍କ ଗୁଣ ପୁରୀ ॥

ମାତାଙ୍କୁ ବନ୍ଦନ୍ତି ପିତାଙ୍କ ପୂଜା କରନ୍ତି ।

ଭ୍ରାତାମାନଙ୍କ ସଙ୍ଗରେ ସ୍ନେହରେ ଖେଳନ୍ତି ॥

ସବୁବେଳେ ପିତାପାଶେ ବସି ଭଲଗୁଣ ।

ଶିକ୍ଷା କରନ୍ତି ସେ କାଳୀ ସଖୀ ସଙ୍ଗତେଣ ॥

ଦିନେ ପୁତ୍ର-କନ୍ୟା ସହ ହିମାଦ୍ରୀ ଅଛନ୍ତି ।

ଦେବଲୋକରୁ ନାରଦ ଆସି ପହଞ୍ଚନ୍ତି ॥

କାଳୀଙ୍କୁ ଦେଖିଲେ ଚନ୍ଦ୍ରକଳା ପରି ମୋଦେ ।

ହିମାଦ୍ରି ପୂଜି ଆସନେ ବସାନ୍ତି ନାରଦେ ॥

କୁଶଳ ପୁଛି ବୃତ୍ତାନ୍ତ ସବୁ ଜାଣିଗଲେ ।

ମେନକାଙ୍କୁ ମନ୍ଦହାସେ ନାରଦ କହିଲେ ॥

ଏ ତୁମ୍ଭ ତନୟା ଚନ୍ଦ୍ର କଳାତୁଲ୍ୟ ବଢ଼େ ।

ସର୍ବଲକ୍ଷଣ ସମ୍ପନ୍ନା ସୁଷମା ସୁଦୃଢ଼େ ॥

ହରଙ୍କର ପତ୍ନୀ ଏହି ତାଙ୍କ ପ୍ରିୟବତୀ ।

ତାହାଙ୍କ ଚିତ୍ତକୁ ବଶ କରିବ ଏ ସତୀ ॥

ସେ ହର ଅନ୍ୟ ନାରୀକୁ ବିଭାହେବେ ନାହିଁ ।

ଏ ଦୁହିଁଙ୍କ ପ୍ରେମ ପରି ପ୍ରେମ ନାହିଁ କାହିଁ ॥

ଏ କନ୍ୟା ବହୁତ ଦେବ କାର୍ଯ୍ୟ ସମ୍ପାଦିବ ।

ଏହା ଯୋଗେ ଶିବ ଅର୍ଦ୍ଧନାରୀଶ୍ଵର ହେବ ॥

ବିଦ୍ୟୁତଗୌରୀ ହୋଇ ହର ମନକୁ ତୋଷିବ ।

ଗୌରୀନାମେ ଖ୍ୟାତହେବ ତ୍ରିଲୋକରେ ଏହି ॥

ଶିବ ଭିନ୍ନ ଅନ୍ୟକୁ ନଦେବ କହିଲଇଁ ।

ଏ କଥାକୁ ଗୁପ୍ତେ ରଖି ପ୍ରକାଶିବ ନାହିଁ ॥

କହିଲି ଦେବଙ୍କ ହୀତେ ତୁମ୍ଭଙ୍କୁ ବୂଝାଇ ।

ମାର୍କଣ୍ଡେୟ ଉବାଚ

ନାରଦଙ୍କ ବାକ୍ୟେ ହିମାଳୟ ଯେ କହିଲେ ।

ଶୁଣୁଛି ସେ ଶିବଗୁପ୍ତେ ତପୋରତ ହେଲେ ॥

କେଉଁସ୍ଥାନେ ଅଛନ୍ତି ସେ ଦେବେ ଅଗୋଚର ।

ପରମବ୍ରହ୍ମ ଚିନ୍ତାରେ ଯେ ତାଙ୍କ ମନ ସ୍ଥିର ॥

ତହିଁରୁ ବିରତ ହେବା ସନ୍ଦେହ ଲାଗଇ ।

ପରମବ୍ରହ୍ମରେ ଯାହା ମନ ରହି ଥାଇ ॥

ବାହ୍ୟ ଦୃଷ୍ଟିହୀନ ହୋଇ ବ୍ରହ୍ମେ ଲୀନ ମନ ।

କିନ୍ନରଙ୍କ ମୁଖୁ ଶୁଣିଛି ମୁଁ ଏ କଥନ ॥

ସେ କିପରି ନିଶ୍ଚଳ ମନକୁ ଫେରାଇବେ ।

ଆଉ ଏକକଥା ଶୁଣ କହୁଛି ମୁଁ ଏବେ ॥

ସତୀ ସଙ୍ଗେ ହର କରିଛନ୍ତି ସତ୍ୟ ପୁଣି ।

ସତ୍ୟବିନା ଅନ୍ୟ ପତ୍ନୀ ନକରିବେ ଜାଣି ॥

ସତୀତ ମଲେଣି ଅନ୍ୟ ନାରୀକୁ କିପରି ।

ସତ୍ୟଭଗ୍ନ କରି ବିଭା ହେବେ ତ୍ରିପୁରାରି ॥

ନାରଦ ଉବାଚ

ଏ ବିଷୟେ ଚିନ୍ତା ଛାଡ଼ ତୁମ୍ଭେ ଗିରିରାଜ ।

ସତୀ ତୁମ୍ଭ କନ୍ୟାରୂପେ ଜନ୍ମିଛନ୍ତି ବୁଝ ॥

ଯେପରି ସେ ସତୀ କାଳୀରୂପେ ଜନ୍ମ ହେଲେ ।

ସେସବୁ ବିସ୍ଥାରି ମୁନି ଗିରିଙ୍କୁ କହିଲେ ॥

ପୂର୍ବ ବୃତାନ୍ତ ଶୁଣିଣ ହିମାଳୟ ଗିରି ।

ପୁତ୍ର ଭାର୍ଯ୍ୟାଙ୍କ ସହିତ ମନ ସ୍ଥିର କରି ॥

ତହୁଁ କାଳୀ ନାରଦଙ୍କ ଠାରୁ ସର୍ବ ଶୁଣି ।

ଲଜ୍ଜାରେ ଅଧୋବଦନା ହେଲେ ସେ ତତ୍‌କ୍ଷଣି ॥

ଗିରିରାଜ ହସ୍ତେ ଧରି କନ୍ୟା ମୁଖ ଟେକି ।

ନିକଟରେ ବସାଇଲେ ସ୍ନେହଭରେ ଡାକି ॥

ନାରଦ ଋଷି ହସାଇ ସେ ଶୈଳ ବଂଶକୁ ।

କହିଲେ ଏ କନ୍ୟା ଆଶ୍ରିବ ଶିବ କ୍ରୋଡ଼କୁ ॥

କକେବେହେଲେ ଅନ୍ୟସ୍ଥାନେ ନବସିବ ଏହି ।

ଶିବକ୍ରୋଡ଼ ହେବ ସ୍ଥାନ ବସିବାର ପାଇଁ ॥

ଏପରି ସକଳ କହି ନାରଦ ମହର୍ଷି ।

ସ୍ୱର୍ଗକୁ ଗମନ୍ତେ ଶୈଳରାଜ ହୋଇ ଖୁସି ॥

ଚିନ୍ତା ହର୍ଷି ମୋହଯୁକ୍ତ ହୋଇ ଗିରିବର ।

ନିଜପୁରକୁ ଗମିଲେ ସର୍ବଶେ ସେ ଶୈଳ ॥

ସେ କାଳୀ ଚରଣ ପଦ୍ମେ ଭ୍ରମର ମୋ ମନ ।

ବିପ୍ର ପ୍ରଭାକର ଗୀତ କରଇ ରଚନ ॥

 

ଇତି ଶ୍ରୀ କାଳିକାପୁରାଣେ

ଦ୍ୱିଚତ୍ୱାରିଂଶୋଽଧ୍ୟାୟଃ ।

✽✽✽

 

॥ ୪୩ ॥

 

ମାର୍କଣ୍ଡେୟ ଉବାଚ

ଏ ମଧ୍ୟରେ ହର ସିପ୍ରହ୍ରଦ କୂଳ ଛାଡ଼ି ।

ହିମଗିରି ପ୍ରସ୍ତେ ଆସି ହେଲେ ତ୍ରିପୁରାରି ॥

ସେ ସ୍ଥାନେ ସ୍ୱର୍ଗରୁ ଗଙ୍ଗା ଅବତୀର୍ଣ୍ଣ ହୋଇ ।

ହିମଗିରି ଭେଦି ଯାଉଛନ୍ତି ତଳେ ବହି ॥

ଔପଧିପ୍ରସ୍ଥ ନିକଟେ ରମ୍ୟ ସେହି ସ୍ଥାନ ।

ତହିଁବସି ଶିବକଲେ ବ୍ରହ୍ମଙ୍କର ଧ୍ୟାନ ॥

ତାଙ୍କ ଚିତ ଜ୍ଞାନମୟ ନିତ୍ୟ ଜ୍ୟୋତିରୂପ ।

ପ୍ରଦୀପସମ ଉଜ୍ଜ୍ୱଳ ଅଦ୍ୱୈତ ସ୍ୱରୁପ ॥

ଏକାଗ୍ର ମନରେ ଚିନ୍ତାକଲେ ପରଂବ୍ରହ୍ମ ।

ପ୍ରମଥଗଣେ ଧ୍ୟାନରେ ହେଲେ ତହିଁ ମଗ୍ନ ॥

ନନ୍ଧୀ ଭୃଙ୍ଗୀ ଆଦିଗଣେ ଧ୍ୟାନନିଷ୍ଠ ହେଲେ ।

କେତେଗଣେ ଦ୍ୱାରଜଗି ନିଶବ୍ଦେ ରହିଲେ ॥

ଅନ୍ୟ କେତେଦୂରେ ଯାଇ କ୍ରୀଡ଼ା କୌତୁକରେ ।

ହ୍ରଦ କ୍ରନ୍ଦରାଦିରେ ବୁଲନ୍ତି ସୁଖରେ ॥

ମଣିମୁନ୍ତାଦି ଖୋଜନ୍ତି ଗୌଗିକ ଧାତୁରେ ।

ଭୂଷିତ ହୋଇ ବୁଲନ୍ତି ବନ ଅଭ୍ୟନ୍ତରେ ॥

ଗଣସଙ୍ଗେ ଧ୍ୟାନନିଷ୍ଠ ଦେଖିଣ ହରଙ୍କୁ ।

ଗିରିରାଜ ବାହାରିଲେ ଔପଧି ପ୍ରସ୍ଥକୁ ॥

ଶିବପୂଜା ପାଇଁ ଆସି ହେଲେ ଉପସ୍ଥିତ ।

ନାନା ଉପହାରେ ପୂଜାକଲେ ସେ ପର୍ବତ ।

ଶିବ ଶ୍ରଦ୍ଧା ସହକାରେ ତାଙ୍କ ପୂଜା ଘେନି ।

ମଧୁର ବାକ୍ୟ କହିଲେ ହିମାଦ୍ରିଙ୍କୁ ପୁଣି ॥

ଇଶ୍ୱର ଉବାଚ

ତୁମ୍ଭ ପ୍ରସ୍ତରେ ତପ କରିବା ପାଇଁ ମୁହିଁ ।

ଆସିଲି ମୋ ପାଖୁ ଯଥା ନଆସିବେ କେହି ॥

ସେପରି ବିଧାନ କର ତୁମ୍ଭେ ମହାଜ୍ଞାନୀ ।

ଦେବ ମୁନିମାନଙ୍କର ବାସସ୍ଥାନ ପୁଣି ॥

ତୁମ୍ଭପୁର ନିକଟରେ ଗଙ୍ଗାକୁଳେ ରହି ।

ତପସ୍ୟା କରିବାପାଇଁ ମୋ ମନ ବଳଇ ॥

ଏହାକହି ଶମ୍ଭୁ ଧ୍ୟାନନିଷ୍ଟ ହୋଇଗଲେ ।

ଗିରିରାଜ ସ୍ନେହଯୁକ୍ତ ବଚନ କହିବେ ॥

ତୁମ୍ଭ ଅଧଷ୍ଠାନେ ମୁହିଁ ପବିତ୍ର ହୋଇଲି ।

ଏଥୁଁ ଅଧିକ କି ଭାଗ୍ୟ ମୋର ଅଛି ବଳି ॥

ବହୁ ତପସ୍ୟାରେ ଦେବେ ତୁମ୍ଭଙ୍କୁ ନପାନ୍ତି ।

ତୁମ୍ଭେ ବଳେ ଉପସ୍ଥିତ ଧନ୍ୟ ମୋ ନିୟତି ॥

ମୋହଠାରୁ ଧନ୍ୟ ପୁଣ୍ୟବାନ କେହି ନାହିଁ ।

ଯେଣୁ ତୁମ୍ଭେ ଜଗତ୍‍ପ୍ରଭୁ ଏ ସ୍ଥାନରେ ରହି ॥

ଇନ୍ଦ୍ରଠାରୁ ବେଶି ଭାଗ୍ୟବାନ ମୁଁ ହୋଇଲି ।

ଯେଣୁ ସଗଣେ ତୁମ୍ଭଙ୍କୁ ଏ ସ୍ଥାନେ ପାଇଲି ॥

ଏହା କହି ଗିରିରାଜ ଗଲେ ନିଜପୁର ।

ପୁରବାସିଙ୍କୁ କହିଲେ ଶୁଣ ମୋର ଗିର ॥

ମୋ ଆଦେଶ ବିନା କେହି ନଯିବ ସେ ସ୍ଥାନେ ॥

ଏହାକହି ତିଳ କୁଶ ପୁଷ୍ପ ଫଳ ଧରି ।

ସୁତା ସହ ଶିବପାଶେ ଗଲେ ହିମଗିରି ॥

ସେଠାରେ ପ୍ରବେଶି ଶିବଙ୍କୁ ନିଶ୍ଚଳ ଦେଖି ।

ତନୟାକୁ ନମସ୍କାର କରାନ୍ତି ତହିଁକି ॥

ତିଳ କୁଣାଦିକୁ ଆଗେ ଥୋଇଣ କହନ୍ତି ।

ଏମୋ ସୁତା ସଖୀ ସଙ୍ଗେ ଆସିଛି ସୁଦତୀ ॥

ଆଜିଠାରୁ ପ୍ରତ୍ୟହ ତୁମ୍ଭଙ୍କୁ ଏ ପୂଜିବ ।

ଅନୁମତି ଦିଅ ପ୍ରଭୋ ଯଦି ଦୟା ଥିବ ॥

ଶିବ କନ୍ୟାକୁ ଦେଖିଲେ ପ୍ରଥମ ଯୌବନା ।

ଫୁଲ୍ଲନ୍ଦୌ ବରତୁଲ୍ୟା ସେ ପୂର୍ଣ୍ଣଚନ୍ଦ୍ରାନନା ॥

ନୀଳକେଶ ଗୁଛ ଶୋଭା ଅତି ଚମତ୍କାର ।

ଜମ୍ବୁଗ୍ରୀବା ବିଶାଳାକ୍ଷୀ କର୍ଣ୍ଣ ମନୋହର ॥

ମୃଣାଳ ସଦୃଶ ବାହୁ ପଦ୍ମକଢ଼ ସ୍ତନ ।

କ୍ଷୀଣମଧ୍ୟା ରକ୍ତପାଣି ପାଦରେ ଶୋଭନ ॥

ସ୍ଥଳ ପଦ୍ମପରି ପାଦ ବୃତ୍ତ ଜଙ୍ଘା ଉରୁ ।

ନିମ୍ନନାଭି ଉଚ୍ଚନାଶା ଦିଶଇ ସୂଚାରୁ ॥

ସର୍ଚ ଲକ୍ଷଣ ସମ୍ପର୍ଣ୍ଣା ତ୍ରିଲୋକ ଦୁର୍ଲଭା ।

ମୁନି ମାନସ ଚଞ୍ଚଳ କରେ ଯାହା ଶୋଭା ॥

ନାରୀ ଶିରୋମଣି ତାଙ୍କୁ ଦେଖିଲେ ନୟନେ ।

ମୁନିଗଣ ଧ୍ୟାନଛାଡ଼ି ଘାରିହେବେ କାମେ ॥

ହିମାଦ୍ରି ବଚନେ ଶିବ ସମ୍ମତ ହୋଇଲେ ।

ପ୍ରତ୍ୟହ ପୂଜିବା ପାଇଁ ଅନୁମତି ଦେଲେ ॥

ଧୈର୍ମାଭଙ୍ଗେ ହେତୁ ଦେଖି ଯେହୁ ଧୈର୍ପାଧରେ ।

ସେ ପ୍ରଧାନ ଯୋଗି ବୋଲି କହନ୍ତି ସଂସାରେ ॥

ତପସ୍ୟା ମହତ୍ତ୍ଵ ସେ ତପସ୍ୱିଙ୍କ ଧୀରତା ।

ତହୁଁ ହିମାଦ୍ରି ଗଲେ ଗୃହକୁ ଘେନି ସୂତା ॥

ହର ଧ୍ୟାନରତ ହେଲେ ଏକାଗ୍ର ମନରେ ।

ସେଦିନୁ କାଳୀ ପ୍ରତ୍ୟହ ସଖୀଙ୍କ ସଙ୍ଗରେ ॥

ନାନା ପୂଜାଦ୍ରବ୍ୟ ନେଇ ଶଙ୍କର ପୂଜନ୍ତି ।

ଗମନାଗମନ ବେଳେ ଶିବଙ୍କୁ ଚିନ୍ତନ୍ତି ॥

କେବେ କେବେ ଶିବ ଆଗେ ପଞ୍ଚମ ତାନରେ ।

ସୁମଧୁର ଗୀତ ଗାନ କରନି ସୁସ୍ଵରେ ॥

କେବେ କୁଶ ପୁଷ୍ପ ଫଳେ ପୁଜନ୍ତି ଶଙ୍କର ।

ଗଙ୍ଗାନୀରେ ସ୍ନାନ କରନ୍ତି ସଖୀ ସଙ୍ଗର ॥

କେବେ ଶିବଆଗେ ବସି ମୁଖ ନିରୀକ୍ଷନ୍ତି ।

ସକାମାହୋଇ ମନରେ ଶିବଙ୍କୁ ଚିନ୍ତନ୍ତି ॥

କାର୍ଯ୍ୟବ୍ୟସ୍ତ ଥିବାବେଳେ ନଭାବନ୍ତି ହର ।

କାର୍ଯ୍ୟ ନଥିବା ସମୟେ ଭାବନ୍ତି ଶଙ୍କର ॥

କେବେ ହର ମୋର ପାଣିଗ୍ରହଣ କରିବେ ।

କେବେ ମୋ ସଙ୍ଗେ ସୁରତ କ୍ରୀଡ଼ାରେ ମାତିବେ ॥

ଏପରି ଚିନ୍ତିତା କାଳୀ ସ୍ଵପ୍ନ ଅବସ୍ଥାରେ ।

ହରଙ୍କୁ ପୂଜିବା ଦେଖୁଥାନ୍ତି ନୟନରେ ॥

ଶିବଙ୍କୁ ସଦା ଭାବିବା ଜାଣି ମହେଶ୍ଵର ।

ତାଙ୍କ ପ୍ରତି ଆସକ୍ତମନା ହେଲେ ଶଙ୍କର ॥

କିନ୍ତୁ ଗର୍ଭବୀଜ ଯୋଗେ ଜନ୍ନହେବା ଜାଣି ।

କାଳୀଙ୍କୁ ପତ୍ନୀ କରିବା ଦୋଷ ପରିମାଣି ॥

ଭାବିଲେ ଏ ବ୍ରତଚର୍ଯ୍ୟା କରି ଶୁଦ୍ଧା ହେଲେ ।

ବିବାହ କରିବି କାଳୀ ନିର୍ଦୋଷ ଭାବରେ ॥

କିପରି ଏ ବ୍ରତ ନିୟମକୁ ଯେ ପାଳିବ ।

ତହିଁର ଉପାୟ ଚିନ୍ତା କରିବାକୁ ହେବ ॥

ଏତେ ବିଚାର ତପରେ ରତ ହେଲେ ହର ।

କାଳିକାପୂରାଣ ଗୀତେ କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ

ତ୍ରିଚତ୍ୱାରିଂଶୋଽଧ୍ୟାୟଃ ।

 

॥ ୪୪ ॥

 

ଶ୍ରୀ ମାର୍କଣ୍ଡେୟ ଉବାଚ

ଗିରିଶ ଏତେକ ଚିନ୍ତି ଧ୍ୟାନନିଷ୍ଠ ହେଲେ ।

ଧ୍ୟାନେ ଚିନ୍ତାକରି ବାହ୍ୟରୁ ମନ ରୋକିଲେ ॥

କାଳି ପ୍ରତ୍ୟହ ଶିବଙ୍କୁ ଭକ୍ତିରେ ସବନ୍ତି ।

ସର୍ବଦା ଶିବଙ୍କ ରୂପ ମନରେ ଚିନ୍ତନ୍ତି ॥

ଧ୍ୟାନରତ ଶିବ କାଳୀଙ୍କୁ ପ୍ରତ୍ୟକ୍ଷେ ଦେଖି ।

ପୂର୍ବକଥା ବିସ୍ମରି ନ ଦେଖିଲାକୁ ଦେଖି ॥

ଏ ମଧ୍ୟରେ ତାରକ ନାମକ ମହାସୁର ।

ତ୍ରିଲୋକସହ ଦେବଙ୍କୁ ଦେଲା ଦୁଃଖ ଘୋର ॥

ବ୍ରହ୍ମାଙ୍କବରେ ଦର୍ପିତ ହୋଇ ତ୍ରିଲୋକକୁ ।

ବଶେରଖି ନିଜେ ଇନ୍ଦ୍ର ହେଲା ସେ ମନକୁ ॥

ଦେବଙ୍କୁ ତଡ଼ି ଦୈତ୍ୟକୁ ରଖିଲା ସେ ସ୍ଥାନେ ।

ଯମକାର୍ଯ୍ୟ କାଢ଼ିନେଇ ନିଜେ ବୁଝେ ମନେ ॥

ସୂର୍ଯ୍ୟ ସ୍ଵଇଛାରେ ତାପ ନଦିଅନ୍ତି ଭୟେ ।

ଚନ୍ଦ୍ର ସ୍ଵକିରଣେ ନର୍ମ ସଚିବରେ ରହେ ॥

ସୁଗନ୍ଧ ଶୀତଳ ମନ୍ଦଭାବେ ବାୟୁ ବହି ।

ତାରକର ବଞ୍ଜନ କର୍ମକୁ କରୁଥାଇ ॥

କୁବେର ଉତ୍କୃଷ୍ଟ ଧନରତ୍ନ ଦେଇ ଭୟେ ।

ତାରକର ସେବାକରେ ମନ ତୋଷ ଯାଏ ॥

ଅଗ୍ନିପାଚକ ହୋଇଣ ଅନ୍ନାଦି ରାନ୍ଧଇ ।

ଅସ୍ଵାଦ ହୋଇଲେ ଉଚିତ ଦଣ୍ଡକୁ ପାଇ ॥

ନୈଋତ ରାକ୍ଷସଗଣ ସଙ୍ଗରେ ରଖିଣ ।

ଅଶ୍ଵ ହସ୍ତିଙ୍କ ଶୁଶ୍ରୁଷା କରେ ତାର ପୁଣ ॥

ଅପ୍‌ସରାଗଣ ନାଚନ୍ତି ତାର ମନ ଜାଣି ।

ଗନ୍ଧର୍ବେ ଗୀତ ବାଦ୍ୟରେ ତାର ମନ କିଣି ॥

ଏ ଭାବେ ତ୍ରୀଲୋକବାସୀଙ୍କୁ ପୀଡ଼ା ଦିଅଇ ।

ଦେବଙ୍କ ସାରପଦାର୍ଥ ସବୁ ନିଏ ବହି ॥

ତହୁଁ ଇନ୍ଦ୍ରାଦି ଅମରେ ବହୁ ଦୁଃଖ ସହି ।

ବ୍ରହ୍ମାଙ୍କ ନିକଟେ ଯାଇ ସକଳ ଜଣାଇ ॥

ହେ ଲୋକେଶ ତୁମ୍ଭ ବରେ ପ୍ରତାପୀ ତାରକ ।

ସ୍ଵର୍ଗରୁ ଆମ୍ଭଙ୍କୁ ତଡ଼ିଦେଲା ସବୁଯାକ ॥

ଯେ ସ୍ଥାନରେ ଥିଲେ ମଧ୍ୟ ଆମ୍ଭଙ୍କୁ ଅଣାଇ ।

ନାନାକଷ୍ଟ ଦେଇ ତାର ସେବାରେ ଖଟାଇ ॥

ପଳାଇ ଦେଖୁଁ ସର୍ବତ୍ର ତାରକର ରାଜ୍ୟ ।

ଦିଗପାଳ ନିଜେ ହୋଇ କରେ ସବୁ କାର୍ଯ୍ୟ ॥

ବଳେ ଦେବଙ୍କୁ ସେବାରେ ଖଟାଏ ସର୍ବଦା ।

ତା ଭୟରେ ଦେବଗଣେ ହୋଇଲେଣି ପଦା ॥

ଦେବନାରୀ ଅପ୍‌ସରାଙ୍କୁ ବଳେ ନେଇଗଲା ।

ଦେବଙ୍କ ସାରପଦାର୍ଥ ସବୁ ବହିନେଲା ॥

ଯଜ୍ଞ ତପସ୍ୟା ଦାନ ଧର୍ମାଦି ନିଷେଧଇ ।

କୌଞ୍ଚନାମେ ତାର ମନ୍ତ୍ରୀ ବଡ଼ ଧୃର୍ତ୍ତ ସେହି ॥

ପାତାଳକୁ ଯାଇ ସେ ଲୋକଙ୍କୁ ପୀଡ଼ା ଦିଏ ।

ଏଣୁ ତ୍ରିଲୋକରେ ଆଧ୍ଵପତ୍ୟ କରିଥାଏ ॥

ସେ ପାପାତ୍ମାଠାରୁ ତ୍ରିଲୋକକୁ ଉଦ୍ଧାରିଣ ।

ସୃଷ୍ଟି ରକ୍ଷାକର ଜଣାଉଁ ତୁମ୍ଭ ପାଶେଣ ॥

ଆମ୍ଭ ରହିବାକୁ ସ୍ଥାନ ଦିଅ ସ୍ଥିର କରି ।

ତୁମ୍ଭେ ଆମ୍ଭ ଗତିଶାସ୍ତା ତ୍ରାତା ପିତା ପରି ॥

ତୁମ୍ଭେ ତ୍ରିଲୋକ ପାଳକ ସ୍ଥାପକ କୁଶଳୀ ।

ତାରକ ବହ୍ନିରୁ ରକ୍ଷାଅର୍ଥେ ତୁମ୍ଭେ ବାରି ॥

ଦେବଙ୍କ ବଚନ ଶୁଣି ଲୋକ ପିତାମହ ।

କାଳ ଅନୁରୂପେ ବାକ୍ୟ କହନ୍ତି ସସ୍ନେହ ॥

ବ୍ରହ୍ମୋ ଉବାଚ

ମୋ ବରେ ଗର୍ବିତ ସେହି ତାରକ ଅସୁର ।

କିନ୍ତୁ ମୋ ହାତରେ ବଧ ନୋହିପାରେ ତାର ॥

ବିଷ୍ଣୁ ହର ନମାରି ପାରିବେ ତାରକକୁ ।

ଶିବପୁତ୍ର ହେଲେ ହେଳେ ମାରିବେ ତାହାକୁ ॥

ଏକ୍ଷଣି ହିମାଦ୍ରି କନ୍ୟା ପାର୍ବତୀ ସୁନ୍ଦରୀ ।

ତପୋରତ ଶିବଙ୍କୁ ସେବର ଭକ୍ତି କରି ॥

ଶିବଙ୍କର ପୂର୍ବ ପତ୍ନୀ ସତୀ ମରିଛନ୍ତି ।

ତାଙ୍କ ଆତ୍ମା ପାର୍ବତୀ ରୂପରେ ତହିଁଛନ୍ତି ॥

ତାଙ୍କ ସଙ୍ଗେ ଶିବଙ୍କର ବିବାହ ଯେପରି ।

ଶୀଘ୍ର ନିଷ୍ପନ୍ନ ହେବ ତା କର ଯତ୍ନ କରି ॥

ସେ ଉର୍ଦ୍ଧ୍ୱରେତା ଶିବଙ୍କୁ ବୀର୍ଯ୍ୟର ସ୍ଖଳନ ।

କରିବାକୁ ଅନ୍ୟ ନାରୀ ନୋହିବ ଭାଜନ ॥

ଶିବ ବୀର୍ଯ୍ୟେ ଜାତ ସୁତ ତାରକର ହନ୍ତା ।

ଯୁବତୀ ହୋଇ ଅଛନ୍ତି ଗିରିରାଜ ସୁତା ॥

କିନ୍ତୁ ଶିବ ମନେ ମଧ୍ୟ ନେଇଛନ୍ତି ତାଙ୍କୁ ।

ଯେପରି ସେ ଶିବପତ୍ନୀ ହେବେ କର ତାକୁ ॥

ମୁଁ ତାରକକୁ କହିଣ ସ୍ୱର୍ଗରୁ ବାହାର ।

କରିଦେବି ସୁଖେ ତୁମ୍ଭେ ରହ ସ୍ଵର୍ଗପୁର ॥

ଏହାକହି ଧାତାଗଲେ ତାରକ ସମୀପେ ।

ତାକୁ କହିଲେ ତୁ ଛାଡ଼ ସ୍ଵର୍ଗକୁ ସ୍ଵରୂପେ ॥

ମର୍ତ୍ତେ ରାଜ୍ୟକର ଦେବେ ରହନ୍ତୁ ସ୍ଵର୍ଗରେ l

ବରବେଳେ ସ୍ୱର୍ଗ ମାଗି ନଥିଲ ମୋଠାରେ ॥

ଏତେକହି ପିତାମହ ହେଲେ ଅନ୍ତର୍ହିତ ।

ବ୍ରହ୍ମାବାକ୍ୟେ ତାରକ ଛାଡ଼ିଲା ସ୍ୱର୍ଗକୁ ତ ॥

ମର୍ତ୍ତେ ରାଜାହୋଇ ଦେବଙ୍କୁ ପୀଡ଼ଇ ସଦା ।

ଇନ୍ଦ୍ରଠାରୁ କର ଆଦାୟ କରେ ସର୍ବଦା ॥

ଇନ୍ଦ୍ରଭୟେ ନାନାଦ୍ରବ୍ୟ ଦିଏ ଉପହାର ।

ତଥାପି ସନ୍ତୋଷ ନୁହେଁ ତାରକ ଅସୁର ॥

ଏଭାବେ ତାରକ ପୀଡ଼ା ଦିଏ ଦେବଗଣେ ।

ବ୍ରହ୍ମାଦେଶେ ହର ପୁତ୍ରଲଭେ ଯତ୍ନ ଏଣେ ॥

ଇନ୍ଦ୍ର ବୃହସ୍ପତି ସଙ୍ଗେ ବିଚାର କରିଣ ।

କାମଦେବଙ୍କୁ ଡାକିଣ କହିଲେ ଏସନ ॥

ତୁମ୍ଭେ ବିଶ୍ଵକୁ ପାଳିଣ ବିଶ୍ଵ ସ୍ପଷ୍ଟି କର ।

ବ୍ରହ୍ମା ବିଷ୍ଣୁ ରୁଦ୍ରଙ୍କର ପ୍ରୀତିପ୍ରଦ ବୀର ॥

ପ୍ରୀତିରେ ବ୍ରହ୍ମା ଯେପରି ସାବିତ୍ରୀକୁ ନେଲେ ।

ବିଷ୍ଣୁ ପ୍ରୀତିରେ କମଳା ପ୍ରିୟବତୀ ହେଲେ ॥

ଶିବ ସତୀଙ୍କ ପ୍ରୀତିରେ ହୋଇଲେ ମୋହିତ ।

ଏସବୁ ତୁମ୍ଭ ଯୋଗରୁ ହେଲା ପରିଣତ ॥

ଏବେ ମୋ କାର୍ଯ୍ୟକୁ କରି ଦେବ ହିତ ସାଧ ।

ତୁମ୍ଭ ବିନା କେହି ଅନ୍ୟ ନୋହିବେ ସମର୍ଥ ॥

ଇନ୍ଦ୍ରଙ୍କ ବିନୟ ବାକ୍ୟେ କାମ ପ୍ରୀତ ହୋଇ ।

କହିଲେ କି କାର୍ଯ୍ୟ କହ କରିବଇଁ ମୁହିଁ ॥

ମୋହର ପାଞ୍ଚଟି ବାଣ ସେ ପୁଣି ପୁଷ୍ପରେ ।

ପୁଷ୍ପଧନୁ କୋମଳ ଗୁଣଟି ଭ୍ରମରରେ ॥

ରତି ମୋର ପ୍ରିବତୀ ସଚିବ ବସନ୍ତ ।

ମଳୟ ପବନ ଦୂତ ଶଶଧର ମିତ୍ର ॥

ମୋ ସେନାପତି ଶୃଙ୍ଗାର ହାବଭାବ ସେନା ।

ସର୍ବେ ମୋର କୋମଳ ମୁଁ ମଧ୍ୟ ତହିଁ ଗଣା ॥

ମେ ଯୋଗ୍ୟ କାର୍ଯ୍ୟରେ ମୋତେ ବିନିଯୋଗ କର ।

ଅବଶ୍ୟ କାର୍ଯ୍ୟ ସାଧିବି ନାହିଁ ମୋର ଡର ॥

ଇନ୍ଦ୍ର ଉବାଚ

ତୁମ୍ଭେ ଉପଯୁକ୍ତ କର୍ମେ ତୁମ୍ଭଙ୍କୁ ନିଯୋଜି ।

କୃତକାର୍ଯ୍ୟ ହେବୁଁ ଆମ୍ଭେ ଦେବଗଣେ ଆଜି ॥

ଶୁଣୁଛି ହିମାଳୟ ପ୍ରସ୍ତରେ ସଦାଶିବ ।

ଧ୍ୟାନରତ ହୋଇ ବ୍ରହ୍ମ ଚିନ୍ତୁଛନ୍ତି ସର୍ବ ॥

ପିତାଙ୍କ ଆଦେଶେ ଗିରିକନ୍ୟା କାଳୀ ଦେବୀ ।

ସଖୀଦ୍ଵୟ ସଙ୍ଗେ ସେବେ ଶିବଙ୍କୁ କି ଭାବି ॥

ପୂର୍ଣ୍ଣ ଯୁବତି ସେ କାଳୀ ପରମା ସୁନ୍ଦରୀ ।

ଧ୍ୟାନରତ ଶିବ ତାଙ୍କୁ ନଚାହାନ୍ତି ସ୍ମରି ॥

ଯେପରି ସେ ଶିବ କାଳୀଙ୍କୁ ସ୍ନେହ କରିବେ ।

ସେପରି ଯତ୍ନ କରି ସଂସାର ହିତ ଦେବେ ॥

ଯେପରି ସତୀଙ୍କ ସଙ୍ଗେ ଶିବ କ୍ରୀଡ଼ାସକ୍ତ ।

ସେପରି କାଳୀ ସହିତ ହେବେ ବିଶ୍ଵନାଥ ॥

ତାଙ୍କଠାରୁ ଜାତ ପୁତ୍ର ତାରକକୁ ମାରି ।

ଆମ୍ଭମାନଙ୍କୁ ଦୁଃଖରୁ କରିବେ ସେ ପାରି ॥

 

ମାର୍କଣ୍ଡେୟ ଉବାଟ

ଦେବରାଜ ବାକ୍ୟ ଶୁଣି କନ୍ଦର୍ପ ବିଚାରେ ।

ବ୍ରହ୍ମକୃତ ଶାପ ଏବେ ଫଳିବ ମୋଠାରେ ॥

ବାଣ ପରୀକ୍ଷା ପାଇଁ ସନ୍ଧ୍ୟାଙ୍କୁ ଧାତା ପାଶେ ।

ପ୍ରୟୋଗି ଶାପ ପାଇଲି ଧାତା କୋପ ବଶେ ॥

ଶିବ ତୃତୀୟ ନେତ୍ର ଅଗ୍ନିରେ ଦଗ୍‌ଧ ହେବି ।

ଶିବ ଗିରିଜା ସଙ୍ଗମେ ବାଣ ମୁଁ ମାରିବି ॥

ପୁନରପି ଦେହ ପାଇ ଶିବ ପାର୍ବତୀଙ୍କ ।

ସଙ୍ଗମ ସୁଖକୁ ଦେବି ମୁହିଁ ଯେ ଦର୍ପକ ॥

ବିଧିଙ୍କ ଶାପ ସ୍ମରିଣ ଭୀତ ସେ ମଦନ ।

ଇନ୍ଦ୍ରକଥା ମାନି ହର କାଳୀ ସଂଯୋଜନ ॥

କରିବାକୁ ଉଦ୍ୟତ ହୋଇଣ କହେ ପୁଣ ।

ହରକାଳୀ ଯୋଗବଳେ କରିବ ସ୍ମରଣ ॥

ମୋତେ ସହାୟ ହୋଇ ପ୍ରାଣ ରକ୍ଷା କରିବ ।

ଯାଉଛି ତୁମ୍ଭ କାର୍ଯ୍ୟରେ ମନେ ରଖିଥିବ ॥

ଏତେ କହି କାମ ଗଲେ ଶଙ୍କର ଆଶ୍ରମେ ।

ଇନ୍ଦ୍ର ମଧ୍ୟ ତ୍ରିଦଶଙ୍କୁ କହନ୍ତି ସୁଗମେ ॥

ତୁମ୍ଭେ କାମସଙ୍ଗେ ଥାଇ ସାହାଯ୍ୟ କରିବ ।

ତା ଆପଦ ବେଳେ ଆସି ମୋତେ ଜଣାଇବ ॥

ତହୁଁ ଦେବେ ଗଲେ କାମ ସଙ୍ଗେ ଗୁପ୍ତ ବେଶେ ।

କାମ ସ୍ଵଗଣ ସହିତ ଗଲେ ଶିବ ପାଶେ ॥

ତହିଁ ପ୍ରବେଶି ସୁଗନ୍ଧିବାୟୁ ବୁହାଇଲେ ।

ତରୁ ଲତାଗଣ ସବୁ ପୁଷ୍ପବନ୍ତ ହେଲେ ॥

ପଲାଶ କେତକୀ ବୃକ୍ଷେ ପୁଷ୍ପ ଫୁଟି ବାସେ ।

ଜଳାଶୟ ପଦ୍ମପୁଷ୍ପେ ମଣ୍ଡିତ ସୁବାସେ ॥

ସର୍ବପ୍ରାଣିଙ୍କ ମାନସ ବିକୃତ ହୋଇଲା ।

ପୁଷ୍ପରେଣୁ ଦେହେ ଧରି ପବନ ବହିଲା ॥

ପ୍ରାଣିମନ କ୍ରମେ କ୍ରମେ ହେଲା ଆକର୍ଷିତ ।

ପଶୁ ପକ୍ଷି ଆଦି ପ୍ରାଣି ହେଲେ ବିମୋହିତ ॥

ସିଦ୍ଧ କିନ୍ନର ଗଣେ ମୈଥୁନକୁ ଭାବିଲେ ।

ଆମ୍ବବୃକ୍ଷେ ପୁଷ୍ପଗୁଛ ପ୍ରକାଶିତ ହେଲେ ॥

ନାଗ କେଶର ପାଟଳ ହେଲା ପୁଷ୍ପବନ୍ତ ।

ଶିବଗଣେ କାମପୀଡ଼ା କଲା ବିମୋହିତ ॥

ଭ୍ରମର ଭ୍ରମରୀ ସଙ୍ଗେ କ୍ରୀଡ଼ାରତ ହୋଇ ।

ଗୁଞ୍ଜନରେ ପ୍ରାଣିମନ ମୋହକଲେ ତହିଁ ॥

ଏଭାବେ ଶ୍ରଙ୍ଗାରରସ ପ୍ରବର୍ତ୍ତିଲା ତହିଁ ।

ହାବ ଭାବ ସଙ୍ଗେ କାମ ତହିଁ ପ୍ରବେଶଇ ॥

ବହୁକାଳ ଅପେକ୍ଷି ହରଙ୍କ ଛିଦ୍ର କିଛି ॥

ଦେଖିଲା ପ୍ରଚଣ୍ଡ କାଳାନଳ ସମଦ୍ୟୁତି ।

ଭରସି ନପାରି ରହେ ତହିଁ ରତିପତି ॥

ତହୁଁ ଗିରିକନ୍ୟା ସଖୀ ଦୁହିଁଙ୍କ ସଙ୍ଗରେ ।

ଶିବପୂଜା ପାଇଁ ଆସି ପ୍ରବେଶିଲେ ଖରେ ॥

ଶିବ ମଧ୍ୟ ସେକ୍ଷଣେ ଧ୍ୟାନବିରତ ହେଲେ ।

ସ୍ଵଗଣଙ୍କୁ ସାବଧାନେ ଥାବୋଲି ବୋଇଲେ ॥

ସେହି ଛିଦ୍ରପାଇଁ କାମ ହର୍ଷଣ ବାଣରେ ।

ଶଙ୍କରଙ୍କୁ ହର୍ଷଯୁକ୍ତ କଲା ନିଜ ଶରେ ॥

ହାବଭାବ ସହିତ ଶୃଙ୍ଗାର ସେବେଳରେ ।

କାମକୁ ସାହାଯ୍ୟ କଲା ହର ମୋହନରେ ॥

ହର୍ଷଣରେ ଅତି ହୃଷ୍ଟ ଶୃଙ୍ଗାର ସେବିତ ।

ହୋଇ ହର କାଳୀମୁଖେ କଲେ ନେତ୍ରପାତ ॥

ସେ ଛିଦ୍ରକୁ ପାଇ କାମ ସମ୍ମୋହନ ବାଣ ।

ହରଙ୍କୁ ପ୍ରୟୋଗ କଲା ହୋଇ ହୃଷ୍ଟମନ ॥

ବାମେ ରତି ଦକ୍ଷିଣ ପ୍ରୀତି ପୃଷ୍ଠ ବସନ୍ତ ।

ପୁଷ୍ପ ତୂଣୀରକୁ ଧରି କନ୍ଦର୍ପ ତୁରିତ ॥

ଆକର୍ଣ୍ଣାନ୍ତ ଧନୁ ଟାଣି ବାଣ ପ୍ରହାରିଲେ ।

ହର ଗିରିଜାଙ୍କୁ ଗ୍ରହଣାର୍ଥେ ଇଚ୍ଛାକଲେ ॥

ଦେବଗଣ ସହ ଇନ୍ଦ୍ର ଦେଖନ୍ତି ଆକାଶେ ।

କାମ କାର୍ଯ୍ୟକୁ ସାଧବ ଭାବନ୍ତି ମାନସେ ॥

ତହୁଁ ଶିବ ଭାବି ବିକାରକୁ ସମ୍ଭାଳିଲେ ।

ଇନ୍ଦ୍ରିୟଙ୍କୁ ସ୍ଥିରକରି ମନରେ ଭାବିଲେ ॥

ଏକାଳୀ ତପବର୍ଜିତା ଏଣୁ ପରିତ୍ୟକ୍ତା ।

ଏକ୍ଷଣି ଧରିବାକୁ ମୁଁ ହେଉଛି ବ୍ୟଗ୍ରତା ॥

ତପବ୍ରଜ ପବିତ୍ରାଙ୍ଗୀ ହେଲେ ଏ ଗିରିଜା ।

ଏହାକୁ ବିବାହ ହେବି ଯଥା ସେ ଦକ୍ଷଜା ॥

କାହିଁକି ଅନିଚ୍ଛା ସତ୍ତ୍ଵେ ମୁଁ ବିକୃତ କାମ ।

କିଏ ଆକର୍ଷିଲା ମୋତେ ଇଛଇ ସଙ୍ଗମ ॥

ବିକାର କାରଣ ଖୋଜି ଆଗରେ ଦେଖିଲେ ।

ଧନୁବାଣ ଧରି କାମ ସ୍ଥିତ ତହିଁ ଭଲେ ॥

ଏ ମଧ୍ପରେ ବ୍ରହ୍ମା ସମୟକୁ ଜାଣିପାରି ।

ଦେବଗଣଙ୍କ ସଙ୍ଗରେ ଆସିଲେ ସେ ଚଳି ॥

ତହୁଁ କୋପଯୁକ୍ତ ହର ବାଣ ଧନୁଧାରୀ ।

କାମକୁ ବିକାର ହେତୁ ମନେ ସ୍ଥିର କରି ॥

ସମୟ ଦେଖି ଏ କାମ ମୋତେ ମୋହିବାକୁ ।

ଆସିଛି ଏହାକୁ ମାରି ଶାନ୍ତିବି ମନକୁ ॥

ଏପରି ଚିନ୍ତି ଶଙ୍କର ତୃତୀୟ ନେତ୍ରରୁ ।

ଅଗ୍ନି ପ୍ରଜ୍ୱଳିତ କଲେ ଦେଖି ଲାଗେ ଭୀରୁ ॥

ତହୁଁ ବ୍ରହ୍ମା କାମ ବାଣ ଧନୁ ଶକ୍ତି ପ୍ରାଣ ।

ଆକର୍ଷଣ କରି ଆଣି ରଖିଲେ ପାଖେଣ ॥

ବସନ୍ତକୁ ଆଜ୍ଞାଦେଲେ ତୁମ୍ଭେ ଶକ୍ତି ବଳେ ।

କାମ ପ୍ରାଣ ରକ୍ଷାକର ହର କ୍ରୋଧବେଳେ ॥

ସ୍ୱର୍ଗଗତ ଦେବଗଣେ କୋପୀ ମହେଶଙ୍କୁ ।

ପ୍ରସନ୍ନେ କାମକୁ ରଖ କହିଲେ ହରଙ୍କୁ ॥

ତୁମ୍ଭେ ଯେଉଁ କାର୍ଯ୍ୟ ନିଯୋଜିଛ ମଦନକୁ ।

ସେ କାର୍ଯ୍ୟ କରୁଛି ସେହି ନମାର ତାହାକୁ ॥

ଆମ୍ଭେ ସର୍ବଦେବେ ମିଳି ପ୍ରାର୍ଥନା କରୁଛୁ ।

ମଦନକୁ ନାଶ ନାହିଁ ତୁମ୍ଭଙ୍କୁ ନମୁଛୁ ॥

ଦେବଙ୍କ ପ୍ରାର୍ଥନା ବେଳେ ହରଙ୍କ ନେତ୍ରାଗ୍ନି ।

କନ୍ଦର୍ପକୁ ଦଗ୍‍ଧ କଲା ତୁଳାରାଶି ଜାଣି ॥

କାମ ଦଗ୍‍ଧ କରି ଅଗ୍ନି ନିର୍ବାପିତ ହେଲା ।

ଶିବପାଖେ ଆସିବାକୁ ବ୍ରହ୍ମା ଭୟ କଲା ॥

କନ୍ଦର୍ପର ଭସ୍ମକୁ ଶିବ ଦେହେ ବୋଳିଲେ ।

କାଳୀଙ୍କୁ ଛାଡ଼ି ସଗଣେ ଅନ୍ତର୍ହିତ ହେଲେ ॥

ହର କ୍ରୋଧାନଳ ବ୍ୟାପିବାର ଦେଖି ବିଧି ।

ବଡ଼ବା ନଳ ରୂପରେ ସମୁଦ୍ରେ ସମ୍ପାଦି ॥

ସମୁଦ୍ରକୁ କହିଲେ ଧାତା ଏ କ୍ରୋଧାନଳ ।

ବଡ଼ବା ରୂପେ ତୁମ୍ଭେ ରଖିବ ଚିରକାଳ ॥

ଯେବେଳେ ଆସି ମୁଁ ଏ ଅଗ୍ନିକୁ ନେଇଯିବି ।

ସେ ପର୍ଯ୍ୟନ୍ତ ଏ ରହିବ ତୁମ୍ଭ ହିତ ଭାବି ॥

ତୁମ୍ଭ ଜଳକୁ ଖାଇଣ ରହିବ ଏଠାରେ ।

ଅନ୍ୟସ୍ଥାନେ ନଛାଡ଼ିବ କହିଲି ତୁମ୍ଭରେ ॥

କାମ ଦଗ୍‌ଧକାଳେ ହର ନେତ୍ରୋଦ୍ଭବ ବହ୍ନି ।

ମଁହାଶବ୍ଦ କଲା ତା କାଳୀ ସେ ସଖୀ ଶୁଣି ॥

ଭୟେ କାନ୍ଦି ବ୍ୟସ୍ତହେଲେ ସେ ସ୍ଥାନରେ ରହି ।

ଶବ୍ଦ ଶୁଣି ହିମାଦ୍ରି ଚଞ୍ଚଳେ ଆସି ଧାଇଁ ॥

କନ୍ୟାକୁ ଆଶ୍ଵାସ କରି କୋଳେ କରି ନେଲେ ।

ହରଙ୍କ ବିଚ୍ଛେଦେ କାଳୀ ବହୁ ବ୍ୟସ୍ତ ହେଲେ ॥

ପିତ୍ରାଳୟେ ରହି ସଦା ହରଙ୍କୁ ଭାବନ୍ତି ।

କାନ୍ଦି ମୋହିତା ହୋଇଣ ତଳେ ଲୋଟିଯାନ୍ତି ॥

ଶୈଳରାଜା ମେନକା ମୈନାକଆଦି ପୁତ୍ରେ ।

ସଖୀଦ୍ୱୟ କାଳୀଙ୍କୁ ବୁଝାନ୍ତି ନାନା ଯନ୍ତ୍ରେ ॥

କିନ୍ତୁ କାଳୀ ସଦା ସଦାଶିବଙ୍କୁ ଭାବନ୍ତି ।

ବିପ୍ର ପ୍ରଭାକର ରଚଇ ଏ ଶୁଭ ଗୀତି ॥

 

ଇତି ଶ୍ରୀ କାଳିକାପୁରାଣେ

ଚତୁଶ୍ଚତ୍ୱାରିଂଶୋଽଧ୍ୟାୟଃ ।

✽✽✽

 

॥ ୪୫ ॥

 

ଶ୍ରୀ ମାର୍କଣ୍ଡେୟ ଉବାଚ

ଅନନ୍ତର ଦେବମୁନି ନାରଦ ସେ କାଳେ ।

ଇନ୍ଦ୍ରଙ୍କ ବଚନେ ହିମାଳୟପୁରେ ଗଲେ ॥

ହିମାଦ୍ରି ମୁନିକୁ ନମି ସତ୍କାରକୁ କଲେ ।

ମୁନି କାଳୀଙ୍କୁ ଏକାନ୍ତେ ଦେଖିଣ କହିଲେ ॥

ସର୍ବଜଗତର ହିତେ ବୁଦ୍ଧିମତୀ କାଳୀ ।

ନାରଦ କହନ୍ତି ତାଙ୍କୁ ମନେ ମନେ ଭାବି ॥

ଶୁଣ ଦେବି ତୁମ୍ଭେ ତପୋବ୍ରତାହୀନା ହେତୁ ।

ଶିବ ଗ୍ରହଣ ନକଲେ ମନଥାଉଁ କିନ୍ତୁ ॥

ମୁଁ ଜାଣେ ତୁମ୍ଭ ବ୍ୟତୀତ ଅନ୍ୟ ରମଣୀକି ।

ବିବାହ ନୋହିବେ ଶିବ ଉପାୟ ଏଥିକି ॥

କଠୋର ତପସ୍ୟା କର ଲଭିବ ଶଙ୍କର ।

ତପେ ଶୁଦ୍ଧାହେଲେ ସେ ଘେନିବେ ତୁମ୍ଭକର ॥

ଶିବଙ୍କ ମନ୍ତ୍ରକୁ ଜପ ନିୟତ ମାନସେ ।

ଅଳ୍ପକାଳେ ପ୍ରସନ୍ନ ହୋଇବେ ତୁମ୍ଭ ପାଶେ ॥

ଓଁ ନମଃଶିବାୟ ଏହି ମନ୍ତ୍ର ଷଡ଼ାକ୍ଷର ।

ଶିବରୂପ ଚିନ୍ତି ଏହି ମନ୍ତ୍ର ଜପ କର ॥

ନାରଦଙ୍କ ବାକ୍ୟ କାଳୀ ହିତପଥ୍ୟ ଜାଣି ।

କରିବି ବୋଲି କହନ୍ତେ ଚଳିଗଲେ ମୁନି ॥

ତହୁଁ କାଳୀ ମାତାପାଶେ ସବୁ ଜଣାଇଲେ ।

ତପସ୍ୟା କରିବି ଅନୂମତି ଦିଅ ଭଲେ ॥

ତପୋବନେ ତପସ୍ୟା କରିବି ଶିବ ପାଇଁ ।

ପିତାଙ୍କୁ ଜଣାଇ ବିଦାୟ ଦିଅ ମୁଁ କହି ॥

ଶିବ ବିରହାନଳେ ମୁଁ ପୋଡ଼ି ନମରିବି ।

ଆଜ୍ଞାଦିଅ ତପ କରି ହରଙ୍କୁ ଲଭିବି ॥

କନ୍ୟା କଥା ଶୁଣି ମେନା ଶୋକଯୁକ୍ତା ହେଲେ ।

ଆଲିଙ୍ଗନ କରି ତପ ନକର ବୋଇଲେ ॥

ଏ କୋମଳ ଦେହେ କଷ୍ଟ ତପ ନସହିବ ।

ମୁନିଙ୍କ ଦେହ କଠିନ ତେଣୁ ତପେ ଭାବ ॥

ବନବାସ ମହାଦୁଃଖ ସହିବ କିପରି ।

ତେଣୁ ବନକୁ ନଯାଇ ତପକୁ ନକରି ॥

ସୁଦେହ ସହିବା ଭାଳି ତପ ଏହି ସ୍ଥାନେ ।

କରି ଦେହ ରକ୍ଷାକର ନଯା ତପୋବନେ ॥

ମାତାଙ୍କ ନିଷେଧ ଶୁଣି ସେ ଗିରିନନ୍ଦିନୀ ।

ଦୁଃଖମନେ କହିଲେ ନନିଷେଧ ମୋତେ ପୁଣି ॥

ଯଦି ନଛାଡ଼ିବ ଲୁଟି ଯିବି ତପସ୍ୟାକୁ ।

ମୋର ଇଛା ବଳବତୀ ତପ କରିବାକୁ ॥

ମେନକା କହିଲେ ଆମ୍ଭ ଘରେ ଦେବଗଣେ ।

ତାଙ୍କୁ ପୂଜାକରି ଶିବ ଚିନ୍ତାକର ମନେ ॥

ସ୍ତ୍ରୀ ଜାତିର ସ୍ଵାମୀବିନା ଅନ୍ୟତ୍ର ଗମନ ।

କରିବା ନିଷେଧ ଜାଣ ମୋ କଥାକୁ ମାନ ॥

ର ସମ୍ବୋଧେ ମାନିଷେଧେ ତେଣୁ ରମା ନାମ ।

ସେଦିନୁ ଗିଗିରାଜ୍ୟରେ ହୋଇଲା ହେ ଜାଣ ॥

ମାତା ନିଷେଧ ନମାନି ସଖୀଙ୍କର ଦ୍ଵାରା ।

ପିତାଙ୍କୁ ଜଣାଇ ତପେ ମନଦେଲେ ଉଭା ॥

ପିତା ଶୁଣି ଅନୁମତି ଦେଲେ ତପ ପାଇଁ ।

କିନ୍ତୁ କନ୍ୟା ବିରହରେ ଦୁଃଖମନେ ରହି ॥

ପିତ୍ରାଦେଶେ ଯାଇ ସଖୀ ଦୁହିଙ୍କର ସଙ୍ଗେ ।

ଯେ ସ୍ଥାନେ ମଦନ ଦଗ୍‍ଧ ଗଲେ ସେହି ଲାଗେ ॥

ସେ ସ୍ଥାନେ ଆକାଶୁ ଗଙ୍ଗା ଅବତୀର୍ଣ୍ଣା ହେଲେ ।

ସ୍ଵଗଣ ସହିତ ହର ନାହାନ୍ତି ସେ ସ୍ଥଳେ ॥

ପୂର୍ବେ ସେ ସ୍ଥାନେ ଶିବଙ୍କୁ ପୁଜୁଥିଲେ କାଳୀ ।

ତାଙ୍କ ମୁଖଦେଖି ଭୁଲୁଥୁଲେ ଦୁଃଖ ବାଳୀ ॥

ତହିଁ କ୍ଷଣେ ରହି ବିରହ ପୀଡ଼ିତା ହେଲେ ।

ହା ହରବୋଲିଣ କାନ୍ଦି ତଳେ ପଡ଼ିଗଲେ ॥

ପୂର୍ବକଥା ସ୍ମରି ମୋହ ଭଜିଲେ ଗିରିଜା ।

ଧୈର୍ଯ୍ୟବଳେ ମୋହଭାଙ୍ଗି ହୋଇଲେ ସତେଜା ॥

ତପସ୍ୟା ନିୟମେ ସ୍ଥିତା ହେଲେ ସେହିକ୍ଷଣି ।

ପ୍ରଥମେ ଫଳ ଭକ୍ଷିଣ ରହିଲେ ଭାମିନୀ ॥

ଗ୍ରୀଷ୍ମରେ ପଞ୍ଚାଗ୍ନି ମଧ୍ୟେ ମଧ୍ୟାହ୍ନ କାଳରେ ।

ଶିବ ମନ୍ତ୍ରକୁ ଜପିଲେ ଅତି ଦୃଢ଼ ତରେ ॥

ବଳ୍‍କଳ ପିନ୍ଧି ଶୀତକାଳରେ ଜଳେ ରହି ।

ରାତ୍ରିରେ ମନ୍ତ୍ର ଜପନ୍ତି ଶିବରୂପ ଧ୍ୟାୟୀ ॥

ଦ୍ୱିତୀୟରେ ତୋୟମାନ ତହୁଁ ଶୁଷ୍କ ପତ୍ର ।

ଭକ୍ଷି ମନ୍ତ୍ରକୁ ଜପିଲେ କ୍ଷୀଣ ହେଲା ଗାତ୍ର ॥

କ୍ରମେ ପତ୍ର ଭକ୍ଷଣକୁ ଛାଡ଼ିବାରୁ କାଳୀ ।

ଅପର୍ଣ୍ଣା ନାମରେ ଖ୍ୟାତି ଲଭିଲେ ସେ କାଳୀ ॥

ବସନ୍ତରେ ଏକପାଦେ ସ୍ଥିତା ହୋଇ ଦେବୀ ।

ଷଡ଼କ୍ଷର ମନ୍ତ୍ର ଜପ ଶିବ ରୂପ ଭାବି ॥

ଜଟାଶିରେ ତପୋରତା କୃଶାଙ୍ଗୀ ଦେଖିଣ ।

ମୁନିଏ ପ୍ରଶଂସା କରି କଲେ ଧନ୍ୟ ଧନ୍ୟ ॥

ତପ ଆଚରଣେ ଶକ୍ତା ଦେଖିଣ ଶଙ୍କର ।

ଭୟରୁ ରଖନ୍ତି ଆସ୍ଵାସନ୍ତି ବହୁବେଳ ॥

ଏଭାବେ ତିନିସହସ୍ର ବର୍ଷ ତପ କଲେ ।

ତଥାପି ଶଙ୍କର ତାଙ୍କୁ ପ୍ରସନ୍ନ ନୋହିଲେ ॥

ଅଠର ସହସ୍ର ବର୍ଷେ ସଂସ୍କୃତା ହୁଅନ୍ତି ।

ମୁନିଙ୍କ ମୁଖରୁ ଶୁଣି ପୁଣି ବିଚାରନ୍ତି ॥

ଅଠର ସହସ୍ର ବର୍ଷେ ଯୋନି ଜନ୍ମ ଦୋଷ ।

ଖଣ୍ଡନ ହୁଏ ତପସ୍ୟା କଲେ ଅହର୍ନିଶ ॥

ତାହାଜାଣି ପୁଣି ପନ୍ଦର ହଜାର ବର୍ଷ ।

କଠୋର ତପକୁ କଲେ ରହି ଉପବାସ ॥

ତେବେ ମଧ୍ୟ ହର ଦୟା ନହେବାର ଜାଣି ।

ମନରେ ବିଚାର କଲେ ସେ ଗିରିନନ୍ଦିନୀ ॥

ମୁଁ ନିୟମେ ଥିବା ହର ଅଗୋଚର ନୁହେଁ ।

ସର୍ବଜ୍ଞ ହୋଇ ମୋଠାରେ ହୁଅନ୍ତି ନିର୍ଦ୍ଦୟେ ॥

ସର୍ବଗାମୀ ସର୍ବ ହୃଦୟଗତ ସେ ଇଶ୍ଵର ।

ମାତାସହ ମୋର ତାଙ୍କଠାରେ ଯେ ନିର୍ଭର ॥

ଏସବୁ ଦେଖି ଦୟା ଅଧୀନାଠାରେ ହେଉ ।

ନାରଦଙ୍କ ଉପବିଷ୍ଠ ମନ୍ତର ସିଦ୍ଧି ପାଉ ॥

ଯେପରି ଭକ୍ତିରେ ମୁହିଁ ଜପିଛି ସେ ମନ୍ତ୍ର ।

ସେ ଭାବେ ପ୍ରସନ୍ନ ହୋଇ ଦ୍ୟନ୍ତୁ ମୋତେ ବର ॥

ସତ୍ୟଭାବେ ଯଦି ମୋର ତପସ୍ୟା ହୋଇଛି ।

ସତ୍ୟରେ ଶିବଙ୍କୁ ମୁହିଁ ସଦା ଆରାଧିଛି ॥

ଯଦିଚ ତପସ୍ୟା ସତ୍ୟ ତେବେ ସତ୍ୟଭାବେ ।

ପ୍ରସନ୍ନ ହୋଇ କାମନା ପୁରାନ୍ତୁ ସେ ଏବେ ॥

ମାର୍କଣ୍ଡେୟ ଉବାଚ

ଏପରି ଚିନ୍ତି ଆଶ୍ରମେ ମଳିନ ବେଶରେ ।

ଜଟା ବଳ୍‌କଳ ଧାରିଣୀ ଅଧୋ ବଦନରେ ॥

ବସିଛନ୍ତି ଜଣେ ବ୍ରହ୍ମଚାରୀ ସେ ଆଗରେ ।

ଅକସ୍ମାତେ ଆସି ପ୍ରବେଶିଲେ ସେହିଠାରେ ॥

କୃଷ୍ଣାଜିନ ଉତ୍ତରୀ ଦଣ୍ଡ କମଣ୍ଡଳୁକୁ ।

ଧରି ବ୍ରହ୍ମତେଜ ଗୌର କରେ ସେ ଦେହକୁ ॥

ଜଟାମଣ୍ଡିତ ମସ୍ତକ କୃଶ ଦେହ ଧାରି ।

ସାକ୍ଷାତେ ଶଙ୍କର ଦେବ ଉଭା ଯହିଁ କାଳୀ ॥

କାଳୀଙ୍କୁ ସମ୍ଭାଷି ପଚାରିଲେ ତପକଥା ।

ତାଙ୍କକଥା ଶୁଣିବେ ଜାଣିବେ ଭକ୍ତି ଯଥା ॥

ବାଗ୍ମୀ ବିଚିତ୍ର କଥାରେ ତାଙ୍କୁ ପଚାରିଲେ ।

କିଏ ତୁମ୍ଭେ କାହାସୁତା ଅଛ ଆଶ୍ରମରେ ॥

ଦୁଷ୍କର ତପ କରୁଛ ମୁନିଙ୍କ ଅସାଧ୍ୟ ।

ବାଳିକା ବା ବୃଦ୍ଧା ନୁହଁ ତରୁଣୀରେ ମଧ୍ୟ ॥

ପତିବିନା ଏକାକିନୀ କିମ୍ପା ଏହିଠାରେ ।

ତପସ୍ଵନୀ ହୋଇଛକି ତପସ୍ଵୀ ଗଣରେ ॥

କାହାନ୍ତି ତୁମ୍ଭ ତପସ୍ଵୀ ଫଳ ପୁଷ୍ପ ପାଇଁ ।

ଯାଇଛନ୍ତି ଅବା କହ ମୋ ସନ୍ଦେହ ଫେଇ ॥

ଯଦି ତୁମ୍ଭେ ମନେ କିଛି କ୍ଳେଶ ଜନ୍ମିଅଛି ।

କହିଲେ ନିବାରି ପାରେ ତାହା କିଛି କିଛି ॥

ଏହାଶୁଣି ସଖୀକୁ ଗିରିଜା ଇଙ୍ଗିତରେ ।

ଉତ୍ତର ଦେବାକୁ କହିଦେଲେ ନେତ୍ରାନ୍ତରେ ॥

ବିଜୟାନାମା ସେ ସଖୀ କାଳୀ ଇଙ୍ଗିତରେ ।

କହିଲେ ଏ ଶୈଳରାଜା କନ୍ୟା ଏହିଠାରେ ॥

ପାର୍ବତୀ ନାମା କନ୍ୟକା ଶିବଙ୍କୁ ପତିରେ ।

ବରଣ କରି ମାନସେ ଅତି କଠୋରରେ ॥

ତପସ୍ୟାରେ ଅଷ୍ଟଦେଶ ସହସ୍ର ବରଷ ।

ଅତିକଷ୍ଟେ କଟାଇଣ ନଦେଖନ୍ତି ଇଶ ॥

ମନଦୁଃଖ କହିବାକୁ ଲଜିତା ଏ ସଖୀ ।

ଦୟାକରି ଯଦି ହରି ପାର ହେବି ସୁଖୀ ॥

ଶିବଙ୍କୁ ଦୁଃଖ ଜଣାଇ ଅଣାଇ ପାରିଲେ ।

ତୁମ୍ଭ ରଣ ସୁଝି ନପାରନ୍ତୁ କାଳେ କାଳେ ॥

ସଖୀବାକ୍ୟେ ବ୍ରହ୍ମଚାରୀ କାଳୀଙ୍କୁ କହନ୍ତି ।

ଅବ୍ୟର୍ଥ ଦର୍ଶନ ହର ଆଣିବକା ଶକ୍ତି ॥

ତେବେ ମୋ ମିତକୁ ଶୁଣ କହୁଛି ହିତାର୍ଥେ ।

ମହାଦେବଙ୍କୁ ମୁଁ ଭଲେ ଜାଣେ ବିଧିମତେ ॥

ବୃଷ ବାହାନ ଜଟାଧର ଭସ୍ମ ଲେପନ ।

ବାଘଚର୍ମ ପିନ୍ଧା ଉତ୍ତରି ଯେ ଗଜ ଚର୍ମ ॥

ମୁଣ୍ଡଧାରୀ ସର୍ପ ବେଷ୍ଟିତ ସେ କଳେବର ।

ବିଷେକଣ୍ଠ ଦଗ୍‌ଧ ତିନିଆଖି ଭୟଙ୍କର ॥

କାହୁଁ ଜନ୍ମ do ନାହିଁ ଗୃହଭୋଗ ହୀନ ।

ଜ୍ଞାତି ଗୋତ୍ରହୀନ ଭକ୍ଷ ଭୋଜ୍ୟରେ ନିଉନ ॥

ସର୍ବଦା ଶ୍ମଶାନବାସୀ ସାଧୁଜନ ସଙ୍ଗ ।

ଜୀବନରେ କରି ନାହାନ୍ତି ସେ କି ବିଭଙ୍ଗ ॥

ଭୟଙ୍କର ଗର୍ଜୁଥିବା ତୀକ୍ଷ୍ଣ ଭୂତମେଳେ ।

ରହନ୍ତି ଭାର୍ଯ୍ୟା ସୁତ ନାହାନ୍ତି ତାଙ୍କ କୁଳେ ॥

ଶୃଙ୍ଗାର ରସ କିପରି ସେ ଜାଣନ୍ତି ନାହିଁ ।

ତାଙ୍କୁ ପତି କରିବ କେଉଁ ଗୁଣକୁ ନେଇ ॥

ଆଉ ଏକକଥା ତାଙ୍କ ପକ୍ଷେ ଶୁଣାଯାଏ ।

ଯଦି ଶ୍ରଦ୍ଧାଥିବ ଶୁଣ କହୁଛି ଥୋକାୟେ ॥

ଦକ୍ଷକନ୍ୟା ସତୀଙ୍କୁ ବିବାହ କରିଥିଲେ ।

କପାଳୀ ଭାର୍ଯ୍ୟା ବୋଲିଣ ଦକ୍ଷ ତ୍ୟାଗକଲେ ॥

ପୁଣି ଶିବଙ୍କୁ ଯଜ୍ଞରେ ଭାଗ ଦେଲେ ନାହିଁ ।

ସେ ରୋଷରେ ସତୀ ପ୍ରାଣଦେଲେ ଶିବ ନେଇ ॥

ତୁମ୍ଭେ ନାରୀରତ୍ନ ଶୈଳ ରାଜକନ୍ୟା ହୋଇ ।

ଭିକ୍ଷୁକ ଶିବଙ୍କୁ ପତି କରିବ କିମ୍ପାଇଁ ॥

ତାଙ୍କୁ ପତି କରିବାକୁ ଇଚ୍ଛୁକ କିପରି ।

ବରୁଣ କୁବେର ଇନ୍ଦ୍ର ଆଦିଙ୍କୁ ନସ୍ମରି ॥

ଅଗ୍ନି ବା ଅନ୍ୟଦେବ ବା ଅଶ୍ଵନୀକୁମାର ।

ଏମାନଙ୍କୁ ପତିରୂପେ ନକଲ ବିଚାର ॥

ବିଦ୍ୟାଧର ଗନ୍ଧର୍ବ ନାଗ ଅବା ମନୁଷ୍ୟ ।

ରୂପଯୌବନ ସମ୍ପନ୍ନଗୁଣୀ ବା ସୁଦୃଶ୍ୟ ॥

ଉଚ୍ଚବଂଶ ଜନ୍ମ କେହି ତୁମ୍ଭଯୋଗ୍ୟ ପତି ।

ଯାହାଙ୍କର ଅଛି ଧନ ରତ୍ନାଦି ସମ୍ପତ୍ତି ॥

ଗନ୍ଧ ମାଲ୍ୟଯୁତ ଧୂପଚୂର୍ଣ୍ଣେ ସୁବେଶିତ ।

ବିଚିତ୍ର ଆସନ ପଲଙ୍କରେ ସୁଶୋଭିତ ॥

ମନୋହର ପ୍ରାସାଦ ସୁଚିର ପୁର ମଧ୍ୟେ ।

ସ୍ୱର୍ଣ୍ଣରତ୍ନ ଭୂଷିତ ବିବିଧ ଗୃହ ସିଦ୍ଧେ ॥

ଶଯ୍ୟାତଳେ ଶୋଉଥିବା ଜନେ ତୁମ୍ଭ ପତି ।

ହେବାକୁ ଉପଯୁକ୍ତ ସେ ଦିଅ ତହିଁ ମତି ॥

ଏସବୁ ଜାଣି ଶିବଙ୍କୁ ପତି ଇଛା କର ।

ତେବେ ତପସ୍ୟା କରିବା ନାହିଁ ଦରକାର ॥

ଅକ୍ଳେଶେ ମୁଁ ଶିବଙ୍କୁ ଆଣିଣ ଯୋଗାଇବି ।

ହରଙ୍କ ବିଷୟେ କିଛି ନଭାଳ ଗୋ ଦେବୀ ॥

ବ୍ରାହ୍ମଣଙ୍କ ବାକ୍ୟ ଶୁଣି କୋପଯୁକ୍ତା କାଳୀ ।

ସତ୍ୟ ତଥ୍ୟ କଥା କହିଲେ ସେ ମନେଭାଳି ॥

କାଳ୍ୟୁବାଟ

ହରଙ୍କୁ ଜାଣିଛ ବୋଲି କହୁନ ମୋ ଆଗେ ।

ତତ୍ତ୍ଵରେ ତାହାଙ୍କୁ ଜାଣନାହିଁ ହେ ସୁଯୋଗେ ॥

ହରଙ୍କର ବାହ୍ୟରୂପ ଦେଖି କହୁଅଛ ।

ବ୍ରହ୍ମାଦି ଦେବେ ଯା ତତ୍ତ୍ଵ ନଜାଣନ୍ତି ସ୍ଵଛ ॥

ତାହାଙ୍କ ବିଷୟେ ତୂମ୍ଭେ ଶିଶୁ କି ଜାଣିବ ।

ନୀଚମୁଖୁ ଶୁଣି ଶିବନିନ୍ଦା କରୁଥିବ ॥

ଏଠୁ ସେଠୁ ଶୁଣି ଏପରି କହୁଛ ତୁମ୍ଭେ ।

କେବେ ହରଙ୍କୁ ଦେଖିବା ଜାଣୁନାହୁଁ ଆମ୍ଭେ ॥

ତେଣୁ ତୁମ୍ଭଠାରୁ ବର ବା ପତି ନ ଇଚ୍ଛେ ।

ତୁମ୍ଭଦ୍ୱାରା ହର ସଙ୍ଗ ହେବାକୁ ନ ବାଞ୍ଛେ ॥

ଏହାକହି ଗିରିଜା ବ୍ରାହ୍ମଣ ମୁଖ ଚାହିଁ ।

ସଖିମୁଖେ କହନ୍ତି ସଂଶୟ ଚିତ୍ତ ହୋଇ ॥

ବହୁତ ଚିନ୍ତିତ ପରେ ଆରାଧିଛି ହର ।

ମୋ ଆଗରେ ତାଙ୍କ ନିନ୍ଦା କହ ବାରମ୍ବାର ॥

ତାହାକୁ ମୁଁ ସ୍ମୃତିବାକ୍ୟେ ମାର୍ଜନା କରିବି ।

ମହାତ୍ମାଙ୍କ ନିନ୍ଦା ମୁହଁ ଶୁଣି ନପାରିବି ॥

ମହାତ୍ମାଙ୍କ ନିନ୍ଦା ଯେହୁ କରେ ବା ଶୁଣେ ।

ସେହୁ ଦୋଷୀ ବୋଲି ମୁଁ ପିତାଠାରୁ ଜାଣେ ॥

ତେଣୁ ତାହା ମାର୍ଜନା କରିବି ଏବେ ଶୁଣ ।

ବିପ୍ରଙ୍କୁ ନିଷେଧ କର ନକହନ୍ତୁ ପୁଣ ॥

ସଖୀଙ୍କୁ ଏହା କହି ସେ ହର ସଙ୍ଗ ଇଛି ।

ପାପ ନାଶିବାକୁ ସ୍ତୁତିକଲେ ହରବାଞ୍ଛି ॥

କାଳ୍ୟୁବାଟ

ଶିବଶାନ୍ତ ତ୍ରିକାରଣେ ନେତୁଙ୍କୁ ନମଇଁ ।

ଆତ୍ମା ନିବେଦୁଛି ତୁମ୍ଭେ ଗତି ଦିଅ ଫେଇ ॥

ବିଜ୍ଞାନ ସୌଭାଗ୍ୟ ମିତ୍ରରୂପ ଅପ୍ରପଞ୍ଚ ।

ହିରଣ୍ୟ ବାହୁ ବିଧି ହରିଙ୍କ ବୀଜ ଛାଞ୍ଚ ॥

ଜଗତର ହିତକାରୀ ନମଇଁ ତୁମ୍ଭଙ୍କୁ ।

ଏ ସ୍ତୁତି ଶୁଣି ବ୍ରାହ୍ମଣ ପୁଣି କହିବାକୁ ॥

ଇଛନ୍ତେ ଗିରିଜା ସଖୀକୁ କହିଲେ ଶୁଣ ।

ମନାକର କିଛି ନକହନ୍ତୁ ଏ ବ୍ରାହ୍ମଣ ॥

କହିବାକୁ ଇଛା କରୁଛନ୍ତି ଏହି ପୁଣି ।

ହର ନିନ୍ଦା ଶୁଣିବାକୁ ମୁଁ ନୁହେଁ ଅଗ୍ରଣୀ ॥

ଯେବେ ନମାନି ଏ ବିପ୍ର କିଛି କହିଦେବେ ।

ଏସ୍ଥାନେ ନରହି ଅନ୍ୟସ୍ଥାନେ ଯିବା ତେବେ ॥

ଏହାକହି ଗିରିଜା ସେ ସଖୀ ସଙ୍ଗତରେ ।

ଅନ୍ୟତ୍ର ଗମିଲେ ବିପ୍ରଙ୍କୁ ତେଜି ସେଠାରେ ॥

ତହୁଁ ଶମ୍ଭୁ ନିଜରୂପେ ଗିରିଜାଙ୍କ ପଛେ ।

ମନ୍ଦହାସେ ଗମି କହତି ଶୁଣ ମୁଁ ପୁଛେ ॥

ମୁହିଁ ମହାଦେବ ମୋତେ ସ୍ତୁତି କର ନାହିଁ ।

ମୋତେ ଚାହିଁ ଦେଖ ଆଶ୍ଵସ୍ତା ହୁଅ ଏଠାଇଁ ॥

ଏହାକହି ଶିବ କାଳୀଙ୍କ ଆଗକୁ ଗଲେ ।

ହସ୍ତପ୍ରସାରି କାଳୀଙ୍କ ଗତି ନିବାରିଲେ ॥

ଶିବଙ୍କ ମୁଖକୁ ଦେଖି ଶୀଘ୍ର ଗିରିସୁତା ।

ଅଧୋମୁଖୀ ହୋଇ କ୍ଷଣେ ହେଲେ ସେ ଚକିତା ॥

ଲଜ୍ଜା ସ୍ଵେହବଶେ କାଷ୍ଠପୁତ୍ତଳିକା ପରି ।

କହିବାକୁ ଇଛି ସେ କିଛି ନକହି ପାରି ॥

ମନୋରଥ ସିଦ୍ଧି ହେତୁ ସୁଧା ପୂର୍ଣ୍ଣ ପରି ।

ଦେହ ତାଙ୍କ ହୋଇଗଲା ଆନନ୍ଦରେ ପୁରି ॥

ଅଠର ସହସ୍ରବର୍ଷ ତପ କ୍ଳେଶ ସହି ।

ଶିବଙ୍କୁ ପାଇ ସେ କ୍ଳେଶ ଛାଡ଼ିଲେକ ତହିଁ ॥

ହୃଷ୍ଟମନା ଗିରିଜାଙ୍କୁ ଦେଖି ସଦାଶିବ ।

ସ୍ଵେହେ ଦେହସ୍ଥିତ କାମ ଭୟ ଦେଖି ସର୍ବ ॥

ମୋହିତେ ବିରହଯୁକ୍ତ ହେଲେ ସେହିକ୍ଷଣେ ।

ସ୍ନେହେ ଡାକି ଚାଟୁବାକ୍ୟ କହନ୍ତି ତକ୍ଷଣେ ॥

ହେ ସୁନ୍ଦରୀ ମୋତେ କିଛି କହ ମିଷ୍ଟବାଣୀ ।

ତପକ୍ଳେଶ ଭାବି କ୍ରୋଧେ ନକହୁଚ ପୁଣି ॥

ମୁଁ ମଧ୍ୟ ତୁମ୍ଭ ନିମନ୍ତେ ସର୍ବଦା ଦୁଃଖିତ ।

ତୁମ୍ଭ ସଙ୍ଗେ ତପ କରିବାକୁ ମୁଁ ଉଦ୍ୟତ ॥

ସସ୍ନେହରେ ତୁମ୍ଭ ଦ୍ଵାରା ସଂସ୍କୃତ ହୁଅନ୍ତି ।

ସେ ପ୍ରତିଜ୍ଞାଗଲା ତୁମ୍ଭେ ତପେ ଶୁଦ୍ଧା ଅତି ॥

ଚିନ୍ତିଣ ଜପ କଠୋର ତପସ୍ୟା ବଳରେ ।

ମୂଲ୍ୟଦେଇ କିଣା ଦାସ କର ମୋତେ ବାରେ ॥

ତୁମ୍ଭ ଅଙ୍ଗର ସଂସ୍କାର ଜଟା ବିଶୋଧନ ।

ବଳ୍‍କଳକୁ କାଢ଼ି ଚାରୁବସ୍ତ୍ର ପରିଧାନ ॥

ହାର ନୂପୁର କେୟୁର କାଞ୍ଚ୍ୟାଦି ସଜାଡ଼ି ।

ତୁମ୍ଭଙ୍କୁ ବେଶ କରିବି ସ୍ନେହେ ଯିବି ସଢ଼ି ॥

କାମ ଦଗ୍‌ଧ ହୋଇ ମୋ ଦେହରେ ଭସ୍ମରୂପେ ।

ଥାଇଁ ନିଜ ମୂର୍ତ୍ତିରେ ଦହଇ ମୋତେ କଳ୍ପେ ॥

ଅଗ୍ନିସମ ତହିଁରୁ ଉଦ୍ଧାର ମୋତେ ପ୍ରିୟେ ।

ତୁମ୍ଭ ଅଙ୍ଗ ସୁଧା ଦାନେ ପ୍ରସନ୍ନ କର ହେ ॥

ପାର୍ବତୀ ଇଶ୍ଵର ପଦକଞ୍ଜ ଚିନ୍ତା କରି ।

ବିପ୍ର ପ୍ରଭାକର ଗୀତେ ରଚଇ ବିସ୍ତାରି ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଜଚତ୍ୱାରିଂଶୋଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୪୬ ॥

 

ମାର୍କଣ୍ଡେୟ ଉବାଚ

ଅନନ୍ତର ଶିବ ବାକ୍ୟ ଗିରିଜା ଶୁଣିଣ ।

ମନେକଲେ ଶିବପତି ହେଲେ ମୋର ଜାଣ ॥

ତହୁଁ କାଳୀ ସଖୀ ମୁଖେ ଶିବଙ୍ଗୁ କହନ୍ତି ।

ଯେପରି ଶିବ ଶୁଣି ତା ଉତ୍ତରକୁ ଦ୍ୟନ୍ତି ॥

ଏ ସ୍ଥାନେ ସଜ୍ଜନେ ମିଳନ ଭେଦେ ନାହାନ୍ତି ।

ମର୍ଯ୍ୟାଦାରେ ହର ମୋ ପାଣି ଯଥା ଘେନନ୍ତି ॥

ପିତୃଦତ୍ତା କନ୍ୟା ତୋସ୍ୟାଦତ୍ତା ନୂହଇ ।

ଏଣୁ ପିତା ମୋତେ ପ୍ରଦାନିବେ ହରେ ନେଇ ॥

ତେଣୁ ହିମାଳୟ ମୋର ପିତାଙ୍କୁ କହିଣ ।

ବିବାହ ବିଧିରେ ପାଣି ଘେନନ୍ତୁ ଇଶାନ ॥

ମାର୍କଣ୍ଡେୟ ଉବାଚ

ଏହାକହି ତୁନି ହେଲେ ଲଜ୍ଜାରେ ସେ କାଳୀ ।

ହର ମଧ୍ୟ ତାଙ୍କ ବାକ୍ୟ ସତ୍ୟବୋଲି ଜାଣି ॥

ଗଙ୍ଗାବତରଣ ସ୍ଥାନେ ରହିଲେ ସଗଣେ ।

କାଳୀଙ୍କ ପାଣିଗ୍ରହଣ ଅପେକ୍ଷିଣ ମନେ ॥

ସଖୀଙ୍କ ସଙ୍ଗରେ କାଳୀ ପିତୃଗୃହେ ଗଲେ ।

ଲଜ୍ଜାରେ ଗୁରୁଜନଙ୍କ ମୁଖ ନଚାହିଁଲେ ॥

ଏ ମଧ୍ୟରେ ମରୀଚିଆଦି ସପ୍ତ ମୁନିଙ୍କୁ ।

ହର ସ୍ମରିଲେ କାଳୀ ମାଗିବେ ହିମାଦ୍ରିଙ୍କୁ ॥

ସ୍କରଣ ମାତ୍ରକେ ସପ୍ତଋଷିଏ ଆସିଲେ ।

ଯେପରି କେହି ତାହାଙ୍କୁ ଆଣନ୍ତି ସଙ୍ଗରେ ॥

ଅଗ୍ନିତୁଲ୍ୟ ପ୍ରଦୀପ୍ତ ମୁନିଙ୍କୁ ଦେଖି ଶିବ ।

ବଶିଷ୍ଠଙ୍କ ସଙ୍ଗେ ଅରୁନ୍ଧତୀ ଦେଖି ସର୍ବ ॥

ଭାବିଲେ ମୁନିଏ ନାରୀସଙ୍ଗ ନତେଜନ୍ତି ।

ଆମ୍ଭେ କିମ୍ପା ତେଜିବା ହୋଇଣ ବିଶ୍ଵପତି ॥

ମୁନିମାନେ ଶିବଙ୍କୁ ପୂଜିଣ ପଚାରିଲେ ।

କିମ୍ପା ଆମ୍ଭଙ୍କୁ ଚିନ୍ତିଲ କହ ସମକ୍ଷରେ ॥

ପ୍ରତ୍ୟକ୍ଷରେ ଚନ୍ଦ୍ରସମ ଶୁଦ୍ଧରୂପ ତୁମ୍ଭେ ।

ମସ୍ତକରେ ଚନ୍ଦ୍ରକଳା ଅତିଶୟ ଶୋଭେ ॥

ମୁନିଗଣେ ଅନ୍ତରେ ତୁମ୍ଭଙ୍କୁ ଭାବୁଥାନ୍ତି ।

ସୌଭାଗ୍ୟରୁ ଆମ୍ଭେ ଦର୍ଶନ କଲୁ ସମ୍ପ୍ରତି ॥

ପ୍ରଜ୍ଞାଦାତା ଧ୍ୟାନଗମ୍ୟ ନିତ୍ୟ ଧ୍ୟେୟ ତୁମ୍ଭେ ।

ବାହ୍ୟତତ୍ତ୍ୱେ ପୁଞ୍ଜୀଭୂତ ସ୍ଵପ୍ରକାଶ ଏବେ ॥

ଯୋଗପ୍ରାପ୍ତି ସ୍ଥାନ କରୁ ଉଦାର ଅବ୍ୟୟ ।

ଯାହାଙ୍କୁ ଦେଖି ମୋକ୍ଷ ଲଭନ୍ତି ସର୍ବକାୟ ॥

ସେହି ନିତ୍ୟ ଶିବ ସତ୍ୟମୂର୍ତ୍ତି ଦେଖି ଆମ୍ଭେ ।

ନମସ୍କାର କରୁଅଛୁ ଭକ୍ତିରେ ସରବେ ॥

ପ୍ରଥମ ଭାଗରେ ଯାହା ରୂପ ପ୍ରକାଶିତ ।

ସର୍ବ ନିୟନ୍ତା ସେ ହର ସର୍ବ ନମସ୍କୃତ ॥

ସର୍ବ ସିଦ୍ଧିଦାତା ରୂପେ ଲଲାଟେ ଲିଖିତ ।

ତ୍ରିଗୁଣାତ୍ମକ ପ୍ରଧାନ ଯହିଁରୁ ସମ୍ଭୁତ ॥

ସର୍ବ ବିଶ୍ଵ ଆଦିକର୍ତ୍ତା ପ୍ରସନ୍ନ ହୁଅ ହେ ।

ଏପରି ସ୍ତୁତିକଲେ ସେ ସପ୍ତମୁନି ସ୍ନେହେ ॥

ସ୍ମରିବା କାରଣ ଶିବ ହସିଣ କହିଲେ ।

ପ୍ରତ୍ୟେକଙ୍କୁ ସମ୍ଭାଷିଣ ଆନନ୍ଦ ଲଭିଲେ ॥

ଆନନ୍ଦ ଉବାଚ

ସର୍ବଜଗତର ହିତେ ନିଜ ଭୋଗ ପାଇଁ ।

ସନ୍ତାନ ନିମିତ୍ତ ଦାର ଗ୍ରହଣ ଇଛଇଁ ॥

ତୁମ୍ଭେସବୁ ସେ କାର୍ଯ୍ୟରେ ସହାୟ ହୋଇଣ ।

ମୋ ପାଇଁ କାଳୀଙ୍କୁ ମାଗ ହିମାଦ୍ରି ପାଖେଣ ॥

ବହୁ ତପସ୍ୟାରେ କାଳୀ ମୋତେ ପତି ଇଛେ ।

ତୁମ୍ଭେ ଯାଇଁ ହିମାଦ୍ରିଙ୍କୁ ଜଣାଅ ପ୍ରତ୍ୟକ୍ଷେ ॥

ବିବାହ ବିଧିରେ ତାଙ୍କ କନ୍ୟା ପ୍ରଦାନିବେ ।

ସେ ପ୍ରସ୍ତାବ କର ଯାଇଁ ହିମାଦ୍ରିଙ୍କୁ ଏବେ ॥

ମାର୍କଣ୍ଢେୟ ଉବାଚ

ହରଙ୍କଠାରୁ ବିଦାୟ ଘେନି ମୁନିଗଣେ ।

ପ୍ରବେଶିଲେ ଅତି ବ୍ୟଗ୍ରେ ହିମାଦ୍ରି ଭୁବନେ ॥

ହିମାଳୟ ଦେଖି ନମସ୍କାର କରି ଆଗେ ।

ମୁନିଗଣଙ୍କୁ ବସାଇ ପଚାରିଲେ ବେଗେ ॥

କିମ୍ପାର ମୋର ପୁରକୁ ଶୁଭ ଆଗମନ ।

କହି ସନ୍ତୋଷ କରିବେ ମୋ ଚଞ୍ଚଳ ମନ ॥

ମୁନିମାନେ କହିଲେ ଚନ୍ଦ୍ରଶେଖର ଦେବ ।

ଶାପ ଅନୁଗ୍ରହେ ଶକ୍ତ ଜଗତର ଧବ ॥

ପ୍ରଳୟେ ସର୍ବଜଗତ ସଂହାରନ୍ତି ବଳେ ।

ଭକ୍ତ ବାଞ୍ଛା କଳ୍ପତରୁ ନାନାରୂପ ଧରେ ॥

ସେ ତୁମ୍ଭ ସୁତା କାଳୀଙ୍କୁ ପତ୍ନୀରେ ଇଛନ୍ତି ।

ଯୋଗ୍ୟବରେ ଯଦି ଇଛା ଦିଅ ସେ ସନ୍ତତି ॥

ମୁନିଙ୍କ ବଚନେ ଗିରି ଚିରମନେ ସ୍ଥିତ ।

କନ୍ୟାର ପ୍ରିୟତା ଜାଣି ହୋଇ ଅନନ୍ଦିତ ॥

ପ୍ରକାଶ୍ୟେ କହିଲେ ତୁମ୍ଭେମାନେ ଆସି କରି ।

ପବିତ୍ର କଲ ମୋ ଗୃହ ଇଛା ଗଲା ପୁରି ॥

ତୁମ୍ଭ ପ୍ରାର୍ଥନାନୁସାରେ କନ୍ୟା ହରେ ଦେବି ।

ପୂର୍ବରୁ ତପସ୍ୟା କରି ଇଛେ ତାଙ୍କୁ ଦେବୀ ॥

ବିଧାତା ନିର୍ବନ୍ଧ ଏହି ଅନ୍ୟଥା ନୋହିବ ।

ହରବିନା ଅନ୍ୟ କିଏ ମୋ କନ୍ୟାକୁ ନେବ ॥

ମେନକା ସହିତ ଗିରିରାଜ ମତ ଦେଲେ ।

ଶୁଣି ମୁନିମାନେ ହର ନିକଟକୁ ଗଲେ ॥

ହରଙ୍କୁ ସକଳ କଥା ଜଣାନ୍ତି ସଧୀରେ ।

ହିମାଳୟ ମତ ଦେଲେ କନ୍ୟା ପ୍ରଦାନରେ ॥

ଏକ୍ଷଣି ଯଦି ବିବାହ କରିବାକୁ ଇଛା ।

ତେବେ ଉଦ୍ୟତ ହୋଇଣ ପୁରା ମନବାଞ୍ଛା ॥

ଏତେ କହି ମୁନିଗଣେ ବିଦାୟ ହୋଇଲେ ।

ଶିବ ବିବାହ ସମୟେ ଆସିବ ବୋଇଲେ ॥

ସ୍ଵୀକାର କରି ମୁନିଏ ଗଲେ ନିଜ ସ୍ଥାନେ ।

ତହୁଁ ହର ଶୈଳେନ୍ଦ୍ରଙ୍କ ଗମନାଗମନେ ॥

ବିବାହ ଦିନ ସ୍ଥିରହେଲା ଦୁହିଙ୍କ ମତେ ।

ବୈଶାଖ ଶୁକ୍ଳପଞ୍ଚମୀ ଗୁରୁବାର ସତ୍ୱେ ॥

ଶୁକ୍ଳପକ୍ଷେ ଚନ୍ଦ୍ର ଉତ୍ତରାଫାଲ୍‌ଗୁନି ରକ୍ଷେ ।

ମରୀଚ୍ୟାଦି ମୁନିମାନେ ଆସିଲେ ସମକ୍ଷେ ॥

ଶିବଙ୍କ ସ୍ମରଣେ ବ୍ରହ୍ମା ଆଦି ଦେବଗଣେ ।

ଦିଗପାଳ ସିଦ୍ଧମୁନି ଋଷି ତପୋଧନେ ॥

ଇନ୍ଦ୍ର ଶଚୀସଙ୍ଗେ ବ୍ରାହ୍ମୀ ଆଦି ମାତୃଗଣ ।

ନାରଦ ବ୍ରହ୍ମାଙ୍କ ସୁତ ମିଳିଲେ ତକ୍ଷଣ ॥

ଏମାନେ ବରଯାତ୍ରୀ ହୋଇଣ ସଙ୍ଗେ ଗଲେ ।

ଶିବଗଣେ ଆନନ୍ଦେ ବାଦ୍ୟ ନୃତ୍ୟକୁ କଲେ ॥

ବିବାହ ବିଧିରେ ହର କାଳୀଙ୍କୁ ଘେନିଲେ ।

ହରଦେହେ ଥିବା ସର୍ପେ ସୁବର୍ଣ୍ଣ ହୋଇଲେ ॥

ଦ୍ୱିଭୁଜ ହେଲେ ଶଙ୍କର ଜଟା କେଶ ହେଲା ।

ମସ୍ତକସ୍ତ ଚନ୍ଦ୍ରକଳା ପ୍ରଦୀପ୍ତ ହୋଇଲା ॥

ତୃତୀୟ ନେତ୍ର ମହାର୍ଘ ରତ୍ନ ପାଲଟିଲା ।

ବ୍ୟାଘ୍ରଚର୍ମ ବିଚିତ୍ର ବସନ ହୋଇଗଲା ॥

ମଳୟ ଚନ୍ଦନ ହେଲା ଦେହ ଲଗ୍ନ ଭସ୍ମ ।

ଗୌରବର୍ଣ୍ଣ ହର ରୂପ ଅତି ମନୋରମ ॥

ତହୁଁ ଦେବ ଗନ୍ଧର୍ବ ବିଦ୍ୟାଧର ଯେ ନାଗେ ।

ହରରୂପ ଦେଖି ବିସ୍ମିତ ହେଲେ ସେ ଲାଗେ ॥

ହିମାଦ୍ରି ପୁତ୍ର ଭାର୍ଯ୍ୟାଙ୍କ ସଙ୍ଗେ ଆନନ୍ଦିତ ।

ଜ୍ଞାତିମାନେ ହରରୂପ ଦେଖି ବିମୋହିତ ॥

ବ୍ରହ୍ମା ହରଙ୍କ ସୁନ୍ଦର ବେଶକୁ ଦେଖିଣ ।

କହିଲେ ଶିବମୂର୍ତ୍ତିରେ ସବୁ ଶିବ ଜାଣ ॥

ତେଣୁ ଶିବନାମ ଲୋକେ ପ୍ରସିଦ୍ଧ ହୋଇଛି ।

ଉମାସହ ଇଶ୍ଵରଙ୍କୁ ଯେ ଚିନ୍ତିବ ଇଛି ॥

ତାର ସଦାଶିବ ହୋଇ ବାଞ୍ଚା ସିଦ୍ଧି ହେବ ।

ଏଣୁ ସୁଜନେ ସଦାଶିବ ଉମାଙ୍କୁ ଭାବ ॥

ଏପରି ସେ କାଳୀ ମହାମାୟା ଯୋଗନିଦ୍ରା ।

ପୂର୍ବେ ସତୀହୋଇ ହେଲେ ଗିରିସୁତା ଭଦ୍ରା ॥

କାଳୀ ହରଙ୍କୁ ମୋହିବା ପାଇଁ ଏକାଶକ୍ତା ।

ବିଶେଷେ ତପସ୍ୟା ଫଳେ ଅତି ଅନୁରକ୍ତା ॥

ଏଭାବେ ଶିବଙ୍କୁ କାଳୀ ମୋହିତ କରିଲେ ।

ସତୀଦେହ ତ୍ୟାଗକରି ଗିରିଜା ହୋଇଲେ ॥

ଯେ ଏହି କାଳୀଚରିତ ପଢ଼ଇ ଶୁଣଇ ।

ଆଧିବ୍ୟାଧି ନରହେ ସେ ଦୀର୍ଘଜୀବୀ ହୋଇ ॥

ଏ ଅତିପବିତ୍ର ପୁଣ୍ୟ କଲ୍ୟାଣ ବର୍ଦ୍ଧନ ।

ଥରେ ଶୁଣିଲେ ଶିବଲୋକକୁ ଯାଏ ଜାଣ ॥

ଯେ ଶ୍ରାଦ୍ଧରେ ବ୍ରାହ୍ମଣଙ୍କୁ କାଳିକା ଚରିତ ।

ଶୁଣାଏ ତା ପିତୃଲୋକେ ଭୁଞ୍ଜନ୍ତି ଅମୃତ ॥

ସଭାମଧ୍ୟେ ବ୍ରାହ୍ମଣଙ୍କୁ ଯେ ଶୁଣାଏ ଏହା ।

ସ୍ଵୟଂ ହର ଉମାସଙ୍ଗେ ଶୁଣୁଥାନ୍ତି ତାହା ॥

ସର୍ବପାପ ପ୍ରଣାଶନ ଏପୁଣ୍ୟ ଚରିତ ।

ତୁମ୍ଭଙ୍କୁ କହିଲି ଅଟେ ଏ ଅତି ପବିତ୍ର ॥

ସେ କାଳୀ ଶଙ୍କର ପଦେ ସଦା ଧ୍ୟାନ କରି ।

ପ୍ରଭାକର କାଳିକା ପୁରାଣ ଗୀତେ ଭରି ॥

 

ଇତି ଶ୍ରୀ କାଳିକାପୁରାଣେ କାଳୀ

ହରସମାଗମୋ ନାମ

ଷଟ୍‍ଚତ୍ୱାରିଂତ୍ତମୋଽଧ୍ୟାୟଃ ।

✽✽✽

 

॥ ୪୭ ॥

 

ରଷୟ ଉବାଚ

ହର କାଳୀଙ୍କ ବିବାହ ଚରିତ ଅଦ୍ଭୁତ ।

ପାପହାରି ପୁଣ୍ୟପ୍ରଦ ଶ୍ରବଣେ ଅମୃତ ॥

କିପରି କାଳୀ ହରଙ୍କ ଅର୍ଦ୍ଧାଙ୍ଗ ହାରିଣୀ ।

କୃଷ୍ଣବର୍ଣ୍ଣା ହୋଇ ଗୌରୀହେଲେ ଜେବେ ପୁଣି ॥

ଏସବୁ କହିଣ ଆମ୍ଭ ମନ ତୋଷ କର ।

ତୁମ୍ଭେ ସର୍ବଜ୍ଞ ସୁଜ୍ଞାନୀ ଗୁରୁ ଯେ ଆମ୍ଭର ॥

ମାର୍କଣ୍ଡେୟ ଉବାଚ

ଏ ମହା ଆଖ୍ୟାନ ଶୁଣ ତୁମ୍ଭେ ମୁନିଗଣେ ।

ପୂର୍ବେ ସଗର ଔର୍ବଙ୍କୁ ପଚାରିଲେ ଦିନେ ॥

ଯେ ଯେପରି କହିଥିଲେ ସେ ଭାବେ କହୁଛି ।

ଶୁଣ ଋଷିଗଣେ ତୁମ୍ଭେ ଯାହାଥିଲ ପୁଛି ॥

ପୂର୍ବେ ସୋମବଂଶେ ସଗରନାମେ ନୃପତି ।

ମହାବଳୀ ଶାସ୍ତ୍ରଜ୍ଞ କାର୍ଯ୍ୟକୁଶଳ ଅତି ॥

ରଥଚଢ଼ି ସର୍ବ ନୃପତିଙ୍କୁ ସେ ଜିଣିଲେ ।

ଚକ୍ରବର୍ତୀ ହୋଇ ରାଜ୍ୟ ଶାସନ ସେ କଲେ ॥

ସେ ସଗରଙ୍କ ଉନ୍ନତି ଜାଣି ମୁନିମାନେ ।

ଦେଖା କରିବାକୁ ଆସିଲେ ସେ ତପୋଧନେ ॥

ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରେ ଯେତେ ।

ମୁନିଗଣ ଥିଲେ ସର୍ବେ ଆସିଲେ ତୁରିତେ ॥

ତାଙ୍କ ମଧ୍ୟେ ଔର୍ବନାମେ ଜଣେ ମୁନିଶ୍ରେଷ୍ଠ ।

ମହାତପସ୍ଵୀ ସଂଯମୀ ଜ୍ଞାନରେ ଗରିଷ୍ଠ ॥

ଅଗ୍ନିସମ ଦୀପ୍ତ ସେ ଔର୍ବ ମୁନିଙ୍କୁ ଦେଖି ।

ମହାପୂଜା କରି ରାଜା ବସାଇଲେ ରଖି ॥

କୁଶଳ ପୁଛନ୍ତି ମୁନି ରାଜା ଜଣାଇଲେ ।

ଆପଣଙ୍କ ଆଶୀର୍ବାଦେ କୁଶଳୀ ମୁଁ ଭଲେ ॥

ମୁନି କହନ୍ତି ସବୁ ରାଜଗଣରେ ଶ୍ରେଷ୍ଠ ।

ସମସ୍ତଙ୍କୁ ବଳେ ଜିଣି ବୋଲାଇଛ ଜ୍ୟେଷ୍ଠ ॥

ନୀତିଶାସ୍ତ୍ର ସହାୟରେ କୁଶଳ ବଢ଼ଇ ।

କୁଶଳ ବୁଦ୍ଧିରେ ରାଜ୍ୟ ବୃଦ୍ଧି ହେଉଥାଇ ॥

ଚନ୍ଦ୍ର ବୁଦ୍ଧିରେ ସାଗର ବଢ଼ଇ ଯେସନ ।

ପ୍ରଥମେ ସଦ୍‌ଗୁଣ ଦ୍ଵାର ଆତ୍ମ ସଂଯୋଜନ ॥

ତାପରେ ନିଜ ପତ୍ନୀକୁ ସଦ୍‌ଗୁଣ ଭୂଷିତା ।

କଲେ ସର୍ବ ଶୁଭହୁଏ ଜାଣ ଏ ବ୍ୟବସ୍ଥା ॥

ଶୁଣାଯାଏ ହିମଗିରି କନ୍ୟା ଦେବୀ କାଳୀ ।

ବହୁ କ୍ରୀୟାକଳାପ ଶିଖିଲେ ଶିବ ଭାଳି ॥

ତହୁଁ ଅତି ସ୍ନେହେ ଶଙ୍କରଙ୍କ ଅର୍ଦ୍ଧ ଦେହ ।

ହରଣକଲେ ପାର୍ବତୀ ରଖି ମହା ସ୍ନେହ ॥

ସେଦିନୁ ଶଙ୍କର ହେଲେ ଅର୍ଦ୍ଦ ନାରୀଶ୍ଵର ।

ଅନ୍ୟ ପତ୍ନୀ ବିବାହ ନକଲେ ମହେଶ୍ୱର ॥

ତେଣୁ ତୁମ୍ଭେ ସ୍ଵପତ୍ନୀଙ୍କୁ ଗୁଣେ ଯୋଗକର ।

ତାପରେ ପୁତ୍ରଙ୍କୁ ଗୁଣେ କରିବ ସୁନ୍ଦର ॥

ଔର୍ବଙ୍କ ବଚନ ଶୁଣି ସଗର କହିଲେ ।

କିପରି ଗିରିଜା ଶିବ ଅର୍ଦ୍ଧାଙ୍ଗ ହରିଲେ ॥

ଯେ ନୀତିରେ ଭାର୍ଯ୍ୟା ପୁତ୍ର ଗଢ଼ିବାକୁ କହ ।

ସେ ନୀତି କହି ମୋ ମନୁ ସଂଶୟକୁ ଦହ ॥

ରାଜନୀତି ସାଧୁନୀତି ଅନ୍ୟ ଯେତେ ନୀତି ।

ସବୁକହି ମୋ ମନକୁ କର ଏବେ ଶାନ୍ତି ॥

ଯଦି ଗୋପନୀୟ ଏହିନକହ ମୋ ଆଗେ ।

ନହେଲେ ଶୁଣିବି କୃପାକର ମୁନି ବେଗେ ॥

ସଗରଙ୍କ ବାକ୍ୟେ ଔର୍ବ କୃପାବଶ ହୋଇ ।

ସଗରଙ୍କୁ ନୀତିକଥା ବୁଝାଇଲେ ତହିଁ ॥

ଶୁଣ ରାଜା ପୂର୍ବେ ଗିରିଜା ହର ଅର୍ଦ୍ଧାଙ୍ଗ ।

ଯେପରି ହରିଲେ ତାହା ଶୁଣ ସାନୁରାଗ ॥

ତୁମ୍ଭେ ଯେଉଁ ନୀତିବଳେ କାର୍ଯ୍ୟ କରୁଅଛ ।

ତାହା ମୁଁ କହିବି ଯେଣୁ ତୁମ୍ଭେ ପଚାରିଛ ॥

ଶିବ ବିବାହ ହୋଇଣ ଗିରିଜାଙ୍କୁ ନେଲେ ।

କେତେକାଳ ତାଙ୍କ ସଙ୍ଗେ ସୁଖେ କଟାଇଲେ ॥

ଶୈଳ ସାନୁକନ୍ଦରା କୁଞ୍ଜ ସ୍ଥାନରେ ସେହି ।

ସୁରତ କ୍ରୀଡ଼ାରେ ମାତି ଦିନ ନେଲେ ତହିଁ ॥

ଦିନେ କୈଳାସ ଗିରିକୁ ପତ୍ନୀଙ୍କ ସଙ୍ଗରେ ।

ନିଜଗଣ ନେଇ ଗଲେ ଶିବ ଆନନ୍ଦରେ ॥

କୈଳାସେ ପାର୍ବତୀ ସଙ୍ଗେ କୀଡ଼ାରତ ହେଲେ ।

କାଳୀ ମୁଖଚନ୍ଦ୍ର ନେତ୍ର ଚକୋରେ ପିଇଲେ ॥

ନାନା ପୁଷ୍ପେ ମାଳା କରି କାଳୀଙ୍କୁ ଭୂଷନ୍ତି ।

କେବେ ଦୁହିଁଙ୍କର ମୁଖ ଦର୍ପଣେ ଦେଖନ୍ତି ॥

କେବେ କସ୍ତୁରୀ ଚନ୍ଦନେ ପାର୍ବତୀଙ୍କ ସ୍ତନେ ।

ବିଲୋପନ କରନ୍ତି ଶଙ୍କର ହୃଷ୍ଟମନେ ॥

ଅମ୍ବିକା ଲଲାଟେ ଚିତ୍ରଲେଖା କରି ନିତ୍ୟେ ।

କେଶ ପାଶ ସଜାଡ଼ନ୍ତି ନାନାପୁଷ୍ପ ଯୁତେ ॥

ମୟୁରପୁଛ ଖଞ୍ଜନ୍ତି ସ୍ଵର୍ଣ୍ଣ ଅଳଙ୍କାର ।

କୁଣ୍ଡଳାଦିରେ ପତ୍ନୀଙ୍କୁ କଲେ ମନୋହର ॥

ସମ୍ପୂର୍ଣ୍ଣା ମଣ୍ତିତା ହୋଇ ପ୍ରକୃତି ସମାନ ।

ତାଙ୍କଠାରେ ସଦା ସ୍ନେହ ରଖିଲେ ଇଶାନ ॥

ଜଗତର ହିତ ପାଇଁ କାଳୀସଙ୍ଗେ କୀଡ଼ା ।

ଜଗନ୍ମାତା ଜଗନ୍ମୟୀ ନପାଇଲେ ବ୍ରିଡ଼ା ॥

ସର୍ଗାନ୍ତ ସ୍ଥିତିକାରିଣୀ ପରମା ପ୍ରକୃତି ।

ଶିବଙ୍କୁ ମୋହିଲେ ଜଗତର ହିତ ଚିନ୍ତି ॥

ଦିନେ କୈଳାସେ ଶଙ୍କର କ୍ରୀଡ଼ା ଅବସାନେ ।

ଅପ୍‌ସରାଗଣ ଦେଖିଲେ ସ୍ଵରୂପ ଯୌବନେ ॥

ସେମାନଙ୍କ ମଧ୍ୟେ ଉର୍ବଶୀ ଅପ୍‍ସରା ଥିଲେ |

ମୁନିଙ୍କୁ ମୋହିପାରନ୍ତି ରୂପେ ସୌନ୍ଦର୍ଯ୍ୟରେ ॥

ଶିବ ଗିରିଜାଙ୍କୁ ଦେଖି ନମିଲେ ପାଦରେ ।

ଭୟେ ପ୍ରାଞ୍ଜଳି ହୋଇଣ ଆଗରେ ବସିଲେ ॥

ତହୁଁ ଶିବ ପାର୍ବତୀଙ୍କ କହିଲେ ହଠାତେ ।

ହେ ଭିନ୍ନାଞ୍ଜ ଶ୍ୟାମଳେ କାଳି କହେ ତୋତେ ॥

ଉର୍ବଶୀ ଆଦି ଅପ୍‌ସରା ଗଣଙ୍କ ସଙ୍ଗରେ ।

ସ୍ତ୍ରୀ ଆଚାରେ ଆଳାପ କର ହେ ଆନନ୍ଦରେ ॥

ତହୁଁ ଅପ୍‌ସରାଙ୍କ ସଙ୍ଗେ ପ୍ରେମାଳାପ କରି ।

ବିଦାୟ ଦେଲେ ଗିରିଜା ଗଲେ ସର୍ବେ ଚଳି ॥

ତହୁଁ କାଳୀ ରୋଷେ ଶଙ୍କର ପାଖରୁ ଯାଇ ।

ଅନ୍ୟସ୍ଥାନେ ମନଦୁଃଖେ ବସିଲେକ ତହିଁ ॥

ତହୁଁ ଶିବ ବିରହରେ କାଳୀଙ୍କୁ ଖୋଜିଲେ ।

ବହୁ ଅନ୍ୱେଷଣ କରି ଦେଖି ନପାରିଲେ ॥

ଶିବଙ୍କ ବିଚ୍ଛେଦ ଜାଣି ଗିରିଜା ସେକାଳେ ।

ଶିବଙ୍କୁ ଦେଖିଲେ ସେହି ପର୍ବତ ମଧ୍ୟରେ ॥

ଶିବ ଦେଖି ପଚାରିଲେ କାହିଁ ଛାଡ଼ିଗଲ ।

ବିରହା ନଳରେ ମୋତେ ପୋଡ଼ି ମାରିଦେଲ ॥

କିମ୍ପାଇଁ ତୁମ୍ଭର ଚନ୍ଦ୍ରାନନ ମଉଳିଛି ।

କି ଦୁଃଖ ହେଲା କହିଣ ମନଦୁଃଖ ପୋଛି ॥

ପତ୍ନିସ୍ନେହ ପୁରସ୍ତ୍ରୀଙ୍କ ମାନ ନାଶ କରେ ।

ସ୍ନେହବିନା ସ୍ତ୍ରୀ ଗ୍ରହଣେ ନିନ୍ଦା ହୁଏ ଭଲେ ॥

ତେବେ କୋପଯୁକ୍ତା କିମ୍ପା କହ ମୋ ଆଗରେ ।

ଏହାକହି ତାଙ୍କୁ ଆଲିଙ୍ଗନେ ଇଛାକଲେ ॥

ବାରଣ କରି ଶିବଙ୍କୁ କହନ୍ତି ଅମ୍ବିକା ।

ଆଗରୁ ଦେଖି ଥିଲତ ମୋ ବର୍ଣ୍ଣ କାଳୀକା ॥

ଅପ୍‌ସରାଙ୍କ ଆଗେ ସମ୍ବୋଧିଲ ମୋର ବର୍ଣ୍ଣ ।

ଜାତିବୃର୍ତ୍ତି ରୂପହୀନ ପୁଣି ଅଦକ୍ଷିଣ ॥

ହୀନାଙ୍ଗ ଅଧିକାଙ୍ଗକୁ ନତୋଷିବ ପୁଣ ।

ଏହାଜାଣି ଉପହାସ କଲ ମୋର ବର୍ଣ୍ଣ ॥

ଯେ ପର୍ଯ୍ୟନ୍ତ ମୋ ବର୍ଣ୍ଣ ସ୍ଵର୍ଣ୍ଣସମ ନୋହିବ ।

ସେ ପର୍ଯ୍ୟନ୍ତ ତୁମ୍ଭେ ମୋର ଅଙ୍ଗ ନ ଛୁଇଁବ ॥

ଏହାକହି ଚାଲିଗଲେ ମହାକୋଷୀ ପ୍ରସ୍ଥେ ।

ତପସ୍ୟାରେ ରତ ହେଲେ ମନର ଦୁଃଖିତେ ॥

ଶିବ ଜାଣିପାରି ତାଙ୍କୁ ନିଷେଧ ନକଲେ ।

କାଳୀଯାଇ ଶିବଗତ ମାନସେ ଚିନ୍ତିଲେ ॥

ଶତବର୍ଷ ଆରାଧିଲେ ଶିବଙ୍କୁ ଯତନେ ।

ବାମପାଦେ ଠିଆହୋଇ ଟେକିଲେ ଦକ୍ଷିଣେ ॥

ଉତ୍ତରକୁ ମୁଖକରି ଉପବାସେ ରହି ।

ବ୍ୟାଘ୍ର ଚର୍ମ ଉର୍ଦ୍ଧ୍ୱମୁଖି ହେଲେ ତହିଁ ॥

ଜ୍ୟୋତିରୂପ ସତ୍ୟ ଶିବ ସୁନ୍ଦର ପତିଙ୍କୁ ।

ଧ୍ୟାନକରି ନିଶ୍ଚଳ ମନରେ ଭାବି ତାଙ୍କୁ ॥

ଶତବର୍ଷ ଅନ୍ତେ ଶିବ ସ୍ଵେହବସେ ଆସି ।

ଦେଖାଦେଇ ଗିରିଜାଙ୍କୁ ଲଜ୍ଜାରେ ଭରସି ॥

ପ୍ରଥମେ ବ୍ରହ୍ମା ରୂପରେ ତହୁଁ ହରି ରୂପେ ।

ପୁଣି ଶମ୍ଭୁରୂପେ ପୁଣି ମିଶିଲେ ତ୍ରୀରୂପେ ॥

ତପୋବଳେ ପାର୍ବତୀ ଜାଣିଲେ ସବୁ ତତ୍ତ୍ୱ ।

ଅନ୍ତର୍ବହି ଦୃଷ୍ଟିରେ ଦେଖିଲେ ଯଥାଯଥ ॥

ଶମ୍ଭୁ ଜଗନ୍ମୟୀ ମୁହିଁ ଅଟେ “ଜଗନ୍ମୟୀ” ।

ହରିହର ବ୍ରହ୍ମା ତହୁଁ ଉତ୍ପନ୍ନ ହୁଅଇ ॥

ତହିଁରୁ ସର୍ବଜଗତ ମୁଁ ମୂଳ ପ୍ରକୃତି ।

ଧ୍ୟାନେ ଏ ସମୟ ଦେଖି ଧ୍ୟାନକୁ ତେଜନ୍ତି ॥

ଆଖି ଫିଟାଇ ଦେଖିଲେ ଆଗେ ଉଭା ଶିବ ।

ହାତଯୋଡ଼ି ସ୍ତୁତିକଲେ କରି ଭକ୍ତିଭାବ ॥

ପାର୍ବତୀ ଉବାଚ

ଜଗନ୍ନାଥ କେଶବ ଅବ୍ୟୟ ନମୋଃଽସ୍ତୁତେ ।

ପ୍ରଧାନ ପୁରୁଷ ତ୍ରିକାରଣ ନମୋଃଽସ୍ତୁତେ ॥

ଯୋଗମୋହ ମନସ୍ନେହ ଧର୍ମ ଯେ ଅଧର୍ମ ।

ବିଦ୍ୟା ଅବିଦ୍ୟା ଏ ସର୍ବ ଶିବକାୟ ଜାଣ ॥

ରୁଦ୍ରଙ୍କର ଭଦ୍ର ଶ୍ରେୟଙ୍କର ଶ୍ରେୟ ତୁମ୍ଭେ ।

ଦୃଶ୍ୟାଦୃଶ୍ୟ ମୂର୍ତ୍ତି ମହାଞ୍ଜାନୀ ମହାଶୁଭେ ॥

ଜ୍ୟୋତି ଶାନ୍ତିରୂପ ପୁଣି ଶୁଦ୍ଧ ପୌରୁଷେୟ ।

ତୁମ୍ଭେ ବ୍ରହ୍ମାଦି ସର୍ବଦେବଙ୍କ ରୂପମୟ ॥

ତୁମ୍ଭେ ଭୂମି ଆକାଶ ଯେ ସ୍ଥାବର ଜଙ୍ଗମ ।

ଜ୍ଞାନଜ୍ଞେୟ ସତ୍‌ପୁରୁଷ ଅଗମ ନିଗମ ॥

ସର୍ବରୂପେ ତୁମ୍ଭଙ୍କୁ ନମଇଁ ବାରମ୍ବାର ।

ଅପରାଧ କ୍ଷମା କରି ମୋତେ ରକ୍ଷାକର ॥

ପାର୍ବତୀଙ୍କ ସ୍ତୁତି ଶୁଣି ପରମ ହରଷେ ।

ପ୍ରସନ୍ନ ହୋଇ କହିଲେ ଗିରିଜାଙ୍କ ପାଶେ ॥

ତୁମ୍ଭ ତପସ୍ୟାରେ ପ୍ରୀତହେଲି ମାଗ ବର ।

ତପ ସ୍ଵଭାବ ଗୁଣରେ ନାହିଁ ପଟାନ୍ତର ॥

ତୁମ୍ଭବିନା ତୃପ୍ତି ନାହିଁ ଯାହା ଇଛା କର ।

ମାୟା ମୋହିତା ହୋଇ କହନ୍ତି ଦେବୀ ଗିର ॥

ତପ୍ତସ୍ଵର୍ଣ୍ଣ ବର୍ଣ୍ଣ ହେବ ମୋହର ଶରୀର ।

ମୋବିନା ଅନ୍ୟ ରମଣୀ ନୋହିବ ତୁମ୍ଭର ॥

ଶିବ ଶୁଣି ଆକାଶ ଗଙ୍ଗା ଜଳ ସ୍ରୋତରେ ।

ଦେବୀଙ୍କୁ ଭସାଇ ଦେଲେ ଧରି ସ୍ଵହସ୍ତରେ ॥

କୁଳେ ଲାଗି ଦେଖନ୍ତି ସୁବର୍ଣ୍ଣସମ ଦେହ ।

ଶରଦମେଘେ ବିଜୁଳି ଝଟକିଲା ପ୍ରାୟ ॥

ଶିବ କହିଲେ ଯେ ତୁମ୍ଭବିନା ଅନ୍ୟ ଯୋଷା ।

ମନରେ ଧରିବି ନାହିଁ ଏହା ମୋର ଆଶା ॥

ତହୁଁ ପାର୍ବତୀଙ୍କୁ ସଙ୍ଗେ ଘେନି ସଦାଶିବ ।

କୈଳାଶ ଶିଖରେ ଗଲେ ବହି ସ୍ନେହଭାବ ॥

କୈଳାଶେ ବିବିଧରଙ୍ଗେ ବେଶଭୂଷା କରି ।

ସୁଖେ ସୁରତ କ୍ରୀଡ଼ାରେ ବିହରିଲେ ହେରି ॥

ଶିବା ଶିବଙ୍କର ରମଣ କ୍ରୀଡ଼ା ଛଳରେ ।

ବହୁକାଳ କଟିଗଲା କୈଳାଶ ଶିଖରେ ॥

ଦିନେ ଗୌରୀ ଶିବପାଶେ ଠିଆ ହୋଇଥିଲେ ।

ଶିବ ମୂର୍ତ୍ତି ପ୍ରତିବିମ୍ବ ପଡ଼ିଛି ହୃଦରେ ॥

ସ୍ପଟିକ ସଦୃଶ ସ୍ୱଛ ଶିବ ହୃଦୟରେ ।

ଯୋଗିଜ୍ଞାନ ଦର୍ପଣ ସେ ଗିଗିଜା ସେଠାରେ ॥

ହର ବାମଭାଗେ ରହି ସୁନ୍ଦରୀ ସେ ଗୌରୀ ।

ହର ହୃଦୟେ ବିରାଜୁଛନ୍ତି ମନୋହାରୀ ॥

ସ୍ତରରୂପା ମନ୍ଦହାସିନୀ ମନୋହର ଭାବ ।

ପାର୍ବତୀ ରୂପରେ ଭ୍ରାନ୍ତହେଲେ ସଦାଶିବ ॥

ଚିହ୍ନି ନପାରି ଅନ୍ୟ ସ୍ତ୍ରୀ ଭାଳି ମନ ମଧ୍ୟେ ।

ସତ୍ୟଭଙ୍ଗ ହେଲା ବୋଲି ଭାବୁଛନ୍ତି ହୃଦେ ॥

ମାୟାବଳେ ଦେହସ୍ଥିତ ଅନ୍ୟ ବନିତାକୁ ।

ଭାବି ପାର୍ବତୀ ଚାହାଡି କୂଟିଳେ ଆମ୍ଭଙ୍କୁ ॥

ଏହା ଭାବି ମହାଦେବ ମ୍ଳାନ କଲେ ମୁଖ ।

ପାର୍ବତୀ ନିଜ ଛାୟାକୁ ଦେଖି ପାଇ ସୁଖ ॥

ବିଷ୍ଣୁ ମାୟାରେ ମୋହିତା ହୋଇଣ ଭାବନ୍ତି ।

ଅନ୍ୟ ରମଣୀକୁ ଶିବ ବାମେ ରଖିଛନ୍ତି ॥

ସତ୍ୟଭଙ୍ଗ ଦୋଷ ନସହିବି ଏହା ଭାବି ।

ଶିବପାଶୁ ଅନ୍ୟସ୍ଥାନେ ଋଷିଗଲେ ଦ୍ରବି ॥

ବିରହ ଆକୁଳ ଶିବ କେତେ ଖୋଜି ଖୋଜି ।

କେତେକାଳେ ପାଇ କହନ୍ତି କିଦଶା ଆଜି ॥

ମୋତେ ଛାଡ଼ି କାହିଁଗଲା ମୁଁ ଖୋଜି ବିକଳ ।

କ୍ରୋଧ ହେଲାପରି ଦିଶେ ବଦନ ମଣ୍ଡଳ ॥

କୋପର କାରଣ କହି ଦୁଃଖ ଶାନ୍ତି କର ।

ମନବାକ୍ୟେ ମଧ୍ୟ ଦୋଷୀ ନୁହେଁ ମୁଁ ତୁମ୍ଭର ॥

କାୟିକଦୋଷ କିପରି କରିବି ମୁଁ ଆଉ ।

ପାର୍ବତୀ ଶୁଣି କହିଲେ ଶୁଣ ମହାବାହୁ ॥

ପୂର୍ବେ ମୁଁ ଜଣାଇଥଲି ମୋ ବିନା ଅନ୍ୟ ସ୍ତ୍ରୀ ।

ମନରେ ଭାବିବ ନାହିଁ ତା ସ୍ୱୀକାର କରି ॥

ଏବେ ଅନ୍ୟନାରୀ ସଙ୍ଗ କରିବା ଇଛାରେ ।

ବାମଭାଗେ ବସାଇଛ ଦେଖିଲି ଚକ୍ଷୁରେ ॥

ତୁମ୍ଭେ ସର୍ବଜ୍ଞ ପରମେଶ୍ୱର ମହାଜ୍ଞାନୀ ।

ବହୁ ତପସ୍ୟାରେ ତୋଷ ନହେଉଛ ପୁଣି ॥

ତେଣୁ ତପସ୍ୟା ନିମିତ୍ତ ଯିବାକୁ ଇଛଇଁ ।

ଅନୁ ଦିଅ ହେ ମୋତେ ବିଳମ୍ବ କିମ୍ପାଇଁ ॥

ଗିରିଜାଙ୍କ କଥାରେ ସେ ମନ୍ଦହାସ କରି ।

ସନ୍ଦେହ ମନରେ ଶିବ କହିଲେ ଉଚ୍ଚାରି ॥

ଅନ୍ୟ ସ୍ତ୍ରୀ ଇଛଇ ନାହିଁ ପ୍ରତିଜ୍ଞା ପାଇଛି ।

ମୋହେ ଭ୍ରମିଛ ସୁନ୍ଦରୀ ମିଥ୍ୟା କହ କିଛି ॥

ତାହାର କାରଣ ଯଦି ଶୁଣି ଇଛାକର ।

କହୁଛି ମାନିନୀ ଏବେ ମାନ ଭଙ୍ଗ କର ॥

ମୋ ବିସ୍ତୃତବକ୍ଷ ସ୍ଵଛ ଦର୍ପଣ ସମାନ ।

ତୁମ୍ଭ ଦେହ ଛାୟା ତହିଁ ପଡ଼ିଥିଲା ଜାଣ ॥

ଏକ୍ଷଣି ଦେଖ ତୁମ୍ଭବିନା ଅନ୍ୟ ସ୍ତ୍ରୀ ନାହିଁ ।

ମାନଛାଡ଼ି ମନେକର ତୁମ୍ଭେ ଥିଲ ତହିଁ ॥

ମୁଁ ଥିଲେ ସେ ଛାୟାଦିଶେ ମୋ ବିନା ନଦିଶେ ।

ଏଥିର କାରଣ କହ ବୁଝାଇ ବିଶେଷ ॥

ଶିବ କହନ୍ତି ଗବାକ୍ଷ ରନ୍ଧ୍ରେ ଛାୟାପରି ।

ମୋ ହୃଦୟରେ ତୁମ୍ଭ ଛାୟା ପଡ଼ିଲା ସେପରି ॥

ତୁମ୍ଭେ ମଣ୍ତିତ ଦେହକୁ ଦର୍ପଣରେ ଦେଖି ।

ମୋ ହୃଦ ପାଖକୁ ଆସି ଦେଖ ଦେଇ ଆଖି ॥

ଯେପରି ଦେହେ ଦେଖିବ ସେପରି ମୋହର ।

ରୂପକ ଦେଖିବ ଭିନ୍ନ ନୁହେଁ ରୂପ ମୋର ॥

ଦେହେ ଦେଖ ତୁମ୍ଭ ଛାୟାବିନା ଅନ୍ୟ ନାହିଁ ।

ମୋ ବକ୍ଷରେ ତୁମ୍ଭ ଛାୟା କେବଳ ଦିଶଇ ॥

ଜାଣିପାରି ମାନ ତେଜି ମୋ ପାଶେ ଆସିବ ।

ଏ ବିଷୟେ ମନରେ ସନ୍ଦେହ ନକରିବ ॥

ଔର୍ବ ଉବାଚ

ଏହା ଶୁଣି ପାର୍ବତୀ ଶିବ ବକ୍ଷକୁ ଧୋଇ ।

ନିଜଛାୟା ପକାଇଲେ ହରବକ୍ଷେ ନେଇ ॥

ଦର୍ପଣରେ ନିଜଦେହ ଦେଖିଲେ ଅମ୍ବିକା ।

ପୁଣି ଶଙ୍କର ବକ୍ଷକୁ ଚାହିଁଲେ ସେ ଏକା ॥

ଯେପରି କପଟେ କଳେ ନେତ୍ରଭଙ୍ଗି ଆଦି ।

ସେପରି ଛାୟାରେ ଦିଶେ କର କମ୍ପନାଦି ॥

ତହୁଁ ପୁଣି ଗବାଷ କାଳରେ ସ୍ଥିତ ହୋଇ ।

ଚାହିଁଲେ ହରଙ୍କ ବକ୍ଷ ଭଷ୍ମ ନାହିଁ ତହିଁ ॥

ନାରୀଛାୟା ନଦିଶେ ଗବାକ୍ଷଜାଳ ପଡ଼େ ।

ଏପରି ବହୁ ଉପାୟେ ପରୀକ୍ଷା ସେ କଲେ ॥

ନିଃସଂଶୟା ହୋଇ ଲଜା ଲଭିଲେ ମନରେ ।

ଅଧୋମୁଖୀ ଅଳ୍ପଭୀତା ହେଲେ ସେ ଅନ୍ତରେ ॥

ଶିବ ହସ୍ତେ ଆଲିଙ୍ଗିଣ ମୁଖେ ଚୁମ୍ବଦେଲେ ।

ବହୁ ଆଶ୍ଵାସନା କରି ଦେବୀଙ୍କୁ କହିଲେ ॥

ଲଜ୍ଜା ନକର ଗୌରୀ ଭ୍ରମ ସବୁରି ଥାଏ ।

ନାରୀଙ୍କର ମାନ ପୁରୁଷ ନିକଟେ ହୁଏ ॥

ତୁମ୍ଭେ ମାନ ନକରି ପଦେ ବଚନ କହ ।

ପାର୍ବତୀ ସୁନତ ସ୍ନେହ ବାକ୍ୟେ କଲେ ମୋହ ॥

ଯେପରି ମୁଁ ତୁମ୍ଭ ଛାୟାପରି ଅନୁଗତା ।

ସେପରି ସହଗାମିନୀ ହେବି ମୁଁ ସର୍ବଥା ॥

ସବୁ ଅଙ୍ଗ ସ୍ପର୍ଶ କରି ସଦା ଆଲିଙ୍ଗନ ।

ଇଛଇଁ ତାହା କରିବ ତତ୍ତ୍ଵରେ ଆପଣ ॥

ଶିବ ଉବାଚ

ତୁମ୍ଭେ ଯା ଇଛଇ ମୋତେ ଯୋଗାଇଲା ତାହା ।

ସେ ଉପାୟ ଶୁଣ ଯଦି କରିପାର ଏହା ॥

ମୋ ଶରୀର ଅର୍ଦ୍ଧ ଭାଗକୁ ଗ୍ରହଣ କର ।

ଅଧାନାରୀ ଅଧା ନର ହୋଇବ ମୋହର ॥

ଯଦି ଅର୍ଦ୍ଧାନାରୀ ଦେହ କରି ନପାରିବ ।

ତେବେ ମୁଁ ତୁମ୍ଭ ଅର୍ଦ୍ଧ ଦେହକୁ କରି ଭାବ ॥

ସେପରି ଅର୍ଦ୍ଧେକ ନାରୀ ଅଧେ ନର ଦେହ ।

ମୁଁ ଏହା କରିବି ଯେବେ ଅନୁମତି ଦେବ ॥

ଦେବ ଉବାଚ

ତୁମ୍ଭର ଅର୍ଦ୍ଧ ଶରୀର ହରଣ କରିବି ।

ତୁମ୍ଭେ ଇଛିଲେ ଏକତ୍ଵ ମୁହିଁ କରିଦେବି ॥

ଯେବେ ତୁମ୍ଭ ଅର୍ଦ୍ଧ ଅଙ୍ଗ ହୋଇ ମୁଁ ରହିବି ॥

ଅର୍ଦ୍ଧାଙ୍ଗ ତେଜିଲେ ପୂର୍ଣ୍ଣ ଦେହ ମୁଁ ଦେଖିବି ।

ତୁମ୍ଭେ ମୋ ଅର୍ଦ୍ଧ ଦେହକୁ ହରିଲେ ମୁଁ ମଧ୍ୟ ॥

ତୁମ୍ଭ ଅର୍ଦ୍ଧଦେହ ହରି କରିବି ସମ୍ବନ୍ଧ ।

ଇଶ୍ୱର ଉବାଚ

ଏପରି ହେଉ ବୋଲିଣ କହିଲେ ଇଶ୍ଵର ।

ପାର୍ବତୀ ସମ୍ମତି ଦେଲେ ହେଲା ସେ ପ୍ରକାର ॥

ତହୁଁ ଗୌରୀ ତପକାଳେ ଅନୁଭବ କଥା ।

ଭୋଗ ନିଦ୍ରାକୁ ବୁଦ୍ଧିରେ ଚିନ୍ତିଲେ ସର୍ବଥା ॥

ପ୍ରଥମେ ହରକୁ ନମି ବ୍ରହ୍ମାଙ୍କୁ ତାପରେ ।

ଜଗନ୍ନାଥ ହରିଙ୍କୁ ପ୍ରଣମି ତଦୁତ୍ତାରେ ॥

ତିନିଦେବଙ୍କ ଏକତା ଚିନ୍ତି ଜଗନ୍ମୟୀ ।

ନିଜେ ଯୋଗନିଦ୍ରା ବୋଲି ଭାବିଲେ ସେ ତହିଁ ॥

ନିଜଦେହ ଦକ୍ଷଭାଗେ ହରଙ୍କ ଅର୍ଦ୍ଧାଙ୍ଗ ।

ନିଜ ବାମାର୍ଦ୍ଧ ଶରୀର ହର ଅଙ୍ଗେ ଯୋଗ ॥

ହର ମଧ୍ୟ ସ୍ଵଦେହାର୍ଦ୍ଧ ଗୌରୀକାୟେ ରଖି ।

ସ୍ନେହଇଛା କରିଥିଲେ ଗୌରୀ ଏହା ଦେଖୁ ॥

ତହୁଁ ହର ଚିରକାଳ ଗୌରୀ ସଙ୍ଗେ ରହି ।

ଶରୀର ଅର୍ଦ୍ଧକୁ ତେଜି ପୃଥକରେ ଥାଇ ॥

କାଳୀ ସ୍ଵର୍ଣ୍ଣଗୌରୀ ହୋଇ ଅର୍ଦ୍ଧଅଙ୍ଗ ଶିବ ।

ଏହାଦେଖି ହେଲେ ସୁଖୀ ଦୁହେଁ ତହିଁ ଭାବ ॥

ଏଭାବେ ଅର୍ଦ୍ଧ ଶରୀର ଧରି ସେ ପାର୍ବତୀ ।

ଅତି ଶୋଭିତା ହେଲେ ସେ ଗିରି ରାଜପୁତ୍ରୀ ॥

ଅର୍ଦ୍ଧ କେଶଗୁଛ ଅର୍ଦ୍ଧଜଟା ବିମଣ୍ଡିତ ।

ଏକକର୍ଣ୍ଣେ ସର୍ପ ଅନ୍ୟ କର୍ଣ୍ଣେ କୁଣ୍ଡଳତ ॥

ଅଧା ମୃଗଆକ୍ଷି ଅଧା ବୃଷଭାକ୍ଷି ପରି ।

ଅଧେ ସ୍ଥଳ ନାସା ଅଧେ ତିଳପୁଷ୍ପ ସରି ॥

ଦୀର୍ଘ ଶ୍ମଶ୍ରୁ ଅଧକରେ ଅଧେ ଦାଢ଼ି ଶୂନ୍ୟ ।

ରକ୍ତ ଦନ୍ତ ଶୋଭାପାଏ ଅର୍ଦ୍ଧେକ ଭାଗେଣ ॥

ଅପରାର୍ଦ୍ଧେ ସ୍ଥୁଳ ଶୁକ୍ଳଦନ୍ତ ଶୋଭାମାନ ।

ହର ଗଉରୀଙ୍କ ଅଙ୍ଗ ଅତି ଶୋଭମାନ ॥

ଅଧେ ଗଳା ନୀଳବର୍ଣ୍ଣ ଅଧେ ହାରଯୁକ୍ତ ।

କେୟୁର କଙ୍କଣଯୁକ୍ତ ବାହୁ ଅର୍ଦ୍ଧାଙ୍ଗେତ ॥

ସର୍ପକଙ୍କଣେ ମଣ୍ଡିତ ଅଧେ ବାହୁ ପୁଣି ।

ହୃଦେ ଏକସ୍ତନ ଶୋଭେ ଅର୍ଦ୍ଧାଙ୍ଗେ ରୋମାଳି ॥

କଦଳୀସ୍ତମ୍ଭ ସମାନ ଏକ ଉରୁ ଭାରି ।

ଅନ୍ୟ ଉରୁ ରୋମଯୁକ୍ତ ସୁଳ ହେଲା ପରି ॥

ଅଧେ ବ୍ୟାଘ୍ର ଚର୍ମାବୃତ ଭଦ୍ମ ବିଲେପନ ।

ଅଧେକ ରୁଚିର ବସ୍ତ୍ର ଦିଶେ ଭୋଭମାନ ॥

ଏଭାବେ ଅର୍ଦ୍ଧାଙ୍ଗ ନାରୀଦେହ ଶୋଭାପାଏ ।

ଅଧେ ପୁରୁଷ ଆକୃତି ହୋଇ ରହିଥାଏ ॥

ଏଭାବେ ଗିରିଜା ଶିବ ଅର୍ଦ୍ଧାଙ୍ଗ ହରିଲେ ।

ସର୍ବଜଗତର ହିତେ ଏରୂପ ଧଇଲେ ॥

ଅର୍ଦ୍ଧ ନାରୀଶ୍ଵର ରୂପ ନାହିଁ ପଟାନ୍ତର ।

ପାରିଜାତ ବୃକ୍ଷେ ଲତାପରି ମନୋହର ॥

ପୃଥକ ଭାବରେ କ୍ରୀଡ଼ା କରନ୍ତି ଅର୍ଦ୍ଧାଙ୍ଗେ ।

ଦୂଇମୁର୍ତ୍ତି ଏକସ୍ଥାନେ ଖେଳି ନାନାରଙ୍ଗେ ॥

ଏଭାବେ ବିବିଧ କ୍ରୀୟା ଉପାୟ ଯୋଗରେ ।

କାଳୀଙ୍କୁ ଗୌରୀ ସେ କଲେ ତପସ୍ୟା ବଳରେ ॥

ଅର୍ଦ୍ଧ ନାରୀଶ୍ଵର ତତ୍ତ୍ଵ ନଜାଣି ଇନ୍ଦ୍ରାଦି ।

ନନ୍ଦୀ ଭୃଙ୍ଗୀ ଶିବଗଣେ ଜାଣିଲେ ସେ ବିଧି ॥

ହେ ରାଜା ସଗର ତୁମ୍ଭେ ପତ୍ନୀ ଅନୁଚର ।

କ୍ରୀୟା ଯୋଗେ ଶୁଦ୍ଧିକରି ସୁଖେ ଘର କର ॥

ଯେ ଏହି ପୁଣ୍ୟ ଚରିତ ଅଦ୍ଭୁତ ଆଖ୍ୟାନ ।

ଶିବାଶିବଙ୍କର ଅର୍ବ ଅଙ୍ଗର ହରଣ ॥

ପୁଣି କାଳୀଙ୍କର ଗୌରୀରୂପ ପ୍ରାପ୍ତି କଥା ।

ପଢ଼ଇ ଶୁଣଇ ପାଏ ଶିବଲୋକେ ସଂସ୍ଥା ॥

ତାହାର କୌଣସି ବିଘ୍ନ ନେହେ କଦାଚିତେ ।

ଦୀର୍ଘାୟୁ ସୁଖୀ ହୁଏ ସେ ପୁତ୍ରପୌତ୍ର ଯୁତେ ॥

ଶିବପ୍ରିୟ ହୁଏ ସେହି କହେ ପ୍ରଭାକର ।

ପାର୍ବତୀ ଶଙ୍କର ପଦେ କରି ନମସ୍କାର ॥

 

ଇତି ଶ୍ରୀ କାଳିକା ପୁରାଣେ ଅର୍ଦ୍ଧ ନାରୀଶ୍ୱର

ଚରିତେ ସପ୍ତଚତ୍ୱାରିଂଶୋଽଧ୍ୟାୟଃ ।

✽✽✽

 

॥ ୪୮ ॥

 

ସଗର ଉବାଚ

ଭୈରବ କିଏ ବେତାଳ କିଏ ପରିମାଣି l

ମନୁଷ୍ୟ ଦେହରେ ଗଣାଧିପ ହେଲେ ପୁଣି ॥

ସେକଥା କହି ମୋ ମନୁ ସନ୍ଦେହକୁ ଫେଡ଼ ।

ତୁମ୍ଭେ ଜ୍ଞାନି ମୁନିଙ୍କ ମଧ୍ୟରେ ଅତି ବଡ଼ ॥

ନନ୍ଦୀ ଶିବଗଣ ମଧ୍ୟେ ପ୍ରଧାନ ହୋଇଲେ ।

ସେକଥା ନାରଦଠାରୁ ଶୁଣିଛି ମୁଁ ଭଲେ ॥

ଭୃଙ୍ଗି ମହାକାଳ ଦୁହେଁ ଶିବାତ୍ମକ ହୋଇ ।

କିପରି ସେ ଜନ୍ମହେଲେ କହିବ ବୁଝାଇ ॥

ଶରଭରୂପୀ ଶିବଙ୍କ ଦେହ ମଧ୍ୟ ଭାଗ ।

ଭୈରବ ନହେଲେ ପୂର୍ବରୁ ଶୁଣିଛି ସେ ଯୋଗ ॥

ସେହି ଭୈରବ ବା ଅନ୍ୟ କିଏ ନାହିଁ ଅଛି ।

ସେସବୁ ଜାଣିବା ପାଇଁ ମୁଁ ଇଛା କରିଛି ॥

ଔର୍ବ ଉବାଚ

ଶୁଣ ରାଜା ମହାକାଳ ଭୃଙ୍ଗି ଯେ ଭୈରବ ।

ବେତାଳ ଏ ଚାରିଙ୍କର ଚରିତ ଶୁଣିବ ॥

ଭୃଙ୍ଗୀ ମହାକାଳ ଦୁହେଁ ହରଙ୍କ ତନୟ ।

ଗୌରୀଙ୍କ ଶାପରେ ନର ଯୋନିରେ ଉପାୟ ॥

ଜନ୍ମିଲେ ପୁଣି ଭୈରବ ବେତାଳ ଏ ଦୁହେଁ ।

ରାଜକୁଳେ ଜନ୍ମ ହେଲେ ତାହା କହିବାହେ ॥

ପ୍ରଥମ ଭୃଙ୍ଗି ମହାକାଳଙ୍କ କଥା ଶୁଣ ।

ଶରଭରୂପୀ ଦେବଙ୍କ ଦେହ ମଧ୍ୟ ଜାଣ ॥

ମହାଭୈରବ ସେହେଲେ ଅନ୍ୟ ଯେ ଭୈରବ ।

ହରପୁତ୍ର ଗଣାଧ୍ୟକ୍ଷ ହେଲେ ତା ଶୁଣିବ ॥

ପାର୍ବତୀଙ୍କୁ ବିଭାହେଲେ ଶଙ୍କର ଯେ କାଳେ ।

ତାରକାସୁର ପୀଡ଼ାରେ ଇନ୍ଦ୍ରାଦି ମିଳିଲେ ॥

ସ୍ତୁତି ନତି ଦ୍ଵାରା ଶିବଙ୍କୁ ସେ ଜଣାଇଲେ ।

ପୁତ୍ର ଜନ୍ମାଇ ଦେବଙ୍କୁ ରକ୍ଷାକର ଭଲେ ॥

ଦେବଙ୍କ ପ୍ରାର୍ଥନାରେ ଦୁଃଖିତ ହୋଇ ହର ।

ମହାମୈଥୁନେ ରତ ସେ ଉମାଙ୍କ ସଙ୍ଗର ॥

ବତିଶ ବତ୍ସର ମୈଥୁନରେ ରତ ହେଲେ ।

ବୀର୍ଯ୍ୟ ସ୍ଖଳନ ନହେଲା ସନ୍ତୋଷ ନୋହିଲେ ॥

ମୈଥୁନକାଳେ ପୃଥିବୀ ଟଳମଳ ହେଲା ।

ସ୍ଵର୍ଗବାସୀ ଦେବଙ୍କୁ ସେ ଭୟ ଦାନ କଲା ॥

ସର୍ବପ୍ରାଣୀ ଆକୁଳ ହୋଇଲେ ସେ ବେଳରେ ।

ଭୟେ ଦେବଗଣେ ବ୍ରହ୍ମାଙ୍କୁ ଶରଣ ଗଲେ ॥

ମୈଥୁନ ନିବୃତ୍ତ ହେଲା ଶିବା ଶିବଙ୍କର ।

ସବୁ ଜଣାଇଲେ ଦେବେ ବ୍ରହ୍ମାଙ୍କ ଛାମୁର ॥

ଇନ୍ଦ୍ର କହିଲେ ହରଙ୍କ ମୈଥୁନ ବିଷୟ ।

ଭୟ ହୁଏ ତାଙ୍କଠାରୁ ହେବ ସେ ତନୟ ॥

ଅତ୍ୟନ୍ତ ବିକ୍ରମୀ ହେବ ତାରକୁ ଅଧିକ ।

ଯେପରି ସେ ହରସୁତ ଆମ୍ଭର ରକ୍ଷକ ॥

ହୋଇବେ ସେପରି ଯତ୍ନ କର ବିଶ୍ଵପତି ।

ବ୍ରହ୍ମାଶୁଣି ଇନ୍ଦ୍ରାଦିଙ୍କୁ ବୁଝାଇ କହନ୍ତି ॥

ହରବୀର୍ଯ୍ୟେ ଉମା ଗର୍ଭେ ପୁତ୍ର ଜାତ ହେଲେ ।

କାହାକୁ ରଖିବ ନାହିଁ ସେବଳେ କୌଶଳେ ॥

ତେଣୁ ଉମାଗର୍ଭେ ପୁତ୍ର ନୋହିବ ଯେପରି ।

ତହିଁରେ ଯତ୍ନ କରିବି ମୁଁ ଯାଇ ସେପରି ॥

ହରସୁତ ଦ୍ଵାରା ତାରକର ବଧ ହେବ ।

ସେ ଉପାୟ କରିବି ମୁଁ ଭେଟି ସଦାଶିବ ॥

ଏହାକହି ଦେବଗଣ ଘେନି ସଙ୍ଗତରେ ।

କୈଳାଶେ ମିଳିଲେ ହରଙ୍କ କେଳି ସ୍ଥାନରେ ॥

ସେ ସ୍ଥାନରେ ଦେବଗଣ ସହ ପ୍ରଜାପତି ।

ଅତି ବିନୟେ ଶିବଙ୍କୁ କଲେ ତହିଁ ସ୍ତୁତି ॥

ଦେବ ଉବାଚ

ରତି ଯାର ପ୍ରିୟ ନୁହେଁ କନ୍ଦର୍ପ ବଇରି ।

ଜନ୍ମହେତୁ ଯାର ନାହିଁ ନମୁଁ ତ୍ରିପୁରାରି ॥

ଯାହାଙ୍କର ପତ୍ନୀ ସଙ୍ଗ ଜଗତର ହିତେ ।

ସେ ଶିବଙ୍କୁ ନମଃ କରୁ ପ୍ରସନ୍ନ ନିମନ୍ତେ ॥

କାମ ବିନା ଶୃଙ୍ଗାରାଦି ଯା ପାଖେ ମିଳନ୍ତି ।

ସେ ଶିବଙ୍କୁ ଦେବଗଣେ କରୁଛୁ ପ୍ରଣତି ॥

ହିରଣ୍ୟରେତା ସ୍ଵର୍ଣ୍ଣାଭ ହିରଣ୍ୟ ବାହୁକ ।

ନମଃସ୍କାର କରୁ ତୁମ୍ଭେ ସୃଷ୍ଟି ସଂହାରକ ॥

ଜଗନ୍ମୟୀ ବିଷ୍ଣୁମାୟା ଯାହାଙ୍କର ପତ୍ନୀ ।

ସେ ଶିବଙ୍କୁ ନମସ୍କାର କରୁଅଛୁ ନିତି ॥

ଯାହାଙ୍କର ପଞ୍ଚଶୀର୍ଷ ପଞ୍ଚ ମହାଭୂତ ।

ଅଘୋର ବାମଦେବ ସେ ପୁଣି ସଦ୍ୟୋଜାତ ॥

ଈଷାନ ସେ ତପଋକ୍ଷ ଅସାଧୁଙ୍କ କାଳ ।

ଭକ୍ତଙ୍କ କଳ୍ପତରୁ ସେ ଲୋକଙ୍କ ମଙ୍ଗଳ ॥

ଯେ ବ୍ରହ୍ମା ହରିହର ରୂପେ ସୃଷ୍ଟ୍ୟାଦି କରି ।

ବିରୁପାକ୍ଷ ଶିବଙ୍କ ନମୁ ପୟର ଧରି ॥

ତ୍ରିଶୂଳ ଖଟ୍ଵାଙ୍ଗଧାରୀ ଚନ୍ଦ୍ରକଳା ଶିରେ ।

ତାହାଙ୍କୁ ନମୁଛୁଁ ଆମ୍ଭେ ତ୍ରିସହସ୍ର ବାରେ ॥

ବ୍ରହ୍ମତେଜା ଭୋଗକର୍ତ୍ତା ଦୈତ୍ୟଙ୍କ ନାଶକ ।

ଅନନ୍ତ ସେ ନିତ୍ୟ ମୋକ୍ଷରୂପୀ ତ୍ରିଅମ୍ବକ ॥

ପରଂବ୍ରହ୍ମ ସ୍ଵରୂପ ସେ ଶିବ ଶାନ୍ତିମୟ ।

ଉମାପତିଙ୍କୁ ନମୁଛୁ ହୁଅ ହେ ସଦୟ ॥

ଇନ୍ଦ୍ରାଦି ଦେବଗଣଙ୍କ ସ୍ତୁତି ଶୁଣି ହର l

ଉମାସଙ୍ଗ ଛାଡ଼ି ଦେବଙ୍କୁ ଦେଲେ ଉତ୍ତର ॥

କିମ୍ପାଇ ଆସିଲ ଦେବେ ମୋ ପାଖୁ ସକଳ ।

କହିଲେ ବୁଝିବା ତାହା କରି ପ୍ରତିକାର ॥

ଦେବେ ଜଣାନ୍ତି ଭୋ ପ୍ରଭୁ ଏ ମହାମୈଥୁନେ ।

ସଂସାର ଉଚ୍ଛନ୍ନ ପ୍ରାୟ ତେଣୁ ଆମ୍ଭେମାନେ ॥

ଜଣାଉଛୁ ମହା ମୈଥୁନରୁ କ୍ଷାନ୍ତ ହୁଅ ।

ସାଧାରଣ ରତିରେ ସନ୍ତାନକୁ ଜନ୍ମଅ ॥

ଦେବଙ୍କ ବଚନେ କହନ୍ତି ଶଙ୍କର ହସି ।

ମହାମୈଥୁନ ନହେଲେ ଉମା ଗର୍ଭନାଶି ॥

ତେଣୁ ମୋର ଏ ଉଦ୍ୟମ ଜାଣ ଦେବଗଣେ ।

ମହାମୈଥୁନ କରଇ ଉମାଙ୍କ କାରଣେ ॥

ଶୁଣି କହନ୍ତି ତେବେ ଶୁଣ ମୋ ବଚନ ।

ମୋ ବୀର୍ଯ୍ୟ ଧରିବା ବ୍ୟକ୍ତି ଜଣେ ଖୋଜିଆଣ ॥

ନିଷ୍କର୍ମ ନିର୍ବିକାରରେ ମୋ ତେଜ ଧରିବ ।

ସେହିବ୍ୟକ୍ତି ଖୋଜିଆଣ ପୁତ୍ର ଜାତ ହେବ ॥

ଶିବବାକ୍ୟେ ଦେବେ ଅଗ୍ନିଙ୍କୁ ସ୍ଥିର କରିଣ

ଶିବଙ୍କୁ ଜଣାନ୍ତି ଅଗ୍ନି କରିବେ ଧାରଣ ॥

ତହୁଁ ଶିବ ବୀର୍ଯ୍ୟ ତ୍ୟାଗକଲେ ଅଗ୍ନିଠାରେ ।

ଅଣୁମାତ୍ରେ ବୀର୍ଯ୍ୟପାତ ହେଲା ଶୈଳପରେ ॥

ସେ ଅଣୁବୀର୍ଯ୍ୟରୁ ଜାତ ହେଲେ ଦୁଇ ସୁତ ।

ଜଣେ ଭୃଙ୍ଗପରି ଅନ୍ୟ ଭିନ୍ନାଞ୍ଜନ ବତ ॥

ପ୍ରଥମର ନାମ ବ୍ରହ୍ମାଦେଲେ ଭୃଙ୍ଗୀ ବୋଲି ।

କୃଷ୍ଣବର୍ଣ୍ଣ ଅପର ମହାକାଳ ସେ ଭଳି ॥

ସେ ଦୁହିଙ୍କୁ ସ୍ମରଣ ଦ୍ଵାରା ପାଳିଲେ ଶିବ ।

ଉମାଦେବୀଙ୍କ ଯତ୍ନରେ ପାଇ ବୃଦ୍ଧି ଭାବ ॥

ଗତିମଧ୍ୟେ ଶ୍ରେଷ୍ଠ ହୋଇ ଦ୍ୱାରପାଳ ହେଲେ ।

ଭୃଙ୍ଗୀ ମହାକାଳ ଚରିତ ଶୁଣିଲ ଭଲେ ॥

ସଗର ଉବାବ

ଅଗ୍ନିରେ ଯେ ଶିବତେଜ ଉସ୍ପୃଷ୍ଟ ହୋଇଲା ।

ସେ ପୁଣି କିହେଲା ସଂକ୍ଷେପି ଶୁଣାନ୍ତୁ ଭଲା ॥

ଔର୍ବ ଉବାଚ

ଅଗ୍ନିରେ ତେଜ ନିକ୍ଷେପି କିଛି କାଳ ରହି ।

ଆକାଶ ଗଙ୍ଗାଙ୍କୁ ଚାହିଁ କହନ୍ତି ଗୋସାଇଁ ॥

ଶୁଣ ଦେବେ ମୋ ତେଜ ପାର୍ବତୀ ଧରିପାରେ ।

ଅବା ଯୋଗମାୟା ଦେବୀ ଧରିବାକୁ ପାରେ ॥

ତେଣୁ କହୁଛି ମୋ ତେଜରୁ ଜନ୍ମିବା ସୁତ ।

ଯେସ୍ଥାନେ ଜନ୍ମିବ ଯେଉଁ ନାରୀ ରଖିବତ ॥

ଏ ଆକାଶ ଗଙ୍ଗା ଅବା ଶୈଳ ରାଜସୁତା ।

ଏମାନେ ଏ ତନୟକୁ ପାଳନେ ସମର୍ଥା ॥

ଉମାଙ୍କ ଜ୍ୟେଷ୍ଠଭଗିନୀ ଅଗ୍ନିଠାରୁ ନେବେ ।

ନିଜବଳେ ଜନ୍ମପୁତ୍ର ମହାବଳୀ ହେବେ ॥

ଦେବଙ୍କ ସେନାନୀ ହୋଇ ତାରକ ବଧିବ ।

ଅବ୍ୟର୍ଥ ମହାଶକ୍ତିରେ ମୋତେ ବଢ଼ାଇବ ॥

ଏହାକହି ଶିବ ଦେବଗଣଙ୍କୁ ତେଜିଲେ ।

ପାର୍ବତୀଙ୍କ କହି ଶୌଚ ହେବାକୁ ଚଳିଲେ ॥

ଦେବଙ୍କ ପ୍ରାର୍ଥନା ବାକ୍ୟେ ପାର୍ବତୀ କୋପିଲେ ।

ନିଜପୁତ୍ର ଆଶା ଚିରକାଳକୁ ତେଜିଲେ ॥

କ୍ରୋଧେ ଦଗ୍‌ଧ ହେଲାପରି ଓଷ୍ଠ ପ୍ରକମ୍ପିଲା ।

ଦେବଙ୍କୁ ଚାହିଁଣ ଦେବୀ କହିଲେ ସେ ଭଲା ॥

ମୈଥୁନରୁ ଛଡ଼ାଇଲେ ପୁତ୍ର ନିଷେଧିଲ ।

ଏଣୁ ମହାମୈଥୁନ ନକର ନାରୀ ତୁଲ ॥

ତୁମ୍ଭ ନାରୀଙ୍କ ଗର୍ଭରେ ପୁତ୍ର ନଜନ୍ମନ୍ତୁ ।

ଅପୁତ୍ରୀ ହୋର ଦେବରମଣୀଏ ରହନ୍ତୁ ॥

ପୁତ୍ର ଆଶାଛାଡ଼ି ଯଥା ମୁଁ ହେଲି ଦୁଃଖିତା ।

ସେଭାବେ ତୁମ୍ଭର ନାରୀ ହ୍ୱନ୍ତୁ ସୁତ ହନ୍ତା ॥

ଏପରି ଶାପଦେଇଣ କ୍ରୋଧରେ ପାର୍ବତୀ ।

ଈଶ୍ଵରଙ୍କୁ ଅପେକ୍ଷିଣ ବସିଲେ ସୁମତୀ ॥

ସେ ଦିନରୁ ଦେବଙ୍କର ପୁତ୍ର ଜନ୍ମ ନାହିଁ ।

ଅଦ୍ୟାପି ଅପୁତ୍ରି ଦେବେ ରହିଛନ୍ତି ଚାହିଁ ॥

ତହୁଁ ଅଗ୍ନି ଗଙ୍ଗାଳଳେ ତେଜ ଭସାଇଲେ ।

ଗଙ୍ଗା ସହିନପାରି ଶରବଣେ କ୍ଷେପିଲେ ॥

ଗଙ୍ଗାଜଳେ ସ୍କନ୍ଦ ବିଶାଖାନାମେ ଦୁଇଟି ।

ବାଳକ ମହାତେଜସ୍ଵୀ ଜନ୍ମିଲେ ରହିକି ॥

ଗଙ୍ଗା ତାଙ୍କୁ ନେଇ ଶରବଣେ ନିକ୍ଷେପିଲେ ।

ସେ ସ୍ଥାନେ ବିଶାଖା ସ୍କନ୍ଦଦେହେ ମିଶିଗଲେ ॥

ତହୁଁ କୃତ୍ତିକା ଆସିଣ ନେଇ ତା ପାଳିରେ ।

ଅତି ଯତ୍ନକରି ଶିବ ପୁତ୍ରଙ୍କୁ ରଖିଲେ ॥

କାର୍ତ୍ତିକେୟ ନାମ ହେଲା ଜଗତେ ବିଖ୍ୟାତ ।

କୃତ୍ତିକା ଚିହ୍ନିଲେ କ୍ରମେ ଈଶ୍ଵରଙ୍କ ସୁତ ॥

ତହୁଁ ଶିବ ପାର୍ବତୀଙ୍କୁ ସମର୍ପଣ କଲେ ।

ପାର୍ବତୀ ପାଳିଲେ ଶିବ ଜ୍ଞାନଶିକ୍ଷା ଦେଲେ ॥

ମହାବଳଶାଳୀ ହୋଇ ମୟୂର ବାହାନ ।

ଦେବ ସେନାପତି ହେଲେ ମହା ବଳବାନ ॥

ତ୍ରିଲୋକ ଅନିଷ୍ଟକାରୀ ତାରକ ସଗଣ ।

ଶକ୍ତି ହସ୍ତେବିଧି କଲେ ପୃଥିବୀ ରକ୍ଷଣ ॥

ଅଗ୍ନିଦତ୍ତ ବୀର୍ଯ୍ୟ ଜାତ ପୁତ୍ରଙ୍କ ଚରିତ ।

ଶୁଣି ରାଜା ମନତୋଷ କର ଅପ୍ରମିତ ॥

ଇଦାନୀଂ ମହାକାଳ ଭୃଙ୍ଗି ଚରିତ କହି ।

ତୁମ୍ଭ ମନକୁ ତୋଷିବା ଆହେ ନରସାଇଁ ॥

ଶ୍ରୀପାର୍ବତୀ ହରପଦେ ରଖି ମନ ସଦା ।

ବିପ୍ର ପ୍ରଭାକର ରଚେ ଏହି ଗୀତ ଧନ୍ଦା ॥

 

ଇତି ଶ୍ରୀ କାଳିକାପୁରାଣେ କୁମାର ଜନ୍ମ

ନାମୋ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ ।

✽✽✽

 

॥ ୪୯ ॥

 

ଔର୍ବ ଉବାଚ

ଶ୍ରୀହର ଜଗତ ପାଇଁ ଦେବ ପ୍ରାର୍ଥନାରେ ।

ମହାମିଥୁନକୁ ତ୍ୟାଗ କଲେ ଅକାତରେ ॥

ନିଜ ଇଚ୍ଛା ପୂରଣାର୍ଥେ ରତି ମାତ୍ର କରି ।

ପାର୍ବତୀଙ୍କ ମନରୁ ତୋଷନ୍ତି ତ୍ରିପୁରାରି ॥

ଦିନେ ଉମାଙ୍କ ସଙ୍ଗରେ ଗୁପ୍ତରତି ଗୃହେ ।

ନାନା ନର୍ମଭାବ କରିଛନ୍ତି ଅତି ସ୍ନେହେ ॥

ଏକାଳେ ଭୃଙ୍ଗୀ ମହାକାଳ ଦୁହେଁ ଦ୍ୱାରରେ ।

ରତିଶେଷେ ଦେବୀ କେଶ ବାନ୍ଧନ୍ତି ସଧୀରେ ॥

ଦେହରୁ ଖସିବା ବସ୍ତ୍ର ସଜାଡ଼ି ପିନ୍ଧନ୍ତି ।

ଇତସ୍ତତଃ ଥିବା ହାର ସ୍ଵସ୍ଥାନେ ଘେନନ୍ତି ॥

କୁଙ୍କୁମ ଲଭିଛି ଦନ୍ତ ଚିହ୍ନ ଦେହେ ଅଛି ।

ରତିଗୃହରୁ ନିର୍ଗତା ହେଲେ ସେ ମୃଗାକ୍ଷୀ ॥

ଅଳ୍ପ ଢାଙ୍କିହୁଏ ନେତ୍ର ଝାଳବିନ୍ଦୁ ବହେ ।

ସେକାଳେ ଅନ୍ୟ ପୁରୁଷ ଦେଖିବାର ନୁହେଁ ॥

କେବଳ ଦେଖିପାରନ୍ତି ସ୍ଵପତି ଈଶାନ ।

କିନ୍ତୁ ଭଙ୍ଗୀ ମହାକାଳ ଦେଖିଲେ ସେସ୍ଥାନ ॥

କୋପଯୁକ୍ତ ହେଲେ ପାର୍ବତୀଙ୍କ ବେଶ ଦେଖି ।

ଲଜ୍ଜାରେ ଅଧୋବଦନ ହୋଇ ନ ନିରେଖି ॥

ଚିନ୍ତାବିଷ୍ଟ ହୋଇ ଦୁଃଖ ନିଶ୍ଵାସ ତେଜିଲେ ।

ସେ ଦୁଇପୁତ୍ରଙ୍କୁ ଦେବୀ ନୟନେ ଦେଖିଲେ ॥

କ୍ରୋଧେ ସେ ଦୁହିଁଙ୍କୁ ଏହି ବଚନ କହିଲେ ॥

ଏ ଅସମୟରେ ତୁମ୍ଭେ କିମ୍ପା ଦେଖାଦେଲ ।

ତୁମ୍ଭେ ପୁତ୍ର ହୋଇ ମୋର ଅମର୍ଯ୍ୟାଦା କଲ ॥

ଏଣୁ ମନୁଷ୍ୟ ଯୋନିରେ ଜନ୍ମହୁଅ ଯାଇ ।

ମୋତେ ଅବେଳେ ଦେଖିଲ ତେଣୁ ମୁଁ କହଇ ॥

ମର୍କଟ ମୁଖ ହୋଇବ ତୁମ୍ଭ ଦୁହିଁଙ୍କର ।

ଏପରି ଶାପଦେଲେସେ ଦେବୀ ସେ ବେଳର ॥

ତହୁଁ ଭୃଙ୍ଗୀ ମହାକାଳ ଅତି ମନଦୁଃଖେ ।

ପାର୍ବତୀଙ୍କୁ କହିଲେ ସେ ଦୁହେଁ ଯେ ବିମୁଖେ ॥

ନିର୍ଦ୍ଦୋଷେ ଆମ୍ଭଙ୍କୁ ଶାପଦେଲ ଅକସ୍ମାତେ ।

ଦ୍ଵାର ଜଗିଥିଲୁ ତୁମ୍ଭ କାର୍ଯ୍ୟ ବିଧିମତେ ॥

ଶିବ ତୁମ୍ଭେ ଦ୍ଵାରେ ନିଜୋଗିଛ ଦ୍ଵାରପାଳେ ।

ତୁମ୍ଭେ ଅସଂଯତେ ଘରୁ ଆସିଲ ବାହାରେ ॥

ଆମ୍ଭେ ଅଧୋମୁଖ ହେଲୁ ତୁମ୍ଭଙ୍କୁ ଦେଖିଣ ।

କିଦୋଷେ ଆମ୍ଭଙ୍କୁ ଶାପ ଦେଲ ଅକାରଣ ॥

ତେଣୁ ତୁମ୍ଭେ ମନୁଷ୍ୟ ଯୋନିରେ ଜନ୍ମଘେନ ।

ଶିବ ମଧ୍ୟ ନରକୁଳେ ଲଭନ୍ତୁ ଜନମ ॥

ତୁମ୍ଭ ଦୁହିଙ୍କ ଔରସେ ଆମ୍ଭେ ଦୁହେଁ ଜନ୍ମ ।

ହୋଇ ସୁଗତି ଲଭିବୁ ଆମ୍ଭ ଶାପ ଘେନ ॥

ଯଦି ଆମ୍ଭେ ଶିବାସୁତ ବିଶେଷେ ନିର୍ଦ୍ଦୋଷୀ ।

ଆମ୍ଭ ବାକ୍ୟ ନିରର୍ଥକ ନୋହିବ ବିଶେଷି ॥

ଏପରି ଅନ୍ୟୋଽନ୍ୟ ଶାପ ଦେଇ ତିନିଜଣ ।

ଦୁଃଖମନେ ରହି କଲେ ସ୍ଵକାର୍ଯ୍ୟ ସାଧନ ॥

ସର୍ବଜ୍ଞ ଶଙ୍କର ଏହା ଜାଣି କିଛିକାଳେ ।

ମନୁଷ୍ୟ ଯୋନିରେ ଜନ୍ମ ଲଭିଲେ ସେ ବଳେ ॥

ବ୍ରହ୍ମାଙ୍କ ଦକ୍ଷିଣ ଆଙ୍ଗୁଠିରୁ ଦକ୍ଷଙ୍କ ଜନ୍ମ ।

ତାଙ୍କ କନ୍ୟା ଅଦିତି ଯେ ହୋଇଥିଲେ ପୁଣ ॥

ଅଦିତିଙ୍କ ପୁତ୍ର ପୁଷା ତାଙ୍କ ପୁତ୍ର ପୌଷ ।

ମହାରାଜା ପୃଥିବୀରେ ଅତିବ ପ୍ରଶଂସ୍ୟ ॥

ସେ ପୌଷରାଜାର ପୁତ୍ର କନ୍ୟା ନ ହୋଇଲେ ।

ତିନିରାଣୀ ସଙ୍ଗେ ଧରି ବୃଦ୍ଧ ବୟସରେ ।

ବ୍ରହ୍ମାଙ୍କୁ ବହୁତ ସେବାକଲେ ଭକ୍ତିଭରେ ॥

ବ୍ରହ୍ମା ପ୍ରସନ୍ନ ହୋଇଲେ ସେମାନଙ୍କ ଠାରେ ।

କହିଲେ କି ବର ଇଚ୍ଛା ମାଗ ମୁହିଁ ଦେବି ।

ତହୁଁ ପୌଷପୁତ୍ର ବର ମାଗିଲେ ସେ ଭାବି ॥

ପୁଂନାମ ନରକୁ ପୁତ୍ରତ୍ରାଣ କରିପାରେ ।

ତେଣୁ ସଲକ୍ଷଣ ପୁତ୍ର ଦେବ ଏବେ ମୋରେ ॥

ତୁମ୍ଭେ କୁଳୋଚିତ ପୁତ୍ର ପାଇବା ଆଶାରେ ।

ରାଣୀଙ୍କ ସହିତ ଏହା କରିବ ସତ୍ଵରେ ॥

ଏଫଳ ଗୋଟିଏ ନିଅ ସୁରସ ସୁନ୍ଦର l

ବହୁକାଳେ ନଷ୍ଟ ନହୋଇବ ଏହି ଫଳ ॥

ଏ ଫଳକୁ ନେଇ ରାଣୀମାନଙ୍କ ସହିତେ ।

ତିନିବର୍ଷ ସେବାକର ଗିରିଜାଙ୍କୁ ତତ୍ତ୍ୱେ ॥

ଯେବେ ପ୍ରସନ୍ନ ହୋଇଣ ଦେବେ ଗଙ୍ଗାଧର ।

ସେକାଳେ ପୁତ୍ର ରୂପ ଫଳ ହେବ ତୁମ୍ଭର ॥

ଏହାକହି ଧାତା ହଂସବାହନେ ଗମିଲେ ।

ପୌଷରାଜା ରାଣୀସହ ଶିବଙ୍କୁ ସେବିଲେ ॥

ଉପବାସେ କେବେ ଫଳଭକ୍ଷୀ ସେବାକଲେ ।

ଦୃଷଦ୍‍ବତୀ ନଦୀତୀରେ ଶିବଙ୍କୁ ସେବିଲେ ॥

ପୁଷ୍ପ ଅର୍ଘ୍ୟ ଧୂପ ଦୀପେ ଶିବଙ୍କୁ ପୂଜନ୍ତି ।

ତିନିବର୍ଷ ଅନ୍ତେ ଶିବ ପ୍ରସନ୍ନ ହୁଅନ୍ତି ॥

କହିଲେ କିମ୍ପାଇ ସେବା କରୁଛ ମୋଠାରେ ।

ପ୍ରସନ୍ନ ହେଲି ଇସ୍ପିତ ବର ଦେବି ତୋରେ ॥

ତହୁଁ ରାଜା ଜଣାଇଲେ ମୁହିଁ ଅପୁତ୍ରିକ ।

ପୁତ୍ରଦାନ ଦେଇ କର ଆମ୍ଭଙ୍କୁ ସାର୍ଥକ ॥

ତହୁଁ ଦୟାମୟ ଶିବ ରାଜଦତ୍ତ ଫଳ ।

ହସ୍ତେଧରି ରାଜାଙ୍କୁ କହିଲେ ସତ୍ୟଗିର ॥

ଏ ଫଳକୁ ତିନିଭାଗ କରି ତିନିରାଣି ।

ଭକ୍ଷଣ କରିବେ ହୃଷ୍ଟମନରେ ସେ ପୁଣି ॥

ରତୁକାଳେ ସଙ୍ଗମ କରିବ ରାଣୀ ସଙ୍ଗେ ।

ଗର୍ଭେ ପୁତ୍ରରହି ପ୍ରସବିବେ କାଳଯୋଗେ ॥

ଏକରାଣୀ ଗର୍ଭୁ ପୁତ୍ର ମୁଣ୍ଡଟି ଜନ୍ମିବ ।

ଅପର ଗର୍ଭରୁ ନାଭି ପର୍ଯ୍ୟନ୍ତ ହୋଇବ ॥

ଆଉ ଏକ ରାଣୀ ଗର୍ଭୁ ନାଭିରୁ ପାଦାନ୍ତ ।

ତିନିଭାଗ ହୋଇ ଜନ୍ମ ହେବ ସେ ତୁରିତ ॥

ସେକାଳେ ତୁମ୍ଭେ ସେ ତିନିଖଣ୍ଡ ଯୋଡ଼ିଦେବ ।

ତେବେ ସେ ଲକ୍ଷଣ ଏକପୁତ୍ର ହୋଇଯିବ ॥

ସେ ପୁତ୍ର ମସ୍ତକେ ଚନ୍ଦ୍ରକଳା ବିରାଜିବ ।

ତେଣୁ ଚନ୍ଦ୍ରଶେଖର ପୁତ୍ରର ନାମ ହେବ ॥

ଏହାକହି ଶିବ ସ୍ଵୟଂ ଗଙ୍ଗାଜଳ ଆଣି ।

ତିନିରାଣୀଙ୍କ ଗର୍ଭରେ ଛିଞ୍ଚିଦେଲେ ପାଣି ॥

ନିଜେ ଗର୍ଭରେ ରହିବା ପାଇଁ ଶୁଦ୍ଧ କଲେ ।

ଏକଥାକୁ ରାଜା ରାଣୀ ଜାଣି ନପାରିଲେ ॥

ତହୁଁ ଫଳ ନିଜେ ଶିବ ପ୍ରବେଶକୁ କଲେ ।

ତହୁଁ ତିନିଭାଗ ଫଳ ହୋଇଗଲା ବଳେ ॥

ତହୁଁ ସେ ଫଳକୁ ଘେନି ରାଜା ହୃଷ୍ଟମନେ ।

ଶିବଙ୍କୁ ପ୍ରଣମି ଗଲେ ସ୍ୱପ୍ନରେ ତତ୍‌କ୍ଷଣେ ॥

ଶୁଭକାଳେ ରାଣୀଙ୍କୁ ସେ ଫଳ ବାଣ୍ଟିଦେଲେ ।

ସେମାନେ ଖାଇଣ ଶୁଭେ ଗର୍ଭକୁ ଧଇଲେ ॥

ଦଶମାସେ ଗର୍ଭ ପ୍ରସବିଲା ତିନିଙ୍କର ।

ତିନିଖଣ୍ଡ ହୋଇ ହେଲା ଏକଇ ଶରୀର ॥

ତହୁଁ ରାଜା ଶିବଙ୍କ ଆଦେଶ ଅନୁସାରେ ।

ଏକତ୍ର କରିଣ ଯୋଡ଼ିଦେଲେ ସ୍ୱହସ୍ତରେ ॥

ତହୁଁ ସୁଲକ୍ଷଣ ଏକ ପୁତ୍ର ହୋଇଗଲା ।

ତା ଶିରରେ ଚନ୍ଦ୍ରକଳା ବିରାଜିତ ହେଲା ॥

ପୃଥୁଳ ଉର ମୁନାସା ଦୀର୍ଘ ଚକ୍ଷୁ ଦୟ ।

ସିଂହଗ୍ରୀବ ଦୀର୍ଘଭୁଜ ହେଲା ସେ ତନୟ ॥

ରାଜା ରାଣୀ ପୁତ୍ର ଦେଖୁ ଆନନ୍ଦିତ ହେଲେ ।

ଦରିଦ୍ର ବିପୁଳ ଧନପାଇଁ ଯଥା ଖେଳେ ॥

ବ୍ରାହ୍ମଣ ମୁନିଙ୍କ ମତନେଇ ସେ ଭୂମିପ ।

ଚନ୍ଦ୍ରଶେଖର ନାମକୁ ଦେଲେ ତହିଁ ଭୂପ ॥

ତିନିଅମ୍ବାଙ୍କ ଗର୍ଭରୁ ଜାତହୋଇ ହର ।

ତ୍ର୍ୟମ୍ବକ ନାମରେ ଖ୍ୟାତ ହେଲେ ତିନିପୁର ॥

ସେପୁତ୍ର ବଢ଼ିଲା ଦିନେ ଦିନେ ଶଶିଇପରି ।

ମହାବଳୀ କୁମାର ହୋଇଲା ତଡ଼ବଡ଼ି ॥

ସର୍ବଶସ୍ତ୍ର ଶାସ୍ତବିଦ୍ୟା ଶିଖି ଅଳ୍ପଦିନେ ।

ମହାବୁଦ୍ଧିଶାଳୀ ହେଲେ ସେ ନୃପନନ୍ଦନେ ॥

ବଳେବୀର୍ଯ୍ୟେ ଯୁଦ୍ଧେ ଶାସ୍ତ୍ରେ ତାଙ୍କପରି କେହି ।

ନୋହିଲେ ରାଜତନୟ କିବା ହେବେ ନାହିଁ ॥

ପନ୍ଦର ବୟସେରାଜ୍ୟଭାର ଦେଇ ରାଜା ।

ରାଣୀଙ୍କ ସଙ୍ଗେ ଗମିଲେ ବନକୁ ସୁତେଜା ॥

ସେଠାରେ ତପସ୍ୟାରତ ହେଲେ ନରପତି ।

ମନ୍ତ୍ରୀଙ୍କ ସହିତେ ରାଜ୍ୟ ପାଳିଲେ ଭୂପତି ॥

ସବୁ ରାଜାଙ୍କୁ ସେ ଜିଣି ଚକ୍ରବର୍ତୀ ହେଲେ ।

ସର୍ବଦେବରାଜା ଇନ୍ଦ୍ର ଯଥା ସ୍ଵର୍ଗପୁରେ ॥

ଏଭାବେ ପୌଷ ରାଜାର ପୁତ୍ରହେଲେ ହର ।

ବ୍ରହ୍ମାବର୍ତ୍ତେ କରବୀର ପୁରେ ସେ ଈଶ୍ୱର ॥

ବୃଷଖିତୀ ନଦୀତୀରେ ରାଜଧାନୀ କଲେ ।

ଦିନେ ମାତାପିତାଙ୍କୁ ସେ ଦେଖିବାକୁ ଗଲେ ॥

ଏକରଥେ ଏକାକୀ ହୋଇଣ ଯାଇଛନ୍ତି ।

ବହୁବାଣ ସହ ଧନୁ କରେ ଧରିଛନ୍ତି ॥

ଆଶ୍ରମ ଦେଖିଣ ରଥୁଁ ଓହ୍ଲାଇ ଖୋଜିଲେ ।

ବାଟରେ ନମୁଚନାମା ମୁନିଙ୍କୁ ଦେଖିଲେ ॥

କୃଷ୍ଣାଜିନ ଉତ୍ତରୀ ଘେନିଣ ତପୋରତ ।

ସୂର୍ଯ୍ୟସମ ତେଜସ୍ଵୀ ସେ ବଡ଼ ତପୋବନ୍ତ ॥

ଉର୍ଦ୍ଧ୍ୱଗାମୀ ଜଟାଭାର ମସ୍ତକେ ଶୋଭଇ ।

କୁଶାସନେବସି ନୀରବ ନିଶ୍ଚଳ ହୋଇ ॥

ମୁନିଙ୍କୁ ଦେଖିଣ ରାଜା ସବିନୟେ ନମି ।

ନିଜ ପରିଚୟ ଦେଲେ ମୁନିଙ୍କୁ ସେ କ୍ଷଣି ॥

ମୁନିଙ୍କ ଆଗେ ବସିଲେ ସେ ଚନ୍ଦ୍ରଶେଖର ।

ମୁନିଙ୍କ ତପସ୍ୟା ଦେଖି ହେଲେ ହର୍ଷଭର ॥

ପୂର୍ବେ ପୌଷରାଜା ରାଣୀସଙ୍ଗେ ବନକୁ ।

ଯିବାବେଳେ ଦେଖିଥିଲେ ନମୁଚ ମୁନିଙ୍କୁ ॥

ବହୁତ ସେବି ମୁନିଙ୍କୁ ପ୍ରାର୍ଥନା କରିଲେ ।

ମୋ ବାଳକ ପୁତ୍ରକୁ ଚିରାୟୁକର ଭଲେ ॥

ଯଦି ସେ ଚନ୍ଦ୍ରଶେଖର ତୁମ୍ଭ ଦୋଷୀ ହୁଏ ।

ଦୟାରେ କ୍ଷମାକରିବ ତାକୁ ମୁଁ ଜଣାଏଁ ॥

ଏବେ ଚନ୍ଦ୍ରଶେଖରକୁ ଆଗରେ ଦେଖିଣ ।

ତାଙ୍କ ବିନୟେ ସନ୍ତୋଷ ହେଲେ ତପୋଧନ ॥

କହିଲେ କି ଇଛା ମାଗ ଦେବି ଅକାତରେ ।

ଅତି ପ୍ରୀତ ହେଲି ନମ୍ର ଦେଖୁ ତୁମ୍ଭଠାରେ ॥

ତହୁଁ ସେ ପୁଣି ପ୍ରଣମୀ ମୁନିଙ୍କୁ କହିଲେ ।

ତୁମ୍ଭ କଲ୍ୟାଣେ କୁଶଳୀ ମୁଁ ପ୍ରଜାଙ୍କ ତୁଲେ ॥

ମନୋଗତ ଚିନ୍ତା ମୋର ସୁଲଭରେ ମିଳେ ।

ତେବେ ଇଛାମତେ ବର ଦିଅ ହେ କୃପାରେ ॥

ନମୁଚ କହିଲେ ଶୁଣ ହେ ଚନ୍ଦ୍ରଶେଖର ।

ସତରବର୍ଷେ ଲଭିବ ଯେ ସୁନ୍ଦରୀ ବର ॥

ଯେପରି ଶିବଙ୍କ ଉମା ହରିଙ୍କର ଲକ୍ଷ୍ମୀ ।

ଇନ୍ଦ୍ରଙ୍କର ଶଚୀ ଯଥା ତୁମ୍ଭର ସେ ପତ୍ନୀ ॥

ଏହାକହି ସେ ନମୁଚ ତାଙ୍କୁ ବିଦା ଦେଲେ ।

ଚନ୍ଦ୍ରଶେଖର ଆନନ୍ଦମନେ ବାହୁଡ଼ିଲେ ॥

ତହୁଁ ମାତା ପିତାଙ୍କୁ ଦେଖି ପ୍ରଣାମ କଲେ ।

ବହୁସେବା କରିତାଙ୍କୁ ପ୍ରୀତ କରାଇଲେ ॥

ମାତା ପିତା ସନ୍ତୋଷେ ଆଶୀବର୍ଚନ ବୋଲି ।

ବିଦାୟ ଦେଲେ ପୁତ୍ରଙ୍କୁ ସ୍ନେହଦେବେ ବୋଲି ॥

ତହୁଁ ସେ କରବୀର ପୁରକୁ ଗଲେ ମୁଦେ ।

ମନ୍ତ୍ରୀଙ୍କ ସହିତ ରାଜ୍ୟ ପାଳିଲେ ଆନନ୍ଦେ ॥

ପାର୍ବତୀ ଶିବଚରଣେ କରି ନମସ୍କାର ।

କାଳିକା ପୁରାଣ ଗୀତେ ରଟେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ

ନବଚତ୍ୱାରିଂଶୋତ୍ତମୋଽଧ୍ୟାୟଃ ।

✽✽✽

 

॥ ୫୦ ॥

 

ଔର୍ବ ଉବାଚ

ମହାଦେବ ଅବତୀର୍ଣ୍ଣ ହେବା ତିନିବର୍ଷେ ।

ଗିରିଜା ଲଭିଲେ ଜନ୍ମ କାକୁସ୍ଥଙ୍କ ବଂଶେ ॥

ଆର୍ଯ୍ୟବର୍ତ୍ତ ମଧ୍ଷେ ବିପ୍ର ଦେବଭକ୍ତ ନୃପ ।

କଳୁପ୍ର ନାମକ ରାଜା ପ୍ରଜାପାଳେ ଭୂପ ॥

ଭୋଗବତୀପୁରେ ରାଜପଣ ସେ କରନ୍ତି ।

ସର୍ବଲକ୍ଷଣ ସମ୍ପୂର୍ଣ ଜାଣନ୍ତି ସେ ନୀତି ॥

ମଦ୍ରଦେବ ବଂଶକନ୍ୟା ତାହାଙ୍କ ରମଣୀ ।

ନାମ ତାଙ୍କର ଅଟଇ ଯେ ମନୋନ୍ମଥନୀ ॥

ଦେବତୁଲ୍ୟ ଶତପୁତ୍ର ତାହାଙ୍କର ହେଲେ ।

ବଳବୀର୍ଯ୍ୟ ସମ୍ପର୍ଣ୍ଣ ସେ ଜନ୍ମ ରାଜକୁଳେ ॥

କନ୍ୟା ନଥିବାରୁ ଗୃହମଧ୍ୟେ ଦେବୀପୂଜା ।

କରନ୍ତି ସେ ରାଣୀ ନିତ୍ୟ ଦେଇ ବଳିଭେଜା ॥

ଏପରି ପୂଜନ୍ତେ ତିନିବର୍ଷ କଟିଗଲେ ।

ଦିନେ ଦେବୀ ସ୍ଵପ୍ନେ ରାଣୀଙ୍କୁ ଦର୍ଶନ ଦେଲେ ॥

କହିଲେ ସମ୍ରାଟ ରାଣୀ ହେବ ତୁମ୍ଭ ସୁତା ।

ନକ୍ଷତ୍ରମାଳାରେ ହୋଇଥୁବ ବିଭୁଷିତା ॥

ଏ କନ୍ୟା ଲଭିବ ତୁମ୍ଭେ ମୋର ସେବାଫଳେ ।

ଚଣ୍ଡିକାଦେବୀ ସ୍ୱପ୍ନରେ ଏହିବର ଦେଲେ ॥

ତହୁଁ ରାଣୀ ଗର୍ଭଧରି କନ୍ୟା ପ୍ରସବିଲେ ।

ହାରଯୁକ୍ତା କନ୍ୟା ଦେଖି ଶରଜ୍ୟୋତ୍ସ୍ନା ତୁଲେ ॥

କକୁସ୍ଥ ଭାର୍ଯ୍ୟା ସଙ୍ଗରେ ଅତି ପ୍ରୀତ ହେଲେ ।

ବର୍ଷାକାଳ ନୀପରି ସେ କନ୍ୟା ବଢ଼ିଲେ ॥

ହାର ଚିହ୍ନ ଦେଖି ତାରାବତୀ ନାମ ଦେଲେ ।

କାଳକ୍ରମେ ଯୌବନବତୀ ସେ ହୋଇଗଲେ ॥

ଶ୍ରୀହରିଙ୍କ ଲକ୍ଷ୍ମୀପରି ଯୁବତୀ ହୋଇଲେ ।

ଶଙ୍କରଙ୍କ ଉମାପରି ସୁନ୍ଦରୀ ସେ ହେଲେ ॥

ଶ୍ରୀଯୁତା ସେ ତାରାବତୀ ଶୌଚେ ସତୀସମା ।

ସ୍ଵଭାବ ସ୍ୱରୂପେ ସେହି ସତେ କିବା ଉମା ॥

କନ୍ୟାକୁ ଯୁବତୀ ଦେଖି ରାଜା ପୁତ୍ର ସଙ୍ଗେ ।

ସ୍ଵୟମ୍ବର କରାଇଲେ ବହୁବିଧ ରଙ୍ଗେ ॥

ବୈଶାଖ ଶୁକ୍ଳପକ୍ଷରେ ଶୁଭଲଗ୍ନ ବୁଝି ।

ସ୍ଵୟମ୍ବର ସଭାକଲେ ବହୁଯତ୍ନେ ସାଜି ॥

ଦୂତପେଶି ସବୁରାଜା ନିମନ୍ତ୍ରୀ ଆଣିଲେ ।

ରାଜଗଣ ସୈନ୍ୟସହ ଆସି ପ୍ରବେଶିଲେ ॥

ପୌଷରାଜା ପୁତ୍ର ବୀର ସେ ଚନ୍ଦ୍ରଶେଖର ।

ଚତୁରଙ୍ଗ ସୈନ୍ୟ ସହ ସୁବେଶରେ ବୀର ॥

ସ୍ଵୟମ୍ବରେ ଉପସ୍ଥିତ ହେଲେ ସଭା ମଧ୍ୟେ ।

ନୃପଗଣେ ଆସନରେ ବସିଲେ ସେ ମଧ୍ୟେ ॥

ତହୁଁ ସେ କକୁସ୍ଥ ରାଜା କନ୍ୟାକୁ କହିଣ ।

ବୃଦ୍ଧା ଜ୍ଞାନବତୀ ଧାତ୍ରୀ ପଠାଇଲେ ପୁଣ ॥

ତହୁଁ ସେହି ଧାତ୍ରୀ ଯାଇ ସଭାରେ ପ୍ରବେଶି ।

ଧାତ୍ରୀକି କହିଲେ ତାରାବତୀ ଶୁଭ୍ରକେଶୀ ॥

ରାଜାଙ୍କୁ ଭଲରେ ଦେଖି ମୋତେ ଜଣାଇବ ।

ରୂପ ଗୁଣ ତାଙ୍କର ପରୀକ୍ଷା କରୁଥିବ ॥

ତୁମ୍ଭେ ମୋର ମାତାସମ ମୋ ମଙ୍ଗଳ ଇଛ ।

ଯେପରି ସୌଭାଗ୍ୟବତୀ ହେବି ତାହା ବାଛ ॥

ଏତେକହି ଧାତ୍ରୀ ପଠାଇଲେ ସଭାସ୍ଥାନେ ।

ନିଜେ ଚଣ୍ଡୀଙ୍କୁ ପୂଜିଲେ ବିବିଧ ବିଧାନେ ॥

ଦେବୀଙ୍କୁ ପ୍ରଣମି କରଯୋଡ଼ି ଜଣାଇଲେ ।

ମୋ ପାଇଁ ମୋ ମାତା ତୁମ୍ଭଙ୍କ ପୂଜିଣ ଥିଲେ ॥

ମୁଁ ମଧ୍ୟ ପୂଜି ଜଣାଏ ମୋର ସ୍ଵୟମ୍ବରେ ।

ଉତ୍ତମପତି ପ୍ରଦାନରେ ମା ମୋହରେ ॥

ତହୁଁ ଚଣ୍ଡୀ ପ୍ରସନ୍ନେ କହନ୍ତି ମଞ୍ଜୁବାଣୀ ।

ପୌଷ ରାଜାସୁତ ଚନ୍ଦ୍ରଶେଖରଙ୍କୁ ଜାଣି ॥

ସେ ତୁମ୍ଭର ପତି ଚକ୍ରବର୍ତ୍ତୀ ନୃପେଶ୍ଵର ।

ରୂପେ ଗୁଣେ ବଳେ ବୀର୍ଯ୍ୟେ ଅତି ମନୋହର ॥

ତାଙ୍କ ଶିରେ ଚନ୍ଦ୍ରକଳା ବିରାଜଇ ସଦା ।

ତେଣୁ ଚିହ୍ନିତାଙ୍କୁ ସ୍ଵାମିପଦେ କର ଫନ୍ଦା ॥

ଦେବୀ ଏହା କହିଗଲେ ସେ ନୂପନନ୍ଦିନୀ ।

ଆନନ୍ଦମନେ ଫେରିଲେ ସ୍ଵଗୃହକୁ ପୁଣି ॥

ମଙ୍ଗଳ ଗୃହେ ବସି ଅଛନ୍ତି ତାରାବତୀ ।

ହର୍ଷମୁଖେ ଧାତ୍ରୀ ଆସି ପ୍ରବେଶିଲା ସେଥି ॥

ଧାତ୍ରୀକୁ ପଚାରେ କନ୍ୟା କି ସ୍ଥିର କରିଲ ।

ତହୁଁ ଧାତ୍ରୀ ଜଣାଏ ମନକଥା ସକଳ ॥

ସଭାରେ ଦେଖିଲି ଚାରିଜଣ ନୃପଶ୍ରେଷ୍ଠ ।

ସେ ମଧ୍ୟେ ଅଶ୍ଵିନୀସୁତ ଦୁଇ ଦେବଜ୍ୟେଷ୍ଠ ॥

ତାଙ୍କଗୁଣ ବର୍ଣ୍ଣିବାକୁ ମୋର ଶକ୍ତି ନାହିଁ ।

ନରଶ୍ରେଷ୍ଠ ଦୁହିଙ୍କ କଥାକୁ ଶୁଣ ଦେଈ ॥

ଜଣେ ବିବାହିତ ଅନ୍ୟ ଯେ ଚନ୍ଦ୍ରଶେଖର ।

ଚନ୍ଦ୍ରକଳା ଶିରେ ଶୋଭା ଅତି ମନୋହର ॥

ମହାବଳୀ ମହାଭୂଜ ସିଂହସ୍କନ୍ଧ ବୀର ।

ହସ୍ତପାଦ ଚକ୍ଷୁ ମୁଖ ଆରକ୍ତ ତାଙ୍କର ॥

ପୀନା ଉର ଦୀର୍ଘଚକ୍ଷୁ ଭ୍ରୁଯୁଗ ସଂଲଗ୍ନ ।

ସର୍ବ ଲକ୍ଷଣରେ ପୂର୍ଣ୍ଣ ସେହି ଦେବୋପମ ॥

ସୁଶୀଳ ସୁନୃତଭାଷୀ ଶାସ୍ତ୍ର ଶାସ୍ତ୍ରଜ୍ଞାନୀ ।

ଶୁଣିଲି କୁବେରସମ ଅଟଲ ସେ ଧନୀ ॥

ଅଳ୍ପ ଉର୍ଦ୍ଧ୍ୱ ନୀଳରୋମ ବଦନେ ଶୋଭଇ ।

ଚନ୍ଦ୍ରେ କଳଙ୍କ ଯେପରି ଶୋଭାକୁ ବଢ଼ାଇ ॥

ସହଜାତ ଚନ୍ଦ୍ରକଳା ଶିରେ ଶୋଭାପାଏ ।

ସାକ୍ଷାତେକି ସଦାଶିବ ସେଠାରେ ବିଜୟେ ॥

ସେ ତୁମ୍ଭର ଯୋଗ୍ୟପତି ମୋ ବୁଦ୍ଧିରେ ସ୍ଥିର ।

କଲି ଏବେ ଶୁଣି ତୁମ୍ଭେ ଯାହା ଇଛା କର ॥

ଧାତ୍ରୀବାକ୍ୟେ ତାରାବତୀ କହିଲେ ଏମନ୍ତ ।

ମୋତେ ସଙ୍ଗେଘେନି ଦେଖା ସେହି ରାଜସୁତ ॥

ଏକାଳେ କକୁସ୍ଥ ରାଜା ଆସି ପ୍ରବେଶିଲେ ।

ସୁଭଗା ନାରୀମାନଙ୍କୁ ସେରାଜା କହିଲେ ॥

ଏ ମଙ୍ଗଳ ଗୃହେ ସୁବାସିତ ପୁଷ୍ପହାର ।

କନ୍ୟାଗଳେ ଦେଲ କର ମଙ୍ଗଳ ପ୍ରଚାର ॥

ଅନ୍ୟ ଏକ ପୁଷ୍ପମାଳା କନ୍ୟା କରେ ଦିଅ ।

ସେ ସଭାରେ ପତିଗଳେ ଲମ୍ବାଇବ ସ୍ନେହ ॥

ଶୁଭଲଗ୍ନେ କନ୍ୟା ଯାଉ ଧାତ୍ରୀ ସଙ୍ଗତରେ ।

ଶିବିକାଆଣ ବସିବ ଯାଉ ସଭାନ୍ତରେ ॥

ରାଜାଦେଶେ କନ୍ୟାଗଲେ ଶିବିକା ଆରୋହି ।

ଧାତ୍ରୀସଙ୍ଗେ ପୁଷ୍ପମାଳ ନିଜ କରେ ନେଇ ॥

କନ୍ୟା ଆସିବା ଦେଖିଣ ଇନ୍ଦ୍ରାଦି ଅମରେ ।

ମନୁଷ୍ୟ ରୂପ ଧରି ପ୍ରବେଶ ସଭାନ୍ତରେ ॥

ତହୁଁ ତାରାବତୀ ସଭାଗୃହେ ପ୍ରବେଶିଲେ ।

ଶିବିକାରୁ ଓହ୍ଲାଇ ଧାତ୍ରୀ ସଙ୍ଗରେ ଗଲେ ॥

ଧାତ୍ରୀ ଚିହ୍ନାଇଦେଲେ ସେ ଚନ୍ଦ୍ରଶେଖରଙ୍କୁ ।

ବରଣମାଳା ଗଳାରେ କନ୍ୟା ଦେଲେ ତାକୁ ॥

ତହୁଁ ସଭାସ୍ଥିତ ଦ୍ୱିଜେ ସାମଗାନ କଲେ ।

ବହୁ ଆଡ଼ମ୍ବରରେ ବନକନ୍ୟାଙ୍କୁ ସେ ନେଲେ ॥

ଇନ୍ଦ୍ରାଦି ଦେବେ ଦେଖିଣ ପରମ ଆନନ୍ଦ ।

କାକୁସ୍ଥ ରାଜା ପୁତ୍ରଙ୍କ ସଙ୍ଗେ ପାଇ ମୁଦ ॥

ସୁବାହୁ ଆଦି କେତେକ ରାଜା ବିମର୍ଷରେ ।

ଚନ୍ଦ୍ରଶେଖର ସଙ୍ଗରେ କଳହକୁ କଲେ ॥

ସେମାନେ ବିଦାୟ ହୋଇ ଗଲେ ନିଜପୁର ।

ବିବାହ ବିଧିରେ ବିଭାହେଲେ କନ୍ୟାବର ॥

ବିବିଧ ବାଦ୍ୟ ବାଜିଲା ସୂତ ବୈତାଳିକ ।

ଯଶଗାନ କରି ଉତ୍ସବ କଲେ ଅନେକ ॥

ବିବାହ ଶେଷରେ ବର କନ୍ୟା ବିଦାକଲେ ।

ବାଇଶ ସହସ୍ର ଦାସୀ ସଙ୍ଗରେ ସେ ଦେଲେ ॥

ଷାଠିଏ ସହସ୍ର ଦୁଗ୍‌ଧବତୀ ଗାଈ ଦେଲେ ।

ବହୁବସ୍ତ୍ର ଅଳଙ୍କାର ଦେର ବିଦାକଲେ ॥

ବର କନ୍ୟା ରଥେ ଚଢ଼ି କରବୀର ପୁରେ l

ଗଲେ ସର୍ବ ଦାସ ଦାସୀ ପଛରେ ଗମିଲେ ॥

ଟିତ୍ରାଙ୍ଗଦା ନାମେ ତାରାବତୀ ପ୍ରିୟସଖୀ ।

ଦାସୀ ମଧ୍ୟ ଶ୍ରେଷ୍ଠ ହୋଇଗଲେ ଚନ୍ଦ୍ରମୁଖୀ ॥

ରାଜା ଜ୍ୟେଷ୍ଠପୁତ୍ର ବିଶ୍ଵାବସୁ ଯୁବରାଜ ।

ବରକନ୍ୟା ଯୌତୁକ ନେଇ ଚଳିଲେ ଆଜ ॥

କରବୀରପୁରେ ସୁଖେ ପ୍ରବେଶ ହୋଇଲେ ।

ତରାବତୀ ରାଣୀ ମହା ସୁଖରେ ରହିଲେ ॥

କିଛିକାଳ ଅନ୍ତେ ରାଜା ରାଣୀଙ୍କ ଔରଷେ ।

ଭୃଙ୍ଗୀ ମହାକାଳ ଜନ୍ମହେଲେ ନରବେଶେ ॥

ଏଭାବେ ଶଙ୍କର ନର ଯୋନିରେ ଜନ୍ମିଲେ ।

ଗିରିଜା ମଧ୍ୟ ମାନୁଷୀଯୋନି ପ୍ରାପ୍ତ ହେଲେ ॥

ସେ ପାର୍ବତୀ ଶଙ୍କରଙ୍କ ନାମ ସଦା ଧ୍ୟାୟୀ ।

ବିପ୍ର ପ୍ରଭାଳର ଗୀତେ ପୁରାଣ ରଚଇ ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଚାଶୋତ୍ତମୋଽଧ୍ୟାୟଃ ।

✽✽✽

 

॥ ୫୧ ॥

 

ଶ୍ରୀ ମାର୍କଣ୍ଡେୟ ଉବାଚ

କେତେକାଳ ଅନ୍ତେ ସେହି ତାରାବତୀ ରାଣୀ ।

ଋତୁ ସ୍ନାନପାଇଁ ସଖୀଗଣ ସଙ୍ଗେ ଘେନି ॥

ଶୀତ ସ୍ଵଚ୍ଛଳତା ବୃକ୍ଷବ୍ଦତୀ ନଦୀ ଜଳେ ।

ପ୍ରଭିନ୍ନ ଅଞ୍ଜନତୁଲ୍ୟା ପାପ ଧ୍ୱଂସେ ବଳେ ॥

ତହିଁ ଅର୍ଦ୍ଦମଗ୍ନା ହୋଇ ସ୍ନାନ କରୁଥିଲେ ।

ସେବେଳେ କାପୋତମୁନି ରାଣୀଙ୍କୁ ଦେଖିଲେ ॥

ପ୍ରାଣୀଙ୍କ ବଧ ଭୟରେ କପୋତ ରୂପକୁ ।

ଧରିଥିବାରୁ କପୋତନାମ ଦେଲେ ତାଙ୍କୁ ॥

ସେ ରାଣୀଙ୍କୁ ସ୍ନାନବେଳେ ଦେଖି ସେହି ମୁନି ।

କାମପୀଡ଼ିତ ହୋଇ ସଙ୍ଗେମେ ଇଛା ପୁଣି ॥

ତହୁଁ ରାଣୀଙ୍କ ନିକଟେ ପ୍ରବେଶ ହୋଇଣ ।

କହିଲେ ମଧୁରଭାବେ ସେହି ତପୋଧନ ॥

କିଏ ତୁମ୍ଭେ କାହାନାରୀ କାହାର ତନୟା ।

କିମ୍ପାଇ ଏ ନଦୀତଟେ ପ୍ରକାଶିଛ କାୟା ॥

ତୁମ୍ଭ ରୂପ ସୁଋଚିର ଚନ୍ଦ୍ରତୁଲ୍ୟ ମୁଖ ।

ତିଳପୁଷ୍ପ ସମ ନାସା ଦେଖି ଲାଗେ ସୁଖ ॥

ବାୟୁଚାଳିତ ନୀଳପଦ୍ନ ପରି ଲୋଟନ ।

ମୃଣାଳ ସଦୃଶ ବାହୁ ଦିଶେ ଶୋଭାବନ ॥

କରିକର ପରି ଉରୁ ମଧ୍ୟ ବେଦୀ ସମ ।

ମନୁଷ୍ୟ ମଧ୍ୟେ ଏରୂପ ଦେଖିନାହିଁ ଜାଣ ॥

ଦେବୀ ବା ଦାନବୀ ତୁମ୍ଭେ ଅପ୍‌ସରା ସୁନ୍ଦରୀ ।

ଅବା ଭାଗ୍ୟଭୋଗ ପାଇଁ ଲକ୍ଷ୍ମୀ ଅବତରୀ ॥

ଅପର୍ଣ୍ଣା ଅବା ଇନ୍ଦ୍ରାଣୀ ମୋ ଆଗରେ କହ ।

ମୁନିବାକ୍ୟ ଶୁଣି ଜଳୁ ଉଦ୍ଧାରି ସେ ଦେହ ॥

ମୁନିଙ୍କୁ ନମ୍ରରେ ନମି କହନ୍ତି ବଚନ ।

କକୁସ୍ଥ ରାଜତନୟା ତାରାବତୀ ନାମ ॥

ଚନ୍ଦ୍ରଶେଖର ରାଜାଙ୍କ ବନିତା ଯେ ମୁହି ।

ମାନୁଷୀ ମୁଁ ଦେବୀ ରାକ୍ଷସୀ ନାଗୁଣୀ ନୋହି ॥

ମୁନି କହିଲେ ସୁନ୍ଦରୀ ତୁମ୍ଭଙ୍କୁ ଦେଖିଣ ।

କାମପୀଡ଼ିତ ହେଲି ମୁଁ କର ପରିତ୍ରାଣ ॥

ମୋଠାରୁ ଯୋଡ଼ିଏ ପୁତ୍ର ସୁଲକ୍ଷଣ ବଳୀ ।

ଲଭିବ ସଙ୍ଗମ କଲେ କହୁଛି ଗୋ ବାଳୀ ॥

ମୁନିଙ୍କ ବାକ୍ୟେ କହିଲେ ରାଣୀ ଭୟ ମନେ ।

ଏ ଅନ୍ୟାୟ କାର୍ଯ୍ୟ ମୁହିଁ କରିବି କେସନେ ॥

ତୁମ୍ଭେ ମୁନି ତୁମ୍ଭର ଅଯୋଗ୍ୟ ଏହି କାମ ।

ପ୍ରଣମି ପ୍ରାର୍ଥନା କରେ ନିବର୍ତ୍ତାଅ ମନ ॥

ତପସ୍ୟା ଫଳ ନାଶିବ ମୋର ପତିବ୍ରତ ।

ବିନାଶ ହେବ ଏହେତୁ ଛାଡ଼ ଏ ଇସ୍‌ପିତ ॥

ଋଷି କହିଲେ ମୋ ତପ ନଷ୍ଟ ହେଉ ପଛେ ।

ତୁମ୍ଭଙ୍କୁ ମୁଁ ନଛାଡ଼ିବି କାମପୀଡ଼ି ଇଛେ ॥

ଯଦି ତୁମ୍ଭେ ମୋ ବାକ୍ୟ ପାଳନ ନକରିବ ।

ଶାପଦେବି ସବଂଶରେ ଦଗ୍‌ଧ ହୋଇଯିବ ॥

ଋଷୀ ଶାପକଥା ଶୁଣି ରାଣୀ ଭୀତା ହେଲେ ।

ସଖୀଙ୍କୁ ପଚାରି ଉତ୍ତର ଦେବି କହିଲେ ॥

ତହୁଁ ସଖୀଙ୍କ ମଧ୍ୟକୁ ଯାଇ ତାରାବତୀ ।

ଚିତ୍ରାଙ୍ଗଦାକୁ ମଧୁରେ ବଚନ ବୋଲନ୍ତି ॥

ଏ ମୁନି ମୋ ସଙ୍ଗ ଇଛନ୍ତି କାମ ପୀଡ଼ାରେ ।

କି କରିବି କହ ସଖି ବ୍ରତଭଙ୍ଗେ ଡରେ ॥

ମୁନିବାକ୍ୟ ନକଲେ ସେ ଶାପଦେଇ ମୋର ।

ସଂବଶ ନାଶ କରିବେ କହ ପ୍ରତିକାର ॥

ଚିତ୍ରଙ୍ଗଦା କହେ ଦେବି ଭୟ କର ନାହିଁ ।

ମୁନିଠାରୁ ରକ୍ଷାହେବା ଉପାୟ କହଇଁ ॥

ଯେବେମୁନି ନଛାଡ଼ିବେ ତୁମ୍ଭଙ୍କୁ ଏ ସ୍ଥାନେ ।

ଜଣେ ଦାସୀ ବେଶକରି ତୁମ୍ଭରି ଭୂଷଣେ ॥

ମୁନିଙ୍କୁ ଯୋଗାଇ ଦେବ ନ ଚିହ୍ନିବେ ସେହି ।

କାମପୀଡ଼ାରେ ବିଭ୍ରମ ହୋଇଛନ୍ତି ଏହି ॥

ଏପରି କହି ନିଜକୁ ରକ୍ଷା କର ଏବେ ।

ତୁମ୍ଭଙ୍କୁ ସତୀବୋଲିଣ ମୁନି ନଜାଣିବେ ॥

ତହୁଁ ତାରାବତୀ ଚିତ୍ରାଙ୍ଗତାକୁ କହିଲେ ।

ମୋ ବସ୍ତ୍ରଭୂଷଣ ଘେନି ଯାଅ ତୁହି ଭଲେ ॥

ରୂପେ ଗୁଣେ ମୋ ସମାନ ଅଟୁ ତୁ ସୁନ୍ଦରୀ ।

ତୁ ଗଲେ ମୁନି ଜାଣିବେ ନାହିଁ ଅନ୍ୟ ନାରୀ ॥

ଏ କାର୍ଯ୍ୟା କରି ମୋତେ ଆପାଦୁ ରକ୍ଷାକର ।

ଚିତ୍ରଙ୍ଗଦା ଶୁଣି କିଛି ନଦେଲା ଉତ୍ତର ॥

ଭାବି କହିଲା ତୁମ୍ଭ ବଚନ ମୁଁ ପାଳିବି ।

ପିତା ରାଜା ଚନ୍ଦ୍ରଶେଖରଙ୍କୁ ନ କହିବି ॥

ସଖୀଗଣ ଏ କଥା ନ ଜାଣିବେ ମୋହର ।

ଏହାକହି ରାଣୀବେଶ ହେଲା ତତ୍ପର ॥

ମୁନିଙ୍କ ନିକଟେ ଗଲା ରତିକ୍ରୀଡ଼ା ପାଇଁ ।

ତାରାବତୀ ବିନା ବେଶେ ଦାସୀ ମଧ୍ୟେ ରହି ॥

ରମଣୀ ଆସିବା ଦେଖି କାମ ଦଗ୍‍ଧ ମୁନି ।

ମୁନିଗଣେ ପରନାରୀ ହରିବାକୁ ଭଣି ॥

ସୁତା ସଙ୍ଗରେ ପ୍ରମ୍ଳେଚା ବିହାର ।

ଭରଦ୍ୱାଜ ସଙ୍ଗେ ପଦ୍ମା କଲା ରତି ସାର ॥

ସେପରି ମୁଁ ଏ ନାରୀକୁ ସଙ୍ଗମ କରିବି ।

ପଛେ ତପସ୍ୟା ବଳରେ ପାପ ପ୍ରକ୍ଷାଳିବି ॥

ତହୁଁ ଚିତ୍ରାଙ୍ଗଦା ମୁନି ନିକଟେ ମିଳିଲା ।

ଲଜ୍ଜାରେ କିଛି ନକହି ମଉନେ ରହିଲା ॥

ସେ ନାରୀକୁ ପାଇ ମୁନି କାମଳୁ ଚିନ୍ତିଲେ ।

କାମ ଆସି ଗନ୍ଧମାଲ୍ୟେ ମୁନିଙ୍କୁ ସାଜିଲେ ॥

ଚାରୁବେଶେ ପ୍ରଦୀପ୍ତ ସୂର୍ଯ୍ୟଙ୍କ ପରି ଦେଖି ।

ତାରାବତୀ ଭିନ୍ନ ସବୁ ନାରୀ ହେଲେ ସୁଖୀ ॥

ମୁନି ସଙ୍ଗ ଇଛାକଲେ କାମପୀଡ଼ା ପାଇ ।

ତାରାବତୀ ମୁନିରୂପେ ବିସ୍ମିତା ଯେ ହୋଇ ॥

ତହୁଁ ଚିତ୍ରାଙ୍ଗଦା ସଙ୍ଗେ ମୁନି କ୍ରୀଡ଼ା କରି ।

ସୁପ୍ରୀତ ହେଲେ ତତ୍‌କ୍ଷଣେ ଚିତ୍ରାଙ୍ଗଦା ନାରୀ ॥

ଯୋଡ଼ିଏ ପୁତ୍ର ପ୍ରସବ କଲା ସେ ସ୍ଥାନରେ ।

ଦେବତୁଲ୍ୟ ମହାବଳୀ ସେ ଦୁଇ କୁମରେ ॥

ମୁନି ପୁତ୍ରଙ୍କୁ କରରେ ପୋଛି ଆଉଁସିଲେ ।

ପୁଣି ସେ ନାରୀକୁ ସଙ୍ଗ ପାଇଁ ପ୍ରାର୍ଥୀ ହେଲେ ॥

କିଛିକାଳ ରହିଯିବ ମୋ ପାଖରୁ ଚାଲି ।

ରାଜାକୁ ଭୟ ନକର ମୁଁ ପ୍ରୀତ ହୋଇଲି ॥

ଚିତ୍ରାଙ୍ଗଦା ସ୍ଵୀକୃତା ହୋଇଲା ଶାପ ଭୟେ ।

ଅନ୍ୟ ନାରୀଗଣ ଗଲେ ଗୃହକୁ ସଭିଏଁ ॥

ତାରାବତୀ ଟିତ୍ରାଙ୍ଗଦା କଥା ମନେକରି ।

ଦୁଃଖମନେ ସ୍ଵଗୃହକୁ ଦାସୀସଙ୍ଗେ ଚଳି ॥

ଯାଇ ଚନ୍ଦ୍ରଶେଖର ରାଜାଙ୍କୁ ଜଣାଇଲେ ।

ରାଜାଶୁଣି ବିସ୍ମୟରେ କ୍ଷଣେ ଚିନ୍ତା କଲେ ॥

ଚିତ୍ରାଙ୍ଗଦାର ସାହାଯ୍ୟ ମୁନିଙ୍କ ମତରେ ।

କରି ତାକୁ କିଛି ନକହିଣ ତୁନି ହେଲେ ॥

କପୋତ ମୁନି ପୁତ୍ରଙ୍କ ସଂସ୍କାରିତ କଲେ ।

ଚିତ୍ରାଙ୍ଗଦା ମୁନି ସଙ୍ଗେ କିଛିଦିନ ଥିଲେ ॥

ସଗର ଉବାଚ

ଚିତ୍ରାଙ୍ଗଦା କକୁସ୍ଥ ପୁତ୍ରୀ ହେଲା କିପରି ।

ସେକଥା ମୋ ଆଗେ କହ ଶୁଣି ଇଚ୍ଛା କରି ॥

ଔର୍ବ ଉବାଚ

ଦିନେ ସେ କକୁସ୍ଥ ରାଜା ମୃଗୟା ନିମନ୍ତେ ।

ହିମାଳୟେ ଯାଇ ମୃଗାଦି ବଧିଲେ ବ୍ୟସ୍ତେ ॥

ସ୍ଥିରେ ବସିଛନ୍ତି ସେକାଳେ ଉର୍ବଶୀ ବେଶ୍ୟା ।

ସ୍ଵର୍ଗରୁ ଖସି ପର୍ବତେ ପଡ଼ିଲେ ଅବଶା ॥

ତାଙ୍କୁ ଦେଖି କାମବାଣେ ପୀଡ଼ିତ ହୋଇଣ ।

ରାଜାସଙ୍ଗ କରନ୍ତେ କନ୍ୟା ଜନ୍ମିଲା ଜାଣ ॥

ସେ କନ୍ୟାକୁ ଛାଡ଼ି ବେଶ୍ୟା ଅନ୍ୟସ୍ଥାନେ ଚଳେ ।

ରାଜା କନ୍ୟାକୁ ନିଅ ବୋଲି ତାଙ୍କୁ କହିଲେ ॥

ଉର୍ବଶୀ କହେ ମୁଁ ବେଶ୍ୟା ପୁତ୍ର କନ୍ୟା ମୋର ।

ସଙ୍ଗେ ରହିଲେ ହୋଇବ ଅତି ଅସୁନ୍ଦର ॥

ତୁମ୍ଭେ ଏ କନ୍ୟାକୁ ନେଇ ପାଳ ଅତି ଯତ୍ନେ ।

ତହୁଁ ରାଜା କନ୍ୟା ନେଲେ ପାଳିବା କାରଣେ ॥

ନିଜ ରାଣୀ ମନୋନ୍ମଥିନୀଙ୍କୁ ସମର୍ପିଲେ ।

ରାଜା ରାଣୀ ଚିତ୍ରାଙ୍ଗଦା ନାମ ତାର ଦେଲେ ॥

କ୍ରମେ ବଢ଼ି ରାଜକନ୍ୟା ରୂପେ ସେ ରହିଲା ।

ଅଷ୍ଟାବକ୍ରଙ୍କୁ ଦେଖିଣ ଦିନେ ସେ ହସିଂଲା ॥ ।

ମୁନି କ୍ରୋଧେ ଶାପ ଦେଲେ ସେ ଚିତ୍ରାଙ୍ଗଦାକୁ ।

ସ୍ଵବଂଶେ ଦାସୀ ହୋଇ ବିଭା ନହେବୁ କାହାକୁ ॥

ଅବିବାହେ ଦୁଇ ପୁତ୍ର ହୋଇବ ତୋହର ।

ମୋତେ ଉପହାସ କରି ପାଇବୁ ଏ ଫଳ ॥

ତେଣୁ ତାରାବତୀ ଦାସୀ ହେଲା ଚିତ୍ରାଙ୍ଗଦା ।

ପୁତ୍ରଦ୍ଵୟ ଅବିବାହେ ଲଭିଲା ପ୍ରମଦା ॥

ସେ ପୁତ୍ରଦ୍ଵୟ ବହୁ ଭଲକାର୍ଯ୍ୟ କରିବେ ।

ଯଶସ୍ୱୀ ଗୁଣି ପଣ୍ତିତ ମହାଧନୀ ହେବେ ॥

ଚିତ୍ରାଙ୍ଗଦା ଚରିତ ଶୁଣିଲ ରାଜା ଏବେ ।

ବିପ୍ର ପ୍ରଭାକର ଗୀତେ କହେ ସର୍ବଶୁଭେ ॥

 

ଇତି ଶ୍ରୀ କାଳିକାପୁରାଣେ

ଏକପଞ୍ଚାଶତ୍ତମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୫୨ ॥

 

ଔର୍ବ ଉବାଚ

କେତେକାଳ ଅନ୍ତେ ତାରାବତୀ ଋତୁ ସ୍ନାନ !

କରିବାକୁ ଦାସୀ ସହସ୍ର ସଙ୍ଗେ ଗମନ ॥

ନାନା ଅଳଙ୍କାରେ ସୁଭୂଷିତା ହୋଇ ରାଣୀ ।

ବୃକ୍ଷବ୍ଦତୀ ନଦୀକୁ ଗମନ କଲେ ପୁଣି l

ଜଳେପଶି ସେ ଗୌରାଙ୍ଗୀ ବିଦ୍ୟୁତ ବରନା ।

ନଦୀକୁ ଉଜ୍ଜ୍ୱଳ କଲେ ଜଳ ତାର କୃଷ୍ଣା ॥

କାଚେ କାଞ୍ଚନ ସଦୃଶ ନଦୀର ତୀରକୁ ।

ନିଜ ଛାୟାରେ ଉଜ୍ଜ୍ୱଳ କଲେ ଦେଖି ତାକୁ ।

ତହୁଁ ସେ କପୋତ ମୁନି ଅର୍ଦ୍ଦମଗ୍ନା ରାଣୀ ।

ଦେଖିଲେ ଜଳେ ଅଛନ୍ତି ତ୍ରୈଲୋକ୍ୟମୋହିନୀ ॥

ଚିତ୍ରାଙ୍ଗଦାକୁ ପୁଚ୍ଛିଲେ କିଏ ଏ ସୁନ୍ଦରୀ ।

ବହୁତ ଦାସୀଙ୍କ ସଙ୍ଗେ ଜଳେ ହଂସପରି ॥

ପାର୍ବତୀ ଅଥବା ଲକ୍ଷ୍ମୀ ଏଠି ବିରାଜନ୍ତି ।

ତୁମ୍ଭେ ସ୍ତବ ନକରୁଛ ଯାଇଣ ଝଟତୀ ॥

ଶୁଣି ଚିତ୍ରାଙ୍ଗଦା କହେ ମୁଁ ଯାଇ ଏକ୍ଷଣି ।

ତାଙ୍କୁ ସ୍ତୁତି କରିବି ଯଥେଚ୍ଛା ଭାବେ ପୁଣି ॥

ଏହି ତାରାବତୀ କକୁସ୍ଥ ରାଜ ତନୟା ।

କରବୀର ପତି ଚନ୍ଦ୍ରଶେଖରଙ୍କ ଜାୟା ॥

ପୂର୍ବେ ତୁମ୍ଭେ ଏହାକୁ କାମନା କରିଥିଲ ।

ମୋତେ ବେଶଭୂଷା କରିଦେଲା ତୁମ୍ଭ ତୁଲ ॥

ସେ ପୁଣି ସ୍ନାନନିମିତ୍ତ ଆସିଛି ଭଗିନୀ ।

ଜ୍ୟେଷ୍ଠାହେତୁ ତୁମ୍ଭେ କିଛି ନକହିବ ପୁଣି ॥

ତୁମ୍ଭେ ଏଠିଥାଅ ମୁଁ ଯାଇ ସଙ୍ଖୁଳି ଆସେ ।

ଅନୁମତି ଦିଅ ମୁଁ ଯିବି ଭଗିନୀ ପାଶେ ॥

ଏହା ଶୁଣି ମୁନି ତାଙ୍କ ପ୍ରବଞ୍ଚନା ଜାଣି ।

କୋପେ ତାଙ୍କ ନିକଟକୁ ଗମିଲେ ସେକ୍ଷଣି ॥

ଚିତ୍ରାଙ୍ଗଦା ଗଲା ମଧ୍ୟ ମୁନିଙ୍କ ସଙ୍ଗରେ ।

ମୁନି କୋପେ କହିଲେ ତାରାବତୀଙ୍କୁ ଧୀରେ ॥

ପୂର୍ବେ ଇଚ୍ଛା କରିଥିଲି ତୁମ୍ଭର ସଙ୍ଗମ ।

ମୋତେ ପ୍ରବଞ୍ଚନା କଲ ଦେଇ ନାରୀ ଅନ୍ୟ ॥

ସେ ପ୍ରବଞ୍ଚନାର ଫଳ ଦେବି ଏହିକ୍ଷଣି ।

ସଜ୍ଜନଙ୍କୁ ଠକିବା ଅନୁଚିତ ପ୍ରମାଣି ॥

ସତୀବୋଲି ପରିଚୟ ଦିଅ ମୋ ପାଖରେ ।

ସତୀତ୍ଵ ନାଶକରିବି ତୁମ୍ଭର ଏ ବେଳେ ॥

ତେଣୁ ବିରୂପ କପାଳୀ ହର ଦେଖି କରି ।

କାମବଶ ହୋଇ ସଙ୍ଗମ କରିବେ ଧରି ॥

ସେକ୍ଷଣି ତୁମ୍ଭ ଗର୍ଭରୁ ଦୁଇପୁତ୍ର ହେବେ ।

ବାନର ମୁଖରେ ଅତିବଳୀ ସେ ହୋଇବେ ॥

ଏକବର୍ଷ ମଧ୍ୟେ ଏହା ଘଟିବ ନିଶ୍ଚୟ ।

ଏହାଶୁଣି ତାରାବତୀ ହୋଇଲେ ବିସ୍ମୟ ॥

ଭୟରେ ତାଙ୍କର କଣ୍ଠ ଓଷ୍ଠ ଶୁଖିଗଲା ।

କହିଲେ ସତ୍ୟରେ ମୁହିଁ ପତିବ୍ରତା ବରା ॥

ମୋ ମାତା ଚଣ୍ଡିକା ପୂଜି ମୋତେ ପାଇଛନ୍ତି ।

ମୁଁ ବ୍ରତପାଳି ଚନ୍ଦ୍ରଶେଖର କଲି ପତି ॥

କକୁସ୍ଥ ରାଜାଙ୍କ କନ୍ୟା ସତ୍ୟରେ ମୁଁ ସତୀ ।

ଅନ୍ୟ ନର ମୋ ଅଙ୍ଗକୁ ଛୁଇଁବ କିମିତି ॥

ସତ୍ୟେ ଯଦି ସଦାଶିବ ପୂଜଇ ମୁଁ ନିତ୍ୟ ।

ତେବେ ଅନ୍ୟ ନର ମୋତେ ମନେ ନ ଭାବେ ତ ॥

ଏହାକହି ତାରାବତୀ ଦାସୀଙ୍କ ସଙ୍ଗତେ ।

ସ୍ଵପ୍ନରେ ଗମିଲେ ପତିଙ୍କୁ ସ୍ମରିଣ ଚିତ୍ତେ ॥

ସେ ଗମନ୍ତେ ମୁନି ମନେ ଭାବିଲେ ଏପରି ।

ମୋ ଆଗରେ ନିର୍ଭୟେ ପ୍ରଗଳ୍‌ଭ କରେ ଭାରି ॥

ଏ ମଧ୍ୟରେ କିଛି ଗୂଢ଼ ରହସ୍ୟ ରହିଁଛି ।

ଜାଣିବାକୁ ଧ୍ୟାନ କଲେ ବସି ସେ ତପସ୍ଵୀ ॥

ଧ୍ୟାନବଳେ ସବୁ ଜାଣିପାରିଲେ ସେକ୍ଷଣେ ।

ଭୃଙ୍ଗୀ ମହାକାଳ ଶାପ ଲଭିଲେ ଯେସନେ ॥

ଶିବ ପାର୍ବତୀ ମନୁଷ୍ୟ ଜନ୍ମ ଲାଭ କରି ।

ଚିତ୍ରାଙ୍ଗଦା ଜନ୍ମକଥା ଜାଣିଲେ ସେ ସ୍ମରି ॥

କିଛି ନକହି ନଦୀତୀରରୁ ଚଳିଗଲେ ।

ଚିତ୍ରାଙ୍ଗଦାକୁ ନମିଣ ସେ ମୁନି କହିଲେ ॥

ତାରାବତୀ ରାଜାପାଶେ ସବୁ ଜଣାଇଲେ ।

କପୋତମୁନି ଯେପରି ଅଭିଶାପ ଦେଲେ ॥

ରାଜା ଶୁଣି କ୍ଷଣେ ଚିନ୍ତି ରାଣୀଙ୍କୁ କହିଲେ ।

ଭୟ ନକର ଗୋ ପ୍ରିୟେ ସେ ଶାପକୁ ଭଲେ ॥

ସଦାପତି ସେବାବଳେ ଧର୍ମକାର୍ଯ୍ୟ ରତା ।

ହେଲେ ମୁନିଶାପ ବଳେ ଲଭିବ ବ୍ୟର୍ଥତା ॥

ଏହାକହି ପତ୍ନୀକୂ ଆଶ୍ଵାସି ନୃପବର ।

ରାଣୀ ରକ୍ଷାପାଇଁ କଲେ ଅତି ରମ୍ୟପୁର ॥

ଏକ ଯୋଜନ ବିସ୍ତୃତ ଦ୍ଵିଯୋଜନ ଲମ୍ବ ।

ଏକ ଯୋଜନରେ ଉଚ୍ଚ ସବୁ ସୁନା ଖମ୍ବ ॥

ହୀରା ନୀଳା ମୋତି ମାଣିକ୍ୟରେ ସେ ନିର୍ମିତ ।

ତହିଁରେ ରାଣୀ ସଙ୍ଗେତେ ବାସକଲେ ନିତ୍ୟ ॥

ଅନେକ ବିଶ୍ଵସ୍ତ ଭୃତ୍ୟ ଦ୍ଵାରେ ରଖାଇଲେ ।

ଆନନ୍ଦେ ରାଣୀଙ୍କ ସଙ୍ଗେ ବିଚରଣ କଲେ ॥

ଦିନେ ରାଜା କାର୍ଯ୍ୟାନ୍ତରେ ରଥ ଚଢ଼ି ଗଲେ ।

ରାଣୀ ତାହାଙ୍କୁ ଭାବିଣ ଛାତେ ବୁଲୁଥିଲେ ॥

ମନରେ ଭାବିଲେ ଶିବସମ ମୋର ପତି ।

ସେ ଦୁହିଁଙ୍କର ଭିନ୍ନତା ନୁହଇ ପ୍ରତୀତି ॥

ଏହିକାଳେ ପାର୍ବତୀ ସହିତ ମହାଦେବ ।

ଆକାଶମାର୍ଗେ ଗମନ୍ତି ଧରି ହର୍ଷଭାବ ॥

ତାରାବତୀଙ୍କୁ ଦେଖୁଲେ ପ୍ରାସାଦ ଉପରେ ।

ତହୁଁ ପାର୍ବତୀଙ୍କୁ ଶିବ କହିଲେ ମଧୁରେ ॥

ଏହି ତାରାବାତୀ ତୁମ୍ଭ ମନୁଷ୍ୟ ମୁରତି ।

ଭୃଙ୍ଗୀ ମହାକାଳ ଶାପେ ଜାତ ଏହି ସତୀ ॥

ତୁମ୍ଭ ବିନା ଅନ୍ୟନାରୀ ମୁଁ ଇଚ୍ଛଇ ନାହିଁ ।

ତେଣୁ ତୁମ୍ଭେ ତାରାବତୀ ହୃଦେ ମିଶିଯାଇ ॥

ମୋ ସଙ୍ଗମେ ଭୃଙ୍ଗୀ ମହାକାଳ ଜନ୍ମ ହେବେ ।

ଶାପାନ୍ତ ହୋଇଣ ତୁମ୍ଭ ସହିତ ରହିବେ ॥

ଶିବବାକ୍ୟ ଶୁଣି ଦେବୀ ସମ୍ମତା ହୋଇଲେ ।

ଅଦୃଶ୍ୟେ ତାରାବତୀଙ୍କ ଦେହେ ପ୍ରବେଶିଲେ ॥

ତହୁଁ ଶିବ ତାରାବତୀ ପାଖେ ପ୍ରବେଶିଣ ।

ଦେବୀ ପ୍ରବେଶରୁ ରାଣୀ କାମେ ଦେଲେ ମନ ॥

ଶିବ ତାରାବତୀ ସଙ୍ଗେ ସମ୍ଭୋଗ କରିଲେ ।

ସେ ବଳେ କପାଳ ଅସ୍ଥିମାଳା ଧରିଥିଲେ ॥

ବୀଭତ୍ସବେଶ ଦୁର୍ଗନ୍ଧି ପକ୍ୱକେଶ ଧାରୀ ।

ସଙ୍ଗମମାତ୍ରେ ଦ୍ୱିପୁତ୍ର ପ୍ରସବିଲେ ବାଳୀ ॥

ବାନରମୁଖ ହୋଇଲେ ସେ ଦୁଇ କୁମାର ।

ତହୁଁ ତାରାବତୀ ଦେହୁଁ ପାର୍ବତୀ ବାହାର ॥

ତାରାବତୀ ନଜାଣିଲେ ଦେବୀଙ୍କର କୃତ୍ୟ ।

ଆଗରେ ଦେଖିଲେ ଜନ୍ମିଛନ୍ତି ଦୁଇ ସୁତ ।

ବୀଭତ୍ସ କପାଳୀବେଶ ନର ଏକ ଦେଖି ।

କପୋତମୁନିଙ୍କ ଶାପ ମନ ମଧ୍ୟେ ଲେଖି ॥

ଶୋକଯୁକ୍ତା ହୋଇ ପତିବ୍ରତ ନିନ୍ଦା କଲେ ।

ଆଗରେ ଶିବଙ୍କୁ ଦେଖି ବଚନ କହିଲେ ॥

ମୁନିବ୍ରତ ଠାରୁ ପତିବ୍ରତ ଶ୍ରେଷ୍ଠ ଅଟେ ।

ସେ ମୋର ନିଷ୍ଫଳ ହେଲା ତୁମ୍ଭରି ନିକଟେ ॥

ଏହାକହି ଶୋକେ ମୂର୍ଚ୍ଛାଗଲେ ସେହିକ୍ଷଣି ।

ତାହା ଦେଖି କହନ୍ତି ସଧୀରେ ଶୂଳପାଣି ॥

ପତିଚ୍ରତକୁ ନ ନିନ୍ଦି ଶୋକ ତେଜ ଏବେ ।

କପୋତମୁନି ଶାପକୁ ଭୋଗିଲ ସମ୍ଭବେ ॥

ସେ ବେଳେ ମୁନିଙ୍କୁ କହିଥିଲ ତୁମ୍ଭେ କୋପେ ।

ଶିବଙ୍କୁ ପୂଜଇ ତାଙ୍କ ବିନା ଅନ୍ୟ କେବେ ॥

ମନରେ ସ୍ୱପ୍ନରେ ମଧ୍ୟ ମୁଁ ଭାବଇ ନାହିଁ ।

ତେଣୁ ମୁହିଁ ଶିବ ମୋ ସଙ୍ଗମେ ଦୋଷ ନାହିଁ ॥

ମୋତେ ଇଚ୍ଛିଥିଲ ତେଣୁ ତୁମ୍ଭ ପତିବ୍ରତ ।

ବିନାଶ ନୋହିଛି ଶୋକ ତେଜ ସୁନିଶ୍ଚିତ ॥

ଏହାକହି ମହାଦେବ ହେଲେ ଅନ୍ତର୍ହିତ ।

ତାରାବତୀ ହୋଇଗଲେ ମାୟାରେ ମୋହିତ ॥

ଭୂମିରେ ମଳିନ ବେଶେ କୋପଯୁକ୍ତା ହୋଇ ।

ଭୂମି ପତିତ ସୁତଙ୍କୁ ନଚାହିଁଲେ ସେହି ॥

ପତି ଆଗମନକୁ ଚାହିଁଲେ ବ୍ୟଗ୍ର ହୋଇ ।

ଯଥା ବର୍ଷାଜଳକୁ ଚାତକ ଥାଏ ଚାହିଁ ॥

ରାଣୀ ହୋଇ ମଳିନ ବେଶରେ ବସିଗଲେ ।

ଏ ସମୟେ ରାଜା ଆସି ତହିଁ ପ୍ରବେଶିଲେ ॥

ଦେଖିଲେ ରାଣୀ ଭୂମିରେ ଦୁଃଖେ ବସିଛନ୍ତି ।

ମୁକ୍ତକେଶୀ ନିରୁତ୍ସବା ମଳିନା ଦିଶକ୍ତି ॥

ମଳିନ ମୁଖେ ଉଷ୍ମ ନିଶ୍ଵାସ ତେଜୁଛନ୍ତି ।

ଚନ୍ଦ୍ର ସୂର୍ଯ୍ୟସମ ଦୁଇପୁତ୍ର ପଡ଼ିଛନ୍ତି ॥

ବାନର ମୁଖ ହୋଇଛି ପୁତ୍ର ଦୁହିଁଙ୍କର ।

ବୃଷ ଖୁରାଚିହ୍ନ ପଡ଼ିଅଛି ସେ ସ୍ଥାନର ॥

ଏସବୁ ଦେଖିଣ ରାଜା ହେଲେ ସେ ବିସ୍ମୟ ।

ରାଣୀଙ୍କୁ ପୁଚ୍ଛିଲେ ସବୁ ରାଜା ସଦାଶୟ ॥

ହେ ରାଣୀ କିମ୍ପାଇ ମନଦୁଃଖେ ବସିଅଛ ।

କିଏ ଅପମାନ ଦେଲା କହ କରି ସ୍ଵଚ୍ଛ ॥

ଏ ନିର୍ଜନ ସ୍ଥାନେ କେବା ଆସିଲା କିପରି ।

ତୁମ୍ଭର ସଙ୍ଗମ କଲା କହ ସତ୍ୟ କରି ॥

ଏ ପୁତ୍ରଦ୍ଵୟ ବାନର ମୁଖ ହୋଇଛନ୍ତି । ।

କାହା ତନୟ ଏ ଦୁହେଁ କାହୁଁ ଜନ୍ମିଛନ୍ତି ॥

ଔର୍ବ ଉବାଚ

ତହୁଁ ରାଣୀ ସବୁକଥା ରାଜାଙ୍କ ଆଗରେ ।

ଆମୁଳ କରି କହିଲେ ଦୁଃଖିତ ଅନ୍ତରେ ॥

ଯେପରି ଶିବ ଆସିଣ ଯାହା ବା କହିଲେ ।

ସେସବୁ କଥାକୁ ରାଜା ଆଗରେ କହିଲେ ॥

ଶୁଣି ରାଜା ବ୍ୟସ୍ତେ ତଳ ପୁରକୁ ଆସିଣ ।

ମନରେ ଭାବିଲେ ରାଜା ସେ ସନ୍ଦେହ ମନ ॥

ଶିବ ପାର୍ବତୀଙ୍କ ବିନା ଅନ୍ୟନାରୀ କେବେ ।

ସଙ୍ଗମ କରିବେ ନାହିଁ ଜାଣେ ମୁଁ ସଦ୍ଭାବେ ॥

ତେବେ କେହି ରାକ୍ଷସ ଶିବରୂପକୁ ଧରି ।

ମୋ ରାଣୀ ସଙ୍ଗମ କଲା ଏ ଅନିଷ୍ଟ ଭାରି ॥

ତାହା ବୀର୍ଯ୍ୟେ ସଦ୍ୟଜାତ ଏ କୁମାର ଦ୍ଵୟ ।

ରାକ୍ଷସ ହେତୁ ବାନର ମୁଖ ହୁଏ ପ୍ରାୟ ॥

ଏ ରାଣୀ ଭ୍ରଷ୍ଟା ହୋଇଲା ଏହା ସଙ୍ଗେ ବାସ ।

କରିବା ଅନିଷ୍ଟକର ହୋଇବ ଅବଶ୍ୟ ॥

ଏ ଚିନ୍ତା କରନ୍ତେ ଦେବ ପ୍ରେରଣା ବଳରେ ।

ସରସ୍ୱତୀ ଶୂନ୍ୟମାର୍ଗେ ବଚନ ବୋଇଲେ ॥

ମନେ ସନ୍ଦେହ ନକର ତୁମ୍ଭ ତାରାବତୀ ।

ମହାଦେବ ସଙ୍ଗମେ ଜନ୍ମାଇଲେ ସନ୍ତତି ॥

ଏହାଙ୍କୁ ପାଳନ କରି ଅନ୍ୟ ଯେ ସନ୍ଦେହ ।

ନାରଦଙ୍କଠାରୁ ଶୁଣି ଛାଡ଼ିବ ସେ ମୋହ ॥

ଏହାକହି ସରସ୍ଵତୀ ନିବୃତ୍ତା ହୋଇଲେ ।

ତାଙ୍କ କଥାରେ ରାଣୀଙ୍କୁ ଆଶ୍ଵାସନା ଦେଲେ ॥

ଶିବ ପୁତ୍ରଜ୍ଞାନେ ତାଙ୍କୁ ପାଳିଲେ ନୃପତି ।

ନାରଦଙ୍କ ଆଗମନ ସଦା ଅପେକ୍ଷନ୍ତି ॥

ତହୁଁ ନାରଦ ମହର୍ଷି ହେଲେ ଉପସ୍ଥିତ ।

ବହୁ ପୂଜାକରି ତାଙ୍କୁ ବସାନ୍ତି ପାଖେ ତ ॥

ପୂର୍ବ ବୃତ୍ତାନ୍ତ ପୁଚ୍ଛିଲେ ନାରଦଙ୍କୁ ରାଜା ।

ଆଜି ପବିତ୍ର ହୋଇଲି କରି ତୁମ୍ଭ ପୂଜା ॥

କପୋତମୁନି ଶାପରେ କପାଳୀ ମହେଶ ।

ମୋ ଭାର୍ଯ୍ୟା ସଙ୍ଗମ କଲେ ବଡ଼ ଅବଶୋଷ ॥

ତାହାଙ୍କର ଦୁଇପୁତ୍ର ବାନର ବଦନ ।

ଏଥୁରେ ସଂଶୟଯୁକ୍ତ ହେଉଛି ମୋ ମନ ॥

ଶିବା ଭିନ୍ନ ଅନ୍ୟନାରୀ ମନେ ନ ଭାବନ୍ତି ।

ସେ ଶିବ କିପରି ଏ ମାନୁଷୀକୁ ଗମନ୍ତି ॥

ସେ ପୁଣି ମାନବ ପୁତ୍ରଦ୍ୱୟ ଜାତ କଲେ ।

ଏ ସନ୍ଦେହ ନାଶିବାକୁ ପଚାରୁଛି ଭଲେ ।

ରାଜା ପ୍ରଶ୍ନେ ନାରଦ କହିଲେ ସର୍ବକଥା ।

ଭୃଙ୍ଗୀ ମହାକାଳ ଶାପ ପାଇଥିଲେ ଯଥା ॥

ପୌଷରାଜା ପୁତ୍ର ଶିବ ହୋଇଲେ ଯେପରି ।

ତୁମ୍ଭେ ସେ ଚନ୍ଦ୍ରଶେଖର ଭାବ ସ୍ଥିର କରି ॥

ତୁମ୍ଭ ରାଣୀ ପାର୍ବତୀ କକୁସ୍ଥ ରାଜକନ୍ୟା ।

ଏସବୁ କଥା କହିଲେ ନାରଦ ସୁମନା ॥

ପୁଣି କହିଲେ ଶଙ୍କର କାଳୀବୋଲି ଡାକି ।

ପାର୍ବତୀଙ୍କ ମନେ କଷ୍ଟ ଦେଲେ ସେ ମୃଗାକ୍ଷୀ ॥

ତପସ୍ୟା କଲେ ସେ ଗୌରୀରୂପ ଲଭିବାକୁ ।

ସେକାଳେ ଶିବ ବିରହେ ଗଲେ ସୁମେରୁକୁ ॥

ସେ ସ୍ଥାନେ ସାବିତ୍ରୀଙ୍କୁ ଦେଖିଲେ ମହେଶ୍ଵର ।

ପାର୍ବତୀ ଭ୍ରମେ ଧଇଲେ ସାବିତ୍ରୀଙ୍କ କର ॥

ସାବିତ୍ରୀ କୋପେ କହିଲେ ଶିବ ମୂଢ଼ମତି ।

ମୁଁ ନୁହେଁ ପାର୍ବତୀ ଅଟଇ ମୁଁ ଯେ ସାବିତ୍ରୀ ॥

ପରନାରୀ କର ଧର ଏ ବଡ଼ ଅନ୍ୟାୟ ।

ଏ ଦୋଷେ ମାନୁଷୀ ନାରୀ ସଙ୍ଗ ଯେ ନିଶ୍ଚୟ ॥

ଗିରିଜା ବ୍ୟତୀତ ଅନ୍ୟନାରୀ ଇଚ୍ଛାକର ।

ସେ ଦୋଷରେ ମାନବନାରୀ ସଙ୍ଗମ ସ୍ଥିର ॥

ଏହାକହି ସାବିତ୍ରୀ ସ୍ଵସ୍ଥାନେ ଚଳିଗଲେ ।

ଲଜ୍ଜାଭରେ ଶିବ ସ୍ଵସ୍ଥାନକୁ ସେ ଆସିଲେ ॥

ଏଣୁ ମାନୁଷୀନାରୀ ସଙ୍ଗମ କଲେ ହର ।

ତାରାବତୀଠାରେ ତୁମ୍ଭେ ସନ୍ଦେହ ନକର ॥

ଏ ଶିବଙ୍କ ପୁତ୍ରଦ୍ୱୟ ପାଳ ଯତ୍ନ କରି ।

ୟାଙ୍କଯୋଗେ ବହୁକାର୍ଯ୍ୟ ହୋଇବ ତୁମ୍ଭରି ॥

ନାରଦଙ୍କ ମୁଖୁ ଶୁଣି ସକଳ ବୃତ୍ତାନ୍ତ ।

ଲଭିଲେ ମହା ଆନନ୍ଦ ନିଜେ ଉମାକାନ୍ତ ॥

ତାରାବତୀ ଯେ ପାର୍ବତୀ ଆମ୍ଭେ ଦୁଇଜଣ ।

ମନୁଷ୍ୟ ହୋଇ ଜନ୍ମିଛୁ ଏ ଶୁଭ ଲକ୍ଷଣ ॥

ପୁଣି ନାରଦ ପୁଚ୍ଛିଲେ ଆମ୍ଭେ ଦେହେ ଯେବେ ।

ହରଗୌରୀଙ୍କୁ ଦେଖିବୁ ବିଶ୍ଵାସିବୁଁ ତେବେ ॥

ନାରଦ କହିଲେ ତୁମ୍ଭେ ରାଣୀଙ୍କୁ ବାମରେ ।

ବସାଇ ଚକ୍ଷୁ ବୁଜିଣ ଶିବ ଭାବ ଧୀରେ ॥

ରାଣୀ ମଧ୍ୟ ଚକ୍ଷୁ ବୁଜି ସ୍ଵଦେହେ ପାର୍ବତୀ ।

ଭାବିଲେ ଦେଖିବ ତୁମ୍ଭେ ହରଗୌରୀ ମୂର୍ତ୍ତି ॥

ନାରଦଙ୍କ ବାକ୍ୟେ ରାଜାରାଣୀ ତାହା କଲେ ।

ପ୍ରକୃତରେ ଶିବଗୌରୀ ସ୍ଵଦେହେ ଦେଖିଲେ ॥

ନାରଦ ହସି କହିଲେ ପ୍ରକୃତରେ ତୁମ୍ଭେ ।

ଶିବଗୌରୀ ରୂପ ନ ଭାଳ କିଛି ହେ ଗର୍ବେ ॥

ତହୁଁ ରାଜା ନିଜଦେହ ବ୍ୟାଘ୍ର ଚର୍ମାବୃତ ।

ଦଶବାହୁ ତ୍ରିଶୂଳ ଖଟ୍ଵାଙ୍ଗ ସମାଯୁକ୍ତ ॥

ବୃଷଭାରୂଢ଼ ଜଟାରେ ବିଭୂଷିତ ଶିର ।

ବିଦ୍ୟୁତ ଗୌରୀ ତାରାଙ୍କୁ ଦେଖି ନୃପବର ॥

ତହୁଁ ବିଶ୍ଵାସ ଜନ୍ମିଲା ନାରଦ ବାକ୍ୟରେ ।

ନାରଦ ପୁଣି ରାଜାଙ୍କୁ କହିଲେ ସୁସ୍ଥରେ ॥

ବିଷ୍ଣୁମାୟା ମୋହେ ତୁମ୍ଭେ ଜାଣି ନପାରିଲ ।

ପ୍ରକୃତରେ ଶିବ ଗୌରୀ ତୁମ୍ଭେ ଜାତ ହେଲ ॥

ଏବେ ହରଗୌରୀ ରୂପ ଦେଖିଲ ଦେହରେ ।

ଚକ୍ଷୁ ଫିଟାଅ ଦେଖିବ ମନୁଷ୍ୟ ରୂପରେ ॥

ନିଜର ଦେବ ରୂପକୁ ଦେଖି ସ୍ଵଚକ୍ଷୁରେ ।

ଚକ୍ଷୁ ଫିଟାଇଲେ ରାଜା ରାଣୀ ସେ ବେଳରେ ॥

ପ୍ରକୃତରେ ରାଜାରାଣୀ ହୋଇ ବସିଛନ୍ତି ।

ବିଷ୍ଣୁମାୟାରେ ମୋହିତ ହେଲେ ସେ ଦମ୍ପତି ॥

ତହୁଁ ପୁତ୍ରଦ୍ଵୟଙ୍କୁ ପାଳିଲେ ଯତ୍ନ କରି ।

ନାରଦଙ୍କ ଦ୍ଵାରା ସଂସ୍କାର କଲେ ତାଙ୍କରି ॥

ସେ ଦୁହିଙ୍କ ନାମ ଦେଲେ ନାରଦ ମହର୍ଷି ।

ଜ୍ୟେଷ୍ଠ ଗୌର ହେତୁ ଭୈରବ ନାମରେ ଘୋଷି ॥

କନିଷ୍ଠ କୃଷ୍ଣହେତୁରୁ ବେତାଳ ନାମରେ ।

ଖ୍ୟାତହେଲେ ଶିବପୁତ୍ର ଏହି ତ୍ରିଲୋକରେ ॥

ଅନ୍ୟାନ୍ୟ ସଂସ୍କାରେ ଶୁଦ୍ଧ କରି ସେ ନାରଦ ।

ରାଜାଙ୍କୁ ବିଦାୟ ମାଗିଗଲେ ସ୍ୱର୍ଗପଦ ॥

ରାଜାରାଣୀ ନାରଦଙ୍କ ବାକ୍ୟେ ତୋଷ ହୋଇ ।

ନିଜେ ହରଗୌରୀ ବୋଲି ଭାବି ଶ୍ରଦ୍ଧା ପାଇ ॥

ସୁଖେ ଚିରଜୀବୀ ହୋଇ ବହୁଭୋଗ କଲେ ।

ନିଜ ପ୍ରଜାଙ୍କୁ ପୁତ୍ର ସ୍ନେହରେ ସେ ପାଳିଲେ ॥

ଶିବପୁତ୍ରେ ଶସ୍ତ୍ରଶାସ୍ତ୍ରେ ନିପୁଣ ହୋଇଲେ ।

ବେତାଳ ଭୈରବ ହୋଇ ଗଣାଧ୍ୟକ୍ଷ ହେଲେ ॥

ଚନ୍ଦ୍ରଶେଖର ରାଜା ତାରାବତୀ ଔରସେ ।

ତିନି ପୁତ୍ରଜାତ ହେଲେ ମହାବଳୀ ଯେ ସେ ॥

ଭପରିଚର ଦମନ ଅଳର୍କ ନାମରେ ।

ବେତାଳ ଭୈରବଠାରୁ ଜ୍ୟେଷ୍ଠ ହୋଇଥିଲେ ॥

ଏପରି ପାଞ୍ଚତନୟ ସେନାପତିଙ୍କର ।

ଶସ୍ତ୍ରଶାସ୍ତ୍ରେ ନିପୁଣ ସେ ହେଲେ ବଳୀୟାର ॥

ଭୈରବ ବେତାଳ ଜନ୍ମ ଚରିତ ଶୁଣିଲ ।

ପ୍ରଭାକର ଗୀତେ କହେ ଶିବ କରି ମୂଳ ॥

 

ଇତି ଶ୍ରୀ କାଳିକାପୁରାଣେ

ଦ୍ୱିପଞ୍ଚାଶତ୍ତମୋଽଧ୍ୟାୟଃ ।

✽✽✽

 

॥ ୫୩ ॥

 

ଔର୍ବ ଉବାଚ

କାଳକ୍ରମେ ବଢ଼ିଲେ ସେ ରାଜାଙ୍କ ନନ୍ଦନ ।

ଶସ୍ତ୍ରଶାସ୍ତ୍ରେ ସେ କୁଶଳ ଅତି ବଳବାନ ॥

ଯୌବନକୁ ପ୍ରାପ୍ତ ହେଲେ ଶତ୍ରୁଙ୍କୁ ବଧିଲେ ।

ଧର୍ମାର୍ଥ ଜ୍ଞାନେକୁଳେ ସତ୍ୟବାଦୀ ହେଲେ ॥

ବେତାଳ ଭୈରବ ସହ ସଦା ବିହରିଲେ ।

ନାନାକ୍ରୀଡ଼ା କରି ସୁଖେ ଦିନକୁ କାଟିଲେ ॥

ଉପର ତାର ଅନଳ ଦମନ ଏମାନେ ।

ରାଜାଙ୍କର ବେଶିପ୍ରିୟ ହେଲେ ଦିନେ ଦିନେ ॥

ବେତାଳ ଭୈରବଙ୍କଠାରେ ସେତେ ସ୍ନେହ ନାହିଁ ।

ତାଙ୍କୁ ଦେଖି ରାଜାମନ ଆନନ୍ଦ ନୁହଁଇ ॥

ସେ ଦୁହେଁ ଧାର୍ମିକ ମହାବଳୀ ମହାବୀର ।

ତ୍ରୈଲୋକ୍ୟ ଜୟ କରିବା ଇଚ୍ଛାଟି ତାଙ୍କର ॥

ରାଜା ସେ ଦୁହିଁଙ୍କୁ ରାୟ କଲେ ମନେ ମନେ ।

କେବେ ବି କରିବେ ଏହି ପୁତ୍ର ଦୁଇଜଣେ ॥

ମୋ ରାଜ୍ୟ ନେଇ ପାରନ୍ତି ପୁତ୍ରଙ୍କୁ ମୋହର ।

ପରାସ୍ତ କରି ପ୍ରାଣରେ କରିବେ ସଂହାର ॥

ଏପରି ମନେ ଭାବନ୍ତି ସେ ଚନ୍ଦ୍ରଶେଖର ।

ଯଥାକାଳେ ଯୁବରାଜ ହେଲା ଜ୍ୟେଷ୍ଠପୁତ୍ର ॥

ସେ ପଛେ ସବୁ ରାଜାଙ୍କୁ ରାଜନୀତି ଶିକ୍ଷା ।

ଦେଇ ଅଧୀନେ ରଖିବ କଲା ଏହି ଦୀକ୍ଷା ॥

ଅଳର୍କ ଦମନ ଦୁହେଁ ବହୁ ଧନ ନେଲେ ।

ବେତାଳ ଭୈରବ ଦୁହେଁ କିଛି ନପାଇଲେ ॥

ତେଣୁ ତାଙ୍କ ମନେ କ୍ରୋଧ ହେଲା ଉପସ୍ଥିତ ।

ତହୁଁ ତପସ୍ୟା ନିମିତ୍ତ ହେଲେ ସେ ଉଦ୍ୟତ ॥

ଅତିବାହିତ ହେତୁ ସେ ବନେ ବୁଲୁଥାନ୍ତି ।

ତାଙ୍କ କଥା ମନର ଭାବିଲେ ତାରାବତୀ ॥

ଜ୍ୟେଷ୍ଠପୁତ୍ର ପତିଙ୍କୁ ମନେ ଭୟ କରିଣ ।

କିଛି ନକହି ଏକାନ୍ତେ କରନ୍ତି ମନ୍ତ୍ରଣ ॥

ବେତାଳ ଭୈରବ ଦୁହିଁଙ୍କୁ ବୁଝାନ୍ତି ଧରି ।

ଏ କାଳେ କପୋତ ମୁନି ଆଶ୍ରମେ ବିହରି ॥

ଚିତ୍ରାଙ୍ଗଦା ସମ୍ଭୋଗେ ହୋଇଣ ତୁଷ୍ଟମନା ।

ଭାର୍ଯ୍ୟା ପୁତ୍ରଛାଡ଼ି ଗଲେ ହୋଇଣ ବିମନା ॥

ଚିତ୍ରାଙ୍ଗଦାକୁ କହିଲେ ମୁଁ ଏବେ ଯାଉଛି ।

ତପସ୍ୟା କରି ଏକାନ୍ତେ କାଳ କଟାଉଛି ॥

ତୁମ୍ଭ ପ୍ରିୟ କଥା କହି ମୁଁ ତାହା କରିବି ।

ଶୁଣି ଚିତ୍ରାଙ୍ଗଦା କହେ କର ଯା କହିବି ॥

ସୁବର୍ଜା ତୁମ୍ବୁରୁ ଏ ତନୟ ଦୁହିଁଙ୍କର ।

ପ୍ରିୟ କାର୍ଯ୍ୟକରି ଯାଅ ହେ କାନନ ଘୋର ॥

ଆମ୍ଭଙ୍କୁ ନେଇ ଭଗିନୀ ତାରାବତୀ ଘରେ ।

ରଖାର ଯାଅ ବନକୁ କହୁଛି ସଧୀରେ ॥

ତହୁଁ ମୁନି ଧନ ପାଇଁ କୁବେର ନିକଟେ ।

ପ୍ରାର୍ଥୀ ହେବାରୁ ସେ ହେଲେ ବହୁ ଧନ ଫୁଟେ ॥

ସେ ଧନକୁ ଭାର୍ଯ୍ୟା ପୁତ୍ରେ ଦେଇ ସେ କପୋତ ।

ତାଙ୍କୁ ସଙ୍ଗେ ନେଇଗଲେ କରବୀର ପଥ ॥

ରାଜପୁରେ ପ୍ରବେଶି ରାଜା ଯୁବରାଜଙ୍କୁ ।

ସମର୍ପଣ କଲେ ନିଜ ନନ୍ଦନ ଭାର୍ଯ୍ୟାଙ୍କୁ ॥

କହିଲେ ଏ କକୁସ୍ଥ ତନୟା ମୋର ପତ୍ନୀ ।

ସଦ୍ୟଜାତ ପୁତ୍ରଦ୍ୱୟ ମୁହିଁ ଅଛି ଆଣି ॥

ଏ ଧନ ସହିତ ଏମାନଙ୍କୁ ରଖ ଘରେ ।

ତୁମ୍ଭେ ରାଜା ସମସ୍ତଙ୍କୁ ରଖିପାର ଭଲେ ॥

ଅପୁତ୍ରର ପୁତ୍ର ରାଜା ଅନାଥର ନାଥ ।

ପିତୃହୀନର ସେ ସ୍ଵାମୀ ଅଧନୀର ବିତ୍ତ ॥

ସ୍ଵାମୀହୀନର ସେ ସ୍ଵାମୀ ଅମାତାର ମାତା ।

ଅସହାୟର ସହାୟ ରାଜା ସର୍ବକର୍ତ୍ତା ॥

ତେଣୁ ତୁମ୍ଭଙ୍କୁ ପ୍ରାର୍ଥନା କରି କହୁଅଛି ।

ପୁତ୍ର ଦୁହିଁଙ୍କ ସହଭାର୍ଯ୍ୟାକୁ ରଖ ଏଥି ॥

ମୁନିବାକ୍ୟେ ରାଜା ସମ୍ମତ ହୋଇ ରଖିଲେ ।

ସୁବର୍ଜାକୁ ଅର୍ଦ୍ଧରାଜ୍ୟ ପ୍ରଦାନ ସେ କଲେ ॥

ତମ୍ବୁରୁକୁ ମନ୍ତ୍ରୀ କଲେ ଏହାଦେଖି ମୁନି ।

ଆନନ୍ଦ ମନେ ଗମିଲେ ତପସ୍ୟାର୍ଥେ ପୁଣି ॥

ଯିବାବାଟେ ଦେଖିଲେ ସେ ଭୈରବ ବେତାଳ ।

ବାନର ମୁଖ ସେ କରୁଛନ୍ତି ତହିଁ ଖେଳ ॥

ପୂର୍ବକଥା ସ୍ମରି ଜାଣିଲେ ସର୍ବ ବିଷୟ ।

ସେ ଦୁହିଁଙ୍କୁ ପଚାରିଲେ ତାଙ୍କ ପରିଚୟ ॥

ତହୁଁ ସେ ଦୁହେଁ ମୁନିଙ୍କୁ ପ୍ରଣମି କହିଲେ ।

ଶିବପୁତ୍ର ଆମ୍ଭେ ଚନ୍ଦ୍ରଶେଖର ପାଳିଲେ ॥

ରାଜାଙ୍କର ଅନାଦର ଦେଖି ଆମ୍ଭେ ଦୁହେଁ ।

ତାଙ୍କ ପାଖେ ନ ରହି ଆସିଛୁ ଏହିଠାଏଁ ॥

ନିର୍ଜନେ ଦୁଃଖ ମନରେ ବୁଲୁଅଛୁ ଆସି ।

ତପସ୍ୟା କରିବୁ ଉପଦେଶ ଦିଅ ଋଷି ॥

ସେ ଦୁହିଁଙ୍କ କଥାରେ ହସି ମୁନି କହିଲେ ।

ସବୁଜାଣି ଥିବା ହେତୁ ସେ ହସି ଉଠିଲେ ॥

ଚନ୍ଦ୍ରଶେଖର ରାଜାର ସୁତ ତୁମ୍ଭେ ନୁହଁ ।

ତାରାବତୀଠାରେ ଶିବବୀର୍ଯ୍ୟେ ଜନ୍ମ ହୁଅ ॥

ତୁମ୍ଭେ ଭୃଙ୍ଗୀ ମହାକାଳ ଶାପବଣେ ଆସି ।

ଏଠାରେ ଜନ୍ମ ଲଭିଲ ତେଣୁ ସେ ରାଜର୍ଷି ॥

ତୁମ୍ଭଙ୍କୁ ଅନାଦର କରାଇ ସେ ନୃପତି ।

ଶିବଙ୍କ ନିକଟେ ଯାଅ ହେବ ଭଲ ଗତି ॥

ତପସ୍ୟା କିମ୍ପା କରିବ ସେ ବଡ଼ କଠିନ ।

ସର୍ବଜ୍ଞ ହେତୁ ସେ ମୁନି କହିଲେ ଏସନ ॥

ହରଗୌରୀ ଶାପବଳେ ନରନାରୀ ହେଲେ ।

ମୋ ଶାପେ ତାରାବତୀ ତୁମ୍ଭଙ୍କୁ ଜନ୍ମାଇଲେ ॥

ନାରଦ ବାକ୍ୟେ ସଂଶୟ ନାଶିଲେ ନୃପତି ।

ଏ ସବୁକଥା କହିଲେ ଦୁହିଁଙ୍କୁ ସେ ଯଦି ॥

ଏସବୁ ଶୁଣି ସେ ଦୁହେଁ ଆନନ୍ଦିତ ହେଲେ ।

ଆମ୍ଭ ପିତାହର ସତ୍ୟ ପହୁଛ ଗୋଚରେ ॥

ତାଙ୍କୁ କେଉଁଠି ପାଇଣ କିପରି ସେବିବୁଁ ।

ଏସବୁ କହିଣ ଦିଅ ଆମ୍ଭେ ତା କରିବୁ I1

ସୁଭାଗ୍ୟେ ଆମ୍ଭଙ୍କୁ ଦେଖା ଦେଲ ମୁନିବର ।

ମନଦୁଃଖ ନାଶକରି ଉପକାର କଲ ॥

ଶ୍ରିବଙ୍କୁ ପାଇବା ମାର୍ଗ ବତାଇଣ ଦିଅ ।

ଆମ୍ଭେ ଯାଇ ସେବିବୁ ହରଗୌରୀଙ୍କ ଦେହ ।

ତହୁଁ ମୁନି ସଦୟେ କହିଲେ ସେ ଦୁହିଙ୍କୁ ।

ଯେ ସ୍ଥାନେ ସେବିଲେ ଶୀଘ୍ର ପାଇବ ଶିବଙ୍କୁ ॥

ତାହା କହୁଛି ଯାଅ ହେ ବାରାଣସୀପୁର ।

ବରୁଣା ଅସି ମଧ୍ୟରେ ଅଛି ଗଙ୍ଗାଧାର ॥

ସେ ସ୍ଥାନରେ ନିତ୍ୟ ସନ୍ନିହିତ ମହାଦେବ ।

ସ୍ଵର୍ଗସମ ସେହିପୁର ଯେମରେ ସେ ଠାବ ॥

ସେ ମୋକ୍ଷ ଲଭଇ ଶିବଙ୍କ ମନ୍ତ୍ରୋପ ଦେଶେ ।

ଯୋଗୀଶିବ ପାର୍ବତୀଙ୍କ ସଙ୍ଗେ ତହିଁ ବସେ ॥

ସେ ସ୍ଥାନେ ଆରାଧିଲେ ସେ ପ୍ରସନ୍ନ ହୋଇବେ ।

ଅଳ୍ପକାଳ ମଧ୍ୟେ ମନୋରଥ ପୁରାଇବେ ॥

ବେଶିଦୂର ନୁହେଁ ସେହି ବାରାଣସୀପୁର ।

ଆଉ ଏକ ସ୍ଥାନ ଅଛି ଶିବ ପ୍ରିୟଙ୍କର ॥

କାମରୂପ ଦେଶେ ନିତ୍ୟ ଗିରିଜାଙ୍କ ସହ ।

ବାସ କରନ୍ତି ମହେଶ ଲଭି ମହାସ୍ନେହ ॥

ସେ ସ୍ଥାନେ ହର ସେବିଲେ ଅଳ୍ପକାଳାନ୍ତରେ ।

ଅଭୀଷ୍ଟ ସିଦ୍ଧି ହୁଅଇ ଜାଣଇ ମୁଁ ଭଲେ ॥

କର ତୋୟା ନଦୀ ପୂର୍ବଭାଗେ ସେହି ପୁର ।

ଦିକ୍‌କର ବାସିନୀ ପର୍ଯ୍ୟନ୍ତ ସେ ସୁବିସ୍ତାର ॥

ତ୍ରିକୋଣ କୃତି ସେ ପୁର ଶୈଳେ ବିରାଜିତ ।

ବ୍ରହ୍ମପୁତ୍ର ନଦୀ ତହିଁ ହୁଏ ପ୍ରବାହିତ ॥

କାମଦଗ୍‌ଧ ପରେ ରୂପ ପାଇଲା ସେ ସ୍ଥାନେ ।

ତେଣୁ କାମରୂପ ନାମ ବିଦିତ ଭୂବନେ ॥

ସେ ପୀଠର ବାୟୁ ନୈର୍ଋତ ଐଶାନ୍ୟ କୋଣେ ।

ଅଗ୍ନିକୋଣ ପୁଣି ପାର୍ଶ୍ଵ ମଧ୍ୟ ଏ ଛ ସ୍ଥାନେ ।

ପାର୍ବତୀଙ୍କ ସଙ୍ଗେ ହର ବସନ୍ତି ତହିଁରେ ।

ବେଦୀଗୃହ ମଧ୍ୟେ ଅଛି ତାଙ୍କ ଅଧୀନରେ ॥

ନୀଳଶୈଳ ପରେ ଦେବୀ ମନ୍ଦିର ଶୋଭଇ ।

ଈଶାନ କୋଣେ ଶିବଙ୍କ ମନ୍ଦିର ରାଜଇ ॥

ଅନ୍ୟ ବହୁ ସ୍ଥାନ ଅଛି ଗୌରୀ ହରଙ୍କର ।

ଏ ଦୁଇ ସ୍ଥାନ ପ୍ରଧାନ ଜାଣ ମହାବୀର ॥

ବେତାଳ ଭୈରବ ଶୁଣି ମୁନିଙ୍କୁ କହିଲେ ।

କାମରୂପ ଯିବୁ ଆମ୍ଭେ ଶିବ ସେବିବାରେ ॥

ସେ ସ୍ଥାନେ ପାର୍ବତୀ ହର ସେବିବୁ ନିୟତ ।

କେଉଁ ମନ୍ତ୍ର ଜପିବୁ କହହେ ତପୋରତ ॥

ଋଷି ଉବାଚ

ନାଟକ ଶୈଳ ନିକଟେ ଯାଅ ବେଗ ହୋଇ ।

ସେ ସ୍ଥାନେ ପାର୍ବତୀ ହର ରହନ୍ତି ସଦାଇ ॥

ସନ୍ଧ୍ୟା ପର୍ବତେ ବଶିଷ୍ଠ ମୁନି ରହିଛନ୍ତି ।

ତାଙ୍କ ଉପଦେଶେ ଆରାଧ୍ୟ ଶିବ ପାର୍ବତୀ ॥

ମନ୍ତ୍ରତନ୍ତ୍ର ହରଙ୍କର ଶିଖାଇବେ ସେହି ।

ମୁଁ ଯାଉଛି ତପସ୍ୟାକୁ ଆଉ ବେଳ ନାହିଁ ॥

ତହୁଁ ସେ କପୋତ ମୁନି ଅନ୍ୟସ୍ଥାନେ ଗଲେ ।

ବେତାଳ ଭୈରବ ନମି ସ୍ଵଗୃହେ ରହିଲେ ॥

ତହିଁ ମାତାପିତା ଭ୍ରାତାମାନଙ୍କୁ ଜାଣଇ ।

କାମରୂପକୁ ଗମିଲେ ସେହି ଦୁଇଭାଇ ॥

ସେ ଦୁହେଁ ଆସିବା ଜାଣି ପାର୍ବତୀ ଶଙ୍କର ।

ଇନ୍ଦ୍ରାଦି ଦେବଙ୍କୁ କହିଲେ ସୁନୃତ ଗିର ॥

ମୋ ପୁତ୍ର ବେତାଳ ଭୈରବ ଏ ଦୁଇଜଣ ।

ମୋତେ ସେବା କରିବାକୁ, ଆସନ୍ତି ମୋ ସ୍ଥାନ ॥

ତୁମ୍ଭେ ସେ ଦୁହିଁଙ୍କୁ ମନ୍ତ୍ରେ ସୁସଂସ୍କୃତ କର ।

ଗଣେଣ୍ରେଷ୍ଠ କରିବି ମୁଁ ଦୁହିଙ୍କୁ ଏଥର ॥

ତପୋବଳେ ଏହି ନର ଦେହେ ମୋ ଗଣରେ ।

ଶ୍ରେଷ୍ଠ ହେବେ ତେଣୁ କହୁଛି ମୁଁ ପୁଣିଥରେ ॥

ଦେବଭାବ ପାଇବେ ସେ ହୋଇ ଶ୍ରେଷ୍ଠଗଣେ ।

ମନୁଷ୍ୟ ଭାବ ତେଜିବେ ସଂସ୍କାରର ଗୁଣେ ॥

ଶୂନ୍ୟମାର୍ଗେ ଚଳନ୍ତେ ସେ ଶିବ ତାଙ୍କ ପଛେ ।

ସର୍ବ ଦେବଙ୍କ ସହିତ ଗମନ୍ତି ସେ ସ୍ଵଚ୍ଛେ ॥

ବେତାଳ ଭୈରବ ପଛେ ଗୋଡ଼ାନ୍ତି ସକଳେ ।

କୃଷ୍ଣାଜିନ ଧାରୀ ଦୁହେଁ ନଦୀରେ ମିଳିଲେ ॥

ତପସ୍ଵୀ ବେଶେ ପ୍ରବେଶ ସେ କାମ ରୂପରେ ।

ସ୍ନାନକଲେ କତତୋୟା ନଦୀର ଜଳରେ ॥

ନନ୍ଦୀକୁଣ୍ଡେ ଜଟୋଦ୍ଭବା ନଦୀରେ ଗାଧୋଇ ।

ସେ ସ୍ଥାନେ ତପସ୍ଵୀ ନନ୍ଦିଙ୍କୁ ପ୍ରଣାମ ଦେଇ ॥

ନାଟ କାଚଳରେ ଯାଇ ହୋଇଲେ ପ୍ରବେଶ ।

ପ୍ରଣମିଲେ ବୃଷଧ୍ୱଜ ହୋଇଣ ହରଷ ॥

ଶିବପୂଜା ଶିକ୍ଷା ପାଇଁ କପୋତଙ୍କ ବାକ୍ୟେ ।

ଦକ୍ଷିଣେ ସ୍ଥିତ ସନ୍ଧ୍ରା ପର୍ବତେ ଗଲେ ସୁଖେ ॥

କାନ୍ତାନାମେ ନଦୀବଶିଷ୍ଠଙ୍କ ଆଦେଶରେ ।

ଉତ୍ପନ୍ନ ହୋଇ ବହୁଛି ସେ ନୀର ତୀରେ ॥

ସନ୍ଧ୍ୟାପର୍ବତ ରହିଛି ସ୍ନିଗ୍‌ଧ ସୁଶୀତଳ ।

ତହିଁ ସନ୍ଧ୍ୟା କରାନ୍ତି ଯେ ବଶିଷ୍ଠ ବ୍ରହ୍ମବାଳ ॥

ତେଣୁ ସନ୍ଧ୍ୟାନାମ ସେ ଶୈଳର ହୋଇଅଛି ।

ବଶିଷ୍ଠ ଋଷି ତହିଁରେ ଶିବ ଧ୍ୟାନେ ବସି ॥

ଅଗ୍ନିସମ ତେଜସ୍ଵୀ ସେ ତପସ୍ଵୀ ପ୍ରଧାନ ।

ଦ୍ୱିତୀୟ ସୂର୍ଯ୍ୟ ସ୍ୱରୂପେ ତହିଁ ବିଦ୍ୟମାନ ॥

ତାଙ୍କୁ ଦେଖି ସେ ବେତାଳ ଭୈରବ ପ୍ରଣମି ।

ବିନୟେ ପ୍ରାଞ୍ଜଳ ହୋଇ ବସିଲେ ସଂକ୍ରମୀ ॥

କହିଲେ ହରଙ୍କୁ ଆରାଧିବାକୁ ଆସିଛୁ ।

ତାରାବତୀ ଗର୍ଭେ ଶିବବୀର୍ଯ୍ୟେ ଜନ୍ମିଅଛୁ ॥

ଯଦି ଅନୁଗ୍ରହ କରି ଉପଦେଶ ଦେବ ।

ଶିବ ପୂଜାରେ ଆମ୍ଭର କାର୍ଯ୍ୟସିଦ୍ଧି ହେବ ॥

ସେ ଦୁହିଁଙ୍କ କଥା ଶୁଣି ବଶିଷ୍ଠ ମହର୍ଷି ।

କହିଲେ ମୁଁ ଜାଣେ ହରସୁତେ ତୁମ୍ଭ ରାଶି ॥

ହରଙ୍କୁ ଆରାଧି ମୋତେ କହୁଛ କିମ୍ପାଇଁ ।

ତୁମ୍ଭେ ଶିବ ଆରାଧିବ ପ୍ରୟୋଜନ ନେଇ ॥

ଆରାଧନା ମାତ୍ରେ ସିଦ୍ଧି ଲଭିବ ଅଚିରେ ।

ବେତାଳ ଭୈରବ ଶୁଣି କହିଲେ ନମ୍ରରେ ॥

ଯେଉଁମନ୍ତ୍ରେ ପୂଜିଲେ ଅତ୍ୟଳ୍ପ କାଳେ ହର ।

ପ୍ରସନ୍ନ ହୋଇବେ ତାହା କହନ୍ତୁ ସତ୍ୱର ॥

ଯେପରି ଆରାଧିବୁ ଯେ ଯନ୍ତ୍ରେ ଯେଉଁ କ୍ରମେ ।

ଅନୁଗ୍ରହ କରି ଶିକ୍ଷାଦେବ ନମୁଁ ଆମ୍ଭେ ॥

ତହୁଁ ବଶିଷ୍ଠ କହିଲେ ପାର୍ବତୀ ଶଙ୍କର ।

ତୁମ୍ଭଠାରେ ପ୍ରସନ୍ନ ମୁଁ ଜାଣିଛି ଆଗର ॥

ତୁମ୍ଭେ ଆସିବା ପଛରେ ପାର୍ବତୀ ଶଙ୍କର । !

ଦେବଙ୍କ ସହ ଗମିଲେ ହୋଇ ସେ ତର ତର ।

କିନ୍ତୁ ମନୁଷ୍ୟ ଭାବକୁ ତପୋବଳେ ତୁମ୍ଭେ ।

ପରିତ୍ୟାଗ କରି ଦେବ ଭାବ ଭଜ ଦମ୍ଭେ ॥

ମୁଁ ଶିକ୍ଷାଦେବି ଯେପରି ହର ଅବିଳମ୍ବେ ।

ତୁମ୍ଭଙ୍କୁ ଦର୍ଶନ ଦେବେ ଶୁଣ ତାହା ଏବେ ॥

ଧ୍ୟାନେ ବହୁକାଳେ ଧ୍ୟାନ ପୂଜାରେ ଅଚିରେ ।

ପ୍ରସନ୍ନ ହୁଅନ୍ତି ଧ୍ୟାନ ପୂଜାକର ବାରେ ॥

ତେଜୋମୟ ଶୁଦ୍ଧ ଜ୍ଞାନାମୃତ ବିବର୍ଦ୍ଧିତ ।

ଜଗନ୍ମୟ ଚିଦାନନ୍ଦ ହରି ବିଧିଯୁତ ॥

ମହାଦେବ ମହାମୂର୍ତ୍ତି ମହାଯୋଗ ରତ ।

ଜଗତରେ ତାଙ୍କ ରୂପେ କେ କହି ସମର୍ଥ ॥

କିନ୍ତୁ ଯେଉଁରୂପେ ହର ମର୍ତ୍ତେ ବିଚରନ୍ତି ।

ସେ ମଧ୍ୟରୁ ଜ୍ଞାନଗମ୍ୟ ରୂପ କହେ ଏଥି ॥

ପ୍ରଥମରେ ମନ୍ତ୍ର ଶୁଣ ତାହାପରେ ଧ୍ୟାନ ।

ତହୁଁ ପୂଜାକ୍ରମ ଶୁଣି କରିବ ପୂଜନ ॥

ଋ ଲୁ ଭିନ୍ନ ସର୍ବଦୀର୍ଘ ସ୍ଵରବର୍ଣ୍ଣ ମାନେ ।

ଅନୁସ୍ଵାର ଚନ୍ଦ୍ରବିନ୍ଦୁ ଯୋଗହେଲେ ତେଣେ ॥

ପଞ୍ଚାକ୍ଷର ମନ୍ତ୍ରହେବ ଶିବଙ୍କ ପ୍ରୀତିଦ ।

ସମ୍ମଦ ସନ୍ଦୋହ ନାଦ ଗୌରବ ପ୍ରସାଦ ।

ଏହି ପାଞ୍ଚ ମନ୍ତ୍ରେ ଶିବ ପୂଜିବ ସତ୍ୱର । ।

ଏକମୁଖେ ଏକମନ୍ତ୍ର ପୂଜା ଅଟେ ସାର ॥ ।

ସବୁମନ୍ତ୍ରେ ସବୁ ମୁଖ ଏକତ୍ର ପୂଜିବ ।

କେବଳ ପ୍ରସାଦମନ୍ତ୍ରେ ପୂଜି ପାର ଶିବ ॥

ସବୁମନ୍ତ୍ରେ ଶ୍ରେଷ୍ଠ ଅଟେ ଏ ପ୍ରସାଦ ମନ୍ତ୍ର ।

ଶିବ ପ୍ରସନ୍ନ ହେବାରୁ ପ୍ରସାଦ ଏ ମନ୍ତ୍ର ॥

ସମ୍ମଦ ମନ୍ତ୍ର ଶିବଙ୍କୁ ଆମୋଦ କରଇ ।

ସନ୍ଦେହମନ୍ତ୍ର ମନୋରଥ ପୂର୍ଣ୍ଣେ ଦିଅଇ ॥

ନାଦମନ୍ତ୍ର ଆକର୍ଷଣ କରାଇ ଶିବଙ୍କୁ ।

ଗୁରୁହେତୁ ଗୌରବ ମନ୍ତ୍ରର ନାମ ଦେଖୁ ॥

ବ୍ୟସ୍ତ ସମୟରେ ଏହି ମନ୍ତ୍ର ଶିବଙ୍କର ।

ସେ ମନ୍ତ୍ରେ ତୁମ୍ଭେ ଆରାଧ୍ୟ ପରମ ଇଶ୍ୱର ॥

ଏବେ ଶିବଙ୍କର ଧ୍ୟାନ ଶୁଣ ମନଦେଇ ।

ପଞ୍ଚବକ୍ର ମହାକାୟ ଜଟା ବିଭୂଷଇ ॥

ଚାରୁ ଚନ୍ଦ୍ରକଳା ଶିରେ ଦଶଭୂଜେ ସର୍ପ ।

ବ୍ୟାଘ୍ର ଚର୍ମଧାରୀ ବିଷକଣ୍ଠେ କରେ ଦର୍ପ ॥

ନାଗହାର କିରୀଟ କୁଣ୍ଡଳ ସର୍ପଗଣ ।

କଟିରେ କିଙ୍କିଣି ହସ୍ତେ ବଳୟ କଙ୍କଣ ॥

ସର୍ବାଙ୍ଗେ ଭସ୍ମ ଲେପନ ପଞ୍ଚଦଶ ନେତ୍ର ।

ବୃଷଭ ବାହନ ଗଜଚର୍ମ ବିରାଜିତ ॥

ସଦ୍ୟୋଜାତ ମୁଖ ଶୁକ୍ଳ ସ୍ପଟିକ ସଦୃଶ ।

ବାମଦେବ ମୁଖ ପୀତବର୍ଣ୍ଣେ ହୁଏ ଦୃଶ୍ୟ ॥

ନୀଳବର୍ଣ୍ଣ ସେ ଅଘୋରଦନ୍ତ ଭୟପ୍ରଦ ।

ତତ୍‍ପୁରୁଷ ମୁଖ ରକ୍ତବର୍ଣ୍ଣେ ଦିଏ ମୋଦ ॥

ଈଶାନମୁଖ ଶ୍ୟାମଳ ବର୍ଣ୍ଣରେ ଶୋଭଇ ।

ପ୍ରଥମ ମୁଖ ପଶ୍ଚିମ ଦିଗରେ ରହଇ ॥

ଦ୍ୱିତୀୟ ଉତ୍ତର ସେ ତୃତୀୟ ଦକ୍ଷିଣରେ ।

ଚତୁର୍ଥ ପୂର୍ବରେ ପଞ୍ଚମ ଶୋହେ ମଧ୍ୟରେ ॥

ଶକ୍ତି ତ୍ରିଶୂଳ ଖଟ୍ୱାଙ୍ଗ ବର ଯେ ଅଭୟ ।

ଦକ୍ଷିଣ ପଞ୍ଚକରରେ ହୁଏ ଶୋଭାମୟ ॥

ବାମ ପଞ୍ଚକରେ ନାଗପାଶ ଘଣ୍ଟା ପୁଣି ।

ଡମ୍ବରୁ ଅଙ୍କୁଶ ଶୋଭା ମନନିଏ କିଣି ॥

ଅଷ୍ଟ ଐଶ୍ଵର୍ଯ୍ୟ ସଂଯୁକ୍ତ ହୃଦ୍‌ଗତ ଶିବଙ୍କୁ ।

ଧ୍ୟାନେ ଚିନ୍ତିବ ଭନ୍ତିରେ ଶିବ ପରାତ୍ମାଙ୍କୁ ॥

ତହୁଁ ଦ୍ୱାରପାଳ ଗଣେଶାଦି ପୂଜାକରି ।

ପଞ୍ଚଭୂତ ଶୁଦ୍ଧି କରିବ ମନ୍ତ୍ର ଉଚ୍ଚାରି ॥

ଅଷ୍ଟନାମେ ଅଷ୍ଟମୂର୍ତ୍ତିଙ୍କୁ ପୂଜା କରିବ ।

ଆସନାଦି ଉପଚାର ମନ୍ତ୍ରେ ସମର୍ପିବ ॥

ଭକ୍ତିଭାବେ ଅଷ୍ଟପୁଷ୍ପ ହୃଦୟରେ ଦେବ ।

ନାରାଚ ମୁଦ୍ରାରେ ତାଡ଼ନକର୍ମ କରିବ ॥

ବିସର୍ଜନ ଧେନୁମୁଦ୍ରା ଦେଖାଇ ବିଧିରେ ।

ଚଣ୍ଡେଶ୍ଵର ବୁଦ୍ଧିରେ ନିର୍ମାଲ୍ୟ ଧରି ଶିରେ ॥

ପ୍ରତିଅଙ୍ଗ ପାଞ୍ଚମନ୍ତ୍ରେ ମାର୍ଜନ କରିବ ।

ସମ୍ମଦାଦି ମନ୍ତ୍ର ପୂର୍ବେ କହିଛି ସେ ସର୍ବ ॥

ବାଳାଜ୍ୟେଷ୍ଠା ରୌଦ୍ରକାଳୀ କଳମ୍ବୀ କରଣୀ ।

ବଳ ପ୍ରମଥିନୀ ସକଳ ଭୂତ ଦମନୀ ॥

ମନୋନ୍ମଥିନୀ ଏ ଅଷ୍ଠଦେବଙ୍କୁ ପୂଜିବ ।

ଏଭାବେ ଶିବଙ୍କୁ ପୁଜି ଧ୍ୟାନଯୁକ୍ତ ହେବ ॥

ମନ୍ତ୍ରଧ୍ୟାନ କରି ଗୁରୁଙ୍କୁ ନମି ମାନସେ ।

ମାଳରେ ମନ୍ତ୍ର ଜପିବ ପରମ ସନ୍ତୋଷେ ॥

ପଞ୍ଚାକ୍ଷର ମନ୍ତ୍ର ଅବା ପ୍ରାସାଦ ମନ୍ତ୍ରକୁ ।

ଜପିଲେ ସିଦ୍ଧିଲଭିବ କହିଲି ତୁମ୍ଭଙ୍କୁ ॥

ମନ୍ତ୍ରଧ୍ୟାନ ପୂଜାକ୍ରମ କହିଦେଲି ଏବେ ।

ନାଟକ ଶୈଳକୁ ଯାଇ ଶିବପୂଜ ଶୁଭେ ॥

ସେ ଦୁହେଁ କହିଲେ ପଞ୍ଚାକ୍ଷର ମନ୍ତ୍ର ନେଲୁ ।

ତର୍ହିଁରେ ଶିବ ପୂଜିବୁ କୃତାର୍ଥ ହୋଇଲୁ ॥

ଏହାକହି ନମସ୍କାର କରି ଚଳିଗଲେ ।

ନାଟକ ଶୈଳରେ ଯାଇ ଉପସ୍ଥିତ ହେଲେ ॥

ସେ ସ୍ଥାନେ ଏକ ସରୋବର ଅଛି ସୁରମ୍ୟ ।

ସୁଶୀତଳ ସ୍ଵଚ୍ଛଜଳେ ହୋଇଛି ସେ ପୂର୍ଣ୍ଣ ॥

କମଳ ଉତ୍ପଳ ଫୁଟିଛନ୍ତି ମନୋହରେ ।

ଶିବଙ୍କ ଆସ୍ଥାନ ସେହି ସରୋବର ତୀରେ ॥

ଦେବ ଦାନବ କିନ୍ନର ପ୍ରମଥେ ସେ ସ୍ଥାନ ।

ରଖିଛନ୍ତି ନୃତ୍ୟବାଦ୍ୟେ ପୂରିଛି ଆସ୍ଥାନ ॥

ଯେଣୁ କୌତୁକେ ଶଙ୍କର ନାଚନ୍ତି ସେ ଶୈଳେ ।

ତେଣୁ ନାଟକ ନାମ ହୋଇଛି ଭୂମଣ୍ଡଳେ ॥

ଛତ୍ରାକାର ସେହି ଶୈଳ ଶିବଙ୍କର ପ୍ରିୟ ।

ତହିଁ ପ୍ରବେଶି ଦେଖିଲେ ନାହିଁ ଶିବକାୟ ॥

ଆଶ୍ରମକୁ ଯିବାପାଇଁ ସମର୍ଥ ନୋହିଲେ ।

ତହୁଁ ହରଙ୍କୁ ପ୍ରଣମି ସରସୀ ତଟରେ ॥

ବାଲୁକାରେ ଶିବମୂର୍ତ୍ତି ଗଢ଼ି ଯତ୍ନମତେ ।

ବଶିଷ୍ଠୋକ୍ତ ପ୍ରକାରେ ଶିବ ପୂଜିଲେ ହସ୍ତେ ॥

ଶିବପାର୍ବତୀ ଦେବଙ୍କ ସହ ସେହି ଶୈଳେ ।

ନୃତ୍ୟଗୀତେ ରତ ଶବ୍ଦ ଶୁଭେ କୁତୁହଳେ ॥

ଯିବାକୁ ସମର୍ଥ ନୋହି ଭୈରବ ବେତାଳ ।

ଦେଖି ନପାରିଲେ ନୃତ୍ୟଗୀତ କୋଳାହଳ ॥

ସେ ସ୍ଥାନେ ଶିବଙ୍କୁ ଧ୍ୟାନକଲେ ଭକ୍ତିଭରେ ।

ଧ୍ୟାନମାର୍ଗେ ନିଶ୍ଚଳ ହୋଇଲେ ବହୁକାଳେ ॥

ଯାତାୟାତ ସ୍ଥିତି ସବୁବେଳେ ସେ ଶଙ୍କର ।

ଟିତ୍ତୋଭାବି ପଞ୍ଚାକ୍ଷରେ ପୂଜିଲେ ସେ ହର ॥

ନିରାହାରେ ରହି ସହସ୍ର ବର୍ଷ ପର୍ଯ୍ୟନ୍ତ ।

ହରଙ୍କୁ ପୂଜିଲେ ଦୁହେଁ ହୋଇଣ ତଦ୍‌ଗତ ॥

ତହୁଁ ଦୟାମୟ ଶିବ ପ୍ରସନ୍ନ ହୋଇଣ ।

ଅକସ୍ମାତେ ସେ ଦୁହିଁଙ୍କୁ ଦେଲେକ ଦର୍ଶନ ॥

ଶିବଙ୍କୁ ଦେଖି ଭକ୍ତିରେ ପ୍ରଣମି ଚରଣ ।

କରଯୋଡ଼ି ସ୍ତୁତିକଲେ ହୋଇ ଅତି ହୀନ ॥

ହୃଦୟରେ ହରରୂପ ଯେପରି ଧ୍ୟାଇଲେ ।

ସେ ରୂପ ଆଗରେ ଦେଖି ବଶିଷ୍ଠେ ନମିଲେ ॥

ପଞ୍ଚବକ୍ର ମହାକାୟ ସର୍ବ ଜ୍ଞାନମୟ ।

ସଂସାର ସାଗରତ୍ରାଣ ନମୁଁ ତୁମ୍ଭ କାୟ ॥

ତୁମ୍ଭେ ପର ପରମାତ୍ମା ପରେଶ ପୁରୁଷ ।

କୁଟସ୍ଥ ଜଗତବ୍ୟାପି ଶ୍ରେଷ୍ଠ ପରମେଶ ॥

ରୂପାତ୍ମା ଯେ ମହାତତ୍ତ୍ଵ ଜ୍ଞାନାଳୟ ପ୍ରଭୁ ।

ସାଂଖ୍ୟ ଯୋଗାଳୟ ଶୁଦ୍ଧ ଗୁଣତ୍ରୟ ବିଭୁ ॥

ନିତ୍ୟ ଅନିତ୍ୟ ଯେ ତୁମ୍ଭେ ଜଗତର କର୍ତ୍ତା ।

ଏକ ଅନେକ ସ୍ଵରୂପ ଶାନ୍ତ ଚେଷ୍ଟ ଭର୍ତ୍ତା ॥

ନିର୍ବିକାର ନିରାଧାର ନିତ୍ୟାନନ୍ଦ ଧାମ ।

ସନାତନ ହରିହର ବିଧିରୂପେ ଭ୍ରମ ॥

ରୂପେଶ୍ଵର ରତ୍ନମାଳ ଭୂତିଭୂତ ତୁମ୍ଭେ ।

ଯୋଗେଶ୍ଵର ଜ୍ଞାନଗତି ଅଗମ୍ୟ ଯେ ଏବେ ॥

ପ୍ରମେୟ ରୂପଧରା ଧରାଭ ଭୋଗତନ୍ତ୍ର ।

ସୂକ୍ଷ୍ମାକ୍ଷର ତତ୍ତ୍ୱବିଦ ସର୍ବମନ୍ତ୍ର ଯନ୍ତ୍ର ॥

ଦେବଙ୍କ ଶରଣ ଶ୍ରଦ୍ଧାନ୍ତଧାମ ଏକଗମ୍ୟ ।

ବର୍ଦ୍ଧିଷ୍ଣୁ ଉଗ୍ରପୁରୁଷ ତୁମ୍ଭେ ଯୋଗି ଗମ୍ୟ ॥

ଭୂଧର ଭାଗଧର ଅନ୍ତ ବିଶ୍ଵଆତ୍ମା ।

ଜ୍ଞାନାମୃତ ସନ୍ଦିଚନ୍ଦ୍ର ତୁମ୍ଭେ ପରମାତ୍ମା ॥

ଭକ୍ତ ପୁତ୍ରମାନଙ୍କ ପରମ ପିତା ହର ।

ପଞ୍ଚାନନ ଅଖିଳ ଶାସକ ବିଶ୍ଵମ୍ବର ॥

ତୁମ୍ଭେ ଚନ୍ଦ୍ର ସୂର୍ଯ୍ୟଅଗ୍ନି ଜଳବାୟୁ ଧରା ।

ସ୍ଵର୍ଗତ୍ରତୁ ତନ୍ତ୍ରହୋତା ଜ୍ଞାନମୟ ପରା ॥

ଯାହା ଆଦିଅନ୍ତ ବ୍ରହ୍ମା ହରି ନ ପାଇଲେ ।

ତାଙ୍କୁ କି ସ୍ତୁତି କରିବୁ ଅଜ୍ଞାନୀ ଯେ ଭଲେ ॥

ଦେବ ଦାନବେ ଯାହାଙ୍କ ରୂପ ନ ଜାଣନ୍ତି ।

ଅଜ୍ଞାନ ଆମ୍ଭେ ଦୁହେଁ ତାଙ୍କୁ କି କରି ସ୍ତୁତି ॥

ଭକ୍ତିମାତ୍ରେ ନମସ୍କାର କରୁଛୁ କେବଳ ।

ହେ ଗୌରୀଶ ପ୍ରସନ୍ନ ହୁଅ ଏ ଅଧୀନର ॥

ବେତାଳ ଭୈରବ ସ୍ତୁତି ଶୁଣି ସଦାଶିବ ।

ପ୍ରସନ୍ନ ହୋଇ କହିଲେ ସେ ଦୁହିଁଙ୍କୁ ଦେବ ॥

ହେ ପୁତ୍ରେ ତୁମ୍ଭ ଭକ୍ତିରେ ତୁଷ୍ଟ ମୁଁ ହୋଇଲି ।

ଇଚ୍ଛାମତେ ବରମାଗ ଦେବି ମୁଁ କହିଲି ॥

ତୁମ୍ଭ ସ୍ତୁତି ପୂଜା ଧ୍ୟାନେ ହେଲି ବଡ଼ ପ୍ରୀତ ।

ଇଚ୍ଛାମତେ ବରମାଗ ଦେବି ମୁଁ ତୁରିତ ॥

ଯେବେ ପ୍ରଭୁ ତୁଷ୍ଟ ପୁଣି ଆମ୍ଭର ଜନକ ।

ଈପ୍‍ସିତ ବରକୁ ଦେବ ଆହେ ତ୍ରିଅମ୍ବକ ॥

ପୁତ୍ରଭାବେ ପିତା ତୁମ୍ଭ ପାଶେ ରହି ସଦା ।

ସେବା କରିବୁ ଏ ବର ଲଭିବୁ ସର୍ବଦା ।

ରାଜ୍ୟ ଧନ ଅନ୍ୟ ଦେବ ପୂଜାକୁ ନ ଇଚ୍ଛୁ ।

ଭକ୍ତିରେ ତୁମ୍ଭର ସେବା ସଦାକାଳେ ବାଞ୍ଛୁ ॥

ତୁମ୍ଭ ପାଦପଦ୍ଲେ ଭ୍ରମର ହେଉ ମାନସ ।

ପ୍ରସନ୍ନ ନେତ୍ରେ ଚାହିଁବ ଏହି ଆମ୍ଭ ଆଶ ॥

ତୁମ୍ଭ ଚିନ୍ତାଧ୍ୟାନ ପ୍ରପୂଜନ କରିବାରେ ।

କଳ୍ପ କୋଟିଯୁଗ ଯାଉ ଆମ୍ଭର ସୁଖରେ ॥

ସେ ଦୁହିଁଙ୍କ କଥାଶୁଣି ହର ହର୍ଷମୁଖେ ।

ଦେବଙ୍କ ସହ ଦେବତ୍ୱ ଦେଲେ ତାଙ୍କୁ ସୁଖେ ॥

ଇନ୍ଦ୍ରମତେ ସ୍ୱର୍ଗରୁ ଅମୃତ ଅଣାଇଲେ ।

ସେ ଦୁହିଙ୍କୁ ଦେଇ ଅମର ତାଙ୍କୁ କରିଲେ ॥

ସେକାଳେ ସେ ଦୁହେଁ ଶୋଇ ଉଠିଣ ଦେଖିଲେ ।

ଦିବ୍ୟଜ୍ଞାନ ବଳ ରୂପ ଗୁଣଯୁକ୍ତ ହେଲେ ॥

ଏକଦେହେ ସ୍ଵର୍ଗଗାମୀ ହେଲେ ସେହିକ୍ଷଣ ।

ସେ ଦୁହିଁଙ୍କୁ ପ୍ରସନ୍ନରେ କହନ୍ତି ଈଶାନ ॥

ମୁଁ ତୁମ୍ଭଠାରେ ସନ୍ତୋଷ କିନ୍ତୁ ଗିରିସୁତା ।

ଆରାଧନା କର ଯେବେ ଲଭିବ ଇଷ୍ଟତା ॥

ତାଙ୍କ ବିନା ଇଷ୍ଟବସ୍ତୁ ଦେଇ ନପାରଇଁ ।

ଶିବାଙ୍କୁ ସେବି ଶରଣ ପଶ ତାଙ୍କ ଠାଇଁ ॥

ଅଳ୍ପକାଳେ ଦେବୀ ଯଥା ପ୍ରସନ୍ନ ହୋଇବେ ।

ସେଭାବେ ଅର୍ଚ୍ଚନାକର କହିଲି ମୁଁ ଏବେ ॥

ଗୌରୀ ହର ପାଦପଦ୍ମେ ମୋ ମାନସ ଅଳି ।

ସଦାବସୁ ପ୍ରଭାକର କହେ ଗୀତେ ଭାଳି ॥

 

ଇତି ଶ୍ରୀ କାଳିକାପୁରାଣେ

ତ୍ରିପଞ୍ଚାଶତ୍ତମୋଽଧ୍ୟାୟଃ

✽✽✽

 

॥ ୫୪ ॥

 

ଔର୍ବ ଉବାଚ

ଭୂତେଶଙ୍କ ଆଜ୍ଞା ଶୁଣି ବେତାଳ ଭୈରବ ।

ଆନନ୍ଦମନେ ଶିବଙ୍କୁ ଜଣାନ୍ତି ଏ ଭାବ ॥

ପାର୍ବତୀଙ୍କ ଧ୍ୟାନମନ୍ତ୍ର ପୂଜାକୁ ନଜାଣୁ ।

ଅନୁଗ୍ରହ କରି କହିଦିଅ ପ୍ରଭୁ ତେଣୁ ॥

ମହାମାୟା ବିଧିମନ୍ତ୍ର କଳ୍ପଆଦି ମୁହିଁ ।

କହୁଛି ଶୁଣ ହେ ପୁତ୍ରେ ତୁମ୍ଭେ ମନଦେଇ ॥

ଏହା କହି ଦେବୀମନ୍ତ୍ର ଧ୍ୟାନ ବିଧିମାନ ।

ବେତାଳ ଭୈରବକୁ କହିଲେ ପଞ୍ଚାନନ ॥

ସେ ଭୈରବ ଅଷ୍ଟାଦଶ ପଟଳ ଭେଦରେ ।

ନିର୍ଣ୍ଣୟ ବିଧିକଳ୍ପକୁ କହିଛନ୍ତି ଧୀରେ ॥

ସଗର ଉବାଚ

ଶମ୍ଭୁ କି ମନ୍ତ୍ର କହିଲେ ସେ ଦୁହିଙ୍କୁ ପୂର୍ବେ ।

ଯେ ମନ୍ତ୍ରେ ଦେବୀ ପ୍ରସନ୍ନା ହେଲେ ତାଙ୍କୁ ଶୁଭେ ॥

ଗଣାଧ୍ୟକ୍ଷ ହୋଇଲେ ସେ ଯେଉଁ ମନ୍ତ୍ରବଳେ ।

ତାହା କହି ମୋ ମନକୁ ଶାନ୍ତକର ଫଳେ ॥

 

 

ଔର୍ବ ଉବାଚ

ସେ ଭୈରବ ଅଷ୍ଟାଦଶ ପଟଳ ବାନ୍ଧିଲେ ।

ତାହା କହିବାକୁ ଶକ୍ତ ନୁହେଁ ମୁଁ ବିସ୍ତରେ ॥

ଶିବ ଯାହା ଶିକ୍ଷାଦେଲେ ଦେବୀ ଆରାଧନେ ।

ସଂକ୍ଷପି କହିବି ତାହା ଶୁଣ ସାବଧାନେ ॥

ଅତି ଗୁହ୍ୟତମ ମନ୍ତ୍ର ଦେବୀଙ୍କର ଏହି ।

ବୈଷ୍ଣବୀଙ୍କ ଅଷ୍ଟାକ୍ଷର ମନ୍ତ୍ରରାଜ କହି ॥

ବୈଷ୍ଣବୀ ମନ୍ତ୍ରର ରଷି ନାରଦ ଅଟନ୍ତି ।

ଶମ୍ଭୁଦେବ ଅନୁଷ୍ଟୁପ ଛନ୍ଦ ତହିଁ ଥାନ୍ତି ॥

ସର୍ବାର୍ଥସାଧନେ ବିନିଯୋଗ ମନ୍ତ୍ରରାଜ ।

ଏହାକୁ ପ୍ରୟୋଗ କଲେ ହେବ ମହାରାଜ ॥

ହାନ୍ତ ଅନ୍ତ ପୂର୍ବରାନ୍ତ ନାନ୍ତ ଶାନ୍ତ ତଥା ।

କୈକାଦଶାଷ୍ଟାଦି ଷଷ୍ଠ ସ୍ୱାନ୍ତ ବିନ୍ଦୁ ତଥା ॥

ଏହି ଅଷ୍ଟାକ୍ଷରେ ମନ୍ତ୍ର ଶୋଣପତ୍ର ସମ ।

ଓଁକାର ପୂର୍ବକ ଜପି ଲଭ ଇଷ୍ଟ କାମ ॥

ଏମହା ବୈଷ୍ଣବୀ ମନ୍ତ୍ର ଅଙ୍ଗୀରୂପେ ଅଛି ।

ମନ୍ତ୍ରର ଅଙ୍ଗଜୁ ଶୁଣ ସଧୀରେ କହୁଛି ॥

ମହାଦେବଙ୍କ ଊର୍ଦ୍ଧ୍ୱମୁଖ ଏଥିରେ ବୀଜ ।

ଯକାର ଶକ୍ତି ଅଟଇ ଜାଣ ହେ ତନୁଜ ॥

ସବୀଜମନ୍ତ୍ର କହିଲୁ ଏବେ କଳ୍ପ ଶୁଣ ।

ତୀର୍ଥନଦୀ ଦେବଖାତ ଗର୍ଭେ ଅବା ପୁଣ ॥

ସ୍ଵକୀୟ ତୋୟରେ ସ୍ଵାନ ପ୍ରଥମେ କରିବ ।

ଆଚାନ୍ତ ଶୁଚି ହୋଇଣ ଆସନେ ବସିବ ॥

ଉତ୍ତର ମୁଖରେ ଭୂମି ମାର୍ଜନ କରିବ ।

ଓଁ ଯୁଂ ସଃ କ୍ଷିତ୍ୟୈ କହିଣ ଜଳଙ୍କୁ ସିଞ୍ଚିବ ॥

ଭୂତାପ ସାରଣ କରି ମନ୍ତ୍ରକୁ ଲେଖିବ ।

ନ୍ୟାସବିଧିରେ ମନ୍ତ୍ରକୁ ନ୍ୟାସ କରାଇବ ॥

ସ୍ଵର୍ଣ୍ଣ ଯଜ୍ଞକାଷ୍ଠ ଅବା କୁଶେ ମନ୍ତ୍ର ଲେଖି ।

ଓଁ ବୈଷ୍ଣବ୍ୟୈ ନମ ବୋଲି ଅସ୍ତ୍ରେତା ପରଖି ॥

ତହୁଁ ତ୍ରିମଣ୍ଡଳ କରି ସମାନ ରେଖାରେ ।

ନିତ୍ୟ ପୂଜାରେ ମଣ୍ଡଳ ନଲେଖି ଚୂର୍ଣ୍ଣରେ ॥

ପୁରଶ୍ଚରଣ କର୍ମ ବା କାମ୍ୟ କର୍ମକାଳେ ।

ଚୂର୍ଣ୍ଣେ ମଣ୍ଡଳ କରିବ ଯେ ବିଧି ବେଭାରେ ॥

ପ୍ରଥମ ରେଖା ଉତ୍ତର ଦିଗରେ କାଟିବ ।

ଦ୍ୱିତୀୟକୁ ଦକ୍ଷିଣ ଦିଗରେ ପକାଇବ ॥

ଶେଷକୁ ପୂର୍ବ ଦିଗରେ ଟାଣି ବିଧିମତେ ।

ଦ୍ଵାରେ ଲେଖିବ ବର୍ଣ୍ଣମାନଙ୍କର ସହିତେ ॥

ଓଁ ହ୍ରୀଂ ଶ୍ରୀଂ ସ ଏ ମନ୍ତ୍ରରେ ମଣ୍ଡଳ ପୂଜିବ ।

ମଣ୍ଡଳକୁ ହସ୍ତେ ଧରି ଦିଗ୍‌ବନ୍ଧ କରିବ ॥

ପୂର୍ବୋକ୍ତ ଆଶା ବନ୍ଧନ ମନ୍ତ୍ରେ ଯଥାକ୍ରମେ ।

ଫଡ଼ନ୍ତରେ ନିଜ କରେ ନିବନ୍ଧ କରଣେ ॥

ଅଷ୍ଟଯବେ ଏକ ଅଙ୍ଗୁଳ ପ୍ରମାଣେ ପୁଣି ।

ଚବିଶ ଅଙ୍ଗୁଳ ଏକହସ୍ତ ପରିମାଣି ॥

ଏକ ହସ୍ତ ଦୀର୍ଘପ୍ରସ୍ଥ ସମାନ କରିବ ।

ବିତସ୍ତି ପ୍ରମାଣେ ପଦ୍ମମଣ୍ଡଳ କାଟିବ ॥

ଅର୍ଦ୍ଧ ବିତସ୍ତି ପ୍ରମାଣେ କର୍ଣ୍ଣକାକୁ କରି ।

ରଙ୍ଗ ଚୂର୍ଣ୍ଣରେ ତାହାକୁ ମଣ୍ଡନ ଯେ କରି ॥

ଜଳମାନଙ୍କୁ ଅନ୍ୟୋଽନ୍ୟ ଆସକ୍ତ କରିବ l

ବର୍ହି ବେଷ୍ଟନକୁ ନ୍ୟୁନାଧିକେ ନ କାଟିବ ॥

ମଧ୍ୟଭାଗେ ଦ୍ଵାରନ୍ୟାସ କରିବ ସମାନେ ।

ସୁବଦ୍ଧ ମଣ୍ଡଳକୁ ଚିନ୍ତିବ ରକ୍ତବର୍ଣ୍ଣେ ॥

ଏଥୁଁ ଅନ୍ୟ ପ୍ରକାରରେ ଯେ କରେ ମଣ୍ଡଳ ।

ଲକ୍ଷଣ ଭାଗରେ ହୀନ କଲେ ନୁହେଁ ଫଳ ॥

ତେଣୁ ଏହି ବିଧିରେ ମଣ୍ଡଳକୁ ଲେଖିବ ।

ବିପ୍ର ପ୍ରଭାକରକୁ ପାଦତଳେ ରଖିବ ॥

 

ଇତି ଶ୍ରୀ କାଳିକାପୁରାଣେ ମହାମାୟାକଳ୍ପେ

ଅଷ୍ଟାଦଶ ପଟଳେ ଚତୁଃପଞ୍ଚାଶତ୍ତମୋଃଧ୍ୟାୟ ।

✽✽✽

 

॥ ୫୫ ॥

 

ଶ୍ରୀ ଈଶ୍ୱର ଉବାଚ

ତହୁଁ ଳଂ ଏହି ମନ୍ତ୍ରାନ୍ତେ ଅର୍ଘ୍ୟପାତ୍ର ମଣ୍ତଳ ।

ଚତୁଷ୍କୋଣ କରି ପଦ୍ମଦ୍ଵାର ଯେ ନକର ॥

ଓଁ ହ୍ରୀଂ ଶ୍ରୀଂ ଏହି ମନ୍ତ୍ରରେ ମଣ୍ଡଳେ ସେ ପାତ୍ର ।

ରଖି ପୂଜା କରିବ ସେ ମଣ୍ଡଳ ଭିତର ॥

ଓଁ ହ୍ରୀଂ କ୍ରୀଂ ମନ୍ତ୍ର ପଢ଼ିଣ ଗନ୍ଧ ପୁଷ୍ପ ଜଳ ।

ଅର୍ଘ୍ୟ ପାତ୍ରେ ଦେଇ ମଣ୍ଡଳ ବିନ୍ୟାସ କର ॥

ପୂର୍ବପରିମଣ୍ଡଳ କରି ଅର୍ଘ୍ୟ ପାତ୍ରରେ ।

ତିନିଭାଗ ଜଳ ଦେଇ ପୁଷ୍ପ ଦେବ ପରେ ॥

ତହୁଁ ହ୍ରୀଂ ମନ୍ତ୍ରେ ନିଜ ଆସନ ପୂଜାକରି ।

କ୍ଷୌଂ ମନ୍ତ୍ରେ ନିଜକୁ ପୂଜା କରିବ ଆହୁରି ॥

ଶିରଦେଶେ ଗନ୍ଧପୁଷ୍ପ ଦେଇ ପୂଜାକର ।

ହସ୍ତେ ପୁଷ୍ପ ରଖି ଓଁ କ୍ରୀଂ ସ ଏହି ମନ୍ତ୍ରର ॥

ବାମହସ୍ତେ ଆଘ୍ରାଣ କରିବ ସେ ପୁଷ୍ପକୁ ।

ଐଶାନ୍ୟଦିଗେ ନିକ୍ଷେପ କରିବ ତାହାକୁ ॥

ରକ୍ତପୁଷ୍ପ ଧରି କଚ୍ଛପ ଆକୃତି କରି ।

କରିଦହନ ପ୍ଳବନ କରିବ ବିଚାରି ॥

ବାମହସ୍ତ ତର୍ଜନୀ ଦକ୍ଷିଣ କନିଷ୍ଠାରେ ।

ଦକ୍ଷ ତର୍ଜନୀରେ ବାମାଙ୍ଗୁଷ୍ଠି ଯୋଗକଲେ ॥

ଦକ୍ଷିଣ ଅଙ୍ଗୁଷ୍ଠ ଟେକି ବାମ ମଧ୍ୟମାକୁ ।

ଦକ୍ଷିଣକର ପୃଷ୍ଠରେ ଯୋଡ଼ିବ ତାହାକୁ ॥

ବାମକରେ ପିତୃତୀର୍ଥେ ମଧ୍ୟମା ନାମିକା ।

ଅଧୋମୁଖ କରି ଯୋଗ କରିବ ଯେ ଏକା ॥

ଦକ୍ଷିଣ ହସ୍ତକୁ କୁର୍ମ ପୃଷ୍ଠ ତୁଲ୍ୟ କରି ।

ଏ ପାଣି କଚ୍ଛପ ମୁଦ୍ରା ସିଦ୍ଧିଦିଏ ଭାରି ॥

ହୃଦୟେ ସେ ମୁଦ୍ରାରଖି ଚକ୍ଷୁଦ୍ୱୟ ବୁଜି ।

କାୟ ଶିରଗ୍ରୀବାକୁ ସମାନେ ସ୍ଥିରେ ଭଜି ॥

ଦାହପ୍ଳବ କରିସାରି ଦେବୀ ଧ୍ୟାନ କର ।

ଦେବୀଙ୍କ ରୂପ ଚିନ୍ତିବ ହୋଇଣ ତତ୍ପର ॥

ଅଗ୍ନିକୁ ବାୟୁରେ ବାୟୁକୁ ଜଳେ ଆରୋପି ।

ଜଳ ହୃଦେ ନିକ୍ଷେପି ହୃଦୟ ସ୍ଥିରେ ଚାପି ॥

ଆକାଶେ ନିକ୍ଷେପ କର ଶବ୍ଦକୁ ସଧୀରେ l

ଓ ହୁଂ ଫଟ୍‌ ଉଚ୍ଚାରିଣ ମସ୍ତକ ଭେଦରେ ॥

ଶବ୍ଦ ସହିତ ଜୀବକୁ ଆକାଶେ ସ୍ଥାପିବ ।

ଏ ପଞ୍ଚଭୂତକୁ ନିଜଦେହେ ଟିହ୍ନାଇବ ॥

ବାୟୁ ଅଗ୍ନି ଯମ ଇନ୍ଦ୍ର ବରୁଣଙ୍କ ବୀଜ ।

ସଚିନ୍ଦ୍ର ଚନ୍ଦ୍ର ସହିତ ଏ ବୀଜ ଭାବିବ l

ଶୋଷଦାହ ଉତ୍ସାଦସୁଧା ସେଚନ କ୍ରମେ ।

ଚିନ୍ତାକରି ଦେବୀ ବୀଜ ଭାବିବ ଅନ୍ତିମେ ॥

ଶୁଦ୍ଧ ସୁବର୍ଣ୍ଣ ସଦୃଶ ସେ ବୀଜ ଚିନ୍ତିବ ।

ତାକୁ ହ୍ରୀଂ ଶ୍ରୀଂ କ୍ରୀଂ ମନ୍ତ୍ରରେ ଦ୍ଵିଭାଗ କରିବ ॥

ବୀଜ ଊର୍ଦ୍ଧ୍ୱଭାଗେ ସ୍ଵର୍ଗଶୂନ୍ୟ ଲୋକ ଭାବି ।

ଅଧୋଭାଗେ ଭାବ ପାତାଳ ଧାରୀଣୀ ଦେବୀ ॥

ତହିଁରେ ଚିନ୍ତିବ ସପ୍ତଦ୍ଵୀପା ବସୁମତୀ ।

ଇକ୍ଷୁ ସାଗରସ୍ଥ ସ୍ୱର୍ଣ୍ଣଦ୍ୱୀପ ତହିଁ ଚିନ୍ତି ॥

ତାହାମଧ୍ୟେ ରତ୍ନମଣ୍ଡଳେ ରତ୍ନପଲଙ୍କ ।

ଆକାଶ ଗଙ୍ଗାଜଳେ ସେ ଧୌତ ଯଥାଶଙ୍ଖ ॥

ସେ ପଲଙ୍କେ ରତ୍ନପଦ୍ମର ନାଳ ସେ ସପ୍ତପାତାଳ ।

ଆବ୍ରହ୍ମ ଭୁବନସ୍ପର୍ଶୀ ସ୍ୱର୍ଣ୍ଣ କର୍ଣ୍ଣି ତାର ॥

ତହିଁସ୍ଥିତା ମହାମାୟାଙ୍କୁ ଧ୍ୟାନ କରିବ ।

ସ୍ଵର୍ଣ୍ଣ ପଦ୍ମସମାନା ସେ ମୁକ୍ତକେଶୀ ଭାବ ॥

ଚଞ୍ଚଳ ସ୍ଵର୍ଣ୍ଣକୁଣ୍ଡଳେ ଉଜ୍ଜ୍ୱଳ ବଦନ ।

ସୁବର୍ଣ୍ଣ ରତ୍ନନିର୍ମିତ କିରୀଟ ଧାରଣ ॥

ଶୁକ୍ଳ କୃଷ୍ଣ ରକ୍ତ ତିନିନେତ୍ର ଶୋଭାପାଏ ।

ସନ୍ଧ୍ୟାକାଳ ଚନ୍ଦ୍ରତୁଲ୍ୟ କପୋଳ ଯେ ଥାଏ ॥

ଚଞ୍ଚଳ ଲୋଚନା ପକ୍ଵ ଦାଡ଼ିମ୍ବର ବୀଜ ।

ପରି ଦିନ୍ତଦିଶେ ଭ୍ରୁଯୁଗଳ ବଡ଼ ତେଜ ॥

ବଧୂଲି ଅଧର ପୁଣି ତିଳପୁଷ୍ପ ନାସା ।

କମ୍ବୁକଣ୍ଠୀ ବିଶାଳାକ୍ଷୀ ସୂର୍ଯ୍ୟସମ ଭାସା ॥

ଚତୁର୍ଭୁଜା ଦିଗମ୍ବର ସ୍ତନ ପୀନୋନ୍ନତ ।

ଦକ୍ଷିଣ ଦୁଇ ହସ୍ତରେ ଖଡ୍‌ଗ ଅକ୍ଷସୂତ୍ର ॥

ବାମ ଦୁଇ ହସ୍ତେ ବର ଅଭୟ ଧାରିଣୀ ।

ସକଳ ଲୋକକାମ ସିଦ୍ଧିର ଚିନ୍ତାମଣି ॥

ନିମ୍ନନାଭି ତ୍ରମାୟତ କ୍ଷୀଣ ମଧ୍ୟାଦେବୀ ।

ନାସା ଉରୁ ନମ୍ର ଗୁପ୍ତଗୁଲ୍‌ଫା ପାର୍ଷ୍ଣିଶୋଭି ॥

ନିବିଡ଼ ପର୍ଯ୍ୟଙ୍କାସନେ ସ୍ଥିତା ମନୋହରା ।

ରତ୍ନସ୍ତମ୍ଭ ଲମ୍ବି ଗାତ୍ର ଦିଶେ ଅତିତୋରା ॥

କି ଇଚ୍ଛ ବୋଲି କହନ୍ତି ବାରମ୍ବାର କରି ।

ଆଗେଥିବା ଶିବଙ୍କୁ ଦେଖନ୍ତି ଗଜଅରି ॥

ମୁକ୍ତାମାଳା ସ୍ଵର୍ଣ୍ଣ ରତ୍ନ କେୟୁର କଙ୍କଣେ ।

ସର୍ବଅଳଙ୍କାରେ ପୂର୍ଣ୍ଣା ମନ୍ଦହାସେ ଜଣେ ॥

କୋଟି ସୂର୍ଯ୍ୟସମ କାନ୍ତି ସୁଲକ୍ଷଣଯୁକ୍ତା ।

ନବଯୌବନ ସମ୍ପନ୍ନା ସର୍ବାଙ୍ଗ ଶୋଭିତା ॥

ଏଭାବେ ଦେବୀଙ୍କୁ ଚିନ୍ତି ଓଁ ଫଟ୍‌ ମନ୍ତ୍ରରେ ।

ନିଜ ଶିରେ ପୁଷ୍ପଦେଇ ଚିନ୍ତ ଅଭେଦରେ ॥

ଅଙ୍ଗନ୍ୟାସ କରନ୍ୟାସ କ୍ରମରେ କରିବ ।

ଏ ମନ୍ତ୍ର ସ୍ଵର ସହିତ ଏକତ୍ରେ ଭାବିବ ॥

ଓଁ ସୂଚୈତେ ସପ୍ରଣବ ରକ୍ତବର୍ଣ୍ଣା ଭାବି ।

ଅଙ୍ଗୁଷ୍ଠାଦି କନିଷ୍ଠାନ୍ତ ଅଙ୍ଗୁଳିକୁ ଯାବି ॥

ଦ୍ୱିହସ୍ତ ପ୍ରାନ୍ତରେ ନ୍ୟାସ କରିବ ଯତ୍ନରେ ।

ହୃଦ ଶିର ଶିଖା କବଚ ନେତ୍ର ଯୁଗ୍ମରେ ॥

ତହୁଁ ଅଷ୍ଟାକ୍ଷର ମନ୍ତ୍ର ଏ ଅଷ୍ଟ ସ୍ଥାନରେ ।

ଓଁକାର ସହିତ ନ୍ୟାସ କରିବ ଯତ୍ନରେ ॥

ମୁଖ ପୃଷ୍ଠ ଉଦର ବାହୁ ଗୁହ୍ୟ ଯେ ପାଦ ।

ଜଙ୍ଘା ଉରୁ ଏହି ଅଷ୍ଟସ୍ଥାନ ସିଦ୍ଧିପ୍ରଦ ॥

ଏ ପ୍ରକାରେ ଦେହ ଶୁଦ୍ଧି କରି ପୂଜାକଲେ ।

ଅବଶ୍ୟ କାର୍ଯ୍ୟ ସିଦ୍ଧିହୁଏ ଯେ ଅକ୍ଳେଶରେ ॥

ଦେହ ଶୁଦ୍ଧି ଭୁତ ଶୁଦ୍ଧି ମନର ନିଶ୍ଚଳ ।

ଏହାକଲେ ପୂଜା କାର୍ଯ୍ୟେ ମିଳେ ବହୁଫଳ ॥

ସେ ଦେବୀ ଶଙ୍କର ପାଦପଦ୍ମେ ରଖି ମନ ।

ପ୍ରଭାକର ଗୀତେ ରଚେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଚପଞ୍ଚାଶତ୍ତମୋଽଧ୍ୟାୟଃ ।

✽✽✽

 

॥ ୫୬ ॥

 

ଇଶ୍ଵର ଉବାଚ

ତହୁଁ ଅର୍ଘ୍ୟପାତ୍ରେ ପରି ମନ୍ତ୍ର ଅଷ୍ଟବାର ।

ଜପି ଜଳପୁଷ୍ପେ ସିଞ୍ଚ ଆସନ ମଣ୍ଡଳ ॥

ପୂଜୋପକରଣ ସବୁ ଛିଞ୍ଚିବ ସେ ଜଳେ ।

ନିଜକୁ ସେଚନ କର ସେହି ଅର୍ଘ୍ୟଜଳେ ॥

ଓଁ ଐଂ କ୍ରୀଂ ଶ୍ରାଂ ଏହିମନ୍ତେ ଦ୍ୱାରପାଳ ପୂଜି ।

ନନ୍ଦୀ ଭୃଙ୍ଗୀ ମହାକାଳ ଗଣେଶଙ୍କୁ ପୂଜି ॥

ଉତ୍ତରାଦିକ୍ରମେ ଏ ଚାରି ଦ୍ଵାରପାଳଙ୍କୁ ।

ମଧ୍ୟରେ ଆଧାରଶକ୍ତାଦି ହେମାଦ୍ୟନ୍ତକୁ ॥

ସର୍ବତନ୍ତ୍ର ପୂଜାକଳ୍ପେ ପ୍ରସିଦ୍ଧ ଏମାନେ ।

ଦଶଦିଗପାଳ ଧର୍ମା ଧର୍ମ ପୂଜି ସ୍ଥାନେ ॥

ମଣ୍ଡଳ ଅଗ୍ୟାଦିକୋଣେ ପାର୍ଶ୍ଵଦେଶେ ପୁଣ l

ସୂର୍ଯ୍ୟ ଅଗ୍ନିସୋମ ବାୟୁମଣ୍ଡଳ ପୂଜନ ॥

ସତ୍ୱ ରଜ ତମ ଯୋଗପୀଠି ଗୁରୁପାଦ ।

ସୀରାଦି ଭଦ୍ରପୀଠନ୍ତ ସାଙ୍ଗୋପାଙ୍ଗେ ଭେଦ ॥

ବ୍ରହ୍ମାଣ୍ଡ ସ୍ୱର୍ଣ୍ଣଦ୍ୱୀପ ବ୍ରହ୍ମା ହରି ହର l

ସସାଗରା ସପ୍ତଦ୍ଵୀପ ସ୍ଵର୍ଣ୍ଣଦ୍ୱୀପା ଧାର ॥

ମଣ୍ଡପ ଯେ ରତ୍ନପଦ ସେ ରତ୍ନ ପଲଙ୍କ ।

ସ୍ତମ୍ଭ ଶିବମଣ୍ଡଳେ ପୂଜିବ ସେ ନିଃଶଙ୍କ ॥

କ୍ରୀଂ ମନ୍ତେ କୂର୍ମ ପୃଷ୍ଠକୁ ଦ୍ୱିହସ୍ତେ କରିବ ।

ପୂର୍ବପରି ଦେବୀଙ୍କୁ ସେ ଆସନେ ଚିନ୍ତିବ ॥

ହୃଦପଦ୍ମେ ସ୍ୱର୍ଣ୍ଣଦ୍ୱୀପ ପଲଙ୍କ ଚିନ୍ତିବ ।

ଦେବୀଙ୍କୁ ଦେଖିଲାପରି ଏକାଗ୍ରେ ସ୍ମରିବ ॥

ହୃଦେ ପ୍ରତ୍ୟକ୍ଷ କରି ମାନସ ଉପଚାରେ ।

ଦେବୀଙ୍କୁ ପୂଜା କରିବ ଏକାଗ୍ର ମନରେ ॥

ତହୁଁ ଦକ୍ଷ ନାସାପୁଟେ ବାୟୁ ବୀଜସଙ୍ଗେ ।

କ୍ରୀଂ ମନ୍ତ୍ରକୁ ନିଃସାରଣ କରିବ ସୁଭଗେ ॥

ପଦ୍ନ ମଧ୍ୟେ ହସ୍ତଦେଇ କେବେ ନ କାଢ଼ିବ ।

ପୁଷ୍ପରୁ ହସ୍ତ କାଢ଼ିଲେ ଫଳ ନପାଇବ ।

ଶିର ସହ ଗାୟତ୍ରୀରେ ଆବାହନ କରି ।

ଦେବୀ ଗାୟତ୍ରୀଙ୍କୁ ଶୁଣ ତୁମ୍ଭେ ହେତୁକରି ॥

ମହାମାୟାୟୈ ବିଦ୍ମହେ ଚଣ୍ଡିକା ଧୀମହି ।

ତନ୍ନୋଦେବୀ ପ୍ରଚୋଦୟାତ୍‌ ଦେବୀ ଗାୟତ୍ରୀହି ॥

ଓ କ୍ରୀଂ ଶ୍ରୀଂ ନମଃ ଏମନ୍ତେ ସ୍ନାନ କରାଇବ ।

ମୂଳମନ୍ତ୍ରେ ଗନ୍ଧ ପୁଷ୍ପ ଧୂପ ଦୀପ ଦେବ ॥

ମୋଦକ ପାୟସ ଗୁଡ଼ ଦଧି ସର୍ପି କ୍ଷୀର ।

ନାନାବିଧ ସ୍ଵାଦୁଫଳ ନୈବେଦ୍ୟରେ ଧର ॥

ନୈବିଦ୍ୟରେ ନଡ଼ିଆ ମୋଦକ ଗୁଡ଼ ଆଦି ।

କୁଷ୍ମାଣ୍ଡ ଫଳ ପ୍ରଶସ୍ତ ଜାଣ ଏହି ବିଧି ॥

ହରିଡ଼ା ଶୁଣ୍ଠି କମଳା ନାରଙ୍ଗାଦି ଫଳ ।

ବାଳକପ୍ରିୟ ଦ୍ରବ୍ୟକୁ ଦେବ କରି ଠୁଳ ॥

ନାରିକେଳ ତୋୟ ଦେବୀଙ୍କୁ ଭକ୍ତିରେ ।

ରକ୍ତପୁଷ୍ପମାଳା ସ୍ଵର୍ଣ୍ପରୋପ୍ୟ ଦେବ ଶିରେ ॥

ରକ୍ତପଟ୍ଟବସ୍ତ ଦେବ ନୀଳକୁ ନଦେବ ।

ଦେବୀପ୍ରିୟ ପୁଷ୍ପମାନ ଯତ୍ନେ ସମର୍ପିବ ॥

ବକୁଳ ନାଗକେଶର କୁନ୍ଦ ଯେ କହ୍ଲାର ।

କରବୀର କୁରୁଣ୍ଟକ ଅର୍କ ଦୁର୍ବାଙ୍କର ॥

କୁଶମଞ୍ଜରୀ ବନ୍ଧକ ପଦ୍ମପୁଷ୍ପ ଦେବ l

ବିଲ୍ଵପତ୍ର ରକ୍ତପୁଷ୍ପ ଯତ୍ନେ ସମର୍ପିବ ॥

ବଧୂଲୀ ବକୁଳ କୁନ୍ଦମାଳା ସହସ୍ରକୁ ।

ଦେବୀକୁ ଦେଲେ ଆସଇ ସେ ଶିବଲୋକକୁ ॥

ସୁଗନ୍ଧି ଚନ୍ଦନ ଅନୁଲେପନ କରିବ ।

କର୍ପୂର କୁଙ୍କୁମ କସ୍ତୁରୀକୁ ବୋଳିଦେବ ॥

ଯକ୍ଷଧୂପ ପିଣ୍ଡଧୂପ ଦେବୀଙ୍କୁ ସମର୍ପି ।

ମସ୍ତକେ ସିନ୍ଦୁର ଦେବ ଦେବୀନାମ ଜପି ॥

ସୁଗନ୍ଧିଶାଳି ଅନ୍ନ ଯେ ମଧୁମାଂସ ପୁଣ l

ପିଷ୍ଟକ ପାୟସ କ୍ଷୀର ନୈବେଦ୍ୟ ପ୍ରଧାନ ॥

ସକର୍ପର ରତ୍ନୋଦକ ଗୋରଚନା ଆଦି ।

ସ୍ନାନଜଳେ ପକାଇବ ଏସବୁ ସମ୍ପାଦି ॥

ଘୃତଦୀପ ଦେବୀଙ୍କର ପ୍ରଶସ୍ତ ଅଟଇ ।

ପୁଷ୍ପାଞ୍ଜଳି ତ୍ରୟଦେବ ମୂଳମନ୍ତ୍ରେ ନେଇ ॥

ତାହାପରେ ସିଂହାସନେ ଦେବୀପୂଜା ଶୁଣ ।

ଏ ଦେବୀଗଣଙ୍କୁ ପୂଜା କରିବ ଯତନ ॥

କାମେଶ୍ୱରୀ ଗୁପ୍ତାଦୁର୍ଗା ଯେ ବିନ୍ଧ୍ୟବାସିନୀ ।

କୋଟୀଶ୍ଵରୀ ଦୀର୍ଘିକା ପ୍ରକଟୀ ଯେ ଭୁବନୀ ॥

ଆକାଶଗଙ୍ଗା କାମାଖ୍ୟା ଦିକ୍‍କର ବାସିନୀ ।

ମାତଙ୍ଗୀ ଲଳିତା ଦୁର୍ଗା ଭୈରବୀ ସିଦ୍ଧିନୀ ॥

ବଳପ୍ରମଥିନୀ ଚଣ୍ଡୋ ଶ୍ରୀ ଚଣ୍ଡନାୟିକା ।

ଚଣ୍ଡୀ ଉଗ୍ରା ଭୀମା ଶିବା ଶାନ୍ତା ଯେ କାଳିକା ॥

ଜୟନ୍ତୀ ମଙ୍ଗଳା ଭଦ୍ରକାଳୀ କପାଳିନୀ ।

ଧାତ୍ରୀ ସ୍ଵାହା ସ୍ଵଧାପର୍ଣ୍ଣା ପଞ୍ଚପୁଷ୍କରିଣୀ ॥

ସର୍ବଭୂତ ଦମନୀ ସେ ପ୍ରୋତ୍ସାହ କାରିଣୀ ।

ପୁଜିବ ଯତ୍ନରେ ସେ ଚତୁଃଷଷ୍ଠୀ ଯୋଗିନୀ ॥

ମଧ୍ୟେ ଏହାଙ୍କୁ ପୂଜିଣ ଅଙ୍ଗପୂଜ ମୋଦ ।

ହୃଦ ଶିର ଶିଖା ବର୍ମ ନେତ୍ର ବାହୁ ପାଦ ॥

ମୂଳମନ୍ତ୍ର ଆଦ୍ୟାକ୍ଷରେ ଆଦ୍ୟାଙ୍ଗ ପୂଜିବ ।

ଏକ ଏକ ଅକ୍ଷର ବଢ଼ାଇ ତା ଅର୍ଚ୍ଚିବ ॥

ଅକ୍ଷସୂତ୍ର ଖଡ୍‍ଗକୁ ଖଡ୍‌ଗ ମନ୍ତେ ପୂଜିବ ।

ପଦ୍ମ ଅଷ୍ଟପତ୍ରେ ଅଷ୍ଟଯୋଗିନୀ ଅର୍ଚ୍ଚିବ ॥

ଶୈଳପୁତ୍ରୀ ଚଣ୍ଡଘଣ୍ଟା ସ୍କନ୍ଦମାତା ପୁଣି ।

କାଳରାତ୍ରି ପୂଜ ପୂର୍ବାଦି ଦିଗରେ ଜାଣି ॥

ଚଣ୍ଡିକା କୁଷ୍ମାଣ୍ଡୀ କାତ୍ୟାୟନୀ ମହାଗୌରୀ ।

ନୈଋତାଦି ଚାରିକୋଣେ ପୂଜିବ ଏ ଚାରି ॥

ମହାମାୟା କ୍ଷମାକର ବୋଲି ମୂଳମନ୍ତ୍ରେ ।

ପଦ୍ମମଧ୍ୟେ ଆଠଥର ପୂଜିବ ଭକ୍ତିରେ ॥

ତହୁଁ ବଳିଦାନ କରି ପୂଜା ପୂର୍ଣ୍ଣକର ।

କଳ୍ପ ବିଧାନେ ପୂଜାକୁ କଲି ମୁଁ ପ୍ରଚାର ॥

ତେବେ ଦେବୀ ବରଦା ହୋଇବେ ଅଳ୍ପକାଳେ ।

ଗୀତେ କାଳିକାପୁରାଣ ପ୍ରଭାକର ବୋଲେ ॥

 

ଇତି ଶ୍ରୀ କାଳିକାପୁରାଣେ

ଷଟ୍‍ପଞ୍ଚାଶତ୍ତମୋଽଧ୍ୟାୟଃ ।

✽✽✽

 

॥ ୫୭ ॥

 

ଶ୍ରୀ ଈଶ୍ୱର ଉବାଚ

ଦେବୀଙ୍କର ବଳିଦାନ ବିଧି ଏବେ ଶୁଣ ।

ଯହିଁରେ ତୁଷ୍ଟି ଲଭନ୍ତି ଦେବୀ ଅନୁକ୍ଷଣ ॥

ମୋଦକେ ଗଣେଶଘୃତେ ରବି ପ୍ରୀତହୋନ୍ତି ।

ନାଟ୍ୟ ବାଦ୍ୟଗାନେ ଶିବ ସନ୍ତୋଷ ଲଭନ୍ତି ॥

ବଳିଦାନେ ଦେବୀଙ୍କର ହୁଅଇ ସନ୍ତୋଷ ।

ବଳିଦ୍ରବ୍ୟ ଶୁଣ କହିବା ତହିଁ ବିଶେଷ ॥

ପକ୍ଷୀ କଚ୍ଛପ କୁମ୍ଭୀର ଛାଗ ଯେ ଶୂକର ।

ମଇଁଷି ଗୋଧିଯେ ମୃଗଛନ୍ତି ନ ପ୍ରକାର ॥

ଚାମର ଯେ କୃଷ୍ଣସାର ଶଶା ସିଂହ ପୁଣି ।

ମତ୍ସ୍ୟ ସ୍ଵଦେବ ରୁଧିର ବଳିଦେବ ଜାଣି ॥

ଏସବୁ ଅଭାବେ ହୟ ହସ୍ତି ଯେ ଛାଗଳ ।

ଶରଭ ନରଙ୍କୁ କ୍ରମେ ବଳି ଦେଇପାର ॥

ବଳି ମହାବଳି ଏହି କହିଲି ତୁମ୍ଭଙ୍କୁ ।

ବଳିଙ୍କୁ ସ୍ଵାନ କରାଇ ରଖିବ ଆଗକୁ ॥

ପୁଷ୍ପ ଚନ୍ଦନ ଧୂପରେ ପୂଜିବ ସେ ବଳି ।

ଉତ୍ତରମୁଖେ ପୂଜକ ପୂର୍ବମୁଖେ ବଳି ॥

ବଳିକୁ ଦେଖି ଏମନ୍ତ ଉଚ୍ଚାରଣ କରି ।

ତୁମ୍ଭେ ବଳିରୂପେ ଭାଗ୍ୟେ ପ୍ରବେଶ ଏ ପୁରୀ ॥

ସର୍ବରୂପି ବଳିକୁ ମୁଁ କରେ ନମସ୍କାର ।

ଚଣ୍ଡୀଙ୍କ ପ୍ରାତି ନିମନ୍ତେ ଦାତାର ଉଦ୍ଧାର ॥

ବୈଷ୍ଣବୀ ବଳିରୂପ ତୁମ୍ଭକୁ ନମସ୍କାର ।

ବ୍ରହ୍ମ ସ୍ଵୟଂ ଯଜ୍ଞପାଇଁ ପଶୁ ସୃଷ୍ଟିକାର ॥

ଏଣୁ ତୁମ୍ଭଙ୍କୁ ବଧିବି ଏ ଦେବୀ ଯଜ୍ଞରେ ।

ତୁମ୍ଭର ଯେ ବଧ ତାହା ବଧ ନୁହେଁ ବାରେ ॥

ଏଂ କ୍ରୀଂ ଶ୍ରୀଂ ମନ୍ତ୍ରରେ ବଳିକୁ ଚିନ୍ତା କରିଣ ।

ବଳି ମସ୍ତକରେ ପୁଷ୍ପଦେବ ତତ୍‌କ୍ଷଣ ॥

ତହୁଁ ଦେବୀଙ୍କ ଉଦ୍ଦେଶ୍ୟ ନିଜ ଇଚ୍ଛା ଭାବି ।

ବଳି ଅଭିଷେକ କରି ଖଡ୍‍ଗ ପୂଜ ସେବି ॥

ଚଣ୍ଡିକା ରସନା ତୁମ୍ଭେ ଦେବକାର୍ଯ୍ୟ ସାଧ ।

ଏ କ୍ରୀଂ ଶ୍ରୀଂ ମନ୍ତେ ଖଡ୍‍କୁ ପୂଜିବ ପ୍ରମୋଦ ॥

କୃଷ୍ଣ ପିନାକ ହସ୍ତ କାଳରାତ୍ରି ସ୍ଵରୂପ ।

ଊର୍ଦ୍ଧ୍ୱ ରକ୍ତମୁଖ ଚକ୍ଷୁ ରକ୍ତ ଅନୁଲେପ ॥

ରକ୍ତ ବସ୍ତ୍ରଧର ପାଶହସ୍ତ ସେ କୁଟୁଭ୍ୱୀ ।

ଋଧିରପାୟୀ ମାଂସଭୋଜୀ ଯେ ମହାଗର୍ବୀ ॥

ଖଡଗ୍‌ ତୀକ୍ଷ୍ଣଧାର ଦୁରାସହ ଶ୍ରୀଗର୍ଭକ ।

ବିଜୟ ଧର୍ମପାଳକ ନମୁଁ ସେ ଖଡ୍‍ଗକ ॥

ଓଁ କ୍ରୀଂ ଫଟ୍‌ ଏହି ମନ୍ତ୍ରେ ଖଡ୍‍ଗ ପୂଜା କରି ।

ବଳିକୁ ଛେଦିବ ତୀକ୍ଷ୍ଣଧାର ଖଡ୍‌ଗ ଧରି ।

ତହୁଁ ବଳି ରୁଧିରକୁ ଜଳ ଫଳ ଯୋଗେ ।

ମଧୁ ପୁଷ୍ପଗନ୍ଧେ ଅଧିବାସ କର ବେଗେ ॥

ଓ ଐଂ କ୍ରୀଂ ଶ୍ରଂ କୌଶିକୀ ବୋଲି ରୁଧିର ଦେବ ।

ଯଥାସ୍ଥାନେ ରକ୍ତଦେଇ ଶିର ସମର୍ପିବ ॥

ଏଭାବେ ବଳିକୁ ଦେଲେ ପୂର୍ଣ୍ଣ ଫଳ ମିଳେ ।

ହୀନ ହେଲେ ହୀନଫଳ ବିରୋଧ ନିଷ୍ଫଳେ ॥

ଦେବୀଙ୍କ ବଳିଦାନରେ ଏହି ବିଧିପାଳ ।

ସୁଫଳ ଲଭନ୍ତି ଜନେ ସର୍ବତ୍ର ବିଚାରି ॥

ପୂର୍ବପରି ଧ୍ୟାନକରି ଜପକୁ କରିବ ।

ହସ୍ତେ ମାଳାଧରି ମନେ ଦେବୀଙ୍କୁ ଚିନ୍ତିବ ॥

ମସ୍ତେକେ ଗୁରୁଙ୍କୁ ଚିନ୍ତି ତାଙ୍କ ବର୍ଣ୍ଣରୂପ ।

କଣ୍ଠେ ମନ୍ତ୍ରକୁ ଧ୍ୟାୟିଣ କରିବ ଯେ ଜପ ॥

ହୃଦୟେ ଦେବୀଙ୍କୁ ଗୁରୁପାଦରେ ନିଜକୁ ।

ରଖି ପଛେ ଗୁରୁମନ୍ତ୍ର ଆତ୍ମା ସେ ଦେବୀଙ୍କୁ ॥

ଏକକରି ସୂଷୁଣ୍ମା ମାର୍ଗରେ ଧ୍ୟାନ କର ।

ଏକ ତତ୍ତ୍ଵ ରୂପକୁ ଷଟ୍‌ଚକ୍ରେ ପୁଣି ଧର ।

ସେ ଷଟ୍‌ଚକ୍ରେ ଦେବୀଙ୍କୁ କ୍ଷଣେ ଧ୍ୟାନ କରିବ ।

ଷୋଡ଼ଶ ଚକ୍ରରେ ପୁଣି ନେଇ ନିବେଶିବ ॥

ଆଦି ଷୋଡ଼ଶ ଚକ୍ରସ୍ଥା ସାଧକ ସୁଖଦା ।

ଏଭାବେ ଦେବୀଙ୍କୁ ଚିନ୍ତି ଜପକର ସଦା ॥

ଭ୍ରୂଲତା ଉପରେ ତିନି ନାଡ଼ିଙ୍କର ପ୍ରାନ୍ତ ।

ସେ ତ୍ରିପଥ ସ୍ଥାନ ଷଟ୍‌କୋଣରେ ବିରାଜିତ ॥

ଚତୁରଙ୍ଗୁଳ ସେ ରକ୍ତବର୍ଣ୍ଣ ଆଜ୍ଞାଚକ୍ର ।

କଣ୍ଠେ ନାଡ଼ିତ୍ରୟର ବେଷ୍ଟନ ହୁଏ ମାତ୍ର ॥

ସେ ଷଟ୍‌କୋଣ ଷଡ଼ଙ୍ଗୁଳ ଶୁକ୍ଳ କଣ୍ଠ ଗତ ।

ପୁଣି ନାଡ଼ିତ୍ରୟ ହୃଦେ ଲଭନ୍ତି ଏକତ୍ତ୍ୱ ॥

ଷୋଳକୋଠା ସପ୍ତାଙ୍ଗୁଳ ପ୍ରମାଣ ସେ ଚକ୍ର ।

ଷୋଡ଼ଶ ଚକ୍ରନାମରେ ସେହୁ ଏ ବିଦିତ ॥

ଧ୍ୟାନମନ୍ତ୍ର ଚିନ୍ତା ଜପ ହୃଦୟରୁ ହୁଏ ।

ତେଣୁ ସେ ହୃଦୟ ସ୍ଥାନ ଆଦିଚକ୍ର କହେ ॥

ଜପାଦିରେ ମାଳାକୁ ଜଳେରେ ପ୍ରକ୍ଷାଳିଣ ।

ବାମହସ୍ତେ ଧରି ମଣ୍ଡଳେ ମାଳା ଥୋଇଣ ॥

ପ୍ରାର୍ଥନା କରିବ ଏହିଭାବେ ସେ ମାଳାକୁ ।

ମହାମାୟା ମାଳେ ସର୍ବଶକ୍ତି ସ୍ଵରୂପକୁ ॥

ତୁମ୍ଭଠାରେ ଚତୁବର୍ଗ ହୋଇଅଛି ନ୍ୟସ୍ତ ।

ମାଳାପୂଜି ତାକୁ ଧରିବ ଦକ୍ଷିଣ ହସ୍ତ ॥

ମଧ୍ୟମା ମଧ୍ୟ ଭାଗରେ ତର୍ଜନୀକୁ ଛାଡ଼ି ।

ଅନାମିକା କନିଷ୍ଠା ଅଙ୍ଗୁଳି ତହିଁ ଯୋଡ଼ି ॥

ନମ୍ରଭାବେ ମାଳା ଧରି ବୃଦ୍ଧା ଅଙ୍ଗୁଲ୍ୟଗ୍ରେ ।

ଏକ ଏକ ବୀଜ ଧରି ଜପିବ ଊର୍ଦ୍ଧ୍ୱରେ ॥

ପ୍ରତିଥର ମନ୍ତ୍ରପଢ଼ି ଓଷ୍ଠ ନଚାଳିବ ।

ପରସ୍ପର ମାଳାବୀଜ ସ୍ପର୍ଶ ନକରିବ ॥

ହୃଦୟ ପାଖରେ ମାଳା ଦକ୍ଷ ହସ୍ତେ ଧରି ।

ଦେବୀଚିନ୍ତି ଜପ କରିବ ଯେ ଏହିପରି ॥

ସ୍ପଟିକ ଇନ୍ଦ୍ରକ୍ଷ ରୁଦ୍ରାଷ ଯେ ପୁତଂଜୀବ ।

ସୁବର୍ଣ୍ଣ ରତ୍ନ ପ୍ରବାଳେ ପଦ୍ମବୀଜେ ଭାବ ॥

ଏହିସବୁ ମାଳା ଦେବ ଦେବୀଙ୍କର ପ୍ରିୟ ।

ବିଶେଷରେ ରୁଦ୍ରାକ୍ଷେ ଦେବୀଙ୍କ ଅତିସ୍ନେହ ॥

ପ୍ରବାଳେ ମାଳା କରିବ ଅଠାଇଶ ଗୋଟି ।

ଅବା ପଞ୍ଚାବନ କର ଅଧିକ ନୋହେଟି ॥

ଭିନ୍ନଦ୍ରବ୍ୟ ମିଶାଇଣ ମାଳା ନକରିବ ।

ଏକଦ୍ରବ୍ୟେ ମାଳା କଲେ ସୁଫଳ ଲଭିବ ॥

ଗୋଟିଏ ମେରୁ କରିବ ସବୁଠାରୁ ବଡ଼ ।

ପ୍ରଥମେ ସ୍ଥୂଳ ହୋଇବ କ୍ରମେ ସୂକ୍ଷ୍ମ କର ॥

ବ୍ରହ୍ମଗଣ୍ଠି ପକାଇବ ପ୍ରତିବୀଜ ମଧ୍ୟେ ।

ଅବା ଗ୍ରନ୍ଥି ହୀନକରି ଗୁନ୍ଥିବ ସେ ସାନ୍ଦ୍ରେ ॥

ମଧ୍ୟେ ଦ୍ୱିରାବୃତ୍ତି ଶେଷେ ଅର୍ଦ୍ଦାବୃତ୍ତି କଲେ ।

ବ୍ରହ୍ମଗ୍ରନ୍ଥି ସେ ହୁଅଇ ବୁଧଜନ ବୋଲେ ॥

ଆତ୍ମାରେ ମାଳା ଯୋଖିବ ମନ୍ତ୍ରରେ ଯୋଖିବ ।

ଦୃଢ଼ ସୂତ୍ରେ ଗୁନ୍ଥ ଯଥା ମାଳା ନ ଛିଣ୍ଡିବ ॥

ହସ୍ତରୁ ଖସିଲେ ମାଳା ନିଷ୍ଫଳ ଯେ ଜପ ।

ହସ୍ତରୁ ଖସିପଡ଼ିଲେ ମୃତ୍ୟୁ ଯେ ସମୀପ ॥

ଏଭାବେ ଜପକୁ କଲେ ଈପ୍‍ସିତ ମିଳଇ ।

ଅନ୍ୟଥା ନିଷ୍ଫଳ ହୋଇ ବିପଦ ଘଟଇ ॥

ସଂଖ୍ୟାକରି ଜପକଲେ ଫଳ ଲାଭ ହୁଏ ।

ବିନା ସଂଖ୍ୟାରେ ନିଷ୍ଫଳ ଜାଣ ତୁମ୍ଭେ ପୁଏ ॥

ଜପଶେଷେ ମାଳାକୁ ସ୍କନ୍ଧେ ଅବା ମସ୍ତକେ ।

ଧାରଣ କରି ସ୍ତୁତି ପଢ଼ିବ ମନ ସୁଖେ ॥

ସ୍ତୁତି ମହାମନ୍ତ୍ର ଅଟେ ସର୍ବକାର୍ଯ୍ୟ ସାଧେ ।

ସର୍ବସିଦ୍ଧିପ୍ରଦ ସ୍ତୋତ୍ର ଶୁଣ ହେ ସଶ୍ରଦ୍ଧେ ॥

ସର୍ବମଙ୍ଗଳର କର୍ତ୍ତ୍ରୀ ସର୍ବାର୍ଥ ଦାୟିନୀ ।

ଶରଣ୍ୟେ ତ୍ର୍ୟମ୍ବକେ ଗୌରି ତୁମ୍ଭେ ନାରାୟଣୀ ॥

ଏ ସ୍ତୁତିକୁ ସାତବାର ପଢ଼ିବ ଭକ୍ତିରେ l

ପାଞ୍ଚଥର ପ୍ରଣାମ କରିବ ଶ୍ରଦ୍ଧାଭରେ ॥

ବେଶି ପ୍ରଣାମରେ ବେଶି ଫଳଲାଭ ହୁଏ ।

ଯୋନିମୁଦ୍ରା ଦେଖାଇ ବିସର୍ଜନ କରହେ ॥

ଦୁଇହାତ ପ୍ରସାରିଣ ଊର୍ଦ୍ଧ୍ୱଞ୍ଜଳି କରି ।

ଅଙ୍ଗୁଷ୍ଠି ଅଗ୍ର ଦୁହିଙ୍କ କନିଷ୍ଠାଗ୍ରେ ତୋଳି ॥

ବାମ କନିଷ୍ଠାରେ ବାମାନାମିକା ଯୋଡ଼ିବ ।

ଦକ୍ଷ ଅନାମିକା ଅଗ୍ରେ କନିଷ୍ଠାକୁ ଦେବ ॥

ଅନାମିକା ପୃଷ୍ଠେ ମଧ୍ୟମାକୁ ଯୋଡ଼ି ଦେଲେ ।

ତର୍ଜନୀ ଦୁହିଙ୍କୁ କନିଷ୍ଠା ଅଗ୍ରେ ଯୋଡ଼ିଲେ ॥

ଯୋନି ମୁଦ୍ରା ହୁଏ ଦେବୀ ପ୍ରୀତିକରୀ ସେହି ।

ମୂଳମନ୍ତ୍ରେ ତିନିବାର ଦେଖାଇବ ନେଇ ॥

ସେ ମୁଦ୍ରା ମସ୍ତକେ ନ୍ୟାସି ମଣ୍ଡଳ କରିବ ।

ଈଶାନ କୋଣେ ହସ୍ତାଗ୍ରେ ପଦ୍ମ ନକାଟିବ ॥

ଦ୍ଵାର ନକରି ରକ୍ତଚଣ୍ଡୀଙ୍କୁ ପ୍ରଣମିବ ।

ଉକ୍ତ ବର୍ଣ୍ଣରେ ଦେବୀଙ୍କୁ ଧ୍ୟାନ ଯେ କରିବ ॥

ହ୍ରୀଂ ହ୍ରୀଂ ବୋଲି ତହିଁ ନିର୍ମାଲ୍ୟ ନିକ୍ଷେପ କର ।

ଜଳେ ବୃକ୍ଷମୂଳେ ନିର୍ମାଲ୍ୟ ତେଜିବ ଖର ॥

ଏଭାବେ ଦେବୀ ପୂଜିଲେ ସର୍ବକାର୍ଯ୍ୟ ସିଦ୍ଧି ।

କହିଲି ଦେବୀ ପୂଜାର ଏ ସକଳ ବିଧ୍‌ ॥

ପ୍ରଥମେ ଅର୍ଦ୍ଧ ଲକ୍ଷରେ ଜପକୁ କରିବ ।

ପୁରଶ୍ଚରଣ ବିଧିରେ ବହୁତ ଜପିବ ॥

ଶୁକ୍ଳପକ୍ଷ ଅଷ୍ଟମୀ ବା ନବମୀ ଦିନରେ ।

ଉପବାସ ରହି କୁଣ୍ଡଖୋଳି ସବିଧିରେ ॥

ଗୁରୁପିତାଙ୍କ ସମୀପେ ମଣ୍ଡଳ କରିବ ।

ପର୍ବ ବିଧିରେ ଦେବୀଙ୍କୁ ଭକ୍ତିରେ ପୂଜିବ ॥

ବିଲ୍ଵପତ୍ର ସହିତ ତିନିଶତ ଯେ ଆଠ ।

ତିଳ ମିଶାଇ ଆହୁତି ଦେବ ହୋଇ ତୁଷ୍ଟ ॥

ତା’ପରେ ତିନି ସହସ୍ର ମନ୍ତ୍ର ଜପକରି ।

ଗନ୍ଧପୁଷ୍ପ ବସ୍ତ୍ର ନୈବେଦ୍ୟକୁ ଦେବ ଭୁରି ॥

ପାୟସ ନୈବେଦ୍ୟ ଦେଇ ବଳି ସମର୍ପିବ ।

ସ୍ଵର୍ଣ୍ଣ ରତ୍ନ ସିନ୍ଦୁରାଦି ସ୍ତ୍ରୀ ଭୂଷଣ ଦେବ ॥

ପୁଷ୍ପମାଳା ସମର୍ପଣ ଶାଲ୍ୟନ୍ନ ବ୍ୟଞ୍ଜନ ।

ଗବ୍ୟଘୃତ ସଙ୍ଗେ ନୈବେଦ୍ୟ କରିବ ପୁଣ ॥

ନବମୀରେ ଘୃତାଦିରେ ବଳି ସମର୍ପିବ ।

ସ୍ଵର୍ଣ୍ଣ ଗୌତିଳାଦି ଗୁରୁଙ୍କୁ ଦକ୍ଷିଣା ଦେବ ॥

ଅଭିଶପ୍ତ ଅପୁତ୍ରିକ ନିନ୍ଦକଳି ତବ ।

କ୍ରିୟାହୀନ ବିଦ୍ୟାଶୂନ୍ୟ ବାମନ ଯେ ହେବ ॥

ହିଂସା ପରାୟଣକୁ ଯେ ଗୁରୁ ନକରିବ ।

ମନ୍ତ୍ରମୂଳ ଗୁରୁ ତାଙ୍କୁ ଗଲେ ପରଖିବ ॥

ଶାଠ୍ୟକ୍ରୋଧ ମୋହ ଗୁରୁ ଅସମ୍ମତି ନେଇ ।

କପଟରେ ମନ୍ତ୍ରଗ୍ରହଣ କରିବ ନାହିଁ ॥

ଏଭାବେ ମନ୍ତ୍ର ଘେନିଲେ ବ୍ରହ୍ମସ୍ତେୟ ପାପେ ।

ତାମିସନରକ ଭୋଗେ ସେହି ତିନି କଳ୍ପେ ॥

ତା’ପରେ ପାପ ଯୋନିରେ ଜନ୍ମକୁ ଲଭଇ ।

ଶଠକ୍ରୂର ମୂର୍ଖକପଟୀ ଯେ ଶିଷ୍ୟ ହୋଇ ॥

ଭକ୍ତିହୀନ ପାପୀକୁ ମନ୍ତ୍ର ନ ଦେବ କେବେ l

ଅରଣ୍ୟେ ସୁବୀଜ ପରି ନଷ୍ଟ ହୁଏ ଜବେ ॥

ପୁରଶ୍ଚରଣ ବିଧିରେ ଲକ୍ଷେ ଜପ କଲେ ।

କାମନା ସିଦ୍ଧି ହୁଅଇ ଜାଣିଥାଅ ଭଲେ ॥

ଦୁଇଲକ୍ଷ ମନ୍ତ୍ର ଜପେ ତ୍ରିସନ୍ଧ୍ୟା ସ୍ନାନରେ ।

କବି ବାଗ୍ମୀ ପଣ୍ଡିତ ଯଶସ୍ଵୀ ହୁଏ ଭଲେ ॥

ଦେବୀଙ୍କର ପୂଜାସ୍ଥାନ କହିବା ହେ ଶୁଣ ।

ଯହିଁ ପୂଜାକଲେ ଦେବୀ ସନ୍ତୋଷ ଯେ ପୁଣ ॥

ନିର୍ଜନ ଶୈଳ ଯେ ନଦୀ ସମୁଦ୍ରର ତୀର ।

ଏସ୍ଥାନେ ପୂଜିଲେ ଦେବୀ ସନ୍ତୋଷ ଅପାର ॥

ଫଳମୂଳ ପତ୍ର ଜଳ ଯାହାକିଛି ଦେଲେ ।

ପାନଗୁଣେ ଦେବୀ ତାହା ଘେନନ୍ତି ସେ ଭଲେ ॥

ଜପ ମଧ୍ୟ ଉପାଂଶୁଜପ ପ୍ରଧାନ ଜାଣ ।

ଅଶୁଚି ହୋଇ ଦେବୀଙ୍କୁ ନପୂଜିବ ପୁଣ ॥

ଦନ୍ତରେ ରକ୍ତ କ୍ଷରିଲେ ମନ୍ତ୍ର ନସ୍ମରିବ ।

ଜାନୁ ଉର୍ଦ୍ଧ୍ୱେକ୍ଷେତ ହେଲେ କର୍ମ ନକରିବ ॥

ଜାନୁତଳ ଅଙ୍ଗେକ୍ଷତ ହେଲେ ନୈମିତ୍ତିକ ।

କର୍ମକୁ ବର୍ଜିବ କହେ ତୁମ୍ଭଙ୍କୁ ଏତକ ॥

ଜନ୍ମମୃତ୍ୟୁ ଅଶୌଚରେ କ୍ଷୌର ମୈଥୁନରେ ।

ଧୂମେ ବମନ କାଳେ ନିତ୍ୟକର୍ମ ନଚଳେ ॥

ଭୋଜନାନ୍ତେ ଅଜୀର୍ଣ୍ଣେ ନକର ନିତ୍ୟକର୍ମ ।

ଉପବାସେ କରିବ ହୋଇଣ ଶୁଦ୍ଧମନ ॥

ପତ୍ରପୁଷ୍ପ ତାମ୍ବୁଳ ଔଷଧେ ଦୋଷ ନାହିଁ ।

ଫଳ ଜଳ ଖାଇ ନିତ୍ୟକର୍ମ କର ନାହିଁ ॥

ଜୋକ ସର୍ପ କୃମିଗଣ୍ଡୁପଦ୍ରାଦି ଜୀବଙ୍କୁ ।

ହସ୍ତେ ଛୁଇଁ ନକରିବ ସେ ନିତ୍ୟକର୍ମକୁ ॥

ମୃତ ପିତୃକ ଯେ ନର ଏକବର୍ଷ ଯାଏ ।

ଦେବୀପୂଜା ନକରିବ ଶୁଣ ମୋର ପୁଏ ॥

ମହାଗୁରୁ ନିପାତେ ଛାଡ଼ିବ କାମ୍ୟକର୍ମ ।

ଆହନ୍ୟ ବ୍ରହ୍ମଯଜ୍ଞ ଶ୍ରାଦ୍ଧଦେବ ଯଜନ ॥

ଗୁରୁଙ୍କୁ ଆକ୍ଷେପ କରି ବ୍ରାହ୍ମଣକୁ ମାରି ।

ବୀର୍ଯ୍ୟ ପତନରେ ନିତ୍ୟକର୍ମକୁ ନକରି ॥

ଆସନ ଅର୍ଘ୍ୟପାତ୍ର ଯେ ଛିନ୍ନଭଗ୍ନ ହେଲେ ।

ମରୁଭୂମି କୃମିଯୁକ୍ତ ସ୍ଥାନଛାଡ଼ି ଭଲେ ॥

ନୀଚରେ ଆସନ କରି ଶୁଚିଶୁଦ୍ଧ ମନେ ।

ଦେବୀ ଦେବଙ୍କୁ ପୂଜିବ ଶୁଦ୍ଧପୁତ ସ୍ଥାନେ ॥

ଉତ୍ତରାମୁଖେ ପୂଜିଲେ ଦେବୀ ପ୍ରୀତାହ୍ୱନ୍ତି ।

ତେଣୁ ସାଧକ ଉତ୍ତର ମୁଖରେ ପୂଜନ୍ତି ॥

କୃମିଯୁତ ମ୍ଳାନଛିନ୍ନ କେଶମିଶ୍ର ପୁଷ୍ପ l

ପୂଜାରେ ବର୍ଜିବ କହିଦେଲି ମୁଁ ବିଶେଷ ॥

ବାସି ମ୍ଳେଚ୍ଛ ସ୍ପୃଷ୍ଟପାଦ ସ୍ପୃଷ୍ଟକୁ ବର୍ଜିବ ।

ପରକୀୟ ପୁଷ୍ପ ମାଗି ପୂଜା ନକରିବ ॥

ଦେବୀଙ୍କ ପୂଜନବିଧି ସକଳ ଶୁଣିଲ ।

ଏ ଭାବେ ଦେବୀଙ୍କୁ ପୂଜା ପାଇବ କୈବଲ୍ୟ ॥

ଯେ ଏହି ବିଧିରେ ଦେବୀ ପୂଜେ ନିରନ୍ତର ।

ଧନଜନ ଆୟୁ ଯଶ ବଢ଼ଇ ତାହାର ॥

ଅନ୍ତେଦେବୀ ଲୋକେବସେ ସୁଭୋଗ ଭୁଞ୍ଜାଇ ।

ପ୍ରଭାକର କାଳିକା ପୁରାଣେ ଗୀତେ କହି ॥

 

ଇତି ଶ୍ରୀ କାଳିକା ପୁରାଣେ ଔର୍ବସଗର

ସମ୍ବାଦେ ସପ୍ତପଞ୍ଚାଶୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୫୮ ॥

 

ଶ୍ରୀ ଈଶ୍ଵର ଉବାଚ

ଏମନ୍ତ୍ର କବଚ ଶୁଣ ବେତାଳ ଭୈରବ ।

ବୈଷ୍ଣବୀତନ୍ତ୍ରେ ଭକ୍ତ ସେ ଦେବୀଙ୍କ ପ୍ରଭାବ ॥

ମନ୍ତ୍ର ଆଦ୍ୟାକ୍ଷର ବାସୁଦେବ ସ୍ଵରୂପକ ।

ଦ୍ୱିତୀୟ ବ୍ରହ୍ମାଙ୍କ ରୂପ ତୃତୀୟ ତ୍ରମ୍ବକ ॥

ଚତୁର୍ଥ ଗଣେଶ ରୂପ ପଞ୍ଚମ ଆଦିତ୍ୟ ।

ପଞ୍ଚାକ୍ଷର ଜଗନ୍ମୟୀ ସ୍ଵରୂପ ସେ ନିତ୍ୟ ॥

ଯକାର ଲକ୍ଷ୍ମୀରୂପ ଶେଷ ଯେ ସରସ୍ଵତୀ ।

ପୂର୍ବ ବର୍ଣ୍ଣର ଯୋଗିନୀ ନିଜେ ଶୈଳପୁତ୍ରୀ ॥

ଦ୍ୱିତୀୟ ବର୍ଣ୍ଣ ଯୋଗିନୀ ଚଣ୍ଡିକା ଅଟନ୍ତି ।

ତୃତୀୟର କୁଷ୍ମାଣ୍ଡୀ ଚତୁର୍ଥର ପାର୍ବତୀ ॥

ଷଷ୍ଠର ସେ କାତ୍ୟାୟନୀ ସପ୍ତମର ପୁଣି ।

କାଳରାତ୍ରି ଯୋଗିନୀ ଜାଣିବ ତୁମ୍ଭେ ଗଣି ॥

ଆଦ୍ୟବର୍ଣ୍ଣର କବଚ ଯୋଗିନୀ କବଚ ।

ଦ୍ୱିତୀୟ ଦେବୌଘ ତହୁଁ ଦିକ୍‍କର କବଚ ॥

ପାର୍ଶ୍ଵକବଚ ଷଡ୍‌ବର୍ଣ୍ଣ କଚଚ ତା’ପରେ ।

ଅଭେଦ୍ୟ କବଚ ଜାଣ ଏଆଠ ପ୍ରକାରେ ॥

ଏହାକୁ ଯେ ଜାଣେ ସେ ସ୍ଵୟଂଦେବୀ ସ୍ଵରୂପ ।

ବୈଷ୍ଣବୀତନ୍ତ୍ର କବଚର ନ୍ୟାସ ସ୍ଵରୂପ ॥

ନାରାୟଣ ଋଷି ଅନୁଷ୍ଟୁପ ଛନ୍ଦ ତହିଁ ।

ଈଶ୍ଵର ଦେବତା କାତ୍ୟାୟନୀ ଦେବୀ କହି ॥

ସର୍ବକାମାର୍ଥ ସାଧନେ ବିନିଯୋଗ କରି ।

ସକଳ କାମନା ସିଦ୍ଧି ଏ କବଚ ସ୍ମରି ॥

ପୂର୍ବଦିଗେ ଅକାର ରଖୁ ଅଗ୍ନିକୋଣରେ ।

କରଖଚ ଦକ୍ଷିଣରେ ଟଟି ନୈଋତ୍ୟରେ ॥

ତପଶ୍ଚମେ ଅସୌବାୟୁ ଦେଶେ ରକ୍ଷା କରୁ ।

ଯପୁତ୍ତରେ ରଖୁ ଶ ଈଶାନେ ରକ୍ଷାକରୁ ॥

ମୋ ମସ୍ତକର ଖୁସ ବାହୁ ରଖନ୍ତୁ କଚ ।

ହୃଦୟେ ଟକଣ୍ଠେ ତକଟିରେ ଶକ୍ତିଋତ ॥

ଯଶ ଦୁଇପାଦେ ରଖୁ ପୁଣଇ ଶୈଳପୁତ୍ରୀ ।

ପୂର୍ବରେ ରଖନ୍ତୁ ଚଣ୍ଡୀ ଅଗ୍ନିରେ ରଖନ୍ତି ॥

ଚଣ୍ଡଘଣ୍ଟା ଦକ୍ଷିଣରେ କୁଷ୍ମାଣ୍ଡୀ ନୈରୁତ୍ତେ । ।

ସ୍କନ୍ଦମାତା ପଶ୍ଚିମରେ କାତ୍ୟାନି ଯେବାତେ ॥ ।

କାଳରାତ୍ରି ଉରରେ ମହାଗୌରୀ ଈଶାନେ ।

ନେତ୍ରଦ୍ୱୟ ବାସୁଦେବ ରଖନ୍ତୁ ଯତନେ ॥

ବ୍ରହ୍ମାବଦନ ରଖନ୍ତୁ ନାସିକାକୁ ଶିବ ।

ସ୍ତନଦ୍ଵୟ ଗଣେଶ ହସ୍ତକୁ ସୂର୍ଯ୍ୟଦେବ ॥

ନାଭିକୁ ମହାମାୟା ଗୁହ୍ୟକୁ ମହାଲକ୍ଷ୍ମୀ ।

ସରସ୍ଵତୀ ଦେବୀ ରଖନ୍ତୁ ଦୁଇଜାନୁନୀ ॥

ପୂର୍ବଭାଗେ ମହାମାୟା ରଖନ୍ତୁ ଯତନେ ।

ଅଗ୍ନିଜ୍ଵଳା ଆଗ୍ନେୟରେ ଭୁଦ୍ରାଣୀ ଦକ୍ଷିଣେ ॥

ନୈରୁତ୍ତେ ଚଣ୍ଡନାୟିକା ପଛେ ଉଗ୍ରଚଣ୍ଡା ।

ଉତ୍ତରେ ଘୋରରୂପିଣୀ ବାୟୁରେ ପ୍ରଚଣ୍ଡା ॥

ଈଶାନରେ ଈଶ୍ଵରୀ ରଖନ୍ତୁ ସଦାକାଳେ ।

ଊର୍ଦ୍ଧ୍ୱରେ ମହାମାୟା ପରେଶ୍ଵରୀ ନିମ୍ନରେ ॥

ଆଗରେ ଉଗ୍ରୀ ପଛରେ ବୈଷ୍ଣବୀ ରଖନ୍ତୁ ।

ଦକ୍ଷିଣ ପାର୍ଶ୍ଵେ ବ୍ରାହ୍ମଣୀ ସର୍ବଦା ଜଗନ୍ତୁ ॥

ମାହେଶ୍ଵରୀ ବାମପାର୍ଶ୍ଵେ କୌମାରୀ ପର୍ବତେ ।

ବରାହୀଜଳେ ନାରସିଂହୀକାନ ନଗତେ ॥

ଆକାଶ ଜଳସ୍ଥଳରେ ଐନ୍ଦ୍ରୀ ରକ୍ଷାକର ।

ସର୍ବାଙ୍ଗୁଳିଙ୍କୁ ରକ୍ଷନ୍ତୁ ସେତୁରୂପେ ମୋର ॥

କର୍ଣ୍ଣଦ୍ଵୟ ରଖ ଦେବାଦି ଦେବାନ୍ତ ପୁଣି ।

ଚିବୁକକୁ ପାର୍ଶ୍ଵଦ୍ଵୟ ପଞ୍ଚମ ଶକ୍ତିନି ॥

ଭୁରୁଦ୍ଵୟ କୁହା ଦେବୀ ଜଙ୍ଗ ଦ୍ୱୟମାୟା ।

ସର୍ବଦା ସର୍ବଇନ୍ଦ୍ରିୟ ରୋମକୂପ ଛାୟା ॥

ବିସଦାଚର୍ମକୁ ରଖ ନଖଦନ୍ତ କର ।

ଓଷ୍ଠାଦି ରଖନ୍ତୁ ଶମ୍ଭୁ ହୋଇଣ ତତ୍ପର ॥

ବସ୍ତିକୁ ରଖୁ ଦେବାଦି ସ୍ତନକକ୍ଷ ପୁଣି ।

ଦେବନ୍ତ ରଖନ୍ତୁ ମୋର ବାହ୍ୟଦେହ ଜାଣି ॥

ଆଜ୍ଞାଚକ୍ର ସୁଷୁଣା ଯେ ଷଟ୍‌ଚକ୍ର ହୃଦୟ ।

ସନ୍ଧି ଆଦିଷୋଳଚକ୍ର ଲଲାଟ ବିଷୟ ॥

ଆକାଶତନ୍ତ୍ର ମନ୍ତ୍ରଙ୍କୁ ବୈଷ୍ଣବୀ ରଖନ୍ତୁ ।

ଯନ୍ତ୍ରକରା ଚରଣକୁ ବାରାହୀ ଜଗନ୍ତୁ ॥

କର୍ଣ୍ଣନାଡ଼ୀ ପାର୍ଶ୍ୱକକ୍ଷ ଶିଖାରକ୍ତ ସ୍ନାୟୁ ।

ମଜ୍ଜା ମସ୍ତିଷ୍କ ପର୍ବ ଏ ସବୁରକ୍ଷା ପାଉ ॥

ଦ୍ୱିତୀୟା ଷ୍ଟାକ୍ଷର ମନ୍ତ୍ର ରକ୍ଷନ୍ତୁ ଏହାକୁ ।

ତୃତୀୟ ଷଡ଼ୁକ୍ଷର ବୀର୍ଯ୍ୟାବାୟୁ ନାଭିକୁ ॥

ମହାମାୟା ନାସାରନ୍ଧ୍ର କଣ୍ଠକୁ ବୈଷ୍ଣବୀ ।

ସର୍ବ ସନ୍ଧି ରକ୍ଷାକର ମୋର ଦୁର୍ଗାଦେବୀ ॥

କାଳିକା ହୁଂଫଟ୍‌ ବୋଲି କର୍ଣ୍ଣକୁ ରଖନ୍ତୁ ।

ନେତ୍ରବୀଜତ୍ରୟ ନେତ୍ର ଦ୍ଵୟକୁ ରଖନ୍ତୁ ॥

ଓଁ ଐଂ ହ୍ରୌଂ ହ୍ରୌଂ ଚଣ୍ଡିକାଯେ ନାସିକାକୁ ରଖ ।

ଓଁ ହ୍ରୀଂହୂଂ ତାରାଦେବୀ ଜିହ୍ନାମୂଳ ଦେଖ ॥

ହୃଦୟେ ମୋ ଜ୍ଞାନ ରକ୍ଷାକର ମେରୁଦେବୀ ।

ଓ କ୍ଷୌଂଫଟ ମହାମାରୀ ସର୍ବରଖ ଭାବି ॥

ଓଂ ଯୁଂସ କୌଶିକୀ ରଖମୋର ପଞ୍ଚପ୍ରାଣ ।

ଭର୍ଗନାରୀ ଓଁ ହ୍ରୀଂ ହୂଂରେ ରଖ ଦେହ ଶୂନ୍ୟ ॥

ଓଂ ମ ନାଶ ମୋରୋଗ ସକଳ ଶୈଳପୁତ୍ରୀ ।

ସର୍ବଅସ୍ତ୍ର ସଂହାଦି ଭୟରୁ ଶିବଦୂତୀ ॥

ଚଣ୍ଡଘଣ୍ଟା କର୍ଣ୍ଣଛିଦ୍ର କାମେଶ୍ୱରୀ କାମ ।

ଉଗ୍ରଚଣ୍ଡୀ ବିଘ୍ନସହ ନାଶରିପୁଣ ॥

ଚକ୍ରଭୟୁ ବ୍ରାହ୍ମୀରଖ ରୁଦ୍ରାଣୀ ଶକ୍ତିରୁ ।

କୌମାରୀ ବଜ୍ରରୁରଖ ବାରାହୀ କାଣ୍ଡୁରୁ ॥

ମାଂସାଶୀଜନ୍ତୁ ମୁଖରୁ ସବୁ ଅସ୍ତ୍ରଠାରୁ ।

ଚକ୍ତକାରଖ ଶସ୍ତ୍ରାଦି ଅନିଷ୍ଟ ମନ୍ତ୍ରରୁ ॥

ବିଶ୍ଵାସଘାତକଠାରୁ ରଖ ମା ଇନ୍ଦ୍ରାଣୀ ।

ମହାମାୟା ବୈଷ୍ଣବୀଙ୍କୁ ନମଇଁ ମୁଁ ପୁଣି ॥

ସର୍ବପ୍ରାଣୀ ଉୟ ରଖମା ପରମେଶ୍ୱରୀ ।

ଅଷ୍ଟାକ୍ଷର ମନ୍ତ୍ରରଖ ମୋ ଦେହ ଆବୁରି ॥

ଯେ ମନ୍ତ୍ରକୁ ବ୍ରହ୍ମାଶିରେ ହରିଗଳେ ଧରେ ।

ଶିବ ହୃଦୟେ ରଖିଣ ସର୍ବେଲୋକ ପାଳେ ॥ ।

ଆଦ୍ୟଶେଷେ ବର୍ଣ୍ଣସ୍ଵରେ ବିସର୍ଗାନୁସ୍ଵାରେ ।

ଯୁକ୍ତହୋଇ ହରିହରାଦିଙ୍କୁ ରକ୍ଷାକରେ ॥

ବୈଷ୍ଣବୀ ତନ୍ତ୍ର ମନ୍ତ୍ରରେ ଶ୍ରେଷ୍ଠ ଅଷ୍ଟାକ୍ଷର ।

ତ୍ରିଲୋକରେ ମୋତେ ରଖ ନାଶଦୁଃଖ ଘୋର ॥

ଅଷ୍ଟଅଙ୍ଗ ଅଷ୍ଟବସୁ ଅଷ୍ଟମୂର୍ତ୍ତି ଜାଣ ।

ଅଷ୍ଟସିଦ୍ଧି ଅଷ୍ଟରତି କଳା ଯେ ପ୍ରମାଣ ॥

ତେଣୁ ଅଷ୍ଟାକ୍ଷରେ ମନ୍ତ୍ର ଦେବୀଙ୍କ ପ୍ରସିଦ୍ଧ ।

ରକ୍ଷାକର ମୋତେ ସେହି ମନ୍ତ୍ରେ ହେବି ସିଦ୍ଧି ॥

ଏ କବଚ ସର୍ବକାମ ପ୍ରଦାନ କରଇ ।

ଅତି ଗୁପ୍ତ ସର୍ବାର୍ଥସାଧକ ଅଟେ ଏହି ॥

ଯେ ଥରେ ଶୁଣେ ଏହାକୁ ଯେ ବା ପଢ଼େ ଥରେ l

ସର୍ବକାମ ଲଭି ଶିବ ରୂପରେ ବିହରେ ॥

ଯୁଧ୍ୟେଜୟ ରିପୁକ୍ଷୟ ହୁଅଇ ତାହାର ।

ଅସ୍ତ୍ରଶସ୍ତ୍ର ପ୍ରବେଶ ନୁହଇବା ଶରୀର ॥

ବ୍ୟାଧି ଦୁଃଖ ହୁଏ ନାହିଁ ଉଚାଟନ ଆଦି ।

ନଘେଟେ ତାହାକୁ ଲଭେ ସେହି ଅଷ୍ଟ ସିଦ୍ଧି ॥

ବାୟୁ ତୁଲ୍ୟ ଗତିହୁଏ କେହି ନ ରୋକଇ ।

ଦୀର୍ଘାୟୁ କାମଭୋଗୀ ସେ ଧନବାନ ହୋଇ ॥

ଅଷ୍ଟମୀ ନବମୀ ଦିନେ ସଂଯତ ହୋଇଣ ।

ଦେବୀଙ୍କୁ ବିଧିରେ ପୂଜେ ମନେ ଚିନ୍ତି ପୁଣ ॥

କବରକୁ ଦେହେ ନ୍ୟାସକରେ ଯେଉଁନର ।

ଜିତବ୍ୟାଧି ଶତାୟୁ ରୂପେ ଗୁଣେ ସୁନ୍ଦର ॥

ଧନରତ୍ନଶାଳୀ ବିଦ୍ୟାଲଭେ ସେ ମାନବ ।

ଅଗ୍ନି ନଦହେ ଜଳ ନବୁଡ଼ାଏ ଯେ ସର୍ବ ॥

ବାୟୁ ନଶୋଷଇ ହିଂସ ପ୍ରାଣୀ ନହିଂସନ୍ତି ।

ଶସ୍ତ୍ର ନଛିଣ୍ଡାନ୍ତି ସୂର୍ଯ୍ୟତାପ ନଦିଅନ୍ତି ॥

ବିଘ୍ନ ନଥାଏ ତାହାର ଜ୍ଵର ନ ହୁଅଇ ।

ବେତାଳ ରାକ୍ଷସ ଆଦି ତାକୁ ନ ପୀଡ଼ଇ ॥

ଯେ ଭକ୍ତିରେ ନିତ୍ୟେପଢ଼େ ଶିବୋକ୍ତ କବଚ ।

ମହାଦେବ ଦେବୀ ତୁଲ୍ୟ ହୁଏ ହେଲେ ଜୀଚ ॥

ତାହାକରେ ଚତୁବର୍ଗ ମିଳେ ବଳେ ବଳେ ।

ଅନ୍ୟକୁ ଯେ ବର ଦିଏ ନିତ୍ୟଜ୍ଞାନୀ ବୋଲେ ॥

କବି ସତ୍ୟବାଦୀ ହୁଏ ବହୁ ଶ୍ଳୋକ କହେ ।

ଶ୍ରୁତିଧର ହୋଇ ସଂସାରରେ ପୂଜାପାଏ ॥

ଯାହାଘରେ ଏ କବଚ ଲେଖାହୋଇ ରହେ l

ଦୁର୍ଗତି ଦୂଷଣ ତାର କେବେ ନାହିଁ ହୁଏ ॥

ତାଠାରେ ଗ୍ରହ ସନ୍ତୋଷ ରାଜା ବଶ ହୁଏ ।

କବଚଜ୍ଞ ରହେ ତହିଁ ଇତି ଭୟ ନୁହେଁ ॥

ସେତ ଦେବଶକ୍ତି ବୀଜ ପଞ୍ଚମୋହ ବାୟୁ ।

ଦ୍ୱିତୀୟା ଷ୍ଟାକ୍ଷର ମନ୍ତ୍ରେ ରହନ୍ତି ସେ ଆଉ ॥

ଷଡ଼କ୍ଷର ଦେବୀମନ୍ତ୍ର ବୈଷ୍ଣବୀ ତନ୍ମୋକ୍ତ ।

ଏ ଦୁଇମନ୍ତ୍ର ଜିହ୍ଵାଗ୍ରେ ଧରେ ଯେହୁ ବକ୍ତ୍ର

ତା ଦେହରେ ଦେବୀ ସଦା ନିବାସ କରନ୍ତି ।

ମନ୍ତ୍ର ସେହୁ ପ୍ରଣବଟି ଜାଣ ଶୁଦ୍ଧମତି ॥

ମନ୍ତ୍ର ଆଦ୍ୟପ୍ରାନ୍ତେ ପ୍ରଣବକୁ ନିଯୋଗିଲେ ।

ମନ୍ତ୍ର ଫଳକୁ ଦିଅଇ ଅନ୍ୟଥା ସେ କ୍ଷରେ ॥

ନମସ୍କାର ମହାମନ୍ତ୍ର ଶୁଦ୍ରମାନଙ୍କର ।

ଅରମ ଅକ୍ଷର ତିନି ବେଦରୁ ବାହାର ॥

ବିପ୍ରର ଉଦାତ୍ତ କ୍ଷତ୍ରୀୟର ଅନୁଦାତ୍ତ ।

ବୈଶ୍ୟର ସ୍ଵଗିତ ସେହି ଆଦ୍ୟ ପ୍ରଣବତ ॥

ବନ୍ଧବିନା ଜଳ ଯଥା ରହି ନପାରଇ ।

ପ୍ରଣବ ବିନା ମନ୍ତ୍ର ଯେ ନଷ୍ଟ ହୋଇଯାଇ ॥

ତେଣୁ ମନ୍ତ୍ର ଆଦ୍ୟପ୍ରାନ୍ତ ପ୍ରଣବ ଯୋଗରେ ।

ମନ୍ତ୍ର ଜପିଲେ କାମନା ସିଦ୍ଧିହୁଏ ଭଲେ ॥

ଔର୍ବ ଉବାଚ

ଶିବୋକ୍ତ ଦେବୀ କବଚ ତୁମ୍ଭଙ୍କୁ କହିଲି ।

ଅଭେଦ୍ୟ କବଚ ଏହି ମନେରଖ ଭାଳି ॥

ମହାମାୟା ମନ୍ତ୍ର କଳ୍ପ କବଚ ଯେ ପୁଣି ।

ଷଡ଼କ୍ଷର ମନ୍ତ୍ର ତିନିଲୋକେ ଏ ଅଗ୍ରଣୀ ॥

ହେ ରାଜା ଏ କବଚକୁ ଭକ୍ତିରେ ପଢ଼ିଣ ।

ବୈଷ୍ଣବୀ ମନ୍ତ୍ରକୁ ଜପି ସିଦ୍ଧି ଲାଭ ପୁଣ ॥

ଶ୍ରୀ ପାର୍ବତୀ ଶଙ୍କରଙ୍କ ପଦେ ମନ ଦେଇ ।

କାଳିକା ପୁରାଣ ଗୀତେ ପ୍ରଭାକର କହି ।

 

ଇତି ଶ୍ରୀ କାଳିକାପୁରାଣେ ମହାମାୟା ମନ୍ତ୍ର

କଳ୍ପୋ ନାମାଷ୍ଟା ପଞ୍ଚାଶତ୍ତମୋଽଧ୍ୟାୟଃ ।

✽✽✽

 

॥ ୫୯ ॥

 

ମାର୍କଣ୍ଡେୟ ଉବାଚ

ବେତାଳ ଭୈରବ ପ୍ରଶ୍ନେ ଶିବ ଦୟାବହି ।

ତାଙ୍କୁ ସବୁ ଜଣାଇଲେ ଔର୍ବ ତାହା କହି ॥

ସଗର ରାଜା ଶୁଣିଣ ପୁଣି ପଚାରିଲେ ।

ଔର୍ବଋଷି ତାଙ୍କ ଆଗେ ପ୍ରକାଶି କହିଲେ ॥

ସଗର ଉବାଚ

ସାଙ୍ଗମନ୍ତ୍ର କହିଲ ଅଙ୍ଗମାନଙ୍କୁ ଏବେ ।

କହି ସନ୍ତୋଷକର ହେ ମୋ ଆଗରେ ତୁମ୍ଭେ ॥

ସର୍ବମନ୍ତ୍ର ପୂଜାସ୍ଥାନ କବଚ ସମସ୍ତ ।

କାମାଖ୍ୟା ମାହାତ୍ମ୍ୟ କହ ମନ୍ତ୍ରାଦି ସହିତ ॥

ଔର୍ବ ଉବାଚ

ଶିବ ପୁତ୍ର ଦୁହିଁଙ୍କୁ ଯେପରି କହିଥିଲେ ।

ସେଭାବେ ମୁଁ କହିବି ଶୁଣ ହେ ରାଜା ଭଲେ ॥

ଏ ଅତି ରହସ୍ୟ ପୁଣ୍ୟ ପାପ ବିନାଶକ ।

ଚତୁବର୍ଗପ୍ରଦ ପୁଣି କଲ୍ୟାଣ କାରକ ॥

ଶଠ ଚଳଚିତ୍ତ ନାସ୍ତିକ ଯେ ଅଜିତାତ୍ମା ।

ଦେବ ଦ୍ଵିଜ ଗୁରୁଦ୍ରୋହୀ ଯେ ପୁଣି ପାପାତ୍ମା ॥

ଅଭିଶପ୍ତ ଛୋଟା କଣା ଆଦି ରୋଗଯୁକ୍ତ ।

ଏମାନଙ୍କୁ ନକହିବ ଏ ଅତୀବ ଗୁପ୍ତ ॥

ମହାମାତ୍ରା ମନ୍ତ୍ର କଳ୍ପ ଶଙ୍କର କହିଲେ ।

ଅଙ୍ଗମନ୍ତ୍ରକୁ କହିବା ପାଇଁ ଇଚ୍ଛାକଲେ ॥

ଶ୍ରୀ ଈଶ୍ଵର ଉବାଚ

ଅଙ୍ଗମନ୍ତ୍ର ଶୁଣ ସର୍ବ ପୂଜାରେ ଏ ଯୋଜ୍ୟ ।

ଆଚାନ୍ତ ସୁସ୍ଵାଦ ହୋଇ କରି ଦେବୀ ପୂଜ ॥

ପୂଜାବେଦୀ ବାହାରେ ଚାରିହାତ ଛାଡ଼ିଣ ।

ଗୃହଦ୍ଵାର ଦେଶେ ବସି ପ୍ରଣାମ କରିଣ ॥

ଗୁରୁ ଇଷ୍ଟଦେବ ଦିଗପାଳଙ୍କୁ ନମିବ ।

ପୂର୍ବର୍ଜିତ ପାପସବୁ ସ୍ମରଣ କରିବ ॥

ସେ ପାପ ବିନାଶେ ମନ୍ତ୍ରଦ୍ଵୟକୁ ପଢ଼ିବ ।

ଦେବି ତୁମ୍ଭେ ମୋର ଚିତ୍ତ ପାପକୁ ନାଶିବ ॥

ହୂଂ ଫଟ୍‌ ନମଃ କହିଣ ପାପ ନିଃସାରଣ ।

କରି ପୂଜାକଲେ ଫଳ ପାଇବ ହେ ଜାଣ ॥

ସୂର୍ଯ୍ୟ ଚନ୍ଦ୍ର ଯମକାଳ ପଞ୍ଚ ମହାଭୂତ ।

ଏମାନେ ଶୁଭାଶୁଭ କର୍ମର ସାକ୍ଷି ମାତ୍ର ॥

ତହୁଁ ପୁଣି ହୁଂ ଫଟ୍‌ ବୋଲିଣ ପାର୍ଶ୍ଵ ଦ୍ୱୟ ।

ଅଧ ଊର୍ଦ୍ଧ୍ୱ କ୍ରୋଧଭରେ ଚାହିଁବ ନିଶ୍ଚୟ ॥

ତା’ପରେ ଶାନ୍ତ ମନରେ ଗତ ପାପମାନ ।

ଆଗତ ପାପକୁ ବିନାଶିବ ତତ୍‌କ୍ଷଣ ॥

ତହୁଁ ନାରାଚ ମୁଦ୍ରାରେ ପୂଜାଦ୍ରବ୍ୟ ଚାହିଁ ।

ତୋଷଯୁକ୍ତ ହେଲେ ତାହା ପରଖିବ ନେଇ ॥

ତହୁଁ ରଂ ମନ୍ତ୍ରରେ ଦୀପ ଶିଖାକୁ ଛୁଇଁବ ।

ଅଜ୍ଞାତଦୋଷ ସକଳ ବିନାଶ କରିବ ॥

ଘଟସ୍ଥିତ ଜଳକୁ ଦେଖିବ ତ ଭଲ କରି ।

ଜଳଦୋଷ ବିନାଶଇ ଚାହିଁଲେ ସେ ବାରି ॥

ଆଧାର ମନ୍ତ୍ରେ ଆସନ ପକାଇ ହସ୍ତରେ ।

ମାତୃକାନ୍ୟାସ କରିବ ମାତୃକା ମନ୍ତ୍ରରେ ॥

ତହୁଁ କର ଶୁଦ୍ଧିକରି ଗର୍ଭସ୍ଥ ପୁଷ୍ପରେ ।

ପ୍ରଣବ ଉଚ୍ଚେ ଉଚ୍ଚାରି ମୁଖ ଶୁଦ୍ଧି କରେ ॥

ବିଷ୍ଣୁ ବୀଜେ ପ୍ରଣାୟାମ କରିବ ତ୍ରିବାର ।

କୁର୍ମମନ୍ତେ କର କଛପିକା ମୁଦ୍ରା କର ॥

ତହୁଁ ଅର୍ଘ୍ୟ ସଂସ୍କାରକୁ ସବିଧିରେ କରି ।

ସେ ଜଳସେଚନେ ପୂଜାଦ୍ରବ୍ୟ ଶୁଦ୍ଧି ସାରି ॥

ଭୂତାପ ସାରଣ କରି ଦିଗ୍‍ବନ୍ଧ କରିବ ।

ଯୋଗପୀଠ ପୂଜାକରି ମଣ୍ଡଳ ପୂଜିବ ॥

ତହୁଁ ଉପଚାର ଦାନ କରିବ ମନ୍ତ୍ରରେ ।

ମାଳାମନ୍ତ୍ରେ ମାଳା ଧରି ଜପିବ ମନରେ ॥

ଜପଶେଷେ ମାଳାକୁ ମସ୍ତକରେ ରଖିବ ।

ହସ୍ତେ ଧରି ମାଳାକୁ ଶ୍ରୀ ବୀଜରେ ପୂଜିବ ॥

ଅନ୍ତ ଦନ୍ତାନ୍ତ ମାତ୍ରାରେ ଆଦି ବର୍ଗାକ୍ଷର ।

ଚନ୍ଦ୍ରବିନ୍ଦୁ ସଂଯୋଗେ ଶ୍ରୀବୀଜ ଏବେ ଧର ॥

ମସ୍ତକରୁ ମାଳା ଆଣିବା ସମୟେ ପୁଣି ।

ସାରସ୍ଵତ ବୀଜେ ତାହା ଧରିବ ଯେ ପାଣି ॥

ଶ୍ରୀବୀଜ ଆଦ୍ୟ ଚନ୍ଦ୍ରବିନ୍ଦୁ ସଂଯୋଗ ହେଲେ ।

ସାରସ୍ଵତ ବୀଜ ହୁଏ ଜାଣିବ ସକଳେ ॥

ପୌରାଣିକ ବୈଦିକ ମୂଳମନ୍ତ୍ରକୁ ପଢ଼ି ।

ପ୍ରଦକ୍ଷିଣ ପ୍ରଣାମ କରିବ ତଡ଼ ବଡ଼ି ॥

ପୂର୍ବରୁ ଭୂମି ବୀଜରେ ଭୂମିକୁ ଚାହିଁବ ।

ମସ୍ତକେ ଭୂମି ଲଗାଇ ପ୍ରଣାମ କରିବ ॥

ସମାପ୍ତିହୀନ ବରାହବୀଜେ ଚନ୍ଦ୍ରବିନ୍ଦୁ ।

ଦେଲେ କ୍ଷିତିବୀଜ ହୁଏ ଚତୁବର୍ଗ ସାଧୁ ॥

ଦର୍ପଣ ଚାମର ଘଣ୍ଟା ବ୍ୟଞ୍ଜନ ଉପରେ ।

ଜଳ ଛିଞ୍ଚିବ ନୈବେଦ୍ୟ ବୀକ୍ଷଣ ମନ୍ତ୍ରରେ ॥

ଆଦ୍ୟ ନାମାକ୍ଷରେ ଚନ୍ଦ୍ରବିନ୍ଦୁ ଯୋଗଳଲେ ।

ତସ୍ମୈ ନମଃ ଶେଷେ କହି ଗ୍ରହଣ ମନ୍ତ୍ରରେ ॥

ମୂଳମନ୍ତ୍ରେ ଚାମରାଦି ସମର୍ପଣ କରି ।

ବାଗ୍‌ବୀଜ ଦ୍ଵିତୀୟାକ୍ଷରେ କାମବୀଜ ଯୋଡ଼ି ॥

ମୁଦ୍ରା ବନ୍ଧନ କରି ମୂଳମନ୍ତ୍ରେ ଦେଖାଇ ।

ତାରାବୀଜେ ମୁଦ୍ରା ତ୍ୟାଗ କରିବ ଯେ ତହିଁ ॥

ଆଦି ଅନ୍ତ ବର୍ଣ୍ଣ ଚନ୍ଦ୍ରବିନ୍ଦୁ ସଂଯୋଗରେ ।

ଷଷ୍ଠସ୍ଵର ମିଶି ତାରାବୀଜ ହୁଏ ପରେ ॥

ମୁଦକୁ ଦେବାରୁ ମୁଦ୍ରାନାମ ତାର ହେଲା ।

ମୁଦ୍ରା ଦେଖାନ୍ତେ ପୂଜାର ସମାପ୍ତି ହୋଇଲା ॥

ଦେବୀ ଗମନ ସମୟେ ଚତୁବର୍ଗ ଦେଇ ।

ସାଧକକୁ ପ୍ରୀତ କରନ୍ତି ସେ ଦୟାବହି ॥

ମୁଦ୍ରା ଶେଷେ ଏହି ଛଅମନ୍ତ୍ରକୁ ପଢ଼ିବ ।

ପ୍ରାର୍ଥନା ସ୍ୱରୂପ ସେହି ଷଟ୍‌ ମନ୍ତ୍ର ଦେବ ॥

ଭକ୍ତିଯୋଗେ ଫଳମୁଳ ପତ୍ର ପୁଷ୍ପ ଜଳ ।

ନିବେଦିଲି ଗ୍ରହଣ କର ମାତା ମୋହର ॥

ଆବାହନ ନଜାଣେ ନଜାଣେ ବିସର୍ଜନ ।

ପୂଜାକର୍ମ ନଜାଣଇ ଗତି ତୁମ୍ଭେ ପୁଣ ॥

କାୟମନୋବାକ୍ୟେ ତୁମ୍ଭ ଭିନ୍ନ ଗତି ନାହିଁ ।

ପ୍ରାଣୀଙ୍କ ଅନ୍ତରେ ଗତି କର ମହାମାୟୀ ॥

ସହସ୍ର ଯୋନିରେ ଗତି ମୋର ହୋଇପାରେ ।

ସବୁଜନ୍ମେ ତୁମ୍ଭ ଭକ୍ତି ରହୁ ମୋ ମନରେ ॥

ଦାତ୍ରୀ ଭୋକ୍ତ୍ରୀ ତୁମ୍ଭେ ଦେବୀ ତୁମ୍ଭେ ଜଗନ୍ମୟୀ ।

ଦେବୀ ଜୟଯୁକ୍ତା ହୁଅ ଦେବୀ ରୂପ ମୁହିଁ ॥

ଯେ ଅକ୍ଷର ଭ୍ରଷ୍ଟ ହେଲା ମାତ୍ରାହୀନ ଯହିଁ ।

ସେ ସବୁକୁ କ୍ଷମାକର କାହାମନ ସ୍ଥାୟୀ ॥

ଏ ମନ୍ତ୍ରପାଠରେ ଦେବୀ ପ୍ରସନ୍ନା ହୁଅନ୍ତି ।

ସାଧକକୁ ଚତୁବର୍ଗ ପ୍ରଦାନ କରନ୍ତି ॥

ଈଶାନେ ମଣ୍ଡଳଦ୍ଵାରା ପଦ୍ମ ବିବର୍ଜିତ ।

ନିର୍ମାଲ୍ୟଧାରିଣୀ ଦେବୀ ପୂଜାର ନିମିତ୍ତ ॥

ପାଦ୍ୟାଦିରେ ପୂଜାକର ନିର୍ମାଲ୍ୟ ଧାରିଣୀ ।

ତହିଁ ନିକ୍ଷେପି ନିର୍ମାଲ୍ୟ ବିସର୍ଜନ ପୁଣଇ ॥

ସ୍ଵସ୍ଥାନକୁ ଯାଅ ଦେବୀ ତେଜି ପୂଜାସ୍ଥାନ ।

ବ୍ରହ୍ମାଦି ନଜାଣନ୍ତି ସେ ସ୍ଥାନ ନିରୂପଣ ॥

ତହୁଁ ପୁରକ ବାୟୁରେ ଦେବୀଙ୍କୁ ଧ୍ୟାୟୀଣ ।

ସ୍ଵହୃଦୟେ ସ୍ଥାପନକର ଏହି ମନ୍ତ୍ରେଣ ॥

ମୋ ହୃଦକମଳେ ସ୍ଥିତ ହୁଅ ମହାଦେବୀ ।

ବ୍ରହ୍ମାଦିଦେବେ ଅଛନ୍ତି ମୋହ ହେ ସମ୍ଭବି ॥

ତହୁଁ ଏକଜଟା ବୀଜେ ଇଷ୍ଟଦେବୀ ସ୍ମରି ।

ଚତୁବର୍ଗ ରୂପ ନିର୍ମାଲ୍ୟ ମସ୍ତକେ ଧରି ॥

ସମ୍ପତ୍ତି ଲାଭାର୍ଥ ଅଷ୍ଟଦଳପଦ୍ମ ପରି ।

ପୁଷ୍ପାଞ୍ଜଳି ସମର୍ପିବ ଭକ୍ତି ଭାବ ଧରି ॥

ଅଙ୍ଗୁଳି ଅଗ୍ରେ ମନ୍ଦନ କର କ୍ଷିତି ବୀଜେ ।

ତହୁଁ ମୂଳମନ୍ତ୍ରେ ଅନାମିକା ଅଗ୍ର ସଜେ ॥

ନିଜ ଲଲାଟକୁ ସ୍ପର୍ଶ କରିବ ତହିଁରେ ।

ସମାପ୍ତି ସହିତ ତାରାବୀଜ ତହିଁପରେ ॥

ସବିସର୍ଗ କାମବୀଜ ତହିଁ ଯୋଗକଲେ ।

ଏକଜଟା ବୀଜ ହୁଏ ଜାଣ ଏ ବିଧିରେ ॥

ତହୁଁ ସୂର୍ଯ୍ୟବୀଜେ ସୂର୍ଯ୍ୟାର୍ଘ୍ୟ ଦାନ କରିବ ।

ପୂଜାକର୍ମ ଅଛିଦ୍ରରେ ସମାପ୍ତି ହୋଇବ ॥

ବିବସ୍ଵାନ ଭାସ୍ଵାନ ବିଷ୍ଣୁତେଜ ସ୍ଵରୂପ ।

ଜଗତ ପ୍ରସବ ସୂର୍ଯ୍ୟ ନମୁଁ ତୁମ୍ଭ ରୂପ ॥

ତହୁଁ କୃତାଞ୍ଜଳି ହୋଇ ଏକାଗ୍ର ମନରେ ।

ଅଛିଦ୍ର ଅବଧାରଣ କରିବ ଶେଷରେ ॥

ପୂଜାରେ ଯେ ଛିଦ୍ର ସବୁ ଅଛିଦ୍ରକୁ ପାଉ ।

ସୂର୍ଯ୍ୟଦେବଙ୍କ ପ୍ରସାଦେ ସବୁ ପୂର୍ଣ୍ଣହେଉ ॥

ତହୁଁ ପୁଷ୍ପ ନୈବେଦ୍ୟ ଜଳାଦି ସର୍ବଦ୍ରବ୍ୟ ।

ଦେବୀମନ୍ତ୍ରେ ପୁନର୍ବାର ସ୍ଵୟଂ ବିଲୋକିବ ॥

ହସ୍ତ ଚକ୍ଷୁଦ୍ୱାରା ଯେଉଁ ମନ୍ତ୍ର ନ୍ୟାସିଥିବ ।

ସେସବୁ ପୂର୍ଣ୍ଣନିମିତ୍ତ ପୁନ୍ୟାଶ୍ଚ ଦେଖିବ ॥

ଭୂମି ଅଗ୍ନି ଜଳ ସୂର୍ଯ୍ୟ ପ୍ରତିମାରେ ପୁଣି ।

ଶାଳଗ୍ରାମ ଶିବଲିଙ୍ଗେ ପୁଜା ହୁଏ ଜାଣି ॥

ସର୍ବତ୍ର ମଣ୍ଡଳନ୍ୟାସ ଏକାଗ୍ରରେ କରି ।

ଯୋଗପୀଠ ବୀଜମନ୍ତ୍ରେ ପୂଜା ସମୟରେ ।

ଏହି ପ୍ରତିପତ୍ତି କଲେ ସର୍ବଫଳ ମିଳେ ॥

ଏ ବିଧିରେ ପୂଜିଲେ ସର୍ବଦେବେ ସନ୍ତୋଷ ।

ଲଭି ଚତୁବର୍ଗ ଦାନ କରନ୍ତି ବିଶେଷ l

ଏଥିରୁ ଅନ୍ୟଥା କଲେ ନିଷ୍ଫଳ ହୁଅଇ ।

ଅଙ୍ଗହୀନ ନର ଯଥା ଅକର୍ମଣ୍ୟ ହୋଇ ॥

ଏ ଅତି ରହସ୍ୟ ପୂଣ୍ୟ ପରସ୍ଵସ୍ତ୍ୟୟନ ।

ମନ୍ତ୍ର ବେଦମୟ ସର୍ବପାପ ପ୍ରଣାଶନ ॥

ଯେ ଏହାକୁ ଶ୍ରାଦ୍ଧ ଯୋଗଦେବ ପୂଜାକାଳେ ।

ବ୍ରାହ୍ମଣଙ୍କୁ ଶୁଣାଏ ସେ ଯୁକ୍ତ ହୁଏ ଫଳେ ॥

ବିନା ପୂଜାରେ ପୂଜା ଫଳକୁ ପାଇପାରେ ।

କାଳିକା ପୁରାଣ ଗୀତ ପ୍ରଭାକର ବୋଲେ ॥

 

ଇତି ଶ୍ରୀ କାଳିକାପୁରାଣେ ଉତ୍ତରତନ୍ତ୍ରେ

ଏକନୋଷଷ୍ଠିତମୋଽଧ୍ୟାୟଃ ।

✽✽✽

 

॥ ୬୦ ॥

 

ଶ୍ରୀ ଈଶ୍ୱର ଉବାଚ

ଦେବୀଙ୍କର ତନ୍ତ୍ର ଏବେ ଶୁଣ ତୁମ୍ଭେ ଦୁହେଁ ।

ତନ୍ତ୍ରରେ ଆରାଧିଲେ ସେ ଶୀଘ୍ର ଫଳପାଏ ॥

ପୂର୍ବ ତନ୍ତ୍ରରୁ ବିଶେଷ ଏ ଉତ୍ତର ତନ୍ତ୍ର ।

ସାମାନ୍ୟରୁ ବିଶେଷ ଯେ କହିବା ଏଥର ॥

ଦେବୀଙ୍କ ପୂଜାରେ ଭକ୍ତି ବିଷୟରେ ପୁଣି ।

ଯେଉଁ ତନ୍ତ୍ରମାନେ ଛନ୍ତି ଶୁଣ ପରିମାଣି ॥

ଯେ କରେ ଦେବୀଙ୍କୁ ଭକ୍ତି ଏକାଗ୍ର ମନରେ ।

ଅଙ୍ଗି ବା ଅଙ୍ଗ ମନ୍ତ୍ରରେ ଫଳ ମିଳିପାରେ ॥

ଫଳମୂଳ ପତ୍ର ପୁଷ୍ପ ତାମ୍ବୁଳାନ୍ନ ପାନ ।

ଦେବୀଙ୍କୁ ନଦେଇ ନ ଭୁଞ୍ଜିବ କଦାଚନ ॥

ପଥେ ପର୍ବତେ ସଭାରେ ଦେବୀଙ୍କୁ ସମର୍ପି ।

ସାଧକ ସ୍ଵାର୍ଥ ସାଧନ କରେ ହୋଇ କଳ୍ପି ॥

ମଦ୍ୟଭାଣ୍ଡ ରକ୍ତବର୍ଣ୍ଣା ନାରୀ ସିଂହ ଶବ ।

ରକ୍ତପଦ୍ମ ବ୍ୟାଘ୍ର ହସ୍ତୀସଙ୍ଗ ଗୁରୁ ରୂପ ॥

ଏମାନଙ୍କୁ ଦେଖି ଦେବୀଙ୍କୁ ନମିବ ବ୍ରତୀ ।

ପବିତ୍ରତା ନିଜ ନାରୀସଙ୍ଗେ କରି ରତି ॥

ଶାନ୍ତି ପୁଷ୍ଟି ପୂର୍ତ୍ତିକର୍ମେ ଦେବୀଙ୍କୁ ସ୍ମରିବ ।

ତେବେ ସର୍ବକାର୍ଯ୍ୟ ସିଦ୍ଧି ଲାଭକୁ କରିବ ॥

ନାଟ ବାଦ୍ୟ ଗୀତ ଦେଖି ଶୁଣିବାରେ ବେଳେ ।

ଦେବୀଙ୍କୁ ତାହା ନିବେଦି ଶୁଣିବ ସେକାଳେ ॥

ବସ୍ତଭୂଷଣ ଚନ୍ଦନ ଦେହେ ଲଗାଇଲେ ।

ଦେବୀମନ୍ତ୍ର ଦେହେନ୍ୟାସୀ ଘେନିବ ସେକାଳେ ॥

ବ୍ୟାୟାମରେ ଜଳେ ସ୍ଫଳେ ସଭା ସ୍ଥଳେ ପୁଣ ।

ଯେ ସ୍ଥାନକୁ ଯିବ କର ଦେବୀଙ୍କ ସ୍ମରଣ ॥

ପୂଜାଅଙ୍ଗ ଯେତେ କର୍ମମନ୍ତ୍ରେ ତା କରିବ ।

ବିନାମନ୍ତ୍ରେ ପୂଜା କର୍ମ ନିଷ୍ଫଳ ହୋଇବ ॥

ଯେ କର୍ମେ ଯେମନ୍ତ ତାହା ପ୍ରୟୋଗ କରିଣ ।

ସେ କାର୍ଯ୍ୟକଲେ ସୁଫଳ ହେବ ନିଶ୍ଚୟେଣ ॥

ପୂଜାନ୍ତେ ମଣ୍ଡଳ ଲିପି ତିଳକ କରିବ ।

ସର୍ବବଶ୍ୟ ମନ୍ତ୍ରେ ସର୍ବ ବଶୀଭୂତ ହେବ ॥

ବଳିଦାନେ ବଳିଛେଦି ଖଡ୍‌ଗ ଲିପ୍ତରକ୍ତ ।

ଲଲାଟେ ତିଳକ କଲେ ସର୍ବେ ବଶୀଭୂତ ॥

ପୂଜାବିନା ସର୍ବବଶ୍ୟ ମନ୍ତେଚିତା କଲେ ।

ସର୍ବେ ବଶୀଭୂତ ହୋଇ ଖଟନ୍ତି ତା ତଳେ ॥

ରାଜା ରାଜପୁତ୍ର ନାରୀଯକ୍ଷ ସେ ରାକ୍ଷସ ।

ଚତୁର୍ବିଧ ଭୂତଗ୍ରାମ ହୁଅନ୍ତି ଯେ ବଶ ॥

ପ୍ରବାସ ଦୁର୍ଗ ଜଳରେ ସ୍ଥାନ ନପାଇଲେ ।

କାରାଗାରେ ଅବାପ୍ରାୟୋପବେଶନ କାଳେ ॥

ଦେବୀ ପୂଜାକଲେ ଫଳ ମିଳଇ ନିଶ୍ଚିତ ।

ମନରେ ପୂଜାକରିବ ଦେବୀଙ୍କୁ ନିୟତ ॥

ସିଂହ ବ୍ୟାଘ୍ର ଦେଖି ମନେଭୟ ଉପୁଜିଲେ ।

ପ୍ରଦେଶେ ରହି ଦେବୀଙ୍କୁ ମାନସେ ପୂଜିଲେ ॥

ମନେ ହୃଦୟ ମଧ୍ୟକୁ ଯୋଗପୀଠ କରି ।

ତହିଁରେ ଦେବୀ ପୂଜିବ ମନ୍ତ୍ରକୁ ଉଚାରି ॥

ଧାନ ସେ ଉପଚାରାଦି ଦେବ ଦେବୀ ଦେହେ ।

ପଛେ ପୁଷ୍ପାଦିରେ ପୂଜା କରିବ ସସ୍ନେହେ ॥

ପ୍ରତି ଅଷ୍ଟମୀରେ ଦେବୀପୁଜିବ ନିୟମେ ।

ନବମୀରେ ନିଜରକ୍ତ ବଳିଦେବ କ୍ରମେ ॥

ଶିବଲିଙ୍ଗ ପୁସ୍ତକ ଭୂମିପାଦୂକା ସ୍ଥାନେ ।

ପ୍ରତିମାରେ ଦେବୀଙ୍କୁ ପୂଜିବ ଶୁଦ୍ଧମନେ ॥

ଚିତ୍ର ତ୍ରିଶୂଳ ଖଡ୍‌ଗରେ ଜଳସ୍ଥା ଦେବୀଙ୍କୁ ।

ଶିଳା ଶୈଳାଗ୍ର ଗହ୍ଵରେ ସ୍ଥଳସ୍ଥା ଦୁର୍ଗାଙ୍କୁ ॥

ପୂଜିବ ଭକ୍ତି ଶ୍ରଦ୍ଧାରେ ନିୟତ ମାନସେ ।

ଅଭୀଷ୍ଟ ସିଦ୍ଧି ହୋଇବ କହିଲି ବିଶେଷେ ॥

କାଶୀ କ୍ଷେତ୍ରେ ଦେବୀପୂଜା ପୂର୍ଣ୍ଣ ଫଳ ଦିଏ ।

ପୁରୁଷୋତ୍ତମ କ୍ଷେତ୍ରରେ ଦ୍ୱିଗୁଣରେ ହୁଏ ॥

ତହୁଁ ଦ୍ଵିଗୁଣରେ ଫଳଦ୍ଵାରକା କ୍ଷେତ୍ରରେ ।

ସର୍ବତୀର୍ଥ କ୍ଷେତ୍ରେ ପୂଜା ସେହି ସମାନରେ ॥

ବିନ୍ଧ୍ୟ ଶୈଳେ ପୂଜା ଶତଗୁଣ ଫଳ ଦିଏ ।

ଆର୍ଯ୍ୟାବର୍ତ୍ତ ମଧ୍ୟଦେଶ ବ୍ରହ୍ମାବର୍ତ୍ତ ଠାଏଁ ॥

ପ୍ରୟାଗେ ପୁଷ୍କରେ ଶୈଳ ବିନ୍ଧ୍ୟ ଶୈଳୋପରି ।

ତହୁଁ ଚାରିଗୁଣ କରତୋୟା ନଦୀ ବାରି ॥

ନନ୍ଦୀକୁଣ୍ଡେ ପୂଜା ତହୁଁ ଚାରିଗୁଣ ବେଶି ।

ଜଳପିଶେଶ୍ଵର ନିକଟେ ଚତୁର୍ଗୁଣ ବେଶି ॥

ସିଦ୍ଧେଶ୍ଵରୀ ଯୋନିରେ ଦ୍ୱିଗୁଣରେ ଅଧିକ ।

ବ୍ରହ୍ମପୁତ୍ର ନଦୀଜଳେ ହୁଏ ତତୋଽଧିକ ॥

କାମରୂପ ଜଳସ୍ଥଳେ ସେ ସମାନ ଫଳ ।

ଦେବଶ୍ରେଷ୍ଠ ବିଷ୍ଣୁ ଲକ୍ଷ୍ମୀଦେବୀ ଶ୍ରେଷ୍ଠାଭାଳ ॥

ସେହିପରି ଦେବୀପୂଜା କାମରୂପେ ଶ୍ରେଷ୍ଠ ।

ଦେବୀକ୍ଷେତ୍ର କାମରୂପ ଅନ୍ୟନୁ ହେ ଜ୍ୟେଷ୍ଠ ॥

ଅନ୍ୟତ୍ର ବିରଳାଦେବୀ ତହିଁ ପ୍ରତିଗୃହେ ।

ତେଣୁ କାମରୂପ କଥା କହି ଯେ ନହୁଏ ॥

ତହୁଁ ଶତଗୁଣେ ଫଳ ନୀଳକୂଟ ଶୈଳେ ।

ତହୁଁ ଦ୍ୱିଗୁଣେ ଅଧିକ ହେରୁକ ଲିଙ୍ଗରେ ॥

ତତୋଽଧିକ ଦେବୀଯୋନୀମଣ୍ଡଳ ଉପରେ ।

ତହୁଁ ଶତଗୁଣାଧିକ କାମାଖ୍ୟା ଯୋନିରେ ॥

କାମାଖ୍ୟାରେ ଦେବୀପୂଜା ଯେ କରଇ ଥରେ ।

ଅଶେଷ ଫଳ ଲଭଇ ଦେବୀ ପ୍ରସାଦରେ ॥

ଇହ କାମନା ଲଭି ପରତ୍ର ଶିବରୂପ ।

ଲଭଇ ତା ସମ କେହିନୁହେଁ ମହାଭୂପ ॥

ବାଞ୍ଚିତାର୍ଥ ଲଭି ଚିରାୟୁକୁ ଲାଭ କରେ ।

ବାୟୁଗତି ହୁଏ କେହି ନିବାରି ନପାରେ ॥

ସଂଗ୍ରାମେ ଶାସ୍ତ୍ରବିବାଦେ ଦୁର୍ଜୟ ହୁଅଇ ।

କାମାଖ୍ୟା ଯୋନିରେ ଥରେ ଯେ ଦେବୀ ପୂଜଇ I

ସେ କାମାଖ୍ୟା ମୂଳମୂର୍ତ୍ତି କହିଛି ମୁଁ ପୂର୍ବେ ।

ଅନ୍ୟଦେବୀ ତାଙ୍କଠାରୁ ସମ୍ଭବିଲେ ସର୍ବେ ॥

ସୂର୍ଯ୍ୟଠାରୁ କିରଣ ଜନ୍ମିଲା ପରି ହୋଇ ।

ଦେବୀଗଣ କାମାଖ୍ୟାରୁ ଉପୁଜନ୍ତି ରହି ॥

ପୂର୍ଣ୍ଣଦେବୀ ସେ କାମାଖ୍ୟା ଅନ୍ୟ ଦେବୀଅଙ୍ଗ ।

ଯଥା ହରି ପୂର୍ଣ୍ଣବ୍ରହ୍ମ ଅନ୍ୟଦେବେ ସାଙ୍ଗ ।

ସେପରି ସେ ମହାମାୟା କାମଅର୍ଥେ ଶୈଳେ ।

ରହିବାରୁ କାମାଖ୍ୟା ନାମ ଏ ଜଗତରେ ॥

କାମକ୍ରୀଡ଼ା ବେଳେ ଦେବୀ ପୁଷ୍ପାଦି ଘେନନ୍ତି ।

ଅନ୍ୟବେଳେ ଅସିଧରି ଦୁଷ୍ଟ ବିନାଶନ୍ତି ॥

କାମବେଳେ ଶିବ ପ୍ରେତରକ୍ତ ପଦ୍ମେ ଥାନ୍ତି ।

ଅନ୍ୟକାଳେ ଶ୍ୱେତପଦ୍ମେ ନିବାସ କରନ୍ତି ॥

ରକ୍ତପଦ୍ମ ଥାଇ ଦେବୀ ସିଂହକୁ ଦେଖନ୍ତି ।

ଅନ୍ୟତ୍ର ଅନ୍ୟ ଦେଖିଣ ସୁଖୀ ହୋଇଥାନ୍ତି ॥

ମହାମାୟା ସ୍ଵରୂପରେ ବରଦା ହୁଅନ୍ତି ।

ପୂଜାକାଳେ ପ୍ରେତପଦ୍ମ ସିଂହ ପରେ ଥାନ୍ତି ॥

ପ୍ରେତପଦ୍ମ କେଶରିକୁ କ୍ରମେ ଧ୍ୟାନକରି ।

ଦେବୀଙ୍କୁ ପୂଜିଲେ ଫଳ ଲାଭ ହୁଏ ଏଭୁରି ॥

ସେ ଦେବୀ ଏକା ସମସ୍ତ ଜଗତ ଆକୃତି ।

ବିଷ୍ଣୁ ହରବିଧିଙ୍କୁ ସେ ହୃଦୟ ଧରନ୍ତି ॥

ସିତପ୍ରେତ ଶିବବ୍ରହ୍ମା ଲୋହିତ ପଙ୍କଜ ।

ହରି ଯେ କେଶରି ରୂପଜାଣ ଏହି ବୀଜ ॥

ସ୍ଵମୂର୍ତ୍ତିରେ ବାହନ ହେବାକୁ ଲଜ୍ଜାକରି ।

ହରିହର ବ୍ରହ୍ମାତହିଁ ଭିନ୍ନମୂର୍ତ୍ତି ଧରି ॥

ଯହିଁରେ ଦେବୀଙ୍କ ପ୍ରୀତି ଯେବେଳେ ହୁଅଇ ।

ସେହିରୂପେ ଆସନ ହୁଅନ୍ତି ଦେବତ୍ରୟୀ ॥

ସିଂପରେ ରକ୍ତପଦ୍ମ ତାପରେ ଯେ ଶବ ।

ଶବୋପରି ମହାମାୟା ଅଭୟଙ୍କୁ ଦେବ ॥

ଏ ରୂପକୁ ଧ୍ୟାୟି ଯେ ଦେବୀ ପୂଜା କରଇ ।

ହରିହର ବିଧିଙ୍କର ପୂଜା ଫଳ ପାଇ ॥

ଏ ଭାବେ କାମାଖ୍ୟା ଦେବୀ ଏକ ରୂପେ ଥାନ୍ତି ।

ଧ୍ୟାନେ ରୂପେ ଭିନ୍ନା ସେହି ପୂଜିତା ହୁଅନ୍ତି ।

ଦୁର୍ଗାଙ୍କ ବିଶେଷ ତନ୍ତ୍ର ତୁମ୍ଭଙ୍କୁ କହିଲି ।

ଅଙ୍ଗ ମନ୍ତ୍ରଙ୍କୁ କହିବି ଶୁଣ ହେତୁ କରି ॥

ସେ କାମାଖ୍ୟା ପାଦପଦ୍ମେ ରହୁ ସଦାମନ ।

ବିପ୍ର ପ୍ରଭାକର ରଚେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଷଷ୍ଠିତମୋଽଧ୍ୟାୟଃ ।

✽✽✽

 

॥ ୬୧ ॥

 

ଶ୍ରୀ ଈଶ୍ୱର ଉବାଚ

ଦେବୀଙ୍କ ଅଙ୍ଗମନ୍ତ୍ରକୁ କହିବା ବିଶେଷି ।

ଯେ ମନ୍ତ୍ରେ ପୂଜିଲେ ଦେବୀ ଫଳବାସେ ବେଶି ॥

ତ୍ରିନେତ୍ର ମନ୍ତ୍ରବୀଜ ଯେ ଦୁର୍ଗା ମନ୍ତ୍ରଜାଣ ।

ତହିଁରେ ପୂଜିତା ଦେବୀ ହୁଅନ୍ତି ପ୍ରସନ୍ନ ॥

ପୂର୍ବେ କାତ୍ୟାୟନ ମୁନି ଆଶ୍ରମେ ଅମରେ ।

ନିଜ ତେଜେ ଦେବୀଙ୍କୁ ଉତ୍ପନ୍ନ ତହିଁ କଲେ ॥

ସେ ବେଳେ ତିନିନେତ୍ରରୁ ଦେବୀ ପ୍ରକାଶିଲେ ।

ତେଜୋମୟୀ ହୋଇ ମହିଷାସୁର ନାଶିଲେ ॥

ସର୍ବଦେବଙ୍କ ତେଜରେ ଗଢ଼ିଲେ ଶରୀର ।

ଦେବଦତ୍ତ ବହୁଅସ୍ତେ ମଣ୍ଡି ହେଲାକର ॥

ମନ୍ତ୍ରୀ ସୈନ୍ୟବାହନ ସହିତା ହୋଇ ଦେବୀ ।

ଦେବଙ୍କ ସ୍ତୁତିରେ ମହିଷାକୁ ରଣେଭାବି ॥

ବଧକରି ତ୍ରିଲୋକକୁ ସୁଖଦାନ କଲେ ।

ଏହି ଦୁର୍ଗା ବୀଜମନ୍ତ୍ରେ ତ୍ରିଦଶେ ପୂଜିଲେ ॥

ସେହିଠାରୁ ସର୍ବେ ସବୁସ୍ଥାନେ ଦେବୀପୂଜା ।

କରି ନାନାକାମ ସିଦ୍ଧିକଲେ ସର୍ବ ପ୍ରଜା ॥

ମୂଳମୂର୍ତ୍ତି ଗୁପ୍ତହେଲା ଅନ୍ୟମୂର୍ତ୍ତି ଧରି ।

ଦେବଙ୍କୁ ବରଦେଇଣ ତାଙ୍କୁ ତୋଷକରି ॥

ଯେଉଁ ମୂର୍ତ୍ତି ଦେବୀଙ୍କର ସକଳେ ପୂଜନ୍ତି ।

ସେ ମୂର୍ତ୍ତି କହିବା ଶୁଣ ହୋଇ ଶୁଦ୍ଧମତି ॥

ଜଟାଜଟ ଯୁତା ଅର୍ଦ୍ଧେନ୍ଦୁ ଶେଖରାଶିବା ।

ତ୍ରିଲୋଚନା ପଦ୍ମଚନ୍ଦ୍ର ବଦନର ଆଭା ॥

ତପ୍ତକାଞ୍ଚନ ଗୌରାଙ୍ଗୀ ସୁଚାରୁ ଦଶନା ।

ନବଯୁବତି ସର୍ବ ଆଭରଣ ଭୂଷଣା ॥

ପୀନୋନ୍ନତ ପୟୋଧରା ମଧ୍ୟ ଭାଗେକ୍ଷୀଣା ।

ତ୍ରିଭଙ୍ଗରେ ସ୍ଥିତା ମହିଷାସୁର ଶମନା ॥

ମୃଣାଳ ସଦୃଶ ଦଶଭୁଜ ସମନ୍ୱିତା ।

ଶୂଳଚକ୍ର ଖଡ୍‌ଗବାଣ ଶକ୍ତି ଦକ୍ଷହସ୍ତା ॥

ଖେଟଧନୁ ପାଶାଙ୍କୁଶ ଘଣ୍ଟା ବାମଭାବେ ।

ଶିରହୀନ ମହିଷାସୁର ଦୃଷ୍ଟି ସଂଯୋଗେ l

ନିର୍ମୂଣ୍ତ ମଇଁଷୀଯାନ ରହିଛି ପାଖରେ ।

ଅସୁର ଆରୋହୀ ଅଛି ମହିଷ ଉପରେ ।

ଖଡ୍‌ଗ ଧରିଛି ଅସୁର ହୃଦ ଶୂଳେ ଭିନ୍ନ ।

ନିକିଟା ଦାନ୍ତ ଦିଶଇ ଅତି ବିଲକ୍ଷଣ ॥

ଅଙ୍ଗତାର ରକ୍ତବର୍ଣ୍ଣ ନେତ୍ରୁ ରକ୍ତଝରେ ।

ନାଗପାଶେ ବେଷ୍ଟିତା ଭ୍ରୂଲତା ବଙ୍କାଧରେ ॥

ମହିଷ କେଶକୁ ପାଶସଙ୍ଗେ ଦେବୀ ଧରି ।

ରକ୍ତମୂଖା ସିଂହପୃଷ୍ଠେ ପାଦଦେଇ ଗୌରୀ ॥

ଦକ୍ଷିଣ ପାଦସିଂହ ପିଠିରେ ରହିଅଛି ।

ଅଳ୍ପଊର୍ଦ୍ଧ୍ୱ ବାମାଙ୍ଗୁଳ ଅସୁରେ ରହିଛି ॥

ଉଗ୍ରଚଣ୍ଡା ପ୍ରଚଣ୍ତା ଚୋଣ୍ଡ ଗ୍ରାଚଣ୍ଡବତୀ ।

ଚଣ୍ଡନାୟିକ ଚଣ୍ଡାଚାମୁଣ୍ଡା ଚଣ୍ଡିକାଟି ॥

ଏ ଅଷ୍ଟଶକ୍ତି ବେଷ୍ଟିତା ହୋଇ ଭଗବତୀ ।

ଏ ରୂପେ ସ୍ମରିଲେ ଯିବ ସକଳ ଦୁର୍ଗତି ॥

ଏ ଦେବୀଙ୍କ ମୂଳମନ୍ତ୍ର ଦୁର୍ଗାତନ୍ତ୍ର ନାମେ ।

ଖ୍ୟାତି ଲଭିଛି ତା ଶୁଣ କହୁଛି ବିଧାନେ ॥

ସେ ମନ୍ତ୍ର ଧର୍ମାର୍ଥ କାମ ସାଧଇ ଅକ୍ଳେଶେ ।

ବହ୍ନିଭାର୍ଯ୍ୟା ହାନ୍ତପାନ୍ତ ଷଷ୍ଠସ୍ୱର ଶେଷେ ॥

ଅଗ୍ନିବୀଜ ସଂଯୋଗରେ ମନ୍ତ୍ରରାଜ ହୁଏ ।

ସେ ମନ୍ତ୍ରେ ଦେବୀ ପୂଜିଣ ସର୍ବଫଳ ପାଏ ॥

ଓଁକାର ଦୁର୍ଗା ପଦରେ ମନ୍ତ୍ର ସମ୍ବଳିତ ।

ବୁଧଜନେ ସଂଯୋଗିବ ମନ୍ତ୍ରରାଜ ଭକ୍ତ ॥

ମକର ଶୁକ୍ଳ ପଞ୍ଚମୀ ଶ୍ରୀପଞ୍ଚମୀ ଦିନ ।

ଏ ମନ୍ତ୍ରେ ପୂଜିବ ଦୁର୍ଗା ହୋଇ ସାବଧାନ ॥

ସେହି ଅଷ୍ଟମୀରେ ଦେବୀ ପୂଜିବ ବିଧାନେ ।

ନବମୀର ବଳିଦେବ ପୂର୍ବୋକ୍ତ ପ୍ରମାଣେ ॥

ସନ୍ଧ୍ୟାକାଳେ ନିଜଦେହ ରକ୍ତେବଳି ଦେବ ।

ସର୍ବକାମନା ଲଭିଣ ସୁଖେ ବିରହିବ ॥

ପୁତ୍ର ପୌତ୍ର ଧନଧାନ୍ୟ ପରିପୂର୍ଣ୍ଣ ତାର ।

ସୁରୂପ ଦୀର୍ଘାୟୁ ହୋଇ ଜନ୍ମେ ଏ ମର୍ତ୍ତ୍ୟର ॥

ଚୈତ୍ର ଶୁକ୍ଳାଷ୍ଟମୀ ଦିନ ଅଶୋକ ପୁଷ୍ପରେ ।

ଦୁର୍ଗାମନ୍ତ୍ରେ ଦେବୀଙ୍କୁ ଯେ ପୂଜେ ଭକ୍ତିଭରେ ॥

ତାହାର ଯେ ରୋଗଶୋକ ଦୁର୍ଗତି ନରହେ ।

ପୁଣି ଜ୍ୟେଷ୍ଠ ଶୁକ୍ଳାଷ୍ଟମୀରେ ଉପାସୀ ହୁଏ ॥

ନବମୀରେ ତିଳଅନ୍ନ ଯାବକ ମୋଦକେ ।

କ୍ଷୀରଘୂତ ମଧୁ ଶର୍କରାଦି ସୁପିଷ୍ଠକେ ॥

ନାନା ପଶୁଙ୍କ ରୁଧିର ମାଂସେ ଦେବୀପୂଜି ।

ଦଶମୀରେ ତିଳମିଶ୍ର ଜଳେ ଶୁଭଖୋଜି ॥

ଦୁର୍ଗାମନ୍ତ୍ରେ ତ୍ରିଅଞ୍ଜଳି ଜଳତିଳ ଦେଲେ ।

ଦଶଜନ୍ଜ କୃତପାପ ନାଶଯାଏ ହେଳେ ॥

ଆଷାଢ଼ ଶ୍ରାବଣ ଶୁକ୍ଳାଷ୍ଟମୀ ଦିନ ପୁଣି ।

ଦେବୀଙ୍କର ପବିତ୍ରାରୋପଣ କର ଜାଣି ॥

ଦୁର୍ଗାବୀଜ ମନ୍ତ୍ରେ ପବିତ୍ରାରୋପଣ କର ।

ଧନଜନ ବୃଦ୍ଧିହେବ ସନ୍ଦେହ ନକର ॥

ଶ୍ରାବଣେ ସର୍ବଦେବଙ୍କ ପବିତ୍ରକୁ କର ।

କୁବେରଙ୍କ ପ୍ରତିପଦା ଦ୍ୱିତୀୟା ଲକ୍ଷ୍ମୀର ॥

ତୃତୀୟା ଭବାନୀଙ୍କର ଚତୁର୍ଥୀ ଗଣେଶ ।

ପଞ୍ଚମୀ ଚନ୍ଦ୍ର ଷଷ୍ଠୀରେ କର କାର୍ତ୍ତିକେଶ ॥

ସପ୍ତମୀରେ ସୂର୍ଯ୍ୟ ଅଷ୍ଟମୀରେ ଦୁର୍ଗାଙ୍କର ।

ନବମୀ ମାତୃଗଣ ଦଶମୀ ବାସୁକିର ॥

ଋଷିଙ୍କର ଏକାଦଶୀ ଦ୍ଵାଦଶୀ ବିଷ୍ଣୁର ।

ପବିତ୍ରା ରୋପଣ କର୍ମକରିବ ପ୍ରଚାର ॥ .

ତ୍ରୟୋଦଶୀ କାମଙ୍କର ଚତୁର୍ଦ୍ଦଶୀ ଶିବ ।

ପୂର୍ଣ୍ଣମୀରେ ଦିଗପାଳ ସଦବ୍ରହ୍ମା ଦେବ ॥

ସର୍ବଦେବଙ୍କ ପବିତ୍ରା ରୋପଣ ନକଲେ ।

ବାର୍ଷିକ ପୂଜାର ଫଳ ନମିଳଇ ଭଲେ ॥

ତେଣୁ ପବିତ୍ରା ରୋପଣ ଅବଶ୍ୟ କରିବ ।

ପୂଜାର ଅଧକ ଫଳ ସତ୍ଵରେ ପାଇବ ॥

ଯେଉଁ ସୂତ୍ରେ ଯେପରି ସେ ପବିତ୍ରା ରୋପଣ ।

ହୁଏ ତାହାଶୁଣ ଏବେ କହିବା ଯତ୍ନେଣ ॥

ପ୍ରଥମରେ ଦର୍ଭସୂତ୍ର ତହୁଁ ପଦ୍ମସୂତ୍ର ।

କ୍ଷୌମ କାର୍ପାସପଟ୍ଟ ସହିତ ପଞ୍ଚସୂତ୍ର ॥

ଏସବୁ ଏକତ୍ର କରି ଗନ୍ଧପୁଷ୍ପ ଯୋଗେ ।

ଦେବଦେବୀଙ୍କୁ ସମର୍ପି ସୁଖୀହେବେ ଭୋଗେ ॥

କନ୍ୟା ପତିବ୍ରତା ନାରୀ ସୁଶୀଳା ବିଧବା ।

ସୂତ୍ରକୁ କାଟିଲେ ଶୁଦ୍ଧ ହୋଇବ ଜାଣିବା ॥

ଦୁଃଶୀଳା ନାରୀ କାଟିବା ସୂତ୍ରରେ ପବିତ୍ର ।

କଲେ ସର୍ବଧର୍ମ ନାଶହୁଏ ଜାଣ ସ୍ଥିର l

ସୂଚିଭିନ୍ନ ଦଗ୍‌ଧ ଭସ୍ମ ଧୂମ ବିଲୁଣ୍ଠିତ ।

ମୂଷିକ ଭକ୍ଷିତ ମଦ୍ୟ ରକ୍ତରେ ଦୂଷିତ ॥

ଏପରି ସୂତ୍ରରେ ପବିତ୍ରକୁ ନକରିବ ।

ମଳିନ ନୀଳ ରକ୍ତସୂତ୍ରକୁ ବର୍ଜିଦେବ ॥

କନିଷ୍ଠ ମଧ୍ୟମ ଉତ୍ତମ ତିନି ପ୍ରକାରେ ।

ପବିତ୍ର ହୁଅଇ ଜାଣ ତାହା ସବିଧିରେ ॥

ସତାଇଶ ଖିଅ ସୁତାରେ ଯେହୁ ପବିତ୍ର ।

ସେ କନିଷ୍ଠ ଯଶ ସୁଖ ସୌଭାଗ୍ୟଦ ଧର ॥

ଚଉବନଖିଅ ସୁତ୍ରେ ମଧ୍ୟମ ପବିତ୍ର ।

ବହୁପୁଣ୍ୟ ସ୍ଵର୍ଗ ମୋକ୍ଷ ଦିଏ ସେ ସତ୍ଵର ॥

ଶତମଷ୍ଟୋତ୍ତର ସୁତ୍ରେ ଉତ୍ତମ ହୁଅଇ ।

ଦେବୀଙ୍କୁ ଦେଲେ ସୁଖ ସୌଭାଗ୍ୟ ସ୍ଵର୍ଗପାଏ ॥

ଶିବଙ୍କ ପବିତ୍ର ନାଗହାର ତୁଲ୍ୟ ଜାଣ ।

ସୂତ୍ର ସଂଖ୍ୟାରେ ମୋପୁରେ କରେ ବିହରଣ ॥

ବନମାଳୀସମ ହରିଙ୍କର ସେ ପବିତ୍ର ।

ଦେଲେ ବିଷ୍ଣୁ ସାଯୁଜ୍ୟକୁ ଲଭେ ସକଳତ୍ର ॥

କନିଷ୍ଠ ପବିତ୍ର ନାଭିମାତ୍ର ପ୍ରମାଣରେ ।

ବାରଗଣ୍ଠିଯୁକ୍ତ ତହିଁ ଭିନ୍ନବର୍ଣ୍ଣ ସୂତ୍ରେ ॥

ଜଙ୍ଘ ପ୍ରମାଣ ମଧ୍ୟମ ଚବିଶ ଗଣ୍ଠିରେ ।

ଜାନୁପ୍ରମାଣ ଉତ୍ତମ ଛତିଶ ଗଣ୍ଠିରେ ॥

ସାତଥର ଗୁଡ଼ାଇଲେ ଏକ ଗଣ୍ଠି ହୁଏ ।

ରକ୍ତ ନୀଳସୂତ୍ରେ ଗଣ୍ଠି କରିବ ଯେ ଦେହେ ।

ପୂର୍ବଦିନ ଅଧିବାସେ ପବିତ୍ର ରଖିବ ।

ପରଦିନ ପବିତ୍ରେ ମନ୍ତ୍ର ନ୍ୟାସ କରିବ ॥

ଦୁର୍ଗା ବୀଜମନ୍ତ୍ରେ ନ୍ୟାସ କରି ପବିତ୍ରରେ ।

ମନ୍ତ୍ରକୁ ନ୍ୟାସ କରିବ ପ୍ରତ୍ୟେକ ଗଣ୍ଠିରେ ॥

ଅଙ୍ଗୁଷ୍ଠଅଗ୍ରେ ନ୍ୟାସ କରିବ ମନ୍ତ୍ରମାନ ।

ଏକତ୍ର କରି ନ୍ୟାସିବ ତତ୍ତ୍ଵମନ୍ତ୍ରେ ପୁଣ ॥

ଗନ୍ଧପୁଷ୍ପ ପବିତ୍ରରେ ଦେଇ ମୂଳମନ୍ତ୍ରେ ।

ତତ୍ତ୍ଵନ୍ୟାସ କରି ଶୁଦ୍ଧ କରିବ ପବିତ୍ରେ ॥

ଶୁଦ୍ରଙ୍କର ମନ୍ତ୍ରନ୍ୟାସ ଦ୍ଵାଦଶ ଅକ୍ଷରେ ।

ଶିବଙ୍କର ତତ୍ତ୍ଵନ୍ୟାସ ମ୍ରସାଦ ମନ୍ତ୍ରରେ ॥

କୁଙ୍କୁମ ଉଷୀର ଚନ୍ଦନ ଲେପିବ ତହିଁ ।

ଦୁର୍ଗାମନ୍ତ୍ରେ ତତ୍ତ୍ଵ ନ୍ୟାସକରି ପାତ୍ରେ ଥୋଇ ॥

ଦୁର୍ଗାବୀଜେ ଦେବୀଶିରେ ପବିତ୍ରକୁ ଦେବ ।

ସବୁଦେବଙ୍କୁ ସ୍ଵମନ୍ତ୍ରେ ଶିରେ ଲଗାଇବ ॥

ଘଟେ ଦେବଙ୍କୁ ପୂଜିଣ କୁଣ୍ଡେ ଅଗ୍ନି ଜାଳି ।

ଅଷ୍ଟୋତ୍ତର ଶତାହୁତି ଘୃତ ହୋମ କରି ॥

ପଞ୍ଚଗବ୍ୟ ଚରୁ କରି ତ୍ରିଆହୂତି ଦେବ ।

ନାନାବିଧ ନୈବେଦ୍ୟରେ ଈଷ୍ଟଙ୍କୁ ପୂଜିବ ॥

ଏହି ବିଧାନରେ ପବିତ୍ରା ରୋପଣ କରି ।

ଧର୍ମ କାମାର୍ଥକୁ ପ୍ରାପ୍ତ ହୁଏ ନର ଭୁରି ॥

ନଟ ନର୍ତ୍ତକ ବେଶ୍ୟାଙ୍କ ନୃତ୍ୟଗୀତ କରି ।

ନିଶି ଜାଗରଣ କରି ପବିତ୍ର ସମ୍ଭାରି ॥

ବ୍ରାହ୍ମଣ ଜ୍ଞାତିଭୋଜନ କରାଇ ସୁମନେ ।

ଦକ୍ଷିଣାଦେଇ ଦୋଷିବ ବିପ୍ରଙ୍କୁ ସମ୍ମାନେ ॥

ଶେଷେ ପ୍ରାର୍ଥନା କରିବ ଅତି ଭକ୍ତିଭରେ ।

ମଣି ବିଦ୍ରୂମ ମନ୍ଦାର କୁସୁମ ମାଳାରେ ॥

ସୁଗନ୍ଧ ଚନ୍ଦନ ଆଉ ବିବିଧାଳଙ୍କାରେ ।

ବାର୍ଷିକ ପବିତ୍ର ପୂଜାକଲି ମୁଁ ବେଭାରେ ॥

ଏହାବୋଲି ଦେବଦେବୀ ବିସର୍ଜନ କରି ।

ସଂବତ୍ସର ପୂଜାଫଳ ପାଏ ଜନ ଭୁରି ।

ଏଭାବେ ପବିତ୍ରୋତ୍ସବ ଯେ ଜନ କରଇ ।

କୋଟିଯୁଗ ଦେବପୁରେ କୈବଲ୍ୟ ଭୁଞ୍ଜଇ ॥

ଦେବଦେବୀଙ୍କ ଚରଣେ କରି ନମସ୍କାର ।

କାଳିକା ପୁରାଣ ଗୀତେ କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ

ଏକଷଷ୍ଠିତ୍ତମୋଽଧ୍ୟାୟଃ ।

 

॥ ୬୨ ॥

 

ଶ୍ରୀ ଈଶ୍ଵର ଉବାଚ

ଦୁର୍ଗାତନ୍ତ୍ର ମନ୍ତ୍ରେ କର ଦୁର୍ଗା ମହୋତ୍ସବ ।

ଆଶ୍ଵିନ ଶୁକ୍ଳ ନବମୀରେ ବଳିକୁ ଦେବ ॥

ଆଶ୍ଵିନର ଶୁକ୍ଳାଷ୍ଟମୀ ମହାଷ୍ଟମୀ ହୋଇ ।

ପରଦିନ ମହାନବମୀ ନାମକୁ ବହି ॥

ଦେବୀଙ୍କର ଅତିପ୍ରିୟ ତିଥି ଦୁଇଦିନ ।

ଏଥିରେ ଦେବୀଙ୍କ ପୂଜାବିଧି ଏବେ ଶୁଣ ॥

ସଂଯତ ହୋଇ ଦେବୀଙ୍କୁ ମଣ୍ଡଳେ ପୂଜିବ ।

ବୈଷ୍ଣବୀ ତନ୍ତ୍ର ମନ୍ତ୍ରରେ ଦୁର୍ଗାମନ୍ତ୍ରେ ହେବ ॥

ମୂର୍ତ୍ତି ଭେଦେ ପୂଜାଭେଦ ହୁଅଇ ଜାଣିବ ।

ଯେ ଦେବଙ୍କ ଯେଉଁ ମନ୍ତ୍ର ତହିଁରେ ପୂଜିବ ॥

ରବି କନ୍ୟା ଗତ ହେଲେ ଶୁକ୍ଳ ପ୍ରତିପଦ ।

ସେଦିନ ଆରମ୍ଭ ହେବ ଦେବୀପୂଜା ସ୍ପଦ ॥

ଅଜାଚିତନକ୍ତ ଏକ ଭୋଜନେ ରହିଣ ।

ପ୍ରାତଃସ୍ନାୟୀ ଦ୍ଵନ୍ଦ୍ୱ‌ତେଜି କରିବ ପୂଜନ ॥

ତିନିକାଳେ ଶିବପୂଜା କରିବ ପ୍ରତ୍ୟହ ।

ଜପ ହୋମକରି କୁମାରିଙ୍କୁ ଖୁଆଇବ ॥

ଷଷ୍ପୀଦିନ ବିଲ୍ୱବୃକ୍ଷ ଅଧିବାସ କରି ।

ସପ୍ତମୀରେ ବିଲ୍ଵଶାଖା ଫଳସଙ୍ଗେ ଧରି ॥

ନବପତ୍ରୀକାରେ ପୂଜା ଦେବୀଙ୍କୁ କରିବ ।

ଅଷ୍ଟମୀରେ ମହାପୂଜା ବିଧି ସମ୍ପାଦିବ ॥

ଜାଗରଣ କରି ଅର୍ଦ୍ଧରାଜ୍ରେ ବଳିଦାନ ।

ମହାନବମୀରେ କର ପୂର୍ବୋକ୍ତ ବିଧାନ ॥

ଦଶଭୂଜା ଦେବୀପୂଜା ଦୁର୍ଗାତନ୍ତ୍ରେ କରି ।

ଦଶମୀରେ ବିସର୍ଜନ କରିବ ବିଚାରି ॥

ସେଦିନ ନକ୍ତଭୋଜନ କରିବ ନିୟମେ ।

ଷୋଡ଼ଶଭୂଜା ଦେବୀଙ୍କୁ ପୂଜିବ ଏ କ୍ରମେ ॥

ଆଶ୍ଵିନ କୃଷ୍ଣପକ୍ଷର ଏକାଦଶୀ ଦିନ ।

ଉପବାସ କରି ଦ୍ଵାଦଶୀରେ ହବିଷ୍ୟାନ୍ନ ॥

ପରଦିନ ନକ୍ତଭୋଜୀ ସେ ଚତୁର୍ଦ୍ଦଶୀରେ ।

ଦେବୀଙ୍କୁ ବୋଧନ କରିବ ନାନୋପହାରେ ॥

ଗୀତବାଦ୍ୟେ ନାନାବିଧ ନୈବେଦ୍ୟ ପ୍ରଦାନି ।

ଦେବୀଙ୍କୁ ପୂଜିବ ଉପବାସେ ମନ୍ତ୍ରେ ପୁଣି ॥

ଏ ଭାବେ ବ୍ରତପାଳିବ ନବମୀ ପର୍ଯ୍ୟନ୍ତ ।

ଜ୍ୟୋଷ୍ଠା ନକ୍ଷତ୍ରେ ଦେବୀଙ୍କୁ ପୂଜିବ ନିୟତ ॥

ମୂଳା ପୂର୍ବୋତ୍ତରାକ୍ଷତ୍ରେ ଦେବୀପୂଜା କରି ।

ଶ୍ରବଣାରେ ଦେବୀଙ୍କର ବିସର୍ଜନ ସାରି ॥

ଅଷ୍ଟାଦଶଭୂଜା ଦେବୀ ପୂଜିଲେ ଏ କ୍ରମେ ।

ଦୁର୍ଗା ତନ୍ତ ମନ୍ତ୍ରେ ପୂଜା କରିବ ବିଧାନେ ॥

ଆଶ୍ଵିନ କୃଷ୍ଣପକ୍ଷର ନବମୀ ତିଥିରେ ।

ଆର୍ଦ୍ର ନକ୍ଷତ୍ରେ ଦେବୀଙ୍କ ବୋଧନ ବିଧିରେ ॥

ଶୁକ୍ଳଚତୁର୍ଥୀରେ ଦେବୀ କେଶମୁକ୍ତ କରି ।

ସୁବାସିତ ତୈଳ ହରିଦ୍ରା ଲେପନ କରି ॥

ପଞ୍ଚମୀ ସକାଳେ ଦେବୀ ସ୍ନାନ ଶୁଦ୍ଧଜଳେ ।

ସପ୍ତମୀରେ ପତ୍ରିକା ପୂଜନ ଅଷ୍ଟମୀରେ ॥

ଉପବାସ ପୂଜା ଜାଗରଣ ବିଧିରେ ।

ନବମୀରେ ବଳିଦାନ ପୁଣି ଦଶମୀରେ ॥

କ୍ରୀଡ଼ାକୌତୁକ ମଙ୍ଗଳେ ବିସର୍ଜନ କରି ।

ଶ୍ରବଣା ନକ୍ଷତ୍ର ଆଦ୍ୟପାଦକୁ ଯେ ଧରି ॥

ଦଶମୀରେ ନୀରାଜନ ଗୀତ ବାଦ୍ୟ ଘୋଷେ ।

ପ୍ରାତଃ ବିସର୍ଜିବ ଦେବୀ ପରମ ସନ୍ତୋଷେ ॥

ଯେବେ ବୈଷ୍ଣବୀ ଦେବୀଙ୍କୁ ପୂଜିବ ଯତନେ ।

ତାହା ବିଧି କହୁଅଛି ଶୁଣ ସାବଧାନେ ॥

ମହାଷ୍ଟମୀ ରାତ୍ରିରେ ବୈଷ୍ଣବୀଙ୍କ ପୂଜାରେ ।

ଆୟୋଜନ କରିବ ଯେ ବିଶେଷ ସମ୍ଭାରେ ॥

ଜପ ହୋମ କରିବ ବିଧିରେ ମନ୍ତ୍ରଯୋଗେ ।

ନବମୀ ରାତ୍ରିରେ ବଳିଦେବ ଦେବୀ ଭୋଗେ ॥

ଅଷ୍ଟପୁଷ୍ପିକାରେ ପୂଜା ଦେବୀଙ୍କୁ କରିବ ।

ରାବଣ ବଧ ନିମିତ୍ତ ରାମ କଲେ ସର୍ବ ॥

ପୂର୍ବେ ବ୍ରହ୍ମା ଦେବୀଙ୍କୁ ରାତିରେ ଉଠାଇଲେ ।

ତହୁଁ ସେ ନିଦ୍ରା ତେଜିଲେ ଆଶ୍ଵିନ ଶୁକ୍ଳରେ ॥

ଯେଠାରେ ରାଘବ ଥବଲେ ସେଠାକୁ ଯାଇଣ ।

ଯୁଦ୍ଧପାଇଁ ପ୍ରବର୍ତ୍ତାଇଲେ ରାମ ରାବଣ ॥

ରାକ୍ଷସ ବାନରଙ୍କର ରକ୍ତମାଂସ ଖାଇ ।

ସାତଦିନେ ଯୁଦ୍ଧଶେଷ କରିଥିଲେ ତହିଁ ॥

ସପ୍ତଦିନ ଅନ୍ତେ ମହାନବମୀ ଦିନରେ ।

ରାବଣକୁ ରାମଦ୍ଵାରା ମରାନ୍ତି ରଣରେ ॥

ରାମ ରାବଣଙ୍କ ଯୁଦ୍ଧ କୌତୁକେ ଦେଖିଲେ ।

ଦେବଗଣେ ପୂଜାକଲେ ଦେଙ୍କୁ ସେକାଳେ ॥

ନବମୀରେ ରାବଣର ହତ ହେବା ଜାଣି ।

ବ୍ରହ୍ମାସହ ଦେବେ ଦେବୀଙ୍କୁ ପୂଜିଲେ ପୁଣି ॥

ଦଶମୀରେ ଶାବରତ୍ସବେ ଦେବୀ ଚଳିଲେ ।

ଇନ୍ଦ୍ରଦେବ ସେନାଙ୍କୁ ଯେ ନୀରାଜନ କଲେ ॥

ଦେବ ସୈନ୍ୟ ଦେବରାଜ୍ୟ ବୃଦ୍ଧି କାମନାରେ ।

ରାମ ରାବଣ ଯୁଦ୍ଧକୁ ଭୟେ ଦେଖିଥଲେ ॥

ଲଙ୍କା ପୂର୍ବୋତ୍ତର ଦିଗେ ସ୍ଵାତୀ ରଷିଥିଲେ ।

ତେଣୁ ଦେବସୈନ୍ୟ ବହୁଗୁଣେ ନାଶଗଲେ ॥

ଏହା ଜାଣି ବିଷ୍ଣୁ ଆଦେଶିଲେ ଇନ୍ଦ୍ରାଦିଙ୍କୁ ।

ଦେବସୈନ୍ୟ ଶାନ୍ତିପାଇଁ ପୂଜହେ ଦେବୀଙ୍କୁ ॥

ତେଣୁ ଦେବୀ ପୂଜି ଦଶମୀରେ ନୀରାଜନ ।

ଦେବସେନାଙ୍କୁ କଲେ ସେହି ପାକ ଶାସନ ॥

ତହୁଁ ରାଘବଙ୍କୁ ଦେଖି ଦେବେ ସ୍ଵର୍ଗେ ଗଲେ ।

ପୂର୍ବ ଇତିହାସ ସ୍ୱାୟମ୍ଭୁବ ମନ୍ୱନ୍ତରେ ॥

ଦଶଭୂଜା ଦେବୀ ଆବିର୍ଭୂତା ହେଲେ ତହିଁ ।

ତ୍ରେତାଯୁଗ ଆଦ୍ୟୋ ଜଗତରହିତ ପାଇଁ ॥

ପୂର୍ବେ ଯେପରି ସବୁ ଯୁଗରେ ସେହିପରି ।

ଦୈତ୍ୟ ନାଶିବାକୁ ଦେବୀ ଅବତାର ଧରି ॥

ପ୍ରତିକନ୍ଧେ ରାମ ରାବଣର ଯୁଦ୍ଧ ହୁଏ ।

ଦେବେ ଦେବୀପୂଜି ସୈନ୍ୟ ନିରାଜନ୍ତି ସ୍ନେହେ ॥

ସହସ୍ର ସଂଖାରେ ରାମ ରାବଣ ହୁଅନ୍ତି ।

ପ୍ରତିଥର ସୈନ୍ୟ ନିରାଜନ କରୁଥାନ୍ତି ॥

ଏବେ ନରେ ସେ ଦେବୀଙ୍କୁ ପୂଜନ୍ତି ବିଧିରେ ।

ଆଶ୍ଵିନ ସପ୍ତମୀଠାରୁ ନବମୀ ମଧ୍ୟରେ ॥

ଦଶମୀରେ ରାଜା ସୈନ୍ୟ ନୀରାଜନ କରେ ।

ନିଜ ସୈନ୍ୟ ବୃଦ୍ଧିପାଇଁ ସନ୍ତୋଷ ମନରେ ॥

ଦିବ୍ୟ ଅଳଙ୍କାରଯୁକ୍ତ ମଦ୍ୟପାନେ ରତ ।

ବିବିଧକ୍ରୀଡ଼ା କୌତୁକ ବାଦ୍ୟ ନୃତ୍ୟ ଗୀତ ॥

ମୋଦକ ପିଷ୍ଟକ ଭୋଜ୍ୟ ନାନାବିଧ ପେୟ ।

ନାନାବିଧ ସ୍ଵାଦୁଫଳ ବାଳକଙ୍କ ପ୍ରିୟ ॥

ମଦ୍ୟ ପଶୁମାଂସ ନିଜଦେହ ରକ୍ତେ ପୁଣି ।

ଦେବୀଙ୍କୁ ପୂଜନ୍ତି ଜନେ ଶୁଭହେବା ଜାଣି ॥

ରାତିରେ ପିଷ୍ଟକେ ସ୍କନ୍ଧ ବିଶାଖ ଗଢ଼ିଣ ।

ତାଙ୍କୁ ପୂଜନ୍ତି ଦେବୀଙ୍କ ସନ୍ତୋଷ କାରଣ ॥

ସତିଳ ଆଜ୍ୟରେ ହୋମ କରନ୍ତି ଅନେକେ ।

ଉଗ୍ରଚଣ୍ଡାଦି ଶକ୍ତିଙ୍କୁ ପୂଜନ୍ତି ବିବେକେ ॥

ଚତୁଃଷଷ୍ଠୀ ଯୋଗିନୀ ଯେ ନବଦୁର୍ଗାଦେବୀ ।

ଦେବୀଙ୍କ ସମୀପେ ପୂଜନ୍ତି ଯେ ଶୁଭ ଭାବି ॥

ଦେବୀଙ୍କ ସକଳ ଅସ୍ତ୍ର ଭୂଷଣ ବାହନ ।

ଅଙ୍ଗ ପ୍ରତ୍ୟଙ୍ଗ ସହିତ ପୂଜନ୍ତି ସେମାନ ॥

ପୂର୍ବେ ଦେବୀ ମହିଷାସୁର ବଧ ନିମନ୍ତେ ।

ଦେବତେଜୁ ଆବିର୍ଭୂତା ହେଲେ ଯେଉଁମତେ ॥

ଷୋଡ଼ଶ ଭୁଜରେ ଭଦ୍ରକାଳୀ ନାମ ହେଲା ।

କ୍ଷୀରୋଦ ଉତ୍ତରତୀରେ ପ୍ରକାଶ ପାଇଲା ॥

ଅତସୀ ପୁଷ୍ପ ବର୍ଣ୍ଣାଭା ସୁବର୍ଣ୍ଣ କୁଣ୍ଡଳେ ।

ଭୂଷିତା ସେ ଜଟାଜୁଟେ ଚନ୍ଦ୍ରଲେଖା ଶିରେ ।

ନାଗହାର ସ୍ଵର୍ଣ୍ଣହାର ଭୂଷିତା ହୋଇଣ ।

ଶୁଳଚକ୍ର ଖଡ୍‌ଗ ଶଙ୍ଖ ଶକ୍ତି ବଜ୍ରବାଣ ॥

ଦଣ୍ଡ ଖେଟକ ଯେ ଚର୍ମ ଚାପ ପାଶାଙ୍କୁଶ ।

ଘଣ୍ଟା ପରଶୁ ଯେ ମାଳା କରେହୁଏ ଦୃଶ୍ୟ ॥

ସିଂହବାହିନୀ ତ୍ରିନେତ୍ର ଅତ୍ୟନ୍ତ ଉଜ୍ଜ୍ଵଳ ।

ଶୁଳେ ମହିଷକୁ ବଧି ରହିଲେ ନିଶ୍ଚଳ ॥

ବାମପାଦେ ଆକ୍ରମଣ କରି ଅସୁରକୁ ।

ସେକାଳେ ଦେବେ ପ୍ରଣାମ କଲେ ଅମ୍ବିକାକୁ ॥

ମହିଷର ବଧ ଦେଖି କିଛି ନକହିଲେ ।

ସହସ୍ରବାର ଦେବୀଙ୍କୁ ପ୍ରଣିପାତ କଲେ ॥

ତହୁଁ ଦେବୀ ଅମରଙ୍କୁ କହିଲେ ଏମନ୍ତ ।

ତୁମ୍ଭ ଶତ୍ର ମହିଷକୁ କଲିମୁହିଁ ହତ ॥

ଏବେ ତୁମ୍ଭେମାନେ ହିମାଳୟ ନିକଟରେ ।

କାତ୍ୟାୟନ ମୁନି ଆଶ୍ରମକୁ ଚଳ ଧୀରେ ॥

ତହୁଁ ଦେବେ ଦେବୀ ଆଜ୍ଞା ଶିରୋଧାର୍ଯ୍ୟ କରି ।

କାତ୍ୟାୟନ ମୁନି ଆଶ୍ରମକୁ ଗଲେ ଚଳି ॥

ତହି ପ୍ରବେଶି ଭାବିଲେ ମହିଷତ ମଲା ।

କିମ୍ପା ଏ ସ୍ଥାନେ ଆସିବା ଦେବୀ ଆଜ୍ଞା ହେଲା ॥

ଏତେ ବିଚାରି ଦେବୀଙ୍କୁ ଦେଖିବା ଆଶାରେ ।

ଆଶ୍ରମେ ବସି ରହିଲେ ଦେବେ ଉତ୍କଣ୍ଠାରେ ॥

ତହୁଁ ରୁଦ୍ରଗଣେ ଆସି ମହିଷ ଚେଷ୍ଟାକୁ ॥

ଦେବୀଙ୍କୁ କହନ୍ତେ ଦେବେ କୋପିଲେ ତାହାଙ୍କୁ ॥

କହିଲେ ମହିଷ ବଧ କଲେଣି ଭବାନୀ ।

ଆଉ କେଉଁ ମହିଷ ଅନିଷ୍ଟ କରେ ପୁଣି ॥

ଏହାକହି କୋପକଲେ ଦେବତା ସକଳେ ।

ସେ କୋପରୁ ତହିଁଦେବୀ ଆବିର୍ଭୂତା ହେଲେ ॥ ।

କାତ୍ୟାୟନ ରଖି ତାଙ୍କୁ ପୂଜିଲେ ବିଧିରେ ।

ତେଣୁ କାତ୍ୟାୟନୀ ନାମ ପ୍ରଚରେ ସଂସାରେ ॥

ଆଶ୍ଵିନ କୃଷ୍ଣ ଚତୁର୍ଦ୍ଦଶୀରେ ସେ ବୋଧିତା ।

ଦେବତେଜ ରୂପା ଜଗନ୍ମୟୀ ଆଦିମାତା ॥

ସପ୍ତମୀ ଅଷ୍ଟମୀ ନବମୀରେ ପୂଜାପାଇ ।

ଦଶମୀରେ ବିସର୍ଜିତାହ୍ଵନ୍ତି ମହାମାଈ ॥

ମାର୍କଣ୍ଡେୟ ଉବାଚ

ଦେବୀଙ୍କ ଚରିତ ଶୁଣି ସଗର ନୃପତି ।

ସଂଶୟମନେ ଔର୍ବ ରଷିଙ୍କୁ ପଚାରନ୍ତି ॥

ସଗର ଉବାଚ ।

ଯେବେ ପଛେ ଦେବୀ ନାଶିଲେ ମହିଷାସୁର । ।

ପୂର୍ବେ ଭଦ୍ରକାଳୀ ରୂପେ ମାଇଲେ ଅସୁର ॥

ପାଦାକ୍ରାନ୍ତେ ଶୁଳେବଧି ମହିଷକୁ ବେୀ

ଦେବେ ଦେଖିଲେ ତାହାଙ୍କୁ ମନେ ହୋଇଭାବି ॥

ଦୁଇବାର ମହିଷକୁ ବଧିଲେ କି ଦେବୀ ।

ଏ ବଡ଼ ସଂଶୟଛେଦ କହୁଅଛି ଭାବି ॥

 

ଔର୍ବ ଉବାଚ

ପୂର୍ବେ ଭଦ୍ରକାଳୀ ମହିଷ ସଙ୍ଗେ ପ୍ରକାଶ ।

ମହିଷ ଦେଖିଲା ସ୍ଵପ୍ନ ହୋଇଣ ହତାଶ ॥

ଦେବୀ ଶୂଳେ ମହିଷକୁ ବଧ କରୁଛନ୍ତି ।

ବ୍ୟାଦାନ ମୁଖେ ତ ରକ୍ତ ପାନେ ମାତୁଛନ୍ତି ॥

ତହୁଁ ପ୍ରାତଃକାଳେ ଭୟଯୁକ୍ତ ହୋଇ ମନେ ।

ଦେବୀଙ୍କୁ ପ୍ରଣମି ନମ୍ରେ କହିଲା ତତ୍‍କ୍ଷଣେ ॥

ହେ ମାତଃ ସ୍ଵପ୍ନେ ଦେଖିଲି ଶୂଳେ ମୋତେ ମାରି ।

ମୋରୁଧିର ପାନକରି ହର୍ଷରେ ବିହରି ॥

ଏ କଥା ନିଶ୍ଚୟ ହେବ ମୁଁ ଜାଣିପାରିଛି ।

ମୁଁ ରକ୍ତପାନ କରିବି ଏବର ମାଗୁଛି ॥

ମୋର ତହିଁ ଦୁଃଖନାହିଁ ତୁମ୍ଭେ ଯେ ମାଇଲେ ।

କିନ୍ତୁ ପୂର୍ବେ ପିତା ଶିବ ଶିବାଙ୍କୁ ପୂଜିଲେ ॥

ମୋ ପାଇଁ ପୂଜିତା ହେଲେ ମୁଁ ମଧ୍ୟ ପୂଜିଛି ।

ତିନି ମନ୍ଵନ୍ତର ରାଜା ହେବାକୁ ମାଗିଛି ॥

କାତ୍ୟାୟନ ମୁନି ମୋତେ ଅଭିଶାପ ଦେଲେ ।

ତୁମ୍ଭହାତେ ମରିବାକୁ ମୋତେ ଆଦେଶିଲେ ॥

ପୂର୍ବେ ରୌଦ୍ରାଶ୍ଵ ନାମକ ମୁନି ତପ କରି ।

କାତ୍ୟାୟନ ଶିଷ୍ୟ ସେ ଅତ୍ୟନ୍ତ ଶୁଦ୍ଧାଚାରୀ ॥

କୌତୁକେ ମୁଁ ଦିବ୍ୟନାରୀ ବେଶକୁ ଧଇଲି ।

ମୋତେ ଦେଖି ମୁନିତପ ତେଜିଲେ ଦେଖିଲି ॥

ନିକଟେ କାତ୍ୟାୟନ ଦେଖିଲେ ସବୁ କୃତ୍ୟ ।

ଶିଷ୍ୟହିତେ ଶାପଦେଲେ ହୋଇ କୋପଯୁକ୍ତା ॥

ଯେଣୁ ତୁ କୌତୁକେ ନାରୀବେଶେ ମୋ ଶିଷ୍ୟକୁ ।

ତପରୁ ବିରତ କଲୁ ଘେନ ମୋ ଶାପକୁ

ଯେଉଁ ନାରୀ ରୂପଧରି ତପ ଭ୍ରଷ୍ଟକଲୁ ।

ସେହି ନାରୀ ହାତେ ମୃତ୍ୟୁ ଲଭିବୁ ସେ ବେଳୁ ॥

ସେ କାତ୍ୟାୟନ ମୁନିଙ୍କ ଶାପର ଏକାଳ ।

ତୁମ୍ଭେ ହାତେ ମରିବି ଯିବ ଦେବଙ୍କ ଶଲ ॥

ବହୁକାଳ ରାଜା ହୋଇ ବହୁଭୋଗ କଲି ।

ଏ କ୍ଷଣି ମରଣେ ଦୁଃଖନାହିଁ ମୋର ଭାଳି ॥

କିନ୍ତୁ ପ୍ରାର୍ଥନା କରୁଛି ଯଜ୍ଞେ ଭାଗନେବି ।

ତୁମ୍ଭଠାରେ ଭକ୍ତିରହୁ ସଦା ମୁଁ ଇଚ୍ଛିବି ॥

ତହୁଁ ଦେବୀ ପ୍ରସନ୍ନେ କହିଲେ ଶୁଣ ଏବେ ।

ଯଜ୍ଞଭାଗ ନପାଇବ ନେଇଛନ୍ତି ଦେବେ ॥

କେବଳ ମୋ ଭକ୍ତି ଥିବ ସଦା ହୃଦୟରେ ।

ତେଣୁ ପୂଜା ପାଇବୁ ତୁ ମୋ ପୂଜା କାଳରେ ॥

ଏହାଶୁଣି ସେ ମହିଷ ଆନନ୍ଦ ହୋଇଲା ।

ଭକ୍ତିରେ ପ୍ରଣମି ଦେବୀଙ୍କୁ ପୁଣି କହିଲା ॥

ତୁମ୍ଭର ଅନେକ ରୂପ କେଉଁ ମୂର୍ତ୍ତିପୂଜି ।

କୃତାର୍ଥ ହୋଇବି ମାତଃ କହ ମନେ ହେଜି ॥

ଦେବୀ କହିଲେ ଉଗ୍ରଚଣ୍ଡା ଯେ ଭଦ୍ରକାଳୀ ।

ଦୁର୍ଗାପୂଜା କଲେ ଲଭିବୁ ତୁ ଶ୍ରଦ୍ଧାଭରି ॥

ଏ ମୂର୍ତ୍ତି ପାଦରେ ଲଗ୍ନ ହେବୁ ନିରନ୍ତର ।

ଦେବା ସୁରନର ସର୍ବେ ପୂଜିବେ ପୟର ॥

ଆଦି ସୃଷ୍ଟିରେ ଉଗ୍ରଚଣ୍ଡା ହୋଇ ମାଇଲି ।

ପୁଣି ଭଦ୍ରକାଳୀ ରୂପେ ତୋତେ ବଧକଲି ॥

ଏ କ୍ଷଣି ଦୁର୍ଗା ରୂପରେ ମାରିବି ଯେ ତୋତେ ।

ପୂର୍ବ ଦୁଇଥର ପାଦଲଗ୍ନ ନୋହି ମୃତେ ॥

ଏକ୍ଷଣି ମାରିବା ହେତୁ ମରଣ ସମୟେ ।

ମୋ ପାଦ ଲଗ୍ନହେବୁ ପୂଜିବେ ଯେ ସମସ୍ତେ ॥

ଏହାକହି ଉଗ୍ରଚଣ୍ଡୀ ରୂପ ଦେଖାଇଲେ ।

ପୁଣି ଅଷ୍ଟାଦଶଭୂଜେ ଭଦ୍ରକାଳୀ ହେଲେ ॥

ଦକ୍ଷହସ୍ତେ ଗଦାବାମେ ପାନପାତ୍ର ଧରି ।

ଶଙ୍ଖଘଣ୍ଟା ଅକ୍ଷମାଳା କରଫୁଟେ ଧରି ॥

ସେ ପାତ୍ର ସୁରାରେ ପୂର୍ଣ୍ଣ ଶିରେ ମୁଣ୍ଡମାଳ ।

ଭିନ୍ନାଞ୍ଜନ ସମବର୍ଣ୍ଣ ସିଂହ ଯାନେଚଳ ॥

ରକ୍ତନେତ୍ରା ମହାକାୟା ଉଗ୍ରଚଣ୍ଡା ଦେବୀ ।

ଭଦ୍ରକାଳୀ ରୂପ ଦେଖି ମହିଷ ପ୍ରଣମି ॥

ତହୁଁ ପଦା କ୍ରମଣରେ ଯଥାବଧ ହେଲା ।

ହୃଦେଶୂଳ ବାଜି ଯଥା ଶିରହୀନ ହେଲା ॥

ଦେବୀ କେଶ ଧରିଛନ୍ତି ରକ୍ତବାନ୍ତି କରେ ।

ନିଜରୂପ ଦେଖି ଭୟକଲା ସେ ମନରେ l

କ୍ଷଣେ ଚିନ୍ତାକରି ପୁଣ ଦେବୀଙ୍କୁ କହିଲା ।

ମନ ମଧ୍ୟରେ ଦେବଙ୍କୁ ଭୟ ସେହି କଲା ॥

ଦେବଙ୍କ ସଙ୍ଗେ ବିବାଦ ମୋର ନ ହୋଇବ ।

ପୃଥିବୀରେ ପୁନରପି ଜନ୍ମ ମୋ ନହେବ ॥

ଏହାଶୁଣି ଦେବୀଅସ୍ତୁ ବୋଲି କହି ଦେଲେ ।

ମୋ ପାଦ ଲଗ୍ନହେତୁ ତୁ ନଜନ୍ମିବୁ କାଳେ ॥

ତୋ ଜୀବାତ୍ମା ପ୍ରାଣସହ ମୋ ଦେହରେ ଲୀନ ।

ହେବାରୁ ତୋହର ଆଉ ନ ହୋଇବ ଜନ୍ମ

ତିରିଶି ସହସ୍ର ଆଠଶତ ଯୁଗ ଯାଏ ।

ତୋର ଜନ୍ମ ହେବନାହିଁ ଜାଣିଥା ନିଶ୍ଚୟେ ॥

ମହିଷକୁ ବରଦେଇ ମହିଷ ମର୍ଦ୍ଦିନୀ ।

ଅନ୍ତର୍ହିତା ହୋଇଗଲେ ସେ ଦେବୀ ଭବାନୀ ॥

ମହିଷାସୁର ସ୍ଵସ୍ଥାନେ ଯାଇ ପୂର୍ବପରି ।

ଅସୁର ଭାବଧରି ସେ ଅନିଷ୍ଟାଦି କରି ॥

ସଗର ଉବାଚ

ଅନେକ ଅସୁର ଜନ୍ମି ପୃଥ୍ଵୀକ୍ଷୟ କଲେ ।

କେହି କେବେ କାହାଠାରୁ ବର ନମାଗିଲେ ॥

ଔର୍ବ ଉବାଚ

ରମ୍ଭନାମେ ଅସୁର ଶିବଙ୍କୁ ସେବାକଲା ।

ଶିବଙ୍କ ପ୍ରସନ୍ନେ ତାହାଙ୍କୁ ବର ମାଗିଲା ॥

ଅପୁତ୍ରିକ ମୁହିଁ ମୋତେ ପୁତ୍ରଦାନ ଦେବ ।

ତିନିଜନ୍ମ ମୋର ପୁତ୍ର ତୁମ୍ଭେ ହୋଇଥିବ ॥

ସର୍ବପ୍ରାଣୀର ଅବଧ୍ୟ ଦେବଙ୍କ ଅଜେୟ ।

ଟିରାୟୁ ଯଶସ୍ଵୀ ଲକ୍ଷ୍ମୀବାନ ହୋଇଥିବ ॥

ଏହାଶୁଣି ଶିବ କହିଲେ ସେପରି ହେଉ ।

ତୁମ୍ଭପୁତ୍ର ହୋଇ ମୋର ଏ ଜୀବନ ଯାଉ ॥

ଏତେ କହି ଅନ୍ତର୍ହିତ ହେଲେ ମହେଶ୍ଵର ।

ରମ୍ଭ ସ୍ଵସ୍ଥ୍ଵାନେ ଚଳିଲା ହୋଇ ହର୍ଷଭର ॥

ବାଟେ ଦେଖିଲା ତ୍ରିବର୍ଷା ଟିତ୍ରିଣୀ ମଇଁଷୀ ।

ତାକୁ ଦେଖି କାମପୀଡ଼ା ହେଲା ତାର ବେଶି ॥

ହାତେଧରି ତାହାସଙ୍ଗେ କାମ ଯୁଦ୍ଧକଲା ।

ତହୁଁ ମଇଁଷୀ ଗର୍ଭରୁ ମହିଷ ଜନ୍ମିଲା ॥

ଶିବ ନିଜ ଅଂଶେ ରମ୍ଭପୁତ୍ର ହେଲେ ତହିଁ ।

କାଳେ ଶାପ ଗ୍ରସ୍ତ ହେଲା କାତ୍ୟାୟନ ଠାଇଁ ॥

ଏହାଜାଣି ଶିବ କହିଲେ ଦେବୀଙ୍କ ପାଶେ ।

ମହିଷ ସ୍ତ୍ରୀହାତେ ମରିବାକୁ ଶାପ ଆଶେ ॥

ମୋ ଅଂଶ ଅଟେ ମହିଷ ତୁମ୍ଭ ହାତେ ବଧ ।

ହୋଇବ ସେ ତିନିବାର କଲି ମୁଁ ସମ୍ବନ୍ଧ

ସେହି ଭାବେ ତିନିଜନ୍ମ ମହିଷ ହୋଇଣ ।

ଦେବୀଙ୍କ ହସ୍ତରେ ବଧି ଲଭିଲା ଦାରୁଣ ॥

ତୃତୀୟ ଜନ୍ମରେ ଦେବୀଠାରୁ ବରପାଇଁ ।

ପୁନର୍ଜନ୍ମ ନ ଲଭିଲା ଦେବୀ ପାଦେ ରହି ॥

ଦେବୀ ପ୍ରସାଦେ ଶିବାଂଶେ ଜନ୍ମି ସେ ଅସୁର ।

ଦେବୀ ପଦେଲୀନ ହେଲା ଏ ଅତି ବିଚିତ୍ର ॥

ଔର୍ବ ସଗର ରାଜାଙ୍କୁ ମହିଷ ଚରିତ ।

ବୁଝାଇ କହିଲେ ପ୍ରଭାକର କରେ ଗୀତ ॥

 

ଇତି ଶ୍ରୀ କାଳିକାପୁରାଣେ

ମହିଷାସୁରୋପାଖ୍ୟାନେ

ଦ୍ୱିଷଷ୍ଟିତମୋଽଧ୍ୟାୟଃ ।

✽✽✽

 

॥ ୬୩ ॥

 

ଔର୍ବ ଉବାଚ

ଶିବ କହିଁଲେ ଯେପରି ବେତାଳ ଭୈରବେ ।

ସେକଥା କହିବି ରାଜା ତୁମ୍ଭେ ଶୁଣ ଏବେ ॥

ଶ୍ରୀ ଈଶ୍ୱର ଉବାଚ

ଉଗ୍ରଚଣ୍ଡୀ ଅଷ୍ଟାଦଶଭୁଜା ଯେଉଁ ମୂର୍ତ୍ତି ।

ଆଶ୍ଵିନ କୃଷ୍ଣନବମୀ ଦିନ ସେ ଉତ୍ପତ୍ତି ॥

ଯୋଗିନୀ କୋଟି ସହିତ ମର୍ତ୍ତ୍ୟେ ଅବତରି ।

ଦକ୍ଷଯଜ୍ଞେ ଯଜ୍ଞଧ୍ୱଂସ କଲେ କ୍ରୋଧକରି ॥

ଦକ୍ଷଯଜ୍ଞେ କପାଳୀ ଦୋଷରେ ନକରିଲେ ।

ସେହି ଅପମାନେ ସତୀ ପ୍ରାଣକୁ ତେଜିଲେ ॥

ସେ ଦେବୀ ଉଗ୍ରଚଣ୍ଡୀ ରୂପରେ ଅବତୀର୍ଣ୍ଣା ।

କ୍ରୋଧ ଶାନ୍ତିପାଇଁ ଦେବେ କଲେ ଆରାଧନା ॥

ପୂର୍ବୋକ୍ତ ବିଧିରେ ଦେବେ ପୂଜିଲେ ଚଣ୍ଡିକା ।

ଦୁଃଖନାଶି ସୁଖେ ସ୍ଵର୍ଗେ ବାସ କଲେ ଏକା ॥

ଏହିପରି ଅନ୍ୟ ସର୍ବେ ଦେବୀଙ୍କୁ ପୂଜିଲେ ।

ଅତୁଳ ଐଶ୍ୱର୍ଯ୍ୟ ଚତୁବର୍ଗକୁ ଭଲେ ॥

ଯେ ଜନ ଅଜ୍ଞାନେ ଆଳସ୍ୟରୁ ହେଳାକରି ।

ଉତ୍ସବ କାଳେ ଦେବୀଙ୍କୁ ନପୂଜେ ବାହାରି ॥

ତାର ଇଷ୍ଟ ମନୋରଥ ବିନାଶନ୍ତି ଦେବୀ ।

ପରଲୋକେ ବଳିରୂପେ ଭକ୍ଷନ୍ତି ନଭାବି ॥

ମହାଷ୍ଟମୀରେ ରକ୍ତମାଂସକୁ ବଳିଦେଇ ।

ବିବିଧ ନୈବେଦ୍ୟ ଦେବୀ ପୂଜନ୍ତି ସେ ଯାଇ ॥

ସିନ୍ଦୂର ପଟ୍ଟବସନ ବିବିଧ ଲେପନ ।

ନାନାବିଧ ପୁଷ୍ପଫଳ କରି ସମ୍ପାଦନ ॥

ପୂଜନ୍ତି ସକଳ ଜଳେ ଶକ୍ତି ଅନୁସାରେ ।

ପୁତ୍ରବନ୍ତେ ଉପାସନା କରି ଅଷ୍ଟମୀରେ ॥

ପୁତାତ୍ମା ହୋଇ ଦେବୀଙ୍କୁ ପୂଜି ଅଷ୍ଟମୀରେ ।

ବଳିଦାନ ରାତିଅଧେ କରି ନବମୀରେ ॥

ଦଶମୀ ଶ୍ରବଣାରୂକ୍ଷେ ଦେବୀଙ୍କୁ ବିସର୍ଜୀ ।

ଶବରୋତ୍ସବ କରନ୍ତି ନାନାଦ୍ରବ୍ୟ ଖୋଜି ॥

କୁମାରୀଙ୍କୁ ପୂଜା କରି ନୃତ୍ୟ ବାଦ୍ୟ କରି ।

ଦେବୀଙ୍କୁ ବିସର୍ଜନ୍ତି ବଜାଇ ଶଙ୍ଖ ଭେରୀ ॥

ଧ୍ଵଜବସ୍ତ୍ର ଟେକି ଲଜାପୁଷ୍ପ ବିଞ୍ଚି ପଥେ ।

ଧୂଳି କର୍ଦ୍ଦମରେ ଲିପ୍ତ ହୁଅନ୍ତି ସମସ୍ତେ ॥

ଭଗଲିଙ୍ଗାଦି ଅଶ୍ଳିଳ ବଚନ ଉଚାରି ।

ପରସ୍ପର ଭର୍ତ୍ସନାଦି ଆକ୍ଷେପକୁ କରି ॥

ଏପରି ନହେଲେ ଦେବୀ କୋପକୁ କରନ୍ତି ।

ତେଣୁ ବିସର୍ଜନ କାଳେ କରିବାର ନୀତି ॥

ରାତ୍ରିଶେଷେ ଶ୍ରବଣା ନକ୍ଷତ୍ର ପ୍ରବେଶିଲେ ।

ଦେବୀଙ୍କୁ ବିସର୍ଜି ଦେବ ଦଶମୀ ତିଥିରେ ॥

ଏହିମନ୍ତେ ବିସର୍ଜନ ଦେବୀଙ୍କୁ କରିବ ।

ଜଳମଧ୍ୟେ ନିକ୍ଷେପିଣ ବିଭୂତି ଲଭିବ ॥

ଶୁଭପୂଜା ଘେନି ମାତ ଯାଅ ନିଜସ୍ଥାନେ ।

ଅଷ୍ଟଶକ୍ତି ସହ କର ଆମ୍ଭର କଲ୍ୟାଣ ॥

ଯେଉଁ ପୂଜା କରିଅଛୁ ସମ୍ପୂର୍ଣ୍ଣ ସେ ହେଉ ।

ଆମ୍ଭଠାରେ ସବୁବେଳେ ଦୟାଭାବ ଥାଉ ॥

ସ୍ରୋତଜଳେ ଭାସିଯାଇ ନିଜସ୍ଥାନେ ବସ ।

ଏ ପ୍ରାର୍ଥନା କରି ଜଳେ ବିସର୍ଜିବ ଶେଷ i1

ପତ୍ରିକା ଘଣ୍ଟାଦି ସର୍ବ ଜଳେ ନିକ୍ଷେପିବ ।

ପୁତ୍ର ଆୟୁ ଧନବଢ଼ି ସୁଖରେ ରହିବ ॥

ଭଦ୍ରକାଳୀ ଉଗ୍ରଚଣ୍ଡୀ ଏ ମୂର୍ତ୍ତିଦ୍ୱୟଙ୍କୁ ।

ଏଭାବେ ପୂଜି ଲଭିବ ସୁଖ ସମୃଦ୍ଧିକୁ

ମୂଳମୂର୍ତ୍ତି ଯୋଗିନୀଙ୍କ ପୂଜା ନେତ୍ର ବୀଜେ ।

କରି ଅଭିଷ୍ଟ ଲଭିବ କହିଲି ସହଜେ ॥

ଜୟନ୍ତୀ ମଙ୍ଗଳା ଭଦ୍ରକାଳୀ କପାଳିନୀ ।

କାଳୀ ଦୁର୍ଗା କ୍ଷମାଶିଳା ଏ ଅଷ୍ଟଯୋଗିନୀ ॥

କୌଶିକୀ ଯେ ଶିବଦୂତୀ ଉମା ହୈମବତୀ ।

ଶାକମ୍ବରୀ ଈଶ୍ଵରୀ ଯେ ଦୁର୍ଗା କ୍ଷମାବତୀ ॥

ଏ ଶକ୍ତିଙ୍କୁ ପୂଜିବ ଦେବୀଙ୍କ ସମୀପରେ ।

ଦେବୀଙ୍କର ପ୍ରିୟସଖୀ ଏମାନେ ବିଧିରେ ॥

ସୁବର୍ଣ୍ଣାଙ୍ଗୀ ଗୌରୀ ଦ୍ୱିଭୂଜା ସେ ହୈମବତୀ ।

ନୀଳପଦ୍ମ ବାମକରେ କୌତୁକେ ଧରନ୍ତି ॥

ଶୁକ୍ଳ ଚାମରଧାରିଣୀ ଶିବ ବକ୍ଷପାର୍ଶ୍ଵେ ।

ଦକ୍ଷିଣ ହସ୍ତ ନିବେଶ ଚିନ୍ତିବ ମାନସେ ॥

ବ୍ୟାଘ୍ରଚର୍ମ ପଦ୍ମାସୀନା ଏ ଦେବୀଙ୍କ ସଙ୍ଗେ ।

ଅଷ୍ଟଶକ୍ତି ପୂଜିବ ବିବିଧପୁଷ୍ପ ଭୋଗେ ॥

ଜୟା ବିଜୟା ମାତଙ୍ଗୀ ଲଳିତା ସାବିତ୍ରୀ

ନାରାୟଣୀ ସ୍ଵଧା ସ୍ଵହା ଏହି ଅଷ୍ଟମୂର୍ତ୍ତି ॥

ପୂର୍ବେ ଶୁମ୍ଭ ନିଶୁମ୍ଭ ନାମରେ ବେନିଦୈତ୍ୟ ।

ଅନ୍ଧକର ପୁତ୍ର ଥୁଲେ ମହା ବଳବନ୍ତ ॥

ମହାକାୟ ମହାସତ୍ଵ ହସ୍ତି ଦ୍ୱୟ ପରି ।

ସୈନ୍ୟବାହନ ସହିତ ଥିଲେ ତଳପୁରୀ ॥

ମୋ ହାତେ ଅନ୍ଧକମଲା ତହୁଁ ତାର ପୁତ୍ରେ ।

କଠୋର ତପସ୍ୟା କଲେ ଦୁହେଁ ଇଚ୍ଛାମତେ ॥

ବ୍ରହ୍ମାଙ୍କୁ ତୋଷି ବର ଘେନିଲେ ସେହି ଦୁହେଁ ।

ତହୁଁ ତ୍ରିପୁର କିଣିଲେ ଅତିବଳେ ମୋହେ ॥

ଇନ୍ଦ୍ରପଦ ଶୁମ୍ଭନେଲା ଭାଇ ଚନ୍ଦ୍ରପଦ ।

ସର୍ବଦେବ ଯଜ୍ଞଭାଗ ହରିଲେ ସେ କ୍ରୂଦ୍ଧ ॥

ତହୁଁ ଦେବେ ସ୍ଵର୍ଗଛାଡ଼ି ହିମାଳୟେ ଗଲେ ।

ସେସ୍ଥାନେ ମହାମାୟାଙ୍କୁ ବ୍ୟସ୍ତେ ସ୍ତୁତିକଲେ ॥

ବହୁ ସ୍ତୁତିପରେ ଦେବୀ ମାତଙ୍ଗିନୀ ରୂପେ ।

ଦେବଙ୍କୁ ଦେଖି କହିଲେ କାହାକୁ ଏ ରୂପେ ॥

ସ୍ତୁତି କରୁଛି କିମ୍ବାଇ କହ ଫେଡ଼ିକରି ।

ଏକାଳେ ମାତଙ୍ଗୀ ଦେହେଦେବୀ ଅବତରି ॥

କହିଲେ ମୋତେ ସ୍ତୁତି କରନ୍ତି ଦେବଗଣେ ।

ଶୁମ୍ଭ ନିଶୁମ୍ଭ ଦୈତ୍ୟଙ୍କ ପୀଡ଼ା ଉପଶମେ ॥

ମାତଙ୍ଗୀ ଦେହରୁ କାଳୀରୂପେ ଅବତରି ।

କ୍ଷଣକାଳ ମଧ୍ୟେ ପୁଣି ହେଲେ ଦେବୀଗୌରୀ ॥

ସେହି ଦେବୀ ଉଗ୍ରତାରା ନାମରେ ବିଖ୍ୟାତା ।

ଉଗ୍ରଭୟ ତାରିବାରୁ ଉଗ୍ରତାରା ଖ୍ୟାତା ॥

ଏହାଙ୍କର ତନ୍ତ୍ରମନ୍ତ୍ର ପୂର୍ବରୁ କହିଛି ।

ଏହାଙ୍କର ଧ୍ୟାନ ଶୁଣ ଏବେ କହୁଅଛି ॥

ଚତୁର୍ଭୂଜା କୃଷ୍ଣବର୍ଣ୍ଣା ମୁଣ୍ଡମାଳା ଯୁକ୍ତା ।

ଦକ୍ଷିଣ ହସ୍ତଦ୍ଵୟରେ ଖଡ୍‍ଗ ପଦ୍ମସ୍ଥିତା ॥

କତୁରୀ ଖପର ବାମ ଦୁଇହାତେ ଧରି ।

ଭୂମିଲେଖି ଏକଜଟା ଶିରେ ଶୋଭା କରି ॥

ମୁଣ୍ଡମାଳା ଧରା ଶିର ଗ୍ରୀବା ବକ୍ଷଦେଶେ ।

ନାଗହାର ଧରି ରକ୍ତଲୋଚନା ବିଶେଷେ ॥

କଟିରେ କୃଷ୍ଣବସନ ବ୍ୟାଘ୍ରଚର୍ମ ସଙ୍ଗେ ।

ଶବହୃଦେ ବାମପାଦ ଦକ୍ଷପାଦ ସିଂହେ ॥

ଶବକୁ ଚାଟନ୍ତି ଜିଭେ ସେ ଅଟ୍ଟହାସିନୀ ।

ମହାଘୋରା ଅଗ୍ନିମୁଖୀ ଭୀଷଣ ବଦନୀ ॥

ଏ ରୂପେ ଉଗ୍ରତାରାଙ୍କୁ ଚିନ୍ତି ସାଧୁଜନେ ।

ସୁଖ ସମ୍ପଦ୍ଧି ଲଭନ୍ତି ଦେବୀଙ୍କ ପ୍ରସନ୍ନେ ॥

ଏହାଙ୍କ ଅଷ୍ଟଯୋଗିନୀଙ୍କ ନାମ ଶୁଣ ।

ମହାକାଳା ରୁଦ୍ରାଣୀ ଯେ ଉଗ୍ରା ଭୀମା ପୁଣ ॥

ଘୋରା ଭ୍ରାମରୀ ମହାରାତ୍ରି ପଣ ଭୈରବୀ ।

ଏମାନଙ୍କୁ ପୂଜା କରିବ ଯେ ଦେବୀ ଭାବି ॥

କାଳିକା ଦେହରୁ ଗୌରୀ ଉତ୍ପନ୍ନ ହୋଇଣ ।

କୌଶିକୀ ନାମରେ ବିଶ୍ଵେ ଖ୍ୟାତ ହେଲେ ପୁଣ ॥

ଏପରି ସୁନ୍ଦରୀ ମୂର୍ତ୍ତି ତ୍ରିଲୋକରେ ନାହିଁ ।

ଯୋଗମାୟାଙ୍କର ପ୍ରାଣ ରୂପଟି ଏହି ॥

କୌଶିକୀ ମୂର୍ତ୍ତି ସ୍ଵରୂପ ଏକମନେ ଶୁଣ ।

ସର୍ବକାମ ସିଦ୍ଧିହୁଏ କଲେ ତା ସ୍ମରଣ ॥

କେଶ ପାଶବନ୍ଧା ଚନ୍ଦ୍ରକଳା ନିମ୍ନମୁଖୀ ।

ମଣିକୁଣ୍ଡଳ ଗଣ୍ଡରେ ଲୁଠେ ସେ ସୁମୁଖୀ ॥

ସୁବର୍ଣ୍ଣ ମଣିମାଣିକ୍ୟ ନାଗହାର ଶୋଭେ ।

ସୁଗନ୍ଧ ପଦ୍ମପୁଷ୍ପର ମାଳା କଣ୍ଠେ ଲମ୍ବେ ॥

ରତ୍ନକେଉର ଧାରିଣୀ ମୃଣାଳ ବାହୁରେ ।

ପୀନୋନ୍ନତସ୍ତନୀ କଞ୍ଚୁକ ପିନ୍ଧି କଟିରେ ॥

କ୍ଷୀଣମଧ୍ୟା ପୀତବସ୍ତ୍ରା ତ୍ରିବଳୀ ଭୂଷିତା ।

ଶୂଳ ବଜ୍ରବାଣ ଖଡ୍‍ଗ ଶକ୍ତି ଦକ୍ଷହସ୍ତା ॥

ଗଦା ଘଣ୍ଟା ଚାପ ଚର୍ମ ଶଙ୍ଖ ବାମକରେ ।

ସିଂହସ୍ଥିତା ବ୍ୟାଘ୍ରଚର୍ମ ଶୋଭଇ କଟିରେ ॥

ସୁରାସୁର ମୋହନ ସୁନ୍ଦର ବେଶଧରି ।

ଏହାଙ୍କ ଅଷ୍ଟଯୋଗିନୀ ନାମ ଶୁଣ କରି ॥

ବ୍ରାହ୍ମୀ ମାହେଶ୍ଵରୀ କୌମାରୀ ବାରାହୀ ସତୀ ।

ବୈଷ୍ଣବୀ ନାରସିଂହୀ ଐନ୍ଦ୍ରି ଯେ ଶିବଦୁତୀ ।

ଏମାନଙ୍କୁ ଦେବୀସଙ୍ଗେ ପୂଜିବ ଭକ୍ତିରେ ।

କାଳୀମୂର୍ତ୍ତି ରୂପ ଶୁଣ କହିବା ତୁମ୍ଭରେ ॥

ନୀଳୋତ୍ପଳ ଦଳଶ୍ୟାମା ଚତୁର୍ବାହୁ ଯୁତା ।

ଖଟ୍ୱାଙ୍ଗ ଖଡ୍‌ଗ ଚର୍ମପାଶ ଧରନ୍ତି ନିତ୍ୟା ॥

ମୁଣ୍ଡମାଳା ବ୍ୟାଘ୍ରଚର୍ମଧାରିଣୀ ସେ କାଳୀ ।

କୃଷ୍ଣାଙ୍ଗୀ ଦୀର୍ଘଦଶନା ଅତ୍ୟନ୍ତ କରାଳୀ ॥

ଲୋହଜିହ୍ଵା ରକ୍ତନେତ୍ରା ଭୟା ନରବା ।

କବନ୍ଧବାହନାପୀନା ଦୀର୍ଘକର୍ଣ୍ଣ ଶୋଭା ॥

ଏହିଦେବୀ ତାରା ପୁଣି ଚାମୁଣ୍ଡା ନାମରେ ।

ଏହାଙ୍କ ଅଷ୍ଟଯୋଗିନୀ ପୂଜିବ ଭକ୍ତିରେ ॥

ତ୍ରିପୁରା ଭୀଷଣଚଣ୍ଡୀ କର୍ତ୍ତ୍ରୀହର୍ତ୍ତ୍ରୀ ପୁଣ ।

ବିଧାନିକା କରାଳା ଶୂଳିନୀନାମେ ଜାଣ ॥

ଏ ଦେବୀ କାମଦା ଜାଡ୍ୟନାଶିନୀ ସୁନ୍ଦରୀ ।

ଏହାଙ୍କ ପୂଜାରେ ମଳେ ରାଜ୍ୟ ସୁଖ ଶିରୀ ॥

ଶିବଦୂତୀ ଶତଦେବେ ବେଷ୍ଚିତା ସର୍ବଦା ।

ଏହାଙ୍କ ପୂଜିଲେ ସର୍ବସିଦ୍ଧି ମିଳେ ସୁଦ୍ଧା ॥

ଏହାଙ୍କ ସ୍ଵରୂପ ଶୁଣ କହିବା ତୁମ୍ଭକୁ ।

ଚତୁର୍ଭୂଜା ମହାକାୟା ରକ୍ତ ବର୍ଣ୍ଣିନୀଙ୍କୁ ॥

ରକ୍ତଦନ୍ତ ମୁଣ୍ଡମାଳା ଜଟା ଚନ୍ଦ୍ରକଳା ।

ନାଗକୁଣ୍ଡଳ ହାରରେ ଶୋଭେ ତାଙ୍କ ଗଳା ॥

ବ୍ୟାଘ୍ରଚର୍ମଧରା ବକ୍ଷେ ଶୂଳ ଖଡ୍‍ଗ ଧରି ।

ବାମେ ପାଶଚର୍ମ ଧରି ସ୍ଥୂଳମୁଖ କରି ॥

କୁଶ ପରାପରେ ଦକ୍ଷପାଦ ରହିଥାଏ ।

ବାମପାଦ ଶୃଗାଳ ପିଠିରେ ଶୋଭାପାଏ ॥

ଶିବଦୁତୀଙ୍କର ରୂପ ଧ୍ୟାନକରି ଜନେ ।

କଲ୍ୟାଣ ଲଭନ୍ତି ପୁଣି ବିଶେଷ ପୂଜନେ ॥

ଶୃଗାଳ ଶବ୍ଦ ଶୁଣି ଯେ ଶିବଦୁତୀ ନମେ ।

ତାହାର କାମନା ସିଦ୍ଧିହୁଏ ପୂର୍ଣ୍ଣକାମେ ॥

ରକ୍ତବୀଜ ବଧ ବେଳେ ଶିବଙ୍କୁ ପେଷିଲେ ।

ଶୁମ୍ଭ ନିକଟକୁ ଦେବୀ ଶିବଦୁତୀ ଗଲେ ॥

ଏହାଙ୍କର ଦ୍ଵାଦଶ ଯୋଗିନୀ ସଦା ପୂଜ୍ୟା ।

କ୍ଷେମଙ୍କରୀ ଶାନ୍ତା ବେଦମାତା ପୁଣି ଈଜ୍ୟା ॥

କରାଳା କାମଦା ଭଗଶାଳିନୀ ଯେ ଦେବୀ ।

ଭଗୋଦରୀ ଭଗାହାରା ଭଗଜିହ୍ୱା ଭାବି ॥

ଭଗାସହ ଦ୍ଵାଦଶ ଯୋଗିନୀ ଏହିମାନେ ।

ଶିବଦୂତୀ ସଙ୍ଗେ ପୂଜା ଲଭନ୍ତି ସୁମନେ ॥

ଏହାଙ୍କୁ ସ୍ମରଣ କରି ବିପ୍ର ପ୍ରଭାକର ।

କାଳିକାପୁରାଣ କରେ ଗୀତରେ ପ୍ରଚାର ॥

 

ଇତି ଶ୍ରୀ କାଳିକାପୁରାଣେ କାମାଖ୍ୟା

ମାହାତ୍ମେ ତ୍ରିତିଷ୍ଠିତ୍ତମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୬୪ ॥

 

ଶ୍ରୀ ଈଶ୍ୱର ଉବାଚ

ମୁଁ କାମ ନିମିତ୍ତ ମହାଗିରିକି ଆସିଲି ।

ତେଣୁ କାମାଖ୍ୟା ନାମରେ ଦେବୀଙ୍କୁ ସ୍ଥାପିଲି ॥

କାମଦା କାମିନୀକାନ୍ତା କାମଙ୍ଗ ଦାୟିନୀ ।

କାମାଙ୍ଗ ନାଶିନୀ ହେଉ କାମାଖ୍ୟା ସେ ଜାଣି ॥

ଏ କାମାଖ୍ୟା ମାହାତ୍ମ୍ୟକୁ ଶୁଣ ମନଦେଇ ।

ଯେ ମୂଳ ପ୍ରକୃତି ରୂପେ ଜଗତ ସର୍ଜଇ ॥

ମଧୁକୈଟଭ ନାଶାର୍ଥେ ମହାମାୟା ଦେବୀ ।

ନିଦ୍ରାରେ ବିଷ୍ଣୁଙ୍କୁ ମୋହ କରିଥିଲେ ଭାବି ॥

ଶୟନକାଳେ ବିଷ୍ଣୁଙ୍କ କର୍ଣ୍ଣମଳ ଠାରୁ ।

ମଧୁକୈଟଭ ଜନ୍ମିଣ ହେଲେ ମହାମେରୁ ॥

କୂର୍ମପୃଷ୍ଠେ ରହି ଧରା ଜଳମଗ୍ନା ହେଲେ ।

ତାହାଙ୍କୁ ଦେଖିଣ ମହାମାୟା ବିଚାରିଲେ ॥

ପୃଥ୍ୱୀକୁ କିପରି ଦୃଢ଼କରିଣ ରଖିବେ ।

ଉପାୟ ଚିନ୍ତିଲେ ଦେବୀ ମନମଧ୍ୟେ ସେବେ ॥

ଏକ୍ଷଣି ପୃଥିବୀ ଟଳମଳ ହେଉଅଛି ।

ସୃଷ୍ଟିକାଳେ ସୁରେ ରହିବାକୁ ମୁଁ ଭାବୁଛି ॥

ତହୁଁ ବିଷ୍ଣୁଙ୍କ ନିକଟେ ପ୍ରବେଶ ହୋଇଲେ ।

ନିଦ୍ରିତ ଦେଖି କନିଷ୍ଠାଙ୍ଗୁଳି କର୍ଣ୍ଣରନ୍ଧ୍ରେ ॥

ପୁରାଇ କର୍ଣ୍ଣମଳକୁ ଆଣି ଚୂର୍ଣ୍ଣ କଲେ ।

ନିଜକରେ ଧରି ତାହା ନୟନେ ଦେଖିଲେ ॥

ସେ ଚୂର୍ଣ୍ଣରୁ ମଧୁନାମା ଦୈତ୍ୟ ଉପୁଜିଲା ।

ପୁଣି ଦକ୍ଷ କନିଷ୍ଠାଗ୍ର ଦକ୍ଷକର୍ଣ୍ଣେ ଦେଲା ॥

ସେ ମଳଚୂର୍ଣ୍ଣରୁ କୈଟଭ ନାମେ ଅସୁର ।

ଜନ୍ମହୋଇ ଦୁହେଁ ହେଲେ ଅତି ବଳୀୟାର ॥

ଉତ୍ପନ୍ନ ମାତ୍ରେ ମଧୁ ପିଇବାକୁ ଖୋଜିଲା ।

ତେଣୁ ମଧୁନାମ ତାର ଦେଲେ ସେ ବଗଳା ॥

ଦେବୀ କନିଷ୍ଠ ଅଙ୍ଗୁଳେ କୀଟତୁଲ୍ୟ ଦେଖି ।

କୈଟଭ ନାମକୁ ଦେଲେ ଦେବୀ ପଙ୍କଜାକ୍ଷୀ ॥

ମାୟାମୋହିତ ହୋଇ ସେ ବୁଲି ଏଣେ ତେଣେ ।

ବିଷ୍ଣୁ ନାଭିପଦ୍ମେ ବ୍ରହ୍ମାଙ୍କୁ ଦେଖି ନୟନେ ॥

କହିଲେ ତୋତେ ମାରିବୁ ହରିଙ୍କୁ ଉଠାଅ ।

ତାସଙ୍ଗେ ଯୁଝିଲେ ତୋତେ କରିଦେବୁ ଥୟ ॥

ତହୁଁ ବ୍ରହ୍ମା ଭୟେ ଯୋଗନିଦ୍ରା ସ୍ତୁତିକଲେ ।

ମନ ମଧ୍ୟରେ ଦେବୀଙ୍କୁ ବହୁତ ଧ୍ୟାଇଲେ ॥

ବହୁ ସ୍ତୁତିରେ ସେ ଦେବୀ ଦେଖାଦେଲେ ଆସି ।

ବ୍ରହ୍ମାଙ୍କୁ କହିଲେ କିମ୍ପା ସ୍ତୁତିକର ବସି ॥

ତହୁଁ ବ୍ରହ୍ମା ଜଣାଇଲେ ଏ ମଧୁକୈଟଭ ।

ମୋତେ ମାରିବାକୁ ଭୟ ଦେଖାନ୍ତି ଏ ଗର୍ବ ॥

ତେଣୁ ବିଷ୍ଣୁଙ୍କ ନିଦ୍ରାକୁ ଭଗ୍ନ କର ମାତଃ ।

ମୋହକର ଏ ଦୁହିଁଙ୍କୁ ମରନ୍ତୁ ଏ ଦୈତ୍ୟ ॥

ବ୍ରହ୍ମବାକ୍ୟେ ଦେବ ହରି ନିଦ୍ରାଭଗ୍ନ କରି ।

ଦୈତ୍ୟ ଦୁହିଁଙ୍କୁ ମୋହିତ କଲେ ଶାକମ୍ବରୀ ॥

ହରିଉଠି ଦେଖିଲେ ଧାତା ଭୟେ କାତର ।

ଆଗରେ ଅଛନ୍ତି ମଧୁକୈଟଭ ଅସୁର ॥

ତାଙ୍କ ସଙ୍ଗେ ଯୁଦ୍ଧୋଦ୍ୟତ ହେଲେ ଭଗବାନ ।

ସେମାନଙ୍କ ଭାର ଶେଷଦେବ ନ ସହିଣ ॥

ତହୁଁ ବ୍ରହ୍ମା ଏକଶୀଳା ଉତ୍ପାଦନ କଲେ ।

ଏକଯୁଣ ଦୀର୍ଘ ଏକ ଯୁଣ ପ୍ରସ୍ଥ ହେଲେ ॥

ସେ ଶିଳା ଉପରେ ଯୁଦ୍ଧକଲେ ଚକ୍ରଧର ।

ମଧୁକୈଟଭ ସହିତ ଅତି ଭୟଙ୍କର ॥

ସେ ଶିଳା ଜଳରେ ମଗ୍ନ ହୋଇଲା ସେ କ୍ଷଣି ।

ଜଳ ଉପରେ ଯୁଝିଲେ ଦେବ ଚକ୍ରପାଣି ॥

ପାଞ୍ଚ ସହସ୍ର ବରଷ ବାହୁଯୁଦ୍ଧ କଲେ ।

ତଥାପି ଦୈତ୍ୟଙ୍କୁ ହରି ମାରି ନପାରିଲେ ॥

ତହୁଁ ଚିନ୍ତିତ ହୋଇଲେ ଦୈତ୍ୟଙ୍କ ନିଧନେ ।

ମହାମାୟା ମୋହିଲେ ସେ ଦୁହିଙ୍କୁ ସେ କ୍ଷଣେ ॥

ମୋହେ ପଡ଼ି ଅସୁରେ କହିଲେ ବିଷ୍ଣୁ ଶୁଣ ।

ତୁମ୍ଭ ଯୁଦ୍ଧେ ପ୍ରୀତହେଲୁ ମାଗି ବରଘେନ ॥

ଶୁଣି ହରି କହିଲେ ହେ ଏହିବର ଦେବ ।

ମୋ ହାତରେ ତୁମ୍ଭ ଦୁହିଙ୍କର ବଧ ହେବ ॥

ତାହାଶୁଣି ଦୈତ୍ୟେ ଦେଖି ସର୍ବ ଜଳମଗ୍ନ ।

କହିଲେ ଆମ୍ଭଙ୍କୁ ସ୍ଥଳେ କରହେ ନିଧନ ॥

ତହୁଁ ହରି ବ୍ରହ୍ମା ହର ଦୁହିଙ୍କୁ କହିଲେ ।

ବ୍ରହ୍ମୋଦ୍ଭବ ଶିଳାଟେକି ଧରହେ ବୋଇଲେ ॥

ତହୁଁ ବ୍ରହ୍ମା ହର ଶେଷଦେବ ମହାମାୟା ।

ଚାରିହେଁ ଟେକିଲୁ ଶିଳା ହେଲା ତହିଁ ରାହା ॥

ସେ ଶିଳାରେ ଯୁଦ୍ଧକଲେ ପ୍ରଭୁ ବନମାଳି ।

ଜଙ୍ଘେ ରଖି ଦୈତ୍ୟଶିର ଛେଦିଲେ ନିରୋଳି ॥

ସେ ଦୁହିଙ୍କ ମେଦେ ଜଳୋପରି ସ୍ଥଳ କଲେ ।

ସେ ଦିନରୁ ଧରାମେଦିନୀ ନାମ ବହିଲେ ॥

କିଛିକାଳ ଅନ୍ତେ ସୃଷ୍ଟି ହୋଇଲା ସକଳ ।

ମୁଁ ଦକ୍ଷକନ୍ୟା ସତୀଙ୍କୁ ବିଭାହେଲି ବେଳ ॥

ମୋତେ କପାଳୀ ବୋଲି ଦକ୍ଷଯଜ୍ଞେ ନଡ଼ାକି ।

ଅପମାନ ଦେବାରୁ ସତୀ ପ୍ରାଣ ନରଖି ॥

ମୁଁ ଶୋକରେ ସତୀଶବ ସ୍କନ୍ଧେ ବହିନେଲି ।

ସ୍ଥାନେ ସ୍ଥାନେ ସତୀ ଅଙ୍ଗ ପକାଇଣ ଦେଲି ॥

କୁବ୍‌ଜିକାପୀଠେ ପଡ଼ିଲା ସତୀ ଯୋନିଚକ୍ର ।

ସେସ୍ଥାନେ ସତୀ ରହିଲେ ଲଭି ସୁଖମାତ୍ର ॥

ଦୁଃଖେ ମୁହିଁ ଶୈଳସମ ଅଚଳ ହୋଇଲି ।

ସତୀଦେବୀ ଚିନ୍ତାରେ ପାଷାଣ ପାଲଟିଲି ॥

ସେ ନୀଳକୂଟ ପର୍ବତ ହୋଇଲା ସେ ସ୍ଥଳେ ।

ମହାଉଚ୍ଚ ପାତାଳ ପର୍ଯ୍ୟନ୍ତ ଗତିକରେ ॥

ମଧୁକୈଟଭଙ୍କ ଯୁଦ୍ଧକାଳେ ବ୍ରହ୍ମଶିଳା ।

ଉପରେ ଶ୍ରୀହରି କରିଥିଲେ ଯୁଦ୍ଧଲୀଳା ॥

ଏହାଜାଣି ଶୈଳରୂପେ ମୁଁ ତହିଁ ରହିଲି ।

ମୋତେ ଦେଖି ହରିବ୍ରହ୍ମା ବରାହ ବାହାରି ॥

ଶୈଳରୂପେ କାମାଖ୍ୟାରେ ରହିଛନ୍ତି ଏବେ ।

ସେ ଶୈଳଦେଖି ସୁଜନେ ମନରେ ଭାବିବେ ॥

ତହିଁରେ ପ୍ରଥମବ୍ରହ୍ମ ଶୈଳ ଶ୍ଵେତରୂପ ।

ମୋ ରୂପକ ଶୈଳ ହେଲା ନୀଳବର୍ଣ୍ଣ କଳ୍ପ ।

ମଧ୍ୟେ ରହିଛି ଉଲୁଖଳ ଆକୃତି ଧରି ।

ଦେଖିଲେ ଜାଣିପାରିବେ ମନୁଷ୍ୟେ ବିଚାରି ॥

ତ୍ରିକୋଣ ସେ ବ୍ରହ୍ମବରାହ ଶୈଳ ମଧ୍ୟରେ ।

ବରାହରୂପୀ ଯେ ଶୈଳ ଚିତ୍ରବର୍ଣ୍ଣ ଧରେ ॥

ସମସ୍ତଙ୍କ ପରେ ଅଛି ସବୁଠାରୁ ଉଚ୍ଚ ।

ଈଶାନରେ କୁର୍ମରୂପୀ ଯେ ଶୈଳର କଛ ॥

ମଣିକର୍ଣ୍ଣ ନାମ ତାର ଦେବଙ୍କ ସେବିତ ।

ଆଦ୍ୟାପି ବିରାଜୁ ଅଛି ସେ ଉଚ୍ଚ ପର୍ବତ ॥

ଅନନ୍ତରୂପୀ ଯେ ଶୈଳ ବାୟୁକୋଣେ ଅଛି ।

ମଣିପର୍ବତ ତା ନାମ ହରିପ୍ରିୟ ବାଛି ॥

ମହାମାୟା ଗିରିଚ ନୈରୁତେ ଯେଉଁ ଶୈଳ ।

ଗନ୍ଧମାର୍ଦ୍ଦନ ତା ନାମ ଶିବଙ୍କୁ ଦୁଲାଳ ॥

ହରିରୂପଶୈଳ ପାଣ୍ଡୁନାଥ ନାମେ ଖ୍ୟାତ ।

ବହୁଶକ୍ତି ଶିଳା ପୂର୍ବଭାଗେ ଅବସ୍ଥିତ ॥

ମୋର ଯେଉଁ ଶୈଳ ତହିଁ ଶୋଭାକର ॥

ଏହି ପୁଣ୍ୟତମ କୁବ୍‌ଜିକା ପିଠ ମଧ୍ୟରେ ।

ଦେବୀସଙ୍ଗେ ମୁଁ ରହିଛି ନୀଳକୁଟ ଶୈଳେ ॥

ସତୀଙ୍କ ଯୋନିମଣ୍ଡଳ ସେଠାରେ ରହିଛି ।

ଶିଳାରୂପେ କାମାଖ୍ୟା ଆସ୍ଥାନ ତହିଁ ଅଛି ॥

ନର ସ୍ପର୍ଶମାତ୍ରେ ଦେବ ଭାବକୁ ଭଜଇ ।

ଦେବ ବ୍ରହ୍ମଲୋକେ ଯାଇ ମୋକ୍ଷକୁ ଲଭଇ ॥

ସେ ଶିଳାର ମାହାତ୍ମ୍ୟରେ ଲୌହ ଭସ୍ମ ହୁଏ ।

କାମେଶ୍ୱରୀଦେବୀ ତହିଁ ବିରାଜନ୍ତି ଦେହେ ॥

ସେ ଦେବୀ ପ୍ରତ୍ୟହ ପାଞ୍ଚରୂପ ଧରୁଥାନ୍ତି ।

ସର୍ବଲୋକ ମୋହି ମୋର ପ୍ରୀତି ସମ୍ପାଦନ୍ତି ॥

ମୁଁ ମଧ୍ୟ ପଞ୍ଚମୁଖରେ ପଞ୍ଚଭାଗେ ରହି ।

କାମେଶ୍ଵରୀ ପୂର୍ବଭାଗେ ମୁଁ ଈଶାନ ହୋଇ ॥

ଈଶାନ କୋଣରେ ତପୁରୁଷ ହୋଇଥାଏ ॥

ବାୟୁକୋଣେ ସଦ୍ୟୋଜାତ ରୂପ ମୁଁ ହୋଇଛି ।

ବାମଦେବ ରୂପେ ଦେବୀସଙ୍ଗେ ମୁହିଁ ଅଛି ॥

ହେ ବେତାଳ ଅତି ଗୁପ୍ତକଥା ଏହି ଶୁଣ ।

ସର୍ବଦେବେ ଶୈଳରୂପେ ତହିଁଛନ୍ତି ଜାଣ ॥

କାମାଖ୍ୟା ତ୍ରିପୁରା କାମେଶ୍ଵରୀ ଯେ କାମଦା ।

ମହାଲୋକା ପଞ୍ଚମୂର୍ତ୍ତି ବିରାଜନ୍ତି ସଦା ॥

ଲିଙ୍ଗରୂପେ ମୁହିଁ ଶିଳା ଯୋନି ମଣ୍ଡଳରେ ।

କାମକ୍ରୀଡ଼ା କରେ କାମାଖ୍ୟା ଦେବୀ ସଙ୍ଗରେ ॥

ସେକାଳେ ସକଳ ଦେବେ ଶୈଳରୂପେ ରହି ।

ଅନ୍ୟବେଳେ ସ୍ଵରୂପେ କ୍ରୀଡ଼ନ୍ତି ମୋତେ ପାଇ ॥

ବ୍ରହ୍ମା ବିଷ୍ଣୁ ଆଦିସର୍ବ ଦିଗପାଳ ମାନେ ।

ଅନ୍ୟ ସର୍ବଦେବେ ମୋ ଅନୁକୂଳ ସେ ସ୍ଥାନେ ॥

କାମାଖ୍ୟାଙ୍କ ଉପାସନା କରନ୍ତି ଭକ୍ତିରେ ।

ତ୍ରିକୋଣ ସେ ନୀଳଶୈଳ ମଧ୍ୟେ ନିମ୍ନ ଧରେ ॥

ତା ମଧ୍ୟେ ଚାରୁମଣ୍ଡଳ ତ୍ରିଂଶ ଶକ୍ତିଯୁତ ।

ସେ ଶିଳାରେ ଯୋନିଚକ୍ର ମଧ୍ୟେ ବିରାଜିତ ॥

ବିତସ୍ତି ପ୍ରମାଣ ପ୍ରସ୍ଥ ଏକ ବିଂଶାଙ୍ଗୁଳ ।

ଦୀର୍ଘ ହୋଇ ଦେଖା ଯାଉଅଛି ସେ ପୃଥୁଳ ॥

ଦୀର୍ଘରେ କ୍ରମେ ସେ ସୂକ୍ଷ୍ମ ବିନମ୍ର ହୋଇଛି ।

ଭସ୍ମଶୈଳକୁ ସେ ଅନୁଗମନ କରିଛି ॥

ସିନ୍ଦୁର କୁଙ୍କୁମେ ରକ୍ତା ସର୍ବକାମ ଦାତ୍ରୀ ।

ସେ ଯୋନିରେ ପଞ୍ଚମୂର୍ତ୍ତି ସର୍ବଦା କ୍ରୀଡ଼ନ୍ତି ॥

ମହାମାୟା ମୂଳମୂର୍ତ୍ତି ଦେବୀ ସନାତନୀ ।

ବେଢ଼ନ୍ତି ଶୈଳପୁତ୍ରୀ ଆଦି ଅଷ୍ଟଯୋଗିନୀ ॥

ସେମାନଙ୍କ ପୀଠନାମ ଶୁଣ ମନଦେଇ ।

ଗୁପ୍ତକାମା ଶ୍ରୀକାମା ବିନ୍ଧ୍ୟାବାସିନୀ ହୋଇ ॥

କୋଟୀଶ୍ଵରୀ ବନସ୍ଥା ଯେ ପାଦଦୁର୍ଗା ପୁଣ ।

ଦୀର୍ଘେଶ୍ଵରୀ ବନସ୍ଥା ଯେ ପାଦଦୁର୍ଗା ପୁଣ

ଦୀର୍ଘେଶ୍ଵରୀ ଭୁବନେଶ୍ଵରୀ ନାମରେ ଜାଣ ॥

ସୁ ଯୋଗିନୀଗଣ ପୀଠ ନାମରେ ବିଖ୍ୟାତ ।

ସର୍ବତୀର୍ଥ ଜଳରୂପେ ତହିଁ ଅବସ୍ଥିତ ॥

ସୌଭାଗ୍ୟ ସରସୀନାମେ ହ୍ରଦ ଏକ ଅଛି ।

ତାହା ତୀରେ ହରିକମଳ ନାମ ବହିଛି ॥

କାମାଖ୍ୟା ନିକଟେ କାମୁକ ବଟୁକ ରହି ।

ଲକ୍ଷ୍ମୀ ଲଳିତା ନାମରେ ବିରାଜନ୍ତି ତହିଁ ॥

ସରସ୍ଵତୀ ମାତଙ୍ଗୀ ନାମରେ ପରିଚିତ ।

ଗଣାଧ୍ୟକ୍ଷ ଶୈଳପରେ ପୂର୍ବଭାଗେ ସ୍ଥିତ ॥

ଦେବୀଙ୍କର ପ୍ରିୟପୁତ୍ର ଦ୍ୱାରେସିଦ୍ଧ ନାମେ ।

କଳ୍ପବୃକ୍ଷ କଳ୍ପଲତା ହୋଇଛି ସେ ସ୍ଥାନେ ॥

ତିନ୍ତୁଳୀ ଅପରାଜିତା ନାମକୁ ଧରିଛି ।

ଦେବୀଙ୍କ ପିତ୍ୟର୍ଥେ ଶୈଳପରେ ରହିଅଛି ॥

ବରାହ ଯେ ପାଣ୍ଡୁନାଥ ନାମକୁ ଧରିଣ ।

ପୂର୍ବେ ମଧୁକୈଟଭଙ୍କୁ ବଧକଲେ ଜାଣ ॥

ବ୍ରହ୍ମାଙ୍କ ନିର୍ମିତ ବ୍ରହ୍ମକୁଣ୍ଡ ତହିଁ ଅଛି ।

ଈଶାନାକ୍ଷ ଶିବ ସିଦ୍ଧେଶ୍ଵର ନାମେ ସ୍ଥିତି ॥

ଶିଳାରୂପ ସିଦ୍ଧକୁଣ୍ଡ ମଧ୍ୟେ ରହିଅଛି ।

ତା ନିକଟେ ଗୟା ବାରଣାସୀ କ୍ଷେତ୍ର ଅଛି ॥

ଯୋନିମଣ୍ତଳ ସଦୃଶ କୁଣ୍ଡରୂପ ଧରି ।

ଅମୃତକୁଣ୍ଡ ରହିଛି ସୁଧାଅଛି ପୁରି ॥

ସର୍ବଦେବଙ୍କ ସହିତ ଇନ୍ଦ୍ର ମୋ ପ୍ରୀତ୍ୟର୍ଥେ ।

ବାମଦେବ କାମେଶ୍ଵର ଅଛନ୍ତି ସେ ତୀର୍ଥେ ॥

ମହାପୁଣ୍ୟ କାମକୁଣ୍ଡ ତା ସମୀପେ ଅଛି ।

କେଦାର କ୍ଷେତ୍ର ସେ ମଧ୍ୟେ ରହି ବିରାଜୁଛି ॥

ଛାୟାକ୍ଷେତ୍ର ନାମ ତାର ଚତୁର୍ଦ୍ଦଶ ବ୍ୟୋମ ।

ଗୁପ୍ତକାମା ଶୈଳ ପୁତ୍ରୀଙ୍କର ତହିଁ ଧାମ ॥

ଗୁପ୍ତକୁଣ୍ଡ ମଧ୍ୟେ କାମେଶ ଶିଳା ସଙ୍ଗରେ ।

ଦେବୀ ରହିଛନ୍ତି ତହିଁ କାମାଖ୍ୟା ନାମରେ ॥

ଯୋନି ପୂର୍ବଭାଗେ ରହି ଶିବ ଶିବା ମଧ୍ୟେ ।

କାଳରାତ୍ରି ରହିଛନ୍ତି ତାହାଙ୍କ ସମ୍ବନ୍ଧେ ॥

ପୀଠେ ଦୀର୍ଘେଶ୍ଵରୀ ସୀମା ଭାଗେ ପ୍ରଚଣ୍ଡିକା ।

କାମାଖ୍ୟା ପାଖେ କୁଷ୍ମାଣ୍ଡୀ ଯୋଗିନୀ ଯେ ଏକା ॥

ପୀଠେ କୋଟୀଶ୍ଵରୀ ଯୋନୀରୂପେ ଛନ୍ତି ତହି ।

ଅଘୋର ମସ୍ତକ କାମାଖ୍ୟା ଦକ୍ଷିଣେ ରହି ॥

ଭୈରବ ନାମରେ ଖ୍ୟାତ ସେ ଶିବ ମସ୍ତକ ।

ଚାମୁଣ୍ଡା ଭୈରବ ନାମେ ପାଖେଛନ୍ତି ଏକ ॥

ଚଣ୍ଡମୁଣ୍ଡ ବିନାଶିନୀନାୟିକା କାମଦା ।

କାମାଭୈରବ ମଧ୍ୟରେ ସୁରାପାନେ ମଦା ॥

ଜଗତର ହିତେ ଦେବୀଙ୍କର ପ୍ରିୟ ପାଇଁ ।

ରହିଛନ୍ତି ଦେବୀ ନାନାରୂପ ଧରି ତହିଁ ॥

ସଦ୍ୟୋଜାତ ଶିର ପୀଠେ ଅମାତକେଶ୍ଵର ।

ଭୈରବନାମ ଗହ୍ଵରେ ପୂଜିତ ପୟର ॥

ଦୁର୍ଗାଙ୍କୁ ଯୋଗରୂପିଣୀ ନାମେ ଜାଣ ତହିଁ ।

ସିଦ୍ଧ କାମେଶ୍ୱରୀ ନାମ ଦେବଗଣେ ପାଇ ॥

ଅଜୀର୍ଣ୍ଣପତ୍ର ନାମକ ବୃକ୍ଷ ତହିଁ ଅଛି ।

ଛାୟା ବିସ୍ତାରିଣ ଶୀତଳ ଦାନ କରୁଛି ॥

ପୀଠେ ସିଦ୍ଧ ଗଙ୍ଗାନାମେ ଗଙ୍ଗା ତହିଁ ଛନ୍ତି ।

ଆମ୍ରାତକ ପାଖେ ମୋ ପ୍ରୀତିକି ସମ୍ପାଦନ୍ତି ॥

ପୁଷ୍ପରାକ୍ଷ ତୀର୍ଥ ଅଛି ଈଶାନ କୋଣରେ ।

ତତ୍‍ପୁରୁଷ ନାମ ଶିର ଅଛି ଯେଉଁଠାରେ ॥

ଭୁବନେଶ୍ଵର ଗର୍ତ୍ତରେ ଭୁବନେଶ ନାମେ ।

ତାଙ୍କପାଖେ ସୁରଭି ଶିଳାରୂପରେ ଭ୍ରମେ ॥

କାମଧେନୁ ନାମେ କାମ ପ୍ରଦାନ କରନ୍ତି ।

ମୋ ଶରଭରୂପ ମଧ୍ୟଖଣ୍ଡ ତହିଁ ଛନ୍ତି ॥

ମହାଭୈରବ ନାମରେ କୋଟିଲିଙ୍ଗୋପମ ।

ପଞ୍ଚମୂର୍ତ୍ତି ପଞ୍ଚଭାଗେ ରହିଛନ୍ତି ମମ ॥

ମହା ଗୌରୀଦେବୀ ଯୋଗିନୀ ସିଦ୍ଧରୂପିଣୀ ।

ବ୍ରହ୍ମ ଶୈଳୋପରି ଶିଳାରୂପେ ସ୍ଥିତା ପୁଣି ॥

ଅତିସୁନ୍ଦରୀ ନାମରେ ସେ ଭୁବନେଶ୍ଵରୀ ।

ବିରାଜନ୍ତି ଲୋକହିତ କାମନା ବିସ୍ତାରି ॥

ପର୍ବତସ୍ଵରୂପ ମୋଠାରେ ବ୍ରହ୍ମା ସ୍ନେହରେ ।

ଯେଠାର ଅଛନ୍ତି ତହିଁ କଳ୍ପଲତା ମାଡ଼େ ॥

କାମଧେନୁପାଖେ ପୂର୍ବଭାଗେ ମହେଶ୍ୱରୀ ।

ଶ୍ରୀକାମା ଯୋନୀରୂପା ସେ ଯୋଗିନୀ ବିହରି ॥

ଅଗ୍ନିକୋଣେ ଚନ୍ଦ୍ରଘଣ୍ଟା ଯୋଗିନୀ ଅଛନ୍ତି ।

ସ୍କନ୍ଦମାତା ବନବାସିନୀ ଯୋଗିନୀ ଛନ୍ତି ॥

କାତ୍ୟାୟିନୀପୀଠେ ନୀଳଶୈଳ ପ୍ରାନ୍ତଭାଗେ ।

ପାଦଦୁର୍ଗା ଯୋଗିନୀ ଅଛନ୍ତି ମହାଯୋଗେ ॥

ମୋ ସ୍ଵରୂପ ନନ୍ଦୀ ତହିଁ ପାଷାଣ ରୂପରେ ।

ହନୁମାନପୀଠ ନାମେ ଛନ୍ତି ପଶ୍ଚିମରେ ॥

ଏହାଶୁଣି ଆନନ୍ଦରେ ବେତାଳ ଭୈରବ ।

ପୁଣି ଶିବଙ୍କୁ ପୁଚ୍ଛନ୍ତି ଧରି ଭକ୍ତଭାବ ॥

କାମରୂପସ୍ଥିତ ଦେବୀ ଦେବଙ୍କୁ ଚିନ୍ତିଣ ।

ପ୍ରଭାକର ଗୀତେ କରେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଚତୁଷଷ୍ଠୀତମୋଽଧ୍ୟାୟଃ ।

✽✽✽

 

॥ ୬୫ ॥

 

ବେତାଳ ଭୈରବ ଉବାଚ

ପୀଠକ୍ରମ ଦେବୀପୂଜା ବିଧି ଆମ୍ଭେ ଶୁଣି ।

କୃତାର୍ଥ ହୋଇଲୁ ଏବେ ପଚାରୁଛୁ ପୁଣି l

ପଞ୍ଚମୁର୍ତ୍ତିଙ୍କର ରୂପମନ୍ତ୍ର ତନ୍ତ୍ରମାନ ।

ଆମ୍ଭଙ୍କୁ କହି ସନ୍ତୋଷକର ଏହିମନ ॥

ଈଶ୍ୱର ଉବାଚ

ଶୁଣ କାମାଖ୍ୟାଙ୍କ ପଞ୍ଚମୂର୍ତ୍ତିର ବର୍ଣ୍ଣନ ।

ତାଙ୍କ ମନ୍ତ୍ର ତନ୍ତ୍ରକଳ୍ପ ମନଦେଇ ଶୁଣ ॥

କାମ ମଧ୍ୟସ୍ଥିତ କାମଦାୟେ ସଂପୁଟିତ ।

କାମେକାମୀ କାମଇ କାମରେ ନିଯୋଜିତ ॥

ଜ୍ୟେଷ୍ଠବ୍ୟଞ୍ଜନ ଶାନ୍ତ ହୋଇଣ କ୍ରମରେ ।

ଅମୃତ ସମାନ ବୀଜକୁ ପ୍ରକାଶ କରେ ॥

ପ୍ରଜାପତି ତଥା ଇନ୍ଦ୍ରବୀଜ ସଂସ୍ଥାଯୁକ୍ତ ।

ଅର୍ଦ୍ଧଚନ୍ଦ୍ରଯୁତେ ଦେବୀ ବୀଜ ସେ କଥିତ ॥

ଏ ବୀଜ ଚତୁବର୍ଗକୁ ପ୍ରଦାନ କରଇ ।

ଏ ଅତି ଗୋପନୀୟ ଦୁର୍ଲଭ ହୋଇଥାଇ ॥

କର୍ଣ୍ଣଡେରି ଗୁରୁମୁଖୁ ଏ ବୀଜ ଶୁଣିବ ।

ଅଖିଳ କାମନା ଲଭି ଶିବଲୋକେ ଯିବ ॥

ବେଦସାରଦେବ କଣ୍ଠଦ୍ଵାର ଏହିବୀଜ ।

ସର୍ବପାପ ବିନାଶଇ ଶ୍ରୀହରିଙ୍କ ପୂଜ୍ୟ ॥

ନ୍ୟାୟଶୁଭ ପ୍ରଦବିଘ୍ନନାଶଇ ସକଳ ।

କାମାଖ୍ୟା ବୀଜ ଜପିଲେ ମିଳେ ସର୍ବଫଳ ॥

ଚକ୍ଷୁପ୍ରୀତି ପ୍ରଦଧ୍ୟାନେ ଉପକାର ପ୍ରଦ ।

ସେହିନ୍ୟାୟେ ସ୍ଥିତହୁଏ ଦେବଙ୍କ ସୁଖଦ ॥

ପରମପ୍ରଦ ପ୍ରାପକ ଦୁର୍ଭାଗ୍ୟ ବିନାଶି ।

ଶିବପଦରୂପ କାମାଖ୍ୟା ସ୍ଵରୂପ ଘୋଷି ॥

ଯାହାଙ୍କ ନାମେ ଶ୍ରବଣମାତ୍ରେ ସର୍ବଶୁଭ ।

ବହୁ ବିଭୂତିକୁ ଦିଏ ଗାୟନେ ସୁଲଭ ॥

ସୁରଗଣ ଗଣନାରେ ସେ କୁଶଳୀ ଶକ୍ତି ।

ସେହି ପରମରୂପକୁ ଚିନ୍ତି ସର୍ବକୃତୀ ॥

ଚନ୍ଦ୍ରସୂର୍ଯ୍ୟ ସମକର୍ଣ୍ଣ କୁଙ୍କୁମେପୀତାଭା ।

ସ୍ଵର୍ଣ୍ଣରତ୍ନେ ଭୂଷିତା ସେ ତ୍ରିନେତ୍ରରେ ଶୋଭା ॥

ଅଭୟବର ଅକ୍ଷସୁତ୍ର ଧାରିଣୀ ଦେବୀ ।

ସୁରନର ସେବ୍ୟା କାମେଶ୍ୱରୀ ପଦଭାବି ॥

ଭକ୍ତପଦ୍ମସ୍ଥିତା ନବଯୌବନା ସୁହାରା ।

ମୁକ୍ତକେଶୀ ଶବହୃଦେ ସ୍ଥିତା ସୁରୁଚିରା ॥

ବାଳସୂର୍ଯ୍ୟ ବସନାସେ ସିଦ୍ଧ କାମେଶ୍ଵରୀ ।

ସ୍ମେରମୁଖୀ ସୁଦନ୍ତୀ ସୁକେଶୀ ସ୍ଵର୍ଣ୍ଣଗୌରୀ ॥

ବିପୁଳ ବିଭବଦାତ୍ରୀ ଚନ୍ଦ୍ରକଳା ଶିରେ ।

ଶୋଭାପାଇ ମୁଖକୁ ଉଜ୍ଜ୍ୱଳାକରେ ଧରେ ॥

କାମପାଷାଣାଥି ଷ୍ଠାତ୍ରୀଯୋନି ମୁଦ୍ରା ଶୋଭେ ।

ସର୍ବସ୍ଵର୍ଗ ଶକ୍ତା ତାଳବାଦ୍ୟ ତହିଁ ଶୁଭେ ॥

ବିଦ୍ୟୁତଅଗ୍ନି ସମାନା ଚିନ୍ତନୀୟା ଦେବୀ ।

ଚତୁର୍ବଗ ପ୍ରଦାକଳତନ୍ତ୍ରେ ତାଙ୍କୁ ଭାବି ॥

କାମାଖ୍ୟା ପୀଠ ପଛରେ ଅର୍ଦ୍ଧ ମଣ୍ଡଳରେ ।

ଚନ୍ଦନପୁଷ୍ପ ଦେଇଣ ପୂଜିବ ଭକ୍ତିରେ ॥

ଏହି କାମାଖ୍ୟା ତନ୍ତ୍ରକୁ ସଦାଧ୍ୟାନ କରି ।

ପ୍ରଭାକର ଏ ପୁରାଣ ଗୀତବନ୍ଧେ ସ୍ମରି ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଚଷଷ୍ଠିତମୋଽଧ୍ୟାୟଃ ।

✽✽✽

 

॥ ୬୬ ॥

 

ଈଶ୍ୱର ଉବାଚ

ବୈଷ୍ଣବୀଙ୍କ ତନ୍ତ୍ରମନ୍ତ୍ର ପୂର୍ବେ ମୁଁ କହିଛି ।

ମଣ୍ତଳ ପ୍ରମାଣ ସକୁ କହିସାରି ଅଛି ॥

ପ୍ରଥମେ ପୁଷ୍ପଚନ୍ଦନଶିଳା ପରେ ଦେବ ।

ପାତ୍ର ଆଦି ପୂର୍ବପରି ସମ୍ପାଦି ରଖିବ I

ବୈଷ୍ଣବୀ ତନ୍ତ୍ର ମନ୍ତ୍ରର ଯେଉଁ ପ୍ରତିପତ୍ତି ।

ଏ ସ୍ଥାନେ ସେ ସବୁ କରିବ ପୂଜାପଦ୍ଧତି ॥

ପ୍ରଥମରେ ସୂର୍ଯ୍ୟଅର୍ଘ୍ୟ ଶ୍ଵେତ ସର୍ଷପରେ ।

ପୁଷ୍ପଚନ୍ଦନ ସହିତ ଦେବ ସଗଣରେ ॥

ଆସନ ପୂଜା ଶେଷରେ ପୀଠୋକ୍ତ ଦେବଙ୍କୁ ।

ପୀଠ ନାମଯୋଡ଼ି ମଣ୍ଡଳ ମଧ୍ୟ ଭାଗକୁ ।

ବୈଷ୍ଣବୀଙ୍କ ସହ ଭିନ୍ନଧ୍ୟାନେ ସ୍ଵରୂପରେ ।

ମହାମାୟା ସ୍ତବଭକ୍ତ କାମାଖ୍ୟା ମନ୍ତ୍ରରେ ॥

ଚତୁଃଷଷ୍ଠି ଯୋଗିନୀଙ୍କ ପୂଜାଭିନ୍ନେ ଭିନ୍ନ ।

କରିବ ମଣ୍ଡଳ ମଧ୍ୟେ ଅତୀବ ଯତନେ ॥

ମନୋଭବାଗୁହା ମହତ୍‌ସୋଃହଂ ସଖୀଗଣ ।

ଅନନ୍ତ ଦଶଦିଗପାଳ ନବଗ୍ରହ ପୁଣ ॥

ଏମାନଙ୍କୁ ନିଜ ନିଜ ମନ୍ତ୍ରେ ପୂଜା କରି ।

ପୂର୍ବଦ୍ଵାରେ ଗଣେଶଙ୍କୁ ପୂଜିବ ସମ୍ଭାରି ॥

ନନ୍ଦୀ ହନୁମାନଙ୍କୁ ପଣ୍ଚିମ ଦ୍ଵାରେ ପୂଜି ।

ଉତ୍ତରେ ଭୃଙ୍ଗି ଦକ୍ଷିଣେ ମହାକାଳ ପୂଜି ॥

ଏମାନେ ମୋ ଦ୍ଵାର ପାଳଦେବୀ ପୂଜାକାଳେ ।

ଏମାନଙ୍କୁ ପୂଜିବ ଦେବୀଙ୍କ ଦ୍ଵାରପରେ ॥

ଅମୃତୀକରଣେ କାମମୁଦ୍ରା ଦେଖାଇବ ।

ତାଳତ୍ରୟେ ଭୂତ ପ୍ରସାରଣକୁ କରିବ ॥

ବାମହସ୍ତେ ଦକ୍ଷହସ୍ତ ଦ୍ଵାରା ତାଳିମାରି ।

ହୁଂ ହୁଂ ଫଟ୍‌ ମନ୍ତ୍ରେ ବେତାଳଦିଙ୍କୁ ନିବାରି ॥

ଭତ୍ତର ତନ୍ତ୍ରୋକ୍ତ ମତେ ସମସ୍ତ କରିବ ।

ଏଥୁ ଉକ୍ତ ପ୍ରକାରେ ପ୍ରାଣାୟାମ ଜପିବ ॥

ମଧୁ କ୍ଷୀର ଘୃତ ଦଧି ଗୋମୁତ୍ର ଗୋମୟ ।

ରତ୍ନଜଳ ଶର୍କରାକୁ ଶୋଦ ଶ୍ଵେତମୟ ॥

ସର୍ଷପତିଳ ରକ୍ତଚନ୍ଦନ ଦୁର୍ବାପୁଷ୍ପ ।

ଗୋରୋଚନା ଜଳେସ୍ନାନ କରାଇବ ସ୍ଵଳ୍ପ

ଯୋନି ନିକଟ ଶିଳାରେ ନବବାର ଅର୍ଘ୍ୟ ।

ଆସନ ପାଦ୍ୟାଚ ମନ ମଧୁପକ ଦ୍ରବ୍ୟ ॥

ବସ୍ତ୍ର ଚନ୍ଦନ ଭୂଷଣ ପୁଷ୍ପ ଧୂପ ଦୀପ ।

ନେତ୍ରାଞ୍ଜନ ନୈବେଦ୍ୟ ଆଚମନକୁ ଦେବ ॥

ପ୍ରଦକ୍ଷିଣ ନମସ୍କାର ଷୋଡ଼ଶୋପଚାରେ ।

କାମାଖ୍ୟାଙ୍କୁ ପୂଜାକରିବ ସେ ଯୋନିଯନ୍ତ୍ରେ ॥

କାମ ଗାୟତ୍ରୀ ପଢ଼ି ଦେବୀଙ୍କ ଆବାହନ ।

ଗୁପ୍ତ ଦେବ ଅଟେ ସେହି ତୁମ୍ଭେ ମନେ ଘେନ ॥

କାମାଖ୍ୟେ ଏ ସ୍ଥାନେ ଆସ ମୋ ପୂଜାକୁ ଘେନ ।

କରମୋର ସନ୍ନିଧିକୁ ସେ ଉପକଳ୍ପନ ॥

କାମାଖ୍ୟାୟୈ ବିଦ୍ମହେକାମୈଶ୍ୱର୍ଯ୍ୟେଧୀମହି ।

ମହାଦେବୀ ପ୍ରଚୋଦୟା ହିକାମ ମନ୍ତ୍ର ଏହି ॥

ଏହିକାମ ଗାୟତ୍ରୀରେ ଦେବୀଙ୍କୁ ପୂଜିବ ।

ପୂଜାଶେଷେ ବଳିଦାନ ବିଧିରେ କରିବ ॥

ରୁଦ୍ରାକ୍ଷମାଳାରେ ଦେବୀ ମନ୍ତ୍ରକୁ ଜପିବ ।

ଅଙ୍ଗୁଳିର ନ୍ୟାସ ମୂଳ ମନ୍ତ୍ରରେ କରିବ ॥

ତହୁଁ ଉଦର ପୃଷ୍ଠବାହୁ କରପାଦରେ ।

ମନ୍ତକୁ ନ୍ୟାସ କରିବ ବିଧି ପରକାରେ ॥

ଅଭୟ ବରଦ ଅକ୍ଷମାଳା ସୂତ୍ରହସ୍ତ ।

ଚନ୍ଦ୍ର ସୂର୍ଯ୍ୟ ଶଶିକଳା ପୂଜିବ ସମସ୍ତ ॥

ରକ୍ତପଦ୍ମ ଶବ ପୁଣି ବ୍ରହ୍ମପୁତ୍ର ନନ୍ଦ ।

ମନୋଭାବ ଶକ୍ତିଶିଳା ପୂଜିବ ସମୋଦ ॥

ଦେବୀପାର୍ଶ୍ଵେ ଖଡ୍‌ଗକୁ ପୂଜିବ ଭକ୍ତିଭରେ ।

ପୀଠାଦି ଦେବତାଗଣ ପୂଜିବ ସେଠାରେ ॥

ତ୍ରିପୁରା ଶାରଦା ଦେବୀ ପୂଜିବ ମଧ୍ୟରେ ।

ଗଣ୍ଡେଶ୍ଵରୀ ନିର୍ମାଲ୍ୟଧାରିଣୀ ପୂଜା ଧୀରେ ॥

ସିନ୍ଦୂର କୁଙ୍କୁମ ଚନ୍ଦନ ଅଗୁରୁ ଦ୍ରବ୍ୟେ ।

କାମଚଣ୍ଡୀଙ୍କୁ ପୂଜିବ ଭକ୍ତି ଭରେ ସର୍ବେ ॥

ବିସର୍ଜନ କାଳେ ଯୋନିମୁଦ୍ରା ଦେଖାଇବ ।

କାମାଖ୍ୟା ପୂଜାରେ ବିଶେଷ କହିଲି ସର୍ବ ॥

ଏଭାବେ ମନୋଭାବ ଗୁହାରେ ପୂଜାକରି ।

ପରମ ଗତି ଲଭନ୍ତି ସାଧକେ ବିଚାରି ॥

ବ୍ରହ୍ମାଣୀ ଚଣ୍ଡିକା ରୌଦ୍ରୀ ଗୌରୀ ଯେ ଇନ୍ଦ୍ରାଣୀ ।

କୌମାରୀ ବୈଷ୍ଣବୀଦୁର୍ଗା ନାରସିଂହୀ ପୁଣି ॥

କାଳିକା ଚାମୁଣ୍ଡା ଶିବଦୂତୀ ଯେ ବରାହୀ ।

କୌଷିକୀ ମାହେଶ୍ଵରୀ ଶାଙ୍କରୀ ଜୟନ୍ତୀ ହିଁ ॥

ସର୍ବମଙ୍ଗଳା କପାଳିନୀ ମେଧାଯେ ଶିବା ।

ଶାକମ୍ବରୀ ଭୀମାଶାନ୍ତା ଭ୍ରମରୀ ଜାଣିବା ॥

ରୁଦ୍ରାଣୀ ଅମ୍ବିକା କ୍ଷମାଧାତ୍ରୀ ସ୍ଵଧାସ୍ଵହା ।

ଅପର୍ଣ୍ଣା ମହେଦରୀ ଘୋରରୂପା ଦୁରୁହା ॥

ମହାକାଳୀ ଭଦ୍ରକାଳୀ କ୍ଷେମଙ୍କରୀ ପୁଣି ।

ଉଗ୍ରଚଣ୍ଡା ଚଣ୍ଡୋଗ୍ରାଟଣ୍ଡ ନାୟିକା ଜାଣି ॥

ଚଣ୍ଡାଚଣ୍ଡ ବତୀଟଣ୍ଡୀ ମହାମୋହା ଦେବୀ ।

ପ୍ରିୟଙ୍କରୀ ଜଳବିକରିଣୀଙ୍କୁ ଯେ ଭାବି ॥

ବଳ ପ୍ରମଥିନୀ ମଦନୋନ୍ମାଥିନୀ ପୁଣ ।

ସର୍ବଭୂତ ଦମନୀ ଉମାତାରାଙ୍କୁ ଜାଣ ॥

ମହାନିଦ୍ରା ବିଜୟାଜୟାଦି ଦେବୀପୁଣ ।

ଶୈଳପୁତ୍ରୀ ଆଦି ଅଷ୍ଟଯୋଗିନୀଙ୍କ ଗଣ ॥

ଚତୁଃଷଷ୍ଠି ଯୋଗିନୀ ସହିତ ଏଦେବୀଙ୍କୁ ।

ମଣ୍ଡଳ ମଧ୍ୟରେ ପୂଜା କରିବ ଏହାଙ୍କୁ ॥

ନାନାବିଧ ପାନୀୟ ନୈବେଦ୍ୟ ଯେପାୟମ ।

ମୋଦକ ପିଷ୍ଟକ ଦେବ ଦେବୀଙ୍କୁ ବିଶେଷ ॥

ଏଭାବେ କାମଚଣ୍ଡୀଙ୍କୁ ଭକ୍ତିରେ ପୂଜିଲେ ।

ସର୍ବକାମ ସିଦ୍ଧିହୁଏ ପ୍ରିୟଦ୍ରବ୍ୟ ମିଳେ ॥

ମହୋତ୍ସାହା ଦେବୀ ମହାମାୟା ରୂପେ ତହିଁ ।

ବୈଷ୍ଣବୀ ତନ୍ତ୍ରେ ଯୋନିମଣ୍ଡଳେ ପୂଜାପାଇ ॥

କାମାଖ୍ୟା ପୂଜା କ୍ରମରେ ଏହାଙ୍କୁ ପୂଜିବ ।

ତାପରେ ତ୍ରିପୁରା ପୂଜା ଯତନେ କରିବ ॥

ଦୁର୍ଗାଧ୍ୟାତା ମହେଶ୍ଵରୀ ଏହି ଦେବୀ ତିନି ।

ତ୍ରିପୁରା ନାମରେ ଖ୍ୟାତ ପୂଜିବ ଏ ଘେନି ॥

ମଣ୍ଡଳ ତ୍ରିଗୁଣ ହେବ ତ୍ରିରେଖ ତ୍ରିପୁର ।

ତ୍ରିଅକ୍ଷର ମନ୍ତ୍ର ତିନିରୂପ ଦେବୀଙ୍କର ॥

କୁଣ୍ଡଳୀ ଶକ୍ତି ତ୍ରିବିଧ ତ୍ରିଦେବ ସର୍ଜନେ ।

ସବୁ ତିନିଗୁଣ ହେବ ତ୍ରିପୁରା ପୂଜନେ ॥

ଉତ୍ତରରୁ ପୂର୍ବକୁ ତିନିରେଖା କାଟିବ ।

ତ୍ରିକୋଣ କରି ଚନ୍ଦନ ପୁଷ୍ପରେ ପୂଜିବ ॥

ରେଖାସବୁ ଶକ୍ତିରୂପ ତା ମଧ୍ୟରେ ଲିଙ୍ଗ ।

କଳ୍ପନା କରିଣ ପୂଜିବ ଯେ ସାନୁରାଗ ॥

ଶକ୍ତି ଲିଙ୍ଗକୁ ପଦ୍ମରେ ବେଷ୍ଟନ କରିବ ।

ଅଷ୍ଟପତ୍ରେ ତାଙ୍କୁ ଭାବ ତ୍ରିବର୍ଣ୍ଣା ପୂଜିବ ॥

ତିନି ରେଖାରେ ଶକ୍ତି ଲିଙ୍ଗକୁ ବେଢ଼ାଇଣ ।

ପଞ୍ଚସଂସ୍କାରେ ପବିତ୍ର କରିବ ସେ ସ୍ଥାନ ॥

ଅସ୍ତ୍ରମନ୍ତ୍ର ପ୍ରୟୋଗଭୂତ ଅପସାରଣ ।

ପୂର୍ବ ବିଧିରେ ଏହାଙ୍କୁ କରିବ ପୂଜନ ॥

ବାୟୁକୋଣେ ଶ୍ରୀହରିଙ୍କୁ ପୁଜିବ ବିଧିରେ ।

ବିଷ୍ଣୁ ମନ୍ତ୍ର ଉକ୍ତ ହୋଇଅଛି ତ ପୂର୍ବରେ ॥

ଏକପୁର ଦଳ ଅନ୍ୟ ପୁର ଯେ କେଶର ।

ଶେଷପୁର ଯେ ତ୍ରିକୋଣ ଏଭାବେ ତ୍ରିପୁର ॥

ଉତ୍ତରକୁ ଦ୍ଵାରଭାବି ଧନୁ ଆକୃତିରେ ।

ପୂର୍ବଦ୍ୱାରେ ଷଟକୋଣ ଦକ୍ଷିଣ ଦୁଆରେ ॥

ଚତୁଃକୋଣ କରି ପଣ୍ଚିମେ ତୋରଣା କରି ।

ଈଶାନରେ ପଞ୍ଚବାଣ ଧନୁଯୋଗେ ଧରି ॥

ନୈଋତେ ପୁସ୍ତକ ବାୟୁକୋଣେ ଅକ୍ଷମାଳ ।

ଏଭାବେ ମଣ୍ଡଳ କରି ବାମହସ୍ତେ ଧର ॥

ବାଗ୍‌ବେଶ୍ନନେ ନମକହି ମଣ୍ଡଳ ପୂଜିବ ।

ପୂର୍ବୋକ୍ତ ମୂଳ ମନ୍ତ୍ରରେ ଛୋଟିକା ବାନ୍ଧିବ ॥

ଅଭ୍ୟୁକ୍ଷଣ ଭୂତାପସାରଣ ପ୍ରତିପ୍ରତ୍ତି ।

ଦହନ ପ୍ଳବନ ଅମୃତୀକରଣ କୃତୀ ॥

ଯୋନିମୁଦ୍ରାରେ ପାତ୍ରକୁ ତ୍ରିବାର ଛୁଇଁବ ।

ସୂର୍ଯ୍ୟ ଭୈରବଙ୍କୁ ଅର୍ଘ୍ୟ ପ୍ରଦାନ କରିବ ॥

ରକ୍ତଚନ୍ଦନ ପୁଷ୍ପରେ ପୂଜିବ ସମସ୍ତ ।

ଯୋନିମୁଦ୍ରାରେ ଚିନ୍ତିଣ ଅସ୍ତ୍ରମନ୍ତ୍ରେ ପୂତ ॥

ଅର୍ଘ୍ୟ ସଂସ୍କାର କରିବ ପୂର୍ବୋକ୍ତ ବିଧିରେ ।

ଅଙ୍ଗନ୍ୟାସ କରନ୍ୟାସ କରିବ ତ୍ରିବାରେ ॥

କର୍ଣ୍ଣରନ୍ଧ୍ର ବ୍ରହ୍ମଦ୍ଵାର କେଶତଳ ପୁଣ

ନାସିକା ଜାନୁପାଦରେ ମନ୍ତ୍ରନ୍ୟାସ ଘେନ ॥

ତହୁଁ ପ୍ରାଣାୟମ କରି ରେଚକ କାଳରେ ।

ତ୍ରିପୁରା ଦେବୀଙ୍କୁ ଚିନ୍ତା କରିବ ମନରେ ॥

ଦହନ ପ୍ଳବନ କରି ଦେବୀଙ୍କୁ ଚିନ୍ତିବ ।

ସିନ୍ଦୂରବର୍ଣ୍ଣା ତ୍ରିନେତ୍ରା ଚତୁର୍ଭୂଜା ଭବ ॥

ବାମହସ୍ତେ ପୁଷ୍ପଧନୁ ତଳେ ସେ ପୁସ୍ତକ l

ଦକ୍ଷିଣେ ପଞ୍ଚସାୟକ ପୁଣି ଅକ୍ଷସକ ॥

ଚାରିକୁଶ ପତ୍ତପରେ ଅତ୍ର୍ୟକୁଶପକୁ ।

ରଖି ତହିଁ ପରେ ବସି ଭାବିବେ ଦେବୀଙ୍କୁ ॥

ଜଟାଜୁଟ ଅର୍ଦ୍ଧଚନ୍ଦ୍ରେ ଶିର ଶୋଭାଦିଶେ ।

ତ୍ରିବଳି ଶୋଭାବଢ଼ା ଏ ତାଙ୍କ ମଧ୍ୟ ଦେଶେ ॥ ।

ସର୍ବ ଅଳଙ୍କାରେ ପୂର୍ଣ୍ଣା ସର୍ବାଙ୍ଗ ସୁନ୍ଦରୀ ।

ଧନଧୀରା ସ୍ରୁବେ ସର୍ବ ଲକ୍ଷଣରେ ପୁରି ॥

ପ୍ରଥମେ ଏହାଙ୍କୁ ଚିନ୍ତି ଆତ୍ମା ତିନିବାରେ ।

ଚିନ୍ତିବ ସତ୍ୟ ରୂପକୁ ବାଗ୍‌ଭବ ମନ୍ତ୍ରର ॥

ସ୍ଵଶିରେ ପୁଷ୍ପ ଘେନିଣ ଅଙ୍ଗନ୍ୟାସ କରି ।

ମନ୍ତ୍ରଦ୍ୱୟ ତିନିବାର ଜପିବ ଉଚ୍ଚାରି ॥

ଅର୍ଘ୍ୟଜଳେ ସ୍ଵମସ୍ତକ ତ୍ରିବାର ଛିଞ୍ଚିବ ।

ପୂଜାଦ୍ରବ୍ୟେ ଅର୍ଘ୍ୟଜଳ ସେଚନ କରିବ ॥

କାମପୀଠ ଧ୍ୟାନକରି ଚାରିଦ୍ଵାରେ ପୁଣି ।

ଗଣେଶ ଗଣନାଥ ଗଣାଧ୍ୟକ୍ଷଙ୍କୁ ଜାଣି ॥

ଗଣକ୍ରୀଡ଼ ଏ ଚାରିଙ୍କୁ ହେରମ୍ବ ମନ୍ତ୍ରରେ ।

ପୂଜା କରିବ ବିବିଧ ଦ୍ରବ୍ୟ ଉପଚାରେ ॥

ବିଦ୍ୟାଶାନ୍ତି ପ୍ରତିଷ୍ଠାନ ବୃତ୍ତ ଏ ଚାରିଙ୍କୁ ।

ପୂର୍ବାଦିକ୍ରମେ ପୂଜିବ ଦ୍ଵାରେ ଏମାନଙ୍କୁ ॥

ଚାରିବଟୁକ ଭୈରବ ଚାରିଦିଗେ ପୂଜି ।

ଶ୍ରୀଦେବୀଙ୍କୁ ଶ୍ରୀମନ୍ତ୍ରରେ ପୂଜ ମନେହେଜି ॥

ସିଦ୍ଧ ସହଜ ସମୟ ଜ୍ଞାନକୁ ପୂଜିବ ।

କୁମାରୀମାନଙ୍କୁ ଚାରିକୋଣରେ ଅର୍ଚ୍ଚିବ ॥

ଗୋରଟଡ଼ାମର ଲୋହଜଙ୍ଘ ଭୂତନାଥ ।

ଏକ୍ଷେତ୍ର ପାଳଙ୍କୁ ଈଶାନାଦିକ୍ରମେ ସାର୍ଥ ॥

ମଣ୍ଡଳ ମଧ୍ୟରେ ପଞ୍ଚବାଣଙ୍କୁ ପୂଜିବ ।

ପ୍ରଭାକର କହେ ତ୍ରିପୁରାଙ୍କ ପୂଜା ଭାବ ॥

 

ଇତି ଶ୍ରୀ କାଳିକାପୁରାଣେ

ଷଟ୍‍ଷଷ୍ଠିତମୋଽଧ୍ୟାୟଃ ।

✽✽✽

 

॥ ୬୭ ॥

 

ଶ୍ରୀ ଈଶ୍ଵର ଉବାଚ

ଦ୍ରାବଣ ଶୋଷଣ ବନ୍ଧନ ମୋହନ ପୁଣି ।

ଆକର୍ଷଣ ଏ ପାଞ୍ଚକୁ ମଧ୍ୟେ ପୂଜ ଜାଣି ॥

ତହୁଁ ତିନିକୋଣେ ତିନିଯୋଗିନୀଙ୍କ ପୂଜା ।

ତାଙ୍କ ନାମ ଭଗଭଗାସ୍ୟା ଯେ ଭଗଜିହ୍ଵା ॥

ଅନ୍ୟତିନି ଯୋଗିନୀଙ୍କୁ ପୂଜିବ ମଧ୍ୟରେ ।

ଅନ୍ୟ ଦୁହିଙ୍କୁ ପୂଜିବ ଦୁଇକୋଣ କରେ ॥

ଭଗମାଳିନୀ ଭଗୋଦରୀ ଯେ ଭଗହାରା ।

ଏମାନେ ପୂଜିତ ହେବେ ମଧ୍ୟେ କୋଣେପରା ॥

ଅନଙ୍ଗ କୁସୁମାଦେବୀ ଅନଙ୍ଗମେଖଳା ।

ଅନଙ୍ଗମଦନା ଅନଙ୍ଗୋଭବା କୋମଳା ॥

ଦଳକେଶର ମଧ୍ୟରେ ଏହାଙ୍କୁ ପୂଜିବ ।

ଶୈଳପୁତ୍ରୀ ଆଦିଅଷ୍ଟ ଯୋଗିନୀ ଅର୍ଚ୍ଚିବ ॥

ବାଗ୍‌ଭବ ଦୁର୍ଗାନେତ୍ରବୀଜ ମନ୍ତ୍ରରେ ପୂଜ ।

ଅଙ୍ଗନ୍ୟାସ କରନ୍ୟାସେ ମନ୍ତ୍ରଗଣ ହେଜ ॥

କ୍ଷେତ୍ରପାଳମାନଙ୍କୁ ଦଳକେଶର ମଧ୍ୟେ I

ପୂଜା କରିବ ତାଙ୍କ ନାମକୁ ଶୁଣ ଶୁଦ୍ଧେ ॥

ହେତୁକ ତ୍ରିପୁର ଅଗ୍ନିଜିହ୍ୱ କରାଳକ ।

ଅଗ୍ନିବେତାଳ ଯେକାଳ ସେ ଏକପାଦକ ॥

ଭୀମନାଥ ଏହି ଅଷ୍ଟ କ୍ଷେତ୍ରପାଳ ଜାଣ ।

ଅଷ୍ଟମନ୍ତ୍ରେ କାମରାଜ ସଙ୍ଗେ ପୂଜ ପୁଣ ॥

ଅସିତାଙ୍ଗାଦି ଅଷ୍ଟଭୈରବ ଚାରିଦିଶେ ।

ଦୁଇ ଦୁଇ କରି ପୂଜ ତାଙ୍କ ଚାରିଦିଗେ ॥

ପଦ୍ମମଣ୍ଡଳ ମଧ୍ୟରେ ନବମ ଭୈରବ ।

ଅସିତାଙ୍ଗରୁରୁ ଚଣ୍ଡକ୍ରୋଧ ଉନ୍ମତ୍ତାଭ ॥

ଭୟଙ୍କର କପାଳୀ ଭୀଷଣ ଏହି ଅଂଶ ।

ନବମ ସଂରୀଭୈରବ ମଧ୍ୟେ ପୂଜି ହୃଷ୍ଟ ॥

ଐଶାନ୍ୟାଦି କୋଣେ ଦୁଇଟି ଭୈରବୀଙ୍କୁ ।

ପଦ୍ମମଣ୍ଡଳ ମଧ୍ୟରେ ପୂଜିବ ଦୁହିଙ୍କୁ ॥

ବ୍ରହ୍ମାଣୀ ଭୈରବୀ ମାହେଶ୍ଵରୀ ଯେକୌମାରୀ ।

ବୈଷ୍ଣବୀ ନୃସିଂହୀ ବାରାହୀ ଇନ୍ଦ୍ରାଣି ଧରି ॥

ଚାମୁଣ୍ଡା ଚଣ୍ଡିକା ଦଶଭୈରବୀ ଏଜାଣ ।

ଯେପରି କହିଲେ ସେହିସ୍ଥାନେ ପୂଜ ପୁଣ ॥

ମଣ୍ଡଳ ମଧ୍ୟେ ଆଧାରଶକ୍ତି ପ୍ରଭୃତିଙ୍କୁ ।

ବୈଷ୍ଣବୀତନ୍ତ୍ର କଳ୍ପୋକ୍ତେ ପୂଜିବ ତାହାଙ୍କୁ ॥

ଶିବଙ୍କର ଅଘୋରାଦି ପଞ୍ଚମୂର୍ତ୍ତି ଗଣ ।

ପଦ୍ମମଧ୍ୟେ ପ୍ରେତରୂପେ ସ୍ଥିତ ପାଞ୍ଚଜଣ ॥

ତାହାଙ୍କୁ ପୂଜି ତାପରେ ପଦ୍ମ ଶବସିଂହ ।

ଏମାନଙ୍କୁ ପୂଜା କରିବ ହୋଇ ଦିଃସଙ୍ଗ ॥

ପୂଜା କର ଜୟନ୍ତୀ ମଙ୍ଗଳା କାଳୀଶିବା ।

ଭଦ୍ରକାଳୀ କପାଳିନୀ ଦୁର୍ଗାଧାତ୍ରୀ କ୍ଷମା ॥

ଉଗ୍ରଚଣ୍ଡା ଆଦି ନବଶକ୍ତିଙ୍କୁ ମଣ୍ଡଳେ ।

ପୂଜା କରିବ ଭକ୍ତିରେ ପୁଷ୍ପଗନ୍ଧ ଦଳେ ॥

ଆଦିତ୍ୟାଦି ଗ୍ରହ ଇନ୍ଦ୍ରାଦିଦିଗ୍‌ ପାଳଗଣ ।

ପାଖେ ପାଖେ ପୂଜା କରିବ ମନ୍ତ୍ରପଢ଼ିଣ ॥

ମଣ୍ଡଳ ମଧ୍ୟେ ଶିବଙ୍କୁ ଏହିପରି ଭାବି ।

ପୂଜାକଲେ ତୁଷ୍ଟହେବେ କାମଚଣ୍ଡ ଦେବୀ ॥

କାମେଶ୍ଵରନାଥ ଏକମୁଖ ଚତୁର୍ଭୁଜ ।

ହୃଦୟ ମଧ୍ୟ ଭସ୍ମରେ ଧବଳ କି ଗଜ ॥

ରକ୍ତପୁଷ୍ପ କୁଙ୍କୁମମଣ୍ଡିତ କଳେବର ।

ତ୍ରିଶୂଳ ପିନାକ ବିରାଜିତ ବାମକର ॥

ଦକ୍ଷିଣହସ୍ତେ ଉତ୍ପଳ ଅକ୍ଷମାଳା ଧରି ।

ଶ୍ଵେତ ପଦ୍ମପରେ ସ୍ଥିତ ପୂଜତାଙ୍କୁ ସ୍ମରି ॥

ମୂର୍ତ୍ତିରେ କାମାଖ୍ୟା ଚିନ୍ତିତାଙ୍କୁ ପୂଜା କର ।

କାମେଶ୍ୱରୀ ଦେବୀଙ୍କୁ ପୂଜିବ ଭକ୍ତିନମ୍ର ॥

ବେତାଳ ଭୈରବଙ୍କୁ ଏହି ରୂପରେ ଧ୍ୟାୟି ।

ପୂଜା କରିବ ସେ ସ୍ଥାନେ ଭକ୍ତିଯୁକ୍ତ ହୋଇ ॥

ଭୈରବ ଯେ ପାଣ୍ଡୁନାଥ ରକ୍ତଗୌରବର୍ଣ୍ଣ ।

ଚତୁର୍ଭୂଜେ ଗଦାପଦ୍ମ ଚକ୍ରଶକ୍ତି ପୁଣ ॥

ଧରି ଦେବୀଙ୍କ ଆଗରେ ପୂଜିବ ତାହାଙ୍କୁ ।

କତୁରି ଖର୍ପରଧାରୀ ସେ କ୍ଷେତ୍ରପାଳଙ୍କୁ ॥

ଈଶ୍ଵର ଯେ ଦନ୍ତଭିନ୍ନ ଅଧର ବିକାଶୀ ।

ତାହାଙ୍କୁ ପୂଜିବ ମଣ୍ଡଳମଧ୍ୟେ ପ୍ରକାଶି ॥

ତିନ୍ତୁଳୀ କଳ୍ପବୃକ୍ଷ ସେ ରତ୍ନରେ ଭୂଷିତ ।

ତ୍ରିଶୃଙ୍ଗ କୃଷ୍ଣବର୍ଣ୍ଣ ନୀଳକୁଟ ପର୍ବତ ॥

ମନୋଭାବ ଗୁହାରକ୍ତବର୍ଣ୍ରା ସୁବର୍ତ୍ତୁଳା ।

ଅପରାଜିତା ଯେ କଳ୍ପଲତା ସୁମୃଦୁଳା ॥

ରକ୍ତପୁଷ୍ପେ ସୁଶୋଭିତା ଏମାନଙ୍କ ପୂଜା ।

କରିବ ଅତି ଭକ୍ତିରେ ଉଡ଼ାଇଣ ଧ୍ଵଜା ॥

କମଳ ନାମାଦି ଟୁକ ସ୍ଵର୍ଣ୍ଣଗୌର ସେହି ।

ଗଜାସନ ଦକ୍ଷହସ୍ତେ ଦଣ୍ଡଧରି ରହି ॥

ବାମେ କପାଳଧାରୀ ସେ ବିଘ୍ନ ଶାନ୍ତି ଯୋଗେ

ଏହାଙ୍କୁ ପୂଜିବ ଯତ୍ନେ ଦେବୀଙ୍କର ଆଗେ ॥

ହେରୁକ ଶ୍ମଶାନ ରକ୍ତବର୍ଣ୍ଣେ ଭୟଙ୍କର ।

ଅସିଚର୍ମଧର ମନୁଷ୍ୟ ମାଂସ ଆହାର ॥

ତିନିଟି ମୁଣ୍ଡମାଳରୁ ରକ୍ତ ବହିପଡ଼େ ।

ଅଗ୍ନି ଦଗ୍‌ଧ ଗଳଦ୍ରକ୍ତ ପ୍ରେତପରେ ଚଢ଼େ ॥

ଶସ୍ତ୍ରଭୂଷଣ ବାହାନ ଏଭାବେ ଚିନ୍ତିଣ ।

ତାହାଙ୍କୁ ପୂଜା କରିବ ଭକ୍ତିଭରେ ପୁଣ ॥

ମହୋଛ୍ୱାସା ଯୋଗିନୀ ଯେ ମାୟା ସ୍ଵରୁପିଣୀ ।

ଏ ରୂପେ ଧ୍ୟାୟିଣ ଦେବୀ ଅଗ୍ରେ ପୂଜ ପୁଣି ॥

ନୀଳକୁଟ ପୂର୍ବଭାଗେ ଚନ୍ଦ୍ରବତୀ ପୁରୀ ।

ଦ୍ୱିଯୋଜନ ଦୀର୍ଘ ଅର୍ଦ୍ଧଯୋଜନ ବିସ୍ତାରି ॥

ବହୁ ଉଚ୍ଚପ୍ରାସାଦ ସୌଧରେ ବିରାଜିତା ।

ମଣି ସ୍ଵର୍ଣ୍ଣରେ ଭୂଷିତ ହୋଇ ସୁଶୋଭିତା ॥

ପଦ୍ମ କୁମୁଦମଣ୍ଡିତ କ୍ରୀଡ଼ା ସରୋବର ।

ଏମାନଙ୍କୁ ପୂଜିବ ଦେବୀ ଅଗ୍ରଦେଶର ॥

ଲୋହିତ ନଦ ଯେ ରକ୍ତଗୌର ନୀଳବସ୍ତ୍ର ।

ଚତୁର୍ଭୂଜେ ପୁସ୍ତକ ପଦ୍ମ ଶକ୍ତି ଧ୍ଵଜାସ୍ତ୍ର ॥

ଶିଶୁମାର ଆରୋହିଛି ତାଙ୍କୁ ପୂଜାକର ।

ସେ ପୂଜା ପାଇଲେ ହେବ ସର୍ବତ୍ର ମଙ୍ଗଳ ॥

ଦ୍ଵିତୀୟ ତ୍ରିଯୁଗ ରୂପେ ପୁଣି ତୃତୀୟକୁ ।

ଦେବୀ ଆବାହନାର୍ଥେ କରି ଯୋନିମୁଦ୍ରାକୁ ॥

ବଧୁଲି ପୁଷ୍ପବର୍ଣଭା ଜଟା ଚନ୍ଦ୍ରଶିରେ ।

ପଦ୍ମପଲଙ୍କରେ ବସିଛନ୍ତି ଅକାତରେ ॥

ମୁକ୍ତ ରତ୍ନହାର ପୀନୋନ୍ନତ ପୟୋଧରା ।

ବଳି ମଦ୍ୟପ୍ରିୟା ନେତ୍ର ଆନନ୍ଦ ପସରା ॥

ମନ୍ଦହାସୀ ତ୍ରିନେତ୍ରା ସେ ଚତୁର୍ଭୁଜ ଧାରୀ ।

ପୁସ୍ତକ ଅକ୍ଷସୁତ୍ର ବରାଭୟକୁ ଧରି ॥

ରକ୍ତସ୍ରାବି ମୁଣ୍ଡମାଳା ଶୋଭେ ଗଳଦେଶେ ।

ଦର୍ଶନେ ଦର୍ଶକ ମନରେ ଭୟ ପ୍ରବେଶେ ॥

ଆପାଦ ଲମ୍ବି କଳ୍ପଦ୍ରୁମରେ ବାସ କରି ।

କଦମ୍ବବନ ସଂସ୍ଥିତା ମହାହ୍ଲାଦକାରୀ ॥

ଦ୍ୱିତୀୟ ତ୍ରିପୁରା ଏହି ତୃତୀୟାଙ୍କୁ ଶୁଣ ।

ଜବାପୁଷ୍ପବର୍ଣ୍ଣା ମୁକ୍ତକେଶୀ ଶୁଭାନନ ॥

ଶିବ ଶିବହୃଦେ ବସି ମନ୍ଦହାସେ ରତା ।

ରକ୍ତପଦ୍ମ ମିଶ୍ର ମୁଣ୍ଡମାଳା ବିଭୂଷିତା ॥

ପୀନୋନ୍ନତସ୍ତନୀ ଚତୁର୍ଭୂଜା ଦିଗମ୍ବରା ।

ସର୍ବାଙ୍ଗ ସୁନ୍ଦରୀ ଦେବୀ ତୃତୀୟା ତ୍ରିପୁରା ॥

ବାଗ୍‌ଭବ କାମରାଜକ ଡାମର ମୋହନ ।

ଏମାନଙ୍କୁ ଚିନ୍ତାକରି ପୂଜିବ ତତ୍‍କ୍ଷଣ ॥

ନାସାପୁଟେ ଧରି କରଦ୍ଵୟେ ଆବାହନ ।

ଗାୟତ୍ରୀ ତ୍ରିବାର ବୋଲି କରାଇବ ସ୍ନାନ ॥

ଆବାହନ କଗିବ ଏହି ମନ୍ତ୍ରକୁ ବୋଲି ।

ଆସଦେବୀ ଏ ସ୍ଥାନକୁ ମୋ ନିକଟେ ଚାଲି ॥

ମୋ କଣ୍ଠେ ଅନର୍ଗଳ ବାକ୍ୟକୁ ଦାନକର ।

ତ୍ରିପୁରେ କାମଦେ ଆସି ବଳି ଘେନ ମୋର ॥

ନାରାୟଣ୍ୟୈ ବିଦ୍ମହେ ବାଗ୍‌ବାଦିନ୍ୟୈଧୀ ମହି ।

ତନ୍ନୋଦେବୀ ପ୍ରଚୋଦୟାତ୍ତିପୁରା ଗାୟତ୍ରୀ ॥

ଦ୍ୱିତୀୟ ତ୍ରିପୁରାଙ୍କର କୁବଜୀ ପଦଯୋଗ ।

ତୃତୀୟରେ ଚଣ୍ଡୀ ପ୍ରଚୋଦୟାକର ଯୋଗ ॥

ପ୍ରତ୍ୟେକଙ୍କୁ ସ୍ନାନ କରାଇ ବଗଭବ ମନ୍ତ୍ରେ ।

ତିନିବାର କରି ପୂଜିବ ନବ ବାରରେ ॥

ଉଭାରାଦି ଚାରିଦିଗେ ପୂଜିବ ଏହାଙ୍କୁ ।

ବ୍ରହ୍ମା ମାଧବ ଶମ୍ଭୁ ସୂର୍ଯ୍ୟ ଦେବମାନଙ୍କୁ ॥

ଐଶାନ୍ୟାଦିକୋଣେ ପୂଜି ଜୟନ୍ତୀ ବିଜୟା ।

ଅପରାଜିତା ଜମାଙ୍କ ପୂଜ ଛାଡ଼ି ମାୟା ॥

ତ୍ରିକୋଣ କେଶର ମଧ୍ୟେ କାମ ରତି ପୂଜ ।

ପଞ୍ଚବାଣ ଧନୁ ପୁସ୍ତକ ଯେ ଅକ୍ଷସ୍ରଜ ॥

ପର୍ଯ୍ୟଙ୍କ ପ୍ରେତସଦ୍ମ ଶିବଙ୍କ ପୂଜା ସାରି ।

ଜପ ସ୍ତୁତିପାଠ ପ୍ରଣାମକୁ ତହିଁ କରି ॥

ତିନିଜାତି ବଳିଦେବ ତ୍ରିପୁରାଙ୍କ ଆଗେ ।

ସଫେନ ଳଳେ ମଧୁ ସୈନ୍ଧବ କର ଯୋଗେ ॥

ତହିଁରେ ରକ୍ତକୁ ସିଞ୍ଚି ବଳି ସମର୍ପିବ ।

ସମର୍ପଣେ ଦେବୀଙ୍କୁ ମାନସେ ଭାବୁଥିବ ॥

ବାଗ୍‌ଭବମନ୍ତ୍ରେ ଛେଦିବ ଡମର ମନ୍ତ୍ରରେ ।

ଶିର ସମର୍ପଣ କରି ପୂଜିବ ଭକ୍ତିରେ ॥

ବ୍ରାହ୍ମଣ ଗୋକ୍ଷୀର ଦେବ କ୍ଷତ୍ରୀୟ ଯେ ଘୃତ ।

ବୈଶ୍ୟ ମଧୁ ଦେବ ଶୁଦ୍ର ପୁଷ୍ପରସ ମତ୍ତ ॥

ପୁଷ୍ପ ଶୁଙ୍ଘି ଈଶାନରେ ନିର୍ମାଲ୍ୟ କ୍ଷେପିବ ।

ନିର୍ମାଲ୍ୟଧାରିଣୀ ତ୍ରିପୁରାଙ୍କୁ ମହାଦେବ ॥

ବିସର୍ଜନ କରି ଯୋନିପଦ୍ମ ଅର୍ଦ୍ଧମୁଦ୍ରା ।

ପ୍ରତିଦେବୀ ଅଗ୍ରେ ଦେଖାଅ ନୋହିଣ ତନ୍ଦ୍ରା ॥

ପ୍ରଥମ ନିର୍ମାଲ୍ୟ କାମରାଜ ନାମେ ଘେନ ।

ଏହିଭାବେ କରିବ ଯେ ତ୍ରିପୁରା ପୂଜନ ॥

ଯେକରେ ଏହି ପୂଜାକୁ ସର୍ବକାମ ପାଏ ।

ଦେବୀଲୋକେ ବସେ ଅନ୍ତେ ପ୍ରଭାକର କହେ ॥

 

ଇତି ଶ୍ରୀ କାଳିକାପୁରାଣେ

ସପ୍ତଷଷ୍ଟିତମୋଽଧ୍ୟାୟଃ ।

✽✽✽

 

॥ ୬୮ ॥

 

ଈଶ୍ୱର ଉବାଚ

ଦେବୀ କାମେଶ୍ଵରୀ ରୂପ ଶୁଣ ତୁମ୍ଭେ ଦୁହେଁ ।

ଯାହାଙ୍କୁ ଚିନ୍ତିଲେ ପ୍ରିୟଦ୍ରବ୍ୟ ଲାଭ ହୁଏ ॥

ପ୍ରଥମେ ଦେବୀଙ୍କ ତନ୍ତ୍ର ଧ୍ୟାନ ପୂଜାକ୍ରମ ।

ଶୁଣ କହିବା ମୋଠାରୁ ନୁହ ମତିଭ୍ରମ ॥

ପ୍ରଜାପତି ବହ୍ନି ଇନ୍ଦ୍ରବୀଜ ଠୁଳ କରି ।

ଉପରେ ଚନ୍ଦ୍ରବିନ୍ଦୁ ଚତୁର୍ଥ ସ୍ଵର ଯୋଡ଼ି ॥

ଏହି କାମେଶ୍ୱରୀ ବୀଜ ମନ୍ତ୍ର ମନେରଖ ।

ସ୍ଥାନ ଅଭ୍ୟୁକ୍ଷଣ ମନ୍ତ୍ର ପାତ୍ର ନ୍ୟାସ ଦେଖ ॥

ବୈଷ୍ଣବୀ ତନ୍ତ୍ରୋକ୍ତ ଭୂତାପସାରଣ ଆଦି ।

ପୂର୍ବତନ୍ତ୍ର ଉଦ୍ଧାରି ଘେନହେ ଯଥା ବିଧି ॥

ପ୍ରାଣାୟାମ କ୍ରୟ କରି ଦହନ ପବନ ।

ବିଶେଷ ମଣ୍ତଳ କହେ ମୋ ମୁଖରୁ ଶୁଣ ॥

ଷଟ୍‌କୋଣ ମଣ୍ଡଳ ରକ୍ତବର୍ଣ୍ଣରେ ଚିନ୍ତିବ ।

ଶକ୍ତିରେ ଶିବଙ୍କୁ ତହିଁ ଭେଦ କରାଇବ ॥

ଇଶାନରୁ ରେଖା ପକାଇବ ନୈରୁତକୁ ।

ପଶ୍ଚିମରୁ ପୂର୍ବକୁ ପୂର୍ବରୁ ଉତ୍ତରକୁ ॥

ଉତ୍ତରୁ ପଶ୍ଚିମଯାଏ ରେଖାଟାଣି କରେ ।

ଧନୁ ଭଳି ଉତ୍ତର ପଶ୍ଚିମେ ତୋରଣାରେ ॥

ଦକ୍ଷିଣେ ତ୍ରିକୋଣ ପୁର୍ବେ ଷଟ୍‌ କୋଣ କର ।

ଉତ୍ତର ପଶ୍ଚିମେ ପୀଠକର ଜାଲନ୍ଦର ॥

ଦକ୍ଷିଣରେ ଷଷ୍ଠପୀଠ ପୂର୍ବେ କାମରୂପ ।

ଏହିପରି ରହିଛନ୍ତି ହୋଇ ଅପରୂପ ॥

ଦେବୀଙ୍କ ଦ୍ଵାଦଶଗୁହ୍ୟ ଦ୍ଵାଦଶ କରରେ ।

ମଣ୍ଡଳ କୋଣେତ୍ରି ତ୍ରିଲେଖିବ ସେ ଦିଗରେ ॥

ଷଟ ଷଟ୍‌ ରେଖାରେ ମଣ୍ଡଳ କ୍ରମ କର ।

ଅନ୍ୟ ସବୁ ବୈଷ୍ଣବୀତନ୍ତ୍ର ଉକ୍ତ ପ୍ରକାର ॥

ଓଁ କ୍ଳୀ ମଣ୍ଡଳ ତତ୍ତ୍ୱାୟନମ ବୋଲି କରି ।

ମଣ୍ଡଳ ଯୋଗପୀଠକୁ ପୂଜ ଧ୍ୟାନେ ଧରି ॥

ପୀଠଶୀଳା ବା ଯୋନିମଣ୍ଡଳେ ଏ ମଣ୍ଡଳ ।

ତ୍ରିକୋଣେ କରି ତହିଁ ବେଢ଼ାଇବ କମଳ ॥

କାମେଶ୍ୱରୀ ରୂପକୁ ତହିଁରେ ଚିନ୍ତା କର ।

ପ୍ରଭିନ୍ନ ଅଞ୍ଜନବର୍ଣ୍ଣ ନୀଳ ସୁଚିକୁର ॥

ଷଣ୍ମଖୀ ଦ୍ଵାଦଶଭୂଜା ଅଷ୍ଟାଦଶ ନେତ୍ର ।

ପ୍ରଭିନ୍ନ ଅଞ୍ଜନବର୍ଣ୍ଣ ନୀଳ ସୁଚିକୁର ॥

ଷଣ୍ମଖୀ ଦ୍ଵାଦଶଭୁଜା ଅଷ୍ଟାଦଶ ନେତ୍ର ।

ପ୍ରତିଶିରେ ଅର୍ଦ୍ଧଚନ୍ଦ୍ର ଶୋଭାଦିଶେ ମାତ୍ର ॥

ମଣି ମାଣିକ୍ୟ ରତ୍ନାଦିମାଳା ଗଳେ ଭରେ ।

ଶୋଭାଦିଶଇ ବିବିଧ ମାଣିକ୍ୟର ହାରେ ॥

ସର୍ବସଳଙ୍କାରେ ପୂର୍ଣ୍ଣ ପୋଥ୍‌ ସିଦ୍ଧସୂତ୍ର ।

ପଞ୍ଚବାଣ ଖଡ୍‌ଗ ଶକ୍ତିଶୂଳ ଦକ୍ଷକର ॥

ବାମେ ଅକ୍ଷମାଳା ମହାପଦ୍ମ ଯେ କୋଦଣ୍ଡ ।

ଅଭୟ ଚର୍ମ ପିନାକ ଶୋଭେ କରଦଣ୍ଡ ॥

ମାହେଶ୍ଵରୀ ମୁଖ ଶୁକ୍ଳ ରକ୍ତ କାମାକ୍ଷର ।

ତ୍ରିପୁରାଙ୍କ ପୀତ କୃଷ୍ଣ କାମେଶ୍ୱରୀଙ୍କର ॥

ଚଣ୍ଡାଙ୍କର ଚିତ୍ରମୁଖ ଚିକ୍‍କଣ କେଶରେ ।

ସର୍ବଶିର ଶୋଭାପାଏ ଦୃଷ୍ଟା ମନ ହରେ ॥

ସିଂହପରେ ଶୁକ୍ଳପ୍ରେତ ତହିଁ ରକ୍ତପଦ୍ମ ।

ତାପରେ ଦେବୀ ବସନ୍ତି ହୋଇ ସ୍ମେରାନନ ॥

ବିଚିତ୍ର ବସ୍ତ୍ର ସଙ୍ଗରେ ବ୍ୟାଘ୍ରଚର୍ମ ଥାଏ ।

ଏରୂପେ କାମେଶ୍ୱରୀଙ୍କୁ ଯେହୁ ଧ୍ୟାନ ଦିଏ ॥

ପୀଠେ ଦେବୀପୂଜା ବିଶେଷକରି କହିବା ।

ଅନ୍ୟତ୍ର ସାମାନ୍ୟଭାବେ ପୂଜା ବଖାଣିବା ॥

ଅଙ୍ଗନ୍ୟାସ କରନ୍ୟାସ କରିବ ପୀଠରେ ।

ପୂଜକ ନିଜ ଶରୀରେ ନ୍ୟାସିବ ଯେ ଥରେ ॥

ମୁଖବାହୁ କୁକ୍ଷ ଗୁହ୍ୟ ଜାନୁ ପାଦଯୁଗେ ।

ମନ୍ତ୍ର ନ୍ୟାସ କରିବ ଯେ ମନ୍ତ୍ରର ସଂଯୋଗେ ॥

ମୂଳମନ୍ତ୍ର ଅଷ୍ଟବାର ଜପି ତାହାପରେ ।

ଅର୍ଘ୍ୟଜଳେ ପୂଜାଦ୍ରବ୍ୟ ସିଞ୍ଚିବ ବିଧିରେ ॥

କାମପୀଠେ ପୂଜା ଶ୍ରେଷ୍ଠ ଓଡ୍ର ପାଞ୍ଚଳରେ ।

ପୀଠେସ୍ଥାନେ ପୂଜିବ ଦେବୀଙ୍କୁ ନିର୍ଭୟରେ ॥

ପ୍ରଥମେ ପୂର୍ବଦ୍ଵାରରେ ପୂଜି କାମତତ୍ତ୍ଵ ।

ଦକ୍ଷିଣେ ପ୍ରୀତିତତ୍ତ୍ଵ ପଶ୍ଚିମେ ରତିତତ୍ତ୍ଵ ॥

ଉତ୍ତରେ ମୋହନତତ୍ତ୍ୱ ପୂଜିବ କ୍ରମରେ ।

ଈଶାନେ ଦେବୀଙ୍କୁ ପୂଜ ଗଣେଶ ସଙ୍ଗରେ ॥

ଅଗ୍ନିକୋଣେ ଅଗ୍ନିବେତାଳଙ୍କୁ ନୈଋତରେ ।

କାଳଙ୍କୁ ବାୟୁରେ ପୂଜ ନନ୍ଦିଙ୍କୁ କ୍ରମରେ ॥

ଆଦ୍ୟପୀଠନାମ ଓଡ୍ର ତହିଁ ଜାଳଶୈଳ ।

ପୂର୍ଣ୍ଣପୀଠ କାମରୂପ ପୀଠ ମନେ ଧର ॥

ପଶ୍ଚିମେ ଓଡ୍ର ପୀଠରେ ଓଡ୍ରେଶ୍ଵରୀ ଦେବୀ ।

କାତ୍ୟାୟିନୀ ଜଗନ୍ନାଥ ଓଡ୍ରେଶଙ୍କୁ ଭାବି ॥

ଉତ୍ତରେ ଜାଳଶୈଳକ ପୀଠେ ଜାଳେଶ୍ଵର ।

ଚଣ୍ଡୀ ଜାଳେଶ୍ଵରୀ ଦୀର୍ଘିକା ଉଗ୍ରଚଣ୍ଡାର ॥

ପୂଜାସାରି ଦକ୍ଷିଣରେ ପୂର୍ଣ୍ଣେଶ ପୂର୍ଣ୍ଣେଶୀ ।

ପୂର୍ଣ୍ଣନାଥ ମହାନାଥ ସରୋଜା ଚଣ୍ଡେଶୀ ॥

ପୂର୍ବେ ଦମନୀ ଶାନ୍ତା ଶିବା ଯେ କାମରୂପ ।

କାମେଶ୍ୱରୀ ନୀଳଶୈଳ କାମେଶ୍ୱର କଳ୍ପ ॥

ଏ ପୀଠମାନଙ୍କ ଦ୍ୱାରପାଳ ଗୁରୁଗଣ ।

ସ୍ଵ ସ୍ଵ ସ୍ଥାନେ ବିଧିମତେ ପୂଜିବ ଯତନ ॥

କାମେଶ୍ୱରୀଙ୍କୁ ପୂଜିବ ବିଶେଷ ଭାବରେ ।

ନୀଳଶୈଳସ୍ଥିତ ଦେବଦେବୀ ପୂଜ ଧୀରେ ॥

କାମେଶ୍ଵରନାଥ ଦେବ ଦେବୀ କାମେଶ୍ୱରୀ ।

କରାଳ ଯେ କ୍ଷେତ୍ରପାଳ ବିଞ୍ଚାବୃକ୍ଷ ଧରି ॥

ମନୋଭବାଗୁହା କମ୍ବଳ ବଟୁକ ପୁଣି ।

ଅପରାଜିତା ଲତା ପାଣ୍ଡୁନାଥଙ୍କୁ ଜାଣି ॥

ହେରୁକ ଶ୍ମଶାନ ମହୋଛ୍ଵାସା ଯେ ଯୋଗିନୀ ।

ଚନ୍ଦ୍ରବତୀପୁର ବ୍ରହ୍ମପୁତ୍ର ନଦ ପୁଣି ॥

ଦିକ୍‌କରବାସିନୀ ଜଳ୍‍ପୀ ଶାଖା ବାୟୁକୋଣେ ।

କେଦାରଙ୍କୁ ପୂଜାକର ନୈରୁତର କୋଣେ ॥

ତହୁଁ ଦେବୀଙ୍କ ମଣ୍ଡଳେ ପୂଜିବ ଏମାନ ।

ଦ୍ୱାରପାଳ ଯୋଗିନୀ ଯେ ବଟୁକ ଦିଗଣ ॥

କାମର ପଞ୍ଚସାୟିକ ଉତ୍ତର ଷଟ୍‌ କୋଣେ ।

ଭଗାଦି ଛଅଙ୍କୁ ପୂଜ ପୂର୍ବାଦି ତ୍ରିକୋଣେ ॥

କ୍ରୀଡ଼ାଦିଗଣଙ୍କ ବିଦ୍ୟା କଳାଦିମାନଙ୍କୁ ।

ବଟୁକ ସିଦ୍ଧପୁତ୍ର ଯେ କୁମାରୀ ଗଣଙ୍କୁ ॥

କାମରତିପ୍ରୀତି ଅନଙ୍ଗ ମେଖଳା ଆଦି ।

ତ୍ରିପୁରାଘ୍ନାଦି ଅସିତାଙ୍ଗାଦି ଭୈରବାଦି ॥

ମାହେଶ୍ଵରୀ ଆଦିଶକ୍ତି ଆଧାର ଶକ୍ୟାଦି ।

ଧର୍ମାଦି ସବାତାଦିଗୁଣ ପୂଜିବ ସମ୍ପାଦି ॥

ଗ୍ରହ ଦିଗପାଳ ଉଗ୍ରଚଣ୍ଡା ଆଦିଦେବୀ ।

ଆବାହନ ଷୋଡ଼ଶୋପଚାର ଦାନ ଭାବି ॥

ଜପ ବଳିଦାନ କରି ଅଙ୍ଗ ଅସ୍ତ୍ରପୂଜା ।

ମୁଦ୍ରା ବିସର୍ଜନ କରି ଉଡ଼ାଇବ ଧ୍ଵଜା ॥

ଯେ ଜାଣି ଏହି ବିଧିରେ ପୀଠ ପୂଜାକରେ ।

ସର୍ବ କାମନା ଲଭଇ ଦେବୀ ପ୍ରସାଦରେ ॥

ପରମେଶ୍ୱରୀଙ୍କ ପୂଜାକ୍ରମ ଶୁଣ ଧୀରେ ।

କାମେଶ୍ୱରୀ ଆସ ସମ୍ମୁଖୀ ହୁଅ ଏଠାରେ ॥

ମନେ ଚିନି ହୃଦେ ପୂଜାକର ମନ୍ତ୍ରୋତାରେ ।

ମାନସ ଗନ୍ଧପୁଷ୍ପରେ ଦକ୍ଷିଣ ନାସାରେ ॥

ବାୟୁ ନିସାରିଣ ତାକୁ ରଖି ପୁଷ୍ପପରେ ।

ସେ ପୁଷ୍ପକୁ ପ୍ରଦାନିବ ଦେବୀଙ୍କୁ ଭକ୍ତିରେ ॥

ପ୍ରସନ୍ନା ହୁଅ ମୋଠାରେ ବୋଲି କରଯୋଡ଼ି ।

ଆବାହନ କର ଦେବୀ ଏହି ମନ୍ତ୍ର ପଢ଼ି ॥

ଆସ ଭଗବତୀ ଲୋକେ ଅନୁଗ୍ରହ କରି ।

କାମେଶେ କାମକାନ୍ତେ କାମରୂପେ ମୁଁ ବରୀ ॥

ତହୁଁ ଦେବୀଙ୍କୁ ଜଳରେ ସ୍ନାକ କରାଇଣ ।

ମୂଳମନ୍ତ୍ରରେ କରିବ ଉପଚାର ଦାନ ॥

ମଧ୍ୟଭାଗେ ଅଙ୍ଗପୂଜା ଅଙ୍ଗନ୍ୟାସ ମନ୍ତ୍ରେ ।

ଯୋଗିନୀ ପୂଜିବ ପୂର୍ବଦି ଅଷ୍ଟ ଦଳରେ ॥

ଷଟ୍‌କୋଣରେ ଏହି ଛଅଦେବୀଙ୍କୁ ପୂଜିବ ।

ଐଶାନ୍ୟାଦି କ୍ରମେ ଏହି ପୂଜା ସମ୍ପାଦିବ ॥

କାମାଖ୍ୟା ତ୍ରିପୁରା ଦୌରଦାଯେ ମହୋଛ୍ୱାସ ।

ପ୍ରକଟା ଭୁବନେଶ୍ଵରୀ ଏମାନେ ସରସା ॥

ଅଷ୍ଟ ପୁଷ୍ପିକାରେ ଅଷ୍ଟବାର ପୂଜ ଦେବୀ ।

ଜପ ସ୍ତୁତି ବଳିଦାନ ପ୍ରଣାମ ମୁଦ୍ରାଦି ॥

ସିଦ୍ଧଚଣ୍ଡି ଦେବୀଙ୍କର ନିର୍ମାଲ୍ୟ ଗ୍ରହଣ ।

ଦେବୀଙ୍କୁ ବିସର୍ଜି ଯୋନିମଣ୍ଡଳେ ସ୍ଥାପନ ॥

କାମେଶ୍ୱରୀ ତନ୍ତ୍ର ଶୁଣି ମନ ଶାନ୍ତିକର ।

ଶାରଦା ତନ୍ତ୍ର କହିବା ବୋଲେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ ତ୍ରିପୁରା ପୂଜନଂ

ନାମ ଅଷ୍ଟାଷଷ୍ଠି ଅଧ୍ୟାୟଃ ।

✽✽✽

 

॥ ୬୯ ॥

 

ଶ୍ରୀ ଈଶ୍ଵର ଉବାଚ

ପୂର୍ବେ ଶରତ କାଳ ନବମୀରେ ଅମରେ ।

ଦେବୀଙ୍କ ବୋଧନ କରି ପୂଜିଲେ ବିଧିରେ ॥

ସେ ଦେବୀ ଶାରଦା ପୀଠ ଲୋକରେ ବିଖ୍ୟାତା ।

ତାହାଙ୍କର ନେତ୍ର ବୀଜ ପୂର୍ବେ ଅଛି ଉକ୍ତା ॥

ଦୁର୍ଗାତନ୍ତ୍ରେ ଅଙ୍ଗମନ୍ତ୍ର ପୂର୍ବେ ଅଛି କହି ।

ସେ ଦୁଇମନ୍ତ୍ରେ ପୂଜିବ ଦେବୀ ଜଗନ୍ମୟୀ ॥

ତୃତୀୟ ଯେ ପୀଠ ମନ୍ତ୍ର ଶାରଦା ଦେବୀର ।

ସେ ଚତୁବର୍ଗ ଦାୟକ ଶୁଣ ହୋଇ ସ୍ଥିର ॥

ହ୍ରୀଂ କ୍ଲୀଂ ଶାରଦାୟୈନମଃ ଏ ମନ୍ତ୍ରରେ ।

ଦେବୀ ପୂଜିଲେ ସକଳ ସିଦ୍ଧି ଜାଣ ସ୍ଥିରେ ॥

ଶାରଦାଙ୍କ ରୂପ ଦଶଭୂଜା ସିଂହ ସଂସ୍ଥା ।

ପୂଜାକ୍ରମ ଶୁଣ ଏବେ କହିବା ବ୍ୟବସ୍ଥା ॥

ଚତୁର୍ଦ୍ଧାର ମଣ୍ଡଳ କରିବ ତହିଁ ପରେ ।

ବୈଷ୍ଣବୀ ତନ୍ତ୍ରୋକ୍ତ ମନ୍ତ୍ରେ ପୂଜିବ ତହିଁରେ ॥

ସ୍ଥାନାଦି ମାର୍ଜନ କରି ପାଷାଣେ ମଣ୍ଡଳ ।

ପଞ୍ଚବର୍ଣ୍ଣଚୂର୍ଣ୍ଣ ସମ୍ପାଦିବ ସେ ସକଳ ॥

ଲେଖି ନେତ୍ରବୀଜେ ଯୋନିମଣ୍ଡଳରେ ପୁଣି ।

ତ୍ରିକୋଣ କରି ଭୂତାପ ସାରଣକୁ ଜାଣି ॥

ପାତ୍ର ପ୍ରତିପତ୍ତି ଅମୃତିକରଣ କର ।

ଗନ୍ଧପୁଷ୍ପ ଜଳ କ୍ଷେପି ନିଜାସନ ଧର ॥

ପ୍ରାଣାୟାମ ଭୂତଶୁଦ୍ଧି ଦହନ ପ୍ଳବନ ।

କରକଛପିକା ମୁଦ୍ରା ଯୋଗପୀଠ ଧ୍ୟାନ ॥

ଜଳେ ଧେନୁମୁଦ୍ରା ଦ୍ଵାରା ଅମୃତୀକରଣ ।

ପୂର୍ବୋକ୍ତ ଦେବୀରୂପକୁ କରିବ ଚିନ୍ତନ ॥

ଅଙ୍ଗନ୍ୟାସ କରନ୍ୟାସ ପୂର୍ବପରି କରି ।

ମୁଖାଦି ଅଙ୍ଗରେ ମନ୍ତ୍ରନ୍ୟାସ ପୂର୍ବପରି ॥

ଅର୍ଘ୍ୟପାତ୍ରେ ଅଷ୍ଟବାର ମନ୍ତ୍ର ଜପି ଜଳେ ।

ପୂଜା ଦ୍ରବ୍ୟକୁ ସିଞ୍ଚିବ ପୁଣି ନିଜ ଶିରେ ॥

ଶିଳାରେ ସୂର୍ଯ୍ୟଙ୍କୁ ପାଣି ଦେବୀ ଚଣ୍ତିକାଙ୍କୁ ।

ଅର୍ଘ୍ୟଜଳେ ସେଚନ କଗିବ ପୁଣି ତାଙ୍କୁ ॥

ଆଧାରଶକ୍ତି ଆଦିଙ୍କୁ ଧର୍ମାଦି ଗଣଙ୍କୁ ।

ପୂର୍ବପରି ପୂଜାକର ମଣ୍ଡଳ ମଧ୍ୟକୁ ॥

ସବ୍ଦାଦି ଗୁରୁପାଦାନ୍ତ ପୂର୍ବୋକ୍ତ କ୍ରମରେ ।

ମଧ୍ୟ ପଦ୍ମେ ସୁମେରୁକୁ ପୂଜିବ ଯତ୍ନରେ ॥

ମଣ୍ଡଳ ପୂର୍ବଭାଗରେ ଶକ୍ତିପୂଜା କର ।

ନାଥକାମେଶ୍ୱରାଦି ଲୋହିତାନ୍ତ ଆବର ॥

ମଣ୍ତଳ ଉତ୍ତରେ ସବୁ ପୀଠ ଦେବପୂଜା ।

ଉତ୍ତରେ ପୂଜିବ ବକ୍ଷ୍ୟମାଣ ଦେବରାଜା ॥

ମଣିକୁର୍ଚ ଚିତ୍ରରଥ ଭସ୍ମକୁଟ ପୁଣି ।

ଶ୍ଵେତନୀଳ ଚିତ୍ରରୂପ ବାରାହଙ୍କୁ ଜାଣି ॥

ଗନ୍ଧମାର୍ଦ୍ଦନ ନନ୍ଦନ ପଶ୍ଚିମେ ପୂଜିବ ।

ଦିକ୍‌କରବାସୀ ଜଳ୍ପୀଶ କେଦାର ଅର୍ଚ୍ଚିବ ॥

ଧାତ୍ରୀ ସ୍ଵାହା ସ୍ଵଧାମାନସ୍ତୋକ ପରାଜିତ ।

ଦକ୍ଷିଣେ ପୂଜ ଚୌଷଠି ଯୋଗିନୀ ସହିତ ॥

ଗ୍ରହ ଦିଗପାଳ ପୂର୍ବକ୍ରମେ ପୂଜା କରି ।

ଭୈରବ ଭୈରବୀଗଣ ପୂଜିବ ସେପରି ॥

କରକଛପିକା କରି ଦେବୀଙ୍କୁ ମନରେ ।

ଚିନ୍ତି ହୃଦୟରେ ପୂଜା କରିବ ମନ୍ତ୍ରରେ ॥

ମାନସ ଗନ୍ଧପୁଷ୍ପରେ ପୂଜ ପୂର୍ବପରି ।

ଦକ୍ଷିଣ ନାସାରେ ଦେବୀ ନିସାରଣ କରି ॥

ପୁଷ୍ପରେ ରଖି ଶାରଦା ଆବାହନ କରି ।

ଶାରଦାଗାୟତ୍ରୀ ଜପ କରିବ ବିଚାରି ॥

ସ୍ନାନ କରାଇ ଉପଚାର ଦାନ କରିବ ।

ଉପଚାର ବିଧି କହିଅଛି ଏଥିପୂର୍ବ ॥

ଦୁର୍ଗାମନ୍ତେ ଦେବୀଅଙ୍ଗ ପୂଜିବ ମନ୍ତ୍ରରେ ।

ପୂର୍ବାଦୀ ଅଷ୍ଟଦଳେ ପୂଜ ଏହାଙ୍କୁ ଥରେ ॥

ଜୟନ୍ତୀ ଆଦିକ ପୂଜା କ୍ରମରେ କରିବ ।

ଉଗ୍ରଚଣ୍ଡା ଦ୍ୱିବେଦୀଙ୍କୁ ମଧ୍ୟରେ ପୂଜିବ ॥

ତ୍ରିକୋଣେ କାମରତ୍ୟାଦି ପୂର୍ବ ପରି ପୂଜି ।

ଅଷ୍ଟପୁଷ୍ପିକାରେ ଶାରଦାଙ୍କୁ ପଛେ ପୂଜି ॥

ଦେବୀକରସ୍ଥିତ ଅସ୍ତ୍ରଶସ୍ତ୍ର ଯେ ବାହନ ।

ପାଠଦେବୀ ଶାରଦାଙ୍କୁ ପୂଜ ସବିଧାନ ॥

ତ୍ରିପୁରା ଅଧିଦେବତା କାମେଶ୍ୱରୀ ପୁଣି ।

ମହୋତ୍ସଦାଙ୍କୁ ପୂଜିବ ତାଙ୍କ ମନ୍ତ୍ରଜାଣି ॥

ଚତୁରାକ୍ଷର ମନ୍ତ୍ରରେ ପୁଷ୍ପାଞ୍ଜଳି ଦେବ ।

ଜପ ସ୍ତୁତି ବଳିଦାନ ପ୍ରଣାମ କରିବ ॥

ଯୋନିମୁଦ୍ରାରେ ଈଶାନେ ନିର୍ମାଲ୍ୟ ପକାଇ ।

ଚଣ୍ଡେଶ୍ଵର୍ଯ୍ୟେ ନମବୋଲି ବିସର୍ଜିବ ନେଇ ॥

ତହୁଁ ସୂର୍ଯ୍ୟ ଅର୍ଘ୍ୟଦାନ ଅଛିଦ୍ର ଧାରଣ ।

ଦେବୀଙ୍କୁ ହୃଦମୟ ରଖି ଯୋନିଯନ୍ତ୍ରେ ପୁଣ ॥

ସ୍ଥାପନ କରିଣ ପୂଜା ସମାପ୍ତି କରିବ ।

ସର୍ବକାମ ଲଭି ଶିବଲୋକେ ବିହରିବ ॥

ପୀଠବିନା ଅନ୍ୟସ୍ଥାନେ ଦେବୀ ପୂଜାକଲେ ।

ଉକ୍ତ ବିଧିରେ ପୂଜ ଯେକୌଣସି ସ୍ଥାନରେ ॥

ଏ ଭାବରେ ଦେବୀପୂଜା ଯେଜନ କରିବ ।

ଆଦିବ୍ୟାଧି ନରହିଣ ମହାସୁଖୀ ହେବ ॥

ଧନଧାନ୍ୟ ଯୁତହୋଇ ଗୋ କୋଟି ଦାନର ।

ଫଳକୁ ଲଭିବ ସେହି ଭାଗ୍ୟବାନ ନର ॥

ଦଶପୂର୍ବ ଦଶପର ବଂଶ ପାପଠାରୁ ।

ଉଦ୍ଧାର କରାଇ ବସେ ସ୍ୱର୍ଗବାସ ଚାରୁ ॥

ଦେବୀଙ୍କୁ ଥରେ ପୂଜିଲେ ଏ ଫଳ ଲଭିବ ।

ଦ୍ୱିବାର ପୂଜନେ ଶତବଂଶ ଉଦ୍ଧାରିବ ॥

ତ୍ରିବାର ପୂଜିଲେ ଦେବୀ କାମାକ୍ଷା ମଣ୍ତଳେ ।

ସହସ୍ର ପୁରୁଷ ଉଦ୍ଧାରଇ ପାପୁ ହେଲେ ॥

ରହଲୋକେ ସୁଖଶ୍ଚର୍ଯ୍ୟ ଚିରାୟୁ ଲଭଇ ।

ଦେହାନ୍ତେ ମୋପୁରେ ଯାଇ ଗଣାଧୀପ ହୋଇ ॥

ଯେକୌଣସି ଅଷ୍ଟମୀ ବା ନବମୀ ଦିନରେ ।

ପଞ୍ଚରୂପା କାମାକ୍ଷାଙ୍କୁ ପୂଜି ପଞ୍ଚମନ୍ତ୍ରରେ ॥

ପୃଥକ ମଣ୍ଡଳ କରି ପୁଜିବ ଦେବୀଙ୍କୁ ।

ପଞ୍ଚରୂପ ଧ୍ୟାୟୀ ଜପି ସେ ପଞ୍ଚମନ୍ତ୍ରକୁ ॥

ସେ ମୋପୁରେ କଳ୍ପକୋଟି ଯୁଗ ବାସକରେ ।

ତାପରେ ମୋକ୍ଷ ଲଭଇ କହିଲି ବିଚାରେ ॥

ଇହଲୋକେ ବାଞ୍ଚିତାର୍ଥ ସୁଖ ଯଶ ପାଏ ।

କେଶରୀ ହସ୍ତୀ କୁପରି ରିପୁ ନାଶଯାଏ ॥

ପୁତ୍ର ପୌତ୍ରାଦି ବିଭବେ ଚିରାୟୁ ହୋଇଣ ।

ଯୁବତୀ ନାରୀଙ୍କ ସଙ୍ଗେ କ୍ରୀଡ଼େ ଅନୁକ୍ଷଣ ॥

ଯକ୍ଷରକ୍ଷ ପିଶାଚଙ୍କ ଶାସକ ହୁଅଇ ।

ସର୍ବକାମ ଲଭି ଚନ୍ଦ୍ରତୁଲ୍ୟ ଶୋଭାପାଇ ॥

କାମେଶ୍ଵରୀ କାମେଶ୍ୱର ପାଦରେ ଶରଣ ।

ପ୍ରଭାକର ଗୀତେକରେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଏକୋନସପ୍ତତିତମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୭୦ ॥

 

ଔର୍ବ ଉବାଚ

ଏ ସମସ୍ତ ତନ୍ତ୍ରମନ୍ତ୍ର ଶିବମୁଖ ଶୁଣି ।

ବେତାଳ ଭୈରବ ଆନନ୍ଦରେ ମନେ ଗୁଣି ॥

ବେତାଳ ଭୈରବ ଉବାଚ

ଆପଣଙ୍କ ପ୍ରସାଦରୁ କାମାଖ୍ୟାଙ୍କ ଯନ୍ତ୍ର ।

ପୂଜାବିଧି ପ୍ରଭୃତି ଶୁଣିଲୁ ତାଙ୍କ ମନ୍ତ୍ର ॥

ନମସ୍କାର ମୁଦ୍ରା ବଳିଦାନ ନ୍ୟାସବିଧି ।

ଶୁଣିଛୁ ବିସ୍ତାରି କହ ତୁମ୍ଭେ କୃପାନିଧି ॥

ଶ୍ରୀ ଈଶ୍ଵର ଉବାଚ

ଯାହା ପଚାରିଲ କହିବା ତାହାକୁ ଶୁଣ ।

ତ୍ରିକୋଣ ଷଟ୍‌କୋଣ ଅର୍ଦ୍ଧଚନ୍ଦ୍ର ପ୍ରଦକ୍ଷିଣ ॥

ଦଣ୍ଡ ଅଷ୍ଟାଙ୍ଗ ଯେ ଉଗ୍ର ଏ ସାତଟି ଜାଣ ।

ନମସ୍କାର ବିଧାନାଦି ହୋଇଛି ବଖାଣ ॥

ନମସ୍କାର ବିଧି ସବୁ ଦେବଦେବୀଙ୍କ ପାଖେ ।

ଦେବୀ ପୁଜାବିଧି ଈଶାନ ଉତ୍ତରା ମୁଖେ ॥

ସ୍ଥଣ୍ଡିଳାଦି ପୂଜାରେ ସର୍ବତ୍ର ଏହିବିଧି ।

ପୂର୍ବମୁଖେ ତ୍ରିକୋଣାଦି ବ୍ୟବସ୍ଥା ସମ୍ପାଦି ॥

ପଶ୍ଚିମରୁ ଈଶାନକୁ ଯାଇଣ ବସିବ ।

ଉତ୍ତରା ମୁଖରେ ଦେବ ପୂଜନ କରିବ ॥

ଦକ୍ଷିଣବାୟୁ କୋଣରେ ବସିବ ଯେ ଯାଇ ।

ପୁଣି ଉଠି ଉଭାହୋଇ ଯିବ ଅନ୍ୟ ଠାଇଁ ॥

ତହୁଁ ଈଶାନକୁ ପୁଣ ଦକ୍ଷିଣକୁ ଗଲେ ।

ତ୍ରିକୋଣ ପ୍ରଣତି ଏହା ଜାଣିବଟି ଭଲେ ॥

ଦକ୍ଷିଣରୁ ବାୟୁକୁ ତହିଁରୁ ଈଶାନକୁ ।

ତହୁଁ ଦକ୍ଷିଣକୁ ପୁଣି ସେ ଅଗ୍ନି କୋଣକୁ ॥

ସେଠାରୁ ନୈଋତ କୋଣ ତହୁଁ ଉତ୍ତରକୁ ।

ଗମନକରି ବୁଲିବ କୋଣ ଧରିବାକୁ ॥

ଉତ୍ତର ଅଗ୍ନିକୋଣରେ ଭ୍ରମିଣ ନମିଲେ ।

ଷଟ୍‌କୋଣ ପ୍ରମାଣ ହୁଏ ଜାଣିଥାଅ ଭଲେ ॥

ଦକ୍ଷିଣରୁ ବାୟୁକୁ ତହିଁରୁ ଦକ୍ଷିଣକୁ ।

ଯାଇ ନମିଲେ ଅର୍ଦ୍ଧଚନ୍ଦ୍ର ବୋଲି ତାହାକୁ ॥

ବର୍ତ୍ତୁଳ ଭାବରେ ଥରେ ପ୍ରଦକ୍ଷିଣ କଲେ ।

ପ୍ରଦକ୍ଷିଣ ନମସ୍କାର ହୁଏ ସେ ନିଶ୍ଚଳେ ॥

ଆସନରୁ ଉଠି ପଛକୁ ଅଳ୍ପ ଯାଇଣ ।

ସର୍ବାଙ୍ଗ ଭୂମିଷ୍ଠ କଲେ ସେ ଦଣ୍ଡ ପ୍ରଣାମ ॥

ହୃଦୟ ଚିବୁକ ମୁଖ ନାସା ହନୁ ଯୋଗେ ।

ବ୍ରହ୍ମରନ୍ଧର କର୍ଣ୍ଣଦ୍ୱୟ ଭୂମିରେ ସଂଯୋଗେ ॥

ଅଷ୍ଟାଙ୍ଗ ପ୍ରଣାମ ହୁଏ ଜାଣ ସୁଜ୍ଞଜନ ।

ଏ ଭାବେ ପ୍ରଣାମ କଲେ ଦେବେ ପ୍ରୀତହୋଇ ।

ଚତୁବର୍ଗ ପ୍ରଦାନନ୍ତି ସାଧକକୁ ନେଇ ॥

ସାଗର ନଦୀରେ ଗଙ୍ଗା ଯେ ପ୍ରଧାନ ।

ଦେବମଧ୍ୟେ ଜଗନ୍ନାଥ ଉଗ୍ର ଯେ ପ୍ରଣାମ ॥

ନମସ୍କାର ମହାଯଜ୍ଞ ଦେବ ପ୍ରୀତିକର ।

ଅନ୍ୟକଥା ଶୁଣ ଏବେ ଭୈରବ ବେତାଳ ॥

ଧେନୁ ସମ୍ପୂଟ ପ୍ରାଞ୍ଜଳ ବିଲ୍ୱ ପଦ୍ମମୁଦ୍ରା ।

ନାରାଚ ମୁଣ୍ଡ ଯେ ଦଣ୍ଡ ଯୋନି ଅର୍ଦ୍ଧମୁଦ୍ରା ॥

ବନ୍ଦନୀ ଯେ ମହାମୁଦ୍ରା ମହାଯୋନି ପୁଣ ।

ଭଗପୁଟଳ ଅର୍ଦ୍ଧଚନ୍ଦ୍ର ଅଙ୍ଗକୁ ଜାଣ ॥

ଦ୍ୱିମୁଖ ଶଙ୍ଖମୁଷ୍ଟିକ ବଜ୍ରବନ୍ଧ ସ୍ମୟ ।

ନିର୍ବିମଳ ଘଟ ଶିଖରିଣୀ ତୃଙ୍ଗଦୟ ॥

ପୁଣ୍ତ୍ର ସମ୍ମିଳନୀ କୁଣ୍ଡ ଚକ୍ରଶୁଳ ବିଶ୍ଵ ।

ସିଂହବକ୍ର ଗୋମୁଖ ପାଶ୍ଵପତ ଯେ ଅଶ୍ଵ 1

ପ୍ରସାରିଣୀ କୁଣ୍ଡଳି ବ୍ୟୁହତ୍ରୀ ମୁଖ ଜାଣ ।

ଯୋଗଭେଦ ମୋହନ ଯେ ଧନୁ ତୁଣୀ ବାଣ ॥

ଅଷ୍ଟୋତ୍ତର ଶତମୁଦ୍ରା ବ୍ରହ୍ମା କହିଛନ୍ତି ।

ପଞ୍ଚାବନଟି ପୂଜାରେ ପ୍ରଶସ୍ତ ଅଟନ୍ତି ॥

ମୁଦ୍ରାବିନା ଜପ ପ୍ରଣାୟାମ ଦେବାର୍ଚନ ।

ଯୋଗଧ୍ୟାନ ଆସନରେ ସେ ନିଷ୍ଫଳ ଜାଣ ॥

ଦେବଦେବୀମାନେ ମୁଦ୍ରା ଦେଖି ସନ୍ତୋଷରେ ।

ପୂଜକ ମନକାମନା ସାଧନ୍ତି ସେ ଖରେ ॥

ମୁଦ୍ରାରେ ପୂଜାତିଷ୍ଠଇ ମୁଦ୍ରାଯୋଗେ ଧ୍ୟାନ ।

ମୁଦ୍ରାରେ ଯୋଗ ସାଧନ ହର୍ଷକରେ ଦାନ ॥

ଦେବଦେବୀ ବିସର୍ଜନେ ଯେଉଁ ମୁଦ୍ରା ହୁଏ ।

ପୂଜାବେଳେ ସେହି ମୁଦ୍ରା କରିବା ବିଧିଏ ॥

ମୁଦ୍ରା ବିଷୟ କହିଲି ଶୁଣି ମନେରଖ ।

ବଳିଦାନ କ୍ରମଶୁଣ କହିବା ସମ୍ମୁଖ ॥

ଶ୍ରୀ ସଦାଶିବଙ୍କ ପାଦପଦ୍ମେ ମନଦେଇ ।

କାଳିକା ପୁରାଣ ଗୀତେ ପ୍ରଭାକର କହି ॥

 

ଇତି ଶ୍ରୀ କାଳିକାପୁରାଣେ

ସପ୍ତତିତୋଶୋଽଧ୍ୟାୟଃ ।

✽✽✽

 

॥ ୭୧ ॥

 

ଶ୍ରୀ ଈଶ୍ୱର ଉବାଚ

ବଳିଦାନ କ୍ରମ ତାର ସ୍ଵରୂପ ଲକ୍ଷଣ ।

ଦେବୀପ୍ରୀତି କଥା ସବୁ ଏକମନେ ଶୁଣ ॥

ବୈଷ୍ଣବୀତନ୍ତ୍ର ଲିଖିତ ବଳିଦାନ କ୍ରମ ।

ସର୍ବେ ଗ୍ରହଣ କରିବେ ସେ ବିଧି ଉତ୍ତମ ॥

ପକ୍ଷି କୁର୍ମ ମତ୍ସ୍ୟ ନବବିଧ ମୃଗଗଣ ।

ମଇଁଷ ଗୋଧିକା ଗାବ ଛାଗ ବାରାହା ପୁଣ ॥

ଗଣ୍ଡା କୃଷ୍ଣସାର ଶରଭ ସିଂହ ଶାର୍ଦ୍ଦୂଳ ।

ନର ପୂଜଇ ଦେହ ରୁଧିର ବଳି ବଳ ॥

ଚଣ୍ଡିକା ଭୈରବୀଙ୍କର ବଳି ଏହିମାନେ ।

ବଳିରୁ ମୋକ୍ଷ ମିଳଇ ସ୍ଵର୍ଗଦିଏ ଜନେ ॥

ରାଜା ବଳିଦେଇ ଶତ୍ରୁ ରାଜାଙ୍କୁ ଜିଣଇ ।

ତେଣୁ ରାଜାମାନେ ବଳିଦ୍ୟନ୍ତି ଦେବୀଠାଇଁ ॥

ମତ୍ସ୍ୟ କୁର୍ମରକ୍ତେ ଦେବୀ ମାସେ ତୃପ୍ତହ୍ୱନ୍ତି ।

ଗ୍ରାହରକ୍ତେ ତିନିମାସ ସନ୍ତୋଷ ଲଭନ୍ତି ॥

ମୃଗରକ୍ତେ ନରଦେହ ରକ୍ତେ ପୁଣି ଦେବୀ ।

ଆଠମାସ ତୃପ୍ତହୋଇ ରହନ୍ତି ସେ ଦବି ॥

ଗୋଧିରକ୍ତେ ଏକବର୍ଷ ସନ୍ତୋଷେ ରହନ୍ତି ।

କୃଷ୍ଣସାର ଶୁକର ରକ୍ତେ ସେ ବହୁ ପ୍ରୀତି ॥

ବାରବର୍ଷ ତୃପ୍ତିହୋଇ ମଙ୍ଗଳ ସାଧନ୍ତି ।

ଅବା ମେଷରକ୍ତେ ପଚିଶ ବର୍ଷ ସୁତୃପ୍ତି ॥

ମଇଁଷ ଗଣ୍ଡା ବ୍ୟାଘ୍ର ରକ୍ତରେ ଶତେବର୍ଷ ।

ସିଂହ ଶରଭ ସ୍ଵଦେହ ରକ୍ତେ ସସ୍ରେବର୍ଷ ॥

କୃଷ୍ଣସାର ମୃଗ ଗଣ୍ଡା ରୋହିମତ୍ସ୍ୟ ମାଂସ ।

ବଳିରେ ତୃପ୍ତି ଲଭନ୍ତି ସେ ଶତେ ବରଷ ॥

ବାର୍ଦ୍ଧିଣସ ମାଂସେ ତିନି ଶତବର୍ଷ ତୃପ୍ତି ।

ତା ଲକ୍ଷଣକୁ କହିଦେବା ତୁମ୍ଭଙ୍କୁ ଏଥି ॥

ତ୍ରୀପୀବକ୍ଷୀଣ ଇନ୍ଦ୍ରିୟ ବୃଦ୍ଧ ଶ୍ଵେତଛାଗ ।

ବାର୍ଦ୍ଧିଣସନାମେ ଖ୍ୟାତ ହବ୍ୟକବ୍ୟେ ଯୋଗ ॥

ନୀଳଗ୍ରୀବା ରକ୍ତଶିର କୃଷ୍ଣପାଦ ପକ୍ଷୀ ।

ଶ୍ଵେତବର୍ଣ୍ଣ ହରିହରଙ୍କର ସ୍ନେହେ ଲେଖି ॥

ନରବଳିରେ ସହସ୍ର ବର୍ଷ ତୃପ୍ତି ମିଳେ ।

ବଳି ନରମାଂସେ ତୃପ୍ତି ତ୍ରିସସ୍ର ବତ୍ସରେ ॥

ମନ୍ତ୍ରପୁତ ରକ୍ତ ସୁଧାସମ ତୃପ୍ତି କର ।

ମସ୍ତକ ମାଂସକୁ ଶିବା ଭକ୍ଷନ୍ତି ସାଦର ॥

ତେଣୁ ବଳିରେ ମସ୍ତକ ପୁଣି ମାଂସ ଦେବ ।

ଭୋଜ୍ୟେ ହୋମେ ମାଂସକୁ ଯୋନିଯୋଗ କରିବ

ବାସି ମାଂସ ବଳିରେ ନଦେବ କଦାଚାନ ।

ଶିରରକ୍ତ ବାସିହେଲେ ସମର୍ପିବ ପୁଣ ॥

କୁଷ୍ମାଣ୍ଡ ଇକ୍ଷୁଦଣ୍ତ ମଦ୍ୟ ଆସବ ଆଦି ।

ବଳିସମ ପ୍ରୀତି କର ଦେବତା ସମ୍ପାଦି ॥

ଖଡ୍‌ଗ କର୍ତ୍ତରିରେ ବଳି ଛେଦ ଯେ ପ୍ରଶସ୍ତ ।

ଦାଆ ଖଣ୍ଡା ଶାଙ୍କୁଳିରେ ମଧ୍ୟ ଫଳ ଯୁକ୍ତ ॥

କ୍ଷୁର ଭଲ୍ଲରେ ଛେଦିଲେ ଅଧମ ହୁଅଇ l

ଏଭିନ୍ନ ଛେଦିଲେ ବଳି ଗ୍ରହଣୀୟ ନୋହି ॥

ସେ ବଳି ଦେବୀ ନପାନ୍ତି ଦାତା ମୃତ୍ୟୁ ବେଗେ l

ହସ୍ତରେ ଛେଦିଲେ ବ୍ରହ୍ମହତ୍ୟା ଦୋଷ ଲାଗେ ॥

ଖଡ୍‌ଗ ପୂଜା ମନ୍ତ୍ର ପୂର୍ବେ କୁହାଯାଇଅଛି ॥

ତହିଁରେ ଖଡ୍‍ଗ ପୂଜିଣ ଛେଦିବ ଝଟତି ।

ସେ ମନ୍ତ୍ରେ ଖଡ୍‍ଗ ପୂଜିଣ ନଭାବିଣ କିଛି ॥

କାଳୀ ହେ ବ୍ରଜେଶ୍ଵରୀ ଲୋହଦଣ୍ଡାୟୈ ନମଃ ।

ଏ ମନ୍ତ୍ରେ ଖଡ୍‌ଗ ପୂଜିବ ନହୋଇ ବିଭ୍ରମ ॥

ବ୍ରହ୍ମା ଯଜ୍ଞପାଇଁ ପଶୁ ସୃଷ୍ଟି କରିଛନ୍ତି ।

ତେଣୁ ଯଜ୍ଞେ ବଧକୁ ଅବଧରେ ଗଣନ୍ତି ॥

ପୂର୍ବମୁଖ କରି ବଳିକୁ ଛେଦନ କାଳେ ।

ଅବା ଉତ୍ତର ମୁଖରେ ଛେଦିବ ସେକାଳେ ॥

ପୂର୍ବୋକ୍ତ ସୈନ୍ଧବାଦିକୁ ମୁଖେ ନିଯୋଜିବ ।

ପାତ୍ରରେ ରୁଧିର ଧରି ଦେବୀଙ୍କୁ ଯେ ଦେବ ॥

ସ୍ଵର୍ଣ୍ଣ ରୌପ୍ୟ ତାମ୍ର ମୃଣ୍ମୟ କାଷ୍ଠ ପାତ୍ରରେ ।

ବଳିରକ୍ତ ସମର୍ପିବ ଦେବୀଙ୍କ ଗୋଚରେ ॥

ନର ରକ୍ତ ମାଟି ଧାତୁପାତ୍ରେ ନିବେଦିବ ।

ଅଶ୍ଵମେଧ ବିନା ଅଶ୍ଵବଳି ନକରିବ ॥

ଦିଗପାଳ ଯଜ୍ଞେ ହସ୍ତିମାଂସ ଦେଇ ହୁଏ ।

ହସ୍ତି ଅଶ୍ଵବଳିକୁ ଦେବୀଙ୍କୁ ନଦେବ ହେ ॥

ସିଂହ ବ୍ୟାଘ୍ର ନରବଳି ମଦ୍ୟଦ୍ରବ୍ୟ ପୁଣି ।

ବ୍ରାହ୍ମଣ ନଦେବ କେବେ କହିଲି ମୁଁ ଜାଣି ॥

ଦେଲେ ନରକକୁ ଯାଏ କ୍ଷୀଣଶୟୁ ହୋଇଣ ।

ସୁଖ ସୌଭାଗ୍ୟ ରହିତ ହୁଅଇ ସେ ପୁଣ ॥

କ୍ଷତ୍ରିୟାଦି କୃଷ୍ଣସାର ବଳି ଦେବେ ନାହିଁ ।

ଦେଲେ ବ୍ରହ୍ମହତ୍ୟା ଦୋଷ ଲଭିବେଟି ସେହି ॥

ଯେସ୍ଥାନେ ସିଂହ ବ୍ୟାଘ୍ର ନରର ବଳିଦେୟ ।

ତହି ଘୃତେ ଯବେ କରି ସିଂହାଦିଙ୍କ ଦେହ ॥

ତାହା ସଂସ୍କାର କରି ବଳିରେ ସମର୍ପିବ ।

ସେଥିରେ ବଳିଦାତାର ଦୋଷ ନହୋଇବ ॥

ମଇଁଷ ବଳିରେ ବିଶେଷ ବିଧାନ ଶୁଣ ।

ଏହିମନ୍ତ୍ରେ ପୂଜା କରିବା ବଳିକୁ ପୁଣ ॥

ଯେପରି ଚଣ୍ଡିଙ୍କ ପାଇଁ ତୁମ୍ଭଙ୍କୁ ବଧୁଛି ।

ସେପରି ଶତ୍ରୁଙ୍କୁ ମୋର ମାର ଜଣାଉଛି ॥

ତୁମ୍ଭେ ଯମଙ୍କ ବାହନ ଶ୍ରେଷ୍ଠରୂପ ଧର ।

ଆୟୁ ଧନ ଯଶ ଦିଅ କରେ ନମସ୍କାର ॥

ଖଡ୍‌ଗ ପୂଜାକାଳେ ଖଡ୍‍ଗ ଧୋଇବ ଜଳରେ ।

ପ୍ରାର୍ଥନା କରିବା ଖଡ୍‍ଗ ଏହା ବୋଲି ଥରେ ।

ଦୈବ ପିତ୍ର୍ୟକର୍ମେ ତୁମ୍ଭେ ଅତି ଶୁଭ କର ।

ମୋ ବିଘ୍ନକୁ ଛେଦ ଗୁହାଜାତ ନମସ୍କାର ॥

କୃଷ୍ଣସାର ବଳିକୁ ଏପରି ପ୍ରାର୍ଥନାରେ ।

ସମର୍ପିବ ଦେବ ଦେବୀ ତୃପ୍ତି ବିଧାନରେ ॥

କୃଷ୍ଣସାର ବ୍ରହ୍ମମୂର୍ତ୍ତେ ବ୍ରହ୍ମତେଜ ଧର ।

ସୁଦ୍‌ବୁଦ୍ଧି ସଦ୍‍ଯଶ ମୋତେ ପ୍ରଦାନ ଯେ କର ॥

ଶରଭ ବଳିରେ ମନ୍ତ୍ରଶୁଣ ଏବେ ଦମ୍ଭେ ।

ଅଷ୍ଟପାଦ ଚନ୍ଦ୍ର ସମୁଦ୍ଭବ ଜନ୍ତୁ ତୁମ୍ଭେ ॥

ଅଷ୍ଟମୂର୍ତ୍ତି ଭୈରବ ତୁମ୍ଭଙ୍କୁ ନମସ୍କାର ।

ମୋ ପାପକୁ ନାଶକର ଶରଭରୂପୀ ଈଶ୍ୱର ॥

ଭୈରବରୂପେ ବରାହ ନାଶିଲ ଯେପରି ।

ମୋ ଶତ୍ରୁଗଣଙ୍କୁ ନାଶକର ସେହିପରି ॥

ସିଂହ ବଳିମନ୍ତ୍ର ଶୁଣ କହୁଛି ବୁଝାଇ ।

ଯାହା ପଢ଼ି ବଳିଦେଲେ ଦେବୀ ତୃପ୍ତ ପାଇଁ ॥

ତୁମ୍ଭେ ହରିଯାନ ରୂପେ ଦେବୀଙ୍କୁ ବହିଛ ।

ହିରଣ୍ୟକଶ୍ୟପୁ ଦୈତ୍ୟ ବଧ କରିଅଛ ॥

ସେ ଭାବେ ମୋର ଶତ୍ରୁଙ୍କୁ ବଧ କରିଦିଅ ।

ନମସ୍କାର କରୁଅଛି ସୁପ୍ରସନ୍ନ ହୁଅ ॥

ନରବଳି ଦେହରକ୍ତେ ପ୍ରାର୍ଥନାକୁ ଶୁଣ ।

ଏ ବଳିକୁ ଶ୍ମଶାନରେ ସମର୍ପିବ ପୁଣ ॥

ପୂର୍ବାହ୍ନେ ନିଅ ତାହାର କରାଇ ନରକୁ ।

ସ୍ନାନକରାଇ ଚନ୍ଦନ ପୁଷ୍ପ ଦେବତାଙ୍କୁ ॥

ଭତ୍ତରମୁଖ କରିଣ ନରକୁ ରଖିବ ।

ତାହାଦେହେ ଅଙ୍ଗଦେବତା ପୂଜା କରିବ ॥

ବ୍ରହ୍ମରନ୍ଧ୍ରେ ବ୍ରହ୍ମନାସାରେ ପୃଥିବୀଦେବୀ ।

କର୍ଣ୍ଣରେ ଆକାଶ ଜିଭେ ସର୍ବତୋମୁଖବି ॥

ନେତ୍ରେ ସର୍ବଜ୍ୟୋତି ମୁଖେ ବିଷ୍ଣୁଙ୍କୁ ପୂଜିବ ।

ସେ ଦେବ ପ୍ରଧାନମୁଖ ଅଙ୍ଗେ ଶ୍ରେଷ୍ଠଭାବ ॥

ଲଲାଟରେ ଚନ୍ଦ୍ର ଦକ୍ଷିଣଗଣ୍ଡେ ଇନ୍ଦ୍ରଙ୍କୁ ।

ବାମଗଣ୍ଡେ ବହ୍ନି ଗଳଦେଶରେ ଯମଙ୍କୁ ॥

କେଶାଗ୍ରେ ନୈଋତ ଭ୍ରୂମଧ୍ୟରେ ସେ ବରୁଣ ।

ନାସାମୂଳେ ବାୟୁସ୍କନ୍ଧେ କୁବେର ପୂଜନ ॥

ହୃଦୟେ ଶେଷ ଦେବଙ୍କୁ ପୂଜାକରିସାରି ।

ପ୍ରାର୍ଥନା କରିବ ତାଙ୍କୁ ଏହିମନ୍ତ୍ର ବୋଲି ॥

ନରବିର୍ଯ୍ୟ ମହାଭାଗ ସର୍ବ ଦେବମୟ ।

ସପୁତ୍ର ପଶୁ ବନ୍ଧୁରେ ରଖ ମହାଶୟ ॥

ରାଜ୍ୟମନ୍ତ୍ରୀ ଚତୁରଙ୍ଗ ବଳ ରକ୍ଷାକର ।

ମରଣ ନିଶ୍ଚୟ ଜାଣି ପ୍ରାଣତ୍ୟାଗ କର ॥

ମହା ତପସ୍ୟା ଜ୍ଞାନ ଯଜ୍ଞରେ ଯାହାମିଳେ ।

ତାହା ମୋତେ ଦେଇ ନିଜେ ପାଅ ତାହା ଭଲେ ॥

ରାକ୍ଷସ ପିଶାଚ ବେତାଳ ଯେ ସରୀସୃପ ।

ନୃପରିପୁ ମୋତେ ନମାରନ୍ତୁ ତୁମ୍ଭକଳ୍ପ ॥

ତୁମ୍ଭ କଣ୍ଠ ଗଳିତ ରକ୍ତଧାରରେ ମୋତେ ।

ପ୍ରୀତି କରି ପ୍ରାଣତେଜ ମରଣେ ନିୟତେ ॥

ଏପରି ପ୍ରାର୍ଥନା କରି ନରବଳି ଦେବ ।

ବ୍ରହ୍ମାଦି ଦେବତା ଦେହେ ନିବାସ କରିବ ॥

ତେଣୁ ନିଷ୍ପାପ ସେ ହୁଏ ବଳିରୂପ ନର ।

ତା ରକ୍ତ ଅମୃତସମ ହୁଅଇ ପବିତ୍ର ॥

ଦେବୀ ସୁପ୍ରୀତା ହୁଅନ୍ତି ସେ ନର ମରିଣ ।

ମୋ ପୂରେ ଗଣାଧିପତି ହୁଏ ସେହି ଜାଣ ॥

ଅନ୍ୟପାପୀ ମଳମୂତ୍ର ଯୁକ୍ତ ହୋଇଥିଲେ ।

ତାକୁ ବଳି ନକରିବ ଦେବୀଙ୍କ ଆରେ ॥

ବଳିଙ୍କର ରକ୍ତ ଦେବୀ ଗ୍ରହଣ କରନ୍ତି ।

ବଳ ଦେହ ଶୁଦ୍ଧ ହୁଏ ଲଭଇ ସୁଗତି ॥

କାଣ ପଙ୍ଗୁ ଅତିବୃଦ୍ଧ ରୋଗୀହୀନ ଅଙ୍ଗ ।

କ୍ଳୀବ ଅଧିକାଙ୍ଗକୁ ଲକ୍ଷଣ କୁଷ୍ଠସଙ୍ଗ ॥

ଅତିହ୍ରସ୍ଵ ମହାପାପି ବାରବର୍ଷୁ ନ୍ୟୁନ ।

ଶିଶୁ ଅଶୁଚି ମହାଗୁରୁ ନିପାତି ପୁଣ ॥

ସ୍ତ୍ରୀ ପଶୁଙ୍କୁ ବଳି ନକରିବ କଦାଚିତେ ।

ଲାଙ୍ଗୁଳ କର୍ଣ୍ଣାଦି ଛିନ୍ନ ଦନ୍ତଭଗ୍ନ ଯେତେ ॥

ବିପ୍ର ପୁଣି ଚାଣ୍ଡାଳକୁ ବଳି ନକରିବ ।

ଯୁଧଜିତ ଶତ୍ରୁପୁତ୍ରକୁ ବଳିରେ ଦେବ ॥

ବଳି ଅଭାବରେ ଗଧ ଓଟ ବଳିଦେବ ।

ନରରକ୍ତ ଶିରଦେବୀ ମୁଖେ ସମର୍ପିବ ॥

ଛାଗରକ୍ତ ଦେବୀ ବାମଭାଗେ ଦେବ ପୁଣି ।

ମହିଷ ରକ୍ତକୁ ଦେବୀ ଆଗେଦେବ ଆଣି ॥

ପକ୍ଷୀଙ୍କୁ ହିଂସ୍ର ପଶୁଙ୍କୁ ଜଳଚର ମାନ ।

ଦେବୀ ବାମଭାଗେ ରକ୍ତ କରି ସମର୍ପଣ ॥

ସିଂହ ବ୍ୟାଘ୍ର ଗଣ୍ଡା କୃଷ୍ଣସାର ବଳି ରକ୍ତ ।

ଦେବୀ ଅଗ୍ରଭାଗେ ଦେବ ହୋଇ ଅନୁରକ୍ତ ॥

ସିଂହକୁ ଦକ୍ଷିଣେ ଦେବ ପୃଷ୍ଠେ ବଳିଦାନ ।

କଲେ ଅନିଷ୍ଟ ହୁଅଇ ତୁମ୍ଭେ ମନେ ଘେନ ॥

ନୈବେଦ୍ୟ ଆଗରେ ଦୀପକୁ ଦକ୍ଷ ଭାଗରେ ।

ଧୂପକୂ ବାମଭାଗେ ଦେବ ବିଧି ପ୍ରକାରେ ॥

ମଦ୍ୟକୁ ପଛରେ ଦେବ ଅନ୍ୟ ପାନୀୟକୁ ।

ବାମଭାଗେ ସମର୍ପିବ କହିଲି ତୁମ୍ଭଙ୍କୁ ॥

ବିପ୍ର ମଦ୍ୟପକୁ ନିତାନ୍ତ ଆବଶ୍ୟକ ସ୍ଥଳେ ।

କାଂସ୍ୟପାତ୍ରେ ନାରିକେଳ ଜଳ ମଧୁଦେଲେ ॥

ମଦ୍ୟଦାନ ଫଳହୁଏ ତୁମ୍ଭଙ୍କୁ କହିଲି ।

ରାଜା ରାଜପୁତ୍ର ମନ୍ତ୍ରୀ ଦେବେ ନରବଳି ॥

ଅନ୍ୟ ଦେଇ ନପାରିବେ ଏ ସତ୍ୟବଚନ ।

ନରବଳି ଛିନ୍ନମୁଣ୍ଡ ପତନକୁ ଶୁଣ ॥

ଈଶାନ ନୈଋତେ ଶିର ପଡ଼ିଲେ ନରର ।

ରାଜ୍ୟହାନି ଦାତାକୁ ବିନାଶ କରେ ଶୀଘ୍ର ॥

ପୂର୍ବ ଅଗ୍ନି ଦକ୍ଷିଣ ପଶ୍ଚିମ ବାୟୁକୋଣେ ।

ଶିରପାତ ଧନ ପୁଷ୍ଟି ଭୟ ଲଭ କ୍ରମେ ॥

ଧନମିଳଇ ପୁନଶ୍ଚ ମହିଷର ଶିର ।

ଉତ୍ତରାଦି ଦିଗକ୍ରମେ ଦିଏ ଏହି ଫଳ l

ଦୁର୍ଭାଗ୍ୟ ଐଶ୍ୱର୍ଯ୍ୟ ଧନ ଶତ୍ରୁଜୟ ଭୟ ।

ରାଜ୍ୟଲାଭ ଧନ ଦାନ କରଇ ନିଶ୍ଚୟ ॥

ଛାଗାଦି ପଶୁଙ୍କ ଫଳ ଏହିକ୍ରମେ ଜାଣ ।

ଶୁଭାଶୁଭ ଫଳଜ୍ଞାନ ଅତି ପ୍ରୟୋଜନ ॥

ଜଳଚର ପୁଣି ପକ୍ଷି ଶିର ଦକ୍ଷିଣରେ ।

ନୈଋତରେ ଭୟ ଦିଏ ଶୁଭ ଅନ୍ୟଠାରେ ॥

ଛିନ୍ନଶିରେ ଦନ୍ତ କଟ କଟ ଶବ୍ଦକଲେ ।

ଦାତା ରୋଗୀ ହୁଏ ପୁଣି ଲୋତକ ବହିଲେ ॥

କେବଳ ମହିଷଠାରୁ ଲୋତକ ବହିଲେ ।

ଶତ୍ରୁ ହାନିହୁଏ ଜାଣି ଏକଥାକୁ ଭଲେ ॥

ନରବଳି ଶିରଚ୍ଛେଦ ପରେ ଯଦି ହସେ ।

ଶତ୍ରୁହାନି ରାଜ୍ୟବୃଦ୍ଧି ହୁଅଇ ବିଶେଷେ ॥

ସେବେଳେ ଯାହାକହିବ ନିଶ୍ଚୟ ତା ହେବ ।

ଦେବଦେବୀ ନାମ ଯଦି ସେକାଳେ କହିବ ॥

ଅତୁଳ ସମ୍ପତ୍ତି ଛମାସ ମଧ୍ୟରେ ଦାତା ।

ପାଇବ କହିଲି ତୁମ୍ଭଙ୍କୁ ଏ ସତ୍ୟକଥା ॥

ରକ୍ତ ଦେବାବେଳେ ଯଦି ମୁତ୍ର ବିଷ୍ଠାତେଜେ

ଦାତାର ମୃତ୍ୟୁ ହୁଅଇ ଦୁଃଖରାଶି ତେଜେ ॥

ଛିନ୍ନ ଶିରବଳି ବାମପାଦକୁ ଛାଟିଲେ ।

ମହାରୋଗ ଧରି ଦାତାକୁ ସଂହାର କରେ ॥

ଅନ୍ୟପାଦ ହସ୍ତର ଚାଳନେ ଶୁଭଫଳ ।

ନର ମହିଷ ବଳି ରକ୍ତକୁ ପୂଜାକର ॥

ବୃଦ୍ଧାଙ୍ଗୁଳି ଅନାମିକା ଯୋଡ଼ି ତହିଁ ରକ୍ତ ।

ପୁଣି ଭୂମିରେ ନିକ୍ଷେପ କରିବ ଯେ ତତ୍ତ୍ଵ ॥

ଏଷ ବଳିସ୍ଵାହା ବୋଲି ଦେଲେ ଭୂମିପରେ ।

ବଳିଦାନ ଫଳ ଦାତା ଭୁଞ୍ଜଇ ତତ୍କାଳେ ॥

ରିପୁ ବଧ କାମୀ ରିପୁ ନାମ ପଶୁଠାରେ ।

ପ୍ରାଣପ୍ରତିଷ୍ଠା କରିଣ ବଳିଦେଲେ ଧୀରେ ॥

ବଳିପରି ମୃତ୍ୟୁ ଲଭେ ଶତ୍ରୁ ନିଶ୍ଚୟରେ ।

ଶତ୍ରୁନାଶେ ବଳିଦାନ ପ୍ରଶସ୍ତ ମହୀରେ ॥

ଶରତକାଳ ମହାନବମୀରେ ବଳିଦେଲେ ।

ଅଷ୍ଟାଙ୍ଗ ଭବ ମାଂସରେ ହୋମକର ଭଲେ ॥

ପୂଜକ ସ୍ଵଦେହ ରକ୍ତ ଯେବେ ବଳିଦେବ ।

ନାଭିତଳ ଅଙ୍ଗପିଠରୁ କେବେ ନ ଦେବ ॥

ଓଷ୍ଠ ଚିବୁକ ଇନ୍ଦ୍ରିୟ କଣ୍ଠତଳୁ ପୁଣ ।

ନାଭି ଊର୍ଦ୍ଧ୍ୱ କର ବାହୁରକ୍ତ ନ ଦେଇଣ ॥

ରକ୍ତଦେବ ଦୁଇ ପାର୍ଶ୍ଵ ଅଳ୍ପ ଚିରି କରି ।

ଦେବୀ ସନ୍ତୋଷ ଲଭନ୍ତି ପାର ନରବଳି ॥

କର୍ଣ୍ଣ ରକ୍ତ ପଦ୍ମପୁଷ୍ପ ପତ୍ରେ ଦେବ ହରି ।

ଅବା ସ୍ଵର୍ଣ୍ଣ ରୌପ୍ୟ ଲୋହ କାଂସ୍ୟପାତ୍ରେ ଭରି l

ଖୁର ଖଣତି ଖଡ୍‌ଗେ ଛେଦି ନିଜ ଦେହ ।

ବଡ଼ ଅସ୍ତ୍ରେ ବେଶିଫଳ ଏହା ଜାଣିଥାଅ ॥

ସ୍ଵଦେହ ଜାତ ରୁଧିର ଲବ ପରିମାଣେ ।

ଅବା ତିଳ ମୁଗ ପ୍ରମାଣରେ ଦେଲେ ତେଣେ ॥

ଦେବୀ ସନ୍ତୋଷ ଲଭିଣକାମନା ପୂରାନ୍ତି ।

ଛମାସ ମଧ୍ୟରେ ଫଳପ୍ରଦା ହୋଇଥାନ୍ତି ॥

ବାହୁ ସ୍କନ୍ଧ ହୃଦୟରେ ଦେବୀଙ୍କ ଉଦ୍ଦ୍ୟେଶେ ।

କ୍ଷଣେମାତ୍ର ଦୀପ ଦେବ ବିନା ଦୀପ ପାତ୍ରେ ॥

ଅସୀମ ତାହାର ଫଳ ସର୍ବ ଭୋଗ ଭୁଞ୍ଜି ।

ଦେବୀପରେ ତିନିଯୁଗ ସୁଖେ ବସେ ରଞ୍ଜି ।

ପରଜନ୍ମେ ସମ୍ରାଟ ହୋଇଣ ଜନ୍ମହୁଏ ।

ଏ ଶିବ ଆଜ୍ଞାରେ ଜନେ ନକର ସଂଶୟେ ॥

ବଳି ମହିଷର ଛିନ୍ନମୁଣ୍ଡ ପରେ ଦୀପ ।

ଦ୍ୱିକରେ ଦେବୀ ଆଗରେ ଧରେ ସେ ସ୍ଵରୂପ ॥

ଅହୋରାତ୍ର ଠିଆହୋଇ ମୁଣ୍ଡ ସଙ୍ଗେ ଦୀପ ।

ଏଥିରେ ସନ୍ଦେହ ନାହିଁ କହିଲି ସ୍ଵରୂପ ॥

ଧରିଲେ ଚିରାୟୁ ଧନୀ ହୁଅର ଭୂମିପ ।

ପରେ ମୋ ପୁରରେ ରହି ହୁଏ ଗଣାଧିପ ॥

ନରବଳି ଛିନ୍ନ ଶିର ଦକ୍ଷିଣ ହସ୍ତରେ ।

ବାମେ ରୁଧିର ପାତ୍ରକୁ ଧରି ଉଜାଗରେ ॥

ରହିଲେ ସାଧକ ସର୍ବ କାମନା ସାଧଇ ।

ଅନ୍ତେ ମୋ ପୁରରେ ମହାବିଳାସେ ରହଇ ॥

ଯେତେରାତ୍ର ଉଜାଗରେ ଦେବୀଆଗେ ରହି ।

ତେତେ ଜନ୍ମ ପୃଥିବୀରେ ରାଜା ହେଉଥାଇ ॥

ବଳିମୁଣ୍ଡ ରକ୍ତ ଧରି କ୍ଷଣକାଳ ସେହି ।

ଦେବୀଅଗ୍ରେ ଦେବୀଙ୍କୁ ଚିନ୍ତଇ ମନଦେଇ ॥

ମହାମାୟେ ଜଗନ୍ନାଥେ ସର୍ବକାମ ଦାନୀ ।

ଦେହ ଋଧିର ହେଉଛି ଘେନ କାତ୍ୟାୟିନୀ ॥

ପ୍ରସନ୍ନା ହୋଇ ବରଦା ହୁଅ ମୋହଠାରେ ।

ସବିନୟେ ଜଣାଉଛି ଘେନାକର ବାରେ ॥

ଏ ପ୍ରାର୍ଥନା ବୋଲି ମୁଳ ମନ୍ତ୍ର ଉଚ୍ଚାରିଣ ।

ନିଜ ଦେହ ରକ୍ତଦେବ ଦେବୀଙ୍କୁ ଅର୍ପିଣ ॥

ନିଜ ମାଂସ ବଳିଦେବ ଏହି ମନ୍ତ୍ର ବୋଲି ।

ଏକାଗ୍ର ଭକ୍ତିରେ ଦେବୀ ପାଦତଳେ ପଡ଼ି ॥

ସତ୍ୟରେ ନିଜର ମାଂସକାଟି ସ୍ଵହସ୍ତରେ ।

ବଳି ସମର୍ପୁଛି ନିଜ କାମନା ସିଦ୍ଧିରେ ॥

ଗ୍ରହଣ କରି ବରଦା ହୁଅ ଅଧୀନରେ ।

ଜଣାଉଛି ଶ୍ରୀପୟରେ ଅତିବ କାତରେ ॥

ଦେବୀଅଗ୍ରେ ଦୀପଦେଲେ ଏହିମନ୍ତ୍ର ବୋଲି ।

ଦୀପ ହୌଂ ହୌଂନମ ମନ୍ତ୍ରେ ଦୀପ ଦେବ ଜାଳି ॥

ଶରତକାଳ ମହାନବମୀରେ ସ୍କନ୍ଧ ପୂଜା ।

ସ୍କନ୍ଦ ବିଶାଖଙ୍କୁ ସେହିଦିନ ବଳି ଭୋଜା ॥

ଏହିମନ୍ତ୍ରେ ଦୀପଦାନ କରିବ ତାହାଙ୍କୁ ।

ସେ ଦୁହିଙ୍କ ବଳି ବିଧି କହିବା ତୁମ୍ଭଙ୍କୁ ॥

ଯବଚୂର୍ଣ୍ଣ ଅବା ମୃଣ୍ମୟରେ ସ୍ଵ ରିପୁକୁ ।

ଗଢ଼ି ତାହା ଶିରଚ୍ଛେଦ କରିବ ରାତ୍ରିକୁ ॥

ସ୍କନ୍ଦ ବିଶାଖ ଉଦ୍ଦେଶ୍ୟ ଦେବ ବଳିଦାନ ।

ସେ ଦୁହେଁ ଏକ ମୂର୍ତ୍ତିରେ ହୁଅଇ ଗଣନ ॥

ତାଙ୍କରି ମନ୍ତ୍ରେ ବଳିକୁ ଉତ୍ସର୍ଗ କରିବ ।

ଏହିମନ୍ତ୍ରେ ଖଡ୍‍ଗ ପୂଜି ଛେଦନ କରିବ l

ରକ୍ତ ଙ୍କିଳି କିଳୀ ଘୋର ଘୋଗାଧାର ହିଂସ୍ର ।

ବ୍ରହ୍ମାମ୍ବିକା ଶିଷ୍ୟ ମମୁକ ମରି ହିଂସୟ ॥

ସେ କୃତ୍ରିମ ରିପୁକୁ କୁଙ୍କୁମ ଚନ୍ଦନରେ ।

ତିଳକ ଦେଇ ଲଲାଟେ ରଖିବ ତଳରେ ॥

କଣ୍ଠେ ରକ୍ତବସ୍ତ୍ର ଦେଇ ତା ଦେହରେ ।

କଣ୍ଠେ ରକ୍ତସୂତା ବାନ୍ଧି ଶଲ୍ୟକୁ ନାଭିରେ ॥

ଉତ୍ତରାଭି ମୁଖ କରି ଛେଦିବ ଖଡ୍‍ଗରେ ।

ନିଶ୍ଚୟ ତୃପ୍ତି ଲଭନ୍ତି ଦେବୀ ଏ ବଳୀରେ ॥

ସ୍କନ୍ଦ ବିଶାଖଙ୍କ ମନ୍ତ୍ରେ ସେ ଶିର ମନ୍ତ୍ରିଣ ।

ସ୍କନ୍ଦ ବିଶାଖ ଦୁହିଙ୍କୁ ଉତ୍ସର୍ଗିବ ପୁଣ ॥

ସ୍କନ୍ଦ ବିଶାଖଙ୍କ ଧ୍ୟାନ ଶୁଣ ହେତୁ କରି ।

ତାହାଙ୍କର ବେଶ ରୂପ ହେଇଛି ଯେପରି ॥

କୁଟିଳାକ୍ଷ ରକ୍ତ ପଙ୍ଗବର୍ଣ୍ଣ ରକ୍ତ ଅଙ୍ଗ ।

ଦକ୍ଷିଣ ହସ୍ତ ଦୁଇରେ ଧରି ଶୂଳ ଖଡ଼୍‍ଗ ॥

ବାମ ଦୁଇକରେ ନରମୁଣ୍ଡ କର୍ତ୍ତରିକା ।

ତ୍ରିନେତ୍ର ନର ମୁଣ୍ଡମାଳା ଗଳାରେ ଏକା ॥

ଦନ୍ତରେ ବିକଟ ଗଣଶ୍ରେଷ୍ଠ ଦ୍ୱାରପାଳ ।

ଦେବୀଆଗେ ଏହି ଧ୍ୟାନେ ଚିନ୍ତିବେନି ବାଳ ।

ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ।

ମହିଷ ଛାଗ ବଳିରେ ଭୈରବ ପୂଜିଣ ॥

ମଧୁମାଂସ ଭୋଗଦେଇ ମୋତେ ସନ୍ତୋଷିବ ।

ମୋତେ ଭୈରବ ବୋଲିଣ ସେଦିନ ଭାବିବ ॥

ଚଣ୍ଡିଙ୍କ ବଳି ଶିରରେ ଜଳ ଦେଇ କରି ।

ସେ ଜଳକୁ ଅଭିଷେକ ମୂଳ ମନ୍ତ୍ରେ କରି ॥

ପୂର୍ବରୁ ପୂଜିତ ଈଷତ୍ପାଣ ସେଚଳିତ ।

ସିଦ୍ଧକାମ ସମୃଦ୍ଧିକୁ ଦେଖିବ ନିୟତ ॥

ସିତପ୍ରେତ ରଥେ ସ୍ଥିତ ଯୋଗପୀଠ ତୁଲ୍ୟ ।

ମହାମାୟାଙ୍କୁ ଚିନ୍ତଇଁ ସିଦ୍ଧିକର ଫଳ ॥

ଏ ମନ୍ତ୍ରେ ମନ୍ତ୍ରିବାବେଳେ ଶିର ନକମ୍ପିଲେ ।

କାର୍ଯ୍ୟସିଦ୍ଧି ହେବ ବୋଲି ଜାଣିବଟି ଭଲେ ।

ଏବଳି ବିଧାନ ସବୁ କହିଲି ତୁମ୍ଭଙ୍କୁ ।

ଏ ରୁଧିରାଧ୍ୟାୟ ଜାଣି ମନେରଖ ଆକୁ ॥

ଏବେ ଉପଚାର ବିଧି ଶୁଣ ଦେବୀଙ୍କର ।

କାଳିକା ପୁରାଣ ଗୀତେ କହେ ପ୍ରଭାକର ॥

 

ଇତି ଶ୍ରୀ କାଳିକାପୁରାଣେ ବଳିଦାନ

ବିବରଣଂ ନାମ ଏକସପ୍ତତିତମୋଽଧ୍ୟାୟଃ ।

✽✽✽

 

॥ ୭୨ ॥

 

ଷୋଡ଼ଶୋପଚାର ବିଧି କହିବା ତୁମ୍ଭଙ୍କୁ ।

ଯହିଁରେ ଦେବଦେବୀ ଲଭନ୍ତି ସନ୍ତୋଷକୁ ॥

ଶ୍ରୀ ଈଶ୍ୱର ଉବାଚ

ଷୋଡ଼ଶୋପଚାର ବିଧି କହିବା ତୁମ୍ଭଙ୍କୁ ।

ଯହିଁରେ ଦେବଦେବୀ ଲଭନ୍ତି ସନ୍ତୋଷକୁ ॥

ମଣ୍ଡଳ ଉତ୍ତରଭାଗେ ଆସନକୁ ଦେବ ।

କାଷ୍ଠବସ୍ତ୍ର ଚର୍ମପଟ୍ଟ ପାଟରେ କରିବ ॥

ବସ୍ତ୍ରମଧ୍ୟେ କମ୍ବଳ ଯେ ଶ୍ରେଷ୍ଠାସନ ହୁଏ ।

ଚନ୍ଦନକାଷ୍ଠ ଆସନ ଦେବଦେବୀ ପ୍ରିୟେ ॥

ତୈଜସ ଆସନାଦାନେ ବହୁଫଳ ହୁଏ ।

ଲୁହା ସୀସା କଂସା ଛାଡ଼ି ଅନ୍ୟ ଦେଇହୁଏ ॥

ପୂଜକ ଆସନ ଏକହସ୍ତ ପରିମିତ ।

କୁଶ କମ୍ବଳ କାଷ୍ଠରେ କରିବ ନିଶ୍ଚିତ ॥

ଷୋଡ଼ଶାଙ୍ଗୁଳ ବିସ୍ତାର ଉଚ୍ଚ ଚାରିଯବ ।

ପତ୍ରରେ ଆସନ କରି ପୂଜା ନକରିବ ॥

ଜଳେ ପାଷାଣ ଆସନ କରିଣ ବସିବ ।

ଅଥବା ନାଭିପ୍ରମାଣ ଜଳେ ଠିଆ ହେବ ॥

ପାଦ୍ୟରେ କେବଳ ଜଳ ଧାତୁପାତ୍ରେ ଶଙ୍ଖେ ।

ପୁରାଇଣ ସମର୍ପିବ ଦେବଦେବୀ ପାଖେ ॥

କୁଶ ପୁଷ୍ପାକ୍ଷତ ସିଦ୍ଧାର୍ଥ ଚନ୍ଦନ ଜଳେ ।

ଅର୍ଘ୍ୟଦେଇ ସନ୍ତୋଷିବ ଦେବଦେବୀ କୁଳେ ॥

ସୂର୍ଯ୍ୟଙ୍କୁ ଶଙ୍ଖରେ ବିଷ୍ଣୁଙ୍କୁ ଶୁକ୍ତି ପାତ୍ରରେ ।

ଅର୍ଘ୍ୟଦାନ ନକରିବ କହିଲି ତୁମ୍ଭରେ ॥

ଚନ୍ଦନ କର୍ପୂର ଅଗୁରୁ ଦେଇ ଜଳରେ ।

ଆଚମନ ଦେବ ଶଙ୍ଖ ଅବା ଧାତୁପାତ୍ରେ ॥

ଦଧି ଘୃତ ମଧୁ ଶର୍କରା ଜଳେ ମିଶାଇ ।

ମଧୁପର୍କ ସମର୍ପିବ କାଂସ୍ୟପାତ୍ରେ ନେଇ ॥

କସ୍ତୁରି ଗୋରଚନା କୁଙ୍କୁମ ଗୁଡ଼ ମଧୁ ।

ସୁବାସିତ ତୈଳ ମିଶାଇବ ତହିଁ ବିନ୍ଦୁ ॥

ସ୍ନାନ କରାଇବ ଦେବଦେବୀଙ୍କୁ ଭକ୍ତିରେ ।

ତେଜସ କାଂସ୍ୟପାତ୍ର ବା ଶଙ୍ଖର ପାତ୍ରରେ ॥

ଚନ୍ଦନାଦି ଦେବ ଦେବୀ ଅଙ୍ଗରେ ଲେପିବ ।

ଦର୍ପଣ ଉପରେ ତାଙ୍କୁ ସ୍ନାନ କରାଇବ ॥

ଉପଚାର ଦ୍ରବ୍ୟ ସବୁ ଅର୍ଘ୍ୟଜଳେ ସିଞ୍ଚି ।

ପ୍ରଦାନିଲେ ବହୁଫଳ ଲଭେ ବ୍ରତୀ ବଞ୍ଚି ॥

ନବ ପ୍ରତିପତ୍ତି ମନ୍ତ୍ରେ ଅର୍ଘ୍ୟର ସଂସ୍କାର ।

କରି ସେ ଜଳରେ ଶୁଦ୍ଧକର ଉପଚାର ॥

 

ଏ ଅଧ୍ୟାୟେ ଷଟ୍‌ ଉପଚାର ଦାନ ବିଧି l

କୁହାଗଲା ପ୍ରଭାକର କହେ ଗୀତେ ଛନ୍ଦି ॥

 

ଇତି ଶ୍ରୀ କାଳିକା ପୁରାଣେ

ଦ୍ୱିସପ୍ତତିମୋଽଧ୍ୟାୟଃ ।

✽✽✽

 

॥ ୭୩ ॥

 

ଶ୍ରୀ ଈଶ୍ୱର ଉବାଚ

ବସ୍ତ୍ର ବିଧି ଶୁଣ ସେ କାର୍ପାସ କମ୍ବଳରେ ।

ବଳ୍‌କଳ କୋଶଜବସ୍ତ୍ର ପ୍ରଶସ୍ତ ପୂଜାରେ ॥

ସେ ବସ୍ତ୍ରକୁ ମନ୍ତ୍ରେ ସଂସ୍କାର କରିଣ ଦେବ ।

ଦଶୀହୀନ ମଳିନ ଜୀର୍ଣ୍ଣ ଛିନ୍ନ ନଦେବ ॥

ପରକୀୟ ମୂଷାଦଷ୍ଟ ସୂଚିବିଦ୍ଧପୁଣି l

କେଶଯୁକ୍ତ ଅଧୌତ ମୁତ୍ରାଦି ଦୁଷ୍ଟ ଜାଣି ॥

ଦେବ ପିତୃକାର୍ଯ୍ୟେ ନଦେବ ଏପରି ବସ୍ତ୍ର ।

ମହାଦେବୀଙ୍କୁ ଦେବ ଯେ ରକ୍ତବର୍ଣ୍ଣ ବସ୍ତ୍ର

ପୀତ କୌଶେୟ ବିଷ୍ଣୁଙ୍କୁ ସମର୍ପିବ ମନ୍ତ୍ରେ ।

ରକ୍ତକମ୍ବଳ ବସ୍ତ୍ରକୁ ଦେବ ଶିବଗାତ୍ରେ ॥

ନୀଳବର୍ଣ୍ଣ ବସ୍ତ୍ର ଦୈବେ ପିତ୍ର୍ୟେ ବିବର୍ଜିତ ।

ଭୂଷଣ ମଧ୍ୟରେ ବସ୍ତ୍ର ଶ୍ରେଷ୍ଠ ଜାଣ ତତ୍ତ୍ଵ ॥

ତାପରେ ଭୂଷଣ ଦେବ ବିବିଧ ପ୍ରକାରେ

କିରୀଟ ଶିରୋ ରତ୍ନକୁଣ୍ଡଳ ଅଳଙ୍କାରେ ॥

ତାଳପତ୍ର ହାର ଗୈବେୟକ ରତ୍ନସୂତ୍ର ।

ଅଙ୍ଗୁରୀୟ ଅଙ୍ଗଦ ବାହୁବଳୟ ମାତ୍ର ॥

ପାଦାଙ୍ଗଦ ହଂସକ ନୂପୁର କ୍ଷୁଦ୍ରଘଣ୍ଟି ।

ଏ ଆଦି ଚାଳିଶ ଜାତି ଭୂଷଣ ସମଷ୍ଟି ।

ଶକ୍ତିକ୍ରମେ ଭୂଷଣଙ୍କୁ ମନ୍ତ୍ରେ ଶୁଦ୍ଧ କରି ॥

ଯଥାସ୍ଥାନେ ସମର୍ପିବ ଦେବ ଦେବ୍ୟୁପରି ॥

ନାଭି ଊର୍ଦ୍ଧ୍ୱେ ରତ୍ନ ସ୍ଵର୍ଣ୍ଣ ଅଳଙ୍କାର ଦେବ ।

ନାଭି ଅଧୋଭାରେ ରୌପ୍ୟ ତାମ୍ର ସମର୍ପିବ ॥

ଉପ ଭୂଷଣ ସ୍ଵରୂପ ଘଣ୍ଟ ପଲଙ୍କାଦି ।

ସମର୍ପିବ ନାନାଧାତୁ ଦ୍ରବ୍ୟରେ ସମ୍ପାଦି ॥

ତାମେ ଦେବେ ତୋଷହ୍ୱନ୍ତି ତାମେସେ ବସନ୍ତି ।

ସର୍ବ ପ୍ରୀତିକର ତାମ୍ର ତେଣୁ ତାମ୍ର ଦ୍ୟନ୍ତି ॥

ଗନ୍ଧ ଦାନବିଧି ଶୁଣ ଚନ୍ଦନ କାଷ୍ଠକୁ ।

ଚୁରି ଅବା ଘୋରି ଲଗାଇବ ତା ଦେବଙ୍କୁ ॥

କର୍ପୂର କସ୍ତୁରୀ ଗନ୍ଧ ଦ୍ରବ୍ୟ ମିଶାଇଣ ।

ଚନ୍ଦନ ଲେପିବ ଦେବ ଦେବୀଶିରେ ପଣ ॥

ଏବେ ପୁଷ୍ପକଥା ଶୁଣ ତୁମ୍ଭଙ୍କୁ କହିବା ।

ଦେବୀଙ୍କର ପ୍ରିୟପୁଷ୍ପ ଯେତେଅଛି ଅବା ॥

ବକୁଳ ମନ୍ଦାର କୂନ୍ଦପୁଷ୍ପ କୁରୁଣ୍ଟକ ।

କରବୀର ଅର୍କ ଶାଳ୍ମଳୀ ବିଷ୍ଣୁକ୍ରାନ୍ତକ ॥

ବ୍ରହ୍ମ ବୃକ୍ଷଲତା ସୁକୋମଳ ଦୁର୍ବାଙ୍କୁର ।

କୃଶମଞ୍ଜରୀ ବିଲ୍ଵପତ୍ର ପୁଷ୍ପ ପ୍ରକାର ॥

ବୈଷ୍ଣବୀ କାମାଖ୍ୟା ତ୍ରିପୁରା ଦେବୀମାନଙ୍କୁ ।

ଏହି ପୁଷ୍ପେ ପୂଜାକଲେ ପାଇବ ଫଳକୁ ॥

ଦେବୀ ପ୍ରିୟପୁଷ୍ପ ମାଳତୀ ମଲ୍ଲୀ ଯେ ଜାତି ।

ଯୁଇ ମାଧବୀ ବାଟକା ଟଗର ପ୍ରଭୃତି ॥

କର୍ଣ୍ଣିକାର ଚମ୍ପାବାଣ ଅଶୋକ ଯେ ଲୋଧ ।

ତିଳକ ଶିରିଷ ପଲାସ ପଦ୍ମ ଯେ କୁମୁଦ ॥

ନାଗେଶ୍ଵର ପୁନ୍ନାଗ କେତକୀ ବୀଜପୁର ।

ନମେରୁ ଚଣ୍ଡବିଲ୍ୱ ଯେ ସ୍ଥଳ ପଦ୍ମସାର ॥

ଇତ୍ୟାଦି ପୁଷ୍ପେ ପୂଜିବ ଦେବୀଙ୍କୁ ଭକ୍ତିରେ ।

ଅଭିଷ୍ଟ ସିଦ୍ଧ ହୁଅଇ କହିଲି ତୁମ୍ଭରେ ॥

ପତ୍ରମଧ୍ୟେ ଭୃଙ୍ଗାର ଗନ୍ଧନୀ ବଳାହକ ।

ଆମ୍ବ ଜାମ୍ବୁ କୁଶ ଶମୀ ବିଲ୍ଵପତ୍ରଜାକ ॥

ପୁଷ୍ପମଧ୍ୟେ ରକ୍ତପଦ୍ମ ପତ୍ରମଧ୍ୟେ ବିଲ୍ୱ ।

ଦେବୀ ସନ୍ତୋଷ ପାଇଁ ତାହାଙ୍କ ସୃଷ୍ଟି ବୋଲ ॥

ପତ୍ରପୁଷ୍ପାଭାବେ ତୃଣ ଗୁଳ୍ମଲତା ଯୋଗେ ।

ଦେବୀଙ୍କୁ ପୂଜିଲେ ଫଳ ମିଳର ସଂଯୋଗେ ॥

ସର୍ବାଭାବେ ଜଳ ଅକ୍ଷତରେ ସର୍ବପରେ

ଦେବୀପୂଜା ହୋଇପାରେ କହିଲି ବିଚାରେ ॥

ପୁରଶ୍ଚରଣ କାର୍ଯ୍ୟରେ ବିଲ୍ଵପତ୍ର ତିଳ ।

ଅକ୍ଷତ ଘୃତ ସହିତ ହୋମ କରିବାର ॥

ଦେବୀ ଉଦ୍ଦେଶ୍ୟରେ ପୁରଶ୍ଚରଣ କର୍ମରେ ।

ହୋମଶେଷେ ଦେବୀପୂଜା କରିବ ବିଧିରେ

ପୂଜାଶେଷେ ଶତେବାର ମୂଳମନ୍ତ୍ର ଜପି ।

ତହୁଁ ହୋମସାରି ବଳିଦେବ ତହିଁ ସ୍ଥାପି ॥

ତହୁଁ ବାଦ୍ୟଗୀତ ନାଟ କରି ରାତ୍ରି ଶେଷ ।

କଲେ ସମସ୍ତ ଅଭିଷ୍ଟ ମିଳିବ ଅବଶ୍ୟ

ଯଜ୍ଞ ଶେଷେ ଗୁରୁ ପୁରୋହିତଙ୍କୁ ଦକ୍ଷିଣା ।

ଦେଇ ସନ୍ତୋଷ କରିବ ଶୁଣ ଏକମନା ॥

ଶୁକ୍ଳପକ୍ଷ ଅଷ୍ଟମୀ ବା ଚତୁର୍ଦ୍ଦଶୀ ଦିନ ।

ଗୁରୁଙ୍କ ଆଜ୍ଞାରେ ଆରମ୍ଭ ପୁରଶ୍ଚରଣ

ଦେବୀ ପୂଜାଶେଷେ ଏହା ଆରମ୍ଭ କରିବ ।

ବିନା ପୂଜନେ ଆରମ୍ଭ ଅଶୁଭ ହୋଇବ ॥

ଷୋଡ଼ଷ ଉପଚାରଦାନେ ଅଶକ୍ତ ହେଲେ ।

ପଞ୍ଚୋପଚାରେ ଦେବୀଙ୍କୁ ପୂଜିବ କୁଶଳେ ॥

ଗନ୍ଧପୁଷ୍ପ ଧୂପ ଦୀପ ନୈବେଦ୍ୟ ଏ ପଞ୍ଚ

ଉପଚାରରେ ପୂଜି ଦେବୀ କରିବ ସୁସଞ୍ଚ

ପୁରଶ୍ଚରଣ କୃତ୍ୟରେ ଦୀପବିଧି ଶୁଣ ।

ଦୀପଦାନରେ ଲଭନ୍ତି ବହୁଫଳ ଜାଣ ॥

ଦୀପରେ ଲୋକ ଜିଣଇ ଦୀପ ତେଜୋମୟ

ଚତୁବର୍ଗ ଦାୟୀଦୀପ ତେଣୁ ଦୀପ ଦେୟ ॥

ସର୍ବଦା ପୁଷ୍ପ ଦୀପରେ ପୂଜା ହୋଇପାରେ ।

ପୁଷ୍ପଯୋଗେ ଦେବଦେବୀ ପ୍ରସନ୍ନ ପୂଜାରେ ॥

ପୁଷ୍ପମୂଳେ ବ୍ରହ୍ମାରହି ମଧ୍ୟେ ଚକ୍ରପାଣି ।

ପୁଷ୍ପାଗ୍ରେ ଶିବବସନ୍ତି ଦେବେ ଦଳେ ପୁଣି ॥

ତେଣୁ ପୁଷ୍ପେ ପୂଜାକଲେ ସର୍ବଫଳ ମିଳେ ।

ଦୀପଦାନେ ସେପରି ଫଳ ମିଳଇ କାଳେ ॥

ଘୃତଦୀପ ଶ୍ରେଷ୍ଠ ତୈଳଦୀପ ପୁଣ

ସାର୍ଷପ ତୈଳର ଦୀପ ମାଧ୍ୟମରେ ଗଣ ॥

ପଦ୍ମସୂତ୍ର କୁଶମଧ୍ୟ ସୂତ୍ର ବା କାର୍ପାସ

ବତିକରି ଦୀପଦେବ ଲଭିଣ ଉଲ୍ଲାସ ॥

ତେଜସ ଦାରବଲୋହ ନାରି କୋଳୋଦ୍ଭବ

ଦୀପ ପାତ୍ରରେ ପ୍ରସସ୍ତ ସେ ମଧ୍ୟ କରିବ ॥

ଦୀପପାତ୍ରରେ ଦ୍ରବ୍ୟେ ଦୀପରୁଖା ତିଆରିବ ।

ତାପରେ ଦୀପ ଥୋଇବ ଭୂମିରେ ନଦେବ ॥

ଦୀପ ତାପକୁ ପୃଥିବୀ ସହି ନପାରଇ ।

ଦେଲେ ତାମ୍ରତାପ ନରକରେ ସେ ପଡ଼ଇ ॥

ଘୃତ ତୈଳ ମିଶାଇଣ ଦୀପ ନଜାଳିବ ।

ମିଶ୍ରଣେ ତାମିସ୍ର ନରକ ଭୋଗ କରିବ ॥

ଦୀପକୁ ନଲିଭାଇବ ଚୋରି ନକରିବ ।

ଦୀପ ନିର୍ବାପକ କାଣ ପରଜନ୍ମେ ହେବ ॥

ଦୀପହର୍ତ୍ତା ଅନ୍ଧହୋଇ ଜନ୍ମିବ ଭୂତଳେ ॥

ତେଣୁ ଏହା ନକରିବ କହିଲି ତୁମ୍ଭରେ ॥

ଏତେ ଧୂପକଥା ଶୁଣ ଯହିଁ ନାସାନେତ୍ର

ତୃପ୍ତିଲାଭ ସେହି ଧୂପ ଅଟର ପ୍ରସସ୍ତ ॥

ଶ୍ରୀଚନ୍ଦନ ଯେ ସରଳ କୃଷ୍ଣା ଗୁରୁଶାଳ ।

ନମେରୁ ଦୀପଦାରୁ ଯେ ବିଲ୍ଵବୃକ୍ଷ ସାର ॥

କସ୍ତୁରୀ ମୃଗନାଭିକୁ ଧୂପେ ପ୍ରଶସଂନ୍ତି ।

ଯକ୍ଷଧୂପ ବିଷ୍ଣୁଙ୍କୁ ନଦେବ ଜାଣିରୀତି ॥

ପୁଷ୍ପଧୂପ ଚନ୍ଦନକୁ ଆଘ୍ରାଣ ନକରି ।

ଦେବାଦେବୀଙ୍କୁ ଯେ ଦେବ ଏହାକୁ ବିଚାରି ॥

ଭୂମିଘଟ ଆସନରେ ଧୂପ ଦେବନାହିଁ ।

ଧୂପପାତ୍ରେ ଦେଲେ ଦେବଦେବୀ ତୋଷ ହୋଇ ॥

କଜ୍ଵଳ ବିଷୟ ଶୁଣ ସୌବୀର ଜାମ୍ବଳ

ମୟୁର ଗ୍ରୀବାଜନିତ ପ୍ରସସ୍ତ କଜ୍ଵଳ

ସଧବାନାରୀ କରିବ ଅଞ୍ଜନ ଘର୍ଷଣ ।

ବିଧବା ହସ୍ତରୁ ନଘେନନ୍ତି ଦେବୀଗଣ ॥

ମୃତ୍ତିକାପାତ୍ରେ ଅଞ୍ଜନ ପୁରାଇବ ନାହିଁ ।

ବିପ୍ର ପ୍ରଭାକର କହେ ଦେବୀପଦ ଧ୍ୟାୟୀ ॥

 

ଇତି ଶ୍ରୀ କାଳିକାପୁରାଣେ

ତ୍ରିପପ୍ତତିତମୋଽଧ୍ୟାୟଃ ।

 

॥ ୭୪ ॥

 

ଶ୍ରୀ ଈଶ୍ୱର ଉବାଚ

ନିବେଦନ ପାଇଁ ଯେଉଁପରି ଶୁଦ୍ଧ ଦ୍ରବ୍ୟ ।

ତାହା ନୈବେଦ୍ୟ ନାମରେ ହୁଏ ପ୍ରଖାତବ୍ୟ ॥

ଭକ୍ଷ ଭୋଜ୍ୟ ଲେହ୍ୟପେୟଚୋଷ୍ୟ ଭେଦେ ଏହି ।

କେବଳ ନୈବେଦ୍ୟ ପାଞ୍ଚପ୍ରକାର ହୁଅଇ ॥

ଆରାଧ୍ୟ ଦେବଙ୍କୁ ଏହା ନିବେଦନ କରି ।

ଦେବୀପ୍ରୀୟ ନୈବେଦ୍ୟକୁ ଶୁଣ କର୍ଣ୍ଣଡେରି

ନାରିକେଳ କଇଁଥ ଯେ ଦ୍ରାକ୍ଷାସେକ୍ରମୁକ ।

ବଦରୀ କୁଷ୍ମାଣ୍ଡ ପଣସ ପୁଣି କରକ ॥

ବକୁଳ ମହୁଲ ଆମ୍ବ ଆମ୍ବଡ଼ା ଖଜୁର ।

ବେଲ ପୁନାଗ କାକୁଡ଼ି ଉଦୁମ୍ବର ଫଳ

ଜାମୁ ହରିଡ଼ା ଅଏଁଳା ଡାଳିମ୍ବ ନାରଙ୍ଗ ।

ପଟୋଳ କ୍ଷୀରବୃକ୍ଷଜ କୁମୂଦ ପଦ୍ମାଙ୍ଗ ॥

ବନ୍ୟଫଳେ ପୁଷ୍ପ ଦେବୀ ପୂଜିବ ଭକ୍ତିରେ ।

କନ୍ଦମୂଳ ପ୍ରଭୃତି ମୂଳଦ୍ରବ୍ୟ ସବୁରେ

ପରମାନ୍ନ ପିଷ୍ଟକ ମେଦକ ଲଡ଼ୁ ଖଜା ।

ଘୃତ ଶାଳ୍ୟନ୍ନ ଶର୍କରା ସଙ୍ଗେ ଗୁଡ଼ଗଜା ॥

ଯାବତୀୟ ବ୍ୟଞ୍ଜନ ଦେବୀଙ୍କୁ ସମର୍ପିବ ।

ମହିଷ ଗୋରୁଙ୍କ କ୍ଷୀର ଦଧିଘୃତ ଦେବ ॥

ଭକ୍ଷ୍ୟମାଂସ ମତ୍ସ୍ୟ ସାଗ ଦେବୀଙ୍କୁ ସମର୍ପି ।

ଅଶ୍ଵମେଧ ଯାଗଫଳ ଲଭେ ପୂଜାଅର୍ପି ॥

ମଧୁସଙ୍ଗେ ସୁରାଦ୍ରବ୍ୟ ଦେବୀଙ୍କୁ ଦେଇଣ ।

ଦେବଲୋକେ ରହି ରାଜା ହୁଏ ଭୂବନ ॥

ଦୁର୍ଗନ୍ଧ ଦଗ୍‌ଧ ଅଭକ୍ଷ ପର୍ଯ୍ୟୁଷିତ ଦ୍ରବ୍ୟ ।

ଦେବଦେବୀଙ୍କ ନଦେଇ ଦୂରରେ ବର୍ଜିବ ॥

ତାମ୍ବୁଳ କର୍ପୂର ନାରିକେଳ ଜଳଦେଇ ।

ପୁଜକ ଅଗ୍ନିଷ୍ଟୋମର ଫଳକୁ ଲଭର ॥

ଇକ୍ଷୁଦଣ୍ଡ ମୁଗପିଣ୍ଡ ନବନୀତ ଦେଲେ ।

ଉତ୍ତମ ଭୋଗ ଭୁଞ୍ଜିଣ ଦେବୀଲୋକେ ଚଳେ ॥

ମରୀଚ ପିପ୍ପଳି ଜିରା ତେନ୍ତୁଳିର ରସ ।

ଯବମସୁର ଗୋଧୂମ ଜାତୀୟ ଯେ ରସ ॥

କାଳଶାକବ୍ରାହ୍ମି ବାସ୍ତୁଳ ଯେପନ୍ନର୍ନବା ।

ଏ ଶାକମାନଙ୍କୁ ଦେବୀଆରେ ସମର୍ପିବା

ସ୍ନେହାଧିକ୍ୟ ଫଳଧିକ୍ୟ ହୁଅର ଜାଣିବ ।

ବିନାସ୍ନେହ ଫଳହାନି ଘଟେ ଏହା ଭାବ ॥

ସ୍ୱର୍ଣ୍ଣରୋପ୍ୟ ତାମ୍ର ପାଷାଣ ପଦ୍ମପତ୍ରରେ ।

ଦେବୀଙ୍କୁ ନୈବେଦ୍ୟ ଦେବ ସ୍ନେହ ଭକ୍ତିଭରେ ॥

ସର୍ବପାତ୍ରାଭାବେ ନିଜ କୃତ ମାଟି ପାତ୍ରେ ।

ଦେବୀଙ୍କୁ ନୈବେଦ୍ୟ ଦେବ ସନ୍ତୋଷ ମନରେ ॥

ପ୍ରଦକ୍ଷିଣ ନମସ୍କାର କହିବ ଏ ପରେ ।

ମନ ଶ୍ରବଣ ନିଯୋଗୀ ଶୁଣ ହେ ସଧିରେ ॥

ଶିବ ପାର୍ବତୀଙ୍କ ପାଦପଦ୍ମେ ଦେଇ ମନ ।

ବିପ୍ର ପ୍ରଭାକର ରଚେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଚତୁଃସପ୍ତତିତମୋଽଧ୍ୟାୟଃ ।

✽✽✽

 

॥ ୭୫ ॥

 

ଶ୍ରୀ ଈଶ୍ୱର ଉବାଚ

ଦକ୍ଷିଣ ହସ୍ତ ପ୍ରସାରି ନମ୍ରଶିରା ହୋଇ ।

ଦକ୍ଷିଣ ପାଖ ଦେଖାଇ ମନେ ଶାନ୍ତି ବହି ॥

ଏକବାର ବା ତ୍ରିବାର ଦେବୀଙ୍କ ମନ୍ଦିର ।

ଦକ୍ଷିଣ ଭାଗ କ୍ରମରେ ବୁଲିବ ଯେ ନର ॥

ସେ ହୁଅଇ ପ୍ରଦକ୍ଷିଣ ଦେବ ଦେବୀମାନେ ।

ସନ୍ତୋଷ ଲଭନ୍ତି ଯେ କରନ୍ତି ପ୍ରଦକ୍ଷିଣେ ॥

ଅଷ୍ଟୋତ୍ତର ଶତବାର ପ୍ରଦକ୍ଷିଣ କଲେ ।

ସର୍ବକାମ ଲଭି ମୋକ୍ଷପାଏ ଶେଷକାଳେ ॥

ଭକ୍ତିରେ ଯେ ଜନ ମାନସ ପ୍ରଦକ୍ଷିଣକୁ ।

କରେ ସେ ନଯାଏ ଯମପୁର ନରକକୁ ॥

କାୟିକ ବାଚିକ ମାନସ ଭେଦରେ ପୁଣି ।

ତ୍ରିବିଧ ନମସ୍କାରକୁ ଜାଣ ପରିମାଣି ॥

ପାଦ ହସ୍ତ ପ୍ରସାରି ଦଣ୍ଡତୁଲ୍ୟ ଭୂମିରେ ।

ଜାନୁଦ୍ୱୟ ମସ୍ତକକୁ ଲଗାଇ ମହୀରେ ॥

କାୟିକ ଉତ୍ତମ ନମସ୍କାର ଜାଣ ତାରେ ।

କେବଳ ଜାନୁଦ୍ୱୟ ମୁଣ୍ଡକୁ ଭୂମିପରେ ॥

ଲଗାଇ ନମିଲେ ମଧ୍ୟମ କାୟିକ ଭଲେ ।

ଦୁଇ କରଯୋଡ଼ି ଶିରେ ଲଗାଇ ନମିଲେ ॥

ଅଧମ କାୟିକ ନତି ହୁଏ ସେହି ଭଲେ ।

ଗଦ୍ୟ ପଦ୍ୟ ସ୍ମୃତି ପଢ଼ି ଭକ୍ତିରେ ନମିଲେ ॥

ଉତ୍ତମ ବାଚିକ ନମସ୍କାର ତାକୁ ବୋଲେ ।

ଉତ୍ତମ ଫଳ ଲଭନ୍ତି ଉତ୍ତମ କାର୍ଯ୍ୟରେ ॥

ପୌରାଣିକ ବୈଦିକ ମନ୍ତ୍ରକୁ ପାଠ କରି ।

ନମିଲେ ମଧ୍ୟମ ବାଚିକ ପ୍ରଣତି ବୋଲି

ଯେ ଭାଷାରେ ସ୍ତବ କରି ନମସ୍କାର କରେ ।

ଅଧମ ବାଚିକ ନମସ୍କାର ବୋଲି ତାରେ ॥

ଇଷ୍ଟ ମଧ୍ୟରେ ଅନିଷ୍ଟ ମନରେ ଭାବିଣ ।

ନମିଲେ ମାନସ ନତି ତ୍ରିବିଧକୁ ଜାଣ ॥

ତ୍ରିବିଧନତି ମଧ୍ୟରେ ଶ୍ରେଷ୍ଠ ଯେ କାୟିକ ।

ତହିଁରେ ଯେ ଦେବଦେବୀ ସନ୍ତୋଷ ଅଧିକ ॥

ଏହି ନମସ୍କାର ପ୍ରଣାମ ନାମରେ ମୁହିଁ ।

ପୂର୍ବେ ତୁମ୍ଭ ଦୁହିଙ୍କୁ ଯେ ଦେଇଥିଲି କହି

ମନରେ ସେ ପ୍ରଦକ୍ଷିଣ କରେ ଭକ୍ତିଭରେ ।

ନଦେଖେ ନରକ ଗଲେ ମଧ୍ୟ ଯମପୁରେ ॥

ଦେବ ଯନ୍ଧ ରକ୍ଷ ନର ଗନ୍ଧର୍ବ ପନ୍ନଗ ।

ନମସ୍କାରେ ପ୍ରୀତହ୍ଵନ୍ତି ମହାତ୍ମା ଯେ ବେଗ ॥

ନମସ୍କାରେ ଚତୁବର୍ଗ ମିଳଇ ନିୟତ ।

ସର୍ବସିଦ୍ଧ ହୁଏ ନମସ୍କାରେ ଜାଣ ତତ୍ତ୍ୱ ॥

ପ୍ରଣାମେ ଲୋକ ଜିଣଇ ପରମାୟୁ ବଢ଼େ ।

ପୁତ ପୌତ୍ର ଧନୈଶ୍ଚର୍ଯ୍ୟ ପୂର୍ଣ୍ଣ ହୁଏ ତାରେ ॥

ନମସ୍କାର ପ୍ରଦକ୍ଷିଣ କର ଭକ୍ତି ଭରେ ।

ନୈବେଦ୍ୟକୁ ଦିଅ ବୋଲି କହେ ଯେ ବାକ୍ୟରେ ॥

ସେ ମଧ୍ୟ କାମନା ଲଭି ମୋ ପୁରରେ ବସେ ।

କହିଲି ମୁଁ ଦେବୀଙ୍କ ଉପଚାର ଷୋଡ଼ଶେ ॥

ଏବେଯାହା ପଚାରିବ କହିବି ତୁମ୍ଭଙ୍କୁ ।

ଶିବ ଗୌରି ରଖ ଅଧମ ପ୍ରଭାକରକୁ ॥

 

ଇତି ଶ୍ରୀ କାଳିକାପୁରାଣେ ଷୋଡ଼ଶୋପଚାର

ନିର୍ଣ୍ଣୟେ ପଞ୍ଚସପ୍ତତିତମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୭୬ ॥

 

ଶ୍ରୀ ଈଶ୍ୱର ଉବାଚ

କାମାଖ୍ୟାଦେବୀ ମହିମା ଶୁଣ ମୋ ମୁଖରୁ ।

ଅଙ୍ଗରହସ୍ୟ ସହିତ ଶୁଣିବ ମୋଠାରୁ ॥

ଦିନେ ଶ୍ରୀକୃଷ୍ଣ ଗରୁଡ଼ସ୍କନ୍ଧେ ବିଜେକରି ।

ନୀଳପର୍ବତକୁ ଗଲେ କାମାଖ୍ୟାଙ୍କ ପୁରୀ ॥

ସେ ପର୍ବତେ କ୍ଷଣେ ରହି ସେସ୍ଥାନ ନିନ୍ଦିଣ ।

ଅନ୍ୟତ୍ର ଯିବାକୁ ତାର୍କ୍ଷ୍ୟଙ୍କୁ କହିଲେ ପୁଣ ॥

ତହୁଁ ଗରୁଡ଼ ପ୍ରଭୁଙ୍କୁ ପୃଷ୍ଠ ବସାଇଣ ।

ଅନ୍ୟତ୍ର ଯିବାକୁ ଉଦ୍ୟତ ହୋଇଲେ ଜାଣ ॥

ତାହା ଜାଣି କାମଚଣ୍ଡୀ ତାଙ୍କ ଗତିରୋଧ ।

କରନ୍ତେ ଗରୁଡ଼ ନଯାଇଣ ହେଲା ବନ୍ଦ ॥

ମହାମାୟା ମୋହିତ ହୋଇଣ ଗଦାଧର ।

ସେ ସ୍ଥାନେ ରହି ଅଚଳ ଯଥା ଗିରିବର ॥

ତାର୍କ୍ଷ୍ୟ ନଚଳିବା ଦେଖି ଶ୍ରୀହରି କ୍ରୋଧରେ ।

ସେ ନୀଳଶୈଳକୁ ଚାରିଭୁଜେ କୁଣ୍ଢାଇଲେ ॥

ତୋଳି ନପାରି ହତାଶ ହେଲେ ବନମାଳୀ ।

ସେବେଳେ କାମାଖ୍ୟ ସିଦ୍ଧସୂତ୍ରେ ବାନ୍ଧି ହରି ॥

ଗରୁଡ଼ ସହିତେ ଫିଙ୍ଗିଦେଲେ ସମୁଦ୍ରରେ ।

ଜଳେ ବୁଡ଼ିଗଲେ ପ୍ରଭୁ ଗରୁଡ଼ ସଙ୍ଗରେ ॥

ପୁଣି ତାଙ୍କୁ ଉଠାଇଲେ କାମାଖ୍ୟା ଭବାନୀ ।

ତାଙ୍କ ବୁଦ୍ଧି ଲୋପ କଲେ ତହିଁ ଠାକୁରାଣୀ ॥

ତହୁଁ ସମୁଦ୍ର ଜଳରେ ଗରୁଡ଼ ସହିତ ।

ବୁଡ଼ିରହିଲେ ଶ୍ରୀହରି ହୋଇ ଆଚମ୍ବିତ ॥

କେତେକାଳ ଅନ୍ତେ ବ୍ରହ୍ମା ଖୋଜିଲେ ହରିଙ୍କୁ ।

ବହୁଯତ୍ନେ ସିନ୍ଧୁତଳେ ଭେଟିଲେ ତାହାଙ୍କୁ ॥

ତହୁଁ ତାଙ୍କୁ ଆଣିବାକୁ ବହୁ ଚେଷ୍ଟା କଲେ ।

ମାୟାମୋହିତ ହୋଇ ସେ ବ୍ରହ୍ମା ରହିଗଲେ ॥

ଇନ୍ଦ୍ରାଦିଦେବେ ଶ୍ରୀହରି ବ୍ରହ୍ମାଙ୍କୁ ଖୋଜିଲେ ।

ବହୁକାଳେ ତାଙ୍କ ଭେଟପାଇ ଦେଖାହେଲେ ॥

ସେ ଦୁହିଙ୍କୁ ଆଣିବାକୁ ବହୁ ଯତ୍ନ କଲେ ।

ସର୍ବଦେବେ ସବୁବଳ ତହିଁ ଖଟାଇଲେ ॥

ନପାରି ମାୟାମୋହିତ ହୋଇ ସେ ଜଳରେ ।

ଇନ୍ଦ୍ରାଦିଦେବେ ରହିଲେ ପାଷାଣ ପ୍ରକାରେ ॥

ଦେବଙ୍କୁ ସ୍ୱର୍ଗେ ନଦେଖି ଗୁରୁ ବୃହଷ୍ପତି ।

ଖୋଜି ଖୋଜି ପ୍ରବେଶ କୈଳାଶେ ମୋରକତି ॥

ମୋତେ ପ୍ରଣମି ବହୁତ ସ୍ତୁତିପାଠ କରି ।

କହିଲେ ଦେବେ କେଉଁଠି ଅଛନ୍ତି କିପରି ॥

ବ୍ରହ୍ମା ବ୍ରହ୍ମଲୋକେ ନାହାନ୍ତି ପୁଣି ଶ୍ରୀହରି ।

ବୈକୁଣ୍ଠ ତେଜି କାହିଁଗଲେ ବନମାଳି ॥

ତୁମ୍ଭେ ସର୍ବଜ୍ଞ ବ୍ୟାପକ ବିଷ୍ଣ୍ୱାଦି ଦେବଙ୍କ ।

ସ୍ଥିତି କହି ନାଶକର ଆମ୍ଭର କଳଙ୍କ ॥

ଗୁରୁବାକ୍ୟେ ମୁଁ କହିଲି ବିଷ୍ଣ୍ୱାଦି ଅମରେ ।

କାମାଖ୍ୟା ଦେବୀଙ୍କୁ ନମାନିଲେ ମାନସରେ ॥

ତହୁଁ କ୍ରୁଧା ହୋଇ ଦେବୀ ଗରୁଡ଼ ସହିତ ।

ଶ୍ରୀହରିଙ୍କୁ ସିନ୍ଧୁଜଳେ କଲେ ସେ ନିପାତ ॥

ତହିଁ ମାୟାରେ ମୋହିତ କରି ରଖାଇଲେ ।

ବ୍ରହ୍ମା ଇନ୍ଦ୍ରାଦି ଯାଇଣ ସେଠାରେ ରହିଲେ ॥

ସେମାନେ ମଧ୍ୟ ମାୟାରେ ମୋହିତ ହୋଇଣ ।

ବିଷ୍ଣୁଙ୍କୁ ଆଣି ନପାରି ରହିଲେ ସେ ସ୍ଥାନ ॥

ତୁମ୍ଭେଗଲେ ସେ ସ୍ଥାନକୁ ସେପରି ରହିବ ।

ତେଣୁ ଦେବଙ୍କ ସକାଶେ ମୁଁ ଯିବି ସେଠାବ ॥

ଏତେକହି ଗୁରୁସଙ୍ଗେ ଗଲେ ତ୍ରିପୁରାରି ।

ସେ ସ୍ଥାନେ ପ୍ରବେଶି ସମସ୍ତଙ୍କୁ ଦେଖା କରି ॥

ଶ୍ରୀହରିଙ୍କୁ ପଚାରିଲେ କିମ୍ପା ତୁମ୍ଭେ ସର୍ବେ ।

ଏ ସ୍ଥାନେ ଅଚଳ ହୋଇ ରହିଛ କି ଦମ୍ଭ ॥

ଜ୍ଞାନହୀନ ହେଲାପରି ହୋଇଅଛି ସର୍ବେ ।

ଜଳଚର ପ୍ରାୟେ ଜଳେ ବୁଡ଼ିଛ ଯେ ଏବେ ॥

ଶିବବାକ୍ୟେ ଶ୍ରୀହରି କହିଲେ ଆମ୍ଭେ ଦିନେ ।

ନୀଳକୂଟ ଶୈଳକୁ ଆସି ଗରୁଡ଼ାସନେ ॥

ସେ ଶୈଳକୁ ଲଙ୍ଘି କାହିଁ ଯାଇ ନପାରିଲି ।

କାମାଖ୍ୟା ମୋତେ ଗରୁଡ଼ ସଙ୍ଗେ ଦେଲେ ଠେଲି ॥

ଆମ୍ଭେ ଆସି ପଡ଼ିଲୁ ଏ ସମୁଦ୍ର ଜଳରେ ।

ତାଙ୍କ ମୟାମୋହିତ ହୋଇ ରହୁଁ ଏଠାରେ ॥

ତହୁଁ ବ୍ରହ୍ମା ମୋତେ ଖୋଜି ଏ ସ୍ଥାନେ ଆସିଲେ ।

ମାୟାମୋହ ବଶେ ପୁଣି ଯାର ନପାରିଲେ ॥

ଇନ୍ଦ୍ରାଦି ଅମରେ ଆମ୍ଭଙ୍କୁ ନେବା ଆଶାରେ ।

ଆସି ରହିଛନ୍ତି ମାୟାମୋହେ ସର୍ବ ସୁରେ ॥

ତୁମ୍ଭେ ଦୟାକରି ଆମ୍ଭମାନଙ୍କୁ ଉଦ୍ଧାର ।

ଆମ୍ଭେ ଯାଇ ଦେବୀଙ୍କୁ ଆରାଧିବୁ ସରର ॥

ତହୁଁ ମୁଁ କହିଲି ତୁମ୍ଭେ କାମାଖ୍ୟା କବଚ ।

ତହୁଁ ମୁଁ କହିଲି ତୁମ୍ଭେ କାମାଖ୍ୟା ନିକଟ ॥

ସେ କବଚ ବନ୍ଧ ହୋଇଥିବାରୁ ସହଜେ ।

ମୁଁ ଗୁରୁଙ୍କ ସଙ୍ଗେ ଆସିଲି ସେ ପଦବ୍ରଜେ ॥

ସେ କବଚ ମୋହଠାରୁ ଶୁଣ ସର୍ବଦେବେ ।

ଉଦ୍ଧାର ହୋଇଣ ଯିବ କାମାଖ୍ୟାଙ୍କ ଠାରେ ॥

ଏ କାମାଖ୍ୟା କବଚର ରଖି ବୃହଷ୍ପତି ।

ଅନ୍ୱଷ୍ଟୁପଛନ୍ଦ ଦେବୀ କାମେଶ୍ୱରୀ ତଥି ॥

ସର୍ବସିଦ୍ଧି ବିନିଯୋଗ ଶୁଣ ସର୍ବଦେବେ ।

କାମେଶ୍ୱରୀ ଚକ୍ଷୁଦ୍ଵୟକୁ ତୁମ୍ଭର ରଖିବେ ॥

ଶାରଦା କର୍ଣ୍ଣସ୍ଵୟକୁ ତ୍ରିପୁରା ବଦନ ।

ମହାମାୟା କଣ୍ଠ କାମେଶ୍ୱରୀ ହୃଦ ପୁଣ ॥

କାମାଖ୍ୟା ଉଦର ଶାରଦା ନାଭି ରଖନ୍ତୁ ।

ତ୍ରିପୁରା ଦୁଇପାର୍ଶ୍ଵକୁ ତୁମ୍ଭର ଜଗନ୍ତୁ ॥

ମହାମାୟା ମେଢ଼ କାମେଶ୍ୱରୀ ଗୁହ୍ୟସ୍ଥଳ ।

ଉରୁଦ୍ଵୟ କାମାଖ୍ୟା ଶାରଦା ଜାନୁତଳ ॥

ତ୍ରିପୁରା ଜଙ୍ଘଦୁହିଙ୍କୁ ପାଦ ମହାମାୟା ।

କୋଟେଶ୍ଵରୀ କେଶ ନାଶା ଦୀର୍ଘିକା ଯେ ଛାୟା ॥

ଭୈରବୀ ଦନ୍ତ ସମୂହ ଅଙ୍ଗ ଯେ ମାତଙ୍ଗୀ ।

ଲଳିତା ବାହୁକୁ କର ବନବାସିନ୍ୟଙ୍ଗୀ ॥

ବିନ୍ଧ୍ୟବାସିନୀ ଅଙ୍ଗୁଳି ନଖକୁ ଶ୍ରୀକାମା ।

ରୋମକୂପେ ଗୁପ୍ତକାମା ରଖନ୍ତୁ ସେହି ମା ॥

ପାଦାଙ୍ଗୁଳି ପାର୍ଣ୍ଣିଭାଗ ରଖ ଭୁବନେଶୀ ।

ସେ ତୁ ଜିହ୍ଵାରଖ କଣ୍ଠ ମଧ୍ୟକୁକି ବେଶି ॥

ନ ବକ୍ଷସ୍ଥଳକୁଇ ଜଠର ରକ୍ଷାକର ।

ସାମୀନ୍ଦୁ ବସ୍ତିକୁ ରଖ ଚର୍ମକୁ କକାର ॥

ଅସ୍ଥିକୁ ଅକାର ରଖ ଲକାର ନାଡ଼ିକୁ ।

ଈକାର ସର୍ବସନ୍ଧିକୁ ସ୍ନାୟୁଚନ୍ଦ୍ର ରଖୁ ॥

ବିନ୍ଦୁ ମଜ୍ଜାରଖୁ ସର୍ବଦିଗେ ମୋତେ ରଖ ।

ବୈଷ୍ଣବୀଙ୍କ ଅକାରାଦି ସେ ଅଷ୍ଟ ଅକ୍ଷର ॥

ଜନ୍ମବୃଦ୍ଧିକୁ ରଖନ୍ତୁ ହୋଇଣ ତତ୍ପର ।

ସେତୁ ଦ୍ୱୟ ଊର୍ଦ୍ଧ୍ୱଅଧ ଦିଗେ ରକ୍ଷାକର ॥

ଶାରଦା ମନ୍ତ୍ରରେ ଅଛି ଯେଉଁ ନବାକ୍ଷର ।

ସେ ମୋ ନବସ୍ୱର ନାସାଦିକୁ ରକ୍ଷାକର ॥

ତ୍ରିପୁରା ତ୍ରିବର୍ଣ୍ଣ ପିତ୍ତ କଫ ଯେ ସମୀର ।

ସେହି ସେତୁଦ୍ୱୟ ଭୂତ ପିଶାଚକ୍ରବ୍ୟାଦ ।

ଭୟରୁ ଆମ୍ଭଙ୍କୁରଖ ନୀଳଭୁଁ ବିଷାଦ ॥

କାମେଶ୍ୱରୀ ଦେବୀ ମହାମାୟା ଜଗନ୍ମୟୀ ।

ଯେ ଆଦ୍ୟ ପ୍ରକୃତି ନିତ୍ୟା ନମୁଁ ତାଙ୍କୁ ଯାଇ ॥

ଅନ୍ଧମାଳା ବରାଭୟ ସିଦ୍ଧ ସୂତ୍ରକରା ।

ଶ୍ଵେତ ପ୍ରେତପରେ ସ୍ଥିତା ସ୍ଵର୍ଣ୍ଣ ରତ୍ନହାରା ॥

ସୁକୁଙ୍କୁମା ପୀତବର୍ଣ୍ଣା ଜ୍ଞାନ ଧ୍ୟାନ ଦାତ୍ରୀ ।

ଅତିନମ୍ରା ବ୍ରହ୍ମେନ୍ଦ୍ରାଦି ଦେବ ମୋକ୍ଷକର୍ତ୍ତ୍ରୀ ॥

ଅଗ୍ନିରେ ବିନ୍ଦ୍ୱନ୍ତମନ୍ତ୍ର ପ୍ରିୟା ରତିସ୍ଥିତା ।

କାର୍ଯ୍ୟ ସିଦ୍ଧିପାଇଁ ନମୁଁ ଦେବୀଙ୍କୁ ସର୍ବଥା ॥

ମଧ୍ୟଭାଗେ ସଦା ନମା ଭାବ ହାବ ଯୁତା ।

ତ୍ରିଲୋକରେ ସୁପ୍ରକାଶା ସର୍ବ ଗୁଣାନ୍ଵିତା ॥

ବିଦ୍ୟା ଅବିଦ୍ୟା ସ୍ୱରୂପା ଶମନ ଶମନୀ ।

ପବିତ୍ର ପ୍ରଣବ ବରହସ୍ତା କାମାର୍ଥନୀ ॥

ଆମ୍ଭଙ୍କୁ ସର୍ବଦା ରଖ କାମେଶ୍ଵରୀ ଦେବୀ ।

ତୁମ୍ଭେ ସର୍ବଜୀବ ରକ୍ଷାକର ସଦା ଭାବି ॥

ଶିବୋକ୍ତ କବଚ ଦେହେରଖି ଦେବଗଣେ ।

ହରି ବିଧିସହ ଏଥୁଁ ଉଦ୍ଧାର ଏକ୍ଷଣେ ॥

ଏ କାମାଖ୍ୟା କବଚକୁ ଯେହୁ ପଢ଼େ ଥରେ ।

ତାର ଅନୁଗାମୀ ଦେବୀ ହୁଅନ୍ତି ସତ୍ୱରେ ॥

ଆଧି ବ୍ୟାଧି ହିଂସ୍ର ଅଗ୍ନି ଜଳ ଶତ୍ରୁ ରାଜା ।

ତାହାକୁ ଡରାନ୍ତି ସର୍ବେ ରଖନି ଗିରିଜା ॥

ଦୀର୍ଘାୟୁ ବହୁ ଭୋଗୀ ସେ ପୁତ୍ର ପୌତ୍ରଯୁତ ।

ଶତେବାର ପଡ଼ି ଦେବୀପୁରେ ବସେ ନିତ୍ୟ ॥

ଯେକୌଣସି ସ୍ଥାନେ ବନ୍ଧା ହୋଇଥିଲେ ଜନ ।

କବଚ ସ୍ମରଣେ ମୁକ୍ତି ଲଭର ତତ୍‌କ୍ଷଣ ॥

ଈଶ୍ୱର ଉବାଚ

ଏ କବଚ ଶୁଣି ହରି ଧାତା ଇନ୍ଦ୍ର ଆଦି ।

ସ୍ଵଦେହେ କବଚ ନ୍ୟାସ କଲେ ଯଥା ବିଧି ॥

କବଚନ୍ୟାସ ମାତ୍ରକେ ସାଗରୁ ଡେଇଁଣ ।

ଭୂମିରେ ପ୍ରବେଶ ହେଲେ ସର୍ବ ଦେବଗଣ ॥

ତହୁଁ ନୀଳକୂଟ ଶୈଳକୁ ସେ ଗଲେ ଚଳି ।

କାମାଖ୍ୟାଦେବୀ ଦର୍ଶନେ ତାଙ୍କ ମନ ବଳି ॥

ଦେବୀଙ୍କୁ ଦେଖି ପ୍ରଣାମ କଲେ ବାରମ୍ବାର ।

ଦେବୀଙ୍କ ଆଗେ ଜଣାନ୍ତି ପ୍ରଭୁ ଚକ୍ରଧର ॥

ତୁମ୍ଭ ମହିମା ଅତି ଅଗୋଚର ଜାଣିଲି ।

ପ୍ରକୃତି ପୃଥିବୀ ବନ ଜଗନ୍ମାତା ବୋଲି ॥

ସର୍ବଜଗତର କର୍ତ୍ତୀ ବିଦ୍ୟା ମୁକ୍ତିଦାତ୍ରୀ ।

ପରାପରାତ୍ମିକା ସ୍ଥୂଳ ସୃକ୍ଷ୍ମରୂପ ଧାରୀ ॥

ହେ ମହାଦେବୀ ପ୍ରସନ୍ନା ହୁଅ ଆମ୍ଭଠାରେ ।

ଚତୁବର୍ଗ ଫଳ ଦିଅ ଜଣାଉଛୁଁ ବାରେ ॥

ଶ୍ରୀହରିଙ୍କ ବାକ୍ୟେ ତୋଷଲଭି କାମେଶ୍ୱରୀ ।

ପ୍ରତ୍ୟକ୍ଷେ ଦର୍ଶନ ଦେଇ କହିଲେ ଉଚ୍ଚାରି ॥

ଦେବ୍ୟୁବାଚ

ହେ କେଶବ ବ୍ରହ୍ମାଆଦି ସର୍ବ ଦେବଗଣେ ।

ମୋ ଯୋନି ଜଳରେ ସ୍ନାନ ପାନକର କ୍ଷଣେ ॥

ତହୁଁ ଅହଙ୍କାର ଶୂନ୍ୟ ମହାବଳବାନ ।

ହୋଇ ଗରୁଡ଼ ଆରୋହି ଯାଅ ନିଜ ସ୍ଥାନ ॥

ଦେବୀବାକ୍ୟେ ସର୍ବଦେବେ ହରିବିଧି ଆଦି ।

ଯୋନିମଣ୍ତଳ ଜଳରେ ସ୍ନାନାଦି ସମ୍ପାଦି ॥

ଦେବୀ ଅନୁମତେଗଲେ ସ୍ୱର୍ଗକୁ ଚଳିଣ ।

ପଥରେ ଦେଖିଲେ କାମାଖ୍ୟାଙ୍କୁ ସ୍ଵନେତ୍ରେଣ ॥

ସହସ୍ରେ ନୀଳପର୍ବତ ସେ ଯୋନିମଣ୍ଡଳ ।

ଊର୍ଦ୍ଧ୍ୱ ଅଧକ୍ରମେ ରହିଛନି ସେହି ସ୍ଥଳ ॥

ତହିଁରେ ଆରୋହି ଦେବେ ସେ ଯୋନି ଜଳରେ ।

ସ୍ନାନପାନ କରି ସୁଖୀହେଲେ ଆନନ୍ଦରେ ॥

ନୀରୋଗୀ ହୋଇ ଚଳିଲେ ନିଜ ନିଜ ପୁରେ ।

ମନେ ବିସ୍ମୟ ଲଭିଲେ କାମାଖ୍ୟା ମାୟାରେ ॥

ସ୍ତୁତିକରି କାମାଖ୍ୟାଙ୍କ ସେ ଯୋନିମଣ୍ଡଳ ।

ଗୁରୁଙ୍କ ସହତ ମୋତେ ନମି ବାରମ୍ବାର ॥

କାମାଖ୍ୟାଙ୍କ ମହିମା ତାଙ୍କ କବଚ ଗୁଣ ।

ବେତାଳ ଭୈରବ ଶୁଣି ମନେରଖ ପୁଣ ॥

ଯାହା ଯୋନି ଶିଳାଯୋଗେ ଲୋହ ସ୍ଵର୍ଣ୍ଣ ହୁଏ ॥

ଯହିଁ ସ୍ନାନପାନ ଥରେ ମାନବ ଯେ ପାଏ ॥

ସେ ଜନ୍ମନୋହିଣ ମୋକ୍ଷଗତିକୁ ଲଭଇ ।

ପ୍ରଭାକର ଗୀତେ କାଳିକା ପୁରାଣ କହି ॥

 

ଇତି ଶ୍ରୀ କାଳିକାପୁରାଣେ କାମାଖ୍ୟା କବଚ

ମାହାତ୍ମ୍ୟ ବର୍ଣ୍ଣନଂ ନାମ

ଷଟ୍‍ସପ୍ତତିତମୋଽଧ୍ୟାୟଃ

✽✽✽

 

॥ ୭୭ ॥

 

ଶ୍ରୀ ଈଶ୍ୱର ଉବାଚ

ମାତୃକାନ୍ୟାସ କହିବା ଶୁଣ ମନଦେଇ ।

ଯେ ନ୍ୟାସରେ ନର ଦେବତ୍ଵକୁ ଲଭେ ତହିଁ ॥

ବ୍ରହ୍ମାଣୀ ପ୍ରମୁଖାଦେବୀ ମାତୃକା ବୋଲାନ୍ତି ।

ସେମାନଙ୍କ ମନ୍ତ୍ରତନ୍ତ୍ର ସ୍ଵର ହଳ ହ୍ୱନ୍ତି ।

ଚନ୍ଦ୍ରବିନ୍ଦୁ ଯୁକ୍ତ ହେଲେ ସର୍ବ କାମପ୍ରଦ ॥

ମାତୃକା ନ୍ୟାସରେ ବ୍ରହ୍ମା ଋଷିରୂପେ ବନ୍ଦ୍ୟ ॥

ଗାୟତ୍ରୀ ଛନ୍ଦ ସରସ୍ଵତୀ ଦେବତା ତହିଁ ।

ଦେହ ଶୁଦ୍ଧାଦି ସର୍ବକାମ ସିଦ୍ଧି ଲଭଇ ॥

ଅକରାଦିକ ବର୍ଗ ଆକାରାନ୍ତ ସଚନ୍ଦ୍ର ।

ଅଙ୍ଗୁଷ୍ଠଦ୍ଵୟରେ ନ୍ୟାସ କରିବ ଅତିନ୍ଦ୍ର ॥

ଇକାରାଦି ତବର୍ଗ ଈଅନ୍ତ କରିଣ ।

ତର୍ଜନୀ ଦ୍ୱୟରେ ନ୍ୟାସ କରିବ ଯେ ଜାଣ ॥

ଉକାରାଦି ଟବର୍ଗକୁ ଊଅନ୍ତ କରିବ ।

ମଧ୍ୟମାଦ୍ୱୟେ ପୁଣି ନ୍ୟାସ କରାଇବ ॥

ଏକାରାଦିତ ବର୍ଗକୁ ଐକାରାନ୍ତ କର ।

ଅନାମିକାଦ୍ଵୟେ ନ୍ୟାସ କରିବ ସେପରି ॥

ଓକାରାଦି ପବର୍ଗକୁ ଔକାରାନ୍ତ କରି ।

କନିଷ୍ଠା ଅଙ୍ଗୁଳିଦ୍ୱୟେ ନ୍ୟାସ ହୁଏ ତାର ॥

ଅଂ ଆଦି ଯ ଆଦିକ୍ଷାନ୍ତ ଅଃ ଅନ୍ତକରିଣ ।

କରତଳେ କରପୃଷ୍ଠେ ନ୍ୟାସ କର ପୁଣ ॥

ଏହିମନ୍ତ୍ରେ ହୃଦୟାଦି ଅଙ୍ଗନ୍ୟାସ କର ।

କରାଙ୍ଗ ନ୍ୟାସରେ ପୂଜା ବିଧି ଅଟେ ସାର ॥

ପୁଣି ପାଦ ଜାନୁ ସକ୍‌ଥ ଗୁହ୍ୟପାର୍ଶ୍ଵ ବସ୍ତି ।

ଏହି ମନ୍ତ୍ର ପୂର୍ବପରି ନ୍ୟାସ ଯେ କରନ୍ତି ॥

ବାହୁ କର କଟି ନାଭି ଉଦର ସ୍ତନରେ ।

ପୂର୍ବପରି ଏହି ମନ୍ତ୍ର ନ୍ୟାସକର ବାରେ ॥

ମୁଖ ଚିବୁକ ଗଣ୍ଡ କର୍ଣ୍ଣ ଯେ ଲଲାଟରେ ।

ସ୍କନ୍ଧ କକ୍ଷେ ନ୍ୟାସକର ସେହି ପୂର୍ବ ମନ୍ତ୍ରେ ॥

ରୋମକୂପ ବ୍ରହ୍ମରନ୍ଦ୍ର ଗୁଦ ଜଙ୍ଘା ଯୁଗେ ।

ନଖ ପାଦପାର୍ଷ୍ଣିରେ ନ୍ୟାସିବ ମନ୍ତ୍ରଯୋଗେ ॥

ଏଭାବେ ମାତୃକାନ୍ୟାସ ଯେଜନ କରିବ ।

ସର୍ବ ଯଜ୍ଞ ପୂଜାରେ ସେ ଯୋଗ୍ୟ ବୋଲାଇବ ॥

ମନ୍ତ୍ର ମଧ୍ୟରେ ମାତୃକା ପ୍ରଧାନ ଅଟଇ ।

ସର୍ବକାମ ଚତୁବର୍ଗ ପୁଣି ଫଳ ଦେଇ ॥

ବାଗ୍‌ଦେବୀଙ୍କୁ ହୃଦେଚିନ୍ତି ସମସ୍ତ ଅକ୍ଷର ।

ସକ୍ରମେ ମାତୃକା ମନ୍ତ୍ର ବୋଲି ତିନିଥର ॥

ଜଳମନ୍ତ୍ରୀ ସେଜଳକୁ ପାନକଲେ ନର ।

ବାଗ୍ମୀ ପଣ୍ତିତ ଧୀମାନ ହୁଏ କବିବର ॥

ସ୍ଵରବର୍ଣ୍ଣକୁ ଚନ୍ଦ୍ରବିନ୍ଦୁରେ ଯୋଗକରି ।

ବ୍ୟଞ୍ଜନକୁ କେବଳ ପଢ଼ିବ ସେହିପରି ॥

ଅକାରାଦି କ୍ଷକାରାନ୍ତ ପୂରକ ଶ୍ଵାସରେ ।

ଜଳ ହସ୍ତେଧରି ମନ୍ତ୍ରିବ ସେ ଅକ୍ଷରରେ ॥

ସେ ଜଳକୁ ପିଇ ପୁଣି କୁମ୍ଭକ ରେଚକେ ।

ତେବେ ଦୃଢ଼ାଙ୍ଗ ପଣ୍ଡିତା ପୁତ୍ର ପୌତ୍ର ଦେଖେ ॥

ତ୍ରିସନ୍ଧ୍ୟାରେ ମାତୃକା ମନ୍ତ୍ରିତ ଜଳପାନେ ।

କବିହୋଇ ସର୍ବକାମ ଲଭଇ ବହନେ ॥

ବଳବାନ ସତ୍ୟବାଦୀ ସର୍ବପ୍ରିୟ ହୁଏ ।

ସକଳ ଲୋକରେ ସମ୍ମାନକୁ ଲଭୁଥାଏ ॥

ରାଜା ରାଜପୁତ୍ର ସୁନ୍ଦରୀ ନାରୀମାନଙ୍କୁ ।

ଅନାୟାସେ ବଶକରେ କହିଲି ତୁମ୍ଭଙ୍କୁ ॥

ଦେବଋଷି ରାକ୍ଷସଙ୍କ ଯେଉଁ ମନ୍ତ୍ରଗଣ ।

ସେସର୍ବ ମାତୃକାମନ୍ତ୍ରେ ପ୍ରତିଷ୍ଠିତ ଜାଣ ॥

ଏ ସର୍ବ ମନ୍ତ୍ର ସ୍ଵରୂପ ସର୍ବବେଦମୟ ।

ଚତୁବର୍ଗ ପଦ ଏ ମାତୃକା ମନ୍ତ୍ର ଚୟ ॥

କହିଲି ମାତୃକା ମନ୍ତ୍ର ତୁମ୍ଭରି ଆଗରେ ।

ମୁଦ୍ରା ବିଭାଗକୁ ଶୁଣ କହିବା ଏବାରେ ॥

 

କାମାଖ୍ୟା ଶ୍ରୀହରିଙ୍କ ଚରଣ ପଦ୍ମେ ମନ ।

ରଖି ପ୍ରଭାକର ରଚେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ସପ୍ତସପ୍ତିତିତମୋଽଧ୍ୟାୟଃ ।

✽✽✽

 

॥ ୭୮ ॥

 

ଶ୍ରୀ ଈଶ୍ୱର ଉବାଚ

ଯେଉଁ ଯୋନିମୁଦ୍ରା କହିଛି ତୁମ୍ଭ ଆଗରେ ।

ସେ ଅଷ୍ଟପ୍ରକାର ହୁଏ ଶୁଣ ମନ ସ୍ଥିରେ ॥

ଖେଚରୀ ମୁଦ୍ରା କାମାଖ୍ୟାଙ୍କ ପ୍ରିୟଦାୟିନୀ ।

କହିବା ତାର ଲକ୍ଷଣ ଶୁଣ ମନ ଘେନି ॥

ଦକ୍ଷିଣ ଅନାମିକାକୁ ବାମ ତର୍ଜନୀରେ ।

ବାମ ତର୍ଜନୀକୁ ଦକ୍ଷ ଅନାମିକା ପରେ ॥

ଅନାମିକା ଦ୍ୱୟ ତର୍ଜନୀ ଦ୍ୱୟ ସଙ୍ଗରେ

ମଧ୍ୟେ ଦୁହିଁଙ୍କୁ ସଂଯୋଗି ଅନାମା ଉପରେ ॥

କନିଷ୍ଠା ଦୁହିଁଙ୍କୁ ଯୋଡ଼ିବ ଅଗ୍ରଭାଗରେ ।

ଅଙ୍ଗୁଳି ଅଗ୍ରଭାଗକୁ ଯୋଡ଼ିବ ତହିଁରେ ॥

ଅଙ୍ଗୁଷ୍ଠି ଦ୍ୱୟକୁ ମୂଳେ ସଂଯୋଗ କରିବ ।

ଏହାକୁ ଖେଚରୀ ଯୋନି ମୁଦ୍ରା ଜାଣିଥିବ ॥

ଏ ମୁଦ୍ରାତଳେ କନିଷ୍ଠା ଦ୍ୱୟକୁ ଯୋଡ଼ିଲେ ।

ଗୁହ୍ୟଯୋନି ମୁଦ୍ରା ହୁଏ ଜାଣ ସୁଚିରରେ ॥

ପୂର୍ବପରି କରଦ୍ଵୟ ବେଷ୍ଟନ କରିଣ ।

କନିଷ୍ଠା ଅନାମା ସବୁ ତଳେ ନିଯୋଜିଣ ॥

ମଧ୍ୟମ ଦୁହିଙ୍କୁ ଊର୍ଦ୍ଧ୍ୱେ ସଂମୋଗ କରିଣ ।

ପରସ୍ପରରେ ସଂଯୋଗ କରିବ ହେ ପୁଣ ॥

ସେମାନଙ୍କ ମଧ୍ୟେ ପୁଣି ପରସ୍ପର ସଂଯୋଗି ।

ମଧ୍ୟମାନୁ ମଧ୍ୟେ ପୁଣି ଅଙ୍ଗୁଷ୍ଠେ ସଂଯୋଗି ॥

ଶାକରୀ ଯୋନି ମୁଦ୍ରା ବୋଲିଣ ଏହା ନାମ ।

କାମାଖ୍ୟା ଦେବୀଙ୍କର ଏ ଅତି ପ୍ରିୟତମ ॥

ମଧ୍ୟମା ଦ୍ୱୟକୁ ଅନାମିକା କନିଷ୍ଠାରେ ।

ମୂଳେ ଅଙ୍ଗୁଷ୍ଠ ଦୁଇକୁ ଯୋଡ଼ିଲେ ତହିଁରେ ॥

ଶାରଦୀ ମୁଦ୍ରା ହୁଅଇ ଶାରଦା ତୁଷ୍ଟିଦା ।

ମନେ ରଖିଥିବ ସବୁବେଳେ ଏହି ମୁଦ୍ରା ॥

ତର୍ଜନୀକୁ ମଧ୍ୟେ ଅନାମାକୁ କନିଷ୍ଠାରେ ।

ହସ୍ତ ଦୁହିଁଙ୍କୁ ଯୋଡ଼ିବ କନିଷ୍ଠ ମୂଳରେ ॥

ଅଙ୍ଗୁଷ୍ଠି ଅଗ୍ର ଯୋଡ଼ିଲେ ମହାଯୋନି ହୁଏ ।

କହିଲି ସଂଶୟ ଛେଦ କର ଏବେ ଭଲେ ॥

ଅଙ୍ଗୁଷ୍ଠ ଦ୍ଵୟେ ସର୍ବ ଅଙ୍ଗୁଳି ଯୋଗକରି ।

ମଧ୍ୟକୁ ଛାତି ଅଗ୍ରରେ ଯୋଡ଼ିଲେ ସେପରି ॥

ଯୋଗିନୀ ମୁଦ୍ରା ହୁଅଇ ଯୋଗିନୀଙ୍କ ପ୍ରିୟା ।

ଏହି ଅଷ୍ଟ ଯୋନିମୁଦ୍ରା ଦେବୀଗଣ ପ୍ରିୟା ॥

ଯାତ୍ରା ଯୁଦ୍ଧ ବିବାଦ କହଳ ସମୟରେ ।

ଅଷ୍ଟଯୋନି ମୁଦ୍ରାଙ୍କୁ ସ୍ମରିବ ଯେ ମନରେ ॥

ତାହାର ଜୟ ହୁଅଇ ଏକଥା ନିଶ୍ଚୟ ।

ବିସର୍ଜନ ପୂଜାକାଳେ ମୁଦ୍ରା କରିଥାଅ ॥

ଦେହରେ ମନ୍ତ୍ରର ନ୍ୟାସ ରହସ୍ୟ ବୋଲାଏ ।

କାମାଖ୍ୟା ମଣ୍ଡଳ ଷଟ୍‍କୋଣ ଦଳ ମଧ୍ୟେ ଯେ ॥

ମୂଳମନ୍ତ୍ର ତିନିବାର ଲେଖି ତ୍ରି ସନ୍ଧିରେ ।

ବିଧି ହର ଇନ୍ଦ୍ର ଲେଖ କାମ ସହିତରେ ॥

ଭୁଜପତ୍ରେ ସୂତ୍ର ସହସ୍ର ପ୍ରସ୍ଥରେ ବାନ୍ଧି ।

ଦକ୍ଷିଣ ହସ୍ତେ ମାଳାଳୁ ଜପିକର ସିନ୍ଧି ॥

ତାପରେ ସେ ଭୁଜପତ୍ର ଦକ୍ଷହସ୍ତେ ବାନ୍ଧି ।

ତେବେ ସର୍ବତ୍ର ବିଜୟ ହେବ ଜାଣି ବିଧି ॥

ସମସ୍ତଙ୍କୁ ବଶକରି ଦୀର୍ଘ ଆୟୁ ପାଏ ।

ମୃତେ ଦେବୀଲୋକେ ଯାଇ ସୁଖରେ ସେ ରହେ ॥

ଷଟ୍‌କୋଣକୁ ଅଷ୍ଟଦଳ ବେଷ୍ଟନ କରିଣ ।

ଅଳତାରେ ଭୁଜପତ୍ରେ ଲେଖି ଅଷ୍ଟବର୍ଣ୍ଣ ॥

ଭତ୍ତରାଦିକ୍ରମେ ମଧ୍ୟେ କାମକୁ ଲେଖିବ ।

ତ୍ରିକୋଣାଗ୍ରେ ନେତ୍ରବିଜ ଅକ୍ଷର ନ୍ୟାସିବ ॥

ଏପରି ତ୍ରିବାର କରି ଯନ୍ତ୍ର ବାମ କରେ ।

ତ୍ରିସହସ୍ର ମନ୍ତ୍ର ଜପ କରିବ ମାଳାରେ ॥

ଜପଶେଷେ ବୈଷ୍ଣବୀଙ୍କୁ ଧ୍ୟାନକରି ମନେ ।

ପ୍ରାଣାୟାମ ସହସ୍ରେକ କରିବ ଯତନେ ॥

ସେ ଯନ୍ତ୍ରକୁ ଗଳାରେ ଧାରଣ କଲେ ଜନ ।

ସର୍ବଜୟୀ ରାଜାହୁଏ ଏ ସାର ବଚନ ॥

କବି ବାଗ୍ମୀହୁଏ ସେହି ନିର୍ଭୟ ହୁଅଇ ।

ରାକ୍ଷସ ପିଶାଚ ଭୂତଗଣ ଡରେ ରହି ॥

ଦୀର୍ଘାୟୁ ବଳୀ ପଣ୍ଡିତ ମୃତେ ମୋକ୍ଷଲଭେ ।

ଏଥିରେ ସନ୍ଦେହ ନାହିଁ କହିଲି ସୁଲଭେ ॥

ଯେ ବସ୍ତ୍ର ଉତ୍ତରୀୟକୁ ମନ୍ତ୍ରିଣ ମନ୍ତ୍ରରେ ।

ପିନ୍ଧିଣ ତାର ମହିମା ଶୁଣ ଏକାଗ୍ରରେ ॥

ତାଦେହେ ଶସ୍ତ୍ରନକାଟେ ଅଗ୍ନି ଯୋଡ଼େ ନାହିଁ ।

ଜଳ ନ ବୁଡ଼ାଏ ଭୂତ ପ୍ରେତ ଡର ନାହିଁ ॥

ସର୍ବତ୍ର ଗମର କେହି ନିଷେଧ ନକରେ ।

ଦେବ ନୃପ ନାରୀଙ୍କୁ ସେ ବଶ କରିପାରେ ॥

ବାଗ୍ମୀ ଚିରଜୀବୀ ହୋଇ ନୃପତି ବୋଲାଏ ।

କବି ପଣ୍ଡିତ ହୋଇ ସେ ଶତ୍ରୁଜୟୀ ହୁଏ ॥

ଆଧିବ୍ୟାଧି ନହୁଅଇ ଦେବୀପୁତ୍ର ସମ ।

ମୃତାନ୍ତେ ମୋକ୍ଷଲଭଇ ନାହିଁ ଏଥି ଭ୍ରମ ॥

ତ୍ରିପୁରାଙ୍କ ସର୍ବମନ୍ତ୍ର ତ୍ରୟୋଦଶ ଯୁକ୍ତ ।

ବିଂଶସହସ୍ର ସଂଖ୍ୟାରେ ହୁଏ ପରିଣଥ ॥

ଆଦ୍ୟ ଯେ ବାଗ୍‌ଭାବମନ୍ତ୍ର ତହୁଁ କାମ ମନ୍ତ୍ର ।

ତୃତୀୟ ମୋହନ ଚତୁର୍ଥରେ ବାଗଭବାନ୍ତ ॥

ଦ୍ୱିତୀୟ ଯେ ନେତ୍ରବୀଜ ଦ୍ୱିରୁକ୍ତ ବାଗ୍‌ଭବ ।

ଆଦ୍ୟକୁ ପଞ୍ଚମ କହି ଚାରିବର୍ଣ୍ଣେ ଭାବ ॥

ନେତ୍ରବୀଜ କାମବୀଜ ତୃତୀୟ ବାଗ୍‌ଭବ ।

ଏ ଭାବେ ସେ ତ୍ରୟୋଦଶ ସଂଖ୍ୟାରେ ଗଣିବ ॥

ଏ ତେରମନ୍ତ୍ରକୁ ଜପି ଭୁଜପତ୍ରେ ଲେଖି ।

ଧାରଣକଲେ ସର୍ବତ୍ର ହୋଇଥାଏ ସୁଖୀ ॥

ପ୍ରତ୍ୟକ୍ଷେ ଗଣେଶସମ ହୁଅଇ ପଣ୍ଡିତ ।

ଧନଧାନ୍ୟ ଗୋମହିଷ ବହୁପୁତ୍ର ଯୁତ ॥

ଆଧିବ୍ୟାଧି ରହିତ ହୋଇ ସୁଖେ ବିହରେ ।

ଅନ୍ତେ ଦେବୀପୁରେ ବସେ କହିଲି ତୁମ୍ଭରେ ॥

ଶକ୍ତିକୁ ଲିଙ୍ଗରେ ଭେଦ ଲିଙ୍ଗକୁ ଶକ୍ତିରେ ।

ଷଟ୍‌କୋଣ କେଶର ତହିଁ ଲେଖିବ ଯତ୍ନରେ ॥

ମଧ୍ୟା ତ୍ରିପୁରାଙ୍କ ଯେପରି ଦ୍ଵାରମଣ୍ଡଳ ।

ସେପରି ଏଠାରେ ରହି ଲେଖିବି ସଭର ॥

ପାପୋତ୍ସାରଣ ଭୂମ୍ୟାଦି ଶୋଧନ କରିଣ ।

ଅର୍ଘ୍ୟସ୍ଥାପନ କରିବ କରି ଜଳଦାନ ॥

ପୂର୍ବ ଉତ୍ତର ତନ୍ତ୍ରୋକ୍ତ ବିଧି ଏହିଠାରେ ।

ଦହନ ପ୍ଳବନ ପାତ୍ର ପ୍ରତିପତ୍ତି ପରେ ॥

ଦେହନ୍ୟାସକରି ରୂପକୁ ଚିନ୍ତା କରିବ ।

ଚତୁର୍ଭୁଜା ରକ୍ତବର୍ଣ୍ଣା ରକ୍ତବସ୍ତ୍ରା ଭାବ ॥

ଦକ୍ଷିଣ ଊର୍ଦ୍ଧ୍ୱହସ୍ତରେ ମାଳା ତଳ କରେ ।

ପୁସ୍ତକ ବାମ କରରେ ବରାଭୟ ଧରେ ॥

ସହସ୍ର ସୂର୍ଯ୍ୟାସକାଂଶା ତ୍ରିନେତ୍ର ମନ୍ଥରା ।

ପୀନ ତୁଙ୍ଗସ୍ତନୀ ସିତ ପ୍ରେତାସିନା ଧୀରା ॥

ସ୍ମୀତମୁଖୀ ସର୍ବାଳଙ୍କାର ଭୂଷିତା ଦେବୀ ।

ଶିର ବକ୍ଷ କଟିରେ ମୁଣ୍ଡମାଳା ସମ୍ଭବି ॥

ତ୍ରିଗୁଣା ମଦିରା ପୂର୍ଣ୍ଣ ନୟନା ରକ୍ତୋଷ୍ଠୀ ।

ତ୍ରିପୁର ଭୈରବୀଙ୍କୁ ଚିନ୍ତିବ ଦେଇ ଦୃଷ୍ଟି ॥

ପୁଷ୍ପବାଣ ଧନୁପାଶଧାରିଣୀ ତ୍ରିପୁରା ।

କୁଣପାରୁତାଙ୍କୁ ଚିନ୍ତିବ ହୋଇଣ ତ୍ଵରା ॥

ବ୍ରାହ୍ମ ମୁହୂର୍ତ୍ତରେ ଉଠି ପରମ ଗୁରୁଙ୍କୁ ।

ଗୁରୁ ତ୍ରିପୁର ଭୈରବୀ ଚିନ୍ତିବ ଏହାଙ୍କୁ ॥

ମୁତ୍ରପୁରିଷ ତେଜି ଦନ୍ତଧାବନ କରି ।

ପ୍ରାତଃସ୍ନାନକୁ କରିବ ତ୍ରିପୂରାଙ୍କୁ ସ୍ମରି ॥

ତ୍ରିପୁରା ବୀଜରେ ତିନିବାର ସ୍ନାନସାରି ।

ଏହି ମନ୍ତ୍ରକୁ ପଢ଼ିବ ମନୋମଧ୍ୟେ ଧରି ॥

ଆପଃ ପୁନନ୍ତୁ ପୃଥିବୀ ତ୍ରିପୁର ଭୈରବୀ ।

କହି ଆଚମନ କରି ଦ୍ରୁପଦାକୁ ଭାବି ॥

ଇଦଂ ବିଷ୍ଣୁମନ୍ତ୍ରେ ଭିରବ ଯୋଗ କରିଣ ।

ମୃତିକା ଆଲମ୍ବନ କରିବ ତହିଁ ପୁଣ ॥

ମାର୍ତ୍ତଣ୍ଡ ଭୈରବ ବୋଲି ସୂର୍ଯ୍ୟେ ଅର୍ଘଦେବ ।

ଉଦୁତ୍ୟ ମନ୍ତ୍ରରେ ଭୈରବ ଯୋଗ କରିବ ॥

ତର୍ପଣରେ ବ୍ରହ୍ମଭୈରବ ତୃପ୍ତଂତାଂ କହି ।

ପିତୃଙ୍କୁ ଭୈରବ ରୂପେ ଭାବିବ ଯେ ତହିଁ ॥

ମଦିରାପାତ୍ର ରକ୍ତବସ୍ତ୍ରାନାରୀ ନରର ।

ଶିରକୁ ଚିନ୍ତି ଭୈରବୀରୂପ ଚିନ୍ତାକର ॥

ଏକତ୍ର ଯୁବତୀନାରୀ ବହୁ ଚିନ୍ତାକରି ।

ତ୍ରିପୁରା ପ୍ରୀତ୍ୟର୍ଥେ ମାନସିକ ପୂଜାସାରି ॥

ଭୈରବଙ୍କୁ ଭୈରବୀ ପ୍ରଦାନ ମନେ କରି ।

ଥରେ ମଦିରା ପ୍ରଦାନ କରିବ ଉଚ୍ଚାରି ॥

ଏ ବାମ ଭାଗରେ ତ୍ରିପୁରାଙ୍କ ପୂଜାକର ।

ବାମ ଦକ୍ଷିଣରେ ବାଳାଙ୍କୁ ପୂଜା ତତ୍ପର ॥

ଶ୍ମଶାନଭୈରବୀ ଉଗ୍ରତାରା ଚଣ୍ଡୀତାରା ।

ଉଚ୍ଛିଷ୍ଟଭୈରବୀ ତ୍ରିପୁର ଭୈରବୀ ପରା ॥

ଏମାନଙ୍କୁ ବାମଭାଗେ ପୂଜନ କରିବ ।

ଋଷିଦେବ ପିତୃନର ଦକ୍ଷିଣେ ପୂଜିବ ॥

ବାମ ଦକ୍ଷିଣ ପୂଜନେ ବହୁଫଳ ମିଳେ ।

ସଂକ୍ଷେପି କହିଲି ତୁମ୍ଭଙ୍କୁ ଯେ ଏହିକାଳେ ॥

ତ୍ରିପୁର ଭୈରବୀଙ୍କର ମନ୍ତ୍ରନ୍ୟାସ ଶୁଣ ।

ଯାହାନ୍ୟାସେ ଦେବତୁଲ୍ୟ ହୁଏ ନର ପୁଣ ॥

ଭୈରବୀ ତନ୍ତ୍ର ମନ୍ତ୍ରର ଋଷି ଯେ ଦକ୍ଷିଣ ।

ପଂକ୍ତିଛନ୍ଦ ତ୍ରିପୁର ଭୈରବୀ ଦେବୀ ପୁଣ ॥

କାମାର୍ଥ ସାଧନେ ବିନିଯୋଗ କରି ପରେ ।

ହକୁ ନାଭିରେ ମକୁବ ସ୍ତିରେ ନ୍ୟସ୍ତକଲେ ॥

ବକୁଶେଫରେ ଏକୁ ଗୁଦେ ନ୍ୟାସ କରିବ ।

ପୁଣି ହାକୁ ଉରୁଦ୍ଵୟେ ନ୍ୟାସ କରି ।

ତିନିବାର ଏମନ୍ତ୍ରକୁ ନ୍ୟାସ କରିସାରି ॥

ଦ୍ଵିତୀୟ ବୀଜର ଆଦ୍ୟ ହୃଦୟେ ନ୍ୟାସିବ ।

ଦ୍ୱିତୀୟକୁ ବାମସ୍ତନେ ନ୍ୟାସ କରିଦେବ ॥

ତୃତୀୟ ଦକ୍ଷିଣ ସ୍ତନେ ନ୍ୟାସ କରିସାରି ।

ଚତୁର୍ଥ ଉଦରେ ପଞ୍ଚମକୁ ପାର୍ଶ୍ଵେ ଧରି ॥

ଷଷ୍ଠକୁ ନାଭିରେ ନ୍ୟାସି ପୁଣି ଦୁଇଥର ।

ଏହିପରି ନ୍ୟାସ କରିବ ଏହି ମନ୍ତ୍ରର ॥

ତୃତୀୟ ବୀଜର ଆଦ୍ୟବର୍ଣ୍ଣ ମସ୍ତକରେ ।

ଦ୍ୱିତୀୟ କେଶାନ୍ତେ ତୃତୀୟକୁ ବଦନରେ ॥

ଚତୁର୍ଥ ହୃଦୟେ ନ୍ୟାସି ପୁଣି ଦୁଇଥର ।

ଏପରି ନ୍ୟାସ କରିବ ସେ ବୀଜମନ୍ତ୍ରର ॥

ଆଦ୍ୟବୀଜ ଆଦ୍ୟାକ୍ଷର ଅଙ୍ଗୁଷ୍ଠେ ନ୍ୟାସିବ ।

ଦ୍ୱିତୀୟକୁ ତର୍ଜନୀରେ ତହୁଁ ମଧ୍ୟେ ଦେବ ॥

ଏହିକ୍ରମେ ସର୍ବାଙ୍ଗୁଳି ନ୍ୟାସ ତିନିଥର ।

ତୃତୀୟ ବୀଜକୁ ଅଙ୍ଗୁଳିରେ ନ୍ୟାସ କର ॥

ତହୁଁ ତାଳ ତ୍ରୟକରି ଅସ୍ତ୍ର ବେଷ୍ଟନକୁ ।

କରି ମନ୍ତ୍ରକର୍ଣ୍ଣ ନ୍ୟାସ କର ସର୍ବାଙ୍ଗକୁ ॥

ଲିଙ୍ଗେ ରତୌ ନମକହି ବାଗ୍‌ଭାବ ବୀଜରେ

ଓ କ୍ଳୀଂ ପ୍ରୀତ୍ୟୈ ନମଃବୋଲି ହୃଦୟ ମଧ୍ୟରେ ॥

ନମୋ ଭବାୟ ବୋଲି ଭ୍ରୂ ମଧ୍ୟରେ ନ୍ୟାସିବ ।

ତ୍ରିପୁରା ବୀଜକୁ ଏହି ଭାବେ ନ୍ୟାସିଦେବ ॥

ମସ୍ତକେ ଈଶାନ ମୁଖେ ତପୁଋଷ ନ୍ୟାସ ।

ହୃଦୟେ ଘୋର କନ୍ଦର୍ପ ଆଦ୍ୟ ବୀଜେନ୍ୟାସ ॥

ଶିବଙ୍କ ପଞ୍ଚମସ୍ତକେ ପଞ୍ଚାକ୍ଷର ନ୍ୟାସ ।

ପଞ୍ଚବାଣ କାମଙ୍କର ନ୍ୟାସିବ ବିଶେଷ ॥

ଏହି ପାଞ୍ଚମନ୍ତ୍ର ଅଷ୍ଟାକ୍ତିରେ ନ୍ୟାସିବ ।

ଅଷ୍ଟଶକ୍ତି ନାମଶୁଣ କହିବା ଭୈରବ ॥

ସୁଭଗା ଭଗା ଭଗ ରୁପିଣୀ ଭଗମାଳା ।

ଅନଙ୍ଗ କୁସୁମା ପୁଣି ଅନଙ୍ଗ ମେଖଳା ॥

ଅନଙ୍ଗ ମଦନା ମଦ ବିଭ୍ରମା ମନ୍ଥରା ।

ଏହି ଅଷ୍ଟଶକ୍ତି ଦେବୀଙ୍କ ସଦୃଶ ପରା ॥

ତ୍ରିପୁର ଭୈରବୀ ତୁଲ୍ୟ ରୂପ ଗୁଣେ ଏହି ।

ଏହାଙ୍କୁ ଲଲାଟ ଭ୍ରୂମଧ୍ୟ ମୁଖକୁ ନେଇ ॥

କର୍ଣ୍ଣ କଣ୍ଠ ହୃଦ ନାଭି ଲିଙ୍ଗ ସ୍ଥାନ ମଧ୍ୟେ ।

ନ୍ୟାସ କରିବ ଶକ୍ତିଙ୍କୁ କହିଲି ସମ୍ବନ୍ଧେ ॥

ଚଉଦ ସ୍ଵରକୁ ଶିର ଲଲାଟ ଭ୍ରୂଯୁଗେ ।

କର୍ଣ୍ଣ ନେତ୍ର ଗଣ୍ଡ ନାସା ଦନ୍ତ ମୁଖ ଯୋଗେ ॥

ଏହି ଅଙ୍ଗମାନଙ୍କରେ ମନ୍ତ୍ର ନ୍ୟାସ କରି ।

ତହୁଁ ଦେବୀଙ୍କୁ ପୂଜିବ ସ୍ନେହେ ପୂର୍ବପରି ॥

ଭଗାଦି ଅଷ୍ଟ ଶକ୍ତିଙ୍କୁ ମଣ୍ଡଳାଷ୍ଟ ଦିଗେ ।

ଅମୃତାଦି ତିନିଯୋନି ତ୍ରିକୋଣର ଭାଗେ ॥

ମଧ୍ୟେ ଅଷ୍ଟଭୂଷଣକୁ ପୂଜି ମୋର ଶିରା ।

ପାଞ୍ଚଟିକୁ ପୂଜିବ ଯେ ମଣ୍ଡଳ ମଧ୍ୟର ॥

ନିର୍ମାଲ୍ୟ ଧାରିଣୀ ପୂଜି ନିର୍ମାଲ୍ୟକୁ ଦେବ ।

ଉତ୍ତର ଦିଗେ ଦେବୀଙ୍କୁ ପଛେ ବିସର୍ଜିବ ॥

ତ୍ରିମୂର୍ତ୍ତି ତ୍ରିପୁର ଭୈରବୀଙ୍କୁ ପୂଜାସାରି ।

ତାହାଙ୍କ ବୀଜମନ୍ତ୍ର ତ୍ରିଶତ ଜପକରି ॥

ଅଙ୍ଗୁଷ୍ଠ ମଧ୍ୟ ଅନାମା ଏ ତିନି ଅଙ୍ଗୁଳେ ।

ପୁଷ୍ପାଦି ଦେଇ ତ୍ରିଗୁଣା ମାଳା ଦେବଗଳେ ॥

ଚର୍ମାସନେ ବସି ପାଦଦ୍ଵୟ ପଛେ କରି ।

ଅନନ୍ୟମନା ନିର୍ଜନେ ପୂଜିବ ବିଚାରି ॥

ପୁଷ୍ପାଦି ନୈବେଦ୍ୟାନ୍ତକୁ ଅତ୍ସାଦନ କରି ।

ବାମହସ୍ତେ ଯୋଗେ ପୂଜା କରିବ ଆବୋରି ॥

ତ୍ରିଛିଦ୍ରା ତ୍ରିପୁରା ପୂଜା ଅବଶ୍ୟ କରିବ ।

ନହେଲେ ନିନ୍ଦିତ ବ୍ୟାଧି ଶରୀରେ ଘୋଟିବ ॥

ଅସ୍ତ୍ରଯୋଗେ ନିଜପ୍ରାଣ ଉତ୍ସର୍ଗ ହୋଇବ ।

ତେଣୁ ତ୍ରିଛିଦ୍ରା ତ୍ରିପୁରା ନିଶ୍ଚୟ ପୂଜିବ ॥

ଏ ତ୍ରିପୁରା ଅନ୍ୟଦେବୀ ପୂର୍ବେ କହିଅଛୁ ।

ସର୍ବେ ସେ ମାୟା ଭୈରବୀ ଜଗତ ପ୍ରସୁପୁଛୁ ॥

ବହୁ ପ୍ରଞ୍ଚେ ରୂପରେ ସେ ଦେବୀ କ୍ରୀଡ଼ନ୍ତି ।

ଆଦ୍ୟା ମହାମାୟା ତହୁଁ ଶାରଦା ହୁଅନ୍ତି ॥

ଉମା ଶୈଳପୁତ୍ରୀ ଉଗ୍ରଚଣ୍ଡୀ ଆଦି ଦେବୀ ।

ସେମାନଙ୍କ ନାୟକ ମୁଁ ମହା ଭୈରବି ॥

ମହାଭୈରବ ବିଦ୍ମହେ ସେ କାଳ ରୁଦ୍ରାୟ ।

ଧୀମହି ତନ୍ନଃ କାମୋ ଭୈରବ ପ୍ରଚୋଦୟ ॥

ଭୈରବ ଗାୟତ୍ରୀ ଏହି ଜାଣ ହେତୁକରି ।

ମାଂସ ମଦ୍ୟ ନୈବେଦ୍ୟକୁ ଦେବ ଭୁରୁ ଭୁରି ॥

ଏ ମହା ଭୈରବକାୟ ସ୍ତ୍ରୀରତି ସଙ୍ଗମେ ।

ବାମଭାଗେ ପୂଜାକର ଏହାଙ୍କୁ ସଂମ୍ଭ୍ରମେ ॥

ବିଷ୍ଣୁଙ୍କ ବାମିକା ମୂର୍ତ୍ତି ନରସିଂହ ଜାଣ ।

ବାମ ଦକ୍ଷିଣରେ ତାଙ୍କୁ ପୂଜିବ ବହନ ॥

ସେପରି ବାଳ ଗୋପାଳ ମୂର୍ତ୍ତି ଜରାୟୁରେ ।

ବେଷ୍ଟିତ ହୋଇ ପୂଜାପାନ୍ତି ମଦ୍ୟ ମାଂସରେ ॥

ସର୍ବଦା ସ୍ତ୍ରୀଲୋଭୀ ସେହି ପୁଣି ଲକ୍ଷ୍ମୀଙ୍କର ।

ବାମାମୂର୍ତ୍ତି ଦହନ ଭୈରବୀ ନାମ ତାର ॥

ପୁର ଗ୍ରାମର ଦହନ କରନ୍ତି ସେ ଦେବୀ ।

ସରସ୍ଵତୀ ବାମାମୂର୍ତ୍ତି ସେ ବାଗ୍‌ଭୈରବୀ ॥

ମଧ୍ୟା ତ୍ରିପୁରୀଙ୍କ ଧ୍ୟାନେ ତାଙ୍କୁ ପୂଜାକରି ।

ସୂର୍ଯ୍ୟକାମ ମୂର୍ତ୍ତି ମାର୍ତ୍ତଣ୍ଡ ଭୈରବ ଧରି ॥

ଗଣେଶଙ୍କ ବାମମୂର୍ତ୍ତି ଯେ ଅଗ୍ନି ବେତାଳ ।

କହିଲି ଏ ଗୁପ୍ତକଥା ଶୁଣ ହେ ବେତାଳ ॥

ଏ ସର୍ବ ମନ୍ତ୍ରକୁ ଯେହୁ ଜାଣି ଜପକରେ ।

ମନ୍ତ୍ର ନ୍ୟାସ କରି ପୁଣି ତ୍ରିଦିନ ମଧ୍ୟରେ ॥

ମନେ ତ୍ରିପୁର ଭୈରବୀ ଦେବୀଙ୍କୁ ଚିନ୍ତିଣ ।

ସେ ଅଖିଳ କାମଲଭିରୂପେ କାମୋପମ ॥

ଧାର୍ମିକ ନୃପତି ହୁଏ ବିପ୍ର ଦ୍ଵିଜ ରାଜା ।

ପିଶାଚାଦି ଭୂତଗଣେ ହୁଅନ୍ତି ତା ପ୍ରଜା ॥

ନୀରୋଗୀ ଚିରାରୟୁ ବଳଶାଳୀ ହୁଏ ସେହି ।

ବୈଷ୍ଣବୀଙ୍କ ମନ୍ତ୍ର ଶୁଣ କହିବା ବୁଝାଇ ॥

ଷୋଳ ସହସ୍ର ସଂଖ୍ୟାରେ ତାହାଙ୍କର ମନ୍ତ୍ର ।

ଅନୁସ୍ଵାର ବିସର୍ଗ ଦ୍ୱିଗୁଣଯୁକ୍ତ ତନ୍ତ୍ର ॥

ବିସ୍ଵର ସସ୍ୱର କରି ବ୍ୟସ୍ତ ସମସ୍ତରେ ।

ସଂଶୟ ନକର ମନେ କହିଲି ଗୁପ୍ତରେ ॥

କାଦି ବ୍ୟଞ୍ଜନ ବର୍ଣ୍ଣକୁ ସେ ମନ୍ତ୍ର ରୂପରେ ।

ଏହାଜାଣି ନରଯାଏ ଅନ୍ତେ ମୋର ପୁରେ ॥

ଅଷ୍ଟମୀ ନବମୀ ଦିନ ଯେ ଷୋଳ ସହସ୍ର ।

ମନ୍ତ୍ରଜପେ ଏକଥର ସେ ହୁଏ ରାଜେନ୍ଦ୍ର ॥

ପଣ୍ଡିତ ଚିରାୟୁ ସୁଖ ଭୋଗୀ ହୋଇ ପୁଣ ।

ଅଷ୍ଟବାର ଜପିଲେ ହୁଏ ସମ୍ରାଟ ଜାଣ ॥

ମଲେ ଗଣାଧିପ ହୋଇ ମୋପୁରେ ବସଇ ।

ତହୁଁ ମୁକ୍ତିଲଭି ମୋ ଦେହରେ ଲୀନହୋଇ ॥

ସକଳ ସୁଗୁଣେ ଯୁକ୍ତ ଦୋଷ ବିବର୍ଜିତ ।

ପାପନାଶି ପୁଣ୍ୟବଢ଼େ ତାହାର ସତତ ॥

ସର୍ବଜ୍ଞ ହୋଇ ରିପୁଙ୍କୁ ବିନାଶଇ ହେଳେ ।

ରୋଗ ଶୋକହୀନ ନହୁଏ ପ୍ରଭାକର ବୋଲେ ॥

 

ଇତି ଶ୍ରୀକାଳିକାପୁରାଣେ

ଅଷ୍ଟସପ୍ତତିତମୋଽଧ୍ୟାୟଃ ।

✽✽✽

 

॥ ୭୯ ॥

 

ଶ୍ରୀ ଈଶ୍ୱର ଉବାଚ

ଦ୍ଵାଦଶଲକ୍ଷ ସଂଖ୍ୟାରେ ମନ୍ତ୍ର ଜପକଲେ ।

ପୁରଶ୍ଚରଣ ହୁଅଇ ଜାଣିଥାଅ ଭଲେ ॥

ଜାତି ବକୁଳ ମାଳତୀ ପୁଣି ନନ୍ଦ୍ୟାବର୍ତ୍ତ ।

ପାଟଳ ପଦ୍ମ କୁମୁଦ ଏପୁଷ୍ପ ସମସ୍ତ ॥

ଆଜ୍ୟପାୟ ସାନ୍ନ ଦଧି କ୍ଷୀର ମଧୁ ଲାଜା ।

କର୍ପୂର ଏ ଚତୁର୍ଦ୍ଦଶ ଦ୍ରବୀ କରି ଖୋଜା ॥

ତ୍ରିପୁରାମନ୍ତ୍ର ପୁନଶ୍ଚରଣ କର୍ମକାଳେ ।

ବାରଲକ୍ଷ ମନ୍ତ୍ର ଜପ କରିବ ଯେ ସ୍ଥିରେ ॥

ଏ ସର୍ବଦ୍ରବ୍ୟକୁ ଅନଳେ ଆହୁତି ଦେବ ।

ଯଦି କେହି ତିନିଲକ୍ଷ ଜପକୁ କରିବ ॥

ସେ ଆହୁତି ଦେବ ଘୃତ କର୍ପୂରାଦି ଦ୍ରବ୍ୟ । ।

ଅଗ୍ନି ତୃପ୍ତହେଲେ କାର୍ଯ୍ୟସିଦ୍ଧି ହୁଏ ସର୍ବ ॥

ନବଲକ୍ଷ ଜପେ ଦଶଦ୍ରବ୍ୟ ହୋମକରି ।

ଛଅଲକ୍ଷ ଅଷ୍ଟଦ୍ରବ୍ୟେ ଆହୁତି ପ୍ରଚାରି ॥

ହସ୍ତମାତ୍ର କୁଣ୍ଡ ତିନି ଅଙ୍ଗୁଳି ଅଧିକ ।

ଷଟ୍‌କୋଣ କରିହୋମ କରିବ ସାଧକ ॥

ତ୍ରିପୁରା ମଧ୍ୟବାଳାଙ୍କ କୁଣ୍ଡ ଏହା ଜାଣ ।

ତ୍ରିପୁର ଭୈରବୀ କୁଣ୍ଡ ପରିମାଣ ଶୁଣ ॥

ଦ୍ଵହସ୍ତ ଅଷ୍ଟଅଙ୍ଗୁଳି କୁଣ୍ଡ ଚତୁଷ୍କୋଣ ।

ବୈଷ୍ଣବୀ ପୁରଶ୍ଚରଣେ କୁଣ୍ଡ ପରିମାଣ ॥

କାମାଖ୍ୟାଙ୍କ କୁଣ୍ଡ ତିନିକୋଣ ହସ୍ତେ ମାତ୍ର ।

ସର୍ବଦ୍ରବ୍ୟ ଏହିଭାବେ କରିବ ସଞ୍ଚିତ ॥

ପ୍ରଦୀପ୍ତ ଅଗ୍ନିକୁ ମନ୍ତ୍ରେ ସଂସ୍କାର କରିବ ।

ପ୍ରଥମେ ତ୍ରିପୁର ଭୈରବଙ୍କୁ ହବ୍ୟ ଦେବ ॥

ଚଉଦଦ୍ରବ୍ୟେ ଚଉଦ ଆହୁତି ଦେଇଣ ।

ପଛେ ମୂଳମନ୍ତ୍ରେ ଅଷ୍ଟାଧ୍ୱଜ ତ୍ରିଶତେଣ ॥

ଅବା ନବଶତାହୁତି ଦେବ ମୂଳମନ୍ତ୍ରେ ।

ଜପାନ୍ତେ ବଳିଦେବ ବୈଷ୍ଣବୀତନ୍ତ୍ର ମତେ ॥

ସ୍ୱର୍ଣ୍ଣ ରତ୍ନ କର୍ପୂର ଗୁରୁ ଦକ୍ଷିଣା ଦେବ ।

ଅଭାବେ ଦଧିପଶ୍ଚାଜ୍ୟ ଲଜାହୋମ ଦ୍ରବ୍ୟ ॥

ଲଭେ ଚତୁର୍ଦ୍ଦଶଦ୍ରବ୍ୟେ ହୋମ କରାଇବ ।

ଏହାଙ୍କ ଯନ୍ତ୍ର କହିବା ଶୁଣହେ ଭୈରବ ॥

ଯାହାକର ସର୍ବକାମ ଲଭଇ ମନୁଷ୍ୟ ।

ସେ ଯନ୍ତ୍ର କହିବା ଶୁଣ ହୋଇଣ ହରଷ ॥

ଷଟ୍‌କୋଣ ମଣ୍ଡଳ କରି କୋଣତ୍ରୟେ ପଣ ।

ତ୍ରିପୁର ଭୈରବମନ୍ତ୍ର ଲେଖ ତିନିବର୍ଣ୍ଣ ॥

ତ୍ରିପୁରାଙ୍କ ଆଦ୍ୟ ତିନି ବୀଜକୁ ଲେଖିବ ।

ମଧ୍ୟ ବୀଜତ୍ରୟ ମଧ୍ୟଭାଗେ ଲେଖାଇବ ॥

ସବୁମାତୃକା ମନ୍ତ୍ରରେ ତ୍ରିବାର ବେଷ୍ଟନ ।

ଲାକ୍ଷାରସେ ଲେଖି ଲୋହକ୍ରୟେ ବେଢ଼ି ପୁଣ ॥

ତାହାକୁ ମସ୍ତକେ ଧରି ସର୍ବଜୟୀ ହୁଏ ।

ସୁରୁପବଳୀ ବାଗ୍ମୀ ଧନ ରତ୍ନ ବଢ଼ାଏ ॥

ଦୀର୍ଘାୟୁ ସେ କାମଭୋଗୀ ସୁପୁତ୍ର ଜନ୍ମାଇ ।

ଇହ ପରଲୋକେ ସଦା ସୁଖୀ ହୋଇଥାଇ ॥

ମଧ୍ୟେ ବୀଜ ଲେଖି ଶିରତଳେ ଅନ୍ୟବୀଜ ।

ଆଦ୍ୟା ଭୈରବୀଙ୍କ ବୀଜ ଲେଖିବ ସହଜ ॥

ଏହି ଛଅମନ୍ତ୍ର କ୍ରମେ ପୂର୍ବପରି ଲେଖି ।

ତିନିଲୋହପାତେ ବେଢ଼ାଇବ ମନେରଖି ॥

ବାମ ବା ଦକ୍ଷିଣଭୁଜେ ହୃଦ କଣ୍ଠ କରେ ।

ମସ୍ତକରେ ଧଇଲେ ଫଳ ଲଭେ କ୍ରମରେ ॥

ସମ୍ପର୍ନି ସୌଭାଗ୍ୟ ସ୍ତମ୍ଭ ବଶ୍ୟ ଯେ ମୋହନ ।

କବିତ୍ଵ ଲଭର ସଂସାରରେ ସେହିଜନ ॥

ମନ୍ତ୍ର ଯନ୍ତ୍ର ତନ୍ତ୍ର ବହୁ ପ୍ରକାରେ ଅଛଇ ।

ତାହାଜାଣି ସାଧିଲେ ଅସୀମ ଫଳ ହୋଇ ॥

ମନ୍ତ୍ର ଯନ୍ତ୍ର ମଧ୍ୟେ ତ୍ରିପୁରାଙ୍କ ମନ୍ତ୍ର ଯନ୍ତ୍ର ।

ପ୍ରଧାନ ବୋଲି ଜାଣିବ କହିଲି ଗୁପତ ॥

କବିତ୍ଵାଦି ଫଳମିଳେ ତ୍ରିବର୍ଗ ସହିତ ।

ଦେବେ ସ୍ଵର୍ଗେ ସ୍ଥାନ ଦ୍ୟନ୍ତି ତାହାକୁ ନିଶ୍ଚିତ ॥

ତ୍ରିପୁରାଙ୍କ ତେଜ ସର୍ବ ଶୁଭଫଳ ଦିଏ ।

ତ୍ରିପୁରା କବଚ ଶୁଣ ତୁମ୍ଭଆଗେ କହେ ॥

ଯାହା ଜାଣି ନର ସର୍ବ ଫଳଲାଭ କରେ ।

ପୂର୍ବପରି ଉପଚାର ପ୍ରତିପତ୍ତି ପାତ୍ରେ ॥

ଏ କବଚ ମହିମାକୁ ମୁଁ ବ୍ରହ୍ମା କେଶବ ।

ବହୁଜିହ୍ଵା ଅନନ୍ତ ଯେ କହି ନପାରିବ ॥

କବଚ ସ୍ମରଣ ମାତ୍ରେ ସର୍ବ ଶୁଭ ହୁଏ ।

ତ୍ରିପୁରା କବଚେ ରୁଷି ଦକ୍ଷିଣ ବୋଲାଏ ॥

ଚିତ୍ର ଛନ୍ଦ ତ୍ରିପୁର ଭୈରବୀ ଦେବୀ ତହିଁ ।

ଚତୁବର୍ଗ ସାଧନେ ବିନିଯୋଗ ବୋଲାଇ ॥

ତ୍ରିପୁର ଭୈରବୀ ବୀଜନାମ ଏବେ ଶୁଣ ।

ବାଗ୍‌ଭବ କାମରାଜ ଯେ ତୈଲୋକ୍ୟ ମୋହନ ॥

ବାଗ୍‌ଭବ ବୀଜ ରଖନ୍ତୁ ଶିର ଉଗ୍ରବାକ୍ୟ ।

କାମରାଜ ରଖୁ ସର୍ବ କାମନା ଅନେକ ॥

ତୈଲୋକ୍ୟ ମୋହନ ବୀଜରଖ ଦେହତେଜ ।

ସଙ୍ଗେ ସର୍ବେନ୍ଦ୍ରିୟ ବୁଦ୍ଧି ବଢ଼ାଅ ସହଜ ॥

ପଞ୍ଚକୂଟେ ଏହି ଯନ୍ତ୍ର ହୋଇଛି କଥିତ ।

ମନ୍ତ୍ରମୋର ଉଗ୍ରତେଜ ରଖନ୍ତୁ ସନ୍ତତ ॥

ସେ ମନ୍ତ୍ର ଯେ ତେଜୋମୟ ନିତ୍ୟ ପରାୟଣ ।

ମୋ ହୃଦୟେ ସୁବୁଦ୍ଧିକୁ କରାନ୍ତୁ ପ୍ରେରଣ ॥

ବାଗ୍‌ର ଆଧାର ରଖ କାମରାଜ ହୃଦ ।

ଭ୍ରୂମଧ୍ୟ ଶିରକୁ ତ୍ରୈଲୋକ୍ୟ ମୋହନ ଛନ୍ଦ ॥

ବିସ୍ତୁତ ବଂଶକଳାକୁ ଜାଣନ୍ତି ଯେ ଦେବୀ ।

ତ୍ରିପୁର ଦାହେ ସମର୍ଥା ଲୋକମାତା ଭାବି ॥

ମୋନାଭି ଉଦର ରକ୍ଷାକର ମା ଭବାନୀ ।

ରୋଗନାଶି ସୁଖ ଦିଅ କରୁଛି ମାଗୁଣି ॥

ଯୋଗବଳେ ଜଗତକୁ ମୋହିଛ ସନ୍ତତ ।

ତ୍ରିପୁର ଭୈରବୀ ସଦା ଅଛ ଜାଗରିତ ॥

ପଞ୍ଚଭୂତେ ବିଭକ୍ତ ହୋଇ ମୋ ପଞ୍ଚେନ୍ଦ୍ରିୟ ।

ନାସା ଆଖି କର୍ଣ୍ଣ ଜିହ୍ଵା ତ୍ଵଚା ରଖିଥାଅ ॥

ଆଦ୍ୟା ତ୍ରିପୁରା ଦ୍ୱିତୀୟା ସୁକାମ ଦାୟିନୀ ।

ତ୍ରିପୁର ଭୈରବୀ ରଖ ମୋତେ ସଦା ପୁଣି ॥

ବାଳାମାତା ପୂର୍ବଦିଗେ ମଧ୍ୟା ଦକ୍ଷିଣରେ ।

ଭୈରବୀ ରଖନ୍ତୁ ମୋତେ ପଶ୍ଚିମେ ଉତ୍ତରେ ॥

ମହାଯୋନି ମହାଯୋନି ବିଶ୍ଵଯୋନି ମାତା ।

ତ୍ରିପୁରା ଭୈରବୀ ମୋତେ ରଖନ୍ତୁ ସର୍ବଥା ॥

ଲଲାଟେ ସୁଭଗା ରଖ ପୂର୍ବରେ କାମା ।

ତ୍ରିପୁର ସୁନ୍ଦରୀ ମୋତେ ରଖନ୍ତୁ ସର୍ବଦା ॥

ଭ୍ରୂମଧ୍ୟକୁ ଅଗ୍ନିଦିଗ ରଖ ଯେତ୍ରିପୁରା ।

ଉପଗଣ ବଢ଼ାଇଣ ରଖମା ତ୍ରିପୁରା ॥

ମୁଖ ଓ ଦକ୍ଷିଣଦିଗେ ସେ ଉପସର୍ପିଣୀ ।

ତ୍ରିପୁରା ଯମଦୂତାନି ନିଷେଧନ୍ତୁ ପୁଣି ॥

କର୍ଣ୍ଣଦ୍ୱୟ ପଶ୍ଚିମଦିଗ ସଙ୍ଗରେ ରଖ ।

ଭଗମାଳିନୀ ଦେବୀ ଯେ ମୁଁ ଅଟେ ଅରକ୍ଷ ॥

ପଶ୍ଚିମଦିଗ ସହିତ ମୋ କଣ୍ଠ ଦେଶକୁ ।

ଅନଙ୍ଗ କୁସୁମା ରକ୍ଷା କରହେ ଆମ୍ଭଙ୍କୁ ॥

ଅନଙ୍ଗ ମେଖଳା ହୃଦ ବାୟୁକୋଣ ସଙ୍ଗେ ।

ମାତଙ୍ଗୀ ତ୍ରିପୁରା ନାଭି ଉତ୍ତର ଦିକ୍‌ଯୋଗେ ॥

ମଦବିଭ୍ରମ ମନ୍ଥରା ଈଶାନ ଦିଗରେ ।

ମୋ ଲିଙ୍ଗକୁ ରକ୍ଷାକର ଜଣାଏ କାତରେ ॥

ତ୍ରିପୁର ଭୈରବୀ ରଖ ଗୁହ୍ୟ ଯେ ବୃଷଣ ।

ତ୍ରିପୁର ସୁନ୍ଦରୀ ହୃଦ ମଧ୍ୟ ରଖ ପୁଣ ॥

ଭ୍ରୂ ନାସା ମଧ୍ୟକୁ ରଖନ୍ତୁ ସେ ମନୋଭବ ।

ଦୁର୍ଗମଧ୍ୟେ ମୋ ଶତ୍ରୁଙ୍କୁ ଦ୍ରାବଣ ନାଶିବ ॥

ହିଂସ୍ରପ୍ରାଣି ଉୟରୁ ରଖନ୍ତୁ ସେ କ୍ଷୋଭଣ ।

ଅଗ୍ନିରାଜା ଭୟୁଁ ରଖନ୍ତୁ ବଶୀକରଣ ॥

ଶସ୍ତ୍ର ଅସ୍ତ୍ରଗାତୁରଖ ଆକର୍ଷଣ ବାଣୀ ।

ସର୍ବଭୂତ ପିଶାଚ ଯେ ଜଳ ଭୟୁ ପୁଣି ॥

ମୋହନ ରଖ ସର୍ବଦା ମହାବାଣି ଜାଣି ।

ମୋର ସର୍ବାଙ୍ଗକୁ ରକ୍ଷା କରନ୍ତୁ ଭବାନୀ ॥

ଶାସ୍ତ୍ରଜ୍ଞାନ ଶାସ୍ତ୍ରବାଦେ ମାଳା ରକ୍ଷାକର ।

ପୁସ୍ତକ ମାନସଙ୍କରୁ ବଢ଼ାନ୍ତୁ ମୋହର ॥

ବର ମୋ ତେଜ ବଢ଼ାଉ ଅଭୟ ଭୟରୁ

ରକ୍ତ ମୁଣ୍ଡମାଳା ଊର୍ଦ୍ଧ୍ୱେ ଅଧେ ରକ୍ଷାକରୁ ॥

ଜ୍ଞାନ ଧ୍ୟାନ ବଳ ମୋର ବିଦ୍ୟା ରକ୍ଷାକର ।

ଭୂ ରଖୁ ହୃଦୟ ସମୋ ମସ୍ତକକୁ ରଖ ॥

ଗୁହ୍ୟକୁ ସୌ ରଖ କଣ୍ଠ ସଙ୍ଗେ ଦୁଇପାଖ ।

ନାଡ଼ିଙ୍କୁ ରଖ ବଜାର ସୌକାର ଶିରାକୁ ॥

ଇନ୍ଦ୍ର ଆକାଶରେ ରଖ ବ୍ରହ୍ମା ସର୍ବତ୍ରକୁ ॥

ବିଦ୍ୟା ଅବିଦ୍ୟା ସ୍ଥୂଳ ସୂକ୍ଷ୍ମରୂପା ଭୈରବୀ ।

ଆଦିମାୟା କାମରୂପା ଭୟ ହନ୍ତ୍ରୀ ଦେବୀ ॥

ବ୍ରହ୍ମେନ୍ଦ୍ର ପୂଜିତା ରକ୍ଷାକର ସବୁଠାରେ ।

ଆଦ୍ୟା ମଧ୍ୟା ଭାବିନୀ ସେ ଜ୍ଞାନଜ୍ଞେୟ ପରେ ॥

ନୀତିଯୁତା ତ୍ରିପୁର ଭୈରବୀ ଆଦି ଅନ୍ତେ ।

ମଧ୍ୟେ ମୋତେ ରକ୍ଷାକର ଜଣାଉଛି ତତ୍ତ୍ୱେ ॥

ଯେ ମନ୍ତ୍ରତନ୍ତ୍ର ଯନ୍ତ୍ର ବିଭାଗକୁ ହରି ।

ବ୍ରହ୍ମରୁଦ୍ର ନଜାଣନ୍ତି ତାଙ୍କୁ ନମଃ କରି ॥

ବ୍ରହ୍ମାଣୀ ଭବାନୀ ଲକ୍ଷ୍ମୀ ରାତି ଯେ ଯୋଗିନୀ ।

ବାଗ୍ମୀ ସୁଭଗା କାମା ତ୍ରିପୁରା କାମିନୀ ॥

ତୁମ୍ଭବିନା ମନ୍ତ୍ର ଯନ୍ତ୍ର ସକଳ ସକଳ ନିଷ୍ଫଳ ।

ତୁମ୍ଭ ଅନୁଗ୍ରହେ କବିତ୍ୱ ହୁଏ ପ୍ରସାର ॥

ଏ ତ୍ରିପୁରା କବଚକୁ ଯେଜନ ଜାଣନ୍ତି ।

ତାହାଙ୍କର ଅଧିବ୍ୟାଧି ଭୟ ନରହନ୍ତି ॥

ଏ ଅତି ଗୋପନ ମନ୍ତ୍ର କବଚ କହିଲି ।

ଏହାକୁ ଭଜିଣ ସିଦ୍ଧି ଲାଭ କର ଦେଲି ॥

ଏ ପବିତ୍ର ପୁଣ୍ୟକୀର୍ତ୍ତି ବର୍ଦ୍ଧନ କରଇ ।

ତ୍ରିମୂର୍ତ୍ତି ତ୍ରିପୁରାଙ୍କର କବଚଟି ଏହି ॥

ଯେ ପ୍ରାତଃକାଳେ ପଢ଼ିବ ସିଦ୍ଧି ଲଭେ ସେହୁ ।

ଲେଖି କଣ୍ଠେ ଧରେ ତାକୁ ନାହିଁ ଶସ୍ତ୍ର ଦାଉ ॥

ସଂଗ୍ରାମ ଶାସ୍ତ୍ରବିବାଦେ ଜୟ ସେ ଲଭଇ ।

କବଚ ନଜାଣି ତ୍ରିପୁରାଙ୍କୁ ଯେ ପୂଜଇ ॥

ଶସ୍ତ୍ରଘାତ ହୁଏ ତାକୁ ଦୋଷଯୁକ୍ତ ହୁଏ ।

ବୀଜ ସଂଯୋଗ ଭେଦକୁ ଯେ ଜାଣି ନଥାଏ ॥

ଏ କବଚ ମନ୍ତ୍ରକୁ ଯେ ଭିନ୍ନ ଅର୍ଥ କରେ ।

କୁଷ୍ଠରୋଗୀ ହୁଏ ସେହୁ ଜନ୍ମ ଜନ୍ମାନ୍ତରେ ॥

ବହୁତ ନ୍ୟାସରେ ବହୁ ଫଳ ହୁଏ ଜାଣ ।

ନ୍ୟାସକୁ ତ୍ୟାଗ ନକରି ସାଙ୍ଗ କର ପୁଣ ॥

ମୋ କଥିତ ନ୍ୟାସ ଜାଣି ନକରି ଯେଜନ ।

ତ୍ରିପୁରା ପୂଜାକୁ କରେ ହୁଏ ତାର ବିଘ୍ନ ॥

ମନ୍ତ୍ରାକ୍ଷର ନ୍ୟାସ ସର୍ବମନ୍ତ୍ରେ ପ୍ରୟୋଜନ ।

ଦେବୀ ଦେବ ପୂଜାକାଳେ ବିଶେଷ ଗ୍ରହଣ ॥

ଅଙ୍ଗରାଗେ ସିନ୍ଦୁର ପାନୀୟେ ମଦ୍ୟ ପୁଣି ।

ରକ୍ତବସ୍ତ୍ର ତ୍ରିପୁରାଙ୍କ ପ୍ରିୟତମ ଜାଣି ॥

ତିନିପାଞ୍ଚ ସାତ ଦୀପ ତ୍ରିପୁରାଙ୍କୁ ଦେବ ।

ଏଥୁଁ ନ୍ୟୁନକଲେ ଦୀପଫଳ ନ ହୋଇବ

ମଲ୍ଲୀ ମାଳତୀ କୂଳ ଦ୍ରୋଣ ଯେ ଶ୍ଵେତପଦ୍ମ ।

ଶୁକ୍ଳପୁଷ୍ପ ତ୍ରିପୁରାଙ୍କ ସନ୍ତୋଷ ପ୍ରଥମ ॥

ରକ୍ତପଦ୍ମ ଜବା ରକ୍ତ କରବୀର ପୁଷ୍ପ ।

ତ୍ରିପୁର ଭୈରବୀଙ୍କର ଅତିପ୍ରିୟ ତୁଷ୍ୟ ॥

ଏସର୍ବ ସଂକ୍ଷେପି କହିଲି ତୁମ୍ଭ ଆଗରେ ।

ବିସ୍ତାର କରିବ ଜ୍ଞାନଲଭି ଏ ପୂଜାରେ ॥

ମହାମାୟାଙ୍କୁ ଆରାଧି କଳ୍ପ ମନ୍ତ୍ରମାନ ।

ବିସ୍ତାଗି ଗଣେ ଅଧିପ ହେବ ତୁମ୍ଭେ ଜାଣ ॥

ଏ ତ୍ରିପୁର ଭୈରବୀଙ୍କ ଯେଉଁ ଶୁକ୍ଳରୂପ ।

ସେ ସରସ୍ଵତୀ ଦେବୀ ଯେ ବାଗ୍‌ଭବ ସ୍ଵରୂପ ॥

ସେ ସରସ୍ଵତୀ ଯେ ବୀଣାପୁସ୍ତକ ଧାରିଣୀ ।

ମାଳା କମଣ୍ଡଳୀ ଦକ୍ଷ ହସ୍ତେ ଧରି ପୁଣି ॥

ମହାପର୍ବତ ଉପରେ ଶ୍ଵେତପଦ୍ମ ପରି ।

ଶୁକ୍ଳବର୍ଣ୍ଣ ଶୁକ୍ଳବସ୍ତ୍ର ଶୁକ୍ଳଭୂଷା ଧରି ॥

ତାହାଙ୍କର ବାଗ୍‌ଭବାଦ୍ୟ ନେତ୍ରବୀଜ ଆଦି ।

ପୂର୍ବରୁ କହିଛି ମୁହିଁ ତୁମ୍ଭଙ୍କୁ ପ୍ରବୋଧି ॥

ଶୁକ୍ଳ ପଦ୍ମାସନା ମାଳା ପୁସ୍ତକ ଧାରିଣୀ ।

ବରଦା ଭୟହସ୍ତା ସରସ୍ୱତୀଙ୍କୁ ଜାଣି ॥

ଏହାଙ୍କର ତନ୍ତ୍ର ମନ୍ତ୍ର ପୂର୍ବେ କହିଅଛି ।

ଯେ ରକ୍ତବର୍ଣ୍ଣା ମୁଣ୍ଡମାଳାକୁ ଘେନିଅଛି ॥

ତାଙ୍କ ମନ୍ତ୍ର କହିଛି ସେ ବୃଦ୍ଧା ସରସ୍ଵତୀ ।

ଏ ସର୍ବଶାସ୍ତ୍ରର ତତ୍ତ୍ଵ ଶିବଙ୍କ ବଦତି ॥

ସୁଖ ସମ୍ପତ୍ତିକୁ ଦିଏ ଏ ପୂଜା ବିଧାନ ।

ଚଉଷଠି ମୂର୍ତ୍ତି ତ୍ରିପୁରା ଦେହୁ ଉତ୍ପନ୍ନ ॥

ମହାମାୟା ଯୋଗନିଦ୍ରା ଆଦ୍ୟା ଜଗସ୍ପୃସୂ ।

ଜଗନ୍ମାତା ଜଗଧାତ୍ରୀ ସର୍ବକଣ୍ଠେ ବସୁ ॥

ତାହାଙ୍କ ବିଭୂତି ତ୍ରିପୁରାଦି ଦେବୀଗଣ ।

ବେତାଳ ଭୈରବ ତୁମ୍ଭେ ଶୁଣି ମନେ ଘେନ ॥

ବାମ ଦକ୍ଷିଣ ମନ୍ତ୍ରସିଦ୍ଧିକୁ ଏବେ କହି ।

ପ୍ରଭାକର କାଳିକା ପୂରାଣ ଗୀତେ ଗାଇ ॥

 

ଇତି ଶ୍ରୀ କାଳିକା ପୂରାଣେ ତ୍ରିପୁରା କବଚଂ

ନାମ ଏକୋନାଶୀତିତମୋଽଧ୍ୟାୟଃ ।

✽✽✽

 

॥ ୮୦ ॥

 

ଶ୍ରୀ ଈଶ୍ୱର ଉବାଚ

ମନ୍ତ୍ର ଶୁଦ୍ଧିକୁ ଦେଖିଣ ମନ୍ତ୍ରକୁ ଘେନିବ ।

ତହିଁ ସିଦ୍ଧ ସୁସିଦ୍ଧ ସାଧ୍ୟକୁ ଯେ ଲଭିବ ॥

ଅକ୍ଷର ଭେଦେ ମନ୍ତ୍ରର ଚାରିପ୍ରକାର ହୁଏ ।

ପ୍ରଥମେ ତା ଜାଣି ପଛେ ଚକ୍ର ଶୁଣିବ ହେ ॥

ବୈଷ୍ଣବୀତନ୍ତ୍ରେ ଯେ ମହାମନ୍ତ୍ର ଉକ୍ତ ଅଛି ।

ତହିଁରୁ ସର୍ବଅକ୍ଷର ବୃଦ୍ଧିକୁ ଲଭିଛି ॥

ଅକଚଟ ତପ ଯ ଏମାନେ ବର୍ଗଆଦ୍ୟ ।

ଏମାନଙ୍କୁ ମୂଳକରି ଗଣ ବର୍ଣ୍ଣ ମଧ୍ୟ ॥

ଅଆ ଇଈ ଉଊ ଲୁଲୁ ଏଐ ଓଔ ।

ବିସର୍ଗ ଚନ୍ଦ୍ରବିନ୍ଦୁ ଯେ ସ୍ଵରବର୍ଣ୍ଣ ଏହୁ ॥

ଖଗଘଡଙଚଛଜଝଞଠଡ଼ଢ଼ଣ ମାନେ ।

କ ଚ ଟ ବର୍ଗେ ଗଣନା ହୁଅନ୍ତି ବିଧାନେ ॥

ଥ ଦଧନ ଫ ବଭମ ଯରଳ ବଶଷ ।

ସହ ଏମାନେ ତପବର୍ଗେ ହୁଅନ୍ତି ଶେଷ ॥

କ୍ଷକାର ସଂଯୋଗବର୍ଣ୍ଣ ଏ ସ୍ଵର ବ୍ୟଞ୍ଜନ ।

ଚତୁବର୍ଗ ପ୍ରଦ ସୁଖ ଦୁଃଖ କର ଜାଣ ॥

ମୁଁ ବ୍ରହ୍ମା ବିଷ୍ଣୁ ଗାୟତ୍ରୀ ବ୍ରହ୍ମ ମାତୃକାରେ ।

ପରଂବ୍ରହ୍ମ ସୁଖପ୍ରଦ ବ୍ରହ୍ମ ବର୍ଣ୍ଣ ଧରେ ॥

ବ୍ରହ୍ମକୁଣ୍ଡଳ ବ୍ରହ୍ମରେ ଲୀନହୁଏ ଜାଣ ।

ଈଶ୍ଵର ଯେ ବର୍ଣ୍ଣ ସ୍ରଷ୍ଟା ବିଶେକରେ ଦାନ ॥

ମୋ ମୁଖେ ବ୍ରହ୍ମାଙ୍କ ମୁଖେ ପ୍ରଥମେ ପ୍ରକାଶ ।

ମୁଁ ସର୍ବବର୍ଣ୍ଣକୁ ତନ୍ତ୍ରେ କରିଛି ବିକାଶ ॥

ଅକାର ବହୁତ କରି ବ୍ରହ୍ମପଥ ମାନ ।

ବଢ଼ାଇଛି ତନ୍ତ୍ରମନ୍ତ୍ରେ ଯୋଗେ ପୁଣି ଜାଣ ॥

ଯେ ବର୍ଣ୍ଣ କହିଲି ମୁହିଁ ବର୍ଣ୍ଣ ନିଶ୍ଚୟରେ ।

ମନ୍ତ୍ରଶୁଦ୍ଧି ପାଇଁ ବର୍ଣ୍ଣ ଚକ୍ର ଶୁଣ ଭଲେ ॥

ଶକ୍ତିଲିଙ୍ଗ ରୂପ ଦୁଇ ରେଖା ପକାଇବ ।

ସେ ମଧ୍ୟରୁ ଦୂରି ଲକ୍ଷ୍ମୀ ରେଖାକୁ କାଟିବ ॥

ଉଭୟରେଖା ମଧ୍ୟରେ ପୁଣି ରେଖା ଦୁଇ ।

ସମଭାବେ କାଟି ତାକୁ ବୁଲାଇବ ନେଇ ॥

ଚକ୍ର ଚାରିପାଖେ ଚାରିରେଖା ପକାଇବ ।

ତେବେ ତା କ୍ରମୋ ଲିତାକୁ ଗଣନା କରିବ ॥

ବର୍ଣ୍ଣମାନଙ୍କର ଅଷ୍ଟ ସନ୍ଧିରେ ପ୍ରସିଦ୍ଧ ।

ସନ୍ଧିମଧ୍ୟେ ଚାରିନେମି ହେବ ସ୍ଵତସିଦ୍ଧ ॥

ଅଷ୍ଟଅର ଚାରିନେମି ଯୁତ ବର୍ଣ୍ଣଚକ୍ର ।

ବାହ୍ୟ ବେଷ୍ଟନ ଯୁକ୍ତ ସେ ନହୋଇବ ବକ୍ର ॥

ମେଷାଦି ରାଶିଙ୍କ ଉଦୟାସ୍ତ ପ୍ରତିଜ୍ଞାରେ ।

ଏ ଚକ୍ର ଜ୍ଞାନ ସମ୍ପତ୍ତି ବୃଦ୍ଧି କରିପାରେ ॥

ସମଭୂମିରେ ଏ ଚକ୍ର ପୂର୍ବମୁଖେ ଲେଖି ।

ଅବା ଉଉର ମୁଖରେ ଲେଖିବ ଯେ ଯୋଖି ॥

ଶୂଚିହୋଇ ଗୁରୁଙ୍କୁ ପ୍ରଣମି ଲେଖ ଚକ୍ର ।

ଦକ୍ଷିଣାବର୍ତ୍ତ କ୍ରମରେ ଲେଖ ବର୍ଣ୍ଣଚକ୍ର ॥

ଆଗନେମିରେ ଅଳାର ବକାର ଲେଖିବ ।

ଆକାର ଈକାର ତହିଁ ବର୍ଜନ କରିବ ॥

ଅକାରାଦି କ୍ଷକାରାନ୍ତ ନଞ୍ଜଣକୁ ତେଜି ।

ଲେଖିବ ଦକ୍ଷିଣାବର୍ତ୍ତେ କହିଲି ମୁଁ ହେଜି ॥

ସୁନାମ ଆଦି ଅକ୍ଷର ଧରିଣ ଗଣିବ ।

ତେବେ ଚକ୍ର ସିଦ୍ଧିବୋଲି ମନରେ ଭାବିବ ॥

ମନ୍ତ୍ର ଆଦ୍ୟାକ୍ଷର ପର୍ଯ୍ୟନ୍ତ ଗଣିବ ବର୍ଣ୍ଣ ।

ତହୁଁ ଶୁଭାଶୁଭ ଫଳ ଜାଣିବ ଗଣିଣ ॥

ନବ ଏକ ପଞ୍ଚମରେ କାର୍ଯ୍ୟ ସିଦ୍ଧ ହୁଏ ।

ଛଅ ଦୁଇରେ କାର୍ଯ୍ୟର ସାଧ୍ୟତା ବୁଝାଏ ॥

ତିନି ସାତ ଏଗାରରେ କାର୍ଯୁ ଯେ ସୁସିଦ୍ଧ ।

ବାର ଆଠ ଚାରିରେ କାର୍ଯ୍ୟ ହୁଏ ଅସିଦ୍ଧ ॥

ସିଦ୍ଧେ ଶୀଘ୍ର କାର୍ଯ୍ୟସିଦ୍ଧି ସାଧ୍ୟେ ବିଳମ୍ବରେ ।

ସୁସିଦ୍ଧରେ ଶତ୍ରୁନାଶ ଜାଣିବ ସୁସ୍ଥିରେ ॥

ଦାକ୍ଷିଣ୍ୟ ଗୋଚରେ ବର୍ଣ୍ଣଚକ୍ର କୁହାଗଲା ।

ବାମ୍ୟଭାବେ କହିଦେବା ଶୁଣ ଏବେ ଭଲା ॥

ଋଲୁଙଞଣନ ବର୍ଜି ବାମ କ୍ରମେ ଲେଖି ।

ବର୍ଣ୍ଣମାନଙ୍କୁ ମନ୍ତ୍ରଜ୍ଞ ପୂର୍ବପରି ଯୋଖି ॥

ନୃସିଂହ ସୂର୍ଯ୍ୟ ବରାହ ବୀଜ ସପ୍ରଣବ ।

ଏକ ଦୁଇ ଅକ୍ଷରର ଅସିଦ୍ଧି ଜାଣିବ ॥

ଦୀକ୍ଷାର୍ଥ ସର୍ବ ବୀଜମନ୍ତ୍ରରେ ଏହି ବିଧି ।

ସିଦ୍ଧାଦି ଚିନ୍ତାକୁ ତହିଁ ନକରିବ ସାଧି ॥

ସୁସିଦ୍ଧ ଯେ କାମପ୍ରଦ ବିଚାରରେ ଜାଣ ।

ଶତ୍ରୁବର୍ଣ୍ଣ ନଘେନିବ ବିପଦ ନିଦାନ ॥

ଯାହାର ଯେ ଏକାକ୍ଷର ମନ୍ତ୍ର ତା ନାମରେ ।

ଚନ୍ଦ୍ରବିନ୍ଦୁ ଯୋଗେ ବୀଜ ହୁଏ ସେ ମନ୍ତ୍ରରେ ॥

ନକାରରେ ଚନ୍ଦ୍ରବିନ୍ଦୁ ଯୋଗକଲେ ଜାଣ ।

ଇନ୍ଦ୍ରଙ୍କର ବୀଜମନ୍ତ୍ର ହୁଅଇ ପ୍ରମାଣ ॥

ଏହିପରି ସର୍ବ ଦେବ ଦେବୀ ବୀଜମନ୍ତ୍ର ।

ପ୍ରକାଶ ହୋଇଛି ତନ୍ତ୍ରେ କହିଲି ଏ ଗୁପ୍ତ ॥

ବୈଷ୍ଣବୀଙ୍କ ଷୋଳସହସ୍ର ଯେ ମନ୍ତ୍ର ଗଣ

ବର୍ଣ୍ଣଚକ୍ରେ ସେସବୁକୁ କର ନିରୀକ୍ଷଣ ॥

ଷୋଳ ଅରଯୁକ୍ତ ଚକ୍ର ହୋଇବ ସେଠାରେ ।

ବିଂଶତି ସହସ୍ର ମନ୍ତ୍ର ତ୍ରିପୁରା ଦେବୀରେ ॥

ବତିଶ ଅର ସଂଯୁକ୍ତ ଚକ୍ର ଲେଖ ତହୁଁ ।

ମହାଚକ୍ର ବୋଲାଏ ସେ ବୀଜଥାଏ ରହି ॥

ପରମ ରହସ୍ୟ ଶୁଣ କହିବା ତୁମ୍ଭଙ୍କୁ ।

ଯାହା ଜାଣି ଜୟୀ ହେବ ସକଳ ସ୍ଥାନକୁ ॥

ପକ୍ଷବିଡ଼ାଳ ଦନ୍ତକୁ ତା ଚର୍ମେ ବେଢ଼ାଇ ।

ବୈଷ୍ଣବୀ ନିର୍ମାଲ୍ୟ ତାହା ମଧ୍ୟଭାଗେ ଥୋଇ ॥

ଚିନିପ୍ରସ୍ଥ ସୂତା ବାନ୍ଧି ମନ୍ତ୍ରିବ ତା ନେଇ ।

ଏକାଗ୍ର ମନରେ ମନ୍ତ୍ର ଉଚ୍ଚାରିବ ତହିଁ ॥

ବୈଷ୍ଣବୀ ମନ୍ତ୍ର ଶତ ସଂଖ୍ୟାରେ ଜପକରି ।

ସଂଯମୀ ହୋଇ ଅଷ୍ଠମୀ ଦିନ ତାହା ଧରି ॥

ଦକ୍ଷିଣ ବାହୁରେ ବାନ୍ଧି ସେ ଯନ୍ତ୍ରକୁ ଭଲେ ।

ଦ୍ଵାଦଶ ସିଦ୍ଧି ଲଭଇ ସେହି ଯନ୍ତ୍ରବଳେ ॥

ଯୁଦ୍ଧେ ବାଦେ ଜୟୀହୁଏ ଅରୋଗୀ ହୁଅଇ ।

ରାଜା ରାଜପୁତ୍ରଙ୍କୁ ସେ ବଶରେ ଆଣଇ ॥

ଭୂତ ପ୍ରେତ ପିଶାଚ ତାପାଖୁ ନ ଆସନ୍ତି ।

ଥରେ ଭାବି ରମଣୀଙ୍କୁ ବଶ ସେ କରନ୍ତି ॥

ରକ୍ତ ଶ୍ଳେଷ୍ମଧାତୁମାନେ ସ୍ତମ୍ଭିତ ହୁଅନ୍ତି ।

ତେଜସ୍ତମ୍ଭ ହୋଇ ଚକ୍ଷୁ ତେଜକୁ ବଢ଼ାନ୍ତି ॥

ପକ୍ଷବିଡ଼ାଳ ମସ୍ତକେ ହସ୍ତ ଲଗାଇଣ ।

ବୈଷ୍ଣବୀମନ୍ତ୍ର ଜପିବ ତିନିଶତ ଜାଣ ॥

ଘରେ ରଖି ଯେଉଁନାରୀ ଦେଖିବ ତାହାକୁ ।

ପୁତ୍ରବତୀ ହେବ ବନ୍ଧ୍ୟା କହିଲି ତୁମ୍ଭଙ୍କୁ ॥

ଯାହାଘରେ ସେପକ୍ଷ ବିଡ଼ାଳ ରହିଥିବ ।

ତହିଁ ମୃତବତ୍ସା ନାରୀ ସୁପୁତ୍ରା ହୋଇବ ॥

କୋକିଳ ଭ୍ରମର ଚକ୍ରବାକ ଶୁକପକ୍ଷୀ ।

ବୈଷ୍ଣବୀମନ୍ତ୍ରେ ମନ୍ତ୍ରିଣ ଘରେ ତାଙ୍କୁ ରଖି ॥

ଦେଖିଲେ ସେଗୃହେ କିଛି ବିଘ୍ନ ନ ଘଟଇ ।

ଅପୁତ୍ରା ରମଣୀ ତହିଁ ପୁତ୍ରବତୀ ହୋଇ ॥

ତହିଁ ସର୍ପ ନରହନ୍ତି ନ ଖାନ୍ତି କାହାକୁ ।

ବନ୍ଧ୍ୟା ପୁତ୍ରବତୀ ହୁଏ ଦେଖିଲେ ତାହାଙକୁ ॥

ଚଣ୍ଡିକା ବଳି ମାଂସକୁ ଯତ୍ନରେ ରାନ୍ଧିଣ ।

ନିୟତାହାରରେ ରହିଥିବ ତିନିଦିନ ॥

ଅଷ୍ଟମୀରେ ସେ ମାଂସକୁ ଚଣ୍ଡିଙ୍କୁ ନିବେଦି ।

ମନ୍ତ୍ରଜଳ ଛିଞ୍ଚି ତାହା ଖାଇଲେ ଅସ୍ଵାଦି ॥

ଶିବାଙ୍କୁ ମନେ ଭାବିଣ ଭକ୍ଷଣକୁ କଲେ ।

ଜରା ଶୋକହୀନ ଦୀର୍ଘାୟୁ ହୁଅଇ ଭଲେ ॥

ତେଜସ୍ୱୀ ରିପୁନାଶକ କବି ବକ୍ତା ହୁଏ ।

ଭୂତ ପ୍ରେତ ପିଶାଚ ଦେଖି ଭୟେ ପଳାଏ ॥

ବୈଷ୍ଣବୀ ମନ୍ତ୍ରର ଅଷ୍ଟ ଅକ୍ଷରମାନଙ୍କୁ ।

ଲଲାଟ ମୁଣ୍ଡ କଣ୍ଠ ହୃଦୟ ଦ୍ଵିବାହୁକୁ ॥

ଦୁଇ ହସ୍ତରେ ଏକୈକ ଅକ୍ଷର ଲେଖିବ ।

କୁଙ୍କୁମ କ୍ଷୀର ଚନ୍ଦନ ମିଶାଇ ଯାବକେ ।

ଦେହ ଅଷ୍ଟସ୍ଥାନେ ଲେଖିବ ଯେ ଏକେ ଏକେ ॥

ଅଷ୍ଟମୀ ରାତି ଶେଷରେ ନବମୀ ପ୍ରଭାତେ ।

ପ୍ରତିସ୍ଥାନେ ଆଠଥର ମନ୍ତ୍ର ଜପି ଚିତ୍ତେ ॥

ଦେବୀଙ୍କୁ ପୂଜି ବିଜାତି ବଳିତ୍ରୟ ଦେଇ ।

ସହସ୍ରେ ବୈଷ୍ଣବୀ ମନ୍ତ୍ର ଜପ କରି ତହିଁ ॥

ଜପାନ୍ତେ ହବିଷ ଭକ୍ଷି ରାତ୍ରି ଉଜାଗର ।

ଏପରି କଲେ ଯୁଦ୍ଧରେ ଜୟ ହୁଏ ତାର ॥

ଏ ରଣାଷ୍ଟାଙ୍ଗ ବିଧିକୁ କ୍ଷତ୍ରିୟ ବିଶେଷେ ।

କରି ଜୟଲାଭ କରେ କହିଦେଲି ଶେଷେ ॥

ଏ ଅତି ଗୁପ୍ତ ବିଷୟ କହିଲି ତୁମ୍ଭଙ୍କୁ ।

ଦେବେ ସର୍ବଦା ଇଛନ୍ତି ଏହା ଶୁଣିବାକୁ ॥

ଯେନର ଶୁଣଇ ଥରେ ଏସବୁ ଚରିତ ।

ଦୀର୍ଘାୟୁ ନୀରୋଗୀ ହୁଏ ପୁତ୍ର ପୌତ୍ର ଯୁତ ॥

ଏସବୁ ଶୁଣି ବେତାଳ ଭୈରବସେ ଦୁହେଁ ।

କାମରୂପ ନୀଳଶୈଳକୁ ଗଲେ ସେ ସ୍ନେହେ ॥

ଆକାଶ ଗଙ୍ଗାଜଳରେ ସ୍ନାନାଦି ସାରିଣ ।

ଜଗନ୍ମୟୀ କାମାକ୍ଷାଙ୍କୁ ପୂଜିଲେ ବହନ ॥

ତହୁଁ ଶିବ ଅନ୍ତର୍ଦ୍ଧାନେ ଗଲେ ନିଜପୁର ।

ବେତାଳ ଭୈରବ ଗଲେ ବଶିଷ୍ଠଙ୍କ ପୁର ॥

ସନ୍ଧ୍ୟାଶୈଳେ ସେ ଦୁହିଙ୍କୁ ଦେଖି ମହାମୁନି ।

ବହୁ ଆଦରେ ବସାଇ ଶୁଣାଇ କାହାଣି ॥

ତାଙ୍କ ଆଦେଶେ ସେ ଦୁହେଁ ନୀଳଶୈଳେ ଯାଇ ।

କାମାଖ୍ୟା ଦେବୀଙ୍କୁ ଆରାଧନା କଲେ ତହିଁ ॥

ଭୈରବ ନାମକ ଲିଙ୍ଗ ପୂଜିଲେ ସେ ସ୍ଥାନେ ।

ବୈଷ୍ଣବୀ ଅଷ୍ଟାକ୍ଷର ମନ୍ତ୍ର ଜପିଲେ ତେଣେ ॥

ଅଷ୍ଟଲକ୍ଷ ପରିମିତ ମନ୍ତ୍ର ଜପ କଲେ ।

ତିନିବର୍ଷ ନିୟତାହାରେ ସେ ରହିଥିଲେ ॥

ତହୁଁ ଦେବୀ ପ୍ରସନ୍ନା ହୋଇଲେ ତାଙ୍କଠାରେ ।

ଲିଙ୍ଗଭେଦି ସ୍ଵରୂପେ ସେ ଉଭା ହେଲେ ସ୍ଥିରେ ॥

ଦେବୀ ନିର୍ଗତ ହୁଅନ୍ତେ ଲିଙ୍ଗ ତିନିଭାଗ ।

ହୋଇ ଭୈରବ ଭୈରବୀ ହେରୁକ ଉଦ୍ଭବ ॥

ତାହାଙ୍କୁ କାମାଖ୍ୟାଙ୍କୁ ସେ ଦେଖି ନିଜରୂପେ ।

ସୁନ୍ଦରୀ ସେ ପୀନୋନ୍ନତସ୍ତନା ଚାରୁ ରୂପେ ॥

ବରାଭୟ ସିଦ୍ଧସୂତ୍ର ଖଡ୍‌ଗ ଧାରିଣୀ ।

ରକ୍ତପଦ୍ମ ବର୍ଣ୍ଣାସ୍ଥିତ ପ୍ରେତାସନା ପୁଣି ॥

ଚକ୍ଷୁବୁଜି ହରସୂତେ ତ୍ରାହି ତ୍ରାହି ହେଲେ ।

ବାରମ୍ବାର ପ୍ରଣିପାତ ଦେବୀପଦେ କଲେ ॥

ତହୁଁ, ଦେବୀ ପ୍ରୀତାହୋଇ ବରଧରା କରେ ।

ଆଶ୍ଵାସନା କଲେ ସେ ଦୁହିଙ୍କୁ ଦେବୀ ଧୀରେ ॥

ଦେବୀ କରସ୍ପର୍ଶେ ଦେବତ୍ଵକୁ ଲଭି ଦୁହେଁ ।

ସ୍ତୁତି ନୁତିକଲେ କାମାଖ୍ୟାଙ୍କୁ ଭକ୍ତି ସ୍ନେହେ ॥

ସର୍ବବିଦ୍ୟାତ୍ମିକା ଶୁଦ୍ଧା ମନ୍ତ୍ର ଯନ୍ତ୍ରମୟୀ ।

ଶିବା ମହାମାୟାଙ୍କୁ ପ୍ରଣାମ କରୁ ରହି ॥

ପରାପରାତ୍ମିକା ନିତ୍ୟା ସାଧ୍ୟା ଧାରସ୍ଥିତା ।

କାମାହ୍ଲାଦ କରୀ କାମାଖ୍ୟାଙ୍କୁ ନମୁଁ ତଥା ॥

ପ୍ରପଞ୍ଚ ପରମବ୍ୟକ୍ତ ଜଗଦ୍ଦିବର୍ଦ୍ଧନୀ ।

ଅର୍ଦ୍ଧରକ୍ତାଙ୍ଗୀ ଦେବୀଙ୍କୁ ନମୁଅଛୁ ପୁଣି ॥

କାମାଖ୍ୟା ଯେ ନିତ୍ୟରୂପା ଦେବୀ ସରସ୍ୱତୀ ।

ଲକ୍ଷ୍ମୀ ବିଷ୍ଣୁ ବକ୍ଷସ୍ଥିତାଙ୍କୁ କରୁ ପ୍ରଣତି ॥

ମନ୍ତ୍ର ଯନ୍ତ୍ର ତନ୍ତ୍ର ତୁମ୍ଭଠାରୁ ସମୁଦ୍ଭବ ।

ହେ ପାର୍ବତୀ ତୁମ୍ଭଙ୍କୁ ନମୁଛୁଁ ଦେଇ ସର୍ବ ॥

ଏ ସ୍ତୁତି ଶୁଣି କହନ୍ତି କାମାଖ୍ୟା ସେ ଦେବୀ ।

ପ୍ରୀତା ହେଲି ବରମାଗ ଆନନ୍ଦରେ ଦେବି ॥

ତହୁଁ ବେତାଳ ଭୈରବେ କରଯୋଡ଼ି କରି ।

ଏ ଦେହେ ତୁମ୍ଭ ସେବକ ଦେବୁ ଆମ୍ଭେ ଯାଇ ॥

ହରପାର୍ବତୀଙ୍କ ପାଖେ ରହିବୁ ସନ୍ତତ ।

ଅନ୍ୟବରେ କାର୍ଯ୍ୟ ନାହିଁ କହିଲୁ ନିୟତ ॥

ତହୁଁ ଦେବୀ ପ୍ରୀତାହୋଇ ତଥାସ୍ତୁ ବୋଇଲେ ।

ସ୍ତନଦ୍ଵୟୁ ଦୁଇଧାରା କ୍ଷୀର ଝରାଇଲେ ॥

ସେ ବେତାଳ ଭୈରବଙ୍କୁ ପିଆଇଲେ ତାହା ।

ଅଜର ଅମର ହୋଇ ରଖିଲେ ସେ କାୟା ॥

ପୁନଶ୍ଚ କହିଲେ ଦେବୀ ତୁମ୍ଭେ ଆମ୍ଭ ଦ୍ଵାରେ ।

ଦ୍ୱାରପାଳ ହୋଇ ରହ ଦୁହେଁ ସବୁକାଳେ ॥

ଶିବଗଣେ ଅଧିପତି ହେବ ତୁମ୍ଭେ ଦୁହେଁ ।

ଏତେ କହି ଅନ୍ତର ହୋଇଲେ ଦେବୀ ଦେହେ ॥

ତହୁଁ ପ୍ରୀତ ହୋଇ କୃତକୃତ୍ୟ ହେଲେ ଦୁହେଁ ।

ଦେବଗଣ ସଙ୍ଗେ ହର ପ୍ରବେଶ ସେଠାଏ ॥

ସେ ଦୁହିଙ୍କୁ ଦେଖୁ ବଡ଼ ସନ୍ତୋଷ ଲଭିଲେ ।

ନୀଳକୂଟେ ସର୍ବ ଦେବଦେବୀ ଦେଖାଇଲେ ॥

କାମାଖ୍ୟା ଗୁହା ଯେ ମନୋଭବା ଗୁହା ପୁଣ ।

ଛାୟାଛତ୍ର ସ୍ଵ ନିଳୟ ପଞ୍ଚମୂର୍ତ୍ତି ସ୍ଥାନ ॥

କାମରୂପ ରସ କଳ ପୀଠସ୍ଥାନ ମାନ ।

କରତୋୟା ସତ୍ୟଗଙ୍ଗା ଦେଖାନ୍ତି ଈଶାନ ॥

କାମରୂପ ବାୟୁକୋଣେ ଜଳ୍ପୀଷ ଲିଙ୍ଗକୁ ।

ନନ୍ଦୀ ସେବୀ ଗଣାଧିପ ହେଲେ ସେ ଶିବଙ୍କୁ ॥

ନନ୍ଦୀକୁଣ୍ଡ ମହାକୁଣ୍ଡ ଦେବୀ ସିଦ୍ଧେଶ୍ଵରୀ ।

ଜଟୋଦ୍ଭବା ନଦୀକୁ ଦେଖାନ୍ତି ତ୍ରିପୁରାରୀ ॥

ମାନସହ୍ରଦ ସେ ସିତପ୍ରଭା ନଦୀ ପୁଣ ।

ନବତୋୟା ନଦୀ ବ୍ରହ୍ମପୁତ୍ର ନଦ ଜାଣ ॥

ଏ ସବୁ ସ୍ଥାନ ଦେଖିଣ ବେତାଳ ଭୈରବ ।

ପରମ ତୋଷ ଲଭିଲେ ହୋଇ ଶିବ ଭାବ ॥

ସେ କାମାଖ୍ୟା କଳ୍ପୀଶଙ୍କ ଚରଣେ ଶରଣ ।

ପ୍ରଭାକର କହେ ଗୀତେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଅଶିତୀତମୋଽଧ୍ୟାୟଃ ।

✽✽✽

 

॥ ୮୧ ॥

 

ମାର୍କଣ୍ଡେୟ ଉବାଚ

ଶ୍ରୀ ଶିବଙ୍କଠାରୁ ଶୁଣି ବେତାଳ ଭୈରବ ।

ପରମ ପ୍ରୀତହୋଇ ଦେଖିଲେ ତୀର୍ଥ ସର୍ବ ॥

ଏସବୁ ଶୁଣି ସଗର ଔର୍ବଙ୍କ ମୁଖରୁ ।

ପୁଣି ପଚାରନ୍ତି ରାଜା ନମି ସେହି ଗୁରୁ ॥

ସଗର ଉବାଚ

କାମରୂପ ପାଠର ବିଚିତ୍ର ସ୍ଥାନ ମାନ ।

ଶୁଣି ପ୍ରୀତହେଲି ପୁଣି ଶୁଣିବାକୁ ମନ ॥

ବାୟୁକୋଣ ମଧ୍ୟଭାଗ ପୂର୍ବଭାଗ କଥା ।

ଗୌରୀ ଶିବ ଯହିଁଛନ୍ତି ତାହାଙ୍କ ବ୍ୟବସ୍ଥା ॥

ଔର୍ବ ଉବାଚ

ବାୟବ୍ୟ ଦିଗର କଥା କୁହା ହୋଇଅଛି ।

ନୈରୁତ ଉତ୍ତର ମଧ୍ୟେ ଯାହାସବୁ ଅଛି ॥

ସେସବୁ କହିବା ଶୁଣ କରତୋୟା ଦକ୍ଷେ ।

ବହୁରୋକାନାମେ ଅଛି ସରିତ ଗୋଟିଏ ॥

ତା ପୂର୍ବରେ ଉତ୍ତର ଶ୍ରାବଣୀ ନଦୀ ବହି ।

ସୁରସକାମା ଜୀମୁତ କାମରୂପ ତହିଁ ॥

ତାପାଖେ ମହାବୃଷନାମକ ଶିବ ଛନ୍ତି ।

ଯୋନିରୂପା ମହେଶ୍ଵରୀ ତହିଁ ବିରାଜନ୍ତି ॥

ବହୁରୋକାରେ ଗାଧୋର ସୁରସ ପର୍ବତେ ।

ମହାବୃକ୍ଷ ମହେଶ୍ଵରୀଙ୍କୁ ପୂଜିବ ତତ୍ତ୍ୱେ ॥

ଚତୁର୍ଭୁଜ ବୃଷାରୁଢ଼ ବରାଭୟ ଶୂଳ ।

ଧରି ଶୁଦ୍ଧସ୍ସଟିକାଭ ଶିରେ ଜଟା ଭାର ॥

ଅଗୋର ମନ୍ତ୍ରରେ ପୂଜା ଏହାଙ୍କୁ କରିବ ।

କାମେଶ୍ଵରୀ ସ୍ଵରୂପା ମାହେଶ୍ଵରୀ ଜାଣିବ ॥

ତହିଁ ବଶିଷ୍ଠଙ୍କ କୁଣ୍ଡ ବଶିଷ୍ଠ ସେବିତ ।

ତହିଁ ସ୍ନାନକଲେ ନରକଙ୍କୁ ନଦେଖି ତ ॥

ସୁରସ ପୂର୍ବରେ କୃତ୍ତିବାସନାମେ ଗିରି ।

ଶିବ ସତୀସଙ୍ଗେ ରହିଥିଲେ ପୂର୍ବେ ଧରି ॥

ତହିଁ ଚନ୍ଦ୍ରିକା ସରିତ ସ୍ନାନକରି ଜଳେ ।

ଭାଦ୍ର ଶୁକ୍ଳ ଚତୁର୍ଥୀରେ ଶିବଙ୍କୁ ପୂଜିଲେ ॥

ନିଷ୍କଳଙ୍କ ହୋଇ ପୃଥିବୀରେ କରେ ବାସ ।

ଉତ୍ତର ଶ୍ରାବଣୀ ତାହାପାଖେ ଚାରୁଦୃଶ୍ୟ ॥

ବ୍ରହ୍ମାଙ୍କ ଦୁହିତା ସେହି ସେଜନ ଫାଲଗୁନେ ।

ସ୍ନାନକରେ ଯମଦଣ୍ଡ ନଭୋଗଇ କ୍ଷଣେ ॥

ତା ପୂର୍ବରେ ସୀତାନଦୀ ଚୈତ୍ର ସ୍ନାନକଲେ ।

ଗଙ୍ଗାସ୍ନାନ ଫଳହୁଏ କହିଲି ଆଗରେ ॥

ଦ୍ୱିଯୋଜନପରେ ସୁମଦନା ନଦୀଅଛି ।

ସୁତୀକ୍ଷ୍ଣ ଶୈଳୁ ଜନକ ତପେ ବାହାରିଛି ॥

ତହିଁସ୍ନାନ ଶିବପୂଜା କରି ନରମାନେ ।

ଅନ୍ତେ ଶିବପୁର ଯାନ୍ତି କହିଲି ବିଧାନେ ॥

କାମରୂପ ପୀଠ ପୂର୍ବେ ଏହି ନଦୀମାନ ।

ଯହିଁ ଅଛି ତ୍ରୀପୁରା ଦେବୀଙ୍କ ପୂଜାସ୍ଥାନ ॥

ନୈରୁତରେ ଅଗଦ ନଦୀ ଭଦ୍ରାଖ୍ୟା ନଦୀ ।

ଭାଦ୍ର କୃଷ୍ଣ ତ୍ରୟୋଦଶୀରେ ସ୍ନାନ ସମ୍ପାଦୀ ॥

ତା ପୂର୍ବରେ ସୁଭଦ୍ୱା ସରିତ ତହିଁ ସ୍ନାନ ।

ବୈଶାଖ ତୃତୀୟାରେ କଲେ ଯେ ବହୁପୁଣ୍ୟ ॥

ମାନସା ନଦୀ ମାନସହଦ ତହିଁ ଅଛି ।

ସମ୍ପୂର୍ଣ୍ଣ ବୈଶାଖେ ତହିଁ ଯେ ସ୍ନାନ କରୁଛି ॥

ବିଷ୍ଣୁଲୋକେ ଯାଇ ଶେଷେ ମୋକ୍ଷକୁ ଲଭଇ ।

ଏଥିରେ ସଂଶୟ ନାହିଁ କହିଲି ବୁଝାଇ ॥

ବିଭ୍ରାଟ ଶୈଳରେ ଶିବ ଭୈରବ ରୂପରେ ।

ଭୈରବୀ ନଦୀ ହେଇ ଶୈଳ ପାଦତଳେ ॥

ବସନ୍ତ ସମୟେ ସ୍ନାନକଲେ ସ୍ଵର୍ଗେବାସ ।

କାମାଖ୍ୟା ପୂଜିଲେ ଦ୍ୱିଗୁଣରେ ଫଳ ତୋଷ ॥

ଉପରେ ବର୍ଣ୍ଣାସା ନଦୀ ଗଙ୍ଗାତୁଲ୍ୟ ପୁଣ୍ୟା ।

ଏ ସର୍ବ ନଦୀ ଉତ୍ତର ସାଗରେ ପ୍ରଲୀନା ॥

ମଦନା ପୂର୍ବରେ ବ୍ରହ୍ମକ୍ଷେତ୍ର ପଶ୍ଚିମରେ ।

ରବି କ୍ଷେତ୍ରଅଛି ସୂର୍ଯ୍ୟ ଅଛନ୍ତି ସେଠାରେ ॥

ପୂର୍ବଦିଗେ ତ୍ରିସ୍ରୋତାନାମକ ନଦୀ ଅଛି ।

ତାପଛେ କପୋତ କାରଣ କୁଣ୍ଡ ଦୁଇଟି ॥

ତହିଁ ସ୍ନାନକରି ସୂର୍ଯ୍ୟଦେବଙ୍କୁ ଦେଖିଲେ ।

ସୂର୍ଯ୍ୟପୁରେ ରହେ ଯାଇ ଯେନର ୟାକରେ ॥

ସୂର୍ଯ୍ୟଙ୍କ ଦକ୍ଷିଣେ ଶଙ୍କର ଲିଙ୍ଗ ଅଛନ୍ତି ।

ତ୍ରିସ୍ରୋତାରେ ସ୍ନାନକରି ଯେନର ପୂଜନ୍ତି ॥

ମହାକାୟ ବାନର ବହୁତ ତହିଁଛନ୍ତି ।

ଶିବଙ୍କୁ ଜଗିଲା ପରି ବାସ କରିଛନ୍ତି ॥

ତା ପୂର୍ବରେ କୁସୁମମାଳିନୀ ନଦୀ ଅଛି ।

କ୍ଷୀରୋଦା ନଦୀ ମଧ୍ୟ ବକ୍ଷ ସାଗରେ ମିଶି ॥

ଏ ଦୁଇ ନଦୀରେ ସ୍ନାନକରି ଶିବପୂଜି ।

ନରେ ଶିବପୁରେ ଯାନ୍ତି କହିଲି ମୁଁ ହେଜି ॥

ତା ପୂର୍ବରେ ଲୀଳା ନଦୀ ତହିଁ ସ୍ନାନକଲେ ।

ଶିବଙ୍କୁ ଦେଖି ଶିବପୁରକୁ ଗମେ ଭଲେ ॥

ତା ପୂର୍ବରେ ଚଣ୍ଡିଛନ୍ତି ଚଣ୍ଡିକା ସରିତ ।

ଧବଳ ଶୈଳରୁ ସେହି ହୋଇଛି ସମ୍ଭୁତ ॥

ସେ ନିକଟେ ଦୁଇ ଶିବଲିଙ୍ଗ ରହିଛନ୍ତି ।

ସେ ସ୍ଥାନକୁ ନିଜତେଜେ ପବିତ୍ର କରନ୍ତି ॥

ଗୋଲକ ଏବଂ ଶୃଙ୍ଗ ତାହାଙ୍କ ନାମ ଜାଣ ।

ଯେ ଜନ ନଦୀରେ ସ୍ନାନ ଧବଳ ଦର୍ଶନ ॥

ଏ ଲିଙ୍ଗ ଦୁହିଙ୍କୁ ବିଧିରେ କରେ ପୂଜନ ।

ସେ ଅଶ୍ଵମେଧର ଫଳ ଲଭଇ ଯେ ଜାଣ ॥

ତହିଁରୁ ଇଶାନ କୋଣେ ଶ୍ରୀଗନ୍ଧମାର୍ଦନ ।

ତହିଁରେ ଭୃଙ୍ଗେଶ ଶିବ ରହିଛନ୍ତି ପୁଣ ॥

ଅନ୍ତରାଳ କୁଣ୍ଡଅଛି ଶିବଙ୍କ ସମୀପେ ।

ଶୀଳା ଉପରେ ଶିବଙ୍କ ପାଦଚିହ୍ନ ଥାପେ ॥

ମଣିକୂଟ ଗନ୍ଧମାର୍ଦନ ଶୈଳ ମଧ୍ୟରେ ।

ବ୍ରହ୍ମପୁତ୍ର ନଦୀ ରହେ ବ୍ରହ୍ମା ଜାତ କଲେ ॥

ସେ ମଣିକୂଟରେ ହୟଗ୍ରୀବ ହରିଛନ୍ତି ।

ଜ୍ୱାରାସୁରକୁ ମାରି ହୟଗ୍ରୀବ ରୂପେ ଛନ୍ତି ॥

ଶତହସ୍ତ ଉଚ୍ଚ ସେହି ହୟଗ୍ରୀବ ମୂର୍ତ୍ତି ।

ତା ପୂର୍ବେ ଭଦ୍ର କାମଶୈଳ ରହିଛି ତଥି ॥

କାଳହୟ ଶିବଲିଙ୍ଗ ତହିଁରେ ଅଛନ୍ତି ।

ତାଙ୍କ ଦକ୍ଷିଣକୁ ଅପୂନ ର୍ଭବକୁଣ୍ଡଟି ॥

ତହିଁ ସ୍ନାନକଲେ ପୁନର୍ଜନ୍ମ ନହୁଏଟି ।

କୁଣ୍ଡତୀରେ ହରବ୍ୟାଥା ବ୍ରହ୍ମ ସ୍ଵରୂପିଣୀ ॥

ତହିଁ ବସି ଶିବ ଯୋଗସାଧନେ ଅଗ୍ରଣୀ ।

ଅନ୍ଧକମିତ୍ର ଗୋକର୍ଣ୍ଣ ଅସୁରକୁ ମାରି ।

ଗୋକର୍ଣ୍ଣ ଲିଙ୍ଗ ନାମରେ ତହିଁ ବାସ କରି ॥

ତାହାଙ୍କ ଐଶାନ୍ୟେ କେଦାରନାମେ ଶଙ୍କର ।

ମଦନଶୈଳେ ଅଛନ୍ତି ଯୋଗୀନ୍ଦ୍ର କମଳ ॥

କୁଣ୍ଡଜଳେ ସ୍ନାନ ଶିବମାନଙ୍କ ଦର୍ଶନ ।

ଅଶେଷ ଫଳ ଦିଅନ୍ତେ ଶିବପୁରେ ସ୍ଥାନ ॥

ହୟଗ୍ରୀବ ରୂପ ଶୁଣ କର୍ପୂର ଧବଳ

ଶ୍ଵେତପଦ୍ମେସ୍ଥିତ ଗଳେ ଶୋଭେ ବନମାଳ ॥

ଚତୁର୍ଭୁଜ କୁଣ୍ଡଳାଦି ଅଳଙ୍କାର ଯୁକ୍ତ

ଦର୍ଶନେ ପାପିମାନଙ୍କୁ କରନ୍ତି ପବିତ୍ର ॥

ବର ଅଭୟ ଧରାନ୍ତି ବାମ ଦୁଇକରେ

ପୁସ୍ତକ ଶ୍ଵେତପଦ୍ମକୁ ଦକ୍ଷିଣ ଦ୍ୱୟରେ ॥

ଶ୍ରୀବସ୍ତ୍ର କୌସ୍ତୁଭ ଗଳେ ଗରୁଡ଼ ଆସନ ।

ହୟଗ୍ରୀବ ମୂର୍ତ୍ତି ତହିଁ କରିବ ଦର୍ଶନ ॥

ତହିଁ କାମ ତତ୍‌ପୁରୁଷ ଅଘୋର ଗୋକର୍ଣ୍ଣ ।

ବାମଦେବ ଯେ କେଦାର ସଦ୍ୟୋଜାତ ପୁଣ ॥

କମଳ ଅଟନ୍ତି ତାଙ୍କୁ ପୂଜିବ ବହନ ।

ଯେ ନର ଏସବୁ ସ୍ଥାନରେ ଦର୍ଶନ ସ୍ନାନ ॥

କରେ ସେ ସର୍ବତୀର୍ଥର ଫଳଲଭେ ଜାଣ ।

ଅନ୍ତେ ଶିବଲୋକେ ବସେ ପାଇ ଭୋଗମାନ ॥

ଜ୍ୟେଷ୍ଠ ଶୁକ୍ଳପୂର୍ଣ୍ଣିମା ଯେ ଅଷ୍ଟମୀ ତିଥରେ ।

ସ୍ନାନକରି ହୟଗ୍ରୀବଙ୍କୁ ଦେଖଇ ଥରେ ॥

ସେ ସର୍ବବଂଶ ଉଦ୍ଧାରି ବିଷ୍ଣୁଲୋକେ ବସେ ।

ମଣିକୂଟ ସ୍ଥାନ କଥା କହିଲି ବିଶେଷେ ॥

କାଶୀରୁ ଅଧିକ ପୁଣ୍ୟ ସିଦ୍ଧାଦି ସେବିତ ।

ଯେ ଏହାପଢ଼େ ବା ଶୁଣେ ସେ ନର ନିଶ୍ଚିତ ॥

ସର୍ବ ବେଦପାଠ ଫଳ ଲଭେ ଅନାୟାସେ ।

ଗୀତେ ପ୍ରଭାକର କାଳିକା ପୁରାଣ ଭାଷେ ॥

 

ଇତି ଶ୍ରୀକାଳିକାପୁରାଣେ

ଏକାଶିତୀତମୋଽଧ୍ୟାୟଃ ।

✽✽✽

 

କାଳୀକା ପୁରାଣ

॥ ୮୨ ॥

 

ଔର୍ବ ଉବାଚ

ତା ପୂର୍ବ ଦିଗରେ ଦର୍ପଣ ପର୍ବତ ଅଛି ।

କୁଚେର ନିଜ ଗଣ ସହିତ ତହିଁ ଅଛି ॥

ତା ମଧ୍ୟଭାଗରେ ରୋହିତ ଶିଳା ରହିଛି ।

ରୋହିମାଛ ପରି ଲୁହାକୁ ସୁନା କରୁଛି ॥

ତାହାପାଖେ ଦର୍ପଣନାମକ ନଦ ରହି ।

ବ୍ରହ୍ମପୁତ୍ର ପରି ଅତି ପବିତ୍ର ସେ ହୋଇ ॥

ଶ୍ରୀହରି ଦେବଙ୍କ ସହ ସର୍ବ ତୀର୍ଥୋଦକେ ।

ସ୍ନାନ କରାଇବାରୁ ସେ ପାପ ନାଶେ ଲୋକେ ॥

ତହିଁରେ ସ୍ନାନ ଯେକରେ କାର୍ତ୍ତିକ ମାସରେ ।

କୁବେରଙ୍କୁ ପୂଜିଯାଏ ସେବ୍ରହ୍ମ ଲୋକରେ ॥

ତା ପୂର୍ବରେ ଅଗ୍ନିମାଳାନାମେ ଶୈଳ ଅଛି ।

ସର୍ପାକାର ହୋଇ ବହୁ ବିସ୍ତୃତ ହୋଇଛି ॥

ତାହା ଉପରେ ଅଗ୍ନି ରହିଛି ରକ୍ତବର୍ଣ୍ଣ ।

ମନୋହର ପାଷାଣେ ରହିଛି ବିଦ୍ୟମାନ ॥

ବିନାକାଷ୍ଠେ ଜଳୁଅଛି ଅଦ୍ୟାପି ସେ ଅଗ୍ନି ।

ଭୈରବଙ୍କ ହିତାର୍ଥେ କାମାଖ୍ୟା ସେବାଘେନି ॥

ବ୍ରହ୍ମପୁତ୍ରେ ସ୍ନାନକରି ପର୍ବତକୁ ଯାଇ ।

ଅଗ୍ନିଦର୍ଶନେ ମାନବ ବିଷ୍ଣୁଲୋକ ଯାଇ ॥

ତା ଆଗରେ ବାରୁଣ କୁଣ୍ଡ ଯେ ରହିଅଛି ।

ତା ତୀରେ କଂସଙ୍କର ପର୍ବତ ବିରାଜୁଛି ॥

ତହିଁରେ ବରୁଣ ଦେବ ସଦା ରହିଛନ୍ତି ।

ତାଙ୍କ ପୂଜାବିଧି ଜନେ ସେଠାରେ କରନ୍ତି ॥

ତାଙ୍କୁ ପୂଜି ସେ କୁଣ୍ଡରେ ସ୍ନାନାଦି କରିଲେ ।

ବରୁଣ ଲୋକରେ ବସେ ଜନ ଅନ୍ତକାଳେ ॥

କଂସଙ୍କର ପୂର୍ବରେ ବାୟୁକୂଟ ପର୍ବତ ।

ବାୟୁବୀଜେ ଦ୍ୱିଖଣ୍ଡ ହୋଇଣ ବିରାଜିତ ॥

ବାୟୁଲୋକସ୍ଥ ଚନ୍ଦ୍ରରୁ ଉତ୍ପନ୍ନ ହୋଇଣ ।

ସର୍ବଦା ବହଇ ବାୟୁ ଶୀତଳରେ ଜାଣ ॥

ବାୟୁଗିରି ପୂର୍ବେ ଚନ୍ଦ୍ରକୂଟ ଶୈଳଅଛି ।

ତ୍ରିକୋଣେ ଚନ୍ଦ୍ରମଣ୍ଡଳ ତହିଁ ବିରାଜୁଛି ॥

ପ୍ରତି ଅମାବାସ୍ୟାରେ ଚନ୍ଦ୍ର ସେହି ଶୈଳକୁ ।

ପ୍ରଦକ୍ଷୀଣ କରନ୍ତି ଘେନି ଦଶଦେବଙ୍କୁ ॥

ତା ପୂର୍ବରେ ସୋମକୁଣ୍ଡ ତହିଁ ସ୍ନାନକଲେ ।

ମନୁଷ୍ୟ କୈବଲ୍ୟ ଭୁଞ୍ଜି ବୈକୁଣ୍ଠେ ବିହରେ ॥

କାମାଖ୍ୟା ଦର୍ଶନେ ଚନ୍ଦ୍ର ଆସିଲେ ଯେ କାଳେ ।

ତାଙ୍କ ଅମୃତ କିରଣେ କୁଣ୍ଡ ଜଳ ହେଲେ ॥

ବ୍ରହ୍ମଶିଳାପରେ କୁଣ୍ଡ ଅଛି ବିଦ୍ୟମାନ ।

ସେ ଜଳ ଅମୃତତୁଲ୍ୟ ଅତୀବ ପାବନ ॥

ତାହା ତୀରେ ନନ୍ଦନ ପର୍ବତ ରହିଅଛି ।

କାମାଖ୍ୟା ପୂଜନେ ଇନ୍ଦ୍ର ତହିଁ ବିରାଜୁଛି ॥

ତା ପୂର୍ବରେ ଭସ୍ମକୂଟଶୈଳ ଶିବତୁଲ୍ୟ ।

ତା ଦକ୍ଷିଣେ ପୀୟୁଷଧାରିଣୀ ଦେବୀସ୍ଥଳ ॥

ଉର୍ବଶୀନାମେ ସେ ଖ୍ୟାତା ଇନ୍ଦ୍ର ପ୍ରୀତିକରୀ ।

ଅପସରାଙ୍କ ମଧ୍ୟରେ ପ୍ରଧାନ ସେହି ଗୋରୀ ॥

ତହିଁ ଅମୃତ ରହିଛି ଦେବୀ ଭୋଗ ପାଇଁ ।

ହରଶିଳା ରୂପେ ଆବରି ରହିଛି ତହିଁ ॥

ସେ ଅମୃତକୁ ବଣ୍ଟିଣ ଯୋନି ମଣ୍ଡଳରେ ।

ପ୍ରଦାନନ୍ତି ସର୍ବ ଦେବ ଦେବୀଙ୍କୁ ସାଦରେ ॥

କାମାଖ୍ୟାଯୋନି ଈଶାନ ଦିଗକୁ ଚଳନ୍ତି ।

ଅମୃତ ପିଇ କାମକ୍ରୀଡ଼ାରେ ମାତିଥାନ୍ତି ॥

ଭସ୍ମକୂଟ ଈଶାନରେ ମଣିକୂଟ ଗିରି ।

ମଣିବର୍ଣ୍ଣ ଲିଙ୍ଗ ଛନ୍ତି ତହିଁ ବିଜେକରି ॥

ସଦ୍ୟୋଜାତ ମନ୍ତ୍ରେ ତାଙ୍କ ପୂଜାବିଧି କଲେ ।

ମନୁଷ୍ୟ ଶିବଲୋକକୁ ଗମଇ ଯେ ହେଳେ ॥

ଶ୍ୱେତବର୍ଣ୍ଣ ଶ୍ଵେତବସ୍ତ୍ର ଦଶ ଅଶ୍ଵରଥ ।

ଗଦାଧାରୀ ଦ୍ୱିଭୁଜରେ ଚନ୍ଦ୍ର ତହିଁ ସ୍ଥିତ ॥

ସହସ୍ର ନେତ୍ର ଗୌରାଙ୍ଗ ବଜ୍ର ଗଦାଧାରୀ ।

ଐରାବତାରୁଢ଼ ବାଣ ତୁଣୀର ବିହାରୀ ॥

ତାଙ୍କପୂର୍ବେ ସୁମଙ୍ଗଳା ନଦୀ ବହିଯାଏ ।

ତହିଁ ସ୍ନାନକଲେ ଜନ ସ୍ୱର୍ଗଗାମୀ ହୁଏ ॥

ତା ପୂର୍ବରେ ମତ୍ସ୍ୟ ଧ୍ୱଜଗିରି ଶୋଭାପାଏ ।

ତହିଁ କାମ ପୁଣି ଶରୀରକୁ ପ୍ରାପ୍ତ ହୁଏ ॥

ସେ କାମ ସ୍ଥାପିତ ମତ୍ସ୍ୟ ଶିଳାରୂପେ ତହିଁ ।

ତା ଦକ୍ଷିଣେ ଶାଶ୍ୱତୀ ନଦୀଏ ବହିଯାଇ ॥

କାମସରନାମେ ହ୍ରଦ ତହିଁ ଅବସ୍ଥିତ ।

ଗନ୍ଧମାର୍ଦନ ପୂର୍ବରେ ସୁକ୍ରାନ୍ତ ପର୍ବତ ॥

ତହିଁ ଇନ୍ଦ୍ର କ୍ଳାନ୍ତ ହୋଇ ପିଇଲେ ଅମୃତ ।

ତା ପୂର୍ବରେ ରକ୍ଷକୂଟ ନାମକ ପର୍ବତ ।

ନିରୁତି ରାକ୍ଷସ ତହିଁ କରେ ଅବସ୍ଥିତ ।

ପାପିଗଣଙ୍କୁ କରାନ୍ତି ଦର୍ଶନେ ପବିତ୍ର ॥

ଖଡ଼୍‍ଗ ଚର୍ମଧାରୀ ମହାକାୟ ଉଚ୍ଛ ଅତି ।

କୃଷ୍ଣବର୍ଣ୍ଣ କୃଷ୍ଣ ବସ୍ତ୍ର ଗର୍ଦ୍ଦଭେ ବସତି ।

ରକ୍ଷକୂଟ ପୂର୍ବଦିଗେ ଭୈରବ ମାଧବ ।

ପାଣ୍ଡୁନାଥନାମେ ଶିଳାରୂପେ ତହିଁ ଠାବ ॥

ବର୍ଣ୍ଣେ ରକ୍ତ ଗୌରଶକ୍ତ ଗଦା ପଦ୍ମ ଚକ୍ର ।

ଧରି ରକ୍ତିପଦ୍ମେ ସ୍ଥିତା ମୁକୁଟେ ଉଜ୍ୱଳ ॥

କୁଣ୍ଡଳ ଶ୍ରୀବତ୍ସଧାରୀ ତାଙ୍କୁ ବିଷ୍ଣୁ ମନ୍ତ୍ରେ ।

ପୂର୍ବି ଚତୁବର୍ଗଫଳ ଲଭନ୍ତି ଯେ ନରେ ॥

ପାଣ୍ଡୁନାଥଙ୍କ ଉତ୍ତରେ ବ୍ରହ୍ମକୂଟ ସର ।

ଦେବଙ୍କ ସ୍ନାନାର୍ଥେ ବ୍ରହ୍ମା ସର୍ଜିଥିଲେ ଜଳ ॥

ପାଣ୍ଡୁନାଥ ପୂର୍ବେ ଚିତ୍ର ହରଗିରି ଅଛି ।

ବିଷ୍ଣୁ ବରାହ ରୂପରେ ତହିଁ ବିରାଜୁଛି ॥

ତାପରେ ନୀଳକୂଟ ପର୍ବତ ଶୋଭାପାଏ ।

ଯହିଁ କାମାଖ୍ୟାଦେବୀ ବସତି କରିଥାଏ ॥

ତା ପୂର୍ବରେ ବ୍ରହ୍ମା ବ୍ରହ୍ମ ଗିରିପରେ ଥାନ୍ତି ।

ତା ପୂର୍ବ ନିମ୍ନଭାଗରେ ଦେବୀ ନାଭି ସ୍ଥିତି ॥

ଉଗ୍ରତାରା ନାମେ ତହିଁ ପୂଜିତା ସେ ଦେବୀ ।

କୃଷ୍ଣା ଲମ୍ୱୋଦରୀ ଦୀର୍ଘା ରକ୍ତଦନ୍ତୀ ଭାବି ॥

ଚତୁର୍ଭୁଜା କୃଶାଙ୍ଗୀ କର୍ତ୍ତ୍ରୀ ଖର୍ପରଧାରୀ ।

ଖଡ୍‍ଗ ଇନ୍ଦିବର ବାମେ ଏକଜଟା ହେରି ॥

ଶବୋପରି ବସି ଅଟ୍ଟହାସକୁ କରନ୍ତି ।

ନାଭି ନର ଶିର ମାଳ ଗଳେ ଲମ୍ବିଥାନ୍ତି ॥

ତ୍ରିକୋଣ ତାଙ୍କ ମଣ୍ଡଳ ହୁଂକାର ଯେ ବୀଜ ।

ତାହାଙ୍କୁ ପୂଜିଲେ ସ୍ୱର୍ଗ ମିଳଇ ସହଜ ॥

କାମାଖ୍ୟା ପର୍ବତ ପୂର୍ବଦ୍ୱାରେ ଗଣପତି ।

ଅଗ୍ନିବେତାଳ ପୁନଶ୍ଚ ଦ୍ୱାର ଜଗିଥାନ୍ତି ॥

ଗଜବକ୍ତ୍ର ଲମ୍ୱୋଧର ତ୍ରିଲୋଚନ ସେହି ।

ସର୍ପସୂତ୍ର ଚତୁର୍ବାହୁ ସୂର୍ଯ୍ୟକର୍ଣ୍ଣ ଦୁଇ ॥

ବୃହତ୍‍ଗଣ୍ଡ ଏକଦନ୍ତ ଦଣ୍ଡପଦ୍ମ ହସ୍ତେ ।

ଲଡ଼ୁ ପର୍ଶୁଧାରୀ ବୁଦ୍ଧି କୁବୁଦ୍ଧିରେ ଯୁତେ ॥

ମୂଷିକ ବାହନ ସର୍ବସିଦ୍ଧି ପ୍ରଦ ଦେବ ।

ତାଙ୍କୁ ପୂଜି ଅଭିଷ୍ଟ ଲଭନ୍ତି ନରେ ସର୍ବ ॥

ଅଗ୍ନିବେତାଳ ଦ୍ୱିଭୂତ ସ୍ଥୂଳ ମୁଖଧାରୀ ।

ରକ୍ତନେତ୍ର ଭୟଙ୍କର କ୍ଷୁର କରେ ଧରି ॥

ରୁଧିର ପାତ୍ର କରରେ କରାଳ ବଦନ ।

ଶିରେ ଦୀର୍ଘ ଜଟାଭାର ପୂରଜନୀୟ ପୂଣ ॥

କାତ୍ୟାୟିନୀ ପାଦଦୁର୍ଗା ପୂଜି ଦୁର୍ଗାମନ୍ତ୍ରେ ।

କାଳରାତ୍ରୀଙ୍କୁ ପୂଜିବ ତାଙ୍କ ନିଜମନ୍ତ୍ରେ ॥

ଯେ ଦେବୀଙ୍କ ମନ୍ତ୍ର ଉକ୍ତ ନୋହିଛି ଏଥିରେ ।

ଦୁର୍ଗାମନ୍ତ୍ରେ ପୂଜାକଲେ ଫଳହେବ ଭଲେ ॥

ନୀଳଶୈଳ ନାଭିମଣ୍ଡଳର ପୂର୍ବଦିଗେ ।

ଭସ୍ମକୂଟ ଦକ୍ଷିଣେ କର୍ପଳ ଶୈଳଯୋଗେ ॥

ଯମ ଶିଳାରୂପେ ଛନ୍ତି ତାହାଙ୍କୁ ପୂଜିଣ ।

ଯକ୍ଷ ଯାତନାରୁ ଲୋକେ ମୁକ୍ତ ହେବେ ଜାଣ ॥

ଦଣ୍ଡହସ୍ତ କୃଷ୍ଣବର୍ଣ୍ଣ କୀରୀଟ ମୁକୁଟୀ ।

ଅସିଧାରୀ କୃଷ୍ଣବାସ ସ୍ଥୂଳ ପଦ୍ମବାଟୀ ॥

ଦନ୍ତରୁ ଭୟ ଅଭୟପ୍ରଦ ସୂର୍ଯ୍ୟସୂତ ।

ମହିଷ ବାହନ ଯମଙ୍କୁ ପୂଜ ନିୟତ ॥

ବ୍ରହ୍ମଶିଳା ପୂର୍ବେ ପ୍ରାକ୍‌ ପର୍ବତ ଅଛି ରହି

ନବଗ୍ରହମାନେ ପୂଜା ପାଉଥାନ୍ତି ତହିଁ ॥

ତା ପୂର୍ବରେକଜ୍ଵଳ ପର୍ବତ ବିଦ୍ୟମାନ ।

ବିଦ୍ୟାଧର ଗଣେ ତହିଁ ବିହରନ୍ତି ଜାଣ ॥

ତା ପୂର୍ବରେ ଶୁଭଶୈଳେ ଇନ୍ଦ୍ର ସଚିସଙ୍ଗେ ।

ବିହାର କରନ୍ତି ତହିଁ ରହି ନାନାରଙ୍ଗେ

ତା ପୂର୍ବରେ କପିଳ ଗଙ୍ଗା ନାମରେ ନଦୀ

ତହିଁ ସ୍ନାନ ଗଙ୍ଗାସ୍ନାନ ସମଫଳ ବାଦୀ ॥

କାମାଖ୍ୟାଙ୍କ ଈଶାନ କୋଣରେ ମହାଗର୍ତ୍ତ ।

ବ୍ରହ୍ମବିଳବୋଲି ପୃଥିବୀରେ ସେ ବିଖ୍ୟାତ ॥

ତହିଁରୁ କପିଳଗଙ୍ଗା ହୋଇଛି ଉତ୍ପନ୍ନ ।

ତା ପୂର୍ବରେ ଦମନିକା ନଦୀବହେ ପୁଣ ॥

କୃଷ୍ଣତୋୟା ପାପଦମନୀ ସେ ନଦୀ ହୋଇ ।

ତା ପୂର୍ବେ ବୃଦ୍ଧାସରିତ ମାଘସ୍ନାୟୀ ହୋଇ ॥

ମୋକ୍ଷଲାଭ କରେ ଜନ ତହୁଁ ଯେ ଯମୁନା

ଦକ୍ଷିଣଶୈଳୁ ବାହାରି କ୍ଷୀରୋଦେ ସେ ଲୀନା ॥

କାର୍ତ୍ତିକମାସରେ ତହିଁ ସ୍ନାନକଲେ ନର ।

ଇହଭୋଗ ଭୁଞ୍ଜିଯାଏ ସେ ବୈକୁଣ୍ଠପୁର

ତାହାମଧ୍ୟେ ଭୈରବ ଅଛନ୍ତି ମହାକାୟ ।

ଶରଭ ମଧ୍ୟଦେହରୁ ଯେହେଲେ ଉଦୟ ॥

ଶିବମନ୍ତ୍ରେ ପୂଜି ତାଙ୍କୁ ଶିବଲୋକ ପାଇ ।

ସନ୍ଦେହ ନକର ରାଜା କହିଲି ବୁଝାଇ ॥

ତହିଁ ଭୈରବ ଗଙ୍ଗା ଭୈରବ ହ୍ରଦ ଅଛି ।

ତହିଁ ସ୍ନାନକଲେ ଶିବଲୋକେ ବସେ ରୁଚି

ତା ଦକ୍ଷିଣେ କ୍ଷୋଭକନାମକ ମହାଶୈଳ

ତହିଁଛନ୍ତି ରକ୍ତଦେବୀ ପାଇ ପୁଣ୍ୟସ୍ଥଳ ॥

ପଞ୍ଚଯୋନିରୂପା ପଞ୍ଚ ପୁଷ୍କରିଣୀ ତହିଁ ।

ତା ପୂର୍ବରେ କାନ୍ତାନାମେ ନଦୀ ଏକ ଥାଇ ॥

ଦକ୍ଷିଣ ସାଗରଗାମୀ ଉତ୍ତରରୁ ସ୍ରବେ

ଦିବ୍ୟକୁଣ୍ଡ ମହାକୁଣ୍ଡ ଶୈଳତଳେ ଶୋଭେ ॥

ତହିଁ ସ୍ନାନକରି ସେ ଦେବୀଙ୍କୁ ପୂଜାକଲେ ।

ଯୋନିଜନ୍ମ ନୁହେଁ ସେହି ଶୁଣିଥାଅ ଭଲେ ॥

ଦେବୀଙ୍କ ଈଶାନକୋଣେ ହେରୁକ ଶଙ୍କର

ଦେବୀଙ୍କ ନାୟକ ତାଙ୍କୁ ପୂଜିବ ସତ୍ୱର ॥

ବସନ୍ତରେ କାନ୍ତାଜଳେ ଯେହୁ ସ୍ନାନକରେ ।

ରୂପ ଗୁଣଯୁକ୍ତ ହୋଇଯାଏ ଶିବପୁରେ ॥

କ୍ଷୋଭକଶୈଳ ନିକଟେ ତୁଙ୍ଗ ସନ୍ଧ୍ୟାଚଳ ।

ନିମିଶାପେ ବଶିଷ୍ଠ ହୋଇଥିଲେ ଅଚଳ ॥

ତପସ୍ୟା କରି ବିଷ୍ଣୁଙ୍କବରେ ଦେହ ଧରି

ତୁଙ୍ଗଶୈଳେ ତପକଲେ ହୋଇ ବ୍ରହ୍ମଚାରୀ ॥

ସେ ଶୈଳରୁ ସନ୍ଧ୍ୟାନାମେ ନଦୀ ଉପୁଜିଛି ।

ତହିଁ ସ୍ନାନେ ଚିରାୟୁ ନୀରୋଗୀ ସେ ହୋଇଛି ॥

ତା ପୂର୍ବରେ ଲଳିତା ନଦୀରେ ସ୍ନାନକଲେ ।

ବୈଶାଖ ଶୁକ୍ଳ ତୃତୀୟା ଦିନ ପାଇ ଭଲେ ॥

ଶମ୍ଭୁ ସଦନକୁ ଯାଏ ଏକଥା ନିଶ୍ଚିତ ।

ସେ ନଦୀ ପୂର୍ବଭାଗେ ଭଗବାନ ପର୍ବତ ॥

ଲିଙ୍ଗରୂପେ ଶ୍ରୀହରି ଅଛନ୍ତି ସେହିଠାରେ ।

ତାଙ୍କୁ ପୂଜି ନରେଯାନ୍ତି ବୈକୁଣ୍ଠ ମନ୍ଦିରେ

ଏହିନଦୀ ସବୁ ଉତ୍ତରଦିଗୁ ବାହାରି ।

ଦକ୍ଷିଣ ସମୁଦ୍ରେ ବିହରନ୍ତି ମିଳିକରି

କାମାଖ୍ୟା ଦର୍ଶନ ଉର୍ବଶୀ କୁଣ୍ଡରେ ସ୍ନାନ ।

ଏହି ନଦୀମାନଙ୍କରେ ପଛେ କରି ସ୍ନାନ ॥

ଅନାୟାସେ ମୁକ୍ତିଲଭେ ହେଲେ ମହାପାପୀ ।

ପ୍ରଭାକର କହେ ଗୀତେ ଶିବଦୁର୍ଗା ଜପି ॥

 

ଇତି ଶ୍ରୀକାଳିକାପୁରାଣେ

ଦ୍ୱୀଶିତିତମୋଽଧ୍ୟାୟଃ ।

✽✽✽

 

॥ ୮୩ ॥

 

ଔର୍ବ ଉବାଚ

ମତ୍ସ୍ୟଧିଜା ଶାଶ୍ଵତୀ ଯେ ନଦୀ କୁହାଗଲା ।

ତାହା ପୂର୍ବଦିଗେ ଦୀପବତୀ ନଦୀ ଥିଲା ॥

ଦୀପତୁଲ୍ୟ ପାପ ଅନ୍ଧକାର ନାଶିବାରୁ ।

ଦେବ ମନୁଷ୍ୟେ ଦୀପବତୀ ନାମକୁ ଧରୁ ॥

ଦ୍ଵୀପବତୀ ପୂର୍ବଭାଗେ ଶୃଙ୍ଗାଟ ପର୍ବତ ।

ତହିଁରେ ଗୋଟିଏ ଶିବଲିଙ୍ଗ ଅବସ୍ଥିତ ॥

ତ୍ରିସ୍ରୋତାନଦୀ ଦକ୍ଷିଣ ସମୁଦ୍ର ଗାମିନୀ ।

ଶୃଙ୍ଗାଟ ପର୍ବତପାଦୁ ଉତ୍ପନ୍ନା ସେ ପୁଣି ॥

ସେ ନଦୀରେ ସ୍ନାନସାରି ଶୈଳରେ ଆରୋହୀ

ଶିବଲିଙ୍ଗ ପୂଜାକଲେ ମନଧ୍ୟାନ ଦେଇ ॥

ସେ ଶୁଦ୍ଧକାୟ ହୋଇଣ ସର୍ବକାମ ଲଭେ l

ଅନ୍ତେ ଶିବପୁର ଗମି ମୋକ୍ଷଭାଗୀ ଭବେ ॥

ସେ ହର ଦ୍ୱିଭୁଜ ସଦା ବୃଷଭାଧ ରୂଢ଼ ।

ଉମାସଙ୍ଗେ ସନ୍ତତ କରନ୍ତି କାମକ୍ରୀଡ଼ ॥

ଉମାମନ୍ତ୍ରେ ଚଣ୍ଡିକାଙ୍କୁ ତନ୍ତ୍ରମତେ ଶିବ ।

ପୂଜାକରି ପାନ୍ତି ଜନେ ସୁମୋକ୍ଷ ଦୁର୍ଲଭ ॥

ତା ପୂର୍ବରେ ବୃଦ୍ଧ ଦେବିକା ନଦୀ ବହଇ ।

ତହିଁ ସ୍ନାନକଲେ ବହୁ ପୁଣ୍ୟଫଳ ପାଲ ॥

ତହୁଁ ଭଟ୍ଟାରିକା ନଦୀ ହିମଶୈଳ ଜାତା ।

ଦେବଗଣଙ୍କର ସେହି ସଦା ଉପାସିତା ॥

ସେ ନଦୀରେ ଯୁଗାଦି ତିଥରେ ସ୍ନାନକଲେ ।

ସେ ବିଷ୍ଣୁ ମନ୍ଦିରେ ଯାଏ ଶୁଣ ଏବେ ଭଲେ ॥

ନାଟକ ଶୈଳେ ମାନସ ତୁଲ୍ୟ ଏକ ସର ।

ସଦା ପଦ୍ମଗନ୍ଧେ ସୁବାସିତ ତାର ଜଳ ॥

ପାର୍ବତୀଙ୍କ ସଙ୍ଗେ ହର ଜଳକ୍ରୀଡ଼ା ତହିଁ ।

ତାହାପୂର୍ବ ମଧ୍ୟ ପଛଭାଗେ ତିନି ଥାଇ ॥

ସେ ନଦୀ ଦକ୍ଷିଣ ସାଗରେ ମିଳନ୍ତି କ୍ରମେ ।

ଦିକ୍‌ କରିକା ନଦୀବହେ ତାହାଙ୍କ ପଶ୍ଚିମେ ॥

ଦିଗ ହସ୍ତି କ୍ଷତେ ଜାତ ହେବାରୁ ସେ ନାମେ ।

ଖ୍ୟାତ ହୋଇଅଛି ସେହି ଏହି ଧରାଧାମେ ॥

ମଧ୍ୟରେ ସେ ନଦୀ ଶିବକୃତା ବୃଦ୍ଧଗଙ୍ଗା ।

ପୂର୍ବରେ ସେ ସୁବର୍ଣ୍ଣ ସ୍ରବିଣୀ ସେ ଆପଗା ॥

ପାର୍ବତୀଙ୍କ ସ୍ନାନକାଳେ ସୁବର୍ଣ୍ଣ କଣିକା ।

ସେ ନଦୀରେ ପଡ଼ିବାରୁ ନାମ ଏହା ଏକା ॥

ଶିବ କ୍ରୀଡ଼ପାଇଁ ଚନ୍ଦନ ସଙ୍ଗରେ ସୁନା ।

ଲଗାନ୍ତି ସେ ନଦୀଜଳେ ଧୋରହୁଏ କିନା ॥

ତେଣୁ ସୁବର୍ଣ୍ଣ ସ୍ରାବିଣୀ ନାମଟି ତାହାର ।

ତହଁ ସ୍ନାନକଲେ ମିଳେ ଗଙ୍ଗାସ୍ନାନ ଫଳ ॥

ଏ ନଦୀମାନରେ ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ।

ସ୍ନାନକଲେ ତିନିକାଳ ବହୁ ଫଳ ଦିଶି ॥

ଶିବ ବ୍ରହ୍ମପୁରେ ରହି ପଛେ ରାଜା ହୁଏ ।

ବୃଦ୍ଧ ଗଙ୍ଗାତୀରେ ବିଶ୍ଵନାଥ ଲିଙ୍ଗ ରହେ ॥

ଶ୍ରୀହରିଙ୍କ ହୟଗ୍ରୀବ ମୂର୍ତ୍ତିଙ୍କ ସଙ୍ଗରେ ।

ବିଶ୍ୱଦେବୀ ଛନ୍ତି ତାଙ୍କୁ ପୂଜିବ ସ୍ଵମନ୍ତ୍ରେ ॥

ଦ୍ଵାଦଶୀ ଅଷ୍ଟମୀ ଚତୁର୍ଦ୍ଦଶୀ ଯେ ତିଥିରେ ।

ଉପବାସେ ସେମାନଙ୍କୁ ପୂଜିଲେ ଭକ୍ତିରେ ॥

ତିନିକୋଟି ଯୁଗ ଶିବ ହରି ଦୁର୍ଗାପୁରେ ।

ରହି ବେଦଜ୍ଞ ବ୍ରାହ୍ମଣ ହୁଏ ଏ ମହୀରେ ॥

ସ୍ୱର୍ଣ୍ଣ ସ୍ରାବିନଦୀ ପୂର୍ବେ କାମାଦ୍ଵୟା ନଦୀ ।

ତା ପୂର୍ବରେ ଶୋଭାସନାନଦୀ ବହେ ଭେଦି ॥

ତା ପୂର୍ବରେ ବୃଶୋଦକା ନାମରେ ସରିତ ।

ତାହାପୂର୍ବେ କାମରୂପ ପୀଠ ଅବସ୍ଥିତ ॥

ଏ ସର୍ବେ ଦକ୍ଷିଣଭାଗୁ ସ୍ରବନ୍ତି ସନ୍ତତ ।

ଦକ୍ଷିଣ ସାଗରେ ଯାଇ ମିଳନ୍ତି ସର୍ବେ ତ ॥

ଏ ସବୁରେ ସ୍ନାନ ପାନ ବହୁପୁଣ୍ୟ ପ୍ରଦା ।

ଦିକ୍‌କରବାସିନୀ ଦେବୀ ତୀରେଥାନ୍ତି ସଦା ॥

ସିତ ଗଙ୍ଗାଜଳେ ସ୍ନାନସାରି ଶମ୍ବୁ ହରି ।

ବିଧିଙ୍କୁ ପୂଜିବ ମନେ ଭକ୍ତିଭାବ ଧରି ॥

ଦିକ୍‌କର ବାସିନୀ ପୀଠେ ଶିବା ଦ୍ୱିରୂପରେ ।

ଶିବଙ୍କ ସଙ୍ଗେ କ୍ରୀଡ଼ନ୍ତି କାମ ସମରରେ ॥

ତୀକ୍ଷ୍ଣକାନ୍ତା ଉଗ୍ରତାରା ଦୁଇମୂର୍ତ୍ତି ହୋଇ ।

ଶିବଙ୍କୁ ସଦା ସନ୍ତୋଷ କରୁଥାନ୍ତି ତହିଁ ॥

କୃଷ୍ଣା ଲମ୍ବୋଦରୀ ଏକଜଟା ଧରିଥାନ୍ତି ।

ତାହାଙ୍କୁ ପୂଜିଲେ ମିଳେ ପୁତ୍ରାଦି ସମ୍ପତ୍ତି ॥

ତାଙ୍କର ତ୍ରିକୋଣ ମଣ୍ଡଳ କରିବ ଆଗେ ।

ନର ତ୍ରିପୁର ଦେବ ଯମ ବେତାଳ ଯୋଗେ ॥

ଗଣଗ୍ରାମ ଏହି ଦ୍ଵାରପାଳଙ୍କୁ ପୂଜିବ ।

ପୁଣି ଷଟ୍‌ଯୋଗିନୀଙ୍କୁ ମଣ୍ଡଳେ ଅର୍ଚ୍ଚିବ ॥

ଚାମୁଣ୍ଡା କରାଳା ସୁଭଗା ଭୀଷଣା ଭଗା ।

ବିକଟା ନାମରେ ଛଅଯୋଗିନୀ ସୁଭଗା ॥

ନିର୍ମାଲ୍ୟ ଧାରିଣୀ ବିକଟ ବର୍ଣ୍ଣୀୟାଙ୍କର ।

ମୃଣ୍ମୟ ବା ରୁଦ୍ରାକ୍ଷ ଅଟେ ଏହାଙ୍କ ମାଳ ॥

କାମାଖ୍ୟା ପୂଜା ସମାନ ଏହାଙ୍କର ପୂଜା ।

ବଳିଦାନାଦି ସକଳ କରିବ ସହଜା ॥

ଯେ ତୀକ୍ଷ୍ମା ସେ ଲଳିତକାନ୍ତା ନାମ ତାଙ୍କର ।

ମଙ୍ଗଳ ଚଣ୍ଡିକାବୋଲି ନାମ ଏହାଙ୍କର ॥

ବରାଭୟହସ୍ତା ଗୌରଦେହା ସେ ଦ୍ୱିଭୂଜା ।

ରକ୍ତପଦ୍ମାସନା ମୁକୁଟ ମସ୍ତକେ ସଜା ॥

ରକ୍ତ କୌଶେୟ ବସନା ସ୍ମିତ ଚାରୁମୁଖୀ ।

ନବଯୌବନ ସମ୍ପନ୍ନା ମନୋରମ ଆଖି ॥

ଏକାକ୍ଷର ମନ୍ତ୍ରେ ଏହାଙ୍କୁ ପୂଜା କରିବ ।

ବସନ୍ତଋତୁ ଅଷ୍ଟମୀ ନବମୀରେ ଦେବ ॥

ସ୍ଵଗାତ୍ରରୁଧିର ବଳି ପ୍ରିୟ ଏହାଙ୍କର ।

ଷଟ୍‌ ପ୍ରତିମା ଘଟରେ ପୂଜା କରିପାର ॥

ଦୁର୍ଗାଙ୍କୁରେ ଭୌମବାରେ ପୂଜିବ ଏ ଦେବୀ ।

ମଙ୍ଗଳ ଚଣ୍ଡିକା ପୂଜା କହିଲି ମୁଁ ଭାବି ॥

ବ୍ରହ୍ମାଙ୍କ ରୂପକୁ ଶୁଣ କମଣ୍ଡଳୁ ଧର ।

ଚତୁର୍ମୁଖ ଚତୁର୍ଭୁଜ ହଂସରେ ବିହାର ॥

ରକ୍ତଗୌର ଉନ୍ନତ ଏହାଙ୍କ ଦୀର୍ଘକାୟ ।

ମାଳାସ୍ରୁବ ସ୍ରୁଚ କମଣ୍ଡଳୁ ଧର ପ୍ରିୟ ॥

ବାମେ ଆଜ୍ୟସ୍ଥାଳୀ ଦେବେ ଆଗରେ ରହନ୍ତି ।

ବାମରେ ସାବିତ୍ରୀ ଦକ୍ଷିଣରେ ସରସ୍ଵତୀ ॥

ସର୍ବଋଷି ଆଗପଟେ ଏ ରୂପରେ ଚିନ୍ତି ।

ପୂଜିବ ବ୍ରହ୍ମାଙ୍କୁ ତହିଁ ନକରିଣ ଭ୍ରାନ୍ତି ॥

ଚତୁଷ୍କୋଣ ଚତୁର୍ଦ୍ୱାର ଅଷ୍ଟପତ୍ର ପଦ୍ମ ।

ଚତୁଷ୍କୋଟେ ସ୍ରୁବ ସୁଚାଦି କରି ଲିଖନ ॥

ଆଧାର ଶକ୍ତି ପ୍ରଭୃତି ପୂଜିବ ମଣ୍ଡଳେ ।

ଦିଗପାଳଙ୍କୁ ପୂଜିବ ପଦ୍ମ ଅଷ୍ଟଦଳେ ॥

ପଦ୍ମାସନାୟ ବିଦ୍ମହେ ହଂସାରୂଢ଼ାୟଧୀ ।

ମହିତନ୍ନୋ ବ୍ରହ୍ମା ପ୍ରଚୋଦୟାତ୍‌ ଗାୟତ୍ରୀ ହି ॥

ବ୍ରହ୍ମାଙ୍କ ନିର୍ମାଲ୍ୟଧାରୀ ସନତ କୁମାର l

ରକ୍ତ କୌଶେୟବସନ ବ୍ରହ୍ମା ପ୍ରୀତିକର ॥

ପାୟସାନ୍ନ ତିଳଘୃତ ନୈବେଦ୍ୟରେ ତୋଷ ।

ଶୁକ୍ଳରକ୍ତ ଚନ୍ଦନରେ ସର୍ବାଙ୍ଗ ବିଭୂଷ ॥

ହରିହରଙ୍କୁ ପୂଜିବ ଉଭୟ ପାର୍ଶ୍ଵରେ ।

ସରସ୍ଵତୀ ସାବିତ୍ରୀଙ୍କୁ ପୂଜିବ ପାଖରେ ॥

ହଂସପଦ୍ମ ପୂଜାକରି ପଦ୍ମବୀଜ ମାଳେ ।

ବ୍ରହ୍ମ ମନ୍ତ୍ରକୁ ଜପିବ ରହିଣ ନିଶ୍ଚଳେ ॥

କ୍ଷୀରେ ଅର୍ଘ୍ୟଦେବ ଅମାବାସ୍ୟା ପୂର୍ଣ୍ଣିମାରେ ।

ବ୍ରହ୍ମାଙ୍କ ପୂଜା ପ୍ରଶସ୍ତ କହିଲି ତୁମ୍ଭରେ ॥

ବିଷ୍ଣୁପୂଜା ଶୁଣ ବିଷ୍ଣୁ ବିଜେ ପୂଜାକରି ।

ଦ୍ଵାଦଶାକ୍ଷର ମନ୍ତ୍ର ଯେ ଅଙ୍ଗମନ୍ତ୍ର ଭାଳି ॥

ପ୍ରତ୍ୟଙ୍ଗ ରୂପ ହରିଙ୍କ ଶ୍ରୀଦଧିବାମନ ।

ପୂଜାକାଳେ ଶ୍ରୀହରିଙ୍କ ରୂପ ଏବେ ଶୁଣ ॥

ପୂର୍ଣ୍ଣଚନ୍ଦ୍ର ତୁଲ୍ୟ ଶୁକ୍ଳ ଗରୁଡ଼ ବାହନ ।

ପୀତବସ୍ତ୍ର ଚତୁର୍ଭୁଜେ ଗଦା ଚକ୍ର ପଦ୍ମ ॥

ଶଙ୍ଖଧାରୀ ଶ୍ରୀବତ୍ସ କୌସ୍ତୁଭ ଶୋଭେ ଊର ।

କିରିଟ କୁଣ୍ଡଳ ଭୂଷା ଅତି ମନୋହର ॥

କାଖେ ବାଣପୂର୍ଣ୍ଣ ତୂଣୀ ଧନୁ ଯେ ଶାର୍ଙ୍ଗକ ।

ନନ୍ଦକଖଡ୍‌ଗ ଦକ୍ଷିଣକକ୍ଷେ ଶୋଭା ଦେଖ ॥

ମସ୍ତକେ କିରୀଟ କର୍ଣ୍ଣଦ୍ଵୟରେ କୁଣ୍ଡଳ ।

ଆଜାନୁ ଲମ୍ବି ବନମାଳା ଯେ ଶୋଭେ ଗଳ ॥

ଦକ୍ଷିଣେ ଲକ୍ଷ୍ମୀ ବାମରେ ସରସ୍ଵତୀ ଚିନ୍ତି ।

ଶ୍ରୀହରିଙ୍କୁ ପୂଜାକରିବ ହୋଇ ପ୍ରଣତି ॥

ଅଷ୍ଟାଦଶାକ୍ଷର ମନ୍ତ୍ରେ ପ୍ରତ୍ୟଙ୍ଗ ପୂଜନ ।

ବାମକରେ ସୁଧାପୂର୍ଣ୍ଣ ଘଟର ଚିନ୍ତନ ॥

ଦକ୍ଷିଣେ ସ୍ଵର୍ଣ୍ଣପାତ୍ରରେ ଧରି ଦଧିଅନ୍ନ ।

ତେଣୁ ତାଙ୍କୁ କହନ୍ତି ଲୋକେ ଦଧିବାମନ ॥

ପଦ୍ମାସନ ଗତ ଚନ୍ଦ୍ରମଣ୍ଡଳ ମଧ୍ୟଗ ।

ଶୁକ୍ଳବସ୍ତ୍ର ଧର ପ୍ରମାଣେ ବାମନ ଯୋଗ ॥

ମନ୍ଦହାସଯୁତ ତ୍ରୀଲୋକେଶ ତ୍ରିବିକ୍ରମ ।

ସର୍ବ କାମପ୍ରଦ ଦେବଙ୍କୁ ଚିନ୍ତିଣ ନମ ॥

ଦହନ ପ୍ଳବନ ଆଦି ପୂର୍ବପରି କରି ।

ମଣ୍ଡଳକ୍ରମ କହିବା ଶୁଣ ହେତୁ ଧରି ॥

ଶୁକ୍ଳପୀତ ରକ୍ତ ଶ୍ୟାମ ହରିତ ରଜରେ ।

ଚାରି ତିନି ଦୁଇ ଏକହାତ ପ୍ରମାଣରେ ॥

ମଣ୍ଡଳକରି ଶୁକ୍ଳରଜରେ ମଧ୍ୟେ ପଦ୍ମ ।

କର୍ଣ୍ଣିକା ପୀତରଜେ କେଶର ରକ୍ତବର୍ଣ୍ଣ ॥

ବାହ୍ୟଭାଗ ରକ୍ତ ପୀତ ରଜରେ ଲେଖିବ ।

ବ୍ରଜଶକ୍ତି ଦଣ୍ଡ ଖଡ୍‍ଗ ପାଶାଙ୍କୁଶ ଦେବ ॥

ଗଦାଶୂଳ ଲେଖିବ କ୍ରମଶ ଅଷ୍ଟଦିଗେ ।

ହରଗୌରୀ ବ୍ରହ୍ମା ରାମକୃଷ୍ଣ ରୂପ ଯୋଗେ ॥

ଏ ପଞ୍ଚଦେବଙ୍କୁ ପୂଜା କରିବ ମଣ୍ଡଳେ ।

ହରଗୌରୀ ରୂପଲେଖି ଏକତ୍ର ଉପରେ ॥

ପୂର୍ବାଦି ଅଷ୍ଟଦଳରେ ଏହି ଅଷ୍ଟଦେବ ।

ଲେଖି ପୂଜାକରିବ ସ୍ଵ ସ୍ଵ ମନ୍ତ୍ରେ କରି ଠାବ ॥

ବଳଦେବ କାମ ଅନିରୁଦ୍ଧ ନାରାୟଣ ।

ବ୍ରହ୍ମା ବିଷ୍ଣୁ ନୃସିଂହ ବରାହ ଅଷ୍ଟଜଣ ॥

ବାସୁଦେବ ଯେ ନାୟକ କମଳା ନାୟିକା ।

ଅଷ୍ଟଦେବଙ୍କ ଯୋଗିନୀ ନାମ ଶୁଣ ଏକା ॥

ଉତ୍କର୍ପିଣୀ ଜ୍ଞାନା ପରକ୍ରୀୟା ପ୍ରଜ୍ଞା ଯୋଗା ।

ଈଶାନୀ ଯେ ଅନୁଗ୍ରାହୀ ଯୋଗିନୀଙ୍କୁ ଯୋଗା ॥

ସର୍ବେ ଚତୁର୍ଭୂଜ ଶଙ୍ଖଚକ୍ର ଗଦାଧାରୀ ।

ବଳଦେବ ହଳମୂଷଳ ଶଙ୍ଖକୁ ଧରି ॥

ଚକ୍ର ଗଦା ଧରିଛନ୍ତି ପୁଣି କାମଦେବ ।

ଚତୁର୍ବ୍ୟହମୂର୍ତ୍ତି ଧ୍ୟେ ସେ ତୃତୀୟ ଦେବ ॥

ବାମହସ୍ତେ ପୁଷ୍ପଦଣ୍ଡ ଗଦା ଚକ୍ରପୁଷ୍ପ ।

ଅନ୍ୟହସ୍ତେ ଧରିଛନ୍ତି ଅତି ସୌମ୍ୟ ବେଶ ॥

ବରାହଙ୍କ ଦକ୍ଷକରେ ଶଙ୍ଖଚକ୍ର ଶୋଭେ ।

ନୃସିଂହଙ୍କ ଦକ୍ଷବାମେ ଚକ୍ରଶଙ୍ଖ ଶୁଭେ ॥

ବିଷ୍ଣୁ ନାରାୟଣଙ୍କର ବାମ ଦୁଇକରେ ।

ଗଦା ଚକ୍ର ପୁଣି ତାଙ୍କ ଦକ୍ଷ ଦ୍ୱିହସ୍ତରେ ॥

ପଦ୍ମ ଶଙ୍ଖ ଧରାଇବ ଅନିରୁଦ୍ଧଙ୍କର ।

ଦକ୍ଷିଣତଳ ହସ୍ତରେ ଗଦାଅସ୍ତ୍ର ଧର ॥

ରାମଶୁକ୍ଳ କାମ ରକ୍ତ ଅନିରୁଦ୍ଧ ପୀତ ।

ନାରାୟଣ କୃଷ୍ଣବର୍ଣ୍ଣ ବ୍ରହ୍ମାରୂପ ରକ୍ତ ॥

ବିଷ୍ଣୁ ଯେ ଶ୍ୟାମଳ ନୃସିଂହ ଭ୍ରମର ଶ୍ୟାମ ।

ବରାହ ଯେ ସ୍ୱର୍ଣ୍ଣଗୌର ଏମାନଙ୍କ ବର୍ଣ୍ଣ ॥

ଏମାନଙ୍କ ନାୟିକା ଯେ ଏହିବର୍ଣ୍ଣେ ଚିନ୍ତି ।

ମଣ୍ଡଳରେ ପୂଜି ବସେ ଆଧାରାଦି ଶକ୍ତି ॥

ଆସନ ଦେବତା ଗ୍ରହ ଦିଗପାଳ ପୂଜା ।

ଶ୍ରୀହରିଙ୍କ ଆୟୁଧାଦି ଗରୁଡ଼ଙ୍କ ପୂଜା ॥

ନାରଦ ପଞ୍ଚରାତ୍ରୋକ୍ତ ବିଧିରେ ପୂଜିବ ।

ଗରୁଡ଼ଙ୍କୁ ସୂର୍ଯ୍ୟତୁଲ୍ୟ ଭାବନା କରିବ ॥

ବର୍ଣ୍ଣେ ଲକ୍ଷ୍ମୀ ସ୍ଵର୍ଣ୍ଣଗୌରୀ ବାଣୀ ଶୁକ୍ଳବର୍ଣ୍ଣା ।

ଚକ୍ର ମଧ୍ୟାହ୍ନ ସୂଯ ସୂର୍ଯ୍ୟଙ୍କ ଉଜ୍ୱଳ ପ୍ରତିମା ॥

କୌସ୍ତୁଭ ଶ୍ରୀବତ୍ସ ରକ୍ତବର୍ଣ୍ଣେ ଚିନ୍ତା କରି ।

ମାଳାକୁ ଚିତ୍ର ରୂପରେ ବାଣକୁ ବିଜୁଳି ॥

ସ୍ଵର୍ଣ୍ଣପରି ପୀତବସ୍ତ୍ର କୁଣ୍ଡଳ ଦ୍ଵୟଙ୍କୁ ।

ବାଳସୂର୍ଯ୍ୟରୂପେ ଚିନ୍ତା କରିବ ତାହାଙ୍କୁ ॥

ଦ୍ଵାଦଶାକ୍ଷର ଯେ ବୀଜ ଯୋଗୀମାନଙ୍କର ।

ପୁଣି ନ୍ୟାସ କରିବ ଯେ ଅଷ୍ଟଦଶାକ୍ଷର ॥

ହସ୍ତ ଆଙ୍ଗୁଳିରେ ଦଶଅକ୍ଷର ନ୍ୟାସିବ ।

ଶେଷ ଦୁଇକୁ ପାଦତଳରେ ନ୍ୟାସିଦେବ ॥

ହୃଦୟ ମସ୍ତକ ଶିଖା ଗଣ୍ଡ ପୁଷ୍ଠ ଭୁଜ ।

ପାଣି ଜଙ୍ଘ ପାଦରେ ନ୍ୟାସିବ ମନ୍ତ୍ରବୀଜ ॥

ବାସୁଦେବ ବୀଜ ଦୁଇ ବୃଦ୍ଧଅଙ୍ଗୁଳିରେ ।

ବଳଭଦ୍ରାଦିଙ୍କ ବୀଜ ଅନ୍ୟ ଅଙ୍ଗୁଳିରେ ॥

ପୁଣି ହୃଦାଦି ଅଙ୍ଗରେ ଏମାନଙ୍କ ବୀଜ ।

ମନ୍ତ୍ରକୁ ନ୍ୟାସକରିବ କହିଦେଲି ହେଜ ॥

ଅଙ୍ଗନ୍ୟାସ କରନ୍ୟାସ କରିବ ମନ୍ତ୍ରରେ ।

ତାହାପରେ ମନ୍ତ୍ରନ୍ୟାସ କରିବ ଶରୀରେ ॥

ଅଷ୍ଟାଦଶାକ୍ଷର ମାତ୍ର ଆଦ୍ୟ ନବାକ୍ଷର ।

ଶିର ନେତ୍ରାଦି ଅଙ୍ଗରେ କ୍ରମେ ନ୍ୟାସ କର ॥

ଶେଷ ନବକ୍ଷରକୁ ପାର୍ଶ୍ଵବସ୍ତି ଶେଫେ ।

କଟି ଉରୁ ଜଙ୍ଘ ପାଦାଙ୍ଗୁଳିରେ ନ୍ୟାସିବେ ॥

ଏକତ୍ର ସର୍ବମନ୍ତ୍ରର ନ୍ୟାସକୁ କରିବ ।

ଚତୁର୍ବିଧ ନ୍ୟାସ କହିଲି ତାହାକୁ ଭାବ ॥

ଏଭାବେ ନ୍ୟାସକୁ କଲେ ବିଷ୍ଣୁତୁଲ୍ୟ ହୋଇ ।

ପୂଜାବ୍ୟତୀତ ନ୍ୟାସରେ ବୈକୁଣ୍ଠକୁଯାଇ ॥

ଯୋଗପୀଠ ଗରୁଡ଼ ଶଙ୍ଖଚକ୍ର ଯେ ଗଦା ।

ଲକ୍ଷ୍ମୀପଦ୍ମରେ ନ୍ୟାସିବ ଏ ମନ୍ତ୍ରକୁ ସଦା ॥

ପୂର୍ବାଦି ଅଷ୍ଟଦିଗରେ ମନ୍ତ୍ରକୁ ନ୍ୟାସିବ ।

ପୂର୍ବୋକ୍ତ ଆୟୁଧାଦିରେ ମନ୍ତ୍ର ନ୍ୟାସିଦେବ ॥

ବିଷ୍ଣୁ ଅଷ୍ଟ ଯୋଗ ଗ୍ରହ ଦିଗପାଳଙ୍କର ।

ମୁଦ୍ରାମାନ ଦର୍ଶାଇବ ହୋଇଣ ତତ୍ପର ॥

ଅଛିଦ୍ରା ବଧାରଣରେ ଶେଷମନ୍ତ୍ର ପଢ଼ି ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଣ ବିସର୍ଜନ କରି ॥

ବିଷ୍ଣୁଙ୍କ ନିର୍ମାଲ୍ୟଧାରୀ ବିଶ୍ଵକସେନ ଜାଣ ।

ଚତୁର୍ଭୂଜେ ଶଙ୍ଖାଦିଙ୍କୁ ଧରିଛନ୍ତି ଜାଣ ॥

ଦୀର୍ଘଶ୍ମଶ୍ରୁ ଜଟାଧର ରକ୍ତ ପିଙ୍ଗବର୍ଣ୍ଣ ।

ଶୁକ୍ଳ ପଦ୍ମସ୍ଥିତ ତାଙ୍କ ବୀଜେ ପୂଜ ପୁଣ ॥

ଈଶାନ କୋଣେ ବିଷ୍ଣୁଙ୍କୁ ବିସର୍ଜନ କରି ।

ଅନ୍ୟମାନଙ୍କୁ ବିସର୍ଜିବ ମନରେ ଧରି ॥

ଏଭାବେ ଯେ ହରିହର ବିଧିଙ୍କୁ ପୂଜଇ ।

ଦିକ୍‍କରବାସିନୀ ପୀଠେ ବିଷ୍ଣୁଲୋକେ ଯାଇ ॥

ସଂକ୍ଷେପରେ ଦଧିକାମନଙ୍କୁ ପୂଜାକରି ।

ତାହାଙ୍କ ଅଙ୍ଗାଦି ପୂଜା ନିଷେଧ ବିଚାରି ॥

ରକ୍ତ ପୀତ ଶୁକ୍ଳ ପାଟବସ୍ତ୍ର ହରିଙ୍କର ।

ଘୃତଦୀପ ମଳୟ ଚନ୍ଦନ ଉପହାର ॥

ପାନ ଅର୍ଘ୍ୟ ଭୋଜ୍ୟପାତ୍ର ତାମ୍ରରେ କରିବ ।

କିରୀଟ କୁଣ୍ଡଳହାର ଭୂଷଣାଦି ଦେବ ॥

ସ୍ନାନପାତ୍ର ଶଙ୍ଖଧୂପେ ଅଗୁରୁକୁ ଦେବ ।

ଘୃତରେ ଦୀପ ଦେଇଣ ନୈବେଦ୍ୟ ବାଢ଼ିବ ॥

କଦମ୍ବ କୁବ୍‌ଜକ ଜାତୀ ମଲ୍ଲିକା ମାଳତୀ ।

ପଙ୍କଜ ଏ ପୁଷ୍ପମାନଙ୍କରେ ହରି ପ୍ରୀତି ॥

ନିର୍ମଳ ଭୂତଳ ସ୍ଥାନ ତୀର୍ଥ ଜଳପ୍ରିୟ ।

ଓ ବିଷ୍ଣୋରିତି ମନ୍ତ୍ରଯେ ବିଷ୍ଣୁଙ୍କର ସ୍ନେହ ॥

ପୁରୁଷସୂକ୍ତ ହରିଙ୍କ ପ୍ରଧାନ ସ୍ତବରେ ।

ପୁତ୍ରଂ ଜୀବୋଦ୍ଭବାମାଳା ବିଷ୍ଣୁ ପ୍ରୀତି କରେ ॥

ତିଥି ମଧ୍ୟରେ ଦ୍ଵାଦଶୀ କାଳରେ ବସନ୍ତ ।

ଶାଲ୍ୟନ୍ନ ହବିଷ୍ୟ ଯାବଳ ପାୟସ ଘୃତ ॥

ପେୟେକ୍ଷୀର ପ୍ରୀତ ତୁଳସୀ ଅଏଁଳା ବେଲ ।

ଏହିସବୁ ଦ୍ରବ୍ୟେ ତୋଷ ଲଭନ୍ତି ଗୋପାଳ ॥

ଏଭାବେ ବିଷ୍ଣୁ ପୂଜିଲେ କୋଟିବଂଶ ତାରି ।

ଅନ୍ତେ ବୈକୁଣ୍ଠେ ବିହରେ ହରିସ୍ନେହ ଧରି ॥

କାମରୂପ ପୀଠର ନିର୍ଣ୍ଣୟ କୁହାଗଲା ।

ବେତାଳ ଭୈରବ ସର୍ବ ଦେଖିଲେ ସୁଡୋଳା ॥

ତହୁଁ କୈଳାସକୁ ଯାଇ ଈଶ୍ଵର ପାର୍ବତୀ ।

ପୁତ୍ର ଦୁହିଁଙ୍କ ସହିତ ଶାପୁ ହେଲେ ମୁକ୍ତି ॥

ଏହି ମହା ଆଖ୍ୟାନକୁ ଯେ ପଢ଼େ ବା ଶୁଣେ ।

ଶାପଭୟ ଆଧିବ୍ୟାଧି ନାଶଇ ତତ୍‌କ୍ଷଣେ ॥

ପୁତ୍ର ପୌତ୍ର ଧନଯୁକ୍ତ ସର୍ବ ପ୍ରିୟ ହୁଏ ।

ସର୍ବଶୁଭେ ଦୀର୍ଘଜୀବୀ ହୋଇ ରହିଥାଏ ॥

ମହାପୀଠ କାମରୂପକୁ ଯେହୁ ଜାଣଇ ।

ଦିବ୍ୟ ଜ୍ଞାନବନ୍ତ ହୋଇ ମୁକ୍ତିକୁ ଲଭଇ ॥

ଯେଜନ କାମରୂପ ପୀଠକୁ ଯାତ୍ରା କରି ।

ସର୍ବଦେବ ଦେବୀପୂଜା ବିଧିମତେ ସାରି ॥

ସେ ଦଶପୂର୍ବ ଦଶଉତ୍ତର ବଂଶଗୁଣ ।

ନିଜସଙ୍ଗେ ଦିବ୍ୟଜ୍ଞାନେ ଯୁକ୍ତକରେ ଜାଣ ॥

ସେ ଏକବିଂଶ ପୁରୁଷ ମୁକ୍ତିକୁ ଲଭନ୍ତି ।

ପ୍ରଭାକର କରେ କାଳିକା ପୁରାଣେ ଗୀତି ॥

 

ଇତି ଶ୍ରୀକାଳିକାପୁରାଣ

ତ୍ର୍ୟଶୀତତିମୋଽଧ୍ୟାୟଃ ।

✽✽✽

 

॥ ୮୪ ॥

 

ଔର୍ବ ଉବାଚ

ମହାପୀଠ କାମରୂପେ ସ୍ନାନପାନ କରି ।

ଦେବପୂଜି ଜନେ ସ୍ଵର୍ଗବାସେ ଗଲେ ଚଳି ॥

କେତେ ମୋକ୍ଷହେଲେ ଶିବେ ହେଲେ ଲୀନ ।

ତାଙ୍କୁ ଯମ ନିଜପୂରେ ନେବାକୁ ଅକ୍ଷମ ॥

ଯମଦୂତେ କାମରୂପକୁ ନଯାନ୍ତି ଡରେ ।

ଗଲେ ନିବାରନ୍ତି ଶିବଗଣେ ତାଙ୍କୁ ଜୋରେ ॥

ଏହାଦେଖି ଯମ ବିଧାତାଙ୍କୁ ଜଣାଇଲେ ।

କାମରୂପେ ଯାଇ ନରେ ମୁକ୍ତିକି ଲଭିଲେ ॥

ମୋ ଦୂତଙ୍କୁ ନିବାରନ୍ତି ପ୍ରମଥଙ୍କ ଗଣ ।

ଉଚିତ ବିଚାର କର କର୍ତ୍ତା ଯେ ଆପଣ ॥

ଯମବାକ୍ୟେ ବ୍ରହ୍ମା ତାଙ୍କୁ ସଙ୍ଗତରେ ଘେନି ।

ବିଷ୍ଣୁଙ୍କ ନିକଟରେ ମିଳିଲେ ପଦ୍ମଯୋନି ॥

ଯମକଥା ଜଣାଇଲେ ବିଷ୍ଣୁଙ୍କୁ ସମସ୍ତ ।

ତହୁଁ ସର୍ବେଗଲେ ଶିବପାଶେ ହୋଇ ବ୍ୟସ୍ତ ॥

ବିଷ୍ଣୁ ଜଣାଗଲେ ଯମ ଆପତ୍ତି ସେଠାରେ ।

ଶିବ କହନ୍ତି କାମରୂପ ପୁଣ୍ୟ ସୁସ୍ଵରେ ॥

ଏ ପୀଠକୁ ନରେ ଯାଇ ଦେବତ୍ୱ ଲଭନ୍ତି ।

ଅମର ହୋଇ ଶିବଗଣରେ ସ୍ଥାନପାନ୍ତି ॥

ଏ ସ୍ଥାନେ ଯମର ଅଧିକାର ନାହିଁ ଜାଣ ।

ତା ଶୁଣି ଆପତ୍ତି କଲେ ପ୍ରଭୁ ନାରାୟଣ ॥

ତହୁଁ ଶିବ ଯମବାକ୍ୟ ପ୍ରତିକାର ପାଇଁ ।

ଯତ୍ନହେବ କହି ବିଦାୟ ଦେଲେ ଗୋସାଇଁ ॥

ବ୍ରହ୍ମାବିଷ୍ଣୁ ଯମ ଚଳିଗଲେ ନିଜପୁରେ ।

ଶିବଗଣଙ୍କୁ ଘେନିଣ ଗଲେ କାମପୁରେ ॥

ଉଗ୍ରତାରାଙ୍କୁ କହିଲେ ଗଣଙ୍କ ସହିତେ ।

ଏ ସ୍ଥାନରୁ ସର୍ବଲୋକଙ୍କୁ ଖେଦ ତୁରିତେ ॥

ଶିବାଜ୍ଞାରେ ଉଗ୍ରତାରା ଗଣଙ୍କ ସହିତ ।

ସେ ସ୍ଥାନରୁ ସର୍ବଲୋକ ତଡ଼ିଲେ ସନ୍ତତ ॥

ଏହାଜାଣି ବଶିଷ୍ଠ ଯେ ମହାକୋପ ବହି ।

ସନ୍ଧ୍ୟାପର୍ବତେ ମିଳିଲେ ରହିବାର ପାଇଁ ॥

ତାଙ୍କୁ ଦେଖି ଉଗ୍ରତାରା ନିଷେଧନ୍ତେ ତହିଁ ।

ମୁନିକୋପେ ଶାପଦେଲେ ଦେବୀଙ୍କୁ ସେ ଚାହିଁ ॥

ମୋ ପ୍ରତି ପ୍ରତିକୂଳ ହୋଇଲ ଯେଣୁ ତୁମ୍ଭେ ।

ବାମଭାଗେ ପୂଜା ତୁମ୍ଭଙ୍କୁ କରିବେ ସର୍ବେ ॥

ମ୍ଳେଛତୁଲ୍ୟ ହେବେ ଏହି ଶିବଗଣମାନେ ।

ସର୍ବେ ମ୍ଳେଛ ହେବେ ଏହି କାମାଖ୍ୟା ଭୁବନେ ॥

ଶିବମଧ୍ୟ ଲୋକଙ୍କୁ ଖେଦିବା ଆଜ୍ଞାଦେଲେ ।

ତେଣୁ ଅସ୍ଥି ଭସ୍ମ ଧରି ମ୍ଳେଚ୍ଛତା ଭଜିଲେ ॥

କେବଳ ମ୍ଳେଚ୍ଛ ବସତି ଏଠାରେ ହୋଇବ ।

ଶ୍ରୀହରି ମଧ୍ୟ ଏ ସ୍ଥାନେ କେବେ ନ ଆସିବ ॥

ବିରଳ ଭାବରେ କେହି କେହି ବା ଆସିବେ ।

ନିଷେଧ ଜାଣି ସୁଜନେ ଫଳକୁ ଲଭିବେ ॥

ଏହାକହି ବଶିଷ୍ଠ ଅନ୍ତର ହୋଇଗଲେ ।

ଶିବଗଣମାନେ ତହିଁ ମ୍ଳେଚ୍ଛ ପାଲଟିଲେ ॥

ଉଗ୍ରତାରା ମ୍ଳେଚ୍ଛହେଲେ ଶିବ ମ୍ଳେଚ୍ଛରତା ।

ଅନ୍ୟ ନରଗଣେ ତହିଁ ମ୍ଳେଚ୍ଛରେ ଗଣିତ ॥

ଲୋକ ସମାଗମ ତହିଁ ନୋହିଲା ସେଦିନୁ ।

ଚତୁବର୍ଣ୍ଣ ନରହିଲେ ବେଦମନ୍ତ୍ର ବିନୁ ॥

ଯମ ଆପତ୍ତି ରହିଲା କେହି ଗଲେ ନାହିଁ ।

ଯେ ଥଲେ ସେ ମ୍ଳେଚ୍ଛହେଲେ କାମରୂପେ ଯାଇ ॥

ସର୍ବକୁଣ୍ଡ ଗୁପ୍ତକଲେ ବ୍ରହ୍ମା କୌଶଳରେ ।

ଯେତେ ନଦ ନଦୀ ଥିଲେ ସର୍ବେ ଗୁପ୍ତ ହେଲେ ॥

ଶାନ୍ତନୁ ଭାର୍ଯ୍ୟା ଅମୋଘାଠାରେ ଜଳରୂପ ।

ପୁତ୍ର ଜନ୍ମାଇ ପ୍ଳାବନ କଲେ କାମରୂପ ॥

ସେ ଜଳରେ ବିଦ୍ୟମାନ ସର୍ବତୀର୍ଥମାନ ।

ପୁଣି ଭୂମିତଳେ ଗୁପ୍ତେ ରହିଲେ ସେମାନ ॥

କେବଳ ସେ ବ୍ରହ୍ମପୁତ୍ର ନଦୀଟି ରହିଲା ।

ତହିଁ ସ୍ନାନପାନେ ଲୋକଙ୍କୁ ଫଳ ମିଳିଲା ॥

କୁଣ୍ଡ ତୀର୍ଥ ନଦ ନଦୀ ନଜାଣିଲେ କେହି ।

ବଶିଷ୍ଠ ଶାପରେ ସର୍ବ ଗୁପ୍ତହେଲା ତହିଁ ॥

ସର୍ବତୀର୍ଥକୁ ବୁଡ଼ାଇ ବ୍ରହ୍ମପୁତ୍ର ବହେ ।

ଦକ୍ଷିଣ ସାଗରେ ମିଶି ସ୍ଵଦେହ ବୁଡ଼ାଏ ॥

ଏ କାମରୂପ ଚରିତ ତୁମ୍ଭଙ୍କୁ କହିଲି ।

ଆଉକି ଶୁଣିବ କହ ତା କହିବା ଭାଳି ॥

ଏ କାଳିକାପୁରାଣକୁ ଉତ୍କଳ ଭାଷାରେ ।

ଶିବଙ୍କୁ ଚିନ୍ତିଣ ପ୍ରଭାକର ଗୀତ କରେ ॥

 

ଇତି ଶ୍ରୀ କାଳିକାପୁରାଣେ

ଚତୁରଶୀତତମୋଽଧ୍ୟାୟଃ ।

✽✽✽

 

॥ ୮୫ ॥

 

ମାର୍କଣ୍ଡେୟ ଉବାଚ

ଔର୍ବଙ୍କ କଥନ ଶୁଣି ସେ ରାଜା ସଗର ।

ଆନନ୍ଦେ ପୁଣି ପୁଛନ୍ତି ମୁନିଙ୍କ ସାଦର ॥

ସଗର ଭବାଚ

ଅମୋଘାଠାରେ କିପରି ଜନ୍ମିଲା ଲୋହିତ ।

ଶାନ୍ତନୁ ଭାର୍ଯ୍ୟାରେ ରତ କିପରି ବିଧାତ ॥

ପର ସ୍ତ୍ରୀ ଜନିତ ପୁତ୍ର ବ୍ରହ୍ମାଙ୍କ ବୀର୍ଯ୍ୟରୁ ।

ଏ ସର୍ବ ବିଷୟ କହି ଶୁଣାଅ ହେ ଚାରୁ ॥

ଔର୍ବ ଉବାଚ

ହେ ରାଜା ଶୁଣ କହିବା ଲୋହିତ ଆଖ୍ୟାନ ।

ହରିବର୍ଷ ଦେଶେ ଯେ ଶାନ୍ତନୁ ତପୋଧନ ॥

ମହାଜ୍ଞାନୀ ତପୋରତ ଶାନ୍ତନୁ ମହର୍ଷି ।

ତାଙ୍କଭାର୍ଯ୍ୟା ଅମୋଘା ସୁନ୍ଦରୀଦିନେ ବସି ॥

ହିରଣ୍ୟଗର୍ଭ ମୁନିଙ୍କ ଦୁହିତା ସେ ସତୀ ।

ତାଙ୍କସଙ୍ଗେ କୈଳାସରେ ସେ ଶାନ୍ତନୁଯତି ॥

ଲୋହିତ ସରସୀତୀରେ ଗନ୍ଧମାର୍ଦନରେ ।

ଦିନେ ମୁନିଗଲେ ଫଳପୁଷ୍ପ ଆଣିବାରେ ॥

ସେକାଳେ ବ୍ରହ୍ମା ସେଠାରେ ଉପସ୍ଥିତ ହେଲେ ।

ଦେବସ୍ତ୍ରୀ ତୁଲ୍ୟା ଯୁବତୀ ଅମୋଘା ଦେଖିଲେ ॥

ତାଙ୍କୁ ଦେଖି ବ୍ରହ୍ମା କାମବାଣେ ପୀଡ଼ାପାଇ ।

ଅମୋଘାଙ୍କୁ ଧରିବାକୁ ଗୋଡ଼ାଇଲେ ତହିଁ ॥

ବ୍ରହ୍ମାଙ୍କ ଅନ୍ୟାୟ ଦେଖି ସେ ଅମୋଘା ସତୀ ।

ପଳାଇ ପର୍ଣ୍ଣକୁଟୀରେ ଲୁଚିଲେ ଯୁବତୀ ॥

ଦ୍ଵାର ବନ୍ଦକରି ବିଧାତାକୁ ଜଣାଇଲେ ।

ବଳେ ଅନ୍ୟାୟ ଆଚର ପରନାରୀଠାରେ ॥

ଅଭିଶାପ ଦେବି ମୁହିଁ ମୁନିଙ୍କର ଜାୟା ।

ବ୍ରହ୍ମାବୀର୍ଯ୍ୟ ଖସାଇଲେ ଶୁଣିକରି ଏହା ॥

ଲଜ୍ଜାରେ ନରହି ହଂସବାହନେ ଗମିଲେ ।

କିଛିକ୍ଷଣ ପରେ ସେ ଶାନ୍ତନୁ ପ୍ରବେଶିଲେ ॥

ଦେଖିଲେ ହଂସର ପଦଚିହ୍ନ ପଡ଼ିଅଛି ।

ଅଗ୍ନିତୁଲ୍ୟ ବ୍ରହ୍ମରେତ ଆଶ୍ରମେ ପଡ଼ିଛି ॥

ପର୍ଣ୍ଣଶାଳାସ୍ଥିତା ଅମୋଘାଙ୍କୁ ପଚାରିଲେ ।

ଏସବୁ ଘଟଣାକହ ମୋ ଆଗରେ ଭଲେ ॥

ପକ୍ଷି ପଦଚିହ୍ନ ସଙ୍ଗେ ରେତ ପଡ଼ିଅଛି ।

ତାହାଶୁଣି କୋପେ ଅମୋଘା ଯେ କହୁଅଛି ॥

ଚତୁର୍ମୁଖ ଜଣେ ହଂସବାହନେ ଆସିଣ ।

କମଣ୍ଡଳୁ ଧରି ମୋତେ ରତିମାଗେ ପୁଣ ॥

ତହୁଁ ମୁଁ କୁଟୀରେ ଲୁଚି ତାହାଙ୍କୁ କହିଲି ॥

ତହୁଁ ଶାପଭୟେ ରେତ ବିସର୍ଜନ କରି ।

ପଳାଇଲେ ତୁମ୍ଭେ ପ୍ରତିକାର କର ଭାଳି ॥

ଭାର୍ଯ୍ୟାବାକ୍ୟେ ବ୍ରହ୍ମା ଆସିବାର ଜାଣିପାରି ।

ଧ୍ୟାନେବସି ସବୁକଥା ଜାଣି ତପଚାରୀ ॥

ଦେବକାର୍ଯ୍ୟ ତୀର୍ଥସୃଷ୍ଟି ଜଗତର ହିତେ ।

ଭବିଷ୍ୟତଚିନ୍ତି ଭାର୍ଯ୍ୟାଙ୍କୁ କହି ଏମନ୍ତେ ॥

ତୁମ୍ଭ ନିକଟକୁ ବ୍ରହ୍ମା ସ୍ଵୟଂ ଆସିଥିଲେ ।

ତୁମ୍ଭଙ୍କୁ ନପାଇ ଆମ୍ଭ ଦୁହିଁଙ୍କୁ ସେ ବଳେ ॥

କାର୍ଯ୍ୟଭାର ଦେଇଗଲେ ନିଜସ୍ଥାନେ ଚଳି ।

ତୁମ୍ଭେ ତାଙ୍କ ଆଜ୍ଞାପାଳ ମନରେ ନଭାଳି

ପତିବାକ୍ୟେ ଲଜ୍ଜିତା ହୋଇ ଅମୋଘା ସତୀ

ପତିଙ୍କୁ ନମି ସାନ୍ତ୍ୱନା ଭାବରେ କହନ୍ତି ॥

ଅନ୍ୟପୁରୁଷ ରେତ ମୁଁ ଗ୍ରହଣ ନକରି ।

ଯଦି ତୁମ୍ଭେ ରେତ ପିଇଦେବ ଯେ ଉଦ୍‌ଗାରି ॥

ତେବେ ପାନ କରିପାରେ ପରପୁଂସ ରେତ ।

ଭାର୍ଯ୍ୟ ବାକ୍ୟଶୁଣି ମୁନି ମଣିଲେ ଉଚିତ ॥

ତହୁଁ ବ୍ରହ୍ମବୀର୍ଯ୍ୟ ପିଇ ଅମୋଘା ଗର୍ଭରେ ।

ସେ ରେତକୁ ତ୍ୟାଗକଲେ ଲୋକଙ୍କ ହିତରେ ॥

ତହୁଁ ଗର୍ଭବତୀ ହୋଇ ଅମୋଘା ସୁନ୍ଦରୀ ।

ଯଥାକାଳେ ତାଙ୍କ ନାସାରୁ ଜଳ ସଞ୍ଚରୀ ॥

ଜଳ ମଧ୍ୟେ ପୁତ୍ର ଏକ ନୀଳବସ୍ତ୍ର ଧାରୀ ।

ମୁକୁଟ ରତ୍ନମାଳାରେ ତାହା ଦେହପୁରି ॥

ଚତୁର୍ଭୂଜେ ପଦ୍ମ ବିଦ୍ୟା ଧ୍ୱଜ ଶକ୍ତିଧର ।

ବ୍ରହ୍ମବୀର୍ଯ୍ୟ ସମ୍ଭୁତ ସେ ଅତି ବଳୀୟାର ॥

ରକ୍ତ ଗୌରବର୍ଣ୍ଣ ଧାତାଙ୍କ ତୁଲ୍ୟ ଦିଶଇ ।

ତାଙ୍କୁ ଦେଖି ଶାନ୍ତନୁ ପର୍ବତ ମଧ୍ୟେ ଥୋଇ ॥

ଭତ୍ତରେ କୈଳାସ ଦକ୍ଷିଣେ ଗନ୍ଧମାଦନ ।

ପଶ୍ଚିମେ ଜାରୁଧି ପର୍ବେ ଶମ୍ବକ ଯେ ପୁଣ ॥

ଏ ଚାରି ଶୈଳ ମଧ୍ୟରେ ରହି ସେ କୁମର ।

ନିଜେ କୁଣ୍ଡକୁ ନିର୍ମାଣି ବଢ଼ାଏ ଶରୀର ॥

ଶାନ୍ତନୁ ପୁତ୍ରର ସଂସ୍କାରାଦି କରିଦେଲେ ।

କିଛି କାଳାନ୍ତେ ସେ ପୁତ୍ର ଜଳ ସ୍ଵରୂପରେ ॥

ପଞ୍ଚଯୋଜନ ପର୍ଯ୍ୟନ୍ତ ବଢ଼ି ଜଳରାଶି ।

ତହିଁରେ ସ୍ନାନପାନାଦି କଲେ ତେବେ ଆସି ॥

ଶୀତଳ ନିର୍ମଳ ଜଳେ ଅପ୍‌ସରାଙ୍କ ସଙ୍ଗେ ।

ନାନାବିଧ ଜଳକ୍ରୀଡ଼ା ଦେବେକଲେ ରଙ୍ଗେ ॥

ସେବେଳେ ପରଶୁରାମ ପିତାଙ୍କ ଆଦେଶେ ।

ଅତିଗର୍ହିତ ମାତୃବଧକୁ କରିଲେ ସେ ॥

ସେ ପାପ ମୋକ୍ଷ ନିମିତ୍ତ ପିତୃଆଜ୍ଞା ପାର ।

ସେହି କୁଣ୍ଡଜଳେ ସ୍ନାନ କରି‌ବାକୁ ଯାଇ ॥

ସ୍ନାନକରି ମାତୃବଧ ପାପୁ ମୁକ୍ତ ହେଲେ ।

ପରଶ୍ମର ଜଳପଥ ପ୍ରସାର କରିଲେ ॥

ସଗର ଉବାଚ

ଜମଦାଗ୍ନିସୁତ କିମ୍ପା ମାତୃ ବଧ କଲେ ।

ତାଙ୍କ ମାତା କାହା କନ୍ୟା କି ନାମରେ ଥିଲେ ॥

ମୁନିପୁତ୍ର ହୋଇ ରାମ କ୍ରୁର କର୍ମ କଲେ ।

ଯୁଦ୍ଧରେ କ୍ଷତ୍ରିୟକୁଳ ସଂହାର କରିଲେ ॥

ଏସବୁ ବିଷୟ କହି ମୋ ମନ ସନ୍ଦେହ ।

ନାଶକର ମୋଠାରେ ଅଛି ତ ଯେବେସ୍ନେହ ॥

ଔର୍ବ ଉବାଚ

ହେ ରାଜା କହିବା ଶୁଣ ରାମଙ୍କ ଚରିତ ।

ଯେପରି ସେ ମାତୃବଧ କଲେ ଅନୁଚିତ ॥

ବ୍ରହ୍ମପୁତ୍ର ଭୃଗୁ ତାଙ୍କସୁତ ଯେରୁଚିକ ।

ଭାର୍ଯ୍ୟାର୍ଥୀହୋଇ କାନ୍ୟକୁବ୍‌ଜକୁ ଗଲେ ଏକ ॥

ଅରଣ୍ୟେ ଦେଖିଲେ ଜହ୍ନବଂଶ ସମୁଦ୍ଭବ ।

ଗାଧିରାଜା ତପେରତ ପୁତ୍ରକାମେ ଶୁଭ ॥

ତାହାଙ୍କର ପୁତ୍ରନୋହି କନ୍ୟା ଏକ ହେଲେ ।

ସେ କନ୍ୟାକୁ ଭାର୍ଯ୍ୟାପାଇଁ ରୁଚିକ ମାଗିଲେ ॥

ତହୁଁ ଗାଧି କହିଲେ ଯେ ଆମ୍ଭକୁଳେ ଅଛି ।

କୃଷ୍ଣବର୍ଣ୍ଣ ଅଶ୍ଵ ଏକ ସହସ୍ର ଯେ ଯାଚି ॥

କନ୍ୟା ଶୁଳ୍କ ଦେବ ସେ କନ୍ୟାକୁ ବିଭାହେବ ।

ତା ଶୁଣି ରୁଚିକ କହେ ସାମାନ୍ୟ ବିଳମ୍ବ ॥

କଲେ ମୁଁ ଅଶ୍ଵ ସହସ୍ର ଆଣି ଯୋଗାଇବି ।

ତହୁଁ ଗାଧି ଅନୁମତି ଦେଲେ ତାଙ୍କୁ ଭାବି ॥

ସେ ରୁଚୀକ ଯାଇ ବରୁଣଙ୍କୁ ତପେ ତୋଷି ।

ସହସ୍ରେ ଅଶ୍ଵ ଆଣି ଗାଧିଙ୍କୁ ଦେଲେ ଋଷି ॥

ଗଙ୍ଗାଜଳୁ ଯେ ସ୍ଥାନରେ ଅଶ୍ଵମାନେ ମିଳିଲେ ।

ଅଶ୍ଵତୀର୍ଥ ହେଲା ସେ ସ୍ନାନରେ ଫଳ ମିଳେ ।

ଅଶ୍ଵ ଶୁଳ୍‌କ ପାଇଁ ଗାଧିକନ୍ୟା ସତ୍ୟବତୀ ।

ରଚୀକଙ୍କୁ ପ୍ରଦାନୀଲେ ହୋଇ ହୃଷ୍ଟମତି ॥

ତହୁଁ ରୁଚୀକ ସସ୍ତ୍ରୀକ ଆଶ୍ରମେ ରହିଲେ ।

ନିଜେ ତାଙ୍କ ପିତା ଭୃଗୁ ସେ ସ୍ଥାନେ ଆସିଲେ ॥

ବଧୂ ପୁତ୍ରଙ୍କୁ ଦେଖିଣ ଲଭିଲେ ଆନନ୍ଦ ।

ତାଙ୍କ ସେବାରେ ସୁପ୍ରୀତ ହେଲେ ଭୃଗୁ ସଦ୍ୟ ॥

ପୁତ୍ରବଧୂଙ୍କୁ କହିଲେ ମୁଁ ବଡ଼ ସନ୍ତୋଷ ।

ଇଛାମତେ ବରମାଗ ମୁଁ ଦେବି ଅବଶ୍ୟ ॥

ତହୁଁ ସତ୍ୟବତୀ ନିଜ ମାତାଙ୍କ ସକାଶେ ।

ଜ୍ଞାନୀ ବଳୀ ପୁତ୍ର ଏକ ମାଗିଲେ ସାହସେ ॥

ତହୁଁ ଭୁଗୁ ଧ୍ୟାନନିଷ୍ଠ ଶ୍ଵାସରୁଦ୍ଧ କରି ।

ମନରେ ବିଶ୍ଵଆବରି ଶ୍ଵାସ ତ୍ୟାଗକରି ॥

ସେ ଶ୍ଵାସ ସଙ୍ଗରେ ଦୁଇଚରୁ ଅନ୍ନ ଆସେ ।

ତାହା ସମର୍ପିଲେ ସତ୍ୟବତୀଙ୍କୁ ହରଷେ ॥

କହିଲେ ଏ ଚରୁରଖି ରତୁସ୍ନାନ ବେଳେ ।

ମାତାସଙ୍ଗେ ଭକ୍ଷଣ କରିବ ସ୍ନେହ ବଳେ ॥

ରକ୍ତବର୍ଣ୍ଣ ଚରୁ ମାତା ଅଶ୍ଵସ୍ଥ ବୃକ୍ଷକୁ ।

ଛୁଇଁ ଭକ୍ଷଣ କରିବେ ପୁତ୍ର ପାଇବାକୁ ॥

ତୁମ୍ଭେ ଏ ଶୁକ୍ଳ ଚରୁଙ୍କୁ ଉଦୁମ୍ବର ଗଛ ।

ସ୍ପର୍ଶକରି ଭକ୍ଷିବ ମନରେ ହୋଇ ସ୍ଵଚ୍ଛ ॥

ଚରୁଦେଇ ଭୃଗୁମୁନି ନିଜସ୍ଥାନେ ଗଲେ ।

ସତ୍ୟବତୀ ଚରୁପାଇ ଆନନ୍ଦ ଲଭିଲେ ॥

ରତୁ ସ୍ନାନକାଳେ ସତ୍ୟବତୀ ଉକ୍ତ ଚରୁ ।

ଅଶ୍ଵସ୍ଥ ବୃକ୍ଷକୁ ଛୁଇଁ ଖାଇଲେ ସେ ଚାରୁ ॥

ତାଙ୍କ ମାତା ଶୁକ୍ଳଚରୁ ଉଦୁମ୍ବର ସ୍ପର୍ଶେ ।

ଭକ୍ଷି ଗର୍ଭକୁ ଧରଲେ ପରମ ହରଷେ ॥

ଧ୍ୟାନବଳେ ଭୃଗୁଜାଣି ବଧୂପାଶେ ଆସି ।

କହିଲେ ଚରୁକୁ ବିପର୍ଯ୍ୟୟ କଲ ବସି ॥

ତେଣୁ ତୁମ୍ଭମାତା ବିପ୍ର ଆଚାର ନିପୁଣ ।

ପୁତ୍ରଟିଏ ପ୍ରସବିବ ଏହା ଚରୁ ଗୁଣ ॥

ତୁମ୍ଭେ ମଧ୍ୟ କ୍ଷତ୍ରିୟ ଆଚାରେ ଅତି ଦକ୍ଷ ।

ପୁତ୍ରକ ଲଭିବ କହିଦେଲି ମୁଁ ପ୍ରତ୍ୟକ୍ଷ ॥

ସତ୍ୟବତୀ ଶୁଣି ମନେ ଦୁଃଖ ପ୍ରକାଶିଲେ ।

ତହୁଁ ଦୟାବହି ଭୃଗୁମୁନି ଆଦେଶିଲେ ॥

ତୁମ୍ଭ ପୌତ୍ର କ୍ଷତ୍ରିୟ ଆଚାରେ ଦକ୍ଷଦେବ ।

ମନେଦୁଃଖ ନକର ଗୋ କହିଲି ମୁଁ ସର୍ବ ॥

ତହୁଁ ଗାଧିପତ୍ନୀ ବିଶ୍ଵାମିତ୍ର ପୁତ୍ର ପାଇ ।

ତପୋବଳେ ଋଷିଶ୍ରେଷ୍ଠ ହେଲେ ସେଥିପାଇଁ ॥

ସତ୍ୟବତୀ ଜମଦଗ୍ନି ପୁତ୍ର ଜାତ କଲେ ।

ବେଦଶାସ୍ତ୍ରେ ତପେ ସେହି ସୁଦକ୍ଷ ହୋଲଲେ ।

ଜମଦଗ୍ନି ବିଶ୍ଵାମିତ୍ର ଜନ୍ମ ବିବରଣ ।

ମିଶ୍ର ପ୍ରଭାକର ରଚେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ପଞ୍ଚାଶୀତିତମୋଽଧ୍ୟାୟଃ

✽✽✽

 

॥ ୮୬ ॥

 

ଔର୍ବ ଉବାଚ

କେତେକାଳ ଅନ୍ତେ ମହାତପା ଜମଦଗ୍ନି ।

ବିଦର୍ଭ ରାଜା ସୁତାଙ୍କୁ ବିଭାକଲେ ଜାଣି ॥

ସେ ପରମା ସୁନ୍ଦରୀ ରେଣୁକା ତାଙ୍କ ନାମ ।

ତାଙ୍କଠାରୁ ଚାରିପୁତ୍ର ହୋଇଲେ ଜନମ ॥

ମରୁତ୍ଵାଣ ସୁକ୍ଷେଣ ଯେ ବସୁ ବିଶ୍ଵାବସୁ ।

ପଛେ ସ୍ଵୟଂ ହରି ଜନ୍ମିଲେ ଧରି ପରଶୁ ॥

ଇନ୍ଦ୍ରାଦିଦେବେ କାର୍ତ୍ତବୀର୍ଯ୍ୟର ବଧ ପାଇଁ ।

ଶ୍ରୀହରିଙ୍କୁ ଜଣାଇଲେ ଜନ୍ମହେବା ପାଇଁ ॥

ଦେବଙ୍କ ଦୁଃଖନାଶନେ ସ୍ଵୟଂ ଚକ୍ରଧର ।

ପରଶୁଧରି ଜନ୍ମିଲେ ରେଣୁକା ଉଦର ॥

ତେଣୁ ସେ ଅତ୍ୟନ୍ତ କ୍ରୁର ହୋଇଲେ ସ୍ଵଭାବେ ।

ନିକ୍ଷତ୍ର କରିବେ ଧରୀ ତେଣୁ ଜନ୍ମ ଭାବେ ॥

ନିଜ ପିତାମହୀ ଚରୁ ବଦଳାର ଖାଇ ।

ତେଣୁ କ୍ଷତ୍ରିୟ ଆଚାରେ ନାତି ଜାତ ହୋଇ ॥

ସେ ପରଶୁରାମ ସର୍ବ ବିଦ୍ୟାରେ ନିପୁଣ ।

ଧନୁର୍ବେଦେ ପାରଦର୍ଶୀ ହୋଇଲେକ ପୁଣ ॥

ଦିନେ ରେଣୁକା ସ୍ନାନାର୍ଥେ ଗଙ୍ଗାକୁ ଯାଇଣ ।

ଦେଖିଲେ ଚିତ୍ରରଥ ନୃପତି ସ୍ତ୍ରୀ ସଙ୍ଗେଣ ॥

ଜଳକ୍ରିଡ଼ାରତ ବିବସ୍ତ୍ର ହୋଇଅଛନ୍ତି ।

ରେଣୁକା କାମପୀଡ଼ିତା ଦେଖିଣ ନୃପତି ॥

ତହୁଁ ଭୟେ ଶିଘ୍ର ଆସି ଆଶ୍ରମେ ମିଳିଲେ ।

ଜମଦଗ୍ନି ଧ୍ୟାନବଳେ ସେକଥା ଜାଣିଲେ ॥

ବହୁ ଧିକାରିଣ ପତ୍ନୀଙ୍କ ଭର୍ତ୍ସନା କଲେ ।

ଚାରିପୁତ୍ରଙ୍କୁ ଡାକିଣ ପିତା ଆଜ୍ଞା ଦେଲେ ॥

ଏ ବୀଭିଚାରାଣୀ ତୁମ୍ଭ ମାତାକୁ ବିନାଶ ।

ସେମାନେ ନଶୁଣି ମୌନହେଲେ ଗୋସଦୃଶ ॥

ତହୁଁ ପିତା କୋପେ ତାଙ୍କୁ ଅଭିଶାପ ଦେଲେ ।

ଜଡ଼ ମୁର୍ଖ ହୁଅ ମୋ ଆଦେଶ ଅବହେଳେ ॥

ପଛେ ଆସି ପର୍ଶୁରାମ ପ୍ରବୋଧଲେ ତହିଁ ।

ତାଙ୍କୁ ଆଦେଶିଲେ ମାତା ପୁତ୍ରବଧ ପାଇଁ ॥

ତହୁଁ ପିତାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ।

ପରଶୁରେ ମାତା ଭ୍ରାତା ଶିରଛେଦ କରି ॥

ତହୁଁ ଜମଦଗ୍ନି ତାଙ୍କଠାରେ ପ୍ରୀତହେଲେ ।

ଲସ୍‌ପିତରେ ଯାଚିଣ ପୁତ୍ରେ ପ୍ରଦାନିଲେ ॥

ରାମ ମାଗିଲେ ପ୍ରଥମେ ମାତା ଭ୍ରାତାଙ୍କର ।

ପୁନର୍ଜୀବନ ପ୍ରାପ୍ତି ଯେ ଦୋଷ ପରିହାର ॥

ଭ୍ରାତାଙ୍କ ଶାପମୋଚନ ଯୁଦ୍ଧେ ନିଜ ଜୟ ।

ପ୍ରସନ୍ନେ ସମସ୍ତ ବର ଦେଲେ ମହାଶୟ ॥

ତହୁଁ ସୁପ୍ତୋଧିତ ପରି ମାତା ଭ୍ରାତାମାନେ ।

ଉଠି ନଜାଣିଲେ ନିଜ ମରଣ କୁକ୍ଷଣେ ॥

ଯୁଦ୍ଧେ ଜୟ ଚିରାୟୁତା ଲଭି ପର୍ଶୁରାମ ।

ମାତୃହତ୍ୟା ପାପନାଶେ ପିତାଙ୍କ ବଚନ ॥

ତୁମ୍ଭେଯାଇ ବ୍ରହ୍ମକୁଣ୍ଡ ସ୍ନାନକରି ଏବେ ।

ମାତୃହତ୍ୟା ପାପରୁ ମୁକ୍ତ ହୋଇବ ତେବେ ॥

ପିତାଙ୍କ ବଚନେ ରାମ ବ୍ରହ୍ମକୁଣ୍ଡେ ଯାଇ ।

ସଂକଳ୍ପ ପୂର୍ବକ ସ୍ନାନକରି ପର୍ଶୁ ଧୋଇ ॥

ଦେହରୁ ନିର୍ଗତ ହେବା ମାତୃହତ୍ୟା ପାପ ।

ପୁରୁଷକୁ ସ୍ଵଚକ୍ଷୁରେ ଦେଖିଲେ ସ୍ୱରୂପ ।

ତହୁଁ ସେ ତୀର୍ଥକୁ ପାପନାଶକ ଜାଣିଣ ॥

ଲୋକହିତେ ପରଶୁରେ ପଥ ପ୍ରସାରଣ ॥

କରି ବ୍ରହ୍ମପୁତ୍ର ନାମଦେଲେ ସେ ଜଳର ।

ବହ୍ମକୁଣ୍ଡରୁ ବାହାରି ଲୋହିତକା ସାର ॥

ସେଠାରୁ ପୂର୍ବଦିଗକୁ ପରଶୁରେ ଚିରି ।

ହେମ ଶୃଙ୍ଗ ଶୈଳକୁ କୁଠାରେ ଭେଦକରି ॥

ସେହିବାଟେ କାମରୂପ ପର୍ଯ୍ୟନ୍ତ ସେ ନେଲେ ।

ଲୋହିତଗଙ୍ଗା ବୋଲିଣ ବ୍ରହ୍ମା ନାମଦେଲେ ॥

ସେ ନଦ ସମଗ୍ର କାମରୂପକୁ ବୁଡ଼ାଇ ।

ସର୍ବତୀର୍ଥ ଗୁପ୍ତକରି ଦକ୍ଷସିନ୍ଧୁ ଯାଇ ॥

ସେ ନଦ ଦିବ୍ୟ ଯମୁନା ନଦୀକୁ ଛାଡ଼ିଣ ।

ବାରଯୋଜନ ଯାଇ ଲୋହିତ୍ୟେପଡ଼େ ପୁଣ ॥

ଚୈତ୍ର ଶୁକ୍ଳାଷ୍ଟମୀ ଅବା ସମସ୍ତ ଚୈତ୍ରରେ ।

ଯେନର ସ୍ନାନକରେ ସେ ଲୋହିତ ନଦରେ ॥

ଇହ ବହୁଭୋଗେ ରହି ଅନ୍ତେ ବ୍ରହ୍ମପୁରେ ।

ଚିରବସତି କରଇ କହେ ତୁମ୍ଭଠାରେ ॥

ରାମଙ୍କ ମାତୃ ବଧ ଚରିତ କହିଲି ।

ଅର୍ଦ୍ଧନାରୀଶ୍ଵର କଥା ବର୍ଣ୍ଣନା ମୁଁ କଲି ॥

ଏହିକଥା ମାର୍କଣ୍ଡେୟ କହନ୍ତି ଋଷିଙ୍କୁ ।

ଶୁଣି ଋଷିଗଣେ ଲଭିଲେ ସେ ଆନନ୍ଦକୁ ॥

ସମସ୍ତ ସୁତନ୍ତ୍ର ମନ୍ତ୍ର ଯନ୍ତ୍ର ବିଧିମାନ ।

ବହୁ ପୁଣ୍ୟପ୍ରଦ ବିଦୁଷଙ୍କ ଗଣ୍ଠିଧନ ॥

ଜ୍ଞାନାପ୍ରଦ ଉପନିଷଦକୁ ଏବେ ଜାଣି ।

ଯେ ପଢ଼େ ବା ଶୁଣେ ପାଏ ସେହି ଜ୍ଞାନମଣି ॥

ଶ୍ରୀ ଶିବପାର୍ବତୀ ପାଦପଦ୍ନେ ଦେଇ ମନ ।

ବିପ୍ର ପ୍ରଭାକର ରଚେ କାଳିକା ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଷଡ଼ଶୀତୀତମୋଽଧ୍ୟାୟଃ

 

॥ ୮୭ ॥

 

ରଷୟ ଉବାଚ

ଆପଣ ସବୁ କହିଣ ସଂଶୟ ଛେଦିଲେ ।

ଵୃତକୃତ୍ୟ ହେଲୁ ଆମ୍ଭେ ତୁମ୍ଭ ପ୍ରସାଦରେ ॥

ଏବେ ପଚାରୁଛୁ ବେତାଳ ଭୈରବ ଭୃଙ୍ଗୀ ।

ମହାକାଳ ଏହି ଚାରିଙ୍କର ଭାବଭଙ୍ଗି ॥

ମାର୍କଣ୍ଡେୟ ଉବାଚ

ଭୃଙ୍ଗୀ ମହାକାଳ ଶାପେ ମନୁଷ୍ୟର ଲଭି ।

ବେତାଳ ଭୈରବ ରୂପେ ବିଚରିଲେ ଭୁବି ॥

ସେ ଦୁହିଁଙ୍କୁ ଚରିତ ଶୁଣିଲ ତୁମ୍ଭେମାନେ ।

ପୁଣି ଭୃଙ୍ଗି ମହାକାଳ କଥା ଶୁଣ କର୍ଣ୍ଣେ ॥

ତପସ୍ୟା କରି ଅନ୍ଧକାସୁର ଭୃଙ୍ଗୀହେଲା ।

ପୂର୍ବେ ହରଶତ୍ରୁ ହୋଇ ଆପଦେ ପଡ଼ିଲା ॥

ପୁଣି ତପୋବଳେ ହରଙ୍କର ପୁତ୍ର ହେଲା ।

ଭୃଙ୍ଗୀ ସ୍ନେହରୁ ତା ନାମ ଭୃଙ୍ଗୀ ବୋଲାଇଲା ॥

ବଳିସୁତ ବାଣ ହସ୍ତ ବିଷ୍ଣୁ ଛେଦ କଲେ ।

ଶିବ ତାଙ୍କୁ ସ୍ନେହେ ମହାକାଳ ଆଖ୍ୟାଦେଲେ ॥

ଏଭାବେ ସେ ଚାରିଜଣ ହୋଇଲେ ପ୍ରସିଦ୍ଧ ।

ଏଥି ସନ୍ଦେହ ନକର ତୁମ୍ଭେ ଋଷି ବୃନ୍ଦ ॥

ଋଷୟ ଉବାଚ

ଔର୍ବଋଷି ସଗରଙ୍କୁ ବୁଝାଇ କହିଲେ ।

ନୀତିଶାସ୍ତ୍ରେ ନିଜଭାର୍ଯ୍ୟା ସୁତଙ୍କ ଯୋଡ଼ିଲେ ॥

ସଜ୍ଜନଙ୍କ ନୀତି ରାଜନୀତି ସଦାଚାର ।

ସଂକ୍ଷେପି କହିଲେ ଔର୍ବ ସଗର ଆଗର ॥

ଏବେ ଆମ୍ଭଙ୍କୁ ସେକଥା ବିସ୍ତାରି କହିଣ ।

ଆମ୍ଭମନ ତୃପ୍ତ କର ଗୁରୁ ଯେ ଆପଣ ॥

ମାର୍କଣ୍ଡେୟ ଉବାଚ

ଔର୍ବ ବିଶେଷ ଭାବରେ ଯେପରି କହିଲେ ।

ତାହା ବିସ୍ତାରି କହିବା ଶୁଣ ଏବେ ଭଲେ ॥

ମନ୍ତ୍ର କଳ୍ପାଦିକୁ ଶୁଣି ସଗର ନୃପତି ।

ନୀତ୍ୟାଦିର ବିଶେଷଙ୍କୁ ପୁଣି ପଚାରନ୍ତି ॥

ସଗର ଉବାଚ

ଯେ ନୀତିରେ ନିଜେ ଭାର୍ଯ୍ୟା ପୁତ୍ରକୁ ଯୋଡ଼ିବ ।

ତାହା ବିଶେଷିଣ ସଦାଚାରକୁ କହିବ ॥

ଔର୍ବ ଉବାଚ

ଯେ ନୀତିମୁକ୍ତ ହୋଇବେ ଆତ୍ମା ଭାର୍ଯ୍ୟାସୁତ ।

ତାହା ବିଶେଷ ଭାବରେ ଶୁଣ ମହୀନାଥ ॥

ଜ୍ଞାନ ବିଦ୍ୟା ତପ ବୟୋବୃଦ୍ଧ ସାଧୁଜନ ।

ହିଂସାବର୍ଜିତ ବିପ୍ରଙ୍କୁ ସେବିବ ପ୍ରଥମ ॥

ସେମାନଙ୍କଠାରୁ ବେଦଶାସ୍ତ୍ରକୁ ଶୁଣିବ ।

ତାଙ୍କ କଥାମାନି ସେହିମତେ ଆଚରିବ ॥

ପଞ୍ଚେନ୍ଦ୍ରିୟ ପାଞ୍ଚଅଶ୍ଵ ଏ ଶଙ୍କର ରଥ ।

ଆତ୍ମାରଥୀ ତହିଁ ମନ ସାରଥି କଥିତ ॥

ଅଶ୍ୱଙ୍କୁ ସାରଥି ବଳ ସ୍ୱବଶ ଆଣିବ ।

ଜ୍ଞାନ କଷାଘାତେ ଅଶ୍ୱଙ୍କୁ ବଶ କରିବ ॥

ଜ୍ଞାନ ଦୃଢ଼ ଶରୀରକୁ ସ୍ଥିରକରି ଆଗେ ।

ପଛେ ଅନ୍ୟସବୁ ବଶ କରିବ ସରାଗେ ॥

ଅଶିକ୍ଷିତ ଅଶ୍ୱଯୁକ୍ତ ରଥରେ ଚଢ଼ିଲେ ।

ଅବାଟକୁ ଯିବେ ଅଶ୍ଵ ବିପଦକୁ ଭଲେ ॥

ଅବଶ ସାରଥି ଇଚ୍ଛାକ୍ରମେ ରଥଚାଳେ ।

ରଥୀକୁ ପରଅଧୀନେ ପକାଏ ସେ ବଳେ ॥

ସେପରି ଇନ୍ଦ୍ରୟମାନ ବିଷୟ ଗ୍ରହଣେ ।

ସ୍ଵବଶେରଖି ମନଜ୍ଞାନକୁ ଦୃଢ଼ପଣେ ॥

ଜ୍ଞାନ ଦୃଢ଼ହେଲେ ମନ ସ୍ୱଣେ ରହଇ ।

ଇନ୍ଦ୍ରିୟଙ୍କୁ ଇଛାମତେ ପ୍ରେରଣା କରଇ ॥

ଏଣୁ ମନସଙ୍ଗେ ଇନ୍ଦ୍ରୟଙ୍କୁ ବଶକରି ।

ଜ୍ଞାନମାର୍ଗ ରହି ନିଜ ହିତ ସାଧୁପାରି ॥

ଇଚ୍ଛାରେ ଭକ୍ଷିତ ମଦ୍ୟେ ଲୋଭ ନକରିବ ।

ଦ୍ରଷ୍ଟବ୍ୟ ଦ୍ରବ୍ୟ ଦେଖି ସ୍ୱଇଛାରେ ନଦେଖିବ ॥

ଶ୍ରୋତବ୍ୟକୁ ଶୁଣି ଅଧିକକୁ ନ ଶୁଣିବ ।

ଶାସ୍ତ୍ରତତ୍ତ୍ୱ ଶୁଣି ଅନ୍ୟକଥାକୁ ବର୍ଜିବ ॥

ଏହିଭାବେ ଘ୍ରୀତ୍ୱ-ଗିନ୍ଦ୍ରିୟ ବଶ କରି ।

ସ୍ଵଇଚ୍ଛାରେ ନଭକ୍ଷି ଅନିଷ୍ଟଙ୍କୁ ପରିହରି ॥

ଏପରି କଲେ ମନୁଷ୍ୟ ଜିତେନ୍ଦ୍ରିୟ ହୁଏ ।

ଇନ୍ଦ୍ରିୟ ଜୟରେ ଶାସ୍ତ୍ରଜ୍ଞାନୀ ସେବା କହେ ॥

ସେଜନ ବୃଦ୍ଧ ନସେବେ ଶାସ୍ତ୍ରକୁ ନଜାଣେ ।

ସେ ଶତ୍ରୁବଶହୋଇ ବିପଦେ ପଡ଼େ ତେଣ ॥

ତେଣୁ ଶାସ୍ତ୍ର ଜ୍ଞାନବଳେ ଜିତେନ୍ଦ୍ରିୟ ହୁଏ ।

ଏ ଗୁଣମାନଙ୍କୁ ଅଭ୍ୟାସ କରିବ ଦେବେ ॥

ଧୃତି ପ୍ରଗଳ୍‍ଭ ଉତ୍ସାହ ବାଗ୍ମୀତା ବିବେକ ।

ଦକ୍ଷତା ସହିଷ୍ଣୁଭାବ ଦାନ ମୈତ୍ରୀ ଏକ ॥

କୃତଜ୍ଞତା ଦୃଢ଼ ଶାସନତା ସତ୍ୟ ଶୌଚ ।

ବାହ୍ୟ ଅତ୍ୟନ୍ତରେ ଜଳାଦିଧୌତ ଯେ ସ୍ଵଚ୍ଛ ॥

ମତି ସ୍ଥିରତା ପରାତ୍ତପ୍ରାୟ ଜ୍ଞାନ ପୁଣି ।

ଚରିତ୍ରତା ଆପଦରେ ଧୈର୍ଯ୍ୟଭାବ ଜାଣି ॥

କଷ୍ଟ ସହିଷ୍ଣୁତା ଗୁରୁଦେବ ଦ୍ୱିଜପୂତା ।

ଅହିଂସା ଅକ୍ରୋଧ ଏତେଗୁଣେ ହୁଏ ରାଜା ॥

ଧର୍ମାଥ କାମରେ କାର୍ଯ୍ୟ ଅକାର୍ଯ୍ୟ ବିଚାର ।

ସଦା ସାବଧାନେ କର ଦେଖି ଅବସର ॥

ସାମଦାନ ଭେଦ ଦଣ୍ଡ ଉପାୟନ ଚିନ୍ତି ।

ଯଥାକାଳେ ପ୍ରୟୋଗ କରିବ ନାହିଁ ଭ୍ରାନ୍ତି ॥

ସାମ ବିଷୟରେ ଭେଦ ମଧ୍ୟମ ଅଟଇ ।

ଦାନ ବିଷୟରେ ସାମ ଉପଯୁକ୍ତ ହୋଇ ॥

ଦାନ ବିଷୟରେ ଦଣ୍ଡ ଅଧମ ପ୍ରକାର ।

ଦଣ୍ଡଠାରେ ଦାନ ମଧ୍ୟ ଅଧମ ବିଚାର ॥

ସାମ ଗୋଚରରେ ଦଣ୍ଡ ଅଧମୁ ଅଧମ ।

ଭେଦଦଣ୍ଡେ ସୁଜନତା ଉଚିତ ଜାଣିବ ॥

ସାମଦାନ ଗୋଚରରେ ସୌଜନ୍ୟ ଦେଖାଇ ।

ତେବେ ଶତ୍ରୁଜୟ କରି କହିଲି ବୁଝାଇ ॥

କାମକ୍ରୋଧ ଲୋଭି ହର୍ଷମାନ ପୁଣି ମଦ ।

ଏହାଙ୍କୁ ଅଧିକେ ନସେବି ଲଭିବ ମୋଦା ॥

ସୁଯୁକ୍ତି କାଳରେ ଏମାନ ସେବାକରି ।

ସଦାବେଳେ ଲୋଭ ଗର୍ବ ଦେବ ପରିହରି ॥

ରାଜାମାନଙ୍କର ତେଜ ସୂର୍ଯ୍ୟପରି ତୀବ୍ର ।

ତହିଁ ଗର୍ବ ଭୋଗତୁଲ୍ୟ ବର୍ଜନୀୟ ମାତ୍ର ॥

ମୃଗୟା ଅକ୍ଷକ୍ରୀଡ଼ା ସ୍ତ୍ରୀସେବା ମଦ୍ୟପାନ ।

ଅର୍ଥଦୋଷ କାବ୍ୟଦଣ୍ଡ କଠିନତା ପୁଣ ॥

ଏ ସପ୍ତବିଷୟ ଯତ୍ନେ ବର୍ଜନ କରିବ ।

ପରବିରକ୍ତା ନାରୀଙ୍କୁ କେବେ ନ ସେବିବ ॥

ସତୀସ୍ତ୍ରୀ ନୀଜ ସ୍ତ୍ରୀଠାରେ ଯୁକ୍ତ ବ୍ୟବହାର ।

ରତି ପୁତ୍ରଫଳ ନାରୀ ବର୍ଜନ କର ॥

ରତି ପୁତ୍ର ପାଇ ନାରୀ ରକ୍ଷଣୀୟା ଜାଣ ।

ଅତି ଆଶକ୍ତ ନୋହିବ ନାରୀଠାରେ ପଣ ॥

ମୃଗୟା ପ୍ରମାଦ ସ୍ଥାନ ତାହାକୁ ବର୍ଜିବ ।

ସତ୍କାର୍ଯ୍ୟ ନାଶକ ଅକ୍ଷ ତାହାକୁ ତେଜିବ ॥

ପରାକୃତ ଅକ୍ଷକ୍ରୀଡ଼ା ଦେଖିଣ ପାଇବ ।

ନିଜେ କଦାପି ଅକ୍ଷରେ କ୍ରୀଡ଼ା ନକରିବ ॥

ଅକାର୍ଯ୍ୟର ବୀଜ କର୍ତ୍ତବ୍ୟର ନିଷେଧକ ।

ଅକାଳେ ମନ୍ତ୍ରଣାଭେଦେ କଳହେ ଉଦ୍ରେକ ॥

ସତ୍କାର କ୍ଷୟକାରି ଶୌଚ ମଙ୍ଗଳ ନାଶେ ।

ତେଣୁ ମଦ୍ୟପାନକୁ ବର୍ଜିବ ସବିଶେଷ ।

ଅର୍ଥକ୍ଷୟକର ଆତ୍ମଦୋଷକୁ ତେଜିବ ॥

ପାପି ଚୋର ଘାତକ ଯେ ଆତତାୟୀ ହେବ ॥

ତାଙ୍କଠାରେ କଠିନ ଦଣ୍ଡକୁ ଦେବ କରି ।

ବାକ୍ୟେ କାଠିନ୍ୟ ସବ୍ରତ୍ର ବର୍ଜିବ ବିଚାରି ॥

ସତ୍ୟକୁସଦା ରଖିବ ସତ୍ୟ ମୂଳ ଧର୍ମ ।

କ୍ଷମା ତେଜସ୍ୱିତା ଦେଖାଇବ ନୃପୋତ୍ତମ ॥

ଯାନ ଆସନାଶ୍ରୟ ଦ୍ୱୈଧସନ୍ଧି ବିଗ୍ରହ ।

ଏ ଷଟ୍‍ଗୁଣ ଅଭ୍ୟାସିବ ସ୍ୱସ୍ଥାନେ ସଂଗ୍ରହ ॥

ସ୍ଥାନବୃଦ୍ଧି କ୍ଷୟେ ଯେ ପ୍ରମାଣ ନଜାଣନ୍ତି ।

କୋଷଦଣ୍ଡ ରାଜ୍ୟେ ସେ ତିଷ୍ଠି ନପାରନ୍ତି ॥

କୋଷଦଣ୍ଡ ରାଜ୍ୟେ ଏକତ୍ର ତିନି ତିନିଙ୍କୁ ।

ପ୍ରୟୋଗିଣ ଏକତ୍ର ନରଖିବ ତାହାଙ୍କୁ ॥

ମିତ୍ର ଶତ୍ରୁ ମଧ୍ୟସ୍ଥରେ ପ୍ରଭାବ ପକାଇ ।

ଜୟେଛା ଧର୍ମ କାର୍ଯ୍ୟରେ ଉତ୍ସାହ ବଢ଼ାଇ ॥

ଦେହଯାତ୍ରା ନିର୍ବାହକୁ ସନ୍ତତ କରିବ ।

ମନ୍ତ୍ରଣଜନିତ ବୁଦ୍ଧି ସର୍ବତ୍ର ଯୋଡ଼ିବ ॥

ମନ୍ତ୍ରୀ ଶତ୍ରୁପୁତ୍ର ରାଜ୍ୟ ଅନଃପୁରାଦିରେ ।

ନବିଚାରି କିଛି କାର୍ଯ୍ୟ ନକରିବ ଧୀରେ ॥

କୃଷି ଦୁର୍ଗବାଣିଜ୍ୟ ଶସ୍ତ୍ରାଦି ବିଷୟେ ।

ସୈନ୍ୟକର ଗ୍ରହଣକୁ କରିବ ନିଶ୍ଚେୟ ॥

ଗଜବାଜିଙ୍କ ରକ୍ଷଣ ଗୃହାଦି ନିର୍ମାଣ ।

ଏସବୁ କାର୍ଯ୍ୟରେ ଦୁତ କରି ନିଯୋଜନ ॥

କାର୍ଯ୍ୟାକାର୍ଯ୍ୟ ବିଚାରେ ଅଧିକାରୀ ଗଣଙ୍କୁ ।

ଅଷ୍ଟବର୍ଗରେ ନିଯୋଜିବ ଅଷ୍ଟବର୍ଗଙ୍କୁ ॥

ସ୍ୱାମି ମନ୍ତ୍ରୀ ରାଜ୍ୟ ମିତ୍ରକୋଣ ସୈନ୍ୟଦୁର୍ଗ ।

ଏ ସାତଟି ରାଜାଙ୍କର ଅଟନ୍ତି ରଜ୍ୟାଙ୍ଗ ॥

ଅନ୍ତଃପୁର ପୁତ୍ର ପାକଶାଳା ସୈନ୍ୟ ରିପୁ ।

ମଧ୍ୟସ୍ଥ ବିଷୟେ ବଳାବଳ ଜାଣି ବପୁ ॥

ଦୂତଙ୍କୁ ଗୁପ୍ତ ଭାବରେ ନିଯୁକ୍ତ କରିବ ।

ଶତ୍ରୁଙ୍କ ଆଗରେ କଦାପି ନ ପ୍ରକାଶିବ ॥

ଭଲମନ୍ଦ ଜାଣି ପ୍ରତିକାର କରି ତହିଁ ।

ଦୂତ କାର୍ଯ୍ୟଭ୍ରଷ୍ଟ କଲେ ଦଣ୍ଡଦେବ ନେଇ ॥

ମନ୍ତ୍ରୀସଙ୍ଗେ ଦୂତରହି ଏକାନ୍ତେ ବୁଝିବ ।

ସନ୍ଧ୍ୟାକାଳେ ତାହାର ପ୍ରତିକାର କରିବ ॥

ସ୍ୱପୁତ୍ର ଅନ୍ତଃପୁର ପାକଶାଳା ବିଷୟେ ।

ନିଯୁକ୍ତ ଦୂତଙ୍କୁ ଅର୍ଦ୍ଧରାତ୍ରେ ପୂଛି ସ୍ନେହେ ॥

ନିଜେ ଦେଖିବ ମନ୍ତ୍ରୀକୁ ଦେଖାଇବ ନାହିଁ ।

ଅନ୍ୟକାର୍ଯ୍ୟ ମନ୍ତ୍ରୀ ନିଯୋଜିବ ଦୂତନେଇ ॥

ଦୂତେ ଭିନ୍ନ ଭିନ୍ନ ବେଶେ ଉତ୍ସାହ ସହିତ ।

ଅତିଦୀର୍ଘ ଅତିହ୍ରସ୍ୱ ନୋହିବେ ଯେ ଦୂତ ॥

ଅରୋଗୀ ବୁଦ୍ଧିଜୀବୀ ରାତ୍ରିଚର ଧନିକ ।

ଭାର୍ଯ୍ୟା ପୁରଯୁତ ଦୂତ କରିବ ଅନେକ ॥

ବହୁ ଦେଶକଥା ଭିଜ୍ଞ ପରଚେଷ୍ଟା ଭିନ୍ନ ।

ନିର୍ଭିକ ଦୃଢ଼ଭକ୍ତ ଯେ ଦୂତହେବ ପ୍ରାଜ୍ଞ ॥

କୃଷିକାର୍ଯ୍ୟ ନିଜେ ବା ନିଜତୁଲ୍ୟ ଯେମାନେ ।

ବାଣିଜ୍ୟ ଦୁର୍ଗାଦି କାର୍ଯ୍ୟେ ସମର୍ଥ ଯେ ଗୁଣେ ॥

ଅନ୍ତପୁରେ ପିତୃତୁଲ୍ୟ ଧୀର ବୃଦ୍ଧଜନ ।

କ୍ଳୀବ ପଣ୍ଡୁ ବୁଦ୍ଧିଶାଳି ଯେଉଁ ନାରୀଗଣ ॥

ଅନ୍ତପୁରେ ବୃଦ୍ଧନାରୀ ବୁଦ୍ଧିମତି ଜାଣି ।

ନିଯୁକ୍ତ କରିବ ରାଜା ହୋଇଣ ଅଗ୍ରଣୀ ॥

ରାଜା ଏକା ନଭୁଞ୍ଜିବ ଏକା ନଶୋଇବ ।

ଏକାକୀରାଣୀ ନଯିବେ ମିତ୍ରଗୃହେ ଯିବ ॥

ମନ୍ତ୍ରୀ ଭାର୍ଯ୍ୟା ପୁତ୍ର ଦୂତଙ୍କୁ ସ୍ନେହ କରିବ ।

ସେବା ସନମତଗଣେ ଅନ୍ୟ ନକରିବ ॥

ସର୍ବଦା ବିଗ୍ରହ ନକରିବ ଯେ ନୃପତି ।

ଭୂବିତ୍ତ ମିତ୍ର ଲାଭରେ ବିଗ୍ରହ କରନ୍ତି ॥

କୋଷର ସଞ୍ଚୟ ରକ୍ଷା ସର୍ବଦା କରିବ ।

କୋବିଦ ବିପ୍ରଙ୍କୁ ରାଜ୍ୟେ ମନ୍ତ୍ରୀ କରାଇବ ॥

ମନ୍ତ୍ରଣା ଗୃହକୁ ଏକାନ୍ତ ସ୍ଥାନେ କରିବ ।

ପ୍ରତ୍ୟେକ ମନ୍ତ୍ରୀ ସଙ୍ଗରେ ମନ୍ତ୍ର ବିଚାରିବ ॥

ଶିଶୁ ବାନର ଯେ ପଣ୍ଡ ଶୁକ ସାରୀମାନ ।

ମନ୍ତ୍ରଣା ଗୃହେ ଏହାଙ୍କୁ ନରଖିବ ପୁଣ ॥

ମନ୍ତ୍ରଭେଦେ ଯେ ଦୋଷ ଉପୂଜେ ତାହା ପୁଣି ।

ଶତରାଜା ନପାରିବେ ପ୍ରତିକାର ପୁଣି ॥

ଦଣ୍ଡ ଯୋଗ୍ୟକୁ ଦଣ୍ଡିତ ନିର୍ଦୋଷୀ ନଖଣ୍ଡି ।

ପ୍ରାକାର ଅଟାଳି ତୋରଣା କରିବ ଉଣ୍ଡି ॥

ଦୂର୍ଗେ ପୁରନିର୍ମାଣି ରହିବ ନିରାପଦେ ।

ଦୁର୍ଗକୁ ପୂର୍ଣ୍ଣକରିବ ବିବିଧ ସମ୍ପଦେ ॥

ଜଳଭୂମି ବୃକ୍ଷ ବନଶୈଳ ପରିଖାରେ ।

ବହୁବିଧ ଦୁର୍ଗ ହୁଏ ତହିଁ ଗୋଟିକରେ ॥

ବ୍ରାହ୍ମଣଙ୍କ ସଙ୍ଗେ କେବେ ବିରୋଧ ନକରି ।

ଧର୍ମକାର୍ଯ୍ୟେ ବ୍ରାହ୍ମଣଙ୍କୁ ସଦା ପୂଜା କରି ॥

ଦୋଷୀ ହେଲେ କାୟିକଦଣ୍ଡ ନଦେବ କେବେ ।

ଏ ନୀତିରେ ଚଳିଲେ ସୁଖୀ ହୋଇବ ତେବେ ॥

ନିଜେ ଯେପରି ଚଳିବ ପୁତ୍ରଙ୍କୁ ସେପରି ।

ଚଳାଇବ ବୃଦ୍ଧ ଯୋଗ୍ୟଗୁରୁ ରଖିକରି ॥

ଭାର୍ଯ୍ୟା ପୁତ୍ର ସ୍ୱାଧୀନ ନହେବେ କଦାକାଳେ ।

ଭୋଜନ ଶୟନ ଯାନ ନରଦେଖା ବେଳେ ॥

ଅନ୍ତଃପୁର ପ୍ରବେଶ ସ୍ନାତନ୍ତ୍ର୍ୟ ଦେବନାହିଁ ।

ଭାର୍ଯ୍ୟା ପୁତ୍ରଙ୍କୁ ବାହାରେ ସ୍ଵାଧୀନ ନଦେଇ ॥

ଶୁକ୍ର ବୃହଷ୍ପତି କରିଛନ୍ତି ରାଜନୀତି ।

ତହିଁରୁ ସଂକ୍ଷେପି କହିଲି ମୁଁ ଯଥାମତି ॥

ଏ ରାଜନୀତିରେ ଯେଉଁ ରାଜା ଚଳିପାରେ ।

ଅବସନ୍ନ ନୋହି ବହୁ ବିତ୍ତ ପୁତ୍ରଧରେ ॥

ଏଥିରୁ ଅନ୍ୟଥା କଲେ ଦୁଃଖଭାଗୀ ହୁଏ ।

ମିଶ୍ର ପ୍ରଭାକର କାଳିକାପୁରାଣ କହେ ॥

 

ଇତିଶ୍ରୀ କାଳିକାପୁରାଣେ

ସପ୍ତାଶୀତତିମୋଽଧ୍ୟାୟଃ

✽✽✽

 

କାଳୀକା ପୁରାଣ

॥ ୮୮ ॥

 

ଔର୍ବ ଉବାଚ

ସଦାଚାର ବିଷୟରେ କହିବା ଯେ ଶୁଣ ।

ଯାହା ପାଳିଲେ ଲୋକରେ ହୁଅନ୍ତୁ ସଜ୍ଜନ ॥

ଦୋଷହୀନ ସାଧୁଜନ ସତପଥରେ ସାଧୁ ।

ସେମାନଙ୍କୁ ଆଚରଣ ସଦାଚାର ଭେଦୁ ।

ଆଗମ ପୁରାଣ ସଂହିତା ଗ୍ରନ୍ଥରେ ଉକ୍ତ ॥

ସଦାଚାରକୁ ଘେନିବ ନୋହି କାର୍ଯ୍ୟବ୍ୟସ୍ତ ।

ଋଷିଙ୍କୁ ବେଦପାଠରେ ଦେବଙ୍କୁ ହୋମରେ ॥

ପିତୃଙ୍କୁ ଶ୍ରାଦ୍ଧରେ ଭୂତାଦିଙ୍କୁ ବଳିଦ୍ୱାରେ ॥

ତୋଷକରି ତାଙ୍କ ଋଣ ପରିଶୋଧ କରି ।

ପ୍ରତ୍ୟହ ପ୍ରାତଃକାଳରେ ବିଷ୍ଠା ମୂତ୍ର ସାରି ॥

ଦନ୍ତଧାପନ ସ୍ନାନ ତିଳକ ଦେବାର୍ଚନ ।

ନିଷେକାଦି ସଂସ୍କାର କରିବ କାଳେ ପୁଣ ॥

ବିପ୍ରଙ୍କୁ ଷଟ୍‌କର୍ମ କ୍ଷତ୍ରିୟଙ୍କୁ ନିଜ କାର୍ଯ୍ୟେ ।

ନିଯୁକ୍ତ କରିବ ରାଜା କୌଶଳେ ସ୍ୱବୀର୍ଯ୍ୟେ ॥

ସ୍ୱଧର୍ମ ଛାଡ଼ି ପର ଧର୍ମକୁ ଯେ କରିବ ।

ତାକୁ ଦଣ୍ଡି ପୁଣି ନିଜ ଧର୍ମ ରଖାଇବ ॥

ଶରତ୍‌କାଳ ମହାଷ୍ଟମୀରେ ଦୁର୍ଗା ପୂଜନ ।

ଦଶମୀରେ ନୀରାଜନ ଦେବୀ ବିସର୍ଜନ ॥

ପୌଷ ତୃତୀୟାରେ ପୁଷ୍ୟାଭିଷେକ କରିବ ।

ଶ୍ରୀପଞ୍ଚମୀରେ ଶ୍ରୀଦେବୀ ପୂଜା ସମ୍ପାଦିବ ॥

ଜ୍ୟେଷ୍ଠ ଦଶହରା ଦିନ ବିଷ୍ଣୁ ପୂଜା କରି ।

ଭାଦ୍ର ଶୁକ୍ଳ ଦ୍ଵାଦଶୀରେ ଇନ୍ଦ୍ରପୂଜା ସାରି ॥

ଏସବୁ ଉତ୍ସବ ବହୁ ଧନ ବ୍ୟୟ ଯୋଗେ ।

ସମ୍ପାଦିଲେ ଧନ ପୁତ୍ର ବୃଦ୍ଧି ହୁଏ ବେଗେ ॥

ନକଲେ ଦୁର୍ଭିକ୍ଷ ଲୋକକ୍ଷୟ ରାଜ୍ୟେ ଘଟେ ।

ତେଣୁ ଏହାକୁ କରିବେ ରାଜା ଯେ ଆକଟେ ॥

ନୀରାଜନ ବିଧି ଶୁଣ ଆଶ୍ୱିନ ଶୁକ୍ଳରେ ।

ତୃତୀୟା ବା ଦ୍ଵାଦଶୀରେ ଐଶାନ୍ୟ ଦିଗରେ ।

ମହାବଳୀ ଏକଅଶ୍ୱ ସୁନ୍ଦର ଆକୃତି ।

ଗନ୍ଧପୁଷ୍ପ ବସ୍ତ୍ର ସାତଦିନ ପୂଜି ନୀତି ॥

ତା ଚେଷ୍ଟା ନିରୂପଣରେ ଶୁଭାଶୁଭ ଜାଣି ।

ପର ରାଜ୍ୟାଭି ମୁଖରେ ଅଶ୍ୱ ଯଦି ଜାଣି ॥

ପଳାଏ ଅବା ଅଶ୍ରୁକୁ ମୁକ୍ତକରେ ତହିଁ ।

ରାଜା ପୁତ୍ରଲାଭ କରେ ସଂଶୟ ନଥାଇ ।

ନେଇ ନଯାଏ ଯଦି ସେ ରାଣୀ ମୃତ୍ୟୁଲଭେ ।

ଏ ଅଶ୍ୱ ଗତିରୁ ଜାଣିବା ଶୁଭ ଅଶୁଭେ ॥

ଯେ ଦିଗରୁ ପ୍ରଥମେ ମୁଖ କରିଣ ରାବେ ।

ସେ ଦିଗରେ ଜୟହୁଏ କାଶ ଏହା ଶୁଭେ ॥

ଦକ୍ଷିଣ ପାଦକୁ ଆଗ ଟେକି ପକାଇଲେ ।

ଶତ୍ରୁଙ୍କୁ ପରାସ୍ତ କରେ ରାଜା ଯାଇ ଭଲେ ॥

ପୁରରୁ ଈଶାନ କୋଣେ ଷୋଳହାତ ଉଚ୍ଚ ।

ଅବା ଦଶହାତେ ତୋରଣ କରି ସୁସଞ୍ଚ ॥

ଯଜ୍ଞପାଇଁ ମଣ୍ଡଳ ବେଦୀ କରିବ ମଧ୍ୟେ ।

ବେଦୀର ଉତରେ ଅଶ୍ୱବେଦୀ କରି ଶ୍ରଦ୍ଧେ ॥

ତହିଁରେ ଅଶ୍ୱକୁ ରଖି ପୂଜା କରାଇବ ।

ଶାଳ ଉଦୁମ୍ବର ଅର୍ଜୁନ ଶାଖା ଟାଙ୍ଗିବ ॥

ମତ୍ସ୍ୟ ଶଙ୍ଖ ଚକ୍ର ଧ୍ଵଜେ ଅଶ୍ଵର ମଣ୍ଡଳ ।

ତୋରଣରେ ସ୍ଵର୍ଣ୍ଣ ରତ୍ନ ଫଳର ଭୂଷଣ ॥

ଅଶ୍ଵଗଳେ ଭାଲିଆ ସୋରିଷ ଧାନ ବାନ୍ଧି ।

ମଣ୍ଡଳେ ଦିକ୍‍ପାଳଗ୍ରହ ବିଶ୍ୱେଦେବା ପୂଜି ॥

ଆଜ୍ୟ ତିଳ ପୁଷ୍ପ ମିଶାଇ ହୋମ କରିବ ।

ରବି ବରୁଣ ବ୍ରହ୍ମା ଇନ୍ଦ୍ର ବିଷ୍ଣୁଙ୍କୁ ଦେବ ॥

ପ୍ରତିଦେବଙ୍କୁ ଅଷ୍ଟୋତ୍ତର ଶତ ଆହୁତି ।

ଅବା ଦେଇପାର ତାଙ୍କୁ ସହସ୍ର ଆହୁତି ॥

ପ୍ରତ୍ୟହ ହେମ କରିବ ସାତଦିନ ଯାଏ ।

ପଲାଶ ଖଦିର ସମିଧକୁ ଦେବ ସ୍ନେହେ ॥

ଅବା ଔଦୁମ୍ୱର ଅଶ୍ଵସ୍ଥ ସମିଧ ଦେବ ।

ଅନ୍ୟ ସମିଧ ନଦେବ ଦେଲେ ସେ ଅଶୁଭ ॥

ସ୍ୱର୍ଣ୍ଣ ରୌପ୍ୟ ଅବା ମାଟିରେ ଅଷ୍ଟକଳଶ ।

ଥାପି ଆମ୍ରଶାଖା ବସ୍ତ୍ର ଦେବ ହୋଇ ତୋଷ ॥

ସେ କଳସେ ହରିତାଳ ଚତୁଃସମ କ୍ଷେପି ।

ତାହାପରେ ଅନ୍ୟ ଦ୍ରବ୍ୟ ଦେବ ତହିଁ ଥାପି ॥

ଚନ୍ଦନ କୁଢ଼ ପ୍ରିୟଙ୍ଗୁ ମନଃ ଶିଳାଞ୍ଜନ ।

ହରିଦ୍ରା ଶ୍ୱେତଦନ୍ତୀ ଶତାବରୀକୁ ପୁଣ ॥

ବଚ ସୋମରାଜୀ ତୁଥି ତୁଳସୀର ପତ୍ର ।

ଏମାନଙ୍କୁ ପକାଇବ କଳସ ମଧ୍ୟର ॥

ସ୍ୱର୍ଣ୍ଣ ଅବା ଯଜ୍ଞକାଷ୍ଠେ ସ୍ରୁବ ସ୍ରୁଚ କରି ।

ହୋମ କରିବ ସପ୍ତାହେ ନୀରାଜନ ସାରି ॥

ନୀରାଜନ କାର୍ଯ୍ୟେ ରାଜା ଗୃହେ ରହିଥିବ ।

ରାତ୍ରିରେ ଯଜ୍ଞଭୂମିକୁ ରାଜା ନଆସିବ ॥

ଅଶ୍ୱହସ୍ତି ନଚଢ଼ିବ ସେହି ସାତଦିନ ।

ମିଥ୍ୟା କଥନାଦି ପାପରୁ ନିବର୍ତ୍ତି ପୁଣ ।

ନାନାବିଧ ଭକ୍ଷ ମଧୁପାୟସ ଯାବକେ ॥

ମୋଦକ ଅନ୍ନ ବ୍ୟଞ୍ଜନେ ବଳିଦେବ ସୁଖେ ॥

ଶେଷଦିନ ତୋରଣାରେ ରେମନ୍ତଙ୍କ ପୂଜା ।

ସେ ସୂର୍ଯ୍ୟପୁତ୍ର ଦ୍ୱିଭୁଜ ସଧ୍ୱଜା ॥

ଶୁକ୍ଳବସ୍ତ୍ରେ କେଶବାନ୍ଧି କଶା ବାମକରେ ।

ଦକ୍ଷିଣେ ଖଡ୍‍ଗଧାରଣ ଚଢ଼ି ଘୋଟକରେ ॥

ଏଭାବେ ରେମନ୍ତପୂଜା ଘଟେ ବା ତୋରଣେ ।

ସୂର୍ଯ୍ୟପୂଜା ବିଧିରେ ପୂଜିବ ତାଙ୍କୁ ତେଣେ ॥

ହସ୍ତି ଅଶ୍ୱଙ୍କୁ ପୂଜିବ ବସ୍ତ ଗନ୍ଧ ପୁଷ୍ପେ ।

ଯେଣେ ସେମାନେ ସନ୍ତୋଷ ଲଭିବେ ସରବେ ॥

ଦେବୀଙ୍କୁ ନେଇ ତାହାଙ୍କୁ ପୂଜିବ ଯତନେ ।

ରାଜା ଚାହିଁବ ଫଳ ହସ୍ତରେ ସେହି ସ୍ଥାନେ ॥

ଅଶ୍ୱାଦିଙ୍କୁ ଖାଦ୍ୟଦେବ ନାନାଦ୍ରବ୍ୟେ ତେଣେ ।

ଯଦି ଖାଦ୍ୟକୁ ଆଘ୍ରାଣ ଥିବା ଭକ୍ଷ କରି ।

ତେବେ ସର୍ବ ଶୁଭହେବ ଜାଣ ଏହିପରି ॥

ଔଦୁମ୍ୱରରେ ଆମ୍ରଶାଖା କୁଶବଟୋଦକେ ।

ବୁଡ଼ାଇ ଛିଞ୍ଚିବ ଅଶ୍ୱ ଗଜର ସମ୍ମୁଖେ ॥

ପଞ୍ଚସୈନ୍ୟ ରଥକୁ ଛୁଇଁବ ରାଜା କରେ ।

ନାନାବାଦ୍ୟ ବଜାଇବ ଅତି କୋଳାହଳେ ॥

ସୁବର୍ଣ୍ଣ ଦର୍ପଣେ ରାଜା ମନ୍ତ୍ରୀ ରାଜପୁତ୍ର ।

ସୈନ୍ୟ ମୁଖକୁ ଦେଖାଇବ ଯେ ପୁରୋହିତ ।

ମାଟିରେ ଶତ୍ରୁକୁ ଗଢ଼ି ଅଭିଚାର ମନ୍ତ୍ରେ ॥

ତା ହୃଦୟେ ଶୂଳଭେଦି ଶିରଛେଦି ଖଡ୍‍ଗେ ।

ନୂଆ ଲଗାମ ଅଶ୍ୱକୁ ସୂର୍ଯ୍ୟ ଇନ୍ଦୁ ମନ୍ତ୍ରେ ।

ପ୍ରଦାନିବ ଅଶ୍ଵମୁଖେ ଆରୋହିବ ମନ୍ତ୍ରେ ॥

ବାୟ କୋଣକୁ ପ୍ରଥମେ ଗମିବ ନୃପତି ।

ପାତ୍ରମନ୍ତ୍ରୀ ସୈନ୍ୟଆଦି ଚଳିବେ ସଙ୍ଗତୀ ॥

ବିବିଧ ବାଦ୍ୟ ବଜାଇ ଛତ୍ରଟେକି ଶିରେ ।

ବିଜୟ ଯାତ୍ରା କରିବେ ସେ ନୀରାଜନରେ ॥

ଜାଣି ମୁକ୍ତା ସ୍ୱର୍ଣ୍ଣାଳଙ୍କାରେ ହୋଇ ଭୂଷିତ ।

କୋଣେଯାଇ ପୂର୍ବଦ୍ୱାରେ ଫେରିବ ସେ ତଥ୍ୟ ॥

ନିଜପୁରେ ରାଜାଯିବ ପୁରୋଧା ଯଜ୍ଞକୁ ।

ସ୍ୱର୍ଣ୍ଣ ଗୋରୁ ତିଳ ଦକ୍ଷିଣା ଦେବ ବିପ୍ରଙ୍କୁ ॥

ଯଥାଶକ୍ତି ଦାନଦେବ ନୀରାଜନ କର୍ମେ ।

ସୁସ୍ଥିରା ଲକ୍ଷ୍ମୀ ଭୁଞ୍ଜିବ କହିଲି ବିଧାନେ ॥

ତୁ ଅଶ୍ୱ ଅମୃତଜାତ ସାଗରୁ ଉଦ୍ଭବ ।

ଯେ ସତ୍ୟେ ଇନ୍ଦ୍ରଙ୍କୁ ବହୁ ତଥା ମୋତେ ବହ ॥

ଯେ ସତ୍ୟରେ ସୂର୍ଯ୍ୟରେ ମନ୍ତଙ୍କୁ ବହୁ ପୁଣି ।

ମୋ ବିଜୟ ପାଇଁ ମୋତେ ବଳ ଏହିକ୍ଷଣି ॥

ଏହି ମନ୍ତ୍ର ପଢ଼ି ଅଶ୍ୱେ ଚଢ଼ିବ ନୃପତି ।

ସେକାଳେ ପାଟମହିଷି ଅଶ୍ୱେଦେବ ଧୋତି ॥

ଶ୍ରୀଗଣଙ୍କ ସଙେ୍‍ଗ ରାଜାଙ୍କୁ ଦୁର୍ବ ଅକ୍ଷେତ ।

ବନ୍ଦନା କରିବେ ଆସି ରାଣୀ ବିଧିମତେ ॥

ନୀରାଜନକାଳେଅଶୌଚ ଯଦି ହୋଇବ ।

ସଦ୍ୟଶୁଚି ହୋଇ ରାଜା ଏକର୍ମ କରିବ ॥

ଅଧିବାସ ଯଜ୍ଞପରେ ରାଜ୍ୟ ବିଜୟରେ ।

ସଦ୍ୟଶୁଚି ହୁଏ ରାଜା ଅଛିତ ଶାସ୍ତ୍ରରେ ॥

ନୀରାଜନ ବିଧି କହିଲି ତୁମ୍ଭ ଆଗରେ ।

ପୁଷ୍ୟା ସ୍ନାନବିଧି ଶୁଣ କହେ ଏ ଅଧ୍ୟାରେ ॥

ଶିବ ପାର୍ବତୀଙ୍କ ପଦେ ମନ ଧ୍ୟାନ ଦେଇ ।

ପ୍ରଭାକର ଗୀତେ କାଳିକା ପୁରାଣ କହି ॥

 

ଇତି ଶ୍ରୀ କାଳିକାପୁରାଣେ

ଅଷ୍ଟାଶୀତଅଧ୍ୟାୟଃ ।

✽✽✽

 

॥ ୮୯ ॥

 

ଔର୍ବ ଉବାଚ

ଶୁଣ ରାଜା ପୁଷ୍ୟାସ୍ନାନ ବିଧିକୁ କହିବା ।

ଯାହାଜାଣି ବିଘ୍ନନାଶ ଯାଏ ହେ ଜାଣିବା ॥

ପୌଷମାସେ ପୁଷ୍ୟା ନକ୍ଷତ୍ରରେ ରାଜା ସ୍ନାନ ।

ସୌଭାଗ୍ୟ ଶୁଭପ୍ରଦ ସେ ଦୁର୍ଭିକ୍ଷ ବାରଣ ॥

ବିଷ୍ଟ୍ୟାଦିକରଣେ ବ୍ୟତିପାତ ବୈଧୃତିରେ ।

ବଜ୍ରଶୂଳ ହର୍ଷଣେ ଯେ ଯୁଦ୍ଧଯାତ୍ରା କରେ ॥

ତାହାର ଶାନ୍ତି ନିମିତ୍ତ ତୃତୀୟା ପୁଷ୍ୟାରେ I

ରବି ଶନି ମଙ୍ଗଳବାସର ସେ ଦିନରେ ॥

ରାଜା ସ୍ନାନକଲେ ତାର ମଙ୍ଗଳ ହୁଅଇ ।

ସମସ୍ତ ଦୋଷ ବିନାଶ ହୁଏ ସ୍ନାନ ତହିଁ ॥

ଗ୍ରହଦୋଷ ହେଲେ ଅନ୍ୟମାସ ପୁଷ୍ୟାଯୋଗେ ।

ସ୍ନାନକଲେ ସର୍ବଶାନ୍ତ ହୁଏ ସେ ସୁଯୋଗେ ॥

ପୂର୍ବେ ଏ ଶାନ୍ତିକୁ ବ୍ରହ୍ମା ଗୁରୁଙ୍କୁ କହିଲେ ।

ଇନ୍ଦ୍ରାଦି ଦେବଙ୍କ ଶାନ୍ତିପାଇଁ ବିଚାରିଲେ ॥

ତୁଷ କେଶ ଅସ୍ଥିହୁଙ୍କା ପୀଟାଦି ବର୍ଜିତ ।

ଖପରା କୃମି କୁଷ୍ମାଣ୍ଡ ବହୁ କର୍ଷଯୁକ୍ତ ॥

କାଳ ଉଲୁକ କଙ୍କ ଗୃଧ୍ର ଶୌନକ ହୀନ ।

କଣ୍ଟାବନ ବାହାଡ଼ା ବୃକ୍ଷର ହିତ ସ୍ଥାନ ॥

ରସୁଣ ପୋଲାଏ ଯୋକ ବର୍ଜିତ ସ୍ଥାନରେ ।

ଚମ୍ପା ଅଶୋକ ବକୁଳ ପୂର୍ଣ୍ଣ ସ୍ଵସ୍ଥାନରେ ॥

ହଂସ ସାରସରେ ପୂର୍ଣ୍ଣ ସରସୀ ତୀରରେ ।

ପୁଷ୍ୟାସ୍ନାନ ପାଇଁ ରାଜା ଆୟୋଜନ କରେ ॥

ପୂର୍ବଦିନ ସନ୍ଧ୍ୟାବେଳେ ରାଜା ପୁରୋହିତ ।

ନାନା ବାଦ୍ୟ ବଳାଇ ସେ ସ୍ଥାନକୁ ଯିବେ ତ ॥

ସେ ସ୍ଥାନ ଉତ୍ତର ଦିଗେ ପୁରୋହିତ ବସ୍ତି ।

ସୁଗନ୍ଧ କର୍ପୂର ଚନ୍ଦନ ଦଧୀକୁ ସିଞ୍ଚି ॥

ଗୋରଚନା ସର୍ଷପ ଅକ୍ଷତ ଫଳାଦିରେ ।

ଗନ୍ଧଦ୍ୱାରାଦି ମନ୍ତ୍ରେ ଅଧିବାସକୁ କରେ ॥

ଗଣେଶ ଶ୍ରୀହରି ଇନ୍ଦୁବ୍ରହ୍ମା ଉମା ହର ।

ସର୍ବଗଣ ଦେବ ମାତୃଗଣ ପୂଜା କର ॥

ମଙ୍ଗଳ କଳସ ସ୍ଥାପି ନାନା ନୈବେଦ୍ୟରେ ।

ପାୟସ ଯାବକ ସ୍ୱାଦୁଫଳ ଉପହାରେ ॥

ସେ ସ୍ଥାନକୁ ଅଧିବାସ କରି ଗନ୍ଧପୁଷ୍ପେ ।

ସେ ସ୍ଥାନରୁ ଭୂତାଦିଙ୍କୁ ନିସାରିବ ମନ୍ତ୍ରେ ॥

ଦେବଙ୍କୁ ଆବାହନାଦି କରିଣ ପୂଜିବ ।

ପୁଷ୍ପାଞ୍ଜଳି ଦେଇ ପ୍ରାର୍ଥନା ମନ୍ତ୍ର ବୋଲିବ ॥

ସେ ରାତ୍ରିରେ ପୂଜାସ୍ଥାନେ ପୁରୋହିତ ସଙ୍ଗେ ।

ରାଜା ରହି ଶୋଇବେ ସ୍ୱପ୍ନ ଦର୍ଶନ ଯୋଗେ ॥

ସ୍ଵପ୍ନଦେଖି ଶୁଭାଶୁଭ ଜାଣିବେ ନିଜର ।

ତେଣୁ ପୂଜାସ୍ଥାନେ ଶୋଇବା ବିଧି ତାଙ୍କର ॥

ଦୁଃସ୍ୱପ୍ନ ଦର୍ଶନେ ଚତୁର୍ଗୁଣେ ହୋମ କରି ।

ଗୋ ଶତଦାନ କରିବେ ନୃପତି ବିଚାରି ॥

ଗୋରୁ ଅଶ୍ୱହସ୍ତି ପ୍ରାସାଦ ବୃକ୍ଷ ପର୍ବତ ।

ଏଥିରେ ଚଢ଼ିବା ଦେଖି ଶୁଭ ପାଇବେ ତ ॥

ଦଧି ଦେବତା ସୁବର୍ଣ୍ଣ ବ୍ରାହ୍ମଣ ଯେ ବୀଣା ।

ଦୁର୍ବାକ୍ଷତ ଫଳ ପୁଷ୍ପଛତ୍ର ବିଲୋପନା ॥

ଚନ୍ଦ୍ର ସୂର୍ଯ୍ୟ ଚକ୍ରସ୍ଵପ୍ନ ଦେଖିଲେ ନିଶ୍ଚୟ ।

ଶୁଭଫଳ ହୋଇ ଶତ୍ରୁମାନେ ଯାନ୍ତି କ୍ଷୟ ॥

ରତ୍ନାକର ରାଜା ଗ୍ରହଣର ଦର୍ଶନରେ ।

ନିଜ ବନ୍ଧନ ମାଂସ ଭକ୍ଷଣ ଶୈଳ ପରେ ॥

ଲଙ୍ଘନ ନାଭିରେ ବୃକ୍ଷ ମୃତକୁ ରୋଦନ ।

ଅଗମ୍ୟା ଗମନ କୂପ ପଙ୍କରେ ପତନ ॥

ନଦୀ ଲଙ୍ଘନ ସପୁତ୍ର ମରଣ ନିଜର ।

ମଦ୍ୟ ରକ୍ତପାନ ଭକ୍ଷଣ ପାୟସାନ୍ନର ॥

ମନୁଷ୍ୟରେ ଆରୋହଣ ଏସବୁ ସ୍ୱପ୍ନରେ ।

ଦେଖିଲେ ଶୁଭ ହୋଇ ଶତ୍ରୁଙ୍କୁ ନାଶକରେ ॥

ଗଧ ଓଟ ମହିଷାରୋହଣେ ରାଜ୍ୟନାଶ ।

ନୃତ୍ୟ ଗୀତ ହାସ୍ୟ ପାଠ୍ୟ ଦେଖିଲେ ସ୍ୱନାଶ ॥

ରକ୍ତବସ୍ତ୍ର ରକ୍ତମାଲ୍ୟ ରକ୍ତା କୃଷ୍ଣାନାରୀ ।

ସଙ୍ଗମ ସ୍ଵପ୍ନ ଦେଖିଲେ ନିଜେ ଯିବ ମରି ॥

କୂପରେ ପ୍ରବେଶ ଦକ୍ଷିଣ ଦିଗକୁ ଗତି ।

ପଙ୍କେ ବୁଡ଼ି ଗାଧୋଇବା ପୁତ୍ର ଭାର୍ଯ୍ୟା ମୃତି ॥

ଏସବୁ ଶୁଭ ସ୍ଵପ୍ନରେ ରାଜ୍ୟ ଲାଭ ହୁଏ ।

ସ୍ୱପ୍ନ ଦେଖି ଶୁଭାଶୁଭ କରିବ ନିଶ୍ଚୟେ ॥

ବିଂଶହନ୍ତ ଦୀର୍ଘ ଷୋଳହାତ ଯେ ବିସ୍ତାର ।

କରିବ ଲକ୍ଷଣଯୁକ୍ତ ଗୋଟିଏ ମଣ୍ଡଳ ॥

ପରଦିନ ପୂର୍ବାହ୍ନେ ମାତୃ ପୂଜନ କରି ।

ବସୁଧାରା ଘୃତେ ଦେବ ମନ୍ତ୍ରମାନ ପଢ଼ି ॥

ବୃଦ୍ଧି ଶ୍ରାଦ୍ଧକରି ଚନ୍ଦନା ଗୁରୁ କର୍ପୂରେ ।

ମଣ୍ଡଳ ପୂଜିବ ହୌଂଶମ୍ଭବେ ନମଃ ମନ୍ତ୍ରରେ ॥

ମଣ୍ଡଳ ଜାଣିବା ବ୍ୟକ୍ତି କମୁଳ ସୂତାରେ ।

ଅବା ପଟ୍ଟସୂତ୍ରେ ସ୍ୱସ୍ତିକ ମଣ୍ଡଳ କରେ ॥

ଚାରିହାତ ପ୍ରମାଣରେ ମଣ୍ଡଳ କରିବ ।

ଏକହସ୍ତେ ତହିଁ ଏକ ପଦ୍ମ ତିଆରିବ ॥

ଦେଢ଼ହାତେ ଚାରିଦ୍ଵାର ଲେଖିବ ଚୂର୍ଣ୍ଣରେ ।

ଉଜ୍ଜଳ କରିବ ତାକୁ କର୍ଣ୍ଣିକା କେଶରେ ॥

ସିତ ରକ୍ତ ପୀତ କୃଷ୍ଣ ହରିତ ଚୂର୍ଣ୍ଣରେ ।

ମଣ୍ଡଳ କରିବ ଏହି ପଞ୍ଚ ପ୍ରକାରରେ ॥

ପ୍ରତିଦ୍ୱାରେ ଏକ ଏକ ପଦ୍ମ ଅଷ୍ଟଦଳ ।

କରି ସୂତ୍ର ପକାଇବ ମଣ୍ଡଳ ଉପର ॥

ତହୁଁ ମଣ୍ଡଳ ପୂଜିବ ଦୁର୍ବା ସର୍ଷପରେ ।

ଦ୍ୱାଦଶବିଧି ମଣ୍ଡଳ ଶୁଣତାନ ମରେ ॥

ବିମଳ ବିଜୟ ଭଦ୍ର ବିମାନ ଶୁଭଦ୍ର ।

ଶିବ ବର୍ଦ୍ଧମାନ ଦେବ ଶତାକ୍ଷ କାମଦ ॥

ରୁଚିକ ସ୍ଵସ୍ତିକ ନାମେ ଦ୍ୱାଦଶ ମଣ୍ଡଳ ।

ଯଥାସ୍ଥାନେ ଏମାନଙ୍କୁ ଲେପିବ ଚୂର୍ଣ୍ଣର ॥

ଅଧିକ କଳସେ ଅଧିକ ଯେ ଫଳ ମିଳେ ।

ନବଗୋଟି କଳସ କରିବ ଏ ପୂଜାର ॥

ଗୋହ୍ୟ ଅପରୋହ୍ୟ ମରୁତ ମୟୂଖ ପୁଣି ।

ମନୋହା ଆର୍ଯ୍ୟଭଦ୍ର ଯେ ବିଜୟକୁ ଗଣି ॥

ତନୁ ଦୂଷକ ଇନ୍ଦ୍ରିୟଘ୍ନ ଏହି କଳସ ।

ଶେଷ କଳସ ପଞ୍ଚମୁଖ ହେବ ବିଶେଷ ॥

ତାହାକୁ ଶିବ ଧୂପରେ ଭାବିଣ ତହିଁରେ ।

ଅଘୋରାଦି ପଞ୍ଚମୁଣ୍ଡ ପୂଜିବ ତହିଁରେ ॥

ପ୍ରଥମ ପୂର୍ବରେ ତା ପରକୁ ପଶ୍ଚିମରେ ।

ବାୟୁକୋଣେ ତୃତୀୟକୁ ଚତୁର୍ଥ ଅଗ୍ନିରେ ॥

ନୈରୁତେ ପଞ୍ଚମ ଷଷ୍ଠ ଐଶାନ୍ୟରେ ଥାପି ।

ଉତ୍ତରେ ସପ୍ତମ ଅଷ୍ଟମ ଦକ୍ଷିଣେ ରଖି ॥

ନକ୍ଷତ୍ର ଗ୍ରହକୂଳ ପର୍ବତ ଗଙ୍ଗା ଆଦି ।

ଚାରିବେଦଙ୍କୁ ପୂଜିବ କଳସେ ସମ୍ପାଦି ॥

ରତ୍ନ ସର୍ବବୀଜ ପୁଷ୍ପ ଫଳ ହୀରା ମୁକ୍ତା ।

ବୈଦୁର୍ଯ୍ୟ ମହାପଦ୍ମ ଇନ୍ଦ୍ରନୀଳ ସର୍ବଥା ॥

ବିଲ୍ୱ ଉଦୁମ୍ବର ବୀଜ ପୁରଯେ ଜମ୍ଭୀର ।

ଯବଶାଳି ନୀବାର ଗୋଧୂମ ଯେ କର୍ପୂର ॥

କୁଙ୍କୁମା ଗୁରୁ ରୋଚନା ବନ୍ଦନ ଏଳାଚ ।

କୁଢ଼ କସ୍ତୁରୀ ଶୈଳେୟ ବଦରୀର ପର୍ଣ୍ଣ ॥

ଜାତୀ ପତ୍ର ପୁଷ୍ପ କାଳଶାକବଚ ଧାତ୍ରୀ ।

ମଞ୍ଜିଷ୍ଠା ଦୁର୍ବୀ ଶତମୂଳୀ ଯେ ଶତାବରୀ ॥

ଗଜଦନ୍ତ ଶତପୁଷ୍ପା ପୁରୁଣୀ ଯେ ବ୍ରାହ୍ମୀ ।

ଏସବୁ ସଂଗ୍ରହ କରି ପକାଇବ ତହିଁ ॥

ଦିଗକ୍ରମେ କଳସରେ ହରିହର ବିଧି ।

ପୂଜାକରିବ ସକଳ ଦ୍ରବ୍ୟକୁ ସମ୍ପାଦି ॥

ତା ମଧ୍ୟେ ପ୍ରଧାନଭାବେ ଶିବଙ୍କୁ ପୂଜିବ ।

ଦିଗପାଳ ଘଟେ ଦିଗପାଳଙ୍କୁ ଅର୍ଚ୍ଚିବ ॥

ନବଗ୍ରହ ମାତୃଗଣ ମାତୃଘଟେ ପୂଜି ।

ସର୍ବଦେବେ ଘଟେପୂଜାପାନ୍ତି ଏହା ହେଜି ॥

ଭକ୍ଷ୍ୟ ଭୋଜ୍ୟ ନାନା ସ୍ୱାଦୁଫଳ ପୁଣି ପୁଷ୍ପେ ।

ଦେବଦେବୀଙ୍କୁ ପୂଜିବ ସ୍ଵକୀୟ କଳସେ ॥

ମଣ୍ଡଳ ଦକ୍ଷିଣେ କୁଣ୍ଡ ନିର୍ମାଣ କରିଣ ।

ବିଧିରେ ସଂସ୍କାର କରି ଅଗ୍ନି ସହିତେଣ ॥

ଘୃତ ପାୟସ ସମିଧ ଶାଳି ସିଦ୍ଧାର୍ଥରେ ।

ଦୁର୍ବାକ୍ଷତ ଅବା କେବଳ ଗବ୍ୟ ଘୃତରେ ॥

ପୂଜିତ ଦେବଦେବୀଙ୍କୁ ଶକ୍ତିଦ୍ରବ୍ୟ ଦେଖି ।

ଆହୁତୀ ପ୍ରଦାନ କରି ରାଜା ହେବ ସୁଖି ॥

ହେମାନ୍ତେ ମଣ୍ଡଳ ଉତ୍ତରସ୍ଥ ଦେଦୀପରେ ।

ପଟ୍ଟବସ୍ତ୍ର ଆଚ୍ଛାଦିଣ ତ୍ରିକୋଣ ମଣ୍ଡଳେ ॥

କୁବେର ଗଣେଶ ଗୋମୁଷ୍ଟିକ ଲକ୍ଷ୍ମୀଦେବୀ ।

ବିଲ୍ୱବୃକ୍ଷ ପ୍ରିୟା ଗୌରୀଙ୍କୁ ପଟରେ ଭାବି ॥

ରତ୍ନ ଅଳଙ୍କାର ଦେଇ ମଣ୍ଡଳେ ନ୍ୟାସିବ ।

ସ୍ନାନ ଚଉକୀକୁ ହାତେ ଉଚ୍ଚରେ କରିବ ॥

ଦୀର୍ଘପ୍ରସ୍ଥ ଦୁଇ ଦୁଇ ହାତ କରି ତହିଁ ।

ବିବିଧ ଅଳଙ୍କାରାଦି ତହିଁରେ ଯୋଗାଇ ॥

ତା ଚତୁର୍ଗୁଣରେ ଶଯ୍ୟା ପଲଙ୍କ କରିବ ।

ତାହାକୁ ବିବିଧଶଯ୍ୟା ଦ୍ରବ୍ୟ ଯୋଗାଇବ ॥

ଗଜସିଂହ ଚିତ୍ର ଲେଖି ରତ୍ନରେ ଭୂଷିଣ ।

ବ୍ୟାଘ୍ରଚିତ୍ର ପାଟ୍ଟବସ୍ତ୍ରେ ତାକୁ ଘୋଡ଼ାଇଣ ॥

ତା ମଧ୍ୟେ ଚାରିକଣିଆ ଅର୍ଦ୍ଧଚନ୍ଦ୍ର ଯୁତ ।

ଆସନ ପକାଇ ବସିବ ସେ ନରନାଥ ॥

ରାଜାଙ୍କର ପାନ ସିଂହାସନ ଅଳଙ୍କାର ।

ସର୍ବ ନୂତନରେ ଆସି ରହିବ ଉତ୍ତର ॥

ରାଜାସନ ପଶ୍ଚିମରେ ସ୍ୱର୍ଣ୍ଣାଦି ରଚିତ ।

ଯଜ୍ଞକାଷ୍ଠରେ ନିର୍ମିତ ପଲଙ୍କ ଏକ ତ ॥

ପକାଇ ଉପରେ ଚନ୍ଦ୍ରାତପ ଆଚ୍ଛାଦିଣ ।

ଗୁଆ ରମ୍ଭା ବୃକ୍ଷମାନ ଟାଙ୍ଗି ବୃକ୍ଷରେଣ ॥

ସିଂହ ଶାର୍ଦ୍ଦୁନ ଚିତ୍ରିତ ପାଦପୀଠ ପରେ ।

ରାଜା ପାଦଦେଇ ବସିବେ ସ୍ନାନ ବେଳାରେ ॥

ଚର୍ମ ଖଡ୍ଗ ଚତୁଷ୍ଟୟେ ନାନା ଅଳଙ୍କାରେ ।

ଭୂଷିତ ହେଇ ନୃପତି ବସିବେ ତହିଁରେ ॥

ବେଦମନ୍ତ୍ର ଉଚ୍ଚାରିଣ ବ୍ରାହ୍ମଣ ମଣ୍ଡଳେ ।

ସ୍ନାନ କରାଇବେ ନୃପତିଙ୍କୁ ମନ୍ତ୍ରଜଳେ ॥

କୃଷ୍ଣ କମ୍ବଳ ବେଷ୍ଟିତ ପୂଜିତ କଳସ ।

ବହୁବସ୍ତ୍ର ଅଳଙ୍କାରେ କରିଣ ସୁବେଶ ॥

ଅଷ୍ଟ ଷୋଡ଼ଶବିଂଶ ବା ଅଷ୍ଟାଧିକ ଶତ ।

ବିତ୍ତ ଶ୍ରଦ୍ଧାକ୍ରମେ କରି କଳସ ପୂଜିତ ॥

ସେ କଳସ ଜଳେ ବିପ୍ରେ କଲ୍ୟାଣଦି ମନ୍ତ୍ରେ ।

ଶୈବ ବୈଷ୍ଣବ ଶାକ୍ତ ମତରେ ଶୁଭ ଯେତେ ॥

ପୂଜିତ ଗ୍ରହ ଦିକ୍‍ପାଳ ମାତୃଗଣ ମନ୍ତ୍ରେ ।

ରାଜା ସ୍ନାନ କରିବେ ସକଳ ବିପ୍ରହସ୍ତେ ॥

ଆଜ୍ୟକୁ ପ୍ରାର୍ଥନା କରି ବ୍ରାହ୍ମଣ ସକଳେ ।

କମ୍ବଳ କାଢ଼ି କଳସ ଢାଳିବେ ଉପରେ ।

ଦେବ ବ୍ରହ୍ମ ବିଷ୍ଣୁ ଆଦି ତୁମ ଶିରପରେ ॥

ସାଧ୍ୟ ମରୁତ ଆଦିତ୍ୟ ବସୁରୁଦ୍ର ଦସ୍ରେ ।

ତୁମ୍ଭଶିରେ ଅଭିଷେକ କରନ୍ତୁ ନିୟତ ॥

କୀର୍ତ୍ତି ଧୃତିସିନୀ ବାଲୀକୁହ କଦ୍ରୁଦିତି ।

ସୁରସା ବିନତା ଦେବମାତା ଦେବପତ୍ନୀ ॥

ସିଦ୍ଧି ଅପ୍ସରାଗଣଙ୍କ ସଙ୍ଗରେ ଏମାନେ ।

ତୁମ୍ଭ ଶିର ସେବନରେ ଆଶୀର୍ବାଦ ଭଣେ ॥

ନକ୍ଷତ୍ର ମୁହୂର୍ତ୍ତ ପକ୍ଷ ଅହେରାତ୍ର ମାନ ।

ସଂବତ୍ସର ନିମେଷ ଯେ କଳାକାଷ୍ଠା ପୁଣ ॥

କାଳ ଅବୟବମାନ ତୁମ୍ଭଙ୍କୁ ସିଞ୍ଚିନ୍ତୁ ।

ଆଶୀର୍ବାଦ କରି ତୁମ୍ଭ ଶୁଭ ମନାସନ୍ତୁ ॥

ବୈମାନିକ ଦେବଗଣେ ମନୁ ଯେ ସାଗର ।

ଗଙ୍ଗାଦି ସରିତ ମହାନାଗ ନାଗାକୁଳ ॥

ବୈଖାନସ ସପ୍ତରୁଷି ସଦାର ହୋଇଣ l

ଧ୍ରୁବସ୍ଥିତ ଋକ୍ଷ ଯେତେ ଦକ୍ଷ ଔର୍ବ ପୁଣ ॥

ଦୁର୍ବାସା କଣ୍ୱ କତ୍ସାୟନ କ୍ଷତ୍ର ଜାବାଳି ।

ମାର୍କଣ୍ଡେୟ ବିଦ୍ରରଥ ଜୈଗିଷବ୍ୟ ବଳି ॥

ସଂବର୍ତ୍ତକ ଚ୍ୟବନ ଯେ ଅତ୍ରି ପରାଶରେ ।

ଏ ଆଦି ଯେତେ ତପସ୍ଵୀ ଋଷି ସଶିଷ୍ୟରେ ॥

ପର୍ବତ ବୃକ୍ଷ ନଦୀ ଯେ ପୁଣ୍ୟ ଆୟତନ ।

ପ୍ରଜାପତି କ୍ଷିତି ଗାବ ବିଶ୍ଵ ମାତୃଗଣ ॥

ଦିବ୍ୟବାହନ ସକଳ ଲୋକ ଚରାଚର ।

ଅଗ୍ନି ପିତୃଗଣ ମେଘ ଆକାଶ ଯେ ଜଳ ॥

ଏ ଆଦି ପୁଣ୍ୟାତ୍ମାଗଣ ତୁମ୍ଭଙ୍କୁ ଜଳରେ ।

ସ୍ନାନ କରାନ୍ତୁ ସର୍ବ ଦୁର୍ଦ୍ଦଶା ମୋଚନରେ ॥

ଆପୋହିଷ୍ଟଦି ସୂକ୍ତରେ ମାନସ୍ତୋକେ ମନ୍ତ୍ରେ ।

ଗନ୍ଧଦ୍ଵାରା ମନ୍ତ୍ରେ ପୁଣି ସର୍ବ ମଙ୍ଗଳରେ ॥

ଦେହେ କମ୍ବଳ ଘୋଡ଼ାଇ ସ୍ନାନ କରାଇବ ।

ସର୍ବମଙ୍ଗଳ ମନ୍ତ୍ରରେ କପାବସ୍ତ୍ର ଦେବ ॥

ତହୁଁ ଆଚମନ ସାରି ଗୁରୁବିପ୍ର ପୂଜା ।

ଧ୍ୱଜ ଚାମର ଛତ୍ର ଘଣ୍ଟାଦି କରି ସଜା ॥

ତହୁଁ ଅଗ୍ନି ପଶେ ଯାଇ ରାଜ ଗହଣରେ ।

ପ୍ରବେଶ ଅଗ୍ନିଙ୍କ ତେଜ ଦେଖି ବେନି ରୋଳେ ॥

ତହୁଁ ବିବିଧ ଦ୍ରବ୍ୟ ନୃତ୍ୟ ଗୀତ ସ୍ଵରରେ ।

ପୂର୍ଣ୍ଣାହୁତି କରାଇବେ ଦ୍ୱିଜେ ମନ୍ତ୍ର ବଳେ ॥

ତହୁଁ ଆଶୀର୍ବାଦ ପ୍ରସାଦ ଗ୍ରହଣ କରି ।

ଚତୁରଙ୍ଗ ବଳେ ବାହୁଡ଼ିବେ ନିଜ ପୁରୀ ॥

ରାଜାସ୍ନାନ ପରେ ଅବଶିଷ୍ଟ ଜଳଯୋଗେ ।

ପୁରୋହିତ ସିଞ୍ଚିବେ ମନ୍ତ୍ର ମନ୍ତ୍ର ଯୋଗେ ॥

ସ୍ନାନବିଧି ସାରି ରାଜା ତିନି ଅହୋରାତ୍ର ।

ମାଂସ ମୈଥୁନ ବର୍ଜିଣ ରହିବେ ସଂଯତ ॥

ପୁଷ୍ୟ ନକ୍ଷତ୍ରଯୁକ୍ତା ସେ ତୃତୀୟା ଘଟିଲେ ।

ଏହି ସ୍ନାନବିଧି ରାଜା କରିବେ ସକଳେ ॥

ସେ ଯୋଗରେ ସର୍ବଗୃହୀ ଚଣ୍ଡିକା ପୂଜିବେ ।

କନ୍ୟା ପୁତ୍ର ବିହାର ଯେ ଶିଶୁକ୍ରୀଡ଼ା ଗର୍ବେ ॥

ବୈବାହିକ ବିଧିପାଳି ଚଣ୍ଡିକୁ ମୋହିବେ ।

ଚତୁଷ୍ପଥ ଦେବଦେବୀ ମନ୍ଦିରରେ ଶୁଭେ ॥

ପତାକା ଟଙ୍ଗାଇ ବିଧି ସମ୍ପାଦନ କଲେ ।

ଚତୁରଙ୍ଗ ବଳ ଭାର୍ଯ୍ୟା ପୁତ୍ର ସହିତରେ ॥

ସୁଖୀ ହୋଇ ଚିରଜୀବୀ ହୁଅନ୍ତି ନୃପତି ।

ଏଥୁ ବଳି ଶାନ୍ତିକର୍ମ ନାହିଁ ନୃପ ପ୍ରତି ॥

ଏ ବିଧିରେ ରାଜାଙ୍କର ଅଭିଷେକ ହୁଏ ।

ଯୁବରାଜ ଅଭିଷେକେ ଏ ବିଧି ବୋଲାଏ ॥

ପୂର୍ବେ ବ୍ରହ୍ମା ଇନ୍ଦ୍ର ଅଭିଷେକେ ଏହା କରି ।

ସେଦିନ ନୃପତି ଗଣ କରନ୍ତି ବିଚାରି ॥

ସ୍ନାନବିଧି‌ କରି ନୃପେ ଯଶସ୍ଵୀ ହେଉନ୍ତୁ ।

ବିପ୍ର ପ୍ରଭାକର ଭାଳେ ଦେବୀପଦ ସେତୁ ॥

 

ଇତି ଶ୍ରୀ କାଳିକାପୁରାଣେ

ଏକୋନନବତୀତମୋଽଧ୍ୟାୟଃ ।

✽✽✽

 

॥ ୯୦ ॥

 

ଔର୍ବ ଉବାଚ

ଚିକ୍ରୋଥାନ ଧିଜୋତ୍ସବ ଶୁଣ ହେ ସଗର ।

ଯାହାକରି ରାଜାମାନେ ସୁଖୀ ସୁଚତୁର ॥

ଭାତ୍ର ଶୁକ୍ଳଦ୍ୱାଦଶୀ ଶ୍ରବଣା ନକ୍ଷତ୍ରରେ ।

ଇନ୍ଦ୍ରପୂଜା କରିବ ନୃପତି ସବିଧିରେ ॥

ପୂର୍ବେ ରାଜୋପରିଚର ବସୁନୃପ ନାମେ ।

ଇନ୍ଦ୍ର ପୂଜାବିଧି କରାଇଲେ ମହୀତଳେ ॥

ଭାଦ୍ର କୃଷ୍ଣଦ୍ଵାଦଶୀରେ ବାଦ୍ୟାଦି ସହିତ ।

ଇନ୍ଦ୍ର ଧ୍ୱଜ ପାଇଁ ବୃକ୍ଷ ମନ୍ତ୍ରୀ ଆସିବତ ॥

ଗଣକ ବଢ଼େଇ ବୃକ୍ଷ ଚିହ୍ନାଇବ ଯାଇ ।

ଉଦ୍ୟାନ ଦେବାଳୟ ଶ୍ମଶାନ ପଥେ ଥାଇ ॥

ଯେଉଁ ବୃକ୍ଷ ଥିବ ତାକୁ ବର୍ଜି ବନ ମଧ୍ୟେ ।

ଅନ୍ୟବୃକ୍ଷ ଅଣାଇବ ଇନ୍ଦ୍ରଧ୍ୱଜ ସାଧ୍ୟେ ॥

କଣ୍ଟା ଲଟାଯୁକ୍ତ କୁଜା ବହୁ ଲତାବୃତ ।

ପକ୍ଷୀ ବାସଯୁକ୍ତ ବହୁ କୋଟର ବେଷ୍ଟିତ ॥

ବାୟୁ ଅଗ୍ନିଯୋଗେ ଉଗ୍ନ ବୃକ୍ଷମାନ ଛାଡ଼ି ।

ଅନ୍ୟବୃକ୍ଷ ସମ୍ପାଦିବ ବିଧିରେ ସଜାଡ଼ି ॥

ଯେ ବୃକ୍ଷ ନାରୀବାଚକ ଅତିଛୋଟ କୃଶ ।

ବୃକ୍ଷଛାଡ଼ି ଆମନ୍ତ୍ରିବ ବୃକ୍ଷାଳ ରସ ॥

ଅର୍ଜୁନ ବ୍ରାହ୍ମୀବୃକ୍ଷ ଯେ ପ୍ରିୟକ କୋଷବ ।

ଉଦୁମ୍ବର ଏହି ପାଞ୍ଚ ବୃକ୍ଷଧିଜ ଦ୍ରବ୍ୟ ॥

ଶାଳାଦି ପ୍ରସିଦ୍ଧ ଦେବଦାରୁ ବୃକ୍ଷଗଣ ।

ଇନ୍ଦ୍ରଧ୍ୱଜେ ଆମନ୍ତ୍ରିବ କରିଣ ପୂଜନ ॥

ଛେଦନର ପୂର୍ବରାତ୍ରି ବୃକ୍ଷକୁ ଧରିଣ ।

ଏହି ମନ୍ତ୍ରେ ପ୍ରାର୍ଥନା କରିବ ଛୁଇଁ ପୁଣ ॥

ବୃକ୍ଷେ ଯେତେ ପ୍ରାଣି ତାଙ୍କୁ କରେ ନମସ୍କାର ।

ଉପହାର ଘେନି ଆଜ୍ଞାଦିଅ ଶୁଭେ ମୋର ॥

ଇନ୍ଦ୍ରଧ୍ୱଜ ପାଇଁ ନେବି ବୃକ୍ଷକୁ ପୂଜିଣ ।

ରାଜା ବରୁଛନ୍ତି ସ୍ଵସ୍ତିକରଣ ଗୋତ୍ତମ ॥

ଇନ୍ଦ୍ରଧ୍ୱଜ ପାଇଁ ପୂଜା ଗ୍ରହଣ କରିଣ ।

ଏହି ପ୍ରାର୍ଥନା ବୋଲିବ ବୃକ୍ଷକୁ ଛୁଇଁଣ ॥

ପରଦିନ ବୃକ୍ଷଛେଦି ମୂଳ ଅଷ୍ଟାଙ୍ଗୁଳି ।

ଅଗ୍ରର ଚାରିଅଙ୍ଗୁଳିକୁ ଛେଦନ କରି ॥

ଜଳେ ପକାଇ ମଧ୍ୟକୁ ଆଣିବ ପୁରକୁ ।

ତହିଁ ନିର୍ମାଣି ଧ୍ୱଜାକୁ ଭାଦ୍ର ଅଷ୍ଟମୀରେ ।

ପୂଜା ବେଦୀକୁ ନେବ ବିବିଧ ଉପଚାରେ ॥

ବାଇଶ ହସ୍ତ ଅଧମ ବତିଶ ମଧ୍ୟମ ।

ବାବନହାତ ପ୍ରମାଣ ଧ୍ୱଜ ଯେ ଉତ୍ତମ ॥

କାଷ୍ଠେ ଇନ୍ଦ୍ରକୁମାରି ପାଞ୍ଚଟି ତିଆରିବ ।

ଧ୍ୱଜ ପାଦ ପ୍ରମାଣରେ ତାଙ୍କୁ ନିର୍ମାଣିବ ॥

ଏକାଦଶୀରେ ଧ୍ୱଜକୁ ଅଧିବାସ କରି ।

ଗନ୍ଧ ଦ୍ଵାରାଦି ମନ୍ତ୍ରରେ ପୂଜାବିଧି ସାରି ॥

ଦ୍ଵାଦଶୀରେ ବିସ୍ତୃତ ଇନ୍ଦ୍ରମଣ୍ଡଳ କରି ।

ପ୍ରଥମେ ବିଷ୍ଣୁଙ୍କୁ ତହୁଁ ଇନ୍ଦ୍ରପୂଜା କରି ॥

ଇନ୍ଦ୍ର ପ୍ରତିମା ଗୋଟିଏ ସ୍ଵର୍ଣ୍ଣାଦି ଧାତୁରେ ।

ଅଭାବେ ମାଟିରେ କରି ପୂଜିବ ମଣ୍ଡଳେ ॥

ତହୁଁ ଶୁଭଲଗ୍ନ ବେଳେ ରାଜା ନିଜ ହସ୍ତେ ।

ଇନ୍ଦ୍ରଧ୍ୱଜ ଉଠାଇବେ ପୁରୋହିତ ଯୁତେ ॥

ପ୍ରଥମେ ପୂଜିବେ ଧୂପଦୀପ ନୈବେଦ୍ୟରେ ।

ବିବିଧ ପିଷ୍ଟକ ଆଦି ନାନା ଉପହାରେ ॥

ପୂଜାସାରି ପ୍ରାର୍ଥନା କରିବ ଇନ୍ଦ୍ର ଦେବେ ।

କରଯୋଡ଼ି ଶିର ନୁଆଇବ ନମ୍ରଭାବେ ॥

ବଜ୍ରହସ୍ତ ଦୈତ୍ୟରିପୁ ବହୁ ନେତ୍ର ଧର ।

ସର୍ବଲୋକ ଶୁଭ ପାଇଁ ପୂଜା ଘେନାକର ॥

ସର୍ବସିଦ୍ଧି ପାଇଁ ଆସ ଦେବଙ୍କ ସହିତ ।

ଶ୍ରବଣା ଆଦ୍ୟ ପାଦରେ ହେଲ ସମୁଥିତ ॥

ମୋ ପୂଜା ଗ୍ରହଣ କରି ପ୍ରସନ୍ନତା ଲଭ ।

ପ୍ରାର୍ଥୁଅଛି ସନ୍ତତରେ ଅନୁଗ୍ରହ ଥିବ ॥

ଏପରି ପ୍ରାର୍ଥନା କରି ଘଟେ ଦିଗପାଳ ।

ଗ୍ରହାଦି ମାତୃଗଣ ସାଧ୍ୟାଦି ପୂଜାକର ॥

ତହୁଁ ବିଜ୍ଞବର୍ଦ୍ଧକୀ ସଙ୍ଗେ ଶୁଭ ମୁହୂର୍ତ୍ତେ ।

ଯଜ୍ଞବେଦୀ ପଶ୍ଚିମେ ଯିବ ନୃପ ତ୍ଵରିତେ ॥

ମଙ୍ଗଳମନ୍ତ୍ର ଉଚ୍ଚାରି ପୁରୋହିତ ଆଦି ।

ରାଜା ସଙ୍ଗତେ ଯିବେ ଧ୍ୱଜ ସ୍ଥାପନ ବେଦୀ ॥

ପଞ୍ଚକୁମାରୀଙ୍କ ସଙ୍ଗେ ଧ୍ୱଜ ସଂଯୋଗିବେ ।

ପଞ୍ଚରଜ୍ଜୁରେ ବାନ୍ଧିଣ ଏକତ୍ର କରିବେ ॥

ବହୁବିଧ ବସ୍ତ୍ର ଅଳଙ୍କାରେ ଯୁକ୍ତ କରି ।

ଶକ୍ରଧ୍ୱଜ ଉଠାଇବେ ନୃପ ବିଧି କରି

କିଙ୍କିଣୀ ଚାମର ଘଣ୍ଟା ବାନ୍ଧି ସେ ଧ୍ୱଜରେ ।

ସୁବେଶ କରିଣ ମୁକୁଟ ପୁଷ୍ପ ମାଳରେ ॥

ଚିତ୍ରହସ୍ତ ତୋରଣା ଚାରିଟି ଚାରିପାଖେ ।

ଉଡ଼ାଇ ଟେକିବ ଧ୍ୱଜ ବଜାଇଣ ଶଙ୍ଖେ ॥

ଇନ୍ଦ୍ର ପ୍ରତିମା ଥୋଇବ ସେ ଧ୍ୱଜ ମୂଳରେ ।

ପୂର୍ବପରି ପୂଜି ଇନ୍ଦ୍ର ଶଚୀ ମାତଳିରେ ॥

ଜୟନ୍ତବଜ ଐରାବତ ଯେ ଉଚୈଶ୍ରବା ।

ଗ୍ରହ ଦିଗପାଳଗଣ ଦେବପୂଜା ଦେବା ॥

ବଳି ପାୟସ ପିଷ୍ଟକେ ତାହାଙ୍କୁ ପୂଜିଣ ।

ତହୁଁ ହୋମ କରି ପୂଜିବ ଦେବ ବ୍ରାହ୍ମଣ ॥

ଆହୁତି ଦେଇଣ ବଳିଦେବ ପୁରନ୍ଦରେ ।

ତିଳ ଘୃତ ଅକ୍ଷତ ପୁଷ୍ପ ଦୁର୍ବାଦଳରେ ॥

ହୋମଶେଷେ ବ୍ରାହ୍ମଣଙ୍କୁ ଭୋଜନ ଦେଇଣ ।

ଏଭାବେ ପୂଜିବ ରାଜା ରାତ୍ରେ ସାତଦିନ ॥

କ୍ରାତାରାଂ ମନ୍ତ୍ର ଇନ୍ଦ୍ରଙ୍କ ପ୍ରିୟହେତୁ ତହିଁ ।

ପୂଜା ହୋମ ବଳିଦାନେ ସେମନ୍ତ୍ର ବୋଲାଇ ॥

ଶ୍ରବଣ ଦ୍ଵାଦଶୀ ଦିବାଭାଗେ ଧ୍ୱଜ ଉଠେ ।

ଦ୍ଵିଜା ଶେଷପାଦେ ରାତ୍ରି ସାତଦିନ ଅନ୍ତେ ॥

ଇନ୍ଦ୍ରଦେବ ବିସର୍ଜନ କରିବ ବିଧିରେ ।

ବିସର୍ଜନ ନଦେଖିବ ରାଜା ସ୍ଵଚକ୍ଷୁରେ ॥

ଦର୍ଶନେ ମରଣ ହୁଏ ତେଣୁ ଅର୍ଦ୍ଧରାତ୍ରେ ।

ବସାଇବ ପୁରୋହିତ ଏକାନ୍ତେ ଗୁପ୍ତରେ ॥

ସମସ୍ତଙ୍କ ଶୟନାନ୍ତେ ଇନ୍ଦ୍ର ବିସର୍ଜନ ।

ଏହିମନ୍ତ୍ର ପଢ଼ି କରିବ ଇନ୍ଦ୍ର ସ୍ଵସ୍ଥାନ ॥

ସୁରାସୁର ସଙ୍ଗେ ଶତ କ୍ରତୁ ପୁରନ୍ଦର ।

ଉପହାର ଘେନ ଧ୍ୱଜ ଯାଅ ନିଜ ଘର ॥

ଅଶୌଚ ମଙ୍ଗଳ ଶନିବାର ଭୂମିକମ୍ପେ ।

ବିସର୍ଜନ ନକରିବ ବାସବଙ୍କୁ କେବେ ॥

ଉତ୍ପାତ ଉପପ୍ଳବ ଦର୍ଶନେ ସାତଦିନ ।

ଶନି ଭୌମବାର ବର୍ଜିକରି ବିସର୍ଜନ ॥

ଧ୍ୱଜରେ କାକାଦି ପକ୍ଷି ବସାଇ ନଦେବ ।

ବିସର୍ଜନ ପର୍ଯ୍ୟନ୍ତରେ ତାହା ଜଗିଥବ ॥

ଆସ୍ତେ ଆସ୍ତେ ଧ୍ୱଜକୁ ତଳକୁ ଖସାଇବ ।

ଯେକ୍ରମେ ଉଠାଇଥିବ ସେପରି ଆଣିବ ॥

ଅଳଙ୍କାର ସହ ନେଇ ସେ ଇନ୍ଦ୍ର ଧ୍ୱଜକୁ ।

ଅଗାଧ ଜଳେ କ୍ଷେପିବ ପଢ଼ି ଏ ମନ୍ତ୍ରକୁ ॥

ବର୍ଷେ ପର୍ଯ୍ୟନ୍ତ ଜଳରେ ବାସକର ତୁମ୍ଭେ ।

ଲୋକଙ୍କ ହିତାର୍ଥେ ସର୍ବବିଘ୍ନ ନାଶ ଦମ୍ଭେ ॥

ଉତ୍ଥାପନବେଳେ ସର୍ବେ ଦେଖିବେ ଆନନ୍ଦେ ।

ବିସର୍ଜନ ନଦେଖିବେ ଯେଣୁପାନ୍ତି ମନ୍ଦେ ॥

ଏଭାବେ ଯେ ରାଜା ପ୍ରତିବର୍ଷ ରନ୍ଦ୍ର ପୂଜେ ।

ରାଜ୍ୟବୃଦ୍ଧି ଶତୃନାଶ ସୁଖୀକରେ ପ୍ରଜେ ॥

ତା ରାଜ୍ୟରେ ଆଧିବ୍ୟାଧି ଦୁର୍ଭିକ୍ଷ ନହୁଏ ।

ଅକାଳ ମୃତ୍ୟୁ ନଘଟେ ଜନଙ୍କୁ ସ୍ଵଦେହେ ॥

ଏ ପୂଜାରେ ଇନ୍ଦ୍ରଦେବ ବହୁତ ସନ୍ତୋଷ ।

ଶ୍ରୀହରି ଆଦି ଦେବେ ଯେ ହୁଅନ୍ତି ସୁତୋଷ ॥

ସର୍ବ ପାପନାଶି ବ୍ୟାଧି ଦୁର୍ଭିକ୍ଷ ନାଶଇ ।

ଅନ୍ତେ ଇନ୍ଦ୍ରପୁରେ ବାସ ବହୁଭୋଗ ପାଇ ॥

ଏଣୁ ବାର୍ଷିକ କର୍ତ୍ତବ୍ୟ ରାଜାମାନଙ୍କର ।

କାଳିକାପୁରାଣ ରଚେ ବିପ୍ର ପ୍ରଭାକର ॥

 

ଇତି ଶ୍ରୀ କଳିକାପୁରାଣେ

ନବତିତମୋଽଧ୍ୟାୟଃ ।

✽✽✽

 

॥ ୯୧ ॥

 

ଔର୍ବ ଉବାଚ

ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ବିଷ୍ଣୁ ଯାଗ ଶୁଣ ।

ରାଜ ଯେପରି କରିବେ ବିଷ୍ଣୁଯାଗ ପୁଣ ॥

ପ୍ରତିବର୍ଷ କରି ସ୍ଵର୍ଣ୍ଣପ୍ରତିମା ଅଥବା ।

ଅନ୍ୟ ଧାତୁରେ ବା ଶିଳା ଦାରୁଯୋଗେ ଅବା ॥

ଶ୍ରୀହରି ପ୍ରତିମା କରି ପ୍ରତିଷ୍ଠା କରିବ ।

ଦେବାଳୟେ ପ୍ରତିମାକୁ ସୁଯତ୍ନେ ସ୍ଥାପିବ ॥

ବାସୁଦେବ ବୀଜେ ପୂର୍ବୋକ୍ତ ବିଧି କ୍ରମରେ ।

ବିବିଧ ଉପଚାରରେ ମନର ଭକ୍ତିରେ ॥

ବାସୁଦେବ ପୂଜା କରି ହୋମ କରାଇବ ।

ସହସ୍ରେ ଆହୁତି ବିଷ୍ଣୁମନ୍ତ୍ରେ ସମର୍ପିବ ॥

ହୋମ ଶେଷକରି ନୃପ ଆଜ୍ଞାମତେ ଆଣି ।

ହରି ପ୍ରତିମାକୁ ମଣ୍ଡଳରେ ରଖି ପୁଣି ॥

ଦକ୍ଷିଣ ହସ୍ତେ ପ୍ରତିମା କପୋଳ ଦୁହିଙ୍କୁ ।

ଛୁଇଁ ପ୍ରାଣପ୍ରତିଷ୍ଠା କରିବ ସେ ମୂର୍ତ୍ତିଙ୍କୁ ॥

ପ୍ରାଣ ପ୍ରତିଷ୍ଠାରେ ପ୍ରାଣ ସ୍ଥିତ ହୋଇଥାଏ ।

ତେଣୁ ଦେବତ୍ଵ ଲଭନ୍ତି କାଷ୍ଠ ଶିଳାମୟେ ॥

ବାସୁଦେବ ବୀଜ ତଂ ବିଷ୍ଣୋମନ୍ତ୍ର ପଢ଼ିଣ ।

ଶ୍ରୀହରି ପ୍ରତିମା ପ୍ରତିଷ୍ଠା କରିବ ଜାଣ ॥

ପ୍ରତିମା ହୃଦୟେ ଅଙ୍ଗୁଳ ଦେଇ ବୋଲିବ ।

ଏ ଭାବରେ ପ୍ରାଣ ପ୍ରତିଷ୍ଠାକୁ କରାଇବ ॥

ପ୍ରାଣ ଏଠି ପ୍ରବେଶ ପ୍ରାଣ ମୋଠାରୁ ଯାଉ ।

ପ୍ରତିମା ଦେବତ୍ୱ ଲଭି ପୂଜା ଭକ୍ତି ପାଉ ॥

ପ୍ରତିଷ୍ଠା ନକରି ପୂଜା ଆଦି ନ କରିବ ।

କଲେ ପୂଜକ ପ୍ରାଣରେ ସଂହାର ଲଭିବ ॥

ପ୍ରତିଷ୍ଠା ପୂର୍ବକ ପୂଜା ହୋମାଦି ସାରିଣ ।

ଦେବାଳୟେ ସ୍ଥାପିବ ସେହି ଦଶମୀ ଦିନ ॥

ଏଭାବେ ବିଷ୍ଣୁ ଇଷ୍ଟିକୁ ଯେ ନୃପ କରଇ ।

ଅତୁଳ ଐଶ୍ୱର୍ଯ୍ୟ ଲଭି ବିଷ୍ଣୁପୁରେ ଯାଇ ॥

ଶ୍ରୀପଞ୍ଚମୀରେ ଲକ୍ଷ୍ମୀଙ୍କୁ କୁନ୍ଦ କୁସୁମରେ ।

ଐରାବତାରୋହି ଇନ୍ଦ୍ରଙ୍କୁ ପୂଜି ତହିଁରେ ॥

ଇନ୍ଦ୍ରକୃତ ଲକ୍ଷ୍ମୀସ୍ତୋତ୍ରମତେ ପୂଜା କରି ।

ପୂର୍ବେ ସମ୍ପତ୍ତି ଲଭିଲେ ଇନ୍ଦ୍ରଦେବ କରି ॥

ମଣ୍ଡଳାଦି କରି ଲକ୍ଷ୍ମୀ ଇନ୍ଦ୍ରଙ୍କୁ ପୂଜିଲେ ।

ରାଜା ସଦା ଲକ୍ଷ୍ମୀଯୁତ ହୁଅନ୍ତି ସଂସାରେ ॥

ସଦାଚାର ବିଧିମାନ ତୁମ୍ଭଙ୍କୁ କହିଲି ।

ଆଚାରେ ନିଷେଧ ଶୁଣ କହିବା ଯେ ଖୋଲି ॥

ବିଷ୍ଣୁ ଶିବ ଅଗ୍ନି ଇନ୍ଦ୍ରପୂଜା ନକରିଣ ।

ଦାନ ନଦେଇ ନଖାଇବ ଯେ ରାଜା ପୁଣ ॥

ପୁରୋହିତ ଦ୍ଵାରା ନିତ୍ୟ ହୋମ କରାଇବ ।

ବିନାହୋମେ ଭୁଞ୍ଜିଲେ ନରକଗାମୀ ହେବ ॥

ଅରକ୍ଷୀତ ଦୀପଶୂନ୍ୟ ଗୃହ ମଧ୍ୟେ ନୃପ ।

ନଶୋଇବ ନବସିବ କହିଲି ସ୍ଵରୂପ ॥

ଅନ୍ନଖାଇ ବିଲ୍ୱଫଳ ଅଏଁଳା ନଖାଇ ।

ବୁଦ୍ଧିହାନି କର ମାସ ଆସବ ନଖାଇ ॥

ନିମ୍ବ ଆମ୍ବ ଅଟରୁକ୍ଷ ବୁଦ୍ଧିକୁ ବଢ଼ାନ୍ତି ।

ବୁଦ୍ଧି ହାନିକର ଦ୍ରବ୍ୟ ନଭୁଞ୍ଜି ନୃପତି ॥

ଯାନ ଅଶ୍ଵ ହସ୍ତିରେ ଆସନ ପକାଇଣ ।

ବସିବ ନୃପତି ସଦା ଏ ଅଟେ ବିଧାନ ॥

ଏକାକୀ ନିର୍ଜନ ସ୍ଥାନେ ନଯିବ ଭୂମିପ ।

ମଦ ଉତ୍ପାଦକ ଦ୍ରବ୍ୟ କେବେ ନଭୁଞ୍ଜିବ ॥

ପ୍ରତି ଅଷ୍ଟମୀରେ ମାଂସ ମୈଥୁନ ବର୍ଜିବ ।

ଜୀବତ୍ପିତୃକ ନୃପତି ଏହା ନକରିବ ॥

ଦର୍ଶଶ୍ରାଦ୍ଧ ଗୟାଶ୍ରାଦ୍ଧ ତିଳରେ ତର୍ପଣ ।

କଲେ ଦୋଷୀହୁଏ ଏହା ଶାସ୍ତ୍ରର ଲିଖନ ॥

ଔରସ ପୁତ୍ରକୁ ରାଜ୍ୟେ ଅଭିଷେକ କରି ।

କ୍ଷେତ୍ରଜାତି ପୁତ୍ରଙ୍କୁ ତହିଁ ବର୍ଜନ କରି ॥

ଔରସ ଅଭାବେ ଅନ୍ୟପୁତ୍ର କରିପାର ।

ପାଞ୍ଚବର୍ଷଠାରୁ ଆଣି କରିବ ସଂସ୍କାର ॥

ନିଜଗୋତ୍ରେ ସଂସ୍କାରାଦି କରି ବିଧିମତେ ।

ପୁତ୍ରକରି ରାଜା କରାଇବ ଦେଶ ହିତେ ॥

ପିତୃ ଉଦ୍ଦେଶ୍ୟରେ ଏକୋଦ୍ଦିଷ୍ଟକୁ କରିବ ।

ପାର୍ବଣାଦି ଶ୍ରାଦ୍ଧ ପିତୃଯୁକ୍ତ ନକରିବ ॥

ମୂଲ୍ୟକ୍ରୀତ ରମଣୀଙ୍କୁ ଦାସୀତ୍ଵେ ରଖିବ ।

ତାଙ୍କଠାରୁ ଜାତ ପୁତ୍ର ଦାସ ଯେ ହୋଇବ ॥

ରାଜ୍ୟ ଅଧିକାରୀ ହୋଇ ନପାରିବ ସେହି ।

ବିପ୍ର ଦାସୀପୁତ୍ର ଶ୍ରାଦ୍ଧ କରି ନପାରଇ ॥

ସର୍ବପୁତ୍ର ମଧ୍ୟେ ଦାସୀପୁତ୍ର ଯେ ଅଧମ ।

ତେଣୁ ଦୈବ ପିତୃକର୍ମେ ବର୍ଜି ସେ ନନ୍ଦନ ॥

ପୁରାଣ ଧର୍ମଶାସ୍ତ୍ର ସଂହିତା ଗ୍ରନ୍ଥମାନ ।

ଶୂଦ୍ର ନପଢ଼ିବେ କେବେ ଏ ଶାସ୍ତ୍ର ବଚନ ॥

ଯେ ରାଜ୍ୟେ ଶୁଦ୍ରେ ପଢ଼ନ୍ତି ସଂହିତା ପୁରାଣ ।

ସେ ଦେଶେ ରାଜା ରାଜ୍ୟ ସହିତ ନଷ୍ଟ ଜାଣ ॥

ଅଜ୍ଞାନରୁ ବା କାମରୁ ଶୁଦ୍ର ପୁରାଣାଦୀ ।

ପଢ଼ି ପିତୃଗଣ ସହ ନରକେ ପଡ଼ନ୍ତି ॥

ଶୂଦ୍ରର ବିହିତ ଯେଉଁ ମନ୍ତ୍ର ଜାଣିବାରେ ।

ବ୍ରାହ୍ମଣ ଆଦେଶ ତାହା ପଢ଼ିବେ ବିଧିରେ ॥

ରାଜ୍ୟ ବ୍ୟବହାର କାର୍ଯ୍ୟେ ଶୁଦ୍ର ନରଖିବ ।

ରଖିଲେ ଅଳ୍ପାୟୁ ହୋଇ ଲୋକଙ୍କୁ ନାଶିବ ॥

କଣା ଛୋଟା ଅପୁତ୍ରି ମୁର୍ଖ ଅଜିତେନ୍ଦ୍ରିୟ ।

ରାଜପୁରୋଧା ନୋହିବ ରୋଗୀ ହ୍ରସ୍ୱାକାୟ ॥

କୃପଣ ଧନକୁ ରାଜା ଗ୍ରହଣ ନକରି ।

ସେ ଧନକୁ ବିପ୍ରେ ଦାନ ନଦେବ ବିଚାରି ॥

କାମି ବନ୍ମତ୍ତ ହସ୍ତିରେ ନ ଚଢ଼ିବ ନୃପ ।

ଆୟୁ ହାନିକର କାର୍ଯ୍ୟ ନକରିବ ଭୂପ ॥

ଆୟୁ ବଢ଼ାଇବ ବହୁ ଧନ ବ୍ୟୟ କରି ।

କ୍ରୂରବାର ଅଷ୍ଟମୀ ଷଷ୍ଠୀ ତିଥିକୁ ଧରି ॥

ଅଞ୍ଜନ ବିଲେପନ ଯେ ତାମ୍ୱୁଳ ଭୋଜନ ।

ନକରିବ ରାଜା ଇଚ୍ଛି ନିଜର କଲ୍ୟାଣ ॥

ଚନ୍ଦ୍ରସୂର୍ଯ୍ୟ ଗ୍ରହଣକୁ ରକ୍ତବର୍ଣ୍ଣ ରବି ।

ନଦେଖିବ ରାଜା ଦିବ୍ୟ ଭୌମୋତ୍ପାତ ଛବି ॥

ଦେଖିଲେ ତିନିଦିନ ନଖାଇବ ଅନ୍ନାଦି ।

ଶୁଭରତ୍ନ ଦୁର୍ବାସହ ଘେନିବ ସମ୍ପାଦି ॥

ବସ୍ତ୍ରାବୃତ ନୋହି ବିପ୍ରେ ଦର୍ଶନ ନଦେବ ।

ଜଳେ ମୁଖ ନଦେଖିବ ପର୍ବଦିନରେ ସର୍ବ ॥

ମାଂସ ଭକ୍ଷଣ ନକରିବ କେବେ ନୃପତି ।

ଗଧ ଓଟ ନଚଢ଼ିବ ଇଛିଣ ସମ୍ପତ୍ତି ॥

ଗୁର୍ବିଣୀ ନାରୀସଙ୍ଗମ ନକରିବ କେବେ ।

ଏ ନିୟମ ପାଳିଲେ ରାଜ୍ୟ ବଢ଼ଇ ତେବେ ॥

ଚତୁରଙ୍ଗ ସୈନ୍ୟ ବୃଦ୍ଧି ହୁଅର ରାଜାର ।

ବୀର୍ଯ୍ୟବୃଦ୍ଧି କରିବ ଆତ୍ମାର ରକ୍ଷାକର ॥

ବୀର୍ଯ୍ୟହାନୀକର ଭକ୍ଷ୍ୟ ଭୋଜ୍ୟପାନ ଦ୍ରବ୍ୟ ।

ବର୍ଜିବ ରାଜା ଶାକାଦି ଅମ୍ଳତିକ୍ତ ସର୍ବ ॥

କଂସା ରୂପା ପାତ୍ରସ୍ଥ ଜଳକୁ ନପିଇବ ।

ନଦୀବୃଦ୍ଧି ଜଳ ମଧ୍ୟ ପାନ ନକରିବ ॥

ଏସବୁ ବୀର୍ଯ୍ୟ କମାନ୍ତି ମୂତ୍ରକୁ ବଢ଼ାନ୍ତି ।

ତେଣୁ ଏ ସବୁ ବର୍ଜିତ ସଦା ନରପତି ॥

ତାମ୍ର ଲୌହ ସ୍ୱର୍ଣ୍ଣ ସୀସା ଫଳ ଚର୍ମ ପାତ୍ରେ ।

ସ୍ଥିତ ଜଳ ପାନ କଲେ ବୀର୍ଯ୍ୟବଢ଼େ ଗାତ୍ରେ ॥

ସକଳ କାର୍ଯ୍ୟରୁ ମୂଳ ଏହି ସଦାଚାର ।

ପାଳିଲେ ବିବିଧ ଦ୍ରବ୍ୟ ଭୋଗେ ନରବର ॥

ପରନ୍ତୁ ଇନ୍ଦ୍ରଲୋକରେ ରହଇ ନିଶ୍ଚଳେ ।

ସଦାଚାର ବିଧି ନିଷେଧ ଶୁଣିଲ ଭଲେ ॥

ମାର୍କଣ୍ତେୟ ଉବାଚ

ସଗର ରାଜାଙ୍କୁ ଔର୍ବ ସର୍ବ ଶୁଣାଇଲେ ।

ରାଜନୀତି ସଦାଚାର ବିଧି ଶିକ୍ଷା ଦେଲେ ॥

ସଂହିତା ପୁରାଣ ଆଗମରେ ଯେତେ ଉକ୍ତି ।

ସେସବୁ ଶୁଣି ସଗର ହେଲେ ଆନନ୍ଦିତ ॥

ଏସବୁ ବିଷୟ ମୁହିଁ ବିଷ୍ଣୁ ଧର୍ମୋତ୍ତରେ ।

ତୁମ୍ଭମାନଙ୍କୁ କହିଛି ସଂକ୍ଷେପ ଭାବରେ ॥

ଯାହା ଉକ୍ତି ନୋହିଛି ବା ସନ୍ଦେହ ଲାଗୁଛି ।

କାଳିକା ସ୍ମରଣେ ସବୁ ପୂର୍ଣ୍ଣହେଉ ଏଥି ॥

ସେ କାଳୀଦେବୀଙ୍କ ଚରଣେ ମୋହର ମନ ।

ଏହା ରହୁ ପ୍ରଭାକର ରଚେ ଏ ପୁରାଣ ॥

 

ଇତି ଶ୍ରୀ କାଳିକାପୁରାଣେ

ଏକନବତିତମୋଽଧ୍ୟାୟଃ ।

✽✽✽

 

॥ ୯୨ ॥

 

ଋଷୟ ଉବାଚ

ସଦାଚାର ସଂକ୍ଷେପ ରାଜନୀତି ବିସ୍ତର ।

ତୁମ୍ଭଠାରୁ ଶୁଣି ଲଭିଲୁ ସ୍ନେହ ଅପାର ॥

ଏବେ ସଂଶୟ ରହିଛି ଆମ୍ଭର ଯହିଁରେ ।

ତାହା ପଚାରିବୁ କହ ଆମ୍ଭଙ୍କୁ ଦୟାରେ ॥

ଅପୁତ୍ରର ଗତି ନାହିଁ ଦେବଲୋକେ ଜାଣି ।

ବେତାଳ ଭୈରବ ଗଲେ ତପ କରି ପୁଣି ॥

ବିବାହ ହୋଇ ସନ୍ତାନ ଜନ୍ମାଇଲେ କିନା ।

ତାହାକହି ଆମ୍ଭଙ୍କୁ ସନ୍ତୋଷ କରିବନା ॥

କାହିଁ ବାସକଲେ ସେହି ଭୈରବ ବେତାଳ ।

କହି ଆମ୍ଭଙ୍କୁ ସନ୍ତୋଷ କରାଅ ଚଞ୍ଚଳ ॥

ମାର୍କଣ୍ତେୟ ଉବାଚ

ଅପୁତ୍ରର ଗତି ନାହିଁ ଏ ଶାସ୍ତ୍ର ବଚନ ।

ସ୍ୱପୁତ୍ର ଭାଇ ପୁତ୍ରରେ ପୁତ୍ରୀ ହୋଇ ଜନ ॥

ସ୍ୱର୍ଗଗାମୀ ହୋଇଛନ୍ତି ଅନେକେ ମହୀରେ ।

ବେତାଳ ଭୈରବ ପୁତ୍ର ଜାତ କରିଥିଲେ ॥

ତାହାଙ୍କ ବଂଶ କହିବା ଶୁଣ ଋଷୀଗଣ ।

ବେତାଳ ଭୈରବ ସର୍ବ ସିଦ୍ଧିକୁ ଲଭିଣ ॥

ଶିବପୁର କୈଳାସରେ ପ୍ରବେଶିଲେ ଯାଇ ।

ଶିବଙ୍କ ଆଦେଶ ନନ୍ଦୀ ସେଦୁହିଙ୍କୁ କହି ॥

ତୁମ୍ଭେ ଦୁହେଁ ଦାର ଗ୍ରହଣ କରନ୍ତି ସନ୍ତାନ ।

ଜାତ କରାଅ ଭୋଗ ଅପୁତ୍ରୀର ନରକ ସ୍ଥାନ ॥

ପୁଂନାମ ନରକ ଭୋଗେ ଅପୁତ୍ରୀ ଯେଜନ ।

ତେଣୁ ପୁତ୍ର ଜନ୍ମାଅ ବିବାହ ହୋଇ ପୁଣ ॥

ତପସ୍ୟାଦି ଧର୍ମକର୍ମ ପୁଂନରକୁ ମୁକ୍ତି ।

କରି ନପାରେ କେବଳ ମୁକ୍ତି ହୁଏ ପୁତ୍ରୀ ॥

ତେଣୁ ଦେବଯୋନିରେ ପୁତ୍ର ଜନ୍ମାଅ ତୁମ୍ଭେ ।

ତୁମ୍ଭେ କ୍ଷୀରପାନେ ପୁତ୍ରେ ଦେବତ୍ୱ ଲଭିବେ ॥

କାତ୍ୟାୟନୀ ପୁତ୍ର ତୁମ୍ଭେ ଅମର ହୋଇଛ ।

ଶିବଙ୍କ ପ୍ରିୟତନୟ ପୁତ୍ର ଜନ୍ମୀ ସ୍ୱଚ୍ଛ ॥

ନନ୍ଦିବାକ୍ୟେ ବେତାଳ ଭୈରବ ମତଦେଲେ ।

ପୁତ୍ର ଉତ୍ପାଦନେ ଯତ୍ନ ସର୍ବଦା ସେ କଲେ ॥

ଦିନେ ଭୈରବ ହିମାଦ୍ରି ସାନୁରେ ଦେଖିଲେ ।

ଉର୍ବଶୀ ଅପ୍‌ସରା ସୁବେଶରେ ବୁଲୁଥିଲେ ॥

ତାଙ୍କୁ ଭୈରବ କହିଲେ ସୁରତ କ୍ରୀଡ଼ାର୍ଥେ ।

ଉର୍ବଶୀ ସ୍ଵୀକାର କଲେ ସେ ବେଶ୍ୟ ଯୁଗତେ ॥

ଭୈରବ ସଙ୍ଗମ କଲେ ଉର୍ବଶୀ ସହିତ ।

ତକ୍ଷଣେ ପ୍ରସବ ହେଲା ଏକଗୋଟି ସୁତ ॥

ତାକୁ ଛାଡ଼ି ଉର୍ବଶୀ ଗମିଲେ ସ୍ଵର୍ଗପୁର ।

ଭୈରବ ପୁତ୍ରଙ୍କୁ ନେଇ କଲେ ସୁସଂସ୍କାର ॥

ନାମଦେଲେ ସୁରେଶ ସେ ବଳେ ବଳୀୟାର ।

ସୂଯ୍ୟସମ ତେଜସ୍ଵୀ ଦେଖିଣ ପୁରନ୍ଦର ॥

ସୁରେଶଙ୍କୁ ବିଦ୍ୟାଧର ଅଧିପତି କଲେ ।

ଗନ୍ଧର୍ବ ରାଜା ଧୃତରାଷ୍ଟ୍ରଙ୍କ କନ୍ୟା ଭଲେ ॥

ବିବାହ କରି ରୁରୁ ନାମରେ ଏକ ପୁତ୍ର ।

ପାଇଲେ ଭୈରବ ପୌତ୍ର ପୁଣି ତାଙ୍କ ସୁତ ॥

ବହୁ ବଳବାନ ହେଲେ ତାଙ୍କ ଚାରିସୁତ ।

ତପନ ଅଙ୍ଗଦ ଈଶ୍ୱର କୁମୁଦ ସେତ ॥

କୁମୁଦ ସୁତ ହେ ଦେବସେନ ହୋଇଥିଲେ ।

ସେ ମାଂଧାତା ରାଜା କନ୍ୟା କେଶିନୀଙ୍କ ବଳେ ॥

ବିବାହ କରି ସେ ଦୁହେଁ ବାରାଣସୀ ଯାଇ ।

ଶ୍ରୀ ବିଶ୍ଵନାଥ ଦେବଙ୍କୁ ଆରାଧିଲେ ତହିଁ ॥

ଶିବଙ୍କୁ ପ୍ରୀତ କରିଣ ଇସ୍‌ପିତ ଲଭିଲେ ।

ତାଙ୍କ ପୁତ୍ର କାଶୀପରେ ନୃପତି ହୋଇଲେ ॥

ଦେବସେନ ପୁତ୍ର ସୁମନାଯେ ରାଜାହେଲେ ।

ପିତା ମାତା ପୂର୍ବପରି ସ୍ଵର୍ଗରେ ରହିଲେ ॥

ସୁମନାର ତିନିସୁତ ସୁମତି ବିରୂପ ।

ସତ୍ୟହୋଇ ଜାତହେଲେ ଅତି ଚାରୁ ରୂପ ॥

ବିରୂପର ସୂତ ରାଧି ତାଙ୍କ ପୁତ୍ର ମିତ୍ର ।

ତାଙ୍କ ସୁତ କଳ୍ପ ତାଙ୍କର ବିଜୟ ସୁତ ॥

ସେ ବିଜୟ ପୃଥିବୀରେ ବହୁ ରାଜଗଣ ।

ଯୁଦ୍ଧେ ଜୟକରି ହେଲେ ମହା ବଳବାନ ॥

ଇନ୍ଦ୍ର ଆଦେଶେ ଶତଯୋଜନ ଭୂମିପରେ ।

ଖାଣ୍ଡବବନ ନିର୍ମାଣ କଲେ ସେ ପୃଥ୍ଵୀରେ ॥

ସେ ବନକୁ ପାଣ୍ତୁସୁତ ଅର୍ଜ୍ଜୁନ ଦହିଣ ।

ଅଗ୍ନିକୁ ସନ୍ତୋଷ କଲେ ଆହାର ଦେଇଣ ॥

ଋଷୟ ଉବାଚ

ସେ ବିଜୟ କିପରି ଖାଣ୍ଡବବନ କଲେ ।

ଆମ୍ଭଆଗେ କହି ସନ୍ଦେହ ବିନାଶ ଭଲେ ॥

ମାର୍କଣ୍ଡେୟ ଉବାଚ

ସୋମବଂଶେ ସୁଦର୍ଶ ନାମେ ରାଜା ଥଲେ ।

ହିମଗିରି ନିକଟେ ସେ ବନକୁ ଭାଙ୍ଗିଲେ ॥

ତ୍ରିଶଯୋଜନ ପରିଷ୍କାର କରି ଲତାବୃକ୍ଷ ।

ପୁର ଅଟାଳି ପ୍ରାସାଦ ନିର୍ମାଣିଲେ ସର୍ବ ॥

ଜନବସତି ବସାଇ କଲେ ରାମ୍ୟପୁର ।

ତାହା ସହି ନପାରିଲେ ଦେବ ପୁରନ୍ଦର ॥

ବିଜୟ ରାଜାକୁ ମିତ୍ରକରି ତାଙ୍କ ଦ୍ଵାରା ।

ଯୁଦ୍ଧେ ହାଟ ସୁଦର୍ଶନ ମୃତ୍ୟୁକୁ ଲଭିଲା ॥

ତହୁଁ ସେ ବିଜୟ ରାଜା ଖାଣ୍ଡବ ପୁରୀକୁ ।

ଆମନ୍ତ୍ରଣ କରି ରହେ ରାଜା ହୋଇ ତାକୁ ॥

ତା ମଧ୍ୟେ ପର୍ବତାକାର ସ୍ଵର୍ଣ ରତ୍ନମାନ ।

ଭ୍ରମର ସହ ପୁଷ୍‍ପିତ ଦେବ ବୃକ୍ଷଗଣ ॥

ବିପୁଳ ବହୁ ପ୍ରାସାଦ ଶୈଳୋପମ ଗଜ ।

ସୁଗନ୍ଧ ପୂରିତ ବହୁବିଧ ଗୃହ ସଜ ॥

ପାଇ ସେ ବିଜୟ ରାଜା ଆନନ୍ଦ ହୋଇଲେ ।

ଅମରାବତୀ ସମାନ ପୁରୀରେ ରହିଲେ ॥

ତାହାଦେଖି ଇନ୍ଦ୍ର ବିଜୟକୁ ସ୍ନେହକରି ।

ବହୁ ସାନ୍ଵନା ବଚନେ ତାଙ୍କୁ ପ୍ରୀତ କରି ॥

କହିଲେ ବିଜୟ ଶୁଣ ଏସ୍ଥାନ ଅରୁଣ୍ୟ ।

ବହୁ ସିଂହ ବ୍ୟାଘ୍ର ଥିଲେ ପୁଣି ତପୋଧନ ॥

ସେମାନଙ୍କୁ ନିବାସି ସୁଦର୍ଶନ ନୃପତି ।

ବିଚିତ୍ରପୁର ରଚିଲା ରଖି ଘୋଡ଼ା ହାତୀ ॥

ତେଣୁ ମୋ ଅପ୍ରିୟ ହୋଇ ତୁମ୍ଭହସ୍ତେ ମଲା ।

ପୂର୍ବପରି ଏ ସ୍ଥାନକୁ ବନ କର ଭଲା ॥

ମୁଁ ଏଥିରେ ବିହରିବି ତକ୍ଷକ ସହିତ ।

ମୋର ଏ ବିହାରସ୍ଥାନ ହୋଇବ ସନ୍ତତ ॥

ଇନ୍ଦ୍ରବାକ୍ୟେ ସେ ବିଜୟ ଧନାଦି ନେଇଣ ।

ପୂର୍ବପରି ସେ ପୁରକୁ କଲେ ମହାରଣ୍ୟ ॥

ଦେବ ଗକ୍ଷର୍ବଙ୍କ ଦ୍ରବ୍ୟ ଯାହାଥିଲା ତହିଁ ।

ସେମାନେ ତା ନେଲେ ବିଜୟ ଆନନ୍ଦେ ଦେଇ ॥

ପ୍ରଜାଗଣଙ୍କୁ ସଙ୍ଗରେ ନେଲେ କାଶୀପୁର ।

ପୂର୍ବପରି ବନହେଲା ସେ ଖାଣ୍ଡବ ପୁର ॥

ତିରିଶ ଯୋଜନ ଦୀର୍ଘ ପ୍ରସ୍ଥେ ଶତଯୁଣ ।

ଇନ୍ଦ୍ରାଦେଶେ ତକ୍ଷକ ରହେ ଘେନି ସ୍ଵଗଣ ॥

ତକ୍ଷକ ଭୟରେ ଅନ୍ୟ ପ୍ରାଣି ନରହିଲେ ।

ନିର୍ଜନ ଅରଣ୍ୟ ହେଲା ସେ ନଗର ଗଲେ ॥

ତହିଁ ଗନ୍ଧର୍ବ ଅପ୍‌ସରା ଆନନ୍ଦେ କ୍ରୀଡ଼ିଲେ ।

ବିଜୟ ରାଜାର ପ୍ରଶଂସାକୁ ଗାନ କଲେ ॥

ଅଷ୍ଟାବିଶଂତି ଯୁଗର ଦ୍ୱାପର ଶେଷରେ ।

ଅଗ୍ନି ବିପ୍ରରୂପେ ଶ୍ରୀହରିଙ୍କୁ ପ୍ରାର୍ଥୀ ହେଲେ ॥

ଈକ୍ଷା ଦେବାକୁ ସ୍ଵୀକୃତି ହୁଅନ୍ତେ ଶ୍ରୀହରି ।

ନିଜରୂପେ ଅଗ୍ନି ମାଗିଲେ ଖାଣ୍ଡବ ପୁରୀ ॥

କହିଲେ ମରୁତ ଯଞ୍ଚେ ବହୁଘୃତ ଖାଇ ।

ରୋଗଗ୍ରସ୍ତ ହୋଇ ଏବେ ପ୍ରାର୍ଥନା କରଇ ॥

ମୃଗପକ୍ଷୀ ସହିତରେ ଏ ଖାଣ୍ଡବ ବନ ।

ଯଦି ମୋତେ ଭକ୍ଷିବାକୁ ଦେବ ଜନାର୍ଦ୍ଦନ ॥

ତେବେ ମୋରୋଗ ଆରୋଗ୍ୟ ହେବ ଜାଣିକରି ।

ପ୍ରାର୍ଥନା କରେ ବନକୁ ଦାହ କରି ହରି ॥

ମୋ ନିମିତ୍ତ ଏହିବନ ନିର୍ମିତ ହୋଇଛି ।

ଇନ୍ଦ୍ରଭୟେ ମୁଁ ତାହାକୁ ଭକ୍ଷି ନପାରୁଛି ॥

ତେଣୁ ତୁମ୍ଭେ ଅନୁଗ୍ରହେ ଅଜ୍ଜୁନଙ୍କ ସଙ୍ଗେ ।

ଏ ବନକୁ ଦାହକରି ଭକ୍ଷିବି ମୁଁ ସଙ୍ଗେ ॥

ତହୁଁ ଶ୍ରୀହରି ସଙ୍ଗରେ ଅର୍ଜ୍ଜୁନକୁ ନେଇ ।

ଖାଣ୍ଡବବନ ଦହିଲେ ଅଗ୍ନିତୃପ୍ତି ପାଇଁ ॥

ଅଗ୍ନି ଖାଣ୍ଡବ ଭକ୍ଷିଣ ରୋଗମୁକ୍ତ ହେଲେ ।

ପ୍ରସନ୍ନେ ଅର୍ଜ୍ଜୁନଙ୍କୁ ସେ ଗାଣ୍ଡିବକୁ ଦେଲେ ॥

ଅକ୍ଷୟ ବାଣରେ ପୂର୍ଣ୍ଣ ତୂଣୀର ଯୋଡ଼ିଏ ।

ଶ୍ଵେତ ଚାରି ଅଶ୍ଵ ଦେଲେ ଅର୍ଜ୍ଜୁନଙ୍କ ଜୟେ ॥

ସେ ଧନୁବାଣ ଅଶ୍ଵରେ ଅର୍ଜ୍ଜୁନ ସମରେ ।

ଶତୃଙ୍କୁ ସଂହାରି ଜୟ ଲଭିଲେ ସୁଖରେ ॥

ଭୈରବଙ୍କ ବଂଶେ ସେହି ବିଜୟ ନୃପତି ।

ଖାଣ୍ଡବବନ ରଚିଲେ ସେହି ମହାମତି ॥

ତାଙ୍କର ତେରଟି ପୁତ୍ର ତାଙ୍କ ନାମ ଶୁଣ ।

ଦ୍ୟୁତିମାନ ସୌମ୍ୟଦର୍ଶୀ ଭୁରି ଯେ ପ୍ରଦ୍ୟୁମ୍ନ ॥

କ୍ରତୁ ତୁଣ୍ଡ ବିରୂପାକ୍ଷ ବିକ୍ରାନ୍ତ ଯେପୁଣି ।

ଧନଞ୍ଜୟ ପ୍ରହର୍ଷ ପ୍ରବଳ କେତୁ ଜାଣି ॥

କନିଷ୍ଠ ଯେ ପରିଚର ରାଜା ହୋଇଥିଲେ ।

ତ୍ରିପୁର ପୂରିଲ ଏମାନଙ୍କୁ ପୁତ୍ର ପୌତ୍ରେ ॥

ଏ ପରିଚର ଲକ୍ଷ ସଂଖ୍ୟାରେ ଯାଗକଲେ ।

ଲକ୍ଷଯଜ୍ଞ କେହି କେବେହେଁ କରି ନଥିଲେ ॥

ଭୈରବ ବଂଶ ଚରିତ କହିଲି ତୁମ୍ଭଙ୍କୁ ।

ଯାହାଶୁଣି ଜନେ ଅପୁତ୍ରି ନୁହେଁ କାଳକୁ ॥

ଏ ବିଜୟେ ଚରିତକୁ ଯେମାନେ ଶୁଣନ୍ତି ।

ଯୁଦ୍ଧେ ଜୟ ଲଭି ମହାସୁଖେ ସେ ରହନ୍ତି ॥

ଏକମନେ ଯେହୁ ଶୁଣେ ଏମହା ଚରିତ ।

ତା ବଂଶ ବିଚ୍ଛେଦ ନୁହେଁ କୌଣସି କାଳେ ତ ॥

ଶିବଗୌରୀ ପଦେ ନମି ବିପ୍ର ପ୍ରଭାକର ।

କାଳିକାପୁରାଣ ଗ୍ରନ୍ଥ ରଚିଲେ ପୟର ॥

 

ଇତି ଶ୍ରୀ କାଳିକାପୁରାଣେ

ଦ୍ୱିନବତିତମୋଽଧ୍ୟାୟଃ ।

✽✽✽

 

॥ ୯୩ ॥

 

ମାର୍କଣ୍ଡେୟ ଉବାଚ

ବେତାଳଙ୍କ ବଂଶକଥା ଶୁଣହେ କହିବା ।

ଶୁଣି ପାପମୁକ୍ତ ହେବେ ଜନେ ଶୁଣାଇବା ॥

ଦକ୍ଷକନ୍ୟା ସୁରଭି ଯେଗୋମାତା ସୁନ୍ଦରୀ ।

ତାଙ୍କ ପୁତ୍ର କଶ୍ୟପ ତନୟା କୃଶୋଦରୀ ॥

ରୋହିଣୀ ସେ ନରଙ୍କର କାମଦୁର୍ଗାଦେବୀ ।

ସକଳ ଐଶ୍ଵର୍ଯ୍ୟଲାଭ ହୁଏ ତାଙ୍କୁ ସେବି ॥

ଶୁନଃସେଫ ମୁନିବୀର୍ଯ୍ୟେ ରୋହିଣୀ ଗର୍ଭରେ ।

କାମଧେନୁ ଜନ୍ମିଲେ ସେ ସର୍ବ ଲକ୍ଷଣରେ ॥

ଶୁକ୍ଳ ମେଘବର୍ଣ୍ଣା ଚତୁର୍ବେଦ ଚତୁଷ୍ପଦା ।

ଚତୁଃସ୍ତନେ ଚତୁବର୍ଗ ପ୍ରଦାନନ୍ତି ସଦା ॥

ଯଥାକାଳେ ଯୁବତି କାମଧେନୁ ହୋଇଲେ ।

ମେରୁପୃଷ୍ଠେ ବୁଲୁଥିବା ବେତାଳ ଦେଖିଲେ ॥

କାମେ ଅଧୀର ହୋଇ ସେ କାମଧେନୁ ସଙ୍ଗେ ।

କାମକ୍ରୀଡ଼ା କରି ପୁତ୍ର ଜନ୍ମାଇଲେ ରଙ୍ଗେ ॥

ବୃଷଭ ଗୋଟିଏ ହେଲା ବେତାଳଙ୍କ ସୁତ ।

ଚାରୁଶୃଙ୍ଗ ବିଶାଳ କକୁଦ ହୋଇ ଯୁକ୍ତ ॥

ଲମ୍ବକର୍ଣ୍ଣ ଚଞ୍ଚଳା ହେଲା ଏ ମନୋହର ।

ଦୀର୍ଘ ଲାଙ୍ଗୁଳରେ ପୁଣି ଅତ୍ୟନ୍ତ ସୁନ୍ଦର ॥

ତା ନାମ ଶୃଙ୍ଗ ହୋଇଲା ସେହି ମହାଜ୍ଞାନୀ ।

ଈଶ୍ଵରଙ୍କ ଆରାଧନା କଲା ସେହୁ ଜାଣି ॥

ତା ଭକ୍ତିରେ ତୋଷ ଲଭି ଦେବ ଶୂଳପାଣି ।

ଇସ୍‌ପିତ ବର ଦେଇ ବାହନ କଲେ ଜାଣି ॥

ଦୀର୍ଘାୟୁ ସେ ମହାବଳୀ ଦେବତ୍ୱ ଲଭିଣ ।

ଈଶ୍ଵର ବାହନ ହୋଇ ପୃଥ୍ୱୀଧରି କ୍ଷମ ॥

ଶିବ ଧ୍ୟାନରତ ବେଳେ ସେ ଶୃଙ୍ଗ ଯାଇଣ ।

ବରୁଣପୁରେ ସୁନ୍ଦରୀ ଗାବଙ୍କୁ ରମିଣ ॥

ଵହୁପୁତ୍ର ପୌତ୍ର ଦ୍ଵାରା ପୃଥିବୀ ପୁରାଇ ।

ବେତାଳ ବଂଶ କହିଲି ତୁମ୍ଭଙ୍କୁ ବୁଝାଇ ॥

ଏହା ଯେ ଜନ ଶୁଣନ୍ତି ତାଙ୍କର ସର୍ବଦା ।

ଗୋରୁ ଧନ ଧାନ୍ୟ ବୃଦ୍ଧି ହୋଇଥାଏ ସଦା ॥

ବେତାଳ ଭୈରବ ବଂଶ ଶୁଣିଲ ସକଳେ ।

ତୋଷଲଭି ସଂଶୟକୁ ଛେଦ ମୋ ବାକ୍ୟରେ ॥

ଯେପରି କାଳିକାଦେବୀ ଶିବଙ୍କୁ ମୋହିଲେ ।

ଅର୍ଦ୍ଧନାରୀଶ୍ଵର ରୂପ ଯେପରି ହୋଇଲେ ॥

କାଳିକାୟୈ ନମଃ ବୋଲି ଯେ ମୁଖେ ଭାଷଇ ।

ତା ହସ୍ତରେ ଚତୁବର୍ଗ ସ୍ଵେଚ୍ଛାରେ ମିଳଇ ॥

ଏ କାଳିକା ପୁରାଣ କହିଲି ତୁମ୍ଭ ଆଗେ ।

ମନ୍ତ୍ରଯନ୍ତ୍ରମୟ ପୁଣ୍ୟ ଜ୍ଞାନକାମ ଯୋଗେ ॥

ଏ ଅତିଗୋପନ ଲୋକେ ବେଦେ ଅଗୋଚର ।

ଦେହ ଗନ୍ଧର୍ବ ସିଦ୍ଧଙ୍କ ସ୍ପୃହାରେ ମଧୁର ॥

ମୋଠାରୁ ବଶିଷ୍ଠ ଋଷି ଏହାକୁ ଶୁଣିଲେ ।

ଯେ କାମ ରୂପରେ ସବୁତୀର୍ଥ ଗୁପ୍ତକଲେ ॥

ସେ ସର୍ବତୀର୍ଥ ଏଥିରେ ହୋଇଛି ବର୍ଣ୍ଣିତ ।

ଏହାକୁ ନଦେବ କେବେ ନାସ୍ତିକ ଯେ ଧୃତ ॥

ଭକ୍ତି ଶ୍ରଦ୍ଧାହୀନ ଚଞ୍ଚଳମତି ଯେ ନର ।

ତା ଆଗେ ନପ୍ରକାଶିବ ଏ ପୁରାଣ ସାର ॥

ଏ କାଳିକା ପୁରାଣକୁ ଥରେ ଯେ ପଢ଼ିବ ।

ସର୍ବକାମନା ଲଭି ସେ ମୋକ୍ଷଭାଗୀ ହେବ ॥

ଯା ଗୃହେ ଲିଖିତ ହୁଏ ଏ ପୁରାଣ ସାର ।

ତାର ସର୍ବବିଘ୍ନ ନାଶଯାଏ ଯେ ସତ୍ଵର ॥

ଯେ ପଢ଼େ ଗୁହ୍ୟତନ୍ତ୍ରକୁ ସର୍ବବେଦ ପାଠ ।

ଫଳକୁ ଲଭିଣ ସେ ଯାଏ ଅନ୍ତେ ବୈକୁଣ୍ଠ ॥

ସର୍ବତ୍ର ପ୍ରଧାନ ହୋଇ କୃତକୃତ୍ୟ ହୁଏ ।

ସୁଖୀ ବଳବାନ ହୋଇ ଦୀର୍ଘ ଆୟୁ ପାଏ ॥

ଯେଉଁ ପ୍ରଭୁ ସୃଷ୍ଟି ସ୍ଥିତି ଅନ୍ତ କରିଥାନ୍ତି ।

ଏସବୁ ତାଙ୍କରି ରୂପ ଭ୍ରମ ନାହିଁ ଏଥି ॥

ତାହାଙ୍କୁ ନମିଣ ଗ୍ରନ୍ଥ ସମାପ୍ତି ହୋଇଲା ।

ସୁଜନେ ଦୋଷ ନଧର ଦୟା କରି ଭଲା ॥

ଯେ ଯୋଗିଙ୍କ ହୃଦୟରେ ଜ୍ୟୋତିରୂପେ ଥାନ୍ତି ।

ପୁରାଣ ଅଧିପ ବିଷ୍ଣୁ ନମଃ କରୁ ନିତି ॥

ଯେ ପ୍ରଧାନ ପୁରୁଷ ଯେ ଆଦି ସନାତନ ।

ଶାଶ୍ୱତ ଈଶ୍ୱର ସର୍ବ ହେତୁର କାରଣ ॥

ପୁରାଣକର୍ତ୍ତା ପୁରାଣ ବେତ୍ତା ସେ ଶ୍ରୀହରି ।

ପୁରାଣ ଶେଷରେ ତାଙ୍କୁ ନମସ୍କାର କରି ॥

ଯେମାୟା ସର୍ବଜଗତ ପାଳନ୍ତି ସନ୍ତତ ।

ବିଷ୍ଣୁଙ୍କୁ ଉମାରୂପରେ ମୋହୁଥାନ୍ତି ନିତ୍ୟ ॥

ଗୌରୀରୂପେ ଶିବଙ୍କୁ ମୋହନ୍ତି ସଦାବେଳେ ।

ଶୁଭ ସମ୍ପତ୍ତି ପ୍ରଦାନ କରନ୍ତୁ ସେ ହେଳେ ॥

ସାଧାରଣଙ୍କ ବୋଧାର୍ଥେ କାଳିକା ପୁରାଣ ।

ଭାଷାବନ୍ଧେ ବିରଚିତ ହେଲା ଏହା ଜାଣ ॥

ସ୍ତ୍ରୀଶୁଦ୍ରାଦି ସର୍ବେ ପଢ଼ି ଶୁଣିବେ ଏ ତତ୍ତ୍ଵ ।

ବିଜ୍ଞଲୋକେ ଦୋଷତେଜି ଗୁଣେ ହେବେ ରତ ॥

ନିର୍ଦ୍ଦୋଷ କବିତା ହୁଏ ନାହିଁ ଏ ସଂସାରେ ।

କବିତା ନୁହେଁ ଅନୁବାଦ ମାତ୍ର ଏଥରେ ॥

ସଂସ୍କୃତ ଶ୍ଳୋକାନୁବାଦ ସାଧ୍ୟମତେ କରି ।

ଏକପଦ ମାତ୍ର କଳ୍ପନା ନାହିଁ ଜାଣିଲି ॥

ଶ୍ରୀ ବିଲୀଶ୍ଵରାବ୍ଦ ଭୋଗ ତେରଶ ତେପନେ ।

ବୈଶାଖ ଶୁକ୍ଳଦଶମୀ ଶୁକ୍ରବାର ଦିନେ ॥

ମହୋଦଧି ତୀରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ।

କାଳିକା ପୁରାଣ ଶେଷ ହେଲା ଗୀତ ମାତ୍ରେ ॥

ଅଧମ ପ୍ରଭାକରର ଦୋଷ ନଧରିବ ।

ଗୁଣକୁ ଗ୍ରହଣ କରି ସୁଖୀ କରାଇବ ॥

ଶ୍ରୀ ବଳଦେବ ସୁଭଦ୍ରା ଜଗନ୍ନାଥ ପଦେ ।

ଏ ଗ୍ରନ୍ଥକୁ ସମର୍ପିଲି ମନର ଆନନ୍ଦେ ॥

ସେ ଜଗତପ୍ରଭୁ ଘେନକରି ଏ ପୁରାଣ ।

ଅଧମ ରଚୟିତାକୁ ରଖନ୍ତୁ ଶରଣ ॥

ଛସହସ୍ର ଛଶତ ଷାଠିଏ ପଦ ଯୋଡ଼ି ।

କାଳିକା ପୁରାଣ ଗ୍ରନ୍ଥ ଏବେ ଗଲା ବଢ଼ି ॥

 

ସମାପ୍ତୋଽୟଂ ଗ୍ରନ୍ଥଃ ।

Image